ସ୍ଵାର୍ଥପର
ସ୍ଵାର୍ଥପର


ମୋତେ ବହୁତ କଷ୍ଟ ଲାଗୁଚି ବୋଉ କେହି କଣ କିଛି ଜାଣିପାରୁନ ? ଯନ୍ତ୍ରଣା ରେ ମୋ ଛାତି କଣ ହେଇ ଯାଉଚି । ମୋ ପେଟ ଫମ୍ପେଇ କି ଫୁଲି ଗଲାଣି ଝାଡ଼ା ସାଙ୍ଗ କୁ ବାନ୍ତି ରେ ଲସର ପସର ମୋ ଦେହ । ବେଳକୁ ବେଳ ମୋ ମୁଣ୍ଡ ବୁଲେଇ ପକଉଚି ମୋତେ ବହୁତ କଷ୍ଟ ଲାଗୁଚି ସତରେ.. କେହି କଣ କିଛି ଜାଣି ପାରୁନ.. ସତରେ....? କେମିତି କହିବି ତମକୁ ସବୁ ମୋ ଦେହର କଷ୍ଟ କେତେ ମୋତେ ଏମିତି ଲାଗୁଚି ଯେମିତି ମୋ ଛାତି ଭିତରଟାକୁ କେହି ଯେମିତି ରାମ୍ପି ବିଦାରି ପକଉଚି.. ।
ମୋ ଭାଷା କଣ କେହି ବୁଝି ପାରୁନ.. ? ମୁଁ ଯାଇଥିଲି ପଛ ପଟ ବାଡ଼ି ପଟ କୁ ଟିକିଏ ବୁଲିବାକୁ.. କେହି ଗୋଟେ କାମୁଡ଼ି ଦେଇ ପଳେଇଲା ମୋତେ ମୁଁ ଜାଣି ପାରିଲିନି.. । ସେତେବେଳ ପହରୁ ମୋ ମୁଣ୍ଡ ବୁଲଉଚି ଯେ ବୁଲଉଚି... ।
ଏଇ ..ଚାନ୍ଦିନୀ ... ତୁ କଣ ମୋ ଅବସ୍ଥା ଦେଖି କିଛି ବୁଝି ପାରୁନୁ ? ମୋତେ ଭୋକ କଲେ ତୋ ଖାଇବା ଥାଳି ପାଖରେ ପା ମୁଁ ଟହଲ ମାରେ ମୋ ଡାକରେ ତୁ ଦେଇଦଉ ଅଲଗା ତାଟିଆରେ କିଛି ମୋ ପାଇଁ ନହେଲେ ସେଇ ଚଟାଣ ରେ କୁଢେଉ ଦଉ ପଖାଳ ଭାତରୁ କିଛି ନହେଲେ ମାଛ ଭଜାରୁ ଟିକେ । ତୁ ମୋତେ ତଳେ ଦେ କି ନହେଲେ ତାଟିଆ ରେ ଦେ ମୋର ସେଥିପାଇଁ କିଛି ବି ବି ଅଭିମାନ ନଥାଏ ବାସ୍ ମୋ ଭୋକ କୁ ବୁଝି ଖାଇବା ଦଉ ସେତିକି ମୋ ପାଇଁ ବହୁତ କିଛି ହେଇଥାଏ। ମୁଁ ବାରମ୍ବାର କୃତକୃତ୍ୟ ହୁଏ ତୋର ସେଇ ପଖାଳ ମୁଠାକ ଦେଉଥିବା ବେଳେ ଆଉ ମାଛ କଣ୍ଟା ରୁ କିଛି ଅଥବା ବିସ୍କୁଟ ମିଠା ଚୁନା ଛତୁଆ ରୁ କିଛି ମୋପାଖେ ପରଶି ଦେବା ବେଳେ । ମୋ ମାଆ ସିନା ମୋତେ ଜନ୍ମ କରି ଦେଇଚି ମଝି ମଝିରେ ଆସି କ୍ଷୀର ଦେଇ ଯାଉଚି ହେଲେ ତୁ .. ତୁ ମୋତେ ଯଥେଷ୍ଟ ସ୍ନେହ ଆଉ ଆଦର ଦେଇଚୁ ମୋ ମନ ଜାଣି ମୋ ପେଟ କଥା ବୁଝିଚୁ ସ୍ନେହରେ ଆଉଁସି ଦେଇଚୁ ମୋତେ ତୋ ପାଖରେ ଶୁଆଇଚୁ ବସେଇଚୁ । ତୋର ପ୍ରତ୍ୟେକ ବଡ଼ ପାହୁଣ୍ଡ ସହ ମୋ କୁନି ପାହୁଣ୍ଡ ମିଶେଇ ଚାଲିଛି ଘରର ଏମୁଣ୍ଡରୁ ସେ ମୁଣ୍ଡ । ତୁ ବାପାଙ୍କ ପାଇଁ ଜଳଖିଆ ବାଢି ଦେଉଥିବା ବେଳେ ହେଉ... କି ଶାଳ ଘରୁ ଜାଳ କାଢୁଥିବା ବେଳେ ହେଉ ..କି ଭାତ ସାଗ ତର୍କାରୀ ଭଜା ଚୁଲିରେ ବସୁଥିବା ବେଳେ ହେଉ ସବୁବେଳେ ମୁଁ ତୋ ପାଖରେ ଥାଏ ତୋତେ ନିରେଖୁଥାଏ ଆଉ ତୋ ପାଖେ ଜଗି ବସିଥାଏ । ତୋର ପ୍ରତ୍ୟେକ ହାବ ଭାବ ଚାଲି ଚଳଣ କୁ ଲକ୍ଷ୍ୟ କରୁଥାଏ । ମୋତେ ବହୁତ ମଜା ଆଉ କୌତୁକ ଲାଗେ ତୋ ସହ ଲାଗିବାରେ । ତୋ ଉପରେ କୁଦା ମାରିବାରେ ତୋ ଶାଢ଼ୀ କାନୀ ଧରି ଟାଣି ବାରେ ତୋ ବାଟ ଓଗାଳି ଛିଡ଼ା ହେବାରେ ଆଉ ତୋ ସହ ଖେଳିବାରେ ।
ତୁ ତ ଜାଣିଚୁ ଆମେ ଗୋଟିଏ ଭାଇ ରେ ତିନି ଭଉଣୀ ଥିଲୁ । ମାଆ ଆମ ପାଖରେ ନଥିବା ବେଳେ ଆମ ପାଇଁ କିଛି ଖାଇବା ଆଣିବାକୁ ଯାଇଥିବା ବେଳେ । ଭାଇଟାକୁ ଆମ ନିର୍ଦ୍ଦୟୀ ବାପ ତା ଗଳା କାଟି ଅତି ନୃଶଂସ ଭାବେ ମାରିଦେଲା ..ଆମରି ଆଖି ଆଗରେ ସେଇ ରାମ ଘର ବାଡ଼ି ପଛ ଘସି ଭାଡ଼ି ତଳେ । । ଆମ ବାପ ଆମ ଭାଇକୁ ମାରିବାର କାରଣ ହେଉଚି କାଳେ ସେ ଏକା ପୁରୁଷ ରହିବ ଆଉ କୋଉ ପୁରୁଷ ତା ପ୍ରତିଦ୍ବନ୍ଦୀ କେହି ବି ନ ରୁହନ୍ତୁ ତା ସାମ୍ନାରେ ସେଥିପାଇଁ । ବଡ଼ ବିଚିତ୍ର ନିୟମ ଆମ ପ୍ରଜାତି ର ... ।
ଆଉ ଦୁଇ ଭଉଣୀ ଭିତରୁ ଗୋଟିଏ ମାଆ ପଛରେ ଦୌଡ଼ି ଯାଉଥିବା ବେଳେ ଗାଡ଼ି ଚକା ତଳେ ଚାଲିଗଲା ତା ଜୀବନ। ଆଉ ଗୋଟେ ଭଉଣୀ ମୋ ସହ ଢେର୍ ଦିନ ଖେଳିଲା ବୁଲିଲା ଖାଇଲା ପିଇଲା ଶୋଇଲା ଆଉ ତୋତେ ବୋଉକୁ ବାପା କୁ ହଇରାଣ କଲା କୁଦିଲା ନାଚିଲା... ଭାବିଥିଲି ଭଲ ସାଙ୍ଗ ଟେ ମୋ ସହ ରହିଲା ସବୁଦିନ କୁ ମୋତେ ଆଉ ଏକଲା ଲାଗିବନି। ହେଲେ ଅଚାନକ ଦିନେ କୁଆଡେ ଉଭାନ ହେଇଗଲା କିଛି ତାର ଟେର୍ ପାଇଲୁନି କେହି। ସେ ଗଲା ଦିନୁ ମୁଁ ତମ ସହଇଁ ଲାଗେ ଖେଳେ ବୁଲେ ତମେ ମାନେ ବି ମୋତେ ଖୁବ୍ ଭଲପାଓ ମୁଁ ଜାଣିଥିଲି। ମୋ ଡେଇଁବା କୁଦିବା ଅଭିଯୋଗ ଅଭିମାନ ଆଉ ଅଧିକାର ସାବ୍ୟସ୍ତ କରି ବୋବେଇବା ଆଉ ମୋର ସମସ୍ତ ପିଲା ସୁଲଭ କୌତୁକୁଆ ଗୁଣ ତମକୁ ସବୁ ବେସ୍ ଭଲ ଲାଗୁଥିଲା।
ସେତେବେଳେ ତ ବେଶ୍ ବୁଝିପାର ମୋ ହାବ ଭାବ ମୋ ବୋବେଇବାର ରଙ୍ଗ ଢ଼ଙ୍ଗ ? ମୁଁ କହିବା ଆଗରୁ ହିଁ ଅନେକ କିଛି ବୁଝିଯାଅ ତମେ .. .। ଏବେ କଣ କିଛି ବୁଝି ପାରୁନ ତମେ ମାନେ ସତରେ..?
ଏଇ ଚନ୍ଦିନୀ ତୁ ପରା ଘରକୁ ବଡ଼ ବୋହୂ। ସମସ୍ତଙ୍କ ଖାଇବା ପିଇବା ଦେହ ମୁଣ୍ଡ କଥା ଟିକି ନିକି ବୁଝୁ ବାପା ବୋଉ ଙ୍କ ଗୋଡ଼ ମୋଡିଦଉ ତାଙ୍କ ବଟିକା ସିରପ୍ ଠିକ୍ ଟାଇମ୍ ରେ ମନେ କରି ଦେଉ । ସମସ୍ତ ମନ ଜାଣି ସଭିଙ୍କୁ ଭଲକି ବୁଝି ପାରୁ ବୋଲି ତୁ ପରା ସମସ୍ତ ଙ୍କ ପ୍ରିୟ ବୋହୂ ଆଗ ଲୋଡା .. ଏଇ.. ମୁଁ ଏତେ କଷ୍ଟ ରେ ଅଛି ଏତେ ହିନସ୍ଥା ହେଲିଣି ତତେ କଣ ଜଣା ପଡୁନି .. ? ଏଇ.. ମୋ ପାଟିରୁ ପରା ଲାଳ ଗଡୁଛି.. ମୁଁ ଝାଡ଼ା ହେଲିଣି ଦୁଇ ଚାରିଥର । ଏଇ ... ମୋ ପେଟ ପା ଫମ୍ପେଇ ଲାଣି .. ଏଇ ... ମୋ ଦେହ କଣ ହେଇ ଯାଉଚି ଲୋ ...କେହି ଜଣେ ତ ମୋ ପାଖକୁ ଆସ .. । ମୋର ସାଧାରଣ ଝାଡ଼ା ହେଲେ ମୁଁ କେବେ ଘର ଭିତରେ କି ଅଗଣା ରେ ଝାଡ଼ା ବସି ଅପରିଷ୍କାର କରିବା କେବେ ଦେଖିଚ ? ମୁଁ ଅତି କୁନିଟେ ଥିଲି ଯେତେବେଳେ ସେ ଅଲଗା କଥା କିନ୍ତୁ ମୋର ହେତୁ ପାଇବା ବେଳକୁ ମୁଁ ବଡ ହେଲା ପରେ ଯେତେବେଳେ ବି ଝାଡ଼ା ଲାଗେ ସବୁଥିର ବାଡିକୁ ଯାଏ ମୋ ନଖରେ ବିଦାରି ଗୋଟିଏ ଛୋଟ ଗାତ ଖୋଳେ ସେଇ ଗାତ ରେ ଝାଢା ଫେରି ସାରି ସେ ମଳକୁ ମାଟିରେ ଘୋଡ଼େଇ ଦେଇ ଆସେ । ତମେ କଣ ଦେଖିନ ଜାଣିନ ମୁଁ କେତେ ଯତ୍ନବାନ କେତେ ପରିଷ୍କାର ଏ ସବୁକୁ ନେଇ .. ?
ଏଇ ମୋତେ କଣ ଏମିତି ଦେଖୁଥିବ ଖାଲି .. ? କେହି ଜଣେତ ମୋତେ କିଛି ଔଷଧ ପଥି ଦେଇ ଚିକିତ୍ସା କରାଅ । ମୋ ଚିକିତ୍ସା ରେ କଣ ଏତେ ଟଙ୍କା ଖର୍ଚ୍ଚ ହେଇଯିବ ? ଏଇ ଲିବୁନ୍ ମୋତେ ଡାକ୍ତର ପାଖକୁ ନେବାକୁ କଣ ତମ ଗାଡ଼ିରେ ଅଧିକ ତେଲ ପୋଡ଼ି ଯିବ ?
ତମେ କଣ ଜାଣି ପାରୁନ କେହି .. ? ମୋତେ ବହୁତ କଷ୍ଟ ହେଉଚି ସତରେ.. । ମୋ ମାଆ ବି ମୋତେ ସୁଙ୍ଘି ଦେଇ ଗଲାଣି ... ମୁଁ ଆଉ ହେବିନି କି କଣ .. ଅଥବା ତା ସାଧ୍ୟ ବାହାରେ ମୋତେ ଠିକ୍ କରିବା ସେଥିପାଇଁ ସେ ଚାଲିଗଲାଣି କେତେବେଳୁ ମୋତେ ଛାଡି .. । ସେତ ସାଧାରଣ ଜୀବ ଟିଏ ମୋ ପରି ହେଲେ ତମେ ମାନେ ପରା ମଣିଷ.. ! ମୋ ମାଆ ସିନା କିଛି କରି ପାରିବନି ହେଲେ ତମେ ମାନେ କଣ ମୋତେ ନେଇ କିଛି ଚିକିତ୍ସା କରେଇବନି
? ମୁଁ କଣ ଏମିତି ଛଟ ପଟ ହେଇ ମରିଯିବି ?
ଏଇ .. ତମେ ମାନେ ପରା ମୋତେ ଏତେ ଭଲ ପାଉଥିଲ ..ଏତେ ସ୍ନେହ ଶ୍ରଦ୍ଧା ଦେଉଥିଲ ...ସତ କହିବି ମୋତେ ଲାଗୁଥିଲା ମୋ ଜନ୍ମ କଲା ମାଆ ପରେ ବି ମୋର ଆହୁରି ନିଜର ଲୋକ ଅଛନ୍ତି. । ଏଇ ତମେ ମାନେ ତ ମୋର ନିଜର ପରି ସବୁ ବୁଝୁଥିଲ । କୁନି କଣ୍ଢେଇ ଟେ ପରି ମୋ ସାଙ୍ଗ ରେ ଖେଳୁଥିଲ । ସେଥିପାଇଁ ତ ମୁଁ କେବଳ ଏଇ ଘରେ ହିଁ ରହୁଥିଲି ସବୁବେଳେ ମାଆ ଯେତେ କହିଲେ ବି ମୁଁ ଆଉ କୋଉଠିକି ଯାଉ ନଥିଲି । ତମ ଘର ନୁହେଁ ବରଂ ଯେମିତି ମୋ ଘର ଆଉ ଆମ ଘର ପରି ଲାଗୁଥିଲା. । ମୋର ସବୁଆଡେ ଅଖଣ୍ଡ ଆଧିପତ୍ୟ ଥିଲା ନିଃସଂକୋଚ ରେ ନିର୍ଭୟ ରେ ଯାଆ ଆସ କରୁଥିଲି ମୁଁ । ଯୋଉଠି ମୋ ଇଛା ମୋତେ ସହଜ ଲାଗୁଥିଲା ସେଇଟା ହେଉଥିଲା ମୋର ଶୋଇବା ଯାଗା ଆଉ ଅଳସ ଭାଙ୍ଗି ହାଇ ମାରି ବସିବା ଯାଗା । ସେ ତମ ଆଲଣା ଥାକ ହେଉ .. କି ଚୂଲି ମୂଳ । କି ଡ୍ରେସିଂ ଟେବୁଲ୍ ତଳ ହେଉ କି ଟିଭି ସାମ୍ନା ର ପ୍ରଶସ୍ତ ଯାଗା .. । କୌଣସି ଚେୟାର ଉପର ହେଉ କି ତମ ଗଦି ତକିଆ .. ସବୁଆଡେ ମୋର ରାଜୁତି ଥିଲା । ଆଉ ସେତିକି ସ୍ବାଧୀନତା ଦେଇଥିଲ ବୋଲି ତ ମୁଁ ନିଜର ଭାବୁଥିଲି ତମ ମାନଙ୍କୁ ।
ଏଇ ...ଚନ୍ଦିନୀ ..ତୁତ ମୋତେ ଦିନ ରୁ ରାତି ଯାଏଁ ଖାଲି ସକଳଖାଇ ସକଳଖାଇ ବୋଲି ହୁରି ପକଉଥିଲୁ । ଏଇ ସକଳଖାଇ କାଇଁ ସେମିତି ହଉଚୁ... ସକଳଖାଇ ଟିକେ ଥୟ ଧଅ ...ଏ ସକଳଖାଇ ଟା.. ଏଠି ରଖିଆ ବାସ କରି ଦେଉନି .. ଏମିତି ସବୁଥର କହୁଥିଲୁ ପୁଣି ଡାକିକି ଆଣି ଖାଇବା ପରଶି ଦେଉଥିଲୁ । ତମ ଭାଷା ରେ ଏଇ ସକଳଖାଇ ଡାକଟା ଗାଳି କି ସ୍ନେହ ଡାକ ମୁଁ ଜାଣିନି କିନ୍ତୁ ତୁ ଯେତେଥର ସକଳଖାଇ ଡାକୁ ମୋତେ ଲାଗେ ମୋର ନିଜର କେହି ଜଣେ ଡାକୁଚି । ସତରେ ଲୋ... ।
ଆଉ ବାପା .. ବାହାରୁ ଯୁଆଡୁ ଆସିଲେ ଗୁନୁ ପୁଣି ବାହାରକୁ ବାହାରିଗଲେ ଗୁନୁ .. ଏଇ ଗୁନୁ ଗୁନୁ କହି ମୋତେ ବିସ୍କୁଟ ଦିଅନ୍ତି ପୁଣି ଖାଉଥିବା ଚୁନା ଛତୁଆ ରୁ ବଳକା ମୋ ଭାଗରେ ଥୋଇ ଦେଇ ମୋତେ ଡାକନ୍ତି ଏ ଗୁନୁ ଏଠିକି ଆ.. ଏଠିକି ଆ.. ଗୁନୁ. .. ମୁଁ ଖୁବ୍ ଆନନ୍ଦ ରେ ଖାଏ ।
ସେସବୁ ତେବେ କଣ ଥିଲା .. କେବଳ ମୁଁ ତମ ଅଧିନରେ ସବୁଦିନକୁ ପ୍ରିୟ ହୋଇ ରହେ ବୋଲି ଗୋଟେ ଚକ୍ରାନ୍ତ.. ? ତମେ ଚାହୁଁଥିଲ ମୁଁ ସବୁବେଳେ ଏମିତି ତମର ମନୋରଞ୍ଜନ କରୁଥାଏ ଖାଉଥାଏ ଖେଳୁଥାଏ ବୁଲୁଥାଏ କୌତୁକ କରୁଥାଏ ତମ ଚାରି ପାଖରେ ସବୁବେଳେ.. କୁନି କଣ୍ଢେଇ ଟେ ପରି .. । ଆଉ ମୋ ଦେହ ମୁଣ୍ଡ ଅସୁସ୍ଥ ହେଲେ କିଛି ବି ଫରକ୍ ପଡେନା ତମକୁ.. ! ଏମିତି ରେ କି ମୋ ଜୀବନର ମୂଲ୍ୟ କିଛି ନାଇଁ ତମ ପାଖରେ ? ମୁଁ ଏମିତି ଏଇଟି ଛଟ ପଟ ହେଇ ମରିଗଲେ ବି କେହି ଉଠେଇବନି ମତେ ..? ଟିକିଏ କାହାକୁ ଡାକି ମୁଁ ଭଲ ହେବାର ଉପଚାର କରିବନି. ? ତେବେ କଣ ଆଜି ପର୍ଯ୍ୟନ୍ତ ଯେତେସବୁ ଭଲପାଇବା ସ୍ନେହ ଶ୍ରଦ୍ଧା ଦେଇ ଆସୁଥିଲ ତାହା ସବୁ ତମର ଛଳନା ଥିଲା ?
ଏଇ ବାପା.. ତମେ ପରା ସେଠି ଟିଭି ଦେଖୁଚ.. ତମ ଗୁନୁ ଏଠି ଛଟପଟ ହେଉଚି ତମେ କେମିତି ଆରମରେ ଚୌକି ଉପରେ ବସି ଟିଭି ଦେଖି ପାରୁଛ ? ତମ ମନ ଡହଳ ବିକଳ ହେଇ ଯାଉନି ମୋତେ ଦେଖି ? ଆଉ ବୋଉ... ତମେ ପରା ସେଠି ମୁଢ଼ି ଚେନାଚୁର ଖାଉଚ ମୁଁ ଏଠି ଏ ଅବସ୍ଥାରେ ପଡ଼ିଛି ତମ ପାଟିକୁ କେମିତି ଯାଉଚି ଖାଇବା ? ତମେ ଯାହା ଖାଅ ଆଗ ପରା ତମ ଗୁନୁ ଆଗରେ ପକାଅ ଗୋଟା ଦିଇଟା.. ତମେ ବି ବାପା ପରି ସେମିତି.. ନିର୍ଦ୍ଦୟୀ..ତମ ମନରେ କଣ ଟିକିଏ ବି ଦରଦ ନାଇଁ.. ?
ଆଉ ଚନ୍ଦିନୀ ତୁ ସେ ଘରେ ଶୋଇଚୁ .. ମଝି ମଝିରେ ଆସି ଆଃ... ଆଃ... ଚୁ ..ଚୁ.. କରୁଚୁ ଆଉ ମୋ ପାଟି ପାଖରେ ଆସି ବିସ୍କୁଟ ଦିଇଟା ଗୋଟା ପକଉଚୁ .. ତୁ ହୁଣ୍ଡିଟା କିଲୋ..ମୋର ପା ଏବେ ଜୀବନ ମରଣ ସମସ୍ୟା ଆଉ.. ତୁ .... ଏତିକି ବେଳେ କିଏ କଣ କିଛି ଖାଏ .. ।
ତମର ନିଜ ଛୁଆଟା ଯଦି ଏମିତି ଡକଳ ବିକଳ ହେଉଥାନ୍ତା ତମେ କଣ ଧୈର୍ଯ୍ୟ ଧରି ରହି ପାରିଥାନ୍ତ ... ତମେ କଣ ମୋତେ ବୈଦ୍ୟ ପାଖକୁ ନେଇ ଔଷଧ ପଥି ଦେଇ ନଥାନ୍ତ.. ? ତମେ କଣ ଖାଲି ମୋ ଭଲରେ ଥିଲ ... ? ଆଉ ମୋ ମନ୍ଦ ବେଳକୁ .. .. ମୋ ଅସୁବିଧା ବେଳକୁ.... ଟିକିଏ ବି ସମବେଦନା ନାହିଁ କି ଟିକିଏ ବି ଦୟାମୟା ନାଇଁ ତମର ... ?
ଏଇ କେହିତ ମୋତେ ଜଣେ ନେଇ ଯାଅ ... କେହି ମୋର ଚିକିତ୍ସା କରାଅ ମୋତେ କିଛି ଔଷଧ ପଥି ଦେଇ ଟିକେ ଭଲ କରିଦିଅ ।
ଏଇ ସତରେ ମୋତେ ବହୁତ କଷ୍ଟ ହେଉଚି .. ମୋ ଆଖିକୁ ଝାପ୍ସା ଦିଶିଲାଣି .. ମୋ ଗୋଡ଼ ହାତ ସବୁ ଅକାମୀ ହୋଇ ଗଲାଣି.. ମୋ ପାଟିରେ ଆଉ ବଳ ନାଇଁ.. ଆଉ ମୁଁ ଡାକି ପାରିବିନି.. ମୁଁ ଆଖି ବୁଜିବା ଆଗରୁ କେହି ଜଣେ ତ ମୋତେ ବଞ୍ଚେଇ ଦିଅ .. ମୁଁ କଥା ଦଉଚି ପୁଣି ତମ ପାଖରେ ଖେଳିବି ବୁଲିବି ନାଚିବି କୁଦିବି ତମ ସମସ୍ତ ଙ୍କ ପ୍ରିୟ ହୋଇ ରହିବି ... ତମେ ଗୁନୁ ଡାକିଲେ ମିଆଁଉ କରି ଓଃ କରିବି .. ସକଳଖାଇ ଡାକିଲେ ବି ମିଆଁଉ କହି ଓଃ କରି ପାଖକୁ ଦୋୖଡି ଯିବି ... ତମର ଋଣି ହେଇ ରହିବି ... କେହି ଜଣେ ତ ମୋତେ ବଞ୍ଚେଇ ଦିଅ .. .. ନହେଲେ ନାଇଁ କେହି ଜଣେ ମୋତେ ଟିକେ କୋଳେଇ ନିଅ ଗୁନୁ ଡାକି କି ସକଳଖାଇ ଡାକି ... କେହି ଜଣେ ତ ଶେଷ ସ୍ପର୍ଶ ଦିଅ ମୋତେ....ମୋ ମୁହଁ ରେ ଟୋପେ ପାଣି ଦିଅ ....
ସେ ତଥାପି ବଞ୍ଚିବାକୁ ନିଜ ସହ ସଂଘର୍ଷ କରୁଥିଲା କିନ୍ତୁ ବୋଉ ର ଶେଷ କଥା ପଦକରେ ହିଁ ତା ଜୀବନ ଦୀପ ଧପ୍ କିନା ଲିଭିଗଲା ।
ପୁଅ ଦୋକାନ ରେ ଥିଲା ଗୁନୁ ଅବସ୍ଥା ସାଙ୍ଘାତିକ ଫୋନ୍ ରେ ଜାଣିବା ପରେ ଯେତେବେଳେ ପରାମର୍ଶ ଦେଲା , ତାକୁ ଟିକେ ପଶୁ ଡାକ୍ତରଖାନା ନେଇ ଦେଖେଇବାକୁ । ତ ବୋଉ ଗୋଟେ ଅବାନ୍ତର କଥା ଶୁଣିବା ପରି କହିଲା , ହେ... ବିଲେଇ କି କଣ ଗୋଟା ନବୁ.. ? ସେ ଗଲାଣିବା... ଆଉ ନାଇଁ... । କିନ୍ତୁ ଦୁଃଖ ର କଥା ହେଲା ଗୁନୁ ତଥାପି ସଂଧ୍ୟା ଯାଏଁ ଛଟପଟ ହେଉଥିଲା ।
ନାଇଁ କେହି ବୋଲି କେହି ନୁହେଁ .. ତାକୁ ମେଡିକାଲ୍ ନେବା ଦୂରର କଥା ତା ପାଖକୁ ବି ଯାଇ ଛୁଇଁଲେନି ତାକୁ ଶେଷ ପର୍ଯ୍ୟନ୍ତ.. ତା ଆଖି ଆଗରେ ସମସ୍ତେ ଧିରେ ଧିରେ ଛାପ୍ସା ହେଇ ଆସୁଥିଲେ...।
ବାପା .... ବୋଉ... ଚାନ୍ଦିନୀ... ଆଉ ଏଇ ସମୁଦାୟ ପୃଥିବୀ...