Rabinarayan Senapati

Drama Tragedy Classics

4.4  

Rabinarayan Senapati

Drama Tragedy Classics

ମେଣ୍ଢା ନାୟକାଣୀ

ମେଣ୍ଢା ନାୟକାଣୀ

11 mins
261



ମୋଲାୟମ ଶଯ୍ୟାରେ ବି କେବେ କେବେ ଇତିହାସର ପୃଷ୍ଠାମାନ ଆପଣାଛାଏଁ କଡ଼ ଲେଉଟାନ୍ତି । ଅତୀତଟା ପୂର୍ବାପର ସଂହତି ପୂର୍ବକ ଚଳତ୍‌ମାନ ହୁଅନ୍ତି । କେବେ ଯାଗେ ଶିହରଣ, ମଧୁ ମୁହୂର୍ତ୍ତମାନ ମଶାଲ୍ ଶୋଭାଯାତ୍ରାରେ ବାହାରନ୍ତି। ପୁଣି କେବେ କେଉଁ କରୁଣ ଅତୀତ ଅନ୍ତରକୁ ବେଦନାସିକ୍ତ କରନ୍ତି । ଅଲକ୍ଷରେ ଅଶ୍ରୁ ଝରେ। ସ୍ୱାମୀ ଶୈଳେନ୍ଦ୍ର ମନେ କରନ୍ତି ସୁପ୍ରିୟା ଅତ୍ୟଧିକ ଭାବପ୍ରବଣ। ମନସ୍ତତ୍ୱରେ ଉପାଧିପ୍ରାପ୍ତ ସୁପ୍ରିୟା, ନିଜ ମନକୁ ଆୟତ୍ତ କରି ପାରନ୍ତି ନାହିଁ। ଶୈଳେନ୍ଦ୍ର ତାଙ୍କ ଆବେଗମୟ ଭାବଧାରାକୁ ଲଘୁ ଅବଜ୍ଞାକରି କୋଳାଇ ନିଅନ୍ତି । ପୁରୁଷର ବାହୁ ବନ୍ଧନରେ ସ୍ମୃତିମାଳା ଅପସରିଯାଏ।


ସେଦିନ ଥିଲା ବ୍ୟତିକ୍ରମ। ମୁକ୍ତ ବାତାୟନରୁ ବର୍ଷାସ୍ନାତ ମୃଦୁମନ୍ଦ ସମୀରଣ ମନ୍ଦ ଲାଗୁନଥିଲା। ବର୍ଷା ଅବିରତ ହେଉଛି। ରାକ୍ଷୀ ପୂର୍ଣ୍ଣିମାର ଚହଟ ଚନ୍ଦ୍ର କିନ୍ତୁ ସ୍ପଷ୍ଟ। ମେଘମାଳା ଯେପରି ଦୂରରେ ରହି ସଖୀ ଚନ୍ଦ୍ରମା ସହ ଆଳାପ କରୁଛି। ଆଲିଙ୍ଗନେ ଆବୃତ୍ତ କରୁ ନାହିଁ। ରାସ୍ତା କଡ଼ର ବତୀ ଖୁଣ୍ଟର ଆଲୋକ, ପ୍ରକୋଷ୍ଠର ନୀଳବତୀଟିର ଆଲୋକ ଏବଂ ବିଚ୍ଛୁରିତ ଚନ୍ଦ୍ରାଲୋକକୁ, ଅବିରତ ବୃଷ୍ଟିପାତ ସୀମାରେଖାରେ ସୀମିତ କରିବା ଅସମ୍ଭବ । ଦୃଷ୍ଟିଭ୍ରମ ହେଉଛି। ସତେ ଅବା କୋଠରୀର ଛୋଟ ନୀଳବତିର ଆଲୋକ ହିଁ ବାତାୟନ ସେପଟକୁ ଇଚ୍ଛାକୃତ ଭାବେ ବ୍ୟାପକ ଓ ବିସ୍ତାରିତ ହୋଇ ଯାଇଛି ଏବଂ ବିଛଣାରୁ ଅଦୃଶ୍ୟ ଶଶିକଳା ତଥା ଆଢ଼ୁଆଳର ବତୀଖୁଣ୍ଟ କେବଳ କଳ୍ପନା ମାତ୍ର। ବର୍ଷାରେ ମ୍ରିୟମାଣ କେତେ ପୁଞ୍ଜା ଶାଗୁଆନ୍ ବୃକ୍ଷ ଆଲୋକକୁ ପାନ କରୁଛନ୍ତି ଅବା। ନିରନ୍ତର ଆସାରର ଟୁପୁରୁ ଟାପୁରୁ ଶବ୍ଦ, ଅନ୍ୟଥା ନିଶବ୍ଦ ରାତ୍ରୀରେ କର୍ତ୍ତବ୍ୟ ପରାୟଣ ଜାଗ୍ରତ ପ୍ରହରୀର, ଭାରୀ ଜୋତାର ମଚ ମଚ ଶବ୍ଦ ପ୍ରାୟ ଧାରଣା ସୃଷ୍ଟି କରୁଛି।


ଶୈଳେନ୍ଦ୍ରଙ୍କ ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି ଭାବନା ରାଜ୍ୟରେ ବୁଡ଼ି ରହିଥିଲା ସୁପ୍ରିୟା, ଲୋତକାଦ୍ର ନୟନରେ।ଏହିଭଳି ପୂର୍ଣ୍ଣିମା ମନେ ପଡ଼ୁଥିଲା। ଯେଉଁ ଦିନ ପଲ୍ଲୀ ଗାଁଆର ସାଥୀ ଝିଅମାନେ ‘ମେଣ୍ଢା ନାୟକାଣୀ’ ଚୟନ ପାଇଁ ବୈଠକ କରୁଥିଲେ। ମେଣ୍ଢା ନାୟକାଣୀ ବା ପ୍ରଚଳିତ ଭାଷାରେ ନାହାକାଣୀ ଗ୍ରାମର ଅଭିଆଡି ଝିଅମାନଙ୍କର ନେତ୍ରୀ। ତାଙ୍କ ନେତୃତ୍ୱରେ ବାଳିକା ମାନେ ଆୟୋଜନ କରିବେ ଖୁଦୁରୁକୁଣୀ, କୁଆଁର ପୁନେଇଁ, ଅଗିରା ଇତ୍ୟାଦି ଗ୍ରାମ୍ୟ ପର୍ବ । ଖେଳିବେ ରଙ୍ଗ ହୋଲିରେ, ବାଣ୍ଟିବେ ପାନ ରଜରେ ଏବଂ ଆହୁରି କେତେକଣ।


ବିଗତ ସାମନ୍ତବାଦର ଅବ୍ୟାହତ ପ୍ରଭାବ ଏବଂ ପୂଜା ଗୃହ ଯୋଗାଇ ଦେବାର ଶକ୍ତି ଥିବାରୁ, ପ୍ରାୟତଃ ଚୌଧୁରୀ ଜମିଦାର ଘର ଝିଅମାନେ ନିନ୍ଦ୍ୱନ୍ଦ୍ୱରେ ନାୟକାଣୀ ହେଉଥିଲେ । ଅନ୍ୟକେହି ନାନୀ, ଦିଦି, ଅପା କିମ୍ବା ଦେଈମାନେ ଏ ନେଇ କେବେ ପ୍ରତିବାଦ କରିନଥିଲେ। କ୍ରମେ ଚୌଧୁରୀଙ୍କ ଗୁରୁତ୍ୱ କମିବାରୁ କିମ୍ବା ତାଙ୍କ ଶ୍ରେଷ୍ଠାନାମ୍ନୀ କନିଷ୍ଠା କନ୍ୟା ଶ୍ୱଶୁରାଳୟ ଯିବାରୁ ଏ ପଦବୀ ତାଙ୍କ ଫାଟକ ଡେଇଁ ଆସିଥିଲା। ମମତା ଅପା, ଲିଲୀ ଅପା, ରୀମା ଦିଦୀ, ଶଶୀ ନାନୀ, ଜାଗୃତି ଦେଇ, ମିତୁ ନାନୀ ବର୍ଷଟାଏ ମେଣ୍ଢା ନହେଉଣୁ ସୀମନ୍ତିନୀ ସାଜୁଥିଲେ । ମେଣ୍ଢା ନହୋଇ ଯେ ଅପାମାନେ ଶାଶୁଘରକୁ ଯାଉ ନଥିଲେ ତାହା ନୁହେଁ। କିନ୍ତୁ ନାୟକାଣୀ ମାନଙ୍କ ଆଶୁ ବିବାହ ଯୋଗ ଏକ ଗତାନୁଗତିକ ଧାରାରେ ପରିଣତ ହୋଇଥିଲା।


ମିତୁ ନାନୀ ଉଣେଇଷ ବର୍ଷଯାଏ ଅଭିଆଡୀ ରହିଲେ ଯେ ପ୍ରୌଢ଼ା ମାନେ କସ୍ତୁରା ପୋଖରୀ ତୁଠରେ ଆଲୋଚନା ପକାଇଲେ, ବହୁତ ଉଚ୍ଚା କୋଷ୍ଠି, ଜାତକ ଶୁଝିବା କଷ୍ଟ, କେଜାଣି କେମିତି ବାହା ହେବ! ମିତୁନାନୀଙ୍କ ବୟସାଧିକ୍ୟ ଅଭିଆଡୀ ପଣକୁ ନେଇ ଟିପ୍ପଣୀ ମାତ୍ର ଉନବିଂଶ ବୟସରେ ଯେ ସମ୍ଭବ ଏବଂ ଏହାକୁ ନେଇ ତାଙ୍କ ପିତା ମାତା ଚିନ୍ତିତ ହେବା ଯେ ସ୍ୱାଭାବିକ ତାହା ଆଜି ସୁପ୍ରିୟା କଳନା କରି ପାରୁ ନଥିଲା। ଷୋଡ଼ଶୀ ଶବ୍ଦର କିଛି ଗୋଟାଏ ବିଶେଷ ମହତ୍ତ୍ୱ ଥିଲା। ସରକାରୀ ନିୟମ ଅଠର ବର୍ଷକୁ କାହାର ସେମିତି ଖାତିରି ନଥିଲା। ହାଇସ୍କୁଲ ପାଶ୍ କିମ୍ବା ଫେଲ୍ ଥିଲା ବିବାହଯୋଗ୍ୟା ହେବାର ସୀମାରେଖା। ପୂର୍ବେ ନିକଟସ୍ଥ ଗ୍ରାମ କୋରାଇ ଓ ପରବର୍ତ୍ତୀ କାଳରେ ଆପଣା ଗ୍ରାମର ନବ ପ୍ରତିଷ୍ଠିତ ଉଚ୍ଚ ବିଦ୍ୟାଳୟରେ ଝିଅମାନଙ୍କୁ ପଢ଼ାଇବା ଅବଶ୍ୟ ଏକ କର୍ତ୍ତବ୍ୟ ହୋଇସାରିଥିଲା। ବୟଃପ୍ରାପ୍ତିର ସଂଜ୍ଞା ଥିଲା ଭିନ୍ନ। ତେର ଚଉଦ ବର୍ଷର କିଶୋରୀର ସ୍ୱପ୍ନ ରାଜ୍ୟରେ ରଙ୍ଗ ବେରଙ୍ଗର ପ୍ରଜାପତି ଉଡ଼ୁଥିଲେ। ପିତାମାତାମାନେ ଦାୟିତ୍ୱବାନ୍ ଥିଲେ ଅତଃପର ବର ସନ୍ଧାନରେ, ଠିକ୍ ଯେମିତି ମେଟ୍ରିକ୍ ପରୀକ୍ଷା ପରବର୍ଷ ବିବାହ ହେବ। ଅର୍ଥାତ୍ ଲଗାତାର ତିନିବର୍ଷର ପ୍ରଚେଷ୍ଟାରେ ମିତୁନାନୀର ବର ସନ୍ଧାନ ନ ହୋଇପାରିବା, ମିତୁନାନୀ ସମେତ ସମସ୍ତଙ୍କୁ ଯେ ବ୍ୟତିବ୍ୟସ୍ତ କରିବ, ତହିଁରେ କୌଣସି ଅସ୍ୱଭାବିକତା ନଥିଲା।

ସେ ବେଳେ ସୁପ୍ରିୟାଙ୍କୁ ତେରବର୍ଷ । ସେ ବୟସରେ ସେ ଯେ ମିତୁନାନୀଙ୍କୁ ନିଜର ଆଦର୍ଶ ବିଚାର କରି ଚାଲିଚଳନରେ ଅନୁକରଣ କରୁଥିଲେ, ତାହା ତାଙ୍କର ଜ୍ଞାତ ହେଲା ଉପାଧି ଶ୍ରେଣୀର ମନସ୍ତତ୍ବ ପାଠ କଲା ଉତ୍ତାରେ।


ଏଇ ତାଙ୍କ ନଣନ୍ଦ, ଛୋଟ ଛୁଆଙ୍କ ଭଳି ଡ୍ରେସ୍ ପିନ୍ଧି କଲେଜ ଗଲେ ଛୁଆ ଭଳି ଦିଶୁଛନ୍ତ, ତାଙ୍କ କଥାବାର୍ତ୍ତାର ଚାଲିଚଳନରେ ବି ବେପରୁଆ ବାଳୁତ ପଣ। ସେବେଳର ଗାମ୍ଭୀର୍ଯ୍ୟ ବି ସ୍ୱତଃ ଅପସରି ଯାଇଛି। ସୁପ୍ରିୟାଙ୍କୁ ହସ ଲାଗିଲା। ନବମ ଶ୍ରେଣୀରୁ ସ୍କୁଲରେ ଶାଢ଼ୀ ପିନ୍ଧିବା ଥିଲା ନିୟମ। ଠିକ୍ ତାଙ୍କ ବେଳକୁ ଏହି ନିୟମ ବଦଳି, ଚୁରିଦାର ଇତ୍ୟାଦି ହୋଇଥିଲା ସ୍କୁଲଡ୍ରେସ ।

ମିତୁନାନୀ ବି ଝିଅ ଜନମ ଦୁଇକୂଳକୁ, କଥାଟିକୁ ବାସ୍ତବ କଲେ କିନ୍ତୁ ତହିଁରେ ଥିଲା ବ୍ୟତିକ୍ରମ। ମିତୁ ନାନୀଙ୍କ ବର ଥିଲେ ପ୍ରଚଣ୍ଡ ଦର୍ଶନ, ଅର୍ଦ୍ଧ ବୟସ୍କ ତାଙ୍କୁ ଆଦୌ ଶୋଭା ପାଉନଥିବା ବର। ବୋଧିହୁଏ ଏହା ପ୍ରଥମ ଦୃଷ୍ଟାନ୍ତ ଯେବେ ତାଙ୍କ ଗ୍ରାମର କନ୍ୟାପକ୍ଷ ବରର ରୂପଗୁଣ, କନ୍ୟାସହ ମେଳାଇବାକୁ ସମ୍ପୂର୍ଣ୍ଣ ଅଣଦେଖା କରିଥିଲେ। ଦେଖିଥିଲେ ତାଙ୍କର ପଦବୀ, ରୋଜଗାର କ୍ଷମତା ଓ ଭବିଷ୍ୟତର ସ୍ୱାଚ୍ଛନ୍ଦ୍ୟ।


କେବଳ ସେତିକି ନୁହେଁ, ଦାବି କରି ଯୌତୁକ ନେବା ପ୍ରଥା ଝାଞ୍ଜି ପବନ ପ୍ରାୟ ପଶି ଆସିଥିଲା ତୁଳତୀ ଗ୍ରାମକୁ। କିଏ ଜାଣିଥିଲା ଖୁବ୍ ଶୀଘ୍ର ଏହା ସମାଜରେ ଏକ ଭୟାବହ ବ୍ୟାଧି ସ୍ୱରୂପେ ଆସ୍ଥାନ ଜମାଇବ। ହାଃ ହାଃ ‘ମାଧ ମହାନ୍ତିଙ୍କ କନ୍ୟା ସୁନା’ ଫକୀରମୋହନଙ୍କ କାଳଜୟୀ ଗଳ୍ପଟି ପୁଣିଥରେ ଲେଖା ହେବା ଜରୁରୀ ମନେ ହେଉଥିଲା ‘ମିତୁନାନୀଙ୍କ ବର କିଣା’ ଶୀର୍ଷକରେ; ତାହା ପୁଣି ପୈତୃକ ଜମି ବିକ୍ରିଲବ୍‌ଧ ଅର୍ଥରେ। ଅବଶ୍ୟ ଅନ୍ୟଆଡ଼େ ଏ ରୋଗ ଆଉ କିଛି ପୂର୍ବରୁ ବ୍ୟାପି ସାରିଥିଲା। ଲୋକ ମୁଖରେ ବୋଲିଟିଏ ଶୁଣାଯାଉଥିଲା ।ଘଡ଼ି, ସାଇକେଲ ରେଡ଼ୁଓ ଦେବି, ମୁଦି ମାଗିଲେ ଖୁନ୍ଦି ଦେବି।ସେଇଆ ନୁହେଁ ତ ଆଉ କଣ! ଯେଉଁ ଭିକାରି ଘଡ଼ି, ସାଇକେଲ, ରେଡ଼ିଓ ମାଗିବ ତାର ସୁବର୍ଣ୍ଣ ପ୍ରତିମା ଅବା ରୂପ ଗୁଣ ଆଶା କରିବାର କଣ ବା ଅଧିକାର ଅଛି। ସବୁ ଅଧିକାର ଯେ ଅଚିରେ ବର ପକ୍ଷ ଆଡ଼କୁ ଚାଲିଯିବ ତାହା ଜଣା ପଡ଼ିନଥିଲା ।ଯେଉଁ ସମୟରେ ମୋଟର ସାଇକେଲଟିଏ ଗାଁକୁ ଆସିଲେ ଗାଡ଼ି ପଛରେ ଦଳେ ପିଲା ଦୌଡ଼ୁଥିଲେ ପୋଡ଼ା ପେଟ୍ରୋଲର ବାସ୍ନା ଆଘ୍ରାଣ କରିବାକୁ ସେ ସମୟରେ ଜମି ବିକି ମୋଟର ସାଇକେଲ ଯୌତୁକ ଦିଆଯିବା ସ୍ୱାଭାବିକ୍ ଭାବେ ହୋଇଥିଲା ଏକ ବିତର୍କିତ ବିଷୟ। ଏହା ବାଦ, ମିତୁନାନୀଙ୍କ ସ୍ୱର୍ଣ୍ଣାଳଙ୍କାରକୁ ଆଉ ଲୋକେ ହାର, କାନଫୁଲ ଇତ୍ୟାଦି ନାମ ହିସାବରେ ବର୍ଣ୍ଣନା ନ କରି ବରଂ କରୁଥିଲେ ଭରି ଓଜନରେ଼। ଭରିଏ ସୁନା ଥିଲା ଅଶିଟଙ୍କା ମାତ୍ର।


 ମିତୁ ନାନୀଙ୍କ ବର ତ ଆଉ ମମତା ଅପା, ଜାଗୃତି ଦେଈ, କିମ୍ବା ଲିଲୀ ଅପାଙ୍କ ଭଳି ଗାଉଁଲି ଚାଷୀ, ଶିକ୍ଷକ ବା ବେପାରୀ ବର ନୁହଁନ୍ତି, ଅବକାରୀ ବିଭାଗର ହାକିମ, ଆଗ ପଛ ଉଭୟ ପକେଟ୍ ତାଙ୍କର ଅଛି। ଗାଁ ସାରା ଫୁସୁରୁ ଫାସୁରୁ ହେଉଥିଲେ ମିତୁ ହେବ ସତରେ ରାଜରାଣୀ। ଏହି ସମୟରେ ସୁପ୍ରିୟାର ଭାଷାଜ୍ଞାନରେ ଏକ ନୂଆ ଶବ୍ଦ ଯୋଡ଼ି ହୋଇଯାଇଥିଲା ‘ଉପୁରି’। ସୁପ୍ରିୟାଙ୍କ ସରଳ ମନରେ ଏହା ପଶି ନଥିଲା ସେ ବାପାଙ୍କୁ ଏହାର ବ୍ୟାଖ୍ୟା କରିଦେବାକୁ କହିଥିଲେ, ହା ହା।

କ୍ରମଶଃ ମୋଟା ଅଙ୍କର ବେତନ ଧାରୀ ଜ୍ୱାଇଁ କରିବାକୁ ଗ୍ରାମରେ ପ୍ରତିଯୋଗିତା ହେଲା। ଯୌତୁକ ଗ୍ରାମରୁ ଗଲା ଯେତିକି ଆସିଲା ସେତିକି। କେବଳ ଅସୁବିଧା, ଏହି ଦେବା ନେବା ସମସ୍ତଙ୍କ ପକ୍ଷେ ସମ୍ଭବ ନଥିଲା ଏବଂ ଲୋଭର ଅନ୍ତ ନଥିଲା। ବଜାରକୁ ନୂଆ ନୂଆ ସୌଖିନ ଚିଜମାନ ଆସିବାରେ ଲାଗିଲା ଏବଂ ଯୌତୁକ ତାଲିକାରେ ସେଗୁଡ଼ିକ ଯୋଡ଼ି ହୋଇ ଚାଲିଲେ। କେବେ କେବେ ଅସ୍ପଷ୍ଟ ମୁଲାମୁଲି ଅଥବା ନ ପାରିବା ପ୍ରତିଶ୍ରୁତି ସୃଷ୍ଟିକଲା କଳହ। କନ୍ୟାଟିର ସୌନ୍ଦର୍ଯ୍ୟ, ଶିକ୍ଷା, ଦୀକ୍ଷା, କର୍ମନିପୁଣତା, ବ୍ୟବହାର ପୂର୍ବବତ ବିଚାର୍ଯ୍ୟ ହେଲା। ବରର ଯୋଗ୍ୟତାର ପରିମାପ କେବଳ ସୀମିତ ରହିଲା ତାର ଚାକିରି ଏବଂ ଦରମା। ଅବଶ୍ୟ ଏହା ପରୋକ୍ଷରେ ନିର୍ଭରଶୀଳ ଥିଲା ଶିକ୍ଷା ଉପରେ। ଶକ୍ତି, ସାମର୍ଥ୍ୟ ବଂଶ ବୁନିଆଦି ଆପାତତଃ ଅପ୍ରାସଙ୍ଗିକ ହୋଇପଡ଼ିଥିଲା।


ବିଷମ ଫଳ ମାନ ଫଳିବାକୁ ଲାଗିଲା । ମେଣ୍ଢାମାନେ ଏଣିକି ଅନେକ ଦିନ ପଦବୀ ମାଡ଼ି ବସିଲେ। ମଞ୍ଜୁନାନୀ ମେଣ୍ଢା ନାୟକାଣୀ ରହିଲେ ଏକାଦି କ୍ରମେ ତିନିବର୍ଷ। ବିଂଶାତ୍ରିକ୍ରମିତ ଯୁବତୀଙ୍କ ସଂଖ୍ୟା ଗ୍ରାମରେ ବହୁଗୁଣିତ ହେଲା। ଉଚିତ୍ ବୟସର ବିବାହ ଆପଣାଛାଏଁ ପ୍ରଚଳିତ ହେଲା। ପରିବର୍ତ୍ତିତ ପରିସ୍ଥିତିରେ କିଛି ଅଭାବି ଲୋକ କନ୍ୟାଦାନ କରି ପାରିଲେ ନାହିଁ। ସ୍ୱଇଚ୍ଛାରେ କିଏ କେଉଁଆଡ଼େ ପ୍ରେମ ବିବାହ କରିବା ଏକ ସାଧାରଣ ଘଟଣା ହେଲା। ଏକ ଦିଗରେ ଯୌତୁକ ରାକ୍ଷସକୁ ଏହା ଥିଲା ଉପଯୁକ୍ତ ଉତ୍ତର, ଅପର ଦିଗରେ ଏହା ଥିଲା ମୁରବି ମାନଙ୍କ ସମ୍ମାନ ହାନି ଏବଂ ଅସ୍ୱୀକୃତିର କାରଣ। ଏମିତି ବି କିଛି ପିତାମାତା ଉପର ମନରେ ବିରୋଧ କରୁଥିଲେ କିନ୍ତୁ ଅନ୍ତରରେ ଖୁସି ହେଉଥିଲେ ଏକ ସମସ୍ୟାର ସମାଧାନ ବିଚାର କରି। ସମୟ ଗଡ଼ି ଚାଲିଲେ ଏହି ବିବାହ ସ୍ୱତଃ ସ୍ୱୀକୃତ ହୋଇଯାଉଥିଲା ଅବଶ୍ୟ।


ସେ ବର୍ଷ ସୁପ୍ରିୟାକୁ ଷୋହଳ ବର୍ଷ, ସେ ଏବେ ନାୟକାଣୀ ଚୟନରେ ନିଜସ୍ୱ ମତ ରଖିପାରିବ। ଅର୍ଦ୍ଧ ଶତାବ୍ଦୀ ପୂର୍ବେ ତ ତା ବୟସର ଝିଅ ମାନେ ସ୍ୱୟଂ ହେଉଥିଲେ ନାହାକାଣୀ। ସମୟ ଏତେ ସହଜ ବଦଳିଗଲା! ଦାମିନୀ ଅପା ମିଷ୍ଟଭାଷୀ, ବ୍ୟକ୍ତିତ୍ୱ ସମ୍ପର୍ଣ୍ଣା, ରୁଚିଶୀଳା, ପରୋପକାରୀ ତଥା ଦାୟିତ୍ୱବତୀ। ସମସ୍ତଙ୍କ ଆଦରଣୀୟା; ସେ ହେଲେ ସର୍ବସମ୍ମତ ମେଣ୍ଢା ନାହାକାଣୀ। 


କୌଣସି ପର୍ବ ପର୍ବାଣୀ ଆୟୋଜନ କରିବା ପୂର୍ବରୁ ସେ ତାଙ୍କର ପ୍ରଥମ ଭଲ କାମଟି କରିଥିଲେ, ତନ୍ତୀ ଘର ଚମ୍ପାଖୁଡ଼ୀ ପାଇଁ ଚାନ୍ଦା ସଂଗ୍ରହ କରି ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା କରାଇବା। କିଏ ଜାଣିଥିଲା ରାଜ ଯକ୍ଷ୍ମାର ଶେଷ ଅବସ୍ଥା, କଫରୁ ରକ୍ତ, ଅସ୍ଥି କଙ୍କାଳ ସାର ଖୁଡ଼ୀ ପୁଣି ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ, ଚମ୍ପାଗୋରୀ ଅତି ସୁନ୍ଦରୀ ଖୁଡ଼ୀ ହୋଇଯିବେ। ସେ ଦିନୁ ସୁପ୍ରିୟା ଏହି ଦାମିନୀ ଅପାଙ୍କୁ ବେଶ୍ ଉଚ୍ଚ ସ୍ଥାନରେ ରଖିଥାଏ।

ଏହା ପରେ ବହୁବର୍ଷ ଏହି ମେଣ୍ଢା ନିର୍ବାଚନରେ ଆବଶ୍ୟକତା ପଡ଼ିନାହିଁ। ବଡ଼ ବଡ଼ ଅପା, ଦେଈମାନେ ଗ୍ରାମାନ୍ତର ହେଲେ, ପୁଣି ସୁପ୍ରିୟା ବୟସର ଓ ତାପରେ ତଳ ବୟସର ଝିଅ ମାନେ ଘର ସଂସାର କଲେ। କିନ୍ତୁ ଦାମିନୀ ଅପା, ସମ୍ମାନୀୟ ନାୟକାଣୀ ପଦବୀରୁ ଅପସରି ପାରିଲେ ନାହିଁ। ସୁପ୍ରିୟା ଶ୍ରେଣୀୟ ଯୁବତୀ ଗଣ ସେ ପଦ ନେବା ପାଇଁ ଦାବୀ କରିନାହାନ୍ତି। କେତେକ ସମ୍ଭ୍ରମତା ଦୃଷ୍ଟିରୁ ଓ ଆଉ ଅନ୍ୟମାନେ ଯେହେତୁ ଏପଦଟିର ପୂର୍ବ ଗୁରୁତ୍ୱ ଧିରେ ଧିରେ କମିଯାଇଥାଏ। ଗ୍ରାମ୍ୟ ପର୍ବପର୍ବାଣୀର ଜାକଜମକ ଆଉ ନାହିଁ। ସମେସ୍ତ ଟିଭି ଅବା ଭିଡ଼ିଓ ଦେଖି ପର୍ବ ପାଳନ୍ତି। ନାଚ, ଗୀତ, ଦୌଡ଼ାଦୌଡ଼ି, ପିଠାପଣା, ସାଜସଜା କେଉଁଥିରେ ଆଉ ଏତେ ଆଗ୍ରହନଥାଏ କାହାରି। ତଥାପି ଦାମିନୀ ଅପା ପ୍ରତି ବର୍ଷ ଚେଷ୍ଟା କରନ୍ତି ଏହି କନିଷ୍ଠା ଭଗ୍ନୀଗଣଙ୍କୁ କିଛି ନୂତନତ୍ୱର ପରିକଳ୍ପନା କରି।

ବର୍ଷ ପରେ ବର୍ଷ ରହିଗଲେ ଦାମିନୀ ଅପା। ଏତେ ବର୍ଷ ଯେ ଚପଳ ମତି ନୂଆ ପିଢ଼ିର ବାଳକ ବାଳିକାମାନେ ବୁଝିପାରନ୍ତି ନାହିଁ, ମେଣ୍ଢା ନାୟକାଣୀ କ'ଣ, ସେମାନେ ବିଚାରନ୍ତି ଦାମିନୀ ଅପାଙ୍କ ଆଉ ଏକ ନାମ ମେଣ୍ଢା ନାହାକାଣୀ। ସୁପ୍ରିୟାର ତାଙ୍କ ପିଲାଦିନେ ଏମିତି ଏକ ଭ୍ରମ ଥିଲା; ଇନ୍ଦିରା ଗାନ୍ଧୀ ଏକ ପଦବୀ ଏବଂ ପ୍ରଧାନ ମନ୍ତ୍ରୀ ଏକ ନାମ।


ସମ୍ଭ୍ରାନ୍ତ ପିତା ମାତାଙ୍କ ଅଲିଅଳି ଝିଅ, ସୁନ୍ଦରୀ ଶିକ୍ଷିତା ସୁପ୍ରିୟାଙ୍କୁ ସର୍ବୋତ୍ତମ ଯୋଗ୍ୟ ବର ଶୈଳେନ୍ଦ୍ର ନିଜେ ଦେଖିବାକୁ ଆସିବା ଏକ ନୂଆ ପ୍ରଥା ସୃଷ୍ଟି କରିଥିଲା। ସେଇଟା ଯେ ଏକ ବିଶେଷ ଖବର ହୋଇପାରେ ତାହା ଆଜି ଅନୁଭବ କରାଯାଇ ନପାରେ। ସୁପ୍ରିୟା ଭାବୁଥିଲା, ଭଲ ହେଲା ସେ ବି ତ ଶୈଳେନ୍ଦ୍ରଙ୍କୁ ଦେଖି ପସନ୍ଦ କରିବାର ସୁଯୋଗଟି ପାଇଲା। ଉଭୟ ପକ୍ଷ ବେଶ୍ ଆନନ୍ଦରେ ପରସ୍ପର ପସନ୍ଦ କରିଥିଲେ।


କିନ୍ତୁ ଯୌତୁକ ସେ ବେଳକୁ ଏମିତି ଏକ ଚଳନି ହୋଇଯାଇଥିଲା ଯେ ଏହା ପସନ୍ଦ ନାପସନ୍ଦ ଉପରେ ନିର୍ଭର ନକରି ବରର ପଦବୀ ସହ ଜଡ଼ିତ ହୋଇ ଯାଇଥିଲା। ସମ୍ମାନ ବୋଲି ବିବେଚନା ହେଉଥିଲା। ଏହି କ୍ରମରେ ଶୈଳେନ୍ଦ୍ରଙ୍କ ପିତା କିଛି କମ ଦାବି କରିବାର ତ୍ରୁଟି କରିନଥିଲେ।


ଏହି ବିବାହର ଠିକ୍ ଦୁଇଦିନ ପୂର୍ବରୁ ଗ୍ରାମରେ ଚହଳ ପଡ଼ିଲା ଶ୍ରୀୟା ଦେଈ ବିଷ ଖାଇ ଆତ୍ମହତ୍ୟା କରିଛି। ମତାନ୍ତରେ ପୂର୍ଣ୍ଣ ଯୌତୁକ ଅପ୍ରାପ୍ତିର ପ୍ରତିହିଂସାରେ ତା ଶାଶୁଘର ତାକୁ ବିଷ ଦେଇ କରିଥିଲେ ହତ୍ୟା। ଏଭଳି ପ୍ରଥମ ଘଟଣା ଏତେ ସହଜରେ ଗ୍ରହଣୀୟ ହୋଇନଥିଲା। ପରବର୍ତ୍ତୀ କାଳରେ ବଧୂ ହତ୍ୟାକୁ ଯେ ଲୋକେ ଗ୍ରହଣ କରିନେଉଥିଲେ ସୁପ୍ରିୟା ତାହା ଭାବୁନଥିଲା କିନ୍ତୁ ପ୍ରତିଦିନ ଖବର କାଗଜ ପୃଷ୍ଠା ମଣ୍ଡନ କରି କ୍ରମେ ଏହା ଦେହସୁହା ହୋଇଗଲା।


ଶୈଳେନ୍ଦ୍ରଙ୍କ ବାବଦରେ ଅତି ଉଚ୍ଚ ଆଶା ପୋଷଣ କରୁଥିବା ସୁପ୍ରିୟା ହଠାତ୍ ଭାଙ୍ଗି ପଡ଼ିଲା। ଏ ବିିବାହ ଭାଙ୍ଗି ଦେଇ ଯୌତୁକ ବିନା ବାହାହେବାକୁ ଯିଦି କରିଥିଲା ସେ । ମାମୁଁ, ମାଇଁ, ପୀଉସା, ମୋଉସା ସାଙ୍ଗ ସାଥୀ ଏବଂ ପରିବାରର ଯେତେ ସବୁ ହିତାକାଂକ୍ଷୀ ଅନେକ ବୁଝାସୁଝା, ରାଣ ନିୟମ କଲା ପରେ ସୁପ୍ରିୟା ଅବଶ୍ୟ ବାଧ୍ୟ ହୋଇଥିଲା। ବିବାହିତ ଜୀବନରେ ଅନେକ ବାର ଏନେଇ ସ୍ୱାମୀଙ୍କ ସହି ବିତର୍କ କରେ ସେ, ଶ୍ରୀୟା ଦେଈର ବର ଉପରେ ପୁଞ୍ଜିଭୂତ କ୍ରୋଧକୁ ଅଜାଡ଼ି ପକାଉଥିଲା ସ୍ୱାମୀଙ୍କ ଉପରେ।


ପ୍ରତି ବର୍ଷ ପୂଜାକୁ ଗାଆଁକୁ ଆସେ ସୁପ୍ରିୟା, ଫେରେ କୁମାରପୂର୍ଣ୍ଣିମା ପରେ। ପୁନେଇଁରେ ଡ୍ରାମା ହେବା ପ୍ରଥା ଏବେ ବି ଅବ୍ୟାହତ ରହିଛି। ସେ ନିଜେ ତ ଏ ପ୍ରସ୍ତାବ ଦେଇଥିଲା। ରାତି ସାରା ବରବୋହୂ ଖେଳ ବନ୍ଦ ହୋଇ ମଞ୍ଚସ୍ଥ ହେଉଥିଲା ନାଟକ। ପ୍ରଥମ ବର୍ଷରେ ଦୁଶ୍ମନ୍ତ ଭୂମିକାରେ ଶକୁନ୍ତଳାଙ୍କୁ ବିରହିତ କରିଥିଲା ସେ। ପରବର୍ତ୍ତୀ ପିଢ଼ିମାନେ ନୂତନତ୍ୱର ସନ୍ଧାନ କରିଛନ୍ତି। ନାରୀ ଜାଗରଣର ବାର୍ତ୍ତାବହ ହୋଇ ଅନେକ ଅନୁରୂପ ସାମାଜିକ ନାଟକ ଅଭିନୀତ ହୋଇଛି। ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ତୁଲାଉଥିଲେ ମେଣ୍ଢା ନାୟକାଣୀ ଦାମିନୀ ଅପା।ଅପା କଲେଜ ପଢ଼ିଛନ୍ତି। ଶିକ୍ଷିତ ବର ତାଙ୍କର ପ୍ରାପ୍ୟ। ମେଟ୍ରିକ୍ ପାଶ୍ କରିଥିବା ଝିଅ, ଅଫିସର ବର ବାହା ହେଉଛନ୍ତି। ଦରିଦ୍ର ପିତା ଯେ ଆଣ୍ଠୁ କହୁଣୀ ଖଣ୍ଡିଆ କରି ଚେଷ୍ଟା କରିନାହାନ୍ତି, ତାହା ନୁହେଁ। ସବୁଥର କଥା ଅଟକି ଯାଏ ଦେବା ନେବାରେ। ଅର୍ଦ୍ଧଶିକ୍ଷିତ ବରମାନେ ହୁଏତ ବିନା ଯୌତୁକରେ ମିଳିଥାନ୍ତେ, କିନ୍ତୁ ଝିଅଟା ଯେ ପଢ଼ିଛି।


ଦାମିନୀ ଅପା ମୁହଁ ଖୋଲି କହିପାରନ୍ତି ନାହିଁ, ସେ ବାହା ହେବାକୁ ଚାହୁଁନାହାନ୍ତି। ପ୍ରଥମରୁ କହିଥିଲେ ଅଲଗା କଥା। ସେ ଭାବନ୍ତି ବାପା ଯାହା ବିଚାରୁଛନ୍ତି କରନ୍ତୁ। ସେ ଅସହଯୋଗ କରିବା ଅନୁଚିତ୍। ବାପାଙ୍କୁ କି ମୁହଁଖୋଲି କୁହାଯାଇପାରେ ପ୍ରତ୍ୟେକ ବୟସର ଏକ ନିଜସ୍ୱଃ ଗୁରୁତ୍ୱ ଅଛି। ଯେଉଁ ବୟସର ବିବାହ ପାଇଁ ଆକର୍ଷଣ ଥିଲା ସେଇଟା ଅପସରି ଗଲାଣି। ଭାଇଟି ତାଙ୍କଠାରୁ ଚଉଦ ବର୍ଷ ସାନ ତାର ବା କି କର୍ତ୍ତବ୍ୟ। ସେ ଗଭୀର ଆଘାତ ପାଉଥିଲେ ମଧ୍ୟ ସହଯୋଗ କରି ଚାଲିଛନ୍ତି। ନିଜେ ଆହତ ବୋଲି ବାପା ନ ଜାଣନ୍ତୁ। ଅବଶ୍ୟ ବାପା ସେ ଯନ୍ତ୍ରଣା ସ୍ୱତଃ ଅନୁଭବ କରୁଥିବେ। ଅପାଙ୍କ ସୌନ୍ଦର୍ଯ୍ୟରେ ବୟସର ଅଛଡ଼ା ମଳିଗୁଡ଼ା ଜମାଟ ବାନ୍ଧିଲାଣି। ସେ ସମୟରୁ ଭୁଲ ନିଷ୍ପତ୍ତି ନେଇ ପଢ଼ା ଛାଡ଼ିଦେଲେ। ନହେଲେ ଚାକିରିଟାଏ କରି ଭଲରେ ଚଳୁଥାନ୍ତେ ବାପାଙ୍କ ଦାରିଦ୍ର‌୍ୟ ଦୂର କରିଥାନ୍ତେ। ଏବେ ତ ଦଳେ ଯୁବକ ଏବଂ ପୁତ୍ରପକ୍ଷ ଖୋଜି ଖୋଜି ଚାକିରିଆ ବୋହୂ କରୁଛନ୍ତି। ସେ ସମୟର ଚଳନିରେ ଏ ବାସ୍ତବ ଓ ପରିବର୍ତ୍ତିତ ଚିନ୍ତାଧାରାକୁ ସେ କଳନା କରିପାରିନଥିଲେ।ଅବଶ୍ୟ ସେ ଚାକିରି କରୁନଥିଲେ ତାହାବି ନୁହେଁ। ଗ୍ରାମର କେତେ ସ୍କୁଲ ପିଲାଙ୍କୁ ଟିଉସନ କରନ୍ତି। ଗାଆଁ ଅଙ୍ଗନବାଡିର କର୍ମୀ ହୋଇଛନ୍ତି। ମାସିକ ଦେଢ଼ଶହ ଅନରାୟିମ। କେବେ କେବେ ତାଙ୍କୁ ଭାରୀ ଭଲ ଲାଗେ ତାଙ୍କର ଅନନ୍ୟ ଜୀବନ। ବେଶ୍ ଉପାଦେୟ ଓ କର୍ମପ୍ରବଣ।


ସୁପ୍ରିୟା ବୟସରେ ସାନ । ଘରକୁ ଆସିଲେ ମାପିଚୁପି ଆଲୋଚନା କରେ ଅପାଙ୍କ ସହ। ତାଙ୍କ ହତାଶାକୁ ଅନାବୃତ୍ତ କରେ ନାହିଁ।ସେ ବର୍ଷ କିନ୍ତୁ ସୁପ୍ରିୟା ଅପାଙ୍କୁ ନିହାତି ହତାଶାଭାବରେ ଆବିଷ୍କାର କଲା। ନଥିଲା ନାହାକାଣୀର ଔଜଲ୍ୟ ଓ ଚଳଚଞ୍ଚଳତା। ବାପା ମାଆଙ୍କ ଅନ୍ତେ, ନିସଙ୍ଗତାର ଏକମାତ୍ର ସାଥୀ ସାନ ଭାଇଟି ବାହା ହେଲା। ପରେ ଅପା ତା'ଠୁ ଯଥା ସମ୍ଭବ ଦୂରତା ରକ୍ଷା କରନ୍ତି। ସେ ଅନୁଭବ କରନ୍ତି, ଏ ପରିସ୍ଥିତିରେ ସଚରାଚରେ ଦେଖଯାଉଥିବା ଅଲୋଡ଼ା ଅଭିଭାବକ ପଣ ଭାଇ ଏବଂ ବୋହୂଟିର ଜୀବନ ଦୁର୍ବିସହ କରିପାରେ। ତେଣୁ ସେ ଏଣିକି ଏକ ଇଚ୍ଛାକୃତ ସଙ୍କୁଚିତ ଜୀବନ ଯାପନ କରନ୍ତି। ତାଙ୍କ ଟିଉସନ ତାଙ୍କ ଅଙ୍ଗନବାଡି କାମ ଏବଂ ତା ବାଦ୍ ତାଙ୍କ ଭାଇର ଜମାପଟା ଇସ୍ତ୍ରୀ କରିବା ଓ ଶାଗ ମାରିଷ ଚାଷ କରିବାରେ ସମୟ କାଟନ୍ତି। ଭାଇକୁ ଟିପ୍ ଟପ୍ ଦେଖିଲେ ତାଙ୍କ ସବୁ ଦୁଃଖ ଜଗନ୍ନାଥ ଛାଆଁକୁ ହରଣ କରି ନିଅନ୍ତି। ଦୁଃଖ କଣ ଯେ, ବାହା ନହେବାଟା କଣ ଏକ ବିଫଳତା! ଅଞ୍ଜଳୀକୁ ମେଣ୍ଢା ପଦରେ ବସାଇ, ସେ ତହୁଁରୁ ଅବସର ନେଇଛନ୍ତି। ପର କଥାରେ ସେ ମୁଣ୍ଡ ଖେଳାନ୍ତି ନାହିଁ। ଏହି ଯେପରିକି ତାଙ୍କ ସାଙ୍ଗ ଲୀଳା, ଯେ ଅଳ୍ପ ବୟସରେ ଯାହା ହୋଇଥିଲା, ତାର ବଡ଼ ଝିଅଟା କେଉଁ ଏକ ବିବାହିତ ପୁରୁଷ ସହ ଫେରାର୍ ହୋଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସେ ବା ସେଥିରେ କି ମନ୍ତବ୍ୟ ଦେବେ। ସେ ଅଧିକାରଟା ତାଙ୍କର ନାହିଁ। ବୟସ୍କ ସୁପ୍ରିୟା ହିସାବ କରି ଦେଖିଲା, ଅପାଙ୍କର ପ୍ରାୟ ତେତିଷି କି ଚଉତିରିଶି ହେବଣି।


ସତରେ କଣ ଦାମିନୀ ଅପା କେବେ ପୁରୁଷର ସାହାଚର୍ଯ୍ୟ କାମନା କରିନାହାନ୍ତି, ନାରୀ ମନର ଅନ୍ତର୍ଦାହ ତାଙ୍କୁ ସେ ଦିଗରେ ପ୍ରବର୍ତ୍ତାଇ ନାହିଁ ! ଏହି ଶୈଳେନ୍ଦ୍ର, ଗୋଟିଏ ସପ୍ତାହ ଟୁରରେ ଗଲେ ସୁପ୍ରିୟାକୁ ଏକ ଯୁଗର ତପସ୍ୱିନୀ ଭଳି ଅନୁଭବ ହୁଏ। ହୁଏତ ଅପାଙ୍କ ପରସ୍ଥିତିରେ ସୁପ୍ରିୟା କେତେବେଳେ କଣନା କଣ କାଣ୍ଡ କରି ପକାଇଥାନ୍ତା। ଛିଃ, ସେ ଶୈଳେନ୍ଦ୍ରଙ୍କ ସ୍ତ୍ରୀ, ଏମିତି ଅପବିତ୍ର ଭାବନାଗୁଡ଼ା ମନକୁ ପୁରାଉଛି କେମିତି!

ବିଜୁଳି ଚାଲିଗଲା, ଘରର ନୀଳବଲ୍‌ବ ଓ ବତୀଖୁଣ୍ଟର ନିଷ୍ପ୍ରଭ ଆଲୁଅ ପୁନେଇଁ ଜହ୍ନକୁ ଶୁଭରାତ୍ରୀ ଜଣାଇଲେ। ବାହାରର ଦୃଶ୍ୟରାଜିକୁ, ଏ କୃତ୍ରିମ ଆଲୋକର ଉତ୍ସ ଯେ ଆଦୌ ପ୍ରଭାବିତ କରୁ ନଥିଲେ ତାହା ପ୍ରମାଣିତ ହେଲା। ବାହାରେ ବର୍ଷା ଓ ବାଦଲ ଉପରେ, ଚନ୍ଦ୍ରମା ଯେଉଁ ଯାଦୁ ବିଛୁରିତ କରିଥିଲ ତନ୍ମଧ୍ୟରୁ କିଞ୍ଚିତ୍ ପ୍ରତିଫଳିତ ହେଉଥିଲା ଶାଗୁଆନ ଗଛର ବୃହତ ଓ ଆଦ୍ର ପତ୍ରରେ। ବାତାୟନ ଦେଇ ସୁପ୍ରିୟାର ନୟନକୁ ଛୁଇଁ ଯାଉଥିଲା ସେ ଚମକ। ବରଂ ଠିକ୍‌, ଏହା ଆଣିଦେଲା ସୁପ୍ରିୟାକୁ ବହଳ ତନ୍ଦ୍ରା, ଶୈଳେନ୍ଦ୍ରଙ୍କ ପାଖକୁ ଆଉଜି ଗଲା ଏବଂ ସେ କୋଳଇ ନେଲେ।


ଅନେକ ଦିନ ଧରି ଅପାଙ୍କ ଖବର ରଖିପାରିନଥିଲା।ହଠାତ୍ ଦିନେ ଦାମିନୀ ଅପା ଦେଖା ହେଲେ ଦିଲ୍ଲୀର ଏକ ପ୍ରେକ୍ଷାଳୟର ଦ୍ୱାର ଦେଶରେ। ପାଖରେ ଠିଆ ହୋଇଛି ସାତ ଆଠ ବର୍ଷର ଡଉଲଡାଉଲ ପିଲାଟିଏ, ଅତି ମାର୍ଜିତ ଓ ଦାମୀ ବସ୍ତ୍ର ପରିଧାନ କରି ସୁନ୍ଦର ଦିଶୁଛି। ମେଣ୍ଢା ନାୟକାଣୀଙ୍କ ପରିପାଟୀ ବି ଚମତ୍କାର, ସୀମନ୍ତରେ ଭରା ସିନ୍ଦୁର ଝଟକୁଛି। ବିଗତ ଯୌବନ ଫେରି ଆସିଛି ଅନେକ ଭାତ୍ସାହର ସହ।

ଶୈଳେନ୍ଦ୍ରଙ୍କୁ ପରିଚିତ କରାଇଥିଲା ସୁପ୍ରିୟା, ଯଦିଓ ନିଜେ ହଜି ଯାଇଥିଲା ଅନେକ ପ୍ରଶ୍ନବାଚୀ ମଧ୍ୟରେ। ଦାମିନୀ ଅପା ଶିଶୁଟିକୁ ‘ବୁବୁ’ ସମ୍ବୋଧନ କରି ପାଖକୁ ଡାକିଲେ। ବୁବୁ ବୁଝିଯାଇ କହିଲା, ‘ଆଣ୍ଟିି ନମସ୍କାର, ଅଙ୍କଲ୍ ନମସ୍କାର’ । ଦୂର କାଉଣ୍ଟରରୁ ଟିକେଟ ଧରି ଫେରୁଥିବା ଭଦ୍ରବ୍ୟକ୍ତିଙ୍କୁ ଦେଖାଇ କହିଲେ - ବୁବୁର ବାପା ଆସୁଛନ୍ତି। 


ଦାମିନୀ ଅପା, ଏହା ଭିତରେ ଏତେ ସବୁ କାମ କରିସାରିଛନ୍ତ, ସ୍ୱଚକ୍ଷୁରେ ଦେଖିବି ବିଶ୍ୱାସ କରୁ ନଥିଲା। ଏତେ ବଡ଼ ଖବର ସୁପ୍ରିୟାଙ୍କ ପରିବାର କିମ୍ବା ଗାଁ ଯାକର ଲୋକ କେହି କେମିତି ତାଙ୍କୁ ଜଣାଇଲେ ନାହିଁ? ସେ ନିଜକୁ ଧୀକ୍କାର କରୁଥିଲା, ସତରେ ସେ ସମାଜରୁ ଦୂରରେ ରହୁଛି।


ଏତେ ଭାବନା ମଧ୍ୟରେ ବି ସୁପ୍ରିୟା ନିଜର ସୁଖ ପ୍ରକଟ ପୂର୍ବକ ଦାମିନୀଙ୍କ କାନ ପାଖକୁ ମୁହଁ ନେଇ, ଚୁପ୍ କିନା ପଚାରିଲେ। - ଅପା କେତେ ମାସ?


ଲାଜେଇ ଯାଇ ଅପା ହସିଲେ, ଡାହାଣ ହାତର ଛଅ ଆଙ୍ଗୁଳି ମେଲାଇ ଇଙ୍ଗିତରେ ଜଣାଇ ଦେଲେ, ମୁହଁ ଦିଶୁଥିଲା ଲାଲ୍।

“ଆରେ ଅମରେଶ୍ ବାବୁ ଆପଣ ଯେ” ଶୈଳେନ୍ଦ୍ର କରମର୍ଦ୍ଦନ କଲେ ଅପାଙ୍କ ସ୍ୱାମୀଙ୍କ ସହ। ଶୈଳେନ୍ଦ୍ର ଓ ଅମରେଶ୍ ବାବୁ ବର୍ଷ କେତୋଟି ପୂର୍ବେ (ମୋବାଇଲ ଫୋନ୍ ଏବଂ ସୋସିଆଲ୍ ମେଡିଆର ଆବିର୍ଭାବ ପୂର୍ବ ଅବସ୍ଥା) ଗୋଟିଏ ଅଫିସର କାର୍ଯ୍ୟରତ ଥିଲେ।


ପରେ ବିିଭିନ୍ନ ସୂତ୍ରରୁ ସଠିକ୍ ତଥ୍ୟ ସଂଗ୍ରହ କରିଥିଲା, ସୁପ୍ରିୟା। ପତ୍ନୀ ବିୟୋଗ ପ୍ରାୟ ଦୁଇ ବର୍ଷ ପରେ ବୁବୁବାପା ସ୍ଥିର କଲେ ବିବାହ କରିବାକୁ। କିଛି ମୁରବୀ, ସ୍ଥାନୀୟ ବ୍ୟକ୍ତି, ଦାମିନୀ ଅପାଙ୍କ ସାନଭାଇ ଓ ମାମୁଁ ଘର ଲୋକେ ସମ୍ଭ୍ରମତାର ସହ ପ୍ରସ୍ତାବଟି ଅପାଙ୍କ ସହ ଆଲୋଚନା କଲେ।

ଅପା ରାଜି ହୋଇଗଲେ ଆଦୌ ଆପତ୍ତି ନକରି।


ସତରେ!


ହଁ ସତରେ।


ସୁପ୍ରିୟା ଗ୍ରହଣ କରି ପାରୁନଥିଲା। ତାକୁ ଏହା ଏକ ବୁଝାମଣା ପ୍ରାୟ ବୋଧ୍ୟ ହୋଉଥିଲା। ସମାଜଟା କେମିତି ଏକ ତରଫା ହୋଇଯାଉଥିବା ଅନୁଭବ କଲା ସେ।


ଛି! ସେତିକି ଭାବିବାକୁ, ସୁଖରେ ଅତିବାହିତ ହେଉଥିବା କାହାର ବ୍ୟକ୍ତିଗତ ଜୀବନକୁ, ଅଯାଚିତ ଭାବେ ନକାରାତ୍ମାକ ବିଚାର କରିବାକୁ, ଅନଧିକାର ତର୍ଜମା କରିବାକୁ, ତାକୁ ଅଧିକାର ଦେଲା କିଏ? 


ସେ ବ୍ୟକ୍ତିଟି ପୁଣି ଆଉ କେହି ନୁହେଁ, ସ୍ୱୟଂ ଦାମିନୀ ଅପା, ସର୍ବମାନ୍ୟା, ମେଣ୍ଢା ନାୟକାଣୀ।


ସୁପ୍ରିୟା ମୁହଁରେ ହସ ଖେଳିଯାଇଥିଲା । ତାଙ୍କୁ ଶୁଭୁଥିଲା ସେଦିନର ସେ ଡଉଲ ଡାଉଲ ବୁବୁର ସହାସ୍ୟ ସମ୍ବୋଧନ, “ଆଣ୍ଟି ନମସ୍କାର”। ୧୯୯୫



Rate this content
Log in

Similar oriya story from Drama