ayiswarya maharana

Drama Tragedy

3  

ayiswarya maharana

Drama Tragedy

ପଥହରା

ପଥହରା

4 mins
196


ନିଳିମା ଗୋଟିଏ ଚାଉଳରେ ଗଢ଼ା ଝିଅଟିଏ।ବିଧାତା ତାକୁ ଅତି ନିଖୁଣ ଭାବରେ ଗଢ଼ିଦେଇଛି।ଦେଖିଲେ କେହି ବି ଆଖି ଫେରାଇ ପାରିବା ସମ୍ଭବ ନୁହେଁ।ଧାରା ଶ୍ରାବଣ ମାସର ପ୍ରଥମ ସୋମବାର।ନିଳିମା ଗାଁମୁଣ୍ଡରେ ଥିବା ଶିବାଳୟରୁ ଘରକୁ ଫେରୁଥାଏ।ଅଧା ରାସ୍ତାରେ ବର୍ଷା ଆରମ୍ଭ ହୋଇଗଲା।ଅର୍ଦ୍ଧସିକ୍ତା ନିଳିମା ତରବରରେ ରାଘବେନ୍ଦ୍ର ବାବୁଙ୍କ ଘରର ବାରଣ୍ଡାକୁ ଉଠିଗଲା।ଏଣେ ବର୍ଷା ଛାଡିବାର କୌଣସି ଆଶା ଦିଶୁନଥାଏ। ବର୍ଷା ପ୍ରବଳରୁ ପ୍ରବଳତର ହେବାରେ ଲାଗିଥାଏ।ତେଣୁ ରାଘବେନ୍ଦ୍ର ବାବୁ କହିଲେ ,"ଆରେ ଝିଅ କେତେଯାଏଁ ଏମିତି ବାହାରେ ଛିଡ଼ା ହେବୁ।ଘର ଭିତରକୁ ଆସି ବସେ।ବର୍ଷା ଛାଡିଲେ ଚାଲିଯିବୁ।"ରାଘବେନ୍ଦ୍ର ବାବୁଙ୍କ ସ୍ତ୍ରୀ ଆସି କହିଲେ ,"ହଁ ଝିଅ ଘରକୁ ଆସେ।ଝିଅ ପିଲାଟା ବାହାରେ କାହିଁକି ଛିଡା ହେବୁ।ବର୍ଷା ଛାଡିଲେ ଚାଲିଯିବୁ।"ନିଳିମା ଘର ଭିତରକୁ ଯାଇ ତାଙ୍କୁ ପ୍ରସାଦ ଦେଇ ସୋଫା ଉପରେ ବସିଥାଏ।ସେତେବେଳେ ରାଘବେନ୍ଦ୍ର ବାବୁଙ୍କର ଏକମାତ୍ର ପୁଅ ଅନିକେତ ଚାକିରିରୁ ଛୁଟି ଆଣି ଘରକୁ ଆସିଥାଏ।ସୋଫା ଉପରେ ବସିଥିବା ନିଳିମାର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ତାକୁ ନିଜର କରିବାପାଇଁ ଚିନ୍ତା କରୁଥାଏ।ତେଣୁ ନିଳିମା ସହ ଯାଇ କିଛି ସ୍ବଭାବିକ କଥାବାର୍ତ୍ତା ଆରମ୍ଭ କରିଦେଲା।ନିଳିମା ଏତେଶୀଘ୍ର ମିଶି ପାରୁନଥାଏ। ତେଣୁ ଅଳ୍ପ ଉତ୍ତର ରଖି କଥା ଶେଷ କରୁଥାଏ।ବର୍ଷା ଛାଡିଯିବା ପରେ ନିଳିମା ନିଜ ଘରକୁ ଚାଲିଆସିଲା।

                             କିଛି ଦିନ ପରେ ଅନିକେତ ନିଳିମାକୁ ବିବାହ କରିବା ପାଇଁ ଘରେ ଜଣାଇଲା।ନିଳିମା ପରି ସୁନ୍ଦରୀ ତଥା ଗୁଣବତୀ ଝିଅଟିକୁ ଘରର ବୋହୁ କରିବା ପାଇଁ ରାଘବେନ୍ଦ୍ର ବାବୁ କିମ୍ବା ତାଙ୍କ ପତ୍ନୀଙ୍କର କୌଣସି ଆପତ୍ତି ନଥିଲା।

ଉଭୟ ପରିବାରର ସହମତିରେ ଅନିକେତ ସହ ନିଳିମାର ବିବାହ ସମ୍ପନ୍ନ ହେଲା।ବିବାହ ପରେ ଦୁୁୁଇ ମାସ ନିଳିମା ଶାଶୁଶ୍ବଶୁରଙ୍କ ପାଖରେ ରହିବା ପରେ ଅନିକେତ ସହ ସହରକୁ ଚାଲିଗଲା।ପ୍ରଥମେ ବେଶ୍ କିଛିଦିନ ହସଖୁସିରେ ନିଳିମାର ଦିନଗୁଡ଼ିକ ବିତିଗଲା।କିଛିଦିନ ପରେ ସେ ଅନିକେତର ଚାଲିଚଳଣିରେ ପରିବର୍ତ୍ତନ ଲକ୍ଷ୍ୟ କଲା।ଅନିକେତ ତାକୁ ପୂର୍ବ ପରି ଆଉ ସମୟ ଦେଉନାହିଁ।ଛୁଟିଦିନରେ ମଧ୍ୟ ଅଫିସ କାମ ଅଛି କହି ବହାରିଯାଇ ଅଧରାତିରେ ଘରକୁ ଫେରେ।ତା ଫୋନକୁ କଲ୍ ଆସିଲେ କାଟିଦିଏ କିମ୍ବା ଅଳ୍ପରେ କଥାସାରି ରଖିଦିଏ।ଏସବୁ ଅନିକେତକୁ ନିଳିମାର ସନ୍ଦେହର ପରିସରଭୁକ୍ତ କରିଥିଲା।ଅନିକେତ ଗାଧୋଇଯିବା ସମୟରେ ନିଳିମା ଅନିକେତର ଫୋନ ଖୋଲି ବିଭିନ୍ନ ନମ୍ବରରୁ ଅଶ୍ଳୀଳ ମେସେଜ ଥିବାର ଦେଖିଲା।ନିଳିମାକୁ ତା ସ୍ୱାମୀର ଲୁଚିରହିଥିବା ଖଳଚରିତ୍ରଟି ସ୍ପଷ୍ଟ ଦିଶୁଥିଲା।ଅପେକ୍ଷା କରିଥିଲା ଛୁଟିଦିନକୁ .....କେବଳ ଅନିକେତର ଗନ୍ତବ୍ୟସ୍ଥଳକୁ ଅନ୍ବେଷଣ କରିବା ପାଇଁ।ପୂର୍ବଭଳି ଅନିକେତ ଅଫିସର ବାହାନା ଦେଖାଇ ରେଷ୍ଟୁରାଣ୍ଟ ,ବାର ଯାଏ।ଶେଷରେ ଚାଲିଯାଏ ରେଡ୍ ଲାଇଟ ଏରିଆକୁ।

ନିଳିମା ତା ସ୍ୱାମୀର ଏଭଳି ପଶୁତ୍ୱ ଭରା ଚରିତ୍ରକୁ ସହ୍ୟ କରି ପାରୁନଥିଲା।ନିଜ ପଥହରା ସ୍ୱାମୀକୁ ଉଚିତ ମାର୍ଗକୁ ଫେରାଇଆଣିବା ପାଇଁ ନିଷ୍ପତ୍ତି ନେଲା।

ଅନିକେତ ଘରକୁ ଫେରିବା ପରେ ନିଳିମା ଅନିକେତ ସହ ଏ ବିଷୟରେ ଖୋଲାଖୋଲି ଆଲୋଚନା କରିଲା।ଅନିକେତ ଯେତେବେଳେ ଜାଣିଲା ଯେ ନିଳିମା ତାକୁ ପିଛା କରି ତାର ସତ୍ୟତାକୁ ଜାଣିସାରିଛି ସେତେବେଳେ ପ୍ରବଳ ରାଗିଯାଇ କହିଲା,"ତୋର ଏତେ ସାହସ ହୋଇଗଲା ଯେ ତୁ ମୋର ପିଛା କରିଲୁ।ତାହେଲେ ଠିକ୍ ଅଛି। ଶୁଣ୍ ମୁଁ କେବଳ ତୋ ଚେହେରା ପାଇଁ ତତେ ବାହା ହୋଇଥିଲି। ଆଉ କିଛି ବି ନୁହେଁ।ମୁଁ ରୋଜଗାର କରୁଛି। ମୋ ପଇସା ମୁଁ କିପରି ଖର୍ଚ୍ଚ କରିବି ତୋର କିଛି କହିବା ଦରକାର ନାହିଁ।"

ନିଳିମା ବହୁତ ଅନୁରୋଧ କଲା ।ଅନିକେତର କୌଣସି ପରିବର୍ତ୍ତନ ତ ହେଲାନାହିଁ କିନ୍ତୁ ତା ପ୍ରତି ନିର୍ଯ୍ୟାତନା ଆରମ୍ଭ ହୋଇଗଲା।

ଶେଷରେ ଦିନେ ନିଳିମା ସ୍ଥିର କଲା ସେ ସେହି ଲାଲ କୋଠିକୁ ଥରେ ଯିବ,ଯେଉଁଠାକୁ ଅନିକେତ ପ୍ରତି ରବିବାରରେ ଯାଏ।

ନିଳିମା ଲଲକୋଠିକୁ ଯାଇ କାହା ସହ ଦେଖା କରିବ ଭାବୁଥାଏ।ଏହି ସମୟରେ ଝିଅଟିଏ କହିଲା,"ତମେ କିଏ।ମୁଁ ତ କାହିଁ ଆଗରୁ ଏଠି ତୁମକୁ ଦେଖିନାହିଁ।କ'ଣ ନୂଆ।"ଏହି ସମୟରେ ଉପସ୍ଥିତ ଥିବା ଅନ୍ୟ ଝିଅଗୁଡିକ ନିଳିମାର ସୌନ୍ଦର୍ଯ୍ୟକୁ ଦେଖୁଥାନ୍ତି।ନିଳିମାକୁ ଏସବୁ ବହୁତ ଖରାପ ଲାଗୁଥାଏ।ତଥାପି ଛିଡା ହୋଇଥାଏ କେବଳ ନିଜ ପଥହରା ସ୍ୱାମୀ ପାଇଁ।ଏହି ସମୟରେ ସେହି ଝିଅଟି ପୁଣି ପଚାରିଲା,"କିଛି କହିଲେନି ଯେ!!!କ'ଣ ଚିତ୍ରାଦେଈ ସହ କଥାଥିଲା କି?ନିଳିମା ପଚାରିଲା,"ଚିତ୍ରାଦେଈ କିଏ?"ସେହି ଝିଅଟି ଏଥର ଜୋରରେ ହସିବାକୁ ଲାଗିଲା ଓ କହିଲା,"କ'ଣ ହେଲା...ଲଲକୋଠିରେ ଛିଡ଼ାହୋଇ ପଚାରୁଛ ଚିତ୍ରାଦେଈ କିଏ??ସେ ହେଉଛି ଏ ଲାଲକୋଠିର ମାଲିକିଆଣି।"ନିଳିମା କହିଲା ,"ଠିକ୍ ଅଛି।ମୋତେ ଟିକେ ତାଙ୍କ ସହ ଦେଖା କରେଇଦେବ??କିଛି ଜରୁରୀ କାମଥିଲା।"

ସେହି ଝିଅଟି ନିଳିମାକୁ ଚିତ୍ରାଦେଈ ପାଖକୁ ନେଇଗଲା।ସାମ୍ନାରେ ଏକ ବିରାଟ ସୋଫାରେ ବସିଥାଏ ଚିତ୍ରାଦେଈ।ନିଳିମାକୁ ଦେଖି ପଚାରିଲା ,"କିଏ ତମେ??ବହୁତ ସୁନ୍ଦର କିନ୍ତୁ ଭଲ ଘରର ଝିଅ ଭଳି ଲାଗୁଛ।ଏଠି କି କାମ??"ନିଳିମା କହିଲା,"ମୁଁ ଅନିକେତଙ୍କର ସ୍ତ୍ରୀ।ସେ ଏଠାକୁ ଆସନ୍ତି ବୋଲି ଜାଣିବାକୁ ପାଇଲି।"

ଚିତ୍ରାଦେଈ :ଓଃ!!!!ସେ ତ ଏଠି ବହୁତ ଚିହ୍ନା।ତମେ ତାହେଲେ ତା ସ୍ତ୍ରୀ।"

ନିଳିମା :ମୋତେ ତୁମର ସାହାଯ୍ୟ ଦରକାର ଥିଲା।ତୁମେ ସାହାଯ୍ୟ ନକଲେ ମୋ ସଂସାର ବୁଡିଯିବ।

ଚିତ୍ରାଦେଈ :କି ସାହଯ୍ୟ?

ନିଳିମା :ସେ ଯେବେ ପୁଣି ଏଠାକୁ ଆସିବେ ତୁମେ ତାଙ୍କୁ ମନାକରି ଫେରେଇଦେବ।ତାଙ୍କୁ ଟିକିଏ ବୁଝାଅ।ମୁଁ ତୁମର ସାନ ଭଉଣୀ ଭଳି ହେବି।ଏତିକି ତ ସାହାଯ୍ୟ କର।

ଚିତ୍ରାଦେଈ :ଦେଖ୍...ଏଠି ଦୟା ଧର୍ମ କିଛି କାମ କରେନି।ଏଠି କେଵଳ ଦେହ ଓ ଟଙ୍କା କଥା କହେ।ତୁ ସତୀ ଅନୁସୟା ହୋଇ ଥାଇପାରୁ କିନ୍ତୁ ମୁଁ ଲକ୍ଷହୀରା ନୁହେଁ ଯେ ତୋ ସ୍ୱାମୀକୁ ସୁନା ମାଠିଆ ,ମାଟି ମାଠିଆର ପାଣି ଦେଖେଇ ବୁଝେଇଦେବି।ତୁ ଚାଲିଯାଆ ଏଠାରୁ।

ନିଳିମା ଚିତ୍ରାର ପାଦ ଧରି କାନ୍ଦିବାରେ ଲାଗିଲା।କହିଲା,"ଠିକ୍ ଅଛି ତୁମେ ମନା ନକର ।କିନ୍ତୁ ଆସନ୍ତା ରବିବାର ରାତିରେ ମୋତେ ଏଠାରେ ଥରଟିଏ ପାଇଁ ଜାଗା ଦେବ।ଅନିକେତ ଆସିଲେ ତାଙ୍କୁ ମୋ ପାଖକୁ ପଠାଇ ଦେବ।ଚିନ୍ତା କରନି ମୁଁ ଏଥି ପାଇଁ ୧୫୦୦୦ଟଙ୍କା ଦେବି।

ଚିତ୍ରାଦେଈ କହିଲା,"ହଉ ଠିକ୍ ଅଛି।"ତା'ପରେ ନିଳିମା ସେଠାରୁ ଚାଲି ଆସିଲା।

ରବିବାର ସନ୍ଧ୍ୟାରେ ନିଳିମା ଖୁବ୍ ସଜେଇଲା ନିଜକୁ ବାହାରିଗଲା ଲାଲ କୋଠି ଅଭିମୁଖେ ଏକ ନୂତନ ସମ୍ଭାବନାର ଆଶାରେ।

ଅନିକେତ କୋଠିକୁ ଯିବାପରେ ଚିତ୍ରାଦେଈ ତାକୁ କହିଲା ,"ଅନିକେତ,ଆଜି ଗୋଟିଏ ସୁନ୍ଦର ଝିଅଟିଏ ଆସିଛି।ଯିବ କି??"ଅନିକେତର ସହମତିରେ ତାକୁ ଝିଅଟିଏ ନିଳିମା ଥିବା ରୁମ୍ କୁ ବାଟ କଢାଇ ନେଲା।

ଦ୍ୱାର ଖୋଲି ଯେତେବେଳେ ଅନିକେତ ନିଳିମାକୁ ସାମ୍ନାରେ ଦେଖିଲା ,ପରିସ୍ଥିତିଟିକୁ ବିଶ୍ୱାସ କରିପାରୁନଥିଲା।ସେ ନିଳିମା ପାଖକୁ ଯାଇ ତା ଗାଲରେ ଶକ୍ତ ଚାପୁଡ଼ାଟିଏ ଦେଲା।ପଚାରିଲା,"ତୁ ଏଠି କ'ଣ କରୁଛୁ?ନିଳିମା କହିଲା,"ତୁମେ ଏ ଜାଗାକୁ ପରା ଏତେ ଭଲ ପାଅ।ତେଣୁ ମୁଁ ଏଠାକୁ ଚାଲିଆସିଲି।କ୍ଷତି କ'ଣ?ଅନ୍ତତଃ ମୁଁ ଏଠାରେ ତୁମକୁ ପାଇଯିବି।"ଅନିକେତ ଆଉ ଆଗକୁ କିଛି କହିବାକୁ ଶକ୍ତି ସଞ୍ଚୟ କରିପାରୁନଥିଲା।ଆଖିରୁ ଅନୁତାପର ଲୁହ ଝରିବାରେ ଲାଗିଥିଲା।ସେ ସେଠାରୁ ନିଳିମାର ହାତ ଟାଣିଟାଣି କୋଠି ବାହାରକୁ ନେଇଯାଉଥିଲା।ଚିତ୍ରାକୁ ଛାଡିଦେଲେ ଅନ୍ୟମାନେ କେହି କିଛି ବୁଝି ପାରୁନଥିଲେ।ନିଳିମା କୋଠିରୁ ବାହାରକୁ ଯାଉଯାଉ ଚିତ୍ରାକୁ ଚାହିଁ କୃତଜ୍ଞତାର ଅଶ୍ରୁ ଢାଳିଦେଉଥିଲା।

ଚିରଦିନ ପାଇଁ ପଥହରା ସ୍ୱାମୀକୁ ଆପଣାର ନୀଡ଼କୁ ବାଟ କଢାଇ ନେଉଥିଲା।

                        


Rate this content
Log in

Similar oriya story from Drama