Rabinarayan Senapati

Abstract Tragedy Classics

4.5  

Rabinarayan Senapati

Abstract Tragedy Classics

ବୁଦ୍ଧଙ୍କ ସପକ୍ଷରେ

ବୁଦ୍ଧଙ୍କ ସପକ୍ଷରେ

7 mins
325



(ଗଳ୍ପଟି ୧୯୮୬ ମସିହା, ଡିସେମ୍ବର ୧୧ ତାରିଖ ଦିନ ଲିଖିତ। ଏହା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ମାଗାଜିନ୍‌ରେ ପ୍ରକାଶିତ ହୋଇଥିଲା। ଲେଖକ ସେବେଳେ ପ୍ରଥମ ବର୍ଷର ଛାତ୍ର। ଗଳ୍ପଟି ଜଣେ ବାଧ୍ୟ ଗୃହସ୍ଥ ଆତ୍ମୀୟଙ୍କ ଏକମାତ୍ର ପୁତ୍ର ସନ୍ତାନର ଯୁବାବସ୍ଥାରେ ମୃତ୍ୟୁ ଜନିତ ଆବେଗ ଭରା ମାନସିକ ସ୍ଥିତିରେ ଲେଖା ଯାଇଥିଲା। ପ୍ରିୟ ପାଠକ ମାନଙ୍କ ପାଖରେ ସବିନୟ ଅନୁରୋଧ ଏହି ଗଳ୍ପଟି ଜଣେ ଅନଭିଜ୍ଞ ଗାଳ୍ପିକର ସୃଷ୍ଟି ବିଚାର କରି କ୍ଷମା କରିବେ। ଏତେ ବଡ଼ ଶୀର୍ଷକ ଉପରେ ସେ କଅଁଳ ହସ୍ତରେ ଲେଖିଥିଳି ସିନା ଅଧୁନା ଲେଖିବା ଅସମ୍ଭବ। ଏହାକୁ ପ୍ରକାଶ ଉପଯୋଗୀ କିମ୍ବା ଅନୁପଯୋଗୀ -ଏ ଯୁଦ୍ଧ ସେ ଯୁବକ ଓ ଏହି ପ୍ରୌଢ଼ ମଧ୍ୟରେ ଅନବରତ ଚାଲିଥିଲା। କିନ୍ତୁ ଯୁବ ଲେଖକ ନିକଟରେ ମୁଁ ହାର ମାନିଲି) 


ନରେନ୍ କହୁଥିଲେ “ତୁମେ କାନ୍ଦୁଛ ଗୋପା! କଣ ରାହୁଳର ମୃତ୍ୟୁ ଅବା ସ୍ୱାମୀଙ୍କ ଅଧଃପତନ ପାଇଁ! ଆପଣ କାନ୍ଦୁଛନ୍ତି ବାପା! ରାହୁଳର ମୃତ୍ୟୁ ପାଇଁ ଅବା ପୁତ୍ରର ଅଧୋଗତି ପାଇଁ କିମ୍ବା ସମ୍ପତ୍ତିର ଉତ୍‌ତରାଧିକାରୀ ନାହିଁ ବୋଲି! ବୋଧହୁଏ ବଧୂର ଦୁଃଖକୁ ସହାନୁଭୂତି ଜଣାଇ ଆପଣ ବି କନ୍ଦ୍ରନରତ! ତୁ ବି କାନ୍ଦୁଛୁ ମା! ନାତିଟୋକାଟା ଚାଲିଗଲା ବୋଲି ଅବା ମୋ ବ୍ୟତିକ୍ରମର କାରଣ ହୋଇଥିଲୁ ବୋଲି।”

ପୁତ୍ର ରାହୁଳର ବିୟୋଗର, ବାଧ୍ୟ ସଂସାରୀ ନରେନ୍ ଅତୀତକୁ ପର୍ଯ୍ୟାଲୋଚନା କରିବାର ଦୁଃଖାବସରଟିଏ ପାଇଛନ୍ତି। ମନେ ପଡ଼ୁଛି ଯୌବନର ପ୍ରଥମ ପାହାଚ ଗୁଡ଼ା। ତାଙ୍କ ଚାରି ପାଖରେ ଯେଉଁ ମାୟା କୁଣ୍ଡଳୀ ମାନ ଘେରାଇ ହୋଇ ଯାଇଥିଲେ ତହିଁରୁ ମୁକ୍ତିର ଏକମାତ୍ର ଉନ୍ମୁକ୍ତ ଦ୍ୱାର ଥିଲେ ସ୍ୱାମୀ ଚିନ୍ମୟାନନ୍ଦ। ନରେନ୍‌ଙ୍କ ରକ୍ତରେ ଉଷ୍ଣତା ଥିଲା, ଥିଲା ମସ୍ତିଷ୍କରେ ଚଞ୍ଚଳତା। ସେ ବି ଅବିଭୂତ ଓ ଭୟ ପ୍ରାପ୍ତ ହୋଇଥିଲେ ଜରା, ବ୍ୟାଧି ଆଉ ମରଣର କରାଳ ରୂପରେ। ସେ ବି ଆହ୍ଲାଦିତ ହୋଇଥିଲେ, ସନ୍ନ୍ୟାସୀ ଚିନ୍ମୟାନନ୍ଦଙ୍କ, କୋମଳ ହାସ୍ୟ, ପ୍ରଶାନ୍ତ ତେଜ ଏବଂ ଐଶ୍ୱରୀୟ ଲାଳିତ୍ୟ ଦେଖି। ଆଧ୍ୟାତ୍ମିକତାର ଆହ୍ୱାନରେ ଶିରରିତ ହେଉଥିଲେ ସେ। ତାଙ୍କ ପିତା ବି ବ୍ୟସ୍ତ ବିବ୍ରତ ହେଉଥିଲେ ରାଜା ସୁଦ୍ଧୋଦନଙ୍କ ପରି। ଏକମାତ୍ର ପୁତ୍ରର ଅନ୍ୟମନସ୍କ ସ୍ୱଭାବ ତାଙ୍କୁ ବ୍ୟତିବ୍ୟସ୍ତ କରୁଥିଲା।

ମନେ ପଡ଼ୁଛି ବୁଦ୍ଧଙ୍କ ଜୀବନୀ ପଢ଼ିଲେ ତାଙ୍କ ହୃଦୟରେ କିପରି ବିଦ୍ରୋହ ସୃଷ୍ଟି ହେଉଥିଲା। ତହିଁରେ ଥିଲା ଦୁର୍ବାର ଆହ୍ୱାନ। ବୁଦ୍ଧଙ୍କ କାହାଣୀ ଶୁଣାଇଲେ ସେ ଦେଖୁଥିଲେ ମାଆଙ୍କ ଆଖିରେ ଲୋତକ। ସେ ଲୋତକର ହେତୁ ଜିଜ୍ଞାସା କରନ୍ତେ ସେ ଶୁଣୁଥିଲେ, ମା ମୁହଁରେ ରାଜା ରାଣୀଙ୍କ ପାଇଁ ସହାନୁଭୂତି। ଯୁବରାଣୀଙ୍କ ପାଇଁ ଅନେକ କୋହ। ମା ବୁଝାଇଥିଲେ, ବିବାହ କଲେ, ପିଲାପିଲି ହେଲେ ସେ କୁଆଡ଼େ ବୁଦ୍ଧଙ୍କ ସମସ୍ତ ନିଷ୍ଠୁରତା ବୁଝିପାରିବେ।

ସ୍ନେହମୟୀ ମା ଜାଣି ଜାଣି ତାଙ୍କ ମନରେ ଗୌତମଙ୍କ ପ୍ରତି ଘୃଣା ସୃଷ୍ଟି କରାଉଥିଲେ। ସତେ ଯେପରି ବୁଦ୍ଧ ଏବଂ ତାଙ୍କ ଜାତକ ଗଳ୍ପର ମହାନତା ଗାନ କରିବା, ତାଙ୍କର ଏକ ମସ୍ତବଡ଼ ଅପରାଧ। ମା କହୁଥିଲେ କୋଟି କୋଟି ସ୍ୱାମୀ ବିଚ୍ଛେଦ, ପୁତ୍ର ବିଚ୍ଛେଦ, ପିତୃ ବିଚ୍ଛେଦର ଜନକ ବୁଦ୍ଧ ଏକ ମହାପାପୀ ଏବଂ ଚିନ୍ମୟାନନ୍ଦ ତାଙ୍କର ଏକ ନୂତନ ସଂସ୍କରଣ।

ମାଧ୍ୟାକର୍ଷଣକୁ ଅତିକ୍ରମ କରି ଉପରକୁ ଉଠିବା ଯେପରି କଷ୍ଟ, ମାୟା ତ୍ୟାଗ କରି ମୁକ୍ତି ପଥଗାମୀ ହେବା ତତୋଽଧିକ କଠିନ। ମୁକ୍ତିଦାତା ଚିନ୍ମୟଜୀଙ୍କ ପାଦତଳେ ନିଜକୁ ସମର୍ପଣ କରିବାକୁ ଯିବାବେଳେ ପଛ ପଟୁ ଟାଣି ଧରିଥିଲା ମାୟା। ଚିନ୍ମୟସ୍ୱାମୀ ତାଙ୍କୁ ଶ୍ରେଷ୍ଠ ଭକ୍ତ କରିନେଇଥିଲେ ଋଷିକେଶ, ବଦ୍ରିନାଥ ବା ହିମାଳୟର ଅନେକ ସିଦ୍ଧ ଆଶ୍ରମକୁ। ପିତା ମାତା ଭୟ ପାଇଥିଲେ।

ମାୟା କଠୋରୀର ଏ ଯେଉଁ ଆଲୋକିତ ଦ୍ୱାରଟି ମୁହୁର୍ମୁହୁ ଆକର୍ଷଣ କରୁଥିଲା ଏବଂ ତା ମଧ୍ୟରେ ପ୍ରବେଶ ପାଇଁ ଯୁବକ ନରେନ୍ ପ୍ରସ୍ତୁତ ହେଉଥିଲେ, ତାହାକୁ ବନ୍ଦ କରାଗଲା ଏକ ଶକ୍ତ ମାୟା କବାଟରେ। କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଗୋପାଙ୍କୁ ଅଣାଗଲା ତାଙ୍କ ଗଳାର ହାର କରି। ଗୋପାଙ୍କ ଗୌର ତନୁ, ସୁଲଳିତ କଣ୍ଠ ଆଉ ପ୍ରେମ ପୂର୍ଣ୍ଣ ମିଷ୍ଟବାକ୍ୟ ସବୁ, ସେ ଆଲୋକିତ ଦ୍ୱାରଟିକୁ ତମସାଚ୍ଛନ୍ନ କଲା। ତା ମଧ୍ୟରେ ସେ ହେଲେ ବନ୍ଦୀ। ଅତିକ୍ରମ କରିବାର ସମସ୍ତ ସମ୍ଭାବନା ଦୂରେଇ ଗଲା। ଗୋପାଙ୍କୁ ଦିବ୍ୟ ଆହ୍ୱାନ ବୁଝାଉ ବୁଝାଉ ତାଙ୍କ ମଧ୍ୟରେ ସେ ହଜିଗଲା ବେଳେ ପିତାମାତା କେତେ ଖୁସି ହୋଇ ନଥିଲେ ସତେ!

ତାଙ୍କ ସଂସାରୀ ଜୀବନର ଆଦ୍ୟ ପର୍ବଟି ପୁଷ୍ପ ଶଯ୍ୟା ପ୍ରାୟ। ଗହନ ଅନ୍ଧକାର ରାତ୍ରିରେ, ସୁନେଲି ସ୍ୱପ୍ନଯାକ ପ୍ରତ୍ୟେକ ଏକ ଏକ ସୁନ୍ଦର କବିତା। ଗୋପାର ଗୋଲାପୀ ଅଧର, ଅମୃତର ଧାରା ପରି ଲାଗୁଥିଲା। ଚିକ୍ ଚିକ୍ ଦାନ୍ତ ପଂକ୍ତି ମୁକ୍ତାମାଳା ପ୍ରାୟ ଝଟକୁ ଥିଲା। ବାକ୍ୟରେ ଥିଲା ସମ୍ମୋହନୀ ଶକ୍ତି। ସନ୍ନ୍ୟାସୀର ସ୍ନିଗ୍ଧ ଲାଳିତ୍ୟ, ଆଉ ଗୋପାର ସାନିଧ୍ୟରୁ ଦୃଢ଼ତର ଜଣାପଡ଼ୁ ନଥିଲା।

ପ୍ରିୟତମା ପତ୍ନୀଠାରୁ ଅମୃତ ପାନ କରି ଯେଉଁ ବିଷର ଜ୍ୱାଳା ଉପଶମ ହେଉଥିଲା। ସେ କ୍ଷଣିକ ବ୍ୟାଧିର କାରଣ ବି ତ ଥିଲେ ସେହି ଗୋପା। ପବିତ୍ର ଆତ୍ମାର ଅନୁସନ୍ଧିତ୍ସୁ ଥିଲାବେଳେ ବ୍ୟାଧ କିଛି ନଥିଲା ଉପଶମର ଆବଶ୍ୟକତା ବା ଥାଆନ୍ତା କେଉଁଠୁ? ସେହି ମାୟା ବିଜଡ଼ିତ ବସନ୍ତର ଉପବନରେ ବିହାର କରୁଥିବା ମଧ୍ୟରେ ବି ସେ ଗୋପାଙ୍କୁ କୌଣସି ଶ୍ରେୟ ଦେଇପାରୁନଥିଲେ। ଏକ ପଥଭ୍ରଷ୍ଟ ଯୋଗୀ ପ୍ରାୟ ତାଙ୍କର ଅବସ୍ଥା ଥିଲା। ସତେ ଅବା କଣ ଗୋଟାଏ ସେ ଭୁଲି ଯାଇଛନ୍ତି।

ସେ ଦିନଗୁଡ଼ା ଶୀଘ୍ର ଶୀଘ୍ର ଅପସରିଯାଏ। ଗୋପା ମୁହଁରେ ହସ ଆଣିବା ପାଇଁ ରାହୁଳ ଆସିଲା ସିନା। ମାୟାର ଯେଉଁ ଦ୍ୱାରଟି ଆଉଜା ହୋଇଥିଲା, ତହିଁରେ ଅବା ତାଲାଟିଏ ଲାଗିଗଲା। ଖୋଲିବାର ସମ୍ଭାବନା ନଥିଲା। ଚିନ୍ମୟାନନ୍ଦ ଅବା ବୁଦ୍ଧଙ୍କର ଆଲୋକ ସେ ରୁଦ୍ଧ କୋଠରୀକୁ ପ୍ରବେଶି ପାରୁ ନଥିଲା।

କେବଳ ଯାହା ଅନୁଭବଟିଏ ଥିଲା, ତାଙ୍କର ନିମ୍ନଗତି ହୋଇଛି। ବରାବର ଚିନ୍ତା କରୁଥିଲେ ସେଥିପାଇଁ ସେ ନିଜେ ଦାୟୀ। ସୁନ୍ଦରୀ ଗୋପା ଅବା ପିତାମାତାଙ୍କୁ ଦୋଷ ଦେବା ଏକ ଉପଲଖ୍ୟ ମାତ୍ର, ନିଜକୁ ଦୁର୍ବଳ ମନା ଭାବୁଥିଲେ। ମୁକ୍ତିର ସମ୍ଭାବନାର ଅନ୍ତିମ ପ୍ରୟାସ ସେ ଯେ ନ କରିଥିଲେ ତାହା ମଧ୍ୟ ନୁହେଁ। ସେ ବି ଖୋଜି ଥିଲେ ଅଶ୍ୱ, ଚାହିଁଥିଲେ ଛନ୍ଦକ ପରି ସାଥୀ ଏବଂ ଏକ ସୁପ୍ତ ରାତ୍ରି।

ମନେପଡ଼େ ଆଜି ଏ ଭୟଙ୍କର ଘଡ଼ିସନ୍ଧି ମୁହୂର୍ତ୍ତରେ, ଅତୀତର ସେହି ଏକ ବିଶେଷ ନିଶାର୍ଦ୍ଧ। ଅର୍ଦ୍ଧ ଉନ୍ମୁକ୍ତ ଅକୃତ୍ରିମ ଅପରୂପ ସୌନ୍ଦର୍ଯ୍ୟଭରା ଗୋପାର ସ୍ତନ ପାନ ଅବସ୍ଥାରେ ରାହୁଳ ନିଦ୍ରାଗତ। ସ୍ନାନ ଉତ୍ତାରେ, ପୂର୍ବ ପ୍ରସ୍ତୁତ ସନ୍ନ୍ୟାସୀର ବେଶଭୂଷା ପରିପାଟୀରେ ନିଜକୁ ସଜ୍ଜିତ କରିଥିଲେ ସେ। ଯିବା ପୂର୍ବରୁ ମାୟାର ଦୁର୍ବାର ଆକର୍ଷଣରେ ସେ ରାହୁଳର ମୁଖ ମଣ୍ଡଳରେ ଚୁମ୍ବନଟିଏ ଆଙ୍କିଥିଲେ ସିନା, ଗୋପାଙ୍କ ତନୁ ସ୍ପର୍ଶ କରିବାର ସାହାସ ନଥିଲା। ମୋଟର ସାଇକେଲ ଧରି ପହଞ୍ଚିଥିଲେ ଚିନ୍ମୟଜୀଙ୍କ ଆଶ୍ରମରେ। ଶାଶ୍ୱତ୍ତର ଆହ୍ୱାନରେ ସେ ଅଗ୍ରଗାମୀ ଅବା କର୍ତ୍ତବ୍ୟର ଅବହେଳାର ନିନ୍ଦାଯୋଗ୍ୟ, ତହିଁରେ ନିଷ୍ପତ୍ତି ସ୍ପଷ୍ଟ କରିବା ପୂର୍ବରୁ ପହଞ୍ଚି ଯାଇଥିଲେ ଯୋଗୀଙ୍କ ଚରଣରେ।

“ଫେରି ଯାଅ ନରେନ୍‌, ଏ ଆଶ୍ରମର ଦ୍ୱାର ତୁମ୍ଭ ପାଇଁ ବନ୍ଦ। ତୁମ୍ଭେ ଗୃହସ୍ଥ ଆଶ୍ରମର ସୁପରିଚାଳନା କର। ପିତାମାତା, ପୁତ୍ର ଏବଂ ପତ୍ନୀଙ୍କ ଦୁଃଖରେ ତୁମ୍ଭର ଉନ୍ନତି ଅସମ୍ଭବ। ବିବାହିତ ଜୀବନରେ ପତ୍ନୀଙ୍କ ବିହୁନେ କୌଣସି କାର୍ଯ୍ୟ ଅସମ୍ପୂର୍ଣ୍ଣ।” ଏ ଥିଲା ଧ୍ୟାନସ୍ଥ, ମୁଦ୍ରିତ ନୟନ ଯୋଗୀଙ୍କ ନାସ୍ତିବାଣୀ।

ନରେନ୍ ମର୍ମାହତ ହୋଇଥିଲେ, ମୃଦୁ ପ୍ରତିବାଦ ବି କରିଥିଲେ, “ଗୁରୁଦେବ! ଗୌତମ କଣ ଗୃହସ୍ଥ ନଥିଲେ, ତାଙ୍କର ଉପଲବ୍ଧି କଣ ପ୍ରହେଳିକା?”

“ବତ୍ସ! ସମୟର ଆହ୍ୱାନରେ ବୁଦ୍ଧ ଆସିଥିଲେ ଅବତାର ନେଇ। ସେ ଅସାଧାରଣ। କୌଣସି ଚିନ୍ମୟାନନ୍ଦଙ୍କ ଆବଶ୍ୟକତା ନଥିଲା ତାଙ୍କର। ଅନିବାର୍ଯ୍ୟ ଥିଲା ତାଙ୍କର ବୁଦ୍ଧତ୍ୱ। ତୁମେ ତ ସାଧାରଣ ରକ୍ତ ମାଂସଧାରୀ ମନୁଷ୍ୟ, ତୁମେ ମାନବ ଧର୍ମ ପାଳନ କରେ। ଫେରିଯାଅ।”

କେଉଁ ସ୍ୱର୍ଗୀୟ ଆକର୍ଷଣର ପୁଲକରୁ ହଠାତ୍ ମାନବ ମୁଲକକୁ ଫେରି ଆସିଥିଲେ ନରେନ୍। ସାଧାରଣ ଦୁଃସ୍ଥ ମନୁଷ୍ୟ ପରି ସେ’ ବି ଅନୁଭବ କରିଥିଲେ ଘୋର ଲଜ୍ଜା ଓ ଲାଞ୍ଛନା। ଭୟ କରିଥିଲେ ଶିଶୁପୁତ୍ର, ପତ୍ନୀ ଓ ପିତାଙ୍କୁ। ଅସ୍ଥିର ଚିତ୍ତରେ କିଛି ଦିନ ଦୂର ଦୂରାନ୍ତରେ ଅତିବାହିତ କଲା ଉତ୍ତାରେ ସେ ସାହାସ ସଞ୍ଚୟ କଲେ। ଭାବନାରେ ରାହୁଳ କ୍ରନ୍ଦନ କରୁଥିଲା, ଗୋପା ସ୍ୱପ୍ନରେ ଆସୁଥିଲେ, ଚହଟ ଚିକ୍କଣ ଲାବଣ୍ୟବତୀର ସୌନ୍ଦଯ୍ୟ ନେଇ। ସ୍ମରଣକୁ ଆସୁଥିଲା “ପିତା ସ୍ୱର୍ଗ ପିତା ଧର୍ମ ......” ।

ଅନ୍ତର କହିଉଠିଲା, “ଧନ୍ୟ ସିଦ୍ଧାର୍ଥ, ଧନ୍ୟ ତୁମ୍ଭ ଦୃଢ଼ ନିଷ୍ଠୁରତା। ତୁମ୍ଭେ ହିଁ ବିଜୟୀ ବୁଦ୍ଧ!”

ବାଧ୍ୟ ଶିଶୁଟି ଫେରି ଆସିଲା ମାତୃ କୋଳକୁ। ମା, ଚିରକାଳ ସ୍ନେହମୟୀ, ଆନନ୍ଦରେ ତୋଳି ନେଇଥିଲେ। ପିତା ବି ଆଦରି ନେଲେ। ଗମ୍ଭୀର ଗୋପାଙ୍କ ଲକ୍ଷେ ପ୍ରଶ୍ନ, ବିଜୟିନୀର ଗୌରବ ଏବଂ ସ୍ନେହର କବିତାରେ ସେ ଭୁଲିଗଲେ ଏହି ଆକସ୍ମିକ ଦୁର୍ଘଟଣାକୁ। ଭୁତକୁ ଭୟ ପାଇ ଶିଶୁ ନିଜକୁ ରେଜେଇରେ ସମ୍ପୂର୍ଣ୍ଣ ଘୋଡ଼ାଇ ଦେଲା ପ୍ରାୟ, ନରେନ୍ ବି ନିଜକୁ ସମ୍ପୂର୍ଣ୍ଣ ଆବୃତ କରି ନେଇଥିଲେ, ଗୋପାଙ୍କ ପ୍ରେମରେ। ଚିନ୍ମୟଜୀଙ୍କ ସଂଳାପ ମାନ ସ୍ମରଣକୁ ଆସି ଯାଉଥିଲା। ଗୃହସ୍ଥାଶ୍ରମ ପାଳନରେ କୌଣସି ଅବହେଳା ହୋଇ ନଥିଲା ତାଙ୍କର। ପରିବାର ହସ ଖୁସି ଭରା, ରାହୁଳ ପରେ ଆସିଲା ପିଙ୍କି। ମାୟାର ଆବରଣ ତଳେ ଖୁସିରେ ଆଗେଇ ଗଲେ, ଅନେକ ପାହାଚ। ପ୍ରେମ ବିଜଡ଼ିତ ନରେନ୍ ଯେତିକି ଯେତିକି ଗୃହବନ୍ଦୀ ହୋଇ ରହିଲେ, ପିତାମାତା ସେତିକି ନିଶଙ୍କ ହେଲେ। ମନରେ ଭ୍ରମ ସ୍‌ଷ୍ଟି ହେଲା, ଏହି ଅବା ଅନ୍ତିମ ସତ୍ୟ, ଏହା ମଧ୍ୟରେ ମିଳିବ ମୋକ୍ଷ ଏବଂ ଏହା ହିଁ ଜୀବନର ସାମଗ୍ରୀକ ଉଦ୍ଦେଶ୍ୟ।

ଚିରନ୍ତନ ସତ୍ୟର ଅନ୍ତଃ ନଥାଏ। ସ୍ୱର୍ଗୀୟ ଉପଲବ୍ଧି ସାଥୀ ଦେଇ ଥାଏ ସୁଖରେ ଏବଂ ଦୁଃସମୟରେ ବ୍ୟକ୍ତ କରେ ଆତ୍ମୀୟତା। ସେ ଯେଉଁ ସୁଖରେ ମଜି ଗଲେ ତାହାର ସେ ଶକ୍ତି ନାହିଁ ଯେ ସଦା ସର୍ବଦା ସାଥୀ ହୋଇ ରହିବ । କ୍ଷଣିକ ସ୍ୱପ୍ନ ଭାଜିଯିବାର କରୁଣ ଅନୁଭୂତିରେ ମ୍ରୀୟମାଣ ହୋଇ ପଡ଼ିଥିଲେ ନରେନ୍।

ଜୀବନର ଅପରାହ୍ନରେ ପିତାମାତାଙ୍କୁ ଦୁଃଖ ସାଗରରେ ଭସାଇ, ବୁଢ଼ାବାପା, ବୁଢ଼ୀ ମାଙ୍କୁ କନ୍ଦାଇ ରାହୁଳ ଚାଲିଗଲା। ମସ୍ତିଷ୍କ ଜ୍ୱରରେ ପିଲାଟାର ମୃତ୍ୟୁ ହୋଇଗଲା। ବଞ୍ଚିଥିଲେ ବାପାର ନାମ ଉଜ୍ଜ୍ୱଳ କରିବାର ଆଦୌ ସମ୍ଭାବନା ନଥିଲେ ବି ପୁଅଟା ତ କୁଳ ରକ୍ଷା କରିଥାନ୍ତା, ପିଣ୍ଡଦାନ କରିଥାନ୍ତା।

ମୃତ୍ୟୁ ପୂର୍ବରୁ ବି କିଛି କମ କଷ୍ଟ ଦେଇ ନଥିଲା ରାହୁଳ। ତିନିଥର ମେଟ୍ରିକ ଫେଲ ହେଲା ପରେ ଦଶ ବର୍ଷ ଧରି ବୁଲୁଥିଲା। କୌଣସି ରୋଜଗାର ପ୍ରୟାସୀ ହେଉନଥିଲା। ଗୋପାଙ୍କୁ ଧମକ ଚମକ ଦେଇ ଅର୍ଥ ଆଦାୟ କରୁଥିଲା। ଯାବତୀୟ ନିଶାଦ୍ରବ୍ୟ ସେବନ କରୁଥିଲା । କିଛି ବ୍ୟବସାୟ ବାଣିଜ୍ୟର ବ୍ୟବସ୍ଥା କରିବାର ଅବକାଶ ନଥିଲା। ଏହା ସ୍ପଷ୍ଟ ଥିଲା ଯେ ଅଚିରେ ସବୁ ଧ୍ୱଂସ କରିଦେବ, ତେବେ ବି! ଯେତେହେଲେ ପୁଅଟା ତ, ଏକୋଇର ବଳା ବିଶିକେଶନ। ମୃତ୍ୟୁ ପୂର୍ବରୁ ତାର ଉତ୍ପାତ ବହୁଗୁଣରେ ବୃଦ୍ଧି ପାଇଥିଲା। ସେ ଘରର ଚାରିକାନ୍ଥ ବାହାରେ ଯାବତୀୟ ଉଦ୍ଧତ ଆଚରଣ କରୁଥିଲା। ତା ପାଇଁ ଗ୍ରାମରେ ନିଶାପ ବସୁଥିଲା। ସତେ ଅବା ଚୁଲିକୁ ଚାଲିଯିବା ପାଇଁ, ଜଳିପୋଡ଼ି ଅଙ୍ଗାର ହେବା ପାଇଁ କ୍ଷୀର ଜୋର୍‌ରେ ଉତ୍ତୁରୁ ପଡୁ଼ଥିଲା।

ଆସନ୍ନ ବାର୍ଦ୍ଧକ୍ୟରେ, ମାୟା ମରିଚିକା ଏଭଳି ଅନ୍ତଃ ହେବ ବୋଲି କିଏ ବା କଳନା କରିଥିଲା। ପୁଣି ଭାବୁଥିଲେ କପିଳବାସ୍ତୁର ସିଂହାସନରେ ଅଭିଶେକ ହେବ କିପରି। ସେ ଅନୁଭବ କରି ପାରୁ ନଥିଲେ ଗୋପାଙ୍କ ଅନ୍ତର୍ବେଦନା। ଅନୁରୂପେ ତାଙ୍କ ବେଦନାରୁ ସେ ବର୍ତ୍ତି ପାରୁ ନଥିଲେ। ବୁଦ୍ଧଙ୍କ ସପକ୍ଷରେ ତାଙ୍କ ଅନ୍ତରରେ ସୃଷ୍ଟି ହୋଇଥିଲା ଅନେକ ଯୁକ୍ତି। ଚିରନ୍ତନର ସନ୍ଧାନ ପାଇଁ କୌଣସି ବୟସ, ସମୟ ଅବା ପରିସ୍ଥିତି ବିପରୀତ ନୁହେଁ। ଗୌତମ କାହା ପ୍ରତି କିଛି ଅନ୍ୟାୟ କରିନାହାନ୍ତି। ବରଂ ପରିବାର ସମେତ ଏ ବିଶ୍ୱ ପାଇଁ ଅମୃତ ସନ୍ଧାନ କରିଛନ୍ତି। ଏବେ ନିରୁପାୟ ସତ୍ୟ ସନ୍ଧାନର ଆକାଂକ୍ଷା ତାଙ୍କର ମୋଉଳି ଯାଇଛି। ପରିସ୍ଥିତି କରୁଣ ଓ ଅସମ୍ଭବ।

ସେ ପରାଜିତ, ସେ ଭୀରୁ। ନିଜର ଅଧୋଗତି ପାଇଁ ସେ ନିଜେ ହକ୍‌ଦାର। ତହିଁରୁ ମୁକ୍ତି ନାହିଁ। ଗୃହସ୍ଥାଶ୍ରମ ଶ୍ରେଷ୍ଠ ହୋଇପାରେ କିନ୍ତୁ ଅଣାୟତ୍ତ, ସାଧନା ବିବର୍ଜିତ ମଙ୍ଗହୀନ ନାବଟିଏ ପ୍ରାୟ, କେଉଁଠି କୂଳରେ ଲାଗିବ ତାର କୌଣସି ନିର୍ଦ୍ଦିଷ୍ଟ ଠିକଣା ନାହିଁ।

ପୁଣି ସେ ଭାବୁଥିଲେ ନିଜର ଗନ୍ତବ୍ୟ ସ୍ଥଳ ନିର୍ଣ୍ଣୟ କରିବା, ଯାତ୍ରା ପାଇଁ ସୁପଥ ନିର୍ବାଚନ କରିବା ଓ ଯାତ୍ରାର ବ୍ୟବସ୍ଥା କରିବା ଥିଲା ତାଙ୍କର ମୌଳିକ ଅଧିକାର। ପ୍ରଚେଷ୍ଟା, ପ୍ରାଥମିକ କର୍ତ୍ତବ୍ୟ। ଯେମିତି ଏହା ଥିଲା ଗୌତମଙ୍କର କିମ୍ବା ଅନ୍ୟ କାହାର। ସେ କହୁଥିଲେ, “ତୁ ଆଉ କାନ୍ଦେ ନା ମାଆ, ତୁ ମୋ ପରାଜୟ ପାଇଁ ପରୋକ୍ଷରେ ଦାୟୀ। ଆପଣ ବି ଅଶ୍ରୁ ବିସର୍ଜନ କରନ୍ତୁ ନାହିଁ ପିତା ଆପଣବି ଦାୟୀ ମୋର ଏ ମନସ୍ତାପ ପାଇଁ। କାହିଁକି କାନ୍ଦୁଛ ଗୋପା, ଗୌତମଙ୍କ ବିଚ୍ଛେଦ ହୁଏତ ରାଜକୁମାର ଦୋଷ କିନ୍ତୁ ରାହୁଳର ମୃତ୍ୟୁ ଅବା କାହାର ଆୟତ୍ତ।”

ତେବେ ତାଙ୍କର ଏ ଅବସ୍ଥା ପାଇଁ ସେ ପ୍ରତ୍ୟେକ୍ଷ ଭାବେ ଦାୟୀ କରୁଥିଲେ କେବଳ ମାତ୍ର ଆପଣାକୁ। ସେ ଜାଣୁଥିଲେ ତାଙ୍କର ସମସ୍ତ ଅଭିଯୋଗ କେବଳ ମିଥ୍ୟା ନୁହେଁ, ସମ୍ପୂର୍ଣ୍ଣ ଅନ୍ୟାୟ ମଧ୍ୟ। ତାଙ୍କ ଚକ୍ଷୁରୁ ଏକବୁନ୍ଦା ଅଶ୍ରୁ ବି ନିଗିଡ଼ି ନଥିଲା। ସେ ଦେଖୁଥିଲେ ପିଙ୍କି କିଭଳି ସମସ୍ତଙ୍କୁ ପ୍ରବୋଧ ଦେଉଛି, ଆଶାର ସାହାରା।


Rate this content
Log in

Similar oriya story from Abstract