ପଙ୍କ
ପଙ୍କ
ଅନାମିକା କଣ କରିବ ତାକୁ କିଛି ବି ବୁଦ୍ଧି ବାଟ ଦିଶୁନଥିଲା । ଚାରି ଦିଗ ଅନ୍ଧାର ଦିଶୁଥିଲା ଯେମିତି । ଇଛା ତ ହେଉଥିଲା ମରି ଯିବାକୁ । ଦାନାଦର କଦଳୀ ଭିତରେ ପୁରେଇ ଖାଇ ଦେଇ ଶୋଇ ପଡନ୍ତା ନହେଲେ ପାଖ ଟ୍ରେନ୍ ଲାଇନ୍ କୁ ଅଧ ରାତି ରେ ଯାଇ ମୁଣ୍ଡ ଦେଇ ଦିଅନ୍ତା । କିନ୍ତୁ ଲୋନିକା ଆଉ ପିଦୁନ୍ ମୁହଁ କୁ ଚାହିଁ ଦେଲେ ମାଆ ମନଟା ବିକଳ ହେଇ ଯାଉଛି । ସେ ଯଦି ଚାଲିଯାଏ ୟାଙ୍କ ଅବସ୍ଥା କଣ ହେବ ?
ଏକଥା ସ୍ବାମୀ କୁ କହି ପାରିବନି କି ପୋଲିସ ର ଆଶ୍ରୟ ବି ନେଇ ପାରିବନି । ଯାହା ବି କଲେ ଆଗ ନିଜ ଇଜତ୍ କୁ ପଦାରେ ପକେଇ ବିଚ୍ ବଜାର ରେ ନିଲାମ୍ କରିବ ତାପରେ ଯାଇ ନ୍ୟାୟ ପାଇବ । ୟା ଠୁଁ ବରଂ ଭଲ ପ୍ରିୟମ୍ କଥା ରେ ରାଜି ହେଇ ଯାଉ ସେ ।
- " କଣ ମୋ ପ୍ରସ୍ତାବ ରେ ରାଜି ତ ? ଅରାଜି ହେଲେ ତମେ ଭଲ ଭାବେ ଜାଣିଛ ମୁୁଁ କଣ କରିପାରେ । "
ପ୍ରିୟମ୍ ର ଏଇ କଥା ପଦକ ତା ବର୍ତ୍ତମାନ କୁ ଦୋହଲାଇ ଦେଇଛି ଏକଦମ୍ । ସେ ତଥାପି ନିଜକୁ ବିଶ୍ଵାସ କରିପାରୁନି... ପ୍ରିୟମ୍ ଭଳି ପିଲା ତା ସହ ଏମିତି ବି କରିପାରେ ? ଏତେ ଉପକାରୀ ଆପଣାର ଏକାନ୍ତ ନିଜର ମନେ ହେଉଥିବା ନମ୍ର ସ୍ବଭାବ ର ପିଲାଟି ଏତେ ସାଂଘାତିକ ଖଳନାୟକ ପ୍ରକୃତିର ବି ହୋଇପାରେ ତାହା ସେ କଳ୍ପନା ବି କରି ପାରୁନଥିଲା ।
ଅନାମିକା ତା ଜୀବନ ରେ ଖୁସି ରେ ନଥିଲେ ବି ଯାହା ଯେମିତି ହେଉ ଭଲରେ ମନ୍ଦରେ ଚଳି ଯାଉଥିଲା । ସ୍ବାମୀ ଙ୍କର ବିଦେଶ ଚାକିରୀ , ଚାକିରୀ ନୁହେଁ ତ ଦାଦନ ଶ୍ରମିକ କହିଲେ ଠିକ୍ ହେବ । ଯେତିକି ରୋଜଗାର ଖାଇବା ରହିବା ଗଲା ପରେ ବାକି ଟଙ୍କା ସଞ୍ଚୟ ସକାଶେ ସାଉଣ୍ଟିଲା ବେଳକୁ ସଞ୍ଚୟ ଘର ବହୁତ କମ୍ । ତା'ପରେ ପୁଣି କିସ୍ତି ରେ ବ୍ୟାଙ୍କ ରୁ ଲୋନ୍ ଆଣି ଘର ଚାରିବଖରା କରି ଦେଇଛନ୍ତି । ବ୍ୟାଙ୍କ ଲୋନ୍ ବୋଝ ଉପରେ ନଳିତା ବିଡା ପରି ଦାଉ ସାଧୁଛି ।
ଯାଇ ହେଉ ଅନାମିକା ପାଠ ଦିଅକ୍ଷର ପଢିଥିଲା ବୋଲି ପାଖ ଇଂଲିଶ ମିଡିୟମ୍ ସ୍କୁଲରେ ସାତ / ଆଠ ହଜାର ଟଙ୍କା କୁ ଅଛି । ସ୍ବାମୀ ଙ୍କର ନିଅଣ୍ଟିଆ ରୋଜଗାର ରେ ଘର ଚଳିବା ବହୁତ କଷ୍ଟ ହୋଇ ପଡ଼ିଥାନ୍ତା ଯଦି ୟାର ଏଇ ଆଠ ହଜାର ଟଙ୍କିଆ ଚାକିରୀ ଖଣ୍ଡକ ନଥାନ୍ତା । ବହୁତ କିଛି ନହେଲେ ନାଇଁ ଘରର ସଉଦା ଖର୍ଚ୍ଚ ତ ଉଠୁଛି ତାପରେ ପିଲାଙ୍କ ପାଠ ପଢ଼ା ବହି ପତ୍ର ଦେହ ମୁଣ୍ଡ ଭଲ ମନ୍ଦ ସବୁ ଦେଖିଲା ବେଳକୁ ଅନାମିକା କୁ ଟାଣିଓଟାରି ହେବାକୁ ପଡ଼େ । ସ୍ବାମୀ କିଛି ବି ବୁଝନ୍ତିନି ଘର କଥା କହିଲେ ଚିଡି ଚିଡି ହୁଅନ୍ତି । ଅନାମିକା କିଛି ବି କହିଲେ ସେ କୁହନ୍ତି, ତୁ ତ ଜାଣିଛୁ ମୋ ରୋଜଗାର ସେଥିରେ ପୁଣି ବ୍ୟାଙ୍କ କିସ୍ତି ସୁଜୁଛି ମୋତେ ଘର ଟେନସନ ଜମା ଦେଏନା କହୁଛି । ଆଠ ହଜାର ଟଙ୍କା ରେ ତୁ ଛୁଆ ଦିଇଟାକୁ ନେଇ ଘର ଚଳେଇ ପାରୁନୁ ? " ଏମିତି କହି ଫୋନ୍ କାଟି ଦିଅନ୍ତି । ମାସକ ତିରିଶ ଦିନ ରେ ଦଶ ଦିନ ଫୋନ୍ କରିବାକୁ ବି ତାଙ୍କୁ ବେଳ ନଥାଏ । ସତ କଥା ହେଉଛି ଘର ର ଦୁଃଖ ଶୁଣିବାକୁ ସେ ମୋଟେ ପସନ୍ଦ କରନ୍ତିନି । ସେଥିପାଇଁ ଫୋନ୍ ବହୁତ କମ୍ କରନ୍ତି । କିନ୍ତୁ ସେ କେମିତି ବୁଝିବେ ଟଙ୍କା ଆଠ ହଜାର ରେ ଘର ଚଳେଇବା କେତେ ଯେ କଷ୍ଟ ।
ଅନାମିକା ଯେତେବେଳେ ଦିନ ମାନର କାମ ବୋଝ ସବୁକୁ ନିଜର ମଣିଷ ପାଖରେ ବତେଇ ମନଟାକୁ ଟିକେ ହାଲକା କରିବାକୁ ଭାବିବା ବେଳକୁ ରାତିରେ ତାପାଖରେ ସ୍ବାମୀ ଙ୍କ ପ୍ରଶସ୍ତ ଛାତି ନଥାଏ କି ଫୋନ୍ ରେ ବି ସେ ନଥାନ୍ତି । ଫୋନ୍ କଲେ ବ୍ୟସ୍ତ ଅଛି କହି କାଟି ଦିଅନ୍ତି । ଏକଥାଟି ଅନାମିକା କୁ ବହୁତ ବାଧେ ଅନେକ ରାତି ସେ କାନ୍ଦି କାନ୍ଦି ଶୋଇ ପଡେ । ଏଥିପାଇଁ ଧିରେ ଧିରେ ସ୍ବାମୀ ଙ୍କ ପ୍ରତି ଅନାମିକା ର ସୋହାଗ ବି କମି କମି ଆସେ ।
ଠିକ୍ ଏମିତି ଏକ ଦୁର୍ବଳ ମୁହୂର୍ତ୍ତ ରେ ତା ଜୀବନରେ ଆସେ ପ୍ରିୟମ୍ ଚୌଧୁରୀ । ଫେସବୁକ ରେ କବିତା ଗପ ଲେଖା ଲେଖି ରୁ ସଂପର୍କ ଆରମ୍ଭ । ପ୍ରିୟମ୍ ଚୌଧୁରୀଙ୍କ ଗାଳ୍ପିକ ହିସାବରେ ଯେତିକି ନାଁ ତାଠୁଁ ଅଧିକ ତାଙ୍କ ପାଖରେ ତାଙ୍କୁ ପସନ୍ଦ କରୁଥିବା ପାଠକ ପାଠିକା ଙ୍କ ଭିଡ । ବହୁତ ଦିନ ର ହାଲୋ ହାଏ ପ୍ରଣାମ ଆଜ୍ଞା ଆପଣ ର ସ୍ବଳ୍ପ କଥାବାର୍ତ୍ତା ଭିତରେ ଧିରେ ଧିରେ ବନ୍ଧୁ ପାଲଟିଥିଲେ ଦୁହେଁ । ପରସ୍ପର ସବୁ କଥା ବାଣ୍ଟିଲେ ପରସ୍ପର କୁ । ଅନାମିକା ବି ବହୁତ ଖୁସି ଅନୁଭବ କରୁଥିଲା ପ୍ରିୟମ୍ ଙ୍କ ସାନିଧ୍ୟ ପାଇ । ଢେର୍ ଦିନ ସଂପର୍କ ପରେ ପ୍ରିୟମ୍ ହଠାତ୍ ଦିନେ କହିଦିଏ ଅନାମିକା କୁ ସେ ପସନ୍ଦ କରନ୍ତି ବୋଲି । ଅନାମିକା ଚମକି ପଡେନା ବରଂ ପୁଲକିତ ହୁଏ ବହୁତ ପ୍ରିୟମ୍ ମୁହଁ ରୁ ତା ପାଇଁ ଏ କଥାଟି ଶୁଣି ।
କିଛି ଉତ୍ତର ନଦେଇ ପ୍ରଶ୍ନ କରେ ପ୍ରିୟମ୍ କୁ , " କିନ୍ତୁ ୟାର ପରିଣତି କଣ ହେବ ପ୍ରିୟ ? "
ପ୍ରିୟମ୍ ହସିକି କହେ - " ମୋର କିଛି ଦରକାର ନାହିଁ ତମ ପ୍ରେମ ଟିକକ ଛଡ଼ା "
ବାସ୍ ଅନାମିକା ଏଥର ଲାଜେଇ ଯାଇଥିଲା। ସଂପର୍କ ଗଢି ଚାଲିଲା ଗଭୀର ରୁ ଆହୁରି ଗଭୀର ହେଲା ଉଭୟେ ଉଭୟଙ୍କ ଭିତରେ ବେସ୍ ମଜ୍ଜି ଗଲେ । ଅନାମିକା ର ଦୁଃଖ ସମୟରେ
ପ୍ରିୟମ୍ ସାଥ୍ ଦେଲା ଆବଶ୍ୟକ ବେଳେ ଟଙ୍କା ବି ଅନେକ ଥର ସାହାଯ୍ୟ କରିଛି । ଅନାମିକା ମନ ଦୁଃଖରେ କହେ ," ମୋତେ ଅଧିକ ରୁ ଅଧିକ ଋଣି କରି ଦେଉଛ ପ୍ରିୟ ।"
ପ୍ରିୟମ୍ ହସ
ିକି କହେ , " ମୋ ଜାନ୍ ର ଅସୁବିଧା ରେ ତାକୁ ସାହାଯ୍ୟ କରିବିନି ତ ଆଉ କାହାକୁ କରିବି ? ସେମିତି କିଛି ବି କଥା ମନରେ ଭାବନି , ମନେକର ମୁଁ ଧାର୍ ଦେଇଛି ତମକୁ ଯେବେ ତମ ପାଖେ ପଇସା ହବ ମୋତେ ସୁଝି ଦେବ ଆଉ... ହେଲା ?"
ଅନାମିକା କହେ -" ଆଉ ଯଦି ମୁଁ ସୁଝି ନପାରେ ? "
-" ତାହେଲେ ପ୍ରେମ ଆଉ ଦୁଇ ଗୁଣା ଅଧିକ ଦେଇ ମୋତେ ଖୁସି କରିଦେବ ଆଉ .. " ପ୍ରିୟମ୍ ରସିକତା କରି ଏମିତି ଉତ୍ତର ଦିଏ ।
ଅନାମିକା ଖୁବ୍ ଖୁସି ହେବା ସହ କୃତଜ୍ଞ ହୁଏ । ଯୋଉଠି ନିଜର ସ୍ବାମୀ ତାକୁ ନବୁଝୁଥିବା ବେଳେ ବାହାର ଲୋକଟେ ତା ପାଇଁ ଏଇ ଅଳ୍ପ ଦିନ ଭିତରେ ସବୁକିଛି ନହେଲେ ବି ବହୁତ କିଛି ପାଲଟି ଯାଇଛି । ଆଉ ଧିରେ ଧିରେ ବିଶ୍ବସ୍ତ ରୁ ଆହୁରି ଆପଣାର ମନେ ହୁଏ ପ୍ରିୟମ୍ ତାକୁ । ସ୍ବାମୀ ଙ୍କ ସାନିଧ୍ୟ ବିନା ଗଭୀର ଭଲପାଇବା ଆଉ ପ୍ରେମ ପାଇଁ ଝୁରୁଥିବା ହୃଦୟ ଟା ପ୍ରିୟମ୍ କଥାରେ ଶାନ୍ତି ପାଏ , ପୁଲକିତ ହୁଏ ।
ଟିକିଏ ପ୍ରେମ ବଦଳେ ଗୋଟିଏ ପୁରୁଷ ଯେତେବେଳେ ନାରୀ ପାଇଁ କିଛି ବି କରିପାରେ , ତା ଭଲରେ ମନ୍ଦରେ ସାମିଲ୍ ହୁଏ ସୁଖରେ ଦୁଃଖ ରେ ଛିଡ଼ା ହୁଏ । ପାଖରେ ନଥାଇ ବି ପାଖରେ ଥିବାର ସବୁ ଅଭାବ ପୂରଣ କରେ । ସେତେବେଳେ ସେ ପୁରୁଷ ଟି ପାଇଁ ସେ ନାରୀ ଜଣକ ନିଜକୁ ଗୋପନ ରଖି ପାରେନି ବିଲକୁଲ ଏକଦମ୍ ମୁକ୍ତ ହୋଇଯାଏ । ନିଜକୁ ସୁରକ୍ଷିତ ଅନୁଭବ କରେ ଆଉ ଫିଟି ଫିଟି ଯାଏ ଫର୍ଦ୍ଦ ପରେ ଫର୍ଦ୍ଦ ସେ ପୁରୁଷ ଟି ପାଖରେ ।
ବାସ୍ ଏଇ ସୁଯୋଗ ର ଫାଇଦା ଉଠାଏ ପ୍ରିୟମ୍ । କଥା ଚାତୁରୀ ରେ ସେ ଅନାମିକା କୁ ଏତେ କିମିଆ କରିଦିଏ ଯେ ଅନାମିକା ସବୁକିଛି ଭୁଲି ତା ପାଖରେ ନିଜକୁ ସମର୍ପି ଦିଏ ବିନା କିଛି ଦ୍ଵନ୍ଦ ରେ । ପ୍ରିୟମ୍ ଦୁଷ୍ଟ ରୁ ଅଧିକ ଦୁଷ୍ଟାମୀ କରେ ଅନାମିକା ସହ । ଅନାମିକା ବିଶ୍ବସ୍ତ ସାଥି ଟେ ପାଇଛି ଭାବି ସବୁକିଛି ସୀମା ଲଙ୍ଘିଯାଏ । ନିଜର ସବୁ ବସ୍ତ୍ର ଖୋଲିଦିଏ ଗୋଟା ପରେ ଗୋଟା ହ୍ବାଟସପ କଲ୍ ରେ ଆଉ ତାପରେ ମଜି ଯାଆନ୍ତି ଦୁହେଁ ଦୁଷ୍ଟାମୀ ଖେଳ ରେ ।
ଅନାମିକା ଲାଜେଇ ଯାଇ କହେ , ତମେ ପ୍ରିୟ ସତରେ ଭାରି ଦୁଷ୍ଟ ତମ କଥାରେ ଯାଦୁ ଅଛି ସତରେ .. । ତମ ସହ ଏମିତି ପ୍ରେମ କରିବାରେ ବହୁତ ଖୁସି ଲାଗୁଚି ମୋତେ । ଆଗରୁ ତମେ କାହିଁକି ମୋ ଜୀବନରେ ଆସିଲନି ଯେ ? ପ୍ରିୟ ଗୋଟେ କଥା କହିବି ?
-" ହଁ କୁହ "
-" ତମ ଉପରେ ମୋର ଅଖଣ୍ଡ ଭରସା ଆଉ ବିଶ୍ବାସ ତଥାପି କାହିଁକି ଭୟ ଲାଗେ ବେଳେ ବେଳେ । "
-" ତମେ ଏମିତି କାଇଁ ଭାବୁଛ ଜାନ୍ ?"
-" ଏ ଇଣ୍ଟରନେଟ ଆଉ ଟେକ୍ନୋଲୋଜି କେତେବେଳେ ବି ଧୋକା ଦେଇ ପାରେ । ଆମ ଲୁଚାଛପା ପ୍ରେମ ଯଦି ଦୁନିଆଁ ଆଗରେ ଧରା ପଡ଼ିଯାଏ ? ମୁଁ ଜିଁ ଥାଉ ଥାଉ ମରିଯିବି ସତ କହୁଚି । "
-" ସେମିତି କିଛି ବି ହେବନି ଭରସା ରଖ । ତମ ପ୍ରିୟ ବଞ୍ଚିଛି ମରି ଯାଇନି ହେଲା ? ଏମିତି ବାଜ୍ଜେ କଥା ସବୁ ମୁଣ୍ଡ ରୁ ବାହାର କର । ଗୋଟେ ନାରୀ ପାଇଁ ତା ଇଜ୍ଜତ ସମ୍ମାନ କଣ ମହତ୍ତ୍ଵ ରଖେ ମୁଁ ତାହା ବେସ୍ ଭଲ ଭାବେ ବୁଝି ପାରେ । ତମେ ମୋ ଦ୍ବାରା କେବେବି ଅସମ୍ମାନୀତ କି ଅପମାନିତ ହେବନି ଏଇଟା ଜାଣି ରଖ । ମୁଁ ତମକୁ ଭଲପାଏ ପ୍ରେମ କରେ ଆଉ ତମ ପ୍ରତି ଟିକିଏ ବି ଛଳନା ନାଇଁ ମୋ ମନରେ । ବୁଝିଲ ତ ? "
ଅନାମିକା ଏଥର ସ୍ଥିର ନିଶ୍ଚିତ ହୋଇଯାଏ ଯେ ସେ ପ୍ରିୟମ୍ ପାଖରେ ଏକଦମ୍ ସୁରକ୍ଷିତ ରିଜର୍ଭ ବ୍ୟାଙ୍କର ସିକ୍ୟୋର୍ ଲକ୍ ଭଳି । କିନ୍ତୁ ସେ ଜାଣି ନଥାଏ ତା ପଛରେ ପ୍ରିୟମ୍ କୋଉ ଖେଳ ଖେଳୁଛି ।
କିଛି ମାସ ର ଗଭୀର ସଂପର୍କ ପରେ ପ୍ରିୟମ୍ ତା ଅସଲ ରୂପ ଦେଖେଇଲା । ଅନାମିକା ର ହ୍ବାଟସପ କୁ ପ୍ରିୟମ୍ ପଠାଏ କେତେ ଗୁଡେ ଭଏସ୍ ରେକଡିଙ୍ଗ ଆଉ ସ୍କ୍ରିନ ରେକଡିଙ୍ଗ୍ ଭିଡିଓ । ଅନାମିକା ଯେତେବେଳେ ତାକୁ ସବୁ ଦେଖେ ଆଉ ଶୁଣେ ତା ପାଦ ତଳୁ ମାଟି ଖସି ଯାଏ । ତା ଛାତିରେ ଚାଉଁକିନା ଲାଗେ । ସେ ଯେତେସବୁ ଗୋପନ କଥା ହୋଇଛି ପ୍ରିୟ ସହ ସବୁ ସେ ଦେଖି ପାରୁଛି ଆଉ ଶୁଣି ବି ପାରୁଛି । ଅନାମିକା କିନ୍ତୁ ସ୍ବପ୍ନ ରେ ସୁଧା ଭାବିନଥିଲା ଏମିତି କିଛି ହେବ ବୋଲି ତା ସହ ।
ଯେତେବେଳେ ହ୍ବାଟସପ ଭଏସ୍ କଲ୍ ଆଉ ଭିଡିଓ କଲ୍ ରେ ଅନାମିକା କଥା ହୁଏ ନିଜ ସୁରକ୍ଷା ପାଇଁ । ସେତେବେଳେ ପ୍ରିୟମ୍ କୌଣସି ଆପ୍ ଜରିଆରେ ସେସବୁକୁ ରେକଡିଙ୍ଗ କରି ରଖିଦିଏ ।
ଆଉ ଏବେ ପ୍ରିୟମ୍ ର ଡିମାଣ୍ଡ ।
-" ଏଇ ଶୁଣି ରଖ , ତମେ ମୋ ଡାର୍ଲିଙ୍ଗ ଯେହେତୁ ତମ ସହ ବିଲକୁଲ ମୁଁ ଅନ୍ୟାୟ କରିବିନି । ପ୍ରତି ମାସରେ ପାଞ୍ଚ ହଜାର ଟଙ୍କା ମୋ ଆକାଉଣ୍ଟ କୁ ଆସିବା ଦରକାର। ଆଉ ଯୋଉଦିନ ମୁଁ ତମକୁ ପାଇବାକୁ ଚାହିଁବି ବିଲକୁଲ ବି ମନାକରିବନି ଯୋଉଠି କି ଯେତେବେଳେ କହିବି ଚୁପ୍ ଚାପ୍ ଚାଲି ଆସିବ । ନହେଲେ ଏଭିଡିଓ ଆଉ ଭଏସ୍ ରେକର୍ଡ କୋଉଠୁ କୋଉଯାଏଁ ଯାଇପାରେ ତମେ ଅନ୍ଦାଜ ବି କରି ପାରିବନି। "
ଅନାମିକା ଜଡ ପାଲଟି ଯାଇଥିଲା ପ୍ରିୟମ୍ ଠାରୁ ଏମିତି ସବୁ ଶୁଣି । ବାସ୍ ଏବେ ଆଉ କିଛି ବାଟ ନାହିଁ । ପଙ୍କରେ ପସିଲେ ଗୋଡ଼ ଧୋଇବାକୁ ପଡେ କିନ୍ତୁ ଅନାମିକା ଏମିତି ପଙ୍କରେ ଫସି ଯାଇଛି ସେଠୁ ବାହାରିବା ଏତେ ସହଜ ନୁହେଁ ।