ayiswarya maharana

Drama Romance Tragedy

4  

ayiswarya maharana

Drama Romance Tragedy

ଦୂର ପୃଥିବୀ

ଦୂର ପୃଥିବୀ

8 mins
234


ପାହାଡ଼ର ବକ୍ଷଭେଦି କୁଳୁକୁଳୁ ନାଦରେ ବହି ଆସିଛି ଝରଣାଟିଏ। ସେହି ପାହାଡ଼ର ପାଦଦେଶରେ ଝରଣା ନିକଟରେ ଗଢିଉଠିଛି ଛୋଟ ଆଦିବାସୀ ବସ୍ତିଟିଏ। ସେହି ଝରଣା କୂଳରେ ଏକ ଛୋଟ ପଥର ଚଟାଣ ଉପରେ ବସିରହିଛି ଧେନୁଆ। ଝରଣାର କାଚ କେନ୍ଦୁ ଭଳି ପାଣିରେ ଅସ୍ପଷ୍ଟ ଦିଶୁଥିବା ନିଜର ପ୍ରତିବିମ୍ବକୁ ନିରିଖେଇ ଦେଖିବାକୁ ଚେଷ୍ଟା କରୁ କରୁ ଖୋଜି ପାଇଥିଲା ଏକ ଦାରୁଣ ଅତୀତକୁ।

ଏହି କୁଞ୍ଚିତ ଚର୍ମ ଦ୍ୱାରା ପରିବେଷ୍ଟିତ ନଇଁ ଯାଇଥିବା କ୍ଷୀଣ ଶରୀର ଟି ଦିନେ ଛଅ ଫୁଟ୍ ଉଚ୍ଚତା ବିଶିଷ୍ଟ ଦମ୍ଭିଲା ମଣିଷଟିଏ ଥିଲା। ଉଚ୍ଚତା ଅନୁଯାୟୀ ବିଶାଳ ବକ୍ଷ ସହ ସୁଦୀର୍ଘ ବଳିଷ୍ଠ ବାହୁ ରହିଥିଲା। ନିଜର ଭାବେ ଥିଲା କେବଳ ଅତି ଭଲ ପାଉଥିବା ତିରିଲା ,କୁରେଇ। ସେହି ସମୟରେ ଝରଣା କୂଳରେ ଏହି ଛୋଟ ବସ୍ତିଟି ନଥିଲା ,ଥିଲା କେବଳ ଚାରିପାଖେ ଜଙ୍ଗଲ ଘେରା ଧେନୁଆ ଓ କୁରେଇ ର ହାତ ଗଢା ଛୋଟ କୁଡ଼ିଆଟିଏ। ଦୁଇ ପ୍ରାଣୀ ମୁକ୍ତ ବିହଙ୍ଗ ପରି ଡେଣା ଝାଡ଼ି ଜଙ୍ଗଲ ସାରା ଘୁରି ବୁଲୁଥିଲେ। ଫଳ,ମୂଳ,ଜଙ୍ଗଲୀ ମାଂସ ଖାଇ ପେଟର ଭୋକ ଶାନ୍ତ କରି ଝରଣା ପାଣିରେ ଶୋଷ ମେଣ୍ଟାଉ ଥିଲେ। କେବେ କେବେ ଜନ ବସତିକୁ ଆସି ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରୀକରି ନିଜ ପାଇଁ ପିନ୍ଧିବାକୁ ଲୁଗା କେଇ ଖଣ୍ଡ କିଣି ନେଉଥିଲେ। ବର୍ଷା ଦିନ ପାଇଁ ଖାଦ୍ୟ କିଛି ସଞ୍ଚୟ କରିବା ଛାଡିଦେଲେ ଆଗତ ଭବିଷ୍ୟତ ପାଇଁ କୌଣସି ଚିନ୍ତା ନଥିଲା।

ଏହି ପରି ଦିନେ ସେହି ଝରଣା କୂଳରେ ଖୁସିଗପ କରୁ କରୁ ହଠାତ୍ ଗୋଟିଏ ଚିତ୍କାର ଶୁଣି ଧେନୁଆ ଶବ୍ଦ ଆସୁଥିବା ଦିଗରେ ଧାଇଁଲା। ଦେଖିଲା ଏକ ବିଶାଳ ମହାବଳ ବାଘ ଏକ ବ୍ୟକ୍ତି ଉପରକୁ ଲମ୍ଫ ଦେଇ ନିଜର ରାଜା ପଣିଆ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଛି। କାଳ ବିଳମ୍ବ ନକରି ଧେନୁଆ ବାଘରାଜା ଉପରେ ପ୍ରତି ଆକ୍ରମଣ କରି ବ୍ୟକ୍ତିଜଣଙ୍କୁ ବାଘର ପଞ୍ଝାରୁ ମୁକ୍ତ କରିନେଲା। ଅଧଘଡି ଯାଏଁ ବାଘ ସହ ଲଢେ଼ଇ ପରେ ବାଘ ନିସ୍ତେଜ ହୋଇ ଶେଷ ନିଶ୍ୱାସ ତ୍ୟାଗ ଗଲା ଓ କ୍ଷତାକ୍ତ ଧେନୁଆର କ୍ଲାନ୍ତ ଚେହେରାରେ ଖୁସିର ହସ ଟିଏ ଖେଳିଗଲା। କୁରେଇ ଧେନୁଆ ପଛରେ ଧାଇଁ ନପାରି ପଛରେ ରହି ଯାଇଥିଲା। ସେ ମଧ୍ୟ କିଛି ସମୟ ପୂର୍ବରୁ ଧେନୁଆ ଓ ବାଘର ଲଢେଇ ଦେଖି ଭୟରେ ଥରି ଥରି ଇଷ୍ଟଦେବୀଙ୍କୁ ସୁମରୁଥାଏ। ବାଘ ମରିଯିବା ଦେଖି କୁରେଇ ଧାଇଁ ଆସି ନିଜ ପଣତରେ ଧେନୁଆକୁ ଝାଡ଼ିଦେଇ କିଛି ଔଷଧୀୟ ପତ୍ର ଖୋଜିଆଣି ଧେନୁଆର କ୍ଷତରେ ଲଗାଇଲା ଆଉ କିଛି ପତ୍ର ଆଣି ସେହି କ୍ଷତାକ୍ତ ବ୍ୟକ୍ତିର କ୍ଷତରେ ଲଗାଇଦେଲା।

କଥାରେ ଅଛି ମଣିଷ ପ୍ରକୃତି ମଲେ ତୁଟେ। ସେହି ବ୍ୟକ୍ତିଟିର ମୁଣ୍ଡ ଉପରୁ କାଳ ଦୁରେଇଯିବା ପରେ କୁରେଇର ନବୀନ ବୟସ ଦେଖି ତା ମନରେ କୁବାସନା ଜାଗ୍ରତ ହୋଇଉଠିଲା। ତେଣେ ଧେନୁଆର ବଳ ଦେଖି ସେ ଲଢେଇ କରିବା କଥା ଭୁଲିଗଲା। ତେଣୁ ଏକ ମନ୍ଦ ବୁଦ୍ଧି ସ୍ଥିର କରି ଧେନୁଆ କୁ ଧନ୍ୟବାଦ ଜଣାଇ କହିଲା ,"ମୁଁ ହେଉଛି ଜମିଦାର ରାଘବେନ୍ଦ୍ର ସାମନ୍ତରାୟ। ଜଙ୍ଗଲ ପାଖ ଗାଁରୁ ମୋର ଅଞ୍ଚଳ ଆରମ୍ଭ ହୁଏ। ଆଜି ହରିଣ ଶୀକାରରେ ଆସି ବାଘ ହାବୁଡ଼ରେ ପଡିଲି। ଗଛ ଉପରକୁ ଆଙ୍ଗୁଠି ଦେଖାଇ କହିଲେ ....ଆଉ ସାଙ୍ଗରେ ଆଣିଥିଲି ଏଈ ଅଯୋଗା ଚାକର ଗୁଡାକୁ। ଧେନୁଆ ଦେଖିଲା ୮ଜଣ ଲୋକ ବାଘ ଭୟରେ ଗଛରେ ବସି ଥରୁଥାଆନ୍ତି। ଧେନୁଆ ସେହି ଲୋକ ଗୁଡିକୁ କହିଲା ,"ବାଘ ମରି ସାରିଛି। ଭୟ ନକରି ତଳକୁ ଓଲ୍ହାଇଆସ। " ଧେନୁଆ କଥା ଶୁଣି ଲୋକ ଗୁଡ଼ିକ ତଳକୁ ଓଲ୍ହାଇଆସି ଜମିଦାରଙ୍କର ଭୟରେ ମୁହଁ ପୋତି ଛିଡା ହେଲେ। ଜମିଦାର ଉପହାସ କରି କହିଲେ ,"ତୁମ ମାନଙ୍କୁ ସାଙ୍ଗରେ ଆଣି କିଛି ଲାଭ ନାହିଁ। ଭଲା ମାଲିକ ବିପଦରେ ପଡିଛି। ତୁମେମାନେ ହାତରେ ଅସ୍ତ୍ର ଧରିଥିଲ ବାଘକୁ ମାରି ପାରିଥାନ୍ତ ;କିନ୍ତୁ ଡରୁଆମାନେ ଗଛରେ ଚଢି ବସିଲ। ଏ ଯୁବକ ନଥିଲେ ମୁଁ ଆଜି ବଞ୍ଚିନଥାନ୍ତି। "ଏହା ପରେ ଧେନୁଆକୁ ତା ପରିଚୟ ମାଗିଲା। ଧେନୁଆ କହିଲା ,"ମୁଁ ଧେନୁଆ ,ଆଉ ସେ ମୋ ତିରିଲା କୁରେଇ। ଏଈ ଜଙ୍ଗଲ ଆମର ଘର।"

ଜମିଦାର ଆଖି ବଡ଼ ବଡ଼ କରି କହିଲା ,"କି କଥା !! ଏଈ ବୋହୁପିଲାକୁ ସାଥିରେ ଧରି ଏଈ ଜଙ୍ଗଲରେ ରହୁଛୁ। କେତେବେଳେ କି କଥା କିନ୍ତୁ ଆଜି ଠାରୁ ସେସବୁ ବନ୍ଦ। ଏ ଜଙ୍ଗଲୀ ଜୀବନ ଛାଡି ମୋ ସହ ତୁମେ ଦୁହେଁ ଚାଲ। ମୋ ବଙ୍ଗଳା ପଛରେ ଗୋଟିଏ ଘର ରହିଛି। ସେଠାରେ ରହିବ। ତୁ ମୋ ଅଙ୍ଗରକ୍ଷୀ ହେବୁ କୁରେଇ ମୋ ଘରେ କାମ କରିବ। " କୁରେଇ ମନେମନେ ଖୁବ୍ ଖୁସି ହେଉଥାଏ ଯେ ସେମାନେ ଏ ଜଙ୍ଗଲ ଛାଡି ଜମିଦାର ଘରେ ରହିବେ। କିନ୍ତୁ ଧେନୁଆ କହିଲା ,"ନାଇଁ ,ଏ ଜଙ୍ଗଲ ଆମର ମାଆ। ରହିବାକୁ ଜାଗା ଦେଇଛି ,ପେଟ ଭରିଛି ବିପଦ ଆପଦରେ ଆମର ସାହାଯ୍ୟ କରିଛି। ଏଈ ଆମର ସରଗ। ଆମେ ଦୁଇପ୍ରାଣୀ ଖୁସିରେ ଘୁରି ବୁଲୁ। ଆମେ ସ୍ୱାଧୀନ।" କୁରେଇ ଧେନୁଆକୁ ବହୁତ ଭଲ ପାଉଥିଲା ,ତେଣୁ ବିନା ପ୍ରତିବାଦରେ ଧେନୁଆ କଥାରେ ନୀରବ ସମ୍ମତି ଦେଇଥିଲା।

               ପରିଶେଷରେ ସରଳମନା ଧେନୁଆ ଜମିଦାରର କୋମଳ କଥାରେ ଜଙ୍ଗଲ ମୋହ ତୁଟାଇ ଜନବସତିକୁ ଯିବାକୁ ରାଜି ହୋଇଗଲା। ଏହାପରେ ଧେନୁଆ ଓ କୁରେଇ ଦୁହେଁ ଜମିଦାର ସହ ତାଙ୍କ ବଙ୍ଗଳାକୁ ଚାଲିଗଲେ। ଅତି ଖୁସିରେ କିଛିଦିନ ବିତିଗଲା। ଦିନେ ଜମିଦାର ଧେନୁଆକୁ ଜଙ୍ଗଲରୁ ସମ୍ବର ମାରି ଆଣିବାକୁ କହିଲେ। ଧେନୁଆ ଖୁସି ହୋଇଗଲା ଏତେ ଦିନ ପରେ ତା ଜଙ୍ଗଲ ମାଆ କୋଳକୁ ଯିବ। ଖୁସିରେ ଜଙ୍ଗଲ ଅଭିମୁଖେ ବାହାରିଗଲା। ଧେନୁଆର ପ୍ରସ୍ଥାନ ଦେଖି ଜମିଦାର ନିଜର କୁଅଭିପ୍ରାୟକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହୋଇଗଲା। କୁରେଇକୁ ବଙ୍ଗଳା ପଛରେ ଥିବା ଘରକୁ ଡାକିନେଲା , ଯାହାକି କୁରେଇ ଓ ଧେନୁଆର ବାସସ୍ଥାନ ହୋଇଥିଲା। କୁରେଇ କିଛି ଚିନ୍ତା ନକରି ଜମିଦାରଙ୍କ ସହ ଚାଲିଗଲା। ସେହି ଘର ଭିତରେ କୁରେଇ ଜମିଦାରକୁ ଦେଖୁଥିଲା ଏକ ହିଂସ୍ର ବାଘ ରୂପରେ। ତା'ର ବିକଳ ନିବେଦନ ସେହି କ୍ରୁର ରାକ୍ଷସର ହୃଦୟ ପର୍ଯ୍ୟନ୍ତ ଅପହଞ୍ଚ ହୋଇ ରହିଗଲା। ସେହିଦିନ ଏହି ଜମିଦାରକୁ ଧେନୁଆ ବାଘ ମୁହଁରୁ ଟାଣି ଆଣିଥିଲା କିନ୍ତୁ ଆଜି ସେହି ଧେନୁଆର ଅତି ପ୍ରିୟ ମଣିଷର ଜୀବନ ବାଘ ମୁହଁରେ ପଡିଛି। ଜମିଦାର ନିଜ କୁକର୍ମକୁ ଚରିତାର୍ଥ କରିବା ପରେ କୁରେଇକୁ ଚେତାବନୀ ଦେଇ କହିଲା ,"ଏ ତୋ ଜଙ୍ଗଲ ନୁହେଁ । ଏହା ମୋ ଇଲାକା। ମୁଁ ହିଁ ରାଜା। ଯଦି ଧେନୁଆ ଏ କଥା ଜାଣେ ତୁମ ଦୁହିଁଙ୍କୁ ମୋ ଘରେ ଜାଳିଦେବି।" ଅନେକ ସମୟ ପରେ ଧେନୁଆ ଦୁଇ ହାତରେ ଦୁଇଟି ମୃତ ସମ୍ବର ଧରି ଫେରିଲା। ଜମିଦାର ରାଘବେନ୍ଦ୍ର ଧେନୁଆକୁ ଦେଖି କୁଟିଳ ହସଟିଏ ହସିଦେଇ କହିଲା ," ବୁଝିଲୁ ଧେନୁଆ , ତୋ ଉପରେ ମୁଁ ଆଜି ବହୁତ ଖୁସି। ଆଜିର ସମ୍ବର ଝୋଳରେ ତୋର ମଧ୍ୟ ଭାଗ ପଡିବ। " ଧେନୁଆ ହସିଦେଇ ଜୁହାର ହୋଇ ସେଠାରୁ ଚାଲିଆସି କୁରେଇ ପାଖକୁ ଗଲା।

ଘର ଭିତରକୁ ଯାଇ ଦେଖେତ କୁରେଇର ମୁହଁଟି ଶୁଖିଯାଇଛି। କାନ୍ଦିକାନ୍ଦି ଆଖି ଦୁଇଟି ଲାଲ୍ ହୋଇଯାଇଛି। ଧେନୁଆ କୁରେଇ ପାଖରେ ବସି କହିଲା ,"ଏତେ କ'ଣ ଅଭିମାନ ଯେ ଆଗରୁ କେବେ ତୋତେ ଛାଡ଼ି କୁଆଡେ ଯାଇନାହିଁ ଆଉ ଆଜି ସାଆନ୍ତେଙ୍କର କଥାରେ ଏକା ଚାଲିଗଲି ବୋଲି ରାଗ କରିଲୁ। ଜାଣିଛୁ ମୁଁ ଆଜି ଦୁଇଟି ସମ୍ବର ମାରିକି ଆଣିଛି। ଝରଣା କୂଳରେ ଦୁଇଟି ଯାକ ପାଣି ପିଉଥିଲେ । ଦୁଇଟି ତୀରରେ ଶୀକାର ହୋଇଗଲେ। ସାଆନ୍ତେ ଆଜି ଭାରି ଖୁସି। ମୋତେ ମାଂସରେ ଭାଗ ମିଳିବ ଯେ ମୁଁ ତୋ ପାଇଁ ନେଇ ଆସିବି। ଏଥର ତ ଟିକିଏ ହସି ଦେ।" କୁରେଇ ଧେନୁଆ କଥା ଶୁଣି ଜୋରରେ କାନ୍ଦିବାକୁ ଲାଗିଲା। ଧେନୁଆ କହିଲା ,"କ'ଣ ହେଇଛି ଯେ ତୋର ?" କୁରେଇ କହିଲା ,"ତୁ ଆଜି ତାଙ୍କରି କଥାରେ କାହିଁକି ଗଲୁ ସମ୍ବର ମାରିବାକୁ ? ଭାରି ଖୁସି ଦୁଇଟା ସମ୍ବର ମାରିଲୁ ଯେ ତୋ ତିରିଲାର ଯଦି ଏ ଅବସ୍ଥା ହୁଏ କେହି ଯଦି ତା ମାଉଁସ ଝୁଣି ଖାଇଯିବ" ; ଧେନୁଆ କୁରେଇ କଥା ଅଧାରେ ରଖି କହିଲା ," ଆଜି କ'ଣ ମୁଁ ନୂଆ ଶୀକାର କରିଛି ଆଗରୁ ଅନେକ ଥର କରିଛି। କାଇଁ ସେତେବେଳେ ତ ମୋତେ ବାରଣ କରିନୁ ?" କୁରେଇ ଜମିଦାର ଭୟରେ କିଛି କହିପାରିଲା ନାହିଁ। ମନେମନେ ସ୍ଥିର କଲା ଯେ ଯାହା ହୋଇଯାଉ ପଛେ କିନ୍ତୁ ଧେନୁଆର କିଛି ନହେଉ। ଧେନୁଆ ଛାତିରେ ମୁଣ୍ଡ ଗୁଞ୍ଜି ଲୁହ ଝରାଇ କହିଲା ,"ଏ ଧେନୁଆ ମୋତେ ଏହି ଜନବସତି ଭଲ ଲାଗୁନାହିଁ। ଚାଲ୍ ଆମର ସେହି ଦୂର ପୃଥିବୀକୁ ଫେରିଯିବା। ସେହି ଦୁନିଆ ଯେଉଁଠି କେବଳ ତୁ ଆଉ ମୁଁ ରହୁଥିଲେ।

ଧେନୁଆର ସରଳ ମନରେ ଏସବୁ କିଛି ପଶୁନଥିଲା ସେ କୁରେଇର ଲୁହ ପୋଛି କହିଲା ,"ଓଃ !ଏବେ ଯାଇ କଥାଟି ବୁଝିଲୁ। ତୁ ଆମ ଜଙ୍ଗଲକୁ ଖୋଜୁଛୁ। କିନ୍ତୁ ଦେଖ ଏ ଜମିଦାର କେତେ ଭଲ। ଏଇଠି ରହିଲେ ଆମ ପିଲାପିଲି କିଛି ପଢିବେ ଜାଣିବେ। କେତେ ହିସାବକିତାବ କରିବେ। ଆମ ଭଳି ମୁରୁଖ ହେବେନି। " କୁରେଇ ନାଚାର ହୋଇ କିଛି ବୁଝାଇପାରୁ ନଥାଏ।

ଦିନ ପରେ ଦିନ ବିତିଗଲା। ସେହି ଅନୁସାରେ ସମୟ ସୁବିଧା ଦେଖି ଧେନୁଆର ଅନୁପସ୍ଥିତିରେ ଜମିଦାର କୁରେଇକୁ ଶୋଷଣ କରିବାରେ ଲାଗିଲା। ସମସ୍ତେ ସବୁକିଛି ବୁଝୁଥିଲେ କିନ୍ତୁ ଜମିଦାରର ଋଣ ଓ ଲୁଣ ଖାଉଥିବାରୁ କେହି ପାଟି ଫିଟାଇ ପାରୁନଥିଲେ। ଜମିଦାରଙ୍କର ସ୍ତ୍ରୀ ମଧ୍ୟ ନିଜ ସ୍ୱାମୀଙ୍କର ଏହି ପ୍ରବୃତ୍ତି ସମ୍ବନ୍ଧରେ ପୂର୍ବରୁ ପରିଚିତା ଥିଲେ। ସେ ମଧ୍ୟ ଅତ୍ୟାଚାରିତ ଜୀବନ ବିତାଉଥିଲେ। ଗୋଟିଏ ଦିନ କୁରେଇ ଅନ୍ତଃସତ୍ଵା ହେବାର ଖବର ଖେଳିଗଲା। ଧେନୁଆ ଖୁସିରେ ପାଗଳ ପ୍ରାୟ ହେଉଥାଏ। ସମସ୍ତେ ଧେନୁଆର ଖୁସି ଦେଖି ଶୁଖିଲା ହସ ଦ୍ୱାରା ଅଭିବାଦନ ଜଣାଇଲେ। ପ୍ରଥମ ଥର ପାଇଁ କୁରେଇ ଧେନୁଆ ଖୁସିରେ ଖୁସି ହୋଇପାରୁ ନଥିଲା , କାରଣ ସେ ଭଲ ଭାବେ ଜାଣିଥିଲା ତା ଛୁଆର ବାପା ଧେନୁଆ ନୁହେଁ। କାହାକୁ କହିବ ନିଜର ଅନ୍ତର ବେଦନା ? ଘର ଭିତରେ ଏକା ଏକା ଗୁମୁରି କାନ୍ଦୁଥାଏ। ଏହି ସମୟରେ ଜମିଦାରଙ୍କର ସ୍ତ୍ରୀ ଆସି କୁରେଇକୁ କୋଳେଇ ନେଇ କହିଲେ ,"କାନ୍ଦିଲେ କ'ଣ ସମାଧାନ ମିଳିବ। ମୁଁ ଚାହିଁଲେ ମଧ୍ୟ କିଛି କରିପାରୁ ନାହିଁ। ମୋତେ କ୍ଷମା କରିଦେ। ତୋ ଛୁଆ ଜନ୍ମ ହେଲେ ତାକୁ ଏଇଠି ଛାଡି ଏ ନର୍କରୁ ବାହାରି ଯିବୁ। କଥା ଦେଉଛି ତୋ ଛୁଆକୁ ନିଜର ପରି ପାଳିବି।" କୁରେଇ କହିଲା ,"ନାଇଁ ସାଆନ୍ତାଣୀ , ଏ ରାକ୍ଷସ ପାଖରେ ମୋ ଛୁଆ ରହିବନି। ମୁଁ ମୋର ସେହି ଦୂର ପୃଥିବୀକୁ ଚାଲିଯିବି।" ଜମିଦାରଙ୍କର ସ୍ତ୍ରୀ କୁରେଇକୁ ବୋଧ ଦେଇ ଫେରିଆସିଲେ। ଏହି ଖବର ପରେ ଜମିଦାର ଆଡ଼ ଆଖିରେ ମଧ୍ୟ କୁରେଇକୁ ପଚାରିଲା ନାହିଁ , ତେଣେ ଧେନୁଆ ଭୟରେ ତାଙ୍କୁ ବଙ୍ଗଳାରୁ ବିତାଡିତ କରିପାରୁ ନଥାଏ।

ଦିନକୁ ଦିନ କୁରେଇର ଗର୍ଭାବସ୍ଥା ପୁରି ଆସୁଥାଏ। ଧେନୁଆ ବହୁତ ଖୁସି ଥିଲେ ମଧ୍ୟ କୁରେଇର ସବୁବେଳେ ଉଦାସ ମନ ଦେଖି ଦ୍ୱନ୍ଦ ଭିତରେ ସନ୍ତୁଳି ହେଉଥାଏ। ଗୋଟିଏ ଦିନ ରାତିରେ କୁରେଇର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଗଲା। ତା'ର ବିକଳ କାନ୍ଦ ଧେନୁଆର ଛାତି ଥରାଇ ଦେଉଥାଏ। ତେଣୁ ନିଜ ଘର ଛାଡ଼ି ଜମିଦାରଙ୍କ ପାଖକୁ ସାହାଯ୍ୟ ପାଇଁ ଧାଇଁଲା। ଆକାଶରୁ ଝିପିଝିପି ମେଘ ବର୍ଷିବାକୁ ଆରମ୍ଭ ହୋଇଗଲାଣି। ଅନେକ ନେହୁରା ହେବା ପରେ ମଧ୍ୟ ଜମିଦାର ଧେନୁଆ କଥା ଶୁଣିଲେ ନାହିଁ। ଧେନୁଆ ମନରେ ଖୁବ୍ ଆଘାତ ଲାଗିଲା। କାନ୍ଦି କାନ୍ଦି କହିଲା ,"ସତରେ ତୁମେ ମଣିଷ ଗୁଡାକ ବିଶ୍ୱାସ ଘାତକ, ସ୍ୱାର୍ଥୀ। ସେଦିନ ବାଘ ସହ ଲଢ଼ି ମରଣ ମୁହଁରୁ ଟାଣି ଆଣିଲି। ଆଜି ମୋ କୁରେଇର ଏହି କଷ୍ଟ ଯନ୍ତ୍ରଣାରେ ତୁମେ ହାତ ଟେକିଦେଲ।" ନିଜ ସ୍ୱାମୀଙ୍କର ଏହି କୁକର୍ମକୁ ସହି ଯିବାକୁ ଜମିଦାରଙ୍କର ସ୍ତ୍ରୀର ଆଉ ଧର୍ଯ୍ୟ ନଥିଲା। ଧେନୁଆକୁ ଚୁପ କରାଇ ପାଖରେ ଥିବା କାମବାଲିକୁ ଧାଈମାଆକୁ ଡାକି ଆଣିବାକୁ କହି ନିଜେ କୁରେଇ ପାଖକୁ ଚାଲିଗଲା। ଝିପିଝିପି ବର୍ଷା ଘଡ଼ଘଡି ବିଜୁଳି ସହ ମୁଷଳ ଧାରାରେ ବର୍ଷିବାକୁ ଆରମ୍ଭ କଲେଣି। ଏହି ସମୟରେ ବର୍ଷଣ ମୁଖର ରାତିରେ ନୀରବରେ ଶାନ୍ତିରେ ଶୋଇଗଲା କୁରେଇର ଦେହଟି। ଶିଶୁକନ୍ୟାଟି କୁଆଁକୁଆଁ ଡାକରେ ମାଆକୁ ନୀରବତା ଭାଙ୍ଗି ତାକୁ କୋଳେଇ ନେବାକୁ ଯେପରି ଅନୁରୋଧ କରୁଥାଏ। କିନ୍ତୁ କୁରେଇ ଆଉ ଉଠିନଥିଲା ଚାଲିଯାଇଥିଲା ଦୂର ଏକ ପୃଥିବୀକୁ , ମୃତ୍ୟୁର ସେହି ନିଷିଦ୍ଧ ଇଲାକାକୁ। 

ଏହି ସମୟରେ ଧାଈ ମାଆ ପହଞ୍ଚି ଛୁଆଟିକୁ ପରିଷ୍କାର କରିଦେଲେ।ସାଆନ୍ତାଣୀ ଶିଶୁକନ୍ୟାକୁ କୋଳେଇ ନେଇ ତା'ର ଯତ୍ନ ନେବା ଆରମ୍ଭ କରିଦେଲେ। ସାଆନ୍ତାଣୀଙ୍କୁ ଶିଶୁର ମୋହ ଆଚ୍ଛନ୍ନ କରୁଥିବା ବେଳେ ଧେନୁଆକୁ କୁରେଇର ମୃତ୍ୟୁର ଯନ୍ତ୍ରଣା ଆଚ୍ଛନ୍ନ କରିରଖିଲା। କୁରେଇର ଶବଦାହ ପରେ ଜମିଦାରଙ୍କର ସ୍ତ୍ରୀ ଧେନୁଆ କୁ କହିଲେ ,"ଧେନୁଆ , ମୋତେ ତୁମ ସେହି ଜଙ୍ଗଲକୁ ନେଇଯାଅନ୍ତ ନି ? ଏ ପାପୀଠାରୁ ଦୁରେଇ ରହି ଅବଶିଷ୍ଟ ଜୀବନକୁ ଶାନ୍ତିରେ ପ୍ରକୃତି କୋଳରେ ବଞ୍ଚନ୍ତି ତୁମ ଝିଅର ଯତ୍ନ ନିଅନ୍ତି।" ଧେନୁଆ କହିଲା ,"ନା ସାଆନ୍ତାଣୀ ତୁମେ ଏତେ ବଡ଼ ଘର ବୋହୁ। ଏସବୁ ଛାଡି ସେ କାହିଁକି ସେ ଜଙ୍ଗଲରେ ରହିବ?" ସାଆନ୍ତାଣୀ ତାକୁ ବୁଝାଇ କହିଲେ ,"ଏ କୁନି ଝିଅର ମୁହଁକୁ ଦେଖିଲୁ। ଏ ପରା ତୋ କୁରେଇ ର ରକ୍ତ। ତା ଶେଷ ସନ୍ତକ। ତାକୁ ତୁ ଏକା କିପରି ବଢାଇବୁ?" ଧେନୁଆ ଆଉ ତା ସାଆନ୍ତାଣୀକୁ ମନା କରିପାରିଲା ନାହିଁ। ନିଜର କୁନି ଝିଅ ଓ ସାଆନ୍ତାଣୀକୁ ନେଇ ଜଙ୍ଗଲ ଆଡକୁ ପାଦ ବଢାଇଲା।

 ସେମାନେ ବଙ୍ଗଳା ଛାଡିବା ସମୟରେ ଜମିଦାର ତାଙ୍କୁ ବାରଣ କରିବା ପରିବର୍ତ୍ତେ ମନେ ମନେ ବହୁତ ଖୁସି ହୋଇଗଲା। ଭାବୁଥିଲା ଯାହା ହେଉ ରାସ୍ତାରୁ କଣ୍ଟା ଗୁଡିକ ଚାଲିଗଲେ। ଏହି ଥର ଧେନୁଆ ଘଞ୍ଚ ଜଙ୍ଗଲ ପରିବର୍ତ୍ତେ ଜଙ୍ଗଲର ପ୍ରାରମ୍ଭିକ ଭାଗକୁ ଚୟନ କରି ନିଜ ହାତରେ କୁଡ଼ିଆ ଘରଟିଏ ତିଆରି କରିଥିଲା ଯେପରିକି ପ୍ରତିଦିନ ସେ ଜନବସତିକୁ ଯାଇ କୁନି ଝିଅ ଓ ସାଆନ୍ତାଣୀ ଙ୍କ ପାଇଁ ରୁଚିକର ଖାଦ୍ୟ ଯୋଗାଡି ପାରିବ। କିଛିଦିନ ପରେ ଧେନୁଆକୁ ତା ସାଆନ୍ତାଣୀ କୁରେଇ ସହ ଘଟିଥିବା ସବୁ ଅନ୍ୟାୟକୁ କହିଗଲେ। ଧେନୁଆ ମୁଣ୍ଡରେ ହାତ ଦେଇ ବସିଲା ନିଜକୁ ନିନ୍ଦୁଥିଲା ଯେ ସେ କାହିଁକି ତା କୁରେଇର ଲୁହକୁ ବୁଝିପାରିଲା ନାହିଁ। କୁରେଇର ଜଙ୍ଗଲକୁ ଫେରିବାର ଅନୁରୋଧ ସତ୍ତ୍ୱେ ସେ କାହିଁକି ତାକୁ ସେ ଜମିଦାର ଛାୟାରେ ରଖିଲା ? ଶେଷରେ ଜମିଦାର ପ୍ରତି ରକ୍ତମୁଖା ହୋଇ ଜମିଦାରର ବଙ୍ଗଳାକୁ ଦୌଡ଼ିଲା। ସେହି ସମୟରେ ଜମିଦାର ବଙ୍ଗଳାର ବାରଣ୍ଡାରେ ବସି ହୁକା ଟାଣୁଥାଏ। ଆଖି ଆଗରେ ଧେନୁଆର ଉଗ୍ରରୂପ ଦେଖି ବସିବା ଜାଗାରୁ ଉଠି ଛିଡାହେଲା। ଧେନୁଆ ନିଜର ଲମ୍ବା ଲମ୍ବା ପାହୁଣ୍ଡ ପକାଇ ନିଜର ବଳିଷ୍ଠ ହାତରେ ଜମିଦାରକୁ କଚାଡି କଚାଡି ମାରିଦେଲା। ଜମିଦାରର ମୃତ୍ୟୁରେ ସମସ୍ତେ ଖୁସି ଥିଲେ।

ଏହା ପରେ ଧେନୁଆ ଜଙ୍ଗଲକୁ ଫେରିଯାଇ ନିଜ ସାଆନ୍ତାଣୀର ଗୋଡ଼ ତଳେ ପଡି କହିଲା ,"ମୁଁ ଜମିଦାରକୁ ହତ୍ୟାକରି ଦେଲି।ତୁମର ଦୋଷୀ। ଯାହା ଦଣ୍ଡ ଦେବ ମୁଁ ରାଜି ଅଛି।" ସାଆନ୍ତାଣୀ କହିଲେ ,"ତୁମେ ଉଚିତ କରିଛ। ପାପୀ ଦଣ୍ଡ ପାଇବାର ଯୋଗ୍ୟ ଥିଲା। ଏବେ ତୁମେ ଯାଇ ସେହି ବଙ୍ଗଳାରେ ରୁହ। " ଧେନୁଆ କହିଲା ,"ନା , ମୁଁ ସେଠାରେ ରହି ପାରିବିନି। ସେଠାରେ ମୋ କୁରେଇର ଯନ୍ତ୍ରଣା ଭରି ରହିଛି। ମୁଁ ଏଈ ଜଙ୍ଗଲ ମାଆ କୋଳରେ ରହିବି , ଯେଉଁଠି ମୋ କୁରେଇର ହସ ଗୁଞ୍ଜରି ଉଠେ। " ସାଆନ୍ତାଣୀ ଭାବୁଥିଲେ ସତରେ କେତେ ନିଷ୍ପାପ ଏଈ ମଣିଷର ହୃଦୟଟି !ଅନେକ ବୁଝାସୁଝା କରିବା ପରେ ସ୍ଥିର ହେଲା ଯେ ତା ସାଆନ୍ତାଣୀ ଟିକି ଝିଅଟିକୁ ନେଇ ସେହି ବଙ୍ଗଳାକୁ ଫେରିଯିବେ। ଯଦି ଧେନୁଆର ଇଚ୍ଛା ହୁଏ ଯାଇ ଝିଅକୁ ଦେଖାକରିବ।

                         ସେହିଦିନୁ ଧେନୁଆ ଏହି ଜଙ୍ଗଲରେ ଏକା। ଧୀରେ ଧୀରେ ଝରଣା କୂଳେ ଆଦିବାସୀ ବସ୍ତି ଗଢି ଉଠିଛି। ତଥାପି ସେ ଏକା ଏକା । ନିସଙ୍ଗ ଜୀବନରେ ଅତିକ୍ରମ କରିଛି ଅନେକ ବର୍ଷଣ ମୁଖର ରାତି ଶୀତର ଜାଡ଼। ଶରତର ନିର୍ମଳତା ପୋଛି ପାରିନାହିଁ ତା ଲୁହ ; ବସନ୍ତର ମଳୟ ସ୍ପର୍ଶ ଛୁଇଁ ପାରି ନାହିଁ ତା ପ୍ରାଣକୁ। ଚକ୍ଷୁ ଦୁଇଟି ସେବେଠାରୁ ଅପେକ୍ଷା କରିଛନ୍ତି ସେ ଦୂର ପୃଥିବୀକୁ ଦେଖିବା ପାଇଁ , ଯେଉଁଠାକୁ ତା କୁରେଇ ଚାଲିଯାଇଛି। କିନ୍ତୁ ନିଷ୍ଠୁର ଭାଗ୍ୟକୁ ତାହା ମଞ୍ଜୁର ନାହିଁ। ମୃତ୍ୟୁକୁ ଅପେକ୍ଷା କରିଥିବା ଚକ୍ଷୁ ଦ୍ବୟ ନିଜର ଜ୍ୟୋତି ହରାଇ ବସିଲେଣି । ତଥାପି ଭାଗ୍ୟ ନୀରବଦ୍ରଷ୍ଟା ସାଜି ଧେନୁଆର ନିସଙ୍ଗତାକୁ ଦେଖି ଚାଲିଛି। ମୃତ ପ୍ରାୟ ଜୀବନ ନେଇ ଧେନୁଆ ବଞ୍ଚିଛି ।

                            


Rate this content
Log in

Similar oriya story from Drama