Padmalaya Padhy

Others

3  

Padmalaya Padhy

Others

ଉତ୍ତର ପାଇ ନଥିବା ପ୍ରଶ୍ନ

ଉତ୍ତର ପାଇ ନଥିବା ପ୍ରଶ୍ନ

6 mins
165


ତା ନାଁ ଥିଲା ମୁଗ୍ଧା କିନ୍ତୁ ତାକୁ ଦେଖି କେହି ମୁଗ୍ଧ ହେଉ ନଥିଲେ ବରଂ ଏକ ସହଜିଆ ନାମରେ ନାମିତ କରି ଦେଇ ଥିଲେ ତାହା ହେଲା ଜାଡ଼ି l ସେ କଥା କହି ପାରୁ ନଥିଲା l ତାର ଜିଭ ଥିଲା କଣ୍ଠ ଥିଲା ଓଠ ଥିଲା କିନ୍ତୁ କଥା କହିବା କାମରେ ନଲାଗି ଖାଲି ଘୁଡୁ ଘୁଡୁ ହେଉଥିଲା l ହେଲେ ଠାରରେ ଅନେକ କଥା ବୁଝାଇ ଦେଇ ପାରୁଥିଲା ସେ l ତଥାପି ତା ସାଙ୍ଗେ କଥା ହେବାକୁ କେହି ଚାହୁଁ ନଥିଲେ କି ତାକୁ କେହି କିଛି ପ୍ରଶ୍ନ ପଚାରୁ ନଥିଲେ l ଗୋଟେ ଦୃଷ୍ଟିରୁ ତାହା ଭଲ ଥିଲା ଜାଡ଼ି ପାଇଁ l ତାକୁ ସ୍କୁଲରେ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ହେଉ ନଥିଲା କି ଅପମାନିତ ହେବାକୁ ପଡ଼ୁ ନଥିଲା l ଘରେ ବାପା ବୋଉ କଥା କହି ପାରୁଥିବା ତାର ସାନ ଭଉଣୀକୁ ଯେତିକି ସ୍ନେହ କରୁଥିଲେ ତାକୁ ବି ସେତିକି କରୁଥିଲେ l ତାକୁ ବରଂ ଟିକିଏ ଅଧିକା ଅଧିକା ସବୁ କିଛି ମିଳୁଥିଲା l ନା ଘଣ୍ଟାଏ ଘଷି ମାଜି ହେଇ ଗାଧୋଇଲେ କେହି କହିବାକୁ ଅଛି ନା ଅଧ ଘଣ୍ଟାଏ ଧରି ଖାଇଲେ କିଏ କହିବ ଯେମିତି ତା ସାନ ଭଉଣୀକୁ କୁହାଯାଏ l ମୁଗ୍ଧା ସବୁବେଳେ ମୁଗ୍ଧ ଥାଏ ତା ପରିବେଶକୁ ନେଇ ତା ପରିବାରକୁ ନେଇ ତାର ସଙ୍ଗ ହୀନ ଦୁନିଆରେ ସବୁବେଳେ ସିଏ ଖୁସି ଥାଏ l ଭବିଷ୍ୟତ ଚିନ୍ତା ନାହିଁ କି କିଏ କଣ କହିଲା ନକହିଲା ମୁଣ୍ଡକୁ ନେବାକୁ ନାହିଁ l 


ସେଦିନ ତା ବୋଉକୁ କୁନ୍ତଳା ଆଈ କହିଲା


—ହଇଲୋ ତୋ ଝିଅଟା ଏଡ଼ିକି ବୋକି ବୋଲି ମୁଁ ଜାଣି ନଥିଲି ? ତାର ତ ନିଜ ବିଷୟରେ ଚିନ୍ତା ହିଁ ନାହିଁ ? ନା ବର୍ତ୍ତମାନ ନା ଭବିଷ୍ୟତ କିଛି ଦକ ନାହିଁ କୋଉ କଥାକୁ l


—ଚିନ୍ତା କଲେ କଣଟା ଅଧିକା କରି ପକାଇବ ଆଈ ? ଯୋଉଟା ଭଗବାନ ଚିନ୍ତା କଲେନାହିଁ ଆମେ ମଣିଷ ହୋଇ ତାକୁ ବଦଳାଇବାକୁ ସାଧ୍ୟ ଅଛିକି ? ନହେଲେ ଆଉ ପାଞ୍ଚଟା ଝିଅ ଭଳି ଇଏ ବି ପାଠଶାଠ ପଢ଼ି ଥାଆନ୍ତା ବଡ଼ ମଣିଷ ହୋଇଥାନ୍ତା ଆଈ l ସବୁ ମୋ କପାଳ ମନ୍ଦ l


—କିଲୋ ତୁ ବି ତୋ ଝିଅ ଭଳି ମସ୍ତ ବଡ଼ ବୋକି ମୁଁ ଦେଖୁଛି l ପାଠ ଶାଠ କଥା ଛାଡେ

ବା ! ଭଲ ପିଲାଟିଏ ତା ହାତ ଧରି ଉଦ୍ଧାର କରିଦେବ ଯଦି କାହିଁରେ କଣ l ସେଥିପାଇଁ ଏବେ ଝିଅକୁ ନେଇ କୋଉଠି ଘଷା ମଜା କରି ଆଣ l ମୋ ବୋହୁ ତ ମାସକୁ ଥରେ ଯାଇ ଚୁଟି କାଟିବା ଠାରୁ ଆରମ୍ଭ କରି ମୁହଁ ହାତ ସବୁ ଚିକ୍କଣ କରି ଆସୁଛି l


ମୁଗ୍ଧାର ବୋଉ ଜାଣେ ତା ଝିଅ କଥା କହି ନପାରିଲେ ବି ଦେଖିବାକୁ ଯଦି ଟିକିଏ ସୁନ୍ଦର ଥାଆନ୍ତା ତେବେ ଆଉ ଚାରି ପାଞ୍ଚ ବର୍ଷ ପରେ କଥା ଜମନ୍ତା l କିନ୍ତୁ ତା ଭାଗ୍ୟରେ ସେତକ ବି ନାହିଁ l ଦେଖିବାକୁ ଚମର ରଙ୍ଗ ତ ପୋଡା କାଠ ଭଳି ସେଥିରେ ଦାନ୍ତ ଗୁଡ଼ିକ ଓଠର ବୋଲ ନମାନି ସବୁ ବାହାରକୁ ଆସି ଯାଇଛନ୍ତି l ସମାଜରେ ପ୍ରଚଳିତ ସୌନ୍ଦର୍ଯ୍ୟର ମାପ କାଠିରେ ତା ଝିଅ ପାସଙ୍ଗରେ ପଡ଼ିବ ନାହିଁ l ଆଈ ସାମ୍ନାରେ ନକହିଲେ ବି ତା ବୋଉ ଜାଣେ ସେ କେତେଥର ଝିଅକୁ ଝିଆରୀ ମାନଙ୍କ ସହ ଘଷି ମାଜି ହେବା ପାଇଁ ପାର୍ଲରକୁ ପଠାଇଛି l ହେଲେ ବି କିଛି ଲାଭ ହୋଇନାହିଁ l ମା ହିସାବରେ ସିଏ କଣ ନିଜ ଝିଅ ପାଇଁ କମ ଚେଷ୍ଟା କରିଛି କି ? ହଉ ଝିଅ ମନରେ କେବେ ବି ଦୁଃଖ କିମ୍ବା ବିଷାଦର ଚି଼ହ୍ନ ବର୍ଣ୍ଣ ନଥାଏ ସେଇଟା ହିଁ ବଡ଼ କଥା l


ଝିଅଟି ଯାଏ ଟିଉସନ ହେବାକୁ l ଚଉଦ ବର୍ଷର ଝିଅ ଅଷ୍ଟମରେ ପଢ଼ୁଛି l ପଢ଼ୁଛି ତ ପଢ଼ୁ ଯାଉଛି ତ ଯାଉ l ପାଟିତ ଖୋଲୁନାହିଁ ପାଠ ପଢ଼ି କଣଟା କରି ପକାଇବ l ଏମିତି ଭାବି ଘର ଲୋକ ଛାଡ଼ି ଦେଇଥିଲେ ତାକୁ l ଚାହୁଁଛି ଯଦି ଯାଉ ବାହାରେ ଘେରାଏ ବୁଲି ଆସିଲେ ମନଟା ଭଲ ଲାଗିବ l ମନ ତାର ଭଲ ଲାଗୁଥିଲା ମଧ୍ୟ କାହିଁକି ନା ଟିଉସନରେ ଶୁଭ୍ରକାନ୍ତ ଥିଲା l ଅନ୍ୟ ମାନଙ୍କ ପରି ଦୁରେଇ ଦୁରେଇ ରହେ ନାହିଁ ସେ ଭଲ ପିଲାଟା l ପାଖକୁ ଆସି ମନକୁ କଥା ହେବ l ମୁଗ୍ଧାର କଥା ବୁଝିବାକୁ ଚେଷ୍ଟା କରିବ l ନବୁଝିଲେ ବି ଶୁଣେ ଏବଂ ବୁଝିଲା ପରି ହୁଏ l ମୁଗ୍ଧାର ବିନ୍ଦାସ ପ୍ରକୃତି ଦେଖି ଶୁଭ୍ରକାନ୍ତକୁ ଖୁସି ଲାଗେ l


କୋଉ ଦିନ ସିଏ ନିଜେ ମନ ଦୁଃଖରେ ଥିଲେ ବି ମୁଗ୍ଧାକୁ ଦେଖିଲେ ମନ ହାଲକା ହୋଇଯାଏ l ମୁଗ୍ଧା ବି ତାର ଉପସ୍ଥିତିକୁ ମନେ ମନେ କାମନା କରେ l କେହି କାହାରି ପାଖରେ କିଛି ଆଶା ରଖି ନଥାନ୍ତି l ଉଭୟେ ଖାଲି ପରସ୍ପରର ଉପସ୍ଥିତି ଯାହା ଚାହାଁନ୍ତି l କେବଳ ପାଖାପାଖି କେତୋଟି ମୁହୂର୍ତ୍ତ ରହିବା ପାଇଁ କାମନା କରନ୍ତି ତାହା ପୁଣି ବିନା ସ୍ୱାର୍ଥରେ ବିନା ଆଶାରେ l ଏ ସମ୍ପର୍କରେ ଦୈହିକ ଆଶା ନଥିଲା କିମ୍ବା ଭବିଷ୍ୟତକୁ ନେଇ ମେଞ୍ଚା ମେଞ୍ଚା ସ୍ବପ୍ନ ବୁଣା ହୋଇ ନଥିଲା l ଭବିଷ୍ୟତ ଯାଏଁ କେହି ବି ଯାଇ ପାରି ନଥିଲେ ତେଣୁ ବର୍ତ୍ତମାନଙ୍କୁ ନେଇ ଦୁହେଁ ଖୁସି ଥିଲେ l କିନ୍ତୁ ସେ ଖୁସିଟି ବେଶୀ ଦିନ ରହିଲା ନାହିଁ l


ଦଶହରାକୁ ଲାଗ ଲାଗ ତିନିଦିନ ଧରି ଟିଉସନରେ ଛୁଟି ହୋଇଗଲା l ବର୍ଷକୁ ଥରେ ମୁଗ୍ଧାର ମା ତାର ବାପ ଘରକୁ ଯାଏ ଏବଂ ମୁଗ୍ଧା ବର୍ଷକୁ ଗୋଟିଏ ଥର ମାତ୍ର ସହର ବାହାରକୁ ଗୋଡ଼ କାଢ଼ି ଥାଏ l ନହେଲେ ସ୍କୁଲ ଘର ଟିଉସନ ଭିତରେ କେମତି ସମୟ କଟିଯାଏ ଜଣା ପଡ଼େନି l ମା ଝିଅଙ୍କୁ ନେଇ ମୁଗ୍ଧାର ବାପା ରାତି ସାତଟା ପନ୍ଦର ବସଟିରେ ବସାଇ ଦେଇ ଆସିଥିଲେ l ଭୋର ପାଞ୍ଚଟା ପୂର୍ବରୁ ମା ଝିଅ ଯାଇ କମଳପୁରରେ ନନା ଦୋକାନ ସାମ୍ନାରେ ପହଞ୍ଚି ଯିବେ l ନନା ଜଳଖିଆ ଦୋକାନ ତ ଆହୁରି ପୂର୍ବରୁ ଖୋଲି ଯାଇଥାଏ l ଗରାଖ ଆସିଲା ବେଳକୁ ସାତଟା ଆଠଟା ସିନା ନନାର ଅଧ ରାତିରୁ ବିରିବଟା ଚାଲିଥାଏ l ତେଣୁ ଏକୁଟିଆ ସ୍ତ୍ରୀ ଲୋକ ଦୁଇ ଜଣ ବୋଲି ଡ଼ର ଭୟ ନଥାଏ l ବସଟା ଯାଇ ଠିକ ସେଇ ଜାଗାରେ ରହେ l


ଯଥା ସମୟରେ ମୁଗ୍ଧାର ବାପା ଆସି ମା ଝିଅଙ୍କୁ ବସରେ ବସାଇ ଦେଇ ଚାଲିଗଲେ l ଦୁଇଟିକିଆ ସିଟରେ ମା ଝିଅ ବସିଥାନ୍ତି ବସ ଛାଡିଲା l ମୁଗ୍ଧା ଘରୁ ଖାଇପିଇ ଆସିଥିଲା l ବସ ଚାଲୁ ଚାଲୁ ନିଦ ମାଡ଼ି ଆସି କେତେବେଳେ ଛୁଟ କରି ଶୋଇ ପଡ଼ିଥିଲା ଜାଣେନି l ପାଖ ସିଟରେ ତା ମାଆ ଶୋଇବାର ଉପକ୍ରମ କରୁଥାଏ l ଭୋର ପାଞ୍ଚଟାରେ ଯାଇ ପହଞ୍ଚିବାର ଲକ୍ଷ ରଖି ବସଟି ତାର ଚିର ପରିଚିତ ଗତି ପଥରେ ଚାଲିଥାଏ l


ଶୁଭ୍ରକାନ୍ତ ଆସିଛି ବହି ଫେରାଇବା ପାଇଁ l ମୁଗ୍ଧା ଜାଣି ଜାଣି ଅନେକ ସମୟରେ ମୁହଁ ଖୋଲେନାହିଁ l ଆଉଁ ଆଉଁ କରି କି କଥା କହିବ ଯେ ଶୁଭ୍ରକାନ୍ତ ବୁଝିବ l କିଛି ନକହିବା ବରଂ ଭଲ l ଏଥର ବି ଶୁଭ୍ରକାନ୍ତ ନିଜ ଆଡୁ ହିଁ କଥା ଆରମ୍ଭ କରିବ l ଏବେ ତ ଥିଲା ଶୁଭ୍ରକାନ୍ତ କିନ୍ତୁ ଆଉ ଦିଶୁନାହିଁ l ହଠାତ କୁଆଡ଼େ ଚାଲିଯିବ ଏଇ ପାଖରେ ହିଁ ଥିବ l ହଁ ତ ଦୂରରୁ ଦିଶୁଛି l ହେଇ ସେଇଠି ଠିଆ ହୋଇ ଚାହୁଁଛି l ଦୂରରେ ଅଛି ନା ପାଖରେ କିଛି ଜଣା ପଡ଼ୁନାହିଁ l ସାମ୍ନାକୁ ଆସୁନି କାହିଁକି ଯେ ? କଥା ବି ହେଉ ନାହିଁ ?


ଅଚାନକ ବକ୍ଷ ଦେଶରେ ସ୍ପର୍ଶର ସଂକେତ l ମୁଗ୍ଧାର ଶରୀରରେ ଅଳ୍ପ କେତୋଟି ମୁହୂର୍ତ୍ତ ପାଇଁ ଏକ ମଧୁର ଶିହରଣର ବିଜୁଳି ଧାରେ ଆସି ଉଭେଇ ଗଲା l ଏଭଳି ଏକ ଶିହରଣ ତଡିତ ବେଗରେ ଆସି ଚାଲିଗଲା ଯାହା ତା ଜୀବନରେ ପ୍ରଥମ ଥିଲା l ଶରୀରରେ ପରିବର୍ତ୍ତନର ଋତୁ ଆସିଲେ କେତୋଟି ପ୍ରଶ୍ନର ଉତ୍ତର କାହାକୁ ନପଚାରିଲେ ବି ମିଳିଯାଏ l ହେଲେ ଏ ଶିହରଣର କାରଣ ଓ ଉତ୍ପତିସ୍ଥଳ ଅନ୍ଧକାର ରାତ୍ରିରେ ଚଳନ୍ତା ବସ ଭିତରେ ଜାଣି ହେଉନଥିଲା l ହେଲେ ତା ପରେ ପରେ ବକ୍ଷ ଦେଶରେ ଅନୁଭୂତ ହେଉଥିବା ତୀବ୍ର ଯନ୍ତ୍ରଣାରେ ଆଖି ଖୋଲି ଗଲା ମୁଗ୍ଧାର l ଶୁଭ୍ରକାନ୍ତ କାହିଁ ? ସିଏ ତ ଥିଲା ଗୋଟେ ସ୍ବପ୍ନ l ଆଉଁ ଆଉଁ ହୋଇ କିଛି କହିବାକୁ ଚାହୁଁଥିଲା ମୁଗ୍ଧା l ବକ୍ଷ ଦେଶରୁ ହାତଟିଏ ଦୁଇ ସିଟ ମଧରେ ଥିବା ଫାଙ୍କ ଦେଇ ଧୀରେ ପଛକୁ ଫେରି ଯାଉଥିଲା l ପାଖ ସିଟରେ ତା ମାଆ ବସିବା ଅବସ୍ଥାରେ ଶୋଇ ଘୁଙ୍ଗୁଡ଼ି ମାରୁଥିଲା l ବାକି କେତେ ଘଣ୍ଟା ଗୋଡ଼ ରଖିବା ଜାଗାକୁ ଖସି ଯାଇ ପ୍ରାଣଭୟରେ ଜାକି ଜୁକି ହୋଇ ହାତ ଗୋଡ଼ ମୋଡ଼ି କଟାଇ ସାରିବା ପରେ ଯେତେବେଳେ ବସଟି ସକାଳୁ ଯାଇ ନନା ଦୋକାନ ସାମ୍ନାରେ ରହିଥିଲା ସେତେବେଳେ ମୁଗ୍ଧା ମାଆ ସାଙ୍ଗେ ତଳକୁ ଓଲ୍ହାଇ ମୁଣ୍ଡ ପୋତି ଆଗରେ ଆଗରେ ଚାଲି ଥିଲା ଆଈ ଘର ଅଭିମୁଖେ l କାରଣ ଉପରକୁ ମୁଣ୍ଡ ଟେକିଲେ ଅନେକ ଗୁଡ଼ାଏ ହାତ ତା ଆଡ଼କୁ ମାଡ଼ି ଆସିଲା ପରି ଲାଗୁଥିଲା l


ମାଆକୁ ଏତେ ସବୁ କଥା ଠାରରେ ବୁଝାଇବାକୁ ମୁଗ୍ଧାର ମନରେ ଶକ୍ତି ନଥିଲା କିମ୍ବା କାଗଜ କଲମରେ ଉତାରି ଦେଖାଇବାକୁ ସେ ଚାହୁଁ ନଥିଲା l ଯେତେ ସେ ବିଷୟରେ ଅନ୍ୟକୁ ଜଣାଇବାକୁ ଚାହିଁବ ସେତେଥର ତା ସହିତ ସେପରି ହେଲା ଭଳି ଲାଗିବ l ତେଣୁ କିଛି ନକହିଲେ ଭଲ ଭାବି ସେ ଚୁପ ରହୁଥିଲା ସିନା କିନ୍ତୁ ତା ମନରେ କେତୋଟି ପ୍ରଶ୍ନ ଏବେ ବି ଉଙ୍କି ମାରୁଥିଲେ ଆସି l କେତେ ସମୟର କ୍ଷଣିକ ସୁଖ ପାଇଁ ପୃଥିବୀର ଶ୍ରେଷ୍ଠ ଜୀବ ମଣିଷ ଏବଂ ସ୍ରଷ୍ଟାଙ୍କର ସର୍ବ ଶ୍ରେଷ୍ଠ ସୃଷ୍ଟି କୌଣସି ଇତର କାମ କରିବାକୁ ପଛଘୁଞ୍ଚା ଦେଉନାହିଁ କାହିଁକି ? ଏହା କରିବା ପରେ ମଧ୍ୟ ତା ମନ ଭିତରେ ତିଳେ ମାତ୍ର ଅନୁତାପ ନାହିଁ କେମିତି ? ପରିଶେଷରେ ଯିଏ ଭୁକ୍ତଭୋଗୀ ସମାଜ ତାକୁ ହିଁ କାହିଁକି ଆଙ୍ଗୁଳି ଦେଖାଏ ? ତାର ଅବା କି ଦୋଷ ? ଏ ପୃଥିବୀରେ ଜନ୍ମ ହେବା ଦୋଷ ନା ଝିଅ ହୋଇ ଜନ୍ମ ହେବା ଦୋଷ ? ଯୁଗେ ଯୁଗେ ଏଇ ସବୁ ପ୍ରଶ୍ନ ଅସମାହିତ ହୋଇ ରହିଛି l


Rate this content
Log in