Rajesh Kumar Mohapatra

Tragedy Fantasy

4.7  

Rajesh Kumar Mohapatra

Tragedy Fantasy

ଚାନ୍ଦିନୀ ର ଚିଠି

ଚାନ୍ଦିନୀ ର ଚିଠି

4 mins
564


ପ୍ରିୟର ବାପା ମୋ ପ୍ରଣାମ ନେବେ ମୁଁ ବୋଧେ ତୁମକୁ ଚିଠି ଲେଖି ଲେଖି ଥକି ଗଲିଣି ଆଉ ଲେଖିବିନି । ମନରୁ ମୋର ଧୀରେଧୀରେ ସବୁ ପାସୋରିବାକୁ ବସିଲାଣି କେତେ ଲେଖିବି ଯେ ତୁମେ ତ ଆଉ ଉତ୍ତରରେ ଚିଠି ଦେଉନ । ବୋଉ କେମିତି ଅଛି ? ମୋ କଥା ତାର ମନେ ପଡ଼ୁଚି ନାଁ ନାହିଁ ? କାହିଁ ବା ମନେ ପକେଇବ ଆଉ ଝିଅକୁ ତ ଛାଡ଼ି ଦେଲ ଆଉ କଣ ପାଇଁ ଭାବିବ ? ମୁଁ କିନ୍ତୁ ତୁମ ମାନଙ୍କୁ ସବୁ ଦିନ ମନେ ପକାଏ । ଜାଣିଛ ମୁଁ ଏଠି ଜଣେ ଭଲ ସାଙ୍ଗ ପାଇଛି ତା ନା ବୁଲବୁଲ ତାର ବି ମୋ ଭଳି କେହି ନାହିଁ । ସେ ମୋତେ ବହୁତ୍ ଭଲ ପାଏ ହେଲେ ବାପା ଜାଣିଛ ତାର ମୁଁହ ଖୋଲୁନି ସେ କିଛି କହି ପାରେନି ହେଲେ ମୁଁ ତା ଈଶାରା ସବୁ ବୁଝି ଯାଏ । ସେ ମୋ ବିନା କେବେ ଏକା ଖାଏନି ମୁଁ ଯଦି କୁଆଡେ ଯାଇଥିବି ସେ ମୋତେ ହିଁ ଅପେକ୍ଷା କରିଥିବ ମୋ ବିନା ବୋଧେ ତା ଖାଦ୍ୟ ହଜମ ହୁଏନି । ମୋ ମା ବି ସେମିତି ଥିଲା ନାଁ ? ମୋ ବିନା ଖାଇ ପାରୁନଥିଲା । ମୁଁ ଅଝଟ ହେଲେ ତୁମେ ଗାଳିଦିଅ ବୋଉ ମୋତେ କୋଳେଇ ନେଇ ଯାଏ ସେତେ ବେଳେ ! ସତରେ କେତେ ସ୍ନେହୀ ସେ । ହଉ ଶୁଣ ମୁଁ ଚିଠି ଲେଖିବାର କାରଣ ଆଗକୁ କୁମାର ପୂର୍ଣ୍ଣିମା ଆସୁଛି ତୁମେ ଆଉ ବୋଉ ସାଙ୍ଗ ହେଇ ଆସିବ ମୋ ପାଇଁ ନୂଆ ଡ୍ରେସ୍ ଆଣିବ । ଜାଣିଛ ବୁଲବୁଲ ବି ମନ ଦୁଃଖ କରେ ହେଲେ କହି ପାରେନି ମୁଁ ତା ଆଖି ଦେଖି ସବୁ ବୁଝି ନିଏ । କୁଆଁର ପୁନେଇ ଜହ୍ନ ଯେତେ ବେଳେ ତାର କୁଆଁରୀ ଜ୍ୟୋତ୍ସ୍ନାକୁ ବିଚ୍ଛୁରିତ କରି ପକାଏ ବୁଲବୁଲର ଆଖିକୁ ଏତେ ଜଳକା କରି ଦିଏ ତା ଆଖି ରେ ଲୁହ ଆସି ଯାଏ । ମୁଁ ତା ଲୁହ ପୋଛିଦିଏ କୁହେ ମୋ ବାପା ଆସିଲା ଦିନ ତୋ ପାଇଁ ବି ଗୋଟେ ନୂଆ ଡ୍ରେସ୍ ଆଣିବେ । ତା ପାଇଁ ବି ଆଣିବ ନା ବାପା ? ତୁମ ପାଖରେ ଯଦି କମ୍ ପଇସା ଥିବ ସେଥିରେ ମୋ ପାଇଁ ଦାମି ଡ୍ରେସ୍ କିଣିବନି ତା ପାଇଁ ଆଉ ମୋ ପାଇଁ ଆଣିବ ସେ ବା ମୋର ବଉଳ ମୋ ଚାନ୍ଦ ସେ ନ ପିନ୍ଧିଲେ ମୁଁ କେମିତି ପିନ୍ଧିବି କହୁନ । ତା ବିନା କଣ ଚଉରା ମୂଳେ ମୁଁ ପୂଜା କରି ପାରିବି । ବୋଉ ମୋ ପାଖ ରେ ଥିଲେ ସେ ମୋତେ ସଜେଇ ଦେଇ ଥାନ୍ତା, କୁକୁମରେ ମୋ ମଥାରେ ବିନ୍ଧି ଆଙ୍କି ଦେଇ ଥାନ୍ତା, ଚାଙ୍ଗୁଡି ରେ ମୋ ପାଇଁ ଉଖୁଡା ଦେଇ ଥାନ୍ତା, ମୋତେ ନୂଆ ଡ୍ରେସ୍ ପିନ୍ଧେଇ ଦେଇ କଣ୍ଢେଇ ଭଳି ସଜେଇ ଦେଇଥାନ୍ତା । ଜାଣିଛ ତୁମେ ଆସିବ ବୋଲି ଜମା ଆସୁନ । କେତେ ଥର ହେଇ ଗଲା ଯେ ଆଉ ଚିଠି ଦେବିନି ମୁଁ ଅଭିମାନୀ ଝିଅ ପରା ତୁମର । ମୁଁ ଅଭିମାନ କରି ଚିଠି ନ ଦେଲେ ତୁମେ ଠିକ୍ ବୁଝିବ ଆସି ମୋତେ ଗେହ୍ଲା କରି ବୁଝେଇବ । ବାପା ଜାଣିଛ ମୁଁ ତୁମ ଉପରେ ରାଗି ପାରୁନି ତୁମେ କେତେ ସ୍ନେହ କର ମୋତେ ମୁଁ ଜାଣିଛି ତୁମେ କାମ ବ୍ୟସ୍ତରେ ଆସି ପାରୁନ । ବୋଉକୁ କହି ଆମ ପାଇଁ ଉଖୁଡ଼ା ଆଣିବ । ମୋତେ ଲାଗେ ଜହ୍ନ ର ମୁଁହଟା ମୋ ବୋଉ ଭଳି, କୁଆଁର ପୁନେଇଁରେ ସେ ବି ସଜେଇ ହେଇ ଆସେ କେତେ ଶୁଭ୍ର କେତେ ଶୀତଳ ଠିକ୍ ମୋ ବୋଉ ଭଳି ନାଁ ? କାହିଁ କି ଏ କୁଆଁର ପୁନେଇ ହୁଏ ମୁଁ ଜାଣିନି କେମିତି ଜାଣିବି କହୁନ ମୋ ମା ତ ମୋତେ ଶିଖେଇନି, ତା ପରେ ଏ ଅନାଥ ଆଶ୍ରମ ରେ ବା କି କୁମାର ପୁନେଇ । ଏଠି ଜାଣିଛ ଏଇ କିଛି ଦିନ ତଳେ ଗୋଟେ କୁନି ଝିଅଟେ ଆସିଛି ଭାରି ସୁନ୍ଦର୍ ସେ, ମୁଁ ତାକୁ ଗେଲ କରେ ମୋ ବୋଉ ଯେମିତି ମୋତେ ତା ହାତ ରେ ଧରି କରୁଥିଲା । ଜାଣିଛ ନା ତାକୁ ବି କିଏ ମୋ ଭଳି ଏଇ ମେଡିକାଲ୍ ପାଖ ଡ୍ରେନ ପାଖରେ ଛାଡ଼ି ଦେଇ ଯାଇ ଥିଲା । ମୁଁ ଜାଣେ ତୁମେ ଅଭାବରେ ପଡି ମୋତେ ଛାଡ଼ି ଦେଇ ଯାଇଥିଲ ନ ହେଲେ କଣ ତୁମେ ତୁମ ଗେହ୍ଲା ଝିଅକୁ କେବେ ଛାଡ଼ି ଯାଇ ପାରି ଥାଆନ୍ତ ! ସତରେ ବାପା ମୁଁ କଣ ଝିଅଟିଏ ବୋଲି ଏତେ ଅଦରକାରି ହେଇ ଗଲି । ମୁଁ ଜାଣିଛି ତୁମେ କେବେ ବି ଏଇ ଖରାପ୍ ଲୋକ ଗୁଡାକ ଭଳି ହେଇ ନଥିବ । ମୋତେ ଦିଦି କହୁଥିଲେ ମୋତେ କୁଆଡେ କୁଆଁର ପୁନେଇ ରାତିରେ ସେ ପାଇ ଥିଲେ ସେଥିପାଇଁ ପରା ମୋ ନାଁ ଚାନ୍ଦିନୀ । ମୋତେ ଏଇ ଶୁଭ୍ର ଜହ୍ନ ଆଲୋକରେ ଛାଡ଼ିଲା ବେଳେ ତୁମେ ମୋ ମୁହଁ ଠିକ୍ ସେ ଦେଖି ଥିଲ ନା ? ବାପା ତୁମ କଥା ବହୁତ୍ ମନେ ପଡ଼ୁଚି । ଜାଣିନି ବାପା କଣ ବୋଉ କଣ, ଦିଦି କହିଥିଲେ ଯେବେ ବି ବାପା ବୋଉ ଙ୍କ କଥା ମାନେ ପଡ଼ିବ ଚିଠି ଟିଏ ଲେଖି ପୋଷ୍ଟବାକ୍ସରେ ପକେଇ ଦେବାକୁ । ମୁଁ ଆଉ ଦେବିନି ଚିଠି ଜାଣିଛି ତୁମେ ପଢିବନି କେତେ ଆଉ ଦେବି ଯେ ? ବାପା ମୋତେ ମନେ ପକେଇ ହଇରାଣ ହେବନି ଭାବିବନି ତୁମ ଝିଅ ଦୁଃଖରେ ଅଛି, ମୋର କଣ୍ ହେବ ନୂଆ ଡ୍ରେସ୍ ? ମୋ ପାଇଁ ପରା କେହି ଜଣେ ତାଙ୍କ ପୁରୁଣା ଡ୍ରେସ୍ ଦେଇ ଯାଇଛନ୍ତି ଦିଦି ଆଣି ଦେଇ ଥିଲେ ମୁଁ ସେଇ ଥିରୁ ବାଛି ପିନ୍ଧି ନେବି ଦେଖିବ ମୁଁ ବି ଏ ଜହ୍ନଠୁ ସୁନ୍ଦର୍ ଦିଶିବି । ମୋ ପାଇଁ ବ୍ୟସ୍ତ ହେବନି ମୁଁ ବହୁତ୍ ଖୁସିରେ ଅଛି ମୋ ଚାନ୍ଦ ବୁଲବୁଲ ସହ । ଯଦି କେବେ ମନେ ପଡେ ଆସିବ ପୁଣି ଗୋଟେ କୁମାର ପୂର୍ଣ୍ଣମୀରେ ମୋ ମୁହଁକୁ ଭଲ କି ଦେଖି ଦେଇ ଯିବ ରହିଲି ।


                 ଇତି

ତୁମ ଅଲିଅଳି ଝିଅ 'ଚାନ୍ଦିନୀ'



Rate this content
Log in

Similar oriya story from Tragedy