Padmalaya Padhy

Fantasy Inspirational

5  

Padmalaya Padhy

Fantasy Inspirational

ଲବଙ୍ଗଲତା

ଲବଙ୍ଗଲତା

5 mins
337



ନଡ଼ିଆ ଷଢ଼େଇରେ ଭାତ ଡାଲି ରାନ୍ଧି ଓଦା ମାଟିରେ ଘର କରି ପୁଣି ଘରଟିକୁ ବର୍ଷା ଖରାରୁ ବଞ୍ଚାଇବାକୁ ପତ୍ରରେ ଢ଼ାଙ୍କି ଯେତେ ଚେଷ୍ଟା କଲେ ବି ସମସ୍ତଙ୍କର ଘର ତିଆରି ସମ୍ପୂର୍ଣ୍ଣ ହୁଏନା l କେତେକଙ୍କର ଘର ହୋଇପାରେନି ଏବଂ କେତେକଙ୍କ ଘର ଭାଙ୍ଗିଯିବାଟା ବୋଧେ ତାଙ୍କ ଅଦୃଷ୍ଟରେ ଲେଖା ହୋଇଥାଏ l ତା ପରେ କପାଳ ନିନ୍ଦି ନିଜକୁ ଦୋଷମୁକ୍ତ କରିବାକୁ ପଡେ l


ନିଜ ବାହାଘର ଓ ଘର ସଂସାରକୁ ନେଇ ଲବଙ୍ଗଲତାର ସ୍ବପ୍ନ ସେଭଳି କାହିଁରେ କଣ ଥିଲା l ଖାଲି କଣ ପିଲା ଖେଳ କି ସତ ସତିକା ସବୁ ଭାବି ଦେଇଥିଲା ସେ l ତାର ଗୋଟିଏ ବର ଆସିବ l ସେଦିନ ଖୁବ ବାଣ ଫୁଟିବ l ଭଳିକି ଭଳି ଲିଚୁ ରେ ଘର ସଜା ହେବ l କମସେ କମ ପଚିଶ ପ୍ରକାର ଖାଇବା ଆଇଟମ ହେବାଟା ପକ୍କା l ସିଏ ସଜ ବାଜ ହୋଇ ବସିବ ବେଦିରେ ବାହାହେବା ପାଇଁ l ସରସ୍ବତୀ, କାମିନୀ ଓ ଶୁଭଶ୍ରୀ ଆଦି ଆସି ତାକୁ ସଜାଇବେ l ଲାଲ ଟୁକ ଟୁକ ସାଧବ ବୋହୂ ଭଳି ଦିଶୁଥିବ ସେ l ଏ ସବୁ ଥିଲା ଗୋଟିଏ ନ ବର୍ଷର ଝିଅ ଲବଙ୍ଗଲତାର କଳ୍ପନା ବିଳାସ l ହେଲେ ସମୟ କାହାକୁ ବି ଅପେକ୍ଷା କରେନା l ପନ୍ଦର ପୁରି ଷୋହଳ ଚାଲିଲାଣି ଲବଙ୍ଗଲତାକୁ ଆଉ ଷଢ଼େଇ ଖପରା ଖେଳ ଭଲ ଲାଗୁନି ଏବେ l ସ୍ବପ୍ନ ଦେଖିବାର ବୟସ l ସ୍ବପ୍ନ ଦେଖି ଦେଖି ଭାତ କେଉଁଦିନ ଜାଉ କରିଦେଲାଣି ତ ତରକାରୀ ଲୁଣିଆ l ତାଠୁ ଢ଼େର ସାନ ମାନେ ପୋଖତ ରାନ୍ଧୁଣି ହେଲା ବେଳକୁ ସେ ସବୁବେଳେ ଅନ୍ୟ ଦୁନିଆରେ l


ମା କୁ କହିବ ମା ଲୋ ମୁଁ ଏମିତି ସେମିତି ନୁହେଁ କୁମ୍ଭ ପକା ପାଟ ଶାଢ଼ୀ ନେଇକି ଯିବି l ମୁଁ ତୋର ପୁରୁଣା ଗହଣା ନେବି ନାହିଁ l ମୋ ପାଇଁ ନୂଆ ଗଢ଼ିଦେ l କୁକୁମିନାକୁ ଡାକିଲେ ଭଲ ମେହେନ୍ଦି ପକାଇଦେବ ମୋ ପାଇଁ l ମୋ ମେହେନ୍ଦି ଯେତିକି ଗାଢ଼ ହେବ ମୋ ବର ମୋତେ ସେତିକି ଭଲ ପାଇବ l ହାତ ପାପୁଲି ଦୁଇଟି ଦେଖି ଉତଫୁଲ୍ଲିତ ହୋଇଉଠେ ସେ l ମେହେନ୍ଦି ଲାଗିଲେ କେମିତି ଦିଶିବ ଭାବି ଭାବି ମନକୁ ମନ ହସି ପକାଏ l ହେଲେ ମେହେନ୍ଦି କଣ ହସ୍ତ ରେଖାକୁ ବଦଳାଇ ପାରିଛି କି ?


ଲବଙ୍ଗଲତା ସବୁଠୁ ବଡ଼ ଝିଅ ଘରେ l ତଳକୁ ତଳ ଚାରି ଭଉଣୀ l ବଡ଼ ଝିଅର କେତେ ଦାୟିତ୍ୱ କେତେ ଜଞ୍ଜାଳ କିନ୍ତୁ ଲବଙ୍ଗଲତା ବିନ୍ଦାସ ଜିଉଁଛି l ତା ସ୍ବପ୍ନ ଭଲ ତ ସେ ଭଲ l ଟାକରା ମାରି ଆଚାର ଖାଇବା ହେଉ କି ସୁଡୁ ସୁଡୁ କରି ତୋରାଣି ପିଇବା, ସବୁ ଜିନିଷ କୁ ହୃଦୟ ରୁ ଉପଭୋଗ କରିବାକୁ ମନ l ରଙ୍ଗ ବେରଙ୍ଗ ର ଲୁଗା ପଟା ପିନ୍ଧି ଦର୍ପଣ ଆଗରେ ସଜେଇ ହୋଇ ବିଭିନ୍ନ ଭଙ୍ଗୀ ରେ ନିଜକୁ ଦେଖିବା ଆଉ ଏକ ସଉକ ଥିଲା ତାର l ତା ମା ବାପା ବି ଝିଅ ମାନଙ୍କୁ କମ ଅଏସ ରେ ବଢ଼ାଇ ନଥିଲେ l 

ଚାଷୀ ଘର ଝିଅ ବେଶି ସ୍ବପ୍ନ ଦେଖିଲେ ଗ୍ରହଣ ଲାଗିଯିବ l ବୋଧେ ତା କପାଳ ରେ ଅଳ୍ପ ଦିନ ସୁଖ ଭୋଗ ଥିଲା କି କଣ l ସେଦିନ ବାପା ତା ମା କୁ ଲୁନା ରେ ବସାଇ ହାଟ କୁ ନେଇଥିଲା l ହାଟରୁ ସଉଦା ସାରି ଦୁହେଁ ଲୁନାଟିକୁ ରାସ୍ତା କଡ଼ ରେ ରଖି ଚାଟ ଖାଉଥିଲେ l ହଠାତ ମୃତ୍ୟୁ ର ପରୱାନା ଉପରୁ ଖସିଥିଲା l


ଗୋଟିଏ ଚିଲ ସାପଟିଏ ଧରି ଉଡି ଯାଉ ଯାଉ ସାପଟା ଖସି ପଡିଥିଲା ଲବଙ୍ଗଳତା ର ବାପା ଉପରେ l କଣ ହେଲା କିଛି ବୁଝିବା ଆଗରୁ ସାପଟା ତା ବାପାର ଛାତି ପାଖରୁ ଛୋଟ ମାରି ମାରି ତଳକୁ ଖସି ଥିଲା l ତଳକୁ ଖସିବା ପରେ ବି ସାପଟିର ମଣିଷ ସଂହାର ବନ୍ଦ ହୋଇ ନଥିଲା l ପାଖରେ ଠିଆ ହୋଇଥିବା ଲବଙ୍ଗଲତାର ମା'କୁ ବି ଦୁଇ ଚାରି ଥର ଚୋଟ ମାରିବା ପରେ ଚିଲ ଆସି ପୁଣି ସାପଟିକୁ ଉଠାଇ ନେଇଥିଲା l ସତେ ଯେପରି ଲବଙ୍ଗଲତାକୁ ଛେଉଣ୍ଡ କରିବା ପାଇଁ ସାପଟିର ଆଗମନ ହୋଇଥିଲା l


ଖବର ଶୁଣି ଲବଙ୍ଗଲତା ଆଖି ଟେକିଥିଲା ଭୃକୁଞ୍ଚନ କରିଥିଲା l ଏଇଟା କି ପ୍ରକାର ମଜା ? ତା ମା ବାପା କାହିଁକି ମରିବେ ମ ? ମିଛ କଥା ଉଡ଼ା ଖବର l ତା ମା ତ ବାପା ସାଙ୍ଗରେ ସଉଦା କରିବାକୁ ଯାଇଥିଲା l ଆସିଲା ବେଳେ ସୁକୁଟା ଦୋକାନ ରୁ ସୋନପାପଡି ନେଇ ଆସିଥାନ୍ତା l ଲବଙ୍ଗଲତା ର ସୋନପାପଡି ଅତି ପ୍ରିୟ l ଅନ୍ୟ ଚାରି ଭଉଣୀ ଙ୍କ ଠାରୁ ତା ମା ବାପା ଲବଙ୍ଗ କୁ ବେଶି ଆଦର କରନ୍ତି କାହିଁକି ନା l ବୋଧେ ବଡ଼ ଝିଅ ବୋଲି କିମ୍ବା ଆଗ ବାହା ହୋଇ ଚାଲି ଯିବ ତ ସେଥିପାଇଁ ହେଇଥିବ l


ଶଙ୍କର ଏମିତି କଣ କହୁଛି ଯେ ତା ମା ବାପା ଙ୍କ ବିଷୟରେ l ଶେଷରେ ମୃତ ଦେହ ଦେଖିଲା ପରେ ହିଁ ଲବଙ୍ଗଲତା ନିଶ୍ଚିତ ହେଲା ଯେ ଏବେ ତାର ଓ ତା ଭଉଣୀ ମାନଙ୍କ ମୁଣ୍ଡ ଉପରେ ବାପା ମା ଙ୍କର ଅଭୟ ଆଶ୍ରୟ ଆଉ ନାହିଁ l ସେମାନେ ଏବେ ଅନାଥ l ତିନିଦିନ ଧରି ଝିଅ ପାଞ୍ଚଟି ଭୋକରେ ରହିଲା ପରେ ଚତୁର୍ଥ ଦିନ ଲବଙ୍ଗଲତା ର ହୋସ ଆସିଲା ଯେ ସେ ହେଉଛି ଏବେ ଘର ଭିତରେ ସବୁଠୁ ବଡ଼ l ତେଣୁ ସାନ ଚାରି ଜଣକ ଦାୟିତ୍ୱ ଏବେ ତା ଉପରେ l ବିଶ୍ୱାସ ହେଉ ବା ନହେଉ l


ସେଦିନ ପରେ ଲବଙ୍ଗ ଆଉ ସ୍ବପ୍ନ ଦେଖୁ ନଥିଲା, ବାପାର ବିଲରେ ହଳ ଚଳାଉଥିଲା l ନୋହିଲେ ଖାଇବେ କଣ ସେମାନେ l ଆଉ ସେ ଟାକରା ଫୁଟାଇ ଆମ୍ବିଳ ଖାଉ ନଥିଲା, ସାନ ଭଉଣୀକୁ କଣ୍ଟା ବାହାର କରି ମାଛ ଭଜା ଖୁଆଉଥିଲା l ଦର୍ପଣ ସାମ୍ନାରେ ଘଣ୍ଟା ଘଣ୍ଟା ଧରି ବସୁଥିବା ଲବଙ୍ଗଲତା କୁ ମୁଣ୍ଡ ବି କୁଣ୍ଡାଇବା ପାଇଁ ସମୟ ନଥିଲା ବରଂ ଭଉଣୀ ମାନଙ୍କୁ ଖୁଆଇ ପିନ୍ଧାଇ ସ୍କୁଲ କୁ ପଠାଉଥିଲା l ଆଉ କୌଣସି ଦିନ ଲବଙ୍ଗ ର ଦେହ ଓ ମନ ମହମହ ବାସୁ ନଥିଲା, କାମ କରି କରି ହାତରେ ବିଣ୍ଡି ବସି ଯାଇଥିଲା ତାର l


ସମୟ ତା ରାସ୍ତାରେ ଚାଲିଛି l ଚାଳିଶ ବର୍ଷ ର ଲବଙ୍ଗଲତା ଏକାକୀ ଚିରାଚରିତ ଢଙ୍ଗରେ ଝାଡୁ ମାରି ଚାଲିଛି l ଝାଡୁ ସହିତ କେତେ ସ୍ମୃତି କେତେ ସ୍ବପ୍ନ କୁ ବି ଝାଡ଼ି ସଫା କରି ଦେଇଛି ନହେଲେ ସେମାନେ ଧସେଇ ପଶିବେ ଯଦି ନିଜକୁ ସମ୍ଭାଳିବ କିଏ l ହଠାତ ଆଜିର ଅପରାହ୍ନ ରେ କିଏ ଜଣେ ଯେମିତି ପଛରୁ ଡାକିଲା l ଲବଙ୍ଗଲତା ଶୁଣ ମୋ କଥା ରହି ଯାଇଥା l ବହୁତ ଚାଲିଲୁ ଏଥର ଟିକେ ରହିଯା l ପଛକୁ ବୁଲି ଦେଖ l ତୋର ସ୍ବପ୍ନ ମାନଙ୍କୁ ଅନେକ ପଛରେ ଛାଡି ଆସିଛୁ l କିଛି ବି ପୂରଣ ହେଇନି l ଷୋହଳ ବର୍ଷ ରେ ବାପା ମା ଙ୍କୁ ହରାଇବା ପରେ ଲବଙ୍ଗ ଆଉ ପଛକୁ ଚାହିଁ ନଥିଲା ଯେ ଏକାବେଳକେ ଯାଇ ଚାଳିଶ ବର୍ଷ ରେ ସ୍ଥିତପ୍ରଜ୍ଞ ହୋଇ ବସିଗଲା ସେଦିନ l


 ଭଉଣୀ ମାନେ ପାଠ ପଢା ସାରି ଯିଏ ଯାହାର ଘର ସଂସାର ରେ ବ୍ୟସ୍ତ l ଏଣେ ଲବଙ୍ଗ ର ପେଡି ଭିତରେ ପେଡିଏ ସ୍ବପ୍ନ ଯେଉଁମାନଙ୍କର ଡେଣା କଟା ହୋଇ ରଖା ଯାଇଛି l ଡେଣା ଲାଗିଗଲେ ତ ଲବଙ୍ଗ କୁ ଧରି ଉଡିଯିବେ ନା ସେମାନେ ! ଭଉଣୀ ମାନଙ୍କୁ ଡେଣା ଲଗାଇ ଉଡ଼ା ଶିଖାଇ ଥିବା ଲବଙ୍ଗ କଣ ଚାହେଁ କେହି ଥରଟିଏ ବି ପଚାରି ନଥିଲେ l ନିଜ ମୁହଁରେ ସେ କହିବ ବା କେମିତି l ଲାଜ ସରମ ନାହିଁ ନା କଣ ତାର l ଘର ଭିତରେ ସବୁଠୁ ବଡ଼ ପରା ସିଏ l ଥରେ କଥା ପ୍ରସଙ୍ଗରେ କହିଥିଲା 


--ମୋର ପିଲାଟିଏ ହେଲେ ତାକୁ ଚାରି ଚାରିଟା ମାଉସୀ ମିଳିଯିବେ l

ମୁହଁ ଖୋର ସାନ ଭଉଣୀ କହିଥିଲା

--ନାନୀ ତୁ ଆଉରି ପିଲା ହେବାର ଆଶା ବାନ୍ଧି ବସିଛୁ ପୁଣି ଏ ବୟସରେ ? ଏବେ ତୁ ଧର୍ମ କର୍ମରେ ମନ ଦେବା କଥା l ସେଇ ସାନ ଭଉଣୀ ଯିଏ କି ହାତରେ ଖାଇ ଜାଣି ନଥିଲା ବୋଲି ଲବଙ୍ଗ ଗୋଟିଏ ଗୋଟିଏ ଦାନା ତା ପାଟିରେ ଥୋଇ ତାକୁ ଜୀବନ୍ୟାସ ଦେଇ ବଡ଼ କରିଛି l


ଏହାର ତିନି ବର୍ଷ ପରେ….

ଓଡିଶା ପ୍ରସିଦ୍ଧ ମା ଯଶୋଦା ବାଳାଶ୍ରମର ବାର୍ଷିକ ଉତ୍ସବରେ ଜଣେ ସାମ୍ବାଦିକ ଆଶ୍ରମର ଅଧ୍ୟକ୍ଷାଙ୍କୁ ପ୍ରଶ୍ନଟିଏ ପଚାରିଥିଲେ l


--ମାଡାମ ସେଇଟା କଣ ଥିଲା ଯାହାରି ଲାଗି ଆପଣ ଏତେବଡ ଅନାଥାଶ୍ରମ ତିଆରି କରିବାର ଗୁରୁ ଦାୟିତ୍ୱଟିକୁ ଏକାକୀ ବହନ କଲେ ?


ଏହାର ଉତ୍ତରରେ ଅଧ୍ୟକ୍ଷା ଲବଙ୍ଗଲତା ଦେବୀ କହିଥିଲେ


--ପରିସ୍ଥିତିରେ ପଡି ଯେଉଁ ସ୍ବପ୍ନମାନଙ୍କ ଡେଣା କାଟି ନିବୁଜ କୋଠରୀରେ ବନ୍ଦ କରିଦେଇଥିଲି ସେଇ ସ୍ବପ୍ନ ମାନେ ମୋତେ ଆଗକୁ ଯିବା ପାଇଁ ବାଧ୍ୟ କରିଛନ୍ତି ଓ ମୋତେ ଉଡିବା ଶିଖାଇଛନ୍ତି l ଚାରି କାନ୍ଥ ଭିତରେ ସିନା ମା ହୋଇ ପାରିଲିନାହିଁ କିନ୍ତୁ ସ୍ରଷ୍ଟା ମୋତେ ସାରା ପୃଥିବୀର ମା ପଦବୀରେ ଅଭିଷିକ୍ତ କରିଛନ୍ତି l ଯେଉଁ ମାନଙ୍କୁ ମୁଁ ଚିହ୍ନେନି କି ଜାଣେନି, ଯେଉଁ ମାନଙ୍କ ସହିତ ମୋର ରକ୍ତର ସମ୍ପର୍କ ମଧ୍ୟ ନାହିଁ ଆଜି ସେଇଭଳି ଅଗଣିତ ଶିଶୁ ମୋତେ ମା' ଡାକରେ ଆପ୍ୟାୟିତ କରୁଛନ୍ତି l


ଲବଙ୍ଗଲତାର ମୃତବତ ସ୍ବପ୍ନ ଗୁଡିକ ଆଜି ଅନେକ ଉପରେ ଉଡିବାରେ ଲାଗିଥିଲେ l


Rate this content
Log in

Similar oriya story from Fantasy