Ayiswarya Maharana

Abstract Romance Fantasy

4.5  

Ayiswarya Maharana

Abstract Romance Fantasy

ସକାଳର ଦୃଶ୍ୟ

ସକାଳର ଦୃଶ୍ୟ

5 mins
491


ମହାନଦୀ କୂଳରେ ଛୋଟ ଗାଁଟିଏ। ନାଁ ତା'ର ପଦ୍ମାବତୀ।ନଦୀକୂଳିଆ ଗାଁ ହୋଇଥିବାରୁ ସେତେବେଳେ ଗ୍ରାମବାସୀ ମୁଖ୍ୟତଃ କୃଷି କିମ୍ବା ମାଛଧରା କୁ ବୃତ୍ତି ରୂପେ ଗ୍ରହଣ କରିଥିଲେ । ସକାଳ ହେଲେ ଚାଷୀଟିଏ ହଳ ଲଙ୍ଗଳ ଧରି ମନ ଖୁସିରେ ଗୀତ ଗାଇ ଗାଇ ବଳଦ ଯୋଡ଼ାକୁ ବାଟେଇ ନେଇ ଯାଉଥାଏ । ଯାଉ ଯାଉ ମାଟି ରାସ୍ତାରେ ହାଲ୍କା ଧୂଳି ଉଡାଇ ଚାଲିଯାଏ। କେଉଟଟି ତା'ର ଜାଲ, ବନିସି କଣ୍ଟା ଆଦି ନେଇ ନଦୀ ଅଭିମୁଖେ ଚାଲିଯାଏ। ଛୋଟ ପିଲାମାନେ ଜରିବସ୍ତାରୁ ତିଆରି ବ୍ୟାଗଧରି ଚାଟଶାଳୀ କୁ ଯାଆନ୍ତି। ମନ୍ଦିରରୁ ଘଣ୍ଟ,ଘଣ୍ଟି ର ଧ୍ୱନୀ ଭାସିଆସେ।ଝିଅ ବୋହୁମାନେ ନିଜ ନିଜର କାମରେ ବ୍ୟସ୍ତ ରହିଯାନ୍ତି।

ରୂପା ନୁଆ କରି ବାହା ହୋଇ ଆସିଥାଏ । ନାମ ଆଉ ଗୁଣରେ ନିଜର ନାଁକୁ ସାର୍ଥକ କରିବା ଭଳି ଝିଅଟିଏ ଥିଲା।ତା'ର ଶାଶୂ ଶ୍ୱଶୁର ମଧ୍ୟ ଖୁବ୍ ଅମାୟିକ ଲୋକ ଥିଲେ।ଏହିଭଳି ଶାଶୂ ଶଶୁର ଓ ଆଲୋକ ଭଳି ଫୋୖଜି ସ୍ୱାମୀ ପାଇ ରୂପା ଖୁବ୍ ଖୁସି ଥିଲା। ବାହାଘର ପାଇଁ ଆଲୋକ ୨୦ ଦିନ ଛୁଟି ଆଣିଥିଲା। ଏହି ୨୦ ଦିନକୁ ଉଭୟେ ବେଶ୍ ଉପଭୋଗ କରିଥିଲେ। ପ୍ରତ୍ୟେକ ସକାଳର ସୂର୍ଯ୍ୟୋଦୟକୁ ଏକାଠି ବସି ଦେଖିବାର ସୁଯୋଗକୁ ହାତ ଛଡା କରିନଥିଲେ। ଆଲୋକ ଫେରିଯିବା ପାଇଁ ୨ଦିନ ବାକି ଥାଏ। ପାହାଡ ମଝିରୁ ଯେବେ ଲୋହିତ ସଦ୍ୟ ଉଦିତ ସୂର୍ଯ୍ୟ କୁ ଦେଖେ ରୂପା ଚକ୍ଷୁମୁଦ୍ରିତ କରି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ହାତଯୋଡି ପ୍ରାଥନା କରି କହିଲା ,"ହେ ପ୍ରଭୁ, ମୋ ମଥା ସିନ୍ଦୁର ଏହି ସଦ୍ୟ ଉଦିତ ସୂର୍ଯ୍ୟ ପରି ଚମକୁ ଥାଉ।" ଆଲୋକ ରୂପା ମଥାରେ ସ୍ନେହରେ ହାତ ବୁଲେଇଦେଇ କହିଲା, "ତୁମେ ଜଣେ ଫୋୖଜିର ସ୍ତ୍ରୀ।ତେଣୁ ନିଶ୍ଚିତ ରୁହେ। ମୁଁ ରୁହେ କି ନରୁହେ ତୁମ ସିନ୍ଦୁର ଚମକିବ ନିଶ୍ଚିତ।" ରୂପାର ଆଖି ଲୁହରେ ଭରିଗଲା। ଆଲୋକ କହିଲା, "ତୁମେ ଶକ୍ତ ହୁଅ। ଆଛା ସେସବୁ ଛାଡ। ମୁଁ ପହଞ୍ଚି ତୁମକୁ ଚିଠି ଦେବି। ସୁବିଧା ଦେଖି ପୁଣି ଛୁଟି ନେଇ ଆସିବି। ତୁମେ ନିଜର ଯତ୍ନ ନେବ।"

ଆଲୋକର ଯିବା ସମୟ ଆସିଛି। ମାଆ ସକାଳ ପୂଜା ସାରି ଆଲୋକ ମଥାରେ ଠାକୁରଙ୍କ ଚନ୍ଦନ ଲଗାଇ ଆଶୀର୍ବାଦ ଦେଲେ। ଆଲୋକ ପାଇଁ ଖିରି ପିଠା ଭରା ବ୍ୟାଗ,ଲଗେଜ ବ୍ୟାଗଟିକୁ ଆଲୋକର ବାପା ସାଇକେଲ୍ ରେ ରଖିଦେଇ ବସ୍ ଷ୍ଟାଣ୍ଡ ଦିଗରେ ଚାଲିଲେ। ଆଲୋକ ମାଆ, ସ୍ତ୍ରୀ ଠାରୁ ମେଲାଣି ନେଇ ଆସିଲା ବେଳକୁ ସେମାନଙ୍କ ଲୁହ ଦେଖି ନିଜକୁ ସମ୍ଭାଳି ପାରୁନଥିଲା। ତେଣୁ ବିଶେଷ କିଛି ନକହି କେବଳ ଏତିକି କହିଲା, "ମାଆ ମୁଁ ଶୀଘ୍ର ଫେରିବି। ନିଜର ଯତ୍ନ ନେବ।"

   ଆଲୋକ ଚାଲିଯାଉଥିଲା।ରୂପା ଇଛା କରି ମଧ୍ୟ ଦୁଆରକୁ ଯାଇ ତା ଯିବା ରାସ୍ତାକୁ ଚାହିଁ ପାରୁନଥିଲା।

ଆଲୋକ ଯିବା ପରେ ପ୍ରତି ସକାଳ ର ସୂର୍ଯ୍ୟୋଦୟ ରୂପା ପ୍ରତି ଅସହ୍ୟ ହୋଇ ଉଠିଲା। ଆଲୋକର ଅନୁପସ୍ଥିତି କୁ ମର୍ମେ ମର୍ମେ ଅନୁଭବ କରୁଥିଲା। ଏସବୁ ରୂପାର ଶାଶୂ ବୁଝିପାରୁଥିଲେ। ତେଣୁ ସେ ରୂପାକୁ ଡାକି କହିଲେ କାଲିଠାରୁ ମୋ ସହ ନଦୀକୁ ଗାଧୋଇବା ପାଇଁ ଯିବୁ।ସକାଳେ ବାହାରେ ବୁଲି ଆସିଲେ ଦିନଟା ଭଲ ଲାଗିବ।

ରୂପା ତା ପରଦିନ ଠାରୁ ଶାଶୁଙ୍କ ସହ ନଦୀକୁ ଗାଧୋଇବା ପାଇଁ ଗଲା। ଧୀରେ ଧୀରେ ନଦୀ ପର୍ଯ୍ୟନ୍ତ ଲମ୍ବି ଯାଇଥିବା ଗ୍ରାମ ପଥ ତା'ର ପରିଚିତ ରାସ୍ତା ହୋଇଗଲା।ନଦୀକୁ ଆସୁଥିବା ଝିଅ ବୋହୁ ଙ୍କ ସହ ମିଶିଗଲା।ଖୁବ୍ ଥଟ୍ଟାମଜା କରନ୍ତି ସଭିଏଁ। ନଦୀରୁ ଫେରି ରୂପା ନିଜକୁ ଘର କାମରେ ନିୟୋଜିତ କରି ରଖେ ଯେପରିକି ଆଲୋକର ଅନୁପସ୍ଥିତି ତାକୁ ଅସହ୍ୟ ନହେଉ।କିନ୍ତୁ ସବୁବେଳେ ଡାକବାଲା ର ଡାକକୁ କାନ ଡେ଼ରି ରହିଥାଏ।ଡାକବାଲା ଡାକ ଦେଲେ ଖୁସିରେ ଦୁଆରକୁ ଧାଇଁ ଯାଇ ଚିଠି ନେଇ ଆସିବାକୁ ଇଚ୍ଛାହୁଏ କିନ୍ତୁ ଶାଶୁଙ୍କୁ କୁହେ ଆଣିବା ପାଇଁ। ଶାଶୁ ମଧ୍ୟ ଚିଠିଟିକୁ ଆଣି ରୂପା ହାତକୁ ବଢାଇଦେଇ ପରେ ପୁଅର ଭଲ ମନ୍ଦ ବୁଝିନିଅନ୍ତି।ରୂପା ଚିଠିକୁ ବାରମ୍ବାର ପଢି ଖୁସି ହୁଏ। ଚିଠିଟିକୁ ବହୁତ ଯତ୍ନର ସହ ସାଇତି ରଖେ। ଶେଷରେ ସେହି ବହୁ ପ୍ରତୀକ୍ଷିତ ଚିଠି ଆସିଲା ଯେଉଁଥିରେ ଆଲୋକ ୨ ସପ୍ତାହ ପରେ ଆସିବ ବୋଲି ଲେଖିଥିଲା।

ଆଲୋକ ଆସନ୍ତାକାଲି ଘରକୁ ଆସିବ ବୋଲି ମାଆ ଭଳିକି ଭଳି ପିଠା ଖିରୀ ତିଆରି କରିବା ପାଇଁ ଜିନିଷପତ୍ର ଯୋଗାଡି ରଖିଥାନ୍ତି।ରୂପା ଘର ସଜାଡ଼ି ରଖୁଥାଏ।ରାତିରେ କାମ ସାରି ରୂପା ଶୋଇବାକୁ ଗଲା।ହେଲେ ଖୁସିରେ ଆଖିର ନିଦ ସବୁ ଅମାନିଆ ହୋଇ ଚାଲିଯାଇଥିଲେ।କେତେବେଳେ ଶୋଇଗଲା ତାହା ଜଣାନାହିଁ।ସକାଳୁ ଆଖିଖୋଲି ଦେଖିଲା ସମୟ ୭.୩୦ମିନିଟ। ତରବର ହୋଇ ଉଠି ଖୋଲା କେଶକୁ ବାନ୍ଧି ଖୋସା ଟିଏ କରିଦେଲା। ସେଦିନ ଆଉ ନଦୀକୁ ନଯାଇ ଘରେ ଗାଧୋଇପଡ଼ିଲା। ନିଜ ଉପରେ ରଗୁଥିଲା ଏତେ ଡେରିରେ ଉଠିଲା ବୋଲି। ଆଉ ମାତ୍ର କେତେ ଘଣ୍ଟାରେ ଆଲୋକ ପହଂଚିଯିବେ। ନିଜକୁ ସେଦିନ ଖୁବ୍ ସଜାଇଲା।

ବେଳ ଗଡି ଚାଲିଥାଏ। କିନ୍ତୁ ଆଲୋକ ଆସୁନଥାଏ । ତେଣୁ ବାଧ୍ଯ ହୋଇ ଆଲୋକର ବାପା ସାଇକେଲଟିକୁ ଧରି ବସ୍ ଷ୍ଟାଣ୍ଡ କୁ ଗଲେ। ଯାଇ ବୁଝିଲେ ସେ ଯେଉଁ ବସ୍ ରେ ଆସିବା କଥା ସେ ବସ୍ ତା ଠିକ୍ ସମୟରେ ଆସିଛି। ତେଣୁ ସେ ଘରକୁ ଫେରିଆସିଲେ।

ସେତେବେଳେ ତ ଫୋନ ନଥିଲା। ତେଣୁ କାରଣ ଜାଣିନପାରି ସମସ୍ତେ ଚିନ୍ତାଗ୍ରସ୍ତ ହୋଇପଡିଲେ । ସେତେବେଳେ ନ୍ୟୁଜରେ ଯବାନ ଓ ଆତଙ୍କବାଦୀ ଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଘନ ଘନ ସମ୍ବାଦ ଆସୁଥାଏ। ଦିନ ପରେ ଦିନ ଗଡି ଚାଲିଥାଏ। କିନ୍ତୁ ଆଲୋକ ଫେରୁନଥାଏ, କି କିଛି ଚିଠି ମଧ୍ୟ ଆସୁନଥାଏ।ମନକୁ ପାପ ଛୁଉଁଥିଲା। ରୂପା ଲୁଚି ଲୁଚି କାନ୍ଦୁଥିଲା କିନ୍ତୁ ଶାଶୁ କାଳେ ଭାଙ୍ଗିପଡିବେ ତାଙ୍କୁ ବୋଧ ଦେଉଥିଲା।ଏଭଳି ଜଟିଳ ସମୟରେ ପରିବାରଟିକୁ ସମ୍ଭାଳି ନେଉଥିଲା କିନ୍ତୁ ନିଜେ ଭାଙ୍ଗି ଯାଉଥିଲା। ସବୁଦିନ ଡ଼ାକଵାଲାକୁ ଅପେକ୍ଷା କରୁଥାଏ.....କାଳେ କେବେ ଚିଠି ଆସିଯିବ।

ଗୋଟିଏ ଦିନ ଡାକବାଲା କୁ ଘର ଆଗରେ ଯାଉଥିବାର ଦେଖି ଝରକା ଫାଙ୍କରୁ ଡାକିଲା। ଡାକବାଲାକୁ ଛ ଳ ଛଳ ଆଖିରେ ପଚାରିଲା ଭାଇ କିଛି ଚିଠି ଆସିଛିକି ?ଡ଼ାକବାଲା ନାହିଁ କରି ଚାଲିଗଲା।

ଦେଖୁଦେଖୁ ୩ମାସ ଚାଲିଗଲା। କହିବାକୁ ଗଲେ ଆଲୋକର ପରିବାର ଉପରେ ଯୁଗ ଯୁଗ ବିତିଗଲା। ସେଦିନର ଶୀତୁଆ ସକାଳରେ ଧାନଖଳାରେ କାମ କରୁଥିବା କିଛି ଲୋକ ପାଟି କରି କହିଉଠିଲେ, "ହେଇରେ.....ଆଲୋକ ଆସିଲାଣି। ଆରେ ଆଲୋକ କଣ ହେଲା....ତୋର ଆସିବାର ଥିଲା, ଖବର ନଦେଇ ରହିଗଲୁ ଯେ। ତୁ ଭଲ ଅଛୁ ତ??"

ଆଲୋକ ହସି ଦେଇ କହିଲା, "ହଁ ମୁଁ ଭଲ ଅଛି। ଆପଣ ମାନେ ଠିକ୍ ଅଛନ୍ତି ତ?"

ସେହି ଭିତରୁ ଜଣେ କହିଲେ, "ତୁମ ଭଳି ଯବାନମାନେ ଯେଉଁଠି ପ୍ରହରୀ ସେଠାରେ କେହି କଣ ଖରାପ ରେ ରହିବେ। ଯାଅ ଯାଅ ଘରକୁ ଯାଅ। ଏଠାରେ ଆଉ ଡେରି କରନି।"

ସେହି ସମୟରେ ରୂପା ଛାତରେ ଶାଢ଼ୀ ଶୁଖାଉଥିଲା।ଆଲୋକକୁ ଛାତ ଉପରୁ ଦେଖି ଏକା ନିଶ୍ଵାସରେ ତଳକୁ ଦଉଡି ଯାଇ ଶାଶୁ ଶଶୁରଙ୍କୁ ଜଣାଇଲା। ବୁଢାବୁଢ଼ୀ ଦୁଇଟି ପୁଅ ପାଈଁ ଦାଣ୍ଡକୁ ଦୌଡିଯାଇ ଢେର କାନ୍ଦିଲେ।ଆଲୋକର ମାଆ ଆଲୋକର ମୁହଁକୁ ପଣତରେ ପୋଛିଦେବାକୁ ଯିବା ବେଳେ ଆଲୋକ ମନାକରି ଘର ଭିତରକୁ ଚାଲିଗଲା। ବୁଢ଼ାବୁଢ଼ୀ ଦୁଇଟି ପୁଅର ଏପରି ବ୍ୟବହାରରେ ଆଶ୍ଚର୍ଯ୍ୟ ହୋଇଗଲେ।ତଥାପି ପୁଅ କୁ ଏତେ ଦିନ ପରେ ସୁରକ୍ଷିତ ଦେଖି ବହୁତ ଖୁସି ହେଉଥିଲେ। ଆଲୋକ ଘର ଭିତରକୁ ଯାଉ ଯାଉ ରୂପାକୁ ଦେଖିଲା କିନ୍ତୁ କିଛି ନକହି ଚୁପଚାପ ନିଜ ରୁମ୍ କୁ ଚାଲିଗଲା। ରୂପା ଆଲୋକର ପଛରେ ଚାଲିଗଲା।ଭାବିଥିଲା ଆଲୋକ ଉପରେ ଅଭିମାନ କରିବ କିନ୍ତୁ ଆଲୋକ ତ ଚୁପଚାପ ଥିଲା। ତେଣୁ ନିଜେ ଯାଇ ଆଲୋକର ଗଳାରେ ଝୁଲିଗଲା। ତଥାପି ଆଲୋକ ଚୁପଚାପ। ରୂପା ଯେତେବେଳେ ପିଠି ପାଖରେ ଆଲୋକର ହାତଦୁଇଟି କୁ ବାନ୍ଧିହେବାର ଅନୁଭବ କରିପାରିଲା ନାହିଁ ସେତେବେଳେ ଆଲୋକକୁ ଛାଡିଦେଲା । ପଚାରିଲା, "କଣ ହୋଇଛି ତୁମର। କାହିଁକି ଏଭଳି ବ୍ୟବହାର କରୁଛ?"

ଆଲୋକ ରୂପାର ଲୁହ ଦେଖି ନିଜକୁ ରୋକି ପାରିଲା ନାହିଁ। ବାଧ୍ଯ ହୋଇ ଘୋଡାଇ ହୋଇଥିବା ଚାଦର ଟି କୁ କାଢି ନେଲା । ରୂପା ଆଖିକୁ ଵିଶ୍ଵାସ କରି ପାରୁନଥିଲା।ଆଲୋକର ଡ଼ାହାଣ ହାତ ଯେ ନଥିଲା। ପୁଅକୁ ଏହି ଅବସ୍ଥାରେ ପାଇ ତାର ବାପାମାଆ ମୂର୍ତ୍ତି ଭଳି ଛିଡା ହୋଇଥାନ୍ତି। ଆଲୋକ କହିଲା, "ଆତଙ୍କ ବାଦୀଙ୍କ ସହ ଗୁଳି ବିନିମୟ ସମୟରେ ତା ହାତରେ AK 47 ର ଗୁଳି ବିଦ୍ଧ କରିଥିଲା। ହାତର ଅବସ୍ଥା ଅତି ଖରାପ ଥିବାରୁ ଅପରେସନ କରି ହାତଟିକୁ ଅଧାରୁ କଟାଗଲା । ସେବେଠାରୁ ହସ୍ପିଟାଲରେ ଥିଲି । ଏ ଖବର ଘରେ ପହଞ୍ଚିବା କୁ ସାହସ ହେଉନଥିଲା।

ରୂପା କହିଲା, "ତୁମେ ତ ମୋତେ ଶକ୍ତ ହେବାପାଇଁ କହୁଥିଲ ଆଜି ନିଜେ କିପରି ଭାଙ୍ଗିଯାଉଛ। ତୁମେ ଫେରିଆସିଛ ସେତିକି ଆମ ପାଇଁ ଯଥେଷ୍ଟ।" ଆଲୋକ କହିଲା, "ହଁ, ମୁଁ ଏବେ ସବୁଦିନ ପାଇଁ ଫେରିଆସିଛି।"

ଆଲୋକର ମାଆ ଆଲୋକକୁ ନେଇ ଢେର ଗେଲ କରିଲେ ଠିକ୍ ଛୋଟ ପୁଅଟିଏ ପରି।

ଏହି ସକାଳର ଦୃଶ୍ୟ ବୋଧହୁଏ ସେମାନଙ୍କ ଜୀବନର ସବୁଠାରୁ ଅବିସ୍ମରଣୀୟ ସକାଳ ହୋଇଥିବ।

                      


Rate this content
Log in

Similar oriya story from Abstract