କାହିଁକି ?
କାହିଁକି ?
ନୟାଗଡ଼ ଜିଲ୍ଲାର ଏକ କୃଷିଭିତ୍ତିକ ଗ୍ରାମ ଶିଖରପୁର।ପ୍ରାୟ ସମସ୍ତେ କୃଷିକାର୍ଯ୍ୟ କରି ଗୁଜୁରାଣ ମେଣ୍ଟାନ୍ତି।ସେହି ଗାଁର ପିଲାଟିଏ ନାଁ ତାର ଅଭିମନ୍ୟୁ।ଘରେ ବାହାରେ ସଭିଏଁ ତାକୁ ଶ୍ରଦ୍ଧାରେ ଅଭି ବୋଲି ଡାକନ୍ତି। ଅଭିର ବାପା ହାଇସ୍କୁଲରେ ଶିକ୍ଷକତା କରିବା ପରେ ଘରର ଆର୍ଥିକ ଅବସ୍ଥା ଧୀରେଧୀରେ ସୁଦୃଢ ହେଉଥିଲା। ଏହି ସବୁ ଭିତରେ ଶିକ୍ଷକଟି ସମସ୍ତ ଛାତ୍ର ସମେତ ନିଜର ସନ୍ତାନକୁ ମଧ୍ୟ ଉତ୍ତମ ଶିକ୍ଷା, ଆଚରଣ, ସଂସ୍କାର ସହ ବଢ଼ାଉଥିଲେ।ମାଆ ମଧ୍ୟ ଥିଲେ ସରଳ ବିଶ୍ୱାସୀ। ପିତାମାତା ଦୁହେଁ ଅଭିକୁ ମଣିଷ ପରି ମଣିଷ ଟିଏ କରି ଗଢି ତୋଳିବାକୁ ଆପ୍ରାଣ ଉଦ୍ୟମ କରି ଚାଲିଥାନ୍ତି।
ସମୟ ଗଡି ଚାଲିଥାଏ।ଅଭି ଦଶମ ଶ୍ରେଣୀ ରେ କୃତକାର୍ଯ୍ୟ ହେବା ପରେ ଗାଁ କଲେଜରେ +୨ ବିଜ୍ଞାନରେ ନାମ ଲେଖାଇଲା। + ୨ ପରେ ଗାଁଠାରୁ କିଛି ଦୂରରେ ଏକ କଲେଜରେ ରସାୟନ ବିଜ୍ଞାନରେ ସ୍ନାତକ ଶେଷ କଲା।ଏହାପରେ ଅଭି ବାପାଙ୍କ ଉପରେ ନିର୍ଭର କରିବାକୁ ପସନ୍ଦ କରିଲା ନାହିଁ। ତେଣୁ ନୟାଗଡ଼ର ଏକ ଘରୋଇ କଲେଜରେ ଅଧ୍ୟାପକ ଭାବେ ଯୋଗଦେଲା। ମାସିକ ଦରମାରେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଚେଷ୍ଟା ଆରମ୍ଭ କଲା।ଏହି ସମୟରେ କଲେଜଟି ଅନେକ ନୂତନ ଚେହେରାକୁ ଇଣ୍ଟରଭିୟୁ ମାଧ୍ୟମରେ ଅଧ୍ୟାପନା କରିବାର ସୁଯୋଗ ଦେଇଥାଏ।ସେହି ମଧ୍ୟରେ ସ୍ମିତା ନାମ୍ନୀ ଝିଅଟିଏ ଜୀବବିଜ୍ଞାନ ର ଅଧ୍ୟାପିକା ଭାବେ ଯୋଗ ଦେଇଥାଏ।ଯଦିଓ ସହକର୍ମୀ ଭାବେ ଅଭି ଓ ସ୍ମିତା ଦେଖାହୁଅନ୍ତି, ତେବେ ସେପରି କିଛି ବନ୍ଧୁତା ଅବା କଥାବାର୍ତ୍ତା ମଧ୍ୟ ନଥାଏ।
ନବବର୍ଷର ଆଗମନରେ ଅଭିର ଜୀବନ କିଛି ଭିନ୍ନ ମୋଡ଼ ନେଇ ଦେଇଥିଲା ଏକ ଅଭୁଲା ସ୍ମୃତି। ପ୍ରତି ବର୍ଷ ପରି ନବବର୍ଷକୁ ପାଳନ କରିବା ପାଇଁ କଲେଜ କର୍ତ୍ତୃପକ୍ଷ ପିକନିକ ର ଆୟୋଜନ କରିଥିଲେ। ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକାଙ୍କର ସହମତିରେ କେଉଁଝରର ଘଟଗାଁ ରେ ପିକନିକ ପାଇଁ ସ୍ଥିର କରାଗଲା। ଧାର୍ଯ୍ୟ ଦିନରେ ସମସ୍ତେ ବସ୍ ଯୋଗେ ଘଟଗାଁ ଅଭିମୁଖେ ଯାତ୍ରା ଆରମ୍ଭ କଲେ। ହିପ୍ ହିପ୍ ହୁର୍ରେ... ଶବ୍ଦ ସହ ନାଚଗୀତର ଆସରରେ ବସ୍ ଟି କୋଳାହଳ ପୂର୍ଣ୍ଣ ହୋଇଉଠିଲା।ଅଭି ଅଧ୍ୟାପକ ହେବା ସଂଙ୍ଗେ ସଙ୍ଗେ ଛାତ୍ରଛାତ୍ରୀଙ୍କ ପାଈଁ ଉତ୍ତମ ବନ୍ଧୁଟିଏ ମଧ୍ୟ ଥିଲା।ତେଣୁ ପିଲାମାନେ ଅଭିକୁ ସେହି ନାଚଗୀତର ଆସରରେ ଯୋଗ ଦେବା ପାଇଁ ବାଧ୍ଯ କରି ହାତଧରି ଟାଣି ଆଣିଲେ।ଅଜାଣତରେ ସ୍ମିତା ମୁହଁରେ ଅଭିର ହାତ ବାଜିବାରୁ ସ୍ମିତା ରାଗିଗଲା।ସ୍ମିତା କିଛି ନକହିଲେ ମଧ୍ୟ ତା ଆଖିରୁ ବୁଝାପଡୁଥିଲା ଯେ ସେ ଖୁବ୍ ରାଗିଛି।ତେଣୁ ଅଭି ସ୍ମିତା ଠାରୁ କ୍ଷମା ମାଗିନେଲା।ଏହା ପରେ ଯେ ଯାହାର ହସଖୁସିରେ ମଜିଗଲେ।
ଦୀର୍ଘ ୪ଘଣ୍ଟାର ଯାତ୍ରା ପରେ ସମସ୍ତେ ଗନ୍ତବ୍ୟ ସ୍ଥଳ ଘଟଗାଁରେ ପହଞ୍ଚି ମାଆ ତାରିଣୀଙ୍କର ଦର୍ଶନ କରି ଚକ୍ଷୁ ପବିତ୍ର କରିଥିଲେ।ଯେ ଯାହାର ମନୋକାମନା ମାଆକୁ ଜଣାଇ ଯାତ୍ରା ଆରମ୍ଭ କଲେ ଗୁଣ୍ଡିଚାଘାଇ ଜଳପ୍ରପାତ ଅଭିମୁଖେ। ଜଳପ୍ରପାତ କୁ ଦେଖି ସଭିଙ୍କ ମନର ସମସ୍ତ କ୍ଲାନ୍ତି ଦୁରେଇଗଲା।ଝରଣାର ଶୀତଳ ଜଳରେ ପାଦ ଦେଉ ଦେଉ ଦୀର୍ଘ ଯାତ୍ରାର କ୍ଳେଶ ଦୂରୀଭୂତ ହୋଇସାରିଥିଲା।ଜଳ ପ୍ରପାତରୁ ନିମ୍ନଗାମୀ ହେଉଥିବା ଜଳରାଶିର କୁଳୁକୁଳୁ ନାଦ ଜନସମାଗମର କୋଳାହଳ କୁ ଭୁଲାଇ ଦେଉଥିଲା।ଶୀତଳ ଜଳ ର ଛିଟା ଦେହ ଓ ମନକୁ ଆଦ୍ରିତ କରିବାରେ ଲାଗିଥିଲା।ଏଭଳି ଏକ ମନୋରମ ପରିବେଶକୁ ସ୍ମୃତି ଭାବେ ସାଇତି ରଖିବା ପାଇଁ ଅଭି ନିଜର କ୍ୟାମେରା ସାହାଯ୍ୟରେ ଫୋଟୋ ଉଠାଇବାରେ ଲାଗିଥାଏ।ଏହି ସମୟରେ ସ୍ମିତା ତା ନିଜର ଫୋଟୋ ଉଠାଇବା ପାଇଁ ଅଭିକୁ କ୍ୟାମେରାଟି ମାଗିଲା।କିନ୍ତୁ ଅନ୍ୟମନସ୍କତା କାରଣରୁ ଅଭି ସ୍ମିତାର କଥା ଶୁଣିପାରିନଥାଏ।ତେଣୁ ସ୍ମିତା ଅଭିକୁ କିଛି ନକହି ସେଠାରୁ ଚାଲିଗଲା।ବୁଲାବୁଲି ସରିବା ମଧ୍ୟରେ ଖାଦ୍ୟ ପ୍ରସ୍ତୁତି ଶେଷ ହୋଇଯାଇଥାଏ।ତେଣୁ ଭୋଜନ ଆଦି ସମାପ୍ତ ହେବାପରେ ସମସ୍ତେ କଲେଜକୁ ପ୍ରତ୍ୟାବର୍ତ୍ତନ କରିଥିଲେ।
ଯାତ୍ରା ଜନିତ କ୍ଲାନ୍ତି ଦୂରେଇବା ପାଇଁ ପରଦିନ କଲେଜ ଛୁଟି ଥାଏ।ଦ୍ବିପ୍ରହରରେ ଅଭି ଫୋନକୁ ଗୋଟିଏ କଲ୍ ଆସିଲା।ଏକ ଅଜଣା ନମ୍ବର ଦେଖି ଅଭି ଫୋନ ଗ୍ରହଣ କରି ଅପର ପାର୍ଶ୍ୱରୁ ଏକ ନାରୀ କଣ୍ଠ ଶୁଣିପାରିଲା।ଝିଅଟି କହୁଥିଲା....."ସାର୍ ମୁଁ ସ୍ମିତା କହୁଥିଲି। ସେଦିନ ବସ୍ ଘଟଣାକୁ ନେଇ ଆପଣ ଖରାପ ଭାବିଛନ୍ତି ବୋଧହୁଏ।ତା ନହେଲେ ମୁଁ ଆପଣଙ୍କୁ ଝରଣା ପାଖରେ କ୍ୟାମେରା ମାଗିଲି, ଆଉ ଆପଣ ଶୁଣିଲେ ନାହିଁ କାହିଁକି?" ଅଭି କହିଲା ,"ନା ମ୍ୟାମ୍..ସେପରି କିଛି କଥା ନାହିଁ। ମୋତେ ଆପଣଙ୍କ ଡ଼ାକ ଶୁଣା ଯାଇନାହିଁ। "ତା'ପରେ ଦୁହେଁ କିଛି ସମୟ ବର୍ତ୍ତାଳାପ କରି ଫୋନ ରଖିଲେ।
ଏହି ଘଟଣା ପରେ ସ୍ମିତା ପ୍ରତିଦିନ ମେସେଜ କିମ୍ବା କଲ୍ କରି ଅଭି ସହ ଯୋଗାଯୋଗ ରଖିବାରେ ଲାଗିଲା।ସ୍ମିତାର ଏହି ବ୍ୟବହାର ଅଭି ମନରେ କିନ୍ତୁ ଭାବାନ୍ତର ସୃଷ୍ଟି କରୁଥିଲା।ହଠାତ୍ ଦିନେ ସ୍ମିତା ନିଜେ ଅଭିକୁ ପସନ୍ଦ କରେ ବୋଲି କହିଲା।ଅଭି ସେଦିନ ସ୍ମିତାକୁ କିଛି କହିପାରିଲା ନାହିଁ।ପରେ ଧୀରେ ଧୀରେ ଅଭିର ମଧ୍ୟ ସ୍ମିତା ପ୍ରତି ଦୁର୍ବଳତା ଆସିଗଲା।ସ୍ମିତା ତା'ର କୁଟୀଳ ପ୍ରୟାସରେ ସଫଳ ହୋଇଥିବା ବେଳେ ଅଭି ଏକ ପ୍ରହେଳିକା ଭିତରେ ହଜି ଯାଉଥିଲା।ଏକ ମିଛ ସମ୍ପର୍କକୁ ଅଭି ପ୍ରେମର ନାଁ ଦେଇ ସାରିଥିଲା।
ଧୀରେ ଧୀରେ ସ୍ମିତା ପ୍ରତି କାର୍ଯ୍ୟରେ ଅଭିର ସାହାଯ୍ୟ ଲୋଡିଲା। ଅଭି କେଉଁ ସହକର୍ମୀଙ୍କ ସହ ମିଳାମିଶା କଲେ ସ୍ମିତା ଖୁବ୍ ବିରକ୍ତ ହୋଇଯାଏ।କିନ୍ତୁ ଅଭି ଏହାକୁ ସାଦରେ ଗ୍ରହଣ କରିଲା। ଧୀରେ ଧୀରେ ଅଭି କାର୍ଯ୍ୟର ବାହାନାରେ ଅନ୍ୟ ସହକର୍ମୀଙ୍କ ଠାରୁ ଦୂରେଇ ଗଲା।
ଏହିପରି ପ୍ରାୟ ଏକ ବର୍ଷ ବିତିଯିବା ପରେ ସ୍ମିତା ଧୀରେ ଧୀରେ ଅଭି ସହ କଥା ହେବା ବନ୍ଦ କରିବାରେ ଲାଗିଲା।ଅଭି ଏହାର କାରଣ ବୁଝିପାରୁନଥାଏ। ଏପରି ଦ୍ୱନ୍ଦ ଭିତରେ ହଠାତ୍ ଗୋଟିଏ ଦିନ ଅଭିର ଫୋନ ମଧ୍ୟ ଗ୍ରହଣ କଲାନାହିଁ।କଲେଜରେ ଅଭି ଏହାର କାରଣ ପଚାରିବାରୁ ସ୍ମିତା କହିଲା, "ନା ମୁଁ ବ୍ୟସ୍ତ ରହୁଛି। ତେଣୁ ତୁମକୁ ସମୟ ଦେଇପାରିବି ନାହିଁ।" ଅଭି ସ୍ମିତାର ଉତ୍ତରରେ ସନ୍ତୁଷ୍ଟ ନହୋଇଥିଲେ ମଧ୍ୟ ଚୁପଚାପ ସେଠାରୁ ଚାଲିଆସିଲା।ଏହାପରେ ଉଭୟଙ୍କର ବର୍ତ୍ତାଳାପ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା।
ରବିବାରର ଗୋଟିଏ ସଂଧ୍ୟାରେ ଅଭି ଏକା ଏକା ବସିଥାଏ। ନିଜକୁ ପ୍ରଶ୍ନ କରୁଥାଏ ..."ଏ ମନ ତୁ କଅଣ ଭାବୁଛୁ ?? ସ୍ମିତା ର ଏ ପରିବର୍ତ୍ତନ କାହିଁକି ? କେଉଁଠି କିଛି ତ୍ରୁଟି ରହିଗଲା କି ? ସେ ତ ଏହି ସମ୍ପର୍କ ପାଇଁ କୌଣସି ଚେଷ୍ଟା କରୁ ନାହିଁ।ତୁ ଥରେ ଚେଷ୍ଟା କର।"
ଅଭି ନିଜେ ସ୍ମିତାକୁ କଲ୍ କଲା। ସେତେବେଳେ ସ୍ମିତାର ଫୋନ ବ୍ୟସ୍ତ ଆସୁଥାଏ। ଏପରି ପ୍ରାୟ ଏକ ଘଣ୍ଟା ପରେ ସ୍ମିତା ଅଭିକୁ ଫୋନ କଲା।ଅଭି କିଛି ପଚାରିବାକୁ ଉଚିତ ମନେକଲା ନାହିଁ।ତେଣୁ କିଛି କଥା ହୋଇ ଫୋନ ରଖିଦେଲା।ଏହା ପରେ ସ୍ମିତା କେବେକେବେ ଅଭି ସହ ଫୋନ ରେ ଏବଂ କଲେଜରେ ମଧ୍ୟ କଥା ହୁଏ।
ଅଭି ଏପରି ଏକ ପ୍ରଶ୍ନିଳ ପରିସ୍ଥିତି ଦେଇ ଗତି କରିବା ବେଳେ ସ୍ମିତା ବ୍ୟସ୍ତ ଥାଏ ତାକୁ ବିବାହ କରିବାକୁ ଯାଉଥିବା ପୁଅ ସହିତ, ଯାହାକୁ ସ୍ମିତାର ଘର ଲୋକେ ସ୍ଥିର କରିଥିଲେ। ଏହି ବିବାହ ସମ୍ପର୍କରେ ଅଭି ସମ୍ପୂର୍ଣ୍ଣ ଅଜ୍ଞ ଥାଏ। ଏହି ପରି ଭାବେ ଆଉ ଗୋଟିଏ ବର୍ଷ ବିତି ଯାଇଥିଲା।
ଗୋଟିଏ ଦିନ ସ୍ମିତାକୁ ଖୁବ୍ ଜ୍ୱର ହୋଇଥାଏ। ତେଣୁ ସ୍ମିତା ଅଭିକୁ ଫୋନ କରି କହିଲା, "ମୋର ଜଣେ ସମ୍ପର୍କୀୟ ଭାଇ ବସ୍ ଦ୍ୱାରା କିଛି ମେଡ଼ିସିନ ପଠାଇବେ। ତୁମେ ଆଣିଦିଅ।" ଅଭି ମଧ୍ୟ ସ୍ମିତାକୁ ସାହାଯ୍ୟ କଲା।ଏହାର କିଛି ଦିନ ପରେ ଅନ୍ୟ ଜଣେ ସହକର୍ମୀ ଅଭିକୁ ସ୍ମିତାର ରହସ୍ୟ ଖୋଲି କହିଲେ। ସ୍ମିତା ର ଏହି ସତ୍ୟତା କୁ ଅଭି ସହଜରେ ଗ୍ରହଣ କରି ପାରୁନଥାଏ। ତେଣୁ ସେ ସ୍ମିତା ସହ ଏ ବିଷୟରେ କଥା ହେବାପାଇଁ ସ୍ଥିର କଲା। କଲେଜ ଶେଷ ହେବା ପରେ ଅଭି ସ୍ମିତାକୁ ଡାକି ଶୁଣିଥିବା ଆକ୍ଷେପକୁ ନେଇ ପ୍ରଶ୍ନ ପଚାରିଥିଲା। ସ୍ମିତା ପ୍ରଥମେ ଅମଙ୍ଗ ହେଉଥିଲା।ସ୍ମିତାର ଏହି ବ୍ୟବହାରରେ ଅଭି ନିଜ କ୍ରୋଧ ନିୟନ୍ତ୍ରଣ କରିପାରୁନଥିଲା। ତେଣୁ ସେ ସ୍ମିତାକୁ କହିଲା, "ସ୍ମିତା ମୁଁ କିଛି ଜାଣିବାକୁ ଚାହେଁ ନାହିଁ ।କେବଳ ଏତିକି କୁହ ମୁଁ ଦରକାର ନା ନାହିଁ ।" ସ୍ମିତା ନାହିଁ କରି ସେଠାରୁ ଚାଲିଗଲା।
ଏହାପରେ ଅଭିକୁ ସେହି କଲେଜ ଯିବାକୁ ଅଣନିଶ୍ୱାସୀ ଲାଗୁଥିଲା।ସ୍ମିତାକୁ ଦେଖିବା ମାତ୍ରେ ଘୃଣା ଓ ଦୁଃଖରେ ଜଳୁଥିଲା।ତେଣୁ ସେହି କଲେଜ ଛାଡି ଘରକୁ ଫେରିଆସିଲା।
ଅଭିକୁ ହଠାତ୍ ଘରେ ଦେଖି ମାଆ ପଚାରିଲେ ତୁ କିପରି ହଠାତ୍ ଚାଲିଆସିଲୁ ?ଅଭି ମାଆଙ୍କୁ କି ଉତ୍ତର ଦେବ ବୁଝି ପାରୁନଥାଏ।ଶେଷରେ କହିଲା ବହୁତ କାର୍ଯ୍ୟ ଭାର ସହ ସ୍ୱଳ୍ପ ଦରମା....ଏହା ପରେ ମୁଁ ମୋ ପରୀକ୍ଷା ପାଇଁ ମଧ୍ୟ ପରିଶ୍ରମ କରି ପାରୁନାହିଁ । ମାଆ ମନ କିନ୍ତୁ ବୁଝୁନଥାଏ। ସନ୍ତାନର ମୁହଁ ଦେଖି ମନର ଦୁଃଖ, ପେଟର ଭୋକକୁ ଚିହ୍ନିବା ଶକ୍ତି ମାଆ ପାଖରେ ହିଁ ଥାଏ।
ଏହାପରେ ଅଭିର ମାଆ ଅଭି ସହ କଥା ହେଲେ ।ବୁଝାଇ ସୁଝାଇ ପଚାରିବାରୁ ଅଭି ସବୁକିଛି ତା ମାଆଙ୍କୁ କହିଲା।ଅଭିର ମାଆ ତା ମଥା ଉପରେ ହାତ ରଖି କହିଲେ... "ଭଲ ତ ହୋଇଛି।ତୁ ଏତେ କାହିଁ ଚିନ୍ତା କରୁଛୁ।ଈଶ୍ୱରଙ୍କୁ ଧନ୍ୟବାଦ ଜ୍ଞାପନ କର ଯେ....ତୁ ବହୁତ ଶୀଘ୍ର ସତ୍ୟତା କୁ ସାମ୍ନା କରିନେଲୁ।ବିଶେଷ କିଛି କ୍ଷତି ହୋଇ ନାହିଁ।ସେସବୁ ଛାଡି ଲକ୍ଷ୍ୟ ସ୍ଥିର କର, ମନକୁ ଦୃଢ଼ କର।"
ଅଭି ଲୁହ ଭରା ଆଖିରେ ମାଆଙ୍କୁ ଚାହିଁ ଭାବୁଥିଲା .....ମାଆ ତୁ ଗୋଟିଏ ନାରୀ, ସେ ମଧ୍ୟ ଗୋଟିଏ ନାରୀ ।ମାଆ ତୋ ପରି ସେ ଏତେ ସରଳ ହୋଇପାରିଲା ନାହିଁ କାହିଁକି ?
ଅଭିର ଲୁହ ଭରା ଆଖି ଦେଖି ତା ମାଆ ଅଭି ଆଖି ଲୁହକୁ ପୋଛି ଦେଇ କହିଲେ, "ସେହି ଝିଅ ପାଇଁ ଏପରି କେବଳ ଲୁହ ଗଡାଉଥିବୁ ନା ତୋ ବାପାଙ୍କର ସାରା ଜୀବନର ଅକ୍ଲାନ୍ତ ଶ୍ରମର କିଛି ମୂଲ୍ୟ ଦେବୁ ।" ଅଭି ହସିଦେଇ ମାଆଙ୍କ ହାତ ଧରି କହିଲା, "ନିଶ୍ଚୟ ଦେବି ମାଆ।ତୁମର ଆଶୀର୍ବାଦ କେବଳ ଦରକାର।"

