Padmalaya Padhy

Romance

4.0  

Padmalaya Padhy

Romance

ଦାମ୍ପତ୍ୟ

ଦାମ୍ପତ୍ୟ

6 mins
15



ତୁମେ ଚୁପ ରୁହ ! କିଛି ନଜାଣି କାହିଁକି ମଝିରେ କୁହ ? ଟଙ୍କା ଦି ହଜାର ଦେଇ ଆରାମ ରେ ଯିବା ଅଢ଼େଇ ହଜାର କଣ ପାଇଁ ହୋ ?

ଦିନେ ଅଧେ ର କଥା ତ


ରୋଜଗାର କଲେ ଜାଣିଥାନ୍ତ l କହିଲି ନା ମଝିରେ ଚବର ଚବର ହୁଅନି ବୋଲି ?


ସୂର୍ଯ୍ୟକାନ୍ତ ର କିଳି କିଳା ରଡ଼ି ଶୁଣି ଚୁପ ହେଇଗଲା ନିମିଷା l ଏ ଲୋକଟା ସବୁବେଳେ ଏମିତି ସ୍ଥାନ କାଳ ପାତ୍ର ନ ଦେଖି ହଠାତ ରଡ଼ି ଛାଡିବ l ଆରେ ସ୍ତ୍ରୀ ହୋଇ ଦି ପଦ କହି ପାରିବନି ସିଏ ? ଦୁଇ ଦିନ ପରେ ଝିଆରୀ ର ବାହାଘର l ସୂର୍ଯ୍ୟକାନ୍ତ ର ଅଫିସ ରେ ପ୍ରୋଜେକ୍ଟ କାମ ତେଣୁ ସେ ରହି ପାରିବନି ସୁତରାଂ ନିମିଷା ହିଁ ଯିବ ବୋଲି କଥା ଛିଣ୍ଡିଲା l ଟ୍ୟାକ୍ସି ରେ ଗଲେ ଶୀଘ୍ର ପହଞ୍ଚିବ ତେଣୁ ଟ୍ରେନ ରେ ନଯାଇ ଟ୍ୟାକ୍ସି ରେ ଯିବ ସିଏ l ଓଲା କି ଉବେର ରେ ବୁକ କଲେ ହେବନି ? ନା ସେଥିରେ ପୁଣି ଅଧିକା ପଡ଼ିବ l ତେଣୁ ଯାଇ ଟ୍ୟାକ୍ସି ଷ୍ଟାଣ୍ଡ ରେ ଅଧ ଘଣ୍ଟାଏ ହେଲାଣି ମୂଲଚାଲ ଚାଲିଛି l ନିମିଷା ମଝିରେ ଦି ପଦ କହି ଦେବାରୁ ବଚସା ର ସୂତ୍ରପାତ l ସେଠୁ ମାତ୍ର ଶହେ ଟଙ୍କା କମରେ ଗୋଟେ ଡ୍ରାଇଭର ରାଜି ହେଲା l


ସୂର୍ଯ୍ୟକାନ୍ତ ର ଏମିତି କ୍ଷଣକୋପି ଦୁର୍ଗୁଣ ଟି ତାର ସମସ୍ତ ଭଲ ଗୁଣକୁ ଲୁକ୍କାୟିତ କରି ରଖିଦିଏ l ଏଇ ଯେମିତି ସେଦିନ ମାଛ ବାଲି ସାଙ୍ଗେ ଘଣ୍ଟାଏ ଯୁକ୍ତି ତର୍କ ପୁଣି ତା କଥାରେ ରାଜି ହେଲ ଓ ସେ ଯାହା ଚାହୁଁଥିଲା ଦେଲ ନା ? ତେବେ ଏତେ ସମୟ ବର୍ବାଦ କାହିଁକି କର ତୁମେ ? ମନ କୁ ମନ ପ୍ରଶ୍ନ ପଚାରୁ ଥିଲା ନିମିଷା l ସୂର୍ଯ୍ୟ ନିଜେ ତାର ଚିଡ଼ା ସ୍ଵଭାବ ବିଷୟରେ ପ୍ରଥମ ରାତିରେ ହିଁ ପ୍ରକାଶ କରି ଦେଇଥିଲା l ଯାହାର ଉତ୍ତର ରେ ନିମିଷା ବି କହିଥିଲା-


—ମୁଁ ଯଦି ତୁମକୁ ବଦଳାଇ ନପାରିଲି ତେବେ ମୁଁ ତୁମ ସ୍ତ୍ରୀ ବୋଲି କହିବିନି l ଦେଖିବ ରୁହ ମାସକ ମଧ୍ୟରେ ବଦଳାଇ ଦେବି ତୁମକୁ l


ମାସେ ଯାଇ ଦେଢ଼ ବର୍ଷ ହେଲାଣି ତାକୁ ବଦଳାଇବା କଥା ଦୂରେ ଥାଉ ଅଧେ ଦିନ କଥା ବାର୍ତ୍ତା ବନ୍ଦ l ସିଏ ବୋଲି ସୂର୍ଯ୍ୟକାନ୍ତ ଭଳି ଲୋକ ସହିତ ସଂସାର ବାନ୍ଧି ପାରିଛି ନହେଲେ ଆଉ କିଏ ହୋଇଥିଲେ ତ ଦୁଇ ଦିନ ରହି ପାରି ନଥାନ୍ତା l


ଯା ହେଉ ଉଭୟେ ଯାଇ ଠିକ ସମୟରେ ପହଞ୍ଚି ଗଲେ l ରାସ୍ତା ସାରା ନିମିଷା ଏବଂ ସୂର୍ଯ୍ୟ କେହି କାହାରିକୁ କିଛି କହିବାକୁ ନାହିଁ l ପହଞ୍ଚି ସାରି ଅଳ୍ପ ସମୟ ପରେ ନିମିଷା କୁ ଛାଡ଼ି ସୂର୍ଯ୍ୟ ବାହାରି ଗଲା l ଗଲା ଯେ କଥା ପଦେ ଭଲରେ କହିଥାନ୍ତା ହେଲେ l କହି ଦେଇଗଲା ହଉ ମୁଁ ଆସୁଛି ତେଣେ ଅଫିସ ରେ ବହୁତ କାମ l କଥା ପଦେ କଅଁଳ କରି କହିଦେଲେ କଅଣ କ୍ଷତି ହେଇଯିବ ଏ ପୁରୁଷ ମାନଙ୍କର ନିମିଷା ବୁଝି ପାରେନା l


ଅଧା ରାସ୍ତାରେ ପହଞ୍ଚି ଫୋନ କରି କହୁଛି-


—ହେଇ ଦେଖ ଆଇସକ୍ରିମ ଗୁଡ଼ାଏ ଖାଇ ଦେବନି l ତୁମର ସାଇନୋ ସାଇଟିସ ଅଛି ଟି l


ଖାଲି ହଁ ମାରି ଫୋନ ରଖିଲା ନିମିଷା l ଏବେ ସିନା ସମୟ ଅଛି ପରସ୍ପର କୁ ଜାଣିବା ପାଇଁ ପରସ୍ପର ର ମନ ରଖିବା ପାଇଁ l ସଂସାର ବଢ଼ିଲେ ଆଉ କଣ ସମୟ ମିଳିବ କି ? ହଉ ଏତେ କଥା ଭାବି ବସିଲେ ତ କୁଆଡୁ କୁଆଡ଼େ ଲମ୍ବିବ ଯାଇକି l ସାରା ଜୀବନ ତ ଏକାଠି ଚାଲିବାକୁ ହୁଏ ଏଇ କଥା କୁ ଭାଳି ବସିଲେ କଣ ଟା ଅଧିକା ହେଇଯିବ l


ସେଦିନ ସେମିତି ମାଛବାଲି ଆଗରେ ସୂର୍ଯ୍ୟ ର ଏତେବଡ଼ ପାଟି ଶୁଣି ସେ ସ୍ତ୍ରୀ ଲୋକଟି ବି ଥମ କରି ବସିଗଲା l ସେ ଖାଲି କହିଥିଲା-


ହଉ ଯାହା ଦେଉଛି ଦେଉ l ଏଥରକ ରଖିଦେବା ଆର ଥରକୁ ନହେଲେ…


ତା ପାଟିରୁ କଥା ସରିଛି କି ନାହିଁ ସୂର୍ଯ୍ୟ ଚିହିଁକି ଉଠିଥିଲା l


ଏଥରକ କଣ ? ଏଥରକ କଣ କାମ ନକରି ଦରମା ଗୁଡ଼ାକ ମିଳି ଯାଇଛି କି ମୋତେ ? ତୁମେ ଏମିତି ଢ଼ିଲା ଛାଡ଼ିଲେ ନା ଏମାନେ ଲୁଟି ନେବେ ତୁମକୁ l ଯେତେବେଳେ ଆଉ କିଛି ନଥିବ ସେତେବେଳେ ଏମାନଙ୍କର ବି ଦର୍ଶନ ନଥିବ ଆଉ l କିଛି ବୁଝୁଛ କି ତୁମେ ? ଏତେ ଦୟା ଦେଖେଇବା ଦରକାର ନାହିଁ l


ନିମିଷା କୁ ବି ସବୁବେଳେ ଖିଟ ପିଟ ହେବାକୁ ଇଚ୍ଛା ନାହିଁ କିନ୍ତୁ ନ ଚାହିଁଲେ ବି ହେଇଯାଏ କଣ କରିବ ଆଉ l ବାହାଘର ର ଗହଳି ଚହଳି ରେ ଆଉ ସୂର୍ଯ୍ୟ ବିଷୟରେ ଅଧିକା ସମୟ ଭାଳି ନାହିଁ ସେ l ଝିଆରୀ ପାଖରେ ଯେତିକି ଭିଡ଼ ନଥିବ ନିମିଷା ପାଖରେ ତା ଠାରୁ ଅଧିକ ଗହଳି l ଅନ୍ୟ ଥର ଗୁଡାକରେ ସୂର୍ଯ୍ୟ ସାଙ୍ଗରେ ଥିଲେ ଫେରିବା ପାଇ ତରତର କିନ୍ତୁ ଏଥରକ ସେମିତି କିଛି ନାହିଁ l ଫେରିଲା ବେଳେ ସେ ଏକୁଟିଆ ଫେରିବ l ତେଣୁ ଏଥର ଆରାମରେ ରହି ବାହାଘର କୁ ଉପଭୋଗ କରି ପାରିବ l


ଝିଅ ମାନେ ସବୁବେଳେ ବାପଘର ରଙ୍କୁଣୀ l ଯେତେ ରହିଲେ ବି ମନ ପୁରେନା l ଶୋଇବାକୁ ଇଚ୍ଛା ହୁଏନି କାଳେ ଶୋଇଲେ ସମୟ ନଷ୍ଟ ହୋଇଯିବ l ଶୋଉ ଶୋଉ ପୁଣି ରାତି ଅଧ l ପୁଣି ସୂର୍ଯ୍ୟ କଥା ମନେ ପଡ଼ିଯାଏ l


ଠିକ ଟାଇମରେ ଶୋଇବ ଠିକ ଟାଇମରେ ଖାଇବ l ତୁମର ଟିକିଏ ଏପଟ ସେପଟ ହୋଇଗଲେ ଦେହ ଖରାପ ହୋଇଯାଏ ଜାଣିଛ ଟି ? ଫେରିଲେ ମୋ ମୁଣ୍ଡ ସେଠୁ ଖରାପ କରିବ ତୁମେ l


ଦେହ ଖରାପ ଥାଉ କି ଯମ ପୁର କୁ ଯିବାକୁ ଥାଉ ସୂର୍ଯ୍ୟ ର ପାଟି ବଡ଼ ଏବଂ ସବୁବେଳେ ଶାସନ କରିବା ଢଙ୍ଗରେ କଥା ଭାଷା l ପୂର୍ବରୁ ଏଇସବୁ ଅଖାଡୁଆ ଲାଗୁଥିଲା ଏବେ ଅଭ୍ୟାସରେ ପରିଣତ ହୋଇ ଗଲାଣି l ଶୁଭ କାର୍ଯ୍ୟ ସବୁ ଯଥା ସମୟରେ ସମାପନ ହେଲା l ଏବେ ଫେରିବାକୁ ହେବ l ଆସିଲା ବେଳେ ସିନା ସୂର୍ଯ୍ୟ ଥିଲା ବୋଲି ଟ୍ୟାକ୍ସି ରେ ଚାଲି ଆସିଥିଲା ଏବେ ଏକୁଟିଆ ତେଣୁ ଟ୍ୟାକ୍ସି ରେ ନଯାଇ ଟ୍ରେନ ରେ ଯିବା ଠିକ ହେଲା l ଅଖାଡୁଆ ଲାଗୁଥାଏ କେମିତି ଏକୁଟିଆ ଯିବ ଏତେ ବାଟ l ତାର ଗୋଟିଏ ସମସ୍ୟା ହେଉଛି ସିଏ ଷ୍ଟେସନ ଗୁଡ଼ାକ ଠିକ ରେ ଜାଣି ପାରେନି l ନାଁ ଦେଖି ଓଲ୍ହାଇବା ପୂର୍ବରୁ ଓଲ୍ହାଇ ଯାଏ ଏବଂ ଥରେ ତ ଷ୍ଟେସନ ରେ ନ ଓଲ୍ହାଇ ଆଗକୁ ଚାଲି ଯାଇଥିଲା l ବିରକ୍ତ ଲାଗୁଛି କହିଲେ ବି ତାକୁ ଡର ବେଶୀ ମାଡୁଥିଲା l ଘରେ ତ କେହି ନାହିଁ ସାଙ୍ଗରେ ଯାଇ ଛାଡ଼ି ଆସିବ l ସୂର୍ଯ୍ୟକୁ ଡ଼ାକିବ କି ? ନାହିଁ ଥାଉ କଥା କଥା କେ ତାର ଏଡ଼େ ପାଟି l ଏକଥା ଶୁଣିଲେ କହିବ-


ଯିବାକୁ ଛାନିଆ ହେଉଥିଲ ଆସିବାକୁ ବି ଛାନିଆ ? ମୁଁ କଣ ଖାଲିରେ ବସିଛି କି ? ଶହ ଶହ ଲୋକ ଏକୁଟିଆ ଯାଉଛନ୍ତି କାଇଁ ଏଭଳି କିଛି ହେଉନାହିଁ ତ ତାଙ୍କର ? ତୁମର ହିଁ ଯେତକ ସବୁ ଅଡୁଆ l


ଥାଉ କାଲି ସକାଳୁ ପୁତୁରା ନେଇ ଟ୍ରେନ ରେ ବସେଇ ଦେଇ ଆସିବ ଯେ କିଛି ଅସୁବିଧା ନାହିଁ ମୋବାଇଲ ତ ପାଖରେ ଥିବ l ଫୋନଟିକୁ ଭଲ ଭାବେ ଚାର୍ଜ କରି ବାଲାନ୍ସ ଅଛି କି ନାହିଁ ଶୋଇବା ପୂର୍ବରୁ ଦେଖିନେଲା ସବୁ l କାଲି ଠିକ ଦିନ ଆଠଟା ବେଳେ ଟ୍ରେନ ଅଛି ହେଲେ ନିଦ ଆସୁନି l ଏକୁଟିଆ କେବେ ଯାଇନାହିଁ ତେଣୁ ଡର ଡର ଲାଗୁଛି l କହିଲା ବେଳେ ତ ବୀର ଦର୍ପ ରେ ସୂର୍ଯ୍ୟ ଆଗରେ କହିଦେଲା ତୁମେ ଖାଲି ଛାଡ଼ି ଦେଇ ଆସ ମୁଁ ଚାଲି ଆସିବି ବୋଲି ଆଉ ଏବେ ପିଳେହି ପାଣି l ହଉ ଭଗବାନ ଅଛନ୍ତି ଭଲରେ ନେଇ ପହଞ୍ଚାଇ ଦେବେ ଯେ !! ଏମିତି ଭାବି ଭାବି କେତେବେଳେ ନିଦ ଆସି ଯାଇଛି ଜାଣିନାହିଁ l ହଠାତ କାହାର ପାଟି ଶୁଣି ବେଡ଼ ଉପରେ ଧଡ଼ପଡ଼ ହୋଇ ଉଠି ବସିଲା l


ଏତେବେଳ ଯାଏଁ ଉଠି ନାହଁ ନା ? ମୁଁ ଜାଣିଛି ପରା l ଏକୁଟିଆ ଯାଇଥାନ୍ତ ଭଲ ହୋଇଥାନ୍ତା l ଟ୍ୟାକ୍ସି କେତେ ଚାର୍ଜ କରିବ ଜାଣ ? କଣ ଜାଣିବ ତୁମେ ? ତୁମେ ତ ଭୋଜିଭାତ ରେ ମାତିଲ l ଏ ଲୋକ କେତେ ଖଟୁଛି ତୁମକୁ କଣ ଜଣା ପଡ଼ୁଛି ?


ଏବେ ଯାଇ ନିମିଷା ର ପୁରାପୁରି ହୋସ ଆସିଲା l ସୂର୍ଯ୍ୟ ଟ୍ୟାକ୍ସି ନେଇ ଆସିଛି ଏବଂ ସାତ ଟା ବାଜିଲାଣି ସେ ଆହୁରି ଉଠିନାହିଁ l ଆଉ ଘଣ୍ଟାଏ ପରେ ଟ୍ରେନ ଥିଲା ତାର l


ଘରେ ପହଞ୍ଚି ଖିଆ ପିଆ ସାରି ଥୟ ହେଲା ପରେ କହିଲା-


ତୁମେ ଏତେ ପରିଶ୍ରମ କରି ଟଙ୍କା ସାରି କାହିଁକି ଆସିଲ ମୁଁ ଟ୍ରେନ ରେ ଚାଲି ଆସିଥାନ୍ତି l


ଆରେ ତୁମେ ତ ଷ୍ଟେସନ ଜାଣି ପାରୁନ ଆସିଥାନ୍ତ କେମିତି ? କହିଲ କଣ ନା ମୁଁ ପହଞ୍ଚି ଯାଇଥାନ୍ତି l କୋଉଠି ଯାଇ ଓଲ୍ହାଇ ପଡିଥାନ୍ତ ମୁଁ ତେଣେ ଦୌଡି ଥାନ୍ତି ତୁମ ପଛରେ ତୁମକୁ ଖୋଜିବା ପାଇଁ l


ହଜି ଯାଇଥିଲେ ଭଲ ହୋଇଥାନ୍ତା l ଯେତେବେଳେ ଦେଖିଲେ ମୋ ଉପରେ ଖାଲି ପାଟି କରି ରାଗ ଝଡାଉ ଥିବ l ହଜି ଯାଇଥିଲେ ଭଲ ହୋଇଥାନ୍ତା l


ଗଭୀର ଆଶ୍ଳେଷ ରେ ନିମିଷା କୁ ଆବଦ୍ଧ କରି ସୂର୍ଯ୍ୟ କହିଲା-


ମାଇଁ ଡ଼ିଅର ନିମି ! ଏହା ହିଁ ହେଉଛି ଦାମ୍ପତ୍ୟ l ମୋର ପ୍ରକୃତି ମୁଁ ହଠାତ ଚିଡ଼ି ଯାଏ l କିନ୍ତୁ ବିଶ୍ୱାସ କର ତୁମ ଚିନ୍ତା ରେ ସେଦିନ ମୁଁ କାମ କରି ପାରିଲି ନାହିଁ l ତୁମେ କହିଦେଲ ଓ ମୁଁ ହଁ ମାରିଦେଲି ସିନା କିନ୍ତୁ ଏକୁଟିଆ ଏତେ ଗୁଡ଼ାଏ ବାଟ କେମିତି ଆସିବ କିଛି ଅସୁବିଧା ହେଇଯିବ ଯଦି ? ତୁମ ବିନା ଆଉ କିଏ ଅଛି ମୋର ଯାହା ଉପରେ ମୁଁ ରାଗି ପାରିବି ଚିଡ଼ି ପାରିବି ଓଃ ଅଧିକାର ଦେଖାଇ ପାରିବି ? ଶେଷରେ ନିଷ୍ପତ୍ତି ନେଲି ମୁଁ ହିଁ ଯାଇ ନେଇ ଆସିଲେ ଭଲ ହେବ l


ନିମିଷା ଭାବୁଥାଏ ପରସ୍ପର ର ମନକଥା ଜାଣି ପାରିଲେ ହିଁ ଦାମ୍ପତ୍ୟ ଜୀବନ ଟି ସୁରୁଖୁରୁ ରେ ଚାଲିବ l ନଚେତ ପାଖରେ ଥାଇ ମଧ୍ୟ ସ୍ୱାମୀ ସ୍ତ୍ରୀ ଦୁହେଁ ଦୁଇଟି ସରଳ ରେଖା ପରି ସମାନ୍ତରାଳ ଗତି କରୁଥିବେ ଏବଂ ମନ ମଧ୍ୟରେ ଯୋଜନ ଯୋଜନ ର ଦୂରତ୍ୱ ରହିଥିବ l


                


Rate this content
Log in

Similar oriya story from Romance