ଦିବା ସ୍ୱପ୍ନ
ଦିବା ସ୍ୱପ୍ନ
ମୁଁ ପହଞ୍ଚୁ ପହଞ୍ଚୁ ଟିକେ ଡେରି ହେଇଗଲା । ସେତେବେଳକୁ ରୁବି ନାନୀ ଆଉ ଲିପି ନାନୀ ର ବାହାଘର ଆମ ଗ୍ରାମ ଦେବତୀ ମନ୍ଦିର ରେ ସରିବା ଉପରେ । ଗୋଡ଼ ଥୋଇବାକୁ ଯାଗା ନାଇଁ ମନ୍ଦିର ଚାରି ପାଖରେ । ସମସ୍ତଙ୍କ ଆଖିରେ ଖୁସି ର ଲୁହ ଗାଁ ର ସମସ୍ତ ଲୋକେ ଉପସ୍ଥିତ ସେଠି । ସମସ୍ତ ସ୍ତ୍ରୀ ଲୋକ ଙ୍କ ପାଟି ରେ ହୁଳହୁଳି ର ଚହଳ ପଡୁଛି । ହୁଳ ହୁଳ ନୁହେଁ ତ ଯେମିତି ଆଶୀର୍ବାଦ ଦେଉଛନ୍ତି ଗାଁ ର ସେଇ ଦୁଇ ଦୁଃଖିନୀ ଝିଅକୁ ଅହ୍ୟସୁଲକ୍ଷଣୀ ହେବାର ।
ରୁବି ନାନୀ ଆଉ ଲିପି ନାନୀ ର ବାପା ଏମାନଙ୍କୁ ପିଲାଟି ବେଳୁ ବାପ ଛେଉଣ୍ଡ କରି ଚାଲି ଯାଇଛନ୍ତି। ଜଣେ ଆରପାରିକୁ ଆଉ ଜଣେ ପରକୀୟା ପ୍ରୀତିରେ ମଜ୍ଜି ନିଜ ସ୍ତ୍ରୀ କୁ ଛାଡି ରହୁଛି ବିଦେଶରେ ଦଶ ବର୍ଷ ହେଲାଣି ଦେଖା ଦର୍ଶନ ନାଇଁ ତାର । କିନ୍ତୁ ଏବେବି ସନିଆ ସ୍ତ୍ରୀ ସିନ୍ଥିରେ ସିନ୍ଦୂର ଲଗାଏ କି ଭଲପାଇବା ଏ କେଜାଣି ତାର ?
ଦୁହିଁଙ୍କ ବାପ ପର କରିଦେଲା ପାଖରୁ ଦୁହେଁ ବହୁତ କଷ୍ଟରେ ଶାଗ ଭାତ ଖାଇ ଦିନା ସାର୍ ଙ୍କ ଘରେ ନିଧି ପ୍ରଧାନ ଘରେ କାମ କରି ନିଜ ପେଟ ପୋଷିଛନ୍ତି ଆଉ ନିଜ ସାନ ଭାଇ ଆଉ ମାଆ ସହ ଜୀବନକୁ ବହି ନେଇଛନ୍ତି ଆଗକୁ। ଗାଁ ରେ ସମସ୍ତ ଙ୍କ ପ୍ରିୟ ଏ ଦୁଇ ଝିଅ କେହି ବୋଲି କେହି ନିନ୍ଦା କରିବେନି କୌଣସି କାମରେ ୟାଙ୍କୁ । ଡାକିଦେଲେ ସାଙ୍ଗେ ସାଙ୍ଗେ ଓ କରିବେ କାମ ହାତରୁ ଛଡେଇ ନେଇ କରିଦେବେ । ମନରେ ଟିକିଏ ବି ଛଳନା ନାଇଁ ଏମାନଙ୍କ ଠାରେ । ସେଥିପାଇଁ ସମସ୍ତେ କୋଟି ଆଦର କରନ୍ତି ।
ଆଜି ସେମାନେ ଯେବେ ଏକୋଇଶି ବାଇଶି ବର୍ଷ ରେ ପାଦ ଥାପିଲେଣି। ଗାଁ ରେ ସଭା ବସିଲା ଆଲୋଚନା ହେଲା ସମସ୍ତ ଙ୍କ ଗୋଟିଏ ମତ ହେଲା , ଏଯାବତ୍ ଗାଁ ର ଉନ୍ନତି ପାଇଁ ଖର୍ଚ୍ଚ ହୋଇ ଆସୁଥିବା ଗାଁକଲ୍ୟାଣ ଫଣ୍ଡ୍ ରୁ ଟଙ୍କା ଖର୍ଚ୍ଚ ହେବ ସେ ଦୁହିଁଙ୍କ ବାହାଘର ପାଇଁ ।
ଜ୍ବାଇଁ ଖୋଜା ଖୋଜି ଆରମ୍ଭ ହେଲା ଆଠ ମାସ ଲାଗିଗଲା ଦୁଇ ଜଣଙ୍କର ଜୀବନସାଥି ଠିକ୍ ହେବା ପାଇଁ । ଲିପି ନାନୀ ର ଆଗେ ଠିକ୍ ହୋଇଗଲା । ପୁଅ ବିଦେଶ ଚାକିରୀ ଲିପି ନାନୀ ର ସୁନ୍ଦରିଆ ମୁହଁ ଦେଖୁ ଦେଖୁ ଗୋଟେ ଥରରେ ହିଁ ହଁ କରିଦେଲା ପୁଅ । ଲିପି ନାନୀ ଆଉ ରୁବି ନାନୀ ଏ ଦୁଇ ଜଣଙ୍କର ବିବାହ ଏକା ସାଙ୍ଗ ରେ ହେବ ବୋଲି ଲିପି ନାନୀ ବାହାଘର କୁ ସ୍ଥଗିତ ରଖାଗଲା । ରୁବି ନାନୀ ର ବି ଶାଶୁ ଘର କିଛି ମାସ ପରେ ସ୍ଥିର ହୋଇଗଲା ତା ବର ଭଲ ପ୍ରତିଷ୍ଠିତ ବ୍ୟବସାୟୀ ଗୋଟିଏ ବୋଲି ପୁଅ ।
ତେବେ ରୁବି ନାନୀ ର ଶାଶୁଘର ଲୋକେ ଜ୍ବାଇଁ ର ଚେନ ମୁଦି ସାଙ୍ଗ କୁ ପଚାଶ ହଜାର ଟଙ୍କା ଡିମାଣ୍ଡ ନେଲେ । ଆଉ ଲିପି ନାନୀ ର ଶାଶୁ ଘର ଲୋକେ ବହୁତ ଭଲ କିଛି ବି ଡିମାଣ୍ଡ କଲେନି କହିଲେ କେବଳ ଆମର ବୋହୂଟିଏ ଦରକାର । କିନ୍ତୁ ଦାଣ୍ଡ ସୁନ୍ଦର ପୁଣି କିଛି ଗୋଟେ ଅଛି ନାଁ ନାଇଁ ? ତାପରେ ଆମ ଗାଁ କଲ୍ୟାଣପୁର ର ବି ଗୋଟେ ମାନ ସମ୍ମାନ ଅଛି , କହିବେ ବାପ ଛେଉଣ୍ଡ ବୋଲି ସେମିତି ବିଦା କରିଦେଲେ ? ସେୟା କୁ ଆଖି ଆଗରେ ରଖି ପୁଅ ଟିକୁ ସୁନ୍ଦର ଲାଗିବା ପରି ଗୋଟେ ସୁନା ମୁଦି ଆଉ ଘର ସଜ ପାଇଁ ଆସବାବ ପତ୍ର ଦେଇ ବିଦା କରିଥିଲେ ।
ଗାଁ ଦେବତୀ ମନ୍ଦିର ରେ ସେ ଦୁହେଁ ବାହା ହୋଇ ବିଦା ହେଲା ବେଳେ ତାଙ୍କ ବୁକୁଫଟା କାନ୍ଦରେ ଗାଁ ଟା ଯାକ ସଭିଏଁ ଲୁହ ରେ ଗୋଟାପଣେ ଓଦା ହୋଇଥିଲେ । ସେଦିନ ଗାଁ ର ଆବାଳ ବୃଦ୍ଧ ବନିତା ସମସ୍ତ ଙ୍କ ପାଇଁ ଗୋଟିଏ ହାଣ୍ଡି ରେ ରୋଷେଇ ହୋଇଥିଲା
ଗାଁ ମନ୍ଦିରରେ । ସମସ୍ତେ ହାତ ଚାଟି ଖୁବ୍ ଖୁସିରେ ଖାଇ ଥିଲେ ।
ଦୁହିଁଙ୍କ ବାହାଘର ରେ ଖର୍ଚ୍ଚ ହୋଇଥିବା ସମସ୍ତ ଟଙ୍କା ଗାଁ କଲ୍ୟାଣ ଫଣ୍ଡ୍ ରୁ ଖର୍ଚ୍ଚ କରା ଯାଇଥିବାରୁ। ଶେଷକୁ ସଭା ବସିଲା ହିସାବ କରାଗଲା ଦୁହିଁଙ୍କ ବାହାଘର ରେ ଚାରି ଲକ୍ଷ ଷାଠିଏ ହଜାର ଟଙ୍କା ଖର୍ଚ୍ଚ ହୋଇଛି।
ଆମ ଗାଁ ର ଗୋଟେ ଭଲ ନୀୟମ ଅଛି ଯୋଉଟା ଜାଣିଲେ ଆପଣମାନେ ଖୁସି ହେବେ । ସେଇଟା ହୁଏତ ଆଉ କୋଉଟି ମୁଁ ଦେଖିବାକୁ ପାଏନା । ଆମ ଗାଁ ରେ ମୋଟ ଆଠ ଶହ ଚାଳିଶ ଘର । ପ୍ରତି ମାସ ରେ ଟଙ୍କା ପଚାଶ ଲେଖାଏଁ ଆଦାୟ କରାଯାଏ ଗାଁ ର ଉନ୍ନତି ମୂଳକ କାମରେ ଲାଗିବା ପାଇଁ । ଗାଁ କଲ୍ୟାଣ ନାଁ ରେ ଗୋଟିଏ ଜମା ଖାତା ଅଛି ସେଇଟି ରଖାଯାଏ ସବୁ ଟଙ୍କା। କୌଣସି ଅସୁବିଧା ପାଇଁ ଟଙ୍କା ଦରକାର ହେଲେ ଗାଁ ରେ ସଭା ବସି ଆଲୋଚନା କରା ଯାଏ ଆଉ ଟଙ୍କା ଉଠାଣ ହୁଏ ତାପରେ କାମ ସମ୍ପାଦନ କରାଯାଏ ।
ଆମ ଗାଁ ରେ ସରସ୍ବତୀ ପୂଜା , ଗଣେଶ, ଲକ୍ଷ୍ମୀ , ଦୂର୍ଗା , ଶ୍ରୀରାମ ନବମୀ ଏମିତି ସବୁ ପୂଜାରେ ମୂର୍ତ୍ତି ପୂଜା ହୁଏ ଭଜନ କୀର୍ତ୍ତନ ହୁଏ ଖୁବ୍ ଶ
ାନ୍ତି ପରିବେଶ ରେ ଭକ୍ତି ଭକ୍ତି ଲାଗେ ସେ ମୁହୂର୍ତ୍ତ ସବୁ । କିନ୍ତୁ ଗୋଟେ ବି ବଦଖର୍ଚ୍ଚ କରା ଯାଏନି । ଏଇ ଯେମିତି ଡିଜେ ମାଇକ୍ ଲଗେଇ ଠାକୁର ବିସର୍ଜନ ପରେ ତାକୁ ଗାଁ ସାରା ବୁଲେଇ ଅତି କର୍କସ ଆବାଜ ରେ ଗାଁ ଗୋଟାକୁ ଉଠେଇବା ପକେଇବା , ମଦ ପାଣି ପିଇ କଳି ଝଗଡା କରି ରାତି ପାହିଲା ବେଳକୁ ହଜାରେ କେସ୍ ସାମ୍ନା କରି ଅପମାନିତ ହେବା ପର ଗାଁ ରେ ନିଜ ଗାଁ ର ନାଁ ତଳେ ପକେଇବା । ଶେଷକୁ ଦେଖିବା ବେଳକୁ ଉନ୍ନତି ମୂଳକ କାମ ଗୋଟେ କିଛି ବି ହୋଇ ନଥାଏ କିନ୍ତୁ ଦଶଦିନ ଭିତରେ ଗୋଟେ ପୂଜା ମେଢ଼ ପିଛା ପ୍ରାୟ ଲକ୍ଷାଧିକ ଟଙ୍କା ର ବଦଖର୍ଚ୍ଚ ହୋଇ ସାରିଥାଏ । ଟିକିଏ ମନୋରଞ୍ଜନ ପାଇଁ ଅଯଥା ଟଙ୍କା ଖର୍ଚ୍ଚ । ଯାହା ହେଉ ଏସବୁ ହେବାରୁ ଆମ ଗାଁ ବଞ୍ଚିତ । କାଇଁ କୋଉ ଜେଜ ଅଣଜେଜ ଅମଳ କାଳରୁ ଗାଁ କଲ୍ୟାଣ ଫଣ୍ଡ୍ ସ୍ଥାପିତ ହୋଇଛି । ଗାଁ ର ଉନ୍ନତି ମୂଳକ କାର୍ଯ୍ୟ ରେ ନିୟୋଜିତ ହେବା ପାଇଁ । ଆମ ଗାଁ ରେ ଏତିକି ଅଛି ଗାଁ ର ସୁବିଧା ଅସୁବିଧା କୁ ଗାଁ ଗୋଟାକ ଏକ ହୋଇ ତାର ସମାଧାନ କରନ୍ତି। ସେଥିପାଇଁ ମୋତେ ଗର୍ବ ଲାଗେ ଆମ ଗାଁ ପାଇଁ ।
କଣ କିରେ ... ଆସି ସାତଟା ବାଜିଲାଣି ଶୋଇଚୁ.. ? ତୋତେ କଣ ବେଳ ହେଇନି ? ପଦିଆ ଆସି ଚାରି ଥର ଡାକି ଗଲାଣି । କି ମେଢ଼ କରୁଛ କି ? ଟିକେ ସେ ମାଇକ ବାଲା କୁ କହିବୁ ଟି ସାଉଣ୍ଡ ଟିକେ କମେଇବ ମୁଣ୍ଡ ଖରାପ କରି ଦଉଚି ଘୋ ଘୋ ଆବାଜ୍ ରେ । ଭଲ ଗୀତ ଗୋଟେ ନାଇଁ ବଜେଇବାକୁ ସବୁବେଳେ ଖାଲି ହୁମୁଦୁମୁ ଗୀତ ?
ମୁଁ ଆଖି ମଳି ପଦାକୁ ଚାହିଁଲି ଖରା ଆସି ଆମ କାନ୍ଥ ଅଧାରେ ପଡ଼ିଲାଣି କେଡେ ସୁନ୍ଦର ସ୍ବପ୍ନ ଟାଏ ସତରେ ଦେଖୁଥିଲି ମୁଁ .. ! ତଥାପି ସ୍ବପ୍ନ ଟି ଆବୋରି ବସିଥିଲା ମୋତେ ।
ମୁହଁ ଧୋଇ ବ୍ରସ୍ ପାଟିରେ ପୁରେଇ ତଳ ଦାଣ୍ଡ କୁ ପଳେଇଲି । ଘେରି ଗଲେ ମୋତେ ଆମ ଦଳ ଯାକ । ମୁଁ କୌଣସି ମୁଖ୍ୟ ଭୂମିକା ରେ ନଥିଲେ ବି ପ୍ରମୁଖ ଭୂମିକା ଟେ ମୋର ଥିଲା । ତେଣୁ କଣ ହବ ନହେବ ସବୁ କଥା ମୋ କାନକୁ ଆଗ ଆସୁଥିଲା ।
ଏଥର ସମ୍ବଲପୁରୀ ବ୍ୟାଣ୍ଡ ପାର୍ଟି ଆସିବ । ଷାଠିଏ ନବ କହୁଛି କିଛି ଗୋଟେ ମୂଲଚାଲ ଛିଡେଇ କଥା ଟା ଯେମିତି ହେଲେ ପକ୍କା କରିବାକୁ ପଡ଼ିବ ନହେଲେ ଅରଖପୁର ଗାଁ ଆଗରେ ଆମ ଇଜତ୍ ରହିବନି । ଦିପୁନି ଆସି କହିଲା , ଏ ବଇଆ କହୁଛି ମାଲ୍ କାଉଣ୍ଟର ରେଟ୍ ରେ ଦବନି ପାଞ୍ଚ ଟଙ୍କା ଉଚା ନବ । ଦୁଇ ବର୍ଷ ହେଲାଣି ତ ସେଇ ରେଟ୍ ରେ ଦେଉଥିଲା କିଛି କହୁନଥିଲା ଆମେ କଣ ବାକି ରଖୁଛୁ ନାଁ କଣ ? ଏଥର ଶଳା ରୋଲ୍ କାଇଁ କରୁଚି ? ଶେଷକୁ କଥା ସ୍ଥିର ହେଲା ମାଲ୍ ଆସିବ ସିଧା କାଉଣ୍ଟର ରୁ । ଦଶହଜାର ଟଙ୍କା ପାଖାପାଖି ମାଲ୍ ଆସୁଛି ବଇଆ କୁ କାଇଁ ଅଯଥା ଟଙ୍କା ଦୁଇ ହଜାର ଅଧିକ ଦବୁ । ଆଉ ଟୁକୁରୁ ମୁକୁରୁ ଆଲୋଚନା ସବୁ ସଂଧ୍ୟା ବେଳକୁ ବାକି ରହିଲା ।
ମୁଁ ମୁହଁ ଧୋଇ କଣ ଦିଟା ଜଳଖିଆ ଖାଇବାକୁ ଘର ମୁହାଁ ହେଲି ତ ଲିପି ନାନୀ କୁ ଦେଖିଲି ଆମ ଘରୁ କଖାରୁ ଡଙ୍କ କେଇ ଖଣ୍ଡ ତା ଓଢ଼ଣୀ ରେ ଛାତି ପାଖରେ ଜାକି ଧରି ନେଇ ଯାଉଥିଲା । ଦେହରେ ଆଉ ମୁଣ୍ଡ ବାଳରେ ଅଯତ୍ନ ର ଚିହ୍ନ ବେସ୍ ବାରି ହୋଇ ପଡ଼ୁଥିଲା । ସାବୁନ୍ ସାମ୍ପୋ କି ତେଲ କୋଉ କାଳୁ ଯେମିତି ତା ଦେହରେ ବାଳରେ ବାଜିନି । ଆଉ ତାର ବାଇଶି ବର୍ଷ ର ମୁହଁ ମୋତେ ଖୁବ୍ ବୟସ୍କ ବୟସ୍କ ଦିଶୁଥିଲା ।
ଆଉ ଲିପି ନାନୀ କଥା ଅଲଗା ସେ କାଳେ ନିଜ ଗୁଜୁରାଣ ମେଣ୍ଟାଇବାକୁ କାଳେ ପଦ୍ମପୁର ର କୋଉ ଟୋକା ସହ ସଂପର୍କ ରେ ଅଛି ବୋଲି ଶୁଣିବାକୁ ମିଳୁଛି.. । ସତରେ ମୁଣ୍ଡ ଉପରେ ବାପ ର ହାତ ନଥିବା କି ଆଉ ଶାସନ କରିବାକୁ ଉପରେ କେହି ବଡ଼ ଯଦି ନଥିବେ ଭଲ ମନ୍ଦ କୁ ସେ ପିଲାଟି ଆଉ କ'ଣ କରିବ ? କେମିତି ରହିବ ? ନିଜ ପେଟ ପାଇଁ ପରିବାର ପ୍ରତିପୋଷଣ ପାଇଁ କିଛି ତ ଗୋଟେ ଆପଣେଇବ ନାଁ ..? ସିଏ ସମାଜ ଆଖିରେ ଭୁଲ୍ ହେଉ କି ଠିକ୍... ।
ନିଜ ସୁଖ ରେ ନିଜ ସ୍ବାର୍ଥ ପାଇଁ ଆମେ ସୁଖି ସବୁବେଳେ ପରକଥା ଚିନ୍ତା କରିବାକୁ ଏଠି କାହା ପାଖରେ ବେଳ କାଇଁ ?
ମୋ ପାହାନ୍ତା ପ୍ରହର ସ୍ବପ୍ନ ଟା କେତେ ସୁନ୍ଦର ଥିଲା ସତରେ ଆଉ ବାସ୍ତବତା କେତେ କରୁଣ ?
ମୋ ସ୍ବପ୍ନ ପରି ଗାଁ ଟିଏ ଗଢିବାର ମାନସିକତା କଣ ଲୋକଙ୍କ ମନରେ କେବେ ଆସିବନି ? ନିଜର ବ୍ୟକ୍ତିଗତ ଖୁସି କଥା କୁ ପଛ କରି ସାମୁହିକ ସ୍ୱାର୍ଥ ପାଇଁ ଖୁସି ପାଇଁ କଣ କେହି କେବେ ଚିନ୍ତା କରିବେନି ? କେଜାଣି ?
ମୁଁ ହୁଏତ ସ୍ବପ୍ନ କୁ ନେଇ ଟିକେ ଅଧିକ ଭାବୁକ ହେଇ ଯାଇଚି । ଯାଏ ଯାଏ ସ୍ୟାଡେ ଭସାଣି ପାଇଁ ମିଟିଙ୍ଗ୍ ବସିବ ଆର ଓଳି କୁ ।