Rabinarayan Senapati

Drama Tragedy Inspirational

4.0  

Rabinarayan Senapati

Drama Tragedy Inspirational

ଧରିତ୍ରୀ

ଧରିତ୍ରୀ

7 mins
255



ସୁରେଶ କାର୍ଯ୍ୟରେ ଯୋଗଦେଲା ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ବିଭାଗର ହାଉସ ଫିଜିସିଆନ ଭାବେ। ତାକୁ ସବୁକିଛି ନୂଆ ନୂଆ ଲାଗୁଥିଲା। ଏଇଠି ସେ ପଢ଼ୁଥିଲା ସାଥୀ ପିଲାଙ୍କ ସହ। ଆଜି କିନ୍ତୁ ସେ ଡାକ୍ତର ଯଦିଓ ଇଣ୍ଟର୍ଣ୍ଣ ମାତ୍ର। ରୋଗୀମାନଙ୍କ ପ୍ରଶ୍ନକୁ ସେ ଏଡ଼ାଇ ପାରିବ ନାହିଁ, ଉତ୍ତର ଜାଣୁ ଅବା ନଜାଣୁ। ସେ ଫାଟକ ମଧ୍ୟକୁ ପ୍ରବେଶ କଲା, ମନେହେଲା ଦୁଇଧାଡ଼ି ଦେବଦାରୁ ତାକୁ ହିଁ ଅଭିବାଦନ ଜଣାଉଛନ୍ତି, ସତେ ଯେମିତି ପ୍ରଥମ କରି ଦେଖୁଛି। ସେମାନେ ନିଜର ହୋଇ ଅଳି କଲା ପ୍ରାୟ ପ୍ରଶ୍ନ କରୁଛନ୍ତି, ଆମର ଯତ୍ନ କିଏ ନେବ? ସୁରେଶ ଭାବିଲା ସେ ଆଉ ଛାତ୍ର ନୁହେଁ ବରଂ ଦାୟିତ୍ଵ ନେବାର ଏକ ଠିକଣା। ସେ ନିଜ ମଧ୍ୟରେ ପାଇଲା ଏକ କମନୀୟ ନମ୍ର ମଣିଷଟିଏ। ଭାରି ଭାବପ୍ରବଣ ସୁରେଶ, ତା ଆଖିରୁ ଝରିପଡିଲା ଦୁଇ ଧାର ଲୁହ।


କିଏ ଜଣେ ଯଚେଇ ହୋଇ କହିଲା, ସାରେ, ଧରିତ୍ରୀ ଖଣ୍ଡେ କିଣନ୍ତୁ। ସୁରେଶ ତାକୁ ଆପାଦ ମସ୍ତକ ନିରୀକ୍ଷଣ କଲା। ଗତ ଦୁଇବର୍ଷ ହେଲା ସେ ଦେଖୁଛି ଏ ଲୋକଟିକୁ। ଲୋକଟିର ସେମିତି କିଛି ଅଖଞ୍ଜ ନାହିଁ କେବଳ ଯାହା ବାମ ଗୋଡ଼ଟା ଫୁଲି ହାତୀ ପାହୁଲ ଭଳି ହୋଇଛି। ସବୁବେଳେ ଯେମିତି କାନ୍ଦୁଥାଏ। ଅନୁନୟ ହେଉ କିମ୍ବା ସାଧାରଣ ଭାବେ କିଛି କହୁ ଅଥବା କିଛି ନକହି ଗୁମ୍ ମାରି ବସିଥାଉ, ତା କାନ୍ଦୁଥିବା ଭାବଟି ମିଳାଏ ନାହିଁ। ସେ ଭିକ୍ଷାବୃତ୍ତି କରୁନାହଁ ଖବରକାଗଜ ବିକୁଛି, ଅବଶ୍ୟ ନେହୁରା ହୋଇ! ବାଃ ବଢିଆ! ଆଜିର ଖବରକାଗଜ ସେ ପଢିସାରିଥିବା ସତ୍ତ୍ୱେ ଖଣ୍ଡିଏ କିଣିଲା। ଲୋକଟି ସାବାସୀ ପାଇ ଓ କାଗଜଟିଏ ବିକି ସୁଖରେ ହସିଦେଲା। ସୁରେଶ ପ୍ରଥମକରି ଦେଖିଲା କେହି ଜଣେ ହସିଲେ ମଧ୍ୟ ଦିଶୁଛି ସତେ ଅବା କାନ୍ଦୁଛି।


-ବାବୁ ଡାକ୍ତର ହେଲ, ଏଣିକି ଆମେ ଗରିବ ଗୁରୁବାଙ୍କ କଥା ଟିକେ ବୁଝିବ, ଔଷଧ ପତ୍ର ମିଳିଲେ ଆମକୁ ଦେବ। 


ସୁରେଶ ଭାବିଲା, ସେ ଉଭୟ ଯେମିତିକା ଗୋଟିଏ ପାହ୍ୟା ଆଗକୁ ଟପିଛନ୍ତି।


ଏଣିକି ସବୁଦିନ ଧରିତ୍ରୀ ଖଣ୍ଡେ କିଣିବାକୁ ସେ ବାଧ୍ୟ ହେଲା। ସେ କେଜାଣି କାହିଁକି ଲୋକଟିର ନାମ ପଚାରିଲା ନାହିଁ କେବେ ବି। ତେବେ ଗୋଟିଏ ଦୃଷ୍ଟିରୁ ଲୋକଟି ଥିଲା ଅନ୍ୟମାନଙ୍କ ଠାରୁ ଭିନ୍ନ। ଅନ୍ୟମାନେ ଦୈନିକ ଓ ସାପ୍ତାହିକ ସମାଜ କିମ୍ବା ପ୍ରଜାତନ୍ତ୍ର ଏବଂ କେହି କେହି ଦୈନିକ ସମ୍ବାଦ ବିକିଲା ବେଳେ, ଏ ଲୋକଟି ଧରିତ୍ରୀ ଲାଙ୍ଗୁଡ ଧରିଲା କେମିତି ଓ କାହିଁକି? ଏଣିକି ସୁରେଶକୁ ଯାତିବାକୁ ପଡେନା ସେ ଡାକଟିଏ ଦିଏ; ଏ ଧରିତ୍ରୀ, ଖଣ୍ଡେ ଦେଲୁ। ବୋଧହୁଏ ଠିକ୍ ଏହିଭଳି ଆଉ କେତେକ ବି ତାକୁ ଡାକଦେଲେ। କ୍ରମେ ସେ ଧରିତ୍ରୀ ନାମରେ ସମ୍ବୋଧିତ ହେଲା କଟକ ବଡ଼ ମେଡିକାଲ ମଧ୍ୟରେ, ଏ ନାମରେ ସମ୍ବୋଧିତ ପୃଥିବୀର ଏକ ମାତ୍ର ପୁରୁଷ।

 

ନେହୁରା ହୋଇ କହିବ, "ବାବୁମାନେ ଖଣ୍ଡେ ଖଣ୍ଡେ ଖବର କାଗଜ କିଣିଲେ ଯାଇ ଏ ଗରିବଟି ମୁଠାଏ ଖାଇପାରିବ। ମାଗିବାର ଛାଇଟି ତା ସହ ରହିଛି। ସୁରେଶ ବିଚାର କରେ ଯାହା ହେଉ ଲାଗି ଖାଇଲାଣି ଯିଏ, ସେ କି ଆଉ ମାଗି ଖାଇପାରିବ? ସମସ୍ତେ ଏମିତି କିଛି ଫନ୍ଦିଫିକର କରନ୍ତେ ନାହିଁ?


ଚାହୁଁ ଚାହୁଁ ବର୍ଷକ ସରିଗଲା। ସୁରେଶ ଦୂରାନ୍ତରେ ଚାକିରି ପାଇଲା। ଧରିତ୍ରୀ ଏମିତି ଏକ ବଡ଼ ମଣିଷ ନୁହେଁ ଯେ ସେ ତାକୁ ଭୁଲି ନଯିବ। 


ଚାକିରି ବି ଚାହୁଁ ଚାହୁଁ ପାଞ୍ଚବର୍ଷ ସରିଗଲା। ସୁରେଶ ଓ ତା ଡାକ୍ତର ପତ୍ନୀ ଶ୍ରାବଣୀଙ୍କୁ ମନେହେଲା ଉଚ୍ଚ ଶିକ୍ଷା ବିନା ଜୀବନଟା ତାଙ୍କର ଅପୂର୍ଣ୍ଣ। ସେମାନେ ଛୁଟିରେ ରହି ପ୍ରବେଶିକା ପାଇଁ ପ୍ରସ୍ତୁତ ହେଲେ। 


ଚାଳିଶ କୋଶ ଦୂରରୁ ନିତି ଭୋରରୁ ବାହାରନ୍ତି ପିଲା ଦୁହିଁଙ୍କୁ ଯୌଥ ପରିବାର ଯତ୍ନରେ ଛାଡ଼ିଦେଇ। ବାଇକ ଧରି ଷ୍ଟେସନ୍, ସେଇଠୁ ରେଳ ଧରି କଟକ ପହଞ୍ଚ। ପୁଣି ସଂଧ୍ୟା ସମୟରେ ଫେର, ଘରେ ପହଁଚିବା ବେଳକୁ ରାତି ଦଶଟା, ପୁରା ଥକ୍କା। ଲମ୍ବା ଛୁଟିରେ ଦରମା ନାହିଁ, ସଞ୍ଚୟରେ ହାତ ମାରିଲେ ଏହା ସ୍ବଗୁଣ ବଶତଃ ସମାପ୍ତି ଆଡ଼କୁ ଗତି କରେ। କେବେ କେବେ ବଡ଼ ନିକୁଛରେ ଚଳିବାକୁ ପଡେ। ଟଙ୍କାଏ ଦୁଇଟଙ୍କା ପାଇଁ ମୂଲଚାଲ କରିବାକୁ ପଡେ ରିକ୍ସାବାଲା ସହ। ସଠିକ ଦରରେ ନମିଳିଲେ ଚାଲି ଚାଲି ଆସିବା ହୁଏ ବଡ଼ ମେଡ଼ିକାଲକୁ। ବେଳେ ବେଳେ ଏମିତି ଗରିବ ଭାବେ ଚଳିବାଟି ଭାରି ଭଲ। ତା ନହେଲେ ଆଖିକୁ ଦେଖା ଯାଏନି ଖବର କାଗଜ ବାଲାର ବେପାର, କାନକୁ ଶୁଣାଯିବନି, - ଏ ବାବୁ ଧରିତ୍ରୀ ଖଣ୍ଡେ ନିଅ। ଆରେ ଆରେ ମୋ ଅସଲ ବାବୁ କୁଆଡେ ଥିଲ ଯେ। ସବୁ ଭଲ ନା ବାବୁ। ନିଅ ନିଅ, ଆମ ମାଆଙ୍କ ହାତରୁ ନଖି ଆସିଲେ ମୋର ସବୁ ମିଳିଯିବ।


ସମ୍ଭବତଃ ତା'ର ଏ କଥାରେ ଡାକ୍ତର ଦମ୍ପତିଙ୍କ ଅଭାବ ଦୂର ହୋଇଯାଏ। ମନେହୁଏ ଏମାନଙ୍କ ପ୍ରତି କିଛି କର୍ତ୍ତବ୍ୟ ରହିଛି। ମନଟି ପୁରିଯାଏ। ଧରିତ୍ରୀ, ଆଉ କେଉଁ ହକରଠାରୁ ଦଶଖଣ୍ଡ କାଗଜ ଆଣି ବିକୁନି। ସେ ଏବେ ନିଜେ ହକର। ସବୁ କିସମର ଦୈନିକ ଓ ସାପ୍ତାହିକ ପତ୍ରିକା ତା ପାଖରେ ଅଛି। ସେ ବଦଳି ଯାଇଛି ଭଲ ଆଡ଼କୁ, ଉନ୍ନତି ଆଡକୁ। ବଦଳି ନାହିଁ କିନ୍ତୁ ତା ଗୋଦର ଗୋଡ, ତା ଯାତନା ଜିଜ୍ଞାସାର ଶୈଳୀ, ତା କାନ୍ଦୁରା ମୁହଁ ଯାହା ସୁଖରେ ମଧ୍ୟ ଦିଶେ ସତେ ଯେମିତି କାନ୍ଦୁଛି।


ସୁରେଶ ସେଦିନ ଅବଶ୍ୟ କାଗଜ ଖଣ୍ଡିଏ କିଣିଲେ କିନ୍ତୁ ଅନ୍ୟ ଦିନେ ତାକୁ ଏଡାଇ ଯାଆନ୍ତି। ଏତେ କଷ୍ଟରେ ପାଠ ପଢୁଥିବା ବେଳେ ଖବର କାଗଜ ପାଇଁ ସମୟ କାହିଁ? ଯାତ୍ରା କାଳରେ ମଧ୍ୟ ସେମାନେ ପଢ଼ା ଜାରି ରଖୁଥିଲେ। ଆଛା ଆଛା ଫାଇନାଲ ପରୀକ୍ଷା ଦିନ ବି ଘଣ୍ଟାଏ ଖବରକାଗଜ ପଢୁଥିବା ସୁରେଶ ଏମିତି କହି ମନକୁ ବୁଝାଇଦିଅନ୍ତି ଯେମିତି ଅସଲ କାରଣଟି ଆଲୋଚନାକୁ ନଆସିବ। ଦୁଇ ଦୁଇଟା ଡାକ୍ତର ପାଞ୍ଚ ବର୍ଷ ସରକାରୀ ଚାକିରୀ କଲାପରେ ମଧ୍ୟ ଦିନକୁ ଦୁଇଟଙ୍କା ଖର୍ଚ୍ଚକୁ ଜଗୁଛନ୍ତି!


ଏହା ୧୯୯୮ ସନର କଥା ଯେଉଁ ଥର ଦୁଇଟି ବର୍ଷ ଉପାଧ୍ୟୁତ୍ତର ପାଠ ପାଇଁ ପ୍ରବେଶିକା ପରୀକ୍ଷା ଏକ ସଙ୍ଗରେ ହୋଇଥିଲା। ୯୮ ବର୍ଷ ପାଇଁ ଦଳେ ସିଧା ପଢ଼ିବେ ଓ ୯୯ ବର୍ଷ ପାଇଁ ଏକ ବର୍ଷ ଦୂରାନ୍ତରେ କାମ କଲାପରେ ପଢିବେ। ଏହି ବର୍ଷ ୯୮ ପ୍ରଶ୍ନ ପ୍ରଘଟ ହୋଇ ଚଉଦ ଜଣ ପଶିଥିଲେ ଉପର ରାଙ୍କରେ। କିନ୍ତୁ ଆଉ ସମୟ ନଥିବାରୁ ୯୮ ଫଳକୁ କାଏମ ରଖାଗଲା, ୯୯ ଫଳକୁ ବିନା କାରଣରେ ବାତିଲ କରାଗଲା ଯାହାର ପ୍ରଶ୍ନ ପ୍ରଘଟ ହୋଇନଥିଲା। ସୁରେଶ ଓ ଶ୍ରାବଣୀଙ୍କ ପାଇଁ ତଥା ବହୁତ ଡ଼ାକ୍ତରଙ୍କ ପାଇଁ ଏ ଦୁର୍ନୀତି ଥିଲା ବଜ୍ରପାତ ସମ। ଅବଶ୍ୟ ଏସବୁ ନୂଆ କଥା ନୁହେଁ, ଏହାରି ମଧ୍ୟରେ ବଞ୍ଚିବାର ରାହା ଧରି ସଂଗ୍ରାମ କରିବାକୁ ପଡେ। ଓ ସେଥିରେ ସେମାନେ ଆଗାନ୍ତି ଆପଣାର ପ୍ରାରବ୍ଧକୁ ଆପଣେଇ ନେଇ। ଠିକ୍ ଆମ ପେପରବାଲା ଧରିତ୍ରୀ ପ୍ରାୟ। 


ସୁରେଶ ଯେଉଁଠି ଜନ୍ମ ହେଇଥିଲା, ଯେଉଁଠି ଉପାଧୀ ଶ୍ରେଣୀରେ ପଢୁଥିଲା ସେଇଠି ପୁଣି ଉପାଧ୍ୟୁତ୍ତର ପାଠ ପଢିଲା। ଧରିତ୍ରୀ ଯେମିତି ଏବେ ତା ନିଜ ଦୋକାନରେ ନିଜେ ବେପାର କରୁଛି।


ଆଉ ସମାଜଟି ସେମିତି ସେ ପ୍ରଶ୍ନ ପ୍ରଘଟ ଚଉଦ ଜଣିଆ ସମାଜ ପରି ଛନ୍ଦ କପଟ କରି ଆଗେଇ ଚାଲିଛନ୍ତି। ଶ୍ରାବଣୀ ସେମାନଙ୍କୁ କ୍ଷମା କରିଦିଏ, ସୁରେଶ ପାରେନି। ସେ ଯନ୍ତ୍ରଣା ପାଏ ଯଦିଓ ଏହାର କିଛି ମାନେ ନାହିଁ। ତଥାପି ଠିକ୍ ବାଟଟି ମଧ୍ୟ ଆଗକୁ ପଡ଼ିଛି। ସେମାନେ ଚାଲନ୍ତି, ଏ ଧରିତ୍ରୀ ଏମିତି ଚାଲିଛି, ଆମ ଧରିତ୍ରୀ ମଧ୍ୟ। ଶ୍ରାବଣୀ କହେ ଚାଲ ବାଟେ ବାଟେ ଚାଲିବା। ତେଣିକି ବାଟରେ କଣ୍ଟା କଙ୍କର ପଡୁ ଅବା ମନୋରମ ଉଦ୍ୟାନ। ସୁରେଶ ମାନିଯାଏ। ବିଦ୍ରୋହ ବଦଳରେ ବିବର୍ତ୍ତନକୁ ଆପଣାଇ ନିଅନ୍ତି ସେମାନେ।


ଏ ବିବର୍ତ୍ତନର ରୂପରେଖ ଧରିତ୍ରୀ ଦିନେ ପରାମର୍ଶ ପାଇଁ ଆସିଲା। ଆଛା ବାବୁ ମୋ ସ୍ତ୍ରୀ ଅସୁସ୍ଥ ମୋତେ ଔଷଧ ବ୍ୟବସ୍ଥା କରନ୍ତୁ।


ସୁରେଶ ତାଜୁବ୍ ହୋଇ ଅନାଇ ରହିଲା। ସେ ଯେତିକି ଜାଣିଥିଲା ଲୋକଟି କୁଆଁରା। ହୁଏତ ସେ ଜାଣି ନଥିଲା କିନ୍ତୁ ନିଶ୍ୱାସ କରି ଯାଇଥିଲା ସେମିତି। ମନେ ପକାଇଲା ତା ପୁରୁଣା ସମ୍ପର୍କ ହେବା ଦିନରୁ କେବେ ତ ଥରେ ଧରିତ୍ରୀ ଏକଥାର ପ୍ରତ୍ୟକ୍ଷ ବା ପରୋକ୍ଷ ସୂଚନା ଦେଇ ନଥିଲା। ମନେ ପଡ଼ିଲା, ସେ କହେ 

   - ବାବୁ ଦୁଇ ଚାରିଟା ଧରିତ୍ରୀ ବିକିଲେ ମୁଠାଏ ଖାଇବି। 


କେବେ ତ କହେନି ପରିବାର ଚଳିବ। ହୁଏତ ସୁରେଶ ମଧ୍ୟର ଅହଂ ଧରିତ୍ରୀକୁ ଘର ପରିବାର ବସାଇବାରେ ସାମର୍ଥ୍ୟ ନଥିବା ଏକ ମଣିଷ ବୋଲି ବିଚାର କରିନେଇଛି।


ହେଉ ହେଲା ଆଜି ଆଣ ଆଉଟଡୋରରେ ଦେଖାଇ ଦେବ।


ସେମାନେ ଆସିଲେ। ଚିଠାରେ ଲେଖାଯାଇଛି ନାମ, ତୁଳସୀ କଳସ, ସ୍ବାମୀ ନିତାଇ ଆରୁଖ, ବୟସ ଆଣତିରିଶ। ତାଙ୍କ ସାଥିରେ ଝିଅଟିଏ ଆସିଥାଏ, ତା'ର ମଧ୍ୟ କିଛି ସମସ୍ୟା ଥାଏ, ନାମ କମଳା କଳସ, ପିତା ନିତାଇ ଆରୁଖ, ବୟସ ବାର। 


ସୁରେଶକୁ ଏସବୁ, ଏ ନାମ, ସାଙ୍ଗିଆ ଓ ବୟସ ପ୍ରହେଳିକା ପ୍ରାୟ ଲାଗିଲା। ତା'ର ଯେମିତି ମନେହେଲା ଯିବା ଆସିବା ରାସ୍ତାରେ କେଉଁ ଅତୀତରେ ସେ ଦେଖିଛି ଏ ତୁଳସୀକୁ। ପୁଣି ଭାବିଲା ନା ବୋଧହୁଏ ସେ ଦେଖିନି। ଦେଖିବ କେମିତି? ଏ ବୋଧେ ଧରିତ୍ରୀର ଗାଁରେ ରହୁଥିଲେ ଓ ଏବେ ଏବେ ସହର ଆସିଛନ୍ତି।


ସେମାନଙ୍କ କାମ ସେ ସାରିଲା, ପ୍ରଫେସର ଦାସ ମାଡାମଙ୍କ ସହ ପରାମର୍ଶ କରି ଔଷଧ ଲେଖିଲା ଓ ସବୁ ପରୀକ୍ଷା ପାଇଁ ଉପଦେଶ ଦିଆଗଲା।


ସନ୍ଧ୍ୟାରେ ସୁରେଶ ରାଉଣ୍ଡ ସାରି ହଷ୍ଟେଲ ଆସିଲା ବେଳକୁ ଧରିତ୍ରୀ ବା ନିତାଇ ସେଇଠି ଠିଆ ହୋଇଛି ରିପୋର୍ଟ ଦେଖାଇବାକୁ।


ସୁରେଶ ତାକୁ ନିଜ ରୁମକୁ ଡ଼ାକିନେଲା।


ଧରିତ୍ରୀ ତା ମନକୁ ଗପିଲା ତା କାନ୍ଦୁରା ମୁହଁରେ।


"ବୁଝିଲେ ବାବୁ, ଆପଣଙ୍କ ମନର ସନ୍ଦେହ ମୁଁ ବୁଝି ପାରୁଛି। ତୁଳସୀକୁ ମୁଁ ଭିକ ମାଗିବା ଦିନୁ ଚିହ୍ନିଛି। ଛୁଆଟିକୁ କାଖରେ ଯାକି ସେ ଭିକ ମାଗେ। କେଉଁ ପରିସ୍ଥିତିରେ ସେ ଅସହାୟା ହେଲା, ଭିକ୍ଷା ବୃତ୍ତି ଆପଣେଇଲା ତାହା ମୁଁ ଏବେ ମଧ୍ୟ ଜାଣି ନାହିଁ। ନାନା ଲୋକେ ନାନା କଥା କହନ୍ତି ତା ବାବଦରେ। ତା ଛୁଆ ବାବଦରେ। ତା ସୁରକ୍ଷା ପ୍ରତି ସେ ବେଫିକର ଥାଏ। ସମୟ ସବୁବେଳେ ତାପାଇଁ ଅସୁରକ୍ଷିତ। ମୋ ଅବସ୍ଥା ତ ଆପଣ ଜାଣନ୍ତି। ମୁଁ ବା କ'ଣ ସାହାଯ୍ୟ କରିପାରିବି ତାକୁ। ମୁଁ ମଧ୍ୟ ବେପାର ଲାଇନକୁ ପଳାଇ ଆସିଲି। ଭିକମଗାର କ'ଣ କିଛି ଇଜତ ଅଛି କି ବାବୁ। ମୁଁ ବେଳେ ବେଳେ ତୁଳସୀ କଥା ଭାବେ। ଭଲମନ୍ଦରେ ମୁଁ ଥିଲି ତା'ର ଭରସା। ଏବେ ସେ କ'ଣ କରୁଥିବ। ବାଡ଼ ବତା ନଥିବା ଏକୁଟିଆ ହରିଣୀଟିଏ ରହୁଛି ହିଂସ୍ରଜନ୍ତୁ ସାଲୁବାଲୁ ହେଉଥିବା ବନସ୍ତରେ। ତେବେ ତା କଥା ମୁଁ କାହିଁକି ଚିନ୍ତା କରେ ମୁଁ ଜାଣେନା। ମୋର ମନେହୁଏ ମେହନତ କରି ଖାଇଲି ଭଲ କଲି ଯେ କିନ୍ତୁ ତୁଳସୀ ପାଇଁ ବଡ଼ ଅନ୍ୟାୟ କଲି। ମଣିଷ ଭିତରେ ଗୋଟେ ଦୋଷକାରୀ ଭାବନା ଏମିତି ଥାଏ। ଏଇ ମଣିଷ ମନ୍ଦ, ଏଇ ମଣିଷ ଭଲ ବାବୁ। ଭଲ ମଣିଷଟି ସବୁବେଳେ ଦୋଷୀ, ମନ୍ଦ ମଣିଷ ସବୁବେଳେ ଠିକ୍ କରେ। ଏମିତି ଓଲଟା କଥା। ମୋ ମନ ତୁଳସୀ ପାଇଁ ଆଉଟୁ ପାଉଟୁ ହୁଏ। ମୁଁ ବେଳେବେଳେ ଯାଇ ବୁଝେ ତା କଥା, ସେ ଷ୍ଟେସନରେ ପ୍ରାୟ ଥାଏ। ତା ପାଇଁ, ତା ଛୁଆ ପାଇଁ କିଛି ବି ଗୋଟେ ନେଇଯାଇଥାଏ ମୋ ଶକ୍ତି ଅନୁସାରେ। ତାକୁ ଭାରି ଭଲ ଲାଗେ ଯେ ଦୁନିଆରେ ସେ ସମ୍ପୂର୍ଣ ଅଲୋଡା ନୁହେଁ ସ୍ବାର୍ଥ ନଥିଲେ। ଜଣେ ତ କିଏ ତା ପାଇଁ ଚିନ୍ତା କରୁଛି। ମୁଁ ଦେଖିଲି ସେ ମଧ୍ୟ କ୍ରମେ ଅନାଇ ରହିଲା ମୋତେ। ପାଇବା ପାଇଁ ନୁହେଁ, ଦେବା ପାଇଁ। କିଛି ବି ଗୋଟିଏ ନିଜେ ରାନ୍ଧି ରଖିଥିବ ମୋତେ ଖୁଆଇବା ପାଇଁ। ଏମିତି ଗୋଟେ ସମ୍ପର୍କ ଗଢ଼ି ଉଠିଲା। ସମସ୍ତେ ମୋତେ ଛି ଛାକର କରନ୍ତି ତା ପାଇଁ। ସେ ମଧ୍ୟ ମୋ ସମ୍ପର୍କ ପାଇଁ ତାକୁ ବନ୍ଦୀ କରିଥିବା ଦୁନିଆ ଠାରୁ ଲାଞ୍ଛନା ପାଏ।


ଆପଣମାନଙ୍କ ଆଶୀର୍ବାଦରୁ କ୍ରମଶଃ ମୋ ବେପାର ଚାଲିଲା। ବାବୁ, ମୋ ଘର ଢେଙ୍କାନାଳରେ, ନନ୍ଦିନୀ ଶତପଥୀଙ୍କ ଘର ପାଖରେ। ମୋତେ ଦିନେ ତାଙ୍କ ପୁଅ କଟକରେ ଭିକ ମାଡୁଥିବାର ଦେଖି ଖୁବ୍ ଗାଳି କଲେ। ସାଙ୍ଗରେ ନେଲେ ତାଙ୍କ କଟକ ବିତରଣକାରୀଙ୍କ ପାଖକୁ। ତାଙ୍କ ନିର୍ଦ୍ଦେଶରେ ମୋତେ ସେ ପେପର ମାଗଣା ଦେବେ ଓ ଯେତିକି ବିକିବି ତାଙ୍କ ପାଖରେ ପଇଠ କରିବି। ସେ ମୋତେ ଖାଇବା ପିଇବାକୁ ଦେବେ ଓ ଦୁଇଟଙ୍କା ହାତଖର୍ଚ୍ଚ ଦେବେ । କ୍ଷତି ହେଲେ ତାଙ୍କର ଲାଭ ହେଲେ ମୋର। ମୁଁ କାମ କରିଚାଲିଲି। ପ୍ରାୟ ପାଞ୍ଚବର୍ଷ କଟିଗଲା। ଦିନେ ମଧ୍ୟ ମୁଁ ହିସାବ ମାଗିନଥିଲି। ବାବୁ ଦିନେ ଆସି ହିସାବ ପତ୍ର ବୁଝିଦେଇ ମୋତେ ଟଙ୍କା ତିରିଶ ହଜାର ଧରାଇ ଚାଲିଗଲେ। କହିଲେ ଯେ ହଇରେ ନିତାଇ ତୁ ବେପାର ବୁଝିଗଲୁଣି ଆଉ ହାରିବୁ ନାହିଁ। ମୋର ମଧ୍ୟ ବିଶ୍ଵାସ ଆସିଯାଇଥିଲା। ଆଜି ସେ ବଡ଼ ବାବୁ ଓ ଆପଣ ମାନଙ୍କ ସହାୟତାରେ ଦୁନିଆରେ ଠିଆ ହୋଇ ପାରିଛି।


ଦିନରାତି ଧରିତ୍ରୀ ବିକି ବିକି ଡାକ୍ତରଖାନାରେ ଶୋଇ ପଡ଼ୁଥିଲି ଯେଉଁଠି ସେଇଠି। ଏବେ କୁଡିଆ ଘରଟିଏ ଭଡ଼ାରେ ନେଲି। ଜିନିଷ ପତ୍ର ସେଇଠି ରଖିଲି। ଏକୁଟିଆ ଆଉ ସମ୍ଭବ ହେଲା ନାହିଁ।


ତୁଳସୀକୁ କହିଲି ଆ ସାଙ୍ଗରେ ରହିବା। ସେ ରାଜି ହେଲାନି, କହିଲା ସେମିତି ହେଲେ ମୋ ଉପରେ କୁଆଡେ ବିପଦ ପଡ଼ିବ। ମୁଁ ହସିଦେଲି। ଏତେ ବଡ଼ ଲୋକ ମୋର ଚିହ୍ନା, କିଏ ବିପଦ କରିବ ଦେଖି? ତଥାପି ସେ ରାଜି ହେଲାନି ବାବୁ। 


ଏମିତି କଟିଗଲା କେତେଦିନ। ମୁଁ ଦିନେ ତାକୁ ମନେଇବା ପାଇଁ କହିଲି, ଦେଖ ତୋ ଝିଅର ଭବିଷ୍ୟତକୁ। ତୁ କ'ଣ ଚାହୁଁଛୁ ସେ ତୋହରି ଭଳି ଜୀବନସାରା ଦହଗଞ୍ଜ ହେଉ? ସେ ବୁଝିଲା ଓ ସର୍ତ୍ତରଖି ରାଜି ହେଲା। 


ସେଇ ଦିନରୁ ମୁଁ ହେଲି ତା କମଳାର ବାପା। ତାକୁ ବାପାଟିଏ ମିଳିଲା ମୋତେ ସଂସାରଟିଏ। ଝିଅର କ ବ କି ଏକ ସ୍କୁଲରେ ନାମ ଲେଖାଯାଇଥାଏ କମଳା କଳସ। ସାଙ୍ଗିଆ ଆଉ ବଦଳାଇ ନାହୁଁ। 


ଡି ପ୍ରକାଶ ରାଓ ଚାଲିଗଲେଣି, ପଦ୍ମଶ୍ରୀ ପାଇଥିଲେ, ଆପଣଙ୍କୁ ଅଛପା ନଥିବ। ତାଙ୍କ ସାହାଯ୍ୟରେ ଝିଅ ମୁକ୍ତ ବିଦ୍ୟାଳୟରେ ପଞ୍ଚମ ପାଶ କଲା ଓ ଏବେ ରାଣୀହାଟ ହାଇସ୍କୁଲରେ ପଢୁଛି। ଖୁବ୍ ଭଲ ପଢୁଛି ବୋଲି ସମସ୍ତେ କହୁଛନ୍ତି।"


ସୁରେଶ ବଡ଼ ତନ୍ମୟ ଭାବେ ଶୁଣୁଥିଲା। ଏ ଗୋଦର ଗୋଡିଆ କାନ୍ଦୁରା ମଣିଷଟି ଏମିତି ମହାନ! ଏକ ସ୍ନିଗ୍ଧ ସୁମିରଣ ସତେ ଅବା ଖେଳି ଯାଇଥିଲା ତା ରୁମରେ। ତା'ର ମନେ ପଡ଼ୁଥିଲା ଶ୍ରାବଣୀ କଥା, ଠିକ୍ ବାଟଟି ତଥାପି ପଡିଛି ଓ ସେଇବାଟେ ଚାଲିବା ଉଚିତ୍। ସୁରେଶର ଅନ୍ତରାତ୍ମା କହିଲା ମଣିଷର ମହତ୍ତ୍ଵକୁ ଈଶ୍ବର ଅତି ଚମତ୍କାର ଭାବେ ପରିପ୍ରକାଶ କରାଇ ତାଙ୍କ ବିଶାଳ ପରିବାରକୁ ଚଳାଇ ନେଉଛନ୍ତି। ଆଶା କମଳା ଦିନେ ସାରା ଦୁନିଆକୁ କହିପାରିବ ତା ବାପା ଧରିତ୍ରୀ ସ୍ବର୍ଗାଦପି ଗରିୟସୀ। 



Rate this content
Log in

Similar oriya story from Drama