Padmalaya Padhy

Others

4  

Padmalaya Padhy

Others

ଆମ୍ବ ଛୁଟି

ଆମ୍ବ ଛୁଟି

6 mins
237


ଅମରୀ ବୁଢ଼ୀକୁ ଅମରୀ ନାମକରଣ କିଏ କରିଥିଲା ନା ସେଥିପାଇଁ ଆଜି ଯାଏଁ ନ ମରି ରହିଛି ବୋଲି ତା ନାଁ ରେ ଗୋଟିଏ ଗରମା ଗରମ ଆଲୋଚନା ଚାଲିଥିଲା l ସାମ୍ନା ଚୁଟି ସବୁ ଉପୁଡି ଯାଇ ପଛକୁ କେରାଏ ଅଛି ଯେ କିଏ ନାଣ୍ଡି କିଏ ଡାହାଣୀ ତ କିଏ ବାୟାଣୀ ଡାକୁଛନ୍ତି l ସେ ନିଜେ ମଧ୍ୟ ତା ନାଁ ଅମରୀ ବୋଲି ଭୁଲି ସାରିଲାଣି l କିଏ କେତେ କଥା କହୁ କିନ୍ତୁ ଛୋଟ ଛୁଆ ଦେଖିଲେ ବୁଢ଼ୀ ବାୟାଣି ହୋଇଯାଏ l ଭିଡି ଧରି ଆଣି କୋଳରେ ବସେଇବ ପୁଣି ପଛକୁ ପଛ କେତେ ବୋକ କେତେ ଚୁମା ଦିଆ ଚାଲିଥିବ l


--ନାଣ୍ଡି ପୋଡ଼ାମୁହିଁ ନିଜ ପିଲାଙ୍କୁ ଖାଇକି ଅଣ୍ଟିଲାନି ଯେ ମୋ ପିଲା ଉପରେ ଆଖି l ଏତିକି କହି ସାବି ମା ତା ପୁଅକୁ ଟାଣି ନେଲା ବେଳକୁ ଟଣାଟଣି ରେ ପିଲାଟା କାନ୍ଦି ଉଠେ ତ ଆଉରି ରାଗ ଦେଖିବ କଣ ?


--ମନ୍ତୁରା ମନ୍ତୁରି କରି ମୋ ପିଲାକୁ ବି ମୋଠାରୁ ଛଡ଼ାଇବାକୁ ବସିଛି ଅଲକ୍ଷଣି l ଯେତେବେଳେ ଦେଖିଲେ ପିଲାଟା କାନ୍ଦୁଛି ଖାଲି l


ଲୁହ ବତୁରା ଆଖିରେ ନାଣ୍ଡି ଓରଫ ଅମରୀ ବୁଢ଼ୀ ଚାହିଁ ରହେ ଆକାଶ ଆଡେ କେଜାଣି କେଉଁ ଅଦୃଶ୍ୟ ଅଦୃଷ୍ଟକୁ ଚାହିଁ ତା ପରି ଲୋକ ଏତେ ଦିନ ଧରି ଏ ଦୁନିଆରେ କାହିଁକି ଅଛି ବୋଲି ହୁଏତ ଅଭିଯୋଗ ବାଢୁଥିବ l


ଅମରୀର ଚାଳ ଛପର ଘରେ ପିଲାଙ୍କ ଭିଡ଼ ଜମିବାର ଏକ କାରଣ ହେଲା ଘର ବାରି ପଟେ ଥିବା ବିରାଟ ଆମ୍ବ ଗଛ l ପିଲାଏ ଆସିବା ଆଗରୁ ବୁଢ଼ୀ ବାଛି ବାଛି ଭଲ ଆମ୍ବ ଗୁଡିକ କାଢି ରଖି ଦେଇଥାଏ l ସୁତରାଂ ବୁଢ଼ୀ ର ଗଛରୁ କେବେ ଆମ୍ବ ଚୋରି ହେବାର କେହି ଜାଣିନି କି କେବେ କେହି କେବେ ଟେକା ପଥର ଫୋପାଡ଼ି ଆମ୍ବ ଝଡାଇ ନାହିଁ l


--ସେଇଟାର ମୁହଁ ଦେଖିଲେ ଖାଇବାକୁ ମିଳିବନି l ଲେଞ୍ଜେରା ଆଖି କୁ ନଣ୍ଡା ମୁଣ୍ଡ l ସକାଳୁ ସକାଳୁ… l ପର ଚୁଗୁଲି ନ କଲେ ଖାଦ୍ୟ ହଜମ ହେଉ ନଥିବା ରାଧା କହିବ l ପାଳିଆ ଧରିବ ନୁପୁରୀ ଦେଈ l


--ଭଗବାନ ଯେମିତି ରୂପକୁ ସେମିତି ଗୁଣ ଦେଇଛନ୍ତି ଲୋ l ତିନି ତିନିଟା ପିଲା ପେଟରୁ ହିଁ ଖାଇଗଲା ହେଲେବି ଅନ୍ୟର ପିଲା ଉପରେ ଆଖି l


--ଆଲୋ ପିଲା କଣ ପିଲାର ବାପାକୁ ବି କୋଉ ଛାଡିଲା କି ? ବିଚରା କୁ କି ଅଜଣା ବେମାରୀ ହେଲା ଯେ….ସୁନା ମୁଣ୍ଡାଟାଏ ଥିଲା ପରା l ଏ ଡାହାଣୀ ପାଖରେ କେତେଦିନ ତିଷ୍ଠିବ ଯେ ? ଛାଡ଼ ମୋର ତେଣେ କେତେ କାମ ! ଏତେ ଅବସ୍ଥା ହେଇକି ବି ମରୁନି କି ତରୁନି ଦେଖ l


ଅମରୀ କାନରେ ଯେ ଏସବୁ ପଡେ ନାହିଁ ତାହା ନୁହେଁ l ସେଥିପାଇଁ ସେ ସମସ୍ତଙ୍କ ଠାରୁ ଦୁରେଇ ରହେ l ହେଲେ ଛୁଆଟିଏ ଯଦି ଆମ୍ବ ମାଗିବାକୁ ଆସିବ ତାକୁ କଣ ଗେଲ କରିବାକୁ ମନ ହେବନି ? ସେଦିନ ପରା ରଘୁଆ ପ୍ରଧାନ ର ଗୁଦୁଲୁ ଗାଦୁଲ ନାତି ଟା ଠୁକୁ ଠୁକୁ କରି ମା କାନି ଛାଡି ଅମରୀ ର ଦାଣ୍ଡ ରେ ଆସି ଠିଆ ହେଇଗଲା l ଆଉ କି ଅମରୀ ରହି ପାରେ ? ଭିଡି ଆଣି ପିଲାଟିର ଗାଲରେ କେହି ନଜାଣିଲା ଭଳି ଚୁମାଟିଏ ଥୋଇଲା ବେଳକୁ ତା ମା ଦେଖିନେଇ ସାଇ ଯାକ ହାଟ ନାଟ କରି ଯାହା କଲା ସେଦିନ l


ଅମରୀ ଘରେ ପିଲାଙ୍କ ଗହଳି ବେଶୀ ହୁଏ ଖରା ଛୁଟିରେ l ସ୍କୁଲ ଛୁଟି ସାଙ୍ଗକୁ ମା ମାନେ ଶୋଇ ପଡିଲେ ପିଲାଙ୍କର ବାନର ସେନା ଚାଲେ ସିଧା ଅମରୀ ଘରକୁ l ବାକି ବର୍ଷା ଶୀତ ଋତୁ ମାନଙ୍କରେ ଅମରୀ ଚାତକ ପରି ଚାହିଁ ବସିଥାଏ କେତେବେଳେ ପିଲାଟିଏ ଆସିବ ବୋଲି l


--ଆଈ ଆମେ ଆସିଗଲୁ l ସେ ଯେଉଁ ନହନହକା ପିଲାଟି ଦଳର ନେତୃତ୍ୱ ନିଏ ସେ ଅମରୀକୁ ଆଈ ଡାକେ l


--ତୁମ ଇସ୍କୁଲ ଛୁଟି ହେଇଗଲା କିରେ ବାପା l


--ହଁ ଆଈ ଏବେ ଆମର ଗ୍ରୀଷ୍ମ ଛୁଟି l ଆମେ ଦୁଇ ମାସ ତୋତେ ଛାଡ଼ିବୁନି କହି ଦେଉଛି l ତୁ ସବୁଦିନ ଆମ ପାଇଁ କିଛି ହେଲେ ରଖିଥିବୁ l ନହେଲେ ଆମେ ଆଉ ଏଠିକି ଆସିବୁନି ତୋଟା ରେ ଯାଇ ଖେଳିବୁ l ପିଲା ମାନେ ଅମରୀକୁ ବ୍ଲାକମେଲ କରନ୍ତି l


ଅମରୀକୁ ହୃତପିଣ୍ଡ ଟା ବନ୍ଦ ହୋଇଗଲା ଭଳି ଲାଗେ l ପିଲାଏ ନଆସିଲେ ସେ ବଞ୍ଚିବ କେମିତି ? ପିଲାଏ ତ ତାର ହୃତ ସ୍ପନ୍ଦନ l ତେଣୁ ଖରା ଛୁଟି ଆସିଲେ ସବୁ ଦିନ କିଛି ନା କିଛି ପିଲାଙ୍କ ପାଇଁ ଆଣି ରଖିଥାଏ l ଆଚାର ଆମ୍ବୁଲ ଠାରୁ ଆରମ୍ଭ କରି କିଛି ନମିଳିଲେ ଗାଁ ମୁଣ୍ଡ ଦୋକାନରୁ କଦଳୀ ଡଜନେ ନହେଲେ ପପିନ୍ସ ଚକଲେଟ ପ୍ୟାକେଟଟେ ଯାହା ବି ହେଉ l


ସେଥିରେ ପୁଣି ସ୍ମୃତି ଶକ୍ତି ଲୋପ ପାଇଗଲାଣି l ତେଣୁ କାହା ପାଇଁ କୋଉ ଜିନିଷ ତା ନାଁ ଲେଖି ରଖେ l ତୃତୀୟ ଶ୍ରେଣୀ ଯାଏଁ ପାଠ ପଢିଥିବା ଅମରୀ ଚକ ଖଡ଼ି ଖଣ୍ଡେ ଧରି ଖାଇବା ଜିନିଷ ମାନଙ୍କ ପାଖରେ ତଳେ ଚଟାଣ ରେ ପିଲା ର ନାଁ ଲେଖିବ ଯେମିତି ଆଚାର ତଳେ ବୁଟୁର ନାଁ ଲେଖିବ କଞ୍ଚା ଆମ୍ବ ପାଖରେ ଳମ୍ବୁ ସେମିତି ଚକଲେଟ ପାଖରେ ଶିବ ର ନାଁ ଲେଖା ହୋଇଥିବ l


ହେଲେ ଆଈର ସବୁଠୁ ପ୍ରିୟ ଥିଲା ସାରଙ୍ଗ l ଗାଁ ର ପୁରୋହିତ ହରି ମିଶ୍ର ଙ୍କ ଛ ବର୍ଷ ର ପୁଅ l ସାରଙ୍ଗ କୁ ଗୋଡ଼େ ଗୋଡ଼େ ତା ମା ଜଗିଥିବ l ପିଲାଟା ର ଗୋଡ଼ ଥୟ ନାହିଁ ଗୋଟିଏ ଜାଗାରେ ରହିବ ନାହିଁ l ଘରୁ ବାହାରି ରାସ୍ତାରେ ବୁଲିବ ପୁଣି ସିଆଡେ ଚାଲିଗଲେ ତ କଥା ସରିଲା l ଡାହାଣୀ ଅମରୀ ବୁଢ଼ୀ ଜଗି ବସିଛି ରକ୍ତ ଶୋଷିବା ପାଇଁ l ଥରେ ତା ହାତରୁ କରମଙ୍ଗା ଖାଇକି ସାରଙ୍ଗ କୁ କି ଝାଡା ବାନ୍ତି ଯେ l ମା ଭଗବତୀ ହିଁ ବଞ୍ଚେଇଲା ଲୋ ମୋ ପିଲାକୁ l ମା ଲୋ ସାହା ହେଇଥା !! କହି କହି କି ଦି ଚାରି ଥର ପୁଅ ଉପରେ ଛେପ ପକାଇ ଦିଏ ତା ମା l


ସେଥର କଣ ହେଲା ନା ଦି ଦିନ ଧରି ବୁଢ଼ୀର ଦେହ ରେ ଖଇ ଫୁଟା ଜର ହେଲା l ଅଛି କିଏ ଯେ ହସ୍ପିଟାଲ ନେଇକି ଯାଆନ୍ତା l କୋଉ ସାଇ ପଡିଶା ରେ କିଏ ତାକୁ ସାହାଯ୍ୟ କରିବାକୁ ଧାଇଁ ଆସିବ l ସୁତରାଂ ଯେତିକି ଜ୍ଞାନ ଅଛି ସେଥିରେ ତୁଟୁକା ଓଷଦ ଚେର ମୂଳି କରି ନିଜେ ନିଜେ ନେଲା ପରେ ବି ଉପଶମ ହେଲାନାହିଁ l


--ବୋଧେ ଶେଷ ସମୟ ଆସିଗଲା କି କଣ l ନେଇଯାଅ ହେ ପ୍ରଭୁ ମୋତେ ! ଏ ଦୁନିଆ ବିଷ ପରି ଲାଗିଲାଣି ଆଉ ଭଲ ଲାଗୁନାହିଁ l


--ହେଲେ ମୋ ପିଲା ମାନେ କଣ କରିବେ ? ତାଙ୍କ ମନ ଜାଣି କିଏ ସେମାନଙ୍କୁ ପ୍ରଥମେ ଆଖି ବନ୍ଦ କର ତା ପରେ ହାତରେ ଦେବି ବୋଲି କହିବ ? ମୁଁ ନଥିଲେ ତ ଆମ୍ବ ଗଛଟିକୁ ଗାଁ ଲୋକେ କାଟି ନେଇଯିବେ l ମୋ ପିଲାଙ୍କୁ ଆମ୍ବ କିଏ ପାରି ଦେବ ଆଉ ? ବିଳିବିଳାଉ ଥିଲା ସେ l


--ଆଉ ଦି ଚାରି ଦିନ ପରେ ଇସ୍କୁଲ ଛୁଟି ହେବ l ଯେତିକି କଞ୍ଚା ଆମ୍ବ କାଢି ରଖିଛି ସେତକ ପାଚି ଯାଇଥିବ l ମୋ ପିଲା ଖାଇବେ l ମୁଁ ଯଦି ତା ପୂର୍ବରୁ ମରିଯିବି ତେବେ ଏ ଗାଁ ଲୋକ କଞ୍ଚା ଆମ୍ବ ସହିତ ସବୁ ଲୁଟି ନେବେ l ଆଉ କିଛି ଦିନ ମୋତେ ରଖ ହେ ମହାବାହୁ ! କମସେ କମ ଏ ବର୍ଷ ଛୁଟି ରେ ହେଲେ ମୋ ପିଲା….l ବିଳିବିଳଉ ଥିଲା ଅମରୀ l ଗାଁ ରେ ସନ୍ଧ୍ୟା ହେଉ ହେଉ ତାଟି କବାଟ ବନ୍ଦ l ଖାଲି ଝିଙ୍କାରି ର ଝିଁ ଝିଁ ଛଡା ଆଉ କେହି କୁଆଡେ ନାହିଁ l ଖାଲି ଅକାରଣରେ କୁକୁର କେତେଟା ଭୁକୁଛନ୍ତି ବେଳେ ବେଳେ l


ହଠାତ ବୁଦ୍ଧି ଦିଶିଲା l ହଁ….. ସେ ଯିବା ଆଗରୁ ଲେଖି ଦେଇଯିବ l ସେ ଲେଖି ଦେଇ ଯିବ ଯେ ଏ କଞ୍ଚା ଆମ୍ବ ସବୁ ଛୁଟି ହେଲେ ହିଁ ପିଲାମାନେ ଖାଇବେ l ସେତେବେଳକୁ ପୁରା ପାଚି ଯାଇଥିବ l ହେଲେ ଦେହ ଓ ମୁଣ୍ଡ ତ କାମ କରୁନାହିଁ l କେମିତି ଉଠିବ କେମିତି ଲେଖିବ ସେ l


ଘୋଷାରି ହୋଇ ଯାଇ ଖଡ଼ିଟା ତ ଧରିଲା ହେଲେ କଣ ଲେଖିବ ଓ କେମିତି ଲେଖିବ ଏବେ ? ଧୀରେ ଧୀରେ ଅଚେତ ଅବସ୍ଥା କୁ ଗଲାଣି l ପିଲାଙ୍କର ସେଇଟା କି ଛୁଟି

କେଜାଣି l କି ଛୁଟି ହେବ ତ ମନେ ପଡୁନାହିଁ l କଣ….ସେଇଟା… ଛୁଟିଟା… କଣ…ତା… ନାଁ...l ପିଲା ମାନେ ବୁଝି ପାରିବେ କି ନାହିଁ l ବୁଝେଇ ଲେଖିବ ତାକୁ l ଯୋଉ ଛୁଟିରେ ଆମ୍ବ ଫଳେ l ଖଡି ଧରି ହେଉ ନାହିଁ ଆଖି ବନ୍ଦ ହେଇ ଆସିଲାଣି l


ଭଗବାନ ବି ବୋଧେ ଚାହୁଁ ନଥିଲେ ଅମରୀକୁ ଆଉ ଅଧିକ ଦିନ ଏ ସଂସାର ଭିତରେ ରଖି ଯନ୍ତ୍ରଣା ଦେବା ପାଇଁ l କୁକୁର ଦିଟା କୋଉଠି ଥିଲେ ଶେଷ ଥର ପାଇଁ ବୋଧେ ଭୁକି ଉଠିଲେ l ସତେ ଅବା ଲୋକଙ୍କୁ ଅମରୀର ମୃତ୍ୟୁ ସମ୍ପର୍କରେ ଅବଗତ କରାଉଛନ୍ତି l ପର ଦିନ ଭୋରରୁ ଗାଁ ରେ ଚହଳ ପଡି ଯାଇଥିଲା l ଅମରୀ ଆଉ ଏ ଦୁନିଆରେ ନାହିଁ l


ପିଲା ପଞ୍ଝାଏ ଦୌଡୁଥିଲେ ଅମରୀ ଆଈ ଘରକୁ l ଚାରଣୀ ଚକଲେଟ ପ୍ୟାକେଟଟିଏ ଥୁଆ ହୋଇଥିଲା କାଳୁ ପାଇଁ, ଆଉ ଟଙ୍କିକିଆ ଆଚାର ଜରିଟା ଥିଲା ଶିବ ନିମନ୍ତେ l ବୁଢ଼ୀର ଅସାଡ଼ ଦେହ ଚାରି ପାଖେ ଗଦାଏ କଞ୍ଚା ଆମ୍ବ ଗଡୁଥିଲା l ତଳେ ଲେଖା ହୋଇଥିଲା - ଆମ୍ବ ଛୁଟି l ଜଣେ ଦେବୀଙ୍କୁ ବିସର୍ଜନର ଆବଶ୍ୟକତା ପଡ଼ିଲା ନାହିଁ ଆପେ ଆପେ ତାଙ୍କର ବିସର୍ଜନ ହୋଇଗଲା l



Rate this content
Log in