SARADA NAYAK

Tragedy Crime Thriller

4.6  

SARADA NAYAK

Tragedy Crime Thriller

“ଜାରଜାତକୀ”

“ଜାରଜାତକୀ”

75 mins
281


ଚାରି ମେଘ ମିଶି କେବେ ଢାଙ୍କି ଦେଇ ପାରିନାହାଁନ୍ତି ସୂର୍ଯ୍ୟର ରଶ୍ମିକୁ । ହେଇ ପାରେ କିଛି ସମୟ ପାଇଁ କଳା ମେଘ ବିଛିନ୍ନ କରିଦେଇଥାଇ ପାରେ ଆଲୁଅକୁ ପୃଥିବୀ ପୃଷ୍ଠରୁ, କିନ୍ତୁ ଦିନେ ନା ଦିନେ ସୂର୍ଯ୍ୟଙ୍କର ପ୍ରଖର ରଶ୍ମି ପାଖରେ ନିଶ୍ଚୟ ହାର୍ ମାନେ ଅନ୍ଧାର। ଆଲୁଅ ନିଜ ବାଟ ନିଜେ ତିଆରି କରି ନିଏ.... ନା'ଥାଏ ତା’ର କାହାକୁ ଅପେକ୍ଷା ନା'ଥାଏ, ଅଟକି ଯିବାର ଭୟ...... 


        ଝିପ୍ ଝିପ୍ ବର୍ଷା ହେଉଥାଏ ହେଲେ ପାଦ ଦୁଇଟି ଅଟକି ଯିବାର କୌଣସି ସମ୍ଭାବନା ଦେଖା ଯାଉନଥାଏ, ଆଉ ଭିଡ଼କୁ ଆଡେଇ ବାହାରି ଆସିଥାଏ ଗହଳି ବାହାରକୁ । ସାମ୍ନାରେ ଲମ୍ବା ରେଳ ଧାରଣା ସମାନ୍ତରାଳ ଭାବରେ ଆଗେଇ ଯାଇଛନ୍ତି ଠିକ୍ ତା' ଜୀବନ ପରି । ମନରେ ପ୍ରଶ୍ନ, ଏ ସମାଜରେ ଧନୀ ଆଉ ଗରିବ କ’ଣ କେବେ ଏକାଠି ହେଇ ପାରିବେନି ? ପଛକୁ ଚାହିଁଲେ ସେଇ ରେଳ ଧାରଣାର ଗୋଟିଏ ପାଖରେ ଗଦା ହେଇଛି ପୁଳାଏ ମାଂସ । କାହିଁକି କେଜାଣି, ଧାଇଁ ଆସିଥିଲା ଦେଖିବାକୁ । ବୋଧେ ନିଜର କେହି । କାନ୍ଦିବାକୁ ବି ଯୁ ପାଉନି ତା’ର ତେଣୁ ସେ ଜାଗା ଛାଡ଼ି ଦେଇ ଆସିବା ଉଚିତ୍ ମନେ କରିଛି ସିଏ । ଯେଉଁଠି ସମ୍ପର୍କର ମାନେ ଏକ ବିଭତ୍ସ ସତ୍ୟ, ସେ ସମ୍ପର୍କରେ ଆଉ ମୁଣ୍ଡ ଗୁଞ୍ଜିବାକୁ ଇଚ୍ଛା ନାହିଁ ତା’ର । ଆଗେଇ ଚାଲିଛି ଆଗକୁ ଆଗକୁ, ଲକ୍ଷ୍ୟହୀନ ସମାନ୍ତରାଳ ରାସ୍ତାରେ । ବୋଧେ ଶପଥ ନେଇଛି ବୁଲି ଆଦୌ ପଛକୁ ଚାହିଁବନି । ତାକୁ ଲକ୍ଷହୀନ କରିବାକୁ ଚେଷ୍ଟା କରୁଥିବା ସମାଜକୁ ନିଶ୍ଚୟ ସେ ଦେଖେଇ ଦେବ ଯେ ଗୋଟିଏ ଜାରଜର ବି ବଞ୍ଚିବାର ଅଧିକାର ଅଛି ଏ ଦୁନିଆରେ । .........

ଏସବୁ ଚିନ୍ତା କରିବା ଭିତରେ ଅନ୍ୟ ମନସ୍କା ହେଇ ଯାଇଛି ସେ । ପଛରୁ ଜୋର୍ କରି ଆସି ଠେଲି ଦିଅନ୍ତି ଚନ୍ଦ୍ରଶେଖର, ବଡ଼ ପାଟିରେ କୁନି........ବୋଲି କହି । 

ଏତେବଡ଼ ଶବ୍ଦ ବି ମିଳେଇ ଯାଏ ରାଜଧାନୀ ଏକ୍ସପ୍ରେସର ବିକଟାଳ ଗର୍ଜନ ପାଖରେ । ଟ୍ରେନର ଏପାଖରେ ଚନ୍ଦ୍ରଶେଖର ଆଉ ସେ ପାଖରେ କୁନି ।

ରାଜଧାନୀର ଶବ୍ଦ ଢୁଗ୍ ଢୁଗ୍.... ଢୁଗ୍ ଢୁଗ୍.... ଶବ୍ଦ ସହିତ ତାଳ ପକେଇ ସମାନ ଗତିରେ ଚନ୍ଦ୍ରଶେଖରଙ୍କର ହୃଦୟ ସ୍ପନ୍ଦନ......

ଧୁକ୍ ଧୁକ୍.....ଧୁକ୍ ଧୁକ୍......

ଚାଲି ଯାଇଛି ରାଜଧାନୀ ଏକ୍ସପ୍ରେସ୍ । ହେଲେ ଏବେବି ତା’ର ବିକଟାଳ ଗର୍ଜନ ଭୟର ଶିହରଣ ଖେଳେଇ ଦେଉଛି କୁନି ଦେହରେ । ଝାଡିଝୁଡ଼ି ହେଇ ଉଠନ୍ତି ଦୁହେଁ ରେଳ ଧାରଣାର ଉଭୟ ପାର୍ଶ୍ଵରୁ । ରେଳ ଧାରଣାର ଉଭୟ ପାର୍ଶ୍ଵରେ ଦୁହେଁ ଏକଦମ୍ ସାମ୍ନାସାମ୍ନି ।

ଦୂରରୁ ଲମ୍ବା ହର୍ଣ୍ଣ, ଆଉ ତା’ ଠିକ୍ ପରେ ପରେ ଦୁଇଟି ଦୀର୍ଘ ଶ୍ୱାସ.....

ଚନ୍ଦ୍ରଶେଖର: କୁନି.......ତୁ କ’ଣ ପାଗଳ ହେଇ ଯାଉଛୁ ନା କ’ଣ ? ଆତ୍ମ ହତ୍ୟା କରିବାକୁ ଯାଉଛୁ !

କୁନି: ନା…..ଶେଖର ......ମାନେ ..... ମୁଁ.....ମାନେ.......

ଚନ୍ଦ୍ରଶେଖର: କ’ଣ ......କ’ଣ ନାଇଁ...ମୁଁ....ନାଇଁ ମୁଁ ହଉଚୁ ? ତୋ ମୁଣ୍ଡ ଠିକ୍ ଅଛିତ ?

କୁନି: ନା ସେମିତି କିଛି ନୁହେଁ.....ଏଇ ଟିକିଏ ଖାଲି ଅନ୍ୟମନସ୍କ ହେଇ ଯାଇଥିଲି । ପଛରେ ରେଳ ଦୁର୍ଘଟଣାରେ ଗୋଟିଏ ସ୍ତ୍ରୀଲୋକ ଖଣ୍ଡ ଖଣ୍ଡ ହେଇ ଯାଇଛି । ତେଣୁ ସେ ଦୃଶ୍ୟ ଦେଖି ମୁଣ୍ଡ ଟିକିଏ ବୁଲେଇ ଦେଲା । ବିଚାରୀଟି କେତେ ଦୁଃଖ ନସହିଥିଲା ତା' ଜୀବନରେ ! ହେଲେ ତା’ର ଏମିତି ମୃତ୍ୟୁ ହେଇଯିବ ବୋଲି କେବେ ଭାବି ନଥିଲି ।


ଚନ୍ଦ୍ରଶେଖର ଟିକିଏ ଦୂରକୁ ନିରୀକ୍ଷଣ କଲେ । କିଛି ଲୋକ ରୁଣ୍ଡ ହେଇଥିବା ଦେଖି ନଜର ଫେରାଇ ଆଣି ପଚାରିଲେ, ସେ କିଏ ସିଏ ? ତୁମେ ତାଙ୍କୁ ଜାଣିଛ କି ?

କୁନି: ହଁ ଜାଣିଛି । ପାଗଳ ଖାନାର ପାଗେଳୀ ଟିଏ । ଏତିକି ତା’ର ପରିଚୟ..... ବାସ୍ ।

ଚନ୍ଦ୍ରଶେଖର: ଆଚ୍ଛା.....ଏଇ ପାଗେଳୀ ପାଇଁ ଆଜି ତୁମେ ବିଚଳିତ ! ସତରେ କୁନି ତୁମର ଏ ଉଦାର ହୃଦୟ ଦେଖି ମୁଁ ନିଜକୁ ସାବାସି ଦିଏ । ଚିନ୍ତା କରେ ଯେ ମୁଁ କିଛି ବି ଭୁଲ୍ କରିନି ତୁମକୁ ଭଲ ପାଇ । ବରଂ ନିଜକୁ ଭାଗ୍ୟବାନ ମନେ କରେ ତୁମପରି ପ୍ରେମିକା ଟିଏ ପାଇ । ସତରେ କୁନି ତୁମେ ବହୁତ୍ ଭଲ.....। ହେଲେ ଆଜି ଯଦି ତୁମର କିଛି ହେଇ ଯାଇଥାନ୍ତା ତେବେ ମୋ ଅବସ୍ଥା କ’ଣ ହେଇଥାନ୍ତା ଟିକିଏ ଚିନ୍ତା କରିଛ ?


କଥା କହୁ କହୁ ଚନ୍ଦ୍ରଶେଖର କୁନିର ହାତକୁ ନିଜ ହାତରେ ନେଇ ଓଠରେ ଲଗାନ୍ତି ହେଲେ କୁନି ହାତ ଛାଟିଦେଇ କୁହେ, ଥାଉ ଶେଖର ଏବେ ମୋତେ ଟିକିଏ ଏକା ଛାଡ଼ିଦିଅ କିଛି ସମୟ ପାଇଁ । ମୁଁ ନିରୋଳାରେ କିଛି ସମୟ ରହିବାକୁ ଚାହେଁ ।

ଚନ୍ଦ୍ରଶେଖର: ହଉ ଠିକ୍ ଅଛି ହେଲେ ତୁମେ କହିଲନିତ ଯେ ସେ ସ୍ତ୍ରୀ ଲୋକଟିର କ’ଣ ହେଇଥିଲା ଆଉ ସେ କାହିଁକି ଆତ୍ମହତ୍ୟା କଲା ।

କୁନି: କହିବି .....ହେଲେ ଏବେ ନୁହେଁ । ମୋତେ ଭଲ ଲାଗୁନି ଶେଖର । ତୁମେ ଘରକୁ ଯାଅ । ମୁଁ ଯିବି କେତେବେଳେ ସମୟ ଦେଖି । ଏବେ ତୁମେ ଯାଅ । leave me alone.....plz......

କୁନି ଏମିତି ଚିଡ଼ି ଯିବା ଦେଖି ଚନ୍ଦ୍ରଶେଖର ଚାଲି ଆସିଲେ ସେ ଜାଗାରୁ । ହେଲେ କିଛିବାଟ ଯାଇଛନ୍ତି ନା ନାହିଁ, ଚିନ୍ତା କଲେ ଯେ କୁନିର ମାନସିକ ଅବସ୍ଥା ବର୍ତ୍ତମାନ ଠିକ୍ ନାହିଁ । ଏଇତ ଟିକିଏ ପୂର୍ବରୁ........ ନା.... ନା.....ତାକୁ ଏକୁଟିଆ ଛାଡ଼ି ଯାଇ ହବନି । ସେ ଚିଡୁ କି ଯାହା କରୁ ହେଲେ ତାକୁ ଏ ଜାଗାରୁ ନେଇକି ହିଁ ଯିବେ । ତେଣୁ ପୁଣି ଫେରି ଆସିଲେ କୁନି ପାଖକୁ ।

ଚନ୍ଦ୍ରଶେଖର: କୁନି......

କୁନି: ପୁଣି କ’ଣ ହେଲା ? କହିଲି ତ ମୋତେ ଟିକିଏ ଏକୁଟିଆ ଛାଡ଼ି ଦିଅ ।

ଚନ୍ଦ୍ରଶେଖର: ନା... ତୁମେ ମୋ ସହିତ ଚାଲ । ମୁଁ ତୁମକୁ ଘରେ ଛାଡ଼ି ଦେବି ।

କୁନି: ନା ନା....ତୁମେ ଯାଅ ମୁଁ ଯିବି ଟିକିଏ ପରେ ।

ଚନ୍ଦ୍ରଶେଖର: ନାଇଁ ତୁମକୁ ମୋ ରାଣ । ଚାଲ ମୋ ସହିତ ...ପ୍ଲୀଜ.... 


ଚନ୍ଦ୍ରଶେଖର ବହୁତ୍ ଭଲ ପାଏ କୁନିକୁ । ଏକଥା କୁନି ଭଲ ଭାବରେ ଜାଣିଚି । ତେଣୁ କୁନି ଚନ୍ଦ୍ରଶେଖର କଥା ଗୁଡ଼ିକୁ ସହଜର ଏଡେ଼ଇ ଦେଇ ପାରେନି । ନିଜ ଆବେଗକୁ ଅଟକେଇ ନପାରି ହଠାତ୍ ଉଠିଯାଇ ଚନ୍ଦ୍ରଶେଖରଙ୍କୁ ଧରି ବହେ କାନ୍ଦିଲା କୁନି । ଯାହାକୁ ସେ କେବେ ଚନ୍ଦ୍ରଶେଖର ସାମ୍ନାରେ କରିବାକୁ ଚାହୁଁ ନଥିଲା ।

କୁନି: ମୁଁ ଜାଣେ ଶେଖର ତୁମେ ମୋତେ ବହୁତ୍ ଭଲ ପାଉଛ । ତେଣୁ ତୁମକୁ ଲାଗୁଚି କି ମୁଁ କିଛି ଭୁଲ୍ କାମ କରିଦେବି । କିନ୍ତୁ ତୁମେ ଆଦୌ ବ୍ୟସ୍ତ ହୁଅନି । ମୁଁ ସେମିତି କିଛି କରିବିନି । ତୁମେତ ଜାଣିଛ, ତୁମ କୁନି କେତେ ଷ୍ଟ୍ରଙ୍ଗ । ବ୍ୟସ୍ତ ହୁଅନି ଯାଅ ତୁମେ, ମୁଁ ପରେ ଯିବି । 

ଚନ୍ଦ୍ରଶେଖର କିଛି ବୁଝି ପାରିଲେନି କୁନିର କାନ୍ଦିବାର କାରଣ । ଏତେ ଜିଦ୍ କରୁଥିବାରୁ ଆଉ ବାଧ୍ୟବି କଲେନି । ଚାଲି ଆସିଲେ ସେ, ସେ ଜାଗାରୁ । କିଛି ସମୟ କୁନି ସେଇଠି ରହିଲା । ପୋଲିସ୍ ଆସି ଟ୍ରେନ ଲାଇନ୍ ରେ କଟି ଯାଇଥିବା ଶବକୁ ନେଇଗଲା ପୋଷ୍ଟମର୍ଟମ ପାଇଁ ।


    ଦୁଇଦିନ ହେଇଗଲାଣି ହେଲେ କୁନିର ଫୋନ୍ ଆସିନି ଏଯାଏଁ । ଚନ୍ଦ୍ର ଶେଖର ବ୍ୟସ୍ତ ହେଉଥାନ୍ତି, ଫୋନ୍ ଟା ବି ଲାଗୁନି । କ'ଣ ହଉଚି କେଜାଣି ସେ କିଛି ବୁଝି ପାରୁ ନାହାନ୍ତି । କୌଣସି କାମରେ ତାଙ୍କର ମନ ଲାଗୁନି । ଆଜି ରୋଷେଇ ବି କରି ନାହାନ୍ତି ସିଏ । ବସିଥିଲେ ବସିଥିଲେ, ହଠାତ୍ କୁନି ଛବି ଥିବା key hanger ରୁ ଗାଡ଼ି ଚାବି ବାହାର କରି ଧାଇଁଲେ କୁନି ପାଖକୁ ।

ଚନ୍ଦ୍ରଶେଖର: କୁନି....କୁନି.......।

କବାଟ ବାଡେଇଲେ ଚନ୍ଦ୍ରଶେଖର । ଚନ୍ଦ୍ରିକା ଆସି କବାଟ ଖୋଲିଲା । ଚନ୍ଦ୍ରିକା, ପାଞ୍ଚ ବର୍ଷର ଅନାଥ ଝିଅଟିଏ । ଯାହାକୁ ଛୋଟବେଳୁ କୁନି ଆଣି ପାଖରେ ରଖିଛି । ତା'ର ପଢ଼ିବା ରହିବା ସବୁ ଖର୍ଚ୍ଚ କୁନି ବହନ କରେ । ତା' ମା ବଞ୍ଚିଛି କି ମରିଚି କୁନି ଜାଣିନି । ହେଲେ କୁନି ତା ମାଆକୁ ଜାଣିଛି ଭଲରେ । ପିଲା ଦିନର ସାଙ୍ଗ ତା’ର, ହେଲେ ଚନ୍ଦ୍ରିକା ଜନ୍ମ ହେବା ପୂର୍ବରୁ ତା ସହିତ ତା’ର ମନାନ୍ତର ହେଇଥିଲା । ଚନ୍ଦ୍ରିକାର ମାଆ ଚେମେଣି ନିଜ ସ୍ୱାର୍ଥ ଛଡ଼ା କେବେ କାହା କଥା ଭାବିନି । ହଁ, ତା'ର ସାଙ୍ଗ କହିଲେ ବୋଧ ହୁଏ ଏଇ ଦୁନିଆରେ କେବଳ କୁନି । ହେଲେ କୁନି ଯେତେବେଳେ ପଢ଼ିବାକୁ ବାହାରକୁ ଚାଲିଗଲା ସେବେଠାରୁ ସେ ଆଉ ଭଲରେ ମିଶେନି । ସବୁକଥା କହୁଥିବା ବାଲ୍ୟବାନ୍ଧବୀ ଧୀରେ ଧୀରେ ସବୁକଥା ଲୁଚେଇବା ଆରମ୍ଭ କଲା । ଏମିତିକି ଅନେକ ଦିନ ପର୍ଯ୍ୟନ୍ତ ଆଉ କଥା ବି ହେଲାନି ଆଉ କେବେ କେମିତି ବାଟରେ ଦେଖିଲେ ନଦେଖିଲା ପରି ଚାଲି ଯାଏ ।


ଦିନେ କେହିଜଣେ ଆସି କୁନିକୁ କହିଲା ଯେ ଚେମେଣି ଭାରି କଷ୍ଟ ପାଉଛି । କୁନି ସାଇକେଲ ନେଇ ଚେମେଣି ପାଖକୁ ଗଲା ବେଳକୁ ସେଠି ଚେମେଣି ନଥିଲା । ସଦ୍ୟଜାତ କନ୍ୟା ଶିଶୁଟିଏ କାନ୍ଦୁଥିଲା ରାହା ଧରି । ବହୁ ଅପେକ୍ଷା ପରେ ମଧ୍ୟ ଚେମେଣି ଆଉ ଫେରି ନଥିଲା । କୁନି ନେଇ ଆସିଥିଲା ସେ ଝିଅକୁ ନିଜ ସହିତ । ସେଇ ଦିନରୁ ସେ ତା ପାଖରେ । କୁନି ତାକୁ ମାଉସୀ ଡାକିବା ଶିଖେଇଚି । କାରଣ ସେ ଜାଣିଛି ଯଦି କେବେ ଚେମେଣି ଫେରେ ସେ ନିଶ୍ଚୟ ଝଗଡ଼ା କରିବ ଯଦି ଚନ୍ଦ୍ରିକା କୁନିକୁ ମା ଡାକୁଥାଏ । ଯେତେବେଳେ ଯିଏ କୁନିକୁ ପଚାରେ, କୁନି ସମସ୍ତଙ୍କୁ ଏଇ କାହାଣୀ କୁହେ ଚନ୍ଦ୍ରିକା ବିଷୟରେ, ଆଉ ଚନ୍ଦ୍ରଶେଖର ବି ଜାଣିଛନ୍ତି ଏଇ ସମାନ କଥା ।


ଚନ୍ଦ୍ରିକା ଏକଦମ୍ ଟିକି ଟିଏ । ତଥାପି ତା'ର ବହୁତ୍ ବୁଦ୍ଧି । କୁନି ତାକୁ ସବୁ ଶିଖେଇଚି ତା' ବୟସ ହିସାବରେ । କେମିତି କେଉଁ ପରିସ୍ଥିତିରେ କ'ଣ କରିବାକୁ ହେବ ।

ଚନ୍ଦ୍ରଶେଖର: ଆରେ ଚନ୍ଦ୍ରିକା, ମାଉସୀ କୁଆଡେ଼ ଗଲା କିରେ ?


ଚନ୍ଦ୍ରଶେଖର ଦେଖି ଜାଣି ପାରିଲେ ଯେ ଚନ୍ଦ୍ରିକା ଷ୍ଟୁଲ ପକେଇ ସେ କବାଟ ଖୋଲିଛି । ଚନ୍ଦ୍ରିକାର ଉତ୍ତରକୁ ଅପେକ୍ଷା ନକରି ଚାଲିଗଲେ ଭିତର ରୁମକୁ । କୁନି ଶୋଇଚି ଘୋଡ଼ି ଘାଡ଼ି ହେଇ । ଚନ୍ଦ୍ରଶେଖର ଯାଇ ବସିଲେ କୁନି ଗୋଡ଼ ପାଖରେ । କୁନି ଗୋଡ଼କୁ ହାତ ମାରି ଜାଣିବାକୁ ଚାହିଁଲେ କୁନିର ସ୍ୱାସ୍ଥ୍ୟବସ୍ଥା ଆଉ ନିଦର ଗଭୀରତା । ହାତ ମାରୁ ମାରୁ କୁନି ଉଠି ପଡ଼ିଲା ଧଡପଡ଼ ହେଇ ।


କୁନି: ଆରେ....ତୁମେ କେତେବେଳେ ଆସିଲ ? କବାଟ ଖୋଲା ଥିଲା କି ?

ଟିକିଏ ଭାରିଭାରି କଣ୍ଠରେ କହିଲା କୁନି ଚନ୍ଦ୍ରଶେଖରଙ୍କୁ ।

ଚନ୍ଦ୍ରଶେଖର: ନା......ଚନ୍ଦ୍ରିକା ଖୋଲିଲା । ତୁମର କ’ଣ ହେଇଚି? ଦେହ ଭଲ ଅଛିଟି ?

କୁନି : ହଁ ଏବେ ଭଲ ଅଛି...ମୁଣ୍ଡ ଟିକିଏ ବିନ୍ଧୁଥିଲା ତ..ଶୋଇପଡ଼ିଥିଲି ।

ଚନ୍ଦ୍ରଶେଖର: ହଉ...... ହେଲେ ତୁମ ଫୋନ୍ ଲାଗୁନି ଯେ ?

କୁନି: ଫୋନ୍ ଥିଲେ ସିନା ଲାଗିବ ? ସେଇଦିନ ଟ୍ରେନ୍ ଲାଇନ୍ ପାଖରେ କୁଆଡେ ହଜିଗଲା ବୋଧେ । ଘରକୁ ଆସି ଦେଖେ ତ ଫୋନ୍ ନାହିଁ । ଆଉ ଖୋଜିବାକୁ ଗଲିନି । କେବେ ମିଳି ନଥାନ୍ତା ବି । ଦେଖିଥିଲ ନା.....କେତେ ଲୋକ ଥିଲେ ସେଠି ।

ଚନ୍ଦ୍ରଶେଖର: ହଉ ହେଲା.....ହେଲେ ଖବର ତ' ଟିକିଏ କରି ଦେଇଥାନ୍ତ ! ହଉ ଛାଡ଼...କ'ଣ ହେଇଥିଲା ସେଦିନ ଆଉ କିଛି କହିଲନି ତ ?

କୁନି: ଓହୋ...ଭାରି ଜିଜ୍ଞାସୁ ପିଲା ଟିଏ....ସବୁକଥା ଜାଣିବା ଦରକାର । ନୁହେଁ କି ? 

ଚନ୍ଦ୍ରଶେଖର: ଆରେ....କି କଥା....! ସେଦିନ ଏମିତି ଅବସ୍ଥାରେ ଦେଖିବା ପରେ ଯେ କେହି ବି ଏ ଘଟଣା ବିଷୟରେ ଜାଣିବାକୁ ଚାହିଁବ।

କୁନି: ତୁମେ କଣ ସତରେ ଜାଣିବାକୁ ଚାହୁଁଛ ? ହଉ.......କହୁଛି, ଟିକିଏ ଅପେକ୍ଷା କର । 

କୁନି ବାକ୍ସ ଖୋଲି ନେଇ ଆସିଲା ଗୋଟିଏ ଡାଏରୀ ଆଉ ଚନ୍ଦ୍ରଶେଖରଙ୍କୁ ଧରେଇ ଦେଇ କହିଲା, ଭାରତୀ ମାଉସୀର ଡାଏରୀ । ସେ ଚାଲି ଗଲାଣି ବର୍ଷେ ହେଲାଣି କ୍ୟାନ୍ସରରେ । ଗଲାବେଳେ ଦେଇଗଲା ମୋତେ ଏ ଡାଏରୀ । ପଢ଼.... ବୁଝିଯିବ ସବୁ । ଯାହା ବୁଝି ନପାରିବ ପଚାରିବ ମୋତେ ।


କୁନି ଭଲ ଭାବରେ ଜାଣିଥିଲା, ଯେ ଚନ୍ଦ୍ରଶେଖର ଡାଏରୀଟିକୁ ପଢ଼ି ସାରିବା ପରେ ମେଞ୍ଚାଏ ପ୍ରଶ୍ନ ଆଣି ଗଦା କରିବେ ତା' ପାଖରେ ।

ଚନ୍ଦ୍ରଶେଖର: ଆରେ ବାବା,……ତୁମେ କହିଦେଲେ ହବନି ? ୟାକୁ ପୁଣି ପଢ଼ିବାକୁ ପଡ଼ିବ ମୋତେ ?

କୁନି: ହଁ ପଢିବାକୁ ପଡ଼ିବ । ଅନେକ କଥା ସିଏ । ଭାରତୀ ମାଉସୀକୁ ଯାହା ଯାହା ସବୁ ସେଦିନ ସେ ଦୁର୍ଘଟଣା ହେଇଥିବା ସ୍ତ୍ରୀ ଲୋକ କହିଛି, ସେ ସବୁ ଲେଖା ହେଇଚି ଏଇଥିରେ । ପଢ଼ିଲେ ଜାଣି ପାରିବ । ମୋର କିଏ ଏତେ ବକର ବକର ହବ ତୁମ ସହିତ ଏଇନା ।


ଚନ୍ଦ୍ରଶେଖର ଦୀର୍ଘ ନିଃଶ୍ୱାସ ପକେଇ କହିଲେ, ହଉ ହେଲା । ମୁଁ ପଢ଼ିବି । କିନ୍ତୁ ଏବେ ନୁହେଁ । ମୁଁ ଏଇଟିକୁ ନେଇ ଯାଉଛି ଘରକୁ । ରାତିରେ ପଢ଼ିବି । ଏବେ ଭୋକ ହେଲାଣି । ତୁମେ ବି ରୋଷେଇ କରିନ । ଚାଲ ଯିବା ବାହାରେ ଖାଇକି ଆସିବା ।

କୁନି: ନା’.....ଥାଉ .....ମୁଁ ଏଇ ଘରେ କ'ଣ ଦିଟା ଖାଇ ଦେବି । ଆଛା ଆଜି ତୁମେ ରୋଷେଇ କରିନ ବୋଧେ ? ହଉ ମୁଁ କ’ଣ ଦିଟା କରି ଦେଉଛି ଆମେ ଖାଇ ଦେବା ।

ଚନ୍ଦ୍ରଶେଖର: ନାଇଁ ଥାଉ..... ମୁଁ ଟିକିଏ ଯିବି ବାହାରକୁ, କାମ ଅଛି ମୋର ଆଉ ସିଆଡ଼େ ଖାଇ ଦେବି । ତୁମେ ଚିନ୍ତା କରନି ମୋ ପାଇଁ ।

ଚନ୍ଦ୍ରଶେଖର ଚାଲି ଆସିଲା ଡାଏରୀ ନେଇ କୁନିଘରୁ । କାମ ସାରି ସନ୍ଧ୍ୟାରେ ଘରକୁ ଫେରିଲା । ଖାଇ ପିଇ ଦେଇ ଡାଏରୀ ଧରି ବସି ପଡ଼ିଲା ଖଟ ଉପରେ । ଉତ୍ସାହର ସହିତ ଖୋଲିଲା ପ୍ରଥମ ପୃଷ୍ଠା । ବିଶେଷ କିଛି ପ୍ରଥମ ପୃଷ୍ଠାରେ ଲେଖା ହେଇ ନଥିଲେ ମଧ୍ୟ କେବଳ ଏତିକି ଲେଖା ହେଇଥିଲା “ଜାରଜାତକୀ” । ଆଉ ଅଠା ଦେଇ ମରା ହେଇଥିଲା ଦୁଇଟି କୁନି କୁନି ସୁନାର କାନ ଫାସିଆ । ଖୁବ୍ ଆଶ୍ଚର୍ଯ୍ୟ ହେଲା ଚନ୍ଦ୍ରଶେଖର ପ୍ରଥମ ପୃଷ୍ଠାରୁ । ମନେ ମନେ ଚିନ୍ତା କଲା, ଯେ ଏମିତି ବି ହେଇ ପାରେକି କେବେ ଗୋଟିଏ ଡାଏରୀର ଆରମ୍ଭ ! ପଢ଼ିବାର ଉତ୍ସାହ ତା’ର ଆହୁରି ବଢ଼ିଗଲା । ଦିତୀୟ ପୃଷ୍ଠା ଖୋଲି ପଢ଼ି ବସିଲା ।

     ପୂର୍ଣ୍ଣମୀ ଥିଲା ସେଦିନ । ଜହ୍ନ ଆଲୁଅଟା ଖେଳେଇ ହୋଇ ପଡ଼ୁଥିଲା ଆମ ଗାଁ ସାରା । ପୋଖରୀ ପାଣି ରୂପା ପରଦା ପରି ଚକ୍ ଚକ୍ କରୁଥିଲା । ଗାଁ କହିଲେ ଏଇଠି ଯେମିତି ସେଇଠି ସେମିତି । ଅବଶ୍ୟ ଏଠୁ ବହୁତ ଦୂର । ଆମ ଗାଁ ଟା ପୁରା ଗୋଲ୍ । ବୁଲି ଆସିଲେ ଯୋଉଠୁ ବାହାରିବ, ସେଇଠି ଆସି ପୁଣି ପହଞ୍ଚି ଯିବ ସେଇ ତେନ୍ତୁଳି ଗଛ ମୂଳକୁ । ବୋଧେ ସେଇଥି ପାଇଁ ଆମ ଗାଁ ନାଁ ଗୋଲପୁର୍ । ସେଦିନ ମା ମୋତେ ଅଳତା, ଲିପଷ୍ଟିକ ଲଗେଇ ଦେଇଥାଏ । ନାଲି ନାଲି ପାଦ ମୋର ଭାରି ସୁନ୍ଦର ଦେଖା ଯାଉଥାଏ ନୂଆ ନାଲି ପାଢ଼ି ଶାଢ଼ୀ ସହିତ । ଛୋଟିଆ ଟିଏ ହେଇଥାଏ ମୁଁ । ବୟସ ସେଇ ନଅ କି ଦଶ ବର୍ଷ ହେବ ମୋତେ । ଶାଢ଼ୀକୁ ଭାରି ଯତ୍ନର ସହିତ କୁଞ୍ଚ କରି ପିନ୍ଧେଇ ଦେଇଥାଏ ମାଆ । ବାହାଡ଼ା ଦାନ୍ତ ମୋର କାଳେ ମୋ ମୁହଁକୁ ଭାରି ମାନେ । ସେଇଥି ପାଇଁ ମାଆ ମୋତେ ହସିବାକୁ ମନା କରେ । ହେଲେ ମୁଁ ହସେ, ବହୁତ୍ ହସେ । କେଜାଣି ମୋତେ କାଇଁ ଏତେ ହସ ମାଡେ । "ବିହୁ" ପର୍ବ ସେଦିନ । ସମସ୍ତେ ନାଚ ଗୀତରେ ମସଗୁଲ୍ ଗାଁ ମୁଣ୍ଡରେ । ମୋତେ କିନ୍ତୁ ଆମ ସାହି ବାହାରକୁ ଯିବାକୁ ମାଆ ମନା କରିଥାଏ । ମାଆ ସବୁ କଥାରେ ମୋତେ ମନା କରେ । ପଢିବାକୁ ମନା କରେ, ଗାଁ ପିଲାଙ୍କ ସହିତ ଖେଳିବାକୁ ମନା କରେ, ପୋଖରୀରେ ଗାଧେଇବାକୁ ମନା କରେ । କୁଆଡେ଼ ଯିବାକୁ ଦିଏନି । ଖାଲି କହିବା, ଏଇଟା କର ସେଇଟା କର । ହେଲେ ମୋ ସାଙ୍ଗ ନରେନ୍ଦ୍ରର ଆଉ ମୋର ଯେମିତି ହେଲେ ଖସି ଯାଉ । ଘରକୁ ଫେରିଲେ ଭଲ ରକମରେ ମୋ କଥା ବୁଝା ହୁଏ । ସବୁଦିନ ଠାରୁ ଆଜି ଟିକିଏ ଅଲଗା ଥିଲା । ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥିଲେ । ନରେନ୍ଦ୍ର ଆସି ମୋତେ ଡାକି ନେଲା । ମୁଁ ଚୁପ୍ କି ଚାଲିଗଲି ଗୁହାଳ ଘର ବାଟ ଦେଇ । ଆମ ଘର ପାହାଡ଼ର ଉପର ମୁଣ୍ଡରେ । ଟିକିଏ ତଳେ ସମସ୍ତେ ରୁଣ୍ଡ ହେଇଥିଲେ । ଦୂରରୁ ଝକମକ ଆଲୁଅ, ଲୋକଙ୍କ ନାଚ ଗୋଟିଏ ଦେଖି ମନ ଆଉ ସମ୍ଭାଳି ହେଲାନି । ନରେନ୍ଦ୍ରକୁ ଆଉ ଟିକେ ଆଉ ଟିକେ କହି ନେଇଗଲି ତଳ ମୁଣ୍ଡକୁ । ପଥର ପାଚେରୀ ଘେରା ଅନ୍ଧାର ରାସ୍ତାରେ ଗଲାବେଳେ ହଠାତ୍ କିଏ ଆସି ଜୋର୍ କରି ଭିଡ଼ି ନେଇଗଲା ମୋତେ । ମୁଁ ନରେନ୍ଦ୍ର ନରେନ୍ଦ୍ର କହି ପାଟି କଲି, ହେଲେ ମୋ ମୁହଁରେ ହାତ ଦେଇଦେଲା କିଏ । କେବଳ ଚାହୁଁଥାଏ ଦୂର ଆଲୁଅକୁ ହେଲେ କିଛି କହି ପରୁନଥାଏ । ଧିରେ ଧିରେ ସେ ଆଲୁଅ ବି ହଜିଗଲା ମୋ ଦୃଷ୍ଟି ବଳୟ ଭିତରୁ । ସେ ଲୋକଟି ମୋତେ ନେଇ ଗୋଡ ହାତ ବାନ୍ଧିଦେଲା । କହିଲା , ତୋ ବାବା ଆମ ଖବର ନେଇ ପୋଲିସ୍ ପାଖରେ ଦଉଚି । ତତେ ମୁଁ କିଛି କରିବିନି ହେଲେ ଘରକୁ ଯାଇ ବାବାଙ୍କୁ କହିବୁ ଯେ “ବାବା ସେମାନେ ମାଓବାଦୀ ହେଲେ ବି ଭଲ ଲୋକ । ସେମାନେ ଭଲ କାମ କରୁଛନ୍ତି । ଆମ ଜାତି ପାଇଁ ଲଢ଼ୁଛନ୍ତି ସେମାନଙ୍କ ସହିତ ଲାଗନି । ଆଉ ଯଦି ଲାଗିବ ସେମାନେ ମୋତେ ଆଉଥରେ ଏମିତି ନେଇ ଜୀବନରୁ ମାରି ଦେବେ” ।

       ଖରାବେଳକୁ ପୁଣି ସେଇ ଲୋକ ମୋ ପାଖରେ ଖାଇବା ଥୋଇ ଦେଇ କହିଲା, ନେ ଖାଇ ନେ କାଲି ସକାଳୁ ତତେ ଛାଡ଼ି ଦେବୁ । ଖାଇବାରେ ମୋର ମନ ପସନ୍ଦର ଜିନିଷ ସବୁ ଥିଲା । ଗୁରର ପାଏସ୍, ମିଷ୍ଟିଭାତ୍, ପିଠା, କଚୋଡ଼ି ଆହୁରି କେତେ କ’ଣ ମିଠା । ବହୁତ୍ ରାତି ହେଇ ଯାଇଥିଲା ଖାଇ ଦେଇ ଶୋଇ ପଡ଼ିଲି ମୁଁ । ସେ ରାତି ଆଉ ଦିନେ ଗଲା ସେଇ ଘରେ ରହି ରହି । ଝରକା ସେପଟକୁ ଚାହିଁଲେ ଖାଲି ଜଙ୍ଗଲ । ଭାରି ଭୟ ଲାଗୁଥାଏ ମୋତେ ହେଲେ ମଜା ବି ଲାଗୁଥାଏ । ଝରକା ପାଖରେ କେତେ ମାଙ୍କଡ ଆସି ଦେଖୁଥାନ୍ତି ମୋତେ । ମୋତେ ବି ତାଙ୍କୁ ଦେଖି ଭାରି ଖୁସି ଲାଗୁଥାଏ । ସନ୍ଧ୍ୟାବେଳେ ଜଣେ ଆସି ଖାଇବା ରଖି ଦେଇ ଗଲା । ମୁଁ ତାକୁ କହିଲି ଘରକୁ ଯିବି । ମୋ ମାଆ ଖୋଜୁଥିବ ମୋତେ । ସେ ମୋ ମୁଣ୍ଡକୁ ଆଉଁସି ଦେଇ ମୋ ହାତରେ ଦୁଇଟି ଚକ୍ଲେଟ ଧରେଇଦେଇ କହିଲା, ହଉ କାଲି ସକାଳ ହଉ ସୁମୋନ୍ କୁ କହିବି ତତେ ନେଇ ଛାଡ଼ି ଦେଇ ଆସିବ । ସେ ଲୋକ ଭଲ ଲୋକଟା ହେଲେ ସେ ସୁମୋନ୍ ଟା ମୋତେ ଜମା ଭଲ ଲାଗୁ ନଥିଲା । ମୁହଁରେ କପଡ଼ା ଦେଉଥିଲା ସବୁବେଳେ । ଯୋଉ ଆଖି ଟିକିଏ ଦେଖା ଯାଉଥିଲା ତା’ର, ସେଇବାଟେ ମୋତେ ଖାଲି ଗାଡେଇ ଗାଡେଇ ଚାହୁଁଥିଲା ଆଉ ବିଡ଼ି ଟାଣୁ ଥିଲା । ସେଦିନ ବି ଖାଇ ପିଇ ଶୋଇ ପଡ଼ିଲି । ସକାଳୁ ଉଠିଗଲି ସୁମୋନ୍ ଡାକରେ । ସେ କହିଲା ଚାଲ୍ ଯିବା ଘରକୁ । ମୁଁ ଖୁସି ହେଇ ବାହାରି ପଡ଼ିଲି ତା ସହିତ ହେଲେ ମୋତେ ଡର ମାଡୁଥିଲା ତା ଆଖି ଦେଖି । ଆମେ ଜଙ୍ଗଲ ରାସ୍ତାରେ କିଛି ବାଟ ଯିବା ପରେ ସେ ମୋତେ ଗୋଟିଏ ଜାଗାରେ ବସିବାକୁ କହିଲା । ମୋତେ ଭାରି ଡର ମାଡୁଥାଏ । ସେ ବସିଥାଏ ମୋ ସାମ୍ନାରେ ଅଣ୍ଟାରୁ ଗୋଟେ ଗୋଟେ ବିଡ଼ି କାଢ଼ି ଟାଣୁ ଥାଏ । ସେତିକିବେଳେ ସେ ନିଜ ମୁହଁରୁ କପଡ଼ା ଖୋଲିଲା । ମୁଁ ତାକୁ ଦେଖି ଜାଣି ପାରିଲି । ତାକୁ ଆଗରୁ ଦେଖିଚି ମୁଁ । ସେ କଥା କହି ପାରେନି କି କିଛି ଶୁଣି ପାରେନି ବୋଲି ତାକୁ ସମସ୍ତେ ବୋବା ଡାକନ୍ତି । ବାଦାମ ବିକେ ଷ୍ଟେସନରେ । ବାପା ବହୁତ୍ ଥର ବାଦାମ କିଣି ଦେଇଛନ୍ତି ତା'ପାଖରୁ ମୋତେ । ଭାରି ଖୁସି ହୋଇଗଲି ତାକୁ ଦେଖି ମୁଁ । ଆହୁରି ମଜା ଲାଗିଲା ମୋତେ ଯେ ସେ କଥା କହି ପାରୁଚି ଆଉ ଶୁଣି ବି ପାରୁଚି । ଆଜି ଗଲେ ବାବାଙ୍କୁ କହିବି ଯେ, ବୋବା କଥା କହି ପାରୁଚି ଆଉ ସବୁ ଶୁଣି ବି ପାରୁଚି । ସେ ଆଉ ଠାରରେ କଥା ହଉନି ଆଗ ଭଳି । କେହି ଜାଣି ନାହାନ୍ତି ଏକଥା ମୁଁ ଆଗ ଯାଇ କହିବି ବାବାଙ୍କୁ ଏକଥା ଆଉ କହିବି “ବାବା ସେ ବୋବାର ଭଲ ନା ସୁମୋନ୍” । ବୋବା ପକେଟରେ କିଛି ବାଦାମ୍ ଆଣିଥିଲା, ମୋତେ ଦେଲା ଖାଇବାକୁ । ଅଣ୍ଟିରେ ଧରି ମୁଁ ଗୋଟେ ଗୋଟେ କରି ବାଦମ୍ ଛଡେଇ ଖାଉଥାଏ । ବୋବା ସାଙ୍ଗରେ ଆଣିଥିବା ପାଣି ପିଇଲା । ବାଦାମ୍ ଖାଇ ମୋତେ ବି ଜୋରରେ ଶୋଷ ହେଉଥିଲା । ମୁଁ ପାଣି ମାଗିବାରୁ ସେ ଦେଲା ଟିକିଏ ପିଇବାକୁ ମୋ ପାଟିରେ ହେଲେ ମୋତେ ଭଲ ଲାଗିଲାନି ସେ ପାଣି ଆଉ ଭାରି ଗନ୍ଧ ଛାଡ଼ିଲା ମୋତେ ତେଣୁ ମୁଁ ପିଇଲିନି । ସେ କିନ୍ତୁ ପିଇଦେଲା । ମୁଁ ମନେ ମନେ ଭାରି ଖୁସି ହେଉଥିଲି ଯାହେଉ ବୋବା ମୋତେ ନେଇ ଆସିଛି ସେ ଜାଗାରୁ । ନିଜକୁ ବର୍ତ୍ତମାନ ସୁରକ୍ଷିତ ମଣୁଥିଲି କିନ୍ତୁ ହଠାତ୍ କ'ଣ ହେଲା କେଜାଣି , ବୋବା ନିଜ ଡ୍ରେସ୍ ପତ୍ର ଖୋଲି ମୋ ଉପରକୁ ଝାମ୍ପି ପଡ଼ିଲା । ପ୍ରଥମେ ପ୍ରଥମେ ଭାବିଲି ସେ ମୋ ସହିତ ମଜା କରୁଛି । ବାବାଙ୍କ ସହିତ ଗଲେ ସେ ଏମିତି ଲାଗେ ମୋ ସହିତ ହେଲେ ବାବା ପାଟି କଲେ ହସି ଦେଇ ମୁଠାଏ ବାଦାମ୍ ଧରେଇଦିଏ ମୋ ହାତରେ । ହେଲେ ଏବେ ସେ ମୋ ଡ୍ରେସ୍ ଖୋଲିବାକୁ ଚେଷ୍ଟା କଲା । ମୁଁ ତା' କବଳରୁ ମୁକୁଳିବାକୁ ଯେତେ ଚେଷ୍ଟା କଲି, ହେଇ ପାରିଲାନି । ବହୁତ୍ ଯୋରରେ କଷ୍ଟ ହେଉଥିଲା ମୋତେ । ହେଲେ କିଛି କରି ପାରୁ ନଥାଏ ମୁଁ । ବାସ୍ ତାପରେ କେତେ ସମୟ କେତେ ଦିନ ବିତି ଯାଇଛି ମୁଁ ଜାଣିନି ।

       ଭୋକ ଲାଗିବାରୁ ନିଦ ଭାଙ୍ଗିଗଲା । ନିଜକୁ ପାଇଲି ଟ୍ରେନ ଭିତରେ । ନିଦ ଭାଙ୍ଗିଲା ବେଳକୁ ସନ୍ଧ୍ୟା ହୋଇ ଆସିବା ସହିତ ଜଙ୍ଘ ପାଖରେ ମୋତେ ଭାରି କଷ୍ଟ ହେଉଥାଏ । ପାଖରେ କାହାକୁ ନପାଇ ମୋତେ କାନ୍ଦ ବି ମାଡୁଥାଏ । ବଳବଲ୍ କରି ଚାହୁଁଥିଲି ସମସ୍ତଙ୍କୁ, ବହୁତ୍ ଲୋକ ମୋ ପାଖରେ ଥିଲେ ହେଲେ କେହି ବି ନିଜର ନୁହନ୍ତି କି କାହାକୁ ବି ମୁଁ ଜାଣି ପାରୁନଥିଲି । ଝରକାକୁ ଆଉଜି ଆଖିରୁ ଲୁହ ନିଗିଡ଼ି ଯାଉଥାଏ ନୀରବରେ କାହିଁକିନା ଭୋକରେ ମୋର ପାଟିକରି କାନ୍ଦିବାକୁ ବି ବଳ ପାଉନଥାଏ । ମୋ ସାମ୍ନାରେ ଜଣେ ବୟସ୍କ ଲୋକ ବସି ରୁଟି ଖାଉଥିଲେ । ମୋତେ ଦେଖି ଜାଣି ପାରିଲେ ବୋଧେ ଯେ ମୋତେ ଭୋକ ହେଉଛି ବୋଲି । ପଟେ ରୁଟି ଆଉ ଭଜା ବଢେଇ ଦେଲେ ମୋ ହାତକୁ । କିଛି ନଭାବି ତାଙ୍କ ହାତରୁ ନେଇ ଆସିଲି ସେଇତକ । ମୁଁ ଖାଇଲା ବେଳେ ସେ ଚାହିଁଥିଲେ ମୋତେ, ସେ ସୁମୋନ୍ ଭଳିଆ । ମୋ ହାତକୁ ଆଉ ପଟେ ବଢ଼େଇ ଦେଉ ଦେଉ ମୋ ହାତକୁ ଧରିନେଲେ । ଅନ୍ଧାର ହେଇ ଯାଇଥାଏ ପ୍ରାୟ । ଭିଡ଼ି ନେଇ ମୋତେ କୋଳରେ ବସେଇ ଦେଲେ ହେଲେ ମୁଁ ଟିକିଏ ପାଟି କରିବାରୁ ତରତର ହେଇ ଛାଡ଼ିଦେଲେ ।

        ଗାଡ଼ି ରହିଲା ସେ ଜାଗାରେ । ଭାରି ଜୋରରେ ଶୋଷ ହେଉଥିଲା ମତେ । ଦେଖିଲି, ମୋ ଗାଡି ପକ୍ଷରୁ ଟିକିଏ ଦୂରରେ ଷ୍ଟେସନରେ ଲାଗିଥିବା ଟ୍ୟାପ୍ ରୁ ପାଣି ନେଉଥିଲେ ସମସ୍ତେ । ଟ୍ରେନରୁ ଓହ୍ଲେଇ ପଡ଼ି ସେମାନଙ୍କୁ ଅପେକ୍ଷା କଲି । ସମସ୍ତେ ପାଣି ନେବା ପରେ ମୁଁ ମନ ଭରି ପାଣି ପିଇଲି ମୁହଁ ଲଗେଇ । ପିଇ ସାରି ପଛକୁ ଅନେଇଲା ବେଳକୁ ଦେଖିଲି, ଟ୍ରେନ ନଥିଲା ।  କ’ଣ କରିବି କୁଆଡେ ଯିବି କିଛି ବୁଝି ପାରୁ ନଥାଏ । ରାତି ସମୟ ତଥାପି ଗହଳି ଅଛି ଏ ଷ୍ଟେସନରେ । ବାପା ବେଳେ ବେଳେ ବୁଲେଇ ନିଅନ୍ତି ଆମ ଗାଁ ପାଖ ଷ୍ଟେସନ୍ କୁ । କାଇଁ ସେଠି ତ ଏତେ ଲୋକ ନାଥାନ୍ତି କି ଏତେ ଆଲୁଅ ବି ନଥାଏ । ଏଠି ପରିସ୍ଥିତି ସମ୍ପୂର୍ଣ ଭିର୍ଣ୍ଣ ଥିଲା । ମୋତେ ଭାରି କାନ୍ଦ ମାଡ଼ିଲା । ମୋର ମୋ ମାଆ କଥା, ବାବା କଥା ମନେ ପଡୁଥାଏ । ସେଇ ଷ୍ଟେସନ୍ ରେ ଚେୟାରରେ ବସି କାନ୍ଦିଲି ବହେ । ଜଣେ କେହି ଆସି କ’ଣ କହିଲେ ମୋତେ । ହେଲେ ମୁଁ ତାଙ୍କ କଥା ବୁଝି ପାରୁ ନଥାଏ କି ସେ ମୋ କଥା ବୁଝି ପାରୁ ନଥିଲେ । ଆଉ କିଛି ନକହି ଚାଲିଗଲେ ସେ ତାଙ୍କ ରାସ୍ତାରେ । ମୁଁ ଘୁମେଇ ପଡ଼ିଲି ସେଇ ସିମେଣ୍ଟ ଚେୟାର ଉପରେ । ରାତି ଅଧରେ ପୋଲିସ୍ ଆସି ମୋତେ ଆଖି ଦେଖେଇ ବିଦା କରିଦେଲା ସେ ଜାଗାରୁ । ମୁଁ ଯାଇ ଶୋଇ ପଡ଼ିଲି ଗୋଟାଏ କ’ଣରେ ଯୋଉଠି ମୋ ବୟସର ଆହୁରି ଅନେକ ପିଲା ଶୋଇଥିଲେ । ହେଲେ ସମସ୍ତଙ୍କ ଠାରୁ ମୁଁ ଥିଲି ଟିକିଏ ଅଲଗା । କେହି ମୋ ଭଳି ଶାଢ଼ୀ ପିନ୍ଧି ନଥିଲେ କି ଅଳତା ଲଗେଇ ନଥିଲେ ।

      ରାତି ଯାଇ ସକାଳ ହେଲା । ଆହୁରି ଗହଳି ହେଇଗଲା ସେ ସ୍ଥାନ । ମୋ ସହିତ ଯେଉଁ ମାନେ ରାତିରେ ଶୋଇଥିଲେ, ସେମାନେ ମୁଁ ଉଠିବା ପୂର୍ବରୁ ଉଠି ଯାଇଥିଲେ । ମୁଁ ଉଠିବା ବେଳକୁ ସମସ୍ତେ ଘେରି ରହିଥାନ୍ତି ମୋତେ । ମୁଁ ଉଠୁ ଉଠୁ “ମାଗୋ” ବୋଲି କହିବାରୁ ଗୋଟିଏ ପିଲା ଦାନ୍ତ ଦେଖେଇ ଚଟାପଟ୍ କହିଲା, ବାବା ଗୋ.....। ଖେଁ ଖେଁ ହେଇ ବହୁତ୍ ଜୋରରେ ହସିଲା । ଇସ୍ ହି....... ତା ଦାନ୍ତ ପୁରା କଳା କଳା ......। ଚୁଟି ଗୁଡାକ ଏମିତି କ’ଣ ହେଇଥିଲା ତା’ର ମୁଁ କିଛି ବୁଝି ପାରିଲିନି । ଧଡପଡ଼ ହେଇ ଉଠିଗଲି । ପୋଲିସ୍ ବାଡ଼ି ଧରି ଧାଇଁ ଆସିଲା ଆମ ଆଡ଼କୁ । ସମସ୍ତେ ଧାଇଁଲେ । ମୁଁ କ’ଣ କରିବି କିଛି ବୁଝିବା ଆଗରୁ ସେଇ ପିଲାଟି ମୋ ହାତ ଧରି ଭିଡ଼ି ନେଲା । ମୁଁ ବି ଧାଇଁଲି ତା ହାତ ଧରି । ସବୁତକ ଟ୍ରେନ ଲାଇନ୍ ଡେଇଁ ଆମେ ଚାଲିଗଲୁ ଷ୍ଟେସନ୍ ବାହାରକୁ । 

ବାବାଗୋ କେତେ ଟ୍ରେନ ଲାଇନ ଏଇଠି । ଆମ ଗାଁ ରେ ଏକ-ଦୁଇ......... ଦିଟା । ଗୋଟେ ଖାଲି ଜାଗାରେ ସମସ୍ତେ ଯାଇ ରୁଣ୍ଡ ହେଲେ । ଆମେ ବହୁତ୍ ପିଲା ଥିଲୁ । ସମସ୍ତେ ପ୍ରାୟ ମୋଠାରୁ ବୟସରେ ବଡ ଥିଲେ, କେବଳ ଜଣକୁ ଛାଡ଼ି ।

ରିଙ୍କୁ: ସେ ଶଳା ପୋଲିସ୍ ଆମକୁ ସବୁବେଳେ ଦୌଡ଼ାଉଚି । ତା କଥା ବୁଝୁଛି ମୁଁ ରହ ।

ମୀନା: ତୁ କ’ଣ କରିବୁ କହିଲୁ ତା’ର ? ବେଶି ଗୋଟେ ଗପୁଚି ଡହରା ।

ରିଙ୍କୁ ଡାକିଲା ସମସ୍ତଙ୍କୁ । ସମସ୍ତେ ମେଳ ହେଇ କଥା ହେଲେ । ବିଚାର ହେଲା, ସକାଳୁ ସକାଳୁ ଜୋତା ଆଉ ବେଲ୍ଟ ଚୋରି ହେବ ସେ ରାଉତ ପୋଲିସର । ଯେତେବେଳେ ସେ ଷ୍ଟେସନ୍ ପାଖ ମନ୍ଦିର ବାହାରେ ଜୋତା, ବେଲ୍ଟ ଓହ୍ଲେଇ ଦେଇ ମୁଣ୍ଡିଆ ମାରିବ ।

ମୁଁ ତାଙ୍କ କଥା କିଛି ବୁଝି ପାରୁନଥାଏ । ସେମାନେ କ’ଣ କହୁଥାନ୍ତି କେଜାଣି ? ମୁଁ କାହା କଥା ବି ବୁଝି ପାରୁ ନଥାଏ । ମନେ ମନେ ଭାବୁଥାଏ ଏମାନେ ସମସ୍ତେ କ’ଣ ଆମ ଗାଁ “ଭୋୟା ପାଗଳ” ଭଳିଆ କି ! ସେ କ’ଣ କୁହେ ତା' କଥା କିଛି ବୁଝି ହୁଏନି ସେମିତି ଏମାନଙ୍କ କଥା ବି କିଛି ବୁଝି ହଉନି ।

       ରିଙ୍କୁ ମୋତେ ଡାକିଲା ଇସାରା କରି । ମୋତେ କ’ଣ କହିଲା ମୁଁ ବୁଝି ପାରିଲିନି । ମୁଁ କହିଲି ମୋ ଭାଷାରେ ଯେ ମୁଁ କିଛି ବୁଝି ପାରୁନି ବୋଲି । ହେଲେ ମୋ କଥା କହିବା ଦେଖି ମୀନା ବୁଝିଗଲା ଯେ ମୁଁ ଅଲଗା ଭାଷାରେ କଥା ହେଉଛି ବୋଲି । ମୀନାକୁ ବଙ୍ଗାଳୀ ଜଣା ଥିଲା ଟିକେ ଟିକେ । ସେ କେମିତି କୋଉଠୁ ଜାଣିଛି ବଙ୍ଗାଳୀ ସେକଥା କେହି ଜାଣି ନାହାନ୍ତି । ସେ ନିଜେ ବି ଜାଣିନୀ । ସେ ମୋତେ ପ୍ରଥମେ ପଚାରିଲା ମୋ ନାଁ କ’ଣ ? ମୁଁ କହିଲି ମୋ ନାଁ ବିସ୍ମୋୟୀ ।

ମୀନା: ବିସ୍ମୋୟୀ ! ଇଏ କି ନାଁ ? ହଉ ଯାହା ହଉ ତୋ ନାଁ । ରିଙ୍କୁ ପଚାରୁଛି, ତୁ କିଏ କୁଆଡୁ ଆସିଚୁ ?

ବିସ୍ମୋୟୀ: ମୁଁ ଟ୍ରେନରେ ଆସିଲି । ଆମ ଘର ଗୋଲ୍ ପୂର୍ ।

ସମସ୍ତେ ହସିଲେ ମୋ କଥା ଶୁଣି । ରିଙ୍କୁ କହିଲା ଏ ଗୋଲ୍ ପୂର୍ କୁଆଡେ଼ ? କାଇଁ ମୁଁ ତ ଜାଣିନି । ଏଇଟା ଡହରୀଟା । ପାଠ ପଢ଼ିବନି ବୋଲି ଘରୁ ଲୁଚିକି ପଳେଇ ଆସିଛି । ସମସ୍ତଙ୍କ କଥାକୁ ଅନୁବାଦ କରି ମୀନା ମୋତେ କହି ଦେଉଥାଏ ବୁଝେଇ ।

ବିସ୍ମୋୟୀ: ନାଁ ମୁଁ ଘରୁ ଲୁଚିକି ଆସିନି । ସୋତ୍ତି....। ମୋତେ ସୁମୋନ୍ ଆଣି ଛାଡ଼ି ଦେଇଛି ଟ୍ରେନରେ । ସେ ସୁମୋନ୍ ଜମା ଭଲ ଲୋକ ନୁହଁ । ମୋତେ ଘରେ ଛାଡ଼ିଦେବ କହି ଏଠି ଆଣି ଛାଡ଼ି ଦେଇଛି । ମୋ ମାଆ ମୋତେ ଖୋଜୁ ଥିବ । ଘରକୁ ଗଲେ ମୋତେ ମାରିବ ।

ରିଙ୍କୁ ଆଉ ମୀନା ଦୁହେଁ ଅନୁଭବି । କଅଁଳ ବୟସରୁ ବି ସବୁ ବୁଝି ପାରୁଥିଲି ସେମାନେ ସବୁକିଛି । ସେମାନେ ଜାଣି ପାରିଲେ ଯେ କେହିଜଣେ ଝିଅଟିଏ ବୋଲି ଛାଡ଼ି ଦେଇ ଯାଇଛି ଟ୍ରେନରେ । ଏମିତି ଘଟଣା ସେମାନଙ୍କ ପାଇଁ ନୂଆ ନଥିଲା । ଆଗରୁ ଅନେକ ଏଭଳି ଦେଖିଛନ୍ତି ସେମାନେ । କିଛି ନିଜ ପରିବାରକୁ ଫେରି ପାଇଲେଣି ଆଉ କିଛି କୁଆଡେ ହଜି ଗଲେଣି କେହି ଜାଣି ନାହାଁନ୍ତି ତେଣୁ ମୋତେ ଆଉ ବିଶେଷ କିଛି ନପଚାରି କଥା ବୁଲେଇବାକୁ ଚେଷ୍ଟା କଲେ ।

ରିଙ୍କୁ: ଛାଡ଼ ସେ କଥା, ଆଛା ତୁ କାହା ଦଳରେ ରହିବୁ କହିଲୁ ? ଆମ ଦଳରେ ନା' ସେ ବିଜୁ ଦଳରେ ରହିବୁ କହ ।

ମୀନା: ଏହେ ୟାକୁ କିଏ ଏତେ କଷ୍ଟ କରିକି ବିସ୍ମୋୟୀ ଡାକିବ କହିଲୁ ? ମୋ ପାଟିରେ ତ ପଶୁନି । ମୁଁ ୟା ନା ଦେଲି ଆଜିଠାରୁ ଛୋଟି । ସବୁଠାରୁ ଛୋଟ ଇଏ । ସେଇଥି ପାଇଁ ଛୋଟି । ହଉ କହ ଛୋଟି ତୁ କାହା ଦଳରେ ରହିବୁ ?

ଛୋଟି: ଦଳ ? ଦଳ ପୁଣି କ’ଣ ?

ମୀନା: ଆରେ......ଆମର ଗୋଟେ ଦଳ ଆଉ ବିଜୁର ଗୋଟେ ଦଳ । ବିଜୁ ଦଳ ଚୋର ଦଳ । ସବୁବେଳେ ଚୋରି କରୁଛନ୍ତି ଆଉ ମାଡ଼ ଖାଉଛନ୍ତି । ଶଳା...... ଚୋର ଦଳ.... ଶଳା...। ତାଙ୍କ ପାଇଁ ପୋଲିସ୍ ଆମକୁ ହଇରାଣ କରୁଛି । ଆମର କିନ୍ତୁ ସେମିତି ନୁହଁ ଲୋ । ଜାଣିଚୁ, ଆମେ ମାଗି ଯାଚି ଚଳିବୁ । ଯିଏ ଯାହା ଦେଲା ଭାଗ ବଣ୍ଟା କରି ଖାଇବୁ । ଆମ ଦଳରେ କମ୍ ପିଲା ବୋଲି ସେ ହାରାମି ବିଜୁ ଆମକୁ ସବୁବେଳେ ଆଖି ଦେଖାଉଛି । ଆମେ ଶୋଇବାକୁ ଯୋଉ ଜାଗା ଠିକ୍ କରିଥିବୁ,ସେଇ ଜାଗା ଆମ ଠାରୁ ଜବରଦସ୍ତି ନେଇ ଯାଉଛି । 

ହାରାମି ମରିବ........ମରିବ.......ଦେଖିବୁ ।

ମୋତେ ଭାରି ହସ ମାଡୁଥିଲା ଏସବୁ କଥା ଶୁଣି । ମୁଁ ତାଙ୍କୁ କହିଲି , ମୁଁ ମୋ ମାଆ ପାଖକୁ ପଳେଇବି । ମୁଁ କୋଉ ଦଳରେ ରହିବିନି । ମୀନା ବୁଝେଇ ଦେଲା ରିଙ୍କୁକୁ ମୁଁ ଯାହା କହିଲି ତା'କୁ ।


ରିଙ୍କୁ: ହଉ ହେଲା, ତୁ ତୋ ମାଆ ପାଖକୁ ଯିବୁ ଯେ ହେଲେ ସେ ଆସିକି ନନେଲେ ତୁ କେମିତି ଯିବୁ ? ସେ ଆସିବା ଯାଏଁ ଆମ ଦଳରେ ରହ । ଦେଖ୍ ଆମ ଦଳରେ କେତେପିଲା ଅଛନ୍ତି । ବିନୁ,ଟିଆଁ, କାଳିଆ, ଢେଲି , ମୁଁ , ମୀନା । ଦେଖିବୁ ଆମର ଅଧିକ ପିଲା ହେଇଗଲେ, ଆମେ ରାଜୁକୁ ଆଉ ଡରିବାନି । ମୋର କ'ଣ ଅଛି ....! ମୁଁ ଏକା ରାଜୁକୁ ମାରି ପକେଇ ଦେବି ନା କ’ଣ କିରେ ଟିଆଁ........ହେଲେ ତୁମେମାନେ କ’ଣ କରିବ ? ସେଇଥି ପାଇଁ କହୁଚି ଆମ ଦଳରେ ରହ ତୁ । ଯେତେ ଡାକିଲେ ବି ତାଙ୍କ ଦଳକୁ ଯିବୁନି । ଗଲେ ତତେ ଚୋରି କରିବାକୁ କହିବେ । ଚୋରି କଲେ ମାଡ଼ ଖାଇବୁ । ମୋର କ’ଣ ଅଛି ? ନା କ’ଣ କିରେ ଟିଆଁ....?

ଟିଆଁ: ୟେଶ୍ ବୋସ୍.......

      ଟିଆଁ କଥା ଶୁଣି ସମସ୍ତେ ହସୁଥିଲେ ହେଲେ ମୁଁ କ’ଣ କହିବି କିଛି ବୁଝି ପାରୁଥିଲି । ମନ ମାରି ବସି ରହିଲି କାହାକୁ କିଛି ନକହି ଚୁପ୍ ଚାପ୍ ଗୋଟିଏ ଜାଗାରେ । ସେମାନେ ସମସ୍ତେ ଗୁଲି ଖେଳିଲେ । ମୋତେ ଗୁଲି ଖେଳି ଆସେନି । ଆମ ଗାଁ ପିଲା ଖେଳନ୍ତି ଗୁଲି ହେଲେ ମୋତେ ମୋ ମାଆ ଛାଡେନି କୁଆଡେ଼ ବାହାରକୁ । ଭାରି ରାଗ ଲାଗୁଥାଏ ମାଆ ଉପରେ ମୋତେ । କୁଆଡେ଼ ମୋତେ ଛାଡ଼ିବନି କି ଏବେ ନେବାକୁ ବି ଆସିବନି ।

ମୋତେ ଜୋରରେ ଭୋକ ହେଉଥାଏ ଆଉ ସେଇ ଭୋକରେ ମୋତେ ନିଦ ହେଇଗଲା । ଶୋଇବା ଭିତରେ ମୁଁ ସ୍ଵପ୍ନ ଦେଖୁଥାଏ, କେମିତି ମୁଁ ମୋ ବାବାଙ୍କ ସହିତ ସାଇକେଲରେ ଷ୍ଟେସନ୍ ବୁଲିବାକୁ ଯାଉଛି , ଆଉ ଆମ ବାପ ଝିଅଙ୍କର ଘରକୁ ଫେରିବା ଡେରି ହେଇ ଯିବାରୁ ମାଆ କେମିତି ବାପାଙ୍କ ଉପରେ ଚିଡ଼ି ଚିଡ଼ି ହଉଚି । ମୁଁ ମାଙ୍କ ପାଇଁ ବଜାରରୁ ନେଲ୍ ପଳିଶ୍ ଆଉ ଅଳତା ଆଣିଚି । ମାଆ ମୋ ମୁଣ୍ଡ କୁଣ୍ଡେଇ ଦେଇ ଖାଇବାକୁ ଦେଉଛି । ମନ ପସନ୍ଦର ଖାଇବା ଦେଖି ମୋ ଖୁସି କହିଲେ ନସରେ । ସପନ ଅଧାରୁ ମୀନା ଡାକିବାରୁ ମୋ ନିଦ ଭାଙ୍ଗିଗଲା । ଦେଖିଲା ବେଳକୁ ଖାଇବା ଧରି ଠିଆ ହେଇଥିଲା ମୋ ପାଖରେ ସିଏ ।

ମୀନା: ନେ.. ଖାଇ ନେ । ଭୋକ ହେଉଥିବ । ଆଜି ତୁ ନୂଆ ଆସିଚୁ ସେଇଥି ପାଇଁ ରିଙ୍କୁ କହିଲା ତୋତେ ନେଇ ଖାଇବା ଦେବା ପାଇଁ । ଆଗକୁ ମୁଁ ଆଉ ଆଣିବିନି ତୋ ପାଇଁ । ତୁ ତୋର ନିଜେ ଆଣିବୁ ନିଜେ ଖାଇବୁ ।

ମୋତେ ଜୋରରେ ଭୋକ ହେଉଥିଲା । ମୁଁ ଆଉ କିଛି ନଭାବି ତା ହାତରୁ ପତ୍ର ନେଇ ପାଟିରେ ପୁରେଇଲା ବେଳକୁ ମୋତେ ବାନ୍ତି ଉଠେଇଲା ।

ଛି....... ଛି ଛି .....ମୁଁ ଖାଇବିନି ଏଗୁଡ଼ା । ଗନ୍ଧଉଚି । ଓ.....ଓ.....। ନା ନା ମୁଁ ଖାଇବିନି । 

ମୀନା: ତୋ ଇଚ୍ଛା ନଖାଇବୁ ଯଦି ନଖାଆ । ହେଲେ ଫୋପାଡ଼ିବୁନି କହି ଦଉଚି । ଖାଇବା ଫୋପାଡ଼ିଲେ ରିଙ୍କୁ ରାଗିବ । ଓ...... ମହାରାଣୀଟା ତ..... ଖାଇବନି କହୁଚି । ତୁ ଆମ ଦଳରେ ମିଶିନୁ ତଥାପି ରିଙ୍କୁ ତୋ ପାଇଁ ପଠେଇଚି ।

      ମୁଁ କିଛି ନକହି ଚୁପ୍ ହେଇ ବସି ରହିଲି । ମନେ ମନେ ମାଆ ଉପରେ ରାଗୁଥିଲି । ସ୍ଵପ୍ନରେ ଆସି ଖୁଏଇ ଦେଉଛି ହେଲେ ସତରେ ଭୋକ ହେଲାବେଳକୁ ଆସୁନି ମୋ ପାଖକୁ । ଖାଇବା ସେମିତି ପତ୍ରରେ ଥୁଆ ହେଇଥିଲା । ମାଛି ବସୁଥିଲେ ମେଞ୍ଚା ମେଞ୍ଚା ହେଇ । 

ମୀନା କୁଆଡେ଼ ଚାଲିଗଲା କେଜାଣି ଫାଳେ ଲେମ୍ବୁ ଆଉ ଟିକିଏ ଲୁଣ ନେଇ ଚାଲି ଆସିଲା ମୋ ପାଖକୁ । ଖାଇବାରେ ଲେମ୍ବୁ ଲୁଣ ଗୋଲେଇ ଦେଲା ମୋର । କହିଲା ଖା....ଏଥର ଆଉ ନଖରା ଦେଖେଇଲେ ମର୍.....।

 ଆଖିରୁ ମୋର ଲୁହ ଗଡ଼ି ଯାଉଥାଏ । ଇଆଡ଼େ ଭୋକକୁ ସିଆଡେ ମୋ ତଳି ପେଟ ଦରଜ ହେଉଥାଏ । ବାଧ୍ୟ ହେଇ ନାକ ଚିପି ଚିପି ଖାଇଦେଲି ସେତକ । ଧାଇଁ ଗଲି ଟ୍ୟୁବୱେଲ୍ଲ୍ ପାଖକୁ । ମୀନା ଭୁସ୍ ଭୁସ୍ କି ମାରିଦେଲା ଟ୍ୟୁବୱେଲ୍ଲ୍ ହ୍ୟଣ୍ଡେଲ୍ ରେ ଝୁଲି ଝୁଲି । ପେଟ ଭରି ପିଇଲି ସେ ଖାଇବାର ଗନ୍ଧ ମନରୁ ଯିବା ଯାଏଁ ।

      ଖାଇଦେଇ ମୁଁ ଷ୍ଟେସନ ଭିତରେ ଗୋଟିଏ ଜାଗାରେ ପଙ୍ଖା ଦେଖି ବସିଗଲି । ମୀନା ବୁଲି ବୁଲି ଯାହାକୁ ଦେଖେ ପଇସା ମାଗେ । ଯିଏ ଦେଲେ ଦେଲା ନହେଲେ ନାଇଁ । ବେଳେବେଳେ ଭଲ ଲୋକ ଦେଖି ଗୋଡ଼ ବି ଧରି ପକାଏ । ସେ ମାଗି ମାଗି କ୍ରମଶଃ ମୋ ପାଖରୁ ଦୂରକୁ ଦୂରକୁ ଯିବାକୁ ଲାଗିବାରୁ ମୁଁ ତା ପଛେ ପଛେ ଗଲି । ମୋ ଜଙ୍ଘ ପାଖରେ ଯନ୍ତ୍ରଣା ହେଉଥାଏ ତେଣୁ ମୁଁ ଶାଢ଼ୀ ପିନ୍ଧି ଛୋଟେଇ ଛୋଟେଇ ଚାଲୁ ଥାଏ ତା ପଛେ ପଛେ । ଖୋଜୁ ଥାଏ ଭିଡ଼ ଭିତରେ ଚିହ୍ନା ମୁହଁକୁ କିନ୍ତୁ ମୁଁ କାହାକୁ ଚିହ୍ନି ପାରୁ ନଥାଏ ହେଲେ ସମସ୍ତେ କିନ୍ତୁ ମୋତେ ଚାହୁଁ ଥାଆନ୍ତି ଚିହ୍ନିଲା ପରି । ମୁଁ ମୀନା ପାଖକୁ ଯିବାପରେ ସମସ୍ତେ ପ୍ରାୟତଃ ଯାହା କିଛି ହେଉ ଦେଇଥିଲେ । ସେଦିନ ମୀନାର ଖୁସି କହିଲେ ନସରେ । ଆଜି ବହୁତ୍ ପଇସା ହେଇଛି । ବେଶୀ ପରିଶ୍ରମ କରିବାକୁ ପଡ଼ିନି ତାକୁ ଆଜି । ଏଇ କଥାକୁ ବାରମ୍ବାର କହୁଥାଏ ମୋତେ । 

ଧିରେ ଧିରେ ସନ୍ଧ୍ୟା ହେଇଗଲା । ଅନ୍ଧାର ମାଡି ଆସିଲା ତଥାପି ମୋ ମାଆ କି ବାବା ମୋତେ ନେବାକୁ ଆସିଲେ ନାହିଁ । ଯାହା ପଇସା ଦିନ ଯାକ ମଗା ହୁଏ ରାତିରେ ଗୋଟିଏ ଜାଗାରେ ଠୁଳ ହୁଏ । ସବୁତକ ହିସାବ କରେ ରିଙ୍କୁ । ସେଦିନ ରାତିରେ ମୁଁ ଆଉ ବାସୀ ଖାଇନି । ମୀନା ଲୁଚେଇ ଆଣି ମୋତେ କେକ୍ ଦେଇଥିଲା ଖାଇବାକୁ । କହିଲା ରିଙ୍କୁକୁ କହିବୁନି । ସେ ଜାଣିଲେ ମୋତେ ମାରିବ । ମୁଁ କିଛି ନକହି ଖାଇଦେଲି । କୋଉଠି ରଖିଥିଲା କେଜାଣି ମୋ ମାପର ଡ୍ରେସ୍ ଟିଏ ଦେଲା ମୋତେ ପିନ୍ଧି ଦେଇ ଶୋଇଗଲି । ମୋ ପାଖକୁ ଶୋଇଥାଏ ମୀନା । ହେଲେ ମୋତେ ଆଦୌ ନିଦ ହେଉ ନଥାଏ । ଭାରି କଷ୍ଟ ହେଉଥାଏ ମୋତେ ଆଉ ମୋ ଆଖିରେ ଧାରଧାର ଲୁହ ସବୁ ଭିଜେଇ ଦେଉଥାନ୍ତି ମୁଣ୍ଡ ତଳେ ଦିଆ ହେଇଥିବା ମୋ ମାଆ ଲୁଗାକୁ ।

ମୀନା: ଏ....... ଶୋଇ ପଡ଼ ଚୁପ୍ ଚାପ୍ ।

ଛୋଟି: ମୀନା ଦିଦି ମୋତେ ନିଦ ହଉନି । ମୋ ଜଙ୍ଘ ବହୁତ୍ ଯୋରରେ କାଟୁଛି । 

ମୀନା: ଜାଣିଛି । ସକାଳେ ଛୋଟେଇ ଛୋଟେଇ ଚାଲୁ ଥିଲୁ ଦେଖିଚି ମୁଁ । କାଲି ସକାଳେ ଭଲକି ଗାଧେଇ ପଡ଼ିବୁ । ବିନ୍ଧା ପତ୍ର ବାଟିକି ଲଗେଇ ଦେବି କମିଯିବ । ଏବେ ଶୋଇପଡ଼ ନହେଲ ରିଙ୍କୁ ଜାଣିଲେ ଚିଡ଼େଇବ । ତାକୁ କହିବୁନି ଜମା ଏ ଜଙ୍ଘ ବିନ୍ଧିବା କଥା ।

ଛୋଟି: ଚିଡ଼େଇବ କାହିଁକି ?

ମୀନା: କହିଲି କହିବୁନି ମାନେ କହିବୁନି । ଶୋଇପଡ଼..... ବେଶି ଗୋଟେ ଛୋପରି ହଉଛି । ସେଦିନ ଯେମିତି ସେମିତି ଶୋଇଗଲି ମୀନା ରାଗିଲା ବୋଲି । ଏବେ ଏଇ ବୟସରେ ମୁଁ ଭାବି ପାରୁଛି, ବୋଧେ ସିଏ ଜାଣି ପାରୁଥିଲା ସବୁକିଛି ।

     ଏମିତି କିଛିଦିନ ଚାଲିଲା । ଦିନେ ସକାଳୁ ସକାଳୁ ମୁଁ ମାଗିବାରୁ ମୋତେ ଜଣେ ଭଦ୍ର ଲୋକ ଖାଇବାକୁ ଦେଲେ ଷ୍ଟେସନରେ । ମୁଁ ଠିଆ ହେଇ ଖାଉ ଥାଏ, ହଠାତ୍ ବିଜୁ ଦଳ ସହିତ ଆମ ଦଳର ସମସ୍ତେ ସାଙ୍ଗ ହେଇ ଧାଇଁ ଥାଆନ୍ତି ଗୋଟିଏ ଦିଗରେ । ମୁଁ ବି କିଛି ନବୁଝି ଖାଇବା ଫୋପାଡ଼ି ଦେଇ ଅତର୍କିତ ଭାବରେ ଧାଇଁଲି ତାଙ୍କ ସହିତ । ଦେଖିଲି ଆମ ପଛରେ କିଛି ଲୋକ ଧାଉଁଛନ୍ତି । ଯିଏ ଯୁଆଡ଼େ ପାରିଲେ ଲୁଚିଗଲେ । ମୁଁ ବି ଲୁଚିଗଲି ଷ୍ଟେସନରେ ଥିବା ପାର୍ଶଲ୍ ବ୍ୟାଗ୍ ସନ୍ଧିରେ ରାଜୁ ସହିତ । ମୁଁ ସଁ ସଁ ହେବାରୁ ବିଜୁ ମୋ ପାଟିରେ ହାତ ଦେଇଦେଲା । ମୋତେ ଭାରି ଡର ମାଡ଼ିଲା । ମୋର ମନେ ପଡିଗଲା ସୂମୋନ୍ କଥା । ସିଏ ବି ଏମିତି ପାଟିରେ ହାତ ଦେଇ............।  

ଓଃ..... ରେ ଭାବିଲା ବେଳକୁ ଦେହଟା ଶୀତେଇ ଗଲା ମୋର ।

ସେମାନେ ଖୋଜିଲେ ସମସ୍ତଙ୍କୁ । ଯାହାକୁ ପାଇଲେ ନେଇଗଲେ । ଆମ ଦଳର ଟିଆଁକୁ ବି ନେଇଗଲେ । ସେମାନେ ଯିବା ପରେ ଆମେ ସମସ୍ତେ ବାହାରିଲୁ ଲୁଚିଥିବା ଜାଗାରୁ । ମୁଁ ରିଙ୍କୁକୁ ପଚାରିଲି ସେମାନେ କାହିଁକି ନେଇଗଲେ ଟିଆଁକୁ । ରିଙ୍କୁ କହିଲା ସେମାନେ ପିଲା ଧରାଳି । ନେଇଯିବେ ଆଉ ବିକି ଦେବେ ଆମକୁ । 

ତା’ କଥା ଶୁଣି କିଛି ସମୟ ନୀରବ ରହି ଅନେକ ଭାବିଲା ପରେ ମୁଁ ପଚାରିଲି, ଆମକୁ କିଣି ନେଇ କାହାର କ’ଣ ଲାଭ କହିଲୁ ? 

ରିଙ୍କୁ: ଆରେ ଯିଏ ବିକିବ ସେ ଲାଖ୍ ଲାଖ୍ ଟଙ୍କା ପାଇବ ଆଉ ଯିଏ କିଣିବ ସେ ତୁମକୁ ପାଠ ପଢ଼େଇବ ଆଉ ଘରକାମ କରେଇବ । ଏ ପାଠ ପଢା ଭାରି କଷ୍ଟ ।

ମୁଁ ଭାବୁଥିଲି ଏ ଲାଖ୍ ଲାଖ୍ ଟଙ୍କା ଯେ କେତେ କେଜାଣି ? ତେବେ ସୁମୋନ ମୋତେ ବିକିଲାନି କାହିଁକି ?


ଅନେକ ଦିନ ବିତିଗଲା,ହଁ ......ପାଖାପାଖି ଦଶ ବର୍ଷ ହେବ । ଆମେ ସମସ୍ତେ ବଡ଼ବଡ଼ ହେଇ ଯାଇଥିଲୁ । ମୁଁ ଓଡ଼ିଆ ଶିଖି ଯାଇଥିଲି ଭଲ ଭାବରେ । ବୁଝିବାରେ କି କହିବାରେ କୌଣସି ଅସୁବିଧା ହେଉନଥିଲା । ହେଲେ ଲେଖିବା କି ପଢ଼ିବା ଜାଣି ପାରିଲିନି । ମାଆ ବାବାଙ୍କ କଥା ଆଉ ଭାବିନି କେବେ । ନିଜ ଭାଗ୍ୟକୁ ଆଦରି ପଡ଼ି ରହିଲି ସେଇଠି ସେମିତି । ରାଜୁ ଆଉ ରିଙ୍କୁ ଭଲ ସାଙ୍ଗ ହେଇ ଯାଇଥିଲେ । ଆମ ଦଳର ପ୍ରାୟ ପିଲା କିଏ କୁଆଡେ଼ ଚାଲି ଯାଇଥିଲେ । ଆମେ ସମସ୍ତେ ଷ୍ଟେସନ ପାଖ ବସ୍ତିରେ ନିଜ ପାଇଁ ମାଟି ଝାଟି ଘର ଖଣ୍ଡେ ଖଣ୍ଡେ କରି ସାରିଥିଲୁ । ଅଳ୍ପ ଅଳ୍ପ କାନ୍ଥରେ ଜରିପାଲ ଘେରା ସବୁଠାରୁ ଛୋଟଘର ଥିଲା ମୋର । ହେଲେ ମୀନା ରହୁଥିଲା ରାଜୁ ସହିତ ଗୋଟିଏ ଘରେ । ସେଇଥି ପାଇଁ ସେ ଆଉ କିଛି କାମ କରୁନଥିଲା । କେବଳ ରୋଷେଇ କରି ରାଜୁକୁ ଖାଇବାକୁ ଦିଏ । ରାଜୁ ତେଲ ଗାଡ଼ି ଡ୍ରାଇଭର ମାନଙ୍କ ସହିତ ହାତ କରି ଚୋରା ତେଲ ବେପାର କରେ । ଧରା ପଡ଼ିଲେ ଥାନା ବାଲା ବାନ୍ଧି ନିଅନ୍ତି । ହେଲେ ସେ ଯେମିତି ହଉ କୁହା ବୋଲା କରି ଖସି ଆସେ । କିନ୍ତୁ ରିଙ୍କୁ ଗୋଟେ କୁକୁଡ଼ା ଦୋକାନରେ ଥିଲା ଦରମା ହିସାବରେ । ମୋତେ ଏକୁଟିଆ ପାଇ ବହୁତ୍ ଥର କହିଛି ତା’ ସହିତ ରହିବାକୁ । ହେଲେ ମୁଁ ଜମା ରାଜି ହେଇନି କେବେ । ମୋତେ ଭଲ ଲାଗେନି ତାକୁ । ଅବଶ୍ୟ ସେ ରାଜୁ ପରି ନୁହେଁ ହେଲେ ସନ୍ଧ୍ୟା ହେଲେ ଦୁଇଜଣ ବସିଯିବେ ବୋତଲ ଧରି । ରିଙ୍କୁ କୁକୁଡ଼ା ଦୋକାନରୁ ନେଇ ଆସେ ପୁଟି, କଲିଜା ଇତ୍ୟାଦି । ମୀନା ରୋଷେଇ କରିଦିଏ । ଏମାନେ ବସି ମଦ ପିଅନ୍ତି ଆଉ ରାକ୍ଷସ ଭଳି ଖାଆନ୍ତି । ହେଲେ ରାଜୁ ମଦ ପିଇସାରିଲା ପରେ ଭାଷା ଅଭାଷା କରି ସମସ୍ତଙ୍କୁ ସୋଧାସୋଧି କରେ । କେତେବେଳେ ଡ୍ରେନରେ ପୁଣି କେତେବେଳେ ରାସ୍ତାରେ ପଡ଼େ ମଦ ପିଇ । ଆମେ ସମସ୍ତେ ଯାଇ ତାକୁ ଉଠେଇକି ଆଣୁ କାଳିଆର ଟ୍ରଲି ରିକ୍ସାରେ । ମୁଁ ଆଉ ମୀନା ବି ବେଳେ ବେଳେ ବସୁ ତାଙ୍କ ସହିତ । ଅବଶ୍ୟ ଆମେ ଦୁହେଁ ଖୁବ୍ କମ୍ ପିଉ ସେମାନଙ୍କ ଅପେକ୍ଷା । କାରଣ ତାଙ୍କ ପାଖରୁ ବଳିଲେ ସିନା ଆମ ଭାଗରେ ପଡ଼ିବ ।

       ସେମାନଙ୍କ ଭିତରୁ ମୁଁ ସବୁଠାରୁ ଗୋରା ଆଉ ସୁନ୍ଦର ଥିଲି । ସିଧା ସିଧା ଚୁଟି ମୋର ମୋ ଆଣ୍ଠୁ ଖାଉଥିଲା । ସେମିତିଆ ଚୁଟି ଆଉ କାହାର ନାଇଁ ବୋଲି କହି, ଉପରେ ଉପରେ ଖୁବ୍ ପ୍ରଶଂସା କରେ ମୀନା ହେଲେ ପ୍ରକୃତରେ ଅନ୍ତର ଭିତରେ ଖୁବ୍ ଈର୍ଷା କରେ ସିଏ । ବସ୍ତିଟା ଯାକର ପିଲା ମୋରି ଦେହକୁ ଅନେଇ ଥିବେ ତେଣୁ ସାହିର ସବୁ ଝିଅ ମୋତେ ଇର୍ଷା ହୁଅନ୍ତି । ମୋ ନାରେ ବହୁ ଗୁଜବ ବି ଉଠେ । କେହି ସାହାରା ନଥିବା ଝିଅକୁ ଏମିତି ସମସ୍ତେ କହିବା ସ୍ବାଭାବିକ । ହେଲେ ରିଙ୍କୁ ଭୟରେ କେହି ମୋ ପାଖ ମାଡ଼ନ୍ତିନି । ସେ କଳା ଭୁସୁଣ୍ଡା ମୋତେ ମନେ ମନେ ବହୁତ୍ ଭଲ ପାଏ । ହେଲେ ଜୋର୍ ଜବରଦସ୍ତି କେବେ କରିନି । ବିଶାଳ କାୟା ବିଶିଷ୍ଟ ରିଙ୍କୁକୁ ଦେଖିଲେ ଯେ କେହି ଡରି ଯିବ । ହେଲେ ମୁଁ ଜମା ଡରେନି । ଯେତେବେଳେ ଯାହା କହିଲେ ବୋଲ କରେ ମୋର । ମୁଁ ପାଖ ହୋଟେଲ୍, ଦୋକାନ, ଇତ୍ୟାଦିରେ ଟିୱେଲରୁ ଆଣି ପାଣି ଦିଏ । ଯେତିକି ଖଟେ ସେତିକି ପଇସା । ଯୋଉ ଦିନ କାମକୁ ଯାଇ ପାରେନି ମୀନାକୁ କୁହେ । ସିଏ ଯାଇ ପାଣି ଦେଇ ଦିଇ ଆଉ ସେ ପଇସା ବି ମୁଁ ତାକୁ ଦେଇ ଦିଏ । ମୋର ଦେହ ଖରାପ ହେଲେ କି ଘରେ ରହିଲେ ମାଲିକ ପଇସା ଦିଏନି ।

      ଏମିତି କିଛିଦିନ ଗଲା । ମୁଁ ବୋଲହାକ କରୁଥିବା ସାହୁ ହୋଟେଲକୁ ଗୋଟେ ପୋଲିସ୍ ବାଲା ଆସେ ଖାଇବାକୁ । ଜାଣିବାକୁ ପାଇଲି ସେ କୁଆଡେ ବ୍ରାହ୍ମଣ ଘରର ପିଲା ଆଉ ଚାକିରୀ କରେ, ରେଲୱେ ପୋଲିସରେ । ଠିକ୍ ମୁଁ ପାଣି ନେଇକି ଆସିଲା ବେଳେ ସେ ଆସେ ଖାଇବାକୁ ଆଉ ମୋତେ ସବୁବେଳେ କଣେଇ କଣେଇ ଚାହେଁ । ମୁଁ ଗରାରୁ ପାଣି ଢ଼ାଳିକି ଦେଲେ ପିଏ । ପାଣି ପିଇଲା ବେଳେ ମୋତେ ଚାହିଁ ମୁରୁକି ମୁରୁକି ହସେ । ଯିଏ ପଚାରିଲେ କୁହେ,ମୁଁ ସେ ଅଇଁଠା ଗ୍ଲାସରେ ପାଣି ପିଇବିନି । ମୁଁ ସବୁ ଜାଣି ପାରେ ସିଏ କାଇଁ ଏମିତି କରୁଛି ହେଲେ କିଛି କୁହେନି ତାକୁ । ମୁଁ ମୋ ପାଇଟି ସାରି ଘରକୁ ଚାଲି ଆସେ ଚୁପ ଚାପ୍। 

ମ୍ୟୁନିସିପାଲିଟି ବାଲା ସବୁବେଳେ ଆସି ମୋ ଘର ଭାଙ୍ଗି ଦିଅନ୍ତି । ଆଉ କାହା ଘର ଭାଙ୍ଗନ୍ତିନି । ସେଦିନ ବି ଆସିଥିଲେ ଘର ଭାଙ୍ଗିବାକୁ ।

ଛୋଟି: ଖାଲି ମୋ ଘର କାଇଁ ଭାଙ୍ଗୁଛ ? ସମସ୍ତେ ଯୋଉଠି ଘର କରିଛନ୍ତି ମୁଁ ବି ସେଇଠି କରିଛି । ତୁମର କ’ଣ ଅସୁବିଧା ହଉଚି ?

ମ୍ୟୁନିସିପାଲିଟି ଅଫିସର୍: ତୁ କାଇଁ ରାସ୍ତାକୁ ମଡ଼େଇ ପାଲ ପକେଇଚୁ କି ? ଏଇଟା କୋଣ ଜାଗାଟା , ଦି ପଟକୁ ରାସ୍ତା । ଯିବା ଆସିବା ଲୋକ ଜାଣି ପାରୁ ନାହାଁନ୍ତି କିଏ ଆଗରୁ ଆସୁଛି । ତୁ ଯା ଆଉ କୁଆଡେ଼ ତୋ ପାଲ ପକା ଏଠୁ ପଳା । ପଛପଟେ ଏତେ ଜାଗା ପଡ଼ିଛି । ସେଇଠି ଯାଇକି ରହ ।

ରିଙ୍କୁ ଆସି ଆଖି ଦେଖେଇଲା ତାଙ୍କୁ । ହେଲେ ପୋଲିସ୍ ପାଖରେ ସମସ୍ତଙ୍କ ପାଟି ଚୁପ୍ । ନିରୀହ ବଉଳା ଗାଈ ପରି ମୋ ଜିନିଷ ପତ୍ର ବାହାର କରିଦେଇ ନୀରବରେ ସହମତି ପ୍ରକାଶ କଲି ନିଜ ଘର ଭାଙ୍ଗିବାକୁ । ଶେଷରେ ସେମାନେ ଭାଙ୍ଗିଦେଲେ ମୋ ଘରକୁ । ମୁଁ ବାହାରେ ଗଛ ଛାଇ ତଳେ ସଜେଇ ରଖୁଥାଏ ମୋ ଜିନିଷପତ୍ର । ଖରା ହେଉଥାଏ ବହୁ ଜୋରରେ । କ’ଣ କରିବି କିଛି ଚିନ୍ତା କରି ପାରୁନଥାଏ । ଯଦି ପଛକୁ ଯିବି ତେବେ ବର୍ଷାଦିନେ କାଦୁଅ ପଚପଚ। ଏମିତିକି ରାସ୍ତାକୁ ଆସିବାକୁ ହେଲେ ଅନେକ ବାଟ କାଦୁଅରେ ଚାଲିବାକୁ ହେବ । ରିଙ୍କୁ, ରାଜୁ ଆଉ ମୁଁ ସବୁଠାରୁ ଆଗେ ଘର କରିଥିଲୁ । ତେଣୁ ଆମ ଘର ରାସ୍ତାକୁ ଲାଗିକି । ଆଉ ସମସ୍ତେ ଆମ ପଛକୁ । ମୁଁ କିଛି ଉପାୟ ନପାଇ ସେଇଠି ସେଇଦିନ ପଥର ତିନିଟା ଥୋଇ ଦେଇ ରୋଷେଇ କଲି । ଚୁଲି ଲଗେଇଲା ବେଳକୁ ରିଙ୍କୁ କହିଲା, ମୋ ପାଇଁ ରୋଷେଇ କରିଥିବୁ, ମୁଁ ଆସିଲେ ଖାଇବି ।

         ସନ୍ଧ୍ୟା ମାଡ଼ିଆସି ଅନ୍ଧାର ହେଇଗଲା । ସତକୁ ସତ ରିଙ୍କୁ ଆସିଲା ପୁଳାଏ କୁକୁଡ଼ା ମାଂସ ନେଇକି । ଅଲଗା ଦିନ ହେଇଥିଲେ ଗୋଡ଼ ମୁଣ୍ଡ ପୁଟି ଇତ୍ୟାଦି ଆଣି ଥାନ୍ତା ହେଲେ ସେ ଭଲକି ଜାଣିଚି ମୁଁ କୁକୁଡ଼ା ପୁଟିଫୁଟି ଖାଏନି । ସେଇଥି ପାଇଁ ଖାଲି ମାଂସ ନେଇକି ଆସିଥିଲା । କିଛି ନକହି ନିଜେ ଜାଳ ପୁଳାଏ ଶୁଖିଲା କାଠ ଜାଳି ତେଲ, ଲୁଣ, ହଳଦୀ ଦେଇ ମାଂସକୁ ପୋଡ଼ିଲା । ଆମେ ଦୁହେଁ କଦଳୀ ପତ୍ରରେ ଖାଇଲୁ ସାଙ୍ଗ ହେଇ । ଖାଇଲା ବେଳେ ମୁଁ କହିଲି ରିଙ୍କୁକୁ “ ତୁ ଜାଣିଚୁ, ଆଜି ଏତେ କଥା ହେଲା ମୋ ସହିତ । ମୀନା ସବୁ ଦେଖୁଥାଏ ଘର ଭିତରୁ ରହି ହେଲେ ଆହା ପଦେ କହିବାକୁ ବି ଆସିଲାନି ମୋ ପାଖକୁ” ।

ରିଙ୍କୁ ବୋଧେ କିଛି ଶୁଣୁ ନଥାଏ ମୋକଥା ସେଇଥି ପାଇଁ ମୋତେ କହିଲା “ଏ ଛୋଟି ଯା ଟିକିଏ ଏ ପୋଡ଼ା ମାଂସ ନେଇକି ଦେଇ ଆ ରାଜୁ ଘରେ । ରାଜୁ ଭାରି ଭଲ ପାଏ ଏ ପୋଡ଼ା ମାଂସ” ।

ମୋତେ ଭାରି ରାଗ ଲାଗିଲା ତା'କଥା ଶୁଣି । ମୁଁ କହିଲି, ହୁଁ......ମୋ ଘର ଭାଙ୍ଗିଦେଲେ ଯେ କେହି ଆସିଲେନି ପଦେ କହିବାକୁ । ମୋ ମନ ପୋଡ଼ି ଯାଉଛି ଯେ ତୁ ଜାଣି ପାରୁନୁ । ଆହୁରି କହୁଚୁ ପୋଡ଼ା ମାଂସ ଦେଇ ଜିବାକୁ? ରାଜୁର ପୋଲିସ୍ ସହିତ ସେଟିଂ ଅଛି । ସେ କଥାବାର୍ତ୍ତା କରିଥିଲେ ପୋଲିସ୍ କେବେ ଭାଙ୍ଗି ନଥାନ୍ତା ମୋ ଘର ।

ରିଙ୍କୁ ଅନେଇକି ରହିଲା କିଛି ସମୟ ମୋତେ । କ’ଣ ଭାବୁଥିଲା କେଜାଣି ? ନିଜେ ତାଟିଆରେ କିଛି ପୋଡ଼ା ମାଂସ ଧରି ଭୁସ୍ କି ଉଠିଗଲା । ନେଇକି ଗଲା ରାଜୁ ଘର ପାଖକୁ । ମୀନାକୁ ତାଟିଆ ବଢ଼ଉ ବଢ଼ଉ କି କଥା ହେଲା କେଜାଣି, ଚାଲି ଗଲା ତା'ଘର ଭିତରକୁ । ଭିତରୁ କବାଟ ବନ୍ଦ କରିଦେଲା ମୀନା । ମୁଁ ଦେଖୁଥାଏ ସବୁ । କେତେ ସମୟ ଅପେକ୍ଷା କରିବା ପରେ ବି ରିଙ୍କୁ ବାହାରିଲାନି ତାଙ୍କ ଘରୁ । ମନେ ମନେ ଚିନ୍ତା କଲି, ରାଜୁର ଡ୍ୟୁଟି ସରି ନଥିବ ତେଣୁ ସେ ଘରେ ତ ନାହିଁ ହେଲେ ଏ ରିଙ୍କୁ ଏତେବେଳ ଯାଏଁ ତା' ଭିତରେ କରୁଛି କ’ଣ ! ବୁଝିବାକୁ ଆଉ ମୋର କିଛି ବାକି ରହିଲାନି । ଜାଣିଲି, ଏଠି କେହି କାହାର ନୁହନ୍ତି । ସ୍ୱାର୍ଥ ଥିଲେ ସମସ୍ତେ ନିଜର...... ନହେଲେ କେହି ପଚାରିବେନି ବି ପଦେ । ଏକଥା ଦେଖି ମୋତେ ଭାରି ରାଗ ହେଲା । ମୀନା ରାଜୁ ସହିତ ରହୁଚି ହେଲେ ରିଙ୍କୁ ସହିତ ବି.....! ଛି..... ଛି.....।

      ଲାଗୁଥିଲା ସେଦିନ ସେ ଲୋକ ଠିକ୍ କହୁଥିଲା ଯେତେବେଳେ ରିଙ୍କୁର ମୋର ପଇସା ମାଗିବାକୁ ପଶିଥିଲୁ ଟ୍ରେନ ଭିତରକୁ । ସେଦିନର କଥା ଆଜିବି ଗୁଞ୍ଜରିତ ହେଉଥିଲା ମୋ କାନରେ। ସେ ବୟସ୍କ ଲୋକଟି କହୁଥିଲା “ଏଗୁଡ଼ା ଜାରଜ । ୟାଙ୍କର କ’ଣ ଅଛି....! ବାପା କିଏ ମା ବି ଜାଣିନି” । ଭାରି କଷ୍ଟ ଲାଗିଥିଲା ମୋତେ ସେଦିନ ହେଲେ ମାଗି ଯାଚି ଚଳୁଥିବା ଛୋଟିଆ ପିଲାଟିଏ ମୁଁ, କି ଉତ୍ତର ଦେବି ଭାବି ନିରୁତ୍ତର ରହିଥିଲି । ସେଦିନ କଥା ଯେମିତି ସତ ହେଇ ଯାଉଛି ଆଜି ମୋ ଆଖି ସାମ୍ନାରେ । ଏବେ ରିଙ୍କୁ ଆଉ ମୀନାର ଯୋଉ ଛୁଆଟି ହେବ ସେ କି ପରିଚୟ ପାଇବ ? ତାକୁ ସମାଜ କ’ଣ କହିବ ? ଜାରଜ ହିଁ, କହିବ ନା...... ।

       ରିଙ୍କୁର ଏ ପ୍ରକାରର କାଣ୍ଡ ଦେଖି ମୁଁ ଆଉ ସମ୍ଭାଳି ପାରିଲିନି । ଯଦି ସମ୍ପର୍କର ସୃଷ୍ଟି ହିଁ ସ୍ୱାର୍ଥରୁ ତେବେ, ମୁଁ କିଆଁ ବଞ୍ଚିତ ରହିବି ସେଇ ସ୍ୱାର୍ଥ ନାମକ ଚିଜରୁ ? ମୁଁ ଉଠି ପଡ଼ିଲି ବସିଥିବା ଜାଗାରୁ । ମୀନା ଘରର ଟିଣ କବାଟକୁ ଧଡ଼ ଧଡ଼ କରି ବାଡ଼େଇଲି । ମୀନା ଭିତରୁ ରହି ପଚାରିଲା କିଏ....! ମୁଁ ବାହାରୁ ଥାଇ କହିଲି ତୋ ସଉତୁଣୀ କହୁଚିଲୋ ବାରବୁଲି....କବାଟ ଖୋଲ୍ । ମିଛରେ କହିଲି ରାଜୁ ଆସିଛି ସାଙ୍ଗରେ । ମୀନା ଧୀରେ ଆସି କବାଟ ଖୋଲିଲା । କବାଟ ଖୋଲି ଏପଟ ସେପଟ କରି ଚାହିଁଲା । ମୋତେ ପଚାରିଲା ରାଜୁ କାଇଁ ? ମୁଁ ତା’ କଥା ନଶୁଣି ପେଲି ଦେଇ ଚାଲିଗଲି ଘର ଭିତରକୁ । ସାର୍ଟ କଲର ଧରି ଖଟ ତଳୁ ଘର ବାହାରକୁ ଘୋଷାଡି ଆଣିଲି ରିଙ୍କୁକୁ । ମୀନା ଚାହିଁ ଥାଏ ମୋତେ ଆଶ୍ଚର୍ଯ୍ୟ ହେଇ । ଆସିଲା ବେଳେ ମୀନାକୁ ଚେତାବନୀ ଦେଇଦେଇ ଆସିଲି “ଯଦି ଆଉ ଦିନେ ରିଙ୍କୁ ସହିତ ମିଶିଚୁ, ତେବେ ଆଜିର ସମ୍ପୂର୍ଣ୍ଣ ଘଟଣା ରାଜୁ ଆଗରେ କହିଦେବି” । ମୀନା ପାଟି ଚୁପ୍ କରି ଠିଆ ହେଇଥାଏ । ପାଟିରୁ ତା’ର କଥା ବାହାରୁ ନଥାଏ ।

ରିଙ୍କୁକୁ ଭିଡି ଭିଡି ନେଲାବେଳେ ରିଙ୍କୁ କହିଲା, 

ଆରେ......କହୁଥିଲୁ ପରା, ପୋଲିସ୍ ତୋ ଘର ଭାଙ୍ଗିଲା ବେଳକୁ ଏତେ ସମ୍ପର୍କ ଥାଇ ବି ମୀନା ତତେ ଆହା ପଦେବି କହିଲାନି । ଆଉ ମୁଁ ଜାଣିଚି, ସେଇ ରାଜୁ ଯାଇ ଥାନାରେ କମ୍ପ୍ଲେନ୍ କରୁଛି ତୋ ନାରେ । ତୁ ତାକୁ ଆଡ଼ ଆଖିରେ ଚାହୁଁନୁ ବୋଲି ସିଏ ଏମିତି କରୁଛି । ସେଇ ରାଗରେ ଯାଇ ମୁଁ ମୀନାକୁ................।

ହଁ ତୁ ଯାହା କହ ପଛେ ଛୋଟି, ସବୁ ରାଗ ଶୁଝେଇ ଦେଇଛି ଆଜି । ସେ ରା.*.କୁ ଆଜି ଦେଇଛି ପାନେ । ଏଥର ତୁ ଖୁସି ତ ?

ଛୋଟି: ବେକାର କଥା କହନି । ତୋର ପ୍ରକୃତି ଖରାପ୍ । ତୁ ୟାଡେ ସିଆଡେ ସବୁଆଡ଼େ ମୁହଁ ମାରିବୁ । ସେଃ......ତୁ ବି କ’ଣ କରିବୁ ? ଆମ ସମସ୍ତଙ୍କ ପ୍ରକୃତି ହିଁ ଖରାପ୍ । ଆମ ପାଖରେ ସଂସ୍କାର ବୋଲି କିଛି ଜିନିଷ ନାହିଁ । ଆମେ ସବୁ ଜାରଜ.......।

ରିଙ୍କୁ ଠୋକିନା ଚାପୁଡ଼ାଟେ ପକେଇଲା ମୋ ଗାଲରେ । କହିଲା, ବାହାର ଲୋକଙ୍କ ଭଳିଆ ତୁ ବି ଆମ ସମସ୍ତଙ୍କୁ ସେଇଆ କହିଲୁ ଯାହାକୁ ଶୁଣିଲେ ଆମ ଦେହରେ ନିଆଁ ଲାଗିଯାଏ ?

ଛୋଟି: ମୁଁ କ’ଣ ଭୁଲ୍ କହିଲି କି ? କହିଲୁ, କିଏ ତୋ ବାପା ମାଆ........ ନା ମୁଁ କହି ପାରିବି ଯେ କିଏ ମୋ ବାପା ମାଆ ? ଆମେ ଏଠି ଯେତକ ପିଲା, କେହି କହି ପାରିବବାନି ଆମ ବାପା ମାଆ କିଏ ।

ରିଙ୍କୁ କିଛି ନକହି ମୋତେ ମାରି ଥିବାରୁ ଅନୁତାପର ଚିତ୍ର ନିଜ ମୁହଁରେ ଆଙ୍କି ଠିଆ ହେଲା ନୀରବରେ ।


ଛୋଟି: କହୁନୁ , ତୋ ପାଟିରେ କ’ଣ ମଣ୍ଡା ପଶିଚି ? ନା...... ସତ କଥା ହଉଚି, ମୋ ପ୍ରଶ୍ନର ଉତ୍ତର ନାହିଁ ତୋ ପାଖରେ ।

ରିଙ୍କୁ: ମୁଁ ଏତେ କଥା ଜାଣିନି । ମୁଁ ମୀନା ସହିତ ଯାହା କଲି ତୋର କ’ଣ ଗଲା ? ତୁ କାଇଁ ମୋତେ ତା ଘର ଭିତରୁ ଟାଣି ଟାଣି ନେଇ ଆସିଲୁ ?

ମୁଁ ଜାଣିଥିଲି ରିଙ୍କୁ ମୁଣ୍ଡରେ ମୁଁ କହୁଥିବା କଥା କିଛି ପଶୁ ନଥିବ । ସେ କେବଳ ଖଟିବା ଆଉ ଖାଇବା ଜାଣିଛି । ମୁଁ ଯାହା ଟିକିଏ ମୋ ବାପା ମାଆଙ୍କୁ ଦେଖିଚି ହେଲେ ସିଏ ଜନ୍ମ ହେଲାଦିନୁ ତା' ବାପା କି ମାଆକୁ ଆଦୌ ଦେଖିନି । ତେଣୁ ସାମାଜିକ ଚଳଣି ବିଷୟରେ ସେ ସମ୍ପୂର୍ଣ୍ଣ ଅଜ୍ଞ।

ତେଣୁ ତା' ପ୍ରଶ୍ନର ଉତ୍ତର ନଦେଇ ମୁଁ ବର୍ତ୍ତମାନ ସ୍ଥିତିରେ ସ୍ୱାର୍ଥପର ହେଇଯିବା ଉଚିତ୍ ମନେ କଲି । ତାକୁ କଥା ବୁଲେଇ ଟିକିଏ ଫୁଲେଇ ହେଇ କହିଲି,... “ ରିଙ୍କୁ....., ମୋ ଘରତ ବାରମ୍ବାର ଭାଙ୍ଗି ଦେଉଛନ୍ତି । ମୁଁ ଏବେ କ’ଣ କରିବି ଯେ ?”

ରିଙ୍କୁ: ତତେ ତ ସେଇ ଦିନରୁ କହୁଛି, ମୋ ସହିତ ରହିଯା ବୋଲି ହେଲେ ତୁ କୋଉ ଶୁଣୁଚୁକି ମୋ କଥା ? ତୋର ଏକା ଜିଦ୍ ତୁ ଏକୁଟିଆ ରହିବୁ ।

ଛୋଟି: ତୁ କେତେବେଳେ ତୋ ଘରକୁ ନେଲୁ ଯେ ମୁଁ ମନାକଲି ?

ରିଙ୍କୁ ସଙ୍ଗେ ସଙ୍ଗେ ଉଠି ପଡ଼ି ମୋ ଲୁଗାପଟା, ବାସନକୁସନ ସବୁ ଗଣ୍ଠିଲି କରି ଧରି ମୋତେ କହିଲା ଚାଲ୍ ମୋ ସହିତ । ମୁଁ ଏବେ ନେବି ତତେ ମୋ ସହିତ ମୋ ଘରକୁ । ଚାଲ୍...

    ତା'ର ମୋର ଚାଲି ଆସିଲୁ ତା’ ଘରକୁ । ଘର ଭିତରଟା ଗୁହାଳ ଭଳି ଦେଖା ଯାଉଥିଲା । ଏତେ କିଛି ନଥିଲେ ବି ଆମେ ମାଗି ଯାଚି ଚଳିବା ଲୋକ ହିସାବରେ ବହୁତ୍ କିଛି ଥିଲା । ହେଲେ ରୋଷେଇ କରିବାକୁ କିଛି ବ୍ୟବସ୍ଥା ନଥିଲା । ମୋର ହାଣ୍ଡି କୁଣ୍ଡି ଆଉ ରୋଷେଇ ସାମଗ୍ରୀ ଆଦି ଥିଲା ହେଲେ ଚୁଲିଟା ତ ବନେଇବାକୁ ପଡ଼ିବ ବୋଲି ଚିନ୍ତା କରି ଜାଗା ନିରୂପଣ କଲି । ମୁଁ ଦୁଇ ବଖରା ଘରକୁ ସଜାଡ଼ିବାକୁ ଚେଷ୍ଟା କଲାବେଳେ ରିଙ୍କୁ ମୁଣ୍ଡରେ କିନ୍ତୁ ଅଲଗା କିଛି ଚାଲୁଥିଲା । ତା' ଦେହର କାମାଗ୍ନି ତା’ର କାମନାର ଲେଲିହାନ ଶିଖା ତେଜି ସାରିଥିଲା । ମୋତେ ପାଇବାର ଆଶା ଆଜି ତା’ର ଏମିତି ହଠାତ୍ ସଫଳ ହେଇଯିବ ସେ କେବେ ଭାବି ପାରି ନଥିଲା । ଖୁସିରେ ନାଚି ଯାଉଥାଏ ସେ । ରାତି ପାଖାପାଖି ଏଗାର ହେଲାଣି ହେଲେ ମୋର କାମ ସରୁନଥାଏ । ସେଇଥିରେ ସେ ମୋ ପଛେ ପଛେ ବୁଲୁଥାଏ ମୁଁ ଯୁଆଡ଼େ ଯାଉଥାଏ । ମୋ ଦେହରେ ଜାଣି ଜାଣି ଘଷି ହେଇ ଯାଉଥାଏ । ମୁଁ ଜାଣି ପାରିଲି ତା’ର ଉଦ୍ଦେଶ୍ୟ । ମୋର କୌଣସି ଆପତ୍ତି ନଥିଲା ଯେହେତୁ ମୁଁ ଜାଣି ଜାଣି ବାଘ ମୁହଁକୁ ଚାଲି ଆସିଥିଲି । ହେଲେ ଏମିତି ସଙ୍ଗେ ସଙ୍ଗେ ମୋତେ ଭାରି ଲାଜ ଲାଗୁଥାଏ । ସେ କି ଛାଡ଼ିବା ଜନ୍ତୁ ! ଘଣ୍ଟାଏ ଦି ଘଣ୍ଟା ମୋ ପଛେ ପଛେ ଦୌଡ଼ିବା ପରେ ଆସି ସିଧା ସାମ୍ନାରେ ଠିଆ ହେଇ ଯାଇଥିଲା ।

ଛୋଟି: ଏଇ.....ତୁ ଏବେ ପରା ଯାଇଥିଲୁ ମୀନା ପାଖକୁ । କାଇଁ ସେଇଠି ତୋ ମନ ଶାନ୍ତି ହେଲାନି କି ? ପୁଣି ମୋ ସହିତ କାଇଁ ଲାଗୁଚୁ ?

ରିଙ୍କୁ: ତୁ ସେଇ କଥାକୁ ଧରି ବସିଛୁ ? ଏଇ ଦେଖ୍ ମୋ ରାଣ ଖାଇ କହୁଚି ଆଉ କେବେ ଯିବିନି ତା ପାଖକୁ । ହେଲା.....ଏଥର ଖୁସି ତ ?

ମୁଁ ହସି ହସି ସହମତି ଜଣେଇଲି ତାକୁ । ସେ ସିଧା ଟେକି ନେଇ ମୋତେ ମସିଣା ଉପରେ ଥୋଇଦେଲା । ଲଣ୍ଠନର ଶିଖାକୁ ବାଁ ହାତରେ କମେଇ ଦେଇ ତେଜି ଚାଲିଲା ମୋ ଦେହର କାମାଗ୍ନିକୁ । ରିଙ୍କୁ ପାଖରେ ମୋର ପୁଞ୍ଜିଭୂତ ଯୌବନକୁ ସମର୍ପି ଦେଇ ବେସ୍ ଖୁସି ହେଇଥିଲି ସେଦିନ । ବାସ୍ ଏମିତିରେ ଏମିତିରେ ସେ ରାତି କଟି ଯାଇଥିଲା ଆମର । ଯୌବନର ଉପର ପାହାଚରେ ଠିଆ ହେଇ ମୁଣ୍ଡ ଟେକି ବାଟ ଚାଲିବାର ସ୍ଵପ୍ନ ଦେଖୁଥାଏ ମୁଁ । ନିଜର ହଜି ଯାଇଥିବା ଖୁସିକୁ ପୁଣି ଫେରିପାଇବାର ଦୁର୍ବାର ଚେଷ୍ଟାରେ ମୁଁ ଅତିକ୍ରମ କରିଥାଏ ପ୍ରଥମ ସୋପାନ ।

     ଦିନ ଯାଇ ରାତି ହୁଏ ପୁଣି ରାତି ଯାଇ ଦିନ ହୁଏ । ମୋର ସ୍ଵପ୍ନ, ଆକାଂକ୍ଷା ବି ବଢ଼ି ବଢ଼ି ଯାଏ ଦିନକୁ ଦିନ । ସମୟ ଚକରେ ପୁରୁଷ ନିଜର ରଙ୍ଗ ବଦଳାଏ । ନିଜଠୁ ଅଧିକ ଭଲ ପାଉଥିବା ରିଙ୍କୁର ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆସେ । ଭଲ ପାଇବାକୁ ପାଇଯିବା ପରେ ପୁରୁଷ ପାଖରେ ଆଉ, ସେ ଭଲପାଇବା ଦେଖା ଯାଏ ନାହିଁ । ଏଇଟା କୋଉ ନୂଆ କଥା ନୁହେଁ ହେଲେ ନାରୀ ମନରେ ଯେ ଏ ପରିବର୍ତ୍ତନ କେତେ ପ୍ରଭାବ ପକାଏ, ସେକଥା କେହି ପୁରୁଷ ବୁଝି ପାରେନା। ଦୁହେଁ ଦୁହିଁଙ୍କ ପାଖରେ ସମସ୍ତ ସମର୍ପି ଦେବା ପରେ ବୋଧେ ଆଉ କିଛି ଅଧିକ ନଥିଲା ଆମ ପାଖରେ ପରସ୍ପରକୁ ଦେବା ପାଇଁ । ସେଇଥି ପାଇଁ ପାଞ୍ଚ - ଛଅ ମାସର ମଉଜ ମସ୍ତି ପରେ ଆରମ୍ଭ ହୁଏ ପ୍ରକୃତ ସମସ୍ୟା । ଯାହାର କାରଣ ଥିଲା ଆମ ଦୁଇଜଣଙ୍କର ଅବିଶ୍ୱାସ, ଅଶିକ୍ଷା ଏବଂ ରିଙ୍କୁର କୁଶିକ୍ଷା ।

        ମୁଁ ଖଟେ, ରିଙ୍କୁ ବି ଖଟେ । ଆମେ ଦୁହେଁ ପରିଶ୍ରମ କରୁ ପ୍ରବଳ ହେଲେ ଅଭାବ ଲାଗି ରହିଲା ସବୁବେଳେ । ଯାହା ପଇସା ହୁଏ, ରିଙ୍କୁ ମଦ ପିଇ ଦିଏ ରାଜୁ ସହିତ ମିଶି । ରାଜୁ ବହୁତ୍ ଚାଲାକ୍ । ସେ କେବେ ନିଜ ପଇସାରେ ମଦ ପିଏନି। ସବୁବେଳେ ରିଙ୍କୁ ହିଁ ବଳି ପଡ଼ିଥାଏ ଖର୍ଚ୍ଚ ମାମଲାରେ । ପିଇକି ଘରକୁ ଆସେ । ଘରେ କଜିଆ କରେ । ମୁଁ ଖଟି ଖଟି ଆଣିଥିବା ପଇସା ତକ ବି ଲୁଚେଇ ନେଇ ପିଇ ଦିଏ । ଧିରେ ଧିରେ ବଢ଼ିବଢ଼ି ଚାଲେ ରିଙ୍କୁର ପିଇବା ଆଉ ମୋର କରଜ । ମୁଁ ଘର ମରାମତି କରିବାକୁ ସାତ ହଜାର ଟଙ୍କା ଧାର୍ ଆଣିଥିଲି ମୋ ମାଲିକ ପାଖରୁ । ଭାବିଥିଲି କାମ କରି ସୁଝିଦେବି । ହେଲେ ସରକାର ହୋଟେଲ ପାଖକୁ ପାଣି ପାଇପ୍ କନେକ୍ସନ୍ ସୁବିଧା କରି ଦେବାରୁ ସେମାନେ ଆଉ ମୋତେ ତାଙ୍କ ହୋଟେଲ୍ ରେ ପାଣି ଆଣି ଦେବାକୁ ମନା କଲେ । ତେଣୁ ବାଧ୍ୟ ହେଇ ଅନ୍ୟ ହୋଟେଲରେ ଅଇଁଠା ବାସନ ଧୋଇଲି । ହେଲେ ସେଥିରେ ବହୁତ୍ କମ୍ ପଇସା ମିଳୁଥିଲା ମୋତେ । ରିଙ୍କୁର ଏଭଳି ଚଳଣୀ ପାଇଁ ମୁଁ ଆଉ ସୁଝି ପାରୁ ନଥାଏ, ସେ ପଇସା ମୋ ପୁରୁଣା ମାଲିକକୁ । ତେଣୁ ମାଲିକ ମୋତେ ଯା ଇଚ୍ଛା ତା କରି ଗାଳିଦିଏ । ସେସବୁ ସହିବାକୁପଡ଼େ ମୋତେ । 

ଦିନେ ରିଙ୍କୁ ଛଡ଼େଇ ଛାଡେଇ ମୋ ପାଖରୁ ପଇସା ନେଉଥିଲା ମଦ ପିଇବାକୁ । ତା'କୁ ନେହୁରା ହେଇ ମୋ ଦୁଃଖ ଜଣେଇବାରୁ ସେ ସନ୍ଦେହ କଲା ମୋତେ । କହିଲା, “ତତେ ଏମିତି କିଏ ଏତେ ପଇସା ଧାର ଦେଇଦେଲା କହିଲୁ ? ତୋର ନିଶ୍ଚୟ ସେ ଲୋକ ସହିତ କିଛି ଖରାପ ସଂପର୍କ ଅଛି । ସେଇଥିପାଇଁ ସେ ତତେ ଏତେ ପଇସା ଦେଇ ଦେଲା । ଯାହା କରି ଏ ପଇସା ଆଣିଥିଲୁ ତା'ପାଖରୁ, ସେଇଆ କରି ସୁଝି ଦେ ତାକୁ” । କହି ଦେଇ ଚାଲିଗଲା ରିଙ୍କୁ ବାହାରକୁ । ସେଦିନ ରିଙ୍କୁ ଆଉ ଘରକୁ ଫେରି ନଥିଲା । ଏଇ କଥା ପଦକ ଏତେ କଷ୍ଟ ଦେଇଥିଲା ମୋତେ ଯେ ମୁଁ ରାତି ତମାମ୍ କାନ୍ଦିଲି । ମୋ ବାପା ମାଆଙ୍କୁ ଛାଡ଼ି ଆସିବା ପରେ ଏତେ କାନ୍ଦି ନଥିଲି କେବେ । ରାତିରେ ହିଁ ନିଷ୍ପତି ନେଲି, ଯେମିତି ହେଲେ ସକାଳୁ ସୁଝିଦେବି ମାଲିକର ପଇସା ।

ମୁଁ ଜାଣିଛି ମୀନା ପାଖରେ ଭଲ ପଇସା ଅଛି । ସେ ଚୋରା ମଦ ସହିତ ନିଜକୁ ବିକ୍ରିକରି ଭଲ ପଇସା ରଖିଛି । ଇଛା ନଥିଲେ ବି ଭଗବାନ ଗଧ ପାଦ ଧରିବା କଥା ଚିନ୍ତା କରି ଗଲି ତା ପାଖକୁ ସାହାଯ୍ୟ ଆଶାରେ । ହେଲେ ସେଠି ଯାଇ ଯାହା ଦେଖିଲି, ମୋ ପାଦ ତଳୁ ମାଟି ଖସିଗଲା । ରିଙ୍କୁ ଶୋଇଚି ତା ଖଟ ଉପରେ । ମୁଁ ଦେଖି ଦେଇ ଆଉ ସମ୍ଭାଳି ପାରିଲିନି ନିଜକୁ । ବଡ଼ ପାଟି କରି ମୀନାକୁ ବେଶ୍ୟା, ରାଣ୍ଡି କହି ଗାଳି ଦେଲି । ରିଙ୍କୁକୁ ବି ଅନେକ କଥା କହି ଗାଳି ଦେଲି । ଦୁଇ ଚାରି ଚାପୁଡ଼ା ବି ପକେଇଲି ତା ଗାଲରେ । ହେଲେ ସେ ମଦ ପିଇ ହୋସରେ ନଥିଲା । ଧରିନେଲା ମୋ ଚୁଟିକୁ । ମୋତେ ମୀନା ଆଉ ସିଏ ଧରିନେଇ ବହୁତ୍ ମାରିଲେ । ଖାଲି ସେତିକିରେ ତାଙ୍କ ନିର୍ଯାତନା ସରି ନଥିଲା । ରାଜୁ ଆସି ପହଞ୍ଚିବା ପରେ ତାଙ୍କ ଘରେ ଥିବା ମ୍ୟୁଜିକ୍ ସିଷ୍ଟମ୍ ର ସାଉଣ୍ଡ ବଢ଼େଇ ଦେଇ ଦୁହେଁ ମିଶି ମୋତେ ବଳାତ୍କାର କଲେ ବାରମ୍ବାର । ଏଥିରେ ତାଙ୍କୁ ସାହାଯ୍ୟ କଲା ମୋର ବାଲ୍ୟ ବାନ୍ଧବୀ ମୀନା । 

ରାଗରେ ମୁଁ ଜୋର ଜୋରରେ ପାଟି କରି ମୀନା ଆଉ ରିଙ୍କୁ ମଧ୍ୟରେ ଥିବା ପାପ ସମ୍ପର୍କ କଥା ରାଜୁ ଆଗରେ କହିଦେଲି । କିନ୍ତୁ ସେମାନେ ମୋର କୌଣସି କଥା ଶୁଣିବା ଅବସ୍ଥାରେ ନଥିଲେ । ବୋଧେ ରାଜୁ ବି ଜାଣିଥିଲା ତାଙ୍କ ସମ୍ପର୍କ ବିଷୟରେ ଆଗରୁ । ତେଣୁ ତାର କିଛି ଫରକ୍ ପଡିଲାନି ମୋ କଥାରେ । ସେମାନେ ସେମିତି ଅତ୍ୟାଚାର କରି ଚାଲିଲେ ମୋ ଉପରେ ।

 ଯନ୍ତ୍ରଣାରେ ଛଟପଟ୍ ହେଇ କେବଳ ପାଟିକରି କାନ୍ଦିବା ଛଡ଼ା ମୋର କିଛି ଉପାୟ ନଥିଲା । କିଛି ସମୟ ପରେ ମୁଁ ନୀରବ ହେଇ ଯାଇଥିଲି ସେଇ ଖଟ ଉପରେ ହେଲେ ସେମାନଙ୍କର ପାଶବିକତା’ର ଅନ୍ତ ହେଉ ନଥାଏ । ଜଣକ ପରେ ଆଉଜଣେ ଧର୍ଷଣ କରି ଚାଲିଥାନ୍ତି ମୋତେ । ମୋର ମନେ ପଡ଼ିଯାଉଥାଏ ମୋର ଛୋଟ ବେଳର ଘଟଣା । ଠିକ୍ ଏମିତି ଘଟଣାଟିଏ ମୋ ଜୀବନର ମୋଡ଼ ବଦଳେଇ ଦେଇଥିଲା । ଆଉ ଆଜିବି ସେମିତି । ଫରକ୍ କେବଳ ଏତିକି ସେ ଥିଲା ଯେ ସେ ଲୋକ ଥିଲା ଅଚିହ୍ନା ଆଉ ବର୍ତ୍ତମାନ ଏମାନଙ୍କ ସହିତ ମୋର ଦଶ ବର୍ଷର ସମ୍ପର୍କ।

ମୋ ଜୀବନର ଅଡ଼ୁଆ ସୂତାକୁ ସଜାଡ଼ିବାକୁ ଚେଷ୍ଟା କରିବା ବେଳେ ମେଞ୍ଚା ମେଞ୍ଚା ସୂତା ଆହୁରି ଅଡ଼ୁଆ ହେଇ ଯାଇଥିଲା । ଲାଗୁଥିଲା ଯେମିତି, ନିଜେ ବୁଣିଥିବା ବୁଢିଆଣୀ ଜାଲରେ ନିଜେ ଲାଖି ଯାଇ ମରଣ ସହିତ ସଂଗ୍ରାମ କରୁଛି ।

ମୀନା: ହେଇଲୋ...... ରା.*.,ତୋ ମନ ଶାନ୍ତି ହେଲା ନା ନାଇଁ ବା ? ନହେଲେ ଆହୁରି ଗରାଖ ଅଛନ୍ତି ମୋର ଡାକିବି ତାଙ୍କୁ ? ମୋତେ ସେଦିନ କହୁଥିଲୁ କଣ ? ମୁଁ ବେଶ୍ୟା.....କହ....କହ.... ଏବେ କିଏ ବେଶ୍ୟା ।

ମୁଁ ମୀନାର ଗୋଡ଼ ଧରି ହାତ ଯୋଡ଼ିଲି ମୋତେ ଛାଡ଼ି ଦେବା ପାଇଁ । ସେ ଆହୁରି ଖରାପ ଭାଷା କହି ଗୋଇଠା ମାରି ମୋତେ ସେଠାରୁ ଚାଲିଯିବା ପାଇଁ କହିଲା ।

ମୁଁ ତା ଘରୁ ବାହାରି ଆସିବା ସମୟରେ ରାଜୁ ମୀନାକୁ କହିଲା, “ଯାହା କହ ମୀନା ଏତେ ଦିନ ପରେ ତୁ ମୋ ମନ କଥା ବୁଝି ପାରିଲୁ । କହ କ’ଣ ନବୁ ? ଯା' କହିବୁ ଆଜି ମୁଁ ତତେ ସେଇଆ ଦେବି । ଆତ୍ମା ଶାନ୍ତି କରିଦେଲୁ ଆଜି ମୋର” ।

ମୀନା: ମୋର କିଛି ଦରକାର୍ ନାହିଁ । ଖାଲି ଯାଇକି ପୋଲିସରେ ଗୋଟେ FIR ଲେଖେଇ ଦେଇ ଯେ ରିଙ୍କୁ ମୋ ଘରେ ପଶି ମୋ ସ୍ତ୍ରୀକୁ ବଳାତ୍କାର କରିଛି ।

ରାଜୁ ମନେ ମନେ କହିହେଲା, ହେ....ଯା’ମ.....ତୋ ଭଳି ଗୋଟେ ଚରିତ୍ରହୀନା ପାଇଁ ମୁଁ କାଇଁ କାହା ସହିତ ଅପ୍ରିୟ ହେବି ? ତା’ ପରେ ପୋଲିସ କଥା ଉଠିଲେ ଏଇନା କେତେ କଥା ବାହାରିବ । ତୋ କଥାରେ କାଦୁଅକୁ ଯିବି କାହିଁକି ନା ଗୋଡ଼ ଧୋଇବି କାହିଁକି ?

        ଗଲାବେଳେ ମୀନା ଆଉ ରାଜୁର ଏକଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି ସତ ହେଲେ ପ୍ରତିକ୍ରିୟା କରିବାକୁ ମୋ ପାଖରେ ଆଉ କିଛି କାରଣ ନଥିଲା । ଜାଣିଥିଲି ଜୀବନଟା ମୋର ସଂଘର୍ଷମୟ ହେଲେ ବିଶ୍ଵାସରେ ବିଷ ଦେଇ ପୁଣି ଥରେ ମୋ ଜୀବନକୁ ଆଉକିଏ କଳୁଷିତ କରିଦେବ, ସେକଥା କେବେ ଭାବି ନଥିଲି । ମଣିଷ ଚିହ୍ନିବାରେ କରିଥିବା ଭୁଲ୍ ପାଇଁ ଏତେ ଅନୁତପ୍ତ ଥିଲି ଯେ, ମଣିଷ ଦେଖିଲେ ମୋତେ ଡର ଲାଗିଲା ।

ଚାଲି ଚାଲି ଯିବାବେଳେ ଦେହରୁ ମୋର ନିଗିଡ଼ି ପଡ଼ୁଥିବା ଧାର ଧାର ରକ୍ତ ମୋ ପାଦ ଦେଇ ଭୂମି ସ୍ପର୍ଶ କରି ମୋ ପାଇଁ ଆଙ୍କି ଦେଉଥିଲା ଲକ୍ଷ୍ମଣରେଖା । ରକ୍ତ ରଞ୍ଜିତ ଭିଜା ଶାଢ଼ୀ ମୋର ମୋତେ ବାର୍ ବାର୍ ଧିକ୍କାର କରି କହୁଥିଲା, ତୁ ଦୁର୍ବଳ, ତୁ ଜାରଜ,ତୁ ଗୋଟାଏ ଚରିତ୍ରହୀନା ବେଶ୍ୟା ।

ହେଲେ ଏତେ ଶୀଘ୍ର ହାରି ଯିବାକୁ ଆଦୌ ଇଚ୍ଛା ନଥିଲା । ଏସବୁ କଥାରେ ମୋର ବା ଦୋଷ କଣ ବିଶ୍ଳେଷଣ କରିବାକୁ ଲାଗିଲି । ଯେତେବେଳେ ଛୋଟିଆଟେ ହେଇଥିଲି ସେତେବେଳେ ମଧ୍ୟ ଏଭଳି ପରିସ୍ଥିତିର ସମ୍ମୁଖୀନ ହେଇଥିଲି । ଯଦି ସେତେବେଳ ହାରି ଯାଇନଥିଲି ତେବେ ଏବେ କାଇଁ ହାରିଯିବି ? ମନ ଭିତରେ ଉଠୁଥିବା ଢେଉ ମନରେ ମାରି ଦେଉଥିଲି । ପ୍ରତିଶୋଧ ନେବାକୁ ହୃଦୟ ମୋର ଯେମିତି ପ୍ରତିବଦ୍ଧ ହେଇ ଉଠୁଥିଲା । ହେଲେ ପ୍ରତିଶୋଧ ନେବି ଯଦି କହାଠୁ ନେବି ? କ’ଣ କେବଳ ରିଙ୍କୁ, ରାଜୁ କି ମୀନା ଦାୟୀ ମୋର ଏ ପରିସ୍ଥିତି ପାଇଁ ? ଆଉ କ’ଣ କେହି ଦାୟୀ ନୁହନ୍ତି ?

ଘଟି ଯାଇଥିବା କଦର୍ଯ୍ୟ ଘଟଣାକୁ ଭାବି ଭାବି ଯାଇ ନଦୀ ପାଖରେ ପହଞ୍ଚି ଯାଇଥିଲି । ବେକେ ପାଣିରେ ପଶି ବୁଡ଼ିଗଲି ନଦୀରେ ସମ୍ପୂର୍ଣ୍ଣ ଭାବରେ । ମନ ଭରି ଦେହକୁ ମାଜି ମୂଜି ସଫା କଲି । ବନ ମାଟି ଦେଇ ମୁଣ୍ଡ ଧୋଇଲି । ଲିଭେଇ ଦେଲି ଦେହରୁ କଳଙ୍କର ଚିହ୍ନ ଯେତେ । ଦିନ ଯାଇ ସଞ୍ଜ ହେଲା । ଜଣକ ଘରୁ ମାଗିଲି ଅଳତା, ଆଉ ପାଉଡର ଟିକିଏ । ପାଦରେ ଅଳତା, ମୁହଁରେ ପାଉଡର, ଆଉ ଓଠ ନାଲି କରିବାକୁ ସେଇ ଅଳତା ଲଗେଇ ସଜ ହେଲି । ମୋର ସିଧା ସିଧା କେଶକୁ ମୁକୁଳା କରି ବୁଲେଇ ପକେଇଲି ଛାତି ଉପରକୁ । ମୋ ଦେହର ରଙ୍ଗ ସଫା କରିବାରେ କୌଣସି କାର୍ପଣ୍ୟତା କରି ନଥିଲେ ଭଗବାନ । ସେଦିନ ସୁଢ଼ଳ ଶରୀରଟା ମୋର ରୂପାଜହ୍ନ ପରି ଚମକୁ ଥିଲା ।

ଛୋଟ ବେଳେ ଦେଖିଥିଲି, ପୋଲିସ୍ କ୍ୱାର୍ଟର ସାମ୍ନାରେ ଭଲ ଭଲ ଶାଢ଼ୀ, ଲୁଗା ସବୁ ଶୁଖି ଥାଏ । ସନ୍ଧ୍ୟା ହେଇ ଯାଇଥିଲେ ବି ସେ ଘର ଲୋକ ଲୁଗା ତୋଳିବାକୁ ଭୁଲି ଯାଇ ଥାନ୍ତି । ହେଲେ ସେତେବେଳେ ଏତେ ଅସୁବିଧା ଥାଇ ବି କେବେ ଭୁଲରେ ବି ହାତ ମାରିନଥିଲି । ଏବେ କିନ୍ତୁ ଯାଇ ଭଲ ଶାଢ଼ୀ ହଳେ ଲୁଚେଇ ନେଇ ଆସିଲି ଅନ୍ଧାର ଭିତରେ । ଧରା ପଡ଼ି ମାଡ଼ ଖାଇବାର ଭୟ କି ଲାଜ ଆଉ ମନରେ ନଥିଲା । ଜାଣି ଯାଇଥିଲି, ଦୁନିଆର ଯେତେବଡ଼ ଶକ୍ତି ହେଲେ ବି ଟଙ୍କା,କ୍ଷମତା, ଆଉ ନାରୀ ମାଂସ ପାଖରେ ହାର୍ ମାନେ । ଏଇ ତିନିଟା ଜିନିଷ ଭିତରୁ ଯେଉଁ ଗୋଟିଏ ତୁମ ପାଖରେ ଥିଲେ, ତୁମେ ଆଉ ଦୁଇଟି ସହଜରେ ହାସଲ କରି ପାରିବ । 

ଅନ୍ଧାର ହେଉ ହେଉ ନିଜକୁ ସମ୍ପୂର୍ଣ ଭାବରେ ସଜେଇ ବାହାରିଲି ମୁଁ କାମ କରୁଥିବା ହୋଟେଲ୍ ଆଡ଼େ । ଦିନଯାକ କିଛି ନଖାଇଥିବା ସତ୍ତ୍ଵେ, ଭୋକର କି ଦିନରେ ହେଇଥିବା ଅତ୍ୟାଚାରର କୌଣସି ଚିହ୍ନ ମୁହଁରେ ଫୁଟିବାକୁ ଦେଲିନି । ଭୟ ଲାଗୁଥିବା ମଣିଷ ମାନଙ୍କ ପାଖରୁ ପ୍ରତିଶୋଧ ନେବାର ଦୃଢ଼ ସଂକଳ୍ପ ମୋତେ ଶକ୍ତି ଦେଉଥିଲା ଏସବୁକୁ ଚାପି ରଖିବାକୁ ।

ହୋଟେଲ୍ ପାଖରେ ପହଞ୍ଚି ଦେଖିଲି ମାଲିକ ବସିଛି । ମୋତେ ଦେଖି ଟିକିଏ ଆଶ୍ଚର୍ଯ୍ୟ ହେଇ ଚାହିଁଲା । ମୋର ଏ ରୂପକୁ ସେ କେବେ ଦେଖି ନଥିଲା । ଯେତେବେଳେ ବି ଦେଖିଥିଲା ମୋର ଋଗ୍ଣ, ଦରିଦ୍ର ରୂପକୁ ଦେଖିଥିଲା । ହେଲେବି ସେଇ ଦରିଦ୍ର ରୁଗ୍ଣ ଶରୀର ଉପରେ ସେ ତାର ଲୋଲୁପା ଦ୍ରୁଷ୍ଟି ପକେଇବାରେ କେବେ କାର୍ପଣ୍ୟତା ଦେଖେଇନି । ଖାଲି ଯାହା ମୋର ନଇଁ ନଯିବା ଗୁଣ ଯୋଗୁଁ ଏ ନାରୀ ମାଂସ ଖିଅ ଦୁନିଆରେ ଯେମିତି ସେମିତି ବଞ୍ଚି ଯାଇଥିଲି।

ମାଲିକ: ଆଲୋ ଛୋଟି ତୋର ଏ କି ରୂପ ? ହଉ ଏତେ ଦିନ ହେଲା କୁଆଡେ଼ ଯାଇଥିଲୁ ?ମୋ ପଇସା ଆଣିଚୁଟି ? ନାଁ ଖାଲି ଖାଲି ଆଇଚୁ ?

ଉତ୍ତରରେ ମୁଁ କହିଲି ପଇସା ନାହିଁ ମୋ ପାଖରେ ହେଲେ ପଇସା ଛାଡ଼ି ଯାହା ମାଗିବ ମୁଁ ଦେଇ ପାରିବି ତୁମକୁ ବିନା ଦ୍ଵିଧାରେ ।

ମାଲିକ: ଯାହା ମାଗିବି ମାନେ ? ମୁଁ ଯାହା ମାଗିବି କ’ଣ ଦେଇ ଦବୁ ତୁ ! ତୋ ପାଖରେ କ’ଣ ଅଛି ଯେ ଦବୁ କହିଲୁ?

ଛୋଟି: ମୋ ପାଖରେ କ’ଣ ଅଛି ତୁମେ ନିଜେ ଦେଖୁନ । ନିଜେ କ’ଣ ଜାଣି ପାରୁନକି ଦେଖିକି କିଛି ? ପୁରୁଷ ହେଇଛଟି!

ଚୋରା ଇଶାରା ଚୋର ବୁଝିଯାଏ ସହଜରେ । ମାଲିକ ବି ବୁଝି ଯାଇଥିଲା ମୋ ଇଶାରା । କହିଲା ହଉ ରହ ଟିକିଏ ଆଉ ଟିକିଏ ଯାଉ ହୋଟେଲ୍ ବନ୍ଦ କରିଦେଇ ଯିବା । କିଛି ସମୟ ଅପେକ୍ଷା କରିବା ପରେ ଆମେ ଦୁହେଁ ବାହାରିଗଲୁ ମୋ ପାଇଁ ସଜା ହେଇଥିବା ଯନ୍ତ୍ରଣାର ବିଛଣା ଅଭିମୁଖେ । ଭୀଷଣ କଷ୍ଟକୁ ଆବୋରି ନେଇ ମୋର ସେ ରାତିଟିକୁ ହୋଟେଲ୍ ମାଲିକ ନା'ରେ କରିଦେଲି । ମାଲିକ ମୋ ଦେହର ନରମ ମାଂସକୁ ଆନନ୍ଦରେ ଉପଭୋଗ କରିବାବେଳେ ଆଖିବୁଜି ଚିନ୍ତା କଲି ଏଇ ମୋ ଜୀବନର ଶେଷ କଷ୍ଟ । ପ୍ରତିବଦ୍ଧା ହେଲି ଜୀବନରେ ଏଭଳି କଷ୍ଟ ଭୋଗିବା ଭଳି ପରିସ୍ଥିତି ଆଉ କେବେ ହେବାକୁ ଦେବିନି । ମୋ ଖୁସି ପାଇଁ ଯଦି ମଣିଷ ବି ମାରିବାକୁ ପଡ଼େ ତେବେ ସେ କାମ କରିବାକୁ ବି ପଛେଇବିନି । ମୋର ଚିନ୍ତାରେ ଆଉ ଯୋଜନା ଭିତରେ ରାତି ପାହିଥିବା ବେଳେ ମାଲିକ ମୋତେ ଝୁଣି ଖାଇବାରେ କୌଣସି ପ୍ରକାର ଅବହେଳା କରି ନଥିଲା । ନୂଆ ସକାଳ ମୋ ଚରିତ୍ରକୁ ସମ୍ପୂର୍ଣ୍ଣ ଭାବରେ ବଦଳେଇ ଦେଇଥିଲା । ହୋଟେଲ ମାଲିକ ଆଉ ମୁଁ ସାଙ୍ଗ ହେଇ ଯାଇଥିଲୁ ସେ ଜାଗାକୁ ସତ କିନ୍ତୁ ଫେରିବା ବେଳକୁ ମୁଁ ଏକୁଟିଆ ଫେରିଥିଲି । ରାତି ଯାଇ ସକାଳ ହେବା ପରେ ମାଲିକର ଶେଷ ସୁର୍ଯୋଦୟ ଉତ୍ସବ ପାଳନ କରି ମୁଁ ଲଭିଥିଲି ଅପୂର୍ବ ଆନନ୍ଦ । ଏ କାଣ୍ଡ ଭିଆଇବା ପରେ ମୁଁ ପୁଣି ଫେରି ଆସିଥିଲି ସେ ହୋଟେଲ୍ ପାଖକୁ ।

ମୁଁ ସେ ହୋଟେଲରେ କାମ କଲାବେଳେ ଯେଉଁ ରେଲୱେ ପୋଲିସ୍ ମୋ ସହିତ ଭାବ ଲଗାଇବାକୁ ଚେଷ୍ଟା କରିଥିଲେ, ସେତେବେଳେ ମୁଁ ତାଙ୍କ ଉଦ୍ଦେଶ୍ୟକୁ ବୁଝି ଅବୁଝା ହେଇଥିଲି । ଜାଣିଥିଲି ତାଙ୍କ ମୋ ଭିତରେ ଆକାଶ ପାତାଳ ଫରକ୍ । ହେଲେ ସେ ମୋତେ ଆକୃଷ୍ଟ କରିବାକୁ ଅନେକ ଚେଷ୍ଟା କରି ସେତେବେଳେ ବିଫଳ ହେଇଥିଲେ । ଦିନେ ସେ ମୋତେ ଇସାରା ଦେଇ ନିଜ ଫୋନ୍ ନମ୍ବର ହୋଟେଲ୍ ବାହାରେ ଥିବା ଗୋଟିଏ ବେଞ୍ଚ୍ ରେ ନିଜ ଗାଡ଼ି ଚାବିରେ ଗାରେଇ ଦେଇଥିଲେ । ମୁଁ ଦେଖିଥିଲି ଆଉ ମୋର ମନେବି ଥିଲା ସେ କଥା । ହେଲେ ସେତେବେଳେ ଏକଥାକୁ ଗୁରୁତ୍ଵ ଦେଇ ନଥିଲି । ପାଣିରେ ବୁଡ଼ିଯିବା ଲୋକ କୁଟା ଖିଅକୁବି ଆଶ୍ରା କରିବା ଭଳି ମୁଁ ସେ ନମ୍ବର ଟିକୁ ସେ ଜାଗାରୁ ଉଦ୍ଧାର କରି ଗୋଟିଏ ଲୋକ ପାଖରୁ ଫୋନ୍ ମାଗି ଫୋନ୍ କଲି । ତାଙ୍କୁ ନିଜର ପରିଚୟ ଦେଲି । ଭାରି ଭଲ ଲୋକ ସିଏ । ଚିହ୍ନିବାରେ ତିଳେ ହେଲେ ଡେରି କଲେନି । ଅଳ୍ପ ସମୟ ପରେ, ଗାଡ଼ି ନେଇ ଆସି ପହଁଚିଲେ ମୁଁ ଅପେକ୍ଷା କରିଥିବା ସ୍ଥାନରେ । ମୋତେ ଏ ବେଶରେ ଦେଖି ଟିକେ ଆଶ୍ଚର୍ଯ୍ୟ ହେଲେ । ତାଙ୍କର ଆଶ୍ଚର୍ଯ୍ୟ ହେବା ସ୍ଵାଭାବିକ କଥା । କାରଣ ସେଦିନର ଛୋଟି ଆଉ ଆଜିର ଛୋଟି ଭିତରେ ଥିଲା ଆକାଶ ପାତାଳ ଫରକ୍ । ଗୋଟିଏ କାମବାଲୀ ବେଶରୁ ବର୍ତ୍ତମାନ ମୁଁ ଗୋଟିଏ ନବବଧୂ ବେଶ ନେଇ ଉପସ୍ଥିତ ହେଇଥିଲି ତାଙ୍କ ସାମ୍ନାରେ । ତାଙ୍କ ମୁହଁକୁ ଦେଖିଲେ ଜଣା ପଡୁଥିଲା ସେ ବହୁତ୍ ଖୁସି ଥିଲେ । ହେଲେ ମୁଁ ଖୁସି ନଥିଲି ଆଦୌ । ଆମେ ଦୁହେଁ ଦୁହିଁଙ୍କୁ ପରିଚିତ କରିଥିଲୁ ଅଳ୍ପରେ । ମୁଁ ମୋର ଭଲ ନା ବିସ୍ମୋୟୀ କହିଥିଲି ଆଉ ସେ ତାଙ୍କ ନା ସେ ରଞ୍ଜନ ବୋଲି କହିଥିଲେ ହେଲେ ନିଜର ସାଜ୍ଞା ଜାଣି ନାହାନ୍ତି ବୋଲି କହିଲେ । ମୋତେ ବି ଟିକିଏ ଆଶ୍ଚର୍ଯ୍ୟ ଲାଗିଲା ଏକଥା । ମୋତେ ତାଙ୍କ ବିଷୟରେ ଜାଣିବାକୁ ଇଚ୍ଛାହେଲା ହେଲେ ସେ ମୋ ବିଷୟରେ ଜାଣିବାକୁ ଅଧିକ ଆଗ୍ରହ ଦେଖେଇବାରୁ, ମୁଁ ତାଙ୍କୁ କହିଲି ଅନେକ କଥା ଅଛି ତେଣୁ ଏଇଠି ଏମିତି ରାସ୍ତା ମଝିରେ ସେସବୁ କହିହେବ ନାହିଁ । ଜିଜ୍ଞାସୁ ରଞ୍ଜନ ମୋତେ ତାଙ୍କ ସାଙ୍ଗରେ ଯିବାକୁ କହିଥିଲେ ତାଙ୍କ କ୍ୱାର୍ଟରକୁ । ଆମେ ଦୁହେଁ ସାଙ୍ଗ ହେଇ ତାଙ୍କ ବାଇକ୍ ରେ ଗଲୁ ତାଙ୍କ କ୍ୱାର୍ଟରକୁ ।

ତାଙ୍କ କ୍ୱାର୍ଟରରେ ପହଞ୍ଚିବା ପରେ ସେ ମୋତେ ଗାଧୁଆ ପାଧୁଆ କରି ଫ୍ରେସ୍ ହେଇଯିବ ପାଇଁ କହିଲେ । ହେଲେ ମୁଁ ଅନ୍ୟ ମନସ୍କ ଭାବରେ ରାତିରେ ଦେହଟାକୁ ବିକ୍ରି କରି ଦେଇ ସାରିବା ପରେ ମଣିଷ ମାରିଥିବା ହାତକୁ ଯେ କ’ଣ ଦେଇ ସଫା କରିବି ଚିନ୍ତା କରୁକରୁ, ରଞ୍ଜନ ମୋତେ ତାଙ୍କ ବାଥରୁମ୍ ଦେଖେଇଲେ । ଜୀବନରେ କେବେ ଭଲ ଘର ସୁଖ ପାଇ ନଥିବା ବେଳେ ହଠାତ୍ ଏତେ ସୁବିଧା ସୁଯୋଗ ଦେଖି ଆତ୍ମ ବିଭୋର୍ ହେଇ ଯାଇଥିଲି । ମନେ ମନେ ଚିନ୍ତା କରି ନେଇଥିଲି ଏଇ ଜାଗାରୁ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବି ଆଉ ମୋ ଜୀବନର ଯାହା ସବୁ ଲକ୍ଷ୍ୟ ରହିଛି, ସେସବୁକୁ ପୁରା କରିବି । 

ମୋର ପ୍ରଥମ ଲକ୍ଷ ଥିଲା ମୋ ବିଶ୍ୱାସ ପ୍ରତି ହେଇଥିବା ଅତ୍ୟାଚାରର ପ୍ରତିଶୋଧ ନେବି । 

ଗାଧୁଆ ଘରେ ପଶି ସାୱାର ଲଗେଇ ଦେଇ ବସି ପଡ଼ିଲି ତା ତଳେ ନିବସ୍ତ୍ରା ହେଇ । ତା' ଭିତରେ ଥିବା ଆଇନାରେ ନିଜକୁ ଦେଖିଲି ବାରମ୍ବାର କରି । ଦେଖିଲି, ସମୟ ମୋତେ ଆଣି ଯୌବନର ଏକ ସୁନ୍ଦର ପାହାଚରେ ଠିଆ କରେଇ ଦେଇଛି । ନିଜ ସୁଢ଼ଳ ଚେହେରାକୁ ଆଇନାରେ ଦେଖି ନିଜକୁ ବି ଲୋଭ ହେଉଥାଏ ତେଣୁ ପୁରୁଷ ଯେ କେମିତି ବାଟବଣା ନହେବ ? । ମୋ ପାଖରେ ନା ଥିଲା ଶିକ୍ଷା ନା ଥିଲା କୌଣସି ଆଶ୍ରା । ଥିଲାତ କେବଳ ଏଇ ଗୋରା ଯୌବନଭରା ଦେହଟା । ସେଇଆକୁ ନିଜର ଅସ୍ତ୍ର କରି ଜୀବନ ଜିଁବାକୁ ଅଣ୍ଟା ଭିଡ଼ିଲି । 

ବାଥରୁମ୍ ଖୋଲି ଆସିଲା ବେଳକୁ ବାହାରେ କଣ ସବୁ ହାତରେ ଧରି ଅପେକ୍ଷା କରିଥିବା ରଞ୍ଜନ ମୋର ଭିଜା ଦେହଟାକୁ ଦେଖି ଗୋଟିଏ ପ୍ରକାର ଆଖିଖୋଲି ରହିଗଲେ କିଛି ସମୟ ପାଇଁ । ଯାହା ଯେମିତି ଚାହୁଁଥିଲି, ଠିକ୍ ଠିକ୍ ସେମିତି ଘଟି ଚାଲିଥିଲା ମୋ ଯୋଜନା ମୁତାବିକ । ଯୋଜନାର ଆଉ ଗୋଟିଏ ପାହାଚ ଅତିକ୍ରମ କରି ମୁଁ ଗୋଟିଏ ଥାଳିରେ ବାଢ଼ିଲି ରଞ୍ଜନ ଆଣିଥିବା ଜଳଖିଆକୁ । ସେ ଆଉ ମୁଁ ସାଙ୍ଗ ହେଇ ଖାଇଲୁ ଗୋଟିଏ ଥାଳିରେ । ଖାଇ ସାରିବା ପରେ, ଆମେ ଦୁହେଁ ବସିଗଲୁ ତାଙ୍କ ଖଟ ଉପରେ ଦୁହେଁ ଦୁହିଁଙ୍କୁ ଅଧିକ ଜାଣିବା ଆଶାରେ ।

ମୁଁ କହିଲି ଚୁମ୍ବକରେ ଏଯାବତ ହେଇଥିବା ମୋ ଜୀବନର ଘଟଣା ଦୁର୍ଘଟଣା ସବୁକୁ, କେବଳ ହୋଟେଲ୍ ମାଲିକ ସହିତ ଘଟିଥିବା ଘଟଣାକୁ ଛାଡ଼ି ଦେଇ। କାରଣ, ଦରକାର ପଡ଼ିଲେ କେବଳ ସେଇ ଘଟଣାଟି ମୋ ହାତ ପାହାନ୍ତାର ସୁଖକୁ ଛଡ଼େଇ ନେବାର ସମ୍ଭାବନା ଥିଲା । ଯାହା ମୁଁ ଆଦୌ ଚାହୁଁ ନଥିଲି । ସେ ମୋ କଥା ଶୁଣି ଟିକିଏ ନୀରବ ରହିଲେ ହେଲେ ଘୃଣାର କୌଣସି ଚିତ୍ର ତାଙ୍କ ମୁହଁରେ ଦେଖିବାକୁ ମିଳି ନଥିଲା । ପ୍ରକୃତରେ ସେ ଜଣେ ହୃଦୟବାନ ମଣିଷ ଥିଲେ । ହସି ହସି କହିଲେ , ତୁମ କାହାଣୀ ଆଉ ମୋ କାହାଣୀ ଭିତରେ ଅଧିକ କିଛି ଫରକ୍ ନାହିଁ । ଖାଲି ଏତିକି ଯେ ମୋତେ ଉଚିତ୍ ସମୟରେ କେହିଜଣେ ଠିକ୍ ମାର୍ଗ ଦେଖେଇ ସମାଜର ମୁଖ୍ୟ ସ୍ରୋତକୁ ଫେରେଇ ଆଣିଛି । ମୁଁ ପଚାରିଲି କେମିତି ? ରଞ୍ଜନ କହି ଚାଲିଲେ ତାଙ୍କ ଜୀବନରେ ଘଟି ଯାଇଥିବା କାହାଣୀ ।

ମୁଁ ବି ତୁମ ଭଳି ପିତୃ ମାତୃ ହରା ବେସାହାରା ମଣିଷ ଟିଏ । ବାପା ଯେହେତୁ ଗୋଟିଏ ଛୋଟ ଜାତିର ଝିଅକୁ ସ୍ତ୍ରୀ ରୂପରେ ଗ୍ରହଣ କରିଥିଲେ ତେଣୁ ତାଙ୍କ ବାପା ତାଙ୍କୁ ତେଜ୍ୟପୁତ୍ର କରିଥିଲେ । ସେ ଯାହା ହେଉ ମୁଁ ଜନ୍ମ ହେବା ପରେ ମୁଁ ଯେତିକି ଦେଖିଚି, ଘରେ ଆମର ଅଭାବ ଥିଲେ ସୁଦ୍ଧା ବାବା ଆଉ ମାମା ଭିତରେ ଭଲପାଇବା ଥିଲା ଅନେକ । ମୋତେ ଦୁଇଜଣ ନିଜ ଜୀବନଠୁ ବି ଅଧିକ ଭଲ ପାଉ ଥିଲେ । ହେଲେ କ'ଣ ହେଲା କେଜାଣି, କେଜାଣି କୋଉ କଥାକୁ ନେଇ ଆମ ଘରେ କଳି ଆରମ୍ଭ ହେଲା । ବାବା ମୋତେ ଆଉ ଭଲ ପାଇଲେନି ଆଗ ଭଳି । ମୋ ମାମାକୁ ସବୁବେଳେ ମାରଧର କଲେ । ଆମ ଘରକୁ ଆସୁଥିବା ବାବାଙ୍କର ଜଣେ ସାଙ୍ଗ ଆସି ସମାଧାନ କରିବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ବାବା ଅନେକ ଗାଳି ଦେଇ ଘରୁ ବିଦା କରିଦେଲେ । ମୁଁ ଏକଦମ୍ ଛୋଟିଆ ଟିଏ ହେଇଥାଏ, ବୁଝି ପାରେନି କିଏ କ’ଣ କହୁଚି । ସବୁବେଳେ ଖାଲି ଡରିଡରି ରୁହେ ଘର ଭିତରେ । ଦିନେ ସଂଧ୍ୟାବେଳେ ବାବା ନଥିବା ସମୟରେ ବାବାଙ୍କର ସେଇ ସାଙ୍ଗ ଆସି ଆମ ମାଆ ପୁଅଙ୍କୁ ନେଇଗଲେ ସାଙ୍ଗରେ । ଆମେ ଯାଇ ରହିଥିଲୁ ସହରଠୁ ବହୁଦୂର ଆଉ ଗୋଟିଏ ସହରରେ । ଏଥର ଆଉ ପାଟି ତୁଣ୍ଡ ହେଉ ନଥିଲା ଘରେ । ଆମେ ମାଆ ପୁଅ ସେଇ ଅଙ୍କଲଙ୍କ ପାଖରୁ ରହିବାକୁ ଲାଗିଲୁ । ମାମା ମୋତେ ସେ ଅଙ୍କଲଙ୍କୁ ବାବା ବୋଲି ଡାକିବାକୁ କହିଲେ ହେଲେ ମୁଁ ଆଦୌ ଡାକି ନଥିଲି ତାଙ୍କୁ ବାବା ବୋଲି । ମୁଁ ମୋ ବାବାଙ୍କୁ ଖୋଜୁଥିଲି ମନେ ମନେ ଅନେକ । ସେ ଅଙ୍କଲ ମୋତେ ଏତେ ଭଲ ପାଉନଥିଲେ ମୋ ବାବାଙ୍କ ପରି । ହେଲେ ମୁଁ ଜାଣି ନଥିଲି ମୋ ବାବାଙ୍କ ପାଖକୁ ଯାଇହେବ କେମେତି । ମୁଁ ଜାଣିଥିଲି ମୋ ବାବା ମୋତେ ଆଜିବି ସେତିକି ଭଲ ପାଉଛନ୍ତି ହେଲେ ମୋ ମାଆ ଉପରେ ରାଗି ମୋ ସହିତ କଥା ହେଉ ନାହାନ୍ତି ।

ନୂଆ ସହରରେ ନୂଆ ସ୍କୁଲରେ ମୋର ନା ଲେଖା ହେଇଥାଏ । ଦିନକର ଘଟଣା ମୁଁ ସ୍କୁଲ ଗଲାବେଳେ ଦେଖିଲି ମୋ ବାବା ଠିଆ ହେଇଥିଲେ ଆମ ସ୍କୁଲ ସାମ୍ନାରେ । ମୁଁ ତାଙ୍କ ପାଖକୁ ଧାଇଁ ଗଲି । ସେ ମୋତେ ଦୁଇ ହାତରେ ଟେକି ନେଇ ଗେଲ କଲେ ବହୁତ୍ । ମୋତେ ମୁଁ କୋଉଠି ରହୁଚି ବୋଲି ପଚାରିବାରୁ ମୁଁ ତାଙ୍କୁ ଘର ଦେଖେଇ ଦେବି ବୋଲି କହି ଆମ ଘରକୁ ନେଇ ଗଲି । ମୋ ମାଆ ଆଉ ସେ ଅଙ୍କଲ ସଜବାଜ ହେଇ ବାହାରିଥିଲେ କୁଆଡେ଼ ଯିବାକୁ ଗାଡ଼ି ନେଇ । ସେମାନେ ଠିକ୍ ଗାଡ଼ି ଷ୍ଟାର୍ଟ କରିବାକୁ ଆମେ ଯାଇ ପହଞ୍ଚିଲୁ । ସେ ଅଙ୍କଲ୍ ମୋ ବାବା ଆଉ ମୋତେ ଏକାଠି ଦେଖି ଶୀଘ୍ରଶୀଘ୍ର ମୋ ମାଆକୁ ବସିବାକୁ କହି ଜୋରରେ ଗାଡ଼ି ନେଇ ଚାଲିଗଲେ । ମୋ ମାଆ ମୋତେ ଦେଖୁଥାଏ ମୋ ଦୃଷ୍ଟି ଦିଗବଳୟରେ ହଜିଯିବା ପର୍ଯ୍ୟନ୍ତ । ମୁଁ ଆଉ ବାବା ଚାଲି ଆସିଲୁ ଆମ ପୁରୁଣା ଘରକୁ।

ରଞ୍ଜନ କହି ଚାଲିଥିଲେ, ବାବା ମୋର ଖୁବ୍ ଯତ୍ନ ନିଅନ୍ତି । ମୋର ଗାଧୁଆ ଠାରୁ ଶୋଇବା ପର୍ଯ୍ୟନ୍ତ ସବୁ କାମ ନିଜ ହାତରେ କରନ୍ତି । ହେଲେ ଅଳ୍ପ କିଛିଦିନ ଯିବା ପରେ ମୋତେ ଦିନେ ଥଣ୍ଡା ଜର ବହୁତ୍ ଜୋରରେ ହେଲା । ରାତିରେ ମୁଁ ମାଆ ମାଆ ଡାକି ବହୁତ୍ କାନ୍ଦିଲି । ବାବା ବି ମୋ ସହିତ ଅନେକ କାନ୍ଦିଲେ । ସକାଳ ହେଲା, ମୋ ଜର ବି କମିଯାଇଥିଲ । ବାବା ଆଉ ମୁଁ ଚାଲିଲୁ ମାଆଙ୍କ ପାଖକୁ । ହେଲେ ସେ ଜାଗାକୁ ଯାଇ ମାକୁ ଆଉ ପାଇଲୁନି । ପାଖ ଲୋକ କହିଲେ ମାଆ କୁଆଡେ଼ ଚାଲି ଯାଇଛି ଆଉ କାହା ସହିତ । ସେ ଅଙ୍କଲ ଦେଖା ହେଲେ । ବାବା ତାଙ୍କୁ ବହୁତ୍ ମାରିଲେ ହେଲେ ସେ ବାବାଙ୍କୁ ପାଟି ବି ଫିଟେଇଲେନି । ବାବାଙ୍କ ଗୋଡ଼ ଧରି ଅନେକ ଭୁଲ୍ ମାଗିଲେ । ଆମେ ବାପପୁଅ ସେ ଜାଗାରୁ ଚାଲି ଆସିଲୁ ଅକର୍ତ୍ତବ୍ୟ ହେଇ ।

    ବାବା କାମକୁ ଯାଆନ୍ତି , ମୋ କଥା ବି ବୁଝନ୍ତି । ବହୁତ୍ କଷ୍ଟ କରନ୍ତି ସେ ମୋ ପାଇଁ । ଦିନେ ମୋ ପାଇଁ ଗୋଟିଏ ନୂଆ ମାଆ ନେଇ ଆସିଲେ ଘରକୁ । ମୋତେ କହିଲେ ତାଙ୍କୁ ମାଆ ଡାକିବାକୁ । ମୁଁଟିକିଏ ଖୁସି ହେଇ ଯାଇଥିଲି ନୂଆ ମାଙ୍କୁ ଦେଖି ହେଲେ ନୂଆ ମାଆ ଆସିବାର ପ୍ରଥମ ଦିନ ହିଁ ଆମ ଘରେ ଝଗଡ଼ା ହେଇଥିଲା ରାତିରେ । ମୁଁ ଶୋଇଥିଲି ହେଲେ ଝଗଡ଼ାରେ ମୋ ନିଦ ଭାଙ୍ଗିଗଲା । ଚୁପ୍ ଚାପ୍ ଶୋଇ ଶୋଇ ଶୁଣୁଥାଏ ମୁଁ ତାଙ୍କ କଥା ସବୁ ।

ବାବା: ଓହୋ ତୁମେ ଟିକିଏ ଧୀରେ ପାଟି କର । ପିଲାଟା ଉଠି ପଡ଼ିବ ।

ନୂଆ ମା: ଉଠୁମ.....ଉଠିଲେ ମୁଁ କ’ଣ କରିବି ? ତାକୁ ଯାଇ କ୍ଷୀର ଦେଇ ଶୁଏଇବି ନା କ'ଣ ?

ବାବା: ଆରେ ତୁମେ ଏମିତି କ’ଣ କହୁଚ ? ମୁଁ କ’ଣ ସେକଥା କହିଲି କି ?


ନୂଆ ମା: ତୁମେ ଆଉ କିଛି କୁହନି । ମୋତେ କହିଲ ପୁଅ ବଡ଼ ହେଇ ଗଲାଣି ତାକୁ ହଷ୍ଟେଲରେ ଛାଡ଼ିଦେବା ବୋଲି । ହେଲେ ଇଏତ ଏଡିକି ଛୋଟିଆ ଛୁଆଟିଏ, ତାକୁ ନେଇ କୋଉ ହଷ୍ଟେଲରେ ଛାଡ଼ିବ ଯେ କିଏ ରଖିବ ?

ବାବା: ଓହୋ ଆଉ ବର୍ଷେ ଦୁଇ ବର୍ଷ ଯାଉ ,ତାକୁ ନିଶ୍ଚୟ ମୁଁ ନେଇ ହଷ୍ଟେଲରେ ଛାଡ଼ି ଦେଇ ଆସିବି ।

ନୂଆ ମା: ନା.....ନା ..... ତୁମେ କହିଲ ଯେ ଇଏ ତୁମର ନିଜ ଛୁଆ ନୁହେଁ । ତୁମ ସ୍ତ୍ରୀ ଆଉ କାହା ସହିତ ସମ୍ପର୍କ ରଖି ଏ ଛୁଆକୁ ଜନ୍ମ ଦେଇଛି । ଯଦି ଏକଥା ସତ, ତେବେ ତୁମର ଏ ଜାରଜ ଛୁଆଟା ପାଇଁ କାଇଁ ଏତେ ପ୍ରେମ ଉଛୁଳୁଛି କହିବକି ?

ବାବା: ଓହୋ ସେସବୁ ଏବେ କଥା ହେବାର ସମୟ ନୁହେଁ । ଆଜି ପରା ଆମର ପ୍ରଥମ ରାତି ! ତୁମେ କାଇଁ ମୋ ଉପରେ ଏମିତି ଗରଗର ହଉଚ କହିଲ ? ଏଇ ଦେଖ ତୁମ ପାଇଁ କ'ଣ ଆଣିଚି ........

ବାବା କୌଣସି ପ୍ରକାରେ ନୁଆ ମାଆକୁ ବୁଝେଇ ଦେଲେ ସେଦିନ । ବାବା ଆଣିଥିବା ଜିନିଷକୁ ଦେଖି ନୂଆ ମାଆଙ୍କର ଖୁସି କହିଲେ ନସରେ । ଖୁବ୍ ହସିଥିଲେ ସେ, ସେ ରାତିରେ । ବୋଧେ ରାତିଯାକ । ହେଲେ ମୋତେ ମୋ ନିଜ ମାଆ କଥା ମନେ ପଡୁଥାଏ । କାନ୍ଦ ମାଡ଼ିବାରୁ ଧିରେ ଧିରେ କାନ୍ଦିଲି କେହି ନଶୁଣି ପାରିବା ଭଳି ।

କିଛି ଦିନ ଏମିତି ଗଲା । ମୁଁ ମୋ ନିଜ କାମ କରେ । ମୋ କାମ କେହି କରନ୍ତିନି ଆଉ । ହାତରେ ଖାଏ, ନିଜେ ନିଜ ଲୁଗା ସଫା କରେ, ନିଜ ବହିପତ୍ର ନିଜେ ସଜେଇ ରଖେ, ନିଜେ ପାଠ ପଢ଼େ । ମାଆ ଏତେ କଥା ହୁଅନ୍ତିନି ମୋ ସହିତ । କେବଳ କିଛି ଯଦି ଆଣିବାକୁ ପଡ଼େ , ସେତିକିବେଳେ ଯାଇଁ ସେ ପଇସା ଦେଇ ପଠାନ୍ତି ଦୋକାନକୁ । ମୁଁ ଖୁବ ଆଗ୍ରହର ସହିତ ସବୁ ବୋଲ କରେ ମାଙ୍କର । ଦିନେ ମୋତେ ପଇସା ଦେଇ ପଠେଇଥିଲେ ବଜାରକୁ । ମୁଁ ଜିନିଷ ଆଣି ବାକି ପଇସା ଆଣିବାକୁ ଭୁଲି ଯାଇଥିଲି । ଛୋଟ ପିଲାଟିଏ ମୁଁ । ହିସାବ ଜାଣି ପାରିଲିନି । ଘରକୁ ଆସିବା ପରେ ମାଆ ମୋତେ ବାକି ପଇସା ମାଗିଲେ । ମୁଁ ଦେଇ ନପାରିବାରୁ ମୋତେ ବହୁତ୍ ମାରିଲେ । କହିଲେ କ’ଣ କିଣିକି ଖାଇ ଦେଇଚୁ ଭିକାରୀ ଛୁଆ । ଏମିତି ଅନେକ କଥା କହି ଗାଳି ଦେଲେ । ସେଦିନ ମୁଁ କାନ୍ଦି କାନ୍ଦି ଶୋଇ ପଡ଼ିଲି କିଛି ନଖାଇ । ବାପା ଆସିଲା ବେଳକୁ ରାତି । ପେଟେ ମଦ ପିଇ ଆସିଥିଲେ । ନୂଆ ମା ତାଙ୍କୁ କ’ଣ କହିଲେ କେଜାଣି, ମୋତେ ନିଦରୁ ଉଠେଇ ଆହୁରି ମାରିଲେ ବହୁତ୍ । ଘରୁ ତଡ଼ି ଦେଇ କବାଟ ଦେଇ ଦେଲେ । 

ମୁଁ ରାତି ଯାକ ବାହାରେ ରହି ବର୍ଷାରେ ଭିଜୁ ଥାଏ । କେହି ଭଲ ନୁହନ୍ତି, କେହି ନିଜର ନୁହନ୍ତି ଏଇ ଅଭିମାନକୁ ଗଣ୍ଠି କରି ଚିନ୍ତା କଲି ସମସ୍ତଙ୍କୁ ଛାଡ଼ି ଦେଇ ଚାଲିଯିବି ବାହାରକୁ କୁଆଡେ଼ । ଯେମିତି ଯେତେ ଖୋଜିଲେ ବି ପାଇବେନି କେହି ମୋତେ ଆଉ । ଭାରି କଷ୍ଟ ହେଲା ମୋତେ ସେଦିନ । ବାପା ମୋତେ ଭାରି ଭଲ ପାଆନ୍ତି । ଭଲ ପାଉଥିବା ମଣିଷ ଯେତେବେଳେ ଏମିତି କରେ ସେତେବେଳେ ବହୁତ୍ କଷ୍ଟ ହୁଏ ।

ଆମ ଘର ପାଖରେ ବସ୍ ଷ୍ଟାଣ୍ଡ । ବସ୍ ପଛ ପଟ ସିଡ଼ିରେ ଯାଇ ବସ୍ ଛାତ ଉପରେ ଶୋଇ ପଡ଼ିଲି ଚୁପ୍ ଚାପ୍ । ବସ୍ ଚାଲିଲା ତା’ର ଗନ୍ତବ୍ୟ ପଥକୁ ଆଉ ତା ସହିତ ମୁଁ । ସେ ତା ଗନ୍ତବ୍ୟ ପଥରେ ପହଞ୍ଚି ରହିଗଲା । ସେଠୁ ଓହ୍ଲେଇ ପୁଣି ଯାଇ ବସିଲି ଟ୍ରେନରେ । ଟ୍ରେନ ଯାଇ ଲାଗିଲା ଗୋଟିଏ ଜାଗାରେ । ମୁଁ ସେଇଠି ଓହ୍ଲେଇ ପଡ଼ିଲି । ମୁଁ ପଢ଼ିବା ଶିଖିଥିଲି ତେଣୁ ଓହ୍ଲେଇ ଜାଣିଲି ସେଇଟା କଟକ ଷ୍ଟେସନ । ଦେଖିଲି ସେଇଠି ମୋ ଭଳି ଅନେକ ପିଲା ଅଛନ୍ତି । ତାଙ୍କ ସହିତ ମିଶି ବଞ୍ଚିବାକୁ ଚେଷ୍ଟା କଲି । ଭୁଲିଗଲି ସମ୍ପୂର୍ଣ୍ଣ ଭାବରେ ମୋ ବାପା ମାଆଙ୍କୁ । ହେଲେ ଦିନେ କିଛି ଲୋକ ଆସି ନେଇଗଲେ ମୋତେ ଜବରଦସ୍ତି । ମୋ ସାଙ୍ଗ ସାଥୀ ସମସ୍ତେ ଲୁଚିଗଲେ ଯିଏ ଯୋଉଠି ହେଲେ ମୁଁ ଦୂର୍ବଳିଆ ଟିଏ ଧାଇଁ ପାରିଲିନି । ଧରା ପଡ଼ିଗଲି ତାଙ୍କ ହାତରେ, ଯେତେ ତାଙ୍କ ପାଖରୁ ମୁକୁଳିବାକୁ ଚେଷ୍ଟା କଲି, ହେଇ ପାରିଲାନି । ହେଲେ ସେ ଘଟଣା ଥିଲା ମୋ ଜୀବନର ଏକ ଶୁଭ ମୂହୁର୍ତ୍ତ । ସେମାନେ ମୋତେ ନେଇ ବାଳାଶ୍ରମରେ ରଖି ସ୍କୁଲରେ ମୋ ନାଁ ଲେଖେଇଲେ । ମୋର ସମସ୍ତ ସୁବିଧା ଅସୁବିଧା କଥା ବୁଝିଲେ । ମୋତେ ଆତ୍ମନିର୍ଭରଶୀଳ ହେବା ସିଖେଇଲେ । ଆଜି ଯାହା ଦେଖୁଛ ସବୁ ତାଙ୍କରି ପାଇଁ । ମୁଁ ପାଠ ପଢ଼ି ମଣିଷ ହେଇ ପାରିଚି କେବଳ ସେଇ ମାନଙ୍କ ପାଇଁ ।

ଛୋଟି: ଆଚ୍ଛା ବାବୁ, ତୁମର ସେ ସାଙ୍ଗ ମାନେ, ତୁମକୁ ଟିଆଁ ବୋଲି ଡାକୁଥିଲେ କି ?

ରଞ୍ଜନ ନିଜ ଅତୀତର ସ୍ମୃତିକୁ ବସି କିଛି ସମୟ ଘାଣ୍ଟିବା ପରେ କହିଲେ , ଆରେ.......! ହଁ ତ ହେଲେ ତୁମେ କେମିତି ଜାଣିଲ ଯେ ?

ଛୋଟି: ମୋତେ ଜାଣି ପାରୁନ ? ମୁଁ ଛୋଟି । ତୁମ ସହିତ ଖେଳୁଥିଲି ବୁଲୁଥିଲି । ତୁମେ, ମୁଁ , ମୀନା,ଆଉ ରିଙ୍କୁ.... ଆମେ ସମସ୍ତେ ସାଙ୍ଗ ହେଉଥିଲୁ । ତୁମର କ’ଣ କିଛି ମନେ ପଡୁନି ?

ରଞ୍ଜନ: ହଁ ସ୍ପଷ୍ଟ ମନେ ପଡୁଛି ହେଲେ ସମୟର ସୁଅରେ ଅନେକ କିଛି ଭୁଲି ବି ଯାଇଛି । ସତକଥା ହେଲା, ହଷ୍ଟେଲରେ ରହିବା ଭିତରେ ମୋତେ ବ୍ରେନ୍ ମ୍ୟାଲେରିଆ ହେଇଥିଲା । ଅନେକ ସଂଘର୍ଷ କରି ମୁଁ ରୋଗମୁକ୍ତ ହେଇଥିଲି ହେଲେ ଭଲ ହେଲା ବେଳକୁ ମୁଁ ଅନେକ କଥା ଭୁଲି ଯାଇଥିଲି । ତେଣୁ ଅନେକ କଥା ମୁଁ ଏବେ ମନେ ପକେଇ ପାରୁନି । ହେଲେ ତୁମେ ଆଜି ସେ କଳୁଷିତ ଅତୀତକୁ ପୁଣି ମନେ ପକେଇଦେଲ ।

ରଞ୍ଜନ ଆଖିରୁ ଧାର ଧାର ହେଇ ଲୁହ ବୋହି ଯାଉଥିଲା । ଅତୀତର ଫର୍ଦ୍ଦ ସବୁ ଗୋଟା ଗୋଟା ହେଇ ଆମ ଆଖି ସାମ୍ନାରେ ଉଡ଼ି ଯାଉଥିଲେ । ଦୁହେଁ ନିଜ ନିଜ କଦର୍ଯ୍ୟ ଅତୀତକୁ ମନେ ପକେଇ ଅନେକ କାନ୍ଦିଲୁ । ମୋ ପଣତରେ ତା ଲୁହକୁ ପୋଛୁ ପୋଛୁ ମୁଁ ଲୁହ ହସ ମିଶା କଣ୍ଠରେ ପରିସ୍ଥିତି କୁ ସାମାନ୍ୟ କରିବାକୁ ଯାଇ କହିଲି, ତୁମେ ତ କେଡ଼େ ଦୂର୍ବଳିଆ ଟିଏ ହେଇଥିଲ, ଏବେ କେମିତି ଏମିତି ହଟ୍ଟାକଟ୍ଟା ହେଇଗଲ ?

ରଞ୍ଜନ: ସବୁ ସମୟର ଖେଳ ଛୋଟି । ଆଉ କିଛି ନୁହଁ । ସମୟ ଯେ କେତେବେଳେ କାହାକୁ କୋଉଠି ନେଇ ପହଞ୍ଚାଏ କେହି କହି ପାରିବେନି ।


ଛୋଟି: ଦେଖ ତୁମେ ଯାହା କହୁଚ କୁହ, ହେଲେ ମୋତେ ଆଉ ଛୋଟି ବୋଲି ଜମା ଡାକନି । ମୁଁ ସେମାନେ ଦେଇଥିବା ନା'ରେ ଆଉ ବଞ୍ଚିବାକୁ ଚାହେଁନି । ଯେଉଁ ମାନଙ୍କ ପାଇଁ ମୋ ଜୀବନ ନଷ୍ଟ ହେଇ ଯାଇଚି, ସେମାନଙ୍କୁ ଆଉ ମୋ ଜୀବନ ପରିସରଭୁକ୍ତ କରିବାକୁ ଚାହୁଁନି । ମୋତେ ଯୋଉ ଯୋଉ ପିଲା ଦୁଇଜଣ ହଇରାଣ କଲେ ବୋଲି କହିଲି, ସେମାନେ ଆଉ କେହି ନୁହନ୍ତି ଆମର ବାଲ୍ୟ ବନ୍ଧୁ ରାଜୁ ଆଉ ରିଙ୍କୁ ।

ରଞ୍ଜନ ଅନେକ ଦୁଃଖ ପ୍ରକାଶ କଲେ,ମୋ କଥା ଶୁଣି ।

ରଞ୍ଜନ: ହଉ ହେଲା, ଆଜିଠାରୁ ତୁମକୁ ବିସ୍ମୋୟୀ ବୋଲି ଡାକିବି । ଏଥର ଖୁସି ତ ?

ଛୋଟି: ଉଁ ହୁଁ......ତୁମକୁ ନୁହେଁ ତତେ ।

ଆମେ ଦୁହିଙ୍କର ଖୁସି କହିଲେ ନସରେ । ଦୁହେଁ ଦୁହିଁଙ୍କୁ ପାଇ ବହୁତ୍ ଖୁସି ଥିଲୁ । ଅବଶ୍ୟ ମୁଁ ତାଙ୍କ ଠାରୁ ଟିକିଏ ବଡ଼ ଥିଲି ହେଲେ ବି ଦୁହିଁଙ୍କର ଦୁର୍ବଳତା ବଢ଼ି ଯାଇଥିଲା ଦୁହିଁଙ୍କ ପ୍ରତି । ଏମିତିକି ସାରା ଜୀବନ ପାଇଁ ସାଥୀ ହେଇ ରହିବାକୁ ନିଷ୍ପତି ନେଲୁ ।

ଏମିତି ଅନେକ ଦିନ ଯିବାପରେ ଆମର ଝିଅଟିଏ ହେଲା । ରଞ୍ଜନଙ୍କୁ ବୈଦିକ ରୀତିରେ ବିବାହ ନକଲେ ମଧ୍ୟ ନିଜର ସବୁକିଛି ଢାଳିଦେଲି ତାଙ୍କ ପାଖରେ । ତାଙ୍କ ପାଇଁ ମୁଣ୍ଡରେ ସିନ୍ଦୂର ଲଗେଇ ନିଜ ଅତୀତର ସବୁ ଦୁଃଖକୁ ଭୁଲିଗଲି । ଭୁଲିଗଲି ନିଜର ଲକ୍ଷ ନିଜର ପ୍ରତିଶୋଧକୁ । ଝିଅଟିକୁ କେମିତି ମଣିଷ କରିବି ସେଇକଥା ଦିନ ରାତି ଚିନ୍ତା କଲି । ହେଲେ ସ୍ଵାମୀ ମୋର, ମୋ ପ୍ରତି ହେଇଥିବା ଅନ୍ୟାୟକୁ ଭୁଲି ନଥାନ୍ତି ।

ରିଙ୍କୁ ଷ୍ଟେସନ ପରିସରରେ ଚୋରାମଦ ବେପାର କରେ ଆଉ ରାଜୁ, ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀ ମାନଙ୍କ ଅୟାସୀ ପାଇଁ ଝିଅ ଯୋଗାଏ । ଏକଥା ମୋ ସ୍ଵାମୀଙ୍କ କାନରେ ପଡ଼ିବା ମାତ୍ରେ, ସେ ସେମାନଙ୍କୁ ଆରେଷ୍ଟ କରି ଜେଲର ଚାରିକାନ୍ଥ ଭିତରେ ପୁରେଇ ଦେଲେ । ନିଜେ ରେଲୱେ ପୋଲିସ୍ ହେଇ ଥିବାରୁ, ସଦର ପୋଲିସ ସହିତ ଯୋଗାଯୋଗ କରି ରୀନାକୁ ମଧ୍ୟ ଉଚିତ୍ ଦଣ୍ଡ ଦେଲେ । ହେଲେ ଚୋରା ମଦ ବେପାର ଅଭିଯୋଗରେ ଅଦାଲତ ଆଉ ତାଙ୍କୁ କି ଦଣ୍ଡବା ଦେଇ ପାରିଥାନ୍ତା ? ତେଣୁ ରିଙ୍କୁ ଅଳ୍ପ ଦିନ ଭିତରେ ବେଲ୍ ରେ ବାହାରକୁ ଚାଲି ଆସିଲା । ସେ ଆଗ ମୁକୁଳି ଯାଇ ରାଜୁକୁ ବେଲ୍ ରେ ନେଇ ଆସିଲା । ମୀନା କଥା ମୁଁ ଜାଣିନି । ତା'ର କ’ଣ ହେଲା କେଜାଣି । ସେମାନଙ୍କ ରାଗ ଥିଲା ମୋ ସ୍ଵାମୀଙ୍କ ଉପରେ ହେଲେ ଯେତେବେଳେ ସେମାନେ ଜାଣିବାକୁ ପାଇଲେ, ଯେ ସେ ହେଉଛନ୍ତି ମୋ ସ୍ୱାମୀ ବୋଲି, ସେତେବେଳେ ସେମାନଙ୍କ ରାଗ ଦ୍ଵିଗୁଣିତ ହେଇଗଲା । କେବଳ ସୁଯୋଗ ଅପେକ୍ଷାରେ ଥିଲେ ସେମାନେ ।

ସେଦିନ ଝିଅକୁ ସ୍କୁଲ ଛାଡ଼ିବାକୁ ମୁଁ ଯାଇଥାଏ । ଫେରି ଆସି ଦେଖିଲି ଗୋଟିଏ ଗାଡ଼ି ଆମ ଘର ଆଗରେ ଠିଆ ହେଇଥିଲା । ଗାଡ଼ିଟି ଥିଲା ମୋର ଚିହ୍ନା । ତା ଗାଡ଼ି ଆଗରେ ମରା ହେଇଥିବା ବାଘମୁଣ୍ଡ ଚିହ୍ନକୁ ଦେଖି ମୁଁ ଜାଣି ପାରିଲି ଯେ ସେଇଟା ରାଜୁର ଗାଡ଼ି । ମୋ ଦେହରେ ଛନକା ପଶିଗଲା ହେଲେ ଦୃଢମନା ହେଇ ଚାଲିଗଲି ବାରି ପଟକୁ । ବାରି କବାଟ ଦେଇ ଘର ଭିତରେ ପଶିଲି । କ୍ଵାର୍ଟର ପଛ ପଟକୁ ଥିଲା ଆମ ରୋଷେଇ ଘର । ଖୁବ୍ ସତର୍କର ସହିତ ରୋଷେଇ ଘରୁ ନେଇ ଆସିଲି ବନ୍ଧୁକ ଟିଏ । ଯାହାକୁ, ଷ୍ଟେସନ୍ ରେ କେଉଁ ଏକ ଅପରାଧୀର ବ୍ୟାଗ୍ ସର୍ଚ୍ଚ କରିବା ସମୟରେ ମୋ ସ୍ଵାମୀ ନେଇ ଆସିଥିଲେ । ରଖିଥିଲେ ନିଜର ସୁରକ୍ଷା ପାଇଁ । ବନ୍ଧୁକରେ ଗୁଳି ପୁରେଇ, ଅଣ୍ଟାରେ ଖୋସି ଶାଢ଼ୀ କାନିରେ ଆବୃତ କଲି ସେ ଜାଗାକୁ । ପୁଣି ଦାଣ୍ଡ ପଟକୁ ଆସି, ଆଉଜା ହେଇଥିବା ଦାଣ୍ଡ କବାଟ ଫିଟେଇ ଘର ଭିତରକୁ ପଶିଲି । ଭିତରକୁ ଯାଇ ଦେଖିଲି, ରଞ୍ଜନ ବସିଛନ୍ତି ଚେୟାର ଉପରେ । ରାଜୁ ଆଉ ରିଙ୍କୁ ତାଙ୍କୁ ଘେରି ବସିଛନ୍ତି । ମୁଁ ଆସିବାର ଶବ୍ଦ ଶୁଣି ରିଙ୍କୁ ଆଉ ରାଜୁ ଦୁହେଁ ବୁଲି ଚାହିଁଲେ ମୋତେ ।


ରିଙ୍କୁ: ହେଇ ଦେଖ ପୁଲିସି ବାବୁ, ମୋର ପୁରୁଣା ପ୍ରେମିକା ବି ଆସିଗଲା । ଆହା, କି ଭାଗ୍ୟ ମୋର .....ଏତେଦିନ ପରେ ଆଜି ଟିକିଏ ଆଖିକୁ ଶାନ୍ତି ମିଳିଲା । ଆଇଲୁ ଆଇଲୁ ଟଟେ ଟିକେ ଆଖି ପୁରେଇ ଦେଖେ ମୁଁ ।

ରାଜୁ ଆଉ ରିଙ୍କୁ ଦୁହେଁ ହସିଲେ ଜୋର୍ ଜୋରରେ ମୋର ଅସହାୟତା ଦେଖି । ରାଜୁ ତା' ଅଣ୍ଟାରୁ ବନ୍ଧୁକ ବାହାର କରି ଦେଖେଇଲା ରଞ୍ଜନଙ୍କ ଆଡ଼କୁ । ମୁଁ ଭୀଷଣ ଭାବରେ ଡରିଗଲି ତା'ର ଏ ପଦକ୍ଷେପ ଦେଖି । ବ୍ୟସ୍ତ ହେଇ ନିଜ ଅଣ୍ଟାରୁ ବାହାର କଲି ବନ୍ଧୁକ । ରିଙ୍କୁ ଆଉ ରାଜୁ ଆଡ଼କୁ ଦେଖେଇ କହିଲି, ଚୁପ୍ ଚାପ୍ ଚାଲି ଯାଅ ଏଠୁ ।

ରଞ୍ଜନ: ନା...... ବିସ୍ମୋୟୀ......ତୁମେ ସେମିତି କିଛି କରନି । ଯଦି ମୋର କିଛି ହେଇ ଯାଏ, ତେବେ ଆମ ଝିଅର କ’ଣ ହେବ ଥରେ ଚିନ୍ତା କର ।

ରିଙ୍କୁ: ଏ.....ରାଜୁ ଚାହିଁଚୁ କ’ଣ ? କାହାକୁ ଅପେକ୍ଷା କରିଛୁ ? ଆରେ ଯିଏ ତା' ଜୀବନରେ ପିମ୍ପୁଡ଼ି ଟିଏ ମାରି ପାରିନି, ସିଏ ଆମର କ’ଣଟା କରିବ କହିଲୁ ? ତୁ ଏଇ ମାଇଟାକୁ ଡରୁଛୁ ? ମାର୍ ...... ମାର୍ ତାକୁ ....ଆଜି ମୁଁ ଦେଖିବି ସେ କ’ଣ କରିବ ଆମର ।

ଏଇଆ କହି ରିଙ୍କୁ ମୋ ଆଡ଼କୁ ଅଗ୍ରସର ହୁଅନ୍ତେ, ମୁଁ ଗୁଳି ଚଳେଇଲି ସିଧା ତା' ଛାତିକୁ ଲକ୍ଷ୍ୟ କରି । ରିଙ୍କୁ ଟଳି ପଡ଼ିଲା ସେ ସେଇଠି ସଙ୍ଗେ ସଙ୍ଗେ । ରାଜୁ ଏସବୁ ଦେଖି ଭୟଭୀତ ହେଇଗଲା । ସଙ୍ଗେ ସଙ୍ଗେ ଗୁଳି ଚଳେଇଲା ରଞ୍ଜନଙ୍କ ଉପରକୁ । ରଞ୍ଜନଙ୍କ ମୁଣ୍ଡରେ ଯାଇ ଗୁଳି ବାଜିଲା ଆଉ ସିଏ ସେଇଠି ହିଁ ଟଳି ପଡିଲେ । ରାଜୁ ଖସି ଚାଲିଯିବାକୁ ଉଦ୍ୟତ ହେବାରୁ ମୁଁ ଆଉ ଗୋଟିଏ ଗୁଳି ଚଳେଇଲି ରାଜୁ ପିଠିକୁ ଲକ୍ଷ୍ୟ କରି । ରାଜୁବି ଆମ ଅଗଣାରେ ପଡ଼ି ଛଟପଟ ହେଇ ଅଳ୍ପ ସମୟ ଭିତରେ ମରିଗଲା । ମୁଁ ଯେ ଦୁଇ ଦୁଇଟି ମଣିଷ ମାରି ଦେଇଛି ଆଉ ମୋ ପାଇଁ ମୋ ସ୍ୱାମୀ ଆଜି ଆଉ ଦୁନିଆରେ ନାହାନ୍ତି । ସେଇ କଥା ଭାବି ଭାବି ମୁଁ ଚେତା ହରେଇଲି । ଚେତା ଫେରିଲା ବେଳକୁ ଦେଖିଲି, ମୁଁ ମେଡିକାଲରେ ଥିଲି । ପୋଲିସ୍ ଆସି ବୟାନ ନେଲା ଆଉ ଆରେଷ୍ଟ କଲା ମୋତେ । ଯେହେତୁ ମୋ ସ୍ୱାମୀଙ୍କୁ ଦୁଇଟି କ୍ରିମିନାଲ ହତ୍ୟା କରିଥିଲେ ତେଣୁ କୋର୍ଟ ମୋ ଝିଅକୁ କେନ୍ଦ୍ର ସରକାରଙ୍କ ନବୋଦୟ ବିଦ୍ୟାଳୟରେ ରଖି, ତା'ର ରହିବା, ଖାଇବା, ପିଇବା, ପଢ଼ିବା, ତଥା ଚଳିବା ପାଇଁ ସବୁ ବ୍ୟବସ୍ଥା କଲେ ସରକାର । କୋର୍ଟରେ ଭାବ ପ୍ରବଣ ହେଇ ହତ୍ୟା କରିଥିବା କଥା ସ୍ଵୀକାର କଲି । ମୋତେ ହତ୍ୟା ମାମଲାରେ ଜେଲ ହେଇଗଲା । ରଞ୍ଜନଙ୍କୁ ହରେଇବା ପରେ ମୁଁ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିଲି । ହେଲେ ମୋ ମନରେ ଗୋଟିଏ ସନ୍ତୋଷ ଥିଲା ଯେ ମୋ ଜୀବନକୁ ନର୍କ କରି ଦେଇଥିବା ମଣିଷ ଦୁଇଟିଙ୍କୁ ମୁଁ ମୋ ନିଜ ହାତରେ ଶାସ୍ତି ଦେଇଥିଲି । ହେଲେ ଆଉ ଗୋଟିଏ ଦୁଃଖ ରହିଗଲା ମୋ ମନରେ । ଛୋଟ ବେଳୁ ମୋତେ ମୋ ବାପା ମାଙ୍କ ପାଖରୁ ଛଡେଇ ଆଣି ଯିଏ ମୋତେ ଏତେ କଥା ଭୋଗିବାକୁ ବାଧ୍ୟ କରିଥିଲା, ସେ ଏବେ ବି ନିର୍ଦ୍ଦୋଷରେ ବୁଲୁଛି।

ଶେଷ ପୃଷ୍ଠା ପଢ଼ିସାରି ଚନ୍ଦ୍ରଶେଖର ଦୀର୍ଘ ନିଃଶ୍ୱାସ ଟିଏ ମାରିଲେ ହେଲେ ଘଟଣାଟି ତାଙ୍କୁ ଅଧା ରହିଗଲା ପରି ଲାଗିଲା । ସେ ବିସ୍ମୋୟୀର ଝିଅ କଥା ଚିନ୍ତା କଲେ । ଏବଂ ଏ ଘଟଣା ସହିତ, ସେ ପାଗେଳୀର ଆଉ କୁନିର ସମ୍ପର୍କ କ’ଣ କିଛି ବୁଝି ପାରିଲେନି । ରାତି ଅନେକ ହେଇ ଯାଇଥିଲା ତେଣୁ ଡାଇରୀଟିକୁ ରଖିଦେଇ ଶୋଇଗଲେ ।

ସକାଳ ହେଲା । ନିଜ ନିତ୍ୟକର୍ମ ସାରି ଚନ୍ଦ୍ରଶେଖର ଚଟାପଟ୍ ବାହାରି ଗଲେ କୁନି ପାଖକୁ ।

କୁନି: ମୁଁ ଜାଣିଥିଲି ତୁମେ ନିଶ୍ଚୟ ଆସିବ ବୋଲି । ହଉ କିଛି ଖାଇ ନଥିବ ସକାଳୁ । ସେଇଥି ପାଇଁ ସଜାଡ଼ି ରଖିଛି ତୁମ ପସନ୍ଦର ଜଳଖିଆ । ଆସ ସାଙ୍ଗ ହେଇ ଖାଇବା ।

କୁନି, ଚନ୍ଦ୍ରଶେଖର,ଆଉ ଚନ୍ଦ୍ରିକା ଏକାଠି ବସିଲେ ଖାଇବାକୁ । ଚନ୍ଦ୍ରିକାକୁ କୁନି ଖୁଏଇ ଦେଉଥିଲା ଆଉ ନିଜେ ବି ଖାଉ ଥିଲା । ଖାଇବା ସମୟରେ ଜିଜ୍ଞାସୁ ଚନ୍ଦ୍ରଶେଖର କୁନିକୁ ଚାହିଁ ରହିଥିଲେ କିଛି ପଚାରିବା ଢଙ୍ଗରେ । ତେଣୁ କୁନି କହିଲା, କ’ଣ କିଛି କହୁଚ କି ?

ଚନ୍ଦ୍ରଶେଖର: ଆଛା......କୁନି, ମୁଁ ସେ ଡାଏରୀ ଟିକୁ ପଢ଼ି ସାରିବା ପରେ ମୋ ମନରେ ଅନେକ ପ୍ରଶ୍ନ ଜନ୍ମ ନେଇଛି ।

କୁନି: ଜାଣିଚି ପରା.... ଏ ଲୋକଟା ପଢ଼ିବା ଆରମ୍ଭ କରିବ ମାନେ ତାକୁ ଶେଷ ନକରିବା ଯାଏଁ ତା' ଆଖିକୁ ନିଦ ଆସିବନି । ସତ କୁହ କେତେବେଳେ ଶୋଇଲ ରାତିରେ ?

ଚନ୍ଦ୍ରଶେଖର: ହଁ ସେଇ ତିନିଟା କି ଚାରିଟା ରାତି ହେବ । ହେଲେ ଡାଏରୀ ଟିକୁ ସମ୍ପୂର୍ଣ ପଢ଼ି ସାରିବା ପରେ ମଧ୍ୟ ଘଟଣାଟି କିଛି ବୁଝି ହେଲାନି । ସେ ପାଗେଳୀ ସହିତ ଏ ଡାଏରୀର କି ସମ୍ପର୍କ ମୁଁ ଜାଣି ପାରୁନି ।

କୁନି ଖାଇ ସାରି ହାତ ଧୋଉ ଧୋଉ କହିଲା କହୁଚି, ରୁହ ଟିକିଏ । ଏମିତି ବ୍ୟସ୍ତ କାଇଁ ହେଇ ଯାଉଛ କହିଲ । ଯେତେକ ପଢ଼ିଚ, ସବୁ ମନେ ଅଛିଟି ତୁମର ?

ଚନ୍ଦ୍ରଶେଖର: କାଇଁ ? ପରୀକ୍ଷାରେ ପଡ଼ିବ ନା କ’ଣ ଯେ ?

ସମସ୍ତେ ହସିଲୁ ଏଇ କଥାରେ ।

ଚନ୍ଦ୍ରଶେଖର କେବଳ ଜଣେ ଲେଖକ ନଥିଲେ ସେ ଜଣେ ଭଲ ଅଭିନେତା ମଧ୍ୟ । ଅଭିନୟ ଯେମିତି ତାଙ୍କ ରକ୍ତରେ ପ୍ରବାହିତ ହେଉଥିଲା ।


ଚନ୍ଦ୍ରଶେଖର: ହଉ ହେଲା ଏବେ ତ କୁହ କ’ଣ ଘଟଣା ।

କୁନି କହିଲା, କ'ଣ ଆଉ ହେବ ? ବିସ୍ମୋୟୀ ଗୋଟିଏ ସାଧାରଣ ଝିଅ । ବହୁ ସଂଘର୍ଷ କରି ଜୀବନର ଅନେକ ଉଠା ପକା ପାହାଚ ଅତିକ୍ରମ କରି ସାରିବା ପରେ ଥକି ଯାଇଥିଲା ସିଏ । ହେଲେ ଘଟିଯାଇଥିବା ଘଟଣା ସବୁକୁ ମନେ ପକେଇ ରାତିରେ ଶୋଇ ପାରୁ ନଥିଲା । ଜେଲ୍ ଭିତରେ ତା'ର ଭଲ ବାନ୍ଧବୀ ଥିଲା ଭାରତୀ ମାଉସୀ । ଭାରତୀ ମାଉସୀ ତାକୁ କହିଲା, ଯାହା ସବୁ ଘଟି ଯାଇଛି ତୋ ଜୀବନରେ ତୁ ଗୋଟିଏ ଡାଏରୀରେ ଲେଖିଦେ । ଦେଖିବୁ, ବହୁତ୍ ହାଲୁକା ଲାଗିବ ତୋତେ । ହେଲେ ବିସ୍ମୋୟୀ କହିଲା, ମୋତେ ତ’ ଲେଖି ଆସେନି କି ପଢ଼ି ଆସେନି । ମୁଁ କେମିତି ଲେଖିବି ଯେ ? ତେଣୁ ମୁଁ କହୁଚି ତୁମେ ଲେଖ । ସେଇଠୁ ଭାରତୀ ମାଉସୀ ଲେଖିଲା ଏ ଡାଏରୀ ଟିକୁ । ଭାରତୀ ମାଉସୀର କଥା ସତ ହେଲା । ଏଥର ବିସ୍ମୋୟୀ ଜେଲ୍ ଭିତରେ ବି ସାଧାରଣ ଜୀବନ ଟିଏ ବଞ୍ଚିବାକୁ ଲାଗିଲା ।

ଡାଏରୀ ଲେଖା ଶେଷ ହେବାର କିଛି ବର୍ଷ ପରେ ଯେତେବେଳେ ମୀନାକୁ ବିସ୍ମୋୟୀ ରହୁଥିବା ସେଲ୍ ରେ ଆଣି ରଖାଗଲା, ସେତେବେଳେ ବିସ୍ମୋୟୀ ମୀନାକୁ ଦେଖି ପୁରୁଣା କଥା ସବୁ ଭାବିବାକୁ ଲାଗିଲା । ମୀନା ନିଜ ଚରିତ୍ରର କୌଣସି ସୁଧାର ଆଣିନଥିଲା ଏପର୍ଯ୍ୟନ୍ତ । ସବୁବେଳେ ବିସ୍ମୋୟୀକୁ ଦେଖେଇ ଦେଖେଇ ଅନେକ କଥା କୁହେ ସମସ୍ତଙ୍କ ଆଗରେ । ଖରାପ୍ ଭାଷା କହି ଗାଳି ଦିଏ ତାକୁ । ବିସ୍ମୋୟୀର ଜିଇଁବା କଷ୍ଟ ହେଇ ଯାଉଥିଲା । ଧିରେ ଧିରେ ସିଏ ଚିଡ଼ିବାକୁ ଲାଗିଲା । ଏମିତିକି ଭାରତୀ ମାଉସୀ ଉପରେ ବି ସବୁବେଳେ ଗରଗର ହେବାକୁ ଲାଗିଲା । ଧିରେ ଧିରେ ସିଏ ପାଗେଳୀ ହେବାକୁ ଲାଗିଲା । ଯାହାକୁ ପାରିଲା ତାକୁ ମାର୍ ଧର୍ କଲା । ତେଣୁ ଜେଲ୍ କର୍ତ୍ତୃପକ୍ଷ ତାକୁ ମେଡ଼ିକାଲ ଟ୍ରିଟମେଣ୍ଟ କରାଇବାକୁ ଲାଗିଲେ । ହେଲେ ତା ପରିସ୍ଥିତିରେ କୌଣସି ସୁଧାର ଆସିଲା ନାହିଁ । ଶେଷରେ ତାକୁ ପାଗଳଖାନା ପଠେଇ ଦିଆଗଲା । ପାଗଳ ଖାନାକୁ ନେବା ଦିନ ତା ଝିଅ ଆସିଥିଲା ଦେଖା କରିବାକୁ ତାକୁ । ବହୁତ୍ କାନ୍ଦିଲା ହେଲେ ସିଏ ବି କ’ଣ କରି ପାରିବ ? ପାଗଳ ଖାନାରେ ପୁଣି କିଛି ବର୍ଷ ବିତିଗଲା । ହେଲେ ବିସ୍ମୋୟୀର ପାଗଳାମୀ ଭଲ ହେଇ ନଥିଲା ଏପର୍ଯ୍ୟନ୍ତ । ତା ଝିଅଟି ବଡ଼ ହେଇଯିବା ପରେ ଚାକିରୀ କଲା । ନିଜ ମାଆକୁ ନିଜ ପାଖରେ ରଖି ସେବା ଯତ୍ନ କରିବ ବୋଲି ଭାବିଲା । ହେଲେ ପାଗଳଖାନାର ଡାକ୍ତର ସେ ଅନୁମତି ଦେଲେ ନାହିଁ ତାକୁ । ଶେଷରେ ନିରାଶ ହେଇ ଫେରିଲା ତା ଝିଅ । ହେଲେ ପାଗଳଖାନା ପାଖରେ ଘରଭଡ଼ା ନେଇ ରହିଲା ଝିଅ ତା’ର । ପାଖରେ ରୁହେ ଆଉ ସପ୍ତାହକୁ ଦୁଇ ତିନି ଥର ଦେଖା କରିବାକୁ ଯାଏ । ଭାବେ କାଳେ ନିଜ ଲୋକଙ୍କୁ ଦେଖିଲେ ଭଲ ହେଇଯିବ ତା' ମାଆ । ହେଲେ ସେମିତି କିଛି ହେଉ ନଥାଏ । ଦିନେ କେମିତି କ’ଣ ବିସ୍ମୋୟୀ ଖସି ଚାଲିଗଲା ପାଗଳ ଖାନାରୁ । ଯାଇ ସିଧା ଟ୍ରେନ ଆଗକୁ ଡେଇଁ ପଡିଲା ।

ସବୁକଥା କହି ସାରିବା ବେଳକୁ କୁନି ଆଖି ଜକେଇ ଆସିଥିଲା । ରୁମାଲରେ ଲୁହ ପୋଛୁ ପୋଛୁ କହିଲା ,ଏଇ ହେଉଛି ସେଇ ପାଗେଳୀ ଯିଏ ସେଦିନ ଟ୍ରେନ ଆଗରେ ଡେଇଁ ଜୀବନ ଦେଇ ଦେଲା ।

ଚନ୍ଦ୍ରଶେଖର: ଆଉ ତା’ ଝିଅ ?

କୁନି : ତୁମ ସାମ୍ନାରେ......

ଚନ୍ଦ୍ରଶେଖର: ମାନେ ?

କୁନି: ମାନେ ସେ ଝିଅ ମୁଁ ନିଜେ । କାଇଁ ବିଶ୍ୱାସ ହେଉନି ନା !....ହଉ ରୁହ ଟିକିଏ ।

କୁନି ତା ବାକ୍ସରୁ ବାହାର କଲା ଗୋଟିଏ ଆଲବମ୍ । ସେଥିରେ କେତେଗୁଡ଼ିଏ ତା ବାବା ଆଉ ମାଆଙ୍କର ଫୋଟୋ ଥିଲା । କୁନି ଆଖିର ଲୁହ ଟପ୍ ଟପ୍ ହେଇ ପଡୁଥାଏ ଆଲବମ୍ ଉପରେ । ଆଲବମ୍ ଦେଖୁ ଦେଖୁ ଚନ୍ଦ୍ରଶେଖରଙ୍କ ଆଖି ବି ଜକେଇ ଆସିଲା । ଚନ୍ଦ୍ରଶେଖର କୁନି ଆଖିରୁ ଲୁହ ପୋଛୁ ପୋଛୁ କୁନିକୁ ନିଜ ଆଡକୁ ଭିଡି ଆଣିଲେ । ଚନ୍ଦ୍ରଶେଖର କହିଲେ ବୁଝିଲ କୁନି, ତୁମେନା ଦେଖିବାକୁ ଠିକ୍ ତୁମ ମାଆଙ୍କ ଭଳି । କହିବାକୁ ଗଲେ, ତୁମେ ତାଙ୍କର ଏକଦମ୍ କାର୍ବନ୍ କପି । ସତରେ ତୁମେ ତୁମ ମାଆଙ୍କ ପରି ଖୁବ୍ ସୁନ୍ଦର । କୁନି ଲାଜେଇ ଯାଇ ଚନ୍ଦ୍ରଶେଖରଙ୍କ ପ୍ରଶସ୍ତ ଛାତି ଭିତରେ ମୁଣ୍ଡ ଗୁଞ୍ଜି ଦେଲା । ହେଲେ ପାଖରେ ଥାଇ ଚନ୍ଦ୍ରିକା ତାଳି ମାରିବାରୁ ଦୁହେଁ ପ୍ରକୃତିସ୍ଥ ହେଇଥିଲେ । ଚନ୍ଦ୍ରିକା ଯାଇ କୁନି ଆଉ ଚନ୍ଦ୍ରଶେଖର ମଝିରେ ପଶି ଯାଇ କୁନିକୁ ଗେଲ କରିବାକୁ ଲାଗିଲା । ଦୁହେଁ ଦୁହିଁଙ୍କୁ ଦେଖି ହସୁଥିଲେ ନୀରବରେ।

କିଛି ସମୟ ଯିବା ପରେ ଚନ୍ଦ୍ରଶେଖର ପଚାରିଲେ, ଆଚ୍ଛା କୁନି....କାଇଁ ଜଣା ପଡ଼ିଲାନି ତ ଯେ ତୁମ ମାଆଙ୍କର ନିଜ ଘର କୋଉଠି ! ଆଉ ତାଙ୍କର କିଏ କିଏ ଅଛନ୍ତି ବୋଲି ।

କୁନି: ହଁ ବହୁତ୍ ଚିନ୍ତା କରିବା ପରେ ମୋ ମାଙ୍କ କଥାରୁ ଯାହା ଜଣା ପଡ଼ୁଛି, ତାଙ୍କ ଘର ଆସାମ ରାଜ୍ୟରେ ।

ଚନ୍ଦ୍ରଶେଖର: ତୁମେ କେମିତି ଏକଥା ନିଶ୍ଚିତ ହେଇ କହି ପାରୁଚ ?

କୁନି: ମାଆ ତାଙ୍କ ଜୀବନୀରେ ତାଙ୍କ ଘର ବିଷୟରେ କହିବାକୁ ଯାଇ ସେ ଜାଗାର ଭୌଗଳିକ ସ୍ଥିତି , ପର୍ବ ପର୍ବାଣୀ , ଆଉ ଖାଦ୍ୟପେୟକୁ ଯେଉଁ ଭଳି ବର୍ଣ୍ଣନା କରିଛନ୍ତି, ସେଥିରୁ ମୁଁ ଅନୁମାନ କରି କହୁଚି, ତାଙ୍କ ଘର ଆସାମରେ ହିଁ ହେଇଥିବ ।

ଚନ୍ଦ୍ରଶେଖର ହସି ହସି କହିଲେ ମୁଁ ସେଇଆ ଭାବୁଚି ପରା....ତୁମକୁ ଦେଖି । ଏମିତି ମିଞ୍ଜି ଆଖି ଆଉ ଚେପି ନାକି ଝିଅ ଆମ ଓଡ଼ିଶାରେ ଆସିଲା କୁଆଡୁ । କୁନି ରାଗିଯାଇ ହାତରେ ଧରିଥିବା ଆଲବମ୍ କୁ ଫୋପାଡ଼ିଲା ଚନ୍ଦ୍ରଶେଖରଙ୍କ ଉପରକୁ । କହିଲା, ତୁମର ଏଇ ଗୁଣ ସକାଶେ ମୁଁ କିଛି କୁହେନି ତୁମକୁ । ଆଉ କିଛି କହିବିନି ଯା । ଯାହା କଥା କହୁଥିଲି ସେ ତ ମରି ହଜି ଗଲାଣି । ଆଉ ତା’ ଘର କୋଉଠି ଖୋଜିଲେ କ’ଣ ହେବ ? ହେଲେ ଚନ୍ଦ୍ରଶେଖର ମୋବାଇଲ୍ ଖୋଲି ଗାଁ ନା ଦେଇ ସର୍ଚ୍ଚ କରିବାକୁ ଲାଗିଲେ । ଗୋଲପୂର୍ ନାମରେ ତିନୋଟି ଜାଗା ପାଇଲେ ସେ ଆସାମରେ । ଆଉ ତିନୋଟି ଯାକ ଅଲଗା ଅଲଗା ଜିଲ୍ଲାରେ ଥିଲା ।

ଚନ୍ଦ୍ରଶେଖର ହଠାତ୍ ଗୋଟିଏ ପ୍ରସ୍ତାବ ଦେଲେ କୁନିକୁ ଯେ ଆମେ ସେ ଜାଗାକୁ ଯାଇ ଦେଖିଲେ କେମିତି ହୁଅନ୍ତା ? ହେଲେ କୁନି ରାଜି ହେଲାନି । କହିଲା, ନା ବାବା ନା ଏତବାଟ ଯାଇ କିଏ ଖୋଜିବ ? ମିଳୁଥିବ ନମିଳୁଥିବ ସେ ଜାଗା ! ଆମକୁ ସେମାନେ କେହି ଚିହ୍ନି ପାରିବେକି ନାହିଁ ତା ବି ସନ୍ଦେହ । ଯିବା ବୃଥା ବି ହେଇ ପାରେ ଏତେ ପଇସା ଖର୍ଚ୍ଚ କରି । ନା ନା ଥାଉ ଆମର ଯିବା ଦରକାର ନାହିଁ । 

ହେଲେ ଚନ୍ଦ୍ରଶେଖର ଛାଡ଼ିବା ଲୋକ ନୁହନ୍ତି । ସେ ତାଙ୍କର ବାଲ୍ୟବନ୍ଧୁ ଯିଏ କି ଓଡ଼ିଶା ପୋଲିସ୍ ରେ ଉଚ୍ଚ ପଦବୀରେ ଥିଲେ, ତାଙ୍କୁ ଫୋନ୍ କଲେ । ତାଙ୍କର ଫୋନ୍ କରିବାର ଉଦ୍ଦେଶ୍ୟ ଜଣେଇବାକୁ ଯାଇ କହିଲେ ଯେ, ଆସାମର ଗୋଲପୁର ବୋଲି ଗୋଟିଏ ଜାଗାରୁ ପାଖାପାଖି ତିରିଶ କି ବତିଶ ବର୍ଷ ତଳେ ବିସ୍ମୋୟୀ ନାମକ ଝିଅର ମିଶିଂ କେଶ୍ କିଛି ଫାଇଲ୍ ହେଇଛିକି ନାହିଁ ବୁଝି ହେବକି ? ବନ୍ଧୁ ଜଣକ କହିଲେ, ବତିଶି ବର୍ଷ ତଳର ରେକର୍ଡ ଖୋଜିବା କଷ୍ଟକର ନିଶ୍ଚୟ ହେଲେ ଚେଷ୍ଟା କରାଯାଇ ପାରେ । ବନ୍ଧୁଙ୍କ ଠାରୁ ଏ ପ୍ରକାର ଉତ୍ତର ପାଇ ଯଦିଓ ନିରାଶ ହେଇଥିଲେ କିନ୍ତୁ ବନ୍ଧୁଙ୍କର ଏଇ ଚେଷ୍ଟା କରିବା ଶବ୍ଦ ଶୁଣି ଖୁସି ମଧ୍ୟ ହେଇଗଲେ ଚନ୍ଦ୍ରଶେଖର । ଫୋନ୍ ରଖିବା ପରେ କୁନି କହିଲା , ହଉ ଯାହା ଇଚ୍ଛା ହଉଚି କର । ଯଦି ସେ ଜାଗା ମିଳିଗଲା ତେବେ ମୁଁ ଖୁସି ହେବି ନିଶ୍ଚୟ ।

ଏଇଭଳି ଭାବରେ କିଛିଦିନ ବିତିଗଲା । ଚନ୍ଦ୍ରଶେଖର ତାଙ୍କ ବନ୍ଧୁଙ୍କୁ ସେ ତଥ୍ୟ ବୁଝିବାକୁ କହିବାର ପାଖାପାଖି ମାସେ ପରେ ଆସାମ ପୋଲିସ୍ ପାଖରୁ ଉତ୍ତର ଆସିଲା ଯେ ବତିଶ୍ ବର୍ଷ ତଳେ ନୁହେଁ ବରଂ ଆଜି ଠାରୁ ଉଣେଇଶ ବର୍ଷ ତଳେ ସେଇ ଗୋଲପୂର୍ ଥାନାରେ ନରେନ୍ଦ୍ର ବିଶ୍ୱାସ ନାମକ ପିଲାଟିଏ ରିପୋର୍ଟ ଲେଖେଇ ଥିଲା ଯେ ବିସ୍ମୋୟୀ ନାମକ ଝିଅଟିଏ ଏଗାର ବର୍ଷ ତଳେ ଗୋଲପୁର୍ ରାସ୍ତାରୁ ରାତି ସମୟରେ କେଉଁ ଆଡ଼େ ଉଭାନ୍ ହେଇ ଯାଇଥିଲା । ଚନ୍ଦ୍ରଶେଖରଙ୍କର ମୁଣ୍ଡ ଭିତରେ ସମ୍ପୂର୍ଣ୍ଣ ଡାଏରୀଟା ଲିପିବଦ୍ଧ ହେଇଯାଇଥିଲା ତେଣୁ ସେ ଅନୁମାନ କରି ପାରିଲେ ଯେ କୌଣସି କାରଣ ବଶତଃ ବିସ୍ମୋୟୀ ହଜିବା ସମୟରେ ତା'ର ମିସିଂ କେଶ୍ କେହି ଫାଇଲ୍ କରିନଥିଲେ । କିନ୍ତୁ ବିସ୍ମୋୟୀର ବାଲ୍ୟବନ୍ଧୁ ନରେନ୍ଦ୍ର ଯାହା କଥା ବିସ୍ମୋୟୀ ମଧ୍ୟ ସେ ଡାଏରୀ ରେ ଉଲ୍ଲେଖ କରିଛି , ହେଇଥାଇ ପାରେ ସେ ଏ ରିପୋର୍ଟ ଲେଖେଇ ଥିବ । ଚନ୍ଦ୍ରଶେଖର ବନ୍ଧୁଙ୍କ ପାଖରୁ ଏ ତଥ୍ୟ ପାଇବା ପରେ ତାଙ୍କର ଉତ୍ସାହ ଦିଗୁଣିତ ହେଇଯାଇଥିଲା । ସେ ସଙ୍ଗେ ସଙ୍ଗେ କୁନିକୁ ଫୋନ୍ କରି ଏକଥା ଜଣାଇଲେ ଆଉ କୁନିକୁ ଆସାମ୍ ଯିବା ପାଇଁ କହିଲା । କୁନି କିଛି ବୁଝି ପାରୁ ନଥାଏ ଯେ ଚନ୍ଦ୍ରଶେଖର କ’ଣ କରୁଛି ଆଉ କାହିଁକି କରୁଛି ଏସବୁ । ହେଲେ କ’ଣ କରିବ କୁନି ଯେତେବେଳେ ଚନ୍ଦ୍ରଶେଖର ନିଜେ ହିଁ ଏତେ ଆଗ୍ରହ ଦେଖାଉଛି ଏ ବିଷୟରେ ।

 ତା' ପରଦିନ ଚନ୍ଦ୍ରଶେଖର ଗାଡ଼ି ନେଇ ଆସି ପହଞ୍ଚି ଗଲେ କୁନି ପାଖରେ । କୁନି ଆଉ ଚନ୍ଦ୍ରିକା ଦୁଇଜଣ ବାହାରିଲେ ଚନ୍ଦ୍ରଶେଖର ସହିତ ଆସାମ ଯିବା ପାଇଁ । ଗଲାବେଳେ ସାଙ୍ଗରେ କିଛି ଦିନ ରହିବା ପାଇଁ ଲୁଗାପଟା ବି ନେଇଗଲେ । ସମସ୍ତଙ୍କ ମନରେ ଉତ୍ସାହ ଭରି ହେଇଥିଲା ନିଜ ପୁରୁଣା ମାଟିକୁ ଦେଖିବା ପାଇଁ । ଚଉଦଶହ କିଲୋମିଟର ଓଡ଼ିଶାରୁ । ବଣ ଲତା ପାହାଡ ଦେଇ ଗାଡ଼ି ଗଡିଚାଲେ ଆଗକୁ ଆଗକୁ । କେତେବେଳେ ବାଦଲ ଭିତର ଦେଇ ପୁଣି କେତେବେଳେ ଟାଙ୍ଗରା ଭୁଇଁ ଦେଇ । ଭାରି ମଜା ଲାଗୁଥିଲା ଚନ୍ଦ୍ରିକାକୁ ଓଡ଼ିଶାରୁ ଆସାମ ଯାତ୍ରା । ବାଟରେ ଦୁଇ ତିନି ଜାଗାରେ ରାତିରେ ରହିଲେ ସେମାନେ । ରାତିରେ ଭଲ ହୋଟେଲ୍ ଦେଖି ଗାଡ଼ି ରଖନ୍ତି ଚନ୍ଦ୍ରଶେଖର । ସେଇ ହୋଟେଲରେ ରହଣି ଭିତରେ କୁନିକୁ ଭିଡ଼ି ଆଣିଥିଲେ ଚନ୍ଦ୍ରଶେଖର ନିଜ ବାହୁ ଅଗଣାକୁ ଆଉ, ଭରପୁର ଉପଭୋଗ କରିଥିଲେ ପାହାଡ଼ ତଳ ପ୍ରାକୃତିକ ପରିବେଶ ମଧ୍ୟରେ ଗଢ଼ି ଉଠିଥିବା ରିଶର୍ଟରେ । ବିସ୍ମୋୟୀ କୌଣସି ପ୍ରକାର ବାଧା ଦେଇ ନଥିଲା ସେତେବେଳେ । ସହିଯିବା ଥିଲା ତା'ର ବୋଧେ ସହଜାତ ଗୁଣ । ହେଲେ ସତକଥା,ସେ କିଛି ଭୁଲୁ ନଥିଲା ।

ଚାରିଦିନ ଲାଗିଲା ଯାଇ ପହଞ୍ଚିବାକୁ । ସେଠିକୁ ଯାଇ ପ୍ରଥମେ ଦେଖା କଲେ ଗୋଲପୁର ଥାନାରେ । ଯାଇ ପଚାରିଲେ ବିସ୍ମୋୟୀ କଥା । ହେଲେ ଆଶ୍ଚର୍ଯ୍ୟଜନକ ଉତ୍ତର ଦେଲେ ଥାନା ଅଧିକାରୀ । ସେ କହିଲେ କାଇଁ ନାଇଁ ତ ସେମିତି କିଛି ମିସିଂ ଘଟଣା ଆମ ଥାନାରେ ରିପୋର୍ଟ୍ ଲେଖା ହେଇ ନାହିଁ । ଚନ୍ଦ୍ରଶେଖର ଓଡ଼ିଶା ପୋଲିସ୍ ରେ ଥିବା ତାଙ୍କ ବନ୍ଧୁଙ୍କ କଥା କହିଲେ । କିନ୍ତୁ ଗୋଲପୂର୍ ଥାନାଧିକାରୀ ମନା କରି କହିଲେ, ନା ନା..... କୌଣସି ଓଡିଶା ପୋଲିସ୍ ଆମକୁ ଯୋଗାଯୋଗ କରି ନାହାନ୍ତି । ଆପଣଙ୍କୁ ବୋଧେ କେହି ଭୁଲ୍ ତଥ୍ୟ ଦେଇଛନ୍ତି । ଉପାୟ ନପାଇ ଆମେ ଯାଇ ନରେନ୍ଦ୍ର ନାମକ ଯୁବକଙ୍କୁ ଖୋଜିଲୁ ଗୋଲପୂର୍ ଅଞ୍ଚଳରେ ହେଲେ ସେମିତି କାହାକୁ ପାଇଲୁ ନାହିଁ ଯିଏ ବିସ୍ମୋୟୀର ମିସିଂ ରିପୋର୍ଟ କରିଥିଲେ ଥାନାରେ । ଚନ୍ଦ୍ରଶେଖର ଫୋନ୍ ଲଗେଇଲେ ତାଙ୍କ ବନ୍ଧୁଙ୍କୁ ଯିଏ ଏ ଖବର ଦେଇଥିଲେ ତାଙ୍କୁ । ହେଲେ ଆଶ୍ଚର୍ଯ୍ୟର କଥା ବନ୍ଧୁଙ୍କ ନମ୍ବର ଲଗିଲାନାହିଁ ତେଣୁ ଚନ୍ଦ୍ରଶେଖର ବାଧ୍ୟ ହେଇ ଫେରି ଆସିଲେ ସେ ଜାଗାରୁ ।

     ମନ ଦୁଃଖରେ ଫେରୁ ଥାନ୍ତି ସମସ୍ତେ । କେବଳ ଯାତ୍ରା କଷ୍ଟ ଯେ କଷ୍ଟ ଦେଉଥାଏ ସେକଥା ନୁହେଁ, ବନ୍ଧୁଙ୍କ କଥା ମିଛ, ବନ୍ଧୁଙ୍କ ଫୋନ୍ ଲାଗୁନାହିଁ, ଏଇ କଥା ଭିତରେ ଘାଣ୍ଟି ହେଉଥାନ୍ତି ସମସ୍ତେ । ଚନ୍ଦ୍ରିକା ଶୋଇ ପଡ଼ିଥାଏ କୁନି କୋଳରେ । କୁନି କେବଳ ବାରମ୍ବାର କହୁଥାଏ ଗୋଟିଏ କଥାକୁ ଯେ ମୁଁ ତ ମନା କରୁଥିଲି ହେଲେ ତୁମେ କ’ଣ ଶୁଣିବକି ମୋ କଥା ? ବେକାର ଟାରେ ଦୁନିଆ ପଇସା ବର୍ବାଦ ହେଲା । ହେଲେ ଚନ୍ଦ୍ରଶେଖର ବୁଡ଼ି ରହିଥାଏ ନିଜ ଭାବନା ଭିତରେ । 

ଫେରିବା ରାସ୍ତା ଅଧା ଅଧି ହେବା ବେଳକୁ ଚନ୍ଦ୍ରଶେଖରଙ୍କର ମନେ ପଡ଼ିଲା ଯେ, ତାଙ୍କ ବନ୍ଧୁଙ୍କର ସାନ ଭାଇଙ୍କ ନମ୍ବର ଅଛି ତାଙ୍କ ପାଖରେ । ଚନ୍ଦ୍ରଶେଖର ସଙ୍ଗେ ସଙ୍ଗେ ଗାଡ଼ି ରଖି ଫୋନ୍ କଲେ । ହେଲେ ଫୋନ୍ କରିବାରୁ ବନ୍ଧୁଙ୍କର ସାନ ଭାଇ ଏକ ଦୁଃଖଦ ସମାଚାର ଦେଲେ । କହିଲେ ଭାଇ ତିନିଦିନ ତଳେ ଆତ୍ମହତ୍ୟା କରିଛନ୍ତି । ଚନ୍ଦ୍ରଶେଖରଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ବାଲ୍ୟ ବନ୍ଧୁଙ୍କୁ ହରେଇ ଦୁଃଖରେ ମ୍ରିୟମାଣ ହେଲେ । କାର୍ ଭିତରୁ ବାହାରି ଠିଆ ହେଲେ ବାହାରେ ଯାଇ । କୁନି ମଧ୍ୟ ବାହାରକୁ ବାହାରି ଗଲା । ଚନ୍ଦ୍ରଶେଖର ଯାଇ ଠିଆ ହେଲେ ପାହାଡି ରାସ୍ତାର ସେଇ ଜାଗାରେ ଯେଉଁଠି ତା’ର ଓସାର ସମାପ୍ତ ହେଇ ଯାଇଥିଲା । ଯେଉଁଠି ଆକାଶର ମେଘ ଖଣ୍ଡ ଚୁମି ଦେଉଥିଲା ଭୁଇଁକୁ । ଶେଖର ହାତରେ ସିଗାରେଟ୍ ନେଇ ଲଗେଇଲେ ମୁହଁରେ । ଚିନ୍ତାର ଚିହ୍ନ ସ୍ପଷ୍ଟ ଭାବରେ ବାରି ହେଇ ଯାଉଥିଲା ତାଙ୍କ ମୁହଁରେ । ଚନ୍ଦ୍ରିକା ଯାଇ ପହଁଚିଲା ଶେଖରଙ୍କ ପାଖରେ ନିଜ ହାତରେ ଗୋଟିଏ ଜଳନ୍ତା ସିଗାରେଟ୍ ଧରି । ଶେଖରଙ୍କ ପଛପଟୁ ଆସ୍ତେ ଆସ୍ତେ ଯାଇ ଜଳନ୍ତା ସିଗାରେଟ ଚେଙ୍କି ଦେଲା ଶେଖରଙ୍କ କାନ ମୂଳେ । ଶେଖର ଭୁସ୍ କି ବୁଲି ପଡ଼ିଲେ ଚମକି ଯାଇ । କୁନି ହସୁଥିଲା ଜୋରଜୋରରେ । ତା ହସ ସେ ଖୋଲା ପାହାଡ଼ ରେ ପିଟି ହେଇ ପ୍ରତିଧ୍ଵନିତ ହେଉଥିଲା ବାରମ୍ବାର ।

ଚନ୍ଦ୍ରଶେଖର: ଆରେ କୁନି.......ତୁମେ ବି ସିଗାରେଟ ଟାଣ ? କାଇଁ ମୋତେ କେବେ କହିନ ତ ?

କୁନି: କାଇଁ କ’ଣ ଖାଲି ପୁରୁଷ ସିଗାରେଟ୍ ଟାଣି ପାରିବ ଆଉ ଆମେ ନୁହେଁ ? ଆଉ ଏମିତିରେ ତୁମେ ମୋ ବିଷୟରେ ଅନେକ କଥା ଜାଣିନ ।

ଚନ୍ଦ୍ରଶେଖର: ହଁ ତା ତ ସତ । ମୁଁ ବା କେତେ ତୁମ ସହିତ ମିଶିଛି ଯେ ଜାଣିବି ତୁମକୁ ?

କୁନି: ଆଚ୍ଛା ଜାଣିନ ଯଦି ତେବେ କେମିତି ଏତେ ମିଶି ଯାଉଛ ? ଘରେ କେବେ କେହି କହି ନାହାନ୍ତି ଯେ, ଜାଣି ନଥିବା ଲୋକ ସହିତ ମିଶିବ ନାହିଁ ବୋଲି ?

ଚନ୍ଦ୍ରଶେଖର: ଆରେ...…ଇଏ କି ମଜା କରୁଛ କୁନି ମୋ ସହିତ ?

କୁନି: ହେଁ ..... ତୁମେ ଯେତେବେଳେ ହୋଟେଲ୍ ରେ ମୋ ଦେହରେ ଦେହ ମିଶେଇ ରାତି ତମାମ୍ ମଜା କଲ, କାଇଁ ସେତେବେଳେ ତ ମୁଁ ତୁମକୁ ପ୍ରତିବାଦ କରିନଥିଲି । ତେବେ ତୁମେ ଆଜି କାଇଁ ପ୍ରତିବାଦ କଲ । କୁହ ଶେଖର କୁହ । ନାଇଁ......ନାଇଁ.....ନାଇଁ......ତୁମେ ଆଗ କୁହ ଶେଖର ଆଗ କହିସାର ।

ଚନ୍ଦ୍ରଶେଖରଙ୍କୁ କୁନିର ବ୍ୟବହାରରେ ପରିବର୍ତ୍ତନ ଆଶ୍ଚର୍ଯ୍ୟ ଲାଗୁଥିଲା । କେମିତି କେଜାଣି ଟିକିଏ ଅଲଗା ଅଲଗା ଲାଗୁଥିଲା କୁନି । କିଛି ବୁଝି ପାରୁନଥିଲେ ଶେଖର କ’ଣ ଉତ୍ତର ଦେବେ କୁନିକୁ ।

କୁନି: ମୁଁ ଜାଣିଚି ପରା ତୁମ ପାଖରେ ଉତ୍ତର ନଥିବ । ଆଉ ହେଇଟି...... ଦୁନିଆର କୋଉ ସାଲା ପୁରୁଷ ପାଖରେ ଏ ଉତ୍ତର ନାହିଁ । ଶଳା କଅଁଳ ମାଉଁସ ଦେଖିବେ ମାନେ ଜିଭ ଚାଟି ପକେଇବେ । ତୁ ଶଳାଟା ବି ସେମିତି।

ଚନ୍ଦ୍ରଶେଖର: ଆରେ କୁନି ତୁମେ କ’ଣ ପାଗଳ ହେଇଗଲ ନା କ’ଣ ? ଏମିତି କ’ଣ କଥାବାର୍ତ୍ତା କରୁଛ ?

କୁନି: ଇଏ ତ ସବୁ ଜାଣି ପାରିଲାଣି ଆଉ.....। ଆଲୋ ହେଇ .......ମୁଁ ପାଗଳ ବୋଲି ତୁ କେମିତି ଜାଣିଲୁ

ଆହୁରି ଜୋର ଜୋରରେ ହସୁଥିଲା କୁନି ଗଗନ ପବନ କମ୍ପେଇ । ଭୟଭୀତ ହୋଇଯାଇଥିଲେ ଚନ୍ଦ୍ରଶେଖର ତା କଥା ଶୁଣି ।

କୁନି କହୁଥାଏ ବସେଇ ବସେଇ ଚନ୍ଦ୍ରଶେଖର କାନ ପାଖରେ, ହଉ ଜାଣିଲୁ ଯଦି, ସବୁ ଜାଣ । ହେଇଟି...... ଗୋଟାଏ କଥା ତୁ ଜାଣିଚୁ ! ଛୋଟି ଯିଏ ବିସ୍ମୋୟୀ ସିଏ । ଆଉ ବିସ୍ମୋୟୀ ଯିଏ କୁନି ସିଏ । ତୁ ମୂର୍ଖ ଆଲବମ୍ ଦେଖିଲା ପରେ ବି ଜାଣି ପାରିଲୁନି । ଖାଲି ତ ବାଉଳି ହେଲୁ କେମିତି ମୋ କଅଁଳ ମାଉଁସ ଚୋବେଇ ଚୋବେଇ ଖାଇବୁ । ପାଗଳ ଟା .....କହୁଚି କ’ଣ ନା ମୁଁ କୁଆଡେ ବିସ୍ମୋୟୀର କାର୍ବନ କପି ।.... ହା.... ହା..... ହା.......

ଚନ୍ଦ୍ରଶେଖର: ଆଉ ଯୋଉ ଡାଏରୀ ରେ ଯାହା ସବୁ ଲେଖା ହେଇଛି ,ସେ ସବୁ କ’ଣ ମିଛ ?

କୁନି: ସବୁ ସତ । ହେଲେ ଯେତିକି ଲେଖା ହେଇଚି ସେ ଡାଏରୀରେ । ଯାହା ପଢିଛୁ ତୁ ସେ ଡାଏରୀରେ ସବୁ ସତ ଆଉ ଯେତକ ମୁଁ ତତେ କହିଛି, ସେସବୁ ମିଛ । ତୋ ବନ୍ଧୁ ଆତ୍ମହତ୍ୟା କରିବା ମିଛ । ମୁଁ ତାକୁ ବିଶ ଦେଇ ମାରିଦେବା କଥା ସତ । ସିଏ ବି ତୋରି ଭଳିଆ ମୋ କଞ୍ଚା ଦେହକୁ ଉପଭୋଗ କରିବ ବୋଲି ଧାଇଁ ଆସିଥିଲା । ମୋ କଥାରେ ମୁଣ୍ଡ ପୁରାଉ ଥିଲା, ନାମ ନେଲା । ମୁଁ ହିଁ ତାକୁ ଆସାମ ପୋଲିସ ହେଇ ଫୋନ୍ କରି ଦେଇଥିଲି ଭୁଲ୍ ତଥ୍ୟ ।

ଚନ୍ଦ୍ରଶେଖର ମୁଣ୍ଡ କିଛି କାମ କରୁନଥିଲା । କୁନି ଯେ ଏମିତି କାହିଁକି କରୁଛି, କିଛି ବୁଝି ପାରୁନଥିଲା । ହେଲେ କୁନି ପ୍ରତିଶୋଧର ବହ୍ନିରେ ଜଳି ଜଳି ଆହୁରି ଉତପ୍ତ ହେଉଥିଲା କାହା ଛାତିରେ ଗଳି ଯିବାପାଇଁ । ଚନ୍ଦ୍ରଶେଖର ଆଉ ଶୁଣି ପାରିଲାନି କୁନି କଥା । କାନରେ ହାତଦେଇ ଠିଆ ହୋଇଗଲା ଆକାଶକୁ ମୁହଁ କରି । ରାଗରେ ଚନ୍ଦ୍ରଶେଖର ଖାଲି ଥରୁଥାଏ ।

ଚନ୍ଦ୍ରଶେଖର: You Bastard......

କୁନି: Yes I am a bastard....But for whom ?

କୁନି ସୁଯୋଗ ପାଇ ଚନ୍ଦ୍ରଶେଖରଙ୍କୁ ଠେଲି ଦେଲା ପାହାଡ଼ ତଳକୁ ।

ପାହାଡ଼ ଛାତି ଛୁଇଁ ଦୁଇ ଚାରି ଥର ଫେରି ଆସିଲା ଚିତ୍କାର ଟିଏ....

ଧିରେ ଧିରେ ଖୋଲା ଆକାଶ ବଳୟ ଡେଇଁ ପାର ହେଇ ଯାଇଥିବା ଚିତ୍କାରରୁ ଅନୁମାନ କରି କୁନି ତଳକୁ ଅନେଇ ନିଶ୍ଚିତ କଲା ଚନ୍ଦ୍ରଶେଖରର ମୃତ୍ୟୁକୁ । ମନେମନେ ଚିନ୍ତାକଲା, ଯାହା ହଉ, ମୋର ଗୋଟିଏ ଗୁଳି ବଞ୍ଚିଗଲା । ଅଣ୍ଟାରୁ ବନ୍ଧୁକ ବାହାର କରି ରଖିଲା ଗାଡ଼ିରେ । ନିଜେ ନିଜେ ଡ୍ରାଇଭ୍ କରିବାର ଯୋଜନା କରି ଗାଡି ପୁଣି ବୁଲେଇଲା । ଚନ୍ଦ୍ରିକା ଚକା ମାରି ଉଠି ବସିଥିଲା ନିଦରୁ । ତାକୁ ପଛ ସିଟରୁ ଆଣି ଆଗରେ ନିଜ ପାଖରେ ବସେଇଲା ।

କୁନି: ମୋ ଗେଲ୍ହିକୁ ଭୋକ କଲାଣି କି ?

ଚନ୍ଦ୍ରିକା: ହୁଁ...….ଅଙ୍କଲ କୁଆଡେ ଗଲେ ?

କୁନି: ଅଙ୍କଲ, ଏ........ଇ ଦେଖ୍ ସେଇ ଦୂର ମେଘରେ ମିଶିଗଲେ ।

ଚନ୍ଦ୍ରିକା: ଏବେ ଅଙ୍କଲ ନାହାନ୍ତି । ମୁଁ ତୁମକୁ ମାମା ଡାକିବି ?

କୁନି ମୁହଁଖୋଲି ଉତ୍ତର ନଦେଇ କେବଳ ଚନ୍ଦ୍ରିକା ଗାଲରେ ଚୁମାଟିଏ ଆଙ୍କି ଦେଇ ବ୍ୟାଗରୁ ବାହାର କଲା କଦଳୀ ଆଉ କେକ୍ ।

ଚନ୍ଦ୍ରିକା: ମାମା..... ମାମା...... ମୀନା ମୋତେ ସ୍କୁଲ ଗଲାବେଳେ ସବୁବେଳେ ଖତେଇ ହଉଚି ।

କୁନି: ସେ ଆଉ ତୋ ପାଖକୁ ଆସିବନି । ତୋ ମାମା ତାକୁ ଟ୍ରେନ ଲାଇନ୍ ରେ ଚଟଣୀ କରି ଦେଇଚି ।

ଚନ୍ଦ୍ରିକା, ଚଟଣୀ......ଚଟଣୀ କହି ତାଳି ମାରି ହସୁଥିଲା ।

ଚନ୍ଦ୍ରିକା: ମାମା ମାମା, ଏବେ ଆମେ କୁଆଡେ ଯିବା ?

କୁନି: ଏତେ ବାଟ ଆସିଛେ ଯେତେବେଳେ ସୁମୋନ୍ ଅଙ୍କଲ କଥା ଟିକେ ବୁଝି ଦେଇ ଯିବା ।

ଚନ୍ଦ୍ରିକା ସବୁ ବୁଝି ପାରିଲା ଭଳି ହିଁ ମାରିଲା କୁନି କଥାରେ ।

କୁନି ମନେ ମନେ ଚିନ୍ତା କରୁଥିଲା କୁନି, ଯିଏ ତା ଜୀବନର ଗତିପଥକୁ ସମ୍ପୂର୍ଣ ଭାବରେ ବଦଳେଇ ଦେଇଥିଲା,କେମିତି ଭୁଲିଯିବ ତା କଥା। 

କାରରେ ଗୀତ ବଜେଇ , ଭଲ୍ୟୁମ୍ ବଢେଇଲା......

ମୁସାଫିର୍ ହୁଁ ୟାରୋଁ, ନା ଘର ହେ ନା ଠିକାନା,

ମୁଝେ ଚଲ୍ତେ ଯାନା ହେ..... ବସ୍ ଚଲ୍ତେ ଯାନା.......

ମା ଝିଅ ଦୁହେଁ ଗୀତରେ ସ୍ୱର ମିଶେଇ ବଡ଼ ବଡ଼ ପାଟିରେ ଗାଉ ଥିଲେ,.....

ମୁଝେ ଚଲ୍ତେ ଯାନା ହେ..... ବସ୍ ଚଲ୍ତେ ଯାନା....

ହଠାତ........ ପାହାଡ଼ି ରାସ୍ତାରେ ଗୋଟିଏ ୟୁଟର୍ଣ ........

ଫେରି ଆସିଥିବା ଦିଗକୁ ମୁହଁ କରି କୁନି ଗାଡ଼ି ଚଲାଉ ଥାଏ ଗୋଟିଏ ହାତରେ ଆଉ ତା ସହିତ ଆଉ ଗୋଟେ ହାତରେ ସିଗାରେଟ୍ ଧରି ଚିନ୍ତା କରୁଥାଏ ବିତି ଯାଇଥିବା ଦିନ ସବୁକୁ । ଏତେ ଚିନ୍ତା ଭିତରେ ବି ଗାଡ଼ିରେ ଝିଅ ଅଛି ବୋଲି ସତର୍କରେ ଧୂଆଁ ସବୁକୁ ଛାଡ଼ି ଦେଉଥାଏ କାରର କାଚ ଖିଡ଼ିକି ଖୋଲି । ଯେମିତି କାରରେ ବଦଳୁ ଥାଏ ଗୋଟିଏ ଗୀତ ପରେ ଆଉ ଗୋଟିଏ ଗୀତ ସେମିତି ଜୀବନର ଗୋଟିଏ ଅଧ୍ୟାୟ ପରେ ଆଉ ଗୋଟେ ଅଧ୍ୟାୟ ନାଚି ଯାଉ ଥାଏ କୁନି ଆଖି ସାମ୍ନାରେ । ଚିନ୍ତା କରୁଥାଏ, ଚନ୍ଦ୍ରଶେଖର କଥା । କେମିତି ତା'ର ଦେଖା ହେଇଥିଲା ଚନ୍ଦ୍ରଶେଖର ସାଙ୍ଗରେ ।

ଜେଲରେ ଥିଲା ବେଳେ ହିଁ ଭାରତୀ ମାଉସୀଙ୍କ ପାଇଁ ଲଢ଼ୁଥିବା ଓକିଲ ସହିତ କଥା ହେଇ ସେଇ ଓକିଲର ପରାମର୍ଶ ଅନୁଯାୟୀ ପୁଣି ଥରେ କୋର୍ଟରେ ମିଛ କହିଥିଲା । ଯେହେତୁ ସେ ଥିଲା ରିଙ୍କୁ, ଏବଂ ରାଜୁ ମର୍ଡର ହେବାର ଏକ ମାତ୍ର ସାକ୍ଷୀ ତେଣୁ ବାଧ୍ୟହୋଇ ନିଜ ଝିଅର ଭବିଷ୍ୟତ ପାଇଁ ଛାତିରେ ପଥର ରଖି ଦୋଷ ସବୁକୁ ମୃତ ସ୍ଵାମୀଙ୍କ ମୁଣ୍ଡକୁ ଠେଲି ଦେଇଥିଲା । ବୟାନ ବଦଳେଇବା କଥା ପଚାରିବାରୁ ବୟାନ ନେବା ବେଳେ ସେ ତା ସ୍ଵାମୀଙ୍କ ଚାଲିଯିବା ଦୁଃଖରେ ନିଜର ମାନସିକ ଅବସ୍ଥା ଠିକ୍ ନଥିବା କଥା କହିଥିଲା । ମହିଳା ଜଜ୍ ମଧ୍ୟ କୁନିର ଦୁଃଖ ହୃଦୟଙ୍ଗମ କରି ସହଜରେ ଆଇନର ଗଳା ବାଟରେ ଖସି ଯିବାକୁ ସୁଯୋଗ ଦେଇ ଗୋଟିଏ ମା'ର ମମତା’ର ଟେକ ରଖିଥିଲେ । ଯାହା ଯେମିତି ହେଉ ନିଜର ସବୁ ଗହଣା ଗାଣ୍ଠି ବିକିଦେଇ ଅନେକ ଟଙ୍କା ଖର୍ଚ୍ଚ କରି ଜେଲ୍ ରୁ ବର୍ଷେ ପରେ ମୁକୁଳି ଯାଇଥିଲା । ଏଥର ସେ ଚିନ୍ତା କେବଳ ନିଜ ଝିଅ କଥା ।


ସ୍ୱାମୀଙ୍କର ଅଧା ପେନସନରେ କଟକ ସହରରେ ଚଳିବା ସହଜ ନଥିଲା ଆଉ ପାଠ ପଢ଼ିନଥିବାରୁ ନିଜ ପାଇଁ କାମ ଟିଏ ଯୋଗାଡ଼ କରିବା କଷ୍ଟ ହେଇ ପଡ଼ିଥିଲା ତା' ପାଇଁ । ତେଣୁ ବାଧ୍ୟ ହେଇ ପାରାଦ୍ଵୀପ ଚାଲି ଆସି ଚିଙ୍ଗୁଡ଼ି କମ୍ପାନୀରେ କାମ କରିବା ଆରମ୍ଭ କରିଦେଇଥିଲା । ଭଲ ହେଲା ସେ ସେଜାଗା ଛାଡ଼ି ଦେଇ ଆସିଲା । କାରଣ ସେଇଠି ତାକୁ ତା'ର ପୁରୁଣା ସ୍ମୃତି ସବୁ ବ୍ୟତିବ୍ୟସ୍ତ କରି ପକାଉ ଥିଲେ । ଏମିତିକି କେହି ତାକୁ ବିସ୍ମୋୟୀ କିମ୍ବା ଛୋଟି ବୋଲି ଡାକି ଦେଲେ ଚିହିଁକି ଉଠିଥିଲା ସେ । ତେଣୁ ଏ ଜାଗାରେ ସେ ନିଜ ନାଁକୁ ପୁଣି ପରିବର୍ତ୍ତନ କରି କୁନି ରଖି ଦେଇଥିଲା 

ଏଇ ନାଁ ତାକୁ ଏକ ପ୍ରକାର ଶାନ୍ତି ପ୍ରଦାନ କରୁଥିଲା ବୋଧେ ।

ସେଇଠି ଦେଖା ହେଇଥିଲା ତା’ର ଚନ୍ଦ୍ରଶେଖର ସହିତ । ଚନ୍ଦ୍ରଶେଖର କାମ କରେ ତା କମ୍ପାନୀ ପାଖ ଆଉ ଗୋଟିଏ କମ୍ପାନୀରେ । ଚନ୍ଦ୍ରଶେଖର ତା' ରୂପରେ ମୁଗ୍ଧ ହେଇ ତା’ର ନିକଟତର ହେବାକୁ ଚେଷ୍ଟା କଲା ସେତିକିବେଳେ ଯେତେବେଳେ ସେ ପଛକଥା ସବୁ ଭୁଲି ନୂଆ ଜୀବନଟିଏ ବଞ୍ଚିବାକୁ ଚେଷ୍ଟା କରୁଥିଲା । ତେଣୁ ସେ ପ୍ରତି ତା’ର ଧ୍ୟାନ ନଥିଲା । ହେଲେ ଯେତେବେଳେ ସେ ନିଜ ଝିଅକୁ ନିଜ ପାଖରେ ରଖି ପାଠ ପଢ଼ାଇବାକୁ ନିଷ୍ପତି ନେଲା, ସେତେବେଳେ ଝିଅର ସ୍କୁଲରେ ନା ଲେଖେଇବା ବେଳେ ଝିଅର ବାପା ନା ପଚାରିବାରୁ କୁନି ନିରୁତ୍ତର ରହିଥିଲା । ନା ଲେଖାଉ ଥିବା ଶିକ୍ଷକ ତା ମୁହଁକୁ ଉତ୍ତର ଆଶାରେ ଚାହିଁଥିବା ବେଳେ ତା' ନିଜ ଛୋଟ ବେଳର ଘଟଣା ସବୁ ମନେ ପଡ଼ି ଯାଇଥିଲା । କେମିତି ଲୋକ ତାକୁ ଜାରଜ ଜାରଜ ବୋଲି କହି, ନିଜ ପାଖରୁ ଦୂରେଇ ଦେଉଥିଲେ । ତେଣୁ ଚିନ୍ତାକଲା, ସେନିଜ ଝିଅକୁ କେବେ ଜାରଜର ପରିଚୟ ଦେବ ନାହିଁ । ଶିକ୍ଷକ ଜଣକ ଆଉଥରେ ପଚାରିବାରୁ ପାଟିରୁ ବାହାରି ଆସିଲା ଚନ୍ଦ୍ରଶେଖର । ସେଇ ଦିନ ଠାରୁ ଚନ୍ଦ୍ରଶେଖର ସହିତ ମିଶିବା ଆରମ୍ଭ କରିଦେଇଥିଲା । ଦିନକୁ ଦିନ ସମ୍ପର୍କ ଘନିଷ୍ଠ ହେବାକୁ ଆରମ୍ଭ କଲା ହେଲେ କୁନି ଚନ୍ଦ୍ରିକା ସ୍କୁଲ୍ ରେ ବାପା ନା ଜାଗାରେ ତା ନାଁ ଲେଖିଛି ବୋଲି ଚନ୍ଦ୍ରଶେଖରଙ୍କୁ କହି ନଥିଲା କି କହୁନଥିଲା,ଯେ ସେ ବିବାହିତ ଏବଂ ଚନ୍ଦ୍ରିକା ତାରି ଝିଅ ବୋଲି । ଚିନ୍ତା କରିଥିଲା,ସମୟ ଆସିଲେ ଦିନେ ନିଶ୍ଚୟ ସବୁ ସତକଥା କହିଦେବ ଚନ୍ଦ୍ରଶେଖରଙ୍କୁ । ହେଲେ ଦିନେ ସେ ଶରୀର ଅସୁସ୍ଥ ପାଇଁ କାମକୁ ଯାଇନଥିଲା । ଏତିକିବେଳେ ଚନ୍ଦ୍ରଶେଖର ଆସି ପହଁଚିଲା, ତା ପାଖରେ । କୁନି ଘରେ ଥାଏ ବୋଲି ଯାହା ଗୋଟେ ପିନ୍ଧି ଦେଇ ଶୋଇ ଯାଇଥାଏ । କଥା ହେଉ ହେଉ ତା’ର ଏ ଅଧା ଫୁଙ୍ଗୁଳା ଦେହ ଦେଖି, ଚନ୍ଦ୍ରଶେଖର ବେକାବୁ ହେଇ ଯାଇଥିଲା । ବାରଣ କରିବା ସତ୍ତ୍ୱେ ସେ ନିଜର କାମନାକୁ ଚରିତାର୍ଥ କରି ଚାଲିଥିଲା ବାରମ୍ବାର । ହେଲେ ବିଚାରି କୁନି କିଛି କହି ପାରୁ ନଥାଏ ଯେହେତୁ ତା’ର ଆଶ୍ରା ଟିଏ ଲୋଡ଼ା ଥିଲା । ଏମିତି ଘଟଣା ଏଥର ପ୍ରାୟତଃ ଘଟୁଥିଲା ହେଲେ କୁନି କଥାରେ କଥାରେ କେତେଥର, ବିବାହ କରିବା କରିବା କଥା ପଚାରିବା ବେଳେ ଚନ୍ଦ୍ରଶେଖର ଏପଟ ସେପଟ କଥା କହି କଥା ବୁଲେଇ ଦିଏ । କୁନି ସବୁ ଜାଣି ପାରି ନୀରବ ରୁହେ ନିଜର ପରିସ୍ଥିତି ନେଇ । ସୁଖ ଦୁଃଖରେ ସାହାଯ୍ୟ କରୁଥିବା ଚନ୍ଦ୍ରଶେଖର, ମଣିଷ ହିସାବରେ ଖରାପ୍ ଲୋକ ନହେଲେ ମଧ୍ୟ ତା’ର ଏ କାମୁକ ପ୍ରବୃତ୍ତି ଆଦୌ ଭଲ ଲାଗେନି କୁନିକୁ । ତାକୁ ଲାଗେ, ସେ ଯେମିତି କେବଳ ବ୍ୟବହାର ହେଉଛି ଗୋଟିଏ କୁତ୍ରିମ ଯୌନ ଆକାଂକ୍ଷା ପୂର୍ତ୍ତି କଣ୍ଢେଇ ଟିଏ ଭଳି । ତେଣୁ ଚିନ୍ତା କରିନିଏ ଯେ ଏ ମଣିଷ ଆଦୌ ଠିକ୍ ନୁହେଁ ତା ପାଇଁ । ତା'ର ଏ ପ୍ରେମ କେବଳ ଏକ ଅଭିନୟ ମାତ୍ର । ତେଣୁ ସେ ଆଉ କିଛି ସତ କହିବ ନାହିଁ ବୋଲି ଚିନ୍ତା କରି ନେଇଥିଲା ସବୁଦିନ ପାଇଁ । ପ୍ରକୃତରେ ସେ ଆଦୌ ମାରିବାକୁ ଚାହୁଁ ନଥିଲା ଚନ୍ଦ୍ରଶେଖରକୁ ହେଲେ ଚନ୍ଦ୍ରଶେଖର ତା' ବିଷୟରେ ସବୁ ଜାଣିବାକୁ ଚେଷ୍ଟା କଲା ଏବଂ ସେ ଯଦି ତା’ର ପ୍ରକୃତ ଜନ୍ମ ସ୍ଥାନକୁ ପହଞ୍ଚି ଯାଇଥାନ୍ତା ତେବେ ସବୁ ଜାଣି ପାରିଥାନ୍ତା । ନଚେତ ତାକୁ ସବୁଦିନ ପାଇଁ ଏଇମିତି ଯୌନ ଦାସୀ ଟିଏ କରି ରଖି ଥାନ୍ତା । ତେଣୁ ତାକୁ ଏବେ ମାରିବାକୁ ବାଧ୍ୟ ହେଲା ସେ । ସେଇଥି ପାଇଁ ଆଜି ତା’ର ଏଇ ଅବସ୍ଥା ।

ଦିନଟା ଢଳି ଆସୁଥାଏ ପାହାଡ଼ ସେପାଖରୁ ଧୀର ମନ୍ଥର ଗତିରେ । ଗାଡ଼ି ଚାଲିଥାଏ ପାହାଡ ପର୍ବତ, ଉଠାଣି ଗଡାଣି ଦେଇ । ଚନ୍ଦ୍ରିକା କିନ୍ତୁ ଶୋଇ ଯାଇଥାଏ, ପଛ ସିଟ୍ ରେ ଖୁବ୍ ଆରାମରେ । ନା ଥାଏ ତା’ର କୌଣସି ଭୟ, ନା ଥାଏ କୌଣସି ଚିନ୍ତା । ଠିକ୍ ନିଜ ମା ଭଳି, ନିର୍ଭୀକ ଏବଂ ସମସ୍ତ ପରିସ୍ଥିତିକୁ ସାମ୍ନା କରିବାକୁ ସଦା ସତର୍କ ।

ପୁଣି ଟିକିଏ ପାଣି ପିଇ ଆଉ ଗୋଟିଏ ସିଗାରେଟ୍ ଲଗେଇ କୁନି ଚିନ୍ତାକଲା କେମିତି ସେ ସେଦିନ ରାତିରେ ଘରେ ଚନ୍ଦ୍ରଶେଖର ତାକୁ ଉପଭୋଗ କରିବା ପରେ ଥକି ଯାଇ ଶୋଇଥିବା ବେଳେ ଅତି ସତର୍କ ଭାବରେ ତାଙ୍କ ମୋବାଇଲ୍ ରୁ ତା'ର ପୋଲିସ୍ ବନ୍ଧୁଙ୍କର ନମ୍ବର ନେଇ ଆସିଥିଲା ଏବଂ ତାକୁ ଅନ୍ୟ ଏକ ଫୋନ୍ ରୁ ଫୋନ୍ କରି ନିଜ ପରିଚୟ ଗୁପ୍ତ ରଖି କଥାରେ ଫସେଇ ପ୍ରେମ ନିବେଦନ କରିଥିଲା । ପୋଲିସ୍ ବନ୍ଧୁ ମଧ୍ୟ ତା ମିଠାମିଠା କଥାରେ ଫସି ଯାଇଥିଲେ । ଦିନେ ତା ସହ କର୍ମଚାରୀଙ୍କୁ ଅନ୍ୟ ଏକ ନମ୍ବରରୁ ପୋଲିସ୍ ବନ୍ଧୁଙ୍କୁ ଫୋନ୍ କରି ଆସାମ୍ ପୋଲିସ୍ କହୁଚି ବୋଲି କହି ମିଛ କଥା କୁହାଇଥିଲା । ବନ୍ଧୁ ଜଣକ ଏତେ ଆଉ ସମୀକ୍ଷା ନକରି ସତ ଭାବି କଥାଟା ଜଣେଇ ଥିଲେ ଚନ୍ଦ୍ରଶେଖରକୁ । ଚନ୍ଦ୍ରଶେଖର ଯେଉଁ ଦିନ ଆସାମ୍ ଯିବା ପାଇଁ କୁନିକୁ କହିଲେ, ସେଇ ଦିନ ରାତିରେ କୁନି ଜାଣି ପାରିଥିଲା ଯେ ତା’ର ପ୍ଲାନ୍ ବିଗିଡ଼ିବାକୁ ଯାଉଛି । ତେଣୁ ସେ ନିଜର ସେଇ ଛଦ୍ମ ପରିଚୟ ବ୍ୟବହାର କରି ଡକେଇ ଥିଲା ପୋଲିସ୍ ବନ୍ଧୁଙ୍କୁ ଏକ କଫି ସପ୍ କୁ ଏବଂ ତାଙ୍କୁ ସେଇଠି ନିଜ ରୂପ, ଲାବଣ୍ୟ, କଥାରେ ଭୁଲେଇ ସତର୍କ ସହିତ କଫିରେ ବିଷ ଦେଇ ଦେଇଥିଲା । ଲୁଚାଇ ଦେଇଥିଲା ନିଜର ପରିଚୟ ଚନ୍ଦ୍ରଶେଖର ପାଖରେ ସବୁଦିନ ପାଇଁ ।

ରାତି ସାରା ଗାଡ଼ି ଚଲେଇବା ପରେ ସକାଳୁ ସକାଳୁ ସୂର୍ଯ୍ୟଙ୍କର ପ୍ରଥମ କିରଣରେ କୁନି ବାଟରେ ଗୋଟିଏ, ଚା ଦୋକାନ ପାଖରେ ଗାଡ଼ି ରଖି ଉଠେଇ ଦେଲା ନିଦରୁ ଚନ୍ଦ୍ରିକାକୁ ।

ଚନ୍ଦ୍ରିକା: ମାମା ଆମେ ଘରେ ପହଞ୍ଚି ଗଲେ କି ?

କୁନି: ନା ବେଟା ଆଉ ଟିକେ ଦୂର.... ଉଠ ଉଠ.....

କୁନି ନିଜେ ମୁଁହ ହାତ ଧୋଇ ଟିକେ ଫ୍ରେସ୍ ହେବା ସହିତ ଚନ୍ଦ୍ରିକାକୁ ସୁସୁ କରେଇଲା । ଦୋକାନରୁ ଗୋଟେ ସିଗାରେଟ୍ ପ୍ୟାକେଟ୍ ଆଉ ଚା କିଣିଲା । ଝିଅ ପାଇଁ କିଛି ସ୍ନାକ୍ସ ଆଉ ପାଣି ବଟଲ୍ ବି ଆଣିଲା । ଚନ୍ଦ୍ରିକାକୁ ଖାଇବାକୁ ଦେଇ ଦେଇ ଗାଡ଼ିରେ ଯାଇ ବସିବାକୁ କହିଲା । ପର୍ସରୁ ବାହାର କଲା ଫାଇଲ୍ ଟିଏ । କିଛି କାଗଜ ପତ୍ର ବାହାର କରୁ କରୁ ମନକୁ ମନ ତଳେ ଗଳି ପଡ଼ିଲା, ରଞ୍ଜନଙ୍କର ପୋଲିସ୍ ଡ୍ରେସ୍ ପିନ୍ଧା ଫୋଟୋ । ହଠାତ୍ କ’ଣ ପଡ଼ିଲା ବୋଲି ଦେଖିଲା ବେଳକୁ କୁନି ତଳକୁ ଅନେଇଲା । ଥର ଥର ହାତରେ ତଳୁ ରଞ୍ଜନଙ୍କର ଫୋଟୋ ସାଉଁଟିଆଣିବା ବେଳେ ଯେମିତି ବ୍ୟସ୍ତ ହେଇ ପଡ଼ିଥିଲା କୁନି । ନିଜ ଲୁଗା କାନିରେ ଫୋଟରେ ଲାଗିଥିବା ଧୁଳିକୁ ପୋଛୁ ପୋଛୁ କୁନି ଆଖିରୁ ମନକୁ ମନ ଦୁଇଟୋପା ଲୁହ ନିଗିଡ଼ି ପଡ଼ିଥିଲା ରଞ୍ଜନଙ୍କ ଫୋଟୋ ଉପରେ । ଦୀର୍ଘ ନିଶ୍ଵାସ ଟିଏ ଛାଡ଼ି, ଆଉ ଅଧିକ ଭାବ ପ୍ରବଣ ନହେଇ ଫୋଟୋକୁ ପୁଣି ପୁରେଇ ଦେଲା ଫାଇଲ୍ ଭିତରେ ତରତର ହେଇ । ପୂର୍ବରୁ ଖୋଜା ଖୋଜି କରି ରଞ୍ଜନ ରଖିଥିବା ନିଜ ଘର ପ୍ରକୃତ ଠିକଣା ବାହାର କଲା ଫାଇଲ୍ ଭିତରୁ । ଚା ଦୋକାନୀକୁ ପଚାରି ବୁଝିଲା ଠିକଣା । ଜାଣିଲା ତାକୁ ଆହୁରି ପାଖାପାଖି ଦେଢଶହ କିଲୋମିଟର ଯିବାକୁ ହେବ ।

ଏଥର ମୁଖ୍ୟ ରାସ୍ତାରୁ ଭାଙ୍ଗିଗଲା ନିଜ ଘର ଆଡ଼କୁ । ସେମିତି ଚିରାଚରିତ ପ୍ରଥାରେ ହାତରେ ସିଗାରେଟ୍, କାରରେ ପୁରୁଣା ହିନ୍ଦୀ ଗୀତ ଆଉ ଭାବନା ରାଜ୍ୟରେ ପୁରୁଣା କଥାକୁ ଘୋଷାରି ଆବୃତ୍ତି କରୁଥିଲା ନିଜ ମସ୍ତିଷ୍କ ଭିତରେ । ଡାଏରୀରେ ଲେଖା ହେଇଥିବା ଗୋଲପୂର୍ ଠାରୁ ତା ଘର ଗୋଏଲପୂର୍ ଅନେକ ଦୂର । ଏଇ ରହସ୍ୟ କେବଳ ସେ ହିଁ ଜାଣି ଥିଲା । ରହସ୍ୟ ରହିଥିଲା ଗୋଲପୂର୍ ଆଉ ଗୋଏଲପୂର୍ ମଧ୍ୟରେ । ମନେ ମନେ ଧନ୍ୟବାଦ୍ ଦେଉଥିଲା ଭାରତୀ ମାଉସୀକୁ ଯେ ଯା ହେଉ, ସେଦିନ ସେ ଡାଏରୀରେ ଭୁଲ୍ ଲେଖିଥିଲେ ବୋଲି ଆଜି ଚନ୍ଦ୍ରଶେଖରଙ୍କୁ ଭ୍ରମରେ ପକାଇବାକୁ ସହଜ ହେଇଥିଲା ତା'କୁ । ଲେଖା ହେଲା ବେଳେ ସିନା ସେ ଜାଣି ପାରିନଥିଲା ପାଠ ପଢ଼ି ନଥିଲା ବୋଲି ହେଲେ, ନିଜ ଝିଅ ପାଇଁ ଯେତେବେଳେ ତାକୁ ରଞ୍ଜନ ପାଠ ପଢ଼ାଇଥିଲେ, ସେତେବେଳେ ସେ ପଢ଼ି ଜାଣି ପାରିଥିଲା ଭୁଲ ଟିକୁ । ହେଲେ ସେତେବେଳେ ମଧ୍ୟ ସେ ସଂଶୋଧନ କରିନଥିଲା । ଯାହା ବର୍ତ୍ତମାନ ତା' ପାଇଁ ବରଦାନ ସାବ୍ୟସ୍ତ ହେଲା । ଏମିତି ଅନେକ କଥା ଭାବୁ ଭାବୁ ସେଇ ପହଞ୍ଚି ଯାଇଥିଲା ଠିକ୍ ଗୋଏଲ୍ ପୂର୍ ଷ୍ଟେସନ ପାଖରେ ।

ଦୂରରୁ ଷ୍ଟେସନ୍ କୁ ଦେଖି ଆତ୍ମହରା ହେଇ ପଡ଼ିଥିଲା । ସେ ଦେଖି ପାରୁଥିଲା ଛାଡ଼ି ଯାଇଥିବା ସ୍ମୃତି ସବୁକୁ । ବିଶେଷ କିଛି ବଦଳି ନଥିଲା ପରିବେଶ । ଯେମିତି ଛାଡ଼ିକି ଯାଇଥିଲା ଠିକ୍ ସେମିତି । ଆସ୍ତେ ଆସ୍ତେ ମନେ ପଡ଼ି ଯାଉଥିଲା ସବୁକିଛି ତା'ର । ଷ୍ଟେସନ ବାହାରେ ଦେବଦାରୁ ଗଛ ତିନିଟା ସେମିତି ଠିଆ ହେଇଥିଲେ । ଆଉ ବରଗଛକୁ ଲାଗି ଛୋଟ ହୋଟେଲଟା ସେମିତି ହିଁ ଅଛି । ଖାଲି ଯା ଚାଳ ଘରରୁ ଆଜବେଷ୍ଟ ଘର ହେଇ ଯାଇଛି। ମାଟି ରାସ୍ତା ଜାଗାରେ ପକା ରାସ୍ତା ଆଉ, ଆଉ କିଛି ନୂଆ ଦୋକାନ ଗଢ଼ି ଉଠିଛନ୍ତି । ହେଲେ ରାସ୍ତା ସାଇଡରେ ଧରି ହେଇ ଠିଆ ହେଇଥିବା ଗୋଟିଏ ବି ଘୋଡ଼ା ଗାଡ଼ି ନାହିଁ । ସେଇ ଜାଗାରେ ଏବେ କିଛି ଅଟୋ ରିକ୍ସା ଠିଆ ହେଉଛନ୍ତି । ବରଗଛ ପାଖ ହୋଟେଲ୍ କୁ ଯାଇ ପଚାରିଲା, ତା ଜୀବନକୁ ନର୍କ କରିଦେଇଥିବା ସେଇ କଥା କହି ପାରୁନଥିବାର ଅଭିନୟ କରୁଥିବା ବାଦାମ୍ ବାଲା କଥା । ହେଲେ ହୋଟେଲ୍ ମାଲିକ ତା କଥା ଶୁଣି ଆଶ୍ଚର୍ଯ୍ୟ ହେଇ ଯାଇଥିଲା ।

ହୋଟେଲ୍ ମାଲିକ: ସେ ତ ଅନେକ୍ ଦିନ କଥା । ତୁମେ ତାକୁ କେମିତି ଜାଣିଲ ଝିଅ ? ସିଏତ ଆଉ ନାହିଁ ।

କୁନି: ନାହିଁ ମାନେ?

ହୋଟେଲ୍ ମାଲିକ: ହଁ ଝିଅ, ସେ ତ ଦଶ ବର୍ଷ ତଳେ ଏଇ ବରଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲା ।

କୁନି: ହେଲେ କାହିଁକି ? ଜିଜ୍ଞାସୁ ହେଇ ପଚାରିଲା କୁନି ।

ହୋଟେଲ୍ ମାଲିକ: ସେ ବାହା ହେଇଥିଲା ଜଣକୁ । କିଛି ଦିନ ପରେ ତା’ର ଝିଅଟିଏ ହେଲା । ହେଲେ ଯେତେବେଳେ ତା ସ୍ତ୍ରୀ ଜାଣି ପାରିଲା ଯେ ସେ ପ୍ରକୃତରେ ମୁକ କି ବଧିର ନୁହେଁ, କେବଳ ଲୋକଙ୍କୁ ଭୁଆଁ ବୁଲେଇ ପଇସା ରୋଜଗାର କରୁଛି । ସେଇଦିନ ତାକୁ ଛାଡ଼ି ଚାଲିଗଲା ତା' ବାପା ଘରକୁ । ହେଲେ ଯେଉଁଦିନ ତା' ଝିଅ ଆଉ କାହାକୁ ବାପା ବୋଲି ଡାକିଲା, ସେଇଦିନ ଆସି ମୋ ପାଖରେ ବହେ କାନ୍ଦିଲା । ମୁଁ ତାକୁ ବହୁତ୍ ବୁଝେଇଲି ହେଲେ କ'ଣ ହେଲା କେଜାଣି, ଆମେ ହୋଟେଲ୍ ବନ୍ଦ୍ କରି ଯିବା ପରେ କେତେବେଳେ କେଜାଣି ରାତି ଅଧରେ ବୋଧେ ଏଇ ବରଗଛରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କଲା ।

କୁନି: ଆଚ୍ଛା.....

ହୋଟେଲ ମାଲିକ: ଆଚ୍ଛା ଝିଅ ଏତେ ବର୍ଷ ପରେ, ତୁମେ କାଇଁ ତାଙ୍କୁ ଖୋଜୁଛ କହିଲ ?

କୁନି: ସେ କିଛି ନୁହେଁ । ତା' ସହିତ ମୋର ଗୋଟିଏ ପୁରୁଣା ହିସାବ ବାକି ଥିଲା । ହଉ ଛାଡ଼......ସେ ତ ଆଉ ଏ ଦୁନିଆରେ ନାହିଁ, ଆଉ ତା' କଥା ଆଲୋଚନା କରି ଲାଭ କ'ଣ ? ହଉ ଆଜ୍ଞା, ଆପଣ କହି ପାରିବେ କି ଏଇ ଗୋଏଲପୁର୍ ଗାଁକୁ ରାସ୍ତାଟା କୁଆଡ଼େ?

ହୋଟେଲ ମାଲିକ: ହଁ ଏମିତି, ଏଇ ଜଙ୍ଗଲ ରାସ୍ତା ଦେଇ ତିନି କିଲୋମିଟର ଗଲା ପରେ ଗୋଟିଏ ଛକ ପଡ଼ିବ ସେଇ ଛକରୁ ପାହାଡ଼ ଉପରକୁ ଯେଉଁ ଗାଁ, ସେଇ ଗାଁଟା ଗୋଏଲ୍ ପୂର୍ । ଆଛା ଝିଅ , କାହା ଘରକୁ ଯିବକି ?

କୁନି: ଜାଣିନି.... ଗଲେ ଜଣା ପଡ଼ିବ.....

ହୋଟେଲ ମାଲିକ, ଆଶ୍ଚର୍ଯ୍ୟ ହେଇ ଚାହିଁ ଥିଲେ କୁନିର ଉତ୍ତର ଶୁଣି । କୁନି କିନ୍ତୁ ଆଉ ପଛକୁ ବୁଲି ଚାହିଁ ନଥିଲା । ଯାଇ ଗାଡ଼ିରେ ବସି ଷ୍ଟାର୍ଟ କଲା ଗାଡ଼ି । ଗାଡି ବୁଲଉ ବୁଲଉ ଚିନ୍ତାକରୁଥିଲା , ଯେ ଯାହା ପାଇଁ ଗୋଟିଏ ନିରୀହ ଜୀବନ ଜୀବନ ନର୍କ ହେଇଗଲା, ତା'କୁ କ'ଣ ଭଗବାନ କେବେ ଆଉ ଶାନ୍ତିରେ ରହିବାକୁ ଦେଇ ଥାନ୍ତେ ! ଭଲ ହେଇଛି, ସେ ମନକୁ ମନ ଚାଲି ଯାଇଛି । ମନେ ମନେ ଭଗବାନଙ୍କୁ ଧନ୍ୟବାଦ୍ ଦେଲା । ଯା' ହେଉ ତା'କୁ ଆଉ ଏକ ହତ୍ୟା କରିବାରୁ ନିବୃତ ରଖିଲେ । ନହେଲେ ତ,ସେ ସମ୍ପୂର୍ଣ ଭାବରେ ପ୍ରସ୍ତୁତ ହେଇ ଆସିଥିଲା ଆଉ ଏକ ହତ୍ୟାର ଯୋଜନାରେ।

ଛକରେ ପହଞ୍ଚି ପାହାଡ ଉପରକୁ ଯେତେ ଆଗକୁ ଆଗକୁ ଯାଉଥିଲା ତା'ର କିଛି କିଛି ମନେ ପଡ଼ି ଯାଉଥିଲା ପିଲା ଦିନର କଥା । ଏଇତ ବୋଧେ ସେଇ ପଥର ପାଚେରୀ ଯାହାକୁ ଧରି ଧରି ଦିନେ ସେ ପାହାଡ଼ ତଳକୁ ଓହ୍ଲାଉ ଥିଲା ତା ସାଙ୍ଗ ନରେନ୍ଦ୍ର ସାଙ୍ଗରେ । ଟିକିଏ ଆଗକୁ ଗାଁ ଦେଖାଗଲା । ଅନେକ ପରିବର୍ତ୍ତନ ହେଇ ଯାଇଥିଲା ତା' ଗାଁ । କିଛି କିଛି ଚିହ୍ନି ହେଉଥିଲା କିନ୍ତୁ ଅନେକ ନୂଆ ଘର, ଦୋକାନ ସବୁ ଭର୍ତି ହେଇଯାଇଥଲା ଏବେ । ତଥାପି ଏପର୍ଯ୍ୟନ୍ତ ସେ ସନ୍ଦେହରେ ଥିଲା ଯେ ଏଇଟା ସେଇ ଗାଁ ତ ? କାଇଁ କାହାକୁ ତ ଚିହ୍ନି ପାରୁନି ସେ.....। 

ହଠାତ୍ ବୁଢ଼ା ଟିଏ ଚାଲି ଆସିଲା ତା ଗାଡ଼ି ଆଗକୁ । ଦେଖି ହଠାତ୍ ବ୍ରେକ୍ ମାରିଲା ଗାଡ଼ିର । ସନ୍ଦେହରେ ନିରିଖି ଦେଖିଲା ତାକୁ । ଏଇ କି ନରେନ୍ଦ୍ରର ବଡ଼ ବାପା । ଯିଏ ତାକୁ ସବୁବେଳେ ବାହା ହେବ ବୋଲି ଚିଡ଼ାନ୍ତି । ମୁହଁରେ ଥିବା ଦି ଚାରି କେରା ଦାଢ଼ି ଚୁଟି ସବୁ ପାଚି ଗଲାଣି । ହେଲେ ଏବେ ବି ମୁହଁଟା ପ୍ରାୟ ପ୍ରାୟ ଚିହ୍ନି ପାରୁଚି ସିଏ । ବାଟ ଯାକ କେତେ ଲୋକଙ୍କୁ ଦେଖି ଦେଖି ଆଗକୁ ଯାଉଥିଲା ହେଲେ ନା.........ସେ ଆଉ କାହାକୁ ବି ଚିହ୍ନି ପାରୁନି । ସମସ୍ତେ ତା' ଭଳି ଦେଖା ଯାଉଛନ୍ତି । ଉଁଚା କପାଳ, ଗୋରା ଦେହ ସାଙ୍ଗକୁ ମିଞ୍ଜି ଆଖି ଆଉ ଚେପା ନାକ । ସମସ୍ତଙ୍କର ପ୍ରାୟ ଗୋଟିଏ ପ୍ରକାରର ପରିଧାନ । କିଛି କିଛି ଫୁଲ୍ ହାତର ବ୍ଲାଉଜ ସାଙ୍ଗକୁ ଶାଢ଼ୀ ଆଉ କିଛି କିଛି ଲୁଗାକୁ ଭିନ୍ନ ପ୍ରକାରର ଗୁଡ଼େଇ ତଳକୁ ଛାଡ଼ି ଦେଇଥାନ୍ତି । ହଁ,... ହେଲେ ବି ସମସ୍ତେ ଏଠି ତା'ର ନିଜର ନିଜର ଲାଗୁଛନ୍ତି । ଯେତିକି ଖୁସି ହେଉଥାଏ, ସେତିକି ଭୟଭୀତ ହେଉଥାଏ ମଧ୍ୟ । ଚିନ୍ତା କରୁଥାଏ, କେଜାଣି ସେ ତା ମାଆକୁ ଚିହ୍ନି ପାରିବ କି ନାହିଁ, ଆଉ ଯଦି ସେମାନେ ତାକୁ ଚିହ୍ନି ନପାରନ୍ତି ......ତେବେ...!...ତେବେ କ'ଣ ହେବ ? ତା'ର ଏତେ ଦିନର ଶ୍ରମ ବୃଥା ଯିବନିତ ଆଉ....! ହଉ...... ଯାହା ହଉ, ସେ ଚେଷ୍ଟା କରିବ ନିଶ୍ଚୟ । ଆଜି ପର୍ଯ୍ୟନ୍ତ ସେଇଆ ହିଁ ତ କରି ଆସିଛି । ଧିର ମନ୍ଥର ଗତିରେ ଗାଡ଼ି ଗଡ଼ୁଥାଏ ଗାଡ଼ି ଗାଁ ଭିତରେ । ନିଜର ହେଲେ ବି ନୂଆ ନୂଆ ଲାଗୁଥାଏ ତାକୁ ଏ ପରିବେଶ । ଓଡ଼ିଶା ଭଳି ନୁହେଁ.... ବରଂ ଏଠି ଗୋଟେ ଘର ହେଲେ ଆଉ ଗୋଟେ ଘର ଯାଇ ସେଠି, ଦୂରକୁ ଦୂର ......। ଆଉ ବାଟ ଯାକ ଦେଖିଦେଖି ଆସିଥିବା ପାହାଡ଼ ତଳ ଗାଁ ଗୁଡ଼ିକ ପାହାଡ଼ ଉପର ଗାଁ ଅପେକ୍ଷା ବହୁତ୍ ଅଲଗା । ତାଙ୍କ ବେଶ ପୋଷାକ ବି ଭିନ୍ନ । 

ଚାଲୁ ଚାଲୁ ହଠାତ୍ କାଇଁ ଗାଡ଼ି ବ୍ରେକ ଉପରେ ଗୋଡ଼ ଦାବି ହେଇଗଲା ମନକୁ ମନ । ସେ ଜାଗାଟା ତାକୁ ଯେମିତି ସମ୍ପୂର୍ଣ୍ଣ ନିଜର ଲାଗୁଥିଲା.. ହଁ ହଁ ଯେମିତି ତା’ର ସବୁକଥା ମନେ ପଡ଼ି ଯାଉଛି.....। ଏଇତ....ଘର ଆଗରେ ବଗିଚା ଯେମିତି ଥିଲା ସେମିତି । ଖାଲି ଯାହା ପଥରର ଅସ୍ଥାୟୀ ପାଚେରୀ ଜାଗାରେ ଇଟା ସିମେଣ୍ଟ ଦିଆ ପାଚେରୀ ଠିଆ ହେଇଚି ହେଲେ ଘର ଯେମିତି ଥିଲା ସେମିତି । କାଇଁ କିଛିତ ବଦଳିନି ଏତେ ବର୍ଷ ଭିତରେ.....। ଆଉ ମଣିଷ ମାନେ........!!! ମଣିଷ ମାନେ କ'ଣ ସେମିତି ଥିବେ? ଯେମିତି ଥିଲେ.... କେଜାଣି…! ଆଖିରେ ତା'ର ଲୁହ ଜକେଇ ଆସୁଥାଏ......ହେଲେ ନିଜକୁ ସମ୍ଭାଳିବାକୁ ପଡ଼ିବ ନିଶ୍ଚୟ । ନିଜକୁ ଉପସ୍ଥାପନା କରିବାକୁ ପଡ଼ିବ ସମସ୍ତଙ୍କ ଆଗରେ ......ସବୁକଥା କହିବାକୁ ହେବ......ନିଜ ଝିଅକୁ ଚିନ୍ହେଇ ଦେବାକୁ ହେବ.....ଆହୁରି ପୁଣି କେତେ କଥା ଅଛି । ଚଳ ଚଞ୍ଚଳ ହେଇ ଉଠୁଥିଲା ପ୍ରାଣ ତା'ର ହେଲେ ଏତିକି ବେଳକୁ ଅମାନିଆ ଲୁହଟା କ'ଣ ସୁଣୁଚି ଭଲା.....? ହାତ ମାରି ଝିଅକୁ ଉଠେଇଦେଲା । ଚନ୍ଦ୍ରିକା ବି ଆଖି ମଳି ମଳି ଉଠିଗଲା ନିଦରୁ ।

ଚନ୍ଦ୍ରିକା: କ’ଣହେଲା ମାମା....ଘର ହେଇଗଲା କି ?

କୁନି: ହଁ ବେଟା ..... ଉଠ୍ ଉଠ୍.... ଦେଖ୍ ଆମ ଘର ହେଇଗଲା...

ଚନ୍ଦ୍ରିକା ଗାଡ଼ି ଭିତରୁ ଦେଖିଲା ଘରକୁ....କ’ଣଚିନ୍ତା କଲା କେଜାଣି.... ପଚାରିଲା, “ ମାମା, କାଇଁ ଆମ ଘର ?”


କୁନି: ଏଇ ବା....... ଏଇତ, ଆମ ନିଜ ଘର.....

ଚନ୍ଦ୍ରିକା, କିଛି ବୁଝି ପାରିଲାନି ବିଚାରି, କେବଳ ଅନେଇ ରହିଲା ନିଜ ମାମାକୁ । ଗାଡ଼ି ଭିତରୁ ଏପଟ ସେପଟକୁ ଚାହୁଁ ଥାଏ ଆଉ ମନେ ମନେ ଖୋଜୁ ଥାଏ, ତା ଘରକୁ । କେଜାଣି ସେ କେତେ କଥା ଭାବି ପକାଉ ଥାଏ ତା କଁଳ ମସ୍ତିଷ୍କରେ । ଏଇ ସମୟ ଭିତରେ କୁନି, ଭାରତୀ ମାଉସୀ ଲେଖିଥିବା ଡାଏରୀରେ ଅଠା ଦେଇ ଲଗା ହେଇଥିବା କାନ ଫାସିଆ ଦିଟା ବାହାର କଲା ତରତର ହେଇ ଆଉ ନିଜ କାନରୁ ଲଗେଇଥିବା ଇଅର୍ ରିଙ୍ଗକୁ ବାହାର କରି ପିନ୍ଧି ନେଲା ଏଇ ଦୁଇଟିକୁ । କାନ ହିସାବରେ ଖୁବ୍ ଛୋଟ ଦିଶୁଥିଲା ଫାସିଆ ଦିଟା । ଗାଡ଼ି ସାମ୍ନା ମିରର୍ ରେ ନିଜକୁ ଦେଖି ଟିକିଏ ହସିଲା କୁନି । 

ଏଥର ଗାଡ଼ିରୁ ବାହାରି ଆସି ଗାଡ଼ିର ପଛ କବାଟ ଖୋଲି ଚନ୍ଦ୍ରିକାକୁ ଗାଡ଼ିରୁ ଓଲ୍ହେଇବା ପାଇଁ କହିଲା । ମା ଝିଅ ଦୁହେଁ ମିଶି ପାଦ ବଢ଼େଇଲେ ଆଗକୁ, ତାଙ୍କ ନିଜ ଘର ଆଡ଼କୁ । ଆଗକୁ ଯିବାକୁ ଯେତିକି ମନ ହେଉଥାଏ, ସେତିକି ଭୟ ବି ଲାଗୁଥାଏ ଆଉ ଉତ୍କଣ୍ଠା ବି ବଢ଼ି ବଢ଼ି ଯାଉଥାଏ । ବଗିଚା ଡେଇଁ କବାଟ ପାଖରେ ପହଞ୍ଚି କବାଟ ଖିଡ଼ିକି ବାଡେଇଲା ଜୋର୍ ଜୋର୍ କରି ଅସ୍ୱାଭାବିକ ଭାବରେ । ତାକୁ ଲାଗୁଥିଲା,ଏଇଟା ତା'ର ନିଜ ଘର । ସେ ଯେମିତି ବି କରି ପାରିବ ଏଇଠି । ତାକୁ କେହି କିଛି କହି ପାରିବେନି ।

ଆଉ ଥରେ କବାଟ ବାଡେଇଲା...... ଠକ୍ ଠକ୍ ଠକ୍.....

କେହି ଜଣେ.....ଘର ଭିତରୁ ହଁ ହଁ .....ଆସୁଚି ବୋଲି କହୁଥିଲେ.....

ହେଲେ କୁନି ବାରି ପାରୁ ନଥିଲା ତା' କଣ୍ଠ ସ୍ୱର ହେଲେ ଜାଣି ପାରୁଥିଲା ଅଳ୍ପ ବୟସର ଝିଅଟିଏ । କେଜାଣି କିଏ ହେଇଥିବ...! ସେ ଆଉ ଭୁଲ୍ ଘରକୁ ଚାଲି ଆସିନି ତ ! ଏମିତି କେତେ ଭାବନା ଭିତରେ ଝିଅଟିଏ ଆସି କବାଟ ଖୋଲିଲା ।

ଝିଅ: ହଁ......କାହାକୁ ଖୋଜୁଛ..…?

କୁନି ଚାହିଁ ରହିଥିଲା ତାକୁ.....

ଝିଅ: ଆରେ କହୁନ କାହାକୁ ଖୋଜୁଛ......

କୁନି ଅବାକ୍ ହେଇ ରହି ଯାଇଥିଲା ଝିଅଟିକୁ ଦେଖି । ଦେଖିବାକୁ ଠିକ୍ ତାରି ଭଳି । ବୋଧେ କେବଳ ବୟସର ପାର୍ଥକ୍ୟ । କିଛି ବର୍ଷ ତଳେ, ସେ ବି ଠିକ୍ ଏମିତି ଦେଖା ଯାଉଥିଲା । ପାଟିରୁ କିଛି କଥା ବାହାରୁ ନଥାଏ କୁନିର । ଚନ୍ଦ୍ରିକା ଚାହିଁ ଥାଏ ତା' ମାମାକୁ, ମାମାର ଡ୍ରେସ୍ କୁ ଜାବୁଡ଼ି ଧରି । ହେଲେ ଯେତେବେଳେ ଝିଅଟି ଟିକେ ବଡ଼ ପାଟି କରି ଆଉ ଥରେ ପଚାରିଲା, ଆରେ.....କାହାକୁ ଖୋଜୁଛ.... ମା ଝିଅ ଦୁହେଁ ଚମକି ପଡ଼ିଲେ...ଆଉ କୁନି ପାଟିରୁ ବାହାରି ଆସିଲା, “ମା”........


ଝିଅ: ମା.....!!! କାହା ମା.....?

କୁନିକୁ ଆସାମୀ କହି ଆସୁ ନଥାଏ, ହେଲେ ବୁଝି ପାରୁଥାଏ ସେ ସବୁ । ତେଣୁ କୁନି ଆଉ ଥରେ କହିଲା, ମା.....

ଝିଅଟି କିଛି ବୁଝି ପାରୁ ନଥାଏ..., ହେଲେ ଭିତରୁ ଗୋଟେ ଶବ୍ଦ ଆସିଲା, ତାକୁ ଆସିବାକୁ ଦେ ଶାନ୍ତି.....

କୁନି ଅସ୍ପଷ୍ଟ ଦେଖି ପରୁଥାଏ ଜଣେ ମହିଳାଙ୍କୁ , ଠିଆ ହେଇଛନ୍ତି ଘର ଅନ୍ଧାର ଭିତରେ । କୁନିର ହୃତ୍ ସ୍ପନ୍ଦନ ଆହୁରି ବଢ଼ି ବଢ଼ି ଚାଲିଥାଏ ହେଲେ ଚନ୍ଦ୍ରିକାକୁ ଛାଡ଼ି ଦେଇ ଆଉ ଝିଅ ଟିକୁ ଆଡେ଼ଇ ଦେଇ ଚାଲିଗଲା ଘର ଭିତରକୁ । ଏଥର ମା ଝିଅ ସାମ୍ନାସାମ୍ନି......। କୁନି ଚାହିଁ ଥାଏ ତା' ମାଆକୁ ଆଉ ମା ଚାହିଁ ଥାଆନ୍ତି କୁନିକୁ । କୁନିର ମାଆ ଥର ଥର ହାତକୁ ବୁଲେଇ ଆଣିଲେ କୁନି ମୁହଁସାରା । ହେଲେ ଅଟକି ରହିଗଲା ତାଙ୍କ ହାତ ଠିକ୍ କୁନିର କାନ ଫାସିଆ ପାଖରେ । କୁନି ଲୁହ ଭରା ମୁହଁରେ ମୁଣ୍ଡ ହଲେଇ ସହମତି ଦେଲା ଯେ, ହଁ ସିଏ ହିଁ ତା'ର ସେଇ ଝିଅ ଯିଏ ତା ଠାରୁ ଦୂରକୁ ଚାଲି ଯାଇଥିଲା ଅନେକ ଦିନ ତଳେ । ମା ଝିଅ କୋଳା କୋଳି ହେଇ ଯାଇଥିଲେ । ଦୁହିଁଙ୍କ ଆଖିରେ ଲୁହର ବନ୍ୟା । ହେଲେ ସେ ଝିଅଟି କିଛି ବୁଝି ପାରୁ ନଥାଏ । କ'ଣ ହେଇ ଯାଉଛି ଏସବୁ । ଇଏ କିଏ, ୟାକୁ ତ ଆଗରୁ କେବେ ଦେଖିନି ସେ, କାହିଁକି ଏମାନେ ଏମିତି କାନ୍ଦୁଛନ୍ତି, ଏମିତି ଏମିତି ଅନେକ ପ୍ରଶ୍ନ ଭରା ଆଖି ହଳେ ଚାହିଁ ରହିଥାଏ ମା ଝିଅ ଦୁହିଁଙ୍କୁ । ଚନ୍ଦ୍ରିକା କିନ୍ତୁ ମାଆର କାନ୍ଦ ଦେଖି ରହି ପାରିଲାନି ଆଉ । ସେ ବି କାନ୍ଦି ପକେଇଲା ।

କୁନିର ମା: ଆଲୋ ଇଏ କିଏ କିଲୋ?

କୁନି: ଇଏ ତୋ ନାତୁଣୀ ।

କୁନି ଆଉ ଆସାମୀ କହି ପାରୁ ନଥିଲା ହେଲେ ମା ସବୁ ବୁଝି ଯାଇଥିଲେ ତା' ଭାବରୁ । ଚନ୍ଦ୍ରିକାକୁ କୋଳରେ ଉଠେଇ ନେଇ ବହୁ ଗେଲ କଲେ ହେଲେ ଚନ୍ଦ୍ରିକା ଅଚିହ୍ନା ବାରି ଚାଲି ଆସିଲା ତାଙ୍କ କୋଳରୁ ।

କୁନି: ସେ ଜମା ଯିବନି ଗୋ କୋଉ ଅଚିହ୍ନା ଲୋକ ପାଖକୁ । ତାକୁ ସେଇଭଳି ଶିକ୍ଷା ଦେଇଛି ମୁଁ କାରଣ ମୁଁ ଚାହେଁନି, ମୋ ଭଳି ମୋ ଝିଅ ବି ଏ ଅଚିହ୍ନା ମଣିଷ ମାନଙ୍କର ଶିକାର ହେଉ।

କୁନି ମା: ଆଲୋ ତୁ ଏମିତି କ’ଣକହୁଚୁ? ମୁଁ ପରା ତା’ର ଆଇ । କ'ଣ ମୋ ପାଖକୁ ବି ଆସିବନି ?

ଶାନ୍ତି, ମନ ଦେଇ ବୁଝିବାକୁ ଚେଷ୍ଟା କରୁଥାଏ ଦୁହିଙ୍କ କଥାରୁ । ବାପା ମାଆଙ୍କ ଠାରୁ ସବୁବେଳେ ଶୁଣୁଥିଲା, ଯେ ତା’ର ଗୋଟେ ବଡ଼ ଭଉଣୀ ଥିଲା । ଦିନେ ଅନ୍ଧାରରେ କୁଆଡେ଼ ହଜିଗଲା ଯେ ଆଉ କେହି ପାଇଲେନି ତାକୁ । ସମସ୍ତେ କୁହନ୍ତି, ତାକୁ କାଳେ ଠାକୁରାଣୀ ଖାଇଗଲେ । ଇଏ ସେଇ ନୁହେଁ ତ ! ହେଲେ ମା ଯେତେବେଳେ ବିସ୍ମୋୟୀ ବୋଲି ଡାକିଲେ କୁନିକୁ, ସେତେବେଳେ ଶାନ୍ତି ବି ବୁଝିଗଲା ଯେ ଇଏ ହେଉଛି ତା’ର ସେଇ ଦିନେ ହଜି ଯାଇଥିବା ବଡ଼ ଭଉଣୀ । ଏକଥା ଜାଣି ତା' ଖୁସିର ସୀମା ରହିଲା ନାହିଁ ।

ଶାନ୍ତି: ଓହୋ.......ଘର ଭିତରକୁ ଯିବା ନା ଏଇଠି ଠିଆ ହେଇ ଖାଲି କନ୍ଦା କଟା କରିବ ? ଆ ଦେଇ ଘର ଭିତରକୁ ଆ ।

ସମସ୍ତେ ମିଶି ଘର ଭିତରକୁ ଗଲେ । ଶାନ୍ତି କାଖେଇ ନେଇଗଲା ଚନ୍ଦ୍ରିକାକୁ । ଚନ୍ଦ୍ରିକା ଆଉ କୁନିକୁ ଖଟ ଉପରେ ବସେଇ ଦେଇ ଚାଲିଗଲା ବାରି ପଟକୁ । କୁନି ଅନୁଭବ କରି ପାରୁଥିଲା ପ୍ରତ୍ୟେକ କାନ୍ଥ କବାଟକୁ । ଘର ଭିତରଟା ଯେମିତି ଥିଲା ଏବେ ବି ସେମିତି । ହଁ ପରିବର୍ତ୍ତନ ତ ହେଇଛି କେବଳ ଘରୋଇ ଉପକରଣ। ହେଲେ ସେଇ ପରିବର୍ତ୍ତନ ଭିତରେ କୁନିର ନଜର ପଡ଼ିଲା କାନ୍ଥର ଗୋଟିଏ ଜାଗାରେ ଟଙ୍ଗା ହେଇଥିବା ହୋଇଥିବା ତା' ବାପାଙ୍କ ଫୋଟୋ ଉପରେ ।

କୁନି: ମା..... ଏ କ'ଣ ? ବାପାଙ୍କ ଫୋଟୋ କାଇଁ ଟଙ୍ଗା ହେଇଛି ? ବାପା କାହାନ୍ତି ?

କୁନି ମା ନିଜକୁ ଆଉ ଜମା ସମ୍ଭାଳି ପାରିଲେନି । ଝିଅକୁ ପାଇବା ଖୁସିର ଲୁହ ସୁଖି ନଥାଏ ଆଖିରୁ, ହେଲେ କୁନିର ପ୍ରଶ୍ନରେ ଭୋ କିନା କୁନିକୁ ଧରି କାନ୍ଦି ଉଠିଲେ ସେ ।

କୁନି: କ’ଣହେଇଛି, ମା ତୁ କାନ୍ଦୁଛୁ କାହିଁକି ?

କୁନି ମା: ତୋ ବାପା ଆଜିକୁ ତିନି ବର୍ଷ ତଳେ ଆମକୁ ଛାଡ଼ି ଚାଲି ଯାଇଛନ୍ତି । ଅନେକ ଦିନ ଜରରେ ପଡ଼ିଲେ ସେ । ଡାକ୍ତର ରୋଗ ଧରି ପାରିଲେନି ଯେ ସେମିତି ପଡ଼ି ପଡ଼ି ହିଁ ଚାଲିଗଲେ ।

ଏକଥା ଶୁଣି କୁନି ବି ଅନେକ କାନ୍ଦିଲା ବାପାଙ୍କର ତା ସହିତ ସ୍ମୃତି ସବୁକୁ ମନେ ପକେଇ । ହେଲେ ଦୁଃଖ ଠାରୁ ଆହୁରି ଦୁଃଖକୁ ପାଣି ଭଳି ପିଇ ଯାଇଥିବା କୁନି ମାଙ୍କୁ ଧର୍ଯ୍ୟ ଧରିବାକୁ ଆଶ୍ଵାସନା ଦେଇ ନିଜ ଲୁହକୁ ମା ପଣତ କାନିରେ ପୋଛି ପକେଇଲା । ମା କୋଳରେ ମୁଣ୍ଡ ରଖି ନୀରବି ଗଲା କିଛି ସମୟ ପାଇଁ । ମା କୁନିର ମୁଣ୍ଡକୁ ଆଉଁସିଲା ବେଳେ ଚନ୍ଦ୍ରିକା ଧସେଇ ପଶିଲା ତା ମାଆ କୋଳକୁ । ଆଇ ମା କୋଳେଇ ନେଲେ ନାତୁଣୀକୁ ମଧ୍ୟ ନିଜ କୋଳକୁ ।

କୁନି: ମା ଲୋ...!

ମା: ଉଁ....?

କୁନି: ମୋତେ କେମିତି ଚିହ୍ନି ପାରିଲୁ ଗୋ ?

ମା: କି କଥା କହୁଚୁ ତୁ ? ମା ହେଇ ନିଜ ଛୁଆକୁ ଚିହ୍ନି ପାରିବିନି ? ହେଲେ ତୁ ଏତେ ଦିନ ଯାଏଁ କୋଉଠି ଥିଲୁ ? ତୋର କ'ଣ ଟିକିଏ ମନେ ପଡ଼ିଲାନି ଆମ କଥା ?

କୁନି: କେମିତି ମନେ ପଡ଼ିବନି ଗୋ ? ମୁଁ ତ ଛୋଟିଆ ଟିଏ । କେମିତି ପାଇବି ତୁମକୁ ହଜାର ହଜାର କିଲୋମିଟର ଦୂରରେ ରହି ? ତୁମେ ମାନେ ସିନା ମୋତେ ଭୁଲିଗଲ, ହେଲେ ମୁଁ କ’ଣଭୁଲି ପାରିଛି ? ଦେଖ ମନେ ପଡିଲା ବୋଲି ଚାଲି ଆସିଲି ତୁମ ପାଖକୁ ଖୋଜି ଖୋଜି । ହେଉ ପଛେ ଅନେକ ଦିନ ପରେ ।


ଏଇ କଥା ହେବା ଭିତରେ ଶାନ୍ତି ଡାକି ନେଇ ଆସିଥିଲା କୁନିର ପିଲା ଦିନର ବନ୍ଧୁ ନରେନ୍ଦ୍ରକୁ । ନରେନ୍ଦ୍ର କୁନିକୁ ଦେଖି ଘଡ଼ିଏ ରହିଗଲା । ବହେ ଅଭିମାନକୁ ଗୋଟିଏ ପଟକୁ ଠେଲି ଦେଇ ଆଉଁସି ଆଣିଲା କୁନି ମୁଣ୍ଡକୁ ।

ନରେନ୍ଦ୍ର: କୁଆଡେ଼ ଗଲୁ ସେଦିନ ଗୋ ? ଜାଣିଚୁ, ତୋ ପାଇଁ ସେଦିନ ମୁଁ ବାପାଙ୍କ ଠାରୁ କେତେ ମାଡ଼ ଖାଇଚି ! ଦେଖ୍ ଦେଖ୍ ଆଜି ଯାଏଁ ବି ଚିହ୍ନ ଅଛି ମୋ ଗୋଡ଼ରେ।

କୁନି ଆଶ୍ଚର୍ଯ୍ୟ ହେଇ ଚାହିଁ ଥିଲା ନରେନ୍ଦ୍ରକୁ । ବୋଧେ ଚିହ୍ନି ପାରୁ ନଥିଲା ତାକୁ । କେମିତି ବା ଚିହ୍ନିବ ! ପିଲାବେଳେ ସେ କେତେ ମୋଟା ଥିଲା ଆଉ ଏବେ ଲମ୍ବା ହେଇକି ପତଳା । ନିଶ ଦାଢ଼ି ଉଠି ଆଉ ଜମାରୁ ଚିହ୍ନିବି ହଉନି ତାକୁ ।

ମା: କ'ଣ .....! ଚିହ୍ନି ପାରୁନୁ ବୋଧେ ? ଏଇ ଯେ ଆମ ନରେନ୍ଦ୍ର.... ତୋର ପିଲା ଦିନର ସାଙ୍ଗ...

କୁନି: ନରେନ୍ଦ୍ର......! ଆମ ନରେନ୍ଦ୍ର....!

କୁଣ୍ଢେଇ ଧରି କାନ୍ଦି ପକେଇଲା କୁନି ନରେନ୍ଦ୍ରକୁ । ନରେନ୍ଦ୍ର ବି କାନ୍ଦିକାନ୍ଦି କହୁଥାଏ, କୁଆଡେ଼ ଛାଡ଼ି ପଳେଇ ଥିଲୁ ଯେ ମୋତେ ? ଆଉ ଯିବୁନି । ନହେଲେ ବାପା ମୋତେ ଆହୁରି ମାରିବେ । ନରେନ୍ଦ୍ର କଥାରେ ସମସ୍ତେ ହସିଲେ । ଏଥର ଶାନ୍ତିକୁ ଦେଖେଇ କୁନି ମାଙ୍କୁ ପଚାରିଲା, ଇଏ କିଏ ଗୋ ମା ?

ମା: ଇଏ ତୋର ସାନ ଭଉଣୀ । ତୁ ଯେତେବେଳେ ନିଖୋଜ ହେଇଗଲୁ, ସେତେବେଳେ ତୋର ମନେ ନାହିଁ କି ? ତୋ ବାପା କହୁଥିଲେ, ଆମ ଘରକୁ ତୋର ଗୋଟେ ସାଙ୍ଗ ଆସିବ ବୋଲି । ଏଇ ସେଇ ତୋର ସାନ ଭଉଣୀ ଶାନ୍ତି । ତୁ ନିଖୋଜ ହେବାର ଦୁଇ ମାସ ପରେ ହେଲା ।

କୁନି କୁଣ୍ଢେଇ ପକେଇଲା ସାନ ଭଉଣୀ ଶାନ୍ତିକୁ । ଖୁସିର ସୀମା ରହିଲାନି ତା'ର । ମନେମନେ ଈଶ୍ଵରଙ୍କୁ ଧନ୍ୟବାଦ୍ ଦେଲା । ଯା ହେଉ, ଶେଷରେ ଭଗବାନ ତା' ଡାକ ଶୁଣିଲେ ।

ଶାନ୍ତି: ଦିଦି ତୁ କି ଭାଷା କହୁଚୁ ଗୋ ? ଆମେ ଅଧେ ବୁଝିଲେ ଅଧେ ବୁଝି ପାରୁନୁ ।

କୁନି: ମୁଁ ଓଡ଼ିଆ କହୁଛି । ତୁ କହ ମୁଁ ସବୁ ବୁଝି ପାରୁଛି ।

ଶାନ୍ତି: ଏଁ..... ଓଡ଼ିଆ .....! କେମିତି ଶିଖିଲୁ ଗୋ ତୁ ଓଡ଼ିଆ ?

କୁନି: ସେ ଅନେକ କଥା ......ରାତିରେ ଶୋଇଲା ବେଳେ କହିବି... ଏବେ ଚାଲ୍ ଗାଁ ବୁଲିବାକୁ ଯିବା ।

କୁନି ନିଜ କାନରୁ ସେ ଫାଶିଆ ଦିଟା କାଢି ଦେଇ ତା ମାଆ ହାତରେ ଧରେଇ ଦେଲା । ମା ଅନେଇ ଥିଲେ ଫାଶିଆ ଦିଟାକୁ । ନିଶ୍ଚିତ ଭାବରେ ଚିହ୍ନି ପାରୁଥିଲେ ହେଲେ ମନେ ମନେ,ଚିନ୍ତା କରୁଥିଲେ କୁଆଡେ଼ ଯାଇଥିଲା ଏ ଝିଅ ଏତେ ଦିନ ପୁଣି କୁଆଡେ଼ ଆସିଲା ? ସତରେ କ’ଣତାଙ୍କ ବଡ଼ ଝିଅ ବିସ୍ମୋୟୀ ଫେରି ଆସିଛି ? ସେ (ବିସ୍ମୋୟୀ ବାପା) ଥିଲେ ଭାରି ଖୁସି ହେଇ ଥାନ୍ତେ ନିଶ୍ଚୟ । କେତେ ଖୋଜି ନଥିଲେ ସେ ? କେତେ କୁଆଡେ଼ ଧାଇଁ ନାହାନ୍ତି ? ଭାରି ଭଲ ପାଉଥିଲେ.... ସେଇଥି ପାଇଁ ତ ଝିଅକୁ ନପାଇବା ପରେ ରାଗରେ ଶକ୍ତ ଚାପୁଡ଼ାଟିଏ ଦେଇଥିଲେ ମୋ ଗାଲରେ । ପ୍ରକୃତରେ ମୋରି ଅବହେଳା ସକାଶେ ମୋ ଝିଅ ହଜି ଯାଇଥିଲା ସେଦିନ ।

ଦିନଯାକ ବୁଲାବୁଲି କରିବା ପରେ, ରାତି ଖାଦ୍ୟ ଖାଇ ସମସ୍ତେ ଶୋଇ ଯାଇଥିଲେ ଅଗଣାରେ ଗୋଟିଏ ବିଛଣା ପକେଇ । ଜହ୍ନଟା ଥିଲା ଠିକ୍ ମୁହଁ ସାମ୍ନାରେ ।

ଶାନ୍ତି: ଦିଦି କହ ଗୋ.....ତୁ ଓଡ଼ିଆ କୋଉଠୁ ଶିଖିଲୁ ? ଏତେ ଦିନ ଯାଏଁ କୋଉଠି ଥିଲୁ ?

କୁନି ଝିଅ ଚନ୍ଦ୍ରିକାକୁ ଇସାରା କଲା ଶୋଇ ଯିବାକୁ ଆଉ ତା’ପରେ ଆରମ୍ଭ କଲା ତା' ସେଇ ପୁରୁଣା କାହାଣୀ ।

ସେଦିନ ରାତିରେ ଆଜିଭଳି ଏଇ ଜହ୍ନଟା ବଲବଲ କରି ଚାହିଁଥାଏ ଧରା ପୃଷ୍ଠକୁ ............

                 ସମାପ୍ତ   



Rate this content
Log in

Similar oriya story from Tragedy