Parameswar Ojha

Inspirational

3  

Parameswar Ojha

Inspirational

ନିଷ୍ପତ୍ତି

ନିଷ୍ପତ୍ତି

5 mins
217



 ମୋର ଏମିତି ନିଷ୍ପତ୍ତି ରେ ପରିବାର ଠୁଁ ବନ୍ଧୁ ବାନ୍ଧବ ଯାଏଁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଯେତେ ବୁଝାଇଲେ ମୁଁ ସେଥିରୁ ଓହରିଲିନି ଟିକେ ବି ।

ସତ କହିବାକୁ ଗଲେ ସେ ମୋ ମନ ମୁତାବକ ଝିଅ ଟିଏ ଥିଲା । ମୁହଁ ରେ ନା ଥିଲା ମେକ୍ ଅପ୍ , ନାଁ ଥିଲା ଓଠରେ ଲିପ୍ ଷ୍ଟିକ୍ । ଶାଢ଼ୀ ଟେ ପିନ୍ଧିଥିଲା ଗୋଟେ ସାଧା ସୂତା ଶାଢ଼ୀ ଟେ । ସତରେ ଏମିତିକା ସାଧାସିଧା ଝିଅ ମାନେ ମୋର ବହୁତ ପସନ୍ଦ ।

ବାପା ମଉସା ମାମୁ ଭିଣୋଇ ଭାଇ ଯାଇଥିଲେ ଦେଖିବାକୁ ଝିଅଟି ମେଟ୍ରିକ୍ ପାସ୍ କରିଛି , ଟ୍ରେଲରିଂ ଶିଖିଛି । ତା ସହ ଘର କରଣା କାମ ସବୁରେ ନିପୁଣା । ଝିଅ ଘର , ଦୁଇ ବଖରା କୋଠା ଆଜବେଷ୍ଟସ ଘର କରିଛନ୍ତି ତା ସହ ପୁରୁଣା ଖଞ୍ଜା ଚାଳଘର ବି ଅଛି ।

ମଉସା ତାଙ୍କ ମୋବାଇଲ ରେ ଫଟୋ ଉଠେଇ ଯେତେବେଳେ ହ୍ବାଟସପ୍ ରେ ଛାଡିଲେ । ସତରେ ସେ ଝିଅଟିକୁ ଦେଖି ମୁଁ ମୋହିତ ହେଲି । ଯେତେ ପିଲାଙ୍କ ଫଟୋ ଆସିଥିଲା ସମସ୍ତଙ୍କ ଠୁଁ ଏ ଝିଅ ଟି କାଇଁ କେଜାଣି ମୋତେ ଅଧିକ ଭଲ ଲାଗିଥିଲା ।

 କିନ୍ତୁ ମୁଁ ଜାଣିନଥିଲି ତାର ଏମିତି ଗୋଟେ ଅତୀତ ଥିବ ବୋଲି ଯାହାକୁ ଶୁଣିଲେ ଆମ ପରିବାର ଙ୍କ ମନରେ ଅସନ୍ତୋଷ ର କଳା ବାଦଲ ଘୋଟି ଯିବ ।

 ହଁ ସେ କଥା ଜାଣିବା ପରେ ସମସ୍ତେ ଝିଅକୁ ନାକ ଟେକିଲେ । ସବୁ ସଂପର୍କୀୟ ବନ୍ଧୁ ବାନ୍ଧବ ଙ୍କ ଜରିଆରେ ତଥ୍ୟ ସଂଗ୍ରହ କଲେ । ହେଲେ ଶେଷରେ ଜଣା ପଡ଼ିଲା କଥାଟା ସତ ।

 ହେଲେ ମୁଁ ସେ ଝିଅ ବିଷୟରେ ଭାବୁ ଥିଲି ଏଥିରେ ସେ ଝିଅର ଭୁଲ୍ କଣ ? ସେ ତା କଅଁଳ ବୟସ କୁ କଣ ଏମିତି ଜଳି ଜଳି ସାରି ଦେବ ? !

ବାହାଘର ହେବ ହେବ ବୋଲି ମୁଣ୍ଡ ଖରାପ ହୋଇ ସାରିଥିଲା ସତରେ । କୋଡ଼ିଏ ତିରିଶ ଥର ବାପା ସେ ପଣ୍ଡିତ ପାଖକୁ ଦୌଡ଼ିବା ପରେ ଶେଷରେ ନାହାକ ସ୍ଥିର କଥା କହିଥିଲା ," ଆଗକୁ ପାଖେଇ ଆସୁଛି , ବ୍ୟସ୍ତ ହୁଅନା ଖୁବ୍ ଶୀଘ୍ର ହେବାର ଲକ୍ଷଣ ଦେଖା ଦେଇଛି । ଏବେ ଏଇ ନିକଟ ଅତୀତରେ ନିଶ୍ଚୟ ଯୋଗ ଅଛି ହୋଇଯିବ । "

ବାପା ନିଶ୍ଚିନ୍ତ ହେଲେ ।

ବାଙ୍ଗାଲୋରରେ ଥିଲି ବାହାଘର ପାଇଁ ପୂର୍ବରୁ ଅଣ୍ଟା ଭିଡୁଥିଲେ ବାପା । ଗୋଟେ ଝିଅ ଫାଇନାଲ୍ ହେଲା ବେଳକୁ ହିଁ ଏ ଶଳା କୋରନା ତା କାୟା ବିସ୍ତାର କରିଦେଲା , ଆସିବାକୁ ଚାହିଁଲେ ବି ପାଦରେ ତାଲା । ଲକ୍ ଡାଉନ୍ ସଟ୍ ଡାଉନ୍ ରେ ବ୍ୟତିବ୍ୟସ୍ତ ହୋଇ ଚିଡା ଲାଗୁଥିଲା ମୋତେ । ତାଠୁ ଅଧିକ ଚିଡା ଲାଗୁଥିଲା ବାପା ଙ୍କ ବାରମ୍ବାର ଫୋନ୍ କଲ୍ ।' ଆରେ ଜଳଦି ଆସେ , ଆସିଲେ କଥା ଆଗକୁ ବଢିବ । ଗାଡିଘୋଡା ଚାଲିଲେ ସୁବିଧା ଦେଖି ଜଳଦି ଆସିଜା । ଯେମିତି ହେଲେ ଏଇ ବର୍ଷ ଶେଷ ବାହା ରେ ବାହାଘର ଟି ସାରିଦେବା । ବୟସ ଆସି କେତେ ହେଲାଣି , ଏଥର ବାହା ନହେଲେ ପୁଣି ଯାଇ ଆଠ ମାସ ପରେ । ତେଣୁ ଡେରି ନକରି ଭଲମନ୍ଦ କରି ତୁ ଚାଲିଆ । "

କିଏ ବୁଝାଇବ ମୋ ବାପା କୁ , ସେ ତାଙ୍କ କାମ ପାଇଁ ଉଚ୍ଛନ୍ନ ହେଲେ କି ଦିନକୁ ଦଶଥର ଚବର ଚବର ହେଲେ କୋରନା ଦୌଡ଼ି ପଳେଇବ ନାହିଁ କି ଲକ୍ ଡାଉନ୍ ସଟ୍ ଡାଉନ୍ ତାଙ୍କ ସୁବିଧାରେ ଖୋଲି ଯିବନି ।

ହଁ ସେମିତି ରେ ବି ବାପା କମ୍ ଦୌଡ଼ିଛନ୍ତି କି ?  କେତେ କେତେ ଯାଗା ପର ଗାଡ଼ିରେ ତେଲ ପକେଇ ଆକୁ ତାକୁ ଖୋସାମତ କରି କମ୍ ହିନସ୍ଥା ହୋଇଛନ୍ତି । ଝିଅ ଦେଖିବା ନୁହେଁ ତ ମୋତେ ଲାଗେ ଯେମିତି ବାପା ଗଡ ଜିତିବା ପାଇଁ ଯାଉଛନ୍ତି । କୋଉଠି ଝିଅ ମୋଟି ତ ଆଉ କୋଉଠି ଅସୁନ୍ଦରୀ ।ଆଉ କୋଉଠି ଝିଅ ମନକୁ ଗଲା ବେଳକୁ ସେମାନେ ମୋତେ ନାପସନ୍ଦ କଲେଣି ତ ପୁଣି ଆମ ଘରକୁ । ଆଉ କୋଉଠି ଉଭୟଙ୍କ ପଟୁ ଦେଖାଦେଖି ସରି କଥା ଆଗକୁ ବଢିଲା ବେଳକୁ ଠିକ୍ ଶେଷ ବେଳକୁ ଆଉ କୋଉଠି ଭଲ ପ୍ରସ୍ତାବ ଟେ ଦେଖି ସେମାନେ ଆମକୁ ଧୋକା ଦିଅନ୍ତି ।

 ମୋତେ ସତରେ ଚିଡି ଚିଡି ଲାଗୁଥାଏ ଏ ସବୁରେ । ବାହାଘର ପାଇଁ କେତେ ହିନସ୍ଥା ସତେ ? ଗୋଟେ ସୁନ୍ଦରିଆ ଛିଅ କୁ ପଟେଇ ପାଟେଇ ବାହା ହୋଇ ଯିବ କାମ ସଫା । ସବୁ ଟେନସନ୍ ଝିନଝଟ୍ ରୁ ମୁକ୍ତି । ଆଉ ଏତେ ଧାଁ ଧପଡ କରିବାକୁ ପଡ଼ିବନି କି ଅଯଥା କାମ ଦାମ ବନ୍ଦ ହେବନି । ସିଧା ଭଲ ପାଉଥିବା ଝିଅ କଥା ଘରେ କହି ବାହା ହୋଇ ପଡ଼ିବ କଥା ସରିଲା ।

ତଥାପି ମନରେ ଗୋଟିଏ କଥା କେଁ ଥାଏ , ଯାହାକୁ ପ୍ରେମ କରୁଥିଲି ସେ ତ ନିଜର ହେଲାନି । ଏତେ ଦିନ ତ ମାଡ଼ି ଜାକି ହୋଇ ରହିଲି କାଇଁ ଆଉ ଟିକେ ପାଇଁ ଧୈର୍ଯ୍ୟ ହରା ହୋଇ ନାଁ ସାରିବି ? ବରଂ ଚାଲୁ ଏମିତି ଝିଅ ଦେଖା ଯିଏ ଆମ ଭାଗ୍ୟରେ ଥିବ ସେ ଆସିବ । ଆମେ କଣ ଏକା , ଦୁନିଆଁ ଗୋଟାକ ର ଲୋକ ପୁଣି ଏମିତି ଖୋଜା ଖୋଜି କରି ବାହା ହେଉଛନ୍ତି ନାଁ , ଆଉ ପୁଣି ? ଯିଏ ଆମ ହାଣ୍ଡିରେ ଚାଉଳ ପକେଇ ଥିବ ସେ ଆମ ଘରର ବୋହୂ ହେବ । ଏମିତି କଣ କୁହନ୍ତି ମୁଁ କିଛି ବୁଝି ପାରେନି । ହଁ ଥିବ କିଛି କଥା ଯୋଉଟା ମୁଁ ଜାଣି ନଥିବି ।

ହଠାତ୍ ଦିନେ ଭଦ୍ର ଲୋକ ଗୋଟେ ପ୍ରସ୍ତାବ ଆଣି ଦେଲା । ମଧ୍ୟବିତ୍ତ ପରିବାର ବଡ଼ ଭଉଣୀ ବାହାଘର ସରି ଯାଇଛି । ଇଏ ଦୁଇ ନମ୍ବର । ତା ତଳେ ଆଉ ଗୋଟେ ଭଉଣୀ ଆଉ ଗୋଟେ ସାନ ଭାଇ ‌ ବି ଅଛି ।ପ୍ରସ୍ତାବ ଟି କିଛି ମନ୍ଦ ନୁହେଁ। ବାପା ସେ ଭଦ୍ରଲୋକ କୁ କହିଦେଲେ ତାଙ୍କୁ କହିଦିଅ ଆମେ ଯାଉଛୁ ଏଇ ସୋମବାର ଦେଖିବାକୁ ।

ଦେଖିବାକୁ ଗଲେ ବି , ସବୁ ଭଲ ଆମ ପରିବାରକୁ ଏକଦମ୍ ଖାପ ଖାଉଥିବା ପରିବାର ଆଉ ଝିଅ । କିନ୍ତୁ କିଛି ଦିନ ପରେ ତା ବିଷୟରେ ବନ୍ଧୁ ବାନ୍ଧବ ଚିହ୍ନା ପରିଚିତ ମାଧ୍ୟମରେ ବୁଝିବା ବେଳକୁ ଯାହା ଶୁଣିବାକୁ ମିଳିଲା । ବାପା ସିଧା ମନା କରିଦେଲେ । ଖାଲି ବାପା ନୁହେଁ ଆସ ସମସ୍ତ ବନ୍ଧୁ ବାନ୍ଧବ ମନା କଲେ । କାହିଁ କେଜାଣି ସେ ଝିଅଟି ପ୍ରତି ମୋର ଦୟା ଆସିଲା । ମୁଁ ତାକୁ ବିବାହ ନକଲେ ତା ପ୍ରତି ବଡ଼ ଅନ୍ୟାୟ ହେବ ବୋଲି ମୋତେ ଲାଗିଲା । ତେଣୁ ବହୁତ ଭାବିଲି ମନ ସ୍ଥିର କରି ବାପାଙ୍କୁ ଜଣେଇଲି , " ସେ ଝିଅକୁ ମୁଁ ବାହା ହେବି "

ବାପା ବୋଉ ଅଶାନ୍ତି ହେଲେ ମୋ ଉପରେ ବିରକ୍ତି ହେଲେ ମୋତେ ଜାଛାତା କଥା କହିଲେ , ତୁ ଆମର କଣ ଅଯୋଗ୍ୟ ନା ଅସୁନ୍ଦର ନା ବିକଳାଙ୍ଗ ? ସେଭଳି କଥା କହୁଛୁ ? ସେ ଝିଅ ପଛରେ ପଡେନା । ତା ଠୁ ଆହୁରି ଭଲ ଝିଅ ମିଳିବେ ତୋତେ । "

ମୁଁ ‌ ବୋଉ ମୁହଁ କୁ କିଛି ସମୟ ଚାହିଁଲି । ତାପରେ କହିଲି , " ବୋଉ ସେ ଯଦି ତୋ ଝିଅ ହୋଇ ଥାନ୍ତା ? ତୋତେ କଥା ଟା କେମିତି ଲାଗିଥାନ୍ତା ? ଟିକେ ଭାବିଲୁ "

ମୋ ବୋଉ ମୋତେ ଏମିତି ନଜର ରେ ଚାହିଁଲା ଯେମିତି ମୁଁ ପୃଥିବୀ ର ସବୁଠୁ ବଡ଼ ହୁଣ୍ଡା , ବେବକୁଫ୍ ପିଲାଟେ ।

 ବୋଉ ତା ପରେ  କହିଲା , " ହଇରେ‌ କି ଭଳିଆ ପିଲାଟା ତୁ ? , ଅତି ଗୋଟେ ହଉଛୁ ତୁ ବୁଝିଲୁ , ତୁ ଆଉ ଏତେ ଉଦାର ହ ନାଁ ବା । ଲୋକେ କ'ଣ କହିବେ ? କହିବେ ଅମକ ଓଝା ପୁଅକୁ ଝିଅ ମିଳିଲେନି ଯେ ଶେଷରେ ଏମିତି ଝିଅଟାକୁ ବାହା ହେଲା ? କଣ ଝିଅ ଅଭାବ ଥିଲା ସଂସାର ରେ ଆଉ ମିଳି ନଥାନ୍ତେ ? "

ମୁଁ କିନ୍ତୁ ସଫା ସଫା ବୋଉ କୁ କହି ଦେଲି । " ମୁଁ ଯଦି ବାହା ହେବି ସେଇ ଝିଅ କୁ ହିଁ ବାହା ହେବି ।ଏତକ କହି ନଈ କୂଳ କୁ ପଳେଇଲି ଥଣ୍ଡା ପବନ ଖାଇବାକୁ ।"

ସତରେ ସେ ଝିଅ ମୁହଁ ଦେଖିବା ପରଠୁଁ କାହିଁ କେଜାଣି । ସେ ମୋତେ ଭାରି ନିଜର ନିଜର ଲାଗୁଥିଲା । ତା ନିରିହ ମୁହଁ ଦେଖି ତାକୁ ଏମିତି ମଝି ଦରିଆ ରେ ନ ଛାଡ଼ି ଆପଣେଇ ନେବାକୁ ଗୋଟା ପଣେ ଇଛା ହେଲା ।

ମୁଁ ଭାବିଲି , ଯଦି ଭବିଷ୍ୟତ କୁ ସୁଗମ କରିବାକୁ ଜୀବନ ସାଥି ଟେ ଲୋଡା । ତେବେ ଗୋଟିଏ ଛଳ ଛଳ ନଈ ପରି ଝିଅ କୁ ବାହା ହେବା‌ ଅପେକ୍ଷା ଜଣେ ଶୁଖିଲା ନଈ ପରି ଝିଅକୁ ବାହା ହୋଇ ତା ବୁକୁରେ ପ୍ରେମ ର ପ୍ଲାବନ ଭରି ଦେବା ଶହେଗୁଣ ଭଲ ।

ମାମୁ ଘର ପାଖରୁ ଲଗେଇ ସମସ୍ତ ବନ୍ଧୁ ବାନ୍ଧବ ମନା କଲେ , ସେ ଝିଅ କୁ ବାହା ନ ହେବାକୁ ।

କିନ୍ତୁ ମୋର‌ ପ୍ରଶ୍ନ ଆଗରେ ସେମାନେ ସମସ୍ତେ ଚୁପ୍ ରହିଗଲେ ।

-" ଜଣେ ଯୁବକର ସ୍ତ୍ରୀ ମରିଗଲେ ଯଦି ସେ ଅନାୟାସରେ ଦ୍ବିତୀୟ ବିବାହ କରି ପାରିବ  । ତେବେ ଯୁବତୀ ଟିର ସ୍ବାମୀ ମରିଗଲେ ସେ ଦ୍ବିତୀୟ ବିବାହ କରିବାକୁ କାହିଁକି ଏତେ ଦହଗଞ୍ଜ ହୁଏ ? ସେଥିପାଇଁ ତାକୁ ବାହା ହେବାକୁ ଥିବା ପୁଅଟେ ସ୍ତ୍ରୀ ହରା କିମ୍ବା ନିପଟ ମଫ ଅଥବା ନ୍ୟୁନ ମାନର ହୋଇଥିବା କଣ ନିହାତି ଦରକାର ?  ସେ କି ଭୁଲ୍ କରିଥିଲା ଯେ ତାକୁ ଏମିତି ଦଣ୍ଡ ଦିଆଯିବ ? କାହିଁକି ସମସ୍ତେ ଝିଅ ମାନଙ୍କୁ ହିଁ ଛୋଟ ନଜର ରେ ଦେଖନ୍ତି ? କିଛି ଭୁଲ୍ ଥାଉ ଅବା ନଥାଉ ? "

ମୋ ଭବିଷ୍ୟତ ପାଇଁ ମୁଁ ନିଷ୍ପତ୍ତି ନେଇ ସାରିଛି ମୁଁ ତା ସହ ଜୀବନ କାଟିବି ଆପଣ ମାନେ ନୁହନ୍ତି ।  




Rate this content
Log in

Similar oriya story from Inspirational