STORYMIRROR

Padmalaya Padhy

Others

3  

Padmalaya Padhy

Others

ଅରୁ ନିରୁଦ୍ଦିଷ୍ଟ

ଅରୁ ନିରୁଦ୍ଦିଷ୍ଟ

6 mins
2


ସେଦିନ ଗେଟ ଆର ପାଖେ ବୟସ ର ବୋଝ ତଳେ ଧରାଶାୟୀ ଶ୍ମଶ୍ରୁଧାରୀ ବ୍ୟକ୍ତି ଜଣକୁ ଚିନ୍ହିବାରେ ଅଳକା ର ତିଳେ ମାତ୍ର ଅସୁବିଧା ହୋଇ ନଥିଲା l ଠିକ ପଚିଶ ବର୍ଷ ତଳର ଶୀତୁଆ ସକାଳକୁ ଫେରି ଯାଇଥିଲା ସିଏ ଯେଉଁଦିନ ଘର ଛାଡି ଚାଲି ଆସିଥିଲା ସବୁଦିନ ପାଇଁ ଏଇ ଆଦିବାସୀ ଅଧ୍ୟୁଷିତ ଇଲାକାଟିକୁ ଯେଉଁଠି ତାର କେହି ଆପଣାର ନଥିଲେ ବରଂ ସ୍ବେଛାସେବୀ ସଂସ୍ଥାଟିଏ ହିଁ ଆପଣେଇ ଥିଲା ତାକୁ l କେବେ ଆଉ ପଛକୁ ନ ଫେରିବାର ପ୍ରତିଜ୍ଞା କରି ଚାଲି ଆସିଥିବା ଅଳକାର ପଛରେ ଆଉ ଥିଲା କିଏ ଯେ ସେ ଫେରିଥାନ୍ତା କି ଅଜାଗା ଘାଆ ଦେଖି ହୁଏନି କି ଦେଖାଇ ହୁଏନି ପରି କାହାକୁ ଅବା କହିଥାନ୍ତା ତାର ବେଦନା ? ଯେଉଁ ମାନଙ୍କୁ କହିଥାନ୍ତା ସେମାନେ ତ ସବୁ ଜାଣି ବୁଝି ତାକୁ ଭସେଇ ଦେଲେ ? ହଁ ସେଇ ମାଆ ବାପା ସାନ ଭଉଣୀ ଅକ୍ଷରା କଥା ଯେଉଁମାନେ ତାର ରକ୍ତ ର ସମ୍ପର୍କ, ନହେଲେ ଆଉ କିଏ ହୋଇଥିଲେ ଭୁଲି ଯାଇଥାନ୍ତା ସବୁ l 


ନୂଆ ଚାକିରୀ ଖଣ୍ଡିଏ ପାଇ ଘରୁ ଅଫିସ ଏବଂ ଅଫିସରୁ ଘର ହେଉ ହେଉ ବିବାହର ବୟସ ଆସି ଯାଇଥିଲା ଏବଂ ବର ପାତ୍ର ଖୋଜା ଚାଲିଥିଲା l ଏଇ ସମୟରେ ହିଁ ଶାଶ୍ୱତର ତା ଜୀବନରେ ଆଗମନ l ନିଜର ବଡ଼ ବ୍ୟବସାୟ ଅଛି ପୁଣି ଅଳକା ବି ଚାକିରୀ କରୁଛି l ଶାଶ୍ୱତ ତା ବାପା ମାଆଙ୍କର ଗୋଟେ ପୁଅ ତେଣୁ ଝିଅ ତାଙ୍କର ଶାଶୁ ଘରେ ସମସ୍ତଙ୍କର ଆଖିର ତାରା ହୋଇ ରହିବ ବୋଲି ଭାବି ବାପା ମାଆ ତାର ଆଗେଇ ଥିଲେ l ନିମ୍ନ ମଧ୍ୟବିତ୍ତ ପରିବାର ହେଲେ ହେଁ ଆଧୁନିକ ଥିଲେ ତା ଘର ଲୋକ l ଅଳକା ଏବଂ ତା ସାନ ଭଉଣୀ ଅକ୍ଷରାକୁ ବହୁତ ସ୍ୱାଧୀନତା ଦିଆ ଯାଇଥିଲା l ଅଳକା ଶାଶ୍ୱତ ସହିତ ଫୋନରେ କଥା ହୁଏ ଏବଂ ତା ନିଜ ଘର ଛାତ ଉପରେ ଯାଇ ମଧ୍ୟ ବାର୍ତ୍ତାଳାପ କରିବା ପାଇଁ ଅନୁମତି ପାଇଥିଲା l ପ୍ରଥମ ଦେଖାରେ ଶାଶ୍ୱତ ତାଙ୍କୁ ଏତେ ଭଲ ଲାଗିଥିଲା ଯେ ଅଳକା ଲାଜ ସରମ ଛାଡି ସେଇଦିନ ସନ୍ଧ୍ୟା ରେ ହିଁ ଘର ଲୋକଙ୍କୁ ନିଜ ର ସମ୍ମତି ପ୍ରଦାନ କରି ଦେଇଥିଲା l ହେଲେ ଶାଶ୍ୱତଙ୍କ ପରିବାର ହଁ କି ନାହିଁ କହି ନଥିବାରୁ କୌଣସି ନିଷ୍ପତ୍ତିରେ ପହଞ୍ଚି ପାରୁ ନଥିଲେ ଝିଅ ଘର ଲୋକେ l ଅଳକାକୁ ସବୁଥିରେ ଶାଶ୍ୱତ ତା ଠାରୁ ଅଧିକା ଲାଗୁଥିଲା ତେଣୁ ବୈବାହିକ ଜୀବନର ପରବର୍ତ୍ତୀ ଅବସ୍ଥାକୁ ନେଇ ସେ ଚିନ୍ତା ଏବଂ ଆଶଙ୍କା ଶୂନ୍ୟ ଥିଲା ଯେଉଁ ବିଷୟରେ ପ୍ରାୟ ପ୍ରତ୍ୟେକ ଝିଅ ବିବାହ ପୂର୍ବରୁ ଆତଙ୍କିତ ଥାଆନ୍ତି l ଏମାନଙ୍କ ବାର୍ତ୍ତାଳାପ ମଝିରେ ଅକ୍ଷରା ଓରଫ ଅରୁ କେତେ ଥର ଯିବା ଆସିବା କରେ ଚା ପାଣି ନେଇ ଏବଂ ବସିବାକୁ କହିଲେ ବି ନ ବସି ଚାଲିଯାଏ l ସ୍ଵଭାବ ରେ ଟିକେ ଲାଜକୁଳୀ ସିଏ ତେଣୁ ହଠାତ କାହା ସଙ୍ଗେ ବନ୍ଧୁତା କରି ପାରେନି l ଶାଶ୍ୱତ ଦିନେ କହିଲା -


—ଅରୁ ଟିକେ ଦୁରେଇ ଦୁରେଇ ରହିଲା ଭଳି ଲାଗୁନି ? ତୁମ ଘରେ ତ ସମସ୍ତେ ମୋତେ ପୁଅ ବୋଲି ମାନି ସାରିଲେଣି ୟାର କାହିଁକି ଏତେ 

ଲାଜ ? 


—ସିଏ ସବୁବେଳେ ସେମିତି ହଠାତ କାହା ସଙ୍ଗେ ମିଶି ପାରେନି l ତାକୁ କିଛି ଦିନ ସମୟ ଲାଗିବ l


ସବୁ ଠିକ ଠାକ ଚାଲିଥିଲା l ଅଳକା ସହିତ ଶାଶ୍ୱତ ର ନିର୍ବନ୍ଧ ବି ହେଇଗଲା l ବିବାହ ତିଥି ଚଉଦ ଦିନ ପରେ ପଡ଼ୁଛି l ଉଭୟେ କେତେ ନିକଟବର୍ତ୍ତୀ ହେଇ ସାରିଲେଣି ତାହା ପୁଣି ଏତେ କମ ଦିନ ଭିତରେ l ଆଉ ମାତ୍ର କେତୋଟି ଦିନ ପରେ ସବୁ ଦିନ ପାଇଁ ଦୁହେଁ ଦୁହିଁଙ୍କର ହୋଇଯିବେ ତେଣୁ ଶାଶ୍ୱତକୁ ଦେଖିଲେ ଅଳକା କୁ ବେଶୀ ବେଶୀ ଲାଜ ମଧ୍ୟ ମାଡୁଚି ଏବଂ କଥା ବାର୍ତ୍ତା ହୋଇ ପାରୁନାହିଁ l ହଁ ଶାଶ୍ୱତ ବି ଆଗଭଳି ଏତେ ପ୍ରଗଳ୍ଭ ହୋଇ କଥା ହେଉ ନାହିଁ l ସବୁ କିଛି ପୁରା ଅଉପଚାରିକତା l ତାକୁ ବି ଲାଜ ଲାଗୁଥିବ କି କଣ…ଧେତ ପୁଅ ପିଲାକୁ କି ଲାଜ ? କୁଆଡୁ ଆସିଲା ଏତେ ଲାଜ ତାହା ପୁଣି ନିର୍ବନ୍ଧ ପରେ ପରେ ? ଏମିତି ପୁଣି ହୁଏ ବୋଲି ସାଙ୍ଗ ମାନେ କହନ୍ତି l ସେ ନିଜେ କଥା ହେଇ ପାରୁନି ବୋଲି କଣ ଶାଶ୍ୱତ ତାକୁ ଟିକେ ସହଜ କରିବା ପାଇଁ ଚେଷ୍ଟା କରନ୍ତା ନାହିଁ ? ସିଏ ବି ଝିଅ ମାନଙ୍କ ଭଳି ହେଉଛି l ହଠାତ ଲାଗ ଲାଗ ତିନି ଦିନ ଧରି ଶାଶ୍ୱତ ଫୋନ ଉଠାଇ ନଥିଲା ? କଣ ଅସୁବିଧା ହେଲା କି ? ମନକୁ ପାପ ଛୁଉଁଛି ବାହାଘର ଭାଙ୍ଗି ଦେବେନି ତ ସେମାନେ ? ନା ନା ହେ ଭଗବାନ ତାକୁ କିଏ ଜଣେ ପ୍ରଥମ ଥର ପାଇଁ ଭଲ ଲାଗିଲା ବେଳକୁ…! 


ତିନି ଦିନ ପରେ ହଠାତ ମଧ୍ୟସ୍ଥିର ଫୋନ ଆସିଲା ଏବଂ ବାପା ଧୀରେ ଧୀରେ କଥା ହେଉଥିଲେ l ଶାଶ୍ୱତଙ୍କ ଘରୁ କିଛି ଡିମାଣ୍ଡ ନାହିଁ ତ ? ଏଣେ ଛଟପଟ ହେଉଥିଲା ଅଳକା l ବାପା ଆସି ମାଆ ସହିତ ଅତି ଧିମା ସ୍ୱରରେ କଣ ସବୁ ତର ତର ହୋଇ କହି ପକାଉଥାନ୍ତି l କଥା କଣ ? ଏବେ ଲାଜ କଲେ ହେବନି ସେ ଚାକିରୀ କଲାଣି ଆତ୍ମ ନିର୍ଭର ହେଲାଣି ନିଜେ ଯାଇ ପଚାରି ଦେବ l ଅଳକା ହଠାତ ପଶିଗଲା ରୁମ ଭିତରକୁ l ମାଆର ମୁଖ ମଣ୍ଡଳରେ ପୂର୍ବର ସେଇ ଜ୍ୟୋତି ଆଉ ଉଦ୍ଭାସିତ ହେଉ ନଥାଏ l କଣ ହେଲା ମାଆ ? ସେମାନେ କିଛି ମାଗୁଛନ୍ତି କି ? ମୋର ବ୍ୟାଙ୍କ ଖାତାରେ କିଛି ଅଛି ଆଉ ଆଡ଼ଭାନ୍ସ କାହାଠୁ କିଛି ଆଣିବି ଚିନ୍ତା କରନାହିଁ ବାପା l ଖୋଲି କରି କୁହ କଣ ସେମାନଙ୍କର ଡିମାଣ୍ଡ ?


—ସେମାନେ ଏବେ ଅରୁକୁ ବୋହୁ କରି ନେବେ ବୋଲି କହୁଛନ୍ତି l


ଏବେ ତା ଅବସ୍ଥା ଯେଉଁ ଭଳି ହୋଇଥିଲା ବୋମା ମାଡ଼ ହେଇଥିଲେ ବି ଅଳକା ଏତିକି ସ୍ତବ୍ଧ ହୋଇ ନଥାନ୍ତା l ତା ବଦଳରେ ତା ସାନ ଭଉଣୀ ହେବ ଶାଶ୍ୱତର ପତ୍ନୀ ? କଣ ଘଟି ଯାଉଛି ତାର ଚତୁଃପାର୍ଶ୍ଵରେ କିଛି ବୁଝି ହେଉ ନଥିଲା l ସଙ୍ଗେ ସଙ୍ଗେ ଫୋନ ଲଗାଇଲା ଶାଶ୍ୱତକୁ l 


—ଯାହା ମୁଁ ଶୁଣୁଛି ତାହା କଣ ସତ ?


—ହଁ ! ଅରୁ ସହିତ ଭଲ କମ୍ପାଟିବିଲିଟି ରହିବ ବୋଲି ମୁଁ ଭାବୁଛି l ପରେ ଅସୁବିଧା ହେବା ଅପେକ୍ଷା ଆରମ୍ଭରୁ ହିଁ ସବୁ କ୍ଲିୟର କରିଦେବା 

ଦରକାର l


ଅରୁ…ସହିତ…କମ୍ପାଟିବିଲିଟି ? ଅରୁକୁ ପୁଣି ଶାଶ୍ୱତ କେତେବେଳେ ଭେଟିଲେ ? ସିଏ ତ ସର୍ବଦା ତାଙ୍କୁ ଦେଖିଲେ ଲାଜ କରେ ଭଲରେ କଥା ପଦେ ହେବା ବି ସିଏ ଦେଖି ନାହିଁ l ମାନେ ଅଳକାର ଅଗୋଚରରେ ଏସବୁ ଚାଲିଥିଲା ତେବେ ? ଅରୁ କଥା ପରେ ବୁଝାହେବ l ପ୍ରଥମେ ତାର ଭବିଷ୍ୟତ ଚିନ୍ତା ଘାରିଲା ଅଳକାକୁ l 


—ମନା କରିଦିଅ ବାପା l ଆଜି ଯିଏ ମୋତେ ଧୋକା ଦେଲା କାଲି ଅରୁକୁ ବି ଦେବ l


ବାପା ମାଆ ନିରବ ହୋଇ ବସିଥିଲେ l 


—ମାଆ ଲୋ ମୁଁ ଭାବୁଛି ଅରୁକୁ କରିଦେବା ! 


ସାପ ଦେଖିଲା ପରି ଚମକି ଉଠିଥିଲା ଅଳକା l ଏତେ ଶୀଘ୍ର ନିଷ୍ପତ୍ତି ନେଇଗଲେ ଦୁହେଁ ? ଅରୁର ଭବିଷ୍ୟତ ହୁଏତ ସେଇଠି ହିଁ ସୁଖମୟ ହେବ ବୋଲି ମାଆ ଓ ବାପା ଚିନ୍ତା କରିଥିବେ l ହେଲେ ଅଳକା ? ତା ଚିନ୍ତା କାହାରିକୁ ନାହିଁ ? ରହି ରହି ମାଆ କହିଲା -


—ତୁ ତ ଚାକିରୀ ବାକିରି କଲୁ ଚାହିଁଲେ ନିଜେ ବି କାହାକୁ ପସନ୍ଦ କରି ପାରିବୁ l ବାହା ନହେଲେ ବି ଚଳି ପାରିବୁ l ହେଲେ ଅରୁ…? ସିଏ ତ ପଦାକୁ ଗୋଡ଼ ବି କାଢ଼ିନାହିଁ କେବେ l ତା ଭବିଷ୍ୟତ କଥା ଟିକେ ଭାବି ଦେଖ ମା... !


ଝିଅଟିଏ ଚାକିରୀ କଲେ ବାହା ହେବାର ଆବଶ୍ୟକତା ନାହିଁ ବୋଲି ଲୋକଙ୍କର ଏଭଳି ବଦ୍ଧମୂଳ ଧାରଣାର ଶିକାର ତାଆରି ଘର ଲୋକେ ବି ହେଇଛନ୍ତି ? ଇଏ ତ ସେମିତି କଥା ହେଲା ନା ଦିନେ ଯେମିତି ଅଳକା ଲିପସ୍ଟିକ ଟିକେ ମାରି ଗୋଟେ ସାଙ୍ଗ ଘର କୁ ଚାଲି ଯାଇଥିଲା ଯେ ସେ ସାଙ୍ଗ ଜଣକ ତାକୁ କହିଲା ତୋତେ ଆଜିଠୁ ବାହା ହେବାକୁ ମନ ହେଲାଣି କି ଏତେ ସଜବାଜ ହେଲୁଣି ଦେଖୁଛି l ସଜବାଜ ସହିତ ବିବାହ ପ୍ରତି ଆଗ୍ରହର କଣ ସମ୍ପର୍କ ସେ ତ ଅଦ୍ୟାବଧି ବୁଝି ପାରିନାହିଁ l 


ତେବେ ସେ ଯାହା ହେଉ ମାଆକୁ କହି ପାରିଲା ନାହିଁ ଯେ ଏବେ ବି ସେ ଶାଶ୍ୱତକୁ ଭଲ ପାଏ ତେଣୁ ତା ପାଇଁ ବିବାହ ଜରୁରୀ ବୋଲି l ହେଉ ପଛେ ଏକତରଫା କିନ୍ତୁ ଶାଶ୍ୱତ ପ୍ରତି ଏବେ ବି ତା ମନ ଭିତରେ କିଛି ଅଛି l ଅରୁ ବି ନର୍ମାଲ ଏବଂ ଚୁପ ଚାପ ରହି କାମ ଦାମ କରୁଛି ଯେମିତି କିଛି ହେଇନାହିଁ l କେତେବେଳେ ଏସବୁ ଘଟି ଗଲା ? ସିଏ ତ ସ୍ବପ୍ନ ରାଜ୍ୟ ରେ ବିଚରଣ କରୁଥିଲା ଏବଂ ଫେରିଲା ବେଳକୁ ବାସ୍ତବ ଦୁନିଆ ରେ କେତେକଣ ବଦଳି ଯାଇ ସବୁ ଓଲଟ ପାଲଟ l କାହାକୁ ଦୋଷ ଦେବ ସିଏ ? ଜନ୍ମ କଲା ପିତା ମାତାଙ୍କୁ ଯେଉଁମାନେ କନ୍ୟା ଦାନ କରି ଭାର ମୁକ୍ତ ହୋଇଯିବା ପାଇଁ ଚାହୁଁଛନ୍ତି ନା ସାନ ଭଉଣୀକୁ ଯିଏ ବୁଡ଼ି ବୁଡ଼ି ପାଣି ପିଉଥିଲା ଆଜିଯାଏଁ ? 


ଧୂମଧାମରେ ଅରୁର ବାହାଘର ସମ୍ପର୍ଣ୍ଣ ହୋଇଥିଲା ଏବଂ ଅରୁ ଚାଲି ଯାଇଥିଲା ଶାଶ୍ୱତ ସହିତ l ହେଲେ ସେ ବାହାଘର ଏବଂ ଝିଅ ବିଦା ଦେଖିବାକୁ ଅଳକା ପାଖରେ ଉପସ୍ଥିତ ନଥିଲା l ଚାଲି ଆସିଥିଲା ଗୋଟେ ଜଙ୍ଗଲୀ ପରିବେଶକୁ ଯୋଉଠି ମଣିଷ ମାନେ ସ୍ୱାର୍ଥପରତା କିମ୍ବା ଧୋକା ଦେବା ଶିଖି ନାହାନ୍ତି l ଖାଲି ଜୀବନ ଜିଇଁବା ହିଁ ଜାଣିଛନ୍ତି l ମାଆ ବାପା ଫୋନ ଫାନ କଲେ ତୁମେ ଦୁହେଁ ଆସି ମୋ ସହ ରୁହ ହେଲେ ସେ ଘରେ ମୁଁ ଆଉ ପାଦ ପକାଇବି ନାହିଁ ବୋଲି ଶେଷ ନିଷ୍ପତ୍ତି ନେଇ ଯାଇଥିଲା ଅଳକା l ଆଉ ରହିଲା ଅରୁ ଯାହାର ଖୋଜ ଖବର ରଖିବାକୁ ସେ ଚାହିଁନାହିଁ l ପୁରୁଣା ଘା କୁ ତାଜା କରି ଆଗାମୀ ଦିନ ଗୁଡିକୁ ନଷ୍ଟ କରିଦେବାର ସଉକ ନଥିଲା ତାର l


କେଡ଼େ କେଡ଼େ ଭୁଲ ଉପରେ ସମୟର ପରଳ ମାଡ଼ିଯାଏ ପରା !!! ନହେଲେ ଆଜି ଶାଶ୍ୱତ ଆସି ତା ଘରେ ଏବଂ ସିଏ ହିଁ ସାମ୍ନା ସୋଫାରେ ବସିବାକୁ କହିଛି ତାକୁ l ଉଭୟେ ସାମ୍ନା ସାମନି କିନ୍ତୁ ଚୁପଚାପ l ଅଖଣ୍ଡ ନିରବତା ସ୍ଥବିର କରି ଦେଇଛି ଉଭୟଙ୍କୁ l 


—ଝିଅ ନିକିତାର ବାହାଘର…ଆସିବ…! 


ସେଇ ସ୍ୱର ଟିକିଏ ବି ବଦଳି ନାହିଁ ଖାଲି ବଦଳି ଯାଇଛି ଚେହେରା ଏବଂ ଆନତ ଚକ୍ଷୁ ଯୁଗଳର ଗଭୀରତା l


—ଆଉ ଅରୁ…? 


ଦୀର୍ଘ ବର୍ଷ ପରେ ପ୍ରଥମ ଥର ପାଇଁ ଭଉଣୀର ନାଁ କୁ ମୁହଁରେ ଉଚ୍ଚାରଣ କରିଥିଲା ଅଳକା ଯାହାକି ଇଛାକୃତ ଥିଲା l


—ଜାଣେନାହିଁ l 


—ମାନେ ? ସିଏ ତ ତୁମ ସ୍ତ୍ରୀ ?


—ଚାଲିଗଲା ସିଏ l


—ଚାଲି ଗଲା ? କୁଆଡ଼େ ?


—ଅରୁ ନିରୁଦ୍ଦିଷ୍ଟ !


              


Rate this content
Log in