Padmalaya Padhy

Inspirational

4  

Padmalaya Padhy

Inspirational

ଅପ ମଙ୍ଗୁଳିଆ

ଅପ ମଙ୍ଗୁଳିଆ

6 mins
10



ବୟସ ହେଇଗଲେ ଘର ଲୋକଙ୍କ ଠାରୁ ବାହାର ଲୋକ ହିଁ ସବୁ କିଛି ର ଭୂମିକା ନିଭାଇ ଥାନ୍ତି l ବନ୍ଧୁ ପରିଜନ ଚିନ୍ହା ଅଚିନ୍ହା ହର୍ତ୍ତା କର୍ତ୍ତା ଭାଗ୍ୟ ବିଧାତା ସବୁ କିଛି ର ଭୂମିକା ନିର୍ବାହ କରନ୍ତି ସେମାନେ l ଅଳକା ଙ୍କ ପାଇଁ ସେବତୀ ସେମିତି ସବୁ କିଛି ଖାଲି ରକ୍ତ ର ସମ୍ପର୍କ ଯାହା ନାହିଁ l ପିଲା ମାନେ ବିଦେଶ ରେ ରହିଯିବା ପରେ ଏବଂ ସ୍ୱାମୀଙ୍କ ଅନ୍ତେ ଘର ଖାଲି ଖାଲି ଓ କାମବାଲୀ ସେବତୀ ହିଁ ଘର କଥା ଆସି ସବୁ ବୁଝା ଶୁଝା କରିଥାଏ l ନହେଲେ ପିଲାଏ ତ ଭିଡିଓ କଲ ରେ ହିଁ ନିଜ ନିଜର ଦାୟିତ୍ତ୍ୱ ତୁଲାଇ ଦେଇଥାନ୍ତି l ସତୁରି ଉପରେ ହେଲାଣି ଆସି କେତେବେଳେ କଣ ହେଇଗଲେ ସମସ୍ତେ ଆସି ପହଞ୍ଚୁ ପହଞ୍ଚୁ ଦଶ ପନ୍ଦର ଦିନ ଲାଗିଯିବ l କିନ୍ତୁ ଅଳକା ଅନୁଭବ କରୁଛନ୍ତି ଯିବା ସମୟ ଯେତେ ପାଖେଇ ଆସୁଛି ବଞ୍ଚିବାର ମୋହଟା ସେତେ ବଢ଼ି ବଢ଼ି ଯାଉଛି l ଟିକେ କଣ ହେଇଗଲେ ଛାତି ଧଡ଼ ପଡ଼ ହୋଇଯାଏ ଆସିଗଲା କି ସେ ସମୟ ଟା ? ନା ନା ଏତେ ଶୀଘ୍ର ସିଏ ଯିବେ ନାହିଁ l ହେଲା ଏବେ ଜୀବନ ରେ କରିବାକୁ କିଛି ବାକି ନାହିଁ ସିନା କିନ୍ତୁ ସିଏ ଆଉରି କିଛି ଦିନ ବଞ୍ଚି ରହିବେ ମାତ୍ର ଏତେ ଶୀଘ୍ର ଯିବେ ନାହିଁ l ସବୁ ସୁଖ ଦୁଃଖ ଆଶା ଓ ଆଶଙ୍କା ଏଇ ସେବତୀ ସାମ୍ନା ରେ ବଖାଣନ୍ତି l କେତେ କଥା ସିଏ ବୁଝେ ଓ ଯାହା ବୁଝେନାହିଁ ଆଁ କରି ଖାଲି ଚାହିଁ ରହେ l ବଡ଼ ବଡ଼ିଆଙ୍କ କଥା ବୁଝି ପାରିବା ପାଇଁ ତାର ବା ସାଧ୍ୟ କାଇଁ l


ସେଦିନ ସେବତୀ କିନ୍ତୁ ଏକୁଟିଆ ଆସି ନଥିଲା ସାଙ୍ଗ ରେ ଆସିଥିଲା ସାତ ଆଠ ବର୍ଷର ପିଲାଟାଏ l ପଚାରୁ ପଚାରୁ କହିଲା ।

 

କଣ କହିବି ହେ ମା ଏ ହତଭାଗା ର କଥା l ଜନ୍ମ ହେଉ ହେଉ ତା ମାଆ କୁ ଖାଇଲା l ମୋ ଝିଅ ର ସେତିକି ଆଈଶ ଭାବି ଆଖିର ଲୁହ କୁ ପିଇ ୟାକୁ ହିଁ ବଡ଼ କରିବାକୁ ଯେତେବେଳେ ଲାଗି ପଡିଲି ସେତେବେଳେ ।


କଥା ସମ୍ପୂର୍ଣ୍ଣ ହେବାକୁ ନଦେଇ ଅଳକା କହିଲେ-


ଆଉ ତା ବାପା ? ସିଏ କୋଇଠି ଅଛି ? ଆଉଥରେ ବାହା ହେଇ ଗଲା ?


ନାଇଁ ମା ! ଜୋଇଁ ଟା ମୋର ସୁନା ମୁଣ୍ଡାଟାଏ ଥିଲା ? ନାତି କୁ ମୁଁ ଯେତେବେଳେ ନେଇଗଲି ସମ୍ଭାଳିବା ପାଇଁ ୟାର ସବୁ ଖର୍ଚ୍ଚ ସିଏ ହିଁ ତୁଲାଉ ଥିଲା l


ଥିଲା ମାନେ ? ଏବେ କୁଆଡ଼େ ଗଲା ?


ସିଏ ବି ଚାଲିଗଲା ଗୋ ମା ! ଏ ଅମଙ୍ଗୁଳିଆ ଟା ତାକୁ ବି ଛାଡିଲା ନାହିଁ l ଜନ୍ମ ହଉ ହଉ ମାଆ କୁ ତା ପରେ ବାପାକୁ…ଖାଲି ମତେ କାହିଁକି ନ ନେଇ ଛାଡି ଦେଇଛି କେଜାଣି ? ସବୁ ଜଞ୍ଜାଳ ରୁ ମୁକ୍ତି ପାଇ ଯାଆନ୍ତି l 


ହେ ଏସବୁ ବାଜେ କଥା ମଙ୍ଗଳ ଅମଙ୍ଗଳ ବୋଲି କିଛି ନାହିଁ l ଏ ସବୁ ମନ ର ଭ୍ରମ l 


ତୁମ ବଡ଼ ଲୋକଙ୍କ ପାଇଁ ସିନା ନାହିଁ ହେଲେ ଆମ ମାନଙ୍କ ପାଇଁ ମଙ୍ଗଳ ଅମଙ୍ଗଳ ସବୁ ପୂର୍ବ ନିର୍ଦ୍ଧାରିତ ହୋଇଥାଏ l


ପିଲାଟା ବି ସୁଧାର ଭଳିଆ ଲାଗେ ଆଜିକାଲି ଏ ବୟସର ପିଲା ମାନେ ଯୋଉଠିକି ଗଲେ ଚଙ୍ଗ ଚଙ୍ଗ କୋଉଠି ଥୟ ହୁଅନ୍ତି ନାହିଁ ବୋଲି ସମ୍ଭାଳିବା ମହା ମୁସ୍କିଲ l ହେଲେ ଏଇ ପିଲାଟି ଯାହାର ନାମ ଈଶ୍ୱର ବୋଲି ସେବତୀ ବତାଇ ଥିଲା ଆସିଲା ବେଳଠୁ ଗଲା ଯାଏଁ ଗୋଟିଏ କୋଣ ରେ ବସି ମୁଟୁ ମୁଟୁ କରି ଚାରିଆଡେ ଦେଖୁଥିବ ପୁଣି ସେବତୀ ର କାମ ସରିଗଲେ ଉଭୟେ ବାହାରି ଯିବେ l ଈଶ୍ୱର କଥା ମଧ୍ୟ ଭଲ ରେ କହି ପାରେ ନାହିଁ ତେଣୁ ଘରେ ତାକୁ ଏକୁଟିଆ ଛାଡିଲେ ସାହି ପିଲା ମାନେ ଶାନ୍ତି ରେ ରଖେଇ ଦେଉ ନାହାନ୍ତି l କଥା ପରିଷ୍କାର କହି ପାରୁନାହିଁ କୋଉ ସ୍କୁଲ ରେ ଅବା ପଢ଼ି ପାରିବ ସିଏ ? ତେଣୁ ସେବତୀ ର ଲାଞ୍ଜ ହୋଇ ସିଏ ଯୁଆଡେ ଯାଏ ଇଏ ଯାଉଥାଏ l ଦୀର୍ଘ ନିଶ୍ୱାସ ଛାଡିଲେ ଅଳକା l ପିଲାଟି ଅମଙ୍ଗଳ ର ବାହକ କି ନାହିଁ ଜଣା ନାହିଁ ସିଏ ନିଜେ ନିଜ ପାଇଁ କିନ୍ତୁ ଦୁର୍ଦ୍ଦିନ କୁ ସାଙ୍ଗରେ ନେଇକି ଏ ପୃଥିବୀ କୁ ଆସିଲା ପରି ଲାଗୁଛି l


ଦିନେ ସନ୍ଧ୍ୟା ରେ ଅଳକା ନାତି ସାଙ୍ଗେ ଡାଇନିଂ ଟେବୁଲ ଉପରେ ଲାପଟପ ରଖି ଭିଡିଓ କଲ ରେ କଥା ହେଉଥାନ୍ତି ଏବଂ ସେବତୀ ଅଗଣା ରେ କାମ କରୁଥାଏ l ଈଶ୍ୱର ଡାଇନିଂ ହଲ ର ଗୋଟେ ପାଖ ରେ ଆଣ୍ଠେଇକି ବସି ଲାପଟପ ର ସେପାଖ ରେ ଥିବା ଅଳକାଙ୍କ ନାତି ଈଶାନ ର କଥା ଗୁଡିକୁ ପିଇ ଯାଉଥାଏ l ଅଳକା କହିଲେ-


ଦେଖ ବାପା ଆମ ଘରେ ଯୋଉ ସେବତୀ ଆଣ୍ଟି କାମ କରୁଛନ୍ତି ଇଏ ତାଙ୍କ ନାତି ଈଶ୍ୱର l


ଈଶାନ ସେଠୁ ହେଲୋ ଫ୍ରେଣ୍ଡ କହି ଖେଳିବାକୁ ଚାଲିଗଲା l ଈଶ୍ୱର ର ମୁଖ ମଣ୍ଡଳ ରେ ସଂଭ୍ରମତା ର ଚେନାଏ ହସ ଆସି ତତକ୍ଷଣାତ ଉଭେଇ ଯାଇଥିଲା l ଝିଅ ସାଙ୍ଗେ ଟିକେ କଥା ହୋଇ ଅଳକା ଲାପଟପ ବନ୍ଦ କରି ଖାଇବାକୁ ଗଲେ l ସେବତୀ ତା ନାତି ସାଙ୍ଗେ କେତେ ବେଳୁ ଚାଲି ଗଲାଣି l ଏଣେ ନାତି କୁ ଭିଡିଓ କଲ ରେ ଦେଖି ମନ ଟା ଖୁସି ରେ ପୁରି ଉଠୁଛି ଅଳକାଙ୍କର l ବଞ୍ଚିବାର ମୋହ ଟା ବାରମ୍ବାର ଜାଗି ଯାଉଛି l ଖାଇସାରି ଶୋଇବାକୁ ଚେଷ୍ଟା କରୁଛନ୍ତି ଯେ ନିଆଁ ଲଗା ନିଦ ଟା ହେଉଛି ବା କୋଉଠୁ କେତେ କଥା ମନକୁ ଆସୁଛି l ଟିକିଏ ଆଖି ଲାଗି ଯାଇଛି ଠିକ ରାତି ସାଢ଼େ ଏଗାରଟା ରେ ଝିଅ ପାଖରୁ ଲାଗ ଲାଗ ଦୁଇ ତିନୋଟି କଲ ଆସିଛି l ନାତି ର ପୁଣି ଆକ୍ସିଡେଣ୍ଟ ହୋଇ ମୁଣ୍ଡ ଫାଟି ଯାଇ ଗୁଡ଼ାଏ ରକ୍ତ ସ୍ରାବ ହେଇଛି ଏବଂ ସେମାନେ ଏବେ ହସ୍ପିଟାଲ ରେ ସ୍କାନିଂ କରିବାକୁ ଆପେକ୍ଷା କରିଛନ୍ତି ବୋଲି ଝିଅ କହିବା ପରେ ଠାକୁରଙ୍କ ଘର କୁ ଦୌଡ଼ି ଯାଇଥିଲେ ଅଳକା l ସିଏ ହିଁ ଭରସା ଏବେ ନହେଲେ ଯୋଜନ ଯୋଜନ ଦୂର ରେ ଥିବା ପିଲାଙ୍କ ପାଇଁ ଅଳକା ଏଇଠି ବସି କଣ କରି ପାରିବେ l 


ମୁଣ୍ଡିଆ ମାରି ସାରି କେତେ ସମୟ ବସି ଯାଇଛନ୍ତି ଠାକୁରଙ୍କ ପାଖେ l ପୁଣି ଝିଅକୁ ଫୋନ ଲଗାଇଲେ କିନ୍ତୁ ଉଠାଉ ନାହିଁ l ଜୋଇଁ ଙ୍କ ଫୋନ ତ ମୂଳ ରୁ ଲାଗୁନି l ହେଁ ପ୍ରଭୁ ! ପିଲାଟାକୁ ଠିକ କରିଦିଅ l ଏଇ କେତେ ଘଣ୍ଟା ତଳେ ପରା କଥା ହେଇଥିଲା ହଠାତ କଣ ହେଇଗଲା ହଠାତ…. ହଁ ହଠାତ….. ସେବତୀ ର ନାତି…. ଅମଙ୍ଗଳ…. ଅଶୁଭ…. ଜୀବନ ବି ଯାଇପାରେ…l ଢ଼ୋ ଢ଼ୋ କରି ଆଉ ଦି ଚାରିଥର ମୁଣ୍ଡିଆ ମାରି ପକାଇଲେ ଅଳକା l ସେ ଯାହା ହେଉ ଭଗବାନଙ୍କ ଦୟାରୁ ନାତିଟି ଧୀରେ ଧୀରେ ଆରୋଗ୍ୟ ଲାଭ କରୁଥିଲା କିନ୍ତୁ ଅଳକା ବେଶୀ ବେଶୀ ଅସୁସ୍ଥ ହେଉଥିଲେ l ଏଥର ସେବତୀ ଆସିଲେ ଅଳକା ଆଉ ତା ସହିତ କି ତା ନାତି ସହିତ ଭଲ ଭାବେ କଥା ବାର୍ତ୍ତା ହେଉ ନଥିଲେ l ଭାବୁଥିଲେ ସେବତୀ କୁ କହିଦେବେ ଆଉ ତା ନାତି କୁ ଆଣିବ ନାହିଁ ହେଲେ ସିଏ ଯଦି ଖରାପ ଭାବି କାମ ଛାଡ଼ିଦେବ ତେବେ ଏ ଉଚ୍ଛନ୍ନ ବୟସ ରେ ତାଙ୍କୁ କିଏ ସମ୍ଭାଳିବ ଭାବି ଚୁପ ରହୁଥିଲେ l 


ସେବତୀ ଜାଣୁଥିଲା କି ନାହିଁ ଈଶ୍ୱର କିନ୍ତୁ ଅଳକାଙ୍କର ବ୍ୟବହାର ରେ ବ୍ୟତିକ୍ରମ କୁ ଠିକ ବାରି ପାରୁଥିଲା l ଦିନ ଗଡି ଚାଲୁଥାଏ ଏବଂ ଚାହିଁଲେ ମଧ୍ୟ ଅଳକା ସେବତୀ କୁ କିଛି କହି ପାରୁ ନଥାନ୍ତି l ନାତି କଥା କହିବେ ଯଦି କାରଣଟି ମଧ୍ୟ କହିବାକୁ ହେବ l ଦିନେ ସନ୍ଧ୍ୟା ରେ ଅଳକା ଡାଇନିଂ ଟେବୁଲ ରେ ବସି ମଟର ଛଡାଉ ଥାନ୍ତି ଏବଂ ସେବତୀ ଅଗଣା ରେ ସଫା କରୁଥାଏ l ହଠାତ ଈଶ୍ୱର ଧାଇଁ ଆସି ତାଙ୍କୁ ହଲାଇ ହଲାଇ କଣ ସବୁ ଗୁଡ଼ୁରୁ ଗାଡୁରୁ ହୋଇ କହିବାକୁ ଲାଗିଲା l ଈଶ୍ୱର ଡରୁଆ ପିଲାଟିଏ ଓ ସବୁବେଳେ ଡରିଲା ପରି ରହିଥାଏ l ସେଦିନ ଆସି ତାଙ୍କ ଦେହରେ ହାତ ଦେବାରୁ ଅଳକା ଚମକି ପଡ଼ିଲେ ଏବଂ ହାତ ରୁ ମଟର ଗିନା ଟା ଖସି ପଡ଼ିଲା ତଳେ l ହେଲେ ଈଶ୍ୱର ସେ ଆଡ଼େ ନଜର ନଦେଇ ରଡ଼ି ଛାଡ଼ୁଛି l ଅଳକା ବି ଭାବି ସାରିଲେଣି ସେବତୀ ର ନାତିଟା ଘୁଙ୍ଗା ସାଙ୍ଗକୁ ପାଗଳାଟାଏ ମଧ୍ୟ l ବସିଥିବ ଥିବ ହଠାତ ଉଠି ଆସି ଏମିତି କିଏ ହୁଏ ? ଅଳକା ବିରକ୍ତ ହୋଇ ସେବତୀ କୁ ଚାରିଆଡେ ଖୋଜିବାରେ ଲାଗିଛନ୍ତି l କୁଆଡ଼େ ଗଲା ସିଏ ସମ୍ଭାଳୁ ତା ପିଲାକୁ l ସେବତୀ ନାତି ର ପାଟି ଶୁଣି ଦଉଡି ଆସିଲା ଘର ଭିତରକୁ l


—ଏ ପିଲା ବେଶୀ ଉତ୍ପାତ ହେଉଛି କାଲିଠୁ ଆଉ ଆଣିବୁନି ତାକୁ l ସେତେବେଳୁ ରଡ଼ି ଛାଡ଼ୁଛି ଖାଲି l


ତଥାପି ଈଶ୍ୱର ର “ତାପ ” “ତାପ ” ଚିତ୍କାର ବନ୍ଦ ହେଉ ନଥାଏ l ଈଶ୍ୱର ଖାଲି ତାଙ୍କ ବେଡ଼ରୁମ ଆଡ଼କୁ ଇସାରା କରୁଥାଏ l ସେବତୀ ଦୁଇ ତିନିଥର ଶୁଣିବା ପରେ ଧାଇଁ ଆସି ଅଳକା ଙ୍କୁ କହିଲା-


—ମା ହେ ମୋ ପିଲା ତୁମ ଘର ଭିତରେ ସାପ ଦେଖିଛି ତୁମେ ବସିଥାଅ ମୁଁ ମହାନ୍ତି ବାବୁଙ୍କ ଡ୍ରାଇଭର କୁ ଡ଼ାକି ଆଣୁଛି l ଏତିକି କହି ସେବତୀ ବେଡ଼ ରୁମ ର କବାଟ ଟି ବନ୍ଦ କରିଦେଲା ଏବଂ ବାହାରକୁ ଦୌଡ଼ିଲା l ଅଳକା ଖାଲି ଭୟରେ ଥରୁଥାନ୍ତି l ସେଇଠୁ ପଡୋଶୀ ମାନେ ମିଶି ସାପ ଧରାଳି କୁ ଡ଼ାକି ସାପଟିକୁ ଧରାଇ ଥିଲେ l ଅଧ ରାତି ପର୍ଯ୍ୟନ୍ତ କେହି ବି ଖାଇ ପିଇ ନଥିଲେ l ସବୁ ଠିକ ଠାକ ହେଲା ପରେ ସେବତୀ ନାତିକୁ ନେଇ ଘର କୁ ଯିବାକୁ ବାହାରିଲା ବେଳେ ଅଳକା କହିଲେ-


—କେହି କୁଆଡ଼େ ଯିବା ଦରକାର ନାହିଁ l ଆଜିଠାରୁ ତୁ ଆଉ ତୋ ନାତି ଏଇଠି ରହିବ l ତୋ ନାତିକୁ ସ୍ପେଶାଲ ସ୍କୁଲ ରେ ନାଁ ଲେଖାଇ ଦେବି ମୁଁ l


—ମା ମୁଁ ଶୁଣିଛି ସେ ବଡ଼ ବଡ଼ ସ୍କୁଲ ରେ ଖର୍ଚ୍ଚ ପୁଣି ଅଧିକ ଏତେ ଟଙ୍କା ଆମେ କୋଉଠୁ ଆଣିବୁ ? 


—ମୁଁ ହିଁ ତାକୁ ପାଠ ପଢ଼ାଇ ଆତ୍ମ ନିର୍ଭରଶୀଳ କରାଇବି l ସେ ମୋର ଜୀବନ ବଞ୍ଚାଇଲା ଆଜି ଆଉ ମୁଁ ତା ପାଇଁ କଣ ଏତିକି କରି ପାରିବି ନାହିଁ ? କାହା ପାଖେ ଋଣୀ ହୋଇ ରହିଲେ ମୁଁ ଉପରବାଲା ପାଖ ରେ ମୁହଁ ଦେଖାଇ ପାରିବି ତ ?


ଅଳକାଙ୍କର ଜୀବନ କାଳ ଭିତରେ ତାହା ହିଁ ତାଙ୍କର ସର୍ବ ଶ୍ରେଷ୍ଠ ନିଷ୍ପତି 

ଥିଲା l


               


Rate this content
Log in

Similar oriya story from Inspirational