ଏକାନ୍ତ
ଏକାନ୍ତ
ପ୍ରତିଦିନ ରାତିରେ ମୋତେ ନିଜ ଖଟ ଉପରେ ପାଇ ଅନେକ କଥା ଭାବୁଥିଲା ମା । ବାପାଙ୍କ ଯିବାର ମାସେ ଉପରେ ହେଲାଣି, ଆଉ ସବୁ ରାତିରେ ମୋତେ ବହୁତ ନିଃସଙ୍ଗତା ବୋଧ ହୁଏ । ମା ଶୋଇବା କୋଠରୀ ଆଡକୁ ପାଦ ଆପେ ଆପେ ଚାଲିଯାଏ, ଦେଖେ ସେ ମଧ୍ୟ୍ୟ ଶୋଇ ନଥାଏ । ପିଲାଦିନ ପରି ଯାଇ ତା କୋଳରେ ମୁଣ୍ଡ ରଖି ଶୋଇପଡ଼େ, ମୋତେ ଏତେ ରାତିରେ ତା ପାଖେ ଶୋଇବାର ଦେଖି ଚିନ୍ତାମଗ୍ନ ହୋଇପଡେ ମା , କଣ ପାଇଁ ମୋ ଅନିଦ୍ରାପଣ ଜାଣିବା ଉପଲକ୍ଷେ । ସେ ଦିନ ରାତିରେ କାନ୍ଥରେ ତକିଆ ଆଉଜି ବସିପଡ଼ିଲା ଜାଣିବାକୁ ମୋ ମନ ଭିତରେ ଥିବା ବ୍ୟଥାକୁ । ଅନେକ ପ୍ରଶ୍ନ ଅନେକ ଉପାୟରେ ଚପଳତାର ସହ ପଚାରିଲା ମୋ କେଶ ସଜାଡୁ ସଜାଡୁ,ସବୁ କାରଣରେ ନା କହିବାରୁ ସେ ଦିନ ମୁହଁ ଖୋଲି ପଚାରି ଦେଲା ତା ଭିତରେ ଥିବା ତା ସନ୍ଦେହୀ ପ୍ରଶ୍ନ ଗୁଡିକ ।
...... କଣ ଅଫିସରେ କାମ କରିବାକୁ କିଛି ଅସୁବିଧା ହେଉଛି?
........ ମୁଁ କହିଲି ନା ।
.........କଣ କୋଉ ବନ୍ଧୁ ସହ ଝଗଡା ହୋଇଛି?
......... ମୁଁ କହିଲି ନା ।
.........କଣ କୋଉଠି ପଇସା ପତ୍ର, ଧାର ଉଧାର କଥା ଅସୁବିଧା କରୁଛି?
........... ମୁଁ କହିଲି ନା ।
........... ବାପା ଯିବା ପରେ ଜମିବାଡ଼ି, ଘରଦ୍ୱାର ନେଇ କିଛି ସମସ୍ୟା?
.......... ମୁଁ କହିଲି ନା ।
......କଣ ବୋହୂ ସହ ଝଗଡା ହେଉଛି?
......ମୁଁ କହିଲି ନା ।
ଅସହ୍ୟ ହୋଇ ପଡିଲା ସେ....କାନ୍ଦି ପଚାରିଲା....
......ତେବେ ତୋତେ ମୋ ରାଣ ଧନ ସତ କହ,
କଣ ପାଇଁ ତୋର ଏ ଚିନ୍ତା?
ଆଜି ସେ ବୋଧେ ସ୍ଥିର କରିନେଇଥିଲା ଅସଲ କଥା କଣ ଜାଣିବା ପାଇଁ । ମୁଁ ତା ରାଣ ନିୟମ ଟାଳି ନପାରି କହିଲି
..... ମା ମନେଅଛି ଛୋଟବେଳେ ତୁ ଆଉ ବାପା ମୋର ଅଲଗା କୋଠରୀ ରେ ରହିବାର ବ୍ୟବସ୍ତା କରିଦେଇଥିଲ ।
ହଁ....... କିନ୍ତୁ ସେଥିପାଇଁ ତ ତୁ ନିଜେ ଜିଦି କରିଥିଲୁ ।
.... ହଁ ମା କାରଣ ମୋତେ, ତୋତେ ଆଉ ବାପାଙ୍କୁ ସାଙ୍ଗରେ ଦେଖିବାକୁ ଖୁବ ଭଲ ଲାଗେ, ଖୁସି ଲାଗେ ତୁମ ଦୁଇ ଜଣକୁ ଏକା ସାଙ୍ଗରେ ଦେଖି ।
....... ହଁ,ଠିକ ଯେପରି ମୋତେ,ତୋତେ ଆଉ ବୋହୂକୁ ଏକା ସାଥେ ଦେଖିବାକୁ ଭଲଲାଗେ ।
.......କିନ୍ତୁ ତୁ ପ୍ରତିଦିନ ରାତିରେ ମୋ ଶୋଇଲା ପରେ ଆସୁ ମୋତେ ଦେଖିବାକୁ,ଆଉ ସକାଳୁ ସକାଳୁ ମୁଁ ଦେଖେ ମୋତେ ତୁ କୋଳେଇ ଶୋଇଥିବାର ।
......ହଁ କାରଣ ମୋତେ ଚିନ୍ତା ହୁଏ ତୁ ପିଲାଲୋକ ରାତିରେ ଏକଲା ଅନ୍ଧାରରେ ଶୋଇବାକୁ ଡ଼ରିବୁ ବୋଲି, ମନ ବୁଝେନା ଧନ ।
....... ଠିକ କହିଲୁ ମା ସେମିତି ପ୍ରତି ରାତି ମୋତେ ଡର ଲାଗେ ବାପା ଯିବାପରେ ତୋ ଏକାନ୍ତପଣକୁ, ତୁ କାଳେ ଜୀଵନପଥର ଏ ଅନ୍ଧାରକୁ ଡରିଯିବୁ? ମନ ବୁଝେନା, ସେଥିପାଇଁ ଚାଲିଆସେ ତୋତେ କୋଳେଇ ଶୋଇଦେବାକୁ ।
........ସେ ମୁହୂର୍ତ୍ତଟି ଅଟକି ଯାଇଥିଲା ଆଉ ଖାଲି ଥିଲା କିଛି ଛଳ ଛଳ ଲୁହ ଆମ ମା, ପୁଅଙ୍କ ଆଖିରେ, ମା ମୋତେ ତା ପଣତରେ କୋଳେଇ ନେଇଥିଲା ଠିକ ସେ ପିଲାଦିନ ପରି ।