suchismita Panda

Drama Tragedy Crime

3.3  

suchismita Panda

Drama Tragedy Crime

ମନ ଚିହ୍ନେ ସତ

ମନ ଚିହ୍ନେ ସତ

3 mins
181


       ବହୁ ଦିନ ପରେ ସବୁ ସାଙ୍ଗମାନେ ମିଶି ବୁଲି ବାହାରିଥିଲୁ । ଆମେ ଥିଲୁ ଦଶଜଣ । ସ୍କୁଲ ପଢାରୁ ବିଦାୟ ନେବା ପରେ ସମସ୍ତେ ନିଜ ନିଜ ଭିନ୍ନ ଭିନ୍ନ ପାଠ ପଢାରେ ଲାଗିରହି ଦେଖା କରିନଥାଉ । ମୋବାଇଲର ଯୁଗ ବୋଲି ଯାହା ସେଥିରେ ସଂପର୍କଟି ଜୀବିତ ଥାଏ । ପଢାରେ ସଂପୂର୍ଣ୍ଣ ମୋହର ଲାଗିବା ପରେ ଏବଂ ଚାକିରୀ ଜୀବନଟି ଆରମ୍ଭ ହେବା ପୂର୍ବରୁ ଆମେ ସମସ୍ତେ ଗୋଟିଏ ବୁଲିଯିବାର ଯୋଜନା କରି ଯାଉଥିଲୁ ଜମ୍ମୁ କାଶ୍ମୀର । 

     ଟ୍ରେନ୍ ଯାତ୍ରା ଆରମ୍ଭ ହୁଏ । ମୋବାଇଲରେ ଟିକେଟ କରିଥିବାରୁ ଗୋଟିଏ ଡବାରେ ଆମକୁ ସବୁ ସିଟ ନମିଳି ଦୁଇଟି ଡବାରେ ଭାଗ କରିଦେଇଥାଏ । ହେଲେ ଆମେ ସକାଳୁ ରାତି ଯାଏଁ ଗୋଟିଏ ପଟେ ରହି ରାତିରେ ଶୋଇବା ତକ ଯାହା ଭାଗ ହେଉଥାଉ । ବାକିତକ ସମୟ ଖୁସି ଗପରେ କଟେ। କେତେ କଥା ଆମ ଭିତରେ ରହିଥାଏ । ଏତେ ବର୍ଷର କଥା ସବୁ ସରିବାର ନାଁ ହିଁ ନେଉନଥାଏ । ରାତୀଟିଏ ଯାଇ ସକାଳ ଆସେ । ସକାଳ ଦଶଟାରେ ଆମର ପହଞ୍ଚି ଯିବାକଥା ହେଲେ ଟ୍ରେନ୍ କଣ କେବେ ଠିକ୍ ସମୟରେ ଗଡେ କି ଯେ ଆମେ ପହଞ୍ଚିଥାନ୍ତୁ । ଆମକୁ ମଧ୍ୟ ପହଞ୍ଚିବାକୁ ଡେରି ହୁଏ । ପ୍ରାୟ ତିନିରୁ ଚାରି ଘଣ୍ଟା ଡେରିରେ ଚାଲୁଥାଏ ଟ୍ରେନ୍ । 

     ସକାଳ ହେବା ପରେ ଟ୍ରେନ୍ ଭିତରେ ବୁଲା ବିକାଳୀଙ୍କ ଯିବା ଆସିବା ବଢିଯାଏ । ଭଳିକି ଭଳି ଖାଇବା ପିଇବା, ସାଜସଜ୍ଜା ଆହୁରି କେତେ କଣ କଣ ସବୁ ଧରି କେତେ ଆସୁଥାନ୍ତି ଯାଉଥାନ୍ତି । ଆମେ ସବୁ ଖାଇବାରେ ଆଗୁଆ ବୋଲି ଖାଇବା ବିକାଳୀ ଆସିଲେ ତାକୁ ଅଟକାଇ କିଛି କିଣୁ । ବାକିତକ ଆମର ଦରକାର ନଥାଏ । ଆମ ପାଖ ସିଟରେ ଥିଲେ ଅନ୍ୟ ଏକ ପରିବାର । ସେମାନେ ଛୋଟଠୁ ବଡ ସଭିଏଁ ଥାନ୍ତି । ହଠାତ୍ ସେମାନଙ୍କ ଭିତରୁ ଶୁଭାଯାଏ ଚୋରି ହେବାକୁ ଖବର । ତାଙ୍କ ପର୍ସ ସହ ମୋବାଇଲ ଫୋନ ଚୋରି ହୋଇଯାଇଛି ବୋଲି ଖବରଟା ଚହଳ ମଚେଇ ଦିଏ । 

     ବହୁ ଖୋଜା ଖୋଜି ମଧ୍ୟ କରାଯାଏ ହେଲେ ମିଳେନି । ସେମାନେ କହନ୍ତି ଚୋରି ହେବା ପୂର୍ବରୁ ଆସିଥିବା ବୁଲାବିକାଳୀର କାମ ସେଇଟା । ସେ ହିଁ ଚୋରି କରିନେଇଛି । କିନ୍ତୁ କେମିତି କେଜାଣି ମୋତେ ତାଙ୍କ କଥାରେ ବିଶ୍ବାସ ହେଲା ନାହିଁ । ମୁଁ ସେଇ ବିକାଳୀକୁ ଦେଖିଥାଏ । ନିରୀହ ଆଖି ତାର, କୋମଳ କଥା । ସେ କାଇଁ ଏମିତି ଚୋରି କରିଥିବ ମୋତେ ସନ୍ଦେହ ହେଲା । ସେମାନେ ପୋଲିସକୁ ଖବର ଜଣେଇ ବିକାଳୀକୁ ଖୋଜିବାକୁ ଆରମ୍ଭ କଲେ । ଏଇ ଭିତରେ ଦିଟା ଷ୍ଟେସନ ମଧ୍ୟ ଚାଲିଯାଇଥାଏ ବୋଲି ସଭିଙ୍କ ଧାରଣା ଶକ୍ତ ହେଲା ଯେ ବିକାଳୀଟି ଚୋରି କରି ପଳାଇଯାଇଛି । ତଥାପି ମୁଁ ମନେ ମନେ ଠାକୁରଙ୍କୁ ଡାକୁଥାଏ । ବିକାଳୀଟି ପ୍ରକୃତ ଚୋର କି ନାଇଁ ମୋତେ ଜଣେଇ ଦେଇ ମୋ ମନର ସନ୍ଦେହ ଦୂର କରିବାକୁ । 

      ଖୋଜା ଖୋଜି କରୁଥିବା ଭିତରେ ଆସେ ଆଉ ଏକ ଷ୍ଟେସନ । ଟ୍ରେନ୍ ଅଟକିଥାଏ । ମୋ ଆଖି ପଡେ ବିକାଳୀ ଉପରେ । ସେ ଟ୍ରେନିରୁ ଓହ୍ଲାଇ ଅନ୍ୟ ଟ୍ରେନ୍ ଧରିବାକୁ ଯାଉଥାଏ । ମୋ ମନର ଉତ୍ତର ପାଇବାର ଇଚ୍ଛା ନେଇ ମୁଁ ସଭିଙ୍କୁ ବିକାଳୀକୁ ଦେଖାଇଦିଏ । ସଂଗେ ସଂଗେ ତା ଠି ପହଞ୍ଚି ତାକୁ ପଚରା ଉଚୁରା ଆରମ୍ଭ କରନ୍ତି । ସେ କିନ୍ତୁ ନେଇନଥିବାର ହିଁ ଯୁକ୍ତି ବାଢେ । ତା କଥାକୁ ବିଶ୍ୱାସ ନକରି ସେମାନେ ତାର ଶରୀର ଯାଞ୍ଚ କର ମଧ୍ୟ କିଛି ପାଆନ୍ତି ନାହିଁ । ତଥାପି ସେମାନଙ୍କ ସନ୍ଦେହ ଦୂର ହୁଏନାହିଁ ବୋଲି ତା ନାଁରେ ମକଦ୍ଦମା ରୁଜ୍ଜୁ କରନ୍ତି ।

     ମୋତେ ଆଉ ଜମାରୁ ଭଲ ଲାଗେନି । ଶେଷରେ ମୁଁ ମୁହଁ ଖୋଲି ବିକାଳୀର ପକ୍ଷରେ କହେ । ସେ ଯଦି ପ୍ରକୃତରେ ନନେଇ ଥିବ ତେବେ ବିଚରା ବିକାଳୀର ନାଁ ଆଗେ ଲାଗିଥିବା କଳଙ୍କ ହଟେଇ ସସମ୍ମାନେ କ୍ଷମା ମଗାଯିବ । ବିକାଳୀ ଜଣକ ମୋ କଥା ଶୁଣି ଗୋଡ ଧରିପକାଏ । ସେ ପ୍ରକୃତରେ ଚୋରି କରିନାହିଁ ଏବଂ ମୁଁ ତା ଉପରେ ଭରସା ଦେଖାଇଥିବାରୁ ମୋତେ ପ୍ରଶଂସା ମଧ୍ୟ କରେ ।  

     ଚୋରି କଥାଟିର ସମାଧାନ ବିଷୟରେ ଜାଣିବାକୁ ମୋର ଉତ୍କଣ୍ଠା ମଧ୍ୟ ବଢୁଥାଏ । ସେପଟେ ଆମେ ଆମ ଠିକଣା ସ୍ଥାନେ ପହଞ୍ଚି ସାରିଥାଉ । ଆମ ଯୋଜନା ଅନୁସାରେ ବୁଲାବୁଲି କରୁ । ବହୁ କିଛି ସ୍ମୃତି ସାଉଁଟି ଆମେ ମଜା କରୁ । ଏମିତି ଦିନ ବିତେ ଆମେ ଘରକୁ ଫେରିଆସୁ । ଘରକୁ ଆସିବା ପରେ ମୁଁ ଏକା ଏକା ବହୁତ ଥର ସେଇ ଘଟଣାକୁ ଭାବିବସେ । ଦିନେ ଏମିତି ରାତି ଖାଇବା ପାଇଁ ଯାଉଥାଏ ଫୋନ୍ ଆସେ । ଅଜଣା ନମ୍ବରରୁ ଫୋନ୍ । ଉଠାଇ ଜାଣେ ଯେ ଅପର ପଟର ବ୍ୟକ୍ତି ଜଣକ ହେଲେ ସେଦିନର ସେଇ ବିକାଳୀ ଯିଏ ନମ୍ବରଟା ମାଗି ରଖିଥିଲେ ତାଙ୍କ ପାଖେ । 

     ତାଙ୍କ ଫୋନ୍ ଜାଣି ମୁଁ ଆଉ ଖାଇବାକୁ ନଯାଇ କଥା ହେବାକୁ ଲାଗେ । ସେ ଖୁସି ଜଣେଇ କହନ୍ତି ତାଙ୍କ ଉପରେ ଆଉ କୌଣସି ମକଦ୍ଦମା ନାହିଁ । ବହୁ ତଦନ୍ତ କରାଯିବା ପରେ ଜଣାପଡିଲା କି ସେଇ ଦିନେ ଦି ଦିନ ଧରି ସେଇ ରାସ୍ତାରେ ଯାଉଥିବା ଟ୍ରେନ୍ ରେ ବହୁତ ମାତ୍ରରେ ଚୋରି ହୋଇଛି । ତାର ତଦନ୍ତ କଲାରୁ ସମସ୍ତେ ଗୋଟିଏ ଗୋଷ୍ଠୀର ବୋଲି ସୁରାଗ ମିଳିଲା ଏବଂ ଦିନେ ପୋଲିସ ହାତରେ ସେଇ ଚୋରଦଳର ଜଣେ ଧରାପଡିବାରୁ ସବୁକିଛି ସାମ୍ନାକୁ ଆସିଲା ଏବଂ ବିକାଳୀଟି ନିର୍ଦ୍ଦୋଷୀ ପ୍ରମାଣିତ ହେଲା ।

     ଭଗବାନଙ୍କୁ ଧନ୍ୟବାଦ ଜଣାଏ । ମୋ ମନ ଯାହା କହୁଥିଲା ସେଇଟା ହିଁ ସତ ପ୍ରମାଣିତ ହେଲା । ମୁଁ ଜାଣେ କିଛି ବିକାଳୀ ମାନେ ଚୋରି କରନ୍ତି ହେଲେ ତା ଅର୍ଥ ତ ସବୁ ବିକାଳୀ ସେମିତି ନୁହନ୍ତି । କିଛି ସହୃଦୟବାନ, ସଚ୍ଚୋଟ ମଣିଷ ମଧ୍ୟ ଥାନ୍ତି ।  


Rate this content
Log in

Similar oriya story from Drama