STORYMIRROR

ayiswarya maharana

Drama Others

4  

ayiswarya maharana

Drama Others

ମଟର ସାଇକେଲ

ମଟର ସାଇକେଲ

4 mins
363

ଶରତ ବାବୁ ବଜାରରୁ ଆସି ପରିବା ବ୍ୟାଗ୍ ଟିକୁ ଥୋଇଦେଇ ଥକ୍କା ମାରି ବସିଗଲେ। ମଥାରୁ ସ୍ବେଦ ଟୋପା ଗୁଡିକ ଅନାୟାସରେ ବହି ଆସୁଥାଏ। ଶରତ ବାବୁଙ୍କର ଧର୍ମପତ୍ନୀ ରେବତୀ ତାଙ୍କ ହାତକୁ ଗାମୁଛା ଓ ପାଣିଗ୍ଲାସଟିଏ ବଢ଼ାଇ ଦେଲେ। ଶରତ ବାବୁ ଝାଳ ପୋଛି ଏକା ନିଶ୍ୱାସରେ ପାଣି ପିଇଗଲେ। ରେବତୀଙ୍କୁ କିଛି କହିବାକୁ ଯାଉଥାନ୍ତି ,ଦେଖିଲେ ରେବତୀ ତାଙ୍କୁ ଏକ ଲୟରେ ଚାହିଁ ରହିଛନ୍ତି। ଶରତ ବାବୁଙ୍କୁ ରେବତୀଙ୍କର ଏହି ଚାହିଁବାର ଶୈଳୀ ଖୁବ୍ ଅଡ଼ୁଆ ଲାଗୁଥାଏ। ସେହି ଚିରାଚରିତ ଘଟଣା ପାଇଁ ଏଥର ନିଜକୁ ପୂର୍ଣ୍ଣ ପ୍ରସ୍ତୁତ କରି ରଖିଲେ।

ଶରତ ବାବୁଙ୍କର ଏହି ଭାବନାରେ ଖୁବ୍ ଶୀଘ୍ର ପୂର୍ଣ୍ଣଛେଦ ପକାଇ ରେବତୀ କହିବାକୁ ଆରମ୍ଭ କଲେ " ଆପଣା ଦୋଷେ ପ୍ରାଣୀ ମରେ।  କେତେ ଥର କହିଲିଣି ସେ ନିଆଁ ଲଗା ଗପ କବିତା ଲେଖା ଛାଡି ଆଖି ଦୃଷ୍ଟିଆ କିଛି କର। ନହେଲେ ଦିନ ଆସିବ ତୁମର ଏହି ଲେଖକ ପ୍ରବୃତ୍ତି ପାଇଁ ଆମେ ଦାଣ୍ଡରେ ବସିବା। କ'ଣ ମିଳୁଛି ସେ ଲେଖାରୁ। ଲେଖିବ ,ତା'ପରେ ପୁଣି ଏଈ ପ୍ରେସ୍ ସେଇ ପ୍ରେସ୍ ରେ ଅନୁରୋଧ କରିବ ନହେଲେ ହାତରୁ ପଇସା ଦେଇ ଛାପିବ।ଏ ତ ହାତରୁ ଖାଇ ଘୋଡ଼ା ଆଗରେ ଡେଇଁବା ଭଳି କାମ। କ'ଣ ନା ସମ୍ମାନ ମିଳୁଛି।ମଟର ସାଇକେଲଟିଏ ନହେଲେ ନାହିଁ ,ସ୍କୁଟରଟିଏ କିଣିବାକୁ କେତେଥର କହିଲିଣି ହେଲେ ସ୍କୁଟର କିଣିବା ଦୁରେ ଥାଉ ଶଶୁର ଘରୁ ଯୌତୁକରେ ମିଳିଥିବା ସାଇକେଲକୁ ସେ ବଜାରରେ ହଜାଇ ଦେଇ ଆସିଲ । ବଜାର ଉପରେ ଛିଡା ହୋଇ କିଏ ଏମିତି ଭାବନା ରାଜ୍ୟରେ ହଜେ?"

           ଗୋଟିଏ ଥରରେ ରେବତୀ ଶରତବାବୁଙ୍କୁ କହିଗଲେ। ଶରତ ବାବୁ ବିରକ୍ତିରେ କହିଲେ ," ଯେତେବେଳେ ଦେଖ ଘରେ ତୁମରି ଏ ପାଟିତୁଣ୍ଡ ଚାଲିଥିବ। ସୁଯୋଗ ମିଳିଲେ ମୋ ଲେଖା ଓ ସ୍କୁଟର ବାହାନାରେ ତୁମେ ଆଣିଥିବା ସେ ସାଇକେଲ କଥା ଜମାରୁ ହାତ ଛଡା କରିବ ନାହିଁ। ଯଦି ସେଦିନ ତୁମେ ସେହି ସ୍ଥାନରେ ରହିଥାନ୍ତ ,ତେବେ ତୁମେ ମଧ୍ୟ ଭାବିବାକୁ ବାଧ୍ୟ ହୋଇଥାନ୍ତ। ସେହିଦିନ ସେହି ପାଗେଳିଟି ଛୁଆକୁ କ୍ଷୀର ଖୁଆଇବାକୁ ଯାଉଥିଲା ବେଳେ କେତେକ ଦୁଷ୍ଟ ତାକୁ ଚିଡାଇବା ପାଇଁ ତା ଚୁଟି ଟାଣିଦେଲେ। ସେଇଥିପାଇଁ ପାଗେଳି ଟି ହିଂସ୍ର ହୋଇ ତା ଛୁଆକୁ କ୍ଷୀରଦେବା ଛାଡି ସେମାନଙ୍କୁ ମାରିବାକୁ ଗୋଡ଼ାଇଥିଲା। ତେଣେ ରାହାଧରି କାନ୍ଦୁଥିବା ଛୁଆଟିର କାନ୍ଦ ତା ଅସନ୍ତୁଳିତ ମସ୍ତିଷ୍କର ଅଧିକାରିଣୀ ମାଆର ହୃଦୟ ପର୍ଯ୍ୟନ୍ତ ପହଞ୍ଚିନଥିଲା। ସେହି ସମୟରେ ଛୁଆଟିକୁ ତା ମାଆ ପାଖକୁ ନନେଇ ତୁମର ଏ ସାଇକେଲକୁ ଜଗି ଥାଆନ୍ତି। ତୁମେ ନିଜେ ଜଣେ ମାଆ ହୋଇ ସେ କଷ୍ଟକୁ ବୁଝିବାର ହୃଦୟ ନାହିଁ। ଧିକ୍ ତୁମ ଜୀବନ ରେବତୀ।

ମୋର ରୋଜଗାର ସ୍ବଳ୍ପ ସତ କିନ୍ତୁ ଆମ ପୁଅକୁ ଉତ୍ତମ ଶିକ୍ଷା ଦେବାରେ କୌଣସି ଅବହେଳା କରି ନାହିଁ। ସେଇଥିପାଇଁ ତ ଯେନତେନ ପ୍ରକାରେ ତାକୁ ସହରରେ ପଢ଼ାଉଛି। କେବେ ତୁମେ ଏହି ସ୍ବଳ୍ପ ରୋଜଗାରରେ ଉପାସରେ ଶୋଇଛ ? ମହଲ ନହେଲେ ମଧ୍ୟ ମୁଣ୍ଡ ଉପରୁ ଛାତ ଉଠିଯାଇ ନାହିଁ କି ଚିରା ଲୁଗା ପିନ୍ଧିବାକୁ ତୁମକୁ ଦେଇନାହିଁ। ଆଉ କ'ଣ ଲୋଡ଼ା ଏ ଜୀବନରେ। ସ୍ନେହ ଶ୍ରଦ୍ଧାରେ ବାନ୍ଧିହୋଇ ଶାନ୍ତି ପୂର୍ଣ୍ଣ ଜୀବନଟିଏ ଅତିବାହିତ କରିବା ଦରକାର ଯାହାକି ତୁମର ସ୍ଵଭାଵ ନୁହେଁ। ମୁଁ ଯଦି ସାହିତ୍ୟ ସଂସ୍କୃତିକୁ ନେଇ କିଛି ସମ୍ମାନ ଓ ଖୁସି ସାଉଁଟିଲି ତୁମର ଅଭିଯୋଗ କାହିଁକି ?

ତୁମେ ଜାଣ ରେବତୀ , ଲେଖକ କିମ୍ବା କବିଟିଏ ଜନ୍ମ ହୁଏ ରାତ୍ରିର ନିଶବ୍ଦ ପ୍ରହରରେ। ଯେତେବେଳେ ଦୁନିଆ ଶୋଇଥାଏ ସେତେବେଳେ ଦେଶର ସୀମାରେ ଜାଗ୍ରତ ହୋଇ ଛିଡା ହୋଇଥିବା ବୀର ଯବାନ ପରି ସମାଜକୁ ନିଜ କଲମ ମୁନରେ ଆଙ୍କୁଥାଏ ଲେଖକଟିଏ ସମାଜର ଭବିଷ୍ୟତକୁ ଜଗିଥିବା ପ୍ରହରୀଟିଏ ପରି। ଇତିହାସ ସାକ୍ଷୀ ଅଛି କେତେ ବଡ଼ ବଡ଼ ଲୋକ ଡରିଛନ୍ତି ଏ କଲମ ମୁନକୁ। ସାଧାରଣ ଦିଶୁଥିବା ଦୃଶ୍ୟଟିଏ ଅସାଧାରଣ ହୋଇଥାଏ ଏକ ଲେଖକ ଦୃଷ୍ଟିରେ। ତାକୁ ନେଇ ସୁନ୍ଦର ବାର୍ତ୍ତା ଦେଇଯାଏ ଏହି ଉଦଭ୍ରାନ୍ତ ସମାଜକୁ। ଚିତ୍ରଣ କରେ ପ୍ରତିଟି ଚରିତ୍ରକୁ। ଅନୁରୂପ ଭାବେ କବିଟିଏ ସେସବୁକୁ ଛନ୍ଦ ,ରାଗ, ଭାଵ ଦେଇ ଆନ୍ଦୋଳିତ କରେ ସେହି ନିଷ୍ଠୁର ହୃଦୟକୁ କ୍ଷଣିକ ପାଇଁ ହେଉ ଜାଗ୍ରତ କରିଦିଏ ସେହି ସୁପ୍ତ ସୁନ୍ଦର ହୃଦୟକୁ, ଚେତାଇ ଦିଏ ନିଜର କର୍ତ୍ତବ୍ୟ ବୋଧକୁ।"

           ରେବତୀ ପୂର୍ବରୁ କଦାପି ଶରତଙ୍କର ଏହି ବ୍ୟବହାର ସହ ପରିଚିତ ନଥିଲେ। ନିର୍ବାକ ହୋଇ ଚାହିଁ ରହିଥାନ୍ତି ନିଜ ସ୍ୱାମୀଙ୍କର ମୁଖକୁ। ମନେ ମନେ ଲଜ୍ଜିତ ହେଉଥାନ୍ତି ନିଜର ବ୍ୟବହାର ପ୍ରତି। ଅନୁଭବ କରୁଥିଲେ ନିରବ ରହୁଥିବା ଓଠ ଦୁଇଟି ଯେ ଶାନ୍ତ ହୃଦୟର ନିର୍ଣ୍ଣୟ କରେ ତାହା ନୁହେଁ କେବେ କେବେ ହୃଦୟରେ ଉଠିଥିବା ଝଡ ନୀରବତାକୁ ଆପଣେଇ ନିଏ। ଅତିଷ୍ଠ ହୋଇଗଲେ ମଣିଷଟି ନିର୍ଦ୍ୱନ୍ଦରେ ସେସବୁ ବର୍ଣ୍ଣନା କରିଯାଏ। ଏଈ ଯେପରି ରେବତୀଙ୍କର ବାରମ୍ବାର ଆକ୍ଷେପ କୋମଳ ହୃଦୟର ଅଧିକାରୀ ,ଲେଖକର ସମଗ୍ର ସତ୍ତା ଦୋହଲାଇ କଟୁକ୍ତି ବର୍ଷା କରିବାକୁ ବାଧ୍ୟ ହୋଇଥିଲା।

ନିଜର ବ୍ୟବହାର ପାଇଁ ପଶ୍ଚାତାପ କରିବାକୁ ଯାଇ ରେବତୀ ନିଜର ସ୍ୱାମୀଙ୍କୁ କ୍ଷମା ପ୍ରାର୍ଥନା କରି ଏକ ଶାନ୍ତ ସୁନ୍ଦର ଗୃହର ପ୍ରତିଶ୍ରୁତି ଦେଲେ।

ଏହିପରି ଏକ ଭାବାନ୍ବିତ ପରିବେଶରେ କଲିଂବେଲ୍ ଟି ବାଜି ଉଠିଲା। ରେବତୀ ଦୁଆର ଖୋଲି ଦେଖିଲେ ଯେ ତାଙ୍କ ପୁଅ ରାକେଶ ମୁହଁ ଶୁଖାଇ ଛିଡା ହୋଇଛି। ରେବତୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ,"ତୁ କିଛି ନଜଣାଇ ହଠାତ୍ ଚାଲି ଆସିଲୁ ,ସେଥିରେ ମୁହଁ ଶୁଖାଇ ଠିଆ ହୋଇଛୁ। କିଛି ଅସୁବିଧା ହୋଇଛି କି? " ଶରତ ବାବୁ କହିଲେ ,"ତୁମର ପ୍ରକୃତି ଯିବ ନାହିଁ ତାକୁ ଭିତରକୁ ଆଣିବ, ନା ସେ ଦୁଆରେ ସବୁ କଥା ସାରିଦେଵ ?"ରାକେଶ ଘର ଭିତରକୁ ଆସି କହିଲା ,"ମୋର ଛୁଟି ନାହିଁ। ପୁଣି ଫେରିଯିବି।" ଶରତ ବାବୁ କହିଲେ ,"ଏପରି କ'ଣ ଜରୁରୀ ଦରକାର ପଡ଼ିଲା ?" ରାଜେଶ କହିଲା ,"ମୋର ସବୁ ସାଙ୍ଗମାନଙ୍କର ବାଇକ୍ ଅଛି। ମୋର ମଧ୍ୟ ଗୋଟିଏ ବାଇକ୍ ଦରକାର।"

ଶରତ ବାବୁ ବସିବା ଜାଗାରୁ ଉଠି ଛିଡା ହୋଇ କହିଲେ ," ତୁ ଦେଖିବାକୁ ତୋ ମାଆର ଅବିକଳ ଗୁଣ ମଧ୍ୟ ଅନୁରୂପ। " ଏତିକି କହି ସେ ଭିତରକୁ ଚାଲିଗଲେ। ରେବତୀ ରୋଷେଇ କରିବାକୁ ଚାଲିଗଲେ। ରୋଷେଇ ସାରି ବାପା ପୁଅଙ୍କୁ ଖାଇବା ବାଢ଼ିଦେଲେ। ଖାଇସାରିବା ପରେ ରାକେଶ ପୁଣି ଥରେ ବାଇକ୍ କିଣିବା ପାଇଁ କହିଲା। ରେବତୀ ଝାଡୁଟିଏ ଆଣି କହିଲେ ,"ତୁ ଶୀଘ୍ର ଏଠାରୁ ଯାଆ।କେତେ କଷ୍ଟରେ ତୋ ବାପା ତୋତେ ସହରରେ ରଖି ପଢ଼ାଉଛନ୍ତି। ତୋ ବାପା ଜଣେ ସରକାରୀ ନିମ୍ନପଦସ୍ଥ କର୍ମଚାରୀ। ଚାକିରୀ ଭିତରେ ନିଜ ପାଇଁ ସ୍କୁଟରଟିଏ ଛାଡ଼ ସାଇକେଲ ଟିଏ କିଣିଲେ ନାହିଁ। ଆଉ ତୁ ସେଠି ପାଠ ନପଢ଼ି ଏ ଗାଡି ସଉକ ଖୋଜୁଛୁ। ମନ ଦେଇ ପାଠ ପଢେ। ଚାକିରୀ କଲେ ନିଜ ପାଇଁ ମଟର ସାଇକେଲ୍ କ'ଣ କାର୍ କିଣିବୁ। "

ମାଆଙ୍କର ଏପରି କଥା ଶୁଣି ରାକେଶ ମନ ଦୁଃଖରେ ଫେରିଗଲା। ଶରତ ବାବୁ ରେବତୀଙ୍କର ଏହି ବ୍ୟବହାର ଦେଖି ଆଶ୍ଚର୍ଯ୍ୟ ହେଉଥିଲେ ଏବଂ ଖୁସି ମଧ୍ୟ ହେଉଥିଲେ। ଭାବୁଥିଲେ ସତେକି ଆଜି ମାଆ ସରସ୍ୱତୀ ରେବତୀଙ୍କର କଣ୍ଠରେ ବିଜେ କଲେ।

             


Rate this content
Log in

Similar oriya story from Drama