Rabinarayan Senapati

Inspirational

3  

Rabinarayan Senapati

Inspirational

ଆର୍ସୁ

ଆର୍ସୁ

13 mins
165


ରବିବାର ସକାଳ, ସାତଟାରୁ ଏତେ ଖରା ହେଲାଣି ଏ ଚୈତ୍ର ମାସରେ! ଘରୁ ବାହାରିବାକୁ ଆର୍ସୁକୁ ବାରଣ କଲେ ମାଆ, ଆଜିକାଲି ତାକୁ ବହୁତ ଆକଟ। କପ୍ତିପଦାର ପ୍ରାଣୀ ଚିକିତ୍ସକ ଡା ଅଜୟ ମୁଦୁଲି ଓ ମାତା ବିଜୟାଙ୍କ କନ୍ୟାରତ୍ନ ଆର୍ସୁ। ଷଷ୍ଠ ଶ୍ରେଣୀରେ ପଢେ। ସେ ବୁଝିସାରିଲାଣି, ଏତେ ବର୍ଷ ହେଲାଣି ଆଉ ଭାଇ ଅବା ଭଉଣୀ ଆସୁନାହାନ୍ତି ମାନେ ଆଉ ବୋଧହୁଏ ଆସିବେ ନାହିଁ, ସେ ଯେତେ ଅଳି କଲେ ମଧ୍ୟ। ଏଇ କେତେ ମାସ ହେଲାଣି ମାଆ ତାକୁ ବୁଝାଇ ଦେଇଛନ୍ତି ସେ ବଡପିଲା ହେଲାଣି ଏଣିକି ବୁଝିସୁଝି ସବୁ କାମ କରିବା ଆଶା କରାଯାଏ ତାଠାରୁ। ସେ ଅବଶ୍ୟ ଭଲରେ ବୁଝିପାରେ ନାହିଁ କାଲି ଓ ଆଜି ମଧ୍ୟରେ ଫରକ କ’ଣ, କେଉଁ କାମ ସେ ବେପରୁଆ କରୁଥିଲା ଯେ ଏବେ ବୁଝିସୁଝି କରିବ?


 ତା ବଡପିଲା ହେବାଟା ଅସ୍ପଷ୍ଟ ନୁହେଁ, ବଡ଼ ଥାଟ୍ଟବାଟରେ ଏ ପରିସ୍ଥିତି ହଠାତ୍ ଆସିଗଲା ଆକ୍ରମଣ ପ୍ରାୟ। କଥା ଯାଇ ପହଞ୍ଚିଲା ରକ୍ତ ସଂରଚଣରେ। ଗୋଟିଏରେ ଚଳିଲା ନାହିଁ, ଦୁଇ ଦୁଇ ଥଳି ରକ୍ତ ଦିଆଗଲା ତାକୁ ଉପଖଣ୍ଡ ସଦର ମହକୁମା ଡ଼ାକ୍ତରଖାନା, ଉଦଳାରେ। ତା କଅଁଳ ହାତରେ ବିନ୍ଦୁ ବିନ୍ଦୁ ରକ୍ତ ଶିରା ବାଟେ ଯାଏ ପ୍ରାୟ ପାଞ୍ଚ ଘଣ୍ଟା ଧରି। ଶାରୀରିକ ଅଭିବୃଦ୍ଧି ହେଲା ଅବା ସେ ରୋଗିଣା ହୋଇଗଲା? ତା ଶିଶୁ ମନ ଏସବୁ ବୁଝି ପାରୁନଥିଲା। ଡାକ୍ତରାଣୀ ନିତିମା ମାଝି ମହାଶୟା ତାକୁ ବଡ ଆଦର ଯତ୍ନ କଲେ। ତା ନାମଟି ବାବଦରେ ଚର୍ଚ୍ଚା କଲେ। ତାଙ୍କ କହିବା କଥା ଏ ‘ଆର୍ସୁ’ ନାମଟି ସାନ୍ତାଳୀମାନଙ୍କର ଭାରି ପ୍ରିୟ, ମୁଦୁଲି ଦମ୍ପତି ଏ ନାମ ପାଇଲେ କେମିତି? ବିଜୟା ଏକ ସୁପ୍ରସିଦ୍ଧ ଇଂରାଜୀ ଉପନ୍ୟାସର ନାୟିକାର ନାମ ଆର୍ସୁର ପ୍ରଭାବରୁ ଏ ନାମ ଚୟନ କରିଥିବା କହିଲେ। ମାଆ ଉଚ୍ଚ ଶିକ୍ଷିତା ଗୃହିଣୀ।


ସେ ଦୁର୍ବଳ ଅବସ୍ଥାରେ ମଧ୍ୟ ଆର୍ସୁ କହି ଉଠିଲା ଆଜ୍ଞା ମାମ୍, ଆମ ଶ୍ରେଣୀରେ ମୋର ସାଥୀ ଜଣେ ଅଛି, ନାମ ତାହାର ଆର୍ସୁ ମୁର୍ମୁ। ଆର୍ସୁର ଭଉଣୀଟିଏ ଅଛି ଯାହାର ନାମ ନିତିମା। ମହାଶୟା ହସିଲେ, ଆର୍ସୁର ଚିବୁକକୁ ଆଉଁସି ଦେଇ କହିଲେ ତୁ ତାହେଲେ ମୋର ଝିଅ ନୁହେଁ ଭଉଣୀ। ସେଦିନ ସେ ମଧ୍ୟ ପ୍ରଶ୍ନସୂଚକ କହିଥିଲେ, କେଜାଣି କାହିଁକି ଆର୍ସୁ, ନିତିମା, ବୁଦୁନି, ବାଲେମା, ସାକର ଓ ଏମିତି କେତେକ ନାମ ସାନ୍ତାଳୀ ଓ ହୋମାନଙ୍କର ପ୍ରିୟ? ନିତିମା ମାମ୍ ଏକ ଥଳି ଭର୍ତ୍ତି ଔଷଧ ଦେଇଥିଲେ ବିଜୟାଙ୍କୁ; ଏସବୁ ନମୁନା ଔଷଧ(ସାମ୍ପୁଲ ମେଡିସିନ)। ଆର୍ସୁ ନାକ ଟେକିଲା, ଏଁ, ସେ ତାହେଲେ ଏତେ ଔଷଧ ଖାଇବ! ନିତିମା ମାମ୍, ତାକୁ ମଜା ମଜା କଥା କହି ବୁଝାଇ ଦେଲେ। ଏଗୁଡା ଔଷଧ ନୁହେଁ, ତୁ ଏଣିକି ଯୋଦ୍ଧା, ତୋର ସୁସ୍ଥ ଅବସ୍ଥା ସମାଜର ଭବିଷ୍ୟତର ସୁସ୍ଥ ଅବସ୍ଥା। ଆର୍ସୁ କିଛି ବୁଝିପାରିଲା ନାହିଁ। କିଛି କିଛି ବୁଝିଲା ମଧ୍ୟ, ତା ସାମ୍ନା କାନ୍ଥରେ ମରାଯାଇଥିଲା କିଶୋରୀ ପାଇଁ ବାର୍ତ୍ତା ବହନ କରୁଥିବା ଅନେକ ସୂଚନା ପୋଷ୍ଟର। ଲେଖା ଥିଲା କନ୍ୟା ରତନ କର ଯତନ। କେଜାଣି କାହିଁକି ଅସୁସ୍ଥତା ମଧ୍ୟରେ ବି କୌଣସି ଏକ ଆନନ୍ଦ ଭାବନାର ଅଙ୍କୁରୋଦ୍ଗମ ହେଉଥିଲା ତା ଅନ୍ତରରେ। ସଚେତନ ସେକଥା ସେ ବୁଝି ପାରୁନଥିଲେ ମଧ୍ୟ ଅସ୍ପଷ୍ଟ ଭାବରେ ଏତିକି ବୁଝୁଥିଲା କେବଳ, ସେ ଏବେ ବିଶେଷ ଶକ୍ତିସ୍ୱରୂପା।


ପର ମାସମାନଙ୍କରେ ସେସବୁ ଔଷଧ ଖାଇ ଆର୍ସୁ ସୁସ୍ଥ ରହିଲା, ଏବେ ସେ ସମ୍ପୂର୍ଣ୍ଣ ହସଖେଳର କଳିକା। ତଥାପି ମାଆଙ୍କ ଅନେକ ଆକଟ। ମାଆ ମାପିଚୁପି କହନ୍ତି ଆର୍ସୁକୁ ଯେମିତି ତା ଶୈଶବ ଅବସ୍ଥା ଅନାହତ ଅନୁଭବ କରିବ। 


ତା ସାଙ୍ଗ ବଢିଲା ଝିଅମାନେ ବିଦ୍ୟାଳୟରେ ପରସ୍ପର ଆଲୋଚନା କରନ୍ତି। ଭଲମନ୍ଦ, ବୁଝିସୁଝି କାମ କରିବାର ଯେତିକି ଉପଦେଶ ସେମାନେ ପାଇଥାନ୍ତି ତାହାର ବ୍ୟାଖ୍ୟା ନିଜ ନିଜ ହିସାବରେ କରନ୍ତି। ଯେଉଁ ଝିଅମାନେ ତଥାପି ସେମାନଙ୍କ ଭଳି ହୋଇନଥାନ୍ତି ତାଙ୍କୁ ସେମାନେ ଭାବନ୍ତି ଛୋଟପିଲା। ଶ୍ରେଣୀର ପୁଅପିଲାମାନଙ୍କୁ ସେମାନେ ପାସଙ୍ଗରେ ପକାନ୍ତି ନାହିଁ। ସେମାନେ ସତେ ଅବା ମେଞ୍ଚଡ, ଗାଲ ଚିପିଦେଲେ ଦୁଧ ବାହାରିଯିବ। ବଡ଼ ଶ୍ରେଣୀର ପୁଅ ପିଲାଙ୍କ ଚାହାଣିରୁ କେଉଁଟି ସାଧାରଣ ଓ କେଉଁଟି ଅଲଗା ସେକଥା ସେମାନେ ଏବେ ଟିକେ ଟିକେ ବୁଝି ପାରନ୍ତି। କେବେ କେବେ ଏସବୁ ଭେଦି ଯାଏ, ଅପ୍ରସ୍ତୁତ ଲାଗେ। ଏ ଭାବକୁ ଲୁଚାଇ ପକାଇବା ଶିଖି ଯାଆନ୍ତି। ବୟସରେ ବଡ଼ କେହି ଜଣେ ଝିଅ ତାଙ୍କ ଆଦର୍ଶ ମନେ ହୁଅନ୍ତି। ତାଙ୍କ ପାଖରେ ଗେଞ୍ଜି ହୁଅନ୍ତି, ସମସ୍ତ ପ୍ରଶ୍ନର ଉତ୍ତର ଯେମିତି ତାଙ୍କଠି ଅଛି। ଆର୍ସୁ ମୁଦୁଲି ପାଇଁ ଆଦର୍ଶ କିନ୍ତୁ ଆର୍ସୁ ମୁର୍ମୁ। ନାଆଁଟି ସମାନ ଏଣୁ ମିତ ବସିଥିଲେ ମଧ୍ୟ ଆର୍ସୁ ମୁର୍ମୁ ବୟସରେ ବଡ଼ ମନେହୁଏ। ସେ କହେ, ତା’ର ଜାତକ ନାହିଁ। ନାମଲେଖା ବେଳେ ମନଇଚ୍ଛା ବୟସ ପଡ଼ିଛି। ତୃତୀୟ ଶ୍ରେଣୀରୁ ସେ ବଡପିଲା ହେଲାଣି। ଅନ୍ୟମାନଙ୍କ ସବୁ ପ୍ରଶ୍ନର ଉତ୍ତର ତା ପାଖେ ଥାଏ। ବେଶ୍ ହୃଷ୍ଟପୁଷ୍ଟ। ପଥରଟିଏ ହାତରେ ଟେକି ଗଡ଼ାଇ ଦିଏ। ବଡ଼ ବାଲଟିରେ ପାଣି ବୋହିଆଣେ ବିଦ୍ୟାଳୟ ହତାରେ ଥିବା ପ୍ରଧାନଶିକ୍ଷକଙ୍କ ବସାକୁ। ଅନ୍ୟ ପାଇଟି ମଧ୍ୟ କରିଦିଏ। ଆର୍ସୁ ମୁର୍ମୁ ଭଲ ପଢେ। ତା ବାପା ମାଆ ତାକୁ ବୁଝାଇ କହିଛନ୍ତି, ଗୁରୁଙ୍କୁ ନମଣିବୁ ନର, ଗୁରୁ ହିଁ ସାକ୍ଷାତ ଈଶ୍ବର। ଗୁରୁମାତା ତାକୁ ଖୁବ୍ ଭଲ ପାଆନ୍ତି। ତାର ବହିପତ୍ର, ଖାଇବା ପିଇବା, ଘରୋଇ ପଢା ଇତ୍ୟାଦିର ଯତ୍ନ ସେମାନେ ନିଅନ୍ତି। ସାନ ଆର୍ସୁ ବଡ଼ ଆର୍ସୁର ସଙ୍ଗ ଧରି ପ୍ରଧାନ ଶିକ୍ଷକଙ୍କ ଘରକୁ ଯାଏ। ଦୁହିଁଙ୍କ ନାମ ସେଇଠି ଡକାଯାଏ ଆର୍ସୁ ଓ କଟିଆର୍ସୁ। ଏକ ସୁନ୍ଦର ସମ୍ପର୍କ ଗଢ଼ି ଉଠିଥାଏ। କଟିଆର୍ସୁ ଭାବେ, ତା’ର ଆର୍ସୁ ଭଳି ବଳ ହୁଅନ୍ତା, ସେ ବି ସେମିତି ପଥର ଟେକି ଗଡ଼ାଇ ଦିଅନ୍ତା। ଆର୍ସୁ ମୁର୍ମୁ ଘର କପ୍ତିପଦାରୁ ଦୁଇ କିଲୋମିଟର ଦୂର ବଣମୁହଁ ଗାଆଁରେ। ସେ ସବୁଦିନ ସାଇକେଲରେ ଯିବା ଆସିବା କରେ।


ଆଜି କଟିଆର୍ସୁ ବାହାରିଛି ଯିବ ବଣମୁହଁ ଗାଁକୁ। ବିଜୟାଙ୍କ ଆକଟ, - ଏତେ ବାଟ ତୁ ଏକୁଟିଆ କେମିତି ଯିବୁ? 


- ମିତ କେମିତି ସବୁଦିନ ଏକୁଟିଆ ଆସୁଛି ତା ଛୁଆବେଳୁ? ତା ଛଡା ପିନୁକୁ ସାଥିରେ ନେଉଛି ମାଆ।


ପିନୁ ସମ ବୟସ୍କା, ପ୍ରାଣୀଧନ ନିରୀକ୍ଷକ ସୁରେଶ ବାବୁ ଓ ମାତା ପୁଷ୍ପାଙ୍କ ଝିଅ। ସେ ଭିନ୍ନ କିସମର, ବହୁତ ଚୁପଚାପ୍ ରହେ, ଭଲ ଚିତ୍ର ଆଙ୍କେ, ରଙ୍ଗତୁଳୀ ଭଲ ତ ସେ ଭଲ। ସବୁବେଳେ ଆର୍ସୁକୁ ସାଥୀ ଦିଏ। 


ଡା ଅଜୟ କହିଲେ, ଓହୋ, କାହିଁକି ବ୍ୟସ୍ତ ହେଉଛ? ବଣମୁହଁ ଆଉ ଦୂର ହୋଇ ରହିନାହିଁ, ଘରକୁ ଘର ଲାଗି ଗଲାଣି। ସର୍ବଦା ଚଳପ୍ରଚଳ ରାସ୍ତା। ବେଳାବେଳି ଫେରିଆସିବ ଦୁହେଁ। ଦେଖ୍ ପିନୁକୁ ବାଧ୍ୟ କରିବୁ ନାହିଁ। ତାଙ୍କ ଘରେ ଅନୁମତି ଦେଲେ ସେ ଯିବ। 


ଦୁହେଁ ବାହାରି ପଡିଲେ, ଆପଣା ଆପଣା ସାଇକେଲ ଧରି। ଲମ୍ବା ହାତ ଥିବା ପୋଷାକ ପିନ୍ଧିଛନ୍ତି। ମୁଣ୍ଡରେ ଟୋପି ମୁହଁକୁ ଛାଇ ଦେଉଛି, ସେଦିନ ସ୍କୁଲରେ ମିଳିଥିଲା ସ୍ୱଛଭାରତ ଶୋଭାଯାତ୍ରାରେ। ଖରାରେ ମୁହଁ ହାତ କଳା ପଡିଯାନ୍ତା ନହେଲେ। ସେମାନଙ୍କୁ ମନେ ହେଉଥିଲା କେଉଁ ଦୂର ବିଦେଶକୁ ପରିଭ୍ରମଣରେ ବାହାରିଛନ୍ତି। ଏବେ ଏବେ ଇତିହାସ ଦିଦି ପଢାଇଥିଲେ ହୁଏନସାଂଙ୍କ ଭାରତ ଭ୍ରମଣ।

କଟିଆର୍ସୁ ଭାବୁଥିଲା ବଣ, ପାହାଡ, ଝରଣା ଓ ଜୀବଜନ୍ତୁ ଦେଖିବ କିନ୍ତୁ ଦେଖୁଛି ଖାଲି ଧାଡି ଧାଡି ଘର। ମଝିରେ ନାଳଟିଏ ନାଳ ସେପାଖରେ ବଣମୁହଁ। ନାଳଟି ନଥିଲେ ଯେମିତି ମିଶିଯାଇଥାନ୍ତେ ଉଭୟ ଗାଁ। ସେ ଦୁହେଁ ଏକ ଗପ ପଢ଼ିଥିଲେ ଯହିଁରେ ଲେଖାଥିଲା, ନଦୀ କୂଳଖାଏ ସହର ଗାଁମାନଙ୍କୁ ଖାଇ ଖାଇ ଯାଏ। କଟିଆର୍ସୁର ମନେହେଲା ଏ ନାଳଟି ବଣମୁହଁକୁ ରକ୍ଷା କରିଛି କପ୍ତିପଦାର କ୍ଷୁଧାରୁ। ଆଜିକାଲି ଏମିତି ବଡ଼ ବଡ଼ କଥା ତା ମଗଜରେ ପଶି ପାରୁଛି।


ସେମାନେ ପଚାରି ପଚାରି ଆର୍ସୁ ଘରେ ପହଞ୍ଚିଗଲେ। ଘରେ କେବଳ ଆର୍ସୁର ଜେଜେମାଆ ଥାଆନ୍ତି। ଆଉ ସମସ୍ତେ କାମକୁ ଯାଇଛନ୍ତି। ସମସ୍ତେ ବୋଇଲେ ତା ଜେଜେବାପା, ବାପା, ମାଆ, ବଡ଼ ଭଉଣୀ ନିତିମା ଓ ବଡ଼ ଭାଇ କର୍ମୁ। ଜେଜେବାପା ଜାଲ ଧରି ଯାଇଛନ୍ତି ନାଳ ଖୋଲରୁ ମାଛ ଧରିବେ। ବାପା ଓ ଭାଇ ଯାଇଛନ୍ତି ଜଙ୍ଗଲ ବିଭାଗ ଡାକରାରେ କେଉଁଠି କ’ଣ ଗଛ କାଟିବେ। ମାଆ ଓ ଭଉଣୀ ରବିବାର ହାଟକୁ ଯାଇଛନ୍ତି ପରିବା ବେପାର କରିବାକୁ। ଆର୍ସୁ ମଧ୍ୟ ଆଜି ରବିବାର ପାଇଟିକୁ ଯାଇଛି ଏଇ ନିକଟରେ ସରକାର କ’ଣ ଗୋଟେ ବଡ ଘର ତୋଳୁଛନ୍ତି, ସେଇଠିକୁ। ଜେଜେମା ଛୁଆଦୁହିଁକୁ ଆଦର କଲେ। ପାଚିଲା କେନ୍ଦୁଦେଲେ ଖାଇବାକୁ। ଖଣ୍ଡେ ଦୂର ସାଥିରେ ଆସି ଆର୍ସୁର ପାଇଟି ସ୍ଥାନ ଦିଗରେ ବାଟ ବତାଇ ଫେରିଗଲେ‌‌। ଘରେ କୁକୁଡ଼ା ଚିଅଁ ସବୁ ବୁଲୁଛନ୍ତି କଟାସ ଚିଲ ଝାମ୍ପିନେବେ, ଜଗିବାକୁ ପଡିବ। 


ଏଣିକି ଜଙ୍ଗଲ ଘଞ୍ଚ। ରାସ୍ତା ଉପରେ ଆଲୋକ ପଡୁନି, ଛତା ଭଳି ଛାଇ, ବଡ଼ ଶୀତଳ ଲାଗୁଥିଲା। ଶେଷ ବସନ୍ତରେ ଅନେକ ଅଚିହ୍ନା ଗଛରେ କେତେ ଜାତିକା ଅଚିହ୍ନା ଫୁଲ ଫଳ ଶୋଭା ପାଉଛନ୍ତି, ପବନରେ ମହକ ଅଛି। ଚିତ୍ରଶିଳ୍ପୀ ପିନୁ ମନକୁ ପରିବେଶ ପ୍ରଭାବିତ କରୁଛି, ସେ ନୀରବ ଯଦିଓ। ଭୟ ମଧ୍ୟ ଲାଗୁଥିଲା, କାଳେ ଜୀବଜନ୍ତୁ ଥିବେ। ଫଳକରେ ସେମିତି ଲେଖାଯାଇଛି, ହାତୀଙ୍କ ଚଲାପଥ। ଦୁଃସାହସିକ ଅଭିଯାନରେ ଭୟ ପଛ ବେଞ୍ଚକୁ ପଳାଏ। କଲମ୍ବସ, ଭାସ୍କୋଡାଗାମା ଇତ୍ୟାଦିଙ୍କ ଜଳଯାତ୍ରା କଥା ସେମାନେ ପଢ଼ିଛନ୍ତି। ଓଲିଭରଙ୍କ ପୃଥିବୀ ଭ୍ରମଣ ଗପ ମଧ୍ୟ ଶୁଣିଛନ୍ତି। ହାତୀ ବଦଳରେ ଯଦି ଅସୁର ବା ଅସୁର ସମାନ ମଣିଷ ବାହାରନ୍ତି? ଯଦି ଲିଲିପୁଟ ମାନେ ଦେଖା ହୁଅନ୍ତି ସେମାନେ କିନ୍ତୁ ଗୋଟିଏ ଦୁଇଟିକୁ ଘରକୁ ନେଇଯାଆନ୍ତେ। ପୋଷା ମନାଇ ରଖନ୍ତେ। ଏମିତି ନାନାଦି କଥା ମନକୁ ଆସିଲା। କଟିଆର୍ସୁ ପଚାରିଲା ପିନୁକୁ, ତୁ ଡରୁଛୁ କି? ସେ କିଛି ଉତ୍ତର ନଦେଇ ସାଇକେଲର ପେଡେଲ୍ ଜୋରରେ ମାରିଲା। ପଛରୁ ଗାଡିର ଶବ୍ଦ ଶୁଭିଲା। ଟ୍ରାକ୍ଟର ଦୁଇଟି ବାଲି ନେଇ ଯାଉଥିଲେ। ପଛ ଗାଡିର ଡାଲାରେ ବାଲି ଉପରେ ବସିଥିଲେ ପୁଅ ଓ ଝିଅ କେତୋଟି। ଗୀତ ଗାଉଥିଲେ ତାଙ୍କ ଭାଷାରେ। କଟିଆର୍ସୁ ସେମାନଙ୍କୁ ହାତଠାରି ଗାଡ଼ି ଅଟକାଇବାକୁ କହିଲା। ସେମାନେ ଡ୍ରାଇଭରକୁ ଡାକ ଦେଲେ, ଗାଡ଼ି ଅଟକିଲା। କଟିଆର୍ସୁ ବୁଝିଲା, ଏମାନେ ସେହି ନିର୍ମାଣ ହେଉଥିବା ଘର ଦିଗରେ ଯାଉଛନ୍ତି। 


- ଆମେ ସେଇଠିକୁ ଯାଉଛୁ, ଆମକୁ ଟିକେ ନେଇ ଯାଆନ୍ତ ନାହିଁ?


ଭୟ ଲାଗୁଥିଲା, ଅବା ଭୁଲ ବାଟରେ ଯିବାର ଭୟ ଅବା ସେ ଶ୍ରମିକମାନଙ୍କୁ ଭଳି ଡାଲା ଉପରେ ଦୋହଲି ଦୋହଲି ଯିବାର ଇଚ୍ଛା, ସେକଥା ସଠିକ ଜଣାପଡ଼ିଲା ନାହିଁ। ଘପଘାପ ଦୁଇଟା ଟୋକା ତଳକୁ ଡେଇଁ ପଡ଼ିଲେ। ସାଇକେଲ ଦୁଇଟିକୁ ଡାଲା ଉପରକୁ ଉଠାଇ ଦେଲେ ପୁଣି ଉପରକୁ ଚଢିଗଲେ। କଟିଆର୍ସୁ ଓ ପିନୁ ସେମାନଙ୍କ ଭଳି ଚଢ଼ିବାକୁ ଚେଷ୍ଟା କଲେ, ଉପରୁ ଝୁଲି ଆସିଲା ସହଯୋଗର ହାତ ସେମାନଙ୍କୁ ଉଠାଇ ନେଲା। ବଡ଼ ମଜାଦାର ଲାଗୁଥିଲା ଏଣିକି ଏ ଯାତ୍ରା। ଏମାନେ ସବୁ ବଣମୁହଁର ପୁଅଝିଅ, ଆର୍ସୁକୁ ଚିହ୍ନିଛନ୍ତି। 


ବାଲି ପଡ଼ିବା ଯାଗାରେ ଓହ୍ଲାଇ ପଡ଼ିଲେ। ସାଇକେଲ ଷ୍ଟାଣ୍ଡ ମାରି ଆର୍ସୁକୁ ଠାବ କରିବାକୁ ଚେଷ୍ଟା କଲେ। ଆର୍ସୁ ସେତିକି ବେଳେ ମୁଣ୍ଡରେ ବୋଝ ଉଠାଇ ଆଗକୁ ଯାଉଥିଲା। ଚିତ୍ରକର ପିନୁ ପାଟିରୁ ବାହାରି ଆସିଲା ବାବାରେ ଆର୍ସୁ। କଟିଆର୍ସୁ ଦେଖୁଥିଲା ଏକ ଭିନ୍ନ ନଜରରେ, ତାକୁ ଯେମିତି ଜଣାପଡ଼ୁଥିଲା ଆର୍ସୁ ହେଉଛି ବେଶ୍ ବଳବାନ ଜଣେ ସୈନିକ। ସେ ବଡ଼ ଆକର୍ଷଣୀୟ ମନେହୋଇଥିଲା କଟିଆର୍ସୁକୁ। ମୁଣ୍ଡର ବୋଝକୁ ଦୁଇହାତରେ ଧରିଛି, ତା କାନ୍ଧ ଜଣାପଡ଼ୁଛି ବେଶ୍ ମଜବୁତ୍। ବାହୁର ମାଂସପେଶୀ ପୁଅପିଲାଙ୍କ ଭଳି ଫୁଲି ଉଠିଛି। ପଛପଟୁ ତା ପିଠି ଫ୍ରକତଳେ ଅନୁମାନ ହେଉଛି ନିଦାକାଠର ପଟାଭଳି। ଉପର ଭାଗ ଯାହାର ବେଶ୍ ପ୍ରଶସ୍ତ ଦେଖାଯାଉଛି। କଟିଟି ତାହାର ସରୁ ପୁଣି ସେଇଠି ସେ ଭିଡ଼ି ଦେଇଛି ଏକ ଗାମୁଛା। ତା ତଳକୁ ଅଣ୍ଟାଭାଗ ବେଶ୍ ଚଉଡ଼ା। ଜଂଘ ଫ୍ରକରେ ଆବୃତ। ପୁଟିଆ ଦୁଇଟି ଦେଖାଯାଉଛି ଟାଣ ଟାଣ ଦୁଇଟି ବାଟୁଳା ଭଳି। କଟିଆର୍ସୁ ଶିହରୀ ଉଠୁଥିଲା। କାହା ଶରୀରର ଚିତ୍ରପଟ ସେ ତା ଜୀବନରେ ପ୍ରଥମ କରି ବୁଝି ପାରିଲା ବଡ଼ ସୁନ୍ଦର ଦିଶିପାରେ। ସେ ମୁହୂର୍ତ୍ତ ତା ମନରେ ଏକ ଆକର୍ଷଣର ଭାବ ସୃଷ୍ଟି କଲା, ଯାହା ନୂତନ। ତାକୁ କେମିତି ଏକ ଆନନ୍ଦ ଅନୁଭବ ହେଲା ଯେ ତା ମିତ ଏଡେ ସୁନ୍ଦର! ଟିକେ ଖରାକୁ ବାହାରିଲେ ମୁହଁରେ ଦାଗ ପଡ଼ି ଯାଉଛି, ହାତ ସବୁ ଜଳି ଯାଉଛି ସେଥିପାଇଁ ଟୋପି ଓ ଲମ୍ବା ହାତ ପୋଷାକ ପିନ୍ଧି ସେମାନେ ବାହାରିଛନ୍ତି, ଅଥଚ ଆର୍ସୁ ଏମିତି ଖରାରେ ପରିଶ୍ରମ କରି ଏଡେ ମଜବୁତ ହୋଇଛି। କଟିଆର୍ସୁ ତା ଛୋଟିଆ ମନରେ ଭାବିନେଲା ଆର୍ସୁ ଏମିତି ସିଝି ସିଝି କଳାକାଠ ଭଳି ଦେଖାଯାଉଛି ନଚେତ୍ ସେ ମଧ୍ୟ ଗୋରା ନହେଲେ ବି ସାବନା ହୋଇଥାନ୍ତା। ଆର୍ସୁ ତା ମିତ, କେତେ କେତେ ହସଖୁସିରେ ସେମାନେ ମିଶନ୍ତି ଅଥଚ କେଜାଣି କାହିଁକି ଆଜି ତାର ଏମିତି ଭାବନା ସବୁ ତାକୁ ଲାଜେଇ ଦେଲା। ତା ମନ ଏବେ କିଛି ଭିନ୍ନ, ଅବଶ୍ୟ ସେ ବୁଝି ପାରୁନଥିଲା ଭିନ୍ନତା’ଟି କ’ଣ ? ସେ ପିନୁ ଆଡ଼କୁ ଚାହିଁଲା। ପିନୁ ତନ୍ମୟ ହୋଇ ଦେଖୁଛି। କଟିଆର୍ସୁ ବୁଝିପାରିଲା, ପିନୁ କହୁଛି ଵଢିଆ ଚିତ୍ର ମିଳିଗଲା, ସେ ଆଙ୍କିବ। କଟିଆର୍ସୁ କହିଲା କିନ୍ତୁ ସେଇ ଚିତ୍ରଟି ମୋତେ ଦେବୁ। ମୁଁ ତୋତେ ନୂଆ ଗପବହିଟିଏ ଦେବି। ପିନୁ ହସି କହିଲା, ତୁ କେମିତି ଜାଣିଲୁ ମୁଁ ଚିତ୍ର କଥା ଭାବୁଛି?


ଏ ମଧ୍ୟରେ ଆର୍ସୁ ପାଖରେ ଖବର ପହଞ୍ଚି ଯାଇଥିଲା। ସେ ବୋଝ ଉତ୍ତାରି ଦୌଡ଼ି ଆସିଲା। କାଳେ ପିନୁକୁ ଆଗେ ଭେଟିବ ସେପାଇଁ କଟିଆର୍ସୁ ଆଗେଇ ଗଲା। ଆର୍ସୁ ତାକୁ ତା ଧୁଳିବାଲି ହାତରେ ଜାବୁଡ଼ି ଧରିଲା। ସେ ବଳିଷ୍ଠ ବାହୁଫାଶରେ କଟିଆର୍ସୁକୁ ବଡ଼ ନିର୍ଭୟ ମନେହେଲା, ନା ହାତୀ ନା ବାଘ ନା ବିରାଟକାୟ ଅସୁର ମଣିଷ ତା’ର କିଛି କରିପାରିବ। 


ପର ମୁହୂର୍ତ୍ତରେ ଆର୍ସୁ କହିଲା, ଛୁଟିଦିନରେ ଯେବେ କାମ ମିଳେ ସେ ହାତଛଡ଼ା କରେନି ରୋଜଗାରକୁ। ସେଇଥିପାଇଁ ସେ କେବେ ସାଙ୍ଗ ସାଥିଙ୍କୁ ଡାକେ ନାହିଁ ଛୁଟିଦିନରେ ମେଳ କରିବାକୁ। ଏହା ଯେମିତି ଅତି ସ୍ୱଭାବିକ କଥା। ସାଙ୍ଗମାନେ ତାକୁ ଏମିତି ମୂଲଲାଗିଥିବା ଦେଖିଦେବା ତା ପାଇଁ ନଥିଲା କିଛି ଲାଜର ବିଷୟ। ତେବେ ସେ ଏବେ କରିବ କ’ଣ? କାମ ଛାଡି ଗଲେ ମଜୁରି ଗଲା। ସାଙ୍ଗ ଦୁହେଁ ଦୂରରୁ ଆସିଛନ୍ତି, ତାଙ୍କ ସାଥିରେ ମିଶିବାକୁ ବି ବହୁତ ମନ।


ସେ ଠିକାଦାର ପାଖକୁ ଗଲା। କ’ଣ ସବୁ କଥା ହେଲା। ଏକ ନିର୍ଦିଷ୍ଟ ପରିମାଣର ଚିପ୍ସ ବୋହିନେଲେ ତା କାମ ସରିବ। ଏ ଦୁହେଁ କଡ଼େଇ ସବୁ ଭରି ଦେଲେ, ଆର୍ସୁ ମୁଣ୍ଡକୁ ଟେକିଦେଲେ, ସେ ଦୌଡିଲା ପରି ନେଇ ପକାଇଦେଲା। ଯୋଡ଼ାକୁ ଘୋଡ଼ା ସରି ହୁଏନାହିଁ, ଏମାନେ ତ ଏବେ ତିନି। ସେଠି କିଛି ଆଲୋଚନାର ସମ୍ଭାବନା ନଥିଲା ଯେ ପ୍ରାଣୀ ଚିକିତ୍ସକ ଓ ପ୍ରାଣୀଧନ ନିରୀକ୍ଷକଙ୍କ ଲଳନା ଦୁହେଁ ଆଜି କଡେଇରେ ଚିପ୍ସ ଭରୁଛନ୍ତି। ଆର୍ସୁକୁ କିଛି ଅଡ଼ୁଆ ଲାଗୁ ନଥିଲା, ନା ଲାଗୁଥିଲା ସେ ଦୁହିଁଙ୍କୁ। ଚାହୁଁ ଚାହୁଁ କାମ ସରିଗଲା, ଠିକାଦାର ଠାରୁ ମୂଲ ସଂଗ୍ରହ କରି ଆର୍ସୁ ଫେରିଲା। ସେମାନେ ବେଶ୍ ହସଖୁସିରେ ଫେରୁଥିଲେ। ଆର୍ସୁ ଚଳାଉଛି ସାଇକେଲ କଟିଆର୍ସୁ ପଛରେ ବସିଛି, ଆଗରେ ଯାଉଛି ପିନୁ ପଛରେ ସେମାନେ। ବାଟରେ ପଡ଼ିଲା ଆମ୍ବତୋଟା। ପଣା ସଂକ୍ରାନ୍ତି ଆଉ ଦିନ କେଇଟା ବାକିଅଛି। ଆମ୍ବ ଚଟଣି କରିବା ପ୍ରାୟ ହେଲାଣି। କେଉଁ ଗଛର ଆମ୍ବ କଞ୍ଚା ଖାଇହେବ ତାହା ଆର୍ସୁକୁ ଜଣା। ସେ ଗଛ ଚଢ଼ିଗଲା। କିଛିଟା ବଡ଼ ହୋଇଯାଇଥିବା ଆମ୍ବ କେଇଟା ତୋଳିଲା। ତା ଗାମୁଛାରେ ବାନ୍ଧିଲା। ସେମାନେ ପୁଣି ଚାଲିଲେ। 


ଘରେ ପହଞ୍ଚିଲା ବେଳକୁ ଜେଜେମା ରୋଷେଇ ସାରିଛି। ଆର୍ସୁ କହିଲା, ବୁଢ଼ୀ ଆଉ କ’ଣ କରିଥିବକି, ସୋରିଷ ବାଟଣ ଦେଇ ଦେଶୀ କୁକୁଡ଼ା ରାନ୍ଧି ଥିବ। ଜେଜେମା କ’ଣ ଗୋଟେ ସାନ୍ତାଳୀ ଭାଷାରେ କହି ମାଡ଼ି ଆସିଲା ଆର୍ସୁ ପାଖକୁ। ଏ ଦୁହେଁ ବୁଝିଲେ ଜେଜେମା ନାତୁଣୀ ଥଟ୍ଟା ପରିହାସ ହେଉଛନ୍ତି। କଟିଆର୍ସୁ ମନରେ ପ୍ରଶ୍ନ ହେଲା, ନାତି ନାତୁଣୀର ସମ୍ପର୍କ କ’ଣ ସ୍ୱଭାବିକ ମଜାଦାର ସବୁ ଘରେ, ସମସ୍ତ ସମାଜରେ। ତା ଜେଜେମା ଜେଜେବାପାଙ୍କ କଥା ତା’ର ମନେପଡିଗଲା, ସେମାନେ ସବୁ ଗାଁରେ। ସେ ଆର୍ସୁର ଜେଜେମାକୁ ପଚାରିଲା ସେ କ’ଣ କହୁଛନ୍ତି ଓଡ଼ିଆରେ କହୁନାହାନ୍ତି କାହିଁକି? ବୁଢ଼ୀମା ବୁଝାଇଦେଲେ ସେ କହୁଥିଲେ, ସୋରିଷ ବାଟଣ ନୁହେଁ ଜହରି ମରିଚ ଦେଇ ରାନ୍ଧିଛି ଯେମିତି ଏହାକୁ ଖାଇ ସେ ରାଗରେ ଘରୁ ଛାଡି ପଳାଇବ କେଉଁ ଟୋକା ସାଙ୍ଗରେ। ସମସ୍ତେ ଫେଁ ଫାଁ ହସି ପକାଇଲେ। କଟିଆର୍ସୁକୁ ମନେହେଲା ଜେଜେମା ସତ କହୁନାହାନ୍ତି ତ? ସେ ପଚାରିଲା, ଜେଜେମା ସେ ଟୋକା କେତେ ବଡ଼, କ’ଣ କରୁଛି, କେଉଁ ଗାଆଁର, କି ଚାକିରି କରିଛି? 


- ଚାକିରି ନାହିଁ କି ବାକିରି, ଜଙ୍ଗଲରେ ବାଘ ଚରାଉଛି ପରା। ବାଘ ପିଠିରେ ଆସି ଆର୍ସୁକୁ ନେଇ ଯିବ। କେବଳ ତା ଭାଇକୁ ଡରି ଆସୁନି ଯାହା, କାଳେ ଧନୁଶର ବିନ୍ଧିଦେବ। 


ଆର୍ସୁ କଥାର ମୋଡ଼ ବଦଳାଇ କହିଲା, ନେ ବୁଢ଼ୀ ଆମ୍ବକୁ ଧୋଇଧାଇକି ଚଟଣି କର। ତୁ ଯେମିତି କରୁ। ଆଉ କେହି ସେମିତି ପାରିବେ ନାହିଁ। ବୁଢ଼ୀ ମନକୁ ପାଇଲା ସେ କେନ୍ଦୁଡାଲାଟା ଥୋଇଦେଇ ଚଟଣିରେ ମନଦେଲେ।

ହେଲେ କଟିଆର୍ସୁ କେମିତି ସତ ମଣିନେଲା ଆର୍ସୁ ଯେମିତି ଖୁବ୍ ବଡପିଲା ହେଲାଣି, କାହାକୁ ଠିକ୍ କଲାଣି ବୋଧହୁଏ। ସେ ତା ହାତଧରି ହଠାତ୍ ଭାଗିଯିବ। ଆଉ ତା ସହ ଦେଖା ହେବନାହିଁ। ତାର ମନେହେଲା କ’ଣ ଗୋଟେ ବିରାଟ ଅଘଟଣ ଆସୁଛି, ଯାହା ତା ନିଜ ଜୀବନକୁ ହନ୍ତସନ୍ତ କରିଦେବ, ତା ସାଙ୍ଗକୁ ତା’ଠୁ ଛଢେଇ ନେବ। ଅବଶ୍ୟ ଏକଥା ସେ ନିଜ ମନରେ ଗୋପନ ରଖିଲା।


ଜେଜେବାପା ପହଞ୍ଚିଗଲେ। ଆର୍ସୁ କହିଲା ଏ ବୁଢ଼ୀ ଆ ଦେଖିବୁ ତୋ ବୁଢ଼ା ଗଧିଆ ଚଢି ଆସିଲାଣି। ତୋତେ ଝାମ୍ପିନେଇ ପଳାଇବ। 


ଜେଜେବାପା ଆର୍ସୁ ହାତକୁ ମାଛ ମୁଣାଟି ବଢାଇ ଦେଉ ଦେଉ କହି ଉଠିଲେ, - ଆଜି ପୁଣି କଳି ଲାଗିଛ କିରେ?

ପିଲାଦୁହେଁ ଜେଜେଙ୍କୁ ପ୍ରଣାମ କଲେ। ଜେଜେ ହସଖୁସିଆ ମଣିଷ। ଭାରି ଆଦର ତାଙ୍କର। ତୋ ସାଙ୍ଗମାନେ ଆଇବେ ବୋଲି ଆଜି ବଡମାଛ ପଡ଼ିଲେ, ଦେଢକେଜିଆ ମୀରଟା ମାରାଂଖୋଲରେ ଥିଲା। ଆଣ ପନିକି ମୁଁ ବନାଇ ଦିଏ ସହଳ। 


ଚାହୁଁ ଚାହୁଁ ଗରମ ଗରମ ମାଛ ଭଜା ପ୍ରସ୍ତୁତ। 

କୂଅରୁ ପାଣି ଟାଣି ଖୋଲା ଯାଗାଟିରେ ଆର୍ସୁ ଗାଧୋଇପଡିବା ଦେଖି ଦୁଇଜଣ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଏମିତି ପାରିନଥାନ୍ତେ, ଆର୍ସୁପାଇଁ ଲାଜେଇ ଯାଉଥିଲେ ଦୁହେଁ। ଅବଶ୍ୟ ଖୋଲାଯାଗା ନୁହେଁ, ଘଞ୍ଚ ବାଉଁଶ ବୁଦା ଘେରି ରହିଛି ତିନିଦିନରେ। କଟିଆର୍ସୁ କହିଲା ପିନୁକୁ ଏଇ ଚିତ୍ରଟି ଆଙ୍କି ଆର୍ସୁକୁ ଦେବୁ। ହସିଉଠିଲେ ତିନିଜଣ।


ବାପା ଭାଇଙ୍କ ଦିବାହାର ଜଙ୍ଗଲ ବିଭାଗ ବ୍ୟବସ୍ଥାରେ। ମାଆ ଓ ନିତିମା ଆସୁ ଆସୁ ସଂଧ୍ୟା। ଜେଜେମାଙ୍କ ନିର୍ଦ୍ଦେଶ ସମସ୍ତେ ଖାଇ ବସ ସେ ବଢାବଢି କରିବେ। ଆର୍ସୁ କହିଲା ଜେଜେବାପା ଓ ସାଙ୍ଗ ଦୁଇଜଣ ପ୍ରଥମେ ଆରମ୍ଭ କରନ୍ତୁ, ସେ ଜେଜେମାଙ୍କ ସାଥିରେ ରହୁ ପଛକୁ। କଟିଆର୍ସୁ ଓ ପିନୁ କହିଲେ ନାଇଁ ନାଇଁ ଆମେ କେମିତି ଆଗେ ଖାଇବୁ ଯେ ତୁ ଏତେ କାମସାରି ଆସିଛୁ, ଭୋକ ହେଉଥିବ। ଗାଧୋଇସାରି କିଏ ଭୋକିଲା ରହେ? ଜେଜେବାପା ତାଙ୍କ ଅଗଣାରେ ପଟି ପକାଇଦେଲେ, କଞ୍ଚା ଦେଖାଯାଉଥିବା ସବୁଜ ଖଲି ଦନା ସବୁ ପାଣିରେ ଧୋଇ ଆଣି ସମସ୍ତଙ୍କ ପାଇଁ ପକାଇଲେ। ଆର୍ସୁକୁ କହିଲେ ଏବେ ବାଢ। ତାଙ୍କ ନିଷ୍ପତ୍ତି ଚୁଡାନ୍ତ। ତଥାପି ଆର୍ସୁ ଓ ଜେଜେମା ବସୁଛୁ ବସୁଛୁ କହି ଅନ୍ୟମାନଙ୍କୁ ଆଗରେ ପଛରେ ବାଢି ସାରି ବସିଲେ।


ଲାଲ୍ ଚାଉଳର ଭାତ ମିଠା ମିଠା ସ୍ୱାଦିଷ୍ଟ ଲାଗୁଥିଲା, ତା ସହ ବଡ଼ ହରଡ ପରି ଦିଶୁଥିବା ବହଳିଆ କାନ୍ଦୁଲ ଡାଲି ଯହିଁରେ ଆମ୍ବୁଲ ପଡ଼ିଛି, ଟିକେ ଚିନି ମଧ୍ୟ ପଡ଼ିଛି, ବେସର ଦିଆ କୁକୁଡ଼ା ମାଂସ, ପୁଣି ମୀର ମାଛ ଭଜା ଓ ଆମ୍ବ ଚଟଣି। ଜେଜେମାଆ କହିଲେ, ଭଲ ମନ୍ଦ ବାରିବ ନାହିଁ, ବୁଢୀମଣିଷ ଯାହା କରିଛି ଚଳେଇ ନେବ। କଟିଆର୍ସୁ କହିଲା, ଭାରି ସୁଆଦିଆ ଲାଗୁଛି ଜେଜେମାଆ। ଅଲଗା ପ୍ରକାରର ନୂଆ ସ୍ୱାଦ। 


ଜେଜେବାପା ମାରାଂଖୋଲ ବାବଦରେ ଗପୁଥିଲେ। କିମ୍ବଦନ୍ତୀ କହେ ଦୁରାଚାରୀଙ୍କ କବଳରୁ ମୁକ୍ତି ପାଇବା ପାଇଁ ଟୁସୁ ଦେବୀ ସେଇଠି ପାଣିରେ ଆତ୍ମ ବିସର୍ଜନ ଦେଇଥିଲେ। ପ୍ରକୃତରେ ଦେବୀ ନିଜକୁ ଲୁଚାଇଦେଲେ। ଅନେକ ସମୟ ପରେ ସେ ଉପରକୁ ଉଠି ଯେଉଁ ଦିଗରେ ଦୃଷ୍ଟିପାତ କଲେ ସେ ଦିଗର ସମସ୍ତ ଦୁଷ୍ଟ ଜଳି ପୋଡ଼ି ଭସ୍ମ ହୋଇଗଲେ। ଦେବୀ ଏ ପୃଥିବୀକୁ ଆସିଥିଲେ ଦୁଷ୍ଟ ଦମନ କରିବା ପାଇଁ। କାର୍ଯ୍ୟ ସମାପ୍ତ ପରେ ସେ ଅନ୍ତର୍ଦ୍ଧାନ ହୋଇଗଲେ। ଏଣୁ ଏହା ଆତ୍ମହତ୍ୟା ନୁହେଁ। ସେତେବେଳେ ମଣିଷ ସମାଜ ଏକ ଥିଲା, ଜାତି ନଥିଲା। କିନ୍ତୁ କିଛି ଭାଗ ଟୁସୁ ଦେବୀଙ୍କ ମୂର୍ତ୍ତି ପୂଜା କଲେ। ଆଉ କିଛି କହିଲେ ମାଆ ତ ଅନ୍ତର୍ଦ୍ଧାନ ହୋଇଗଲେ ତାଙ୍କର ମୂର୍ତ୍ତି ଗଢିବା ଉଚିତ ହେଉନି। ଯେଉଁମାନେ ମୂର୍ତ୍ତି ପୂଜା କଲେ ସେମାନେ କୁଡୁମୀ ବୋଲାଇଲେ। ସାନ୍ତାଳୀ ଓ ହୋ କିନ୍ତୁ ପୂର୍ବପରି ପାହାଡ଼ ପର୍ବତ ପୂଜା କଲେ। ବଡ଼ ପାହାଡ଼ ମାରାଂବୁରୁ, ସାନ ପାହାଡ଼ ହୁଡିଂବୁରୁ। ଏମିତି ଭିନ୍ନ ଭିନ୍ନ କାରଣରୁ କ୍ରମେ ଅନେକ ଜାତି ତିଆରି ହେଲେ। ପ୍ରକୃତରେ କିନ୍ତୁ ସମସ୍ତେ ଏକ, ସତ୍ୟ ଓ ସନାତନ।


ପିଲାଏ ତନ୍ମୟ ହୋଇ ଶୁଣୁଥିଲେ। ଆଜି ସେମାନେ ଏକାଠି ହୋଇ ଗେଟି ବୋହିଛନ୍ତି, ତାଙ୍କ ମନକୁ କଥାଟି ପାଇଲା।

ଜେଜେବାପା କଥା ମିଶାଇଲେ। କହିଲେ ଏହି ମାରାଂଖୋଲର ମୀର ମାଛ ସୁଆଦିଆ ଓ ଉପକାରୀ। ବର୍ଷରେ ଥରେ ଅଧେ ଧରାଦିଅନ୍ତି। 


ଏମିତି ଗପୁ ଗପୁ ସମସ୍ତେ ଆକଣ୍ଠ ଭୋଜନ କରିଦେଲେ। 

ଏବେର ଘର ଖପର ଛାଉଣି। ସେମାନେ ଛାତ ଘର ତିଆରି କରୁଛନ୍ତି ହୁଡି ସେପଟ ସାହିରେ। ଆର୍ସୁ ଏବେ ସାଙ୍ଗଙ୍କୁ ନେଇ ସେଇଠିକୁ ଗଲା। ହୁଡି ମଧ୍ୟରେ ଗୁମ୍ଫାଟିଏ ଅଛି ସେଇଠି ସନ୍ୟାସୀ ଜଣେ ସାଧନାରତ। ବାବା ଆଶୀର୍ବାଦ ଦେଲେ।


 ତିନି ବର୍ଷ ହେଲାଣି ଘର ତିଆରି ଚାଲିଛି। ଯିଏ ଯାହା ରୋଜଗାର କଲେ ଏକାଠି କରି ଡାକଘରେ ସଞ୍ଚୟ କରନ୍ତି। ଦଶ କୋଡ଼ିଏ ହଜାର ହେଲେ କିଛି କାମ ଆଗେଇ ନିଅନ୍ତି। ସରପଞ୍ଚ ତାଙ୍କ ନିଜଲୋକ, କହିଛନ୍ତି ଛାତ ପଡ଼ିବା ପୂର୍ବରୁ ଇନ୍ଦିରା ଆବାସ ଯୋଜନା ମଞ୍ଜୁର କରାଇଦେବେ। ଏମିତି ସବୁ ମନ୍ଥର ଗତି, ଧୀର ପାଣି ପଥର କାଟେ। ଉଭୟ ସାହିର ବିଭିନ୍ନ ରାସ୍ତାରେ ବୁଲି ଆସିଲେ ସେମାନେ, ରଙ୍ଗ ବେରଙ୍ଗ ଘର, କେତେସବୁ ଚିତ୍ର ଅଙ୍କା ଯାଇଛି, ପିନୁ ଦେଖୁଥାଏ ବହୁତ ଖୁସିରେ। 


ବେଳ କେତେ ହେଲାଣି, ଘରେ ବ୍ୟସ୍ତ ହେଉଥିବେ। ପିଲାଏ ଯିବାପାଇଁ ବାହାରିଲେ। ବାପା ଓ ଭାଇ ଲେଉଟି ଆସିଥାନ୍ତି। କଟିଆର୍ସୁ ସମସ୍ତଙ୍କ ନାମ ଜାଣିବା ପାଇଁ ଚାହିଁଲା। ଜେଜେ ମାଆ ପାଙ୍ଗିଲା ମାଝୀ, ମାଆ ସୀତେ ହାଁସଦା, ଦେଈ ନାଁ ତ ଜାଣିଛ ନିତିମା ମୁର୍ମୁ, ଜେଜେବାପା ପୀଥ ମୁର୍ମୁ, ବାପା ଅର୍ଜୁନ ମୁର୍ମୁ ଏବଂ ଭାଇ ଅନନ୍ତ ଓରଫ କର୍ମୁ ମୁର୍ମୁ। ଅନେକ ଘରେ ଜେଜେ ଓ ନାତିଙ୍କ ନାମ ସମାନ ହୋଇଥାଏ ଯେ ଆମ ଜେଜେ କହିଲେ ନାତି ତାଙ୍କର ଅନନ୍ତ।


ବେପାର ସରିଗଲା, ମାଆ ଓ ନିତିମା ଫେରିଲେ। ଯାହା ହେଉ ଦେଖା ହୋଇଗଲା, ଉଭୟ ପକ୍ଷ ଶ୍ରଦ୍ଧାରେ କହିଲେ।

ବାପାଙ୍କ ନିର୍ଦ୍ଦେଶରେ କର୍ମୁ ବହାରି ପଡ଼ିଲା ସାଇକେଲ ଧରି, ଝିଅ ଦୁଇଙ୍କୁ ସଙ୍ଗ ଦେବା ପାଇଁ। ମୁଣାରେ କେଜାଣି କେତେ ଝୁଣା ଓ ଦୁଇ ବୋତଲ ମହୁ ନେଇଛନ୍ତି ଦୁଇ ଜଣଙ୍କ ସ୍ନେହ ଭେଟି। ସମସ୍ତ ଗୁରୁଜନମାନଙ୍କୁ ପ୍ରଣାମ କରି ସେମାନେ ଫେରିଲେ।


ଏପଟେ ସମସ୍ତଙ୍କର ବ୍ୟସ୍ତତା ଦୂର ହୋଇଗଲା ପିଲାମାନଙ୍କୁ ଦେଖି। ଏ ଘଟଣାବଳୀ ମୋବାଇଲ ଫୋନ ପ୍ରଚଳନର ପୂର୍ବ କଥା। କର୍ମୁଭାଇକୁ ଶ୍ରଦ୍ଧା ଓ ସମ୍ମାନର ସହ ବିଦାୟ ଦେଲେ ବିଜୟା।


ଅଳ୍ପ ଦିନ ମଧ୍ୟରେ ବାର୍ଷିକ ପରୀକ୍ଷା ହେଲା ଓ ତାପରେ ଛୁଟି। ପିନୁ ଏବେ ଲାଗି ପଡିଲା ତିନୋଟି କାନଭାସରେ। ସୁରେଶଙ୍କର ସର୍ବଦା ପ୍ରୋତ୍ସାହନ ଥାଏ ସେ ନିଜେ ଜଣେ ଚିତ୍ରକର। ପିନୁର ସାନଭାଇ ମିଟୁ ଦ୍ୱିତୀୟ ଶ୍ରେଣୀରେ ପଢେ, ସେ ମଧ୍ୟ ଓଳିଆରୁ ଗଜା, ଆଙ୍କି ପକାଏ। କଟିଆର୍ସୁ ନିତି ଯାଇ ଝଲକେ ଦେଖେ, ତାକୁ ଏବେ ସମୟ ନାହିଁ। ଫଳ ବାହାରିବ, ବାର୍ଷିକ ଉତ୍ସବ ହେବ, ନାଟକ ମଞ୍ଚସ୍ଥ ହେବ, ସେ ଭାଗ ନେଇଛି ମହାଭାରତର ଉତ୍ତରା ଭୂମିକାରେ। 


ଗୋଟିଏ କାନଭାସରେ ଏକ ନିର୍ମାଣ କାମର ପୃଷ୍ଠଭୂମିରେ ଝିଅଟିଏ ବୋଝ ମୁଣ୍ଡାଇଛି, ଯାହାର ମୁହଁ ଆଗକୁ, ନାମ ଆଟଲାସ୍। ଦ୍ୱିତୀୟ ଚିତ୍ରରେ ଗୋଲାପି ପୃଷ୍ଠଭୂମିରେ ଧୁଳିବାଲି ନେସି ହୋଇଯାଇଥିବା ଟାଣୁଆ ଝିଅଟିଏ ଆଲିଙ୍ଗନ କରୁଛି ବେଶ୍ ସୁନ୍ଦର ଦିଶୁଥିବା ଶୁଭ୍ର ଏକ ଗାଉନ ପିନ୍ଧି ରାଜକୁମାରୀ ଭଳି ଦେଖାଯାଉଥିବା ସୁନ୍ଦରୀ ଝିଅଟିକୁ, ଚିତ୍ରର ନାମ ସଖା। ତୃତୀୟ ଚିତ୍ରରେ ସବୁଜ ବାଉଁଶର ପୃଷ୍ଠଭୂମିରେ କୂଅମୁଳେ ବେଫିକର ଗାଧୋଉଛି ଡଉଲ ଡାଉଲ ଝିଅଟି, ନାମ ବିହଙ୍ଗ। 


ଆର୍ସୁ ପଚାରିଲା, ଏଡେ ସହଳ କେମିତି ଆଙ୍କିଦେଲୁ, ତୁ ଯେ ବହୁତ ଧୀରେ ଧୀରେ କରୁ? ପିନୁ କହିଲା, ଏହାର ଉତ୍ତର ତାକୁ ଜଣାନାହିଁ, ହୋଇଥିବ କାଳେ ସେ ଚିତ୍ର ସବୁ ପାଶୋରି ପକାଇବାର ଭୟ, ହୋଇବି ଥିବ ସେ ଏସବୁ ଆଖିରେ ଦେଖିନଥିଲା, ହୃଦୟ ଓ ମନଦେଇ ଦେଖିଥିଲା, ଆହୁରି ମଧ୍ୟ ହୋଇପାରେ ବାର୍ଷିକ ଉତ୍ସବରେ ପ୍ରଦର୍ଶିତ କରିବାର ଇଚ୍ଛା ଦୃଷ୍ଟିରୁ ସେ ରାତିଦିନ ଲାଗି କରିଦେଇଛି। ବାପା ମଧ୍ୟ ଅନେକ ସାହାଯ୍ୟ କରିଛନ୍ତି। 


ବାର୍ଷିକ ଉତ୍ସବ ହେଲା। ଷଷ୍ଠ ଓ ସପ୍ତମ ବର୍ଗରେ ସେବର୍ଷର ଖେଳକୁଦରେ ଥାଏ ଚାରୋଟି ପ୍ରଥମ ପୁରସ୍କାର ସହ ବିଦ୍ୟାଳୟର ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର ଆର୍ସୁ ମୁର୍ମୁର, କଟିଆର୍ସୁ ହୋଇଥାଏ ଶ୍ରେଣୀରେ ପ୍ରଥମ। ପିନୁର ପେଣ୍ଟିଂ ତିନୋଟିକୁ ଭୁରିଭୁରି ପ୍ରଶଂସା କରୁଥାନ୍ତି ସମସ୍ତେ। ପିଲାକୁ ଉତ୍ସାହିତ କରିବା ପାଇଁ ମୁଖ୍ୟ ଅତିଥି ହୋଇ ଆସିଥିବା ଶିକ୍ଷାମନ୍ତ୍ରୀ ବହୁତ ଅଧିକ ଅର୍ଥରେ କିଣିନେବାକୁ ଚାହିଁଲେ ଏସବୁକୁ। 


- ନାଇଁ ଆଜ୍ଞା ପ୍ରଥମଟି ଆର୍ସୁର, ଦ୍ୱିତୀୟଟି କଟିଆର୍ସୁର ଓ ଉନ୍ମୁକ୍ତ ବିହଙ୍ଗର ପ୍ରତୀକ ତୃତୀୟଟି ମୋ ନିଜର। ମୁଁ ଆପଣଙ୍କୁ ଭବିଷ୍ୟତରେ ଚିତ୍ରଟିଏ ଦେବି।


ଏହା ମଧ୍ୟରେ ଅନେକ ବର୍ଷ କଟିଗଲାଣି, ପିନୁ ଏବେ ଭୁବନେଶ୍ବରର କଳା ମହାବିଦ୍ୟାଳୟର ଚିତ୍ରାଙ୍କନ ବିଭାଗରେ ଅଧ୍ୟାପନା କରନ୍ତି। କହନ୍ତି ବିହଙ୍ଗ ହେଉଛି ତାଙ୍କର ସର୍ବଶ୍ରେଷ୍ଠ ଚିତ୍ର। ପିଲାମାନଙ୍କୁ ବୁଝାଇ ଦିଅନ୍ତି ଦେଖ ଚିତ୍ରକଳାର ଅନେକ ପାଠ ତୁମେ ସବୁ ପଢୁଛ ଓ ମୁଁ ପଢାଉଛି, କିନ୍ତୁ ଏ ଚିତ୍ରରେ ଶିଳ୍ପୀ ମାତ୍ର ଏଗାର ବର୍ଷର ଶିଶୁଟିଏ, ସେ କିଛି କଳାର ପାଠ ପଢିନି ଅଥଚ ଚିତ୍ରଟି କେଡେ ନିର୍ଭୁଲ ହୋଇଛି। ଏହାକୁ ଆଜି ପର୍ଯ୍ୟନ୍ତ ସେ ବାରି ପାରିନାହାନ୍ତି, ଅନେକ ଦେଶ ବିଦେଶର ଚିତ୍ରକରଙ୍କ କଷଟିରେ ଉତ୍ତୀର୍ଣ୍ଣ ଏ ଚିତ୍ରଟି। ବହୁତ ତରବରରେ ପ୍ରସ୍ତୁତ ଏ ଚିତ୍ରରେ କିଛି ତ୍ରୁଟି ଦେଖିପାରନ୍ତି ନାହିଁ ଛାତ୍ରଛାତ୍ରୀ ମାନେ। ପିନୁ ମାମ୍ ବୁଝାଇ ଦିଅନ୍ତି ଯେକୌଣସି କଳାର ସବୁଠୁ ବଡ଼ ସୂତ୍ର ହେଉଛି ପ୍ରେରଣା। 


ଆର୍ସୁ କାର୍ଲିଫର୍ଣ୍ଣିଆରେ। ପତି ପତ୍ନୀ ଉଭୟ ବଡ଼ ବଡ଼ କମ୍ପାନୀର ପରିଚାଳନା ଦାୟିତ୍ଵରେ। ଆର୍ସୁ ହସି ହସି ସ୍ୱାମୀଙ୍କୁ କହେ, ଏ ଚିତ୍ରରେ ସେଇଟି ତୁମେ ଓ ତୁମ ବାହୁବନ୍ଧନରେ ମୁଁ। ଏ ମୋର ଦୁର୍ବୋଧ୍ୟ ପ୍ରଥମ ପ୍ରେମ, ଫାର୍ଷ୍ଟ କ୍ରସ। ଚିତ୍ରକର ପିନୁ କେମିତି ନାମଟି ସଖୀ ନଦେଇ ସଖା ଦେଇଛି ଦେଖୁନ।


ଆର୍ସୁ ମୁର୍ମୁ ଏବେ ଉଦଳାର ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ। ତାଙ୍କ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ପାଖରେ ପିନୁର ପେଣ୍ଟିଂ ଶୋଭା ପାଉଛି। ତଳେ ଲେଖିଛି, କର୍ମ ହିଁ ଭଗବାନ।


ଡା ଅଜୟ ଏବେ ପ୍ରାଣୀଧନ ବିଭାଗର ଉପନିର୍ଦ୍ଦେଶକ, ଆଉ ଚାରିବର୍ଷ ଚାକିରି ଏହି ଭୁବନେଶ୍ୱରରେ କାଟିଦେବେ। ବିଜୟା ଏବେ ଏକ ବାଳାଶ୍ରମ ଓ ବୃଦ୍ଧାଶ୍ରମର ମୁଖିଆ। ସୁଖକର ମନେହୁଏ ଭବିଷ୍ୟତର ଠିକଣା।



Rate this content
Log in

Similar oriya story from Inspirational