SARADA NAYAK

Children Stories Drama Fantasy

3  

SARADA NAYAK

Children Stories Drama Fantasy

ଭୁଲ୍ କାହାର

ଭୁଲ୍ କାହାର

30 mins
198


ଭିକ୍ଷାଂ ଦେହି …………………ଭିକ୍ଷାଂ ଦେହି ………………………………

          ଭିକ୍ଷାଂ ଦେହି …………………ଭିକ୍ଷାଂ ଦେହି …………………

ଆମ ଅଞ୍ଚଳର ଚିରପରିଚିତ ସାଧୁ ବାବା ନା ତାଙ୍କର ଶ୍ରୀଶ୍ରୀ ସାରଦାନନ୍ଦ ମହାରାଜ। କିନ୍ତୁ ଆବାଳବୃଦ୍ଧବନିତା ତାଙ୍କୁ ନାଣ୍ଡୁ ବାବା ନା ରେ ଜାଣନ୍ତି ।

ଭିକ୍ଷାଂ ଦେହି………………… ଭିକ୍ଷାଂ ଦେହି ………………….

             ଭିକ୍ଷାଂ ଦେହି …………………ଭିକ୍ଷାଂ ଦେହି …………………

ଦୁଆର ମୁହଁରେ ଯେ କେହି ଏ ଶବ୍ଦ ଶୁଣିବା ମାତ୍ରେ ଧାଇଁ ଆସନ୍ତି ଘରୁ ବାହାରକୁ । ଆସିଲା ବେଳେ ହାତରେ କିଛି ନା କିଛି ନେଇ ଆସିଥାନ୍ତି ନାଣ୍ଡୁବାବାଙ୍କ ପାଇଁ । ପୁଣି କେହି କେହି ତାଙ୍କ ଘରକୁ ଭୋଜନ ପାଇଁ ମଧ୍ୟ ନିମନ୍ତ୍ରଣ କରିଥାନ୍ତି । ବାଟରେ ଯିବା ଆସିବା ଲୋକ ମଧ୍ୟ ମୁଣ୍ଡିଆଟେ ନ ମାରି ଆଗକୁ ଗତିଶୀଳ ହୁଏ ନାହିଁ । କିଛି ଲୋକ ହାତ ଯୋଡ଼ି ପ୍ରଣାମ କରନ୍ତି, କିଛି ଲୋକ ସାଷ୍ଟଙ୍ଗ ପ୍ରଣିପାତ ହୁଅନ୍ତି ତ ପୁଣି କିଛି ଲୋକ ତାଙ୍କ ଝୁଲାରେ ସାମର୍ଥ୍ୟ ମତେ ପକେଇ ଦେଇ ଯାଆନ୍ତି।


           ବୟସ ସେମିତି କିଛି ଅଧିକ ନୁହେଁ ତାଙ୍କର । ହେଇ- ହେଇ ତିରିଶ ରୁ ପଇଁତିରିଶ ଭିତରେ ହେବ। ଖୁବ୍ କମ୍ ବୟସ ରେ ଆତ୍ମଜ୍ଞାନ ପ୍ରାପ୍ତ କରି ଥିଲେ। ଶରୀର କହିବାକୁ ଗଲେ, ପାଖା ପାଖି ପାଞ୍ଚ ଫୁଟ୍ ଆଠ ଇଞ୍ଚ୍ ର ଗୋରା ତକ୍ ତକ୍ ଶରୀର। ସବୁ ବେଳେ ଲଣ୍ଡିତ୍ ମସ୍ତକ ହେତୁ ସିଏ ନାଣ୍ଡୁବାବା ନା’ରେ ପରିଚିତ । ବାଳ-ବ୍ରହ୍ମଚାରୀ ସିଏ । କେହି ଜାଣି ନାହାନ୍ତି ତାଙ୍କ ପ୍ରକୃତ ପରିଚୟ ନା ଜାଣନ୍ତି କେହି ତାଙ୍କ ଘର ଠିକଣା । ପଚାରିଲେ ସୁଲଭ ଢଙ୍ଗରେ କୁହନ୍ତି, ଏ ସାରା ସଂସାର ମୋ ଘର ଏବଂ ଏ ଆକାଶ ମୋର ଛାତ । ଭାରି ଶାନ୍ତ ସୁଧାର କୋମଳ ମିଷ୍ଟ ଭାଷ ବ୍ୟକ୍ତିତ୍ଵ ତାଙ୍କର ଏବଂ ଖୁବ୍ ଜ୍ଞାନୀ ମଧ୍ୟ ସେ । ଲୋକଙ୍କର ଦୁଃଖ ଶୁଣିବା ଏବଂ ତାର ନିରାକରଣ କରିବାରେ ସିଦ୍ଧ ହସ୍ତ। ବିଚାରକ ହିସାବରେ ଖୁବ୍ ଉଚ୍ଚ-କୋଟୀର ନିରପେକ୍ଷ ବିଚାର୍ ତାଙ୍କର । ତେଣୁ ସେ ସର୍ବଦା ଜନାଦୃତ ହୋଇ ରହି ଥାନ୍ତି ଆମ ଅଞ୍ଚଳ ରେ।

                              

                    ସ୍ବଳ୍ପ ଆହାର କରିବା ଏବଂ ସ୍ବଳ୍ପ ପରିଧାନ, ତାଙ୍କ ବ୍ୟକ୍ତିତ୍ବ କୁ ଦ୍ଵିଗୁଣିତ କରୁଥାଏ । କାହା ଘରକୁ ଭୋଜନ ଆମନ୍ତ୍ରଣ ରେ ଗଲେ,ସ୍ବଳ୍ପ ଆହାର ପ୍ରାୟ ଲୋକଙ୍କୁ ଚକିତ କରିଥାଏ । ଆଉ ନିଜ ସମ୍ପତ୍ତି କହିଲେ, ଗୋଟିଏ ଭିକ୍ଷା-ଥାଳ,ଗୋଟିଏ ଲୋଟା,ଦୁଇଗୋଟି ଗାମୁଛା ଆଉ ଗୋଟିଏ ମାତ୍ର କଉପୁନି। ଛୋଟିଆ ଝୁଲା ମୁଣି ଯାହା ଭିତରେ ନିଜର କିଛି ନଥାଏ । ଯିଏ ଯାହା କିଛି ଉପହାର ସ୍ଵରୂପ ରେ ଦିଅନ୍ତି, ତାକୁ ସେ ସାଦରେ ଗ୍ରହଣ କରନ୍ତି କିନ୍ତୁ ତାକୁ ପୁଣି ସେଇ ଉପହାର ବଦଳରେ ଆଉ କାହା ଠାରୁ କିଛି ପାଇଥିବା ଉପହାର ଦେଇ ଦିଅନ୍ତି। ଏପରି ମହାନ୍ ଗୁଣ ଯୋଗୁଁ ତାଙ୍କୁ ଲୋକେ ଖୁବ୍ ଆଦର ଏବଂ ସମ୍ମାନ କରନ୍ତି।

                

            ଦିନ ଯାକର କାର୍ଯ୍ୟ ସୂଚୀ ମଧ୍ୟ ତାଙ୍କର ଖୁବ୍ ଶୃଙ୍ଖଳିତ। ସୂର୍ଯ୍ୟୋଦୟ ପୂର୍ବରୁ ଉଠି ବ୍ୟାୟାମ କରନ୍ତି, ନିତ୍ୟକର୍ମ ସାରନ୍ତି। ତା ପରେ ବେଶ୍ କିଛି ସମୟ ଧ୍ୟାନରେ ବସି ଯାଆନ୍ତି । ଧ୍ୟାନ ପରେ, ଜଳପାନ ହିସାବରେ ପୂର୍ବ ଦିନର ଭିକ୍ଷା କରି ଆଣିଥିବା ମିଶାମିଶି ଡାଲି ଚାଉଳ ରୁ ତିନି ମୁଠା ପାଟିରେ ପକେଇ ଦିଅନ୍ତି ଆଉ ବଳିଥିବା ଆହାର କୁ ଖୋଲ ସ୍ଥାନରେ ପକ୍ଷୀ ମାନଙ୍କ ଉଦ୍ଦେଶ୍ୟ ରେ ବୁଣି ଦେଇ ବାହାରି ଯାଆନ୍ତି ଜନ କଲ୍ୟାଣ ରେ କିମ୍ବା ଭିକ୍ଷା ନିମନ୍ତେ। ଭିକ୍ଷା କରିବା ସମୟ ରେ କେହି ଯଦି ମଧ୍ୟାହ୍ନ ଭୋଜନ ନିମନ୍ତେ ଡାକି ଥାନ୍ତି, ତେବେ ଯାଆନ୍ତି ତାଙ୍କ ଘରକୁ ନଚେତ୍ ଭିକ୍ଷା ରେ ମିଳିଥିବା ଫଳ ମୂଳ, କିମ୍ବା ଆଉ କିଛି ଖାଦ୍ୟ କୁ ଗ୍ରହଣ କରନ୍ତି । ମଧ୍ୟାହ୍ନ ଭୋଜନ ପରେ କିଛି ସମୟ ଗଛ ଛାଇ ଦେଖି ବିଶ୍ରାମ ନିଅନ୍ତି । ଗୋଧୂଳି ବେଳା ରେ, ସୂର୍ଯ୍ୟ ଅସ୍ତଗାମୀ ହେବା ସମୟ ରେ ନିରୋଳା ସ୍ଥାନ ଟିଏ ଦେଖି ବସି ଯାନ୍ତି। ତାଙ୍କୁ ଦେଖି ବହୁ ଲୋକ ଆସନ୍ତି ତାଙ୍କ ପାଖକୁ। ନିଜର ସମସ୍ୟା ଜଣାନ୍ତି ଏବଂ ସମାଧାନ ନେଇ ଯାଆନ୍ତି । କଥା କହୁ କହୁ ସୂର୍ଯ୍ୟ ବଳୟ ଭିତରେ ଅଦୃଶ୍ୟ ହେବା କ୍ଷଣି, ଚୁପ୍ ହେଇ ଯାଆନ୍ତି ସିଏ। ମଉନ ହେବା ପାଇଁ ହାତ ଯୋଡ଼ି କ୍ଷମା ଭିକ୍ଷା କରନ୍ତି ଏବଂ ତାଙ୍କ ମଉନ ହେବା ଦେଖି ଲୋକେ ମଧ୍ୟ ସେ ସ୍ଥାନ ରେ ତାଙ୍କୁ ଏକୁଟିଆ ଛାଡ଼ି ଚାଲି ଯାନ୍ତି। ରାତ୍ରୀ ସମୟ ରେ ନିତ୍ୟକର୍ମ ସାରି ପୁଣି ସକାଳ ପରି ତିନି ମୁଠା ମିଶାମିଶି ଡାଲି ଚାଉଳରୁ ନେଇ ପାଟିରେ ପକେଇ ଦେଇ ପାଣି ପିଇ ସେଇ ଜାଗାରେ ରାତ୍ରୀ ବିଶ୍ରାମ ନିଅନ୍ତି । କାରଣ ଘର ନାହିଁ ତାଙ୍କର।

            ଆଗରୁ କହିଛି ନାଣ୍ଡୁବାବା ଙ୍କର ପରିଧାନ କହିଲେ, କାନ୍ଧ ରେ ପଇତା, କେବଳ ଗୋଟିଏ କଉପୁନି, ଦୁଇଟି ଗାମୁଛା ଏବଂ ବେକରେ ଗୋଟିଏ ରୁଦ୍ରାକ୍ଷ ମାଳା । ଗୋଟିଏ ଗାମୁଛା ରେ ସ୍ନାନ କରନ୍ତି, ଆରଟା ରେ ପୋଛା ପୋଛି, ଏବଂ ତା ପରେ ରାତିରୁ ଧୁଆ ହେଇ ଶୁଖି ଥିବା କଉପୁନୀ କୁ ପିନ୍ଧନ୍ତି। ଏହା ତାଙ୍କର ନିତ୍ୟ ପରିଧାନ। 

ଏଭଳି ଅନେକ ସୁଗୁଣ ପାଇଁ ତାଙ୍କୁ ସମସ୍ତେ ଭଲ ପାଆନ୍ତି। ତେଣୁ ଦୁନିଆ ରେ ତାଙ୍କର ଶତ୍ରୁ ବୋଲି କେହି ନଥିଲେ ଦୁନିଆ ରେ କିନ୍ତୁ ଆସନ୍ତୁ ଜାଣିବା କେମିତି କେହି ହେଇ ପାରେ ନାଣ୍ଡୁବାବା ଙ୍କର ପରମ ଶତ୍ରୁ।


                         ଗୋଟିଏ ବର୍ଷ ଆମ ଅଞ୍ଚଳ ରେ ଫସଲ ଭଲ ହେଇ ଥାଏ ଏବଂ ସେ ନେଇ ମୂଷା ମଧ୍ୟ ହେଇ ଯାଇ ଥାନ୍ତି ଅଧିକ। ଫସଲ ସହିତ ନାଣ୍ଡୁବାବା ଙ୍କର ସେମିତି କିଛି ସମ୍ବନ୍ଧ ନଥିଲେ ମଧ୍ୟ ସମ୍ବନ୍ଧ ଥିଲା ମୂଷା ସହିତ । ଦିନକର ଘଟଣା, ସେ ସନ୍ଧ୍ୟାରେ ନିତ୍ୟକର୍ମ, ଗାଧୁଆ ଗାଧି ଇତ୍ୟାଦି ସହିତ ନିଜ ପିନ୍ଧା କଉପୁନି ଟିକୁ ଧୋଇ ଦେଇ ସବୁଦିନ ପରି ଶୁଖାଇ ଦେଲେ ଗୋଟି ଗଛ ଡାଳରେ ଆଉ ତାପରେ ଭୋଜନ ସାରି ଶୋଇଗଲେ ନିଶ୍ଚିନ୍ତରେ । କିନ୍ତୁ ତା ପରଦିନ ସକାଳ ଥିଲା ଟିକିଏ ଅଲଗା । ସକାଳୁ ସକାଳୁ ସେ ନିତ୍ୟ ବ୍ୟାୟାମ ସରିବା ପରେ ତାଙ୍କର ଦୁଇଟି ଗାମୁଛା ନେଇ ବାହାରିଲେ ସ୍ନାନ ନିମନ୍ତେ। ସ୍ନାନ ସାରି ଆସି ଗଛ ଡାଳ ପାଖକୁ ଯେତେବେଳେ ଯାଆନ୍ତି, ତାଙ୍କର ଆଶ୍ଚର୍ଯ୍ୟ ର ସୀମା ରହିଲାନାହିଁ। ସେ ତାଙ୍କର ରାତିରୁ ଶୁଖା ହେଇ ଥିବା କଉପୁନି ଟିକୁ ଆଉ ପାଇଲେ ନାହିଁ ସେଇ ସ୍ଥାନ ରେ। ସେ ଖୁବ୍ ବିବ୍ରତ ହେଲେ। କିଛି ସମୟ ଖୋଜିବା ଭିତରେ ସକାଳୁ ଉଠି ଦାଣ୍ଡ ଓଳାଉ ଥିବ ଝିଅ ଟିଏ ଆସି ପ୍ରଣାମ କଲା ଏବଂ ତାଙ୍କର ବିବ୍ରତ ହେବାର କାରଣ ପଚାରିଲା । ନାଣ୍ଡୁବାବା କିଛି ସମୟ ନିରବ ରହି ପୁଣି ଖୋଜିବାରେ ଲାଗିଲେ । ଝିଅଟି ଏଥର ହାତ ଯୋଡ଼ି ବିନମ୍ର ହୋଇ ତାଙ୍କ ବିବ୍ରତ ହେବାର କାରଣ ପୁଣିଥରେ ପଚାରିଲା । ଏଥର ନାଣ୍ଡୁବାବା ସୁଲଭ ଢଙ୍ଗରେ ତାଙ୍କର ଚିନ୍ତାର କାରଣ କହିଲେ। ଝିଅଟି କହିଲା ବାବା ମୁଁ ଦେଖିଛି ଆପଣଙ୍କ କଉପୁନି । ନାଣ୍ଡୁବାବା ଆଶ୍ଚର୍ଯ୍ୟ ହେଇ ଗଲେ । ଏହା ଦେଖି ଝରଣା କହିଲା

ଝରଣା: ହେ ମହାତ୍ମା, ହଁ ମୁଁ ଦେଖିଛି ଆପଣଙ୍କ ବାଜିଥିବା ବସ୍ତ୍ର । 

ନାଣ୍ଡୁବାବା: ତୁମେ ଦେଖିଛ!! ହେଲେ କଉଠି?

ଝରଣା: ବାବା ମୁଁ ସକାଳୁ ସକାଳୁ ଦାଣ୍ଡ ଓଲେଇବା ସମୟ ରେ ଦେଖିଛି ଏବଂ ମୁଁ ତାକୁ ଓଳେଇ ସେପଟକୁ ଫିଙ୍ଗି ଦେଇଛି।

ନାଣ୍ଡୁବାବା: ଫିଙ୍ଗି ଦେଇଛ!! ହେଲେ ଫିଙ୍ଗିବା ପୂର୍ବରୁ ମୋତେ ପଚାରିଲ ନାହିଁ କାହିଁକି?

ଝରଣା: ବାବା କ୍ଷମା କରିବେ। ମୁଁ ଓଳେଇବା ସମୟରେ ଆପଣଙ୍କ ବସ୍ତ୍ରର ଅବସ୍ଥା ଯାହା ଥିଲା ମୁଁ ତାହା କାହାର ପିନ୍ଧା ବସ୍ତ୍ର ହେଇ ପାରେ ବୋଲି ଚିନ୍ତା ମଧ୍ୟ କରି ପାରିଲି ନାହିଁ । ତାପରେ ମୁଁ କିଭଳି ଜାଣିବି ତାହା ଆପଣଙ୍କ ବସ୍ତ୍ର ବୋଲି?

ଏଥର ବାବା ଚିନ୍ତାରେ ଗମ୍ଭୀର ଭାବରେ ପଚାରିଲେ ହେଲେ କାହିଁକି? କଣ ହେଇ ଥିଲା ତାର? ମୁଁ ତ କାଲି ରାତିରେ ତାକୁ ଧୋଇଧାଇ ସଫା କରି ଶୁଖାଇ ଦେଇ ଥିଲି ଏଇ ଗଛ ଡାଳରେ । ପବନ ରେ ଉଡ଼ି ଯାଇ ଥାଇ ପାରେ । ହେଲେ କଣ ହେଇ ଥିବ ତାର? ମୋତେ ଟିକିଏ ଦେଖେଇ ଦିଅ ତାକୁ ତୁମେ କଉଠି ଫୋପାଡ଼ି ଦେଇଛ ।

ଝରଣା: ବାବା ମୋତେ ଆପଣ ଅବିଶ୍ୱାସ କରୁଛନ୍ତି । ଆସନ୍ତୁ ମୁଁ ନେଇ ଯାଉଛି ଆପଣଙ୍କୁ ସେଇଠିକୁ।

ଦୁହେଁ ମିଶି ଗଲେ, ଅଳିଆ ଫିଙ୍ଗା ହେଇ ଥିବା ସ୍ଥାନ କୁ। ବାବା ଗାଧୁଆ ପାଧୁଆ ସାରିଥିବା ହେତୁ ଦୂରରୁ ନିରୀକ୍ଷଣ କଲେ ଏବଂ ଆଶ୍ଚର୍ଯ୍ୟ ହେଲେ ଯାହାକୁ ସେ ଦେଖୁ ଥିଲେ, ସେଇଟା ତାଙ୍କ କଉପୁନି ର ଥିଲା କିଛି ଅଂଶ ମାତ୍ର ।ନାଣ୍ଡୁବାବା ଜ୍ଞାନୀ ହେତୁ ତାଙ୍କର ଆଉ ଜାଣିବାରେ ବିଳମ୍ବ ହେଲା ନାହିଁ ଯେ ତାଙ୍କ କଉପୁନି ର ଏ ଦୁର୍ଦ୍ଦଶା ମୂଷିକ ରାଜ୍ ଙ୍କର । ସେ ଦୁଃଖୀ ହେଲେ ଏବଂ ତାଙ୍କ ଦୁଃଖ ତାଙ୍କ ମୁଖମଣ୍ଡଳରେ ସ୍ପଷ୍ଟ ବାରି ପାରୁଥିଲା ଝରଣା।

ଝରଣା: ମହାତ୍ମା ଆପଣ ଦୁଃଖୀ ହୁଅନ୍ତୁ ନାହିଁ । ମୁଁ ଝରଣା । ମୁଁ ଆଉ ହଳେ କଉପୁନି ଆପଣଙ୍କ ପାଇଁ ତିଆରି କରି ଦେବି।

ନାଣ୍ଡୁବାବା: ହେଲେ ତୁମେ !!!! ତୁମେ କେମିତି…….ନା……ନା……..ଥାଉ ତୁମେ ଚିନ୍ତା କର ନାହିଁ ମୁଁ କରି ନେବି।

ଝରଣା: ହେ ମହାତ୍ମା, ମୁଁ ଏ ଗାଁର ଝିଅ । ଜାତିରେ ବ୍ରାହ୍ମଣ କିନ୍ତୁ ପେଶାରେ ଦରଜୀ । ମୁଁ ଗାଁର ଝିଅ ବୋହୂ ମାନଙ୍କର ପୋଷାକ ଇତ୍ୟାଦି ତିଆରି ଏବଂ ମରାମତି ମଧ୍ୟ କରେ। ବାପା ଥିଲେ ଏଇ ଗାଁର ମନ୍ଦିର ପୂଜକ। ତାଙ୍କର ଅକାଳ ବିୟୋଗ ପରେ ଘରେ ମୋ ମାଆ ଏବଂ ସାନ ଭାଇ ର ସମସ୍ତ ଦାୟିତ୍ୱ ବଡ଼ ଝିଅ ହିସାବରେ ମୋ କାନ୍ଧ ଉପରେ ଆସି ଗଲା। ଏବଂ ସେଇ ଦାୟିତ୍ୱ କୁ ତୁଲାଇବାକୁ ଯାଇ ମୁଁ ବ୍ରାହ୍ମଣ ହେଇ ମଧ୍ୟ ଗାଁ ରେ ସିଲେଇ ମେସିନ୍ ଟିଏ ପକେଇ ଏ କାମ କରୁଛି। ମୁଁ କର୍ମ କରୁଛି ତେଣୁ କୌଣସି କର୍ମ କୁ ଛୋଟ୍ ବୋଲି ଭାବେ ନାହିଁ। ତେଣୁ ଆପଣଙ୍କ ପରି ମହାନ୍ ସାଧୁ ଙ୍କର ସେବା କରିବାର ସୁଯୋଗ ଦେଇ ମୋତେ ଧନ୍ୟ କରାନ୍ତୁ।

ନାଣ୍ଡୁବାବା: ନା ତୁମେ ଠିକ୍ କହିଛ । କୌଣସି କର୍ମ ଛୋଟ ନୁହେଁ । ତୁମକୁ ସାଧୁବାଦ୍ ତୁମେ ଝିଅଟିଏ ହେଇ ମଧ୍ୟ ଘରର ସବୁ ଦାୟିତ୍ଵ ନିଜ କାନ୍ଧକୁ ନେଇଛ । ଆଛା ହଉ ତୁମେ ମୋ ପାଇଁ ଗୋଟିଏ କଉପୁନି ତିଆରି କରି ଦିଅ।

ଝରଣା: ଧନ୍ୟହେଲି ମହାଭାଗ। ଆପଣ ମୋତେ ଆପଣଙ୍କ ସେବା କରିବାର ସୁଯୋଗ ଦେଇ ଧନ୍ୟ କରିଛନ୍ତି। ଏଇ ଯୋଉ ନଡ଼ିଆ ଗଛ ଦେଖୁଛନ୍ତି ସେଇଟି ଆମ ଘର ଆଉ ଆଜି ଆପଣ ଠିକ୍ ଦିନ ଏଗାର ଟାରେ ପାଇଯିବେ ଆପଣଙ୍କ ବସ୍ତ୍ର। ମୁଁ ଏଥର ଆସୁଛି।

ଏତିକି କହି ମୁଣ୍ଡିଆ ମରି ଆଶୀର୍ବାଦ ନେଇ ଚାଲିଗଲା ଝରଣା ସେ ଜାଗାରୁ।

               ଦିନ ଏଗାରଟା ଯାଏଁ ନାଣ୍ଡୁବାବା କଣ ଦିଟା ଖାଇ ଦେଇ ବସିଥାନ୍ତି ସେମିତି ସେଇ ଗାମୁଛା ପିନ୍ଧି । ପାଖରେ ଧନ ନଥିବରୁ ଟିକିଏ କୁଣ୍ଠାବୋଧ କରୁଥାନ୍ତି ଯିବା ପାଇଁ ଝରଣା ପାଖକୁ । ଏମିତି ଚିନ୍ତା କରୁ କରୁ ଦିନ ବାରଟା ହେଲା। ତା ପରେ ଆଜି ନହେଲେ କାଲି ଯେମିତି ହେଲେ ଯିବାକୁ ପଡ଼ିବ ଭାବି ଶେଷରେ ବାଧ୍ୟ ହୋଇ ଗଲେ ଝରଣା ଦେଖେଇ ଥିବା ଘର ପାଖକୁ।


             ନାଣ୍ଡୁବାବା ଭିକ୍ଷା ବ୍ୟତୀତ କେବେ କାହାକୁ କିଛି ମାଗନ୍ତି ନାହିଁ। ତେଣୁ ଝରଣା ଘର ଆଗରେ ଠିଆ କହିଲେ,


ଭିକ୍ଷାଂ ଦେହି………………… ଭିକ୍ଷାଂ ଦେହି …………………       

            ଭିକ୍ଷାଂ ଦେହି………………… ଭିକ୍ଷାଂ ଦେହି…………….


              ନାଣ୍ଡୁବାବା ଙ୍କର ଡାକ ଶୁଣି ଝରଣା ବାହାରି ଆସିଲା ଘରୁ ବାହାରକୁ ଆଉ ତା ସାଙ୍ଗରେ ତା ମାଆ ଆଉ ସାନ ଭାଇ ମଧ୍ୟ । ସେମାନେ ସମସ୍ତେ ତାଙ୍କୁ ଦଣ୍ଡବତ ହେଇ ନିଜ ଘରକୁ ଆସିବାକୁ ନିମନ୍ତ୍ରଣ କଲେ ବାବାଙ୍କୁ।

ନାଣ୍ଡୁବାବା: ନା ମୋର ଘର ଭିତରକୁ ଯିବା ଆବଶ୍ୟକ ନାହିଁ । ଆଜି ପାଇଁ ମୁଁ ଏପର୍ଯ୍ୟନ୍ତ ଭିକ୍ଷା କରି ନାହିଁ ତେଣୁ ମୋତେ ଦୟାକରି ତୁମ କହିବା ମୁତାବକ ମୋ ଜିନିଷ ଟିଏ ଦେଇ ଦେଲେ ମୁଁ ଚାଲି ଯିବି ଭିକ୍ଷା କରିବାକୁ ।

ଝରଣାର ମା: ହେ ମହାତ୍ମା, ଗରିବ କୁଟୀର ବୋଲି କୁଣ୍ଠାବୋଧ କରୁଛନ୍ତି ବୋଧେ ଆପଣ। ଆଗରୁ ବହୁ ଲୋକଙ୍କ ଠାରୁ ଆପଣଙ୍କ ମାହାତ୍ମ୍ୟ ବିଷୟରେ ଅନେକ ଶୁଣି ଥିଲି। ଆଜି ସ୍ଵଚକ୍ଷୁ ରେ ଦର୍ଶନ କରିବାର ସୌଭାଗ୍ୟ ପାଇଲି। ଆପଣ ପ୍ରଥମ ଥର କରି ମୋ ଦାଣ୍ଡ କୁ ଆସି ବାହାରୁ ବାହାରୁ ଚାଲି ଗଲେ ମୋର ପାପ ହେବ। ତେଣୁ କିଛି କ୍ଷଣ ପାଇଁ ହେଉ ପଛେ, ଆପଣ ମୋ ଘର ଭିତରେ ପାଦ ପକାଇଲେ ମୁଁ ଏବଂ ମୋ ଛୁଆ ଧନ୍ୟ ହେବେ। 

ବାବା ଅନିଚ୍ଛା ସତ୍ତ୍ବେ ଏପରି ନିମନ୍ତ୍ରଣ ପାଇ ଆଉ ମନା କରିପାରିଲେନି। ତେଣୁ ବାବା ଘର ଭିତରକୁ ଯିବାକୁ ଉଦ୍ୟତ ହେବାରୁ ଏବଂ ସମସ୍ତେ ମିଶି ବାବା ଙ୍କର ଗୋଡ଼ ଧୋଇ ଦେଇ, ସାଦରେ ଘର ଭିତରକୁ ପାଛୋଟି ନେଲେ।

              ଘର ଭିତରେ ନାଣ୍ଡୁବାବା ଙ୍କୁ ବସିବାକୁ ଗୋଟିଏ ଚଉକି ଦେଇ ତାଙ୍କୁ ଝରଣା ର ମାଆ ପଙ୍ଖା କରିବାକୁ ଲାଗିଲେ। ଝରଣା ପ୍ରସ୍ତୁତ କରି ରଖିଥିବା ଜଳପାନ ର ବ୍ୟବସ୍ଥା କଲା । ବାବା ମଧ୍ୟ ସାଦରେ ଜଳପାନ କରି ନେଲେ। ତା ପରେ ଝରଣା ର ମା ନିଜ ଦୁଃଖ ବିଷୟ ରେ ବାବାଙ୍କୁ ଜଣାଇଲେ ଏବଂ ବାବା ମଧ୍ୟ ଝରଣା ର ପ୍ରତିଉତ୍ତର ରେ ଝରଣା ର ପ୍ରଶଂସା କଲେ। କିଛି ସମୟ ଅନ୍ତରେ ଝରଣା ପୁଣି ଥରେ ନାଣ୍ଡୁବାବା ଙ୍କ ପାଇଁ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା କଲା। ସମୟ ହେଇ ଯାଇ ଥିବାରୁ ବାବା ମନା ନକରି ଭୋଜନ କୁ ସାଦରେ ଗ୍ରହଣ କଲେ। ଭୋଜନ ପରେ ଝରଣା ନିଜେ ବାବା ଙ୍କ ର ପଦ ସେବା କରିବାକୁ ଉଦ୍ୟତ ହେବାରୁ ବାବା ତାର ଆବଶ୍ୟକତା ନାହିଁ ବୋଲି ଉତ୍ତର ଦେଲେ। ପରିଶେଷରେ ସୂର୍ଯ୍ୟ ନିମ୍ନଗାମୀ ହେବା ସମୟା ରେ ଝରଣା ତିଆରି କରି ରଖିଥିବା ଗୋଟିଏ କଉପୁନି ବାବା ଙ୍କ ହସ୍ତରେ ଦେଇ ପ୍ରଣାମ ଜଣେଇ ବିଦାୟ ଦେଲା।

               କିଛି ଦିନ ଭଲରେ ଗଲା। କିନ୍ତୁ ନାଣ୍ଡୁବାବା ଙ୍କର ଦୁଃଖ ପୁଣି ଆସି ପହଁଚିଲା। ପୁଣି ଗୋଟିଏ ରାତିରେ ବାବା ଶୋଇଥିବା ସମୟ ରେ ମୂଷା ଆସି ବାବାଙ୍କ କଉପୁନି କୁ ଟୁକୁରା ଟୁକୁରା କରି ଦେଲା। ସକାଳୁ ସକାଳୁ ବାବା ଏହା ଦେଖି ମର୍ମାହତ ହେଲେ ।ବାରମ୍ବାର ଏହିପରି ହେଉ ଥିବାରୁ ଏବଂ ଏହି କାଣ୍ଡ ଗୋଟିଏ ନିର୍ବୋଧ ଜନ୍ତୁ କରୁଥିବାରୁ କାହାକୁ ଦୋଷ ନ ଦେଇ ନିଜ ଭାଗ୍ୟ କୁ ଦୋଷ ଦେଉଥିଲେ। ପୁଣି ଅନ୍ୟ ଉପାୟ ନ ପାଇ ସେ ଗଲେ ଝରଣା ଘରକୁ।


ଭିକ୍ଷାଂ ଦେହି………………… ଭିକ୍ଷାଂ ଦେହି …………………       

        ଭିକ୍ଷାଂ ଦେହି…………… ଭିକ୍ଷାଂ ଦେହି……………


ନାଣ୍ଡୁବାବା ଙ୍କ ଡାକ ଶୁଣି ଝରଣା ର ସପରିବାର ଧାଇଁ ଆସିଲେ ଦାଣ୍ଡକୁ। ପ୍ରଣାମ କରି ଗୋଡ଼ ଧୋଇ ଦେଇ ଘର ଭିତରକୁ ପାଛୋଟି ନେଲେ। ଝରଣା ର ମାଆ ଖାଇବାକୁ କିଛି ଦେବାକୁ ଚାହିଁ ବାରୁ ବାବା ଏଥରକ ମନା କରି ଦୁଃଖ ରେ ତାଙ୍କର ଆସିବାର କାରଣ ଜଣାଇଲେ। ଝରଣା ଘର ଭିତରେ ରହି ସବୁ କଥା ଶୁଣୁ ଥିଲା ।ନାଣ୍ଡୁବାବା ବସିଥିବା ଘର ଭିତରକୁ ପଶି ଆସି କହିଲା ବାବା ଆପଣ ଯମା ଚିନ୍ତା କରନ୍ତୁ ନାହିଁ । ମୁଁ ଥିବା ଯାଏଁ ଆପଣଙ୍କର ପରିଧାନ ଉପରେ କୌଣସି ସମସ୍ୟା ହେବ ନାହିଁ। ଝରଣା ଠାରୁ ଏହିପରି ଅଭୟ ବାଣୀ ଶୁଣି ନାଣ୍ଡୁବାବା ଖୁସି ଯେତିକି ହେଲେ ଗୋଟିଏ ନିରାଶ୍ରୟ ଝିଅ ଉପରେ ନିଜର ନିର୍ଭରତା କୁ ନେଇ ଦୁଃଖୀ ମଧ୍ୟ ହେଲେ। 

କଥା ହେଇ ହେଇ....ଝରଣା ତା ସିଲେଇ ମେସିନ୍ ପାଖକୁ ଚାଲି ଯାଇ ଥିଲା । ବାବା ମଧ୍ୟ ତା ପାଖରେ ଚଉକି ଟି ଟାଣି ନେଇ ବସିଥିଲେ। ତା କାର୍ଯ୍ୟ କରିବାର ଶୈଳୀ କୁ ଦେଖୁଥିଲେ ଆଉ ଚିନ୍ତା କରୁଥିଲେ କେଡ଼େ ହତଭାଗା ସେ। ମୂଷା ପାଇଁ ସେ କେମିତି ଗୋଟିଏ ଝିଅକୁ ବାରମ୍ବାର ହଇରାଣ କରୁଛନ୍ତି।

ଝରଣା: ମହାତ୍ମା କଣ୍ ଚିନ୍ତା କରୁଛନ୍ତି?

ନାଣ୍ଡୁବାବା: ମୁଁ ଲଜ୍ଜିତ। ତୁମକୁ ବାରମ୍ବାର ହଇରାଣ କରୁଛି ଯେହେତୁ।

ଝରଣା: ସେମିତି କୁହନ୍ତୁନି ମହାଭାଗ। ଆପଣ ଆମର ମାର୍ଗ ଦର୍ଶକ। ଆପଣଙ୍କ ପରି ଜଣେ ମହାନ୍ ବ୍ୟକ୍ତି ଙ୍କୁ ଆମେ ଆମ ଗହଣ ରେ ପାଇ ଗର୍ବ ଅନୁଭବ କରୁ। ଆଉ ଆପଣଙ୍କ ସେବା କରିବାର ସୁଯୋଗ ଭାଗ୍ୟ ରେ ଥିଲେ ମିଳେ।

ନାଣ୍ଡୁବାବା: ଆରେ ନା । ସେମିତି କିଛି ନୁହେଁ। ଦେଖ ମୁଁ ସମସ୍ତଙ୍କୁ ମାର୍ଗ ଦର୍ଶନ କରାଏ କିନ୍ତୁ ଆଜି କେମିତି ମୁଁ ନାଚାର। ମୂଷା ଭଳି ଗୋଟିଏ ନିର୍ବୋଧ ନିରୀହ ପ୍ରାଣୀର ନା ମୁଁ କିଛି କରି ପାରୁଛି, ନା ମୁଁ ମୋ ଜିନିଷ କୁ ସୁରକ୍ଷା ଦେଇ ପାରୁଛି। ମୁଁ ନିରୁପାୟ ହେଇ ଯାଉଛି। କିଛି ଚିନ୍ତା କରି ପାରୁ ନାହିଁ କି ଏ ସମସ୍ୟାର ସମାଧାନ କରି ପାରୁନାହିଁ। 

ଝରଣା: ପ୍ରଭୁ, ମୁଁ ଆପଣଙ୍କୁ ଆମେ ଶ୍ରଦ୍ଧା କରୁ। ତେଣୁ ମୁଁ ଅଛି ଆପଣ କାହିଁକି ଏତେ ଚିନ୍ତା କରୁଛନ୍ତି? ଏଇ ଦେଖନ୍ତୁ ଆପଣଙ୍କୁ ଏ ସମସ୍ୟା ରୁ ମୁକ୍ତି ଦେବା ପାଇଁ ଏଇ କଥୋପକଥନ ଭିତରେ, ମୁଁ ଆପଣଙ୍କ ପାଇଁ ଗୋଟିଏ ନୁହେଁ ଦୁଇଟି ନୂଆ ବସ୍ତ୍ର ତିଆରି କରି ଦେଇଛି। ଏବଂ ଆପଣଙ୍କ ସମସ୍ୟା ର ସମାଧାନ ନିମନ୍ତେ ଗୋଟିଏ ଉପାୟ ଚିନ୍ତା ମଧ୍ୟ କରିଛି।

                    ଝରଣାର ମା ଏତିକି ଶୁଣି ଟିକିଏ ଡରି ଯାଇ ବ୍ୟସ୍ତ ହେଇ ଝରଣା କୁ ଚୁପ୍ ରହିବାକୁ ଠାର ଦେଲେ। ଆହୁରି ଥଙ୍ଗ ଥଙ୍ଗ ହେଇ କହିଲେ,ବାବା ଆପଣ ତ ଜ୍ଞାନୀ ଗୁଣୀ। ସେ ଛୋଟ ପିଲାଟା l ତା କଥା କୁ ଧରନ୍ତୁନି। ଆପଣଙ୍କୁ ସେ ବା କି ସମାଧାନ ବତେଇବ!!

ନାଣ୍ଡୁବାବା: ନା....... ମାଆ………. ଆପଣ ସେମିତି କୁହନ୍ତୁନି। ଏ ସଂସାର ରେ କେହି ଛୋଟ ନୁହେଁ କି କେହି ବଡ଼ ନୁହେଁ। ସମସ୍ତଙ୍କ ଶରୀରରେ ନାରାୟଣ ଏବଂ କଣ୍ଠରେ ମା ସରସ୍ଵତୀ ବିଦ୍ୟମାନ। ଆଉ ସହଜ ରେ ଝରଣା ବୁଦ୍ଧିମାନ ଝିଅ। ସିଏ ଖୁବ୍ କମ୍ ବୟସ ରେ ନିଜ ପରିବାର ଦାୟିତ୍ଵ କୁ ନିଜ କାନ୍ଧ କୁ ନେଇଛି। ତେଣୁ ତା ଠାରୁ ମଧ୍ୟ କିଛି ଶିଖିବାର ଅଛି ମୋର। 

ତେଣୁ ଦୟା କରି ଏ ଜ୍ଞାନ ପିପାସୁ କୁ ଜ୍ଞାନ ଗ୍ରହଣ କରିବାରୁ ବଞ୍ଚିତ କରନ୍ତୁ ନାହିଁ। କୁହ ଝରଣା । କିପରି ମୋର ଏଇ କଷ୍ଟ ଦୁର ହେବ।

ଝରଣା ର ମାଆ କାନିରେ ତାଙ୍କ ଆଖି ପୋଛୁ ଥିଲେ। ତାଙ୍କର ନିଜ ଝିଅ ବିଷୟରେ ବାବା ଙ୍କ ପାଖରୁ ଏ କଥା ଶୁଣିବା ସମୟରେ ତାଙ୍କ ଆଖିରେ ଆସି ଯାଇ ଥିଲା ଲୁହ। ସେ ବାପା ଛେଉଣ୍ଡ ଝରଣା ପାଇଁ ଯେତିକି ଦୁଃଖ କରୁଥିଲେ, ତା ପାରିବା ପଣିଆ ପାଇଁ ତା ମା ହେବାରେ ଗର୍ବ ମଧ୍ୟ ଅନୁଭବ କରୁ ଥିଲେ।

ଏହି ପରିପ୍ରେକ୍ଷୀରେ ନାଣ୍ଡୁବାବା ମାଆ ଙ୍କୁ ଆଶ୍ୱାସନା ଦେଇ ଝରଣା କୁ ତା ମତ ରଖିବାକୁ କହିଲେ।

ଝରଣା: ହେ ମହାତ୍ମା ଭୁଲ୍ ଥିଲେ କ୍ଷମା କରିଦେବେ। ଛୋଟ ମୁହଁରେ ଗୋଟିଏ କଥା କହୁଛି। ମୂଷା ହିଁ ବର୍ତ୍ତମାନ ଆପଣଙ୍କ ଶତ୍ରୁ ଏବଂ ଥରେ ଚିନ୍ତା କରି ଦେଖନ୍ତୁ ମୂଷା ର ଶତ୍ରୁ କିଏ?

ନାଣ୍ଡୁବାବା: ମୁଷାର ଶତ୍ରୁ……………… ମୂଷା ପରି ଗୋଟିଏ ନିରୀହ ପ୍ରାଣୀର ଶତ୍ରୁ ପୁଣି କିଏ ହେଇ ପରେ?

ଝରଣା: ମହାତ୍ମା, ଆପଣଙ୍କ ମହାନତା ଯୋଗୁଁ ଆପଣ ଶତ୍ରୁ ନାମକ ଶବ୍ଦ ଟି ଆପଣଙ୍କ ଅଭିଧାନ ରୁ ବାହାର୍ କରି ଦେଇଛନ୍ତି। କିନ୍ତୁ ପ୍ରକୃତିର ନିୟମ ହିସାବ ରେ ମୂଷା ଏବଂ ବିରାଡ଼ି ଦୁହେଁ ସମ୍ପର୍କ ରେ ଖାଦ୍ୟ ଏବଂ ଖାଦକ। ତେଣୁ ମୂଷା ର ଶତ୍ରୁ ବିରାଡ଼ି। ଆଉ ସେଇଥି ପାଇଁ ଯଦି ଆପଣ ବିଲେଇ ଟିଏ ପାଳନ୍ତି, ତେବେ ସିଏ ସବୁବେଳେ ଆପଣଙ୍କ ପାଖେ ପାଖେ ରୁହନ୍ତା ଏବଂ ତା ଭୟରେ ମୂଷା ଆଉ ଜମା ଆପଣଙ୍କ ପାଖା ପାଖି ବି ଆସନ୍ତେ ନାହିଁ।

               କଥାଟି ନାଣ୍ଡୁବାବା ଙ୍କ ମନକୁ ପାଇଲା ତେଣୁ ସେ ଝରଣା ର ବୁଦ୍ଧି କୁ ଭୂରି ଭୂରି ପ୍ରଶଂସା କରି ଝରଣା ର ମା ଙ୍କୁ କୁ ଗୋଟିଏ ପୋଷା ବିଲେଇ ଯୋଗାଇ ଦେବାକୁ ଅନୁରୋଧ କଲେ। ଝରଣା ଘରେ ମଧ୍ୟ ଦୁଇଟି ପୋଷା ବିଲେଇ ଥିଲେ। l ସେଇଥିରୁ ଗୋଟିଏ କୁ ଝରଣା ର ସାନ ଭାଇ ଆଣି ନାଣ୍ଡୁବାବା ଙ୍କୁ ଦେଇ ଦେଲା ସାଙ୍ଗରେ ନେଇ ଯିବା ପାଇଁ। ଝରଣା ମଧ୍ୟ ବିଲେଇ ବାନ୍ଧିବାକୁ ସୁନ୍ଦର୍ ଗଳା ପଟି ଟିଏ କପଡା ରେ ତିଆରି କରି ଦେଲା ବିଲେଇର ଚିହ୍ନଟ ପାଇଁ। ବାବା ଖୁବ୍ ଖୁସି ହେଇ ଦୁଇଟି କଉପୁନି ଆଉ ଗୋଟିଏ ବିଲେଇ ନେଇ ବିଦାୟ ନେଲେ ଝରଣା ଙ୍କ ଘରୁ। ଝରଣା ଚାହିଁ ରହି ଥିଲା ବାବାଙ୍କ ଯିବା ବାଟକୁ। କଣ ଭାବି କେଜାଣି ଚାଲି ଗଲା ବାବାଙ୍କ ପଛେ ପଛେ ତିନି - ଚାରି ପାହୁଣ୍ଡ ।


               କିଛି ଦିନ ଖୁବ୍ ଭଲ ରେ ଗଲା । ମୂଷା ଆଉ ବାବା ଙ୍କ ପାଖ ମାଡ଼ିଲେନି। ନାଣ୍ଡୁବାବା ଙ୍କର କଉପୁନି ସମସ୍ୟା ଦୂର ହେଲା। ତେଣୁ ବାବା ମନେ ମନେ ଝରଣା ର ବୁଦ୍ଧି କୁ ଖୁବ୍ ପ୍ରଶଂସା କଲେ । ବାବା ଯାହା ମାଗି ଯାଚି ଆଣନ୍ତି, ନିଜେ ଖାଆନ୍ତି ଆଉ କିଛି ବିଲେଇ କୁ ଦିଅନ୍ତି । ବାବା କୁଆଡେ ଭୋଜନ ନିମନ୍ତ୍ରଣ ରେ ଯାଆନ୍ତି ବିଲେଇ କୁ ସାଙ୍ଗରେ ନେଇ ଯାଆନ୍ତି। ବିଲେଇ ଟି କିନ୍ତୁ ବାବା ଖାଉଥିବା ଖାଦ୍ୟ ରେ ବିଶେଷ ଆଗ୍ରହ ଦେଖାଏ ନାହିଁ। ତେଣୁ ଖାଦ୍ୟ ଅଭାବ ରେ ବିଲେଇ ଟି ଦୁର୍ବଳ ହେଇ ହେଇ ଯାଉ ଥାଏ। ବାବା ଏସବୁକୁ ଲକ୍ଷ୍ୟ କରୁଥାନ୍ତି କିନ୍ତୁ ଉପାୟ ଶୂନ୍ୟ ସେ।

              ଦିନେ ବାବା ସନ୍ଧ୍ୟା ସମୟରେ ଗୋଟିଏ ଜାଗାରେ ବସି ଲୋକଙ୍କର ସମସ୍ୟା ସମାଧାନ କରୁଥାନ୍ତି । ସଭା ଶେଷ ରେ ଜଣେ ଭକ୍ତ, ଭକ୍ତ ବାବା ଙ୍କୁ ବିଲେଇଟି କୁ ଦେଖେଇ ପଚାରିଲେ, ବାବା ଏଇ ବିଲେଇ ଟି ଆପଣଙ୍କର?

ନାଣ୍ଡୁବାବା: ହଁ

ଭକ୍ତ: ମହାତ୍ମା, ଯାହା ଜଣା ପଡ଼ୁଛି ଵିଲେଇଟି ଖାଦ୍ୟ ଅଭାବ ରେ ଖୁବ୍ ଦୁର୍ବଳ ହେଇ ଯାଇଛି ଏବଂ ୟା ପରେ ରୋଗାଗ୍ରସ୍ତ ହେବାକୁ ଯାଉଛି।

ଭକ୍ତ କଥାରେ ସତ୍ୟତା ହେତୁ ବାବା ଲଜ୍ଜ୍ୟା ବୋଧ କଲେ। କିନ୍ତୁ ଜ୍ଞାନ ପିପାସୁ ନାଣ୍ଡୁବାବା ସେ ଭକ୍ତ କୁ କହିଲେ ମହାଶୟ ମୁଁ ତାକୁ ସବୁବେଳେ ଖାଇବାକୁ ଦେଉଛି କିନ୍ତୁ ସେ ଖାଉ ନାହିଁ। ତେଣୁ ତାର ଏଭଳି ଅବସ୍ଥା। ତେଣୁ କଣ କରାଯାଇ ପାରେ, ଯଦି ଆପଣ ଆପଣଙ୍କ ଅଭିଜ୍ଞତା ରୁ କିଛି ଉପଚାର କୁହନ୍ତେ ମୁଁ ଖୁସି ହୁଅନ୍ତି।

ଭକ୍ତ: ହେ ମହାତ୍ମା, ମୁଁ ସାଧାରଣ ମଣିଷ ଟିଏ । ମୁଁ ବା କି ଉପଚାର କହି ପାରିବି?

ଏଭଳି ଉତ୍ତର ରେ ବାବା ନିରାଶ ହେଲେ।

                           ନାଣ୍ଡୁବାବା ନିରାଶ ହେବା ଦେଖି ଭକ୍ତ ଜଣକ ସହଯୋଗ କ୍ରମେ, ସେଇ ଗାଁ ର ଗୋଟିଏ ପଶୁ ପ୍ରେମୀ ଙ୍କର ଠିକଣା ଦେଇ ତାଙ୍କ ପାଖକୁ ଯିବାକୁ କହିଲେ। ଏବଂ ସେଇଠି ତାଙ୍କ ସମସ୍ୟା ର ସମାଧାନ ହେଇ ପାରିବ ବୋଲି ଆଶ୍ୱାସନା ଦେଲେ। ନାଣ୍ଡୁବାବା ଖୁସି ହେଇ ସିଧା ଧାଇଁ ଗଲେ ଠିକଣା ଜାଗା କୁ। ପହଞ୍ଚି ଦେଖିଲେ ବହୁ ବିଲେଇ କୁକୁର ଇତ୍ୟାଦି ରହିଛନ୍ତି ସେ ପଶୁ ପ୍ରେମୀଙ୍କ ପାଖରେ। ଏତକ ଦେଖି ଆଶ୍ୱସ୍ତି ହେଲେ ଏବଂ ପ୍ରକୃତରେ ଏହି ଜାଗାରେ ହିଁ ତାଙ୍କ ସମସ୍ୟା ର ସମାଧାନ ହେଇ ପାରିବ ବୋଲି ଆଶା ବାନ୍ଧିଲେ। କିଛି ସମୟ ଡାକିବା ପରେ ପଶୁ ପ୍ରେମୀ ଜଣକ ଘରୁ ବାହାରକୁ ଆସି ନାଣ୍ଡୁବାବା ଙ୍କୁ ପ୍ରଣାମ କରି ଆସିବାର କାରଣ ପଚାରି ବୁଝିଲେ। ବାବା ମଧ୍ୟ ତାଙ୍କୁ ତାଙ୍କର ଆସିବାର କାରଣ ବୁଝାଇ କହିଲେ। ସବୁ ଶୁଣିସାରି ବ୍ୟକ୍ତି ଜଣକ ଜାଣି ପାରିଲେ ତାଙ୍କ ସମସ୍ୟା। ସେ କହିଲେ, ଯେ ବିଲେଇ ପ୍ରାୟତଃ ନିରାମିଷାଶୀ ପ୍ରାଣୀ ନୁହେଁ। ଅବଶ୍ୟ ସିଏ ମଣିଷ ସାଙ୍ଗରେ ରହି କିଛି କିଛି ନିରାମିଷ ଖାଏ। କିନ୍ତୁ ସବୁବେଳେ ନୁହେଁ। ତେଣୁ ତାକୁ ଖାଇବାରେ ଟିକିଏ ଆମିଷ କିମ୍ବା କ୍ଷୀର ବା କ୍ଷୀର ଜାତୀୟ ଖାଦ୍ୟ ଦେଲେ, ସେ ଖୁସିରେ ଖାଇବ ଏବଂ ସୁସ୍ଥ ରହିବ। ନଚେତ୍ ଏହିପରି ଅସୁସ୍ଥ ହେଇ ହେଇ ରୋଗଗ୍ରସ୍ତ ହେଇ ମରିଯିବ। 

ନାଣ୍ଡୁବାବା: ମରିଯିବ!!!! ନା ମୁଁ ସେ ପାପର ଭାଗୀଦାର ହେଇ ପାରିବି ନାହିଁ। ହଉ ଯେମିତି ହଉ କାଲିଠୁ ଯେମିତି ହେଉ ଆମିଷ ନହେଲେ ନାଇଁ ପଛେ ହେଲେ କ୍ଷୀର ଟିକିଏ ନୀତି ଯୋଗାଡ଼ କରି ଦେବି।

ଏତିକି ଚିନ୍ତା କରି ଆଶ୍ୱାସନା ପାଇ ନାଣ୍ଡୁବାବା ସେ ଜାଗାରୁ ଫେରି ଆସିଲେ।


ତା ପରଦିନ ସକାଳ ହେଲା। ବାବା ତାଙ୍କର ନିତ୍ୟକର୍ମ ସାରି ବାହାରିଲେ ଭିକ୍ଷା ଉଦ୍ଦେଶ୍ୟ ରେ ।

ଭିକ୍ଷାଂ ଦେହି………………… ମିଆଁଉ…………….

          ଭିକ୍ଷାଂ ଦେହି …………………ମିଆଁଉ…………….

ଏଥର ବିଲେଇ ବି ଥିଲା ବାବା ଙ୍କ ସାଙ୍ଗରେ ଭିକ୍ଷା କରିବା ସମୟରେ।


ଘର ଭିତରୁ ଗୋଟିଏ ଥାଳି ରେ ରେ କିଛି ଚାଉଳ, ଡାଲି, ପରିବା, ଆଉ ଗାମୁଛା ଖଣ୍ଡିଏ ଧରି ଆସିଲେ ଜଣେ ମହିଳା।

ମହିଳା: ପ୍ରଣାମ ମହାତ୍ମା। ଏଇ ନିଅନ୍ତୁ,ଆଜି ଶାଶୁଙ୍କ ବାର୍ଷିକ ଶ୍ରାଦ୍ଧ ତେଣୁ ଚଞ୍ଚା ହିସାବରେ ଏହାକୁ ସାଦରେ ଗ୍ରହଣ କରନ୍ତୁ।

ନାଣ୍ଡୁବାବା: ଏସବୁ ମୋର କଣ୍ ହେବ? ମୋର ଆବଶ୍ୟକ ମତେ ମୁଁ କେବଳ ଗାମୁଛା ଟି ଗ୍ରହଣ କରୁଛି। ଫେରେଇ ଦେଉଛି ବୋଲି ମନ କଷ୍ଟ କରନ୍ତୁ ନାହିଁ। ପ୍ରକୃତରେ ମୁଁ ବ୍ରହ୍ମଚାରୀ। ଭିକ୍ଷା କରି ଚଳେ। ଯେହେତୁ ରୋଷେଇ କରେ ନାହିଁ ତେଣୁ ଏତେ ପରିମାଣ ରେ ଚାଉଳ ଡାଲି କି ପରିବା ମୋର ଆବଶ୍ୟକ ନାହିଁ। ହଁ ଯଦି ସକ୍ଷମ ତେବେ ମୋ ପାଳିତ ବିଲେଇ ପାଇଁ କିଛି କ୍ଷୀର ଦେଲେ ମୁଁ ଖୁସି ହେବି।

ମହିଳା: ଠିକ୍ ଅଛି ବାବା ଆପଣ ଟିକିଏ ଅପେକ୍ଷା କରନ୍ତୁ । ମୁଁ ନେଇ ଆସୁଛି।

ଏହା କହି ମହିଳା ଜଣକ ଘର ଭିତରକୁ ଯାଇ କ୍ଷୀର ଘଡ଼ି ରୁ କିଛି କ୍ଷୀର ଏବଂ କିଛି ରନ୍ଧା ଭାତ ଆଣି ନାଣ୍ଡୁବାବା ଙ୍କୁ ଦେଲେ। ବାବା ତାକୁ ସାଦରେ ଗ୍ରହଣ କରି ଆଶୀର୍ବାଦ କରି ସେ ଜାଗାରୁ ଫେରି ଆସିଲେ। 

କ୍ଷୀର ଓ ଭାତ କୁ ଏକା ସାଙ୍ଗରେ ଗୋଳେଇ ଗୋଟିଏ ପତ୍ର ରେ ବିଲେଇ ଉଦ୍ଦେଶ୍ୟ ରେ ବାଢ଼ି ଦେଲେ। ବିଲେଇଟି ଖୁବ୍ ଆନନ୍ଦରେ ସେ କ୍ଷୀର ଗୋଳା ଭାତକୁ ଖାଇ ଦେଲା। ବାବା ଦେଖି ଖୁସି ହେଲେ।

               ଏହିପରି କିଛି ଦିନ ବେଶ୍ ସୁରୁଖୁରୁରେ ସବୁ ଠିକ୍ ଠାକ୍ ଚାଲିଲା। ବାବା ଏମିତି ଭିକ୍ଷା କରିବାକୁ ଯାଆନ୍ତି ନିଜ ପାଇଁ କିଛି ଆଉ ବିଲେଇ ପାଇଁ ଯେଉଁଠୁ ହେଲେ କିଛି କ୍ଷୀର ଆଉ ଭାତ ନେଇ ଆସନ୍ତି। ବିଲେଇ ଯୋଗୁଁ ମୂଷା ଆଉ ହଇରାଣ କରନ୍ତିନି ନାଣ୍ଡୁବାବା ଙ୍କୁ। ବାବା ଖୁସ୍ ବିଲେଇ ବି ଖୁସ୍।

                

                          କିନ୍ତୁ କିଛିଦିନ ଯିବା ପରେ ବାବା ଲକ୍ଷ୍ୟ କଲେ ସେ କ୍ଷୀର ଆଣୁଥିବା ଜାଗାରୁ ଲୋକେ ତାଙ୍କ ଫେରିଗଲା ପରେ ପଛପଟେ କିଛି କିଛି କହୁଛନ୍ତି। କିନ୍ତୁ ସାମ୍ନା ରେ କେହି କିଛି କହୁ ନାହାନ୍ତି। ଅନେକ ଥର ଲକ୍ଷ୍ୟ କରିବା ପରେ ବାବା ସ୍ଥିର ହେଇ ଶୁଣିବାକୁ ଚେଷ୍ଟା କଲେ।

ଶୁଣିବାକୁ ପାଇଲେ, ଲୋକେ କହୁଛନ୍ତି କେମିତିକା ବାବା ଇଏ, ନିଜେ ତ ଭିକ୍ଷା କରୁଛନ୍ତି ତା ପରେ ପୁଣି ଗୋଟେ ବିଲେଇ ଆଣି ଗୋଟେ ପାଲା ଚଲେଇ ଛନ୍ତି। 

ପୁଣି କିଛି ଜାଗାରେ ଶୁଣିଲେ, ବାବାଙ୍କୁ ମୁଣ୍ଡିଆ ବାବାଙ୍କ ବିଲେଇକୁ ଦଶଟା ମୁଣ୍ଡିଆ, ଆହୁରି ପୁଣି କିଛି ଜାଗାରୁ କ୍ଷୀର କାହିଁକି ଏଥର ଆସୁ ଛେନା ଛିଣ୍ଡେଇକି ଦେବି କହି କବାଟ କୁ ଧଡ୍ କି ପକେଇ ଦିଅନ୍ତି। ଏମିତି ଅନେକ କିଛି। 

ଏମିତିକି କିଛି ଲୋକ ଶୁଣି ବି ନ ଶୁଣିବା ପରି ହୁଅନ୍ତି ଆଉ କିଛି କ୍ଷୀର ବଦଳ ରେ ତୁଚ୍ଛା ପାଣି ଟିକିଏ ଦେଇ ଭଣ୍ଡେଇ ଦିଅନ୍ତି। ଏସବୁ ଉପଲବ୍ଧି କରିବା ପରେ ନାଣ୍ଡୁବାବା ଭାରି ମର୍ମାହତ ହେଲେ। 

               ଦିନକର ଘଟଣା, ନାଣ୍ଡୁବାବାଙ୍କୁ ଗାଁ’ର ମୁଖିଆ ବଟ ବାବୁ ତାଙ୍କ ଘରକୁ ଭୋଜନ ନିମନ୍ତେ ନିମନ୍ତ୍ରଣ କଲେ। ସିଏ କିନ୍ତୁ ବିଲେଇ କୁ ସାଙ୍ଗରେ ନେଇ ଯିବାକୁ ପଡ଼ିବ ବୋଲି, ଯିବା ପାଇଁ ମନା କରି ଦେଲେ। ବଟ ବାବୁ ତାଙ୍କ ଦ୍ଵାରା କିଛି ଅପରାଧ ହୋଇଛି ଭାବି ଖୁବ୍ ଅନୁନୟ ବିନୟ ହେଇ ତାଙ୍କ ଅନିଛାର କାରଣ ପଚାରିଲେ। କହିବାକୁ କୁଣ୍ଠିତ ମଧ୍ୟ ସମସ୍ୟା ର ସମାଧାନ ନିମନ୍ତେ ବାବା ସବୁ ସତ କଥା ତାଙ୍କ ଆଗରେ ଖୋଲି କହିଲେ।


ବଟ ବାବୁ: ଓଃ ଏଇ କଥା, ……ହଉ ଏ ସମସ୍ୟା ର ସରଳ ସମାଧାନ ମୋ ପାଖରେ ଅଛି। ଆପଣ ଏଵଂ ଆପଣଙ୍କ ବିଲେଇ କୁ ନିମନ୍ତ୍ରଣ ରହିଲା, କାଲି ସକାଳେ ଆପଣ ଭୋଜନ ନିମନ୍ତେ ଆମ ଘରେ ପାଦ ପକାନ୍ତୁ, ସେଇଠି ବସି ସମସ୍ୟା ର ସମାଧାନ ବିଷୟରେ ଆଲୋଚନା କରିବା ।

ନାଣ୍ଡୁବାବା: ହଉ ଠିକ୍ ଅଛି ତେବେ। ମୁଁ ନିଶ୍ଚୟ ଯାଇ ପହଁଚିବି ଆପଣଙ୍କ ଘରେ ଦିନ ଦଶଟାରେ।

ବଟ ବାବୁ ନାଣ୍ଡୁ ବାବାଙ୍କ ଠୁ ଆସିବାର ଅଭୟ ବାଣୀ ଶୁଣି,ଖୁସି ହେଇ ଘରକୁ ଫେରି ଗଲେ।

ତା ପରଦିନ ସକାଳୁ ନିଜର ନିତ୍ୟକର୍ମ ଇତ୍ୟାଦି ସାରି ଠିକ୍ ସମୟ ରେ ବାବା ଯାଇ ପହଞ୍ଚିଲେ ବଟ ବାବୁଙ୍କ ଘରେ।


ଭିକ୍ଷାଂ ଦେହି………………… ମିଆଁଉ…………….

       ଭିକ୍ଷାଂ ଦେହି………………… ମିଆଁଉ…………….


ବାବାଙ୍କ ଡାକ ଶବ୍ଦ ଶୁଣି ବଟ ବାବୁ ସମ୍ମାନ ର ସହ ହାତରେ ପାଣି ବାଲ୍ଟି ଏବଂ ଲୋଟା ଟିଏ ନେଇ ବାହାରି ଆସିଲେ ଘରୁ ବାହାରକୁ । ବାବା ଙ୍କୁ ଦେଖି ବଟ ବାବୁ ତାଙ୍କ ଗୋଡ଼ ଧୋଇ ଦେଲେ ଏବଂ ତାଙ୍କ ସ୍ତ୍ରୀ ନୂଆ ଲୁଗାରେ ଓଦା ଗୋଡ଼ ପୋଛି ଦେଇ ସାଷ୍ଟାଙ୍ଗ ପ୍ରଣିପାତ ହେଲେ ସପରିବାର ଏବଂ ତା ପରେ ପରେ ସମସ୍ତେ ମିଶି ବାବାଙ୍କୁ ଏବଂ ତାଙ୍କ ପୋଷା ବିଲେଇକୁ ଘର ଭିତରକୁ ପାଛୋଟି ନେଇ ଆଦର ଯତ୍ନ କଲେ। ଉତ୍ତମ ଭୋଜନ ସହିତ ଉତ୍ତମ ଆତିଥ୍ୟ ସତ୍କାର ପାଇ ନାଣ୍ଡୁବାବା ଖୁବ୍ ଖୁସି ହେଲେ ଏବଂ କଥା ପ୍ରସଙ୍ଗ ଭିତରେ ତାଙ୍କ କଉପୁନି ର ଦୁର୍ଦ୍ଦଶା ଏବଂ ବ୍ରାହ୍ମଣ ଘର ଝିଅ ଝରଣା ଠାରୁ ପାଇ ଥିବା ସାହାଯ୍ୟ ଆଉ ବିଲେଇ ପାଳିବାର ର ରହସ୍ୟ ଜଣାଇଲେ ।

ବଟ ବାବୁ: ଝରଣା!!!! ଆମ ଗାଁ ଝରଣା ! ଆମ ମନ୍ଦିର ପୁଝାରୀ ସ୍ବର୍ଗତ ନିତ୍ୟାନନ୍ଦ ମିଶ୍ର ଙ୍କ ଝିଅ କଥା କହୁ ନାହାନ୍ତି ତ ଆପଣ!

ନାଣ୍ଡୁବାବା: ହଁ ଆପଣ ଜାଣନ୍ତି ତାଙ୍କୁ?

ବଟ ବାବୁ: ଜାଣେ ମାନେ ଖୁବ୍ ଭଲ ଭାବେ ଜାଣେ। ପ୍ରକୃତରେ ତାଙ୍କର ଆମର ଗୁଆ ଦିଆ ବନ୍ଧୁ।

ନାଣ୍ଡୁବାବା: ଗୁଆ ଦିଆ ବନ୍ଧୁ!!!!! କିନ୍ତୁ ଆପଣ କ୍ଷତ୍ରିୟ ଏବଂ ସେ ବ୍ରାହ୍ମଣ। ତେବେ ବନ୍ଧୁ କେମିତି କଣ?

ବଟ ବାବୁ: ହଁ ମହାତ୍ମା । ସେ ଅନେକ କଥା । କେବେ ସମୟ ହେଲେ କହିବି।

ନାଣ୍ଡୁବାବା: ହଉ ଠିକ୍ ଅଛି। କିନ୍ତୁ ମୁଁ ଆଜି ଆସିବାର ପ୍ରକୃତ ଉଦ୍ଦେଶ୍ୟ ଆପଣଙ୍କର ଜ୍ଞାତ ଅଛି ତ?

ବଟ ବାବୁ: ହାତ ଯୋଡ଼ି…………………. ହେ ମହାତ୍ମା, ଅଛ । ଞାତ ଅଛି ଆପଣଙ୍କ ସମସ୍ୟା । ତେଣୁ ଏଇ ଛୋଟ ତୁଣ୍ଡରେ କହିବାର ଅନୁମତି ଦେଲେ କିଛି କହିବି।

ନାଣ୍ଡୁବାବା: ନିଶ୍ଚିତ ବଟ ବାବୁ । ଆପଣ ମୋର ଧର୍ଯ୍ୟ ପରୀକ୍ଷା ନ’କରି ଦୟାକରି କୁହନ୍ତୁ ମୋ ସମସ୍ୟା ର ସମାଧାନ କିପରି ହେଇ ପାରିବ ।

ବଟ ବାବୁ: ମହାତ୍ମା ଆପଣ ଙ୍କ ବିଲେଇ ନିମନ୍ତେ ଅପଙ୍କୁ ନୀତି ଟିକିଏ କ୍ଷୀର ସର କିମ୍ବା ଆମିଷ ଆବଶ୍ୟକ । ଆପଣ ଯେହେତୁ ବ୍ରାହ୍ମଣ ଏବଂ ବାଳ ବ୍ରହ୍ମଚାରୀ ତେଣୁ କୌଣସି ମତେ ଆପଣ ଆମିଷ କୁ ସ୍ପର୍ଶ କରିବାର ପ୍ରଶ୍ନ ଉଠୁ ନାହିଁ । କିନ୍ତୁ କ୍ଷୀର ଆପଣ ଦେଇ ପାରିବେ । ଦେବାରେ କୌଣସି ସମସ୍ୟା ନାହିଁ। ହେଲେ ସମସ୍ୟାଟି ହେଉଛି, ଦୁଗ୍ଧ କିମ୍ବା ଦୁଗ୍ଧ ଜାତୀୟ ଜିନିଷ ଟିକିଏ ମୂଲ୍ୟବାନ ଆଉ ତାକୁ ସମସ୍ତେ ସବୁବେଳେ ଆପଣଙ୍କୁ ଦାନ ସୂତ୍ରରେ ଦେଇ ପାରିବା ସମ୍ଭବ ନୁହେଁ। ଆଉ ଆପଣ ଆଶା କରିବା ମଧ୍ୟ ଅସମୀଚିନ। ନୁହେଁ କି?

ନାଣ୍ଡୁବାବା: ହଁ ତା ତ ସତ। ଆଉ ମୁଁ ନିଜେ ଉପଲବ୍ଧି ମଧ୍ୟ କରି ପାରୁଛି। ତେବେ କଣ କରାଯାଇ ପାରିବ? କିଛି ଗୋଟିଏ ନକଲେ ମୋ ବିଲେଇ ଟି ମୃତ୍ୟୁ ମୁଖରେ ପଡ଼ିବ ଏବଂ ସେ ପାପର ଭାଗିଦାରୀ ମୁଁ ହିଁ ହେବି। ତେଣୁ କୁହନ୍ତୁ ଏ ସମସ୍ୟା ର ସମାଧାନ କିପରି ହେଇ ପାରିବ?

ବଟ ବାବୁ: ମହାତ୍ମା ଗୋ ପାଳନ ହିଁ ଏ ସମସ୍ୟା ର ସରଳ ସମାଧାନ।

ନାଣ୍ଡୁବାବା: ବଟ ବାବୁ ଆପଣ ଏ କଣ କହୁଛନ୍ତି? ମୋ ପରି ଏକ ଗରିବ ବ୍ରାହ୍ମଣ ଗାଈ କେଉଁଠୁ ପାଇବ? ଆଉ ଯଦି ବି ପାଇବି ଏ ବିଲେଇଟି ପରି କଣ ତାକୁ ସାଙ୍ଗରେ ନେଇ ଚାରି ଆଡେ ବୁଲେଇବି? ନା ଏ ସମ୍ଭବ ନୁହେଁ ବଟ ବାବୁ ଏ ସମ୍ଭବ ନୁହେଁ। ଆପଣ ଅନ୍ୟ କିଛି ଉପାୟ କୁହନ୍ତୁ।

ବଟ ବାବୁ: ମହାତ୍ମା ଆପଣ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ସବୁ ପ୍ରକାରର ବ୍ୟବସ୍ଥା କରି ଆପଣ ଙ୍କୁ ଏହି ପ୍ରକାର ର ସମାଧାନ ର ସୂତ୍ର କହିଛି।

ନାଣ୍ଡୁବାବା: ବ୍ୟବସ୍ଥା!!! କି ପ୍ରକାର ର ବ୍ୟବସ୍ଥା କରିଛନ୍ତି ଆପଣ? ଟିକିଏ ସରଳ ଭାବରେ ଜଣାଇଲେ ମୁଁ କୃତଜ୍ଞ ହେବି।

ବଟ ବାବୁ: ନା ମହାତ୍ମା ଆପଣଙ୍କ ପରି ଜଣେ ସାଧକ ଙ୍କ ର ସେବା କରିବା ଭାଗ୍ୟ ରେ ଥିଲେ ମିଳେ। ତେଣୁ ମୁଁ କେବଳ ସେବା କରୁଛି। ପ୍ରକୃତ କଥା ଏଇଠୁ ଵାର କିଲୋମିଟର ଦୂରରେ ସୋମନାଥ ପୁର ରେ ମୋ ଭିଣୋଇ ଚନ୍ଦ୍ରଗୁପ୍ତ ବଳୀୟାରସିଂ ଜମିଦାର ଅଟନ୍ତି। ତାଙ୍କର ପାଞ୍ଚ ପିଢ଼ି ଧରି କେବଳ ପୁତ୍ର ସନ୍ତାନ ଜାତ ହେଉଛନ୍ତି। କନ୍ୟା ସନ୍ତାନ ଟିଏ ପାଇବା ଆଶାରେ ଆସନ୍ତା ପୂର୍ଣ୍ଣମୀ ତିଥିରେ ସେ ଏକ ଯଜ୍ଞ ର ଆୟୋଜନ କରିଛନ୍ତି। ଏବଂ ସେଇ ଯଜ୍ଞ ମୁତାବକ ଗୋ ଦାନ ଏବଂ ଭୂମି ଦାନ କରିବାର ବିଧି ରହିଛି। ତେଣୁ ମୁଁ ଚାହେଁ ଆପଣ ଯାଇ ଦାନ ସୂତ୍ର ରେ ଗାଈ ଟିଏ ଏବଂ ତାର ରହିବା ପାଇଁ ଭୂମି ଟିଏ ଗ୍ରହଣ କରନ୍ତୁ।

କିଛି ସମୟ ଚିନ୍ତା କରିବା ପରେ କୌଣସି ଅନ୍ୟ ଉପାୟ ନପାଇ ନାଣ୍ଡୁବାବା ସମ୍ମତି ଜଣାଇଲେ ବଟ ବାବୁଙ୍କ ପ୍ରସ୍ତାବରେ।

ନାଣ୍ଡୁବାବା: ଠିକ୍ ଅଛି ତେବେ ଆପଣ ଆପଣଙ୍କ ଭିଣୋଇ ଙ୍କ ସହ ଆଲୋଚନା କରନ୍ତୁ। ଯଦି ସିଏ ରାଜି ହୁଅନ୍ତି ତେବେ ଦୁହେଁ ସାଙ୍ଗ ହେଇ ଯିବା ତାଙ୍କ ଘରକୁ ଯଜ୍ଞ ଦିନ। ହଉ ଏଥର ମୁଁ ଆସୁଛି।

ବଟ ବାବୁ ବିଦାୟ ଉଦ୍ଦେଶ୍ୟ ରେ ହାତ ଯୋଡ଼ି ଠିଆ ହେଇ ଥିଲେ। ଚାହିଁ ରହି ଥିଲେ ବାବାଙ୍କର ଯିବା ବାଟକୁ ଏବଂ ମନେ ପକାଉ ଥିଲେ, ନିତ୍ୟାନନ୍ଦ ମିଶ୍ର ଙ୍କ କଥା।


                ପୁଣି କିଛି ଦିନ ଗଲା। ପୂର୍ଣ୍ଣମୀ ତିଥି ଆସି ପହଞ୍ଚିଲା। ବଟ ବାବୁ ଏବଂ ନାଣ୍ଡୁବାବା ଦୁହେଁ ମିଶି ଗଲେ ସୋମନାଥ ପୁର, ବଟ ବାବୁଙ୍କ ଭିଣୋଇ ଙ୍କ ଘରକୁ। ସେଠି ଯାଇ ପହଞ୍ଚିବା ପରେ, ନାଣ୍ଡୁବାବା ମଧ୍ୟ ଯଜ୍ଞ କାର୍ଯ୍ୟ ରେ ନିଜକୁ ସାମିଲ କଲେ। ତାଙ୍କର ମନ୍ତ୍ର ସ୍ତୁତି ଆଦି ଉଚ୍ଚାରଣ ଦେଖି ଆମନ୍ତ୍ରିତ ବ୍ରାହ୍ମଣ ଗଣ ତଥା ଉପସ୍ଥିତ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ଏପରିକି ବଟ ବାବୁ ମଧ୍ୟ ଅଭିଭୂତ ହେଲେ। ସେ ମଧ୍ୟ ଆଗରୁ କେବେ ଦେଖି ନଥିଲେ ନାଣ୍ଡୁବାବା ଙ୍କର ଏଭଳି ରୂପ। ଯଜ୍ଞ କାର୍ଯ୍ୟ ସମାପ୍ତ ହେଲା । ଯଜ୍ଞ ର ମୁଖ୍ୟ ପୂଜକ ବାବାଙ୍କର ଶାସ୍ତ୍ର ଜ୍ଞାନ କୁ ଭୂରି ଭୂରି ପ୍ରଶଂସା କଲେ। ଏତେ ସବୁ ଗୁଣ ବାବାଙ୍କ ପାଖରେ ଭରି ରହିଥିଲେ ମଧ୍ୟ ବାବାଙ୍କର କେବେ କୌଣସି ଗର୍ବ ନଥିଲା। ପ୍ରସଂଶା ପ୍ରତିବଦଳ ରେ ବାବା କେବଳ ହାତ ଯୋଡ଼ି ଟିକିଏ ହସି ଦେଉ ଥିଲେ। 

                    ଚନ୍ଦ୍ରଗୁପ୍ତ ବଳୀୟାରସିଂ ନିଜ ହାତରୁ କୁଶ ମୁଦ୍ରିକା କୁ କାଢ଼ି ଆସି ପ୍ରଣାମ କଲେ, ନାଣ୍ଡୁବାବାଙ୍କ । ଲୋକ ଡକାଇ ବହୁ ପ୍ରକାରର ସେବା ଯତ୍ନ କରାଇଲେ। ପରେ ପରେ ଚନ୍ଦ୍ରଗୁପ୍ତ, ବାବାଙ୍କୁ ଗୋଦାନ, ଭୂମିଦାନ ସହିତ ବସ୍ତ୍ର ଦାନ ମଧ୍ୟ କଲେ। କିନ୍ତୁ ବାବା ବସ୍ତ୍ର ଦାନ କୁ ଅଗ୍ରାହ୍ୟ କଲେ। କହିଲେ, ମୁଁ କେବଳ ଯେତିକି ଆବଶ୍ୟକ ସେତିକି ହିଁ ଦାନ ସୂତ୍ରରେ ଗ୍ରହଣ କରେ। ତାଙ୍କର ଏଭଳି ମହାନ୍ ଗୁଣ ଦେଖି ସମସ୍ତେ ଆହୁରି ପ୍ରଶଂସା କଲେ। ଦାନ ପାଇ ସମସ୍ତଙ୍କୁ ଆଶୀର୍ବାଦ କରି ନାଣ୍ଡୁବାବା ଦାନରେ ପାଇଥିବା ଗାଈ କୁ ଧରି ଫେରି ଆସିଲେ।


             ବଟ ବାବୁ କିଛି ଲୋକ ପଠାଇ ବାବା ଦାନ ରେ ପାଇ ଥିବା ଜାଗା ଉପରେ ବାବାଙ୍କ କହିବା ମୁତାବିକ୍ କେବଳ ଗୁହାଳ ଘର ଟିଏ କରେଇ ଦେଲେ। ଏପରିକି ରାତ୍ରି ସମୟ ରେ ଗାଈ ଗୁହାଳ ରେ ଆଉ ବାବା ଖୋଲା ଆକାଶ ତଳେ ଶୁଅନ୍ତି। ଚନ୍ଦ୍ରଗୁପ୍ତ ବଳୀୟାରସିଂ ଗୋଟିଏ ଲୋକ କୁ ଖଞ୍ଜି ଦେଲେ ଗାଈ କାମ କରିବାକୁ। ସେ ଲୋକ ଟି,କେବଳ ଗୁହାଳ କାମ କରେ। ଗାଈ କ୍ଷୀର ରୁ କିଛି ବାବାଙ୍କ ବିଲେଇ କୁ ଆଉ କେତେବେଳେ କେମିତି ଛେନା ଦହି ଏମିତି ଟିକିଏ ଟିକିଏ ଦେଇ ବାକିତକ ବିକି ଦେଇ ନିଜର ମଜୁରୀ ଉଠାଏ। ବାବା ଚିନ୍ତା କଲେ, ଏବେ ସବୁ ଠିକ୍ ଠାକ୍ ହେଇ ଗଲା । ମୂଷା ପାଇଁ ବିଲେଇ, ବିଲେଇ ପାଇଁ ଗାଈ, ଗାଈ ପାଇଁ ଗୁହାଳ ଏବଂ ଲୋକଟିଏ ଯୋଗାଡ଼ ହେଇ ଗଲା। ବାସ୍ ସମସ୍ତେ ଖୁସି। 


               ଏମିତି ଖୁସିରେ ଖୁସିରେ ବେଶ୍ କିଛି ଦିନ ଚାଲି ଗଲା। ବାବା ଏବେ ତାଙ୍କ କାମ ଠିକ୍ ଠିକ୍ କରି ପାରୁ ଥିଲେ। ଭିକ୍ଷା ସହିତ ଗୋଧୂଳି ରେ ସେ ଲୋକ ମାନଙ୍କର ଦୁଃଖ ସୁଖ ବୁଝି ପାରୁଥିଲେ। କିନ୍ତୁ ତାଙ୍କର ଏ ଭଲ ସମୟ ବେଶୀ ଦିନ ରହିଲା ନାହିଁ।

               ବାବା ହଠାତ୍ ଦିନେ ଲକ୍ଷ କଲେ, କାମ କରିବାକୁ ଆସୁଥିବା ଲୋକ ଟି ଆଉ ଆସୁ ନାହିଁ। ଗାଈ ଟି ଖାଇବାକୁ ନ ପାଇ ଗୁହାଳ ଭିତରେ ହମାଳି ହେଉଛି। ବିଲେଇ ଟି ବି ଭଲ ରେ ଖାଉ ନାହିଁ। ଲୋକଟିର ଅନୁପସ୍ଥିତି ରେ କାହାକୁ କିଛି ନ କହି ନିଜେ ନିଜେ କରିବାକୁ ଲାଗିଲେ ସବୁ କାମ। ଗୁହାଳ କାମ ,ଗାଈ ପାଇଁ ଖାଇବା ଯୋଗାଡ଼ କରିବା ଇତ୍ୟାଦି କାମ କରିବାର ଅଭ୍ୟାସ ନଥିବାରୁ ଏବଂ ତାଙ୍କ ଗାଧୁଆ ପାଧୁଆ ନିତ୍ୟ କର୍ମ ତଥା ଅନ୍ୟାନ୍ୟ କାମରେ ସମୟ ର ତାଳମେଳ ନ ରହିବା ହେତୁ ତାଙ୍କ ଦେହ ଖରାପ୍ ହେଇ ଗଲା। ସେ ପଡ଼ି ରହିଲେ ଗୋଟିଏ ଜାଗାରେ।

ରାସ୍ତାରେ ଯାଉଥିବା ଗୋଟିଏ ଲୋକ ହାତରେ ତାଙ୍କ ଅସୁସ୍ଥ ହେବାର ଖବର ଦେଲେ, ବଟ ବାବୁଙ୍କ ପାଖକୁ। ବଟ ବାବୁ ଖବର ପାଇ ବୈଦ୍ୟ ଧରି ଧାଇଁ ଆସିଲେ, ବାବାଙ୍କ ପାଖକୁ। ବୈଦ୍ୟ ଔଷଧ ଦେଇ ସାଷ୍ଟାଙ୍ଗ କଲେ ନାଣ୍ଡୁବାବାଙ୍କୁ। ଦୁଇ ଦିନ ବଟ ବାବୁଙ୍କ ଚେଷ୍ଟାରେ ସମ୍ପୂର୍ଣ ସୁସ୍ଥ ହେଲେ ନାଣ୍ଡୁବାବା । ଆଉ ବାବା ସୁସ୍ଥ ହେବା ପରେ ବଟ ବାବୁ ତାଙ୍କ ଅସୁସ୍ଥ ହେବାର କାରଣ ପଚାରିଲେ। ବାବା ମଧ୍ୟ ସବୁ କଥା ବିସ୍ତାର କରି ବଟ ବାବୁଙ୍କୁ କହିଲେ ।

ବଟ ବାବୁ: ଆଛା ହଉ ଠିକ୍ ଅଛି।ଆମେ ଦୁହେଁ ସାଙ୍ଗ ହେଇ ଯିବା ଭିଣୋଇ ଙ୍କ ପାଖକୁ। ବୁଝିବା କଣ ହେଇଛି।ସେ ଲୋକର କଣ୍ ହେଇଛି,ଆଉ କାହିଁକି ଆସୁ ନାହିଁ।

ନାଣ୍ଡୁବାବା: ହଉ ଠିକ୍ ଅଛି । କାଲି ଟିକିଏ ସମୟ ବାହାର୍ କରନ୍ତୁ ଆମେ କାଲି ହିଁ ଯିବା। ନଚେତ୍ ମୋ ଗାଈ ଏବଂ ବିଲେଇ ଦୁହେଁ ହଇରାଣ ହେଇ ଯିବେ।

ବଟ ବାବୁ: ଠିକ୍ ଅଛି ମହାତ୍ମା।

ସକାଳୁ ସକାଳୁ ନାଣ୍ଡୁବାବା ଏବଂ ବଟ ବାବୁ ଡେରି ନ କରି ବାହାରିଲେ,ସୋମନାଥ ପୁର ଜମିଦାର ଚନ୍ଦ୍ରଗୁପ୍ତ ଚନ୍ଦ୍ରଗୁପ୍ତ ବଳୀୟାରସିଂ ଙ୍କ ପାଖକୁ।


             ବଳୀୟାରସିଂ ଶାଳକ ମହାଶୟ ଏବଂ ନାଣ୍ଡୁବାବାଙ୍କୁ ଏମିତି ସକାଳୁ ସକାଳୁ ଦେଖି ଆଶ୍ଚର୍ଯ୍ୟ ତ ହେଲେ ନିଶ୍ଚୟ ଆନନ୍ଦିତ ହେଲେ ମଧ୍ୟ। ଅତିଥି ଙ୍କୁ ଯଥା ସମ୍ମାନ ଦେଇ ପାଛୋଟି ନେଲେ ଘର ଭିତରକୁ। ବସିବାକୁ ଆସନ ଦେଇ ଆସିବାର ଅଭିପ୍ରାୟ ପଚାରି ବୁଝିଲେ। ଉତ୍ତର ରେ ବଟ ବାବୁ ତାଙ୍କ ଭିଣୋଇ ଙ୍କୁ ସବୁ କଥା ବିସ୍ତାର ଭାବରେ ଉପସ୍ଥାପନା କଲେ। ବଳୀୟାରସିଂ ଟିକିଏ ବିରକ୍ତ ହୋଇ ଆଉ ଗୋଟିଏ ଲୋକ କୁ ବାବା ଙ୍କ ଗୋରୁ କାମ କରୁଥିବା ଲୋକ (ରବି) ଘରକୁ ପଠେଇଲେ ଡାକି ଦେବା ପାଇଁ। ସେ ଲୋକଟି ମଧ୍ୟ ଧାଇଁ ଯାଇ ଡାକି ଆଣିଲା ରବି କୁ। ରବି ପହଞ୍ଚି ବାବା ଙ୍କୁ ଦେଖି ପ୍ରଥମେ ସଙ୍କି ଗଲା। ଡରି ଡରି ସମସ୍ତଙ୍କୁ ପ୍ରଣାମ କଲା।

ବଳୀୟାରସିଂ: ଆରେ ରବି ତୁ ତ କାମ କରୁଥିଲୁ। ଅସୁବିଧା କଣ୍ ହେଲା ତୋର? କାମ ଛାଡ଼ି ଦେଇ ଆସିଲୁ କାହିଁକି?

ରବି: ପ୍ରଭୁ କ୍ଷମା କରିବେ। ପ୍ରକୃତରେ ମୁଁ ବାବାଙ୍କୁ ଖୁବ୍ ଭକ୍ତି କରେ ତେଣୁ ଆଜି ଯାଏଁ କାହାକୁ କିଛି ନକହି ଆଠ ଦିନ ହେଲା କାମ କରିବାକୁ ଯାଉ ନାହିଁ।

ବଳୀୟାରସିଂ: ଯାହା କହୁଛୁ ସିଧା ସିଧା କହ। ଏତେ ବୁଳେଇ ବଙ୍କେଇ କଣ୍ କହୁଛୁ?

ରବି: ଛାମୁ, ଆଜିକୁ ପ୍ରାୟ କୋଡ଼ିଏ ଦିନ ହେବ ନାଣ୍ଡୁବାବାଙ୍କ ଗାଈ ଆଉ କ୍ଷୀର ଦେଉ ନାହିଁ। ମୁଁ କାମ ବାବଦରେ ବାବାଙ୍କ ପାଖରୁ ଟଙ୍କାଟିଏ ମଧ୍ୟ ନିଏ ନାହିଁ। କିନ୍ତୁ ଗାଈଟି କ୍ଷୀର ଦେଉଥିବା ଯୋଗୁଁ ବାବା ଏବଂ ବାବାଙ୍କ ବିଲେଇ ର ଆବଶ୍ୟକତା କୁ ପୂରଣ କରି ସାରିବା ପରେ,ଯାହା ବଳେ ମୁଁ ତାକୁ ବିକି ଦେଇ ମୋ ପାରିଶ୍ରମିକ ଉଠେଇ ଦିଏ। କିନ୍ତୁ ବର୍ତ୍ତମାନ ଗାଇଟି କ୍ଷୀର ଦେଉ ନଥିବା ହେତୁ ମୁଁ ମୋ ପାରିଶ୍ରମିକ ପାଇ ପାରୁ ନାହିଁ କି ଏ ବାବଦରେ ବାବା ମଧ୍ୟ କିଛି ବୁଝୁ ନାହାନ୍ତି। ଆଉ ମୁଁ କେତେ ମୋର ସମୟ ନଷ୍ଟ କରି ବାର କିଲୋମିଟର ସବୁଦିନ ଯିବି ଆଉ ଆସିବି? ମୋର ପିଲାଛୁଆ ସଂସାର। ମୁଁ କଣ କରିବି କହିଲେ? ଭାରି ଅନୁନୟ ବିନୟ ହେଇ ରବି କହିଲା ସମସ୍ତଙ୍କ ଆଗରେ।

ନାଣ୍ଡୁବାବା: କିନ୍ତୁ ତୁମେ ମୋତେ ତ ଏ ବିଷୟ ରେ କେବେ କିଛି କହି ନାହଁ, ମୁଁ ଜାଣିବି କେମିତି?

ରବି: ବାବା ଆପଣ ଜାଣିଲେ ମଧ୍ୟ କଣ୍ କରି ପାରିବେ? ଆପଣ ତ ଭିକ୍ଷା କରି ଚଳିବା ଲୋକ। ଆପଣ କଣ୍ ମୋତେ ଦରମା ଦେଇ ରଖି ପାରିବେ?

ଏକଥା ଶୁଣି ବାବା ସାମାନ୍ୟ ଲଜ୍ଜିତ ହେଲେ କିନ୍ତୁ ଘଟଣା ରେ ସତ୍ୟତା ଥିବା ହେତୁ ନିରବ ରହିଲେ।

ବଳୀୟାରସିଂ: ମହାତ୍ମା, ମୁଁ ଭାବୁଛି ରବି ଯାହା କହୁଛି ଠିକ୍ କହୁଛି। ସେ ଗରିବ ଲୋକ। ଦି ପଇସା ଆଣିଲେ, ସେ ତା କୁଟୁମ୍ବ ଚଳେଇବ । ସେ କଣ ବା କରି ପାରିବ?

ବଟ ବାବୁ: ଆଛା ରବି, ତୁମେ କହି ଦେଇ ଥାନ୍ତ କି ମୁଁ ଆଉ ଆସି ପାରିବି ନାହିଁ ଏତେ ବାଟ ତେଣୁ ତୁମେ ଅନ୍ୟ କାହାକୁ ଦେଖ।

ରବି: ଛାମୁ ଏଭଳି କହିଥିଲେ ବାବା ଙ୍କୁ କଷ୍ଟ ହେଇ ଥାନ୍ତା। ମୋ ମୁଣ୍ଡରେ କିଛି ପସିଲାନି। ତା ପରେ ମୋ ସ୍ତ୍ରୀ ମଧ୍ୟ ମୋତେ ଛାଡ଼ିଲାନି ତେଣୁ ମୁଁ ଆଉ ଗଲିନି ବାବାଙ୍କ ପାଖକୁ।

ବଳୀୟାରସିଂ: ହଁ…….…କହିଲା କଣ୍ ନା ମୁଣ୍ଡରେ ପସିଲାନି। ଦେଖିଲୁ ତୁ ନକହି ଆସିବା ଦ୍ବାରା ବାବା କିପରି ରୋଗାଗ୍ରସ୍ତ ହେଇ ଯାଇଛନ୍ତି।

ରବି: କ୍ଷମା କରିବେ ଛାମୁ । ମୋର ଭୁଲ୍ ହେଇ ଯାଇଛି।

ବଳୀୟାରସିଂ: ହଉ ତୁ ଯାଆ। ତତେ କହିଲେ କିନ୍ତୁ ତୁ ଆଉ ଥରେ ଯିବୁ ହେଲା। ହଉ ଯା……..

ରବି ସମସ୍ତଙ୍କୁ ପ୍ରଣାମ କରି, ଚାଲି ଗଲା।

ବଳୀୟାରସିଂ: ମହାତ୍ମା, ଆପଣଙ୍କ ଜୀବନରେ ଏଭଳି ଘଟଣା ଘଟିବା ସ୍ଵାଭାବିକ କଥା। କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ଆଜିର ଏ ଦୁନିଆ ଟା, ପଇସାର ଦୁନିଆ। ଯାହା ପାଖରେ ଅର୍ଥ ଅଛି ତା ପାଖରେ ସବୁ ଅଛି। ଆଉ ଯାହା ପାଖରେ ଅର୍ଥ ନାହିଁ, ତା ପାଖରେ କିଛି ନାହିଁ। ଆପଣ ତ ଜ୍ଞାନୀ ଆଉ ମୁଁ ବା କଣ ବୁଝାଇବି ଆପଣଙ୍କୁ? ଆଛା ସେକଥା ଛାଡ଼ନ୍ତୁ, ସେକଥା ଆପଣ ନିଜର ସାସ୍ଥ୍ୟ କଥା ମଧ୍ୟ ବୁଝିବାକୁ ଅସମର୍ଥ ହେଉଛନ୍ତି। ଟିକିଏ ଜଗି ରଖି ଚଳନ୍ତୁ। ସେଦିନ ଯଦି ବଟ ନଥାନ୍ତା ତେବେ ଆପଣଙ୍କ ଅବସ୍ଥା କଣ୍ ହେଇ ଥାନ୍ତା ,କେବେ ଚିନ୍ତା କରିଛନ୍ତି ଆପଣ? ଏବେ ସିନା ବୟସ ଅଛି ବୋଲି ସହି ଯାଉଛନ୍ତି। ବୟସ ହେଲା ପରେ କିଏ ବୁଝିବ? କେମିତି ବାଟ ଚାଲିବେ ଏକା ଏକା?

ନାଣ୍ଡୁବାବା: କଣ ବା କରାଯାଇ ପାରିବ? ମୁଁ ବ୍ରହ୍ମଚାରୀ । ଚାଲୁ ଚାଲୁ ଯେଉଁଠି ପାଦ ଅଟକି ଯିବ ଭାବି ନେବି, ପ୍ରଭୁଙ୍କ ଇଚ୍ଛା ବୋଲି। ତେଣୁ ସେପ୍ରତି ମୋର ଦୁଃଖ ନାହିଁ। 

ବଟ ବାବୁ: କି କଥା କହୁଛନ୍ତି ଆପଣ ମହାତ୍ମା। ଆପଣଙ୍କ ପରି ଜଣେ ବିଦ୍ୱାନ ଶାସ୍ତ୍ରଜ୍ଞ ବ୍ୟକ୍ତି ଏ ଦୁନିଆରେ ବିରଳ। ଆମ ଠାରୁ ଆପଣଙ୍କର ମହତ୍ୱ କେତେ ଗୁଣ ଅଧିକ। ତେଣୁ ଆପଣ ସୁସ୍ଥ ରହିବା ଆମର ଏକାନ୍ତ କାମ୍ୟ। ତେଣୁ ଆପଣ କିପରି ସୁସ୍ଥ ରହିବେ ସେ କଥା ବଡ଼ ଭାଇ କହିବେ।

ବଳୀୟାରସିଂ: ଆରେ ମୁଁ କଣ କହିବି? ସେ ଜ୍ଞାନୀ ଗୁଣୀ ସବୁ ବୁଝି ପାରୁଛନ୍ତି କେବଳ ହଁ କହିଲେ ହେଲା।

ନାଣ୍ଡୁବାବା: ହଁ କହିଲେ ମାନେ? କଣ୍ କହୁଛନ୍ତି ଆପଣ ଟିକିଏ ବୁଝେଇ କୁହନ୍ତୁ। 

ବଟ ବାବୁ: ମହାତ୍ମା ଆପଣ ବିବାହ କରି ନିଅନ୍ତୁ।

ନାଣ୍ଡୁବାବା: ହେଁ............ ବିବାହ!!..............!! ନା …..ନା……..ସେମିତି ହେଇ ପାରିବନି। ମୁଁ ବ୍ରହ୍ମଚାରୀ । ମୁଁ ସେମିତି କରି ପାରିବି ନାହିଁ।

ବଳୀୟାରସିଂ: ମୁଁ ଜାଣେ ବଟ, ବାବା ରାଜି ହେବେ ନାହିଁ। ସେଇଥି ପାଇଁ ମୁଁ କହୁ ନଥିଲି। କିନ୍ତୁ ବାବା ଆପଣ ବହୁ ହଇରାଣ ହେବେ ଜୀବନ ରେ। ନିଜେ ନିଜେ ଜାଣି ଜାଣି ହଇରାଣ ହେବା ଆତ୍ମହତ୍ୟା କରିବା ସହିତ ସମାନ। ତେଣୁ ଆପଣ ଥରେ ଚିନ୍ତା କରନ୍ତୁ ଆପଣଙ୍କ ପରି ଜ୍ଞାନୀ ଗୁଣି ଲୋକ ରହିଲେ ଏ ଜଗତ ର କଲ୍ୟାଣ ହେବ। କିନ୍ତୁ ଆପଣ କେବଳ ନିଜ କଥା ଚିନ୍ତା କରୁଛନ୍ତି ବୋଧେ। ତେଣୁ ଯେତିକି ହବ ହବ ବୋଲି ଚିନ୍ତା କରୁଛନ୍ତି। 

ବଟ ବାବୁ: ମହାତ୍ମା, ଥରେ ସେ ଗାଈ ଆଉ ବିଲେଇ କଥା ଚିନ୍ତା କଲେ, ଆପଣ ତାଙ୍କ କାମରେ ସମୟ ଦେବେ ନା ଜଗତ ର କଲ୍ୟାଣ ରେ ଦେବେ? ଆପଣ ଏମିତି ବାରମ୍ବାର ରୋଗଗ୍ରସ୍ତ ହେଉଥିବେ ଏବଂ ଦୁଇଟି ନୀରିହ ପଶୁ ଙ୍କୁ ମଧ୍ୟ ରୋଗଗ୍ରସ୍ତ କରି ହଇରାଣ କରିବେ। ଆପଣ ଏଭଳି ସ୍ୱାର୍ଥପର କିଭଳି ହେଇ ପାରୁଛନ୍ତି? 

ବଳୀୟାରସିଂ: ବିବାହ କଲେ, ଆପଣ ଏତେ ଜ୍ଞାନୀ ଗୁଣୀ…….. କଣ୍ ଗୋଟିଏ ପ୍ରାଣୀ କୁ ଚଲେଇ ପାରିବେନି? ସେଥି ପାଇଁ ଡରି ଯାଉଛନ୍ତି?

ବଟ ବାବୁ: ହଁ ପାରିବେନି କାହିଁକି? ବର୍ତମାନ ସେ ଯୁବକ। ବୟସ ଏମିତି କେତେକ କି? ତମେ ବୁଝମ ଭାଇ ସେ ବିବାହ କରିବେ। ନା କଣ କହୁଛନ୍ତି ମହାତ୍ମା?

ବଳୀୟାରସିଂ: ହସି ହସି…. ଆରେ ବଟ ବୁଝିବି କଣ୍ ଯେ!! ସୁନ୍ଦର୍ ସୁଶୀଳ କନ୍ୟା ପାତ୍ରୀ ଟିଏ ମୋ ଆଖି ସାମ୍ନା ରେ ଅଛି। ଖୁବ୍ ସଂସ୍କାରି ଘର । ବ୍ରାହ୍ମଣ ଘର ଝିଅ ହେଲେ କଣ୍ ହେଲା କାମରେ,………….ଏମିତି କେହି ନାହିଁ ଏ ଆଖ ପାଖ ଅଞ୍ଚଳରେ ତା ଭଳି। ସେ ଏ ଅଞ୍ଚଳ ର ଝିଅ ମାନଙ୍କ ପାଇଁ ଗୋଟିଏ ଆଦର୍ଶ। ଖୁବ୍ ଭଲ ହୁଅନ୍ତା ପ୍ରଭୁ ଯଦି ରାଜି ହୁଅନ୍ତେ।

ବଟ ବାବୁ: ଭାଇ କିଏ ସେ ସୌଭାଗ୍ୟବତୀ? ଯାହାକୁ ଆପଣ ମନୋନୟନ କରିଛନ୍ତି?

ନାଣ୍ଡୁବାବା: ସାମାନ୍ୟ ବିରକ୍ତି ହେଇ….. ଆପଣ ମାନେ ଟିକିଏ ଶାନ୍ତ ରୁହନ୍ତୁ। ମୁଁ ବ୍ରହ୍ମଚାରୀ। ସଂସାର ମୋହରୁ ମୁକ୍ତି ନିମନ୍ତେ ମୁଁ ଖୁବ୍ କମ୍ ବୟସରୁ ଘର ଦ୍ବାର ଛାଡ଼ି ଆସିଛି। ଆଉ ପୁଣି ସେଇ ସଂସାର କୁ ଚାଲିଯିବି!! ନା ଏହା ଉଚିତ୍ ହେବ ନାହିଁ।

ବଳୀୟାରସିଂ: ଟିକିଏ ନମ୍ର ହେଇ, ଉଚିତ୍ ଅନୁଚିତ୍ ଆପଣ ଆମଠାରୁ ଅଧିକ ଜାଣି ଥାଇ ପାରନ୍ତି ମହାତ୍ମା। କିନ୍ତୁ ବୟସ ରେ ଆମେ ଆପଣଙ୍କ ଠୁ ବଡ଼। ତେଣୁ ଆପଣଙ୍କ ଠାରୁ ଦୁନିଆକୁ ଆମେ ଆପଣଙ୍କ ଠାରୁ ଅଧିକ ଦେଖିଛୁ। ଟିକିଏ ନିଜ କଥା ଚିନ୍ତା କରନ୍ତୁ। ନିଜ ବାର୍ଦ୍ଧକ୍ୟ ଅବସ୍ଥା କଥା ଚିନ୍ତା କରନ୍ତୁ। କିଛି ନହେଲେ ଆପଣ ପାଳିଥିବା ଦୁଇଟି ନୀରିହ ପଶୁ ମାନଙ୍କ କଥା ଚିନ୍ତା କରନ୍ତୁ। କେଉଁ ଅଧିକାର ରେ ଆପଣ ସେମାନଙ୍କୁ ଆଉ ଆଉ ନିଜକୁ ଏମିତି ଦଣ୍ତ ଦେବେ ବୋଲି ଚିନ୍ତା କରୁଛନ୍ତି? ତଥାପି ଆପଣ ମହାଜ୍ଞାନୀ, ଦିବ୍ୟଦ୍ରଷ୍ଟା ତେଣୁ ମୁଁ କହୁଛି ବୋଲି ନୁହେଁ ଆପଣ ଥରେ ନିଜେ ଏକଥାକୁ ହୃଦବୋଧ କରନ୍ତୁ।

ନାଣ୍ଡୁବାବା: କିନ୍ତୁ ମୁଁ…………..ମୁଁ କିଛି ଚିନ୍ତା କରି ପାରୁ ନାହିଁ……..ମୋତେ ଟିକିଏ ସମୟ ଦିଅନ୍ତୁ। ଏତେବଡ଼ ପଦକ୍ଷେପ ଟିଏ ନେବା ଆଗରୁ ମୋତେ ଟିକିଏ ଚିନ୍ତା କରିବାକୁ ସମୟ ଦିଅନ୍ତୁ।

ବଳୀୟାରସିଂ: ମହାତ୍ମା, ଆଜି ସନ୍ଧ୍ୟା ହେଇ ଗଲାଣି ତା ସହିତ ଆକାଶ ରେ କଳା ବାଦଲ ନିକଟରେ ବର୍ଷା ହେବାର ଆଶା ସଂଚାର କରୁଛି। ତେଣୁ ଆଜି ରାତିକ ପାଇଁ ଆପଣ ଆମ ଘରେ ବିଶ୍ରାମ କରନ୍ତୁ ଏବଂ ଶାନ୍ତ ମସ୍ତିଷ୍କ ରେ ଥରେ ଏକଥାକୁ ଚିନ୍ତା କରନ୍ତୁ। କାଲି ସକାଳୁ ସକାଳୁ ଚାଲି ଯିବେ।

ନାଣ୍ଡୁବାବା: କିନ୍ତୁ ମୁଁ କାହା ଘରେ ରାତ୍ରିଯାପନ କରେ ନାହିଁ।

ବଳୀୟାରସିଂ: ମହାତ୍ମା, ପ୍ରଭୁଙ୍କ ଦୟା ରୁ ମୋତେ ବହୁତ୍ କିଛି ମିଳିଛି। ଏ ଅଧମ କଣ୍ ତାର କାଣ୍ଡ ଜ୍ଞାନ ଏମିତି ହରେଇ ଦେଇଛି ଯେ, ଆପଣଙ୍କ ପରି ଜଣେ ନୈଷ୍ଠିକ ବ୍ରାହ୍ମଣ କୁ ଆମେ ଚଳୁ ଥିବା ଶଯ୍ୟା ରେ ଶୋଇବାକୁ ଦେଇ ପାପ ଅର୍ଜିବି? ତେଣୁ ଆପଣ ଘରେ ନୁହେଁ, ଆମ ବଗିଚା ରେ ଥିବା ଘରେ ରାତ୍ରିଯାପନ କରି ପାରିବେ। ସେଠି ସବୁ ପ୍ରକାରର ବ୍ୟବସ୍ଥା ଅଛି। ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ।

ନାଣ୍ଡୁବାବା: କିନ୍ତୁ ସେପଟେ ମୋର ଦୁଇଟି ପ୍ରାଣୀ , ତାଙ୍କ କଥା କିଏ ବୁଝିବ?

ବଟ ବାବୁ: ସେ କଥା ପ୍ରତି ଆପଣ ଚିନ୍ତା କରନ୍ତୁ ନାହିଁ ମହାତ୍ମା। ମୁଁ ଆସିଲା ବେଳେ ଘରେ କହି ଦେଇ ଆସି ଥିଲି । ଯଦି ଆମର ରାତିରେ ଆସିବା ନ ହୁଏ, ତେବେ ସେମାନେ ଆପଣଙ୍କ ଗାଈ ଓ ବିଲେଇ କୁ ଆଣି ଆମ ଗୁହାଳ ରେ ରଖିବେ। ତେଣୁ ଆପଣ ଚିନ୍ତମୁକ୍ତ ହେଇ ଆଜି ଏଇଠି ବିଶ୍ରାମ ନିଅନ୍ତୁ।

ନାଣ୍ଡୁବାବା: ଆପଣଙ୍କ ଦୂରଦୃଷ୍ଟି କୁ ମୁଁ ସାଧୁବାଦ ଜଣାଉଛି। ମୋ ସ୍ବାସ୍ଥ୍ୟ କଥା ସହିତ ମୋ ଗୋରୁ ଗାଈ ଙ୍କ କଥା ମଧ୍ୟ ଖୁବ୍ ସୁନ୍ଦର୍ ଭାବରେ ବୁଝୁଚନ୍ତି। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ବଟ ବାବୁ।

ବଟ ବାବୁ: ଧନ୍ୟବାଦ୍ ମୋତେ ନୁହେଁ ମହାତ୍ମା, ଦେବେ ଯଦି ଝରଣା କୁ ଦିଅନ୍ତୁ ଯିଏ ଆପଣଙ୍କ ଶରୀର ଖରାପ୍ ହେବା ପରେ ଆପଣଙ୍କ ପାଖେ ପାଖେ ରହି ଆପଣଙ୍କୁ ସୁସ୍ଥ କରିଛି।

ନାଣ୍ଡୁବାବା: ଝରଣା!!!! ଇଏ କଣ ସେଇ ଝରଣା ଯିଏ ଗାଁ ରେ ସିଲେଇ ଆଦି କାମ କରୁଛି? କାଇଁ ମୋତେ ତ ଏକଥା ଆପଣ ଆଗରୁ କହି ନଥିଲେ? ଆଉ ମୁଁ ବି କେମିତି ଜାଣି ପାରିଲିନି?


ବଟ ବାବୁ: ହଁ ସେଇ ଝରଣା। ଆପଣ ତ ଏମିତି ଅସୁସ୍ଥ ଥିଲେ ଯେ ମୁଁ ପହଞ୍ଚିଲା ବେଳକୁ ଆପଣ ଚେତା ହରେଇ ପଡ଼ି ରହିଥିଲେ। ଦୁଇ ଦିନ ନିରନ୍ତର ସେବା କରିବା ପରେ ଆପଣଙ୍କ ଚେତା ଫେରିଲା। ଆଉ ସେ ବି ମନା କରିଥିଲା ଆପଣଙ୍କୁ ତା କଥା କହିବାକୁ। ମୁଁ କିନ୍ତୁ ତାର ଏଭଳି ମହାନତା କୁ ନ କହି ଥିଲେ ଦୋଷୀ ହେଇ ଯାଇ ଥାନ୍ତି ତେଣୁ କହି ଦେଲି।

ବଳୀୟାରସିଂ: ହସି ହସି……. ଦେଖିଲେ ତ ମହାତ୍ମା । ପୁରୁଷ ଜୀବନରେ ନାରୀଟିଏ ର କେତେ ଆବଶ୍ୟକତା ରହିଛି। ଏଥର ଚାଲନ୍ତୁ ଆପଣ ରାତ୍ରୀ ଭୋଜନ କରି ବିଶ୍ରାମ ନେବେ।

ସମସ୍ତେ ସଭା ସାଙ୍ଗ କରି ଗଲେ ରାତ୍ରୀ ଭୋଜନ ନିମନ୍ତେ।


ରାତି ଯାକ ନାନାଣ୍ଡୁବା ଶୋଇ ପାରିଲେନି। ଚିନ୍ତା କରୁ ଥାନ୍ତି ବଳୀୟାରସିଂ ଆଉ ବଟ ବାବୁଙ୍କ କଥା। ତାଙ୍କ ଗାଈ ଗୋରୁ ଙ୍କ କଥା। ଏବଂ ତାଙ୍କ ସେବା ଯତ୍ନ କରିଥିବା ଝରଣା କଥା ।

            ସକାଳ ହେଲା। ବାବା ଉଠି ପଡ଼ିଲେ ସର୍ବପ୍ରଥମେ। ଉଠି ଦେଖିଲେ,ତାଙ୍କ ଠାରୁ ମଧ୍ୟ ଆଗରୁ ଉଠି ବଳୀୟାରସିଂ ଙ୍କ ସ୍ତ୍ରୀ (ଗୀତା ଦେବୀ) ଦାଣ୍ଡରେ ଗୋବର ପାଣି ପକାଉ ଥିଲେ। ମୁହଁ ଧୋଇ ଦେଇ ବାବା ଯାଇ ତାଙ୍କୁ ନମସ୍କାର ହେଲେ ଆଉ ପଚାରିଲେ, ମା ଆପଣ ଏ ସଂସାର ସଂସାର କରି ରେ କେତେ ଖୁସିରେ ଅଛନ୍ତି?

ଗୀତା ଦେବୀ: ବୈକୁଣ୍ଠ ପୁରରେ ମା ଲକ୍ଷ୍ମୀ ଯେତିକି ଖୁସି ରେ ଅଛନ୍ତି, ମୁଁ ସେତିକି ଖୁସି ରେ ଅଛି।

ନାଣ୍ଡୁବାବା: ଆପଣ କେମିତି ଜାଣିଲେ ଯେ ଆପଣ ସେତିକି ଖୁସି ରେ ଅଛନ୍ତି ବୋଲି?

ଗୀତା ଦେବୀ: ମହାତ୍ମା, ମୁଁ କେବେ ବୈକୁଣ୍ଠ ପୁର ଦେଖି ନାହିଁ କିମ୍ବା ମା କମଳା ଙ୍କୁ ମଧ୍ୟ ଦେଖି ନାହିଁ। କିନ୍ତୁ ଯେତିକି ଜାଣିଛି ମା ଲକ୍ଷ୍ମୀ ଯେପରି ସାରା ସଂସାର କୁ ଖାଦ୍ୟ ଦେଇ ଆତ୍ମ ସନ୍ତୋଷ ଲାଭ କରନ୍ତି ମୁଁ ସେହି ପରି ମୋ ପରିବାର କୁ ଖାଦ୍ୟ ଦେଇ ଆତ୍ମ ସନ୍ତୋଷ ଲାଭ କରେ ଏବଂ ନାରାୟଣ ଏବଂ ମା ଲକ୍ଷ୍ମୀ ଙ୍କ ର ଭଲ ପାଇବା ଯେମିତି ଯୁଗେ ଯୁଗେ ରହିଛି ସେହିପରି ମୋ ସ୍ବାମୀ ମୋତେ ଭଲ ପାଆନ୍ତି। ଆହୁରି ମା ଲକ୍ଷ୍ମୀ ଯେମିତି ସାରା ସଂସାର କୁ ନିଜ ଛୁଆ ପରୀ ସମାନ ଭାବରେ ଭଲ ପାଆନ୍ତି, ତାଙ୍କ ଦୁଃଖ ସୁଖ ବୁଝନ୍ତି, ମୁଁ ସେହି ପରି ମୋ ପରିବାର ର ସମସ୍ତଙ୍କୁ ସମାନ ଭାବରେ ଭଲ ପାଏ ଏବଂ ତାଙ୍କ ସୁଖ ଦୁଃଖରେ ଭାଗୀଦାରୀ ହୁଏ। ତେଣୁ ମୁଁ କହିଲି ମୁଁ ଏ ମର୍ତ୍ତ୍ୟ ମଣ୍ଡଳ ରେ ମଧ୍ୟ ମା ଲକ୍ଷ୍ମୀଙ୍କ ପରି ଖୁସିରେ ଅଛି।

ନାଣ୍ଡୁବାବା: ଆଉ ଆପଣଙ୍କ ସ୍ଵାମୀ? ସେ କେତେ ଖୁସି ରେ ଅଛନ୍ତି?

ଗୀତା ଦେବୀ: ମହାତ୍ମା, ମୋ ସ୍ବାମୀ ଆମ ପରିବାର ର ପାଳନ କର୍ତ୍ତା। ଆମକୁ ପାଳନ କରିବା ତାଙ୍କ କର୍ତ୍ତବ୍ୟ ଏବଂ ମୁଁ ଜାଣିବାରେ ସେ ସୁଚାରୁ ରୂପେ ଏ ଦାୟିତ୍ୱ କୁ ତୁଲାଉଛନ୍ତି। ମୋ ଦୁଃଖ ରେ ସେ ସମଦୁଃଖୀ ହେଇ ସର୍ବଦା ମୋର କଷ୍ଟ ଦୂର କରିଛନ୍ତି। ପିତା ଭାବରେ ମୋ ପିଲାମାନଙ୍କର ସମସ୍ତ ଅଳି ଅର୍ଦ୍ଦଳି ସହି ତାଙ୍କ ଆବଶ୍ୟକତା କୁ ପୂର୍ଣ୍ଣ କରୁଛନ୍ତି ଏବଂ ତା ବଦଳ ରେ ସେ ଆତ୍ମସନ୍ତୋଷ ଲାଭ କରୁଛନ୍ତି। ତେଣୁ ସେ ଖୁସିରେ ଅଛନ୍ତି।


                              ନାଣ୍ଡୁବାବା ସନ୍ତୋଷ ଜନକ ଉତ୍ତର ପାଇ ଖୁସି ହେଲେ। ହାତ ଯୋଡ଼ି ପ୍ରଣାମ କରି ନିତ୍ୟକର୍ମ କରିବାକୁ ବିଦାୟ ନେଲେ। ସମସ୍ତ ନିତ୍ୟକର୍ମ ସାରିବା ପରେ ନାଣ୍ଡୁବାବା, ବଳୀୟାରସିଂ ଏବଂ ବଟ ବାବୁ ପୁଣି ଥରେ ବାବାଙ୍କ ଆଶ୍ରୟ ସ୍ଥଳୀ ରେ ଏକାଠି ହେଲେ।


ବଳୀୟାରସିଂ: ମହାତ୍ମା ଗତ କାଲି ମୋତେ ଯାହା ଉଚିତ ଲାଗିଲା ତା ଆପଣଙ୍କୁ କହି ଦେଲି। କିନ୍ତୁ ଆପଣ ମହାଜ୍ଞାନୀ । ତେଣୁ ମୋର ଯଦି କିଛି ଦୋଷ ତୃଟି ରହି ଥାଏ ତେବେ ଆପଣଙ୍କ ଉଦାର ପଣରେ ମୋତେ କ୍ଷମା କରି ଦେବେ।

ନାଣ୍ଡୁବାବା: ନା ………ଆପଣ ସେମିତି କାଇଁ ଭାବୁଛନ୍ତି? ମୁଁ ଆପଣଙ୍କ କଥା କୁ କାଲି ରାତି ଯାକ ଗଭୀର ଭାବରେ ଚିନ୍ତା କଲି। ଆଉ ଗୋଟିଏ ନିଷ୍କର୍ଷ ରେ ପହଞ୍ଚିଲି।

ବଟ ବାବୁ: ମହାତ୍ମା କି ନିଷ୍କର୍ଷ ରେ ପହଞ୍ଚିଲେ ଆପଣ? ଦୟାକରି ଆମ ଉତ୍କଣ୍ଠା ନ ବଢ଼େଇ କୁହନ୍ତୁ।

ନାଣ୍ଡୁବାବା: ମୁଁ ବିବାହ କରିବି। କିନ୍ତୁ………..

ବଟ ବାବୁ: କିନ୍ତୁ କଣ୍ ମହାତ୍ମା?

ନାଣ୍ଡୁବାବା: ମୁଁ ଯଦି ବିବାହ କରିବି କେବଳ ଝରଣା କୁ। କାହିଁକି ନା ମୋ ଚିନ୍ତାରେ କେବଳ ସେ ହିଁ ମୋ ସହିତ ମା ଲକ୍ଷ୍ମୀ ଙ୍କ ପରି ଖୁସି ରେ ରହି ପାରିବ ଏବଂ ଯଦି ଝରଣା ଚାହେଁ ଆମେ କୌଣସି ସନ୍ତାନ ଜନ୍ମ ନ ନକରି ତା ସାନ ଭାଇ କୁ ନିଜ ପୁଅ ପରି ରଖିବୁ ଏବଂ ତା ମା କୁ ନିଜ ମା ପରି। ହେଲେ ବଟ ବାବୁ ମୁଁ ଜାଣିନି ଏ ପ୍ରସ୍ତାବରେ ସେ ରାଜି ହେବ କି ନାହିଁ। ଆଉ ଯଦି ସେ ରାଜି ନହୁଏ ତେବେ ମୁଁ ବିବାହ କରିବି ନାହିଁ। 

                   ଗୀତା ଦେବୀ ଝରକା ପାଖରେ ଠିଆ ହେଇ ଏସବୁ କଥା ଶୁଣି ଆଉ ରହି ପାରିଲେନି। ଘର ଭିତରକୁ ହାତ ଯୋଡ଼ି କହି କହି ପଶି ଆସିଲେ, ଆପଣ ମହାନ୍ ମହାତ୍ମା ଏବଂ ଆପଣଙ୍କ ଉଚ୍ଚ ଚିନ୍ତାଧାରା କୁ ମୋର ଶତ ଶତ ବାର ପ୍ରଣାମ। କିନ୍ତୁ ଆପଣ ଜମା ଚିନ୍ତା କରନ୍ତୁନି। ସିଏ ରାଜି ହେବ। ରାଜି ହେବନି କଣ୍!! ତା ବାପା ଯିଏ ରାଜି ହେବ। ସମସ୍ତେ ଏକା ସାଙ୍ଗରେ ହସିଲେ। 

କିନ୍ତୁ ନାଣ୍ଡୁବାବା ଗମ୍ଭୀର ହେଇ ଗଲେ। ତାଙ୍କ ଗମ୍ଭୀରତା କୁ ଲକ୍ଷ କରି ଥଣ୍ଡା କରିବାକୁ ଯାଇ……ବ୍ୟଙ୍ଗାତ୍ମକ ଶୈଳୀ ରେ ବଟ ବାବୁ କହିଲେ…… ଦେଇ…………, ଝରଣା ବାହା ହବ ନା ତା ବାପା ବାହା ହେବ? ଆଉ ତୁ କଣ୍ ତା ବାପା ରାଜି ହବ ବୋଲି କହୁଛୁ?

ନାଣ୍ଡୁବାବା: ଗମ୍ଭୀର ହୋଇ, କିନ୍ତୁ ମୁଁ ଜାଣିବାରେ ତାଙ୍କ ବାପା ଆଉ ଏ ଦୁନିଆରେ ନାହାନ୍ତି। ତେଣୁ ଏପରି କହିବା ତାଙ୍କ ଅବସ୍ଥା କୁ ଉପହାସ କରିବା ପରି କଥା ବୋଧେ।

ବଟ ବାବୁ: ମହାତ୍ମା, କ୍ଷମା କରିବେ ମୋ ଭଉଣୀ ର କହିବାର ଉଦ୍ଦେଶ୍ୟ ତା ନଥିଲା। ଦୟା କରି ମନେ ପକାନ୍ତୁ, ମୁଁ ଥରେ ଆପଣଙ୍କୁ ଝରଣା ଆମର ବନ୍ଧୁ ବାନ୍ଧବ ବୋଲି କହି ଥିଲି। ଆଉ ଆପଣ ଜିଜ୍ଞାସା ପ୍ରକାଶ କରି ସେ ବ୍ରାହ୍ମଣ ଏବଂ ଆମେ କ୍ଷତ୍ରିୟ ଏବଂ କିପରି ଆମେ ବନ୍ଧୁ ହେଲୁ ବୋଲି ପ୍ରଶ୍ନ କରି ଥିଲେ। ମୁଁ ଆପଣଙ୍କୁ ସମୟ ହେଲେ କହିବି ବୋଲି କହି ଥିଲି। କିନ୍ତୁ ଜାଣି ନଥିଲି ଏଭଳି ଗୋଟିଏ ପ୍ରକୃଷ୍ଟ ସମୟ ଆସିବ ବୋଲି। ତେଣୁ ଆପଣଙ୍କର ଆଜି ଏ ବିଷୟ ରେ ଜାଣିବାର ଅଧିକାର ଏବଂ ଆବଶ୍ୟକ ଅଛି।

ନାଣ୍ଡୁବାବା: ହଁ ବଟ ବାବୁ ମୋର ମନେ ଅଛି। କୁହନ୍ତୁ ଆପଣ ମୋର ଜିଜ୍ଞାସା କୁ ଦୂର କରି।

ବଟ ବାବୁ: ମହାତ୍ମା, ସ୍ବର୍ଗତ ନିତ୍ୟାନନ୍ଦ ମିଶ୍ର ଜଣେ ବହୁତ୍ ଭଲ ଲୋକ ଥିଲେ। ସେ ଥିଲେ ମୋ ଭିଣୋଇ ଙ୍କର ବାଲ୍ୟ ବନ୍ଧୁ ତଥା ଆମର କୁଳ ପୁରୋହିତ। ତାଙ୍କ ସ୍ଵର୍ଗବାସ ପରେ ତାଙ୍କ ପରିବାର ଅସହାୟ ହେଇ ପଡ଼ିଲେ। ତାଙ୍କ ବାଲ୍ୟ ବନ୍ଧୁ ହିସାବ ରେ ମୋ ଭିଣୋଇ, ଯେହେତୁ ତାଙ୍କର ପିଢ଼ି ପିଢ଼ି ଧରି କେହି ଝିଅ ନଥିଲେ, ସେ ଝରଣା କୁ ନିଜ ପୋଷ୍ୟା କନ୍ୟା ରୂପେ ଗ୍ରହଣ କଲେ। ତାକୁ ନିଜ ପାଖରେ ରହିବାକୁ ପରାମର୍ଶ ଦେଲେ। କିନ୍ତୁ ଝରଣା ଥିଲା ଖୁବ୍ ଆତ୍ମ ସ୍ଵାଭିମାନୀ ତଥା ଦାୟିତ୍ବବାନ ଝିଅ। ସେ ତା ନିରାଶ୍ରୟୀ ମାଆ ଏବଂ ସାନ ଭାଇ କୁ ଛାଡ଼ି ଆସିବ ନାହିଁ ବୋଲି ମନା କଲା। କିଛି ଦିନ ମୋ ଭିଣୋଇ ତାଙ୍କ ଘର ଚଳିବା ପାଇଁ ସାହାଯ୍ୟ କଲେ କିନ୍ତୁ କିଛି ଦିନ ପରେ ଝରଣା ସ୍ଵାଭିମାନୀ ହେତୁ ସାହାଯ୍ୟ ନେବାକୁ ମନା କରି ଦେଲା। ସେଇଥି ପାଇଁ ମୋ ଦେଇ ତାକୁ ସିଲେଇ କରି ଚଳିବା ପାଇଁ ସିଲେଇ ଯନ୍ତ୍ର ଟିଏ କିଣି ଦେଲେ। ତାକୁ ବି ସେ ଖୁବ୍ କଷ୍ଟ ରେ ଗ୍ରହଣ କଲା। କିନ୍ତୁ ଦେଇ ତା ମାଆ କୁ ଝିଅ ରୋଜଗାର କରୁଥିବା ପଇସା କୁ ସମ୍ପୂର୍ଣ୍ଣ ଖର୍ଚ୍ଚ କରି ଚଳିବାକୁ ତାଗିଦ୍ କଲା ଏବଂ ଝିଅର ବିବାହ ବାବଦରେ କୌଣସି ଚିନ୍ତା ନ କରିବାକୁ ଆଶ୍ୱାସନା ଦେଲା। ସେଇ ଦିନ ଠାରୁ ଝରଣା ମୋ ଭିଣେଇ ଙ୍କ ପୋଷ୍ୟା କନ୍ୟା। ସେଇଥି ପାଇଁ ଦେଇ ଆପଣଙ୍କୁ ତା ବାପା ବି ରାଜି ହେବ ବୋଲି କହିଲା। ଆପଣ ସେଥି ପାଇଁ ମର୍ମାହତ ହେବାର ଆବଶ୍ୟକ ନାହିଁ।

ବଳୀୟାରସିଂ: ମହାତ୍ମା ସତ କହିବାକୁ ଗଲେ ମୁଁ କାଲି ଯେଉଁ ଝିଅ କଥା କହୁଥିଲି ଝରଣା ସେଇ ଝିଅ।

ନାଣ୍ଡୁବାବା: ହଁ ବଟ ବାବୁଙ୍କ କହିବା ଭିତରେ ମୁଁ ସେଇଆ ଅନୁମାନ କରୁ ଥିଲି। କିନ୍ତୁ ଥରେ ଝରଣା କୁ ପଚାରନ୍ତୁ। ସେ ଏ ପ୍ରସ୍ତାବ ରେ ରାଜି କି ନୁହେଁ।

ଗୀତା ଦେବୀ: ପଚାରିବା ଆବଶ୍ୟକ ନାହିଁ କିନ୍ତୁ ଆପଣ କହୁଛନ୍ତି ଯେତେବେଳେ ମୁଁ ପଚାରି ବୁଝି ନେବି ନିଶ୍ଚୟ। ସେମାନେ ଆଜି ଆମ ଘରକୁ ଆସୁଛନ୍ତି। ମୁଁ ପଚାରି ବୁଝି ନେବି।


            ଝରଣା, ଝରଣାର ମା ଆଉ ଭାଇ ଆସି ପହଁଚିଲେ କିଛି ସମୟ ପରେ। ବାବା ଙ୍କ ଅନୁରୋଧ କ୍ରମେ ଗୀତା ଦେବୀ ଝରଣା କୁ ଏବଂ ତା ମା କୁ ପଚାରିଲେ। ଝରଣା ର ମା କହିଲେ ମୁଁ ତାଙ୍କୁ ଆଗରୁ ଜାଣିଛି। ସେ ବହୁତ୍ ଭଲ ମଣିଷ । ତାଙ୍କ ଠାରୁ ମୁଁ ମୋ ଝିଅ ପାଇଁ ଭଲ ପାତ୍ର ଟିଏ ପାଇବି ନାହିଁ। ଏକଥାକୁ ଝରଣା ଶୁଣି ଦେଇ ଲାଜେଇ ଧାଇଁ ଚାଲିଗଲା। 

ପଛରୁ ମା ଡାକୁ ଥିଲେ, ଝରଣା………. ଏ ଝରଣା……… କିନ୍ତୁ ଝରଣା ଆଉ ସୁଣିଲାନି।

ଗୀତା ଦେବି କହିଲେ ତାକୁ ଆଉ ପଚାରିବା ଦରକାର୍ ନାହିଁ। ସେ କେମିତି ଲାଜେଇ ଚାଲିଗଲା ସେଇଥିରୁ ଜାଣି ପାରିଲନି!!!! ନାଣ୍ଡୁବାବା ଙ୍କ ପରି ଜଣେ ସୁନ୍ଦର୍ ସୁସ୍ଥ ବୁଦ୍ଧିମାନ ଯୁବକ କୁ କିଏ ବା ନାପସନ୍ଦ କରିବ?

               

                          ଚନ୍ଦ୍ରଗୁପ୍ତ ବଳୀୟାରସିଂ ଏବଂ ବଟ ବାବୁ ଦୁହେଁ ମିଶି ବିବାହ କରିଦେଲେ ନାଣ୍ଡୁବାବା ଆଉ ଝରଣା କୁ। ବଳୀୟାରସିଂ କନ୍ୟା ପିତା ହୋଇ କନ୍ୟା ଦାନ କଲେ ଏବଂ ବଟ ବାବୁ ବର ପିତା ହୋଇ କାର୍ଯ୍ୟ ସମାପନ କଲେ। ତାଙ୍କ ରହିବା ପାଇଁ ବଳୀୟାରସିଂ ଦାନ ସୂତ୍ରରେ ଦେଇ ଥିବା ଜାଗା ଉପରେ ଘର ଟିଏ କରି ଦେଲେ। ବାବା ତାଙ୍କ ଚୁକ୍ତି ମୁତାବକ ଝରଣା ର ମାଆ ଆଉ ଭାଇ ଙ୍କୁ ପାଖରେ ରଖିଲେ। ଝରଣା ସିଲେଇ କରିବା ଜାରି ରଖିଲା। ବାବା ଭିକ୍ଷା କରିବା ଛାଡ଼ି ଦେଲେ। ସେ ଦିନ ବେଳା ତାଙ୍କ ଶ୍ବଶୁର ସ୍ବର୍ଗତ ନିତ୍ୟାନନ୍ଦ ମିଶ୍ର ପୂଜା କରୁଥିବା ମନ୍ଦିର ରେ ପୂଜାର୍ଚ୍ଚନା କରି ଚଳିଲେ। କିନ୍ତୁ ଅପରାହ୍ନରେ ପୂର୍ବ ଭଳି ବହୁ ଭକ୍ତ ଆସୁଥିଲି ତାଙ୍କ ପାଖକୁ ନିଜ ସମସ୍ୟା ନେଇ ସମସ୍ୟାର ସମାଧାନ ଆଶା ରେ।


            ଦିନେ ନାଣ୍ଡୁବାବା ତାଙ୍କ ଭକ୍ତ ଗହଣରେ ପ୍ରବଚନ ଦେବା ସମୟ ରେ କହୁ ଥିଲେ, ମୋହ ମାୟା ଏ ସଂସାର ରେ ସବୁ କ୍ଷଣ ସ୍ଥାୟୀ। କାମନା ହିଁ ଦୁଃଖର କାରଣ। ତୁମେ ଯଦି କିଛି ପାଇବାକୁ ଆଶା କର ତେବେ ତାକୁ ନ ପାଇବାରେ କିମ୍ବା ତାକୁ ହରେଇବାରେ ତୁମେ ଦୁଃଖ ପାଇ ଠିକ୍ ଏତିକି ବେଳେ ସେ ଲକ୍ଷ୍ୟ କଲେ, ମୂଷା ଟିଏ ତାଙ୍କ କଉପୁନି କୁ ପାଟିରେ ଧରି ଖୁବ୍ ଜୋର୍ ରେ ଧାଇଁ ଯାଉ ଥିଲା। ଆଉ ତାଙ୍କ ପୋଷା ବିଲେଇ ତାକୁ ଚାହିଁ ବି ଶୋଇ ରହି ଥିଲା।


Rate this content
Log in