STORYMIRROR

ayiswarya maharana

Romance

3  

ayiswarya maharana

Romance

ଯୁଗଳ ମୂର୍ତ୍ତି

ଯୁଗଳ ମୂର୍ତ୍ତି

4 mins
210

ଜରତୀ ଶୀତର ହିମାଳ ସ୍ପର୍ଶକୁ ଦୂରେଇ ଦେଇ ଧରାପୃଷ୍ଠରେ ପଦାର୍ପଣ କରିଛନ୍ତି ଋତୁରାଜ ବସନ୍ତ। ନିଜର ସ୍ପର୍ଶ ଦେଇ ପୁଲକିତ କରିଛନ୍ତି ଧରାର ପ୍ରତିଟି ପ୍ରାଣକୁ। ଋତୁଶ୍ରେଷ୍ଠ ପ୍ରବେଶ କରିଛନ୍ତି ବସୁଧା ମାତାଙ୍କର କୋଣ ଅନୁକୋଣରେ। ପତ୍ରଝଡା ଦେଇଥିବା ବୃକ୍ଷରାଜି ନୂତନ ପତ୍ର ଦ୍ୱାରା ପଲ୍ଲବିତ। ବୃକ୍ଷ ସମୂହ ନୂତନ କୋମଳ ପତ୍ର ଓ ପୁଷ୍ପ ମଣ୍ଡିତ ହୋଇ ପ୍ରତିଟି ଚେତନାକୁ ଅମୃତମୟ କରୁଛନ୍ତି। 

ଗୋପର କୁଞ୍ଜବନ ମଧ୍ୟ ବାଦ୍ ଯାଇନାହିଁ ଏହି ବସନ୍ତର ସ୍ପର୍ଶରୁ। ନାନାବିଧ ପୁଷ୍ପର ସମ୍ଭାର କୁଞ୍ଜକୁ ଅପୂର୍ବ ଭାବେ ଗଢି ତୋଳିଛି।କୋଇଲିର ପଞ୍ଚମ ସ୍ୱରରେ କୁହୁକୁହୁ ତାନର ମାଦକତାରେ କୁଞ୍ଜର ନୀରବତା କ୍ଷୁର୍ଣ୍ଣ ହେଉଥାଏ। କିନ୍ତୁ ମଳୟର ମୃଦୁ ସ୍ପର୍ଶ ଆନ୍ଦୋଳିତ କରିପାରୁନଥିଲା ଅପେକ୍ଷାରତା ଶ୍ୟାମ ପ୍ରିୟା ଶ୍ରୀରାଧାଙ୍କୁ। କୋକିଳର ତାନ, ମଳୟ ସ୍ପର୍ଶ ,କୁସୁମର ମହକ ....ଏସବୁ ଶ୍ରୀରାଧାଙ୍କୁ ଘୃତାଗ୍ନି ସମ ପ୍ରତୀତ ହେଉଥାଏ। ଶ୍ୟାମ ବିହୁନେ ଚନ୍ଦନର ଶୀତଳତା କାହିଁ ? କାହିଁ କେତେବେଳୁ ଚକ୍ଷୁଦ୍ୱୟ ଚାହିଁ ରହିଛନ୍ତି ସେହି ମନମୋହନଙ୍କର ଦର୍ଶନ ଲଭି ଅନନ୍ଦାଶ୍ରୁ ଢାଳି ଦେବା ପାଇଁ। ବେଳ ଉଛୁର ହେଉଥିବାରୁ ଶ୍ରୀରାଧା ବ୍ୟଗ୍ର ହେଉଥାନ୍ତି। ମନେମନେ ଶ୍ୟାମଙ୍କର ଅନୁପସ୍ଥିତିକୁ ଭାଳି ହେଉଥାନ୍ତି....ସତେକି ଆଜି ଶ୍ୟାମଙ୍କର ଆଗମନ ହେବ ନାହିଁ ?? ତେବେ କ'ଣ ଆଜି ମୋ ଜୀବନ ବୃଥା ? ଏତେ ବିଳମ୍ବରେ ଗୃହକୁ ଫେରି ସ୍ୱାମୀ ,ଶାଶୂ ଙ୍କୁ କି ଉତ୍ତର ଦେବି ? ସେ କଟୁକ୍ତି ହୃଦୟ ଭେଦ କରିବା ଅସମ୍ଭବ ହୋଇଯାଆନ୍ତା ....ଯଦି ଶ୍ୟାମଙ୍କର ଦର୍ଶନ ପ୍ରାପ୍ତି ହୁଅନ୍ତା।

      ଏହି ସମୟରେ ଶ୍ରୀକୃଷ୍ଣଙ୍କର ପଦଧ୍ୱନି ଶୁଣି ଶ୍ରୀରାଧାଙ୍କର ଭାବନାରେ ଯବନିକା ଟାଣି ହୋଇଗଲା। ମନେମନେ ନୃତ୍ୟରତା ଶ୍ରୀରାଧା ପୂର୍ବବତ୍ ନୀରବ ହୋଇ ବସିଥାନ୍ତି। ଶ୍ରୀକୃଷ୍ଣ ଧୀରେ ଆସି ଶ୍ରୀରାଧାଙ୍କର ମଥାର ଓଢଣାଟିକୁ ଟାଣି ଦେଲେ। ଶ୍ରୀରାଧା ଶ୍ୟାମଘନଙ୍କର ସେହି ଭୁବନ ମୋହନ ହସରେ ସମ୍ମୋହିତ ହୋଇ ନିଜର କୃତିମ ରାଗକୁ ପାଶୋରି ଦେଲେ।ଅଳ୍ପ ଲାଜେଇ ସେହି ଶ୍ୟାମଙ୍କର ମୁଖକୁ ଚାହିଁ ପଚାରିଲେ ,"ଆଜି ଏ ବିଳମ୍ବର କାରଣ ?'' ଶ୍ରୀକୃଷ୍ଣ କହିଲେ ,"ବିଳମ୍ବ ନିମନ୍ତେ କ୍ଷମା କର ରାଧେ।" ଶ୍ରୀରାଧା ହସି ଦେଇ କହିଲେ ,"ତୁମରି କଥା ହେଉ ...। ତୁମେ କୁହତ ଦେଖି....ଆଜି ମୁଁ କିପରି ଦିଶୁଛି ?" ଶ୍ରୀକୃଷ୍ଣ ସଂଙ୍ଗେସଙ୍ଗେ କହିଲେ ," ରାଧେ , ତୁମେ ତ ବିନା ପ୍ରାସାଧନରେ ଅନିନ୍ଦ୍ୟ ସୁନ୍ଦରୀ। କିନ୍ତୁ ଆଜିର ଏହି ପ୍ରାସାଧନର ବ୍ୟବହାରରେ ତୁମ ଶରୀରରେ ଚନ୍ଦ୍ରମାର ଜ୍ୟୋତି ଭରିଯାଇଛି। ତୁମ କୁଙ୍କୁମରେ ଚାନ୍ଦିନୀର ଛିଟା। ନୋଥରେ ଚନ୍ଦ୍ରାଲୋକ ଭରି ରହିଛି।" ଶ୍ରୀକୃଷ୍ଣ ଏପରି ଚନ୍ଦ୍ରମାକୁ ନେଇ ଶ୍ରୀରାଧାଙ୍କର ସୌନ୍ଦର୍ଯ୍ୟକୁ ଉପମା ଦେଉଥାନ୍ତି।ତେଣେ ଶ୍ରୀରାଧା ଶ୍ରୀକୃଷ୍ଣଙ୍କ ଠାରୁ ବାରମ୍ବାର ନିଜର ଚନ୍ଦ୍ର ସହିତ ତୁଳନା ଶୁଣି ମନେ ମନେ ନିଶ୍ଚିତ ହେଲେ ଯେ "ଶ୍ୟାମ ତେବେ ଚନ୍ଦ୍ରାବଳୀ ସହିତ ସାକ୍ଷାତ କରି ଫେରିଛନ୍ତି ....ତେଣୁ ଆସିବା ପର ଠାରୁ ଚନ୍ଦ୍ରମା ..ଚନ୍ଦ୍ରମା ରଟ ଲଗାଇଛନ୍ତି।"

ମାନିନୀ ରାଧା ଅଭିମାନରେ ସେଠାରୁ ଚାଲିଆସିଲେ। ଶ୍ରୀକୃଷ୍ଣ ମାନିନୀ ରାଧାଙ୍କର ମାନଭଞ୍ଜନ ପାଇଁ ଅନେକ ଚେଷ୍ଟା କରି ବିଫଳ ହେଉଥାନ୍ତି।ଦୁଇ ତିନି ଦିନ ଅତିକ୍ରାନ୍ତେ ଶ୍ରୀକୃଷ୍ଣ ଏକାନ୍ତରେ ବସି ବଂଶୀ ବାଦନ କରିବାରେ ଲାଗିଲେ। ମୋହନ ବଂଶୀ ର ଧ୍ବନି ଶୁଣି ରାଧା ସମେତ ଅନ୍ୟ ଗୋପାଙ୍ଗନା ଆକୃଷ୍ଟ ହୋଇ କୃଷ୍ଣଙ୍କର ନିକଟବର୍ତ୍ତୀ ହେବାକୁ ଲାଗିଲେ। ଅନ୍ୟ ଗୋପୀମାନଙ୍କୁ ଦେଖି ରାଧା କୃଷ୍ଣଙ୍କର ବଂଶୀଟିକୁ ଛଡାଇ ଆଣିଲେ। ରାଧାଙ୍କର ଏହି କାର୍ଯ୍ୟ ଦେଖି ଅନେକ ଗୋପୀ ତାଙ୍କୁ ଉପହାସ କରି ଚାଲିଗଲେ ତ କେତେକ ମନଦୁଃଖରେ ଫେରିଗଲେ। ଶ୍ରୀରାଧା କିନ୍ତୁ ଶ୍ୟାମଙ୍କର ମୁଖ ଦେଖି ହସିଦେଲେ। ଏହିପରି ଭାବେ ଶ୍ରୀକୃଷ୍ଣ ଶ୍ରୀରାଧାଙ୍କର ମାନଭଞ୍ଜନ କରିଲେ।

ମାନଭଞ୍ଜନ ପରେ ଶ୍ରୀକୃଷ୍ଣ ଶ୍ରୀରାଧାଙ୍କୁ କହିଲେ ," ରାଧେ ,ମୁଁ ସଂସାର ର ସ୍ୱାମୀ ,ସର୍ବଂଜ୍ଞାତା। କିନ୍ତୁ ତୁମ ପ୍ରେମର ଗଭୀରତା ମୋ କଳନାରୁ ବହିର୍ଭୁତ। ତୁମେ ଜାଣ ରାଧେ !! ସଂସାର ପରିବର୍ତ୍ତନର କ୍ଷମତା ରଖିଥିବା କୃଷ୍ଣ ପାଇଁ ତୁମର ମାନଭଞ୍ଜନ କରିବା ହେଉଛି ସବୁଠାରୁ କଠିନ କାର୍ଯ୍ୟ। ତୁମେ କିପରି ଏତେ ଅଭିମାନ କରିପାରୁଛ ?"

ଶ୍ରୀକୃଷ୍ଣଙ୍କର କଥା ଶୁଣି ଶ୍ରୀରାଧା ହସିଦେଇ କହିଲେ ," ଶ୍ୟାମ, ତୁମକୁ ରାଗ ଅଭିମାନ ଜଣା ନାହିଁ !! ତେବେ ରାଗିବା ଅଭିମାନ କରିବା ମୁଁ ତୁମକୁ ଶିଖାଇ ଦେବି।" ଶ୍ରୀକୃଷ୍ଣଙ୍କର ଅନୁମତି କ୍ରମେ ଶ୍ରୀରାଧା ଅଭିମାନ ଶିଖାଇବାକୁ ଯାଇ କହିଲେ," ଯାହା ଉପରେ ରାଗ ଅଭିମାନ କରାଯାଏ, ତାଙ୍କର କୌଣସି କଥା ଶୁଣାଯାଏ ନାହିଁ ଏବଂ କୌଣସି ପ୍ରତିଉତ୍ତର ରଖାଯାଏ ନାହିଁ। କହିବା ବାହୁଲ୍ୟ ଯେ ଅଭିମାନ କରାଯାଇଥିବା ବ୍ୟକ୍ତିଙ୍କ ସହିତ କୌଣସି ପ୍ରକାରରେ କଥୋପକଥନ କରାଯାଏ ନାହିଁ। ଏହା ହିଁ ଅଭିମାନ ଓ ରାଗର ପ୍ରଥମ ଓ ଅନ୍ତିମ ନିୟମ।" ଏହାପରେ ଶ୍ରୀକୃଷ୍ଣଙ୍କର ଉଦ୍ଦେଶ୍ୟରେ ପ୍ରଶ୍ନ ରଖିଲେ ,"ତୁମେ ବୁଝିଗଲ ଶ୍ୟାମ ? ଏବେ ତୁମକୁ ପରୀକ୍ଷା ଦେବାକୁ ହେବ।" ଶ୍ରୀକୃଷ୍ଣ କହିଲେ, "କି ପ୍ରକାର ପରୀକ୍ଷା?" ଶ୍ରୀରାଧା ନାଟକୀୟ ଠାଣିରେ କହିଲେ, "ତୁମକୁ ଅଭିମାନ କିପରି କରାଯାଏ ତାହାର ପରୀକ୍ଷା ଦେବାକୁ ପଡିବ। ତୁମେ ବର୍ତ୍ତମାନ ମୋ ଉପରେ ଅଭିମାନ କରିବା ଆରମ୍ଭ କର।" 

ଶ୍ରୀକୃଷ୍ଣ ଶ୍ରୀରାଧାଙ୍କୁ ପଶ୍ଚାତ କରି ଦଣ୍ଡାୟମାନ ହେଲେ। ଶ୍ରୀରାଧା ଧୀର ସ୍ୱରରେ ଅତି ସ୍ନେହରେ ଶ୍ୟାମଙ୍କୁ ଡାକିଲେ 'କାହ୍ନା....ଓ କାହ୍ନା....। ଶ୍ରୀରାଧାଙ୍କର ସ୍ନେହଵୋଳା ଡ଼ାକ ଶୁଣି ଶ୍ରୀକୃଷ୍ଣ ଅଭିମାନ କରିବା କଥା ଭୁଲିଯାଇ କହିଲେ,"ହଁ ରାଧେ କୁହ ...।'' ଶ୍ରୀରାଧା କହିଲେ ," ଶ୍ୟାମ ,ତୁମେ ତ ତୁମ ପରୀକ୍ଷାରେ ଅସଫଳ ହୋଇଗଲ। ତୁମକୁ ପୁନଃ ପରୀକ୍ଷା ଦେବାକୁ ହେବ।" ଶ୍ରୀକୃଷ୍ଣ ପୁନଃ ଅଭିମାନ କରି ଛିଡା ହେଲେ ।ଘଟଣାର ପୁନରାବୃତ୍ତି ଘଟିଲା। ତୃତୀୟ ଥର ପାଇଁ ଶ୍ରୀକୃଷ୍ଣ ପୁନଃ ଶ୍ରୀରାଧାଙ୍କ ପ୍ରତି ଅଭିମାନ କରି ଛିଡା ହେଲେ। ଏହି ଥର ଶ୍ରୀରାଧାଙ୍କର ଡ଼ାକ ଶୁଣି ଶ୍ରୀକୃଷ୍ଣ ପଛକୁ ଚାହିଁଲେ ନାହିଁ। ଶ୍ରୀକୃଷ୍ଣ ସତରେ ଅଭିମାନ କରିଲେ ବୋଲି ମନେ କରି ଶ୍ରୀରାଧା ମୂର୍ଛିତ ହୋଇ ଭୂମୀ ଉପରେ ଲୋଟିଗଲେ। ଶବ୍ଦ ଶୁଣି ଶ୍ରୀକୃଷ୍ଣ ମୂର୍ଛିତା ଶ୍ରୀରାଧାଙ୍କୁ ବାହୁରେ କୋଳେଇ ନେଲେ। ଶ୍ୟାମଳ ବପୁର ଶୀତଳତାର ସାନିଧ୍ୟ ପାଇ ଶ୍ରୀରାଧା ନିଜର ସଂଜ୍ଞା ଫେରିପାରିଲେ। 

ବସନ୍ତର ଉପସ୍ଥିତିରେ ଚକ୍ଷୁଦ୍ୱୟରୁ ଶ୍ରାବଣର ବାରି ଧାରା ପରି ଲୋତକ ଝରି ଯାଉଥାଏ। ଥରଥର କମ୍ପିତ ଅଧରରେ ଶ୍ରୀରାଧା ପଚାରି ବସିଲେ,"ହେ ଶ୍ୟାମ, ତୁମେ ସତରେ ମୋ ଉପରେ ଅଭିମାନ କରି ବସିଲ ?" ଶ୍ରୀକୃଷ୍ଣ ଶ୍ରୀରାଧାଙ୍କର ଅଶ୍ରୁ ମୋଚନ କରି କହିଲେ,"ସଖୀ, ମୁଁ ଭଲା କିପରି ରାଗ ଅଭିମାନ କରିପାରିବି। ମୁଁ ଯେ ତ୍ରିଗୁଣାତୀତ। ନା ମୁଁ କ୍ରୋଧ କରେ ...ନା କାହାକୁ ଘୃଣା କରେ ...ନା ମୋ ହୃଦୟରେ କାହା ନିମିତ୍ତ ପ୍ରେମ ରହିଛି। ମୁଁ ଏସବୁରୁ ଉର୍ଦ୍ଧ୍ୱରେ। "

ଶ୍ରୀରାଧା କହିଲେ,"ଶ୍ୟାମ, ତେବେ କ'ଣ ତୁମେ ମୋତେ ପ୍ରେମ କରନାହିଁ ? ଏସବୁ ଛଳନା ମାତ୍ର?" ଶ୍ୟାମ ଅଳ୍ପ ହସି କହିଲେ,"ହେ ରାଧେ ! ଏହି ମାୟା ଜଗତରୁ ବାହାରି ଦେଖ...ମୁଁ ହିଁ ପରମାତ୍ମା। ମୁଁ ହିଁ ଚେତନା, ପୁରୁଷ ତତ୍ତ୍ୱ । ତୁମେ ମୋର ବାମାଙ୍ଗୀ, ଶ୍ରୀରାଧା । ତୁମେ ହିଁ ହେଉଛ ପ୍ରକୃତି ତତ୍ତ୍ୱ। ତେଣୁ ଆମେ ଦୁହେଁ ଅଭିନ୍ନ। ଭଲା କେହି ନିଜକୁ କିପରି ପ୍ରେମ କରିପାରିବ ? ଚେତନା ବ୍ୟତିରକେ ପ୍ରକୃତି ମୃତ ପ୍ରାୟ....ଏହାର ଅସ୍ତିତ୍ବ ହିଁ ନାହିଁ । ଏବଂ ପ୍ରକୃତି ବ୍ୟତିରକେ ମୋର ସତ୍ତାକୁ କେହି କିପରି ଅନୁଭବ କରି ପାରିବ ? ତେଣୁ ପ୍ରକୃତି ଓ ପୁରୁଷ ଉଭୟ ପରିପୂରକ। ଉଭୟଙ୍କର ସଂଯୋଗରେ ହିଁ ଏହି ସୃଷ୍ଟି ନିର୍ମିତ।

            ଅତଃ ଏ ସୃଷ୍ଟିର ଅଣୁ ଅଣୁରେ କେବଳ ମୁଁ ହିଁ ମୁଁ ରହିଛି। ମୁଁ ଚାହେଁ ସୃଷ୍ଟିର ପ୍ରତିଟି ସତ୍ତାକୁ କୋଳେଇ ନେବା ପାଇଁ। ତେଣୁ ଯେ ମୋତେ ଇଚ୍ଛା କରେ ମୁଁ ତାକୁ ସାଦରେ ଗ୍ରହଣ କରିନିଏ ଏବଂ ଦୁଷ୍ଟକୁ କଠୋର ଶାସନ ମାଧ୍ୟମରେ ମୋର କୋଳକୁ ନେଇ ଆସେ। କିନ୍ତୁ କାହା ପ୍ରତି ପ୍ରେମ ନଥାଏ କି ଘୃଣା ନଥାଏ। ମୁଁ ସେହି ନିର୍ବିକାର ପୁରୁଷ।" 

ଶ୍ରୀରାଧା କହିଲେ ,"ମୌନ ରୁହ ଶ୍ୟାମ। ମୁଁ ଏହି ତତ୍ତ୍ୱ ବୁଝିବାକୁ ଚାହେଁ ନାହିଁ। ମୁଁ କେବଳ ଏତିକି ମାତ୍ର ଜାଣେ ଯେ ମୁଁ ଗୋପର ସାମାନ୍ୟ ଗଉଡୁଣୀ ରାଧା ଓ ତୁମେ ମୋର ପ୍ରେମ ଶ୍ୟାମ। " ଏତିକି କହି ଶ୍ରୀରାଧା ସେହି ଶ୍ୟାମଘନଙ୍କର ଗଳାରେ ଝୁଲି ହୋଇଯାଇଥିଲେ ଯୁଗଳ ମୂର୍ତ୍ତି। 



Rate this content
Log in

Similar oriya story from Romance