Parameswar Ojha

Comedy

4.2  

Parameswar Ojha

Comedy

ପୁସ୍ତକ ସମୀକ୍ଷା ଭାଗ -୧

ପୁସ୍ତକ ସମୀକ୍ଷା ଭାଗ -୧

8 mins
23.3K



ଆଜି ପଢା ସରିଲା ଷ୍ଟୋରି ମିରର ରୁ ମଗାଇଥିବା 

ଗଳ୍ପ ସଂକଳନ " ମହାପାତ୍ର ବାବୁ ଙ୍କ ହାଲ୍ ଚାଲ୍ " 

ଲେଖିକା " କମଳା ଶତପଥୀ " ମାମ୍ 🙏


ବାର ଟି ସୁନ୍ଦର ସୁନ୍ଦର ଗପ କୁ ନେଇ ଏ ପୁସ୍ତକ।


 ଲେଖା ଶବ୍ଦ ସଂଯୋଜନା ଏତେ ସୁନ୍ଦର ଯେ ପ୍ରଥମ ଦୁଇଟି ଗପରେ ପୁରା ମୁଗ୍ଧ ହୋଇଗଲି । ସମସ୍ତ ଗଳ୍ପ ରେ ମହାପାତ୍ର ବାବୁ ଙ୍କୁ ନାୟକ କରାଯାଇଥିଲେ ବି ସମସ୍ତ ଗଳ୍ପ ଭିନ୍ନ ଭିନ୍ନ ପରିବେଶ ପରିସ୍ଥିତି ରେ ଉପସ୍ଥାପିତ କରାଯାଇଛି ।


ସବୁଠୁ ଖୁସି ର କଥା ହେଉଛି ସମସ୍ତ ଗପ ବ୍ୟଙ୍ଗ କରାଯାଇ ଏତେ ସୁନ୍ଦର ଭାବରେ ସଜା ଯାଇଛି ଯେ ପାଠକ ପାଠିକା ମାନଙ୍କୁ ଖୁସି କରାଇବ ନିଶ୍ଚିତ । ମୁଁ ତ ଗୋଟେ ଦୁଇଟି ଗପ ଛାଡ଼ିଲା ପରେ ବାକି ସବୁଥିରେ ତୃପ୍ତ ହୋଇଛି ।


 ଗପ - ଏକ୍ସଚେଞ୍ଜ ଅଫର୍-

 ସ୍ତ୍ରୀ ଙ୍କ ଗେଜେରେ ଗେଜେରେ ଅଶାନ୍ତି ଏସବୁ ରୁ ମୁକ୍ତି ପାଇବା ପାଇଁ ମନେ ମନେ ସୁଯୋଗ ଟେ ଖୋଜୁ ଥାନ୍ତି ମହାପାତ୍ର ବାବୁ । ସୌଭାଗ୍ୟ କୁ ଦେବଦୂତ ତାଙ୍କ ସାମ୍ନାରେ ଉଭା ହୁଅନ୍ତେ ସେ ତାଙ୍କ ଅସୁବିଧା ଜଣାନ୍ତି । ଦେବଦୂତ ତାଙ୍କ ସାମ୍ନାରେ ମହାନ୍ତି ବାବୁ ଙ୍କ ସ୍ତ୍ରୀ , ନାୟକ ବାବୁ ଙ୍କ ସ୍ତ୍ରୀ ... ଏମିତି କଲୋନୀ ସାରା ଯେତେ ବାବୁ ଅଛନ୍ତି ସମସ୍ତ ଙ୍କ ସ୍ତ୍ରୀ ଙ୍କ ଭିତରୁ ଜଣକୁ ତାଙ୍କୁ ଦେବାକୁ କୁହନ୍ତି ଆଉ ପ୍ରତି ବଦଳେ ତାଙ୍କ ସ୍ତ୍ରୀ କୁ ସେମାନଙ୍କ ଭିତରୁ ଜଣକୁ ଦେବାକୁ କୁହନ୍ତି । ହେଲେ ଏ ନୁହେଁ ସେ ଠିକ୍ ସେ ନୁହେଁ ସେ ଅସୁନ୍ଦର ଏ ଉଗ୍ର ଚଣ୍ଡୀ ଏମିତି ଶେଷରେ କାହାକୁ ବି ବାଛି ପାରନ୍ତିନି । ଶେଷରେ ଦେବଦୁତ କୁହନ୍ତି ତମ ପାଇଁ ତମ ପତ୍ନୀ ହିଁ ଉପଯୁକ୍ତ । 


( ଦେବଦୁତ ଆଉ ମହାପାତ୍ର ବାବୁ ଙ୍କ କଥୋପକଥନ ବେଶ୍ ମନମୁଗ୍ଧକର , ଏଇ ଗପରେ )


  ଗପ - ଗାଡିବାଲା -


  ପତ୍ନୀ ଆଉ ଶଳା ଙ୍କ ଚାପରେ ପଡି ମହାପାତ୍ର ବାବୁ ତାଙ୍କର ପୁରୁଣା ଗାଡ଼ି ବିକି ନୂଆ ଗାଡି କିଣନ୍ତି ପତ୍ନୀ କାର୍ ଚଲାଇବା ଶିଖନ୍ତି କାର୍ ଚଳାଇବା ୬୦ ପ୍ରତିଶତ ଶିଖିଛନ୍ତି କି ନାହିଁ ମହାପାତ୍ର ବାବୁ ଙ୍କୁ ବସେଇ ନିଅନ୍ତି ବଜାର ବୁଲି । ଶେଷକୁ ଦୁଇ ଚାରି ଯାଗା ଗାଡ଼ି ଠୁକି ନିଜ ଭୁଲକୁ ଲୁଚେଇ ଅନ୍ୟ କୁ ଦୋଷ ଦିଅନ୍ତି । ଶେଷରେ ଘରକୁ ଫେରି ପତି କୁ ନିଜ ଗାଡ଼ି ଚଳାଇବାର ସାହସିକତା ଦେଖାନ୍ତି । ଏ ଗପରେ ତାଙ୍କ ପତ୍ନୀ କମ୍ ମହାପାତ୍ର ବାବୁ ଅଧିକ ଅପମାନିତ ହୁଅନ୍ତି ।


( ଖୁସି ଲାଗିଲା ଗପଟି ପଢି )


 ଗପ - ହାର୍ଟ ଆଟାକ୍ -


ପାଖ ପଡୋଶୀ ଦୁଇ ଙ୍କର ହାର୍ଟ ଆଟାକ୍ ରେ ମୃତ୍ୟୁ ହୁଏ , ମହାପାତ୍ର ବାବୁ ଭୟଭୀତ ହୋଇ ଯାଆନ୍ତି ଶେଷରେ ଡାକ୍ତର ପରୀକ୍ଷା ରୁ ଜଣା ପଡେ ତାଙ୍କୁ ବି ହାର୍ଟ ଆଟାକ୍ । ତେଣୁ ତାଙ୍କ ଅନ୍ତେ ତାଙ୍କ ନିରୀହା ପତ୍ନୀ କେମିତି ରହିବେ ସେ ବିଷୟରେ ଭାବି ଅଧିକ ବ୍ୟଥିତ ହୁଅନ୍ତି । ପତ୍ନୀ ଙ୍କୁ କୁହନ୍ତି ତମେ ତ ଏତେ ବାହାର ବିଷୟରେ ଚାଲାକ୍ ଚତୁର ନୁହଁ ତେଣୁ ସବୁ ବିଷୟରେ ମୋ ଠାରୁ ଜାଣି ରଖିବା ଉଚିତ୍ ।


 ତାଙ୍କ ର କେତେ ଆକାଉଣ୍ଟ କେତେ ଟଙ୍କା ଅଛି ଆଉ ତାଙ୍କ ପରେ ପେନସନ ବି ସେ ଭୋଗ କରିବେ ଆଉ ତାଙ୍କ ନାଁ ରେ ଥିବା ଲାଇଫ୍ ଇନ୍ସୁରାନ୍ସ କଥା ବି କୁହନ୍ତି ‌। 

କାଳେ ସେ ଭୁଲି ଯିବେ ଏ ବିଷୟରେ ସବୁ ବିବରଣୀ ବେଶ୍ ଭଲକି ବୁଝି ନେବାକୁ ତାଙ୍କୁ କୁହନ୍ତି । ହେଲେ ପତ୍ନୀ ବାରମ୍ବାର ତାଙ୍କୁ ପଚାରି ପଚାରି ଏମିତି ବିରକ୍ତ କରି ଦିଅନ୍ତି ଯେ ଶେଷରେ ମହାପାତ୍ର ବାବୁ ଚିଡି ଯାଇ କୁହନ୍ତି ମୋର କିଛି ହୋଇନି କି ହେବନି । ପତ୍ନୀ ଭାବନ୍ତି ମୋତେ ତ କହିଲେ ପଚାରିବା ପାଇଁ ମୁଁ ପଚାରିଲି ମୋର ଭୁଲ୍ କୋଉଠି ରହିଲା ଯେ ?

 


ଗପ - ମହାପାତ୍ର ବାବୁ ଙ୍କ କୁକୁର-


 ପଡୋଶୀ ଘରେ ଚୋରି ହେବା ଖବର ଶୁଣି ମହାପାତ୍ର ବାବୁ ଭୟଭିତ ହୋଇ ଯାଆନ୍ତି । ନିଜକୁ ଅସୁରକ୍ଷିତ ମଣନ୍ତି ଶେଷ ରେ ଶଳା ପରାମର୍ଶ କ୍ରମେ ଗୋଟେ କୁକୁର ଆଣି ଗେଟ୍ ପାଖରେ ବାନ୍ଧିବାକୁ ରାଜି ହୁଅନ୍ତି । ହେଲେ କୁକୁର ଗୋଟେ କିଣି ବାକୁ ପୁଣି ହଜାର ହଜାର ଟଙ୍କା ଦେବାକୁ ପଡେ ଜାଣିକି ଆଶ୍ଚର୍ଯ୍ୟ ହୁଅନ୍ତି । ଶଳା ପତ୍ନୀ ତାଙ୍କ ର ମଜାକ୍ ଉଡାନ୍ତି ।

ଶେଷରେ ଶଳା କୁ ଦଶ ହଜାର ଟଙ୍କା ଦିଅନ୍ତି କୁକୁର ଆଣିବା ପାଇଁ । ଶଳା ର ମାସ ମାସ ଧରି ଦେଖା ନମିଳେ ଆଉ । ଅଚାନକ ଦିନେ ଶଳା ର ଘରେ ଆବିର୍ଭାବ ଦେଖି ଆଶ୍ଚର୍ଯ୍ୟ ହୋଇ କୁକୁର କାହିଁ ବୋଲି ପଚାରନ୍ତେ ଶଳା କହେ । 


ଭଲ କୁକୁର ଖୋଜିବା ରେ , କୁକୁର କିଣିବା ତାକୁ ନିତି ବୁଲେଇ ନେବା ଖାଇବା ଖର୍ଚ୍ଚ ଇତ୍ୟାଦି ପାଇଁ ଆହୁରି ଅଧିକା ଟଙ୍କା ଗଲାଣି ତା ପାଇଁ ଆହୁରି ଟଙ୍କା ମାଗୁଛ ମୋତେ ?

ମହାପାତ୍ର ବାବୁ କୁହନ୍ତି -" କୁକୁର କାଇଁ ?"

ଶଳା କୁହନ୍ତି ତାଙ୍କ ପତ୍ନୀ କହିଲେ ' ନୂଆ କୁକୁର ସେ ତାକୁ ଆୟତ ରେ ରଖି ପାରିବେନି ତେଣୁ ଆମେ ପାଖରେ ରହୁ ମହାପାତ୍ର ବାବୁ ଙ୍କୁ କହିବ ଆସି ମଝିରେ ମଝିରେ ଦେଖା କରି ଯିବେ ।

 ( ଶଳା ମହାପାତ୍ର ବାବୁ ଙ୍କୁ ଭଲ ବୋକା ବନେଇଛି ଏଇ ଗପରେ )


- ଗପ - ପ୍ରିତୀ ଉପହାର -

ମହାପାତ୍ର ବାବୁ ଙ୍କ ବଡ଼ ଭୁଲିବା ପ୍ରକୃତି ଅଛି , 

ଯୋଉଥି ପାଇଁ ନିଜ ଧର୍ମ ପତ୍ନୀ ଙ୍କ ପାଖରେ ସେ ବାରମ୍ବାର ଅସନ୍ତୋଷ ତିରସ୍କାର ର ପାତ୍ର ହୁଅନ୍ତି । ପ୍ରମୁଖ ଦିନ ମାନଙ୍କରେ ଶୁଭେଚ୍ଛା ଦେବାକୁ ଭୁଲି ଯାଆନ୍ତି ତ ପୁଣି ଅଦିନ ରେ ଖୁସି କରିବାକୁ ବାରମ୍ବାର ପ୍ରୟାସ କରି ଲଜ୍ଜିତ ହୁଅନ୍ତି । 

( ବେଶ୍ ମଜାଦାର ଗପଟେ )


-ଗପ - ପାରିଶ୍ରମିକ -

ଖୁବ୍ ସୁନ୍ଦର ଗପ ଏଇଟା , ମହାପାତ୍ର ବାବୁ ଙ୍କ ପତ୍ନୀ ନିଜ ରୋଷେଇ ଓ ଘରର ଯାବତୀୟ କାମ ପାଇଁ ପାରିଶ୍ରମିକ ଦାବି କରନ୍ତି ଆଉ ବିନା ପାରିଶ୍ରମିକରେ କିଛି ବି କାମ କରିବାକୁ ମନା କରି ଦିଅନ୍ତି । ପତ୍ନୀ ଙ୍କ ଏମିତି ଅଜବ ନିଷ୍ପତ୍ତି ର କାରଣ ଜାଣି ମୁଣ୍ଡରେ ହାତ ଦିଅନ୍ତି ଯେତେ ବୁଝାଇ ବୁଝାଇ ନିରାଶ ହୁଅନ୍ତି । ତାଙ୍କ ର ଯେତେ ନିବେଦନ ସବୁଥିରେ ପତ୍ନୀ ଅମଙ୍ଗ ହୁଅନ୍ତି । ଶେଷରେ ପତ୍ନୀ ଙ୍କୁ ଶେଷ ବ୍ରହ୍ମାସ୍ର ପ୍ରୟୋଗ କରନ୍ତି କଥା ଛଳରେ କହି ଦିଅନ୍ତି ତୁମେ ନକଲେ ଆଉ କ'ଣ ଝିଅ ଅଭାବ ଅଛନ୍ତି ବାସ୍ ସଉତୁଣୀ ଆସିବା ର ଭୟରେ ତାଙ୍କ ନିଷ୍ପତ୍ତି କୁ ହସି ଫୁ ରେ ଉଡେଇ ଦେଇ , ଥଟ୍ଟା କରୁଥିଲି କହି ପୁଣି କାମରେ ଲାଗି ପଡ଼ନ୍ତି ।


( ଖୁସି ଲାଗିଲା ଏଇ ଗପଟି ପଢିକି )

  


- ଗପ - କୁକିଙ୍ଗ୍ କ୍ଲାସ୍ -


 ମହାପାତ୍ର ବାବୁ ଯେତେବେଳେ ଜାଣନ୍ତି ତାଙ୍କ ପତ୍ନୀ ରୋଷେଇ ରେ ଖୁବ୍ ଶିଦ୍ଧହସ୍ତ ସେତେବେଳେ ଖୁବ୍ ଖୁସିରେ କୁରୁଳି ଯାଆନ୍ତି । ନାନା ରକମ ଦେଶୀ ବିଦେଶୀ ଖାଇବା ପ୍ରସ୍ତୁତ କରି ଖୁଆନ୍ତି ସମସ୍ତେ ପ୍ରିତ ହୁଅନ୍ତି ନୂଆ ବୋହୂ ଟି ପ୍ରତି । ତାଙ୍କ ଏ ସ୍ବାଦିଷ୍ଟ ରୋଷେଇ ବନ୍ଧୁ ବାନ୍ଧବ ଙ୍କ ଭିତରେ ବେଶ୍ ଚର୍ଚ୍ଚା ହୁଏ , ପ୍ରାୟ ବିଭିନ୍ନ ବାହାନା କରି ନୂଆ ବୋହୂ ଟିର ହାତ ରନ୍ଧା ଖାଇବା ପାଇଁ ଚାଲି ଆସନ୍ତି । ଆଉ ବୋହୂ ସମସ୍ତ ଙ୍କ ମୁହଁ ରେ ପ୍ରଶଂସା ଶୁଣି ସେମିତି ଅନବରତ ସମସ୍ତ ଙ୍କ ଫରମାଇସ ପୁରଣ କରି ଚାଲେ । ଶେଷରେ ରୋଷେଇ କରି କରି ଥକି ଯାଏ ନୂଆ ବୋହୂ । ଶାଶୁ ଏହା ଦେଖି ସହି ପାରନ୍ତିନି ନୂଆ ବୋହୂ ଟି କୁ କୁହନ୍ତି , ତୋର ସେ ସବୁ ରୋଷେଇ କରିବା ସେତିକି ଥାଉ ସେ ରୋଷେଇ ସବୁବେଳେ ଖାଇ ଖାଇ ଘରୋଇ ସାଧାରଣ ଖାଇବା ମଣିଷ ଝୁରି ହେଲାଣି । ଆଜି ରାତିରେ ଭାତ ଡାଲି ସହିତ ଆଳୁ ଚକଟା କରିବୁ ।

ବୋହୂ ଟି ଛାନିଆ ହୋଇ କୁହେ ମୁଁ ସେସବୁ ତ ରୋଷେଇ ଜାଣିନି , ମୁଁ ଏତେ ମାସ କୁକିଙ୍ଗ୍ କ୍ଲାସ୍ କରିଥିଲି କ'ଣ ଏଇ ଡାଲି ଆଳୁ ଚକଟା ଶିଖିବାକୁ !?


( ମହାପାତ୍ର ବାବୁ ଙ୍କ ପତ୍ନୀ ଙ୍କ ଉପରେ ଦୟା ଆସିଲା ଏଇ ଗପଟି ପଢି )


- ଗପ - ଆଧି ଘରବାଲି -


  ମହାପାତ୍ର ବାବୁ ଙ୍କ ଆଧି ଘରବାଲି ବା ଶାଳୀ ଦୁଇ ଟା ଅଛନ୍ତି । କିନ୍ତୁ ବିବାହ ଠାରୁ ତାଙ୍କ ସହିତ ଆଉ ସାକ୍ଷାତ ହୋଇନି ମହାପାତ୍ର ବାବୁଙ୍କର । ଶେଷରେ ସେ ଶୁଭ ଦିନଟି ଆସି ପହଞ୍ଚେ ନିଜକୁ ଯଥେଷ୍ଟ ସାଇଜ ସଫେଇ କରି ନିଜ ପତ୍ନୀ ଙ୍କ ସହିତ ତାଙ୍କ ଘର କୁ ଯାଆନ୍ତି । କିନ୍ତୁ ସେଠି ପହଞ୍ଚିବା ପରେ ତାଙ୍କ ମନ ଟା ଆମ୍ବିଳା ହୋଇଯାଏ , ତାଙ୍କ ଆଧୁନିକା ଶାଳୀ ଦୁଇ ତାଙ୍କୁ ପସନ୍ଦ କରନ୍ତି ନି । ଶେଷରେ ଦିଦିଙ୍କ ପରାମର୍ଶ ନେଇ ଭାଇନା କୁ ନେଇ ଯାଆନ୍ତି ବିୟୁଟିପାର୍ଲର ତାଙ୍କ ବେଶ ବୁସା ସଂପୂର୍ଣ୍ଣ ବଦଳାଇ ଦିଅନ୍ତି । 

ବାଳ ନୂଆ ଢଙ୍ଗରେ କାଟି ରଙ୍ଗିନ କରି ଦିଅନ୍ତି , ତାପରେ ସୋ ରୁମ୍ ଯାଇ ନାନା ପ୍ରକାର ଡ୍ରେସ୍ କିଣି ଆଣନ୍ତି । ଯାହାକୁ ବାଧ୍ୟ ବାଧକତାରେ ପିନ୍ଧନ୍ତି ମହାପାତ୍ର ବାବୁ । ନିଜକୁ ଆଇନା ରେ ଦେଖି ଛାନିଆ ହୁଅନ୍ତି । କିନ୍ତୁ ଶାଳୀ ଦୁଇ ତାଙ୍କୁ ଏବେ ପସନ୍ଦ କରନ୍ତି ଆଉ ତାଙ୍କୁ ଏକ ଆଧୁନିକ ପାର୍ଟି କୁ ବୁଲେଇ ନେଇ ଯାଆନ୍ତି । ସମସ୍ତେ ମହାପାତ୍ର ବାବୁଙ୍କ ନୂଆ ରୂପ ଦେଖି ବେଶ୍ ପ୍ରଶଂସା କରନ୍ତି । ମହାପାତ୍ର ବାବୁ ଙ୍କୁ ତାଙ୍କ ର ଏକ ରୂପ ଢଙ୍ଗ ଅବାଗିଆ ଲାଗୁଥିଲେ ମଧ୍ୟ ଅନ୍ୟଙ୍କ ମୁହଁ ରେ ପ୍ରଶଂସା ଶୁଣି ଖୁସି ହୁଅନ୍ତି ମନେ ମନେ କୁରୁଳି ଯାଆନ୍ତି । 

ହେଲେ ଦୁଇ ତିନି ଦିନ ର ଶଶୁର ଘର ମସ୍ତି ସରିଲା ପରେ ସେଇ ନୂଆ ବେଶ ନେଇ ଯେତେବେଳେ କଲେଜ ଯାଆନ୍ତି 

। ତାଙ୍କ ସିନିୟର୍ ତାଙ୍କୁ ବେଶ୍ କିଛି କହି ବିଦା କରି ଦିଅନ୍ତି । 


"' ଏଠି ପିଲାଙ୍କୁ ପଢାଇବା କୁ ଆସିଛନ୍ତି ନା ଫେସନ ସୋ ରେ ଭାଗ ନେବାକୁ ? ଏଠି କି ପ୍ରହସନ ଚାଲିଛି ?  ଯୋଉ ଦିନ ପୁର୍ବ ବେଶକୁ ଫେରିବେ ସେଇଦିନ ହିଁ ପିଲା ଙ୍କ ସାମ୍ନା କୁ ଆସିବେ ତା ପୁର୍ବ ରୁ ନୁହେଁ ।"


( ମହାପାତ୍ର ବାବୁ ଲଜ୍ଜିତ ହୁଅନ୍ତି । ଶାଳୀ ପ୍ରେମ ଏକାଥରେ ଉତୁରି ଯାଏ ମୁଣ୍ଡ ରୁ । ଅଯଥା ଏତେ ପଇସା ବର୍ବାଦ କରି ଥିବାରୁ ମନ ଭାରି ହୋଇଯାଏ )


 

ଗପ - କି ରୋଗ ଧରିଲା ଲୋ ସଜନୀ .... -


 ଅଚାନକ ଦିନେ ମହାପାତ୍ର ବାବୁ ଙ୍କୁ କବିତା ଲେଖିବାର ନିଶା ଘାରିଲା । ଯାହା ମନେ ପଡ଼ିଲା ପଛେ ଅଧେ ଗାଧେଇ ଦେଇ ଖୁବ୍ ଖୁସି ହେଲେ । ଜରୁରୀ କାମ କୁ ପଛରେ ପକାଇ ଦେଉଥିଲେ କବିତା ଦୁଇ ଧାଡ଼ି ଲେଖିବା ପାଇଁ । ଅଫିସ କର୍ମଚାରୀ ଙ୍କ ମୁହଁରୁ ନିଜେ ଶୁଣାଇଥିବା କବିତା ର ପ୍ରଶଂସା ଶୁଣି କୁରୁଳି ଉଠିଲେ । ଆହୁରି ଲେଖି ଚାଲିଲେ ସେମିତି କେତେବେଳେ ଅଟା ଆଣିବା ଯାଗାରେ ଚାଉଳ ନେଇ ଆସୁଥିଲେ ତ କୋଉଠି ଅଧା ଗାଧୁଆ ରୁ ଉଠି , ଅଧା ବାଟରେ ଗାଡ଼ି ବନ୍ଦ କରି ଲେଖି ପକାଉଥିଲେ କବିତା । ଜଣେ ହିତାକାଙ୍କ୍ଷୀ ଙ୍କ ପରାମର୍ଶ କ୍ରମେ କବିତା ସଂକଳନ ଟେ ଛାପିବା ପାଇଁ ଗୋଟେ ପ୍ରେସ୍ ରେ ଦିଅନ୍ତି , ଆଜି କାଲି କହି ଦଉଡେଇ ଶେଷରେ ତାଙ୍କ କବିତା ଆଜିକା ପରି ଏତେ ଉନ୍ନତ ନୁହଁ କହି ଫେରେଇ ଦିଅନ୍ତି । ହେଲେ ମହାପାତ୍ର ବାବୁ ନିରାଶ ହୁଅନ୍ତି ନି ମନକୁ ଦମ୍ଭ କରି ଭାବନ୍ତି ଦେଖିବ ଦିନ ଆସିବ ମୋ କବିତା ଛାପିବା ପାଇଁ ଏଇ ମାନେ ମୋ ଆଗରେ ଗୁହାରି କରିବେ । ଶେଷରେ ସମ୍ବାଦ ପତ୍ର କୁ ତାଙ୍କ ଲେଖା ପଠାନ୍ତି ହେଲେ କୈାଣସି ଗୋଟିଏ କାଗଜ ରେ ବି ତାଙ୍କ ଲେଖା ଛପା ହୁଏନି । ତଥାପି ତାଙ୍କ କବିତା ଲେଖା ସେ ଛିଡନ୍ତିନି ଏମିତି ଦିନେ ପତ୍ନୀ ଙ୍କୁ ନେଇ ଶଶୁର ଘର ଯିବେ ବୋଲି କଥା ଦିଅନ୍ତି ହେଲେ କବିତା ଆଳରେ ସବୁ ଭୁଲି ବସନ୍ତି । ପତ୍ନୀ ଶେଷରେ ରାଗିକି ତାଙ୍କ ର ସର୍ବସ୍ବ କବିତା ସମ୍ଭାର ପୋଡ଼ି ପାଉଁଶ କରି ଦିଅନ୍ତି ।


( ଖୁବ୍ ମଜାଦାର ଗପ ଏଇଟା )


ଗପ - ଛୁଟି ର ଶୋକ -


ଏଥର ଛୁଟି ରେ ମହାପାତ୍ର ବାବୁ ପତ୍ନୀ ଙ୍କ ସହ ବାହାରକୁ ବୁଲି ଯିବାକୁ ସ୍ଥିର କରନ୍ତି । ପିଲା ଙ୍କୁ ସେମାନଙ୍କ ଆଈମା ପାଖେ ଛାଡି ଦେଇ ବୁଲି ବାହାରି ପଡ଼ନ୍ତି । ଦୁଇ ଦିନ ବୁଲାବୁଲି କୁ ବେଶ୍ ଉପଭୋଗ କରନ୍ତି ଉଭୟେ ଶେଷରେ ହୋଟେଲରେ ରହିବାକୁ ସ୍ଥିର କରନ୍ତି । ହେଲେ ଅଚାନକ ରେଳ ଷ୍ଟେସନ ରେ ଗାଁ ର ଜଣେ ସଂପର୍କୀୟ ଦେଖା ହୋଇ ବାଧ୍ୟ କରି ତାଙ୍କ ଘରକୁ ନେଇ ଯାଆନ୍ତି । ତାଙ୍କ ଘରକୁ ବାଧ୍ୟରେ ଯାଇ ସେଠିକାର କୋଳାହଳ ରେ ପେସି ହୋଇ ରୋଷେଇ ବାସ କରି ପତ୍ନୀ ଙ୍କ ବୁଲିବା ଠାରୁ ଏ ଦୁଃଖ ବଳିପଡେ । ମହାପାତ୍ର ବାବୁ ଙ୍କୁ ଏଥିପାଇଁ ଦୋଷୀ କରାନ୍ତି , ସେ କାହିଁକି କୈାଣସି ବାହାନା କରି ଏଠିକୁ ଆସିବାକୁ ମନା କଲେନି ବୋଲି ।


- ଗପ - ଅଂଶୁଘାତ-


ଏକ ସୁନ୍ଦର ପ୍ରେମ ଗପ ଏଇଟା ।


ବୟସ ର ଅପରାହ୍ନ ରେ ପତି ପତ୍ନୀ ଉପନୀତ । ଉଭୟଙ୍କ ଚିଡିଚିଡା ପଣ ଘରୋଇ ଟେନସନ୍ । 

ଏମିତି ରେ ଆଉ ଆଗ ଭଳି ମହାପାତ୍ର ବାବୁ ଙ୍କ କଥା ପତ୍ନୀ ସ୍ନେହ ରେ ଶୁଣନ୍ତିନି ମିଠା ଗପ କରନ୍ତିନି ସବୁବେଳେ ଚିଡି ଚିଡା ରେ ଜବାବ୍ ଦିଅନ୍ତି । ଏମିତି ଛୋଟ ଛୋଟ ମନାନ୍ତର ମତାନ୍ତର ଭିତରେ ଚିଡି ଯାଇ ମହାପାତ୍ର ବାବୁ ଘର ଛାଡ଼ି ଚାଲି ଯାଆନ୍ତି ପତ୍ନୀ ଙ୍କ ଉପରେ ଅଭିମାନ କରି । ତାପରେ ବହୁତ ଖୋଜା ଖୋଜି କରିବା ପରେ ଶେଷରେ ଖବର ପାଆନ୍ତି ମେଡିକାଲ ରେ ଅଛନ୍ତି ଅଂଶୁଘାତ ର ଶିକାର ହୋଇ । 


ମେଡ଼ିକାଲ ବେଡ୍ ରେ ତାଙ୍କୁ ଦେଖି ବୋହୂ ଆଗରେ କହୁଥାନ୍ତି ପତ୍ନୀ କାନ୍ଦି କାନ୍ଦି ," ମୁଁ କ'ଣ କଲି ? କାହିଁକି ଏମିତି କଥା ତାଙ୍କୁ କହିଲି ? ନିଜକୁ ଟିକିଏ ରୋକି ଦେଇଥିଲେ ଆଜି ଏମିତି ଏତେ ବଡ଼ ଅନର୍ଥ ହୋଇ ନଥାନ୍ତା ।


ତାପରେ ମହାପାତ୍ର ବାବୁ ଙ୍କ ପାଖକୁ ଯାଇ ତାଙ୍କ ହାତ ଧରି କୁହନ୍ତି ଲୁହ ଛଳ ଛଳ ଆଖି ରେ ଆଉ କେବେବି ତମକୁ ଏମିତି କଥା କହିବିନି ମୋତେ କ୍ଷମା କରିଦିଅ । ଶିଘ୍ର ସୁସ୍ଥ ହୋଇ ଘରକୁ ଫେରିଚାଲ । ତମ ଉପରେ ରାଗି ମୁଁ କଣ ସତରେ ବଞ୍ଚି ରହି ପାରିବି ?


ମହାପାତ୍ର ବାବୁ ଭାବିଲେ ଅଂଶୁଘାତ କାହାପାଇଁ କଷ୍ଟ ଆଣିଦିଏ କିନ୍ତୁ ତାଙ୍କ ପାଇଁ ଏ ଅଭିଜ୍ଞତା କହୁଛି ଏହାତ ବସନ୍ତ ଠାରୁ ଆହୁରି ମନୋରମ ମାଧୁର୍ଯ୍ୟ ରେ ଭରପୁର ।


( ଅନୁରାଗ ରେ ଭରପୁର ସୁନ୍ଦର ଗପଟି ଇଏ )


 ଲେଖିକା କମଳା ଶତପଥୀ ମାମ୍ ଙ୍କ ଶବ୍ଦ ସଂଯୋଜନା ଖୁବ୍ ସୁନ୍ଦର , ସରଳ । ଏ ପୁସ୍ତକ ରେ ଖୁବ୍ ସୁନ୍ଦର ଭାବରେ ଚରିତ୍ର ଘଟଣାବଳି କୁ ଉପସ୍ଥାପିତ କରିଛନ୍ତି ଯାହାକୁ ପଢ଼ିବା ବେଳେ ସନ୍ତୋଷ ଲାଗୁଛି ଆଉ ବେଶ୍ ଖୁସି ବି ।

 

 ' ମହାପାତ୍ର ବାବୁ ଙ୍କ ହାଲ୍ ଚାଲ୍ ' ଏ ପୁସ୍ତକ ଟି ଆହୁରି ଲୋକ ପ୍ରିୟତା ହାସଲ୍ କରୁ । 

ଗାଳ୍ପିକା ଆହୁରି ସୁନ୍ଦର ସୁନ୍ଦର ଗପ ବହି ପାଠକ ପାଠିକା ମାନଂକୁ ଏମିତି ଭେଟି ଦେଉଥାନ୍ତୁ । 


ତାଙ୍କ ର ଏ ସୁନ୍ଦର ସୃଷ୍ଟି ପାଇଁ ହୃଦୟ ରୁ ଅନେକ ଶୁଭକାମନା ସହ ଧନ୍ୟବାଦ 🙏 😊💐


Rate this content
Log in

Similar oriya story from Comedy