Rabinarayan Senapati

Classics Inspirational

4.3  

Rabinarayan Senapati

Classics Inspirational

ଅଣବୌଦ୍ଧିକ

ଅଣବୌଦ୍ଧିକ

12 mins
354



ମାଳବିକା ହରେକୃଷ୍ଣ ମହତାବ ଭେଷଜ ମହାବିଦ୍ୟାଳୟ, ଭଦ୍ରକର ସହଯୋଗୀ ପ୍ରଧ୍ୟାପିକା ଶିଶୁ ବିଭାଗର। ପ୍ରଧ୍ୟାପିକା ପଦୋନ୍ନତି ପାଇ ବଦଳି ହୁଏ ଘାସିରାମ ମାଝୀ (ଜିଆରଏମ) ଭେଷଜ ମହାବିଦ୍ୟାଳୟ ନୂଆପଡାକୁ। ସ୍ବାମୀ ପଦ୍ମନାଭ ଭଦ୍ରକର ଫେକର ଫେରୋଆଲୟଜ୍ କାରଖାନାର ମୂଖ୍ୟ ପରିଚାଳକ। 


ଏମିତି ସବୁ ନୂଆ ଭେଷଜ ମହାବିଦ୍ୟାଳୟ ଆରମ୍ଭ ହୋଇଛି। ସରକାର ବଡ଼ ମାପିଚୁପି ମାନବ ସମ୍ବଳର ବଣ୍ଟନ କରୁଛନ୍ତି ଯେମିତି ନୂଆ ମହାବିଦ୍ୟାଳୟ ପଞ୍ଜିକରଣ ଅନୁମତି ଲାଭ କରିବ। ଜିଆରଏମର ଅଧ୍ୟକ୍ଷା, ମହାଶୟା ବୀଣା ଦେବୀ, ବହୁତ କର୍ମଠ, ପ୍ରଗତିଶୀଳ ଓ କଡା ମନୋଭାବର ଅଟନ୍ତି। ଏମିତି ଲୋକ ମାଳବିକାଙ୍କର ଭାରି ପସନ୍ଦ। ସେ ଠକ ନୁହନ୍ତି ଏଣୁ ତାଙ୍କର କି ଚିନ୍ତା?


 କାର୍ଯ୍ୟରେ ଯୋଗଦେବା ଦିନ ମହାଶୟା ସରକାରୀ ବାସଗୃହର ବ୍ୟବସ୍ଥା କରିଦେଲେ। ବିଶାଳ ଚାରି ଶୟନକକ୍ଷ ବିଶିଷ୍ଟ ଘର। ଏତେ ବଡ଼ ଘର? ମାଳବିକା କିନ୍ତୁ ଅମଙ୍ଗ ହେବାରୁ ନିବୃତ୍ତ ହେଲେ। ଛୋଟିଆ ସହର ନୂଆପଡାରୁ ଚାରିକିଲୋମିଟର ଦୂରରେ ଅନୁଷ୍ଠାନ, ଘର ନନେଇ ଗତି କାହିଁ। ଜିଲ୍ଲା ଡାକ୍ତରଖାନାରେ ଅବଶ୍ୟ ଶିଶୁ ବିଭାଗ। ଏପଟେ ପାଠ ପଢାଇବେ ସେପଟେ ଚିକିତ୍ସା କରିବେ। ଏହା ଅଳ୍ପ ଦିନର ସମସ୍ୟା। କଲେଜ ଡ଼ାକ୍ତରଖାନା କଲେଜ ପାଖରେ ତିଆରି ହେଉଛି। 


ମାଳବିକା ଖୁସି ମନରେ ଫେରିଯାଉଥିଲେ,ପଛରୁ ଶୁଭିଲା - ଲିସିନ୍(ଶୁଣ) ମାଳବିକା, ତୁମେ ତ ନିକଟରେ ରହିବ, ତୁମକୁ କିଛି ଗୁରୁଦାୟିତ୍ଵ ଦେଉଛି। ଦ୍ଵିତୀୟ ଛାତ୍ରୀନିବାସର ତତ୍ତ୍ଵାବଧାରିକାଙ୍କ ବଦଳି ହୋଇଯାଇଛି ତୁମେ ସେ କାର୍ଯ୍ୟ ସୁଚାରୁ ରୂପେ କରିପାରିବ, ଏ ବିଶ୍ଵାସ ମୋର ଅଛି। ପୁରୁଣା ପିଲା, ରାଗିଂ ଅଡ଼ୁଆ ନାହିଁ। 


  • ଆଜ୍ଞା ଠିକ୍ ଅଛି।


ସପ୍ତାହେ ନପୁରୁଣୁ ବୀଣା ଦେବୀ ପୁଣି ଡାକିଲେ। 


      - ବୁଝିଲ ମାଳବିକା, ନୂଆପିଲା ଏବର୍ଷ ଭର୍ତ୍ତି ହେଲେଣି। ଗତବର୍ଷର ଦୁଃଖର କଥା ଜାଣିଛ ତ, ଝିଅଟି କ'ଣ ପାଇଁ ଆତ୍ମହତ୍ୟା କଲା ଈଶ୍ବର ଜାଣନ୍ତି ଅଥଚ ରାଗିଂର ଅଭିଯୋଗ ହେଲା। କିନ୍ତୁ ସରକାରଙ୍କ ନିର୍ଦ୍ଦେଶ ଆମକୁ ରାଗିଂ ନିରୋଧି ବ୍ୟବସ୍ଥା କରିବାକୁ ପଡ଼ିବ ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ପୃଥକ ଭାବେ। ତୁମେ ଏହି ନୂଆ ଦାୟିତ୍ବରେ ରହିବ ଛାତ୍ରୀ ମାନଙ୍କ ପାଇଁ ମୁଖ୍ୟ ଭାବେ। ସାମାନ୍ୟ ନାସ୍ତି ଭାବନା ସତ୍ତ୍ୱେ ମାଳବିକା ଏ ଆହ୍ବାନକୁ ସ୍ବୀକାର କଲେ। ପରିବାରଠୁ ଦୂରରେ ରହିଥିବା ଦୁଃଖି ମନର ସମୟ କଟିଯିବ ଛାତ୍ରୀ ମାନଙ୍କ ଗହଣରେ, ସେମାନଙ୍କୁ ମାର୍ଗଦର୍ଶନରେ। ଆଜ୍ଞା ମାମ୍।ତାହେଲେ ଖୁବ୍ ଶୀଘ୍ର ନିଜର ରାଗିଂ ନିରୋଧି ଦଳ ଗଠନ କର। ନୂଆପିଲା ଆସିବା ଆଉ ବାର ଦିନ ଅଛି। ତୁମେ ପାଞ୍ଚ ଦିନ ମଧ୍ୟରେ ଏ କାମ ସାରିଦିଅ।ଠିକ୍ ଅଛି ମାମ୍।


ସେଦିନ କଲେଜରେ କାମଥିଲା ବହୁତ, ଗୋଟିଏ ସ୍ଥାନୀୟ ଶିଶୁ ସୁରକ୍ଷା ଆଶ୍ରମର ପିଲାଙ୍କୁ ସମୂହ ଝାଡ଼ାବାନ୍ତି ହୋଇ ଦଶଜଣ ଭର୍ତ୍ତି ହୋଇଛନ୍ତି, ପିଲାଙ୍କୁ ପଢାଇବା, ଛାତ୍ରାବାସ ତତ୍ତ୍ବାବଧାରକ ମାନଙ୍କ ବୈଠକ ଓ ପୁଣି ଥରେ ସଂଧ୍ୟାବେଳେ ଶିଶୁମାନଙ୍କ ଭଲମନ୍ଦ ବୁଝିବାରେ ପୁରାଦିନ ଚାଲିଗଲା। ରାଗିଂନିରୋଧି ଦଳ ଗଠନ କରିବାକୁ ଆଦୌ ସମୟ ହେଲା ନାହିଁ। 


ମାଳବିକା ଉତ୍ତମ ପାଚିକା, ସମସ୍ତଙ୍କୁ ହାତରନ୍ଧା ସ୍ବାଦିଷ୍ଟ ଖାଦ୍ୟ ଖୁଆଇବାକୁ ଭଲପାଆନ୍ତି। ଆଜି ସକାଳେ ଛୋଟ ଚିଙ୍ଗୁଡ଼ି ଭାଜି ରଖିଥିଲେ, ପୋଇ ମଧ୍ୟ ରଖିଛନ୍ତି। ଭାବିଥିଲେ ଦ୍ୱିପ୍ରହରରେ ସାଙ୍ଗ ଆନୀକୁ ଡାକିବେ, ସେ ପ୍ରସୂତି ବିଭାଗର। ଗରମା ଗରମ୍ ପୋଇ ଚିଙ୍ଗୁଡିର ମଜାନେବେ। କିନ୍ତୁ ରାନ୍ଧିବା ତ ଦୂରର କଥା ବେଳ ଅଭାବରୁ କଲେଜ କାଣ୍ଟିନରେ ଖାଇଲେ, କିଛି ଭଲ ଲାଗିଲା ନାହିଁ। ଅନୁମାନ କଲେ ପିଲାମାନଙ୍କ ମେସରେ ଖାଦ୍ୟ ଆହୁରି ଖରାପ ହୋଇଥିବ। ସେପାଇଁ ପିଲାଏ ବାହାରକୁ ଯାଉଛନ୍ତି ବା ବାହାରୁ ମଗାଉଛନ୍ତି। ନା ସେମିତି ହେବ ନାହିଁ। ତାଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିବ। ଛାତ୍ରୀମାନେ ଖାଇବା ଚିନ୍ତା କରିବେ ନା ପାଠ ପଢିବେ?


ପରଦିନ ସକାଳେ ସେ ପୋଇ ଚିଙ୍ଗୁଡି, ଭଜା ଗୋଟାମୁଗ ସାରୁ ଡାଲମା, ସଜନା ଛୁଇଁ ବାଇଗଣ ଆଳୁ ଝୋଳ(ବଢ଼ି ପରେ ପକାଇବେ) ପ୍ରଭୃତି ତାଙ୍କ ମନପସନ୍ଦ ତିଅଣ ପ୍ରସ୍ତୁତ କଲେ। ଖାଦ୍ୟ ପ୍ରସ୍ତୁତି ବେଳର ମହକ ତାଙ୍କ ମଗଜକୁ ଚଳଚଞ୍ଚଳ କରେ, ସେତିକିବେଳେ ଫିଟିଯାଏ ସବୁ ଜଟିଳ ପ୍ରଶ୍ନର ସମାଧାନ, ଧରାଦିଅନ୍ତି କବିତା ଓ ଗପର ନୂଆ ଧାଡ଼ି। ସେ ଲେଖନ୍ତି। ଅନ୍ତତଃ ପଦ୍ମନାଭ ସେମିତି କହନ୍ତି। ଏଠି ଏକୁଟିଆ, ତଥାପି ତାଙ୍କ ଅଭ୍ୟାସ ଯାଇନି। ସେ ଆନୀଙ୍କୁ ଦିବାହାରର ନିମନ୍ତ୍ରଣ ଜଣାଇଲେ। ସେ ଏଠାରେ ପୁରୁଣା। ଆନୀ ଆସିଲେ ତାଙ୍କଠୁ ଜାଣିବେ କିଏ କିଏ ରାଗିଂ ନିରୋଧି ଦଳର ସଦସ୍ୟ ହେଲେ ଭଲ ରହିବ। ଆନୀଙ୍କୁ ପଚାରିଲେ ମାଳବିକା,


 - ବୀଣା ଦେବୀଙ୍କୁ ଭୋଜନ ପାଇଁ ଡାକିଲେ ଆସିବେ ତ! 


ଆନୀ ହସିଲେ। - ଡାକିଲେ ଜଣାପଡ଼ିବ।ହେଲୋ ମାମ୍, ନମସ୍କାର। କ'ଣ କରୁଛ ମାଳବିକା? ସକାଳୁ ସକାଳୁ ଟିଭି ଖୋଲିଲା ବେଳକୁ ତୁମ ବିଭାଗର ଖବର। କ'ଣ ସବୁ ଚିକିତ୍ସାରେ ଅବହେଳା ହୋଇଛି ସେ ଆଶ୍ରମ ପିଲାଙ୍କର। ଅବଶ୍ୟ ସେକଥା ଅଧିକ୍ଷକ ଓ ମୂଖ୍ୟ ଚିକିତ୍ସାଧିକାରୀ ତଥା ତୁମେ ବୁଝିବ। ମୋର ସେଥିରେ ମୁଣ୍ଡ ଖେଳାଇବାର ନାହିଁ।


ମାଳବିକା ଘଟଣା ବାବଦରେ ସବିଶେଷ ଜଣାଇଲେ। ଆଜି ସକାଳୁ ମଧ୍ୟ ପୂଜା ସାରିଲା ପରେ ପ୍ରଥମେ ସେ ସେମାନଙ୍କ କଥା ବୁଝିଛନ୍ତି। ଅଧୀକ୍ଷକ ଓ ମୂଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇଛନ୍ତି। ସେମାନେ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି। ବଡ଼ କଥା ହେଲା ସବୁ ଶିଶୁ ଆଜି ବିପଦମୁକ୍ତ। ଆଛା ଆଛା ତାହେଲେ ସବୁ ଠିକ୍, ମୁଁ ଜାଣେ ପରା ମାଳବିକା ସବୁ କାମ କରିଥିବ। ଆଉ ସେ ରାଗିଂ ନିରୋଧି ଦଳ ଗଠନ କଲ। ଶୀଘ୍ର କରିବ। ଆରପଟେ ତୁମେ ବ୍ୟସ୍ତ ରହି ଆମ କାମକୁ ଭୁଲିଯିବ ନାହିଁ। ଆଉ କ'ଣ ପାଇଁ ଫୋନ କରିଥିଲ?ମାମ୍ ସକାଳୁ ସକାଳୁ ମୁଁ ରୋଷେଇ ସାରିଲିଣି। ମୋ ରୋଷେଇର ମହକ ମୋ ମଗଜକୁ ଚଞ୍ଚଳ କରୁଛି। ଆନୀକୁ ଡାକିଛି। ଆପଣ ଯଦି ଟିକେ ସମୟ ଦିଅନ୍ତେ, ଦିବାହାର କରନ୍ତେ ମୋ ବସାରେ। 


ବୀଣା ଦେବୀ ଚିଡିଗଲେ।ଲିସିନ୍ (ଶୁଣ), ଆମେ ସବୁ କେତେ ଗୁରୁଦାୟିତ୍ଵରେ ରହିଛନ୍ତି। ସକାଳୁ ରୋଷେଇ ଓ ଘରକାମ ପରି ନନ୍ ଇଣ୍ଟେଲେକ୍ଚୁଆଲ (ଅଣବୌଦ୍ଧିକ) କାମରେ ମାତିବା ନିଜର ଓ ଦେଶର ସମୟ ଅପଚୟ ନୁହେଁ କି? କାମବାଲୀ ଜଣେ ରଖ। ଅଯଥା ଏଥିରେ ସମୟ ଦିଅନି। ତା ଛଡା ଆଜି ଦ୍ୱିପ୍ରହରରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୋର ଭୋଜନ ବ୍ୟବସ୍ଥା।


ମାଳବିକାଙ୍କ ମନଟା ଆମ୍ବିଳା ହୋଇଗଲା। ହଁ ଠିକ୍ ଅଛି ଯେ କିନ୍ତୁ ତାଙ୍କର ବୌଦ୍ଧିକ ଦିଗଟି ସହ ଖାଦ୍ୟ ପ୍ରସ୍ତୁତିର ମହକର କ'ଣ ସମ୍ବନ୍ଧ ଅଛି ଏକଥା ସେ ନିଜେ ଜାଣନ୍ତି, ପଦ୍ମନାଭ ଜାଣନ୍ତି, ପିଲାଏ ଜାଣନ୍ତି। ଆନୀ ମଧ୍ୟ ଜାଣେ। ଆନୀ ସହ ଗୋଟିଏ ରୁମରେ ରହୁଥିଲେ ସେ ଉପାଧି ବେଳରେ। ଏମିତି ତ ସେ ନିଜେ କେବଳ ଭାତ ଓ ଡାଲିରେ ଚଳିଯିବେ କିନ୍ତୁ ଡାଲିଟି ଡାଲି ଭଳି ହେବା ଦରକାର। ପରିବାର ବର୍ଗଙ୍କୁ ଭଲ ନଖୁଆଇଲେ ସାରାଦିନଟି ବେକାର ହୋଇଗଲା ଭଳି ଲାଗେ। ଏହା ଅଣବୌଦ୍ଧିକ କାମ?


ଦ୍ବିପ୍ରହରରେ ଆନୀ ସହ ଖିଆପିଆ। ବୀଣା ଦେବୀଙ୍କ ମନ୍ତବ୍ୟ ସବୁ ଅବିକଳ କହିଲେ ମାଳବିକା। ଆନୀ ହସି କହିଲେ, ସେ ଏକଥା ଜାଣିଥିଲେ। ସେ ଦିନେ କହିଥିଲେ ବୀଣା ଦେବୀଙ୍କୁ, ଖୁଆଇବାରେ ମାଳବିକାଙ୍କ ବହୁତ ଆନନ୍ଦ ମାମ୍। ସେଦିନ ମଧ୍ୟ ସେ ଏହିକଥା କହିଥିଲେ, ମୂଲ୍ୟବାନ ସମୟ ଏମିତି ଅପଚୟ କରିବା ଠିକ୍ ନୁହେଁ।


  ସେମାନେ ରାଗିଂ ନିରୋଧି ଦଳ ଗଠନ କଲେ। ଆନୀ ଓ ଅନ୍ୟ ଚାରିଜଣ ସଦସ୍ୟ ରହିଲେ। 


ପରଦିନ ସେ ଅଧ୍ୟକ୍ଷାଙ୍କୁ ଏହା ଅବଗତ କରାଇଲେ। କ'ଣ ସବୁ କାମ କରିବାକୁ ପଡ଼ିବ ବୀଣା ଦେବୀ ସବିଶେଷ ଆଲୋଚନା କଲେ। ସେ ଫେରୁଥିଲେ, ପଛରୁ ଶୁଭିଲା, ଲିସିନ୍ ମାଳବିକା।


ପୁଣି ସେହି ଏକା କଥା। ସେ କାମବାଲୀ ରଖିଲେ କି ନାହିଁ? ସରକାର ଏତେ ଉଚ୍ଚ ବେତନ ଦେଉଛନ୍ତି ଆମେ ଏତେ କଞ୍ଜୁସ ହେଲେ ଚଳିବ? ଆରେ ଜଣେ ଗରିବ ସ୍ତ୍ରୀଲୋକକୁ ରୋଜଗାର ଦିଅ।


ମାଳବିକାଙ୍କ ପରି ବଡ଼ ଅମିତବ୍ୟୟିଙ୍କୁ ଶୁଣିବାକୁ ପଡ଼ିଲା ଲୋଭି ବୋଲି! ତାଙ୍କ ପାଇଁ ତାଙ୍କ ଗୋପନୀୟତା ବଡ଼, ବାହାର ଲୋକଙ୍କ ପ୍ରବେଶ ଅସହ୍ୟ। ରୋଷେଇରେ ଶ୍ରଦ୍ଧା ଭାବ ଆଣିଦିଏ ସ୍ବାଦ ଓ ସାତ୍ବିକତା। ରୋଷେଇ ଓ ଘରକାମ ନିଜେ ନକରିବେ କେମିତି? ଅଥଚ ବୀଣା ଦେବୀ ଏମିତି କହିଲେ?


ପାହାଚରେ ଓହ୍ଲାଇଲା ବେଳେ ମାଳବିକା ହସିଲେ, ସେ ଅଣବୌଦ୍ଧିକ କାମରେ ସମୟ ଅପଚୟ ନକରି ଲିଫ୍ଟରେ ଯାଇଥିଲେ ଭଲ ହୋଇଥାଆନ୍ତା। ସମୟ ବଞ୍ଚିଥାନ୍ତା। ବ୍ୟାୟାମ ତାହେଲେ ସମୟର ଅପଚୟ! କେମିତି? କିନ୍ତୁ ସେ ବୀଣା ଦେବୀଙ୍କ କଥାକୁ ଧରିଲେ ନାହିଁ। ମହାଶୟା ଦିନ ରାତି ଲାଗିଛନ୍ତି ଏହି ନବଗଠିତ ଭେଷଜ ମହାବିଦ୍ୟାଳୟକୁ ରାଜ୍ୟରେ ପ୍ରତିଷ୍ଠିତ କରିବାକୁ, ଛାତ୍ରମାନଙ୍କୁ ସର୍ବୋତ୍ତମ ଶିକ୍ଷା ଦେବାକୁ। ଏହା ତାଙ୍କର ବ୍ରତ। ଏଥିପାଇଁ ସେ କଠୋର। ସହକର୍ମୀ ମାନଙ୍କୁ ତାଗିଦ୍ କରିବା ଅବଶ୍ୟ ମାତ୍ରାଧିକ ଓ ନିୟମ ବହିର୍ଭୁତ। ମାଳବିକା ନିଜକୁ ବୁଝାଇ ଦେଲେ, ଉଦ୍ଦେଶ୍ୟ ଅନୁସାରେ ଦୋଷ ତ୍ରୁଟି ଧରାଯାଏ। ଯେହେତୁ ଉଦ୍ଦେଶ୍ୟ ମହତ, ବୀଣା ଦେବୀଙ୍କୁ ସହିଯିବା ଭଲ। 


ମାଳବିକା ମୌଖିକ ଭାବେ କହିଥିଲେ ସିନା, ରାଗିଂ ନିରୋଧି ସମିତିର ଲିଖିତ ତାଲିକା ଦେଇନଥିଲେ। ପୁଅର ଜନ୍ମଦିନ ଆସୁଛି, ସେ ଗୁରୁଗାଁଓରେ ରହେ। ଖାସ୍ ଜନ୍ମଦିନ ଉଦ୍ଦେଶ୍ୟରେ ଭଦ୍ରକ ଆସିଛି। ମାଳବିକା ସେ ତାଲିକା ଓ ଛୁଟି ଦରଖାସ୍ତ ନେଇ କଲେଜ ଅଫିସକୁ ଗଲେ। ବୀଣା ଦେବୀ ଭୁବନେଶ୍ୱର ଯାଇଛନ୍ତି ସରକାରୀ କାମରେ। ଦରଖାସ୍ତ ସେଦିନ ଦାୟିତ୍ଵରେ ଥିବା ନିଦାନ ବିଭାଗ ପ୍ରଧ୍ୟପକଙ୍କ ଠାରୁ ମଞ୍ଜୁର କଲେ। ରାଗିଂ ନିରୋଧି ତାଲିକାଟି କାର୍ଯ୍ୟାଳୟରେ ଦେଇ ଆସିଲେ। 


ମାଳବିକା ବୀଣା ଦେବୀଙ୍କୁ ଏ ବାବଦରେ ସନ୍ଦେଶ ଦେଇ, ତାଲିକାରେ ଥିବା ସମସ୍ତଙ୍କୁ ବ୍ୟକ୍ତିଗତ ଭାବେ ଅବଗତ କରାଇ, ନିଶ୍ଚିତ ମନରେ ଗଲେ ଭଦ୍ରକ। ପୁଅ ଜନ୍ମଦିନର ପୂର୍ବଦିନ ବୀଣା ଦେବୀ ଅଗ୍ନିବର୍ଷୀ ବାଣୀ ଶୁଣାଇ ତୁରନ୍ତ ଫେରିଆସିବାକୁ ନିର୍ଦ୍ଦେଶ ଦେଲେ। ତାଙ୍କ ଅଭିଯୋଗ ଥିଲା ମାଳବିକା ନିଜେ କାହିଁକି ଏବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କଲେ ନାହିଁ। କନ୍ଦାକଟା କରି ଏକ ଟାକ୍ସି ବ୍ୟବସ୍ଥା କରି ମାଳବିକା ଫେରିଗଲେ ନୂଆପଡ଼ା।


 ମାନବ ସମ୍ବଳ ପରିଚାଳକ ପୁଅ କହିଲା, -ବୁଝିଲ ମାମା, ଯାହା ଜଣାପଡେ ତୁମ କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ଯେମିତି ଏକ ରାଗିଂ ନିରୋଧି କମିଟି କରାଯାଇଛି ସେମିତି ଏକ କମିଟି ହେବା ଦରକାର ତୁମ ଭଳି କର୍ମଚାରୀଙ୍କ ପାଇଁ। ଏମିତି କ'ଣ ମାନବ ସମ୍ବଳ ପରିଚାଳନା କରାଯାଏ?


କଥା ସେତିକିରେ ସରିଲା ନାହିଁ। କାର୍ଯ୍ୟାଳୟରେ ପନ୍ଦର‌ ମିନିଟ କାଳ ଭଲକରି ଶୁଣାଇଲେ ଅନ୍ୟ ଅଧସ୍ତନ କର୍ମଚାରୀଙ୍କ ଉପସ୍ଥିତିରେ। ମାଳବିକା ବୁଝି ପାରିଲେ ନାହିଁ, ବୀଣା ଦେବୀଙ୍କ ଅସଲ ସମସ୍ୟା କେଉଁଠି? କାମ ତ ହୋଇଯାଇଛି। ଯଦି ଉପଯୁକ୍ତ ପ୍ରକାରେ ହୋଇନଥାନ୍ତା ତାହେଲେ ଅଧ୍ୟକ୍ଷା ଗ୍ରହଣ କରିନଥାନ୍ତେ। କ'ଣ କେବଳ ତାଙ୍କୁ ବ୍ୟକ୍ତିଗତ ଦେଖା ନକରିପାରିବା ଏତେ ବଡ଼ ଦୋଷ। ମାଳବିକାଙ୍କ ମନେହେଲା ବୀଣା ଦେବୀ ଭଲ କାମ କରୁଛନ୍ତି, ବୌଦ୍ଧିକ ସମୟର ସୁବିନିଯୋଗ କରୁଛନ୍ତି କିନ୍ତୁ ଯେମିତି ତାଙ୍କର ଆଧ୍ୟାତ୍ମିକ ଉନ୍ନତି ତଥାପି ବହୁତ ପଛରେ ଯଦିଓ ସେ କଲେଜ ମଧ୍ୟରେ ଜଗନ୍ନାଥଙ୍କ ମନ୍ଦିର ତୋଳାଇଛନ୍ତି। 


ସେ ଘରକୁ ଫେରିଆସି ଭୋ ଭୋ କାନ୍ଦିପକାଇଲେ। ବାପାଙ୍କ ମୃତ୍ୟୁରେ ନିଜକୁ ସମ୍ଭାଳି ନେଇଥିବା ମାଳବିକା ଅସମ୍ଭାଳ ହୋଇଗଲେ ସେଦିନ। ଆନୀ ପାଖକୁ ଚାଲିଗଲେ ମନକୁ ହାଲୁକା କରିବାକୁ।


ମାଳବିକା ଛାତ୍ରୀନିବାସରେ ଝିଅମାନଙ୍କୁ ବୁଝାଇଲେ, ଖାଦ୍ୟର ମାନ ଭଲ ହେଲେ ସେମାନେ ଯେମିତି ଖାଇବେ। ସେମାନେ ଖାଇଲେ ମେସ୍ ଭଲ ଚାଲିବ। ଭଲ ଚାଲିଲେ ସିନା ଠିକାଦାର ଭଲ ଖାଇବାକୁ ଦେଇପାରିବେ। ଠିକାଦାରଙ୍କୁ ବୁଝାଇଲେ, ସେ ଭଲ ଖାଇବାକୁ ଦେଲେ ଅଧିକ ପିଲା ଖାଇବେ। ଅଧିକ ଖାଇଲେ ଯାଇ ଲାଭ ହୋଇପାରିବ। ମାଳବିକା ଥରେ ଦୁଇଥର ନିଜେ ପ୍ରତ୍ୟକ୍ଷ ତଦାରଖ କଲେ। ଆଉ କେତେ ଥର ଆପଣାର ଭୋଜନ ବ୍ୟବସ୍ଥା ସେଇଠି କଲେ। ଦ୍ବିତୀୟ ଛାତ୍ରୀନିବାସ ମେସ୍ ଏଣିକି ହେଲା ସମସ୍ତଙ୍କର ପସନ୍ଦ। କ୍ରମେ ଏହାର ପ୍ରଭାବ ପଡ଼ିଲା ଅନ୍ୟ ମେସ ଓ କଲେଜ କାଣ୍ଟିନ ଉପରେ।


ବୀଣା ଦେବୀ ଦିନେ ଏକ ସଭା ମଧ୍ୟରେ ବେଶ୍ ପ୍ରଶଂସା କଲେ ମାଳବିକାଙ୍କୁ। ତା ସହ ଯୋଡିଦେଲେ, - କାମ କରିବା ଭଲ, କାମ କରାଇପାରିବା ଆହୁରି ଅଧିକ ଭଲ। ଟିକେ ବ୍ୟକ୍ତିଗତ ନିଷ୍ଠା ରହିଲେ ଆମେ ଅନେକ ଆଗେଇ ପାରିବା। ଆମେ ନିଜେ ଏମିତି ଅଣବୌଦ୍ଧିକ କାମ କରିବାର ଆବଶ୍ୟକତା ନାହିଁ, ଏହା ସମୟର ଅପଚୟ। ଏ କାମକୁ ମେସବାଲା ଓ ଘରୋଇ ସାହାଯ୍ୟକାରୀ ଯଥେଷ୍ଟ। 


ସେଦିନ ସଭା ଉପରେ କାମବାଲୀ ଶବ୍ଦ ବ୍ୟବହାର କରିନଥିଲେ ବୀଣା ଦେବୀ। ମାଳବିକା ବୁଝିପାରିଲେ ନାହିଁ ଯେ ତାଙ୍କୁ ପ୍ରଶଂସା ମିଳିଲା ଅବା ନିନ୍ଦା। ସଭା ସରିଲା ପରେ ସେ ଚୁପ୍ କରି ଖସି ଚାଲିଗଲେ। କାଳେ ବୀଣା ଦେବୀ ପୁଣି କହି ପକାଇବେ ସେ ରଖିଲେ କି ନାହିଁ ସାହାଯ୍ୟକାରୀ। 


ମାଳବିକାଙ୍କ ଗାଁରୁ ସେଠାରେ କାମ କରନ୍ତି ଡାକ୍ତର ସବ୍ୟସାଚୀ। ସେ କୀଟବାହିତ ରୋଗ ନିବାରଣ ବିଭାଗର ମୂଖ୍ୟ ଡାକ୍ତର। ଏ ସମ୍ପର୍କରେ ସାପ୍ତାହିକ ଏକ ଇମେଲ ଯାଏ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗକୁ। ଏ କାମଟି ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରୁ କରେ ସବ୍ୟସାଚୀ ତଳ ମହଲାରେ କମ୍ପ୍ୟୁଟର ଘର। ଏକଦା ଏକ ଲିଫ୍ଟ ମଧ୍ୟରେ ବନ୍ଦୀ ହୋଇଯାଇଥିଲେ ସବ୍ୟସାଚୀ। ଯେବେଠୁ ତାଙ୍କର ଲିଫ୍ଟ ଭୟ(ଫୋବିଆ)। ଏହା ବ୍ୟତୀତ ସେ ସାମାନ୍ୟ ଭାବେ ଦିବ୍ୟାଙ୍ଗ, ପାହାଚ ଚଢି ପାରନ୍ତି ନାହିଁ। ସେ ଆସନ୍ତି ଶେଷ ଅପରାହ୍ନରେ। ଅଫିସ କାମ ସରିଲେ ମାଳବିକାଙ୍କୁ ଡାକନ୍ତି କାଣ୍ଟିନକୁ। ସେଇଠି କଫି ପିଅନ୍ତି। ଭାରି ଗପୁଡା ସବ୍ୟସାଚୀ। ଗାଁ ଖବର ସବୁ ତାଙ୍କ ପାଖରେ। ସେସବୁ ଗପନ୍ତି। ଯାଉ ଯାଉ ସଂଧ୍ୟା କରିଦିଅନ୍ତି।


 ମାଳବିକାଙ୍କ ସ୍ୱର୍ଗତଃ ବାପା ଓ ସବ୍ୟସାଚୀଙ୍କ ବାପା ଉଭୟେ ଥିଲେ ଶିକ୍ଷକ। ଏକ ସମୟରେ ଅବସର ନେଲେ, ଅନ୍ତରଙ୍ଗ ବନ୍ଧୁ ସେମାନେ। ଅବସର ପରେ ସେମାନେ ଏକ ବିଶେଷ କିସମର ଚାଷକାମରେ ଲାଗି ରହିଲେ।


ଆଜି ଚାଲିଛି ସ୍ଵର୍ଣ୍ଣମୟ ଚାଷ।  ସ୍ବର୍ଣ୍ଣ ବା ସେଇଭଳି ଦୁଇ ଚାରିଟି ଅଧିକ ଅମଳକ୍ଷମ ଧାନ ସବୁଆଡେ ଚାଷ ହେଉଛି। ଶହ ଶହ କିସମର ଦେଶୀ ଧାନ କେଉଁ ଆଡେ ହଜିଗଲେଣି। ବିହନ ମଧ୍ୟ ନାହିଁ। ସାର ଓ ପୋକ ମରାର ପ୍ରଭାବରେ ବିଲରେ ମାଛ ତ ମାଛ ଜିଆ ଜୋକ ପର୍ଯ୍ୟନ୍ତ ନିଶ୍ଚିହ୍ନ। ସେମାନେ ନିଷ୍ପତ୍ତି ନେଲେ, ପାରମ୍ପରିକ ଚାଷ କରିବେ, ହଜିଯାଇଥିବା ବିହନ ସବୁ ସାରା ଓଡିଶା ବା ପଡୋଶୀ ରାଜ୍ୟରୁ ସଂଗ୍ରହ କରି ବିହନ ସଂରକ୍ଷଣ କରିବେ। ଚାଷଜମିରେ ରାସାୟନିକ ପ୍ରୟୋଗ ବନ୍ଦ କରିବେ। ପେନସନ ଅଛି, ଆର୍ଥିକ ଲାଭର ଅଙ୍କ କଷୁନଥିଲେ ସେମାନେ। ଲୋକେ ହସିଲେ।


 କୋଡ଼ିଏ ଏକର ଜମିରେ ଉପୁଜାଇଲେଣି ତିନିଶହ ପଞ୍ଚସ୍ତରୀ କିସମର ଧାନ; ବାଉଁଶୁଣିମୁଣ୍ଡି,, ହଳଦୀ ଧାନ, କଳା ଧାନ, ଗଡକୁଟା, ସପୁରୀ,କୋଲାରି କୁଜି, ଲକଡି କୁଜି, ଉମ୍ରିଆଚୁରି, ଲିମଚୁରି, ଆମଚୁରି, ବେଲଚୁରି, ଆସାମଚୁରି, ବାଗୁରିଚୁରି, ମେୟରଧାନ, ପାଟରାଧାନ, ପାଟନଈ, ଚମ୍ପା, ଦୂରଚମ୍ପା, ନଡିଆଭୋଗ, ଯୁଗଜ୍ୟୋତି, ମଙ୍ଗରାଜ, ଯୁଗରାଜ, ନାଗରା, ମାଟିଆସଲୁରି, ଚାମରମଣି ଓ ସୁଦୀର୍ଘ ତାଲିକା। ତା ଛାଆଁକୁ ଫେରିଆସଲେ ପୁରୁଣା ଯେତେ ସବୁ ଚୁନା ମାଛ, ପୋକ ଜୋକ, ଗେଣ୍ଡା, ଶାମୁକା, କଙ୍କଡା, ବେଙ୍ଗ, କଇଁଛ, କୋଚିଆ, ମାଳ ମାଳ ଧଣ୍ଡସାପ। ଲୋକେ ମାଛ ଖାଆନ୍ତି କିନ୍ତୁ ତଥାପି ଭାବନ୍ତି ଏମାନେ ପାଗଳ।


ମାଳବିକା କହିଲେ ସବ୍ୟସାଚୀଙ୍କୁ, ବାପା ଓ ଦାଦାଙ୍କ ନିହାତି ଅଣବୌଦ୍ଧିକ କାମ। ଉଭୟ ଠୋ ଠୋ ହସିଉଠିଲେ।


 ଏକଥା କାନକୁ କାନ ହୋଇ ପହଞ୍ଚିଗଲା ଓୟୁଏଟି ଓ ବିଦ୍ୟାଧରପୁର ଧାନ ଗବେଷଣା କେନ୍ଦ୍ର ଓ ରାଷ୍ଟ୍ରୀୟ ଆୟୁର୍ବେଦ ଗବେଷଣା କେନ୍ଦ୍ରରେ। ସେମାନେ ନୂଆ ବିହନ ସୃଷ୍ଟି, ଅନ୍ୟାନ୍ୟ ଗବେଷଣା ଓ ଔଷଧିୟ ଧାନ ବିହନ ସଂଗ୍ରହ ପାଇଁ ତାଙ୍କ ଗ୍ରାମ ଧନେଶ୍ଵରକୁ ଆସନ୍ତି। ଧନେଶ୍ଵର ଆଜି ଧାନେଶ୍ଵର ହୋଇଯାଇଛି। ସଭିଏଁ ଫେରି ଯାଇଛନ୍ତି ପାରମ୍ପରିକ ଚାଷକୁ।


କାମସାରି ଅଧ୍ୟକ୍ଷା ଫେରିଲା ବେଳକୁ ସେମାନେ ଗପୁଥିବାର ଦେଖନ୍ତି। ଦୁଇ ତିନି ସପ୍ତାହ ଏମିତି ଦେଖିଲାପରେ କେଜାଣି କ'ଣ ଚିନ୍ତା କଲେ, ମାଳବିକାଙ୍କୁ ଦିନେ ଫୋନରେ କହିଲେ, - ଆମ୍ଭେମାନେ ପିଲାମାନଙ୍କ ପାଇଁ ଉଦାହରଣ ହେବା କଥା। ଆମେ ରାସ୍ତା ଘାଟରେ ଗପକଲେ ପିଲାଏ ବିଶୃଙ୍ଖଳ ହେବେ ନାହଁ? ମାଳବିକାଙ୍କୁ ନିଜର ପକ୍ଷ ରଖିବାକୁ ସୁଯୋଗ ଦେଲେ ନାହିଁ। ମନେହେଲା ମହାଶୟା ଆପଣାର ସୀମା ଟପୁଛନ୍ତି। ସବ୍ୟସାଚୀଙ୍କ ‌ସହ ଏମିତି ଅଣବୌଦ୍ଧିକ ସମୟ କାଟିଦେବା ମାଳବିକାଙ୍କୁ ମନେ ହେଉଥିଲା ବାପଘର ବୁଲି ଆସିବା ସହ ସମାନ। ଅବଶ୍ୟ ସବ୍ୟସାଚୀଙ୍କ ବିଭାଗ ବଦଳିଗଲା ସେ ଆଉ ଏପଟେ ଆସନ୍ତି ନାହିଁ।


ଭଲ ହୁଅନ୍ତୁ ଅବା ମନ୍ଦ କିନ୍ତୁ ବୀଣା ଦେବୀ ଠିକ୍ ନଅଟା ବେଳକୁ ଅଫିସରେ ପହଞ୍ଚି ଯାଇଥାନ୍ତି। ପିଲାମାନଙ୍କୁ ଶିକ୍ଷାଦାନ ସାମାନ୍ୟ ଅବହେଳା ନହେବାପାଇଁ ଧ୍ୟାନ ଦିଅନ୍ତି। ପାଠାଗାରକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଓ ଉନ୍ନତ କରିଛନ୍ତି। ନିଜ ଉଦ୍ୟମରେ ଅନେକ ପାଠଚକ୍ର ଓ କର୍ମଶାଳା ଆୟୋଜନ କରାନ୍ତି। ଏମିତି ଏକ ନୂତନ ଭେଷଜ ମହାବିଦ୍ୟାଳୟକୁ ଦେଶର ବିଭିନ୍ନ ପ୍ରାନ୍ତରୁ ବିଜ୍ଞ ଶିକ୍ଷକଙ୍କୁ ଡାକନ୍ତି ବିଭିନ୍ନ ସମସାମୟିକ ବିଷୟରେ ଆଲୋଚନା ପାଇଁ। ଏଣୁ ମାଳବିକା ତାଙ୍କୁ ଅନ୍ତରରେ ଶ୍ରଦ୍ଧା ଓ ସମ୍ମାନ ମଧ୍ୟ ଜଣାନ୍ତି। ନିଜ ଆଡୁ କିଛି ଯୋଗଦାନ ନିମିତ୍ତ ଚେଷ୍ଟା କରନ୍ତି।


ମାଳବିକା ଦିନେ ଦ୍ବିତୀୟ ଛାତ୍ରୀନିବାସର ପ୍ରତି ପ୍ରକୋଷ୍ଠରେ ସୁବିଧା ଅସୁବିଧା ତନ୍ନ ତନ୍ନ କରି ଦେଖୁଥିଲେ। ଏକଥା ତାଙ୍କ ଅଗୋଚରରେ ଥିଲା ଯେ ଦ୍ବିତୀୟ ବର୍ଷର ଛାତ୍ରୀ ଜଲି ନାୟକ ଦୀର୍ଘ ନଅ ମାସ ହେଲା ନାହାନ୍ତି। ପ୍ରକୃତରେ ସେ ପ୍ରଥମବର୍ଷର ପରୀକ୍ଷା ଦେବା ପୂର୍ବରୁ ଘରକୁ ଯାଇଛନ୍ତି ଆଉ ଫେରି ନାହାନ୍ତି। ଦ୍ବିତୀୟ ଛାତ୍ରୀନିବାସକୁ ସେ ଆଦୌ ଆସିନାହାନ୍ତି, କେବଳ ଯାହା ଖାତାପତ୍ରରେ ନାମ ଗଡୁଛି। ତାଙ୍କ ପୁରୁଣା ରୁମମେଟ କାଦମ୍ବିନୀ ଓ ସୁରେଖା ନିଜ ରୁମକୁ ତାଙ୍କ ଜିନିଷ ପତ୍ର ଆଣି ଆସିଛନ୍ତି। 


ମାଳବିକା ବ୍ୟସ୍ତ ହୋଇପଡିଲେ। ତାଙ୍କର ମନେପଡିଗଲା ତାଙ୍କ ସାଙ୍ଗ ସୋମ୍ୟା ସେନ୍ କେମିତି ପ୍ରଥମ ଏମବିବିଏସ ପରୀକ୍ଷା ଶେଷ ନକରି ଘରକୁ ପଳାଇଗଲେ ଯେ ଆଉ ଫେରିଲେ ନାହିଁ। ବହୁତ ଦିନପରେ ହଠାତ୍ ଦିନେ ତାଙ୍କ ଝିଅକୁ ଚିକିତ୍ସା ପାଇଁ ଆଣିଥିଲେ। ମୋତେ ଚିହ୍ନିପାରୁଛ ମାଳବିକା? ମୁଁ ସୋମ୍ୟା ସେନ୍ ତୁମ ଏମବିବିଏସ ସାଙ୍ଗ। 


ଆନନ୍ଦରେ ଫାଟିପଡିଲେ ମାଳବିକା। ସହକର୍ମୀଙ୍କୁ ଦାୟିତ୍ଵ ଦେଇ ଭିଡିନେଲେ ସୋମ୍ୟାଙ୍କୁ ତାଙ୍କ ନିଜ ପ୍ରକୋଷ୍ଠକୁ।ତୁମେ କ'ଣ କରୁଛ ସୋମ୍ୟା? କୁଆଡେ ହଜିଗଲ? ଏତେ ସୁନ୍ଦର ପଢୁଥିଲ ଅଥଚ ଭୟରେ ପାଠ ଛାଡିଦେଲ? କାହିଁକି ଏମିତି କଲ?ଏହାର ଉତ୍ତର ତୁମେ ଦେଇସାରିଛ ମାଳବିକା। ଭୟରୁ। ମୁଁ ଏବେ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ। ସାଇକୋଲୋଜିରେ ଉପାଧି କଲାପରେ ସିଟି ପଢିଲି। ଏହାବାଦ ମୁଁ ସାଇକୋଥେରାପିରେ ଏକ ଡିପ୍ଲୋମା କରିଛି। ମୋ ଭଳି ବିଭିନ୍ନ ସମସ୍ୟାରେ ଜଡ଼ିତ ଛାତ୍ରଛାତ୍ରୀମାନଙ୍କୁ ଥେରାପି ଦେଉଛି। ତୁମେ ବୁଝିପାରିବ ନାହିଁ ମାଳବିକା ଆଜିକାଲି ଛାତ୍ରଛାତ୍ରୀମାନେ କେତେ ମାତ୍ରାରେ ବିଭିନ୍ନ ମାନସିକ ଅସୁବିଧାରେ ପୀଡ଼ିତ? ମୋ ପାଇଁ ଦୁଃଖ କରନି ମାଳବିକା, ମୁଁ ମୋର ଉପଯୁକ୍ତ ରାସ୍ତା ଖୋଜିପାଇନଥାନ୍ତି ଏମବିବିଏସ ପଢିଥିଲେ। 


ମାଳବିକାର ଆନନ୍ଦ ବହୁଗୁଣିତ ହେଲା, ସୋମ୍ୟା ସୁଖରେ ଅଛନ୍ତି। ସୌମ୍ୟାର ସାହାଯ୍ୟ ସେ ଏଣିକି ନିଅନ୍ତି ବିଭିନ୍ନ ଛାତ୍ରଛାତ୍ରୀଙ୍କ ସମସ୍ୟା ଦୂରକରିବାରେ।


ତେବେ ଜଲିର ଖବର କାହା ପାଖରେ ନାହିଁ। କଲେଜ ଅଫିସ ତିନିଥର ଡ଼ାକରା ପଠାଇ ହାତ ଗୋଡ ଧୋଇ ବସିଯାଇଛନ୍ତି। ସହପାଠୀ ମାନେ ମଧ୍ୟ କିଛି ଖବର ରଖିନାହାନ୍ତି। ତା'ର ଫୋନ ନମ୍ବର ଲାଗୁନାହିଁ। 


ମାଳବିକା ବୀଣା ଦେବୀଙ୍କ ସହ ଆଲୋଚନା କଲେ। ସେ ମଧ୍ୟ ଏଠାକୁ ଆସିବା ପୂର୍ବର ଘଟଣା ଓ ଏ ବାବଦରେ କେହି ତାଙ୍କୁ କହିନାହାନ୍ତି। ବୀଣା ଦେବୀ ଗମ୍ଭୀର ଭାବେ ଏକଥାକୁ ଗ୍ରହଣ କଲେ। ଜଲିକୁ ଠାବ କରିବାର ଦାୟିତ୍ବ ମାଳବିକାଙ୍କୁ ଦେଲେ। ଜଲିର ଗାଁ ପାଖ ପିଲାମାନଙ୍କ ସହାୟତାରେ ମାଳବିକା ସମସ୍ତ କଥା ବୁଝିଲେ।


କଥା ଏମିତି; ଜଲିର ବାପା ନଥିଲେ, ମାଆଙ୍କୁ କୋଭିଡ ଖାଇଲା। ସେ ଘରର ବଡ଼ ଝିଅ। ଦୁଇଜଣ ସାନ ଭାଇ ଅଛନ୍ତି। ସେମାନଙ୍କର ବଡ ଗ୍ରାମ ଇଞ୍ଚଳରେ ଚାଲୁଥିଲା ଏକ ଛୋଟିଆ ଜନସେବା କେନ୍ଦ୍ର। ଜଲି ସେଇଠି କାମକରି ଘର ଚଳାଉଛି। ତା ନୂଆ ଫୋନ ନମ୍ବର ମିଳିଲା। ତା'ର ଜଣେ କକା କାମକରନ୍ତି ବାହାର ରାଜ୍ୟରେ। ତାଙ୍କ ନମ୍ବର ଅଣାଗଲା। 


ମାଳବିକା କକା ଓ ଝିଆରୀଙ୍କୁ ବୁଝାଇଲେ। ସେମାନେ ବୁଝୁଥିଲେ ସତ କିନ୍ତୁ ନୂଆ ସନ୍ତୁଳନକୁ ବିଗାଡିବାର ସାହସ କରୁନଥିଲେ। ସାନ ଭାଇ ଦୁଇଜଣଙ୍କର ଦାୟିତ୍ଵ ନେବାକୁ କକା ସେମିତି ଆଗଭର ନଥିଲେ। ସେମିତି କିଛି ସରକାରୀ ବ୍ୟବସ୍ଥା ନାହିଁ ସେ ପିଲାମାନଙ୍କ ଦାୟିତ୍ଵ ନେବା ପାଇଁ ଯଦିଓ ବାହାରକୁ ଜଣାପଡେ ସେମିତି। 


ବୀଣା ଦେବୀ ଆଗେଇ ଆସିଲେ। ପ୍ରଥମେ ସେ ପିଲାମାନଙ୍କ ଥଇଥାନ ବ୍ୟବସ୍ଥା କଲେ ଏକ ସ୍ବେଚ୍ଛାସେବୀ ସଂଗଠନର ସହାୟତାରେ ଯାହାର ଜଣେ ମୂଖ୍ୟ ପୃଷ୍ଠପୋଷକ ସେ ନିଜେ। ଯେତେ ସବୁ ସରକାରୀ ସଂସ୍ଥା ଏବାବଦରେ ସାହାଯ୍ୟ କରିପାରିବେ ସମସ୍ତଙ୍କୁ ଜଡିତ କରାଗଲା।


ତଥାପି ଜଲି ଅମଙ୍ଗ ହେଉଥାଏ ପୁନଶ୍ଚ କଲେଜକୁ ଫେରିବାକୁ। ମାଳବିକା ଦିନେ ସୋମ୍ୟାଙ୍କୁ ଧରି ପହଞ୍ଚିଲେ ଜଲିଙ୍କ ଗ୍ରାମରେ। ସୌମ୍ୟା ତାଙ୍କ ହିସାବରେ ଜଲିର ମାନସିକ ଉଦବେଳନକୁ ଶାନ୍ତ କରାଇବା ଆରମ୍ଭ କରିଦେଲେ। ଏକଥା ଥରକେ ହେଲାନାହିଁ। ଜଲି କ୍ରମେ ଫୋନରେ କଥା ହେବାକୁ ସହଜ ମଣିଲା। ପ୍ରାୟ ଦୀର୍ଘ ଦୁଇମାସ ତା ପଛରେ ଲାଗିବା ପରେ ସେ ରାଜିହେଲା କଲେଜକୁ ଫେରିବା ପାଇଁ। ସେ ନିଜେ କିପରି ପଢିବ ସେପାଇଁ ବୀଣା ଦେବୀଙ୍କ ତତ୍ତ୍ଵାବଧାନରେ ଏକ ପାଣ୍ଠି ଗଠନ କରାଗଲା। ଜଲି ଏଣିକି ଆସିଲା କିନ୍ତୁ ତାକୁ ଭୟ ଲାଗିଲା। ସେ ପୁଣି ଫେରିଗଲା। ପୁଣି ତା ପଛରେ ଲାଗିରହିଲେ ମାଳବିକା ଓ ସୌମ୍ୟା। ଅନେକ ଥର ଥେରାପି ପରେ ସେ ପୁଣି ଫେରିଲା। 


ସେ ଦ୍ବିତୀୟ ବର୍ଷରେ ପଢିପାରିବ ନାହିଁ ଯେହେତୁ ପ୍ରଥମ ବର୍ଷ ପାଠ ପଡିନି। ପୁଣି ଥରେ ପୁରୁଣା ଛାତ୍ରାବାସରେ ରହିବ ଓ ପ୍ରଥମ ବର୍ଷ ପିଲାଙ୍କ ସହ ପଡ଼ିବ। ସାହସ କରି ରହିଲା କିନ୍ତୁ ପ୍ରାୟତଃ କଲେଜ ଆସିଲା ନାହିଁ କୌଣସି କ୍ଲାସକୁ। ସୌମ୍ୟା ବୁଝାଇ ଦେଲେ ବୀଣା ଦେବୀ ଓ ମାଳବିକାଙ୍କୁ ଯେ ତା ଉପରେ କୌଣସି ଚାପ ନପଡୁ। ମାଳବିକା ତାକୁ ପ୍ରାୟ ଦଶଦିନ ନିଜ ବାସଗୃହରେ ରଖିଲେ। ହସଖୁସି ତା ମନକୁ ଫେରିଆସିଲା। 


ଦିନେ ସେ ନିଜେ ଯାଇ ପ୍ରଥମ ଛାତ୍ରୀନିବାସରେ ରହିଲା। ସେଇଠି ତା ନୂଆ ସାଙ୍ଗ ମାନଙ୍କ ସହ କଲେଜ ଗଲା ସ୍ବଭାବିକ ଭାବରେ। 

  • ଆଜ୍ଞା ମାମ୍, ଜଲି ଆଜି କଲେଜ ଯାଇଛି ତା ନିଜ ଖୁସିରେ। 

ଖୁସିରେ ଗଦଗଦ ମାଳବିକା ଜଣାଇଥିଲେ ବୀଣା ଦେବୀଙ୍କୁ।


ସେପଟୁ ଶୁଭୁଥିଲା ଏକ ତୃପ୍ତିର ପ୍ରଶଂସା। କେତେ ବଡ଼ କାମଟିଏ କଲ ମାଳବିକା। ସବୁ ଶ୍ରେୟ ତୁମର। ଭଗବାନ ତୁମର ମଙ୍ଗଳ କରନ୍ତୁ। 


କଥା ଏତିକିରେ ରହିଲା ନାହିଁ।


କଲେଜ ଶିକ୍ଷକ ମାନଙ୍କ ପରବର୍ତ୍ତୀ ବୈଠକରେ ବୀଣା ଦେବୀ ସବିଶେଷ ଜଣାଇଲେ ମୂଳରୁ ଶେଷ ପର୍ଯ୍ୟନ୍ତ କେମିତି ମାଳବିକାଙ୍କ ବ୍ୟକ୍ତିଗତ ନିଷ୍ଠା ବଳରେ ଉଦ୍ଧାର ହୋଇ ପାରିଲେ ତିନିଜଣ ବୌଦ୍ଧିକ ସମ୍ବଳ। କହିବା ବାହୁଲ୍ୟ ସେ ଆପଣାର ଶ୍ରେୟ ଭାଗଟି ଆଦୌ କହିନଥିଲେ। ସେ ବର୍ଷ ମାଳବିକାଙ୍କ ଗୁପ୍ତ ପଞ୍ଜିକାରେ ଲେଖିଥିଲେ ‘ଅତ୍ୟନ୍ତ ଉତ୍ତମ’।


ମାଳବିକା ବୁଝିପାରୁନଥିଲେ ମଣିଷ ମନର ବିଚିତ୍ର ଅବସ୍ଥାକୁ। ସାମାନ୍ୟ ଅହଂକୁ ଆୟତ୍ତ କରିନପାରି ଏହି ବୀଣା ଦେବୀ ଦିନେ ତାଙ୍କୁ ଘରୁ ଘୋଷାଡି ଆଣିଥିଲେ ଆପଣାର ପୁଅ ଜନ୍ମଦିନରେ। ସେ ପୁଣି ନିଜେ ଜଲି ବାବଦରେ ଅନେକ ସାହାଯ୍ୟ କରି ମଧ୍ୟ ଶ୍ରେୟ ଭାଗଟି ସମ୍ପୂର୍ଣ୍ଣ ଅଜାଡ଼ି ଦେଲେ ମାଳବିକାଙ୍କ ଉପରେ। ବୀଣା ଦେବୀଙ୍କ ପ୍ରତି ମାଳବିକାଙ୍କ ସମସ୍ତ ବିପରୀତ ଭାବନା ମିଳାଇ ଯାଇଥିଲା। ସେ ନିଶ୍ଚିତ ହେଲେ, ସତରେ କୌଣସି ମଣିଷଙ୍କୁ ନିନ୍ଦା କରିବା ପୂର୍ବରୁ ଅନେକ ଥର ଭାବିବା ଉଚିତ। 


ସମୟ ବଦଳି ଯାଏ। ବୀଣା ଦେବୀ ପଦୋନ୍ନତି ପାଇ ସ୍ବାସ୍ଥ୍ୟ ଶିକ୍ଷା ନିର୍ଦ୍ଦେଶକ ହୁଅନ୍ତି ଓ ମାଳବିକାଙ୍କୁ ମିଳେ ଜିଆରଏମ ଭେଷଜ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ। ବୀଣା ଦେବୀ ରାସ୍ତା ତିଆରି କରି ଯାଇଛନ୍ତି, ଅଣବୌଦ୍ଧିକ ମାଳବିକାଙ୍କ ପାଇଁ ଚାଲିବା ଓ ଚଲାଇବା ସହଜ। 











Rate this content
Log in

Similar oriya story from Classics