Padmalaya Padhy

Others

4  

Padmalaya Padhy

Others

ଅଦୃଶ୍ୟ ବନ୍ଧୁ

ଅଦୃଶ୍ୟ ବନ୍ଧୁ

7 mins
403



ବିଜ୍ଞାନ ର ଅଗ୍ରଗତି ତଥା  ଇଣ୍ଟରନେଟ ଇମେଲ ଆଦି ଯେତେ ଉଦ୍ଭାବନ ହେଲେ ବି ହାତ ଲେଖା ଚିଠି ର ସେଇ ମାଦକତା ଆଜି ପର୍ଯ୍ୟନ୍ତ କେହି ବି ନେଇ ପାରି ନାହିଁ l ସେଥି ମଧ୍ୟରୁ ବନ୍ଦ ଥିବା ଇନଲାଣ୍ଡ ଲେଟରଟିଏ ଆହୁରି ଲୋଭନୀୟ l ଚିଠି ଖୋଲିବାଠୁ ଆରମ୍ଭ କରି ଆରାମରେ ବସି ପଢ଼ିବାର ନିଆରା ଅନୁଭବ  କେବେ ପୁଣି ଗୋପନ ରେ ପଢିବା ର ସେ ଯେଉଁ ଶିହରଣ  ତାହା କେବଳ ଅନୁଭବୀ ହିଁ ଜାଣି ପାରିବ l ଶାଳିନୀ ପିଲା ଟି ଦିନରୁ ଚିଠି ସହିତ ଏହିପରି ଅଙ୍ଗାଙ୍ଗୀ  ଭାବେ ଜଡିତ  l 


ସ୍ୱାମୀ ଋତ୍ଵିକ ଙ୍କ ବିରକ୍ତ ହେବା ଦେଖି ଶାଳିନୀ ଚୁପ ହୋଇଯାଆନ୍ତି ସିନା କିନ୍ତୁ ଚିଠି ଲେଖିବା ବନ୍ଦ ହୁଏ ନାହିଁ  l ବେଳେ ବେଳେ ଦରକାର ନ ଥିଲେ ମଧ୍ୟ ପୁଅ ଦିପୁ କୁ ଲେଖି ବସନ୍ତି ଓ ଚିଠି ଟି ପୋଷ୍ଟ କରିବାକୁ ଋତ୍ଵିକ ଙ୍କୁ ବାଧ୍ୟ କରନ୍ତି  l ଦିପୁ ତିନି ବର୍ଷ ହେଲା  ଦୁବାଇ ରେ ଚାକିରୀ ପାଇଛି l ପ୍ରୋବେସନ ରେ ଅଛି l ତେଣୁ ତିନି ବର୍ଷ ହେଲା ସେ ଦିପୁ କୁ ଦେଖି ନାହାନ୍ତି l ମନ ଭଲ ଲାଗୁନାହିଁ l ଫୋନ ରେ କଥା ହେଲେ ବି ଚିଠି ରେ ହିଁ ମନ ର ଭାବକୁ ପ୍ରକାଶ କରପାରନ୍ତି ବୋଲି  ଚିଠି ଛଡା ତାଙ୍କ ପାଇଁ ଅନ୍ୟ ବିକଳ୍ପ ନାହିଁ l ତାଙ୍କୁ  ଲାଗେ ଏକମାତ୍ର ଦିପୁ ହିଁ ଶାଳିନୀ ଙ୍କ ଚିଠି ପ୍ରତି ଥିବା ଅହେତୁକ ମୋହ କୁ ବୁଝି ପାରୁଛି l 


ସେଦିନ କଣ ନା ମନ ହେଲା ପୁରୁଣା ଚିଠି ଗୁଡିକୁ ବାହାର କରି ଦେଖୁଥିଲେ l ଗଦାଏ ଇନଲାଣ୍ଡ ଓ ପୋଷ୍ଟ କାର୍ଡ ତାଙ୍କ ଟ୍ରଙ୍କ ଭିତରେ ବିଡା ବନ୍ଧା ହୋଇ ପଡ଼ି ରହିଛି l କେଉଁଟି ହେଲେ ଚିରି ନାହାନ୍ତି ସେ l କେତେ ବିବାହ ପୂର୍ବର ଓ କେତୋଟି ବିବାହ ପରେ ଆସିଛି l କେତେ ଚିଠି ମା ଠାରୁ ପୁଣି କେତେ ଭାଇ ଓ ସାଙ୍ଗ ମାନେ ଲେଖିଛନ୍ତି l ଦିପୁ ବି ମା କୁ ଭଲ ଲାଗେ ବୋଲି ଚିଠି ହିଁ ଲେଖିଥାଏ l


 ସବା ତଳର ଚିଠି  ଗୁଡିକ  ଆସିଥିଲା  କେଉଁ ଗୋଟେ ଅଜଣା ପ୍ରେରକ ପାଖରୁ l ସେତେବେଳେ ସେ ସ୍କୁଲ ରେ ପଢୁଥିଲେ l ପ୍ରେରକ ର ନାଁ ନାହିଁ l ଖାଲି ଲେଖା ହୋଇଥିଲl   "ତୁମେ ବହୁତ ଭଲ ପାଠ ପଢୁଛ ଓ ବୁଦ୍ଧିମତୀ ମଧ୍ୟ l ହେଲେ ନିଜକୁ ଟିକେ ସଜାଡିଲେ ହୁଅନ୍ତା ନାହିଁ ? ଅନ୍ୟମାନେ କେତେ ଉପାୟରେ ନିଜକୁ ଫିଟ ଫାଟ ରଖୁଛନ୍ତି କିନ୍ତୁ ତୁମେ ଏମିତି କାହିଁ ଘରୁ ବାହାରୁଛ ଯେ ?" ଏହା ପରେ ସମସ୍ତଙ୍କ ଅଲକ୍ଷରେ ରେ ଶାଳିନୀ ଧୀରେ ଧୀରେ ବଦଳିବାକୁ ଲାଗିଥିଲେ l ହୁଏତ ଅଜଣା  ପ୍ରେରକ ବି ତାଙ୍କ ପରିବର୍ତ୍ତନକୁ ଲକ୍ଷ୍ୟ କରିଥିବ   l


କାହାରି ନାଁ ନ ଥିବା  ଚିଠି ଟି ପାଇ ପ୍ରଥମେ  ତ ସେ ବହୁତ ଡରି ଯାଇଥିଲେ l ପରେ ଲାଗ ଲାଗ କେତୋଟି ଚିଠି ସେଇ ଅଜଣା ବ୍ୟକ୍ତି  ପାଖରୁ ଆସିବା ପରେ ଶାଳିନୀ ଙ୍କ ସାହସ ଆଉ  ଟିକେ ବଢି ଯାଇଥିଲା l ଉତ୍ତର ଦେବା ସମ୍ଭବ ନ ଥିଲା l କାରଣ ଚିଠି ରେ ପ୍ରେରକର ନାମ କିମ୍ବା ଠିକଣା ନଥିଲା  l କିନ୍ତୁ  ସପ୍ତାହକୁ ଗୋଟେ ଚିଠି ଆସିବାଟା ପକ୍କା l 


ଥରେ ଲେଖା ହୋଇଥିଲl  "ତୁମେ ଯଦି ଉତ୍ତର ଦେବାକୁ ଚାହୁଁଛ ତେବେ ନିକଟସ୍ଥ ନୀଳକଣ୍ଠେଶ୍ଵର ମନ୍ଦିର ପଛ ପାଖେ ଥିବା ବେଲ ଗଛ କୋରଡ଼ ରେ ଚିଠିଟି ରଖି ଦେବ l ଶାଳିନୀ ସେଦିନ ଚିଠି ଟି ରଖି ଅନେକ ସମୟ ଅପେକ୍ଷା କରିଥିଲେ  କିନ୍ତୁ ଚିଠି ନେବାକୁ କେହି ଆସି ନ ଥିଲେ  l ଅନ୍ଧାର ହୋଇ ଯିବାରୁ ଫେରି ଆସିଥିଲେ ସେ l ତା ପର ଚିଠି ରେ ଲେଖା ହୋଇଥିଲା "ମୋତେ ଜାଣିବାକୁ କାହିଁକି ଚାହୁଁଛ ? ମୁଁ ତୁମର ଜଣେ ଶୁଭ ଚିନ୍ତକ l ଏତିକି କଣ ଯଥେଷ୍ଟ ନୁହେଁ  ?" ଧୀରେ ଧୀରେ ଚିଠି ସହିତ ଅଜଣା ପ୍ରେରକ ପ୍ରତି ମଧ୍ୟ ମାୟା ମୋହ ଲାଗି ଆସିଲାଣି l ପ୍ରତି ସପ୍ତାହର ଶନିବାର ଦିନ ସନ୍ଧ୍ୟା ସମୟରେ  ଇନଲାଣ୍ଡ ଲେଟରଟି ଆସି ଝରକା ପାଖେ ପଡିଥାଏ l 


ସେତେବେଳେ ସେ ନବମ ଶ୍ରେଣୀରେ ପଢୁଥାନ୍ତି  l ସୁଦୂର କଟକରେ ଥିବା ବାପା ଲେଖିଛନ୍ତି ଯେ ଆସିଲା ବେଳେ ଶାଳିନୀଙ୍କ ପାଇଁ ତାଙ୍କ ମନ ପସନ୍ଦ  ଶୁଆ କଲର ର  ଫ୍ରକ ନେଇ  ଆସିବେ l କିନ୍ତୁ ବାପା ଆସିଲେ ନାହିଁ  l ତାଙ୍କ ବଦଳ ରେ ଆସିଥିଲା ଗାଡି  ଦୁର୍ଘଟଣା ରେ ପ୍ରାଣ ହରାଇଥିବା ବାପା ଙ୍କ  ର ମୃତଦେହ ଓ ଶୁଆ କଲର ଫ୍ରକ ଉପରେ ରକ୍ତର କେଇ  ବୁନ୍ଦା  ଛିଟା l 


ବାପାଙ୍କ ମୃତ୍ୟୁ ପରେ ଶାଳିନୀ ପୁଣି ଥରେ ଦୌଡ଼ି  ଯାଇଥିଲେ ମନ୍ଦିର ପଛ ପଟ ବେଲ ଗଛ ର  ସେହି କୋରଡ଼ ନିକଟକୁ l ହୃଦୟ ନିଗାଡ଼ି ଦେଇ ଗୋଟିଏ ଚିଠି ଲେଖିଥିଲେ l ଶେଷ ରେ  ସେଇ ଅଜଣା ପତ୍ର ପ୍ରେରକ କୁ ପ୍ରାର୍ଥନା କରି ଲେଖି ଥିଲେ ତାଙ୍କୁ ଆସି ମୃତ୍ୟୁ ପ୍ରଦାନ କରିବା ପାଇଁ l ତହିଁ ପର ଦିନ ଉତ୍ତର ଆସିଥିଲା ଏବଂ  ଅଜଣା ପ୍ରେରକ ଟି ରାଗି ଉଠି ଲେଖିଥିଲା 


" ତୁମେ କଣ ଭାବୁଛ ତୁମର ଅବର୍ତମାନରେ ଦୁନିଆ ଅଚଳ ହୋଇଯିବ ? ହେଲେ ଯିବା ପୂର୍ବରୁ ଥରେ ମାତ୍ର ତୁମର ବିଧବା ମା ଓ ସାନ ଭାଇର ମୁହଁଟି ମାନ ଦେଖି ଯିବ  l " ଚିଠି ରେ ଆହୁରି ଅନେକ କଥା ଲେଖା ହୋଇଥିଲl ଯାହାକୁ  ପଢିବା ପରେ  ଶାଳିନୀ ଆଗାମୀ ଅନ୍ଧକାର ଭବିଷ୍ୟତ ସଙ୍ଗେ  ଯୁଝିବା ନିମନ୍ତେ ଅଣ୍ଟା ଭିଡି ବାହାରି ପଡ଼ିଥିଲେ l


ମା ତାଙ୍କର ଲୋକଙ୍କ ଘରେ କାମ କରି ତାଙ୍କୁ ଓ ସାନ ଭାଇ କୁ ପାଠ ପଢାଉଥାନ୍ତି  ମାତ୍ର ଅର୍ଥାଭାବ ଅନବରତ ଲାଗି ରହିଥାଏ l ମଝିରେ ମଝିରେ ଅର୍ଥାଭାବ ଯୋଗୁଁ କେତେକ  ଇଚ୍ଛା ପୂରଣ  ହୋଇ ପାରେନା l ଭାବନ୍ତି ସେଇ ଅଜଣା ପତ୍ର ପ୍ରେରକ କୁ ସାହାଯ୍ୟ ମାଗିବେ କିନ୍ତୁ ଲେଖିବାକୁ ହାତ ଯାଏନା l କେମିତି ଗୋଟିଏ ହୀନମନ୍ୟତା ଆସେ ମନ ଭିତରେ l  ଏମିତି ରେ କେତୋଟି ବର୍ଷ ବିତିଗଲା ପରେ ଋତ୍ଵିକ ଆସିଲେ ତାଙ୍କ ଜୀବନରେ l ଋତ୍ଵିକ ପାଖ ଗାଁ ର ହେଡ଼ ମାଷ୍ଟରଙ୍କ ପୁଅ l ସୁତରାଂ ମାଆଙ୍କର ବି ଅରାଜି ହେବାର କାରଣ ନାହିଁ l ଋତ୍ଵିକଙ୍କୁ ବିବାହ କଲା  ପରେ ଅନ୍ୟ ସହର କୁ ଚାଲି ଯାଇଥିଲେ ସେ  l ସେଠାରେ ଦିପୁ ଜନ୍ମ ହେଲା ଓ ଚିଠି ପତ୍ର ଆସିବା ବି ବନ୍ଦ ହୋଇ ଯାଇଥିଲା  l


ବେଳେ ବେଳେ ସେହି ଅଜଣା ଆଗନ୍ତୁକ ଜଣକ ପାଇଁ ମନ ଛଟପଟ  ହୁଏ l କିଏ ସେ ବ୍ୟକ୍ତି ଜଣକ ପୁରୁଷ ନା ମହିଳା ? ଦୈବୀଶକ୍ତି ନା ଅଶରୀରୀ  ?  ଶାଳିନୀ ଙ୍କ ଭଲା ସେ ମଙ୍ଗଳ ମନାସୁଛି କାହିଁକି l ଯେତେବେଳେ ଗାଁ କୁ ଆସନ୍ତି ପ୍ରତିଦିନ ମନ୍ଦିର ଯାଆନ୍ତି l ଏବେ ଆଉ ସେ ବେଲ ଗଛ ନାହିଁ  l ସେଇ ଯାଗାରେ ସିମେଣ୍ଟ ର ଚଟାଣ ଓ କେତୋଟି ଫୁଲ ଗଛ କୁଣ୍ଡରେ ଲାଗିଛି l ଲାଗେ ସତେ ଯେପରି ବେଲ ଗଛ ସହିତ  ଆଗନ୍ତୁକଟି ମଧ୍ୟ  ଶୂନ୍ୟ ରେ କୁଆଡେ ଉଭେଇ ଗଲା l ବାପ ଘର ଗାଁ କୁ ଆସିଲେ ଚିଠି ଲେଖିବାକୁ ସମୟ ମିଳେନି l ବହୁତ ମନେ ପକାନ୍ତି ତାକୁ l କିନ୍ତୁ ଚିଠି ଲେଖିବା ଜରୁରୀ ନଥାଏ l ଏବେ ଆଉ ସମସ୍ୟା କିଛି ନାହିଁ l ଋତ୍ଵିକ ବି ପାଖରେ ଅଛନ୍ତି ସାହାରା ଦେବା ପାଇଁ l ସବୁ ସମାଧାନ ତାଙ୍କ ପାଖରେ ଉପଲବ୍ଧ l ଅଜଣା ପ୍ରେରକର ଭୂମିକା ଏବେ ତାଙ୍କ ଜୀବନରେ ନାହିଁ କହିଲେ ଚଳେ l


ଘର ସଂସାର ଦିପୁ ର ପାଠ ପଢା ଓ ତାର ଚାକିରୀ ଗୋଟିଏ ପରେ ଗୋଟିଏ ଘଟଣା ଭିତରେ ଶାଳିନୀ ପତ୍ର ପ୍ରେରକକୁ ଇତି ମଧ୍ୟରେ ଭୁଲି ଯାଇଛନ୍ତି l ଆଜି କାଲି ତାଙ୍କୁ କେମିତି ଗୋଟେ ଏକୁଟିଆ ଭାବ ମାଡି ବସୁଛି l ଏବେ କାମ ବି କିଛି ନାହିଁ ଘରେ l ଦୁଇ ଜଣ ଙ୍କ ପାଇଁ କେତେ ଅବା କାମ l ବେଳେ ବେଳେ ପତ୍ର ପ୍ରେରକଟି ହଠାତ ମନେ ପଡ଼ିଯାଏ l କୁଆଡେ ଉଭେଇ ଗଲା ସେ l ନା ସେଇ ଗଛ ର କୋରଡ଼ ନା ସେଇ ଅଜଣା ବ୍ୟକ୍ତି l ସେ ନିଜ ଆଡୁ ଚିଠିଟିଏ ଲେଖିଲେ ହୁଅନ୍ତାନି ? ନା ନା ଜାଣି ଜାଣି କି କାଦୁଅରେ ଗୋଡ଼ ଦେବେ କାହିଁକି l ଥାଉ ସିଏ ଚାଲିଗଲା ଭଲ ହେଇଛି l


ହଠାତ ସେଦିନ ଦିପୁର ଖଣ୍ଡିଏ  ଚିଠି ଆସିଲା l ଦେହ ତାର ଭୀଷଣ ଖରାପ l କରୋନା ପଜିଟିଭ ବାହାରିଛି l ନା ଦିପୁ ଏଠାକୁ ଆସି ପାରିବ ନା ଏମାନେ ତା ପାଖକୁ  ଯାଇ ପାରିବେ l ଶାଳିନୀ ଓ ଋତ୍ଵିକ ପାଗଳ ହୋଇ ଗଲେଣି l ଉଭୟ ଙ୍କୁ  ଦୁବାଇ ଯିବା ପାଇଁ କେତେ ଜଣ ବୁଦ୍ଧି ବତାଇଲା ବେଳକୁ ଆଉ କେତେ ଜଣ ଗ୍ରହ ଶାନ୍ତି ର ଉପାୟ  କହିଲେଣି  l ଯେତେ ହେଲେ ବାପା ମା ସେମାନେ l ମନ ତ ମୋଟେ ବୁଝିବ ନାହିଁ  l ଏଣେ ଶାଳିନୀ ଗାଁ କୁ ଯିବାକୁ ବାହାରିଲେଣି l ଉଦେଶ୍ୟ ଥିଲା ନୀଳକଣ୍ଠେଶ୍ଵର ଙ୍କ ଦର୍ଶନ କରି ଚିଠିଟିଏ ଛାଡି ଆସିବେ l ଠାକୁରଙ୍କ ଆଶୀର୍ବାଦରେ  ଦିପୁ ଭଲ ହୋଇଯିବ l ହୁଏତ ଅଜଣା ବ୍ୟକ୍ତି ଟି ର ଦି ପଦ ଲେଖା ପଢିଲେ ତାଙ୍କୁ ବି ଧର୍ଯ୍ୟ ମିଳିଯିବ l ଦିପୁ ବିଷୟରେ ଶୁଣିବା ଦିନ ଠୁ ତାଙ୍କର ନିଦ ହଜି ଗଲାଣି l


ତାଙ୍କର ଗାଁ କୁ ଯିବା କଥା ଶୁଣି ଋତ୍ଵିକ ରାଗରେ ଅସମ୍ଭାଳ  ହେଲେଣି l କଥା ଯାଇ କୋଉଠି ପହଞ୍ଚିଲାଣି ଅଥଚ ଶାଳିନୀଙ୍କର ନୀଳକଣ୍ଠେଶ୍ଵର ମନ୍ଦିର ପ୍ରୀତି ଛାଡ଼ୁନାହିଁ l ଆରେ ଭଗବାନ କଣ ଏଇଠି ନାହାନ୍ତି କି ? ସେଠିକି ଯିବା କଣ ଦରକାର ? ହେଲେ ଶାଳିନୀ ନଛୋଡବନ୍ଧା l ଦିପୁ ର ଶୁଭ ମନାସିବାକୁ ସେ ମନ୍ଦିର ଯିବେ ହିଁ ଯିବେ l ଭୋର ରୁ ଯାଇ ଗାଁ ରେ ପହଁଚିଲେ l ମା ଓ ଭାଉଜ ଅବାକ ହେଲେଣି କଥା କଣ ? ଘର ଲୋକଙ୍କୁ ଅଧିକା କିଛି ନ କହି ସିଧା ମନ୍ଦିର ବାହାରି ଗଲେ l ଦର୍ଶନ ପରେ ଭଗବାନ ଙ୍କୁ ମନାସି ସାରି  ମନ୍ଦିର ପଛ ପଟକୁ ଗଲେ l ବେଲ ଗଛ ତ ନାହିଁ କେତୋଟି ଫୁଲ ଗଛ ଓ କୂଅଟିଏ ଏବେ କେତେ ଦିନ ହେଲା ଖୋଳା ହେଇଛି  l


ପୁଅ ବିଷୟ ରେ  ଲେଖି ସାରି ଅଜଣା ପ୍ରେରକ ଉଦେଶ୍ୟ ରେ  ଚିଠି ଟି ଏ କୂଅ ପାଖେ  ଥିବା ପଥର ସନ୍ଧିରେ ଥୋଇଲା ବେଳେ ଆଖିରୁ ଟୋପାଏ ଲୁହ ଖସି ଚିଠି ଉପରେ ପଡି ଯାଇଥିଲା l ଯାହାକୁ  ସବୁ ପ୍ରକାର ବେଦନା ଖୋଲି କହୁଥିଲେ ଓ ଯାହାର ଅଭୟ ଆଶ୍ରୟରେ ସେ ନିରାପଦ ମଣୁଥିଲେ ଆଜି ହୁଏତ ସେ ମରି ହଜି ଯାଇଥିବ କିମ୍ବା ଅନ୍ୟ କେଉଁଠି ଥିବ l ଆଉ କଣ ଉତ୍ତର ମିଳିବ ?  ଫେରି ଆସିଲେ ସେ l ରାତି ରେ ଶୋଇ ପାରୁ ନଥାନ୍ତି l ସକାଳୁ ଡାକବାଲାକୁ ଦେଖି ଦୌଡ଼ି ଯାଇଥିଲେ l


ଡlକବାଲା ହାତରେ ଗୋଟିଏ ଇନଲାଣ୍ଡ ଲେଟର l ପ୍ରେରକର ନାମ  ନାହିଁ l ଡlକବାଲା କୁ ପଚାରିଥିଲେ ଏ  ବିଷୟରେ l କିନ୍ତୁ ସେ କହିଥିଲା ଯେ ଲେଟର ବକ୍ସରୁ ପାଇଛି l ଧୀରେ ଧୀରେ ଖୋଲିଲେ ଚିଠିଟି l "କାହିଁକି ବ୍ୟସ୍ତ ହେଉଛ ? ତୁମେ ଜଣେ ମା l ମା ର ସାହସ ଓ ଧର୍ଯ୍ୟ ଆଗରେ ସ୍ୱୟଂ ଭଗବାନ ହେଲେ ବି ହାର ମାନିବେ l ଅଥଚ ମା ହୋଇ ଏଭଳି ଅଥୟ ହୁଅନ୍ତି କଣ ? ଫେରି ଯାଅ l ଘରେ ଯାଇ ପୁଅ ର ସ୍ୱାସ୍ଥ୍ୟ ଠିକ ହେବା ପର୍ଯ୍ୟନ୍ତ  ଅପେକ୍ଷା କର l ଏତେ ବ୍ୟସ୍ତ ହୋଇ ଏଠିକି ଆସିଲେ ସମସ୍ତେ  ସନ୍ଦେହ କରି ପାରନ୍ତି l ସେଭଳି ଭୁଲ ଆଉ କରିବ ନାହିଁ l ଏଇଟି ମୋର ତୁମକୁ ଶେଷ ଚିଠି l "


ଚିଠି ଶେଷରେ ଟୋପାଏ ଜଳ ବିନ୍ଦୁ  l ପ୍ରେରକ ବି ବୋଧେ ଲେଖି ସାରି ଅଶ୍ରୁପାତ କରିଛି l ଚିଠି ଟି ଚିରି ଦେବା ଆଗରୁ ଶାଳିନୀ ଆଉ ଥରେ ଚିଠି ଟି କୁ ଦି ହାତରେ ଧରି ଅଜଣା ଶୁଭାକାଂକ୍ଷୀଟିର ସ୍ନେହବୋଳା ସ୍ପର୍ଶ ଅନୁଭବ କରୁଥିଲେ l ଏବେ ବି ସେ ଜାଣନ୍ତି ନାହିଁ ପ୍ରେରକ ଜଣକ  କିଏ ଥିଲା  l ଦେବ ନା ଦାନବ l ମଣିଷ ନା ଅଶରୀରୀ  l କିନ୍ତୁ ସେ କେହି ଜଣେ ଯେ କି ଆଜି ଯାଏ କେଉଁଠି ହେଲେ ଶାଳିନୀଙ୍କୁ ଝୁଣ୍ଟି ପଡ଼ିବାକୁ ଦେଇନାହିଁ l ପ୍ରେରକ ଜଣକ ନିଜେ ଋତ୍ଵିକ ନୁହନ୍ତି ତ ?


Rate this content
Log in