Padmalaya Padhy

Inspirational

4  

Padmalaya Padhy

Inspirational

ଜୀବନଟା କେବେ କିପରି

ଜୀବନଟା କେବେ କିପରି

6 mins
419


କି ଥିଲା ସେ ଯୁଗ କି ହୋଇଛି ଆଜ l ବିପ୍ର ମଉସାଙ୍କ କଥାଟି ଅକ୍ଷରେ ଅକ୍ଷରେ ସତ୍ୟ ମନେ ହେଉଛି କାବେରୀଙ୍କୁ l ଦିନ ଥିଲା ଯେତେବେଳେ ଛୋଟିଆ ଛୋଟିଆ କଥାରେ ବି ଅନେକ ଆନନ୍ଦ ମିଳୁଥିଲା l ଆଉ ଆଜି କାଲି ତ ଏ ସବୁ ଅତି ସାଧାରଣ ଆନନ୍ଦିତ ହେଲା ଭଳି କିଛି ନାହିଁ l ବରଂ ଖୁସି ହେଲେ ଲୋକ ପାଗଳ ବୋଲି କହିବେ l ସେତେବେଳେ ନା ଟିଭି ଥିଲା ନା ମୋବାଇଲ l ବାହାରକୁ ସିନେମା ଦେଖି ଯିବାଟା ଅନେକ ଆକାଂକ୍ଷିତ ସ୍ବପ୍ନ ମାନଙ୍କ ମଧ୍ୟରୁ ଗୋଟିଏ ଥିଲା l ସେଇ ଇପ୍ସିତ ରବିବାରଟି ଆସିବାର ଅନେକ ପୂର୍ବରୁ ରାତିର ନିଦ ହଜି ଯାଉଥିଲା l କେତେବେଳେ ଯିବା କଣ ପିନ୍ଧିବା କଣ ଖାଇବା ଏମିତି କେତେ କଣ ନା ଯୋଜନା ପ୍ରସ୍ତୁତ କରିବାକୁ ହେଉଥିଲା ପିଲା ମନଟି ଭିତରେ l ସେଦିନ ବୋଉର ରୋଷେଇ କରିବା ଦେଖି ବିରକ୍ତ ଲାଗେ l ଆଜି ପରା ଦିନରେ ଅଳ୍ପ ଟିକିଏ ରୋଷେଇ କରିଦେଲେ ଚଳନ୍ତା ନାହିଁ ? ଏତେ ପ୍ରକାର ତିଆରି କରିବା କଣ ଦରକାର ? ଶୀଘ୍ର ବାହାରିବାକୁ ହେବ ଏବଂ ଆଗେ ଯାଇ କିଛି ସମୟ ବସି ଥଣ୍ଡା ପବନ ଖାଇ ଦେହ ଓ ମନକୁ ପ୍ରସ୍ତୁତ କଲା ପରେ ତ ସିନେମା ଦେଖା ଆରମ୍ଭ ହେବ l କିନ୍ତୁ ରବିବାର ବୋଲି ଖାସ କାବେରୀଙ୍କ ପାଇଁ ବାପା ମଟନ ଓ ସାନ ଭାଇ ନଟୁ ପାଇଁ ମାଛ ଆଣନ୍ତି l ଛୁଟି ଦିନରେ ଅନ୍ତତଃ ପିଲାମାନେ ଭଲରେ ବସିକି ଆରାମରେ ଗଣ୍ଡେ ଖାଆନ୍ତୁ l କିନ୍ତୁ ସିନେମାଟା ବି ରବିବାର ଦିନ ହିଁ ଯିବାକୁ ଥାଏ l


ବାପା କହନ୍ତି ଖରାବେଳେ ଗଲେ ସନ୍ଧ୍ୟା ବେଳକୁ ଫେରି ହେବ l ପିଲା ମାନଙ୍କୁ ଇଛା ପାଞ୍ଚଟା ବେଳର ସୋ ଦେଖିବା ପାଇଁ l ସନ୍ଧ୍ୟା ବେଳେ ଗଲେ ରାତି ଖାଇବାଟା ବାହାରେ ହେବ କାରଣ ଏତେ ରାତିରେ ଘରକୁ ଫେରି ବୋଉ ଆଉ କଣ ରୋଷେଇ କରିବ ? କିନ୍ତୁ ବାପା ପିଲା ମାନଙ୍କୁ ନେଇ ଏତେ ରାତିରେ ସିନେମା ଦେଖି ଫେରିବାକୁ ବାପା କି ବୋଉ କେହି ରାଜି ହୁଅନ୍ତି ନାହିଁ l ଖରାବେଳେ ଯିବା ହିଁ ହୁଏ l ଥଣ୍ଡାରେ ବସି ବସି ଆଖି ଲାଗି ଯାଉଥିବ କିନ୍ତୁ ସେ ଏବଂ ନଟୁ ଗୋଟେ ସେକେଣ୍ଡ ବି ଛାଡ଼ନ୍ତି ନାହିଁ l ପିଇ ଯାଆନ୍ତି ସିନେମାର ପ୍ରତ୍ୟେକ ଦୃଶ୍ୟ l ନଟୁକୁ ଗୀତ ନାଚ ଥିବା ସିନେମା ଇଛା କିନ୍ତୁ ତାଙ୍କୁ କାହାଣୀ ଭଲ ଥିବା ଦରକାର l ଯାହା ବି ହେଉ ସିନେମା ଦେଖି ଆସି ଅନେକ ବେଳ ଯାଏଁ ଭାଇ ଭଉଣୀଙ୍କ ଭିତରେ ସେଇ ବିଷୟରେ ହିଁ ଆଲୋଚନା ଚାଲିଥାଏ l


ଆଜିକାଲି ହଲରେ କିଏ ଆଉ ଦେଖିବାକୁ ଯାଉଛି କି ? ଟିଭି ଦେଖା ହେଉଥିଲା ତା ପରେ ଲାପଟପ ଟାବଲେଟ ଆଉ ଏବେ ସମସ୍ତଙ୍କ ହାତରେ ଗୋଟେ ଗୋଟେ ମୋବାଇଲ l ମୋବାଇଲ ଦେଖି ସାରି ଦିନର ଆରମ୍ଭ ହୁଏ ମୋବାଇଲ ଦେଖି ଦେଖି ନିତ୍ୟକର୍ମ ସରେ ଏବଂ ମୋବାଇଲ ଦେଖି ଦେଖି ରାତିରେ ଶୋଇବା ହୁଏ l ଆଉ କିଛି କାମ ନାହିଁ l ଏବେ ମୋବାଇଲରେ ସିନେମା ଦେଖିବାକୁ ବି କାହାର ବେଳ ନାହିଁ l ଏବେ ଖାଲି ରିଲ ବନାଅ ଏବଂ ସୋସିଆଲ ମିଡିଆରେ ଛାଡ଼ l ଛୁଟି ଦିନ ଆସିଗଲେ ପୁଅ ବୋହୁ ଏବଂ ନାତୁଣୀ ସମସ୍ତେ ଖାଇବା ଶୋଇବା ପଛରେ ପକାଇ ଖାଲି ରିଲ ବନେଇବେ l ଚାରି ଆଡ଼େ ଖାଲି ଦୁମ ଦାମ ଭୁସ ଭାସ ଚାଲିଥିବ l


ସେଦିନର କଥା ଏବେ ବି ମନେ ପଡ଼େ l ପିଲା ମନର କୁନି କୁନି ସ୍ବପ୍ନ ସବୁ ଅତି ମହଙ୍ଗା ଲାଗେ ଯାହାକୁ ବଡ଼ ମାନେ ବୁଝି ପାରିବେ ନାହିଁ କେବେ ବି l ବଡ଼ ମାନେ ତାଙ୍କ ଜିଦର ମାନ୍ୟତା ବଜାୟ ରଖିବା ପାଇଁ କେତେଥର ନା ପିଲା ମାନଙ୍କର ଚିର ଇପ୍ସିତ ସାକାର ହେବାକୁ ଯାଉଥିବା ସ୍ବପ୍ନ ଗୁଡିକୁ ଶେଷ ମୁହୂର୍ତ୍ତରେ ଭାଙ୍ଗି ଦେଇଥିବେ l


ସେଇ ରବିବାର ଦିନ ବି ସେମାନେ ସିନେମା ଯିବାକୁ ଥାଏ l ସିନେମାଟିର ନାଁ ତ ମନେ ନାହିଁ କିନ୍ତୁ ବହୁତ ଦିନ ଯାଏଁ ଚାଲିଥିଲା ବୋଲି ମନେ ଅଛି l ତାଙ୍କ ସ୍କୁଲର ସାଙ୍ଗମାନେ ଯାଇ ଦେଖି ଆସିଲେଣି l ବୋଉ ସବୁ କାମ ସାରିବା ପରେ ବାହାରିବ ଏବଂ ଦେଖି ସାରି ଆସିଲେ ହାଲିଆ ହେଇଗଲି ଆଉ ତୁମ ମାନଙ୍କ ସାଙ୍ଗେ କୁଆଡ଼େ ଯିବି ନାହିଁ ବୋଲି ଘୋଷି ହେବ l ଖର୍ଚ୍ଚ କରିବା କାମ ବାପାଙ୍କର l କାବେରୀ ଓ ନଟୁ କାନ୍ଥରେ ମରା ହୋଇଥିବା ପୋଷ୍ଟରରୁ ସିନେମାର ନାଁ ସବୁ ଦେଖି ଆସିଥିବେ l ସେଥି ମଧ୍ୟରୁ ଗୋଟେ ଠିକ କଲେ ସମସ୍ତେ ସେଦିନ ସେଠିକି ଯିବେ l ସେଦିନ ମଧ୍ୟ ଖାଇ ପିଇ ସମସ୍ତେ ବାହାରି ଥିଲେ l କାବେରୀ ଓ ତାଙ୍କ ବୋଉର ପ୍ରସାଧନ କହିଲେ ସେଇ ଗୋଟିକ ଗୋଲାପୀ ରଙ୍ଗର ପଣ୍ଡସ ପାଉଡରଟିଏ l ନଟୁ ଚିକ୍କଣ କରି ବାମରୁ ଡାହାଣ ଏବଂ ଡାହାଣରୁ ବାମ ଏମିତି ଦଶ ପନ୍ଦର ଥର ମୁଣ୍ଡଟି କୁଣ୍ଡାଇ ସାରି ଝଡା ଝଡି ହୋଇ ପ୍ରସ୍ତୁତ ହେବ ଏବଂ ବାପା ବି ମୁଣ୍ଡରେ ଟିକିଏ ପାନିଆଟା ମାରିଦେଇ ବାହାରିବେ ସିନେମା l


ସେଦିନ ବାପା ପୂର୍ବରୁ ଯାଇ ଟିକେଟ କରିବା ପାଇଁ ବାହାରି ଥିଲେ l ପ୍ରଥମେ ତ ମନା କରୁଥିଲେ ହେଲେ ବୋଉ କହିଲା ଏତେ ସମୟ ଆଗରୁ ଯାଇ ମୁଁ ପିଲା ଦିଟାଙ୍କୁ ନେଇ ବାହାରେ ଠିଆ ହୋଇ ପାରିବିନି l ଠିକ ଟାଇମରେ ଗଲେ ଏଣେ ଟିକଟ ମିଳିବ ନାହିଁ ତିନି ଗୁଣା ଦେଇ ବ୍ଲାକରେ ନେବାକୁ ହେବ l ସୁତରାଂ ବାପା ଯାଇ ଟିକଟ ନେଇ ଆସିଲା ପରେ କାବେରୀ ହେରିକା ଯିବେ ରିକ୍ସାରେ ବସି ସିନେମା ଦେଖିବାକୁ l ପନ୍ଦର ମିନିଟର ରାସ୍ତାକୁ ରିକ୍ସାରେ ବସି ଅତିକ୍ରମ କରିବାର ଯେଉଁ ସ୍ୱର୍ଗ ସୁଖ ତାହାକୁ ସେକାଳର ପିଲା ମାନେ ହିଁ କହି ପାରିବେ l


ବାପା ଗଲେ ଟିକଟ ଆଣିବା ପାଇଁ ଏବଂ ବୋଉ ପାଉଡ଼ର ଲଗେଇ ସେଦିନ ନିଜ ମୁହଁକୁ ଦର୍ପଣରେ ବାରମ୍ବାର ନିରେଖି ନିରେଖି ଦେଖୁଥାଏ କୋଉଠି କାଳେ କମ ବେଶୀ ହୋଇଯିବ l ବାପା ସେଇ ଠେଲା ପେଲା ଧସ୍ତା ଧସ୍ତିରେ ପଶି ଟିକଟ ଚାରୋଟି ନେଇ ଆସିଲା ବେଳେ ଗୋଟେ ପଥରକୁ ଝୁଣ୍ଟି ପଡ଼ିବାରୁ ଗୋଡ଼ ଆଙ୍ଗୁଠିରୁ ରକ୍ତ ଟୋପାଏ ବାହାରି ଯାଇଥିଲା ଯାହା ଘରେ ପହଞ୍ଚିଲା ବେଳକୁ ଶୁଖି ଗଲାଣି l ପିଲା ମାନେ କିଛି ଜାଣି ନାହାନ୍ତି ଯେ ତାଙ୍କ ବାପା ଏତେ ଅବସ୍ଥା ହୋଇ ତାଙ୍କ ପାଇଁ ଟିକଟ ନେଇ ଆସିଛନ୍ତି ବୋଲି l ଘରେ ପଶୁ ପଶୁ ବୋଉ ଆରମ୍ଭ କରିଦେଲା l


ଏତେ ସମୟ କଣ କରୁଥିଲ ସେଠି ? ତୁମେ ଟିକଟ ନେଇ ଆସୁଥିଲ ନା ପୁରା ସିନେମା ହଲଟା ଉଠାଇ ଆଣୁଥିଲ ?


ବାପା ତ ଖଣ୍ଡିଆ ଖାବରା ହୋଇ ପୂର୍ବରୁ ବିରକ୍ତ ହୋଇଥିଲେ ଏବେ ବୋଉର କଥା ଶୁଣି ଟିକଟ ଚାରିଟା ବାହାର କରି ମୋଡ଼ି ମାଡ଼ି ବୋଉ ଉପରକୁ ଫୋପାଡ଼ି ଦେଇ ଭିତରକୁ ଚାଲିଗଲେ ଏବଂ ଡ୍ରେସ ବଦଳାଇ ଶୋଇ ପଡ଼ିଲେ l ବୋଉ କେତେ ଯାଇ ଡ଼ାକିଲା


ପିଲା ମାନେ ତ କୁଆଡ଼େ ଯାଉ ନାହାନ୍ତି l ଆଜି ଯିବେ ବୋଲି ସକାଳୁ କେତେ ଖୁସିରେ ଡେଉଁଛନ୍ତି l ଚାଲ ଯିବା l


ପିଲା ମାନଙ୍କଠୁ ତୁମକୁ ସିନେମା ଯିବାକୁ ବେଶୀ ଇଛା ହେଉଛି l ତୁମେ ସେମାନଙ୍କୁ ନେଇ ଯାଅ l ମୁଁ ଆଉ ଯିବି ନାହିଁ l ଏତିକି କହି ସେ କଡ଼ ଲେଉଟାଇ ଶୋଇ ଯାଇଥିଲେ l


ସବୁବେଳେ ଇଚ୍ଛା ନାହିଁ ଇଚ୍ଛା ନାହିଁ କହୁଥିବା କାବେରୀଙ୍କ ବୋଉ ଆଖିରୁ ସେଦିନ ଲୁହ ଧାରଟିଏ ପାଉଡରର ପ୍ରଲେପ ମଧ୍ୟ ଦେଇ ବୋହି ଆସିବା ଦେଖି କାବେରୀ ଏବଂ ନଟୁ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ l ବୋଉର ତେବେ ଇଚ୍ଛା ଥାଇ ନାହିଁ ନାହିଁ ହେଉଥାଏ ? ସେ ଲୁହ ଧାରଟା ହାରି ଯିବାର ନଥିଲା କିମ୍ବା ବାପାଙ୍କ ରାଗିବା ଯୋଗୁଁ ବୋହି ନଥିଲା l ସେଇଟି ଥିଲା ବୋଉର ଲୁଚି ଛପି ଅଙ୍କୁରିତ ହେଉଥିବା ଛୋଟିଆ ଖୁସିଟିଏ ଭାଙ୍ଗି ଯିବାର ଯନ୍ତ୍ରଣା l ଏହା ଥରେ ନୁହେଁ ଅନେକ ଥର ଘଟିଛି l ବାପା ବୋଉଙ୍କ ଝଗଡା ତଳେ କାବେରୀ ଓ ନଟୁର ଛୋଟିଆ ଛୋଟିଆ ଖୁସି ଗୁଡ଼ିକ ବଳି ପଡ଼ି ଯାଇଛି l ଏହାରି ଭିତରେ ସେମାନେ ବଡ଼ ହେଉଥିଲେ ଏବଂ ନିଜ ଖୁସି ନିଜେ ନିଜେ ଖୋଜୁଥିଲେ l ଆଉ ଆଜିକାଲି ପିଲା ତ ଟଙ୍କା ପଇସା ଛଡା ଆଉ କୌଣସି କଥା ପାଇଁ ବାପା ମାଆଙ୍କ ଉପରେ ନିର୍ଭରଶୀଳ ନୁହନ୍ତି l ଖଣ୍ଡି ଉଡ଼ା ଦେଉ ଦେଉ ଡେ଼ଣା ଲାଗିଗଲେ ଉଡନଛୁ l ସିଏ ବି ଗୋଟେ ଦୃଷ୍ଟିରୁ ଭଲ l ନିଜ ଖୁସିର ଚାବି କାଠି ଆଉ କାହା ହାତରେ କାହିଁକି ଦେବ ସେମାନେ ବାପା ମା ହୁଅନ୍ତୁ ପଛକେ l ବାରମ୍ବାର ଖୁସି ଗୁଡ଼ିକ ଏମିତି ଶେଷ ମୁହୂର୍ତ୍ତରେ ଧୂଳିସାତ ହୋଇଗଲେ କଣ ସୁଖ ଲାଗିବ କି ?


ହଠାତ ବୋହୁ ଏବଂ ନାତୁଣୀ ନୀରା ଗୀତ ଗାଇ ଗାଇ ଆସି ଟାଣି ଓଟାରି ତାଙ୍କୁ ଠିଆ କରାଇ ଦେଲେ l


—ଆରେ ତୁମେ ତୁମର ଯାହା କରୁଛ କର l ମୋତେ କାହିଁକି ଏସବୁଥିରେ ଟାଣୁଛ ? ବୋହୁ କହିଲା


—ମା ଆପଣକୁ କିଛି କରିବାକୁ ହେବ ନାହିଁ l ଯେତେବେଳେ " ଦିଲ ହେଁ ଛୋଟାସା ଛୋଟିସି ଆଶା " ବୋଲାହେବ ତୁମେ ନିଜ ଛାତି ଉପରେ ହାତ ରଖି ଟିକିଏ ମୁରକି ହସି ଦେବ l ହେଲା ?


ଗୀତ ବାଜୁଥାଏ ଏବଂ କାବେରୀଙ୍କ ଚାରିପଟେ ବୋହୁ ଓ ନାତୁଣୀ ଘୁରି ଘୁରି ନାଚୁଥାନ୍ତି l ବୋହୁ କହିବା ଅନୁସାରେ କାବେରୀ ସେମିତି କରିବାକୁ ବାଧ୍ୟ ହେଲେ ସିନା ମୁହଁରୁ ହସ ବାହାରୁ ନଥାଏ l କି ପାଲା ଲଗାଇଛନ୍ତି ଏମାନେ l ନାଚ ସରିବା ବେଳକୁ ପୁଅ ବି ସେମାନଙ୍କ ସହିତ ଯୋଗ ଦେଲା l ଯେତେବେଳେ ଭିଡିଓଟି ପୋଷ୍ଟ ହେଲା ପନ୍ଦର ସେକେଣ୍ଡର ଭିଡ଼ିଓଟା ସମସ୍ତଙ୍କର ହସ ହସ ମୁହଁ ଏବଂ ସେ ନିଜେ ବି ଭିଡିଓଟିରେ ଗୋଟେ ବଢ଼ିଆ ଭଙ୍ଗୀରେ ରହିଛନ୍ତି l 


ପୁଅ କହିଲା

ବୋଉ ତୁ ବି ଚାହିଁଲେ ଏମିତି ଭିଡିଓ ନିଜେ ବନେଇ ପାରିବୁ l ଅନ୍ୟ ମାନଙ୍କ ପରି ନାଚିବା ଦୌଡିବା କିଛି ଦରକାର ନାହିଁ l ବସି ରହି ମଧ୍ୟ ଅଭିନୟ ଏବଂ ମୁଖ ଭଙ୍ଗୀ ଦ୍ୱାରା ଭିଡିଓ ହୋଇ ପାରିବ l ଖାଲି ଯେ ସିନେମା ଗୀତ ତାହା ନୁହେଁ ତୁ ପୁରାଣରୁ ବି ନୀତି ବାଣୀ କିଛି ଉଦ୍ଧାର କରି କହି ପାରିବୁ, କୌଣସି ବିଷୟରେ ତୋ ନିଜର ମତାମତ ବି ଦେଇ ପାରିବୁ l ଖାଲି କ୍ୟାମେରାର ମୁହାଁ ମୁହିଁ ହେବା ପାଇଁ ଯାହା ଟିକିଏ ଅଭ୍ୟାସ ଦରକାର l


କାବେରୀ ଭାବୁଥିଲେ ପ୍ରସ୍ତାବଟି ମନ୍ଦ ନୁହେଁ ତ l ଯୋଉ ଖୁସି ସବୁ ପିଲା ଦିନେ ମିଳିଲା ନାହିଁ ତାକୁ ଭାଳି ଭାଳି ବାକି ଜୀବନଟା ସାରି ଦେବା ଅପେକ୍ଷା ଯୋଉଥିରେ ଆଗ୍ରହ ଅଛି ଆନନ୍ଦ ଲାଗୁଛି ସେଥିରେ ମନୋନିବେଶ କରିବା ହିଁ ବୁଦ୍ଧିମାନର କାର୍ଯ୍ୟ ଅଟେ l


Rate this content
Log in

Similar oriya story from Inspirational