ସ୍ୱପ୍ନ ସୁନ୍ଦରୀ
ସ୍ୱପ୍ନ ସୁନ୍ଦରୀ
ଆଜି ରିନୁ ମାଆ ଶୋଭାଦେବୀ ଙ୍କର ପାଦ ତଳେ ଲାଗୁନଥାଏ। ପ୍ରଥମ ଥର ପାଇଁ ରିନୁକୁ ଦେଖିବା ପାଇଁ ପୁଅ ଘର ଆସୁଛନ୍ତି। ବହୁତ ଭଲ ପ୍ରସ୍ତାବ ଟିଏ ଧନୀ ଘର ତା ସହିତ ପୁଅର ସରକାରୀ ଚାକିରୀ ଅଛି। ଏ ପ୍ରସ୍ତାବ ଟି ସଫଳ ହୋଇଗଲେ ,ରିନୁ ଜୀବନ ସୁଖସ୍ୱଚ୍ଛନ୍ଦରେ ଭରିଯିବ। ଏହି ଆଶା ପୋଷଣ କରି ରିନୁର ବାପା ମାଆ ଦୁହେଁ ବେଶ୍ ତତ୍ପର ଅଛନ୍ତି। ଶୋଭା ସକାଳୁ ଉଠି ଘର ଦ୍ୱାର ସଫା କରି ନୂଆ ପରଦା ଟାଣିବା ସହ ଖଟରେ ନୂଆ ବେଡ଼୍-ସିଟ୍ ପକାଇ ଦେଇଛନ୍ତି। ଅତିଥିମାନେ ଦ୍ବିପ୍ରହରେ ଆସି ପହଞ୍ଚିବେ। ତେଣୁ ରୋଷେଇ ଘରେ ବଡ଼ ଫୁର୍ତ୍ତିରେ ଛଅ ତିଅଣ ନଅ ଭଜା ସହିତ ଆମିଷର ପ୍ରସ୍ତୁତି କରି ରଖିଲେ। ତେଣେ ରିନୁର ବାପା ସୁକାନ୍ତ ବାବୁ ଆସି ମଝିରେ ମଝିରେ ଶୋଭାଙ୍କୁ ସଜାଗ କରି ଦେଇ ଯାଉଥାନ୍ତି ଯେ" ଯେପରି ଅତିଥି ଚର୍ଚ୍ଚାରେ କୌଣସି କମ୍ ନରହି ଯାଉ । ଝିଅକୁ ଆମର କେହି ଖୁଣି ଦେବେ ନାହିଁ। ଗୋଟିଏ ବୋଲି ଝିଅ ଯେତେବେଳେ ଦେବନେବାରେ କୌଣସି ଖିଲାଫ ହେବ ନାହିଁ। ଏ ବାହାଘର ହୋଇଗଲେ ଆମେ ସାରା ଜୀବନ ନିଶ୍ଚିତ ହୋଇ ରହିବା।"
ଯଥା ସମୟରେ ଅତିଥିମାନେ ଆସି ପହଁଚିଲେ। ଖୁବ୍ ସୁନ୍ଦର ଭାବେ ଅତିଥିଚର୍ଚ୍ଚା ସମ୍ପନ୍ନ ହେଲା।ଝିଅ ଦେଖା ସରିଲା। ଝିଅ ଦେଖା ସହ ଯୌତୁକ କଥା ମଧ୍ୟ ଶୁଣାଇ ଦିଆ ଗଲା। ରିନୁ ଭଳି ପାଠୋଇ ତଥା ସୁନ୍ଦରୀ ଝିଅ ସହ ଯୌତୁକ ଲୋଭରେ ଅତିଥିମାନେ ବାହାଘର ପାଇଁ ସମ୍ମତି ଜଣାଇଲେ। ତେଣେ ପୂର୍ବରୁ ପ୍ରସ୍ତୁତ ଥିବା ରିନୁର ବାପାମାଆ ମଧ୍ୟ ରିନୁର ଅନୁମତି ନେଇ ବିବାହ ସ୍ଥିର କରିବାକୁ ଆଗ୍ରହ ପ୍ରକାଶ କଲେ।
ଏହି ପ୍ରକାରର ଶୀଘ୍ରତା ଦେଖି ରିନୁର ଦାଦା ରବିନ୍ ବାବୁ ବଡ଼ ଭାଇ ସୁକାନ୍ତଙ୍କୁ ଡାକି ନେଇ କହିଲେ ,"ଭାଇ ,ତୁମକୁ ଲାଗୁ ନାହିଁ ଯେ ଏହି ସବୁ ବହୁତ ଶୀଘ୍ର ହେଉଛି।" ସୁକାନ୍ତ ବାବୁ ରବିନ୍ ବାବୁଙ୍କର କଥାଶୁଣି କହିଲେ ," କିଏ ମତାମତ ଦେଉଛି ଦେଖ ! ଆସି ବୁଢ଼ା ହେଲୁ ପଛେ ବାହା ହେଇପାରିଲୁ ନାହିଁ। ଆଜି କହୁଛି ଏସବୁ ଶୀଘ୍ର ହେଉଛି। ଝିଅକୁ ୨୫ ବର୍ଷ ହୋଇଗଲା। ଆଉ କ'ଣ ବୁଢ଼ୀ ବୟସରେ ବାହାଘର କରେଇବି ?" ଏତିକି କହି ସେ ବିରକ୍ତିରେ ସେଠାରୁ ଯାଇ ଅତିଥିମାନଙ୍କ ସହ ବାର୍ତ୍ତାଳାପରେ ମଜିଗଲେ। ରବିନ୍ ବାବୁ କିଛି ଚିନ୍ତା କରି ଅତିଥିମାନଙ୍କ ଗହଣରେ ଯାଇ ବସିଲେ। ପୁଅର ବାପାଙ୍କର ଉଦ୍ଦେଶ୍ୟରେ କହିଲେ ,"ଆଜ୍ଞା , ଖରାପ ମନେ ନକଲେ କିଛି କହିବାକୁ ଚାହୁଁଛି ।" ପୁଅର ବାପା କହିଲେ ,"କୁହନ୍ତୁ ସାନ ସମୁଦି। ଖରାପ କାହିଁକି ଭାବିବୁ ? ବାହାଘର ପୂର୍ବରୁ ସବୁ କଥା ପରିଷ୍କାର ହୋଇଗଲେ ଭଲ ।"
ସୁକାନ୍ତ ବାବୁ ଓ ଶୋଭା ଦେବୀ ବିବ୍ରତ ଭାବେ ଚାହିଁଥାନ୍ତି ରବିନ୍ ବାବୁଙ୍କୁ। ରବିନ୍ ବାବୁ କହିଲେ ,"ବୁଝିଲେ ଆଜ୍ଞା ,ମୋର ଏପର୍ଯ୍ୟନ୍ତ ବିବାହ ହୋଇନାହିଁ। ଆପଣଙ୍କ ନଜରରେ କେହି ଝିଅ ଅଛନ୍ତି କି?" ପୁଅ ଘର ଲୋକ ସମସ୍ତେ ହସି ଉଠିଲେ। ଦେଖୁଥିଲେ ରବିନ୍ ବାବୁଙ୍କୁ ଡେଙ୍ଗା ଶରୀର ,ଗୌର ବର୍ଣ୍ଣ। ମୁଣ୍ଡରୁ ପ୍ରାୟ ସମସ୍ତ କେଶ ବିଦାୟ ନେଇ ସାରିଲେଣି। ବଳକା କିଛି ଶ୍ୱେତ ବର୍ଣ୍ଣର କେଶ ମୁଣ୍ଡର ପଛ ଭାଗ ଓ କାନ ପାଖେ ସ୍ଥାନ ଅଧିକାର କରିଛନ୍ତି। ପେଟଟି ଅନାୟସରେ ବାହାରକୁ ଝୁଲି ରହିଛି। ବୟସ ୫୦ ଟପିବା ପରି ଲାଗୁଛି। ପୁଅର ବାପା ଉପହାସ କରି କହିଲେ ,"ଆଜ୍ଞା ,ଆପଣ ଏ ଯାଏଁ ବିବାହ କରି ନାହାନ୍ତି। ଆପଣଙ୍କର ଝିଆରୀର ବାହା ବୟସ ହେଲାଣି ଯେ ! ଆଚ୍ଛା କହିଲେ କି ପ୍ରକାରର ଝିଅ ଦରକାର ଏବଂ ଆପଣ କ'ଣ କରୁଛନ୍ତି ?" ରବିନ୍ ବାବୁ କହିଲେ ,"ଝିଅଟି ମୋ ଭଳି ଗୋରା ଏବଂ ଡେଙ୍ଗା ହୋଇଥିବ। ଦେଖିବାକୁ ସୁନ୍ଦରୀ ହୋଇଥିବ। ଉଚ୍ଚ ଶିକ୍ଷିତ ହୋଇଥିବ ଏବଂ ବାହାଘରରେ ଯାନିଯୌତୁକ ଆଣିବ। ମୁଁ ଅଧୁନା ବିଡ଼ିଓ ଭାବେ କାର୍ଯ୍ୟରତ।" ରବିନ୍ ବାବୁଙ୍କର କଥା ଶୁଣି ପୁଅର ବାପା କହିଲେ ,"ବୁଝିଲେ ଆଜ୍ଞା ଏ ଜନ୍ମରେ ଆପଣଙ୍କର ବାହାଘର ସମ୍ଭବ ନୁହେଁ। ଆପଣଙ୍କର ବୟସ ଯାହା କିଏ ବିଧବା ମିଳିବା ମଧ୍ୟ କଷ୍ଟକର। ଯିଏ ସୁନ୍ଦରୀ ,ଉଚ୍ଚ ଶିକ୍ଷିତା ହୋଇ ଧନ ଆଣିବାର ଯୋଗ୍ୟ ,ସେ ତା ପାଇଁ ଯୋଗ୍ୟ ପାତ୍ର ନଖୋଜି ତୁମକୁ କାହିଁକି ବିବାହ କରିବ ? "ଏହା ପରେ ସୁକାନ୍ତ ବାବୁଙ୍କର ଉଦ୍ଦେଶ୍ୟରେ କହିଲେ ,"ଆଜ୍ଞା ,ଆପଣଙ୍କର ଭାଇଙ୍କର ବାହାଘର ଶେଷ ହେଉ ,ତା'ପରେ ଆମେ ଝିଅ କଥା ବୁଝିବା ।" ରିନୁର ବାପାମାଆ ପୁଅ ଘରର ଉଦ୍ଦେଶ୍ୟ ବୁଝି ତାଙ୍କୁ ବାହାଘର ପାଇଁ ନେହୁରା ହେଲେ। କିନ୍ତୁ ସେମାନେ ତାଙ୍କ ରାସ୍ତାରେ ଚାଲିଗଲେ।
ରିନୁର ବାପାମାଆ ପ୍ରଚଣ୍ଡ ରାଗରେ ଜଳୁଥାନ୍ତି।ଶୋଭା ଦେବୀ କହିଲେ ,"ରବିନ୍ ,ତୁମେ ଶେଷରେ ମୋ ଝିଅ ପାଇଁ କଣ୍ଟା ହୋଇ ଠିଆ ହେବାର ଥିଲା। କି ବେଳରେ ଜନ୍ମ ହୋଇଥିଲ ଯେ ଏପର୍ଯ୍ୟନ୍ତ ବାହା କୋଠି ବନ୍ଦ ଅଛି। ଏତେ ଝିଅ ଖୋଜିଲୁ, ତୁମର କେହି ଝିଅ ପସନ୍ଦ ହେଲେ ନାହିଁ। ତୁମ ପାଇଁ କ'ଣ ସ୍ଵର୍ଗରୁ ଅପ୍ସରୀ ଆସିବେ ?ସାନ ବୋହୁ ଦେଖିବା ଆଶାରେ ବାପାମାଆ ଇହଧାମ ତ୍ୟାଗ କରିଗଲେ କିନ୍ତୁ ସେସବୁ ଆଶାରେ ରହିଗଲା। ଶେଷରେ ଆମକୁ ତୁମ ଦାୟିତ୍ଵ ଦେଇଗଲେ। ଆମେ ମଧ୍ୟ ପାରିଲୁ ନାହିଁ। ତଥାପି ତୁମର ଏ ବୟସରେ ବିବାହ କରିବାକୁ ଆଗ୍ରହ ରହିଛି ! ଏତେ ଦିନ ପରେ ପୁଣି ବାହାଘର କଥା ଉଠାଇଛ !"
ରବିନ୍ ବାବୁ ସବୁ ଶୁଣି ନୀରବରେ ନିର୍ବିକାର ଭାବେ ନିଜ କକ୍ଷକୁ ଚାଲିଗଲେ। ଭିତରୁ କବାଟ ଟିକୁ ଆଉଯାଇ କିଛି ଆଙ୍କିବାରେ ଲାଗିଲେ। ଏହା ତାଙ୍କର ଗୋଟିଏ ଅଭ୍ୟାସ। ମନଦୁଃଖ ଥିଲେ କିମ୍ବା ଚିନ୍ତାଗ୍ରସ୍ତ ହେଲେ ଏହିପରି ଅନେକ ସମୟ ପର୍ଯ୍ୟନ୍ତ ସେହି କକ୍ଷ ଭିତରେ ରହିଥାନ୍ତି କେବେ ଚିତ୍ର ଆଙ୍କନ୍ତି କିମ୍ବା କିଛି ଲେଖାଲେଖିରେ ହଜିଯାନ୍ତି। କିନ୍ତୁ ଏସବୁରେ କାହାକୁ କିଛି ଫରକ ପଡେନି। ଯିଏ ଯାହା କର୍ମରେ ବ୍ୟସ୍ତ। ଅନ୍ୟ କଥା ବୁଝୁଛି କିଏ ? ନିସଙ୍ଗ ଜୀବନରେ ସାଥିଟିଏ ଥିଲେ ହୁଏତ ଏସବୁର ଆବଶ୍ୟକତା ରହିନଥାନ୍ତା। ଏହା ବ୍ୟତୀତ ସେ ବନ୍ଦ ଥିବା କକ୍ଷରେ ଦୀର୍ଘ ସମୟ ଧରି କ'ଣ କରନ୍ତି ଏସବୁ ସମ୍ବନ୍ଧରେ ମଧ୍ୟ ସମସ୍ତେ ଅଜ୍ଞ , କାରଣ ସେ କଦାପି ସେହି କକ୍ଷକୁ ପ୍ରବେଶ କରିବାକୁ ଅନୁମତି ଦିଅନ୍ତି ନାହିଁ। ନିଜେ କକ୍ଷ ସଫା କରନ୍ତି ,ପୋଷାକ ସଜାଡି ରଖନ୍ତି ,ଅନେକ ବହି ମଧ୍ୟ ରଖିଥାନ୍ତି।
ଘଟିଯାଇଥିବା ଘଟଣାରେ ରିନୁ ମଧ୍ୟ ଖୁବ୍ କ୍ଷୁବ୍ଧ ହୋଇଥାଏ। ରିନୁର ବିଚାର ଅନୁଯାୟୀ ବାହାଘର ନହେଲା ନାହିଁ ,କିନ୍ତୁ ଦାଦାଙ୍କୁ ନେଇ ପରିବାରକୁ ଅପମାନିତ ହେବାକୁ ପଡ଼ିଲା। ତେଣୁ ସେ କିଛି ଚିନ୍ତା ନକରି ବିନା ଅନୁମତିରେ ରବିନ୍ ବାବୁଙ୍କର କକ୍ଷ ଭିତରକୁ ଚାଲିଗଲା। ଯାଇ ଦେଖେତ ସାମ୍ନାରେ ଚକ୍ଷୁ ବିହୀନ ଏକ ସୁନ୍ଦର ନାରୀ ଚିତ୍ରଟିଏ। ସବୁ ରାଗ ଭୁଲିଯାଇ କହିଲା ,"ଦାଦା ,ତୁମେ ଏତେ ସୁନ୍ଦର ଚିତ୍ର ଆଙ୍କିପାର ? କିନ୍ତୁ ଏଥିରେ ଆଖି କାହିଁ ? " ହଠାତ୍ କକ୍ଷରେ ରିନୁକୁ ଦେଖି ରବିନ୍ ବାବୁ କିଛି କହିପାରିଲେ ନାହିଁ। ବାରମ୍ବାର ରିନୁର ପ୍ରଶ୍ନ ଶୁଣି ରବିନ୍ ବାବୁଙ୍କର ଆଖିରୁ ଦୁଇଧାର ଲୁହ ଝରିଗଲା। ରିନୁ ଏହି ଲୁହକୁ ପୋଛି ଦେଇ ପଚାରିଲା" କ'ଣ ହୋଇଛି ଦାଦା ? ସତ କୁହ ।"
ଦୀର୍ଘ ଦିନରୁ ଛାତି ତଳେ ଜମାଟ ବାନ୍ଧିଥିବା ସତ୍ୟ ଯେପରି ଉନ୍ମୋଚିତ ହେବାକୁ ଅଳି କରୁଥିଲେ ରବିନ୍ ବାବୁଙ୍କୁ। ରବିନ୍ ବାବୁ କହିବାକୁ ଆରମ୍ଭ କଲେ ଏ ହେଉଛି ମୋ ସ୍ୱପ୍ନ ସୁନ୍ଦରୀ ନିରୂପମା ମିଶ୍ର ଆଜିର ନୁହେଁ ଦୀର୍ଘ ୩୦ ବର୍ଷ ପୂର୍ବରୁ। ତାକୁ କେବଳ ଥରେ ଦେଖିବା ପାଇଁ ମୁଁ ପାଗଳ ଭଳି ହୋଇ ଯାଉଥିଲି। ସେ ମଧ୍ୟ ମୋ ଭଲପାଇବାକୁ ଗ୍ରହଣ କରିଥିଲା କିନ୍ତୁ ତାହା ଛଳନା ଥିଲା। ଅର୍ଥଲୋଭରେ ଜଣେ ପୌଢ଼ଙ୍କୁ ବିବାହ କରିନେଲା। ମୋର ସେତେବେଳେ ଏହି ଚାକିରୀ ନଥିଲା । ସମ୍ଭ୍ରାନ୍ତ ଘର ପରିବର୍ତ୍ତେ ସେ କାହିଁକି ଗୋଟିଏ ନିମ୍ନ ମଧ୍ୟବିତ୍ତ ପରିବାରରେ ବୋହୁ ହୋଇଥାନ୍ତା ? ସେ ତା ବାଟରେ ଚାଲିଗଲା କିନ୍ତୁ ମୁଁ ନିଜକୁ ବୁଝାଇ ପାରିଲି ନାହିଁ। ଆଜି ମଧ୍ୟ ମୁଁ ତାକୁ ମୋ ହୃଦୟ ସିଂହାସନରୁ ଗାଦିଚ୍ୟୁତ କରି ନାହିଁ। କେବଳ ସେଥିପାଇଁ ମୁଁ ବିଭିନ୍ନ କାରଣ ଦର୍ଶାଇ ମୋ ବାହାଘର ଟାଳି ଦେଇଛି।"
ରିନୁ ଭାବୁଥାଏ ସତରେ କ'ଣ ଏପରି ବିଫଳ ପ୍ରେମ ହୃଦୟରେ ବଞ୍ଚିପାରେ ! ରବିନ୍ ବାବୁଙ୍କୁ କହିଲା ,"ଦାଦା ମୋତେ ଏ ଚିତ୍ର ଚିହ୍ନା ମନେ ହେଉଛି। ଦୟାକରି ଆଖି ଦୁଇଟି ଆଙ୍କିଦିଅ ।" ରିନୁର ଅନୁରୋଧରେ ରବିନ୍ ବାବୁ ଆଖି ଦୁଇଟି ଆଙ୍କି ଦେବା ପରେ ରିନୁ ବସିବା ଜାଗାରୁ ଉଠି ଛିଡା ହେଲା। ଆଶ୍ଚର୍ଯ୍ୟ ହୋଇ କହିଲା ,"ଏ ତ ମୋ ସାଙ୍ଗ ଆଦିତ୍ୟର ମାଆ ମୁଁ ହଷ୍ଟେଲରେ ଥିବା ସମୟରେ ସେ ଅନେକ ଥର ଆମ କଲେଜକୁ ଆସିଛନ୍ତି। ମୁଁ ଶୁଣିଥିଲି ଆଦିତ୍ୟ ୭ ବର୍ଷର ହୋଇଥିବା ସମୟରେ ତା ବାପା ହୃଦଘାତରେ ଚାଲିଗଲେ। ତେବେ ଠିକ୍ ହୋଇଛି। ଯେ ଅନ୍ୟର ହୃଦୟକୁ କଷ୍ଟ ଦିଏ ତା ଜୀବନରେ ଏପରି ଏକାକୀ ବଞ୍ଚିବା ହେଉଛି ଉଚିତ ଦଣ୍ଡ। ଈଶ୍ୱରଙ୍କର ନ୍ୟାୟ ଏହିପରି ହୋଇଥାଏ।" ରିନୁର କଥା ଶୁଣି ରବିନ୍ ବାବୁ ବ୍ୟସ୍ତ ହୋଇ କହିଲେ ,"କ'ଣ କହିଲୁ ! ଜୀବନର ଏତେ ଲମ୍ବା ରାସ୍ତାକୁ ନିରୁପମା ଏକା ଏକା ଚାଲିଲେ ! ଅନ୍ତତଃ ମୋତେ ଜଣାଇଥାନ୍ତେ। ହଁ ,କାହିଁକି ବା ଜଣାଇବେ ? ତାଙ୍କର ତ ଅନେକ ଚାକର ପୂଜାରୀ ରହିଥିବେ।" ରିନୁ କହିଲା ,"ନା ଦାଦା । ଯଦିଓ ସେ ଦାରିଦ୍ର୍ୟରେ ବଞ୍ଚିନାହାନ୍ତି କିନ୍ତୁ ପୂର୍ବ ସମ୍ଭ୍ରାନ୍ତ ପଣିଆ ଶେଷ ହୋଇ ଯାଇଛି। କଥାରେ ଅଛି ବସି ଖାଇଲେ ନଈବାଲି ସରେ। କିନ୍ତୁ ଦାଦା ତୁମେ ମୋ ବାହାଘର କାହିଁକି ଭାଙ୍ଗିଲ ? ଏଥିରେ ମୋର ଭୁଲ୍ କ'ଣ ? "
ରବିନ୍ ବାବୁ କହିଲେ ,"ସେ ପୁଅଟି ତୋ ପାଇଁ ଯୋଗ୍ୟ ନୁହେଁ। ମୁଁ ତାକୁ ମୋ ବ୍ଲକ ଅଫିସ ସାମ୍ନାରେ ଦେଖିଛି ଗୋଟିଏ ଥର ଝିଅଙ୍କ ସହ ଅସଭ୍ୟ ଭାବରେ ମିଳାମିଶା କରୁଥିଲା। ବୋଧହୁଏ ଟଙ୍କାର ଗାଦିରେ ବଢିଥିବା ଉଦ୍ଭ୍ରାନ୍ତ ଯୁବକ। ସେମାନେ ଆଜି ଯେପରି ଏହି ପ୍ରଥମ ଥର ପାଇଁ ଆସି ଏତେ ଆଗକୁ ଚାଲି ଯାଇଥିଲେ ବିବାହ ଏଭଳି ଶୀଘ୍ରତାରେ କରାଯାଏ ନାହିଁ। ଆମକୁ ମଧ୍ୟ ସେହି ପୁଅର ପରିବାର ଚଳଣି ସବୁ ବୁଝି ବିବାହ କରାଇବା ଉଚିତ। ଧନ ଯେ ସବୁକିଛି ତାହା ଭୁଲ୍ ଧାରଣା।"
ରିନୁର ରବିନ୍ ଙ୍କର କକ୍ଷକୁ ଯିବାର ଦେଖି ରିନୁର ବାପମାଆ ଦୁହେଁ କକ୍ଷର ବାହାରେ ଛିଡ଼ା ହୋଇ ସବୁ ଶୁଣୁଥିଲେ। ତେଣୁ କକ୍ଷ ଭିତରକୁ ଆସି ରବିନ୍ ଙ୍କୁ କ୍ଷମା ମାଗି କହିଲେ ,"ଆମର ବହୁତ ବଡ଼ ଭୁଲ୍ ହୋଇଛି ରବିନ୍ ।ତୁମ କଥା ଆମେ ହୃଦୟର ସହ ବୁଝିବାର ଥିଲା। ରିନୁ ସହ ଗୋଟିଏ ଅନର୍ଥ ମଧ୍ୟ ହୋଇ ଯାଇଥାନ୍ତା। "ରବିନ୍ କହିଲେ ," ବର୍ତ୍ତମାନ ମଧ୍ୟ କିଛି ବିଗିଡି ଯାଇନାହିଁ। ରିନୁ ପାଇଁ ସବୁ ଭଲ ଭାବେ ବୁଝି ପାତ୍ରଟିଏ ଚୟନ କରିବାକୁ ହେବ।" ସୁକାନ୍ତ ବାବୁ କହିଲେ ,"କିନ୍ତୁ ତୋ କଥା କ'ଣ ?" ରବିନ୍ ବାବୁ ହସିଦେଇ କହିଲେ ,"ସ୍ୱପ୍ନ ସୁନ୍ଦରୀ ସ୍ବପ୍ନରେ ହିଁ ସୁନ୍ଦର ଲାଗେ। ବାସ୍ତବରେ ନୁହେଁ।"
ସୁକାନ୍ତ କହିଲେ ,"ନା ନା ଆମେ ନିରୂପମା ଘରକୁ ଯାଇ କଥା ହେବା।" ରବିନ୍ ବାବୁ ଜୋରରେ ହସିଦେଇ କହିଲେ "ମୋର ଆଉ କେତେ ଆୟୁଷ ଯେ ପୁଣି ସେହି ଜଞ୍ଜାଳକୁ ଯିବି। ସମାଜିକ ପ୍ରାଣୀ ହୋଇ ଲୋକହସା ହେବା ସାର । ସେ ତା ଦୁନିଆରେ ଭଲ ଅଛି। ମୁଁ ମୋ ସ୍ୱପ୍ନ ସୁନ୍ଦରୀ ସହ ଖୁସିରେ ଅଛି।" ରିନୁର ବାପା ମାଆ କିନ୍ତୁ ରିନୁ ସାହାଯ୍ୟରେ ଆଦିତ୍ୟ ଘରେ ପହଞ୍ଚିଥିଲେ। ନିରୂପମା ସମସ୍ତ କଥା ଶୁଣି ନିଜ କର୍ମ ପାଇଁ ଅନୁତପ୍ତ ଥିଲେ। ନିଜ ମାଆଙ୍କ ପ୍ରତି ଆଦିତ୍ୟ ମନରେ ଘୃଣା ଭାଵ ସୃଷ୍ଟି ହେଉଥିଲା। ସୁକାନ୍ତ ବାବୁ ଆଦିତ୍ୟକୁ ବୁଝାଇଲେ ଏତେ ଦୀର୍ଘ ରାସ୍ତା ତୁମ ମାଆ ଏକାକୀ କଷ୍ଟ ସହି ତୁମକୁ ବଢାଇଲେ। ଶେଷ ଜୀବନରେ ଅନ୍ତତଃ ତାଙ୍କୁ ଦୁଃଖ ସୁଖ ବାଣ୍ଟିବା ପାଇଁ ସାଥିଟିଏ ଲୋଡ଼ା। ସେ କିଛି ନକହିଲେ ମଧ୍ୟ ମନରେ ଏହି ଅବଶୋଷ ରହିଥିବ ନିଶ୍ଚିତ। ଶେଷରେ ଆଦିତ୍ୟ ସୁକାନ୍ତ ବାବୁଙ୍କର କଥାରେ ସମ୍ମତ ହେଲା। ରିନୁର ବାପା ମାଆଙ୍କ ସହିତ ନିରୂପମା ଓ ଆଦିତ୍ୟ ରିନୁ ଘରକୁ ଆସିଲେ। ବ୍ଲକ୍ ରୁ ଫେରି ରବିନ୍ ବାବୁ ଆଖି ଆଗରେ ଦେଖିଲେ ତାଙ୍କର ସ୍ୱପ୍ନ ସୁନ୍ଦରୀ ସ୍ୱପ୍ନରୁ ଓଲ୍ହାଇ ଆସି ତାଙ୍କ ସମ୍ମୁଖରେ ବାସ୍ତବରେ ଉପସ୍ଥିତ ହୋଇଛି। ଦୀର୍ଘ ଦିନ ପରେ ମୁହଁରେ ଅଳ୍ପ ଭଙ୍ଗ ଆସିଥିଲେ ମଧ୍ୟ ସେ ଥିଲେ ପୂର୍ବ ଭଳି ସୁନ୍ଦରୀ। ନିରୂପମା ରବିନ୍ ଙ୍କୁ ଦେଖି ତାଙ୍କର ପାଦ ତଳେ ଲୋଟିଯାଇ ଅନୁତାପର ଅଶ୍ରୁ ଢାଳିଦେଲେ। ରବିନ୍ ବାବୁ ଚଷମା ଖୋଲି ଲୁହ ପୋଛି ସ୍ୱପ୍ନ ନାୟିକାଙ୍କୁ ସାଦରେ ଗ୍ରହଣ କରିନେଲେ। ସୁକାନ୍ତ ବାବୁ ରବିନ୍ ଙ୍କର କାନ୍ଧରେ ହାତ ରଖି କହିଲେ ,"ଏବେ ଅନ୍ତତଃ ଅକୁହା କଥା ବାଣ୍ଟି ହସଖୁସିରେ ଏହି ବାକି ଜୀବନକୁ ବଞ୍ଚିଯାଅ।