SARADA NAYAK

Romance Fantasy

5.0  

SARADA NAYAK

Romance Fantasy

ଗୁରେଇ

ଗୁରେଇ

21 mins
452


ଶୀତ ଟିକେ ଟିକେ ପଡ଼ିବା ଆରମ୍ଭ ହେଇଛି। ତଥାପି ଦେହରେ ସ୍ଵିଟର କି ଚାଦର ଦରକାର ପଡ଼ିନି ଏଯାଏଁ । ହେଲେ ହାତ ଗୋଡ଼ ପାଉଁଶିଆ ଦେଖା ଗଲାଣି, ପହିଲି ଶୀତ ପ୍ରଭାବରେ ।


                                 ଜତପୁର ଇଣ୍ଡଷ୍ଟ୍ରିଆଲ ପଛପଟେ, ନଈ ଧାରେ ଧାରେ ଗଢ଼ି ଉଠିଛି ଜବରଦଖଲ ମୁଣ୍ଡା ବସ୍ତିଟିଏ । ବସ୍ତିର ସମସ୍ତେ ପ୍ରାୟ ମୂଲ ଲାଗି ଚଳନ୍ତି । ପୁଅ ଝିଅ ବୋହୂ ବାପା ମା ସମସ୍ତେ……. ସମସ୍ତେ କର୍ମଜୀବୀ । ତଥାପି କାହାର ଆର୍ଥିକ ଅବସ୍ଥା ସେମିତି କିଛି ସ୍ୱଚ୍ଛଳ ନୁହଁ । କାରଣ ସଞ୍ଚିବା ମନବୃତି ର ଅଭାବ ଆଉ ମହୁଲି ।

                               

                                 ବସ୍ତିର ସବା ଶେଷରେ ନୂଆ ଘର ଟିଏ, ଏଇ ଲକ୍ ଡାଉନ୍ ତିନି ମାସ ପୂର୍ବରୁ ହେଇଛି । ଘର ଆଗରେ ମଧୂମାଳତି ଲଟେଇଛି । ସନ୍ଧ୍ୟା ହେଲେ ଫୁଟେ । ହଁ……. ଭାରି ବାସ ତାର । ଆଉ ଘର କହିଲେ, ଚାରିଟା ମାଟି କାନ୍ଥ ଉପରେ ଛପର ଢାଞ୍ଚାରେ ଜରି ପାଲ । କୋଉଠି ଧଳା କୋଉଠି କଳା ପୁଣି ଆଉ ଠାଏ ନେଳି । କଣ ବା କରାଯିବ… ମାଙ୍କଡ ଯେତେ ଥର ଡେଉଁଛି ସେତେ ଥର ପାଲରେ ତାଳି ପଡ଼ୁଛି । ଭିତରେ ଦିଟା ବଖରା । ଚିକ୍କଣ କରି ଲିପା ହେଇଛି କାନ୍ଥ, ତଳ, ପିଣ୍ଡା ସବୁ ହେଲେ ଅଲଗା ଅଲଗା ରଙ୍ଗରେ। ମାଟି ଘର ହେଲେ ବି ଧୂଳି ଟିକିଏ ନାହିଁ କୋଉଠି। ଆଉ ରୋଷେଇ ବାହାରେ। ବର୍ଷା ବର୍ଷି ହେଲେ ଘର ଭିତରେ ଗ୍ୟାସ୍ ଚୁଲା ବ୍ୟବସ୍ଥା ବି ଅଛି।


ଘର ବାହାରେ ଗୋଟେ କୁକୁଡ଼ା ପଛରେ ଦି ଟା ଗଞ୍ଜା ଗୋଡ଼ା ଗୋଡ଼ି ହଉଛନ୍ତି… ଖୁମ୍ପା ଖୁମ୍ପି ବି ହେଇ ଯାଉଛନ୍ତି…କ……କ….କ……କ.…କ.... କକ୍….କ……କ………. ୟାରି ଭିତରେ ଦଦରା କଣ୍ଠ ହେଲେବି ସହି ସହି ତାଳ ଲୟରେ ଭାସୁଛି……

ଏ ପିଲା ନେଇଯା…..ରେ ନେଇଯା~ରେ…………..ଆଖି ଗୁଲି…………

ଗୁରେଇ: ଏ ପିଲା……..ସେତ୍କି ଘସ୍…..ସେଟା ରିଷ୍କା ଆଏ ତୋର ଛୁରୀ ନୁହେ । ଗାନା ଗୁଟେ ଗାଉଛେ ଯେ……. ଛି…..ଛି……. ଭଲ୍ ଭଜନ ଟେ ଗାଇଲେ ହବ ନାଇ କି……

ବାମୁଆ ନୂଆ ଟ୍ରଲି ରିକ୍ସାଟେ ଆଣିଛି ଏଇ ଲକ୍ ଡାଉନ୍ ହେବାର ଦି-ଚାରି ଦିନ ପୂର୍ବରୁ । କାମ ଯେତେ କରୁନି, ତାଠୁ ଅଧିକ ପୋଛୁଛି । କନାଟାଏ ଧରି, ରଗଡ଼ି ରଗଡ଼ି ସଫା କରୁଛି ରିମ୍ ସବୁକୁ, ମୁହଁ ଦେଖା ଯିବା ପର୍ଯ୍ୟନ୍ତ।

ବାମୁଆ: ଏରେ…….. ତୁଇ ମାଇକିଣା କି ଜାଣ୍-ବୁ………..ଇଟା ମୋର ଭାଇ । ତୁଇ ଦୁଇ ଭାଇ ଭିତ୍ରେ ଫାଟ କରୁଛୁ। ତୁଇ ତୋର୍ କାମ୍ କର୍……………

ବାମୁଆ ଏମିତି କଥା କଥା କେ ରାଗିଲା ପରି କଥା କୁହେ। ହେଲେ ସେ କି ରାଗି ପାରିବ ଗୁରେଇ ଉପରେ? ଗୁରେଇ ଠିକ ଜାଣିଛି ଏ କଥା। ସେଇଥି ପାଇଁ ସେ ଶୁଣେନି ତା କଥା।

ଗୁରେଇ: ଯା ଟିକେ ପାଣି ନେଇକି ଆ ବିନ ଘର କଳରୁ । ଡାଲି ବସେଇବି, ଯା ଜଲ୍ଦୀ । ଆମ ପାଣିରେ ଡାଲି ସିଝୁନି। ଭଲ୍ ନ ଲାଗ୍ଲେ ତୁଇ ରିଶା ହବୁ ।…. ଯା ମୋ ଧନ ମୋ ରଜା….. ଯା ଟିକେ….. ହଁ ଆସିଲା ବେଳେ ବୁଇ ଘରୁ ମେଶୀଙ୍ଗା ପତ୍ର(ଭୃସଙ୍ଗ) ଦୁଇଟା ଆନବୁ……..

ବାମୁଆ ରିକ୍ସା ସଫା କଲାବେଳେ ଫିରଙ୍ଗି ବସିଛି ତା ଉପରେ। ତା ନା ଫିରଙ୍ଗି ହେବାର କାରଣ, ସେ ଶ୍ୱେତାଙ୍ଗ ପରି ଦେଖିବାକୁ । ତାର ଚୁଟି ବି କହରା। ଚିଲ ଅଖିଆ। ପୁରା ସଫା ସଫା ସବୁଆଡ଼େ। ଖାଲି ଦାନ୍ତକୁ ଛାଡ଼ି। ପାନ ଗୁଟୁଖା ଖାଇ ଗେରୁଆ ଦିଶୁଛି ଦି ଧାଡ଼ି।

ସେ ସେଠି ବସିବାର ବି କାରଣ ଅଛି। ଅନେଇ ରହିଛି ଗୁରେଇକୁ। ଭାଉଜ ଏମିତି କର ସେମିତି କର……ତାକୁ ଏମିତି କଲି ସେମିତି କଲି…..ଇତ୍ୟାଦି ବସି ଗପୁଛି। ଗୁରେଇ ଜାଣିଛି ଫିରଙ୍ଗି ତା ପାଇଁ ବସିଛି । ହେଲେ କିଛି କୁହେନି। କାହିଁକି ନା ତା ମା ଭାରି କଳିହୁଡ଼ି।

ବାମୁଆ: ଆରେ ସେଇ ପାଣିରେ କର। ମୁଇ ଯାଇ ପାରିବିନି ଆଣିବାକୁ। ଉଁ……..ଦେଖୁଛି କାମ ଗୁଟେ କରୁଛି। ଆହୁରି କହୁଚି…………

ଫିରଙ୍ଗି: ଆଁ……ଭାଉଜ କହୁଛି……କେଡ଼େ ସରଧାରେ……ଯା ନେଇ ଆ ଟିକିଏ।

ଗୁରେଇ ଅନେଇଲା ଫିରଙ୍ଗିକୁ ସନ୍ଦେହ ନଜରରେ। ପୁଣି କହିଲା ନା ଥାଉ ବାମୁଆ । ମୁଇ ଡାଲି ବସେଇ ସାରିଲିଣି।

ଫିରଙ୍ଗି: ନାଇରେ ବାମୁ …. ତତେ କଷ୍ଟ ଦବନି ବୋଲି ଭାଉଜ ମିଛ କହୁଛି। ତୁ ଯା ନେଇ ଆ…….. ଯା….. ଯା……

ଗୁରେଇ: ହେଁ……ତତେ ଯଦି ଏତେ ଦୟା ଲାଗୁଛି ତୁ ଯା ନେଇ କରି ଆ…..

ଗୁରେଇ, ଫିରଙ୍ଗିର ଏକାନ୍ତ ନଜରରୁ ବଞ୍ଚିବା ପାଇଁ ଏଭଳି ବୁଦ୍ଧିଟିଏ କଲା । ହେଲେ ଫିରଙ୍ଗି ବି ଭାରି ଚାଲାକର ସହ ଉତ୍ତର ଦେଲା, ମୁଇ ଯାଇ ଥିଲେ କହିବାକୁ ପଡ଼ି ନଥାନ୍ତା । ମା ଝଗଡ଼ା କରିଛି ବିନ ମା ସାଙ୍ଗେ। ମୁଇ ତାର୍ ଘର ଆଗକୁ ବି ଯାଉନି।

ଗୁରେଇ: ଥାଉ କେହି ଯିବା ଦରକାର ନାହିଁ। ମୁଇ ଡାଲି ବସେଇ ସାରିଲିଣି।

ବାଡ଼ି ପଡ଼ା………ଗାଡ଼୍ ସୁଆ……କାହିଁ ଗଲୁରେ………ମୋର୍ ନା'କେ ତଲେ ପକାଲୁ ।…….

ସେ ମୁଣ୍ଡରୁ ପାଟି କରି କରି ଆସୁଥାଏ ଫିରଙ୍ଗିର ମା……ଫିରଙ୍ଗିକୁ ଗାଳି କରି କରି…..

ଫିରଙ୍ଗି ତା ମା ପାଟି ଶୁଣି ଟ୍ରଲିରୁ ଓହ୍ଲେଇ ଦଉଡ଼ି ପଳେଇଲା। ହେଲେ ତା ମା ସେମିତି ପାଟି କରି କରି ଆସି ପହଁଚିଲା ବାମୁଆ ଘର ପାଖେ।

ଫିରଙ୍ଗି ମା: ରେ ବାମ ……. ମୋର୍ ପିଲାକେ ଦେଖିଛୁ କି ରେ……? କାହିଁ ଗଲା ହେ ଗାଡ଼୍ ସୁଆ……?

ବାମୁଆ: ହଁ ରେ …….ଏଇଠି ଥିଲା ତୋର୍ ପାଟି ଶୁଣି ଧାଇଁ ପଳେଇଲା, ନଈ ଆଡ଼େ ।

ଫିରଙ୍ଗି ମା: ହଉ ଗଲା…….କେନ୍ ଆଡ଼େ ଯିବା ? ଗିଳିବାକୁ ଘରକୁ ଆସିବ । ବାନ୍ଧି ଦେମି ଆଜି । ତାର ବୁଆ ବଚେଇ ନେଇ ପାରେ ଆଜି।

ଗୁରେଇ ମନେ ମନେ ହସୁ ଥିଲା। ଭାବୁ ଥିଲା, ତାର ତ ବାପା ନାହିଁ। ଆଉ ବୁଢ଼ୀ କାହା କଥା କହୁଛି….

ବାମୁଆ: ତୁଇ ଆଗେ ଗୁଟେ ତାର୍ ବୁଆ ଠିକ୍ କର। ତା ପରେ କହିବୁ।

ହସି ହସି ବାମୁଆ ଏଇ କଥା ପଦେ କହି ଦେଲା ସିନା ହେଲେ ଗୁରେଇ ପରିସ୍ଥିତିକୁ ମାପି ନେଲା। ଜାଣି ପାରିଲା ଝଡ଼ ଆସିବାକୁ ଯାଉଛି। ଫିରଙ୍ଗି ମା ଯୋଉ କଳିହୁଡ଼ି ଏବେ ବାମୁଆର ବଂଶ ଉଦ୍ଧାରିବ।

ଗୁରେଇ: ଆରେ………ସେମିତି କଣ କହୁଛୁ ବଡ଼ ମା କୁ…..। ସେ ଗୁରୁଜନ। ପାଟି ତୋର ଖଲ ଖଲ ହଉଛି। ତୁମ୍ ପଡ୍ ।( ଚୁପ୍ ରହ)

ଫିରଙ୍ଗି ମା ର ବଢ଼ି ଆସିଥିବା ଉତ୍ତାପ ଟିକିଏ ଥଣ୍ଡା ହେଲା। ହେଲେ ଗୁରେଇ କଣ ଜାଣିଥିଲା, ଯେ କଳିହୁଡ଼ି ବୁଢ଼ୀ କଳି ନ କରି ପାରିବା ଦୁଃଖରେ ରାଗ ସୁଝେଇବ ତା ଉପରେ ବୋଲି?

ଫିରଙ୍ଗି ମା: ରେ ବାମ……. ମୋର୍ ପିଲା ତ ହାରାମି ଆଏ…..ଚାରି ଆଡେ଼ ମୁଁହ ମରୁଛି…………..ହେଲେ ତୋର ମାଇକିନା ବି କମ୍ ଟା ନୁହେଁ…….ସବୁବେଳେ ଖାଲି ଲାଗିଛି ମୋର୍ ପିଲା ସାଙ୍ଗେ। ଯେତେବେଳେ ଦେଖ ସେ ଏଇଠି । ତୋର ମାଇକିନା କି ଉଷୋ କରିଛି କେଜାଣି ମୋର୍ ପିଲାକୁ। ରାଏତ୍ ପାହେଲେ ଧାଇଁ ଆସୁଛି ତୋର୍ ଘର୍ କୁ ସବୁ କାମ୍ ଧନ୍ଦା ଛାଡ଼ି କରି।

ଏତିକି କହି ଦେଇ ପୁଣି ଫିରଙ୍ଗିକୁ ଶୋଧି ଶୋଧି ବୁଢ଼ୀ ନଈ ଆଡ଼କୁ ଗଲା।

ଏ କଥା ଶୁଣି ବାମୁଆ ଦେହରେ ନିଆଁ ଲାଗି ଗଲା। ଗୁରେଇ କାଠ ହେଇ ବସିଥାଏ। କଣ ହବ ଏଇନେ…….

ବାମୁଆ କିଛି କହିଲାନି। ଟ୍ରଲି ଟାକୁ ଫୋପାଡ଼ି ଦେଇ ରାଗରେ ଗୋଇଠାଟେ ପକେଇଲା ଚୁଲିରେ ବସିଥିବା ଡାଲି ହାଣ୍ଡିକୁ। ଡାଲି ହାଣ୍ଡିରୁ ଗରମ ଡାଲି ବାହାରି ଅଜାଡ଼ି ହେଇ ଗଲା, ଗୁରେଇ ଦେହରେ। ହାତ ସହିତ ମୁହଁର ଅଧା ଭାଗରେ ଯାଇ ପଡ଼ିଲା। ଗୁରେଇ ପାଟି କରି ଉଠିଲା ବିକଳ ସ୍ଵରରେ।

ଗୁରେଇ ପାଟି ଶୁଣି ଲୋକ ସବୁ ଗଦା ହେଇ ଗଲେ। ହେଲେ କାହା ମୁଣ୍ଡରେ କିଛି ପସୁ ନଥାଏ। ବାମୁଆ ବି ତାର ଏ କରୁଣ ଚିତ୍କାର ଶୁଣି କାନ୍ଦି ପକେଇଲା। ବାମୁଆ ଭାରି ଭଲ ପାଏ ଗୁରେଇକୁ। କେମିତି ସେ ଏମିତି କରି ଦେଲା……… ବ୍ୟସ୍ତ ହେଇ ପଡ଼ିଲା। କଣ କରିବ କିଛି ଚିନ୍ତା କରି ପାରୁ ନଥାଏ ସେ।

ଟ୍ରଲିରେ ଗୁରେଇକୁ ପକେଇ ଦେଇ ଧାଇଁଲା ହସ୍ପିଟାଲକୁ। ହେଲେ କୁଆଡ଼େ ଯିବ? ଚାରିଆଡ଼େ କରୋନା। କୋଉ ହସ୍ପିଟାଲକୁ ନେଇକି ଯିବ ସିଏ?

ହଁ…….ବଡ଼ ମେଡ଼ିକାଲ ନେଇ ଯିବ। ହେଲେ ଏତେ ବାଟ କେମିତି ନବ? ଗାଡ଼ି ମଟର ସବୁ ବନ୍ଦ। କଣ ଏଇ ଟ୍ରଲିରେ ନେଇକି ଯିବ ? ଅଶିକ୍ଷିତ ହେତୁ ଜାଣି ପାରିଲାନି ସରକାରଙ୍କ ସୁବିଧାକୁ । ୧୦୮ କୁ ଫୋନ୍ କଲେ ସେ ଆସି ନେଇ ଯାଆନ୍ତା । କେମିତି ବା ଜାଣିବ? ଏଇ ନେତା ମନ୍ତ୍ରୀ ବାବୁ ମାନେ ଖାଲି ଭୋଟ ବେଳେ ଆସନ୍ତି ବସ୍ତି ଆଡ଼େ । ପାଞ୍ଚ ବର୍ଷରେ ଆଉ ଯଦି କେବେ ଥରେ ଆସି କହି ଦେଇ ଯାଆନ୍ତେ ତେବେ ଜାଣିଥାନ୍ତି କି କଣ ବାମୁଆ।

                           

ଗୁରେଇ କାନ୍ଦୁ ଥାଏ ପାଟି କରି ହେଲେ ଯେତିକି ଜୋର୍ ରେ ଯନ୍ତ୍ରଣା ହେଉ ଥାଏ ତାଠୁ କମ୍। ସେ ବାମୁଆର ବ୍ୟସ୍ତତାକୁ ଦେଖି ବୁଝି ପାରୁ ଥାଏ ତାର ଭଲ ପାଇବାକୁ।

ବାମୁଆ: ଏ ଗୁରେଇ……..ତୁ କାନ୍ଦ ନା ଲୋ…….ମୋର ଭୁଲ୍ ହେଇ ଯାଉଛି। ତୋର କିଛି ହବନି। ମୁଇ ତତେ ଠିକ୍ କରି ଦେବି। ଦରକାର ପଡ଼ିଲେ ମୋର ସବୁ ରକତ ତୋତେ ଦେଇ ଦେବି। ତୁଇ ଟିକେ ଦମ୍ ଧର୍…………….ଗୁରେଇ ଆଖିରୁ ନୀରବରେ ଝରି ଆସେ ଲୁହ ଦୁଇ ବୁନ୍ଦା। ସେ ଶୋଇ ରହିଥାଏ ଟ୍ରଲି ଉପରେ …….ବାମୁଆ ନିଜର ସବୁ ଶକ୍ତି ଲଗେଇ ଯେତେ ଜୋର୍ ରେ ପାରେ ଟାଣି ନିଏ ଟ୍ରଲିକୁ..… ଅଳ୍ପ ସମୟରେ ଯାଇ ପହଞ୍ଚେ ଜଗତପୁରର ଗୋଟେ ପ୍ରାଇଭେଟ୍ ହସ୍ପିଟାଲରେ। ସେଠି ସେମାନେ ମନା କରନ୍ତି ଆଡମିସମ୍ ପାଇଁ। ଏମିତିକି କରୋନା ପାଇଁ ହସ୍ପିଟାଲ୍ ରେ ବି ପୁରାନ୍ତିନି ତାକୁ। ତାକୁ କୁହନ୍ତି, ସରକାରୀ ଡାକ୍ତରଖାନା ନେଇ ଯିବା ପାଇଁ। କାହାକୁ ଆଉ ପାଏନି ସେ। ଶେଷରେ ସେ ଗୋଡ଼ ଧରି ନେହୁରା ହୁଏ ସିକ୍ୟୁରିଟି ଗାର୍ଡ କୁ । ତାକୁ କୁହେ, ସେଇ ହସ୍ପିଟାଲ ର ଆମ୍ବୁଲାନ୍ସ ଟିକେ ବୁଝି ଦେବା ପାଇଁ। ନେଇକି ଯିବ ସେ ବଡ଼ ମେଡିକାଲ କୁ। ହେଲେ ସିକ୍ୟୁରିଟି ଗାର୍ଡ ତାକୁ ବୁଝେଇ କୁହେ, ଏଇଟା ପ୍ରାଇଭେଟ୍ ହସ୍ପିଟାଲ। ସେମିତି ହେଇ ପାରିବନି ଏଠି ।

                              ଗୁରେଇର ପାଟି ଶୁଣି ଆହୁରି ବ୍ୟସ୍ତ ହେଇ ପଡୁଥାଏ, ବାମୁଆ । ଏଭଳି ପରିସ୍ଥିତିରେ ନିଜ ଉପରେ ନିୟନ୍ତ୍ରଣ ହରାଉ ଥାଏ ସେ। ରାଗି ଯାଇ ଦି ଚାରି ଗୋଇଠା ଦିଏ ହସ୍ପିଟାଲ କାଚ କବାଟକୁ । ହସ୍ପିଟାଲ ରିସେପସନ କାଉଣ୍ଟରରୁ ଉଠି ଆସେ ଝିଅଟିଏ । ତାକୁ ଦେଖି ବାମୁଆ ଟିକେ ନରମି ଯାଏ ସେ ସେଇ ଝିଅଟିର ଗୋଡ଼ ଧରିବାକୁ ବି ପଛାଏ ନାହିଁ। ତାକୁ ବି ନେହୁରା ହୁଏ ଆମ୍ବୁଲାନ୍ସ ଟିକେ ପାଇଁ। ଝିଅଟି ବୁଝି ପାରେ ନିଜ ସ୍ତ୍ରୀକୁ ବହୁତ୍ ଭଲ ପାଉଥିବା ଗୋଟେ ଅଶିକ୍ଷିତ ପୁରୁଷର ବ୍ୟଥା। ସେ ସଙ୍ଗେ ସଙ୍ଗେ ୧୦୮ କୁ ଫୋନ୍ କରି ବାମୁଆ କୁ ଆଶ୍ଵାସନା ଦିଏ, ଅପେକ୍ଷା କରିବାକୁ।


           ୧୦୮ ଗାଡ଼ି ଆସି ପହଞ୍ଚେ…….. ବାମୁଆ ନେଇ ଯାଏ ବଡ଼ ମେଡ଼ିକାଲକୁ । ବର୍ଣ୍ଣ ୱାର୍ଡରେ ଭର୍ତ୍ତି ହୁଏ ଗୁରେଇ। କରୋନା ଟେଷ୍ଟ ପରେ ଚିକିତ୍ସା ଆରମ୍ଭ ହୁଏ । ୟା ଭିତରେ କେମିତି କେଜାଣି ଖବର ପାଇ ଗୁରେଇର ସାନ ଭାଇ ପଞ୍ଚୁଆ ଆସି ପହଞ୍ଚି ଥାଏ ଡାକ୍ତରଖାନାରେ। ସେ କେବେ ଆସେନି ସେ ଯେବେଠୁ ତା ଭଉଣୀ ଘରୁ ଲୁଚି ପଳେଇ ଆସିଛି ବାମୁଆ ସାଙ୍ଗରେ । ବାମୁଆ ତାକୁ ଦେଖି ଟିକିଏ ଆଶ୍ୱସ୍ତି ଲାଭ କରେ। ଶଳା ଭିଣେଇ ସେଇଠି ପ୍ରଥମ ଥର ପାଇଁ କଥା ବାର୍ତ୍ତା ହୁଅନ୍ତି । ସରକାରୀ ଡାକ୍ତରଖାନା ବିଶେଷ କିଛି ଖର୍ଚ୍ଚ ନାହିଁ। ବାମୁଆ ଯାଇ ରାସନ୍ କାର୍ଡ, ଆଧାର କାର୍ଡ ଆଦି ନେଇ ଆସି ଥାଏ ମଝିରେ। ହେଲେ ସବୁ ପରେ ବି ଖର୍ଚ୍ଚ ତ ଅଛି। ସବୁ ମେଡ଼ିସିନ୍ ମିଳେନି ମାଗଣାରେ ତେଣୁ କାହା ଆଗରେ ହାତ ନ ପତେଇ ଅନ୍ୟ ଉପାୟ ନ ପାଇ ରିକ୍ସା ଟାକୁ ବନ୍ଧା ପକେଇ କିଛି ପଇସା ନେଇ ଆସିଛି ବାମୁଆ । ଅରକ୍ଷିତକୁ ଦଇବ ସାହା ଭଳି ଏଇ ବେଳରେ ସାନ ଶଳାଟା ଜଗି ରହିଛି ତା ଭଉଣୀକୁ ନିଜର ସବୁ କାମ ଧନ୍ଦା ଛାଡ଼ି । ସେ ରାଜମିସ୍ତ୍ରୀ କାମ କରେ କଟକରେ । ପଞ୍ଚୁଆକୁ ଗୁରେଇ ପାଖରେ ଛାଡ଼ି ଦେଇ ବାମୁଆ ବାହାର କାମ ଯେମିତି ପରୀକ୍ଷା, ରିପୋର୍ଟ, ଔଷଧ ଆଣିବା, ଖାଇବା ଆଣିବା, ଇତ୍ୟାଦି କରି ପାରୁଛି ।

               ଘର ଲୋକ ପାଖରେ କେହି ନାହାନ୍ତି। ବାମୁଆର ଘର ମୟୂରଭଞ୍ଜ, କପ୍ତିପଦା। ଛୋଟ ଜାତିରୁ ଝିଅ ଆଣି ନିଜେ ନିଜେ ବାହା ହେଇଛି ବୋଲି ଘରକୁ ଯାଇନି ବହୁତ୍ ଦିନ ହେଲା। ଘରେ ବି କେବେ କେହି ଅସନ୍ତିନି ତା ପାଖକୁ। ବାମୁଆର ବଡ଼ ଭାଇଟେ ଅଛି । ତା ନା ଧୁମା । ପୁରା ବଦମାସ୍ …..ବାହା ହେଇନି ଏଯାଏଁ……। ତାର ଭାରି ରାଗ ବାମୁଆ ଉପରେ ଆଗ ବାହା ହେଇ ଯାଇଛି ବୋଲି। ସିଏ ହିଁ ବାପା ମା କୁ ଶିଖେଇ ତାକୁ ଘରେ ପୁରେଇ ଦେଉନି। ସିଏ ବି ଆଗରୁ କଟକରେ ରହି କାମ କରୁଥିଲା। ମାଲିକର ଚୋରି କଲା ବୋଲି ମାଲିକ ତାକୁ ପୋଲିସ୍ ରେ ଦେଲା। ବାମୁଆ ହିଁ ପଇସା ପତ୍ର ଖର୍ଚ୍ଚ କରି ତାକୁ ମୁକୁଳେଇଛି। ବେଳେ ବେଳେ ଆସେ କଟକ । ଚୋରା ଗଞ୍ଜେଇ ବେପାର କରେ। ହେଲେ ବାମୁଆ ପାଖରେ ରୁହେନି। ଆସିଲେ ରୁହେ ଫିରଙ୍ଗି ଘରେ। କାହିଁକି ନା ଫିରଙ୍ଗି ମା ବି ମାଲ୍ ନିଏ ତା ଠୁ।

ଗୁରେଇ ଆହତ ହେବାର ୧୫ ଦିନ ହେଇ ଗଲାଣି। ସୁସ୍ଥ ମଧ୍ୟ ହେଇ ଆସିଲାଣି ସେ। ଏବେ କଥା ବାର୍ତ୍ତା କରୁଛି। ହେଲେ ଡ୍ରେସିଂ ହେବା କାରଣରୁ ଶାଢ଼ୀ ପିନ୍ଧି ପାରୁନି। ଶାଢୀ, ଚୁଡ଼ି, ଟିକିଲି ସିନ୍ଦୂର ପିନ୍ଧି ପାରୁ ନଥିବା ହେତୁ ଗୁରେଇ ମନ ଭାରି ଦୁଃଖ। ତାକୁ ଜମାରୁ ଭଲ ଲାଗୁନି ନିଜର ଏଭଳି ବେଶ। ସେ ବ୍ୟସ୍ତ ହେଇ ପଡୁ ଥାଏ କେବେ ଭଲ ହେବ ପୁଣି କେବେ ଶାଢ଼ୀ ପିନ୍ଧିବ…….              

                     ବାମୁଆ ହସ୍ପିଟାଲ ଛାଡ଼ି ଯାଇ ଥିଲା ଜଗତପୁର ଘରକୁ ଗୁରେଇର ଲୁଗା ପଟା କିଛି ଆଣିବାକୁ। ସେତିକିବେଳେ ସେ ଦେଖିଥିଲା, ତା ଭାଇ ଆସିଛି କଟକ। ଫିରଙ୍ଗି ଆଉ ତା ଭାଇ ବସିକି ମଦ ପିଉ ଥିଲେ, ତା ନୂଆ ଟ୍ରଳି ଉପରେ। ହଁ ବାମୁଆ ଫିରଙ୍ଗି ମା ପାଖରେ ହିଁ ତା ଟ୍ରଲିଟାକୁ ବନ୍ଧା ପକେଇଛି। ବାମୁଆ କିଛି ନ କହି ଚାଲି ଆସିଥିଲା ସେଠୁ।

ଦିନ ପାଖା ପାଖି ଗୋଟାଏ ହବ। ପୋଲିସ ଆସି ପହଞ୍ଚିଲା ହସ୍ପିଟାଲରେ।

ବାମୁଆ ବସିଥାଏ ଗୁରେଇ ପାଖରେ। ପଞ୍ଚୁଆ ଯାଇଛି ପଇସା କିଛି ଯୋଗାଡ଼ ଆଶାରେ। ଗୁରେଇର ଘା ଟିକେ ଟିକେ ଶୁଖିବା ଆରମ୍ଭ କଲାଣି। ସେଇଥି ପାଇଁ ଗୁରେଇ ଶାଢ଼ୀ ପିନ୍ଧି ପାରିବ ବୋଲି ଡାକ୍ତର କହୁ ଥିଲେ। ଆଜି ମନସ୍ଥ କରିଛି ସେ ଶାଢ଼ୀ ପିନ୍ଧିବାକୁ। ସେଇ କଥା ସେ କହୁଛି ବାମୁଆକୁ । ହେଲେ ବାମୁଆ ମନା କରୁଛି….. କହୁଛି ନାଇ……ଏବେ ନୁହଁ……ଘା ପୁରା ଶୁଖୁ। ହେଲେ ଗୁରେଇ ବିକଳରେ ଚାହୁଁଛି ବାମୁଆକୁ।

ଗୁରେଇ: ଡାକ୍ତର ତ କାଲିଠୁ କହି ସାରିଲେଣି ଶାଢ଼ୀ ପିନ୍ଧିବାକୁ। ତୋର କଣ ହଉଛି?

ପୋଲିସ୍: ବାମଧର ନାଏକ……….ବାମଧର ନାଏକ୍ କିଏ………

ବାମୁଆ ପଛକୁ ବୁଲି ଅନେଇଲା। ପୋଲିସ୍ ଡାକୁଛି ତାକୁ। ଭୟରେ ପୋଲିସ୍ କୁ ହାତ ଯୋଡ଼ି କହିଲା……….ହଁ ଅଜ୍ଞା…….ମୁଇ…..ମୁଇ….. ବାମୁଆ।

ପୋଲିସ: ଅଛା…….ତୁ ବାମୁଆ..….। ଆଉ ଇଏ କିଏ ଇଏ ତୋ ସ୍ତ୍ରୀ? (ଗୁରେଇ କୁ ଦେଖେଇ)

ବାମୁଆ: ହଁ ଅଜ୍ଞା ……ଇଏ ମୋର ଇସ୍ତ୍ରୀ ……ଗୁରେଇ।

ପୋଲିସ୍: ତୁ ତାହେଲେ ଏମିତି ଦୁର୍ଦ୍ଦଶା କରିଛୁ ତୋ ସ୍ତ୍ରୀର ? ବିଚାରିକୁ ମାରି ତାକୁ ପୋଡ଼ି ପକେଇଛୁ ? ଚାଲ୍…….ଥାନାକୁ ଚାଲ୍…….ତୋ କଥା ସେଇଠି ବୁଝା ହବ।

ଗୁରେଇ: ଥାନା ବାବୁ, …….ନାଇ ଥାନା ବାବୁ……ତାର୍ କିଛି ଦୋଷ ନାଇଁ……ସବୁ ଭୁଲ୍ ମୋର……..। ତାକେ ଛାଡ଼ି ଦିଅ..…

ପୋଲିସ୍: କାହାର ଦୋଷ...... କାହାର ଦୋଷ ନାଇ ସେକଥା ବଡ଼ ବାବୁ ବିଚାର କରିବେ। ଏବେ ତୁ ଥାନାକୁ ଚାଲ୍……. ପୋଲିସ୍ ଭିଡ଼ି ଭିଡ଼ି ନେଇ ଜଉ ଥିଲା ବାମୁଆକୁ।

ଗୁରେଇ: ଥାନା ବାବୁ……..ଟିକେ ରୁହ। ମୁଇ ମୋର ମରଦ୍ ସଙ୍ଗେ ଟିକେ କଥା ହେମି । ଟିକେ ଛାଡ଼ ତାକୁ।

ଗୁହାରି ହେଇ କହିଲା ଗୁରେଇ ପୋଲିସ୍ କୁ ।

ପୋଲିସ୍: ହଉ…….. ଯା….. ଜଲ୍ଦି ଯା……କଣ କଥା ହେବା କଥା ଜଲ୍ଦି କଥା ହେଇକି ଆ।…….ଆରେ ଯା…….. ଅନେଇଛୁ କଣ…..। ବାମୁଆ ଗଲା ଗୁରେଇ ପାଖକୁ। ଗୁରେଇ ନିଜ ମୁଣ୍ଡ ଉପରେ ହାତ ରଖି ତା କାନରେ କଣ ଫୁସ୍ ଫୁସ୍ କରି କହିଲା।

           

         ବାମୁଆକୁ ଥାନା ବାଲା ନେଇ ଗଲେ ଗାଡ଼ିରେ ବସେଇ ଥାନାକୁ। ଗୁରେଇ ମେଡିକାଲ ଝରକାରେ ଦେଖୁ ଥାଏ। କେମିତି ପୋଲିସ୍ ବାମୁଆର ହାତକୁ ବାନ୍ଧି ଧକ୍କା ଦେଇ ବସେଇ ଦେଲା ଗାଡ଼ିରେ। ବାମୁଆ ଅନେଇ ଥାଏ ଗୁରେଇକୁ ଝରକା ଦେଇ। ଗୁରେଇର ମୁଁହରେ କ୍ଷତ ହେତୁ ସେ କାନ୍ଦି ପାରୁ ନଥାଏ ହେଲେ ତା ମୁହଁକୁ ଯେ କେହି ଦେଖି ପରିଷ୍କାର ବୁଝି ପାରିବ।


               କିଛି ସମୟ ପରେ ପଞ୍ଚୁଆ ଆସି ପହଁଚିଲା ମେଡିକାଲ୍ ରେ। ଯାଇ ଦେଖିଲା, ଗୁରେଇ କାନ୍ଦୁ ଥାଏ ବସି। କାନ୍ଦିବାର କାରଣ ପଚାରିଲା ଗୁରେଇକୁ। ଗୁରେଇ ସବୁ କଥା କାନ୍ଦି କାନ୍ଦି ପ୍ରକାଶ କଲା। ପଞ୍ଚୁଆ ମୁଣ୍ଡରେ ହାତ ଦେଲା। ଆଶ୍ଵସନା ଦେଲା ଗୁରେଇକୁ ବାମୁଆକୁ ସେ ଫେରେଇ ଆଣିବ ବୋଲି। ଗୁରେଇ ବି ନେହୁରା ହେଲା ଭାଇ ଆଗରେ ତା ମରଦକୁ ଫେରି ଆଣିବାକୁ। ହେଲେ ପଞ୍ଚୁଆ ସିନା କହି ଦେଲା ଗୁରେଇକୁ ହେଲେ ତାର ବି କାତ କେତେ ଯେ? ଚିନ୍ତାରେ ବସି ଗଲା ଗୁରେଇକୁ ଅନେଇ। ଚିନ୍ତା କରୁ ଥାଏ, କାହା ପାଖକୁ ଯିବ, କା ଆଗେ ଯାଇ ଗୁହାରି କରିବ ?

         

                     ସେପଟେ ବାମୁଆ କୁ ନେଇ ଥାନା ବାଲା ଜେରା କଲେ। ପଚାରିଲେ କାହିଁକି ତୁ ଏମିତି କଲୁ। ତୋ ବସ୍ତି ଲୋକ ଆସି ତୋ ନା' ରେ ଏଫ.ଆଇ.ଆର ଲେଖେଇ ଯାଇଛନ୍ତି । ବାମୁଆର ମନେପଡ଼ି ଯାଉଥାଏ କେମିତି ସେ ରାଗରେ ଗୁରେଇ ର ଏଭଳି ଅବସ୍ଥା କରିଛି। ଇଚ୍ଛା ହେଉ ଥାଏ, ସବୁ ସତ କଥା କହିଦେଇ, ନିଜକୁ ଶାସ୍ତି ଦେବ। ହେଲେ ପୁଣି ମନେ ପଡ଼େ ଗୁରେଇର ମେଡିକାଲରୁ ଆସିବା ବେଳର ସେ ଫୁସ୍ ଫୁସ୍ କଥା। ଗୁରେଇ ଫୁସ୍ ଫୁସ୍ ହେଇ ତା କାନରେ କହିଥିଲା, ଦେଖ ବାମୁଆ ଆମର ସେ ବସ୍ତିରେ କେହି ନାହାନ୍ତି। ତୋର ଯଦି କିଛି ହେଇ ଯାଏ, ତେବେ ବସ୍ତିରେ ମୁଇ ଆଉ ବଞ୍ଚି ପାରିବିନି। ତୁ ପୋଲିସ୍ କୁ ଯମା ସତ କଥା କହିବୁନି। ମୁଁ ଯେମିତି କହୁଛି ସେମିତି କହିବୁ। ମୁଣ୍ଡରେ ହାତ ରଖେଇ ରାଣ ବି ପକେଇ ଥିଲା ମିଛ କହିବାକୁ ।

                  

 ଅଖିଆପିଆରେ ଦୁଇ ଭାଇ ଭଉଣୀଙ୍କର ମୁହଁ ଶୁଖି ଯାଇଥାଏ । ସେମାନେ ଦୁଇ ଜଣ ବସିଥାନ୍ତି ଭାଗ୍ୟକୁ ଆଦରି। ସନ୍ଧ୍ୟା ହେଇ ଯାଇ ଥାଏ। ଫିରିଙ୍ଗି ଆସି ପହଞ୍ଚିଲା ମେଡିକାଲ୍ ରେ। ସାଙ୍ଗରେ ବାରମଜା, ବିସ୍କୁଟ ଇତ୍ୟାଦି ନେଇକି ଆସି ଥାଏ।

ଫିରଙ୍ଗି: ଆହା ଭାଉଜ ………ତମର ଇଏ କି ଅବସ୍ଥା…….କି କଷ୍ଟ ପାଉଛ ତମେ.…। ଏତେ କଥା ହେଲା, ହେଲେ ମୋତେ ଟିକିଏ ଖବର ଦେଲନି?

ଗୁରେଇ, ଫିରଙ୍ଗିକୁ ଜମା ଭଲ ପାଏନି। ସେ ଜାଣିଚି ଫିରଙ୍ଗିର ଚରିତ୍ର । ବଦମାସ୍ ଟାଏ ସିଏ…। ତାରି ପାଇଁ ସେ ଆଜି ବଦନାମ୍ ହେଉଛି କିଛି ଦୋଷ ନଥାଇ। ଫିରଙ୍ଗିକୁ ଦେଖି ସେ ଚୁପ୍ ଚାପ୍ ବସିଥାଏ କିଛି ପ୍ରତି ଉତ୍ତର ନ ଦେଇ।

ଫିରଙ୍ଗି: ଭାଉଜ ଦେଖ…..ଦେଖ ତ ମୁଁ ତମ ପାଇଁ କଣ ଆଣିଚି। ଏ ଲକ୍ ଡାଉନ୍ ପୋଲିସ୍ ଚାରି ଆଡେ଼ ଜଗିଛନ୍ତି ହେଲେ ଦେଖ ମୁଁ ତୁମ ପାଇଁ କେତେ କଷ୍ଟ କରି ଆସିଛି। ଲକ୍ ଡାଉନ୍ ପାଇଁ କିଛି ଆଣି ପାରିଲିନି। ଏଇ ଯାହା ପାରିଲି ନେଇ ଆସିଲି। ନିଅ ରଖ। ଆଉ ତୁମେ ଦେହ କେମିତି ଅଛି ଭାଉଜ।

ପଞ୍ଚୁଆ: ହଁ ଭଲ ଅଛି ଏବେ। ଡାକ୍ତର ମନା କରିଛନ୍ତି ତାକୁ କଥା ହେବା ପାଇଁ।

ଫିରଙ୍ଗି: ହଁ ଭାଉଜ ତମେ କଥା ହୁଅନି……..। ହେଲେ ତମକୁ ଯିଏ ଏତେ କଷ୍ଟ ଦେଲା ଭଲ ହେଇଛି, ତାକୁ ଶାସ୍ତି ମିଳିଛି । ଭଲ ହେଇଛି ତାକୁ ପୁଲିସ ବାନ୍ଧି ନେଇଛି ।


                        ଗୁରେଇ ଆଶ୍ଚର୍ଯ୍ୟ ହେଇ ଗଲା। ଆଶ୍ଚର୍ଯ୍ୟ ହେଲା ଏଇଥି ପାଇଁ ଯେ ଇଏ କେମିତି ଜାଣିଲା ବାମୁଆକୁ ପୋଲିସ ବାନ୍ଧି ନେଇଛି। ସେ ବୁଝି ପାରିଲା, ବାମୁଆ କହୁ ଥିଲା, ତା ଭାଇ ଆଉ ଫିରଙ୍ଗି ବସି ମଦ ପିଇବା କଥା। ଫିରଙ୍ଗି ମୁଣ୍ଡରେ ଏତେ ବୁଦ୍ଧି ନାହିଁ ……ତା ମାନେ ବାମୁଆ ଭାଇର ଏସବୁ ନାଟ…….… ଗୁରେଇ ଆଉ ସହି ପାରିଲାନି ଯେତେବେଳେ ଫିରଙ୍ଗି ବାମୁଆକୁ ପୋଲିସ୍ ବାନ୍ଧି ନେଇଛି, ଠିକ୍ ହେଇଛି ବୋଲି କହିଲା।

ଗୁରେଇ: (ଫିରଙ୍ଗି ଆଣିଥିବା ଜରି ପ୍ୟାକେଟକୁ ଫୋପାଡ଼ି ଦେଇ) ରଖ୍ ତୋ ନାଟକ………ମୁଇଁ ଜାଣିଛି………. ଏ ସବୁ ତୋର କାମ……. ମୋର୍ ଘଇତାକୁ ପନ୍ଦ୍ର ଦିନ୍ ହେଲା କେହି କିଛି କହୁ ନଥିଲେ,………ଆଜି ବାନ୍ଧି ନେଲେ……ଇଟା ସବୁ ତୋର୍ ଫନ୍ଦି…….ମୁଇ ଜାଣିଛେ……. ଭାଗ୍……..ଭାଗ……..ଇନୁ……….. ବଡ଼ ବଡ଼ ପାଟି କରି ଚିଲେଇ ଗାଳି ଦେଲା ଗୁରେଇ ସେ ମେଡିକାଲ୍ ଭିତରେ ଫିରଙ୍ଗିକୁ ।


                  ଗୁରେଇ ପାଟି ଶୁଣି ମେଡିକାଲ ସିକ୍ୟୁରିଟି ଦୌଉଡ଼ି ଆସିଲେ…….. ପାଟି କାଇଁ କରୁଛି ବୋଲି ପଚାରିବାରୁ ଗୁରେଇ କହିଲା ଫିରଙ୍ଗିକୁ ଦେଖେଇ, ଯେ ଏଇ ପିଲାଟା ଆସି ତାକୁ ହଇରାଣ କରୁଛି। ସିକ୍ୟୁରିଟି ଫିରଙ୍ଗିକୁ ସେ ଜାଗାରୁ ଚାଲି ଯିବା ପାଇଁ ତାଗିଦ୍ କଲେ। ଫିରଙ୍ଗି ବି ରାଗ ତମ ତମ ହେଇ ଚାଲିଗଲା ସେଠୁ। ଗୁରେଇ ରାଗ ଓଲ୍ହେଇବା ଯାଏଁ ବସି ରହିଲା ଘଡ଼ିଏ । ଅନ୍ଧାର ହେଇ ଯାଇ ଥିଲା। ପଞ୍ଚୁଆ ବୁଝାଉ ଥାଏ ଖାଇବାକୁ। ହେଲେ ଗୁରେଇ ସେମିତି ଲୁହ ଝରାଉ ଥାଏ………………. ସ୍ଵାମୀ ବିରହରେ।

ସେପଟେ ଥାନା ରେ…………

ବଡ଼ବାବୁ: ହେଇ…….କଣ ହେଇଛି ? କାଇଁ ମାରିଲୁ ତାକୁ………..? କୁଆଡ଼େ ଯୌତୁକ ପାଇଁ ସବୁବେଳେ ମାର୍ ଧର୍ କରୁଛୁ ତାକୁ…..।

ବାମୁଆ: ନାଇ ଅଜ୍ଞା ମୁଇଁ ତାକେ ଭଲ୍ ପାଇକରି ନେଇ ଆସିଛି । ମୋର୍ ତାର ଧନ୍ ରେ ଆଶା ନାଇ…..।

ବଡ଼ ବାବୁ: ଆଉ କଣ ତୋ ସ୍ତ୍ରୀ ମିଛ କହୁଛି ? ତୋରି ସ୍ତ୍ରୀ କହୁ ଥିଲା, ତୁ କୁଆଡେ଼ ତାକୁ ସବୁବେଳେ ମାର୍ ଧର୍ କରୁଛୁ?

(ପୋଲିସ ତା ଢଙ୍ଗରେ ସତ ଜାଣିବାକୁ ଚେଷ୍ଟା କରୁ ଥିଲା, ହେଲେ ବାମୁଆ ବି ଜାଣି ଥିଲା, ଗୁରେଇ ଏମିତି କେବେ କହି ନଥିବ କାରଣ ସେ ନିଜେ ହିଁ ରାଣ ପକେଇ ମିଛ କହିବାକୁ କହିଥିଲ। ହେଲେ ସରଳିଆ ବାମୁଆ ପୋଲିସ୍ ଯେମିତି କହୁଛି କାଳେ ସତ ହେଇଥିବ କିମ୍ବା ତା ଶଳା ଏଭଳି କହିଥାଇ ପାରେ ବୋଲି ଭାବୁ ଥିଲା)

ବାମୁଆ: ନାଇ…….ନାଇ ଅଜ୍ଞା……..ମୁଇ ତାକେ କେବେ ନେଇ ମାରେ………..

ବଡ଼ବାବୁ: ମାରୁନୁ ତ ସେ ଏମିତି କେମିତି ହେଲା ? ତା ଦେହ ହାତ ମୁଁହ ସବୁ ଫୋଟକା ହେଇ ଯାଇଛି । ତୁ କାଳେ ତା ଉପରେ ଗରମ ପେଜ ପକେଇ ଦେଲୁ। ବାମୁଆ ଏଭଳି ମିଛ ସତ କଥା ଶୁଣି ଆଶ୍ଚର୍ଯ୍ୟ ହେଇ ଯାଉ ଥିଲା।

ବାମୁଆ: ନାଇ ଅଜ୍ଞା ପୁରା ମିଛ କଥା, ଚୁଲି ଉପରେ ଡାଲି ବସିଥିଲା ଆଉ ମୋ ସ୍ତ୍ରୀ ଝୁଣ୍ଟି ପଡ଼ିଲା ତା ଉପରେ। ଗରମ୍ ଡାଲି ପଡ଼ିଗଲା, ତା ଉପରେ ।

ମିଶ୍ର: ହାକ୍ ମିଛ କହୁଚୁ…………। ଯେପର୍ଯ୍ୟନ୍ତ ଏମିତି ମିଛ କହୁ ଥିବୁ, ସେପର୍ଯ୍ୟନ୍ତ ଏଇ ଥାନା ଲକ-ଅପ୍ ରେ ସେମିତି ଥିବୁ ତା ପରେ କୋର୍ଟ ଫରୱାର୍ଡ ହେଇ ଯିବୁ। ସତ ସତ ସବୁ ମାନି ଯା…… ଛାଡ଼ି ଦେବି।

ବାମୁଆ: ସତ କହୁଛି ଅଜ୍ଞା ମୁଇ କିଛି କରିନି । ସେ ହିଟି ପଡ଼ିଲା ଗରମ ଡାଲି ଉପରେ । ମୋତେ ଛାଡ଼ି ଦିଅନ୍ତୁ ଅଜ୍ଞା ମୋ ସ୍ତ୍ରୀ ସେପଟେ ମେଡିକାଲରେ ଏକୁଟିଆ। ଭାରି ହଇରାଣ ହଉଥିବ ଅଜ୍ଞା ।…….ମୋର କିଛି ଦୋଷ ନାହିଁ…..ମୋତେ ଛାଡ଼ି ଦିଅନ୍ତୁ ଅଜ୍ଞା।

ଏମିତି ବାମୁଆ ବହୁ ପ୍ରକାର କହି ନେହୁରା ହେଉ ଥିଲା ବଡ଼ ବାବୁଙ୍କ ଗୋଡ଼ ତଳେ ପଡ଼ି । ତାର ନିଜ ପ୍ରତି ଯେତିକି ଚିନ୍ତା ନଥିଲା, ଚିନ୍ତା ଥିଲା ତ କେବଳ ଗୁରେଇ ପାଇଁ।

                      ପ୍ରକୃତରେ ପୋଲିସ୍ କୌଣସି ତଦନ୍ତ କରି ନଥିଲା । ଏମିତି ଅନ୍ଧାରରେ ବାଡ଼ି ବୁଲାଉ ଥିଲେ। ଆଉ ବାମୁଆ ର ନିରୀହ ପଣ କୁ ଦେଖି ବଡ଼ବାବୁ ବି ଅନୁମାନ କରି ପାରୁଥିଲେ, ଘରୋଇ କଳି ହେଇ ବୋଲି। ତଥାପି ବଡ଼ ବାବୁ ନିଜ ଚ୍ୟାମ୍ବର୍ କୁ ଯାଇ, ଜଣେ ଲେଡି କନେଷ୍ଟବଳଙ୍କୁ ନିର୍ଦେଶ ଦେଲେ, ମେଡିକାଲ୍ ଯାଇ ଅଭିଯୁକ୍ତ ସ୍ତ୍ରୀ ର ବୟାନ ରେକର୍ଡ କରିବାକୁ।

ଏସବୁ ମାମଲାରେ ଫିରଙ୍ଗି ଆଉ ବାମୁଆର ବଡ଼ ଭାଇ କୁ ସହଯୋଗ କରୁଥିବା, ଜଣେ କନେଷ୍ଟବଳ ସଙ୍ଗେ ସଙ୍ଗେ କହି ଉଠିଲେ, ତଦନ୍ତ କଣ ଯେ ଅଜ୍ଞା………କଞ୍ଚା ଓଡ଼ିଆରେ ସେଇଟାକୁ ଥାର୍ଡ ଡିଗ୍ରୀ ଦରକାର୍। ବହେ କଷି ଦେଲେ ସବୁ ସତ କଥା ମାନିଯିବ। ଲୋକ ଦେଖିଛନ୍ତି ବୋଲି କହୁ ଛନ୍ତି ନାଉ………..

ବଡ଼ ବାବୁ: କୋଉ ଲୋକ? କୋଉ ଲୋକ କଥା କହୁଛ ମିଶ୍ରେ ?

ମିଶ୍ର: ତାଙ୍କ ଗାଁ ଲୋକ ଜ୍ଞା……..ଆଖିରେ ଦେଖିଛନ୍ତି । ହଁ ଅଜ୍ଞା…… ସେଇ ମାନେ କଞ୍ଚା ଓଡ଼ିଆରେ କହୁଛନ୍ତି । ମୁଁ କଣ ଆଉ ମନକୁ କହୁଛି ?

ବଡ଼ ବାବୁ: ଓଃ……..ସେ ଯୋଉ କାଲି ଦୁଇଟା ଲୋକ ଆସିଥିଲେ, ତ……. ଗୋଟେ ପାଉଡର ପାର୍ଟି ଭଳିଆ ଦେଖା ଯାଉଛି ଆଉ ଗୋଟେ ଚୋରଟା ଭଳିଆ। ତାଙ୍କ କଥାରେ ମୁଁ ଗୋଟେ ଲୋକକୁ ଥର୍ଡ ଡିଗ୍ରୀ ଚାର୍ଜ କରିବି ?

ମିଶ୍ର: ନାଇଁ ଅଜ୍ଞା ମୁଁ କଣ ସେ କଥା କହୁଛି……ସେଇ ଫିରଙ୍ଗି ଆଉ ତା ସାହି ପଡିଶା ମାନେ କହୁଥେଲେ ବେଲି ନାଉ…….କଞ୍ଚା ଓଡ଼ିଆରେ…….…

ବଡ଼ ବାବୁ: ମିଶ୍ରେ..………କେତେ ନେଇଛ ? ଯେତିକି ନେଇଛ ତା ହିସାବ ସରି ଗଲାଣି………। ଆଉ ହବନି………ଏବେ ତଦନ୍ତ ପରେ ଯାଇଁ ଯାହା ହବ।

ମିଶ୍ର: ନାଇଁ………ନାଇଁ ଆଜ୍ଞା………ଛି…….. ଛି..……ଛି……. ଇଏ..କି କଥା ଗୁଡ଼ା……..। ମୁଁ ଆଜ୍ଞା……..ସେ ଧର୍ମ ଛଡ଼ା କାମ ଗୁଡ଼ା କରେନି…….କଞ୍ଚା ଓଡ଼ିଆ ରେ….ଆପଣ ମୋତେ ଶେଷରେ ଏଇଆ ଭାବିଲେ?

ବଡ଼ ବାବୁ: ନାଇ……ନାଇ…….ମିଶ୍ରେ ସମସ୍ତଙ୍କର ପିଲା ଛୁଆ ଅଛନ୍ତି….। ହେଲେ ସତ୍ ରେ ଅର୍ଜି ଥିଲେ ସତ୍ କାମରେ ଲାଗିବ। ନହେଲେ ଭୂତ ଖାଇବ….. ବୁଝିଲ………..

ମିଶ୍ରେ: ହଁ……..ହଁ…….ହଁ………ଅଜ୍ଞା……ଆପଣ ବୁଝେଇବେ ଆଉ ମୁଁ ବୁଝିବିନି?.....ବୁଝି ଗଲି…..ବୁଝି ଗଲି ଅଜ୍ଞା…………କଞ୍ଚା ଓଡ଼ିଆ ରେ ସବୁ ବୁଝି ଗଲି।


                 ରାତି ଯାଇ ସକାଳ ହେଲା। ଗୁରେଇ ଚିନ୍ତାରେ ଚିନ୍ତାରେ……ମଉନ ହେଇ ବସିଛି। ଖାଲି ତା ଭାଇକୁ ଥାନାକୁ ଯାଇ କିଛି ଗୋଟେ କରିବାକୁ ନେହୁରା ହେଉଛି । ହେଲେ ପଞ୍ଚୁଆ ବି କଣ କରିବ। କଟକରେ ରହୁଛି ସିନା ହେଲେ ସେ ବି କଣ କରି ପାରିବ। କୋଉ ପାଠ ପଢ଼ିଛି ନା କାହାକୁ ଜାଣିଛି.? ମୂଲିଆ ଟାଏ ସିଏ……କଣ ବା କରି ପାରିବ?

ପୋଲିସ୍ ଭ୍ୟାନ୍ ଯାଇ ପହଞ୍ଚିଲା ପୁଣି ଥରେ ମେଡିକାଲ୍ ରେ। ଲେଡି କନେଷ୍ଟବଳ ଏବଂ ତାଙ୍କ ସହଯୋଗୀ ପଚରା ଉଚୁରା ପାଇଁ ଡ଼ାକ୍ତରଙ୍କ ଠାରୁ ଅନୁମତି ନେଇ, ଗୁରେଇ ପାଖକୁ ଗଲେ।

ଲେଡି କନେଷ୍ଟବଳ: ତମ ନା କଣ ?

ଗୁରେଇ: ମୋ ନା ଗୁରେଇ ନାଏକ୍ ।

ଲେଡି କନେଷ୍ଟବଳ: ତମର ଏମିତି ଅବସ୍ଥା କେମିତି ହେଇଛି ? କିଏ କଲା ଏମିତି ? ନ ଡରି ସବୁ ସତ ସତ କୁହ। ତୁମର କିଛି ହବନି । ଆମେ ତମ ସହିତ ଅଛୁ ।

ଗୁରେଇ: ମିଛ କାହିଁକି କହିବି ଆଜ୍ଞା ? ଡାଲି ଚୁଲିରେ ବସେଇ ଥିଲି । ଆମ ବସ୍ତି ପିଲା ଫିରଙ୍ଗି, ମୋତେ ସବୁବେଳେ କମେଣ୍ଟ୍ ମାରୁଛି । ଘରେ ମୋର ମରଦ ନଥିଲା ବେଳେ ଆସି ଛନ୍ଦ ମନ୍ଦ କଥା କହି ହଇରାଣ କରୁଛି । ସେଦିନ ସେମିତି କମେଣ୍ଟ ମାରିଲା । ରାଗିକି ତାକୁ ଗାଳି ଦେବି କଣ ଝୁଣ୍ଟି ପଡ଼ିଲି, ଗରମ ଡାଲି ଉପରେ। ସେଥିପାଇଁ ମୋର ଏମିତି ହେଲା। ମୋର ମରଦର କିଛି ଦୋଷ ନାହିଁ । ତାକୁ ଛାଡ଼ି ଦିଅନ୍ତୁ ଅଜ୍ଞା। ମୁଁ ତୁମ ଭଉଣୀ ଭଳିଆ ହେବି। ମୋ କଥା ଟିକିଏ ଶୁଣନ୍ତୁ।

ଗୁରେଇ ଲେଡି କନେଷ୍ଟବଳର ଗୋଡ଼ ଧରି, ଭାରି କାକୁତି ମିନତୀ ହେଲା ବାମୁଆକୁ ଛାଡ଼ି ଦେବା ପାଇଁ।

ଲେଡି କନେଷ୍ଟବଳ: ହଉ ହଉ ମୁଁ ତମ କଥା ବଡ଼ ବାବୁଙ୍କୁ କହୁଛି। ସେ ଯାହା ବିଚାର କରିବେ। ବଡ଼ ବାବୁ ଭଲ ଲୋକ, ସେ ଉଚିତ୍ ବିଚାର କରିବେ। ତମେ ଚିନ୍ତା କରନି।

ଗୁରେଇ ଲେଡି କନେଷ୍ଟବଳଙ୍କ ଠାରୁ ଏଭଳି ଆଶ୍ଵାସନା ଶୁଣି ଟିକିଏ ଆଶ୍ୱସ୍ତି ଲାଭ କଲା। ଲେଡି କନେଷ୍ଟବଳ ଫୋନ୍ ଲଗେଇଲେ ବଡ଼ ବାବୁଙ୍କ ପାଖକୁ ।

ଲେଡି କନେଷ୍ଟବଳ: ହାଲୋ…..ଜୟହିନ୍ଦ୍ ସାର୍……

ବଡ଼ବାବୁ: ଜୟହିନ୍ଦ୍……କୁହ ସନ୍ଧ୍ୟା (ଲେଡି କନେଷ୍ଟବଳଙ୍କ ନା) କଣ ବୁଝିଲ?

ଲେଡି କନେଷ୍ଟବଳ: ସାର୍……ଥାନାରେ ସେ ପିଲା ଟା ଯାହା କହୁଥିଲା ଏଇଠି ତା ସ୍ତ୍ରୀ ବି ସେଇ କଥା କହୁଛି । କହୁଛି ସେ ନିଜେ ନିଜେ ଝୁଣ୍ଟି ପଡ଼ି ଏମିତି ହେଇଛି। ତା ଛଡ଼ା ସିଏ ଆଉ ଗୋଟେ କଥା ବି କହିଲା ସାର୍ ।

ବଡ଼ ବାବୁ: ନୂଆ କଥା.........? କଣ ନୂଆ କଥା ?

ଲେଡି କନେଷ୍ଟବଳ: ସାର୍ ସେ କହିଲା, ତାଙ୍କ ବସ୍ତିରେ ଫିରଙ୍ଗି ବୋଲି ଗୋଟେ ଟୋକା ଅଛି, ତାକୁ ନିଇତି ହଇରାଣ କରୁଛି। ତା ସ୍ଵାମୀ ନଥିଲା ବେଳେ ଆସି ବେଶି ହଇରାଣ କରୁଛି କାଳେ। ଆଉ ତାରି ପାଇଁ ଏତେ ସବୁ କାଣ୍ଡ…….

ବଡ଼ ବାବୁ: କଣ …….କଣ କହିଲ ନା ଟା ତାର………? ଆଉ ଥରେ କହିଲ…..

ଲେଡି କନେଷ୍ଟବଳ: ସାର୍ ଫିରଙ୍ଗି….

ବଡ଼ ବାବୁ: ଓଃ…….ତେବେ ଏମିତି କଥା………। ଆଛା ହଉ…..ତମେ ଗୋଟେ କାମ କର, କାହାକୁ ଏ କଥା ଜଣାଅନି……..ସ୍ପେଶିଆଲି ମିଶ୍ରକୁ ଜମା ନୁହଁ । ଥାନାକୁ ଆସି ଆଉ ଦୁଇ ତିନି ଜଣକୁ ସାଙ୍ଗରେ ନେଇ ଫିରଙ୍ଗିର ପତା ଲଗେଇ ତାକୁ ଥାନାକୁ ଉଠେଇ ଆଣ । ହେଲା............

ଲେଡି କନେଷ୍ଟବଳ: ଓକେ ସାର୍……ମୁଁ ସେଇଆ କରୁଛି । ରଖୁଛି ଜୟହିନ୍ଦ୍….

ବଡ଼ ବାବୁ ଫୋନ୍ ରଖି ଦେବା ପରେ ମନେ ମନେ କହି ହେଲେ…….ରୁହ ମିଶ୍ରେ….ଏବେ କୁଆଡେ଼ ଯିବ……ଏମିତି ଲୋକଙ୍କଠୁ ଖାଇ ଖାଇ କଟକରେ ଜାଗା କିଣି ଘର କରିସାରିଲୁଣି ଆଉ ମୁଁ, ନାଁ କୁ ବଡ଼ ବାବୁ……….ବାହା ହେଇନି ବୟସ କମ୍ ବୋଲି କଞ୍ଚା ଓଡ଼ିଆ ରେ ମୋତେ ଭୂତେଇ ଦଉଛୁ….ତୋ ମଜା ଆଜି ଦେଖିବି……କୁଆଡେ଼ ଯିବୁ ତୁ…………

ବଡ଼ବାବୁ ବାମୁଆ ପାଖକୁ ଯାଇ କହିଲେ, ବାମୁଆ…….ତୁମେ ଏଥର ଯାଅ । ଆଉ ହଁ ତୁମ ସ୍ତ୍ରୀକୁ ସେ ଫିରଙ୍ଗି ହଇରାଣ କରୁଛି, ତୁମେ ଏପର୍ଯ୍ୟନ୍ତ କାହିଁକି ପୋଲିସ ରେ କମ୍ପ୍ଲେନ୍ କରିନ?

ବାମୁଆ ମୁଣ୍ଡରେ ପଶୁ ନଥାଏ ବଡ଼ ବାବୁଙ୍କ କଥା.…….ହେଲେ, ସେ ବାବୁ ଯିବା କଥା କହିବାରୁ ଏତେ ଖୁସି ହେଇ ଯାଇଥିଲା ଯେ ଆଉ କିଛି ଜାଣିବାକୁ ଇଚ୍ଛା କରୁ ନଥିଲା । ବାମୁଆ ସେଠୁ ମୁକୁଳି ସିଧା ଧାଇଁଲା ମେଡିକାଲକୁ ଯିବା ପାଇଁ।

ବଡ଼ବାବୁ: ରୁହ ବାମୁଆ…… କରୋନା ପାଇଁ ସବୁ ଗାଡ଼ି ମଟର ବନ୍ଦ। ତମେ କେମିତି ଯିବ ମେଡ଼ିକାଲ? ଟିକିଏ ରୁହ ତମକୁ ଥାନା ଗାଡ଼ି ନେଇ ଛାଡ଼ି ଦେଇ ଆସିବ।

ବାମୁଆ ବଡ଼ବାବୁ ଙ୍କର ଏଭଳି ଉଦାରତା ଦେଖି କାନ୍ଦି ପକେଇଲା। ବଡ଼ ବାବୁଙ୍କର ଗୋଡ଼ ଧରି ଦଶ ଥର ଖଣ୍ଡେ ଜୁହାର ହେଲା। କିଛି ସମୟ ପରେ ଥାନା ଗାଡ଼ି ତାକୁ ମେଡିକାଲ୍ ଛାଡ଼ିବାକୁ ନେଇ ଗଲା ।

ପରେ ପରେ ସେଇ ଲେଡି କନେଷ୍ଟବଳ ଆଉ କିଛି ସହକର୍ମୀ ମିଶି ଗଲେ ଫିରଙ୍ଗି ଘରକୁ……. ତାକୁ ଆଣିବାକୁ ହେଲେ ସେଠି ପହଞ୍ଚିବା ପରେ ଦେଖିଲେ ଅନ୍ୟ ଏକ ଦୃଶ୍ୟ…….

ଫିରଙ୍ଗି ର ମା ହାତରେ ଦଣ୍ଡି ପଲା ଧରି ଥାଏ, ଫିରଙ୍ଗି ବସ୍ତାରୁ ଗଞ୍ଜେଇ କାଢ଼ି ଥାଉ ଥାଏ ଦଣ୍ଡିରେ। ଆଉ ବାମୁଆର ଭାଇ ଧୁମା ସିଲଟ ତେ ଧରି ହିସାବ କରୁ ଥାଏ। ପୋଲିସ୍ କୁ ଦେଖି ବାମୁଆର ଭାଇ, ଚତୁର ଧୁମା ବାରିପଟ ହେଇ ଚମ୍ପଟ୍ ମାରିଲା। ଗଲା ବେଳେ ପୋଲିସ୍ କୁ ଅବରୋଧ କରିବାକୁ ବାରିପଟ କବାଟକୁ ଆଉଜେଇ ଦେଇ ଗଲା ଫଳରେ ଧାଇଁ ଯାଉ ଥିବା ଫିରଙ୍ଗି ଆଉ ଯାଇ ପାରିଲାନି। ଫିରଙ୍ଗି ଆଉ ତା ମା କୁ ପୋଲିସ୍ ଟିମ୍ କାବୁ କରିନେଇ ଆରେଷ୍ଟ କଲା।

ବାରିପଟ କହିଲେ, ମହାନଦୀ……. ନଈ ବାଲିରେ ଧୂମା ବି ଆଉ କେତେ ବାଟ ଦଉଡ଼ି ଥାଆନ୍ତା ତାକୁ ବି କିଛି ସମୟ ଭିତରେ ପୋଲିସ୍ କାବୁ କରି ନେଲା।

ଫିରଙ୍ଗି ମା: ଏ……. ଏ କଣ ହେଇଛି ମୋତେ କାଇଁ ଧରିଛ ? ମୁଁ ତ ଏ ମାସର ବଟି ଦେଇ ସାରିଛି…….ପୁଣି କଣ ପାଇଁ ? ଛାଡ଼ ଛାଡ଼……ମୋତେ…….ସେ ମିଶ୍ର କାଇଁ ? ନେଲା ବେଳକୁ ହାଡେ ହାଡେ ନେଇ ଯାଉଛୁ………ଆହୁରି କମ୍ ହଉଛି ତତେ……. ହାରମ୍-ଯାଦା ଯୋଉ ଥାଳିରେ ଖାଉଛୁ ସେଇ ଥାଳିରେ ଫୁଟା କରୁଛୁ? କାଇଁ………କାଇଁ ସେ ମିଶ୍ର……?

ଟିମ୍ କୁ ଲିଡ୍ କରୁଥିବା ଲେଡି କନେଷ୍ଟବଳ ସନ୍ଧ୍ୟା ଏକଥା ଶୁଣି ଆଶ୍ଚର୍ଯ୍ୟ ହେଇ ଗଲେ। ଚିନ୍ତା କରୁଥିଲେ, ବୁଢ଼ୀ କୋଉ ମିଶ୍ର କଥା କହୁଛି ?

ଲେଡି କନେଷ୍ଟବଳ: ଏ…….କୋଉ ମିଶ୍ର କଥା କହୁଛୁ ? କାହାକୁ ଗାଳି ଦଉଛୁ ?

ଫିରଙ୍ଗି ମା: କୋଉ ମିଶ୍ର!!!!!! ତମ ଥାନା ବାବୁ ମିଶ୍ର…….କାଇଁ ସେ.….. କୁଆଡ଼େ ଗଲା ସେ। ନେଲା ବେଳକୁ ତ ନେଇ ଯାଉଛି …………ଏତିକି ବେଳକୁ ଦେଖା ନାହିଁ……..ମୋତେ ସାହି ବସ୍ତିରେ ଲୋକ ହସା କରଉଛି.…….! ସତରେ ପୋଲିସ୍ କାହାର ନୁହନ୍ତି………. ଲେଡି କନେଷ୍ଟବଳ ସନ୍ଧ୍ୟାଙ୍କର ଆଉ ବୁଝିବାକୁ ବାକି ରହିଲାନି ବୁଢ଼ୀ କୋଉ ମିଶ୍ର କଥା କହୁଛି…..

ଲେଡି କନେଷ୍ଟବଳ: ଆଚ୍ଛା……….ହଁ ହଁ……. ଚାଲ ଥାନାକୁ…..ସେଇଠି ଭେଟା ଭେଟି ହବ। ମିଶ୍ରେ ଜଗିଛନ୍ତି ତୁମ ମା ପୁଅଙ୍କୁ……. ଅବଶ୍ୟ ସତ୍ୟାସତ୍ୟ ଜଣା ପଡ଼ିବା ପରେ ମିଶ୍ର ବାବୁଙ୍କର ବଡ଼ ବାବୁ କଣ କଲେ ଜଣା ନାହିଁ ଲେଖକଙ୍କୁ ହେଲେ ଧୁନା, ଆଉ ଫିରଙ୍ଗିକୁ ଗଞ୍ଜେଇ ବେପାର କରିବା ପାଇଁ ସଜା ହେଇ ଗଲା। ଫିରଙ୍ଗିର ମା କିନ୍ତୁ ନିର୍ଦ୍ଦୋଷ ରେ ଖଲାସ ହେଇ ଗଲା।

                           ଗୁରେଇ ବି ସମ୍ପୁର୍ଣ୍ଣ ସୁସ୍ଥ ହେଇ ଯାଇ ଥିଲା। ହେଲେ ସେ ମେଡିକାଲରେ ଥିବା ଭିତରେ ବଡ଼ବାବୁ ଥରେ ଯାଇ ଥିଲେ ବାମୁଆକୁ ଦେଖା କରିବାକୁ। ସେଠି ଯାଇ ଧନ୍ୟବାଦ୍ ଦେଇଥିଲେ ଗୁରେଇକୁ ପ୍ରକାରାନ୍ତରେ ହେଉ ପଛେ ଗୋଟେ ଗଞ୍ଜେଇ ବେପାରୀ କୁ ଧରେଇ ଦେଇ ଥିବା ହେତୁ। ଆହୁରି ସତର୍କ କରେଇ ଦେଲେ କି ବସ୍ତିରେ କେବେ ଯେମିତି କାହାକୁ କହିବେନି ଯେ ସେମାନେ ହିଁ ସେ ଗଞ୍ଜେଇ ବେପାରୀଙ୍କୁ ଧରେଇ ଦେଇ ଛନ୍ତି ବୋଲି । କାହିଁକି ନା ବେଶି ଦିନ ତ ସେମାନଙ୍କୁ ସଜା ହେବ ନାହିଁ ଆଉ ଭିତରୁ ବାହାରିଲା ପରେ ସେମାନେ ହଇରାଣ କରିବେ। ଆଉ ସେମାନଙ୍କୁ ସ୍ପଟ୍ ରେ ଧରା ହେଇଛି ବୋଲି ରେକର୍ଡ଼ ହେଇଛି ପୋଲିସ ଗୁରେଇ କହିଥିବା କଥା ଟିକୁ ଜାଣିଶୁଣି ଚାପି ଦେଇଛି। ତେଣୁ ଭୟ କରିବାର କିଛି କାରଣ ନାହିଁ। ବଡ଼ ବାବୁଙ୍କର ଏଭଳି ସାହାଯ୍ୟ ସହଯୋଗ ପାଇ ବାମୁଆ ବି ବୋଧେ ପଚାଶ ଥର ଖଣ୍ଡେ ଜୁହାର ହେଲା । ଠାକୁରଙ୍କୁ କେତେଟା ବଡ଼ ବାବୁଙ୍କୁ କେତେଟା ସେକଥା ତାକୁ ହିଁ ଜଣା।


                          ଗୁରେଇ ସମ୍ପୂର୍ଣ ଠିକ୍ ହେଇଯିବା ପରେ, ବାମୁଆ ତାକୁ ଘରକୁ ନେଇ ଆସିଲା। ତା ମୁହଁ ରେ ଖାଲି ଯାହା ଅଳ୍ପ ଅଳ୍ପ ଚିହ୍ନ ଥିଲା। ସେମିତି ଚିହ୍ନ ବେଶି ଜଣା ପଡୁ ନଥିଲା। ଗୁରେଇ ଘରେ ନ ରହିବା ଦ୍ଵାରା ଅସଜଡ଼ା ହେଇ ଥିବା ଘରକୁ ପୁଣି ସଜେଇ ଦେଲା। ନୂଆ ମାଟି ଦେଇ ଚିକ୍କଣ କରି ଲିପିଲା ଘରକୁ । ମଧୁ ମାଳତି, ଅଧିକ ଫୁଲ ଫୁଟୁଛି ଏବେ ହେଲେ ବେପରୁଆ ଭାବେ ଅଧିକ ମାଡ଼ି ଯାଇଛି ଇଆଡ଼େ ସିଆଡେ। ବାମୁଆ ତାକୁ ବାଉଁଶ ଦେଇ ସଜେଇ ସାଜେଇ ବାନ୍ଧି ଦେଲା। ସମସ୍ତେ ମେଡିକାଲ୍ ରେ ରହିଲେ, ଅଣ୍ଡା କେହି ନେଲେନି। ତେଣୁ କୁକୁଡ଼ା ବି କୁଡ଼ିକି ବସିଛି। କେତେଦିନ ହେଲାଣି ତାର ହିସାବ ନାହିଁ…… । ସେଥି ପାଇଁ ଗଞ୍ଜା ଆଉ ଆସୁ ନାହାନ୍ତି କି ଗୋଡ଼ା ଗୋଡ଼ି ହେଉ ନାହାନ୍ତି।

ବସ୍ତି ମାଇପେ ଆସୁଥାନ୍ତି ତାକୁ ଦେଖିବାକୁ, ତା ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବାକୁ । କିଛି କିଛି କହୁ ଥାଆନ୍ତି, ଏ- ଗୁରେଇ ଜାଣିଛୁ କିରେ……ସେ ଫିରଙ୍ଗିକୁ ପୁଲିସ୍ ବାନ୍ଧି ନେଲା…….। ଭଲ୍ ହେଲା ଝି-ବହ ଟିକେ ଶାନ୍ତିରେ ରହିବେ……। ଆଉ ଜଣେ କହୁ ଥିଲା, ସେ ଗଲା ଦିନୁ ତାର୍ ମା ତୁମ୍ ପଡ଼ିଛେ ଯେ ବସ୍ତିବି ଟିକେ ତୁମ୍ ପଡ଼ିଛେ.......ଭଲ ହେଇଛେ ବୁଆ….ସବୁ ବେଲେ କଟ୍ର କଟ୍ର……….କେତେ ସୁନ୍‌ବ ଯେ……. ଗୁରେଇ ସବୁ ଜାଣି ଥିଲେ ବି ଚୁପ୍ ରହିଲା। କାହାକୁ କିଛି ନ କହି । ଲକ୍ ଡାଉନ୍ ହେଇଛି । କେହି କୁଆଡୁ ଘରୁ ବାହାରି ପାରୁ ନାହାନ୍ତି । ବାହାରେ କାମ ନାହିଁ । ବସ୍ତି ଛୁଆ ବିକଳରେ ଯାଉଛନ୍ତି ଜଗତପୁର ମହାନଦୀ ପୋଲ ଉପରକୁ ମାଗିବା ପାଇଁ….। ଯୋଉ କେତେଜଣ ବାବୁ ଭାୟା ରାସ୍ତାରେ ଗଡୁଛନ୍ତି, ସେଇ ମାନେ ଦୟା ହେଲେ ଦେଇ ଯାଆନ୍ତି କିଛି କିଛି। ଆଉ କେତେବେଳେ କେମିତି ଆର୍ମୀ ଗାଡ଼ି ଗଲେବି ଅଟକି ଦେଇ ଯାଆନ୍ତି ତାଙ୍କ ବିକଳ ମୁହଁ ଦେଖି। ସାଧାରଣ ଲୋକ ତ ଆଦୌ ନୁହେଁ । ହଁ ବେଳେବେଳେ ମାଲ୍ ବୁହା ଗାଡ଼ି ବି ଅଟକନ୍ତି…. ସେମାନେ ବିସ୍କୁଟ କି ଖାଦ୍ୟ ଇତ୍ୟାଦି ଦେଇ ଯାଆନ୍ତି।


ଏମିତିରେ ଚାରିଆଡ଼େ କାମ ବନ୍ଦ। ଠପ୍ ହେଇ ଯାଇଛି ଜନ ଜୀବନ। ବାମୁଆ ବି ଚିନ୍ତାରେ। ଟ୍ରଲି ଟା ଥିଲା ଯେ, ସେ FCI ରେ କିମ୍ବା ମାଲ୍ ଗୋଦମ୍ ରେ ମାଲ୍ ବୁହାବୁହି କରୁଥିଲା। ସବୁ ବନ୍ଦ୍ ଥିଲେ ବି ଇଏ ଦିଟା ସରକାର ଖୋଲା ରଖିଥିଲେ। ହେଲେ ବର୍ତ୍ତମାନ ଟ୍ରଲି ଟା ବନ୍ଧା ପଡ଼ିଛି । ବାମୁଆ ମନ ଦୁଃଖରେ ବସିଛି । ମେଡିକାଲ୍ ରୁ ଫେରିବା ଦଶ ଦିନ ହେଇ ଗଲାଣି। ଘରୁ ଚାଉଳ ବି ସରି ଗଲାଣି। ସେ ଘର ପାଇଁ ସଉଦା ପ୍ରାୟ କିଣେନି। ମାଲଗୋଦାମରେ ଡ୍ୟାମେଜ୍ ହେଇ ଯାଇ ଥିବା ବସ୍ତାରୁ ଗୋଟେଇ ଗାଟେଇ ଯେମିତି ହେଲେ ସଂଗ୍ରହ କରେ । ହେଲେ ଏବେ ସବୁ ଠପ୍…….। ବାମୁଆର ମୁଣ୍ଡ କିଛି କାମ କରୁନି…..କାଲିକି ଖାଇବ କଣ……।


ସକାଳୁ ସକାଳୁ…..ଗୁରେଇ ଯାଇଛି ନଈକୁ ଶୌଚ ଗାଧୁଆ ଆଦି କାମ ସାରିବା ପାଇଁ । ବାମୁଆ ଆଖି ମଳି ମଳି ଉଠିଲା…..ଅଧୁଆ ମୁହିଁରେ କୁକୁଡ଼ା ଭାଡ଼ିକୁ ଖୋଲିଲା……କୁକୁଡ଼ା ପଛେ ପଛେ ତା ଛୋଟ ଛୋଟ ଚିଆଁମାନେ ମାର୍ଚ୍ଚିଂ କରି ଚାଲିଲେ……କୁକୁଡ଼ା ଅଳିଆକୁ ଗୋଡ଼ରେ ଖେଳେଇ ଦେଉ ଥାଏ, ଛୁଆମାନେ ଖୁମ୍ପି ଖାଉ ଥାଆନ୍ତି ତାଙ୍କ କୁନି କୁନି ଥଣ୍ଟରେ।

ତାଟି ଖୋଲି ବାହାରକୁ ଗଲାରୁ ମନୁଆ ଦେଖିଲା ତା ଟ୍ରଲି ଟା ଥୁଆ ହେଇଛି…….. ଇଏ କି କଥା……ସେ ତ ଗୁରେଇ ମେଡିକାଲରେ ପଡ଼ିଥିବା ବେଳେ ଟ୍ରଲିଟାକୁ ବନ୍ଧା ପକେଇ ଦେଇ ଥିଲା ଫିରଙ୍ଗି ମା ପାଖରେ…….ସେ ଯୋଉ ବୁଢ଼ୀ…..କେମିତି ଏମିତି ଉଦାର ହେଲା ଯେ ଆଣି ଥୋଇ ଦେଇ ଯାଇଛି ଏଇଟାକୁ । ଯାହା ହେଉ ଗୁରେଇ ନଈରୁ ଆସିଲେ ତାକୁ ଦେଖେଇବ। ସେଇଥି ପାଇଁ ତାକୁ ପୋଛୁଚି ଚିକ୍ ଚିକ୍ କରି କପଡ଼ା ଖଣ୍ଡେ ଧରି।


ଗୁରେଇ ଆସି ପହଁଚିଲା। ବହୁ ଦିନ ପରେ ବନ ମାଟି ଦେଇ ମୁଣ୍ଡ ଧୋଇଛି….। ଓଦା ସର ସର ଲୁଗା ଖଣ୍ଡେ ପିନ୍ଧିଛି ଯେ ଗୋରା ପୁରଷ୍ଟିଆ ଦେହଟା ତାର ବାମୁଆ ଆଖିକୁ ଜବର ଦଖଲ କରୁଛି । ସାରୁ ପତ୍ରରେ ପାଣି ପଡ଼ିଲା ପରି ଭ୍ରମ ସୃଷ୍ଟି କରୁଥିବା ଗୋରା ବାହୁ ଦି'ଟା ବାମୁଆ ଦେହରେ ନିଆଁ ଲଗାଇବା ପାଇଁ ଇନ୍ଧନ ପରି କାମ କରୁଛି । ବାମୁଆ ବି ବହୁ ଦିନ ହେଲାଣି ଦେଖି ନଥିଲା ଏମିତି ତା ସ୍ତ୍ରୀକୁ……..ତେଣୁ ସୁଲଭ ପୁଋଷତ୍ଵ ତାର କୁତୁ କୁତୁ ହେଇ ଗଲା……… ଗୁରେଇ ହାତରୁ ଭିଜା ଲୁଗା ତସଲାଟା ନେଇ ଥୋଇ ଦେଲା ନିଜ ମୁଣ୍ଡ ଉପରେ…………. ଗୁରେଇ ବି ଟିକିଏ ଫୁଲେଇ ହେଇ ଦେଖି ନ ଦେଖିଲା ଭଳି ତା ଓଦା ଚୁଟି କୁ ବାମୁଆ ଉପରେ ଝାଡ଼ି ଦେଇ ଚାଲି ଗଲା ଘର ଭିତରକୁ।

ସେମିତିରେ ବାମୁଆ ତା ଟ୍ରଲିକୁ ଦେଖି ଖୁସି ହେଇ ଯାଇଛି ତା ଭିତରେ ପୁଣି ଏମିତି………. ଓଦା ଲୁଗାରେ ଗୁରେଇ ଚୁଲିରେ ଭାତ ପାଇଁ ପାଣି ବସେଇ ଦେଲା। ତା ଭିତରେ ବାମୁଆ ଗୁରେଇକୁ ଅନେଇ ଅନେଇ ଯୋଉଠି ପାରିଲା ସେଇଠି ତସଲାରେ ଥିବା ସଫା ହେଇ ଥିବା ଲୁଗା ତକ ଶୁଖେଇ ଦେଲା। ଓଦା ଲୁଗା ବଦାଳିବା ପାଇଁ ଘର ଭିତରକୁ ଯିବା ପାଇଁ ଗୁରେଇ ଗଲାରୁ ବାମୁଆ ତା କାନି ଧରି ତା ପଛେ ପଛେ ଗଲା ଘର ଭିତରକୁ ।

ଗୁରେଇ: ଏ ପିଲା……. ବାହାର୍ କେ ଯା……ମୁଇ ପାଲ୍ଟି ହେବି।

ବାମୁଆ: ନା…….ଯିବିନି……ଜୋର୍ ରେ ମୁଣ୍ଡ ହଲେଇ ମନା କଲା।

ଗୁରେଇ: ହେ …..ମା……ଦେଖ୍ ତ ଇ ପିଲା କେ……କେଡେ଼ ବେଶରମ୍……

ବାମୁଆ: ମୁଇ ତୋର ମୁନୁଷ୍……ବାମୁ….…..ବେଶରମ୍ ନୁହେଁ…..

ଗୁରେଇ ମନ୍ଦ ମନ୍ଦ ହସରେ ମାଦକତା ଭରି ଚାହିଁ ଥିଲା ବାମୁଆକୁ……….. ବାମୁଆ ବି ଆଗକୁ ଝପଟି ଯାଇ ଧରି ନେଲା ଗୁରେଇ …..ଓଦା ଲୁଗା ମିଶା ଅଣ୍ଟାକୁ । ନେଇ ଘରର ମଝି ଖୁଣ୍ଟରେ ଆଉଜେଇ ଦେଲା। ଗୁରେଇ ସିଧା ସିଧା ନ ଏନେଇ ଏନେଇ ଥାଏ ଚାଳକୁ……. ବାମୁଆର ନଜର ପଡ଼ିଲା ଗୁରେଇ କାନ ଉପରେ……ନୂଆ ହଳେ ନାଇଛି ସେ । ହେଲେ ସୁନା ନୁହଁ…….

ବାମୁଆ: ଏ ଗୁରେଇ ଏଇଟା କଣ?

ଗୁରେଇ: କଣ?

ବାମୁଆ: ତୋ କାନରଟା କୁଆଡେ଼ ଗଲା ? ଗୁରେଇ କଥା ଆଡେ଼ଇବାକୁ ଯାଇ ବାମୁଆ ନାକରେ ନାକ ଘଷି କହିଲା କୁଆ ନେଇ ଗଲା।

ବାମୁଆ: ଏ ଗୁରି ସତ୍ କହ କାଣା କଲୁ ? ବାମୁଆ ଗୁରେଇକୁ ଧରିଥିବା ଜାଗାରୁ ଛାଡ଼ି ଦେଲା।

ଗୁରେଇ: ବନ୍ଧା ପଡ଼ିଥିଲା ଟ୍ରଲି ତୋର । ସେଟା ତୋର୍ ଭାଇ କହୁ ଥିଲୁ ପରା………ସେଥିରେ ଲାଗି କାନର୍ ଟା ଦେଇ କରି ଇଟା ମୁକୁଳେଇ ଆଣିଲି।

ବାମୁଆ: ମୁକୁଲେଇ ଆନ୍‌ଲୁ……!!!! ମକେ ଟିକେ ନି ପଚ୍ରାଲୁ…….ଆରେ ମୁଇ ତୋର ମୁନୁଷ୍…..

ଗୁରେଇ: ହଁ ସେଥି ଲାଗି ତ ମୁକୁଳେଇ ଆଣିଲି…….. ତୁଇ ଏନ୍ତି ତୁମ୍ ପଡ଼ିକରି ବସିଥିବୁ ଆଉ ମୁଇଁ ନେଇ ଦେଖି ପାରେ……। ଇ କାନର୍ ଟା ରହିଲେ କାଣା ହବା..….. ଟ୍ରଲି ଥିଲେ ଦୁଇ ପଏସା ଆସ୍‌ବା…..

ବାମୁଆ ପାଖରେ ୟାର ଉତ୍ତର ନଥିଲା। ଗୁରେଇ ସତ କଥା କହୁ ଥିଲା। ଗୁରେଇକୁ ଧରି ବାମୁଆ ଭାବ ବିହ୍ୱଳ ହୋଇ କାନ୍ଦିଲା…….। କହିଲା….ଗୁରେଇ ଲୋ ସବୁ ମୋ ପାଇଁ……ପୁଲିସ୍ ମୋତେ ବାନ୍ଧି ନେଇ ଥିଲା ଠିକ୍ କରି ଥିଲା……...।

ଗୁରେଇ: ତୁଇ ସେନ୍ତି ନେଇ କହରେ ବାମୁ……ତକେ ଛାଡ଼ି ମୁଇ ବଚି ନେଇ ପାରେ……ତୁଇ ମୋର ଧନ…..ମୋର ସୁନା……ମୋର………….

ଗୁରେଇର ଏଇ କଥା ଶୁଣି, ବାମୁଆ ପୁଣି କୌତୁହଳ ହେଇ ଉଠିଲା…….ଗୁରେଇକୁ ଟେକି ନେଇ ଖଟିଆ ଉପରେ ଥୋଇ ଦେଲା………….. ଗୁରେଇ ଈଶାରାରେ କବାଟ ଆଉଜେଇ ଦେଲା ବାମୁଆ………

ତା ପରେ ମୋତେ ସେଇଠୁ ବିଦାୟ ନେବାକୁ ପଡ଼ିଲା………….ଖାଲି ଅନେଇ ଥିଲି ବାମୁଆ କୁକୁଡ଼ାକୁ ଗଞ୍ଜା ଟାଏ ଗୋଡ଼ାଉ ଥିଲା...............।



Rate this content
Log in

Similar oriya story from Romance