Rabinarayan Senapati

Drama Fantasy Inspirational

4.5  

Rabinarayan Senapati

Drama Fantasy Inspirational

ବିନ୍ଧ୍ୟଗିରି

ବିନ୍ଧ୍ୟଗିରି

13 mins
448


ବିନ୍ଧ୍ୟଗିରିରେ ଚହଳ ପକାଇଛି ଏକ ରହସ୍ୟମୟ ଘଟଣା। ରାଜମାତା ସତର୍କ ଘଣ୍ଟି ବଜାଇଛନ୍ତି। ଏ ଘଣ୍ଟି ଏମିତ ଅସମୟରେ କାହିଁକି? ସହରବାସୀ ଆସି ଉଆସରେ ହାଜର। କେବଳ ଦଶହରା ଦିନ ଏ ଘଣ୍ଟିଟି ବଜାଇବାର ବିଧି ଅଛି। ବିଧି ଯେତିକି ନୁହେଁ ତହୁଁ ଅଧିକ ହେଲା ଏ ସତର୍କ ଘଣ୍ଟି ବାଜୁଛି କି ନାହିଁର ବାର୍ଷିକ ପରୀକ୍ଷା। ଯନ୍ତ୍ରୀ ଓ ମିସ୍ତ୍ରୀମାନେ ଦଶହରା ପୂର୍ବରୁ ସତର୍କ ବ୍ୟବସ୍ଥାର ଆବଶ୍ୟକୀୟ ମରାମତି କରିଥାନ୍ତି। ପ୍ରାସାଦର ଏ ଘଣ୍ଟା ଶବ୍ଦ ଶୁଣିବା ମାତ୍ରେ ସହରର ସମସ୍ତ କାର୍ଯ୍ୟାଳୟ, ମନ୍ଦିର ଓ ଅନୁଷ୍ଠାନ ଆପଣା ଆପଣା ଘଣ୍ଟ ଘଣ୍ଟା ବଜାନ୍ତି। ସୂତାକଳରେ ପୁଙ୍ଗା ବାଜେ। ସାଧାରଣ ପରିବାର ମାନଙ୍କରେ ମଧ୍ୟ ମହିଳାମାନେ ଘଣ୍ଟ ପିଟି ପୁରୁଷ ମାନଙ୍କୁ ପଠାଇ ଦିଅନ୍ତି ପ୍ରାସାଦକୁ। 


ଆଜି ଅସମୟରେ? ସୂଚନା ପ୍ରସାରଣର ସର୍ବାଧୁନିକ ବ୍ୟବସ୍ଥା ତୁଳନାରେ ମଧ୍ୟ ଏହା ଏବେବି ଆଗୁଆ ପ୍ରମାଣିତ ହୋଇଛି।

ରାଜ ନବରରେ ନାଗରିକମାନଙ୍କ ଭୀଡ ନିମିଷକେ ସୃଷ୍ଟି ହୋଇଛି। 


ବିନ୍ଧ୍ୟଗିରି କେବଳ ଏ ସତର୍କ ସୂଚନାରେ ନିଆରା ନୁହେଁ, ଅନେକ କଥାରେ ନିଆରା। ଯେତେବେଳେ ସବୁଆଡେ ରାଜତନ୍ତ୍ର ସେତେବେଳେ ବିନ୍ଧ୍ୟଗିରିରେ ଚାଲୁଥିଲା ଏକ ଭିନ୍ନ ଗଣତନ୍ତ୍ର। ଯଦିଓ ରାଜା ଥିଲେ ସର୍ବମାନ୍ୟ କିନ୍ତୁ ଶାସନ କାର୍ଯ୍ୟ ମୂଖ୍ୟତଃ ନିର୍ବାହ କରୁଥିଲେ ଏକ ନିର୍ବାଚିତ ମନ୍ତ୍ରୀ ପରିଷଦ। ରାଜ୍ୟ କହିଲେ ବଣ ପାହାଡ ଘେରା ଅତି ମନୋରମ ଏକ ଉପତ୍ୟକା। ଏକ କ୍ଷୁଦ୍ର ନଗର ରାଜ୍ୟ ବିନ୍ଧ୍ୟଗିରୀ। ସମୁଦାୟ ଜନସଂଖ୍ୟା ପ୍ରଥମକରି ଗଣା ଯାଇଥିଲା ୧୮୭୧ ମସିହାରେ ଇଂରେଜ ସରକାରଙ୍କ ଦ୍ବାରା, ଏହା ଥିଲା ମାତ୍ର ସାତ ହଜାର କେତେ ଶହ। ସେ ବେଳର ରାଜା ଜାଣିଥିଲେ ତାଙ୍କର ଏ କ୍ଷୁଦ୍ର ରାଜ୍ୟ ଇଂରେଜ ଶାସନର ବିରୋଧ କରିପାରିବ ନାହିଁ। ଇଂରେଜ ମାନେ ବି ଏ ଅଗନା ଅଗନି ମୁଲକରେ କି ରାଜୁତି କରନ୍ତେ ଯେ? ଏଠାରେ ଚାଲୁଥିବା ଗଣତନ୍ତ୍ରର ପ୍ରଶଂସା କରି ସେମାନେ ବନ୍ଧୁତାର ହାତ ବଢାଇଲେ। ବାର୍ଷିକ ଟିକସ ବ୍ୟବସ୍ଥାରେ ନଗରଟି ନାମକୁ ମାତ୍ର ରହିଲା ଇଂରେଜ ଶାସନାଧୀନ। ଏଠାରେ କୌଣସି ଇଂରେଜ ପ୍ରତିନିଧି ରହିଲେ ନାହିଁ। ଖର୍ଚ୍ଚ ଶୂନ୍ୟ ଓ ଦାୟିତ୍ଵ ଶୂନ୍ୟରେ ବେପାରୀ ସରକାର କିଛି ଟିକସ ନେବା ସାର ହେଲା। 


ତତ୍କାଳୀନ ରାଜା ବିକ୍ରମ ଦେବ ଥିଲେ ବିଦ୍ୱାନ ଆମ ଦେଶୀ ଶାସ୍ତ୍ର ମାନଙ୍କରେ। ଯୁବରାଜ ବିଜୟ ଦେବଙ୍କୁ କିନ୍ତୁ ସେ ଇଂରାଜୀ ଶିକ୍ଷାରେ ଆଗୁଆ କରାଇଲେ। ସେ ବିଲାତ ଯାଇ ଅର୍ଥନୀତି ବିଶାରଦ ହୋଇ ଫେରିଲେ ଆପଣାର ଛୋଟିଆ ରାଜ୍ୟକୁ। ମିଳୁଥିବା ଖୁବ୍ ଉଚ୍ଚ ଚାକିରି ନକରି ବିଜୟ ଦେବ ନିଜ ରାଜ୍ୟର ବିକାଶରେ ମାତିଗଲେ। ଅନେକ ପ୍ରକାର ବିଶେଷଜ୍ଞ ମାନଙ୍କୁ ଡକାଇ ରାଜ୍ୟର ପୁଙ୍ଖାନୁପୁଙ୍ଖ ସର୍ଭେ ଓ ସରଜମିନ ତଦନ୍ତ କରାଇଲେ। ଜଣାପଡ଼ିଲା ଉପତ୍ୟକାର ମୃତ୍ତିକା ଉର୍ବର କୃଷ୍ଣକାର୍ପାସ ଶ୍ରେଣୀୟ। କୁଶଳୀ କପା ଚାଷୀଙ୍କୁ ମରାଠା ରାଜ୍ୟରୁ ଡକାଇ ନାଗରିକ ମାନଙ୍କୁ ପ୍ରଶିକ୍ଷଣ ଦିଆଗଲା। ପରୀକ୍ଷା ମୁଳକ ଚାଷରେ ବେଶ୍ ସଫଳ ହେଲେ। 


ବିଜୟ ଦେବ ଜାଣିଥିଲେ, ସରକାର କପାଚାଷର ସମସ୍ତ ଅମଳ ନାମମାତ୍ର ମୂଲ୍ୟରେ କିଣିନେବେ। ଏହାକୁ ପ୍ରତିହତ କରିବା ପାଇଁ ସେ ବିଲାତର ସୂତାକଳ ମାଲିକ ବନ୍ଧୁଙ୍କ ବୈଷୟିକ ପରାମର୍ଶରେ ଉପତ୍ୟକାରେ ଗଢିଲେ ତତ୍କାଳୀନ ସର୍ବାଧୁନିକ ସୂତାକଳ। ତିନୋଟି କ୍ଷୁଦ୍ର ଜଳପ୍ରପାତରୁ ବିଜୁଳି ବାହାର କଲେ ଟର୍ବାଇନ ବସାଇ। 


ଶିକ୍ଷା କଣ ନକରେ ସତରେ!


 ସୂତାକଳ ଚାଲିଲା। ବଡ଼ ବଡ଼ ଗଡ଼ଜାତ ମଝିରେ ଏ ଛୋଟିଆ ଗଣତନ୍ତ୍ରଟି ଝଲସି ଉଠିଲା। । ନାଗରିକ ମାନଙ୍କ ଆର୍ଥିକ ମାନଦଣ୍ଡ ବର୍ଷ କେଇଟାରେ ବଦଳିଗଲା। 


ସାଧୁ ସାଧୁ! ପ୍ରଜା ମାନଙ୍କୁ ପ୍ରପୀଡ଼ିତ କରି ଦୁର୍ବଳ ରଖିଲେ ହୁଏତ ପ୍ରାସାଦରେ ଅଭାବ ରହିବ ନାହିଁ କିନ୍ତୁ ତା'ଠୁ ବିଜ୍ଞତା ହେବ ସମଗ୍ର ରାଜ୍ୟକୁ ଧନଧାନ୍ୟରେ ପରିପୂର୍ଣ୍ଣ କରିବା। ସେଇଆ ସେ କଲେ। ଝରଣା ମାନଙ୍କର ମଙ୍ଗମୋଡି ଜଳସେଚନର ସୁବିଧା କରାଇଲେ। ଜମି ସବୁ ପ୍ରଜା ମାନଙ୍କ ନାମରେ ବାଣ୍ଟିଦେଲେ। 


ଅସଲ କଥା ହେଲା, ନିର୍ବାଚିତ ମନ୍ତ୍ରୀ ପରିଷଦର ପରାମର୍ଶକୁ ରାଜା ପାଳନ କରୁଥିଲେ।


- ସମୁହ ଉନ୍ନତି ଆମର ଉନ୍ନତି। 


ଜ୍ଞାନୀ ବିକ୍ରମ ଦେବ ମଧ୍ୟ ଶିକ୍ଷିତ ପୁତ୍ରର ଭାଷା ବୁଝିପାରୁଥିଲେ। କ୍ରମଶଃ ରାଜାଘର ସାହାଯ୍ୟରେ ନଗରର ଅନେକ ନାଗରିକ ଶିକ୍ଷିତ ହୋଇ ବିନ୍ଧ୍ୟଗିରି ଓ ସାରା ଦେଶର ପ୍ରଗତିରେ ଯୋଗଦାନ ଦେଲେ। 


ପ୍ରଜାଙ୍କ ସୁଖରେ ରାଜାଙ୍କ ସୁଖ, ସାରା ଭାରତର ସମସ୍ତ ଅନ୍ଧାରିଆ ଗଡ଼ଜାତ ମାନଙ୍କ ମଧ୍ୟରେ ଏ ଛୋଟିଆ ବିନ୍ଧ୍ୟଗିରି ପାଲଟିଲା ଉନ୍ନତିର ଏକ ମରୂଦ୍ୟାନ। 


ଭାରତ ସ୍ଵାଧୀନ ହେଲାବେଳକୁ ବିଜୟ ଦେବଙ୍କ ପୁତ୍ର ତ୍ରିବିକ୍ରମ ଦେବ ଶାସନରେ ଥାଆନ୍ତି। ସେତେବେଳେ ବିନ୍ଧ୍ୟଗିରୀ ଯେକୋୖଣସି ଉନ୍ନତ ଦେଶର ଉନ୍ନତ ସହର ସହ ସମକକ୍ଷ। କେବଳ କପା ନୁହେଁ, ଟସର, ରେସମ, ପଶମ ଏ ସବୁ ଉପଯୋଗ ହେଉଥାଏ କେତୋଟି ଭିନ୍ନ ଭିନ୍ନ ସୂତାକଳରେ। ଏସବୁ ପାଇଁ କଞ୍ଚାମାଲର ଉତ୍ପାଦନ, ଆମଦାନୀ ଓ ତିଆରି ମାଲର ବିକ୍ରିବଟା ବ୍ୟବସ୍ଥାକୁ ମଧ୍ୟ ବେଶ୍ ଧ୍ୟାନ ଦିଆଯାଉଥିଲା। 


ତ୍ରିବିକ୍ରମ ଦେଵ ରାଜନୀତି ବିଜ୍ଞାନରେ ବିଦ୍ୱାନ। ମଜା କଥା ହେଲା, ସାରା ଦେଶରେ ଯେତେବେଳେ ଗଣତନ୍ତ୍ର ଆରମ୍ଭ ହେଲା, ବିନ୍ଧ୍ୟଗିରିରେ ଚାଲୁ ରହିଲା ଛାୟା ରାଜତନ୍ତ୍ର, ଶତ ପ୍ରତିଶତ ଆନୁଗତ୍ୟ। ପ୍ରଜାଏ ନିର୍ଭରଶୀଳ ସୂତାକଳ ଆକା ରାଜାଙ୍କ ଉପରେ, ସୂତାକଳ ନିର୍ଭରଶୀଳ ପ୍ରଜାଙ୍କ ଉପରେ। ସବୁଆଡେ ହାହାକାର ବେଳେ ବିନ୍ଧ୍ୟଗିରି ଉନ୍ନତିର ଶୀର୍ଷରେ। ଏମିତି ସୁବିଧାକୁ କିଏ କାହିଁକି ବିରୋଧ କରିବ? ରାଜା ମଧ୍ୟ ବିଧାୟକ ହୋଇଥାନ୍ତି।


ଉପତ୍ୟକାର ଜୀବନ ନାଡି ଥିଲେ ଛୋଟ ଜଳପ୍ରପାତ ତିନୋଟି।

ଜଳପ୍ରପାତର ଇନ୍ଧନ ଥିଲେ ସବୁଜ ବନାନୀ। ତ୍ରିବିକ୍ରମ ଦେବ ବୁଝିଥିଲେ ବାହାର ଲୋକେ ଜଙ୍ଗଲକୁ ଲୁଟି ନେବେ। ଆମ ଦେଶୀ ସରକାର ପକ୍ଷେ ରୋକିବା ସମ୍ଭବ ହେବନାହିଁ। ବାପାଙ୍କ ଠାରୁ ଆଉ ପାଦେ ଆଗକୁ ଯାଇ ତ୍ରିବିକ୍ରମ ସମଗ୍ର ବଣ ପାହାଡକୁ ମଧ୍ୟ ନାଗରିକ ମାନଙ୍କୁ ହସ୍ତାନ୍ତର କରିଦେଇଥିଲେ ଉଚିତ କାଗଜପତ୍ର କରି। ତେବେ କିସମ ଜଙ୍ଗଲ ବଳବତ୍ତର ରହିଲା। ରାଜ୍ୟର ବିନା ଅନୁମତିରେ କେହି ଜଙ୍ଗଲକ୍ଷୟ କରିପାରିବେ ନାହିଁ। କିନ୍ତୁ ଅସଲି ବିନ୍ଧ୍ୟଗିରି ଶୃଙ୍ଗ ରହିଥାଏ ବିନା ମାଲିକାନାରେ। ଏମିତି କାନ୍ଥ ଭଳି ତୀଖ ଶୃଙ୍ଗ ଯାହାକୁ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ଲୋକେ ଆରୋହଣ କରିବା ସମ୍ଭବ ହୋଇନାହିଁ ତାକୁ ନେଇ କିଏ ବା କ'ଣ କରିବେ?


ଗିରିଶୃଙ୍ଗକୁ ନେଇ ଅନେକ ଆଲୋଚନା। ସତେ ଅବା ଏ ଛୋଟିଆ ମୁଲକର ହିମାଳୟ! କିଏ କହେ ଏହା ଦେବତାଙ୍କ ଅଞ୍ଚଳ, ସ୍ୱର୍ଗକୁ ରାସ୍ତା, ଆଉ କିଏ କହେ ଏହା ପ୍ରକୃତରେ ଏକ ନିଦା ପର୍ବତ ନୁହେଁ ବରଂ ଚାରିକଡରେ କାନ୍ଥ ଭଳି ଘେରି ରହିଥିବା ପର୍ବତ ମଧ୍ୟରେ ଏକ କ୍ଷୁଦ୍ର ହ୍ରଦ ଅଛି ଯାହା ଦେଖାଯାଉଥିବ ହ୍ରଦଠୁ ଭିନ୍ନ। ସେ ହ୍ରଦ କୁଆଡେ ପାତାଳକୁ ରାସ୍ତା। ଆଉ ବି କେତେକ କହନ୍ତି ଭୀମ ବିଷ ଲଡୁ ଖାଇ ଏଇଠି ପାତାଳକୁ ଯାଇଥିଲେ। ଏ ତୀଖ ପାହାଡ଼ର ବାହ୍ୟ ଦେଶରେ ଅଦ୍ଭୁତ ସିଜୁ ଜାତୀୟ ଗୁଳ୍ମ ବ୍ୟତୀତ ଆଉ କିଛି ଉଧାଇ ନାହିଁ। ପର୍ଯ୍ୟଟକ, ଚିତ୍ର ଉତ୍ତୋଳନକାରୀ ଓ ଉଦ୍ଭିଦ ବିଜ୍ଞାନୀ ମାନଙ୍କୁ ଏ ଶୃଙ୍ଗ ଆକର୍ଷିତ କରିଛି କିନ୍ତୁ ଏସବୁ ଗବେଷଣା ପର୍ଯ୍ୟାୟକୁ ଉନ୍ନୀତ ହୋଇନାହିଁ। କୌଣସି ପର୍ବତାରୋହୀଙ୍କୁ ଏହା ଆହ୍ବାନ ଦେଇନାହିଁ।


ସ୍ବାଧୀନତା ବେଳକୁ ରାଜପରିବାର ଅଗ୍ରଣୀ ଶିଳ୍ପପତି। ପରବର୍ତ୍ତୀ କାଳରେ ଯେତେବେଳେ ଗଡ଼ଜାତ ମିଶ୍ରଣ ହେଲା, ଭୂଦାନ ଆନ୍ଦୋଳନ ହେଲା, ହାତପାଣ୍ଠି ଉଚ୍ଛେଦ ହେଲା; ବିନ୍ଧ୍ୟଗିରିକୁ କିଛି ଫରକ ପଡିଲାନି। ହାତପାଣ୍ଠି ଥିଲେ ସିନା ଉଛେଦ ହେବ। ରାଜାଘର ସରକାରଙ୍କୁ ଯାହା ଟିକସ ଦିଅନ୍ତି ତାହା ହାତପାଣ୍ଠିର ଶହେ ଗୁଣ। ଭାରତ ସରକାର ଜଙ୍ଗଲ ମଧ୍ୟ ଅକ୍ତିଆର କରିପାରିଲେ‌ନାହିଁ, ସବୁର ମାଲିକ ନାଗରିକ ଗଣ।


ତ୍ରିବିକ୍ରମ ଦେବଙ୍କ ଗତେ ପୁତ୍ର ତ୍ରିବିଜୟ ଦେବ ରାଜା। ସେ ଜଣେ ବୟନ ଶିଳ୍ପର ଇଞ୍ଜିନିୟର। ବିନ୍ଧ୍ୟଗିରୀ ସୀମାନ୍ତ ବାହାରକୁ ନଗରବାସୀ ମାଡିଗଲେଣି। ପାହାଡ଼ର ପାଦଦେଶରେ ବସ୍ତ୍ର ଶିଳ୍ପର ଆଧୁନିକ କାରଖାନା। ସମଗ୍ର ରାଜ୍ୟରେ ଅଗ୍ରଣୀ ହୋଇଛି ଜିଲ୍ଲାଟି। ଏବେ ଜିଲ୍ଲାର ନାମ ମଧ୍ୟ ବିନ୍ଧ୍ୟଗିରି। କପା ଚାଷ ଜିଲ୍ଲାର ମୂଖ୍ୟ ଆୟ। ରାଜ୍ୟ ଓ ରାଜ୍ୟ ବାହାରୁ ବହୁତ ଲୋକ ରୋଜଗାର ଆଶାରେ ଛୁଟି ଆସିଛନ୍ତି। ଜିଲ୍ଲାର ଏକ ସାମାନ୍ୟ ଅଂଶ ଏ ଅସଲି ବିନ୍ଧ୍ୟଗିରି। ବୁଝିବା ପାଇଁ କୁହାଯାଉଛି ଉପର ବିନ୍ଧ୍ୟଗିରୀ। ଲୋକ କିନ୍ତୁ ତଳମୁହାଁ। ଜାଗା ଜମି କିଣି ପାହାଡ଼ ତଳେ ବିନ୍ଧ୍ୟଗିରିଆଙ୍କ ଭୀଡ।


ରାଜାଘର, ତଳେ ଅନେକ ସମ୍ପତ୍ତି ଓ ସର୍ବାଧୁନିକ ହୋଟେଲ ବିନ୍ଧ୍ୟଗିରୀ'ର ମାଲିକ। ତଥାପି, ପ୍ରାସାଦ ତ୍ୟାଗ କରିବାର ଚିନ୍ତା କଦାଚିତ କରିନାହାନ୍ତି। 


ଅନେକ ପିଢ଼ି ପରେ ରାଜପରିବାରରେ ଏକ ବଦଳରେ ଦୁଇ ପୁତ୍ର। ଯୁବରାଜ ଅଜେୟ ଦେବ ଓ ଟୀକାୟତ ସୁଜୟ ଦେବ। ଯୁବରାଜ ବୃତ୍ତିରେ ଜଣେ ଆର୍କିଟେଟ୍ ଓ ରୁଚିରେ ଇତିହାସ ଗବେଷକ। ସାଙ୍କେତିକ ଶାସନ ଓ ବ୍ୟବସାୟରେ ତାଙ୍କର କୌଣସି ଆଗ୍ରହ ନଥାଏ। ସୁଜୟ ଦେବ କିନ୍ତୁ ବ୍ୟବସାୟ ଶାସ୍ତ୍ରରେ ବିଦ୍ୱାନ। ସେ ସମ୍ଭାଳନ୍ତି ଶିଳ୍ପ ସାମ୍ରାଜ୍ୟ। 


ଅଜେୟ ଦେବ ସାରା ଭାରତର ଭିନ୍ନ ଭିନ୍ନ ରାଜପ୍ରାସାଦ ଓ ପୂରାତନ କୀର୍ତ୍ତି ମାନଙ୍କ ଗଠନ ଶୈଳୀରେ ଥିବା ଗୁଣ ଓ ଦୋଷ ଉପରେ ଗବେଷଣା କରନ୍ତି। ପ୍ରତ୍ନତତ୍ତ୍ଵ ବିଭାଗର ଅନେକ କାମରେ ତାଙ୍କ ପରାମର୍ଶ ନିଆଯାଏ। ରାଜପ୍ରାସାଦ ମାନଙ୍କ ମରାମତି ଓ ଆଧୁନିକୀକରଣରେ ସେ ଦିଅନ୍ତି ବୈଷୟିକ ପରାମର୍ଶ। ବିଭିନ୍ନ ପୌରାଣିକ ଓ ଐତିହାସିକ ଚଳଚ୍ଚିତ୍ରର ସୁଟିଂସେଟ'ମାନ ତାଙ୍କ ଡିଜାଇନ୍ ଅନୁସାରେ ହୁଏ। କେତେକ ନାମିଦାମୀ ହୋଟେଲ ଓ ବିଳାସପୂର୍ଣ୍ଣ ଇମାରତ ତାଙ୍କ ନକ୍ସା ଅନୁସାରେ ହୋଇଛି। ସୁନାମ ତାଙ୍କର ଏ ଦେଶର ସୀମା ପାର କରିସାରିଲାଣି। 


ଚଳନ୍ତି କିମ୍ବଦନ୍ତୀ ବାଦ, ଅଜେୟ ଦେବଙ୍କୁ ତାଙ୍କ ଜେଜେମାଆ ଭିନ୍ନ ଏକ କଥା କହିଥିଲେ ଯାହା ସେ ତାଙ୍କ ଜେଜେ ଶାଶୁଙ୍କ ଠାରୁ ଶୁଣିଥିଲେ। ହୁଏତ ସେ କଥାଟି ଆହୁରି ପୁରୁଣା ଏ ପାଞ୍ଚପିଢି ଠାରୁ। କଥାଟି ସବୁବେଳେ ଭାବି ହେଉଥାନ୍ତି ଅଜେୟ। ଶେଷରେ ମନକୁ ବୁଝାଇ ଦିଅନ୍ତି କି ଏହା ଗଳ୍ପ ମାତ୍ର। 


ବୃଦ୍ଧ ତ୍ରିବିଜୟ ଦେବଙ୍କ ଦେହାନ୍ତ ହୋଇଯାଏ ପ୍ରଥମ କରୋନା ଲହର ବେଳେ। ରାଜଅଭିଷେକ୍ତ ହେଲେ ଅଜେୟ। ପତ୍ନୀ ଶ୍ରୀଧାରା ହେଲେ ରାଣୀ'ମା।‌ ମାତା ଭୂଦେବୀ ଏବେ ରାଜମାତା। କନ୍ୟା ପୀୟୂଷୀ ପ୍ରାସାଦର ଜ୍ୟେଷ୍ଠ ନନ୍ଦିନୀ। ଜେମାମଣି ଡାକ୍ତରୀ ଛାତ୍ରୀ, ଗ୍ରୀଷ୍ମ ଛୁଟିରେ ଘରକୁ ଆସିଛନ୍ତି। ଅଜେୟ ଓ ସୁଜୟଙ୍କ ସମୁଦାୟ ସନ୍ତାନ ସନ୍ତତି ମିଶି ପାଞ୍ଚ। ସମସ୍ତେ ଉପସ୍ଥିତ ପ୍ରାସାଦରେ। ବନ୍ଧୁବାନ୍ଧବ ଓ ଅନ୍ୟାନ୍ୟ ରାଜ ପାରିଷଦ ପରିବାର ମାନଙ୍କ ପିଲାଛୁଆ ମାନେ ପ୍ରାସାଦରେ ମେଳି କରିଛନ୍ତି। ହସଖୁସିର ସମୟ, ଅପରାହ୍ନରେ ଚାଲିଛି ନାନାଦି ବିଶେଷ ରାଜକୀୟ ଖେଳ, ଆଗକୁ ଶୀକାର ପର୍ବ ପାଇଁ ପ୍ରସ୍ତୁତି।


 ଏ ଶୀକାର ପର୍ବ ଔପଚାରିକ ମାତ୍ର। ବାସ୍ତବରେ ବିନ୍ଧ୍ୟଗିରିରେ ଶୀକାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏଣୁ ଜଙ୍ଗଲରେ ଭରିରହିଛନ୍ତି ନାନାଦି ପ୍ରାଣୀ। ହିଂସ୍ର ଓ ନିରୀହ, ଏକ ପ୍ରାକୃତିକ ସନ୍ତୁଳନର ଅବସ୍ଥା। ତେବେ ଶୀକାର ପର୍ବରେ ଜୀବନକୁ ବାଜିଲଗାଇ ବିନ୍ଧ୍ୟଗିରୀଆ ଫାଶ ବସାଇ ଧରନ୍ତି। ସେ ପାଇଁ ପୁରସ୍କାର ପାଆନ୍ତି ରାଜାଙ୍କ ଠାରୁ। ପୁଣି ସବୁ ପ୍ରାଣୀଙ୍କୁ ଛାଡ଼ି ଦିଆଯାଏ ଜଙ୍ଗଲରେ। ଯଦି କୌଣସି ପ୍ରାଣୀ ଆହାତ କିମ୍ବା ମୃତ ହେଲେ ସେପାଇଁ ଅବଶ୍ୟ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଏ ଯାହା ଜଙ୍ଗଲ ସୁରକ୍ଷାରେ ବିନିଯୋଗ ହୁଏ। ଦେଶର ଆଇନ୍ କାନୁନ୍ ଏ ପର୍ବର ପ୍ରତିବନ୍ଧକ ଅଦ୍ୟାବଧି ହୋଇନାହିଁ। ଏ ପର୍ବର ନିଶା ଅତି ପ୍ରବଳ, ଜୋରିମାନାକୁ ବିନ୍ଧ୍ୟଗିରିଆଙ୍କ ଭୟ ନଥାଏ।


ସମସ୍ତେ ତ ଖେଳୁଛନ୍ତି ପୀୟୂଷୀ ଗଲେ କୁଆଡେ? ଜେମା ସାମାନ୍ୟ ଅସୁସ୍ଥ ଥିଲେ ଗତକାଲିଠାରୁ। 


ହଠାତ୍ ଜେମାଙ୍କଠାରୁ ରାଜମାତାଙ୍କ ଫୋନକୁ ଭିଡିଓ କଲରେ ଆସିଲା ଏକ ଭୟଙ୍କର ଚିତ୍କାର। ରାଜମାତା ଦେଖିଲେ ଭୟଙ୍କର ଭାଲୁଟିଏ ରାଜ ଅନ୍ତଃପୁରରେ। ତାପରେ ଜେମାଙ୍କ କୌଣସି କଥା ଶୁଣାଗଲା ନାହିଁ କିମ୍ବା ସେ ଦୃଶ୍ୟମାନ ହେଲେ ନାହିଁ। ବଦଳରେ ଭାଲୁଟି ଯାହା ଜଣାଗଲା ଫୋନକୁ ନିଜ ହାତରେ ଧରି ନିଜକୁ ପରଖୁଛି ସେ କଳା ନା ଗୋରା। 


ରାଜମାତା ଭୂଦେବୀ ଯଦିଓ କିଂକର୍ତ୍ତବ୍ୟବିମୁଢ କିନ୍ତୁ ଧର୍ଯ୍ୟହରା ନୁହନ୍ତି। ସେ ପ୍ରୟୋଗ କଲେ ସତର୍କ ଘଣ୍ଟି। ଛୁଟି ଆସିଲେ ନଗରବାସୀ।


ପୀୟୂଷୀଙ୍କ ଶୟନକକ୍ଷ ଭିତରୁ ବନ୍ଦ। ତାହେଲେ ଭାଲୁ ଗଲା କେମିତି? 


କିଏ ଜଣେ ବିଜ୍ଞ ସାହସ ନେଇ କହି ପକାଇଲେ, "ଆମ ଜେମା କି ଭାଲୁ ପାଲଟି ଗଲେ ମନ୍ତ୍ରପାଣି ଛିଞ୍ଚିହୋଇ!"


ଅବଶ୍ୟ ସେ ଜିଭ କାମୁଡି ପକାଇ ବରଡାପତ୍ରପରି ଥରିବାକୁ ଲାଗିଲେ। ରାଜାଘର ବାବଦରେ ଅନେକ ରହସ୍ୟମୟ କଥା କୁହାଯାଏ।


ରାଜମାତା ଫୋନ ସେମିତି ଚାଲୁ ରଖିଥାନ୍ତି। ଏବେ ଭାଲୁ ଦେଖାଯାଉନଥାଏ କିମ୍ବା ଜେମା ଦେଖା ଯାଉନଥାନ୍ତି। ଫୋନ କେବଳ କଳା ଦିଶୁଥାଏ। କିନ୍ତୁ ଏକ ସ୍ପଷ୍ଟ ଢକ୍ ଢକ୍ ଶବ୍ଦ ଶୁଣାଯାଉଥାଏ।


ଉପସ୍ଥିତ ସ୍ବାସ୍ଥ୍ୟ ଅଧିକାରୀ କହିଲେ ଏ ଶବ୍ଦ ମନୁଷ୍ୟ ହୃଦୟର ଶବ୍ଦ। ଛାତି ଉପରେ ଷ୍ଟେଥୋ ପକାଇଲେ ଯେମିତି ଶବ୍ଦ ହୁଏ ସେମିତି ଶୁଭୁଛି।


ପଶୁ ସମ୍ପଦ ଅଧିକାରୀ କହିଲେ, ସେମିତି ନିର୍ଦ୍ଦିଷ୍ଟ କରି କହି ହେବନି ଆଜ୍ଞା, କାରଣ କୁକୁର ଓ ଛେଳିର ସ୍ପନ୍ଦନ ମଧ୍ୟ ଏମିତି। ହୁଏତ ଭାଲୁର ମଧ୍ୟ ଏମିତି ହୋଇଥିବ। 


ପରିସ୍ଥିତିର ଗମ୍ଭୀରତା ଦୃଷ୍ଟିରୁ ସେମାନେ ଆଉ ଆଗକୁ ଯୁକ୍ତିତର୍କ କଲେ ନାହିଁ। ଉଭୟ ମିଳିତ ମନ୍ତବ୍ୟ ଦେଲେ ଜେମା ହୁଅନ୍ତୁ କି ଭଲ୍ଲୁକ, ମୋବାଇଲ ଫୋନଟି ଏବେ କାହାର ଛାତିରେ ପଡ଼ିରହିଛି।


ଜଙ୍ଗଲ ଅଧିକାରୀ ଓ ଆରକ୍ଷୀ ଅଧିକାରୀ ପରସ୍ପର କଥା ହେଉଥିଲେ; ନିବୁଜ କୋଠରୀ ମଧ୍ୟକୁ ଭାଲୁ ଆସିଲା କେମିତି? ଫୋନଟି ଜେମାଙ୍କ ହାତରେ ଥିଲେ ସେ ବାର୍ତ୍ତାଳାପ କରୁଥାନ୍ତେ।


ଜେମା କେମିତି ଥିବେ? ହୋସରେ କି ବେହୋସ୍? ଜୀବିତ ଅବା ମୃତ? ହୁଏତ ଉପସ୍ଥିତ ପ୍ରତ୍ୟେକ ମଣିଷ ଏହି କଥା ଭାବୁଥିଲେ କିନ୍ତୁ କେହି କିଛି କହିପାରୁନଥିଲେ। 


ନଗରୀରେ ଷ୍ଟିଙ୍ଗ ଅପରେସନ ପାଇଁ ବିଖ୍ୟାତ ସାମ୍ବାଦିକ ତାଙ୍କ କାମରେ ଲାଗିଯାଇଥାନ୍ତି। ରାଣୀହଂସପୁର ବଡ଼ ସୁରକ୍ଷିତ କୋଠରୀ ସମୁହ, ତହିଁରେ ସ୍କାଏଲାଇଟ୍ ନଥାଏ। ଏସି ଚାଲୁଥାଏ। ଏସି ପାଇଁ ହୋଇଥିବା କଣା ମଧ୍ୟ ନିବୁଜ। ଏସି ଚାଲିବାରେ ବ୍ୟାଘାତ ନହେଉ। ରାଜାଘର ଅନୁମତିରେ ସେ ତାଙ୍କ ଶବ୍ଦ ହୀନ ଗୁଇନ୍ଦା ଭଅଁର ଯନ୍ତ୍ରରେ କଣା କରୁଥାନ୍ତି ଏକ ବନ୍ଦ ବାତାୟନରେ। ଯଥା ଅନୁମାନ ସେ କରିଥାନ୍ତି ଯେ ଉକ୍ତ ଝରକା ମଧ୍ୟ ଦେଇ କ୍ୟାମେରା ପ୍ରବେଶ କରାଇଲେ ଜେମାଙ୍କ ପଲଙ୍କ ଦେଖାଯିବ। ସେ କ୍ୟାମେରା ପରେ କ୍ୟାମେରା ପରୀକ୍ଷା କରୁଥାନ୍ତି। ଘର ଆଲୋକିତ ଥାଏ। କିଛି ସମୟପରେ ସେ ରାଜମାତା ଓ ରାଜା ରାଣୀଙ୍କୁ ଦେଖାଇଲେ ପିୟୂଷୀ ବିଛଣାରେ ଚିତ୍ ହୋଇ ଶୋଇଛନ୍ତି ଓ ଫୋନଟି ତାଙ୍କ ବାମ ପାଖ ଛାତି ଉପରେ ପଡ଼ିଛି। ଜେମା ଶୋଇଛନ୍ତି କି ବେହୋସ୍ ତାହା ନିର୍ଣ୍ଣୟ କରି ହେଲା ନାହିଁ। 


ଯଥାସମ୍ଭବ କୋଠରୀ ମଧ୍ୟକୁ ଭଲକରି ଦେଖାଗଲା। ଭାଲୁ ଦେଖାଯାଉ ନଥିଲା। ହୁଏତ କ୍ୟାମେରା ଦେଖିପାରୁନଥିବା କେଉଁ କଣରେ ଭାଲୁ ବସିଥିବ କିମ୍ବା ଭାଲୁ ସେଠାରେ ନାହିଁ।


ଯଦି ନାହିଁ ଗଲା କୁଆଡେ। ଏ ନିବୁଜ କୋଠରୀକୁ ଏତେବଡ ଜନ୍ତୁର ପ୍ରବେଶ ଓ ପ୍ରସ୍ଥାନ ହେଲା କେମିତି? ରହସ୍ୟମୟ ଘଟଣା। ରାଜମାତା ଏବେ ନିଜକୁ ସନ୍ଦେହ କରୁଥାନ୍ତି, ଫୋନରେ ସେ ସତରେ ଦେଖିଲେ ଭାଲୁ ଅବା ଏହା ତାଙ୍କ ଭ୍ରମ!


ରାଣୀ ଶ୍ରୀଧାରା ନିଜ ବ୍ୟାକୁଳତାକୁ ଏକ ରାଜକୀୟ ଠାଣିରେ ଗୋପନ ରଖି ପ୍ରସ୍ତାବ ଦେଲେ ଏବେ କବାଟ ଭାଙ୍ଗାଯାଉ, ପିୟୂଷୀଙ୍କୁ ଉଦ୍ଧାର କରାଯାଉ।


ଟୀକାୟତ ସୁଜୟ ଦେବ କାରଖାନାର ବିଭିନ୍ନ ଉପଯୋଗୀ ଯନ୍ତ୍ର ମଗାଇ ସାରିଥାନ୍ତି। ରାଜାଘର ପୁରୁଣାକାଳିଆ ନିଦା ଶାଳକାଠର ମଜବୁତ କବାଟ ତାହା ପୁଣି ସବୁଠୁ ସୁରକ୍ଷିତ କୋଠରୀର, ଏତେ ସହଜ ନୁହେଁ ଖୋଲିବା। କାମ ଅତି ସନ୍ତର୍ପଣରେ କରିବାକୁ ପଡ଼ିବ। କାରିଗର ମାନଙ୍କୁ ପରିଚାଳନା କରୁଥାନ୍ତି ସୁଜୟ ଦେବ। 


ରାଜା ଅଜେୟ ଭାବନା ମଧ୍ୟରେ ବୁଡ଼ି ଯାଇଥାନ୍ତି। ମାତା ଯେ ଆଦୌ ଭ୍ରମିତ ନୁହନ୍ତି ଏହା ସେ ବିଶ୍ୱାସ କରୁଥିଲେ। ଆପଣାର ଶାଶୁ ମାତାଙ୍କ କଥା ଅବଶ୍ୟ ସତ୍ୟ ହୋଇଥାଇପାରେ।


କବାଟ କଟାଗଲା। ସମସ୍ତଙ୍କ ପ୍ରବେଶ ବାରଣ କଲେ ଉପସ୍ଥିତ ଆରକ୍ଷୀ ଅଧିକାରୀ ମହାଶୟ। ଜେମାଙ୍କୁ ଚିକିତ୍ସା ଅଧିକାରୀଙ୍କ ପ୍ରାରମ୍ଭିକ ପରୀକ୍ଷା ପରେ ଜିଲ୍ଲା ଡାକ୍ତରଖାନାକୁ ନିଆଗଲା ସୁଜୟ ଓ ଶ୍ରୀରାଧାଙ୍କ ଦାୟିତ୍ଵରେ।


ଫୋରେନସିକ ଦଳ ତନ୍ନତନ୍ନ ପରୀକ୍ଷା କରି ବିଶେଷ ଯନ୍ତ୍ର ଦ୍ବାରା ଭଲ୍ଲୁକର ପଦଚିହ୍ନର ପ୍ରମାଣ ପାଇଲେ। 


କହିବା ବାହୁଲ୍ୟ ଭୟରେ ବେହୋସ୍ ହୋଇଯାଇଥିବା ଜେମା ତୁରନ୍ତ ନିଜର ଚୈତନ୍ୟ ଫେରିପାଇ ନବରକୁ ଫେରି ଆସିଲେ। ସେ କେବଳ ଏତିକି ମନେ ରଖିଥିଲେ ଯେ ହଠାତ୍ ଜାମ୍ବବାନକୁ ଦେଖି ସେ କିଂକର୍ତ୍ତ୍ୟବବିମୁଢ ହୋଇ ଭିଡିଓ କଲ୍ ଆରମ୍ଭ କଲେ କିନ୍ତୁ ତାଙ୍କ ହାତରୁ ଫୋନ୍ ଛଡାଇନେଲା ଭାଲୁ। କବାଟ ଖୋଲି ବାହାରକୁ ଆସିବା ସମ୍ଭବ ନଥିଲା; ସମ୍ମୁଖରେ ଜନ୍ତୁ। ତାପରେ କଣ ହୋଇଛି ସେ ଜାଣନ୍ତି ନାହିଁ। 


ଜ୍ଞାନୀ ବୃଦ୍ଧଜନ ଜଣେ କହିଲେ, ଦୁଇସାଙ୍ଗ ଓ ଭାଲୁ ଗପରେ ଜଣେ ସାଙ୍ଗ ଗଛକୁ ଚଢ଼ିଗଲା ଓ ଗଛଚଢା ନଜାଣିଥିବା ସାଙ୍ଗଟି ଶବ ଭଳି ଶୋଇପଡ଼ିଲା। ଭାଲୁ ଶୁଂଘାଶୁଂଘି କରି ପଳାଇଗଲା। ସେମିତି ଆମ ଜେମାମଣି ବେହୋସ୍ ହୋଇଗଲା ପରେ ଭାଲୁ ପଳାଇ ଯାଇଥିବ। ବୁଝିବା ଶୁଝିବା ସୁଧାର ଭାଲୁଟି ଫୋନଟା ନେଇ କଣ କରିଥାନ୍ତା ଯେ? ଏଣୁ ଜେମାଙ୍କ ଛାତି ଉପରେ ଥୋଇଦେଇ ଚାଲିଗଲା ଯେମିତି ସମସ୍ତେ ଜାଣିବେ ଆମ କୋଟି ପରମାୟୁ ଜେମା ସୁରକ୍ଷିତ ଅଛନ୍ତି।


ସେସବୁ କଥା ଠିକ୍ ଯେ ମଉସା ହେଲେ ଭାଲୁର ପ୍ରବେଶ ଓ ପ୍ରସ୍ଥାନ ହେଲା କେମିତି? ପଚାରିଲେ ରାଜା ଅଜେୟ।


ବୃଦ୍ଧଜନ କହିଲେ, - ହେ ରାଜନ୍, ନିଶ୍ଚିତ ରାସ୍ତା ଅଛି। ଖୋଲା ଓ ବନ୍ଦ ହୋଇପାରିବା ଭଳି ରାସ୍ତା ଅଛି, ଆପଣଙ୍କୁ କ'ଣ ଏକଥା  ଅଛପା! ପାହାଡ଼ ଘେରା ମଧ୍ୟରେ ଏକ ଉପହ୍ରଦ ଅଛି ଯାହା ବାହାରକୁ ଗୋପ୍ୟ କିନ୍ତୁ ଆଗକାଳରେ ସେଇ ଉପହ୍ରଦକୁ ବ୍ୟବହାର କରୁଥିଲେ ନବର ବାସୀ। ଅସୂର୍ଯ୍ୟଂସ୍ପର୍ଷା ରାଜବଧୂ ମାନଙ୍କ ପାଇଁ ସୁନ୍ଦର ସୁଡ଼ଙ୍ଗ ଥିଲା ଏହି ଉପହ୍ରଦରେ ପହଞ୍ଚିବା ପାଇଁ। ସେ ଉପହ୍ରଦ ପାଖରେ ପହଞ୍ଚିବା ସାଧାରଣ ଲୋକଙ୍କ ପାଇଁ କେବଳ ନିଷେଧ ନୁହେଁ, ଚେଷ୍ଟା କଲେ ବି ଅସମ୍ଭବ।


ଏତକ କହିପକାଇଲେ ବୟୋବୃଦ୍ଧ ବିଜ୍ଞଜନ।


ଠିକ୍ ଏହି କଥା ଶୁଣିଥିଲେ ରାଜା ଅଜେୟ। ହୁଏତ ଗପ ବା କିମ୍ବଦନ୍ତୀ ହିସାବରେ ସମସ୍ତେ ଜାଣିଥିବେ ଏକଥା। କିନ୍ତୁ ଅଜେୟ ଦେବ ଆଜି ପର୍ଯ୍ୟନ୍ତ ଠଅର କରିପାରିନାହାନ୍ତି ସେ ଫାଟକ କେଉଁଠି ଅଛି। ଭାଲୁର ଆଗମନରେ କଥାଟିର ସତ୍ୟତା ପ୍ରତିପାଦନ ହେଉଛି। ଚଟାଣରେ ନା କାନ୍ଥରେ ଅଛି ସେ ରାସ୍ତା?


ଅଜେୟ ଦେବ ଓ ସୁଜୟ ଦେବ ଆରକ୍ଷୀ ଅଧିକାରୀ ଓ ଫୋରେନସିକ ଦଳ ସହ କଣ ବିଚାର ବିମର୍ଷ କରୁଥାନ୍ତି। 


ଏବେ ସାଧାରଣ ଜନତାଙ୍କୁ ବିଦାୟ ଦିଆଗଲା ଧନ୍ୟବାଦର ସହ।


ସମଗ୍ର ଚଟାଣ ତିଆରି ହୋଇଛି ତିନିଇଞ୍ଚିଆ ଶାଳପଟାରେ ହୁଏତ ଏହା ମଧ୍ୟରେ ଥିବା ଏକ ବ୍ଲକ୍ ଯାହା କବାଟ ହିସାବରେ କାମ କରୁଛି। ଫୋରେନସିକ ଦଳ ଭାଲୁର ସବୁ ପାଦ ଚିହ୍ନର ଏକ ନକ୍ସା ପ୍ରସ୍ତୁତ କରି ଭାଲୁଟିର ସମୁଦାୟ ଗତିବିଧି ନିର୍ଣ୍ଣୟ କଲେ। 


ସେତିକି ବେଳେ ରାଜପରିବାରର ବିଶ୍ଵକର୍ମା ଏକ ବାକ୍ସ ଆଣି ପହଞ୍ଚିଲେ। ବହୁତ ପୁରୁଣା କାଳିଆ ବାକ୍ସ। ତା ମଧ୍ୟରେ କଣ ଅଛି ସେ ଜାଣନ୍ତି ନାହିଁ। କାହିଁ କେତେ ପୁରୁଷର ବାକ୍ସ। ଉପରେ ଲେଖା ଅଛି 'ରାଜାଘର'। ସେ ଜାଣନ୍ତି ନାହିଁ ଏ ବାକ୍ସ ଧରି ସେ କାହିଁକି ଆସିଲେ। ଏହାକୁ ଖୋଲି ଜାଣନ୍ତି ନାହିଁ ସେ। ତେବେ ଏତିକି ଜାଣନ୍ତି ଯେ ତାଲା ପଡିନଥିବା ଏ ବନ୍ଦ ବାକ୍ସକୁ ଖୋଲିବା ପାଇଁ ପରସ୍ପର ସ୍ଲାଇଡ୍ କରୁଥିବା କେତେକ ବ୍ଲକକୁ ଏକ ନିର୍ଦ୍ଦିଷ୍ଟ ପ୍ରକାରେ ଚାଳନା କରିବାକୁ ପଡ଼ିବ ଏପଟେ ସେପଟ ଏବଂ ଠିକ୍ କେତୋଟି ଚାଳନା ପରେ ଏହା ଖୋଲିବ। ଏବେର ମହାରଣାଏ ସେକଥା ଜାଣନ୍ତି ନାହିଁ।


ଶେଷରେ ନିଷ୍ପତ୍ତି ହେଲା ବାକ୍ସକୁ ଭଙ୍ଗାଯିବ। କିନ୍ତୁ ଜଣେ ଫୋରେନ୍ସିକ ବିଜ୍ଞାନୀ ଏକଥାକୁ ବାରଣ କଲେ। ସେ କହିଲେ ଯେ ଅନ୍ୟ ଏକ ରାଜପରିବାରରେ ଅନେକ ବର୍ଷ ତଳେ ସେ ଏମିତି ବାକ୍ସଟିଏ ଦେଖିଥିଲେ ଓ ସେ ବାକ୍ସଟି ଖୋଲିବାର ପ୍ରଣାଳୀ ଯାହା ଥିଲା ଠିକ୍ ସେଇଆ ଥିଲା ରାଜାଘର ଗୁପ୍ତ ଭଣ୍ଡାର ଖୋଲିବାର ପ୍ରଣାଳୀ। ଭାଙ୍ଗିବା ବଦଳରେ ଖୋଲିବାର ଚେଷ୍ଟା କରାଯାଉ।


ଦଳକ ଯାକ ଲାଗିଗଲେ ବାକ୍ସଟି ଖୋଲିବାରେ।


ତାହେଲେ ଭାଲୁ କେମିତି ଖୋଲିଲା? ଆରକ୍ଷୀ ଅଧିକରୀଙ୍କୁ ପଚାରିଲେ ଅଜେୟ ଦେବ।

- ସେପଟୁ ଖୋଲିବା ହୁଏତ ସହଜ ହୋଇଥିବ, ଭାଲୁ ତା ବଳରେ ଖୋଲି ଦେଇଥିବ। 

- ପୁଣି ବନ୍ଦ କରିଦେଲା କେମିତି?

- ହା ହା, ଆଜ୍ଞା, ଯେଉଁ ଭାଲୁ ଫୋନଟିକୁ ଜେମାଙ୍କ ଛାତି ଉପରେ ଛାଡି ବିନା କିଛି କ୍ଷତି କରି ଚାଲି ଯାଉଛି, ସେ ଗଲାବେଳେ ତାଟି କବାଟ ବନ୍ଦ କରିବାର ସୌଜନ୍ୟ ହୁଏତ ପାଳନ କରିଥିବ।


ଅନେକ ସମୟ ପରେ ସମସ୍ତଙ୍କ ମିଳିତ ପ୍ରଚେଷ୍ଟାରେ ବାକ୍ସଟି ଖୋଲିଗଲା। କେମିତି ଖୋଲିଲା ମନେରଖିବା ପାଇଁ ବାରମ୍ବାର ସମାନ କଥାକୁ ସେମାନେ ଅଭ୍ୟାସ କଲେ। ବାକ୍ସ ମଧ୍ୟରେ ଥିଲା କେତୋଟି ସାଙ୍କେତିକ ନକ୍ସାର କାନଭାସ।


କ'ଣ ଏସବୁର ମାନେ। ଭାଲୁର ପାଦ ଚିହ୍ନର ମାନଚିତ୍ର ଓ ଏସବୁ ନକ୍ସା ସବୁକୁ ସଠିକ ତର୍ଜମା କରିବା ପାଇଁ ସମୟ ମାଗିଲେ ଫୋରେନସିକ ଦଳ। ରାଣୀ ଅନ୍ତଃପୁରକୁ ସିଲ୍ କରି ରଖାଗଲା।


ଦୁଇଦିନ ପରେ ତଥ୍ୟ ମିଳିଗଲା। ଯେଉଁ ନକ୍ସାଟି ଏହି ଶୟନକକ୍ଷ ପାଇଁ ନିର୍ଦ୍ଦିଷ୍ଟ ତାହା ଜଣା ପଡ଼ିଲା।


ଏପଟେ ବଛା ବଛା ସାହାସୀ ଶିକାରୀ ପ୍ରସ୍ତୁତ ହୋଇ ରହିଥାନ୍ତି, ଯାହା ନିର୍ଦ୍ଦେଶ ମିଳିବ ସେମାନେ ସେପାଇଁ ପ୍ରସ୍ତୁତ। ମନେହେଲା ଏ ସନ ବିନ୍ଧ୍ୟଗିରି ପାଳନ କରିବ ଏକ ବିଶେଷ ଶୀକାର ପର୍ବ।


କାଠର ଚଟାଣ ଉପରେ ଚିହ୍ନଟ କରାଗଲା ସମ୍ଭାବ୍ୟ ବ୍ଲକଟି ଯାହା ହୋଇପାରେ ଏକ ଫାଟକ। ଏବେ ତ ଭାଲୁ ଉଠାଇ ଆସିଥିଲା, ନିଶ୍ଚିତ କିଛି ଫାଟ ଥିବ ଯୋଡେଇ ଯାଗାରେ। ନାଇଁ କିଛି ଜଣାପଡ଼ୁନି। ପାଣି ପକାଇ ଘଷିମାଜି ଧୁଆଗଲା। ତଥାପି କିଛି ଜଣାପଡ଼ିଲା ନାହିଁ। ତେବେ, ଘଷାମଜା କଲାବେଳେ କଣ ଗୋଟେ ତେଲିଆ ଜିନିଷ ନିର୍ଦିଷ୍ଟ କେତେ ସ୍ଥାନରୁ ବାହାରିଲା ପରି ଜଣାପଡ଼ିଲା। ଫୋରେନସିକ ଦଳ କହିଲେ ଏହା ମହମ ହୋଇପାରେ। କାରଖାନାରୁ ଗରମ ପବନ ବାହାରିବା ମେସିନ୍ ଅଣାଗଲା। ପବନ ମାଡ଼ରେ ସତକୁ ସତ ମହମ ତରଳି ଗଲା। ଏବେ ସମାନ ଡିଜାଇନର ଚାରୋଟି ବ୍ଲକ ବାହାରିଲା ଯେଉଁଠି ବାକ୍ସ ଉପରେ ଥିବା ଜ୍ୟାମିତି ମେଳ ଖାଇଗଲା। ସେଇଭଳି ଏପଟ ସେପଟ ବ୍ୟବସ୍ଥା ଥିଲା ଉପ ବ୍ଲକ ମାନଙ୍କରେ। ତିନୋଟି ଖୋଲିଲା ନାହିଁ, ଚତୁର୍ଥଟି କିନ୍ତୁ ଖୋଲିଗଲା।


ଆନନ୍ଦର ଲହରୀ ଖେଳିଗଲା।


ଅନତିପ୍ରସସ୍ତ ପାବଚ୍ଛମାଳା ତଳକୁ ତଳକୁ ଯାଇଛି। ସମସ୍ତ ଶିକାରୀ ସାଜ ସରଞ୍ଜାମ ଧରି ତଳକୁ ଚାଲିଲେ, ଅଜେୟ ଓ ସୁଜୟଙ୍କୁ ସୁରକ୍ଷା ଦେବାସହ। ସମ୍ମୁଖରୁ ଆଲୋକ ଆସୁଛି। ମନେହୁଏ ଅଦୂରରେ ଖୋଲା ଆକାଶ ଦୃଶ୍ୟମାନ ହେବ। ଚାରିଦିଗରେ ପାହାଡ଼ ମାନ ଏକପ୍ରକାର ସିଧା କାନ୍ଥ ଭଳି ଠିଆ ହୋଇଛି ମଝିରେ କୁନି ହ୍ରଦଟି। ଏ ହ୍ରଦର ଚତୁର୍ଦ୍ଦିଗ ଏକ ଅଣଓସାରିଆ ବନ୍ଧ ବା ରାସ୍ତା ଦ୍ଵାରା ପରିବେଷ୍ଟିତ ହୋଇଛି। ଏ ଗୁପ୍ତ ହ୍ରଦଟି ମୂଳ ହ୍ରଦ ସହ କେମିତି ସଂଯୋଜିତ ହୋଇଛି ବା ଆଦୌ ହୋଇନାହିଁ ତାହା ଜଣାପଡ଼ିଲା ନାହିଁ। ସେମିତି କିଛି ଜୀବଜନ୍ତୁ ଥିବାଭଳି ମନେହେଲା ନାହିଁ। ବୋଧହୁଏ କେବଳ ମଣିଷ ନୁହେଁ ଜୀବଜନ୍ତୁଙ୍କ ପାଇଁ ମଧ୍ୟ ଏହା ମଧ୍ୟକୁ ପ୍ରବେଶ କରିବା ସୁବିଧା ଜନକ ନୁହେଁ। ସେଥିପାଇଁ ବୋଧହୁଏ ଏ ଉପହ୍ରଦକୁ ପ୍ରାସାଦ ନିବାସୀ ବିନା ଭୟରେ ବ୍ୟବହାର କରୁଥିଲେ।


କିନ୍ତୁ ଭାଲୁ!


 ଚତୁର୍ପାର୍ଶ୍ବରେ ପାହାଡ଼ ଖୋଳାଯାଇ କେତେକ କୋଠରୀ ହୋଇଛି। କୋଠରୀ ମାନଙ୍କରେ ଥିଲା ସୁନ୍ଦର ସୁନ୍ଦର ବଡ ବଡ ପାତ୍ର। ଚିତ୍ରକଳାରେ ପରିପୁଷ୍ଟ ଏହାର କାନ୍ଥ ଗୁଡିକ। ବୋଧହୁଏ ଏସବୁ ସ୍ନାନାଗାର ଥିଲା ପ୍ରତ୍ୟେକ କୋଠରୀକୁ ପରୀକ୍ଷା କରାଗଲା। ଗୋଟିକରେ ଥିଲା ଏକ ସୁଡ଼ଙ୍ଗ। ଯାହା ଜଣାପଡେ ଏ ସୁଡ଼ଙ୍ଗର ଦ୍ବାରକୁ ଶିଳାଖଣ୍ଡ ଦ୍ବାରା ବନ୍ଦ କରାଯାଇଥିଲା ଯାହା ଏବେ ଏବେ କେହି ଖୋଲିଛି। 


କିଏ ଆଉ ହେବ ସେହି ଭାଲୁ ବ୍ୟତୀତ।


ଅଜେୟଙ୍କ ଆର୍କିଟେକ୍ଟ ଆଖି ଜାଣିପାରିଲା ଏ ସୁଡ଼ଙ୍ଗଟି ମନୁଷ୍ୟକୃତ ନୁହେଁ। ହୁଏତ ପ୍ରାକୃତିକ କାରଣରୁ ଆପଣାଛାଏଁ ହୋଇଛି କିମ୍ବା ଗାତ ଓ ଖୋଲ ମଧ୍ୟରେ ରହୁଥୁବା ଜନ୍ତୁମାନେ ତାଙ୍କ ସହଜାତ ପ୍ରବୃତ୍ତିରେ ଆପଣାର ଘର ଗଢୁ ଗଢୁ ସୁଡ଼ଙ୍ଗଟିଏ ରାଜ ସନ୍ତରଣାଗାର ରୂପକ ଗୁପ୍ତ ହ୍ରଦକୁ ଖୋଲି ଯାଇଛି।


 ସେ ସୁଡ଼ଙ୍ଗ ଦେଇ କେବଳ ଅଳ୍ପ କେତେଜଣ ଆଗେଇ ଗଲେ। ହାତରେ ଥିଲା ମଶାଲ ଓ ଅସ୍ତ୍ରଶସ୍ତ୍ର। 


ସେମାନେ ଫେରିଆସି ଜଣାଇଦେଲେ ଏ ସୁଡ଼ଙ୍ଗ ପଡ଼ିଛି ଅଗନା ଅଗନି ବନସ୍ତକୁ। ସେ ବନସ୍ତ ଘେରି ରହିଛି ମୂଖ୍ୟ ହ୍ରଦକୁ। ବାହାରକୁ ନିଦା ଦିଶୁଥିବା ଗିରିଶୃଙ୍ଗ ମଧ୍ୟରେ ଆପଣା ମୁଲକରେ ପୁଣି ଏତେ ରହସ୍ୟ!


ସେ ସୁଡ଼ଙ୍ଗକୁ ସବୁଦିନପାଇଁ ବନ୍ଦ କରିଦେବାର ପ୍ରସ୍ତାବରେ ଅଜେୟ ଆଦୌ ରାଜି ହେଲେ ନାହିଁ।


ଅଜେୟ ଅନୁମାନ କଲେ ହୁଏତ କେତେ ଶହ ବର୍ଷ ତଳେ ତାଙ୍କ ପୂର୍ବଜମାନେ ବେପରୁଆ ସ୍ନାନ ଓ ଜଳକ୍ରୀଡାରେ ମାତି ଥିବା ବେଳେ ଅପ୍ରତ୍ୟାଶିତ ଭାବେ ଦେଖିଥିବେ କୌଣସି ହିଂସ୍ର ଜନ୍ତୁଙ୍କୁ। ଭୟ ଓ ଆଶ୍ଚର୍ଯ୍ୟରେ ଶିହରୀ ଉଠିଥିବେ। ପରେ ପରେ ଏହା ଅବ୍ୟବହୃତ ହୋଇଯାଇଥିବ। ଏବଂ ବହୁବର୍ଷ ପର୍ଯ୍ୟନ୍ତ ଏହା ଲୋକମୁଖରେ ଥିବ ଓ ପରେ ହୋଇଯାଇଥିବ ଅବିଶ୍ବାସନୀୟ କିମ୍ବଦନ୍ତୀ ବା ଅଧିକତର ଭାବେ ବିସ୍ମୃତ।


ଏକଥା କେବଳ ସେ ଭାବୁଥିଲେ, ନିଜ ମଧ୍ୟରେ ସ୍ବଗତୋକ୍ତି କରୁଥିଲେ। କାହାକୁ କହିବାର ଉଦ୍ଦେଶ୍ୟ ନଥିଲା ବା ସେଭଳି ଉତ୍ସାହ ଥିବା ଶ୍ରୋତା ନଥିଲେ। ଭାଲୁ କେମିତି ଖୋଲିଲା? ଏ ପ୍ରଶ୍ନ ତାଙ୍କ ପାଇଁ ଅସମାହିତ ରହିଗଲା।


ସେମାନେ ଫେରିଲା ପରେ ଶେଷ ପାବଚ୍ଛରେ ଅଟକି ଯାଇ ରାଜା ସୁଜୟ କହିଲେ ସମସ୍ତେ ଉପରକୁ ଯାଆନ୍ତୁ ଓ ବ୍ଲକଟିକୁ ବନ୍ଦ କରିଦିଅନ୍ତୁ। ଯଦି ତଳଆଡୁ ସହଜରେ ନଖୋଲିବ ତେବେ ଉପରୁ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ଖୋଲିଲେ ସେ ବାହାରି ଆସିବେ। 


ଅଜେୟ ଲକ୍ଷ କଲେ, ଉପରୁ ବନ୍ଦ କରିଦେବାପରେ ତଳେ ପ୍ରାୟ ଅନ୍ଧକାର। ସେ ବନ୍ଦ ହେବାରେ କଣସବୁ ହେଉଛି ଜାଣିପାରିଲେ ନାହିଁ। ଫୋନର ବତୀକୁ ଜଳାଇଲେ। କେମିତି ଧାର ମାନଙ୍କରେ ଅନେକ ପଟା ପରସ୍ପର ଉପର ତଳ ଛନ୍ଦି ହୋଇଯାଉଛି। ସେଗୁଡିକ ସେ ହାତରେ ଖୋଲିବାକୁ ଚେଷ୍ଟା କଲେ। ଗୋଟିଏ ଖୋଲିଲେ ଆଉ ଗୋଟିଏ ବନ୍ଦ ହୋଇଯାଉଥାଏ। ସେପଟେ ରାଜମାତା ବିରକ୍ତ ହୋଇ ଉପରକୁ ଖୋଲିପକାଇବାର ନିର୍ଦ୍ଦେଶ ଦେଲେ।


ଅଜେୟ ଭାବିଲେ, ହୁଏତ ଭାଲୁ ବଳଦ୍ବାରା ଖୋଲିଥିଲେ କିଛି ଭଙ୍ଗାତୁଟା ହୋଇଥାନ୍ତା। ନା ସେ ବି ବୁଦ୍ଧିରେ ଖୋଲିଥିବ। ଭାଲୁର ଏତେ ବୁଦ୍ଧି! ସେକଥା ବି ତାଙ୍କ ମନକୁ ପାଇଲା ନାହିଁ। 


କେବଳ ସେତିକି କଥା ନୁହେଁ। ପରବର୍ତ୍ତୀ କାଳରେ ଏ ବାବଦରେ ବାରମ୍ବାର ଅନୁସନ୍ଧାନ କରିବା ଅଜେୟ ଦେବଙ୍କ ନିଶା ହୋଇଗଲା। ମନେହେଲା ସେ ଯେମିତି ବହୁତ କିଛି ଖୋଜୁଛନ୍ତି। ତାଙ୍କ ଶାଶୁ ମାଆ ଆହୁରି କିଛି କଥା କହିଥିଲେ ତାଙ୍କୁ।


ନଗରବାସୀ ଓ ସମସ୍ତଙ୍କ ପାଇଁ ପ୍ରହେଳିକା ହୋଇ ରହିଗଲା। ଭାଲୁ କେମିତି ଖୋଲିଲା। ସେ କ'ଣ ଭାଲୁ ଭଳି ଦିଶୁଥିବା ଅତି ବୁଦ୍ଧିମାନ କୌଣସି ବିଶେଷ ପ୍ରାଣୀ? ଲୋକେ ଆହୁରି ମଧ୍ୟ ପରସ୍ପର ପଚାରୁଥିଲେ କି ରାଜା ସେ ସୁଡ଼ଙ୍ଗ ବନ୍ଦ କଲେନି କାହିଁକି। କିନ୍ତୁ ମୂଖ୍ୟ ପ୍ରଶ୍ନ ହେଲା ଅଜେୟ ଦେବ ଖୋଜୁଛନ୍ତି କ'ଣ?

 ଏ ଖୋଜା ଚାଲିଛି ମିଳିବ ଯଦି ସେ କହିବେ ନିଶ୍ଚିତ। ସେ କହିଲେ ଆମ୍ଭେ ତାହା ପରିବେଷଣ କରିବୁ।



 



Rate this content
Log in

Similar oriya story from Drama