Parameswar Ojha

Inspirational

3.4  

Parameswar Ojha

Inspirational

ଅକସ୍ମାତ

ଅକସ୍ମାତ

8 mins
211



ଶୋଇବା ବସିବା ପଢ଼ିବା ଲେଖିବା ନାଁ ଖାଇବା ନାଁ ଟିଭି ଦେଖିବା । କୌଣସି ଟି ରେ ବି ମନ ଲାଗୁନଥିଲା ପଦ୍ମା ର । ମନ ରେ ଥିବା ଭୟ ଦୂର ହୋଇ ପାରୁନଥିଲା , ବେଳକୁ ବେଳ ସେ ଭୟ ଟା ଭିତରେ ଘୂର୍ଣ୍ଣିଝଡ ର ରୂପ ନେଉଥିଲା ।

କେବଳ ସେଇ ଗୋଟିଏ କଥା ପାଇଁ । ଯଦି ସିଦ୍ଧି କାକା ସେଇ କଥାଟା ପ୍ରଘଟ କରି ଦିଅନ୍ତି ତେବେ ! ଭିତରେ ଭିତରେ ସଙ୍କୁଚିତ ହୋଇ ଯାଉଥିଲା ପଦ୍ମା । କଣ ଘଟିବ ! ଘରେ ତ ସେ କଥାକୁ ନେଇ ଦ୍ବିତୀୟ ମହାଭାରତ ସୃଷ୍ଟି ହୋଇଯିବ ନିଶ୍ଚୟ ।

ପଦ୍ମା ଆଶ୍ଚର୍ଯ୍ୟ ହେବା ସହ ଡରି ଯାଇଥିଲା ସେଦିନ ହଠାତ୍ ସେଠାରେ ସିଦ୍ଧି କାକା ଙ୍କୁ ଦେଖି । ଏଭଳି ପରିସ୍ଥିତିରେ ସେ ଦୁହିଁଙ୍କୁ କେହି ଦେଖି ପାରେ ବୋଲି ପଦ୍ମା କେବେ ବି କଳ୍ପନା କରି ନଥିଲା ।

ସିଦ୍ଧି କାକା ଙ୍କୁ ଦେଖି ପଦ୍ମା ଏତେ ମାତ୍ରାରେ ଡରି ଯାଇଥିଲା ଯେ । ସୂର୍ଯ୍ୟୋଦୟ ଙ୍କୁ ଅନୁମତି ମାଗିନଥିଲା କି ତାଙ୍କ ଆଦେଶ କୁ ଅପେକ୍ଷା କରିନଥିଲା ଆସିବା ପାଇଁ । ସିଧା ଦୈାଡି ପଳେଇ ଆସିଲା ଘରକୁ ତକିଆରେ ମୁହଁ ମାଡି ଶୋଇଲା କିଛି କ୍ଷଣ । ବିନା ନିଆଁ ରେ ବି ତା ମୁ‌ହଁ ଜଳିଗଲା ପରି ଲାଗୁଥିଲା ।

 ସିଦ୍ଧି କାକା ଯୋଉଠି ବସନ୍ତି ହଜାରେ ଗପ ର ପସରା ଖୋଲି ଦିଅନ୍ତି । ଗୁଡ ଚାରି ପାଖରେ ଜନ୍ଦା ଘେରିବା ପରି ଅତି କମ୍ ରେ ସାତ ଆଠ ଜଣ ଲୋକ ତାଙ୍କ ଚାରି ପାଖରେ ବସି ଥାଆନ୍ତି ତାଙ୍କ ଗପରେ ନିଜକୁ ସାମିଲ୍ କରିବା ପାଇଁ । ଯଦି କଥା ପଡୁ ପଡୁ , ପଦ୍ମା କଥା କହି ଦେଇଥିବେ ତ କଥା ସରିଲା । ଲୋକଙ୍କ ମୁହଁ ରେ ତ ବାଡବତା ଦେଇ ହେବନି । କଥା ଟା ଗାଁ ପାଖରୁ କଲେଜ ପର୍ଯ୍ୟନ୍ତ ବ୍ୟାପିବାକୁ ଗୋଟେ ଘଣ୍ଟା ବି ନ ଲାଗିପାରେ । କେମିତି ମଥା ଟେକି ଚାଲିବ ଗାଁ ରାସ୍ତା ରେ ପଦ୍ମା ! ଆଉ କେମିତି ସାମ୍ନା କରିବ ତା' କଲେଜ ରେ ସହ ପାଠୀ ଓ ସହ ପାଠିନୀ ଙ୍କର । ସେଇ ଡରରେ ପଦ୍ମା ଆଜି କୁ ଚାରିଦିନ ହେବ କଲେଜ ବନ୍ଦ କରି ଦେଇଛି ମୁଣ୍ଡ ବିନ୍ଧା ର ବାହାନା କରି ।

" ପଦ୍ମା ...... ଏ........ପଦ୍ମା ......... ବାପା ଡାକୁଛନ୍ତି "

ବୋଉ ଆର ଘରେ ଥାଇ କହିଲେ । 

ଛାତି ଭିତରେ ହୃଦପିଣ୍ଡ ର ଧକ୍ ଧକ୍ କିଛି ସମୟ ପାଇଁ ବନ୍ଦ ହୋଇଗଲା କି ଆଉ ? ପଦ୍ମା ର ତଳି ପାଦ ଥରିବାକୁ ଲାଗିଲା । ନିଶ୍ଚୟ ସିଦ୍ଧି କାକା ଠାରୁ ତା ବିଷୟରେ ଶୁଣିଛନ୍ତି ବାପା । କଣ ହେବ ଏବେ ? କେମିତି ସାମ୍ନା କରିବ ବାପା ଙ୍କୁ ? ବାପା ପ୍ରଥମେ ଧିକ୍କାର କରି କହିବେ । ତା ପରେ ପରେ ଗାଲରେ ଠୋ କିନା ଗୋଟେ ଶକ୍ତ ଚାପୁଡ଼ା ବସେଇ ଦେବେ । ଖାଲି ପଦ୍ମା ବାପା ନୁହେଁ , ଝିଅର ଏଭଳି କାର୍ନାମା ବାହାର ଲୋକଙ୍କ ମୁହଁ ରୁ ଶୁଣି ସାରିଲା ପରେ । ଝିଅ ଗାଲରେ ଗୋଟେ ଚାପୁଡ଼ା ବସେଇବା ପୂର୍ବରୁ ନିଜ ହାତକୁ କେବେବି ସଂଜତ କରି ପାରିବନି ଜଣେ ବାପା ।

 ତାପରେ ପଦ୍ମା କୁ ଆକ୍ଷେପ କରି ଯୋଉ ପ୍ରଶ୍ନ ସବୁ ପଚାରି ବସିବେ । ସେ ପ୍ରଶ୍ନ ର ମୁକାବିଲା କରିବାକୁ କୈାଣସି ଗୋଟିଏ ବି ସନ୍ତୋଷ ଜନକ ଉତ୍ତର ଖୋଜି ପାଉ ନଥିଲା ପଦ୍ମା । ଛାଡ... । ସେମିତି ନ କହି ଯଦି ଥଣ୍ଡା ମିଜାଜ୍ ରେ ପଚାରିବେ । ସେ ପିଲା କିଏ ? ତା ଘର କୋଉଠି ? କେମିତି ତୋ ସହିତ ତାର ପରିଚୟ ? .....ତେବେ ?

 କୋଉଠୁ ଆରମ୍ଭ କରିବ ସୂର୍ଯ୍ୟୋଦୟ ବିଷୟରେ ? ଦୁଇ ବର୍ଷ ପୂର୍ବର ସ୍ମୃତି ଭାସି ଆସିଲା ପଦ୍ମାର ଆଖି ଆଗକୁ । କଲେଜ ରେ ପଢ଼ିବା ର ଦେଢ଼ ବର୍ଷ ଭିତରେ ତାକୁ କେତେଥର ଦେଖିଥିବ ପଦ୍ମା ର ଠିକ୍ ସେ ମନେ ନାହିଁ । କିନ୍ତୁ ଦେଢ଼ ବର୍ଷ ପରେ ପଦ୍ମା ର ସାକ୍ଷାତ ହୋଇଥିଲା ସୂର୍ଯ୍ୟୋଦୟ ସହ , ପ୍ରଥମ ଥର ପାଇଁ ।

 ସେ ସାକ୍ଷାତ ପୁଣି ସୂର୍ଯ୍ୟୋଦୟ ତରଫରୁ ନୁହେଁ ପଦ୍ମା ତରଫରୁ । ଧନ୍ୟବାଦ ଦେବା ପାଇଁ ବ୍ୟାକୁଳ ହୋଇ ଯାଇଥିଲା ପଦ୍ମା । ଯେତେବେଳେ ସାଙ୍ଗ ମାନଙ୍କ ଠାରୁ ଶୁଣି ବାକୁ ପାଇଲା , ଯେ ସୂର୍ଯ୍ୟୋଦୟ ଯୋଗୁଁ ସେ ଆଜି ଜୀବିତ । ଅତୀତ ରେ ପଦ୍ମା ସହ ଘଟିଥିଲା ଏକ ସଡକ ଦୁର୍ଘଟଣା । ପଦ୍ମା ମୁଣ୍ଡ ରେ ଏକ ଗଭୀର କ୍ଷତ ହେବା ସହ ପ୍ରବଳ ରକ୍ତସ୍ରାବ ହୋଇ ଯାଇଥିଲା । ପଦ୍ମା କୁ ମେଡିକାଲ ରେ ଭର୍ତ୍ତି କରିବା ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ସୂର୍ଯ୍ୟୋଦୟ । କେବଳ ସେତିକି ନୁହେଁ ନିଜ ଦେହରୁ ରକ୍ତ ଦେଇ ପଦ୍ମା କୁ ନୂଆ ଜୀବନ ଦେଇଥିଲା ସୂର୍ଯ୍ୟୋଦୟ । ମେଡ଼ିକାଲ ରେ ବି .ପଜେଟିଭ ବ୍ଲଡ ନଥିଲା ସୂର୍ଯ୍ୟୋଦୟ ଯଦି ନିଜ ଠୁଁ ରକ୍ତ ଦେଇ ନଥାନ୍ତା ତାହେଲେ ଆଜି ଯାଏଁ ହୁଏତ ପୃଥିବୀରେ ପଦ୍ମା ର ପରିଚୟ କେବଳ ଅତୀତ ହୋଇ ରହି ଯାଇଥାନ୍ତା । କିନ୍ତୁ ସୂର୍ଯ୍ୟୋଦୟ ଏ କଥା ବାହାରେ ପ୍ରଘଟ କରିନଥିଲା କି ନିଜର ସାହାଯ୍ୟ ପାଇଁ ପଦ୍ମା ପାଖରୁ ଧନ୍ୟବାଦ ଟିଏ ବି ଆଶା କରି ନଥିଲା ।

ଯୋଉ ପଦ୍ମା କଲେଜ ରେ ପଢିବା ଦିନ ଠାରୁ ହଜାରେ ପ୍ରେମ ନିବେଦନ ଦେଢ ଶହ ରୁ ଅଧିକ ପ୍ରେମ ପତ୍ର ପାଇ ସାରିଥିଲା । ସେ ସମସ୍ତଙ୍କ ହୃଦୟର ରାଣୀ ବନି ସାରିଥିଲା ମାତ୍ର କଲେଜ ରେ ପାଦ ଥାପି ବାର କେଇଟା ଦିନରେ । ସେ ଜାଣେ ତା'ର ଗୋଟିଏ ତେରଛା ଚାହାଣୀ ରେ ଶହେ ଟୋକା କୁ ଦିଓ୍ବାନା କରିପାରେ । କେବଳ ଯୁବକଙ୍କ ମହଲରେ ନୁହେଁ ତା'ର ସବୁ ସହ ପାଠିନୀ ମାନେ ବି ପଦ୍ମା କୁ ଇର୍ଷା କରୁଥିଲେ ତା'ର ସୌନ୍ଦର୍ଯ୍ୟ ପାଇଁ । ପୁଅ ଝିଅ ଉଭୟ ଙ୍କ ମହଲରେ ଯଦି ଅଧିକ କାହା ବିଷୟରେ ଚର୍ଚ୍ଚା ହେଉଥିଲା ତେବେ ସେ ଥିଲା ପଦ୍ମା ।

କିନ୍ତୁ ସୂର୍ଯ୍ୟୋଦୟ ! କୋଉଥିରେ ଗଢା ସେ ? ପଦ୍ମା ପରି ଯୁବତୀ କୁ ସାହାଯ୍ୟ କରି କେମିତି ଭୁଲି ପାରିଲା । ତେବେ କଣ ସମସ୍ତ ଙ୍କ ଦୃଷ୍ଟି ଆକର୍ଷଣ କରି ସଭିଙ୍କ ନଜର ରେ ହିରୋ ହେବାକୁ ଚାହୁଁଥିଲା ନାଁ ନିଜର ସାହାଯ୍ୟ ପ୍ରତି ବଦଳେ ପଦ୍ମା କୁ ପ୍ରେମ ଭିକ୍ଷା ନକରି ନିଜେ ମହାନ୍ ହବାକୁ ଚାହୁଁଥିଲା ସୂର୍ଯ୍ୟୋଦୟ ।

ଏମିତି କେତେ ଗୁଡିଏ କଥା ପଦ୍ମା କୁ ସୂର୍ଯ୍ୟୋଦୟ ଙ୍କ ଆଡ଼କୁ ଟାଣି ନେଇଥିଲା । ସୂର୍ଯ୍ୟୋଦୟ ଙ୍କୁ ପ୍ରଥମ ସାକ୍ଷାତ ରେ ହିଁ ଜାଣି ପାରିଥିଲା ପଦ୍ମା , ଅନ୍ୟ ପୁଅ ମାନଙ୍କ ଠାରୁ ସେ କେତେ ଭିନ୍ନ ତତ୍ସହିତ ନମ୍ର ଭଦ୍ର ଓ ଶାନ୍ତଶିଷ୍ଟ । ଅତୀତ ର ସେଇ ବିରାଟ ସାହାଯ୍ୟ ପାଇଁ ପଦ୍ମା ସୂର୍ଯ୍ୟୋଦୟ ଙ୍କୁ ଧନ୍ୟବାଦ ଦେବା ସହ ବନ୍ଧୁତା ର ହାତ ବଢ଼େଇ ଥିଲା । ସୂର୍ଯ୍ୟୋଦୟ ବି ସ୍ବୀକାର କରିଥିଲେ ସେଇ ବନ୍ଧୁତା କୁ । କିନ୍ତୁ ସେଇ ବନ୍ଧୁତା ଭଲପାଇବା କେତେବେଳେ ଯେ ପ୍ରେମ ର ରୂପ ନେଇ ସାରିଥିଲା ଦୁହେଁ ଜାଣି ପାରିନଥିଲେ । ଆଉ ଯେତେବେଳେ ଜାଣିଲେ ସେତେବେଳେ ଦୁହେଁ ଦୁହିଁଙ୍କର ଖୁବ୍ ନିକଟତର ହୋଇ ସାରିଥିଲେ । 

କେମିତି କହିବ ବାପାଙ୍କୁ ଏ ସବୁ କଥା ? ସବୁ କଥା କ'ଣ ଝିଅ ମାନେ କହି ପାରନ୍ତି ?

କାହିଁକି ଭୁଲ୍ କରୁଥିଲେ ଯେ , ମନା କରୁଥିଲା ସୂର୍ଯ୍ୟୋଦୟ ଙ୍କୁ କିନ୍ତୁ ସେ ମାନିଲେନି । ହେଲେ ସେଇ ଭୁଲ୍ ପାଇଁ କେତେ ବଡ଼ ଦଣ୍ଡ । ବାପାଙ୍କ ସାମ୍ନା ରେ ଆଜି ପ୍ରଥମ ଥର ପାଇଁ ପଦ୍ମା ର ମୁଣ୍ଡ ତଳକୁ ହୋଇ ଯାଉଥିଲା ।

ଆଜି ପର୍ଯ୍ୟନ୍ତ ତ ସବୁ କିଛି ଠିକ୍ ଠାକ୍ ଚାଲୁଥିଲା ସୂର୍ଯ୍ୟୋଦୟ ସହ ତାର । ପାର୍କ ରେ ଦେହକୁ ଦେହ ଲାଗି ବସିବା , କଫି ସପ୍ ରେ କଫି ପିଇବା ମୋବାଇଲ୍ ରେ ଘଣ୍ଟା ଘଣ୍ଟା ଧରି ଗପିବା , ଚାଟିଙ୍ଗ୍ କରିବା , ଏକା ସାଙ୍ଗରେ ଫିଲ୍ମୀ ଦେଖି ଯିବା ..... ଏ ସବୁ ପରିବର୍ତ୍ତେ କେବଳ ଚିଠି ର ସଂପର୍କ ତ ବେଶ୍ ମଧୁର ଏବଂ ବଳିଷ୍ଠ ଥିଲା ଉଭୟଙ୍କ ର ।

ସମାଜ କୁ ଏତେ ଭୟ ଯେ ପଦ୍ମା ମୋବାଇଲ ବି ବ୍ୟବହାର କରେନି । କେବଳ ଏଇ ପଦୁଟିଏ କଥା କେହି ନ କହୁ ବୋଲି । ଯେ ମହାପାତ୍ର ସାର୍ ଙ୍କ ଝିଅ କାହାକୁ ଭଲ ପାଉଛି ବା କାହାକୁ ପଟି ଯାଇଛି ।

କିନ୍ତୁ ତା ଠାରୁ ଆହୁରି ବଡ ସାଙ୍ଘାତିକ ଘଟଣା ଘଟି ଯାଇଛି ଯାହାକୁ ପଦ୍ମା ର ପ୍ରାଣ ଭୟ ଥିଲା । ଯାହା ନ ହେବ ବୋଲି ତାର ଦୃଢ଼ ଆତ୍ମବିଶ୍ବାସ ଥିଲା । ଯେଉଁଥି ପାଇଁ ହୃଦସ୍ପନ୍ଦନ ର ବେଗ ଯଥେଷ୍ଟ ବଢ଼ି ଯାଇଛି ପଦ୍ମା ର । ସିଦ୍ଧି କାକା କଣ ଛୋଟ ପିଲା ହୋଇଛନ୍ତି ତାଙ୍କ ଚକଲେଟ୍ ଦେଇ ବୁଝେଇ ଦେବ । " ତୁମେ ଯାହା ଦେଖିଛ କାହାକୁ କହିବନି .... ଏବେ ପ୍ରାୟ ପ୍ରତ୍ୟେକ ଭୁଲ୍ ର ସଂଶୋଧନ ର ସବୁ ବାଟ ବନ୍ଦ , ଯେଉଁ ବାଟ ଟି ଖୋଲା ସେ ବାଟେ ଯିବା ପଦ୍ମା ପାଇଁ ବହୁତ କଷ୍ଟ ।

ପଦ୍ମା ର ଇଚ୍ଛା ହେଉଛି ସେ ସଂଜ୍ଞାହୀନ ହୋଇ ଯାଆନ୍ତି କି । ସେଇ ସମୟ ଭିତରେ ସମସ୍ତେ ତା ପାଇଁ ବ୍ୟସ୍ତ ବିବ୍ରତ ହେବା ସହିତ

ସେ କରିଥିବା ଭୁଲ୍ କୁ ଗୁରୁତ୍ୱ ଦିଅନ୍ତେ ନାହିଁ । ନ ହେଲେ ପୃଥିବୀ ଯଥେଷ୍ଟ ଅଧିକ ବେଗରେ ବୁଲି ଯାଆନ୍ତା କି ସବୁ ଗୋଳମାଳ ହୋଇ ଯାଆନ୍ତା କିଛି ସମୟ ସେହି କିଛି ସମୟର ବର୍ତ୍ତମାନ କୁ ସଂପୂର୍ଣ୍ଣ ଭୁଲି ଯାଆନ୍ତା ମଣିଷ । କିଛି ନହେଲେ ନାହିଁ ଅବଶ୍ୟ ବହୁ ପରିମାଣ ରେ କମ୍ ହୋଇ ଯାଆନ୍ତା ତ ତା ପ୍ରତି ହେବାକୁ ଥିବା ଚାପ । ହେଲେ ସେମିତି କିଛି ବି ହେବନି କାରଣ ମଣିଷ ଇଛା ରେ ସବୁ କିଛି ହୁଏନି ।

ଗୋଡ଼ କଚାଡି ଦେଉଥିଲା ପଦ୍ମା କାନ୍ଦୁଣୁ ମାନ୍ଦୁଣୁ ହୋଇ ଯାଇ ଯାଉଥିଲା । କାହିଁକି ଭଲ ପାଉଥିଲା ସୂର୍ଯ୍ୟୋଦୟ ଙ୍କୁ କାହିଁକି ଭଗବାନ ତା ସହିତ ଭେଟ କଲେ ? କାହିଁକି ସଂପର୍କ ମଜବୁତ କଲେ କାହିଁକି ? ଏମିତି ପରିସ୍ଥିତି ର ସାମ୍ନା କରିବା ପୂର୍ବରୁ ସେ ସଂପର୍କ କୁ କାହିଁକି ଅଧାରୁ କାଟି ନ ଦେଲେ ।

ଧେତ୍ କଣ ଯେ ଏମିତି ପାଗିଳୀ ଙ୍କ ପରି ଭାବି ଚାଲିଛି ପଦ୍ମା ନିଜେ ବି ବୁଝି ପାରୁନି । ସୂର୍ଯ୍ୟୋଦୟ ସୁନା ନୁହେଁ ବରଂ ହୀରା ଖଣ୍ଡେ ସେ ଭଲ ଭାବେ ଜାଣିଛି । କିନ୍ତୁ ସେଦିନ ର କଲେଜ କ୍ଲାସ୍ ରୁମ୍ ର ଘଟଣା .. । ନିଜକୁ ଟିକେ ରୋକି ଦେଇଥିଲେ ହୋଇ ନଥାନ୍ତା । କିନ୍ତୁ ନାଁ ସୂର୍ଯ୍ୟୋଦୟ ପଦ୍ମା କୁ ନିଜ ଛାତି ପାଖକୁ ଭିଡ଼ି ଆଣି ଗୋଟେ ଗାଢ଼ ଚୁମ୍ବନ ଆଙ୍କି ଦେଇଥିଲା ତା ଓଠରେ ।

ବାସ୍ ସେଇ ଦୃଶ୍ୟ ହିଁ ଦେଖି ଦେଇଥିଲେ କଲେଜ ପିଅନ ସିଦ୍ଧି କାକା । ବାପା ଙ୍କ ଅତି ଘନିଷ୍ଠ ନହେଲେ ବି ଆପଣାର ଲୋକ । ସେହି ଦିନ ଠାରୁ ପଦ୍ମା ଅପ୍ରସ୍ତୁତ ଆଜି ଯାଏଁ ।

-- " ସେଠି ଠିଆ ହେଇ କଣ ଭାବୁଛୁ ? "

ପଦ୍ମା ପ୍ରକୃତିସ୍ଥ ହେଲା ବାପା ଙ୍କ ଡାକରେ । ବାପା ଙ୍କ ମୁହଁ କୁ ଥରେ ଚାହିଁ ଦେଲା । ବାପା କଡା ନଜରରେ ଚାହିଁଛନ୍ତି ତାକୁ । ବାପା କିଛି କହିବା ପୂର୍ବରୁ ହିଁ ପଦ୍ମା ପ୍ରସ୍ତୁତ ହୋଇଗଲା ଆତ୍ମସମର୍ପଣ କରିଦେବା ପାଇଁ ।

-" ମୁଁ ଯାହା ଶୁଣୁଛି ତାହା କଣ ସତ ?"

-" ମୋର ଭୁଲ୍ ହୋଇ ଯାଇଛି , ମୁଁ ତମକୁ ଗୋଟେ କଥା ଲୁଚେଇ ଥିଲି ... "

-" ଆରେ କଣ ଗୁଣୁ ଗୁଣୁ ହେଇ କହୁଛୁ କିଛି ବୁଝି ପାରୁନି । ତୋର କାଳେ ଏଥର ୮୫ ପର୍ସେଣ୍ଟ ମାର୍କ ରହିଛି ? ସବୁବେଳେ ତ ୯୫/ ୯୭ ଆସେ ଏଥର କାଇଁ ଏମିତି ହେଲା ? ଠିକ୍ ସେ ପଢା ପଢି ହେଉନଥିଲା କି ?

ପଦ୍ମା ଜାଣିଲା ସେ ସୁରକ୍ଷିତ ଏବେ ତଥାପି ନିଜକୁ ଆଉ ଲୁଚାଇବାକୁ ଚାହିଁଲାନି । ଏଥର ସ୍ପଷ୍ଟ ପରିଷ୍କାର କହିଲା -- " ବାପା ଗୋଟେ କଥା ଥିଲା । "

-" କଣ କହ ? , ଖବର କାଗଜ ରୁ ମୁହଁ ନ ଉଠାଇ ଉତ୍ତର ଦେଲେ ବାପା ।

- " ମୁଁ ତୁମକୁ ଗୋଟେ କଥା ଲୁଚାଇଛି ।

ଝିଅ ମୁହଁ ରୁ ଏତିକି କଥା ଶୁଣିବା ପରେ ମାଆ ଙ୍କ ଝାଡୁ କରୁଥିବା ହାତ ଦଣ୍ଡେ ଅଟକି ଗଲା । ଝିଅ ମୁହଁକୁ ଚାହିଁ ରହିଲେ ପର୍ଦା ଆଢ଼ୁଆଳରେ ଥିବା କଥା କୁ ଶୁଣିବା ପାଇଁ ।

-" ବାପା ସୂର୍ଯ୍ୟ । ଆମ କଲେଜ୍ ରେ ପଢୁଛନ୍ତି । ଯିଏ ମୋତେ ମେଡିକାଲ ରେ ବ୍ଲଡ୍ ଦେଇ ନଥିଲେ ? ସେଇ ପିଲା । "

-" ହଁ , କଣ ହେଲା ତାର ?"

-" ତାଙ୍କର କିଛି ହେଇନି । ଆମେ ଦୁହେଁ ପରସ୍ପର କୁ ପସନ୍ଦ କରୁ । ମୁଁ ତୁମକୁ ଏ କଥା କହିନଥିଲି .. ସରି... । "

ମାଆ ଚୁପ୍ ରହି ପାରିଲେନି ଆଉ -" କଣ ଏମିତି ଗପୁଛୁ ? "

ପଦ୍ମା ତଳକୁ ମୁହଁ କରି କହୁଥାଏ -" ମିଛ ନୁହେଁ ମୁଁ ସତ କହୁଛି ମା.. ସରି .... "

ବାପା ଏଥର ଖବର କାଗଜ ଭାଙ୍ଗି ଟେବୁଲ ଉପରେ ରଖୁ ରଖୁ କହିଲେ -" ଓଃ .. ତୁ ତାହେଲେ ଏତେ ବଡ଼ ହୋଇଗଲୁଣି ନିଜ ନିଷ୍ପତ୍ତି ନିଜେ ନେଇ ଯାଉଛୁ ନାଇଁ...?"

-" ସରି.... ବାପା , ମୋର ଭୁଲ୍ ହୋଇ ଯାଇଛି "

-" ତାଙ୍କ ପରିବାର ଲୋକେ ଏ ସବୁ କଥା ଜାଣିଛନ୍ତି ? "

-" ଆଜ୍ଞା , ଜାଣିଛନ୍ତି । "

-" ତାକୁ କହ ତା ବାପା ଙ୍କୁ ପଠାଇବେ କଥାବାର୍ତ୍ତା ପାଇଁ । ଯଦି ଠିକ୍ ଠାକ୍ ଲାଗିଲା ତେବେ କଥା ଆଗକୁ ବଢିବ । ପାଠ ପଢାରେ ଧ୍ୟାନ ଦେ କିଛି ବଦମାସି ନକରି । ଆଗ ପାଠ ପଢା ପଢି କ୍ୟାରିୟର ତାପରେ ଯାଇ ଏସବୁ ଘର ସଂସାର । ବୁଝିଲୁ .. ?   "

--" ସରି ବାପା.... ଏଥର ପାଠ ପଢାରେ ପୁରା ଫୋକସ୍ କରିବି । "

ଏତିକି ରେ କିଛି ସମୟ ଚୁପ୍ ରହି ତାପରେ କହିଲା -" ମୁଁ ତାଙ୍କୁ କହି ଦେଉଛି ତେବେ ସେ ତାଙ୍କ ବାବା ଙ୍କୁ ପଠାଇବେ ଆମ ଘରକୁ "

-" ହଁ ହଁ ଠିକ୍ ଅଛି , ତୁ ଏଥର ଯାଆ ପଢା ପଢି କର "

ପଦ୍ମା ତା ରୁମ୍ ରେ ଆସି ବସିଲା । ଏବେ ତା ମନଟା ବହୁତ ହାଲକା ଲାଗୁଥିଲା । ତା ଚାରିପାଖର ପୃଥିବୀ ତାକୁ ଏବେ ଏକଦମ୍ ନୂଆ ନୂଆ ଲାଗୁଥିଲା । ସେ ଶୁଣି ପାରିଲା ବାପା ଙ୍କ ଆବାଜ୍ ମାଆ ଙ୍କ ଉଦ୍ଦେଶ୍ୟ ରେ କହୁ ଥିବାର

-" ବୁଝିଲ ସଂଧ୍ୟା , ଆଜି କାଲିକା ପିଲା ମାନଙ୍କୁ ଆଉ ପାରି ହେବନି । ଆଗ କିଛି ଘଟଣା ଘଟେଇ ଦେବେ ତାପରେ ଯାଇ ବାପା ମାଆ ଙ୍କୁ ଜଣାଇବେ ।


Rate this content
Log in

Similar oriya story from Inspirational