Padmalaya Padhy

Inspirational

4  

Padmalaya Padhy

Inspirational

ଲବଙ୍ଗଲତା

ଲବଙ୍ଗଲତା

5 mins
253


ନଡ଼ିଆ ଷଢ଼େଇ ରେ ଭାତ ଡାଲି ରାନ୍ଧି ଓଦା ମାଟିରେ ଘର କରି ପୁଣି ଘରଟିକୁ ବର୍ଷା ଖରା ରୁ ବଞ୍ଚାଇବାକୁ ପତ୍ର ରେ ଢ଼ାଙ୍କି ଯେତେ ଚେଷ୍ଟା କଲେ ବି ସମସ୍ତଙ୍କର ଘର ତିଆରି ସମ୍ପୂର୍ଣ୍ଣ ହୁଏନା l କେତେକଙ୍କର ଘର ହୋଇପାରେନି ଏବଂ କେତେକ ଙ୍କ ଘର ଭାଙ୍ଗିଯିବାଟା ବୋଧେ ତାଙ୍କ ଅଦୃଷ୍ଟ ରେ ଲେଖା ହୋଇଥାଏ l ତା ପରେ କପାଳ ନିନ୍ଦି ନିଜକୁ ଦୋଷମୁକ୍ତ କରିବାକୁ ପଡେ l

ନିଜ ବାହାଘର ଓ ଘର ସଂସାର କୁ ନେଇ ଲବଙ୍ଗଲତା ର ସ୍ବପ୍ନ ସେଭଳି କାହିଁରେ କଣ ଥିଲା l ଖାଲି କଣ ପିଲା ଖେଳ କି ସତ ସତିକା ସବୁ ଭାବି ଦେଇଥିଲା ସେ l ତାର ଗୋଟିଏ ବର ଆସିବ l ସେଦିନ ଖୁବ ବାଣ ଫୁଟିବ l ଭଳିକି ଭଳି ଲିଚୁ ରେ ଘର ସଜା ହେବ l କମସେ କମ ପଚିଶ ପ୍ରକାର ଖାଇବା ଆଇଟମ ହେବାଟା ପକ୍କା l ସିଏ ସଜ ବାଜ ହୋଇ ବସିବ ବେଦିରେ ବାହାହେବା ପାଇଁ l ସରସ୍ବତୀ, କାମିନୀ ଓ ଶୁଭଶ୍ରୀ ଆଦି ଆସି ତାକୁ ସଜାଇବେ l ଲାଲ ଟୁକ ଟୁକ ସାଧବ ବୋହୂ ଭଳି ଦିଶୁଥିବ ସେ l ଏ ସବୁ ଥିଲା ଗୋଟିଏ ନ ବର୍ଷ ର ଝିଅ ଲବଙ୍ଗଲତା ର କଳ୍ପନା ବିଳାସ l

ହେଲେ ସମୟ କାହାକୁ ବି ଅପେକ୍ଷା କରେନା l ପନ୍ଦର ପୁରି ଷୋହଳ ଚାଲିଲାଣି ଲବଙ୍ଗଲତା କୁ l ଆଉ ଷଢ଼େଇ ଖପରା ଖେଳ ଭଲ ଲାଗୁନି ଏବେ l ସ୍ବପ୍ନ ଦେଖିବା ର ବୟସ l ସ୍ବପ୍ନ ଦେଖି ଦେଖି ଭାତ କେଉଁଦିନ ଜାଉ କରିଦେଲାଣି ତ ତରକାରୀ ଲୁଣିଆ l ତାଠୁ ଢ଼େର ସାନ ମାନେ ପୋଖତ ରାନ୍ଧୁଣି ହେଲା ବେଳକୁ ସେ ସବୁବେଳେ ଅନ୍ୟ ଦୁନିଆରେ l

ମା କୁ କହିବ ମା ଲୋ ମୁଁ ଏମିତି ସେମିତି ନୁହେଁ କୁମ୍ଭ ପକା ପାଟ ଶାଢ଼ୀ ନେଇକି ଯିବି l ମୁଁ ତୋର ପୁରୁଣା ଗହଣା ନେବି ନାହିଁ l ମୋ ପାଇଁ ନୂଆ ଗଢ଼ିଦେ l କୁକୁମିନା କୁ ଡାକିଲେ ଭଲ ମେହେନ୍ଦି ପକାଇଦେବ ମୋ ପାଇଁ l ମୋ ମେହେନ୍ଦି ଯେତିକି ଗାଢ଼ ହେବ ମୋ ବର ମୋତେ ସେତିକି ଭଲ ପାଇବ l ହାତ ପାପୁଲି ଦୁଇଟି ଦେଖି ଉତଫୁଲ୍ଲିତ ହୋଇଉଠେ ସେ l ମେହେନ୍ଦି ଲାଗିଲେ କେମିତି ଦିଶିବ ଭାବି ଭାବି ମନକୁ ମନ ହସି ପକାଏ ହେଲେ ମେହେନ୍ଦି କଣ ହସ୍ତ ରେଖାକୁ ବଦଳାଇ ପାରିଛି କି ?

ଲବଙ୍ଗଲତା ସବୁଠୁ ବଡ଼ ଝିଅ ଘରେ l ତଳକୁ ତଳ ଚାରି ଭଉଣୀ l ବଡ଼ ଝିଅର କେତେ ଦାୟିତ୍ୱ କେତେ ଜଞ୍ଜାଳ କିନ୍ତୁ ଲବଙ୍ଗଲତା ବିନ୍ଦାସ ଜିଉଁଛି l ତା ସ୍ବପ୍ନ ଭଲ ତ ସେ ଭଲ l ଟାକରା ମାରି ଆଚାର ଖାଇବା ହେଉ କି ସୁଡୁ ସୁଡୁ କରି ତୋରାଣି ପିଇବା, ସବୁ ଜିନିଷ କୁ ହୃଦୟ ରୁ ଉପଭୋଗ କରିବାକୁ ମନ l ରଙ୍ଗ ବେରଙ୍ଗ ର ଲୁଗା ପଟା ପିନ୍ଧି ଦର୍ପଣ ଆଗରେ ସଜେଇ ହୋଇ ବିଭିନ୍ନ ଭଙ୍ଗୀ ରେ ନିଜକୁ ଦେଖିବା ଆଉ ଏକ ସଉକ ଥିଲା ତାର l ତା ମା ବାପା ବି ଝିଅ ମାନଙ୍କୁ କମ ଅଏସ ରେ ବଢ଼ାଇ ନଥିଲେ l 

ଚାଷୀ ଘର ଝିଅ ବେଶି ସ୍ବପ୍ନ ଦେଖିଲେ ଗ୍ରହଣ ଲାଗିଯିବ l ବୋଧେ ତା କପାଳ ରେ ଅଳ୍ପ ଦିନ ସୁଖ ଭୋଗ ଥିଲା କି କଣ l ସେଦିନ ବାପା ତା ମା କୁ ଲୁନା ରେ ବସାଇ ହାଟ କୁ ନେଇଥିଲା ହାଟରୁ ସଉଦା ସାରି ଦୁହେଁ ଲୁନାଟିକୁ ରାସ୍ତା କଡ଼ ରେ ରଖି ଚାଟ ଖାଉଥିଲେ l ହଠାତ ମୃତ୍ୟୁ ର ପରୱାନା ଉପରୁ ଖସିଥିଲା l ଗୋଟିଏ ଚିଲ ସାପଟିଏ ଧରି ଉଡି ଯାଉ ଯାଉ ସାପଟା ଖସି ପଡିଥିଲା ଲବଙ୍ଗଳତା ର ବାପା ଉପରେ l କଣ ହେଲା କିଛି ବୁଝିବା ଆଗରୁ ସାପଟା ତା ବାପାର ଛାତି ପାଖରୁ ଛୋଟ ମାରି ମାରି ତଳକୁ ଖସିଥିଲା l ତଳକୁ ଖସିବା ପରେ ବି ସାପଟିର ମଣିଷ ସଂହାର ବନ୍ଦ ହୋଇ ନଥିଲା l ପାଖରେ ଠିଆ ହୋଇଥିବା ଲବଙ୍ଗଲତା ର ମା କୁ ବି ଦୁଇ ଚାରି ଥର ଚୋଟ ମାରିବା ପରେ ଚିଲଟି ଆସି ପୁଣି ସାପଟିକୁ ଉଠାଇ ନେଇଥିଲା ସତେ ଯେପରି ଲବଙ୍ଗଲତା କୁ ଛେଉଣ୍ଡ କରିବା ପାଇଁ ସାପଟିର ଆଗମନ ହୋଇଥିଲା l

ଖବର ଶୁଣି ଲବଙ୍ଗଲତା ଆଖି ଟେକି ଭୃକୁଞ୍ଚନ କରିଥିଲା l ଏଇଟା କି ପ୍ରକାର ମଜା ? ତା ମା ବାପା କାହିଁକି ମରିବେ ମ ? ମିଛ କଥା ଉଡ଼ା ଖବର l ତା ମା ତ ବାପା ସାଙ୍ଗରେ ସଉଦା କରିବାକୁ ଯାଇଥିଲା l ଆସିଲା ବେଳେ ସୁକୁଟା ଦୋକାନ ରୁ ସୋନପାପଡି ନେଇ ଆସିଥାନ୍ତା l ଲବଙ୍ଗଲତା ର ସୋନପାପଡି ଅତି ପ୍ରିୟ l ଅନ୍ୟ ଚାରି ଭଉଣୀ ଙ୍କ ଠାରୁ ତା ମା ବାପା ଲବଙ୍ଗ କୁ ବେଶି ଆଦର କରନ୍ତି କାହିଁକି ନା l ବୋଧେ ବଡ଼ ଝିଅ ବୋଲି କିମ୍ବା ଆଗ ବାହା ହୋଇ ଚାଲି ଯିବ ତ ସେଥିପାଇଁ ହେଇଥିବ l

ଶଙ୍କର ଏମିତି କଣ କହୁଛି ଯେ ତା ମା ବାପା ଙ୍କ ବିଷୟରେ l ଶେଷରେ ମୃତ ଦେହ ଦେଖିଲା ପରେ ହିଁ ଲବଙ୍ଗଲତା ନିଶ୍ଚିତ ହେଲା ଯେ ଏବେ ତାର ଓ ତା ଭଉଣୀ ମାନଙ୍କ ମୁଣ୍ଡ ଉପରେ ବାପା ମା ଙ୍କର ଅଭୟ ଆଶ୍ରୟ ଆଉ ନାହିଁ l ସେମାନେ ଏବେ ଅନାଥ l ତିନିଦିନ ଧରି ଝିଅ ପାଞ୍ଚଟି ଭୋକରେ ରହିଲା ପରେ ଚତୁର୍ଥ ଦିନ ଲବଙ୍ଗଲତା ର ହୋସ ଆସିଲା ଯେ ସେ ହେଉଛି ଘର ଭିତରେ ସବୁଠୁ ବଡ଼ l ତେଣୁ ସାନ ଚାରି ଜଣକ ଦାୟିତ୍ୱ ଏବେ ତା ଉପରେ l ବିଶ୍ୱାସ ହେଉ ବା ନହେଉ l

ସେଦିନ ପରେ ଲବଙ୍ଗ ଆଉ ସ୍ବପ୍ନ ଦେଖୁ ନଥିଲା, ବାପାର ବିଲରେ ହଳ ଚଳାଉଥିଲା l ନୋହିଲେ ଖାଇବେ କଣ ସେମାନେ l ଆଉ ସେ ଟାକରା ଫୁଟାଇ ଆମ୍ବିଳ ଖାଉ ନଥିଲା, ସାନ ଭଉଣୀକୁ କଣ୍ଟା ବାହାର କରି ମାଛ ଭଜା ଖୁଆଉଥିଲା l ଦର୍ପଣ ସାମ୍ନାରେ ଘଣ୍ଟା ଘଣ୍ଟା ଧରି ବସୁଥିବା ଲବଙ୍ଗଲତା କୁ ମୁଣ୍ଡ ବି କୁଣ୍ଡାଇବା ପାଇଁ ସମୟ ନଥିଲା ବରଂ ଭଉଣୀ ମାନଙ୍କୁ ଖୁଆଇ ପିନ୍ଧାଇ ସ୍କୁଲ କୁ ପଠାଉଥିଲା l ଆଉ କୌଣସି ଦିନ ଲବଙ୍ଗ ର ଦେହ ଓ ମନ ମହମହ ବାସୁ ନଥିଲା, କାମ କରି କରି ହାତରେ ବିଣ୍ଡି ବସି ଯାଇଥିଲା ତାର l

ସମୟ ତା ରାସ୍ତାରେ ଚାଲିଛି l ଚାଳିଶ ବର୍ଷ ର ଲବଙ୍ଗଲତା ଏକାକୀ ଚିରାଚରିତ ଢଙ୍ଗରେ ଝାଡୁ ମାରି ଚାଲିଛି l ଝାଡୁ ସହିତ କେତେ ସ୍ମୃତି କେତେ ସ୍ବପ୍ନ କୁ ବି ଝାଡ଼ି ସଫା କରି ଦେଇଛି ନହେଲେ ସେମାନେ ଧସେଇ ପଶିବେ ଯଦି ନିଜକୁ ସମ୍ଭାଳିବ କିଏ l ହଠାତ ଆଜିର ଅପରାହ୍ନ ରେ କିଏ ଜଣେ ଯେମିତି ପଛରୁ ଡାକିଲା l ଲବଙ୍ଗଲତା ଶୁଣ ମୋ କଥା ରହି ଯାଇଥା l ବହୁତ ଚାଲିଲୁ ଏଥର ଟିକେ ରହିଯା l ପଛକୁ ବୁଲି ଦେଖ l ତୋର ସ୍ବପ୍ନ ମାନଙ୍କୁ ଅନେକ ପଛରେ ଛାଡି ଆସିଛୁ l କିଛି ବି ପୂରଣ ହେଇନି l ଷୋହଳ ବର୍ଷ ରେ ବାପା ମା ଙ୍କୁ ହରାଇବା ପରେ ଲବଙ୍ଗ ଆଉ ପଛକୁ ଚାହିଁ ନଥିଲା ଯେ ଏକାବେଳକେ ଯାଇ ଚାଳିଶ ବର୍ଷ ରେ ସ୍ଥିତପ୍ରଜ୍ଞ ହୋଇ ବସିଗଲା ସେଦିନ l

ଭଉଣୀ ମାନେ ପାଠ ପଢା ସାରି ଯିଏ ଯାହାର ଘର ସଂସାର ରେ ବ୍ୟସ୍ତ l ଏଣେ ଲବଙ୍ଗ ର ପେଡି ଭିତରେ ପେଡିଏ ସ୍ବପ୍ନ ଯେଉଁମାନଙ୍କର ଡେଣା କଟା ହୋଇ ରଖା ଯାଇଛି l ଡେଣା ଲାଗିଗଲେ ତ ଲବଙ୍ଗ କୁ ଧରି ଉଡିଯିବେ ନା ସେମାନେ ! ଭଉଣୀ ମାନଙ୍କୁ ଡେଣା ଲଗାଇ ଉଡ଼ା ଶିଖାଇ ଥିବା ଲବଙ୍ଗ କଣ ଚାହେଁ କେହି ଥରଟିଏ ବି ପଚାରି

ନଥିଲେ l ନିଜ ମୁହଁରେ ସେ କହିବ ବା କେମିତି l ଲାଜ ସରମ ନାହିଁ ନା କଣ ତାର l ଘର ଭିତରେ ସବୁଠୁ ବଡ଼ ପରା ସିଏ l ଥରେ କଥା ପ୍ରସଙ୍ଗ ରେ କହିଥିଲା 

--ମୋର ପିଲାଟିଏ ହେଲେ ତାକୁ ଚାରି ଚାରିଟା ମାଉସୀ ମିଳିଯିବେ l ମୁହଁ ଖୋର ସାନ ଭଉଣୀ କହିଥିଲା

--ନାନୀ ତୁ ଆଉରି ପିଲା ହେବାର ଆଶା ବାନ୍ଧି ବସିଛୁ ପୁଣି ଏ ବୟସ ରେ ? ଏବେ ତୁ ଧର୍ମ କର୍ମ ରେ ମନ ଦେବା କଥା l ସେଇ ସାନ ଭଉଣୀ ଯିଏ କି ହାତରେ ଖାଇ ଜାଣି ନଥିଲା ବୋଲି ଲବଙ୍ଗ ଗୋଟିଏ ଗୋଟିଏ ଦାନା ତା ପାଟିରେ ଥୋଇ ତାକୁ ଜୀବନ୍ୟାସ ଦେଇ ବଡ଼ କରିଛି l

ଏହାର ତିନି ବର୍ଷ ପରେ ଓଡିଶା ପ୍ରସିଦ୍ଧ ମା ଯଶୋଦା ବାଳାଶ୍ରମ ର ବାର୍ଷିକ ଉତ୍ସବ ରେ ଜଣେ ସାମ୍ବାଦିକ ଆଶ୍ରମ ର ଅଧ୍ୟକ୍ଷା ଙ୍କୁ ପ୍ରଶ୍ନଟିଏ ପଚାରିଥିଲେ l

--ମାଡାମ ସେଇଟା କଣ ଥିଲା ଯାହାରି ଲାଗି ଆପଣ ଏତେବଡ ଅନାଥାଶ୍ରମ ତିଆରି କରିବାର ଗୁରୁ ଦାୟିତ୍ୱଟିକୁ ଏକାକୀ ବହନ କଲେ ?

ଏହାର ଉତ୍ତର ରେ ଅଧ୍ୟକ୍ଷା ଲବଙ୍ଗଲତା ଦେବୀ କହିଥିଲେ

--ପରିସ୍ଥିତିରେ ପଡି ଯେଉଁ ସ୍ବପ୍ନ ମାନଙ୍କ ଡେଣା କାଟି ନିବୁଜ କୋଠରୀ ରେ ବନ୍ଦ କରିଦେଇଥିଲି ସେଇ ସ୍ବପ୍ନ ମାନେ ମୋତେ ଆଗକୁ ଯିବା ପାଇଁ ବାଧ୍ୟ କରିଛନ୍ତି ଓ ମୋତେ ଉଡିବା ଶିଖାଇଛନ୍ତି l ଚାରି କାନ୍ଥ ଭିତରେ ସିନା ମା ହୋଇ ପାରିଲିନାହିଁ କିନ୍ତୁ ସ୍ରଷ୍ଟା ମୋତେ ସାରା ପୃଥିବୀ ର ମା ପଦବୀ ରେ ଅଭିଷିକ୍ତ କରିଛନ୍ତି l ଯେଉଁ ମାନଙ୍କୁ ମୁଁ ଚିନହେ ନାହିଁ କି ଜାଣେ ନାହିଁ , ଯେଉଁ ମାନଙ୍କ ସହିତ ମୋର ରକ୍ତ ର ସମ୍ପର୍କ ମଧ୍ୟ ନାହିଁ ଆଜି ସେଇଭଳି ଅଗଣିତ ଶିଶୁ ମୋତେ ମା ଡାକରେ ଆପ୍ୟାୟିତ କରୁଛନ୍ତି lଷଲବଙ୍ଗଲତା ର ମୃତବତ ସ୍ବପ୍ନ ଗୁଡିକ ସେଦିନ ଅନେକ ଉପରେ ଉଡିବାରେ ଲାଗିଥିଲେ l



Rate this content
Log in

Similar oriya story from Inspirational