Padmalaya Padhy

Inspirational

4  

Padmalaya Padhy

Inspirational

ପିଲୁ

ପିଲୁ

5 mins
221



ଦିନୁ ମାଷ୍ଟ୍ରଙ୍କର ଏକମାତ୍ର ପୁଅ ଚିତ୍ର ଆଙ୍କିବ ? ଛି ଛି l ଜଣେ ସୁନାମଧନ୍ୟ ଶିକ୍ଷକଙ୍କ ପୁଅ ହୋଇ କବିତା ଲେଖିବ ? ଆରେ ? ଦିନୁ ମାଷ୍ଟ୍ରଙ୍କର ପୁଅ ପୁଣି ଗୀତ ଗାଇବ ? କଣ ଆଖଡ଼ା ଦଳରେ କାମ କରିବୁ କିରେ ? ଏମିତି ପଚାରି ପଚାରି ମୋତେ ଲାଗିଲା ମୋ ପାଇଁ ସବୁ କଥାରେ ଗୋଟେ ଅଲିଖିତ ନିଷେଧାଦେଶ ଜାରି ହୋଇ ଯାଇଛି l କାରଣ ମୁଁ ହେଲି ଦିନୁ ମାଷ୍ଟ୍ରଙ୍କର ପୁଅ ପାର୍ଥ ସାରଥୀ ଓରଫ ପିଲୁ l ମୁଁ ଖାଲି ଡାକ୍ତର କି ଇଞ୍ଜିନିଅର ନହେଲେ ଅଫିସରଟିଏ ହୋଇ ପାରିବି l ଆଉ କିଛି କରି ପାରିବି ନାହିଁ l


ଖରା ଛୁଟିରେ ସବୁ ସାଙ୍ଗ ଧମାକା କରି ମାମୁଁ ଘର, ଆମ୍ବ ତୋଟା କି ଆଇନା ବନ୍ଧରେ ନିଜର ଅସ୍ତିତ୍ତ୍ୱ ଜାହିର କଲା ବେଳେ ମୋତେ ଉପର କ୍ଲାସ ପାଇଁ ପାଠ ବହି ସବୁ ଖୋଲି ବସିବାକୁ ହେଉଥିଲା l ରାସ୍ତାରେ ଦେଖା ହେଲେ ଲୋକ ପଚାରୁ ଥିଲେ ଆରେ ପିଲୁ ! ଅଙ୍କ ବହି କେତେ ଥର ରିଭିଜନ କଲୁଣି କିରେ ? ତୋର ତ ଶିରା ପ୍ରଶିରାରେ ଗଣିତ ପ୍ରବାହିତ l ତୋତେ କି ଚିନ୍ତା ?


ମୋତେ ତ ଆଲଜେବ୍ରାର ଏକ୍ସ ୱାଇ ଗୁଡ଼ିକ ଝିଂଟିକା ପରି ଦିଶନ୍ତି l ମୁଁ ବୁଝି ପାରୁ ନଥିଲି ଯେ ମୋ ଶିରା ପ୍ରଶିରାରେ ରକ୍ତ ପ୍ରବାହିତ ନହୋଇ ଗଣିତ କେମିତି ପ୍ରବାହିତ ହେଲା l ବାପାଙ୍କର ବି କଥା କଥାରେ ତୁ ମୋ ପୁଅ କେମିତି ହେଲୁ ନା ବୋଲି ଖୁଣ୍ଟା ଦେବା କଥାଟି ବହୁତ ବାଧୁ ଥିଲା ପିଲା ଦିନେ l ପରୀକ୍ଷା ସମୟରେ ସବୁ ପିଲାଙ୍କ ମା ମାନେ ପିଲାଙ୍କ ଖୁସି ପାଇଁ ଭଳିକି ଭଳି ଖାଦ୍ୟ ଦ୍ରବ୍ୟ ଘରେ ତିଆରି କରି ପିଲା ମାନଙ୍କୁ ଦେଲାବେଳେ ମୋ ବୋଉ ପୋଡ଼ା କଞ୍ଚା ଯାହିତାହି କଣ ଦିଟା ଫୁଟେଇ ଦେଇ ମୋତେ ପଢ଼ା ପାଖରେ ଜଗି ବସିଥାଏ l ମଝିରେ ମଝିରେ କହେ-


—ପିଲୁରେ ! ତୁ ପାଠ ପଢ଼ିଲା ବେଳେ ବାହାରକୁ କାହିଁକି ଦେଖୁଛୁରେ ଧନ? ବାହାରେ କିଏ ଅଛି କହିଲୁ ?


—ନାଇଁ ଲୋ ବୋଉ ଦେଖ ସେ ଯୋଉ ନଡ଼ିଆ ଗଛଟା ନାହିଁ ତା ଉପରେ ଗାଢ଼ ଶାଗୁଆ ରଙ୍ଗର ଶୁଆଟିଏ ଆସି ବସିଥିଲା ଯେ ଏ ନିଆଁଲଗା ମାଙ୍କଡ଼ଟା ସହି ନପାରି ତା ସହିତ ଲାଗିଲା କେମିତି ଦେଖ l ବିଚରା ଶୁଆଟା ଉଡ଼ିଗଲା l ଏ ଦୁନିଆରେ କିଏ ବି କାହାକୁ ଶାନ୍ତିରେ ରହିବାକୁ ଦେଉନାହିଁ l ଯେମିତି ତୁ ମୋତେ…. l


—ମୋ ଧନଟା ପରା l ତୁ ହେଲୁ ଏଡ଼େବଡ଼ ଗଣିତ ମାଷ୍ଟ୍ରଙ୍କର ପୁଅ l ତୁ କଣ ମୂଲ ଲାଗିବୁ ଯାଇକି ? ଲୋକ କଣ କହିବେ ? ତୋ ବାପା ପରା କେତେ କେତେ ଗଧ ପିଲାଙ୍କୁ କୋଉଠୁ ନେଇ କୋଉଠି ପହଞ୍ଚାଇ ଦେଇଛନ୍ତି ଯେ ଆଜି ସେମାନେ ରାସ୍ତାରେ ତାଙ୍କୁ ଦେଖିଲେ ଭୂଇଁରେ ମୁଣ୍ଡ ଲଗେଇ ମୁଣ୍ଡିଆ ମାରି ଆଶୀର୍ବାଦ ନେଉଛନ୍ତି ? ନିଜ ପିଲାଟା ଶେଷରେ …. ? ବାପା ମୋତେ ପାଠ ପଢ଼ାଇ ସାରି ଯାଇ ଶୋଇବେ ଏବଂ ବୋଉ ମୋ ପାଖରେ ବସିଥିବ ମୋ ପଢ଼ା ସରିବା ଯାଏଁ ରାତି ଅନିଦ୍ରା ହୋଇ l ଏ ପୃଥିବୀରେ ଜଣେ ମାତ୍ର ଫୁଙ୍କି ଫୁଙ୍କି ବାଟ ଚାଲୁଥାଏ ସେ ଜଣକ ହେଲି ମୁଁ l କାରଣ ଦିନୁ ସାରଙ୍କ ପୁଅ ଯେ ମୁଁ l ଗଉଡ଼ ସାହିର ନରିଆ ଜଗା ଏମାନେ ବରଂ ଭଲ ଏମାନଙ୍କୁ କହିବାକୁ କେହି ନାହିଁ l ଯାହା ମନ କର ଯୁଆଡେ ଯାଉଛ ଯାଅ l


ସେ ସ୍କୁଲରେ ମାଟ୍ରିକ ପାସ କରିବା ଯାଏଁ ପାଠ ପଢ଼ିଲି ହେଲେ ଆମ ସେକ୍ସନର ଝରଣା ସାଙ୍ଗରେ ଥରେ ବି ମନ ଭରି କଥା ହେଇ ପାରିଲି ନାହିଁ l ଝରଣା ଆମ ସ୍କୁଲର କୁଇନ ଏବଂ ତାକୁ ଦେଖିଲେ ମୋତେ ଭଲ ଲାଗେ l ଲମ୍ବା କଳା ମଚ ମଚ ଚୁଟି ସାଙ୍ଗକୁ ତୀର୍ଯ୍ୟକ ଚାହାଣି, ପୁଣି ହସିଦେଲେ ଓଠ ଦୁଇଟି ଟିକିଏ ପ୍ରସାରିତ ହେବ ଦୟା କଲା ପରି l ସେଇଟା ତ ତାକୁ ଏତେ ସୁନ୍ଦରୀ କରିଦିଏ ଯେ ସମସ୍ତେ ତା ପଛରେ l ହେଲେ ପାର୍ଥ ସାରଥୀ ବାବୁ ? ଦିନୁ ମାଷ୍ଟ୍ରଙ୍କର ପୁଅ ପରା l ଏସବୁ ଲଫଙ୍ଗା ବାଜି ଛି ? ମୋତେ ସେଇଟା ବି ମନା l ମାଟ୍ରିକରେ ଥାର୍ଡ଼ ଡିଭିଜନର ପୁଅକୁ ପ୍ରାଇଭେଟ କଲେଜରେ ଜମି ବିକ୍ରି ପଇସା ଡୋନେସନ ଦେଇ ପୁଣି ଥରେ ବିଜ୍ଞାନ ପଢ଼ାଇବାର ସତ ସାହାସ କେବଳ ମୋ ବାପା ଦୀନବନ୍ଧୁ ହିଁ କରି ପାରନ୍ତି l ସେଠୁ କେମିତି ପାସ କରିଗଲେ ପୁଣି ଚେଷ୍ଟା କରି ପରୀକ୍ଷା ଦେଇ ସିଧା ଡାକ୍ତର ହୋଇଯିବି ମୁଁ l କଲେଜ ଗଲେ ବାହାର ଦୃଶ୍ୟ ଦେଖିବା ପାଇଁ ଝର୍କା ପାଖରେ ବସେ l ମାଳ ମାଳ ଛାତ୍ରୀ ପ୍ରଜାପତି ଭଳି ଏକଡ଼ ସେକଡ଼ ହେଉଥିବେ l ଦେଖି ଦେଖି ପଇଁଚାଳିଶ ମିନିଟର ପିରିଅଡଟା କେମିତି ଯେ ସରିଯାଏ ଜଣା ପଡ଼େନି l କିନ୍ତୁ ମୁଁ କେବେ କାହାକୁ ଖରାପ ବ୍ୟବହାର କରିନାହିଁ l କିନ୍ତୁ ଦୁନିଆରେ କଣ ପାଠ ହିଁ ସବୁ ?


ସପ୍ଲିମେଂଟାରୀରେ ବି ଫେଲ ହୋଇ ମୁଁ ଘରେ ବସିଲି l ଝରଣା ପ୍ଲସଥ୍ରୀ ରେ ଜଏନ କରି ନିତି ସେଇବାଟେ ଯାଏ କଲେଜକୁ l ମୋତେ ଲାଗେ ଆଉ ଗୋଟେ ରାସ୍ତା ଥିଲା ବେଳେ ସେ ଜାଣି ଜାଣି ମୋ ଘର ବାଟେ ଯାଉଛି ଖାସେ ମୋ ସାଙ୍ଗେ ଦେଖା ହେବ ବୋଲି l ବେଳେ ବେଳେ ସେ ଚାଲି ଚାଲି ଯିବାର ଦେଖିଲେ ମୁଁ ବାହାରକୁ ଚାଲି ଆସି ହସିବାକୁ ଚେଷ୍ଟା କରେ କିନ୍ତୁ ସିଏ ତାର ସେଇ ଭୁବନ ମୋହିନୀ ହସ ଯାହା ସ୍କୁଲରେ ହସୁଥିଲା ଆଉ ହସେ ନାହିଁ l ଏମିତି କେତେ ନା ସମୟ ହାତ ପାଆନ୍ତାରୁ ଚାଲି ଯାଏ ଆଉ ଫେରେନାହିଁ l ବାପା ଦିନକୁ ଦିନ ଗମ୍ଭୀର ହୋଇ ଯାଉଥାନ୍ତି l ବୋଉ ଆଜିକାଲି ବେଶୀ ବେଶୀ ଶୂନ୍ୟକୁ ଚାହିଁ କେଜାଣି କାହା ଉଦ୍ଦେଶ୍ୟରେ ହାତ ଯୋଡୁ ଥାଏ l


ସେଦିନ ଦି ପହରରେ ବାପା ଶୀଘ୍ର ଖାଇ ଉଠିଗଲେ ଶୋଇବା ପାଇଁ l ମୁଁ ସପ୍ଲିମେଂଟାରୀରେ ଫେଲ ହେବା ଠାରୁ ତାଙ୍କର ମୋର କଥା ବାର୍ତ୍ତା ପ୍ରାୟ ନାହିଁ କହିଲେ ଚଳେ l ତେଣୁ ବୋଉ ଆଉ ମୁଁ ଏକାଠି ଖାଇ ବସୁ l ହଠାତ କିଏ ଜଣେ ଜୋରରେ ଦରଜାଟିକୁ ଦୁଇ ତିନି ଥର ପିଟିଲା l ମୁଁ ଯାଇ କବାଟ ଖୋଲି ଦେଖେତ…ଆରେ ଝ…ଝ.. ରଣା ? ବୋଉ…ଲୋ…ଝରଣା ଆସିଛନ୍ତି ଆ l ମୁଁ ଗୋଟେ ଗାମୁଛା ପିନ୍ଧିଥାଏ ହଠାତ ନାଲି ଟୁକୁ ଟୁକୁ ସାଧବ ବୋହୂଟିକୁ ଦେଖି କୋଉଠି ଲୁଚିବି ଜାଣି ପାରିଲି ନାହିଁ l ହେଲେ ଠିକ ଟାଇମରେ ବୋଉ ଆସିଗଲା l ଝରଣା ବୋଉର ପାଦ ଛୁଇଁ ଧୀରେ ଯାଇ ଚୌକିଟିରେ ବସିଗଲା l ନାଲିଆ ଶାଢ଼ୀ ନାଲିଆ ବ୍ଲାଉଜ ଲିପିସ୍ଟିକ ନେଲପଲିସ ସବୁ କିଛି ନାଲି ନାଲି l ବାରମ୍ବାର ସିଏ ଶାଢ଼ୀ ଭିତରେ ପାଦ ଦୁଇଟାକୁ କଥା କହି କହି ଘୋଡ଼ାଇ ଦେଉଥାଏ l ସେଇଠୁ ବୋଉ ପଚାରି ଦେଲା ଯେ ଇଆଡ଼େ କେମିତି ଆସିଲୁ କଣ କାମ ଥିଲା କି ? 


ଝରଣା ତ ପ୍ରାୟ ଭୁଲି ଯାଇଥିଲା ଆସିବାର ଉଦ୍ଦେଶ୍ୟ l ହଠାତ ଦୁଇ ଭାଙ୍ଗ ହୋଇଥିବା ଶାଢ଼ୀ ପ୍ୟାକେଟରୁ କିଛି ଗୋଟେ ବାହାର କରି ବୋଉ ହାତରେ ଧରାଇ ଦେଇ କହିଲା -


—ମାଉସୀ ଆସନ୍ତା ସତର ତାରିଖ ଦିନ ମୋର ବାହାଘର l ଏଇ ରହିଲା କାର୍ଡ l ଆପଣ ମାନେ ନିଶ୍ଚୟ ଆସିବେ l


 ତା ବର ପୁଣି ଜଣେ ଡକ୍ଟର !!!! ଆଉରି ହୃଦୟ ବିଭାଗରେ ଏବଂ ପିଲାଟି ନୂଆ ନୂଆ ପାସ କରିଛି l ସାରା ପୃଥିବୀ ମୋ ଚାରିପଟେ ଘୁରି ବୁଲୁଥିଲା ଏବଂ ସ୍ଥିର ଥିଲା ତ କେବଳ ଝରଣାର ପାଦ ଦୁଇଟି l କେତେବେଳୁ ସେ ଚାଲିଗଲାଣି ମୁଁ ତାର ଯିବା ରାସ୍ତାକୁ ଚାହିଁ ରହିଛି l ହଠାତ ମୁହଁ ଫେରାଇ ଦେଲା ବେଳକୁ ବୋଉ ସହିତ ଆଖିରେ ଆଖି ମିଶିଗଲା l ତାକୁ କୁଣ୍ଢେଇ ଧରି ଭେଁ ଭେଁ କାନ୍ଦିବାରେ ଲାଗିଲି l


—ସତରେ ଲୋ ବୋଉ ଆଜି ମୁଁ ଦିନୁ ମାଷ୍ଟ୍ରଙ୍କ ପୁଅ ହେବାକୁ ଚାହୁଁଛି l ନହେଲେ ଏ ଦୁନିଆରେ ମୋର ସ୍ଥାନ ନାହିଁ ଲୋ ବୋଉ l


ଅନ୍ୟ ଦିନ ହୋଇଥିଲେ ବୋଉ କହିଥାନ୍ତା ଦେଖ ଦେଖ କେମିତି ଝିଅ ପିଲାଙ୍କ ପରି କାନ୍ଦୁଛି ଦେଖ l ହେଲେ ସେଦିନ କିଛି କହିଲା ନାହିଁ l ଜୁଳୁ ଜୁଳୁ କରି କେତେ ସମୟ ଖାଲି ମୋତେ ଚାହିଁ ସାରି କହିଲା 


—ତୁ ସବୁ ବେଳେ ଆମ ପୁଅରେ ଧନ l ତୁ ଆମର ଗୋଟିକ ତୋ ବିନା ଆଉ କିଏ ଅଛି କହିଲୁ ? ତୋ ଭଲ ପାଇଁ ଆମେ ତୋତେ ଶାସନ କରୁ l ନହେଲେ ତୋତେ ଦୁଃଖ କଷ୍ଟ ଦେବାର ଉଦ୍ଦେଶ୍ୟ ନାହିଁ l ପଛକଥା ଭୁଲି ଯାଆରେ ବାପା l ପ୍ରତ୍ୟେକ ବ୍ୟକ୍ତି ଈଶ୍ୱରଙ୍କର ଗୋଟିଏ ଗୋଟିଏ ସ୍ୱତନ୍ତ୍ର ସୃଷ୍ଟି l ତେଣୁ ସାରା ଦୁନିଆ ପଡ଼ିଛି ତୋ ପାଇଁ ଖେଦି ଯା l ଗୋଟେ ରାସ୍ତାରେ ନହେଲେ ଆଉ ଶହେଟି ରାସ୍ତା ଅଛିରେ ବାବୁ l ଡେରିରେ ହେଲେ ବି ତୁ ବୁଝି ପାରିଲୁ ବଡ଼ କଥା l ହେଲେ ଗୋଟେ କଥା ମନେ ରଖ l କେବେ କାହାର କ୍ଷତି କରିବୁ ନାହିଁ l ଆଉ କୋଉ ଝରଣା ମ ସିଏ ? ତାଠୁ ଶହେ ଗୁଣା ଗୁଣବତୀ ବୋହୁଟିଏ ମୁଁ ତୋ ପାଇଁ ବାଛି ଆଣିବି l ଦେଖିବୁ ରହ l


ପିଲୁ ଆଉ ଏବେ କାନ୍ଦୁ ନଥିଲା l ପିଲୁ ଏବେ ଦିନୁ ମାଷ୍ଟ୍ରଙ୍କର ସୁଯୋଗ୍ୟ ସନ୍ତାନ ହେବା ପାଇଁ ଚେଷ୍ଟା କରୁଥିଲା l


             


Rate this content
Log in

Similar oriya story from Inspirational