ତୁଳସୀ
ତୁଳସୀ
ଟୋଲଗେଟରୁ ମୁକୁଳି ଆସିବାପରେ ଗାଡ଼ିର ବେଗ ବଢ଼ାଇବା ପୂର୍ବରୁ ଘଟିଗଲା ଏକ ଛୋଟ ଘଟଣା। ଟୋଲ୍, ସବୁଦିନ ଏ ପଇସା ଶୋଷଣ ଅଟକ ବ୍ୟବସ୍ଥାକୁ ଜିଜିଆ କହୁଥିବା ରାହୁଳ ଆଜି କିନ୍ତୁ ସେମିତି କହିଲେ ନାହିଁ। ଏବେ ଏବେ ଆଖିରେ ନିଦ ପଡ଼ିଯିବା କାରଣରୁ ରିଷଭ ପନ୍ଥଙ୍କ ସର୍ବଗୁଣସମ୍ପର୍ଣ୍ଣା କାର୍ ଡିଭାଇଡରରେ କୁଟି ହୋଇ ଜଳିଗଲା। ଯାହେଉ ଯୁବ କ୍ରିକେଟର ବିପଦ ମୁକ୍ତ। ଆଉ ରାହୁଳ ଯାଉଛନ୍ତି ଛୋଟ ମାରୁତି ଆଠଶହ ଗାଡ଼ିରେ। ଆଜି କେଜାଣି କେତେଥର ଢୋଳେଇ ପଡୁଛନ୍ତି। ବାଟରେ ଗାଡ଼ି ଅଟକାଉଛନ୍ତି, ଗାଡ଼ିର ଉଷୁମ ତାପମାତ୍ରାରୁ ବାହାରି ରାତି ଏଗାରଟାରେ ବାହାରର ଶୀତୁଆ ପବନରେ ଗାଧୋଇଲେ ନିଦ ଛାଡି ଯାଉଛି, ପୁଣି ଟିକେ ସମୟପରେ ଯେଉଁ କଥାକୁ ସେଇ କଥା।
ଭାରି ନିଦ, ଫୋନରେ କ୍ରିକେଟ ଦେଖିବା ବା ଭିଡିଓ ଦେଖିବା ବି ଆଉ ଫଳପ୍ରଦ ହେବନାହିଁ ଏକଥା ସେ ଜାଣିଲେଣି। ବଡ଼ ଭଉଣୀ, ପତ୍ନୀ, ଭାଉଜ ଓ ଇତ୍ୟାଦିଙ୍କ ସହ କଥା ହୋଇସାରିଲେଣି। ପୁଅ ଦୁହେଁ ଚାହିଁଥିବେ କି, ସେମାନେ ଫୋନ୍ ଉଠାଇଲେ ନାହିଁ। ଶୋଇପଡ଼ିଲେଣି ବୋଧହୁଏ।
ଶେଷ ବ୍ୟବସ୍ଥା ହେଲା କୁରୁକୁରେ ଖାଇବା। ଏହା ତାଙ୍କର ଅବ୍ୟର୍ଥ ଆବିଷ୍କାର। ବୟସ ହେଲାଣି, ଉଚ୍ଚ ରକ୍ତଚାପ ଧରିଲାଣି, ଡାକ୍ତର ବାରଣ କରିଛନ୍ତି ଲୁଣିଆ ଖାଦ୍ୟକୁ। ଓ ହୋ, ଆଜି ଆଗେ ଜୀବନଟା ବଞ୍ଚିଯାଉ। ସେ କୁରୁକୁରେ ଖାଇଲେ। ତାଙ୍କ ଜୀବନ ଦର୍ଶନକୁ ସେ ଭାବନ୍ତି ଜେଆରଡି ଟାଟାଙ୍କ ଜୀବନୀ ସହ ମିଶାଇ; ମଣିଷ କାଳେ ଟିକେ ବିପଦଶଙ୍କୁଳ ଜୀବନ ପ୍ରତି ଆକର୍ଷିତ ହୁଏ।
ବାଟରେ ଦୁଇ ଯାଗାରେ ଅସମୟରେ ବସକୁ ଅପେକ୍ଷା କରିଥିବା ଯୁବକଙ୍କୁ ସାଥିରେ ନେଇ ଆସିଥିଲେ ହୁଏତ ଭଲ ହୋଇଥାନ୍ତା, ଗପି ଗପି ଆସିଥାନ୍ତେ। ଅନ୍ତତଃ ନିଦ ଭୟ ନଥାନ୍ତା। ରାହୁଲ କିନ୍ତୁ ଭୟ କଲେ, ଆଜିକାଲି ଅଚିହ୍ନା ଲୋକଙ୍କୁ ଗାଡ଼ିରେ ଉଠାଇଲେ ବିପଦ ହୋଇପାରେ। ରାହୁଳ ପୁଣି ଭାବୁଥିଲେ, ସେ କେତେ ସ୍ୱାର୍ଥପର, ଅନେକ ବାର ସେ ନିଜେ ଏମିତି ଅସମୟରେ ଅନେକ ଅଚିହ୍ନା ଗାଡ଼ିରେ ଆସିଛନ୍ତି, ସେବେ ମଧ୍ୟ ଡରିମରି ଗାଡ଼ିରେ ବସିଛନ୍ତି। କେବେ କିଛି ଅଘଟଣ ଘଟିନାହିଁ। ଅଥଚ ନିଜ ଗାଡିରେ ସେ ଅଚିହ୍ନା ଲୋକକୁ ଚଢାଉନାହାନ୍ତି। ଏ ତ ଠିକ୍ କଥା ନୁହେଁ।
ଟୋଲଗେଟ ଠିକରେ କାମ କଲାନାହିଁ। ଗାଡ଼ି ଦୁଇମିନିଟ ପଡିରହିଲା। ରାହୁଳଙ୍କ ନିଦ ଛାଡିଗଲା। ସେ ପାଇଁ, ସେ ଆଜି ଟୋଲଗେଟ ଉପରେ ବିରକ୍ତ ହେଉ ନାହାନ୍ତି।
କ'ଣ କରିବେ ଆଉ, ଗତ ରାତିରେ ସେ ଜରୁରୀକାଳୀନ ଚିକିତ୍ସକର କାମ କରିଥିଲେ, ଆଜି ଦିନସାରା ବିଭିନ୍ନ କାମରେ ବ୍ୟସ୍ତ; ସରକାରୀ କାମ କରିଛନ୍ତି, ନ୍ୟାୟାଳୟରେ ରାଜସାକ୍ଷୀ ହୋଇଛନ୍ତି, ଆପଣାର କ୍ଲିନିକରେ କାମ କରିଛନ୍ତି, ନାନୀ ଘରେ ରାତ୍ରୀଭୋଜନ କରିଛନ୍ତି କିନ୍ତୁ ବିଶ୍ରାମ ନେଇନାହାନ୍ତି। ଏ ତ ପ୍ରତି ସପ୍ତାହର କଥା।
ଟୋଲଗେଟରୁ ଫିଟି ଟିକେ ବାଟ ଆସିଛନ୍ତି ଧୀରେ ଧୀରେ, ବାମ କଡରେ ଧାଡ଼ିରେ ଡେରା ପକାଇଛନ୍ତି ଅନେକ ଟ୍ରକ। ଛାଇ ଆଲୁଅର ସେହି ମେଳ କଡ଼ରୁ ଗାଡ଼ିକୁ ମୂଖ୍ୟ ସ୍ରୋତକୁ ନେବା ପୂର୍ବରୁ ଛାଇ ଅନ୍ଧାର ମଧ୍ୟରୁ ଜଣେ ହାତଟେକି ଗାଡ଼ି ଅଟକାଉ ଥିଲେ। ଲିଫ୍ଟ ମାଗୁଛନ୍ତି, ସବୁ କଥାକୁ ଟିକେ ବିଳମ୍ବରେ ବୁଝି ପରେ ପସ୍ତଉଥିବା ରାହୁଳ ଏଥର ତ୍ୱରିତ ବୁଝିଗଲେ। ଆଉ ପାଞ୍ଚ ମିନିଟରେ ପୁଣି ନିଦ ଲାଗିବ, ପ୍ରାୟ ତିରିଶ ମିନିଟର ରାସ୍ତା ବାକି ଅଛି। ବରଂ ଭଲ, ଯାତ୍ରୀ ଜଣଙ୍କୁ ଉଠାଇ ନେବା। ଅବଶ୍ୟ ରାହୁଳଙ୍କ ମନରେ ବିପରୀତ ଭାବନା ବି ଆସୁଥିଲା କିନ୍ତୁ ସେଇଟା ଆସିଲା ଟିକେ ଡେରିରେ। ଏ ତ ପୂର୍ବ ଯୁବକଙ୍କୁ ଉଠାଇବା ତୁଳନାରେ ଅଧିକ ଜଟିଳ। କିନ୍ତୁ ସେତେବେଳକୁ ସେ ଗେଟ୍ ଖୋଲିଦେଇଥିଲେ ଓ ଯାତ୍ରୀ ଜଣଙ୍କ ବସିବାର ଉପକ୍ରମ କରୁଥିଲେ, ଆଗ ସିଟରେ। ପଛ ସିଟ୍ ଲଗେଜରେ ଭରି ଯାଇଛି। ଥରେ ଜଣଙ୍କୁ ଆସିବାକୁ ଅନୁମତି ଦେବାପରେ ଆଉ ମନା କରିବାକୁ ଜିଭ ଲେଉଟିଲା ନାହିଁ। ଅଗତ୍ୟା ଅଜଣା ଯୁବତୀ ଜଣଙ୍କ ଆଗ ସିଟ୍ ଅକ୍ତିଆର କଲେ।
ଏତେ ରାତିରେ ଜଣେ ଯୁବତୀ ଏକୁଟିଆ ଏକ ଅଯାଗାରେ ଲିଫ୍ଟ ମାଗିବାର ଅର୍ଥ ବୁଝିବା ପୂର୍ବରୁ ଏତକ ଘଟିଗଲା ଓ ତା ସହିତ ରାହୁଳ ପୁଣି ବୁଝିପାରିଲେ, ସତରେ ସେ ପୁରୁଣାକାଳିଆ ଡେରିରେ ଜଳୁଥିବା ବାରଲାଇଟ। ଯୁବତୀଙ୍କୁ ସିଧାସଳଖ ଅନାଇ ପାରୁନଥିଲେ ରାହୁଳ କାରଣଟି ହେଲା ତାଙ୍କ ଉତ୍ତେଜକ ବେଶ ପରିପାଟୀ ଓ ବାସ୍ନା। ଯୁବତୀ ସିଟରେ ପଡ଼ିଥିବା ଷ୍ଟେଥୋ ଉପରେ ବସିପଡି ହଡବଡେଇ ଗଲେ ଓ ଷ୍ଟେଥୋଟି ବାହର କରିଆଣି ବୋଧହୁଏ ଭାବୁଥିଲେ କେଉଁଠି ଥୋଇବେ।
- ଆଗ ଡ୍ରରେ ରଖିଦିଅନ୍ତୁ।
ରାହୁଳ ଏକଥା କହୁ କହୁ କେବିନର ବତୀ ଜଳାଇଲେ। ସେ ମନେ ମନେ ଭାବୁଥିଲେ ଯା ହେଉ ଷ୍ଟେଥୋଟି ଦେଖି ଅତିକମରେ ଯୁବତୀଙ୍କ ସମ୍ଭ୍ରମତା ବୋଧ ଆସିବ ଓ ତାଙ୍କ ପକ୍ବକେଶ ଦେଖି ଏ ଭାବ ବୃଦ୍ଧି ପାଇବ।
- ଆପଣ କଟକର କେଉଁଠିକୁ ଯିବେ? ଏମିତି ଅସମୟରେ ଏଠି? ଗାଡ଼ି ଭୁବନେଶ୍ୱର ଯିବ ନାହିଁ।
- ଅସମୟ? ଏଇଟା ତ ଆମ ସମୟ। ଯେଉଁଠିକୁ ନେବେ ସେଇଠିକୁ ଯିବା?
ଆରେ, ଏ ମହାଶୟାଙ୍କ ସମ୍ଭ୍ରମବୋଧ ଏଡେ ଶାଣିତ? ରାହୁଲଙ୍କ ସାରା ଦେହରେ ଝାଳ ଗମେଇ ଆସିଲା। ସେ ଏଥର କିନ୍ତୁ ବୁଦ୍ଧି ଖଟାଇଲେ ଅତି ଚଞ୍ଚଳ ଭାବେ। ମିଛରେ କହିଦେଲେ, - ମୋର କଟକ କାଜୁଆଲିଟିରେ ଡିଉଟି ଅଛି। ସେଇଠିକୁ ଯାଉଛି।
ଯୁବତୀ ନୀରବ ରହିଲେ। କିଛି ମିନିଟ ପରେ ରାହୁଳ ପଚାରିଲେ,
- ତୁମର ନାମ କ'ଣ?
- ନାମଟି କିନ୍ତୁ ତୁଳସୀ ସାର୍। ତୁଳସୀ କିନ୍ନର। (ବୋଧହୁଏ କହିବା ବାକି ରଖିଦେଲେ ଯେ କାମ ବିଛୁଆତି।)
ଏଥର ରାହୁଳ ଯୁବତୀଙ୍କ ଆଡ଼କୁ ଭଲକରି ଚାହିଁଲେ, କେବିନର ଲାଇଟ୍ ତଥାପି ଜଳୁଥିଲା। ଜଣେ କିନ୍ନର ଏଡେ ସୁନ୍ଦରୀ ହୋଇପାରେ? ରାହୁଳ କିନ୍ତୁ ବେଶ୍ ସହଜ ହୋଇଗଲେ ଏଣିକି। ତାଙ୍କ ମଉସା ପୁଅ ଆଲୋକ ଥିଲା ରାହୁଲଙ୍କ ସମବୟସ୍କ। ବହୁତ ସାଥୀ ହୁଅନ୍ତି ସେମାନେ। ପରେ କିନ୍ତୁ ଆଲୋକ ଆବିଷ୍କାର କରିଥିଲେ ଆପଣା କିନ୍ନର ପରିଚୟକୁ। ମଉସା ମାଉସୀ ଠିକ୍ ହିସାବର
େ କଥାଟିକୁ ଗ୍ରହଣ କରିଥିଲେ ଆଜି ଦୁଃଖରେ ନଥାନ୍ତେ। ଆଲୋକକୁ ବଦଳେଇବାକୁ ନାନାଦି ଅତ୍ୟାଚାର କଲେ। ଆଲୋକ ବଦଳିଲା ନାହିଁ। ଏକମାତ୍ର ପୁତ୍ର ଘରଛାଡି ଚାଲିଯିବାକୁ ବାଧ୍ୟ ହେଲା। ମାଉସୀ, ପୁତ୍ର ଶୋକରେ କ୍ରମଶଃ ଅସୁସ୍ଥ ହୋଇ ଜୀବନ ହାରିଲେ। ନିଃସଙ୍ଗ ମଉସା ମଧ୍ୟ ଏବେ ଅସୁସ୍ଥ, ସେଇ ଆଲୋକ ଭରସା। ଅବଶ୍ୟ ଆଲୋକ ଏବେ ଲକୀ ଭୂୟାଁ କିନ୍ନର ନାମରେ ବେଶ୍ ପରିଚିତ। ଓଡ଼ିଶା କିନ୍ନର ସଂଘର ସଭାନେତ୍ରୀ।
- ଆପଣ ଲକୀକୁ ଚିହ୍ନିଥିବେ। ସେ ମୋର ଭାଇ, କହିଲେ ରାହୁଳ।
- ଆଛା, ସେ ପରା ମୋର ମାଉସୀ। ମୋତେ ଝିଅଭାବେ ଗ୍ରହଣ କରିଥିବା ପ୍ରମିଳା ମାଆଙ୍କ ବଉଳ ହେଲେ ଲକୀ କିନ୍ନର। ଏଣୁ ସେ ମାଉସୀ। ଆପଣ ଯମାରୁ କହିବେ ନାହିଁ ଲକୀ ମାଉସୀଙ୍କୁ ମୋ ବାବଦରେ। ସେ ଆମପାଇଁ ରାତିଦିନ ଖଟୁଛନ୍ତି। ଆମର ଅଧୋପତନକୁ ସେ ଗ୍ରହଣ କରିବେ ନାହିଁ। ଭୟଙ୍କର ଗାଳି ପଡ଼ିବ।
ଉଭୟ ନୀରବ ରହିଲେ। ଉଭୟ ଉଭୟଙ୍କ ଠାରୁ କେମିତି ନିସ୍ତାର ପାଇବେ ଚିନ୍ତା କରୁଥିଲେ। ରାହୁଳ ଭାବୁଥିଲେ, ଇଏ ଓହ୍ଲେଇବ କେଉଁଠି? ଯଦି ଓହ୍ଲାଇବାକୁ ନକହିବ ତାହେଲେ ଏତେ ରାତିରେ ତାକୁ ଛାଡ଼ିବେ କେଉଁଠି। ବଡ଼ ଅଡ଼ୁଆରେ ପଡ଼ିଲା ମଣିଷ। ପୁଣି ଭାବୁଥିଲେ ତା ଆଜିର ବେଉସା ବୁଡିଲା ସେ କେମିତି ଚଳିବ? ସ୍ଥିର କଲେ ତାକୁ କିଛି ଅର୍ଥ ଦେବେ। ପୁଣି ସ୍ଥିର କଲେ, ଯଦି ସେ କେଉଁଠି ଓହ୍ଲେଇବ ନାହିଁ, ତାହେଲେ ସତକୁ ସତ ବଡ଼ ମେଡ଼ିକାଲରେ ଗାଡ଼ି ପାର୍କିଂ କରି ଷ୍ଟେଥୋଧରି ଆଶୁ ଚିକିତ୍ସା ବିଭାଗରେ ପଶିଯିବେ। ସେଇଠି ତୁଳସୀକୁ ଛାଡ଼ିଦେବା କିଛି ଅମାନବୀୟ ମଧ୍ୟ ହେବନାହିଁ।
ତୁଳସୀ ଭାବୁଥିଲା, ମଣିଷ ଆଜି କି ଅଡ଼ୁଆରେ ପଡ଼ିଲା। ରୋଜଗାର ବୁଡିଲା, ଖବର ଯାଇ ଲକି ମାଉସୀ କାନରେ ପଡ଼ିଲେ, ମା ମାଉସୀ ତାକୁ ପିଟି ପିଟି ଚମଡା ବାହାର କରିଦେବେ। ସେ ପାଠ ପଢିଛି, କିଛି ଗୋଟେ କାମରେ ଲାଗିବା ପର୍ଯ୍ୟନ୍ତ ତାକୁ କୁହାଯାଇଛି, ଆପଣା ସମାଜ ପାଇଁ ସ୍ବେଛାସେବୀ କାମ କରିବାକୁ। ଖାଇବା ଚଳିବା ପାଇଁ ମିଳିଯିବ। ସେ କିନ୍ତୁ ବାହାନା କରି ଭୁବନେଶ୍ୱର ଛାଡି କଟକରେ ରହୁଛି। ଆଉ ସାଥୀ ମାନଙ୍କ ମନ୍ଦବୁଦ୍ଧିରେ ପଡି ଯାଇଛି। ସେ ନିଜକୁ ଧୀକ୍କାର କରୁଥିଲା। ମନେ ହେଉଥିଲା ଚୋରି କରି ମହତ ଲୋକ ହାବୁଡ଼ରେ ପଡ଼ି ଯାଇଛି। ସେ ମଧ୍ୟ ମୁକୁଳିବାର ବାଟ ଖୋଜୁଥିଲା। ତେବେ କେଉଁଠି ଓ କେମିତି ଓହ୍ଲେଇବାକୁ କହିବ ବିଚାର କରିପାରୁନଥିଲା। ଭଗବାନଙ୍କୁ ଡାକୁଥିଲା, ହେ ପ୍ରଭୁ ଆଜି ମୁକ୍ତିଦିଅ, କାଲିଠୁ ପଛେ ଓପାସରେ ରହିବି ଆଉ ଆସିବି ନାହିଁ ରାସ୍ତା କଡକୁ।
ରାହୁଳ ନୀରବତା ଭାଙ୍ଗିଲେ। -କେତେ ପଢିଛୁ ଝିଅ?
-ଗ୍ରାଜୁଏସନ କରିଛି, ଏବର୍ଷ ଲ ପଢିବି ବୋଲି ଭାବୁଛି। ସେ ପାଇଁ...... ତୁଳସୀ ଚୁପ୍ ହୋଇଗଲା ବାକ୍ୟ ପୁରଣ ନକରି। ନା ନା ସେ ଆଉ ସେ ଆଉ ସେମିତି କହିବ ନାହିଁ।
- ଯା, ଆଲୋକକୁ ଦେଖା କରିବୁ, କହିବୁ ଏ ବାବଦରେ ମୋ ସହ କଥା ହେବ।
ରାହୁଳ ସିଧାସଳଖ ନିଜର କାର୍ଡ ବା ଫୋନ ନମ୍ବର ଦେବାକୁ ସାହସ କଲେନାହିଁ। କିନ୍ତୁ ମନେ ମନେ ଭାବୁଥିଲେ, ନର ଓ ନାରୀଙ୍କ ପାଇଁ ସେ ଏତେ ସହଜ ତଥା ଭୟଶୂନ୍ୟ, ଅଥଚ ସବୁଠୁ, ଅସହାୟ, ଅବହେଳିତ ଏ ସମାଜଟିକୁ ଏତେ ଭୟ କାହିଁକି, ଏତେ ଭିନ୍ନ ଦୃଷ୍ଟି କାହିଁକି, ଏତେ ଅସହାୟ ବୋଧ କାହିଁକି? କାହିଁକି ଜଣେ ଗ୍ରାଜୁଏଟ୍ କିନ୍ନର ଯେ କି ଆଇନ ଶାସ୍ତ୍ର ପଢ଼ିବାର ଯୋଜନା ରଖିଛି, ସେ ବି ଏମିତି ଚାଲିଆସିଛି ପଥପ୍ରାନ୍ତକୁ। କେଉଁଠି ପାର୍ଟ ଟାଇମ୍ କାମ ତାକୁ ମିଳୁନି ବୋଧହୁଏ! କୌଣସି କୋଚିଂ ସେଣ୍ଟରରେ କାମ କରିପାରନ୍ତା, କାହା ଛୁଆକୁ ଟିଉସନ୍ କରିପାରନ୍ତା! ରାହୁଳ ନିଜକୁ ପଚାରୁଥିଲେ, ବଡ଼ ବଡ଼ କଥା କହୁଛୁ, ରଖି ପାରିବୁ ଆପଣା କ୍ଲିନିକରେ? କାହିଁକି ନୁହେଁ? ଭାଇ ଆଲୋକ ସହ ଯଦି ସେ ଏତେ ସହଜ, ଏହି ତୁଳସୀ କିନ୍ନର ସହ ସେ ଯଦି ବେଶ୍ ସହଜରେ କଥା ହୋଇପାରୁଛନ୍ତି ତାହେଲେ କାହିଁକି ନୁହେଁ?
-ଆଜ୍ଞା, ଆଜ୍ଞା ମୁଁ ଲକି ମାଉସୀଙ୍କ ପାଖକୁ ଯାଇ ଆପଣାର ସବୁ ଭୁଲ୍ ମାନିବି। ଆଉ ଭୁଲ ହେବ ନାହିଁ। ଯେମିତି ହେଉ ମୁଁ ଲ ପଢିବି।
ଜଗତପୁର ଟ୍ରକ ବେ ପହଞ୍ଚି ଯାଇଥିଲା, ସେଇଠି ସମଗୋଷ୍ଠୀୟ ଦଳେ ଯୁବତୀ ଠିଆ ହୋଇଥିଲେ। ତୁଳସୀ କହିଲା, -ମଉସା ମତେ ଏଇଠି ଛାଡି ଦିଅନ୍ତୁ, ଏଇଠି ମୋର ସାଥୀ ଅଛନ୍ତି, ମୋର କିଛି ଅସୁବିଧା ହେବ ନାହିଁ।
ମଉସା? ରାହୁଳ ବଡ଼ ଆତ୍ମୀୟତା ଅନୁଭବ କଲେ ଏ ପଦକରେ। ମନେହେଲା ତାଙ୍କ ବୟସର ଏକ ବିଶେଷ ମହତ୍ତ୍ଵ ରହିଛି। ସେ ମହତ୍ତ୍ଵର ଦ୍ବାହିରେ ସେ ତୁଳସୀ ହାତରେ ଟଙ୍କା ହଜାରେ ଗେଞ୍ଜିଦେଲେ। ସେ ମଧ୍ୟ ନିର୍ବିକାର ଭାବେ ସେ ଟଙ୍କାକୁ ଗ୍ରହଣ କରି କବାଟ ଖୋଲିଲା। ସେପଟୁ କୋଳାହଳର ସହ ତା ସାଙ୍ଗମାନେ ତାକୁ ଅଭିନନ୍ଦନ ଜଣାଇଲେ, ସାମାନ୍ୟ ଅଶ୍ଳୀଳତା ମିଶାଇ। ତୁଳସୀ ପୁଣିଥରେ ବୁଲିପଡ଼ି ହସିଦେଲା, ଯୋଡ ହସ୍ତକୁ ଆପଣାର ମୁଣ୍ଡରେ ଲଗାଇ ସେ ମୁଣ୍ଡକୁ ସିଟରେ ଲଗାଇ ପ୍ରଣାମ କଲା। -ଧନ୍ୟବାଦ ମଉସା।
ସଶବ୍ଦରେ କବାଟକୁ ବନ୍ଦ କରିଦେଲା ଟିକେ ଅଧିକ ବଳ ଦେଇ।
ବିରକ୍ତ ନହୋଇ ରାହୁଳ ଆଗକୁ ମାଡି ଚାଲିଲେ। ମନେହେଲା ବୁଦ୍ ବୁଦ୍ ଗୋଟିଏ ମିଳାଇ ଗଲା। କେଇ ମିନିଟର ସମ୍ପର୍କ। ସତରେ କ'ଣ ସେ କହିବ ଆଲୋକକୁ। ଯଦି କହେ ବି ଆଲୋକ କ'ଣ ତା ସହ କଥା ହେବ ଏବାବଦରେ? ସେ ନିଜେ ଚାହିଁଲେ ଆଲୋକ ମାଧ୍ୟମରେ ତୁଳସୀ ପାଖରେ ପହଞ୍ଚିପାରିବେ। କିନ୍ତୁ ତୁଳସୀ ତାଙ୍କ ନାମ ମଧ୍ୟ ଜାଣିପାରିଲା ନାହିଁ। ସେ ପଚାରିଲା ନାହିଁ କିମ୍ବା ରାହୁଳ ନିଜଆଡୁ କହିଲେ ନାହିଁ।
ସେ ଯାହାହେଉ ନିଦ ଛାଡ଼ିଗଲା, କିଏ ଜାଣେ ରାହୁଳଙ୍କ ନିଦ ହରଣ କରିବାପାଇଁ ଦେବଦୂତୀ ସାଜି ଆସିଥିଲା କି ତୁଳସୀ।
ଗାଡ଼ି ପାର୍କ କଲାବେଳକୁ ରାହୁଳଙ୍କ ନଜର ପଡିଲା ଆଗ ସିଟ୍ ଉପରେ, ଆରେ ଏ କଣ ହଜାର ଟଙ୍କା ସେଇଠି ଛାଡି ଯାଇଛି ତୁଳସୀ। ଦୈବାତ ଅବା ପ୍ରଣାମ କଲାବେଳେ ଜାଣିବୁଝି ଛାଡିଦେଇଗଲା!!?? ଯଦି ଛାଡିବାର ଥିଲା ନେଉଥିଲା କାହିଁକି? ଦୈବାତ? ନା ନା?