Rabinarayan Senapati

Drama Tragedy

4.0  

Rabinarayan Senapati

Drama Tragedy

ସୁମନ ମାୟାଧର

ସୁମନ ମାୟାଧର

8 mins
187


ଉପକ୍ରମଣିକା ।

ଈଶ୍ୱର କେଉଁଠି? ସେ ଯେଉଁ ଧଉଳି ପାହାଡ ଓ ଶାନ୍ତିସ୍ତୁପ ସେପାରିର ଦିଗବଳୟରେ ସୂର୍ଯ୍ୟାସ୍ତର ନିତ୍ୟ ନୂତନ ଖେଳ ଆମ ବାଲକୋନୀରୁ ପ୍ରତିଦିନ ଦେଖି ବିଭୋର ହୁଏ, ଯାହାକୁ ମୁଁ କାନଭାସ ଉପରେ ଆଙ୍କେ ରଙ୍ଗତୁଳୀରେ; ତାହାର ନିୟନ୍ତାଙ୍କୁ ମୁଁ ଈଶ୍ୱର ମନେକରେ । ବେଳେବେଳେ ପ୍ରଶ୍ନ ବି ପଚାରେ ଈଶ୍ୱରଙ୍କୁ, ମୋ ଜୀବନ ଏମିତି କାହିଁକି? ପ୍ରହେଳିକାପୂର୍ଣ୍ଣ ଅମା ଅନ୍ଧକାର ମଧ୍ୟରେ ସର୍ବଦା ଆଲୋକିତ ଏକ କ୍ଷୀଣ ପଥର ଯାତ୍ରୀ ମୁଁ । ଫାଟକ ବିହୀନ କିନ୍ତୁ ଅନେକ ମୋଡ ସେ ରାସ୍ତାରେ । ଦୁଃଖରେ, ସୁଖରେ, ଅଭାବ ଅନଟନରେ ଏ ପଥର ଆଲୋକ ନିର୍ବାପିତ ହୋଇନାହିଁ କିମ୍ବା ଯାତ୍ରାକୁ ବିରାମ ମିଳି ନାହିଁ । କେତେ ମଶାଲଧାରୀ ସହଯାତ୍ରୀ ସତସଙ୍ଗ ମଧ୍ୟରେ କେଡେ ନିଃସଙ୍ଗ ଜୀବନ ମୋ!

ନିଃସଙ୍ଗ? ମାୟାଧର ପରି ଆନ୍ତରିକ ବନ୍ଧୁତାର ଅତୁଳନୀୟ ପ୍ରାପ୍ତି ସତ୍ତ୍ବେ ନିଜକୁ ନିସଙ୍ଗ ମନେ କରିବା ଦୈବଦ୍ରୋହ ଓ କୃତଘ୍ନତା; ଜାଣି ମଧ୍ୟ ନିରୁପାୟ । ସବୁକିଛି ମଧ୍ୟରେ ଝଲକେ ଝଲକେ ଲାଗେ ମୁଁ ଏକୁଟିଆ, ମୋ ନିଜର ଲୋକେ ମୋ ଭଳି ନୁହନ୍ତି ।

ମନେହୁଏ; ବିଦ୍ୟା, ବୁଦ୍ଧି, ପରିଶ୍ରମ ଓ ଅଧ୍ୟବସାୟ ଜୀବନର ଗତିପଥ ନିରୂପଣ କରୁଥିଲେ ମଧ୍ୟ ପାରିପାଶ୍ୱିର୍କ ପରିସ୍ଥିତି ଓ ଭାଗ୍ୟର ଅବଦାନ କିଛି କମ ନୁହେଁ । ଆକସ୍ମିକ ଘଟଣା ଘଟି ଗତିପଥକୁ ହଠାତ୍ ମୋଡ ବୁଲାଇ ଦିଏ । ଅଙ୍କାବଙ୍କା ଯାତ୍ରା ମଧ୍ୟରେ କିନ୍ତୁ କିଞ୍ଚିତ୍ ଅଗ୍ରସର ଘଟୁଥାଏ ନିରନ୍ତର ।

ସେ ଶାନ୍ତିର ସ୍ତୁପ, ସେ ପାହାଡ ଓ ସେ ଶୋଭା ମଧ୍ୟରେ କି ଲୁଚିପାରେ ଭୟଙ୍କର କଳିଙ୍ଗ ଯୁଦ୍ଧର ଗାଥା । ଆଜି ମୁଁ ବୃତ୍ତି‌ନିବୃତ୍ତ ଅପରାହ୍ନରେ ମୋ କଥା ଲେଖୁଛି । ଜୀବନ ଯୁଦ୍ଧର ପୁନର୍ପଠନ ଖୁବ୍ ଭଲ ଲାଗୁଛି । ସ୍ୱୟଂ ମୁଁ, ପ୍ରଶାନ୍ତିର ସ୍ତୁପ ମଧ୍ୟରୁ ଈଶ୍ୱରଙ୍କୁ ଜଣାଉଛି ଧନ୍ୟବାଦ ଓ କୃତଜ୍ଞତା ।



ମୁଁ ସୁମନ, ଆମ ଗରିବ ପରିବାରର ପଞ୍ଚମ ସନ୍ତାନ ଭାବେ ଜନ୍ମ ନିଏ ଷାଠିଏ ବର୍ଷ ତଳେ, ବଣ ପାହାଡ ଘେରା ମୟୂରଭଞ୍ଜର ମହୁଲକୁସୁମ ଗ୍ରାମରେ । ଉପରେ ଦୁଇ ଭାଇ ଓ ଦୁଇ ଭଉଣୀ । ଆଉ ପିଲାପିଲି ଚାହୁଁ ନଥିଲେ ମୋ ପିତାମାତା; ନା ପୁତ୍ର ନା କନ୍ୟା । ଜ୍ୟେଷ୍ଠ ସହୋଦର ମାନେ ସମ୍ଭବତଃ ନିର୍ଣ୍ଣୟ କରି ପାରୁନଥିଲେ ଭାଇଟିଏ ଖୋଜୁଛନ୍ତି କି ଭଉଣୀ ।

ଶିଶୁ ପୁତ୍ର ସୁମନର ଅଭିବୃଦ୍ଧି ସ୍ୱଭାବିକ ହୁଏ ଯାହା ମଧ୍ୟରେ ଏକ ଶିଶୁର ମନ ବିକଶିତ ହୋଇଚାଲେ । କିନ୍ତୁ ମନେହୁଏ ଏ ବିକାଶରେ କିଛି ଭିନ୍ନତା । ଜାଣେନି କାରଣଟି କଣ, ମୋ ଅଜାଣତରେ ମୋର ରଙ୍ଗଢଙ୍ଗ ଯେମିତି ହୁଏ ତାହାକୁ ଘରେ କହନ୍ତି ଏଇଟି ଝିଅ ହେଉ ହେଉ ପୁଅ ହୋଇ ଯାଇଛି । ଏହା ସମସ୍ତଙ୍କ ନଜରରେ ପ୍ରଥମେ ଥିଲା ମଜାଦାର । ଅନ୍ୟ ମାନଙ୍କ ବିବେଚନାରେ ତାହା ଅସ୍ୱଭାବିକ ବୋଲି ଟିକେ ଟିକେ ଜାଣିଲି ସେମାନେ ଯେବେ ଆକଟ କଲେ ତୁ ଏମିତି କରନି ବା ସେମିତି କରନି ବୋଲି । ଛାନିଆରେ ଶ୍ରଦ୍ଧା ନାମ ଟିକି ବଦଳାଇ ଟିକୁ ଡାକିଲେ ଏଣିକି ।

ଆଉ ଟିକେ ବଡ ହେଲି, ମୁଁ ଏଣିକି ନିଜେ ଅନୁଭବ କରୁଥିଲି ହଁ ସତରେ ମୁଁ ଭିନ୍ନ, ପୁଅ ଭଳି ଦେଖାଗଲେ ମଧ୍ୟ ମୁଁ ଯେମିତି ପୁଅ ନୁହେଁ । ସପ୍ତମ ଶ୍ରେଣୀ ବେଳକୁ ମୁଁ ଦୃଢ ନିଶ୍ଚିତ ହୋଇ ଯାଇଥିଲି, ପରଘରେ, ପୁଅ ପିଲାର ଶରୀରରେ ମୁଁ ଝିଅଟିଏ ଆଶ୍ରୟ ନେଇଛି । ମୁଁ ଯେମିତି ନିଜକୁ ଖୋଜି ପାଉନି କିନ୍ତୁ ଖୋଜିବା ଦରକାର । ସାନ ବୋଲି ସମସ୍ତେ ମୋତେ ଗେହ୍ଲା କରୁଥିଲେ ଅଧିକ । କ୍ରମଶଃ ଏହା କେବଳ କମିଲା ନାହିଁ ବରଂ ତିରସ୍କାର ଆରମ୍ଭ ହୋଇଗଲା । ସେତେବେଳକୁ ମୋର ଚାଲିଚଳନ, ବେଶଭୂଷାର ଆକର୍ଷଣ ଓ ମନର ଆବେଗରେ ବାରିହୋଇ ପଡିଲାଣି ଏକ ଝିଅପିଲା । ମୁଁ ଗୁଲୁଗାଲିଆ ଓ ସୁନ୍ଦର ଦେଖା ଯାଉଥିବାରୁ ଆଗେ ମୋ ଘର ଲୋକେ ଖୁସି ହେଉଥିଲେ କିନ୍ତୁ ଏବେ ସେଇଟା ସେମାନଙ୍କୁ ଦେଉଥିଲା ବିରକ୍ତି ଭାବ ।

ବାହାରେ ସମସ୍ତେ ମୋତେ ଚିଡେଇବା ଆରମ୍ଭ କଲେ; ମାଇଚିଆ! ସୁମନ ମାଇଚିଆ । ମୁଁ କିଛି ବୁଝି ପାରୁନଥାଏ କିନ୍ତୁ ଖୁବ୍ ଖରାପ ଲାଗୁଥାଏ । ଏହା ଅସହ୍ୟ ହେଲା ଯେବେ ମୁଁ ନିଶ୍ଚିତ ହୋଇଗଲି, ମାସେ ବର୍ଷେ ନୁହେଁ ମୋ ପ୍ରତି ଏମିତି ଅସୂୟା ଭାବନା କେବେ ବଦଳିବ ନାହିଁ । ଓଲଟି, ସେମାନେ ସବୁ କହୁଥିଲେ ମୋତେ ବଦଳିବାକୁ ପଡିବ ।

ଭଉଣୀମାନେ ଆଗ ଭଳି ଆଉ ସଜେଇ ଦେଉ ନଥାନ୍ତି ଓ ନିଜେ ନିଜେ ସଜେଇ ହେବାକୁ ଚାହିଁଲେ ସବୁ ସାଜସଜ୍ଜା ଲୁଚେଇ ଦେଉଥାନ୍ତି । ଭାଇମାନେ ଅତି ବିରକ୍ତ ହେଉଥାନ୍ତି, ମୋତେ ପାଖରେ ପୁରାଉ ନଥାନ୍ତି । ବାପା ବୋଉ ମନ ଅସୁଖ କରୁଥାନ୍ତି । ସମସ୍ତେ ମୋତେ ବୁଝାଇବାକୁ ଚେଷ୍ଟା କରୁଥାନ୍ତି, ସତେ ଅବା ମୋ ବୁଝିବା ଭୁଲ୍ । ସମସ୍ତଙ୍କ ଅଲିଅଳି ପଦରୁ ହଟିଯାଇ ସମସ୍ତଙ୍କ ଅନାଦରର ଏକ ଅଲୋଡା ସନ୍ତାନ ହୋଇ ଯାଇଥାଏ । ଜନ୍ମ ଆଗରୁ ବି ଅଲୋଡା ଥିଲି, ପରେ ବି ହେଲି ଅଲୋଡା! 

ପରିବାର ଲୋକେ ମୋ ଚଳନିକୁ ପିଲାଳିଆମି କହୁଥିଲେ ଓ ବଦଳି ଯିବାକୁ ବୁଝାଉ ଥିଲେ । ପୁଣି କେବେ କେବେ, ବିଜ୍ଞ ପଡୋଶୀଙ୍କଠୁ ଶୁଣୁଥିଲି ଏହା ମାନସିକ ବିକୃତି, କାଳେ କଟକରେ ସକ୍ ଦେଲେ ଭଲ ହୋଇଯିବ । ମୁଁ ଭୟରେ କମ୍ପିଉଠି ଦୌଡିଯାଇ ବୋଉ କୋଳରେ ମୁଣ୍ଡ ଗେଞ୍ଜି ଦେଉଥିଲି । ସେ କୋଳଟି କେବଳ ଥିଲା ମୋ ଅଭୟର ଶେଷ ଠିକଣା । ଭାଇମାନେ ଅକାରଣରେ ମୋ ପିଠିରେ ଦୁମଦାମ୍ ବସାଇ କଷ୍ଟ ଦେବାକୁ କୁହାଯାଉନଥିଲା ମାନସିକ ବିକୃତି! କିମ୍ବା ଭଉଣୀମାନେ ତାଙ୍କ ଟିକିଲି, କୁଙ୍କୁମ, ସ୍ନୋ ପାଉଡର ମୋଠୁ ଲୁଚାଇ ରଖିବାକୁ କେହି କହୁ ନଥିଲେ ମାନସିକ ବିକୃତି! ଅନ୍ୟଥା ଶାନ୍ତ ପ୍ରକୃତିର ବାପା ମୋ ଉପରେ ଟିକେଟିକେ କଥାରେ ଭୟଙ୍କର ବିରକ୍ତ ହେଉଥିଲେ । ମୁଁ ନିଜକୁ ଦୋଷୀ ମନେକରୁଥିଲି ବାପାଙ୍କ ଶାନ୍ତି ବ୍ୟାହାତ କରି । ମୋ ମନକଥା ବୋଉକୁ କହିଲେ ସେ ଖାଲି କାନ୍ଦୁଥିଲା । ମନେ ହେଉଥିଲା ନା ମୁଁ ଆଉ ତା ଆଖି ଲୁହର କାରଣ ହେବି ନାହିଁ ।

ମୁଁ କିନ୍ତୁ ମୋତେ ଠିକ୍ ବୁଝିବା ଧୀରେ ଧୀରେ ଆରମ୍ଭ କରି ଦେଇଥାଏ ।

ମୁଁ ଅବଶ୍ୟ କନ୍ଦାକଟା କଲେ ସେମାନେ ସଭିଏଁ ମୋ ଆଖିରୁ ଲୁହପୋଛି ଦେଉଥିଲେ । ମୋତେ ଲାଗୁଥିଲା ମାରନ୍ତୁ ପଛେ ସେମାନେ ସବୁ ମୋ ନିଜର । ମୁଁ ଭୁଲି ଯାଉଥିଲି ମନର ବେଦନା । ମୋତେ ଧୀରେ ସ୍ଥିରେ ବୁଝାଇବାକୁ ଚେଷ୍ଟା କରୁଥିଲେ, ପୁଅପିଲାଙ୍କ ଭଳି ଚାଲି ଚଳନି ଆପଣେଇବା ପାଇଁ । ମୁଁ ସଚେତନ ଘଣ୍ଟାଏ ଅଭିନୟ କଲାପରେ ଯେଉଁ କଥାକୁ ସେଇ କଥା ହୋଇ ଯାଉଥିଲା ।

ବାହାର ଅବସ୍ଥା ଅଧିକ ଜଟିଳ ଥିଲା । ଟାହି ଟାପରାର ପରିମାଣ ବଢି ବଢି ଚାଲିଥିଲା । ମୁଁ ପାଲଟି ଯାଇଥିଲି ସେମାନଙ୍କ ପାଇଁ ଏକ ମଜାଦାର ଆଲୋଚନା ଅବା ଚିଡିଆଖାନାର ଅଜବ ଜନ୍ତୁ । ସେହି କଅଁଳ ବୟସରୁ ବି ମୁଁ ବୁଝି ସାରିଥିଲି ମୁଁ ନିରାପଦରେ ନାହିଁ, ଟାହି ଟାପରା ମାନସିକରୁ ଶାରୀରିକ ହେବା ଆରମ୍ଭ କରିଥିଲା । ମୁଁ ବୁଝି ସାରିଥିଲି ସମାଜଟି ବିଭତ୍ସ ଓ ଜଘନ୍ୟ । କ୍ରମେ ମୋ ଭରସା ତୁଟି ଯାଉଥିଲା ଛୋଟିଆ ଗାଆଁର ସବୁ ଚିହ୍ନାମୁଁହଙ୍କ ଠାରୁ ।

ଏଣୁ ଯନ୍ତ୍ରଣା ମଧ୍ୟରେ ବି ମୋ ଘର ମୋ ପାଇଁ ଥିଲା ନିରାପଦ । ସଂଧ୍ୟା ନଇଁବା ମାତ୍ରେ ଭୟରେ ମୁଁ ଦୌଡି ଆସୁଥିଲି ଘରକୁ। ମୁଁ ସବୁଥିରୁ ନିଜକୁ ଦୂରେଇ ଆଣି ଘରପଶା ପୁସ୍ତକ କୀଟ ହୋଇଗଲି । ପାଠ ଓ ପାଠ ବାହାରର ଯାହାମିଳିଲା ପଢି ଚାଲିଲି । ଆଜିି ମଧ୍ୟ ବୁଝିପାରେନି, କେଉଁ ବିଶିଷ୍ଟ ଶକ୍ତି ଜ୍ଞାନ ଆଲୋକ ଦିଗରେ ଅଡେଇନେଲା ମୋତେ ।

ସମସ୍ତେ କହନ୍ତି ମୋର ବୁଦ୍ଧି ଓ ସ୍ମରଣ ଶକ୍ତି ଥିଲା ପ୍ରଖର । ମେଧାବୀ । ଶିକ୍ଷକମାନେ ବାପାଙ୍କୁ କହିଲେ ମୋ ଦାୟିତ୍ୱ ଠିକ୍ ହିସାବରେ ନେଲେ, ମୁଁ କାଳେ ବଡ ହେଲେ ଯାହା ଚାହିଁବି ତାହା କରିବି । ମୋ ପାଇ ବିଚଳିତ ମୋ ପରିବାର ଲୋକେ ତଥାପି କିଛି ମାତ୍ରାରେ ଗର୍ବ ଅନୁଭବ କରୁଥିଲେ । ବୃତ୍ତି ପରେ ବୃତ୍ତି ପାଇବାରୁ ଆମ ବହଳଦା ବ୍ଲକରେ ବି ମୋ ପରିଚିତି ବଢିଲା କେବଳ ସେତିକି ନୁହେଁ ମୋ ମଧ୍ୟରେ ଚିତ୍ରକଳା ପାଇଁ ଥିଲା ବିଶେଷ ଆଗ୍ରହ । ସେଥିରେ ମୋ ଭାଇ ଭଉଣୀମାନେ ମୋତେ ଖୁବ୍ ଉତ୍ସାହିତ କରୁଥିଲେ । ମୁଁ ବୁଝି ପାରୁଥିଲି, ସମସ୍ତେ ଚାହୁଁଛନ୍ତି ମୁଁ ଘର ମଧ୍ୟରେ ବନ୍ଦୀ ରହି ପାଠ ପଢେ ଓ ଚିତ୍ର ଆଙ୍କେ । ବାହାରେ କେହି ନକହନ୍ତୁ ରଘୁ ପ୍ରଧାନ ପୁଅଟା ମାଇଚିଆ । ଏ ଦୁଇଟି କାମରୁ ବିରତ ରହି ମୁଁ କେବେ କେବେ ଭଉଣୀ ମାନଙ୍କ ଫ୍ରକ୍ ପିନ୍ଧିଲେ ବା ସଜେଇ ହେଲେ ସୃଷ୍ଟି ହେଉଥିଲା କଳି ଓ ଅତ୍ୟାଚାର ।

ମୁଁ ଭାବୁଥିଲି, ହେଉ ହେଲା କେତେ ଦିନ ଅଟକାଇବ ଅଟକାଅ । ମୁଁ ପାଠ ପଢିବି, ବଡ ଚାକିରି କରିବି; ହଜାର ହଜାର ଫ୍ରକ ଆଣି ପିନ୍ଧିବି । କେତେ ଲିପଷ୍ଟିକ୍‌, ପାଉଁଜି, ରିବନ କିଣିବି । ଏମାନେ ସବୁ ମୋଠୁ ନେବାକୁ ବିକଳ ହେବେ । ଅବଶ୍ୟ ମୁଁ ସେମାନଙ୍କୁ ଦେବି, ଦେବା ଭଲ । ଛୋଟ ପିଲା ଥିଲି ନା, ଏମିତି ଚୁଲୁବୁଲିଆ କଥା ଭାବୁଥିଲି ।

ମୋ ପାଖରେ ଆଉ କିଛି ଉପାୟ ନଥିଲା, ମୁଁ ମନଯୋଗ ଦେଲି ପାଠ ଓ ଚିତ୍ରାଙ୍କନରେ । ସୁଯୋଗ ମିଳିଲା ମାତ୍ରେ ଲୁଚିଲୁଚି ନିଜକୁ ଝିଅ ଭଳି ସଜାଇ ଅଇନାରେ ଦେଖୁଥିଲି, ଆଉ କାହାକୁ ଦେଖାଇବାର ମନଟି ମାରି ଦେଉଥିଲି । ମୁଁ ମୋ ନାନୀ ମାନଙ୍କ ଭଳି ଖୁବ୍ ସୁନ୍ଦର ଦିଶୁଛି ବୋଲି ଭାବୁଥିଲି ।

ଆମ ବିଦ୍ୟାଳୟର ଶିକ୍ଷକମାନେ ମୋତେ ବହୁତ ଉତ୍ସାହ ଦେଉଥିଲେ, ବିଶେଷ କରି ସୁଦାମ ସାର୍ । ଯେତେବେଳେ ଯାହା ପାଠ ପଚାରିଲେ ବୁଝାଇ ଦେଉଥିଲେ । ମୋ ଦୃଷ୍ଟାନ୍ତ ଅନ୍ୟପିଲାଙ୍କୁ ଦେଲେ ମନଟି ଖୁସି ହୋଇ ଯାଉଥିଲା । ମୋ ଶ୍ରେଣୀର ପିଲାଏ ଆଉ ମତେ ଗାଆଁର ଅନ୍ୟ ପିଲାଙ୍କ ଭଳି ଚିଡାଉ ନଥିଲେ । ମୁଁ ବି ସପ୍ତମ ଶ୍ରେଣୀର ମନିଟର ହୋଇଥାଏ ।

ଆମ ବିଦ୍ୟାଳୟରେ ଓ ଗାଆଁରେ ଆଉ କୌଣସି ପିଲା ମୋଭଳିଆ ନଥାନ୍ତି; ମାନେ ଯାହାକୁ ସମସ୍ତେ ଚିଡାଇବେ ମାଇଚିଆ । ଆମ ଗ୍ରାମର ଜଣେ ବୟସ୍କବ୍ୟକ୍ତି ଲକ୍ଷ୍ମୀଧର ମଳିକଙ୍କୁ ସମସ୍ତେ ଡାକନ୍ତି ଲକ୍ଷ୍ମୀ ମାଇଚିଆ । କେବେ କେହି କହିବାର ଶୁଣିଥିଲି ମୁଁ କାଳେ ବଡ ହେଲେ ତାଙ୍କରି ଭଳି ହେବି । ମୁଁ ବୁଝିଥିଲି ଆମେ ଦିହେଁ ସମାନ, କୌଣସି ଭିନ୍ନ କିସମର । ସେ ଦିନେ ଆମ ବିଦ୍ୟାଳୟର ବଗିଚା କାମରେ ନିୟୋଜିତ ହୋଇଥାନ୍ତି । ମୁଁ ତାଙ୍କ ପାଖକୁ ଗଲି, ଭାବିଲି ସେ ବୋଧେ ମୋତେ ମୋ ବାବଦରେ ବୁଝାଇ ପାରିବେ । ସେ ମୋତେ ଚିହ୍ନିଥିଲେ । ମତେ କହିଲେ –ଆଲୋ ଝିଅ, ତୁ ରଘୁ ଝିଅଟି ।

ମୁଁ ତାଜୁବ୍ ହୋଇଗଲି । ପ୍ରଥମ ଥର ପାଇଁ କେହି ଜଣେ ମୋତେ ସଠିକ ସମ୍ବୋଧନ କଲେ ଯେମିତି । ମୋତେ ଖୁବ୍ ଖୁସି ଲାଗିଲା । ସେ କହିଲେ, - ତୁ ପାଠ ପଢ, ଏତେ ପଢିବୁ ଯେ ସରକାରୀ ଚାକିରି ଯେମିତି ତୋ ପଛରେ ଗୋଡାଇବ । ନଚେତ୍ ତୋ ଜୀବନ ବହୁତ କଷ୍ଟକର ହେବ ।

ମୁଁ ଜାଣେନି କାହିଁକି ମୋ ପାଟିରୁ ବାହାରି ପଡିଲା; ହଁ ମା ମୁଁ ତୁମ କଥା ମାନିବି । ତାଙ୍କ ଆଖି ଲୁହ ଛଳଛଳ ହୋଇଗଲା ବୋଧହୁଏ ଆନନ୍ଦରେ । ସେ ଆଉ ଗୋଟିଏ ପରାମର୍ଶ ବି ଦେଲେ । – ସଫଳତା ନପାଇଲା ପର୍ଯ୍ୟନ୍ତ ନିଜକୁ ଲୁଚାଇ ଦେ । ସପ୍ତମ ଶ୍ରେଣୀରେ ମୁଁ ଟିକେ ବୁଝିବାର ହୋଇ ଯାଇଥାଏ । ପଚାରିଲି, ଏହା କଣ ସମ୍ଭବ ? ଲକ୍ଷ୍ମୀ ମା କହିଲେ, - ନା ସମ୍ଭବ ନୁହେଁ, କିନ୍ତୁ ସଫଳତା ପାଇଲା ପର୍ଯ୍ୟନ୍ତ ଅଭିନୟ କର ।

ଏବେ ଭାବୁଛି, ହୁଏତ ତାଙ୍କ ମୁର୍ଖ ମୁଣ୍ଡରେ ଭାବୁଥିଲେ ସଫଳତା ଦୁଇ ଚାରି ବର୍ଷର କଥା । ମୁଁ ତାଙ୍କୁ ସମ୍ମତ୍ତି ଜଣାଇ ଚାଲି ଆସିଲି । ଆଜି ବି ବୁଝିପାରେନି ଏତେ ଛୋଟ ବୟସରୁ କେମିତି ମୋ ପାଟିରୁ ତାଙ୍କ ପାଇଁ ମାଆ ଡାକ ବାହାରି ଆସିଥିଲା, ଆମ ଘରେ ଓ ଗାଆଁରେ ବୋଉ ଡାକଟି ପ୍ରଚଳିତ ଥିବା ସତ୍ତ୍ୱେ । ନିଜକୁ ଖୋଜିବାରେ ଏହି ସାକ୍ଷାତ ମୋ ଜୀବନରେ ଥିଲା ପ୍ରଥମ ସଫଳତା ।

ବଡ ଭାଇ ଦୁଇ ଜଣ ହାଇସ୍କୁଲ ପରୀକ୍ଷାରେ ଫେଲ ହେଲା ପରେ ଚାଷ କାମରେ ଲାଗି ଗଲେ । ଏହା ଥିଲା ଆମର ଏକ ମାତ୍ର ବୃତ୍ତି । ନାନୀ ଦୁହେଁ ସପ୍ତମ ପରେ ପାଠରେ ଡୋରି ବାନ୍ଧିଥାନ୍ତି । କିଏ ଜଣେ ଥରେ କହିବାର ଶୁଣିଲି, ମାଇଚିଆ ହେଲେ କଣ ହେଲା ରଘୁ ପୁଅଟି ଖୁବ୍ ଆଗକୁ ଯିବ ।

ଏହି ସମୟରେ ଏକ ବରଦାନ ମିଳିଲା ମୋତେ । ଟାଟା କମ୍ପାନୀ ପ୍ରଥମ(ଓ ଶେଷ)ଥର ପାଇଁ ଏକ କଳା ବୃତ୍ତିର ଘୋଷଣା କଲା । ଓଡିଶାର ଦୁଇ ଜଣ ଛାତ୍ରଛାତ୍ରୀଙ୍କ ପାଇଁ । ସେ ବୃତ୍ତିର ପରିମାଣ ଖୁବ୍ ଭଲ । ସୁଦାମ ସାର ଓ ଅନ୍ୟ ଶିକ୍ଷକ ମାନେ ସେ ପାଇଁ ମୋତେ ପ୍ରସ୍ତୁତ କରାଇଲେ । ମୁଁ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଆମ ଅଞ୍ଚଳରେ ଚହଳ ପକାଇ ଦେଲି ।

ଆମ ଘରେ ଖୁବ୍ ଖୁସି ହେଲେ । ତେବେ, ସେମାନଙ୍କ ସନ୍ଦେହ ଥିଲା, ଘର ଛାଡି ସୁଦୂର ରାଜଧାନୀରେ ମୁଁ ରହିପାରିବି ତ! ଭାଇ ଓ ନାନୀମାନେ ମୋତେ କହିଲେ ଯେ ସେଠାରେ ଛାତ୍ରାବାସରେ ରହିବାକୁ ପଡିବ କେବଳ ପୁଅ ମାନଙ୍କ ଗହଣରେ, ସମ୍ଭବ ତ ଟିକୁ! ମୋ ସହୋଦର ମାନେ ମୋତେ ବୁଝିବାରେ ସମର୍ଥ ଥିଲେ । ସେମାନେ ମୋ ଚାଲିଚଳନ ବଦଳେଇବାକୁ ଉପଦେଶ ଦେଲେ ।

ଲକ୍ଷ୍ମୀ ମା ଠିକ୍‌ଏହି ପ୍ରକାର କଥା କହିଥିଲେ, ମୋତେ ଦୁଃଖ ବଦଳରେ ଆନନ୍ଦ ଲାଗିଥିଲା । ଏମାନେ ମୋ ନିଜର, ଏମାନଙ୍କ କଥାରେ ଦୁଃଖ କରିବି କିଆଁ!

ହଁ ପାରିବି । ସେଦିନ ଅପରାହ୍ନରେ ଆମ ଗାଁ ମହୁଲକୁସୁମର ପଶ୍ଚିମ ଦିଗନ୍ତରେ ଥିବା ବିଶାଳ ଖେଳ ପଡିଆରେ, ପୁଅ ପିଲାଙ୍କ ସହ ଫୁଟବଲ ଖେଳିବା ଆରମ୍ଭ କଲି । ମୋ ଅଭିନୟ ଆଣିିଦେଲା ମୋ ପରିବାରରେ ଅପୂର୍ବ ଆନନ୍ଦ । 

ଆଜି ଭାବେ, କିନ୍ତୁ ସେବେ ମୁଁ ଜାଣି ନଥିଲି ଦିନ କେଇଟାରେ ମୁଁ ରାଜଧାନୀକୁ ପଢିବାକୁ ଚାଲିଗଲା ପରେ ଗାଁଆକୁ ଖାଲି ଝୁରି ହେବା ସାର ହେବ । ଯେଉଁ ପଥ ମୋ ଗାଆଁରୁ ମୋତେ ଆଗକୁ ବାଟ କଢେଇଲା ସେଇଟି କେବଳ ପ୍ରସ୍ଥାନର ପଥ । ତାପରେ ମଣିଷ ନୂଆ ନୂଆ ଦାୟିତ୍ୱରେ ଛନ୍ଦି ହୋଇଯିବ । ଲେଉଟାଣି ହେବ ଅସମ୍ବବ । ହଁ, ଏକଥା ଆଜି ସିନା ଭାବୁଛି ସେତେବେଳେ ତ ମୁଁ ଛୁଆ, ବାଳୁତର ଶେଷ ସୋପାନରେ । ସମସ୍ତ ଗୁରୁ ଗୁରୁଜନଙ୍କ ପାଦଧୂଳି ନେଇ ଦିନେ ମୁଁ ଚାଲିଲି ଭୁବନେଶ୍ୱର । ସଫଳତାର ଅନନ୍ଦ ଓ ମୋତେ ଚିଗୁଲାଉ ଥିବା ସମାଜରୁ ବିଦାୟର ଆନନ୍ଦ ସତ୍ତ୍ୱେ ମୋତେ ଖୁବ୍ ଦୁଃଖ ବି ଲାଗୁଥିଲା ।




Rate this content
Log in

Similar oriya story from Drama