Parameswar Ojha

Inspirational

3  

Parameswar Ojha

Inspirational

ବାଣ୍ଟ

ବାଣ୍ଟ

3 mins
133



ଝିଅଟିର ଗଉଁ କିଛି କମ୍ ନଥିଲା ସୁନ୍ଦରୀ ବୋଲି କଣ ଟିକେ ବି ଖାତିର୍ ନାଇଁ ଏତେ ଅହଂକାର । ପୁଅଟି ନିଜର ମୂଲ୍ୟବାନ ସମୟ ଝିଅଟି ପଛରେ ଖୁବ୍ ସାରିଛି। ତାକୁ ଟିକେ ଦେଖିବା ପାଇଁ ତା କ୍ଲାସ୍ ପୂର୍ବରୁ ସରି ଯାଇଥିଲେ ବି ସେ ଘଣ୍ଟା ଘଣ୍ଟା ଅପେକ୍ଷା କରିଛି । ତା ସାନିଧ୍ୟ ଟିକେ ପାଇବା ପାଇଁ ତା ସାଇକେଲ ପଛରେ ନିଜ ବାଇକ୍ ର ସ୍ପିଡ୍‌ ୨୫ ରୁ ବି କମ୍ ଚଲେଇ ପିଛା କରିଛି । ଓଡ଼ିଆ ଫିଲ୍ମ ତାକୁ ବିଲକୁଲ ପସନ୍ଦ ନଥିଲେ ବି ସେଇ ଝିଅଟି ପାଖରେ ବସି ତା ଡିଓ ର ବାସ୍ନାରେ ନିଜକୁ ମତୁଆଲା କରିଛି ତିନି ଘଣ୍ଟା । କଲେଜ ଫେରନ୍ତା ବାଟରେ ଝିଅଟିର ସାଇକେଲ ଚେନ୍ ଖସି ଯାଇ ସେ ହଇରାଣ ହେବା ଆଗରୁ ହିଁ ଅନେକ ଥର ସେ ସାଇକେଲ ଚେନ୍ ଲଗେଇ ଦେଇଛି । ସିଧା ସଳଖ ନହେଲେ ବି ପରୋକ୍ଷରେ ଅନେକ ଥର ତା ପାଖକୁ ଗୁପ୍ତରେ ଚିଠି ଦେଇ ପଠେଇଛି । ଶେଷକୁ ବହୁତ କଷ୍ଟରେ ଝିଅ ଗାଁର ଜଣେ ଷଷ୍ଠ ଶ୍ରେଣୀ ପିଲାକୁ ପଟେଇ ଟଙ୍କା ପାଁଶ / ଛଅଶହ ଭଳି ଖାଇବା ପିଇବାରେ ତା ପାଇଁ ଶ୍ରାଦ୍ଧ କରିବା ପରେ ଝିଅଟିର ମୋବାଇଲ୍ ନମ୍ବର୍ ସଂଗ୍ରହ କରିଛି । ଅନେକ ଥର କଲ୍ କରିଛି ହ୍ବାଟସପ ମେସେଜ ଦେଇଛି । କିନ୍ତୁ ଝିଅଟି ସବୁ ଦେଖୁଛି ସବୁ ଜାଣୁଛି କିଛି ବି ଉତ୍ତର ନଦେଇ ଚୁପ୍ ରହିଛି । ଏତେ ସବୁ ପରେ ଝିଅଟି ନାଁ ‌ହଁ କହୁଛି ନା ନାହିଁ କରୁଛି । ନିରୋଳାରେ ଦେଖିଲେ ଆଖିର ଇସାରାରେ କିଛି କହୁନି ସେମିତି ଭିଡରେ‌ ତାକୁ ଅପମାନିତ କରି ଯାଛାତା ଭାଷାରେ କଢା ସମ୍ପା ବି କରୁନି । ତା ଛଡ଼ା ସିଏ ଝିଅଟିକୁ ହଇରାଣ ହରକତ କଲା ଭଳି ସେମିତି କିଛି ‌କାମ ତ କରୁନି । ଛତରା ବଜାରୀଙ୍କ ଭଳି କମେଣ୍ଟ ପାସ୍ କରୁନି କି ଝିଅଟି ଗୁପଚୁପ ଚାଟ୍  ଖାଉଥିବା ବେଳେ ସାଙ୍ଗମାନଙ୍କୁ ନେଇ ସେଠି ଖାଇବା ବାହାନାରେ ତାକୁ ଗୋଟା ଗିଳିଦେଲା ଭଳି ଚାହୁଁନି ।‌


  ବହୁତ ‌ହେଇଗଲା ଝିଅଟିର ରଙ୍ଗମଞ୍ଚ କିନ୍ତୁ ଆଉ ନୁହେଁ । ଏଥର ଯାହାବି ହେଉ ତାଠୁଁ ତା ମନ‌ର କଥା ଜାଣିକି ହିଁ ରହିବ । ଆଜି କଲେଜ ଫେରନ୍ତା ବାଟରେ ଯେମିତି ହେଲେ ତାକୁ ଅଟକାଇ ପଚାରିବ କଣ ଚାହେଁ ସେ । ଝିଅଟିର ନୀରବତା ପୁଅଟିକୁ କେତେ କଷ୍ଟ କେତେ ଯନ୍ତ୍ରଣା ଦେଉଛି ତାହା ସେ ବୁଝି ପାରୁନି ବିଲକୁଲ । ପୁଅଟିକୁ ଲାଗୁଛି ଏବେ ଝିଅଟିର ପ୍ରେମ ପାଇବା ବିନା ତା ଜୀବନ ମୂଲ୍ୟହୀନ। ଝିଅଟି ଯାହା କହିବ ସେ ତାହା କରିବାକୁ ରାଜି କିନ୍ତୁ ତା'ର ପ୍ରେମ ଟିକେ ଦରକାର ବାସ୍ । ସେଇ ଗୋଟିଏ ହିଁ ମକସଦ୍ ଏବେ ତାର । ପୁଅଟି ଏଥର ସ୍ଥିର କଲା ତାର ଶେଷ ଚରମ ବାଣୀ ଶୁଣେଇ ଦେବ ଝିଅଟିକୁ ହେଲେ ଏପଟ ନହେଲେ ସେପଟ । ଆଉ ଏମିତି ଦହଗଞ୍ଜ ସେ ସହି ପାରିବନି ।  


 ଝିଅଟି ଯେତେବେଳେ କଲେଜରୁ ଫେରୁଥିଲା ପୁଅଟି ସାହସ କରି ତା ସାଇକେଲ ସାମ୍ନାରେ ଛିଡ଼ା ହୋଇଗଲା ଗୋଟେ ଅସମ୍ଭବ ମୁଦ୍ରାରେ । ଝିଅଟି ନିଜ ସାଇକେଲର ବ୍ରେକ୍ କସିଲା ପଚାରିଲା -" କଣ ହେଲା ? ଆଗଟାରେ କାଇଁ ଛିଡ଼ା ହେଲ ?" 


ପୁଅଟି ମୁହଁକୁ ଓହଳେଇ କହିଲା -" ମୁଁ କାଇଁ ଛିଡ଼ା ହେଇଛି ତମେ କଣ ଜମା ଜାଣିନ ? ମୁଁ କାଇଁ ତମ ପଛରେ ପଡ଼ିଛି ତମେ କଣ ଜମା ବୁଝି ପାରୁନ ? ତମେ କଣ ଛୋଟ ପିଲା ହେଇଚ ସବୁ ଖୋଲି କହିବାକୁ ପଡିବ ? ମେସେଜର ରିପ୍ଲାଏ ନାଇଁ କଲ୍ କଲେ ରିସିଭ୍ କରୁନ । ବୁଟୁନ୍ ହାତରେ ଯେତେ ଚିଠି ଦେଇଛି କାହାର ବି ପ୍ରତ୍ୟୁତର ନାହିଁ । କଣ ଚାହୁଁଛ ତମେ ଖୋଲି କହି ଦେଉନ ଏତେ କଷ୍ଟ କାଇଁ ଦେଉଛ ? ( ପୁଅଟିର ମୁହଁ ଏଥର କାନ୍ଦ କାନ୍ଦ ହୋଇ ଆସିଲା ) ମୁଁ ସତ କହୁଚି ପାୟଲ୍ ତମକୁ ନପାଇଲେ ମୁଁ ମରିଯିବି । ତମ ବିନା ମୋ ଜୀବନରେ କିଛି ବି ଖୁସି ନାଇଁ। ମୁଁ ତମକୁ ବହୁତ ଭଲପାଏ ସତ କହୁଚି । ପ୍ଲିଜ୍ ଏମିତି ଅଣଦେଖା କରନି ବହୁତ କଷ୍ଟ ହେଉଛି। ଆଉ ସତ କହୁଚି ତମେ ଯଦି ମୋତେ ନ ମିଳିବ ମୁଁ ମରିଯିବି ଆତ୍ମହତ୍ୟା କରିଦେବି । ସତ କହୁଚି... । " 


  ଝିଅଟିର ମୁହଁ ଏଥର ପୁରା ଗମ୍ଭୀର ଦିଶିଲା ସାଇକେଲ ଷ୍ଟାଣ୍ଡ୍ ମାରି ସେ ଛିଡା ହେଲା । କେମିତି ଗୋଟେ ତର୍ଜମା କଲା ଭଳି ଚାହାଣିରେ ପୁଅଟିକୁ ଛୋଟ ଛୋଟ ଆଖିରେ ଚାହିଁଲା । କିଛି ସମୟ ନିରବ ରହିବା ପରେ ପାଟି ଖୋଲିଲା -" ଖାଲି ତମେ ନୁହଁ ଏଇ ଏକା କଥା ମୋତେ ଜୟନ୍ତ, ପ୍ରଦୀପ୍ତ, ଶୁଭନ୍ , ନିଶିକାନ୍ତ, ଗୌରବ ବି କହି ସାରିଲେଣି ଅନେକ ଥର .. ଯେ ସେମାନେ ମୋ ବିନା ମରିଯିବେ । ତମର ସବୁ ଆଉ କିଛି ‌ଚିନ୍ତା ନାଇଁ.. କେମିତି ଭଲ ପାଠ ପଢିବା ଆଗକୁ ବଢିବା ତା ନାଇଁ.. । ଖାଲି ସୁନ୍ଦରୀଙ୍କ ପ୍ରେମ ଦରକାର । ସମସ୍ତେ ସଚ୍ଚା ପ୍ରେମ କରି ପକାନ୍ତି ‌ଏଠି ସୁନ୍ଦରୀ ମାନଙ୍କୁ... ନାଇଁ ? "


ପୁଅଟିର ମୁହଁର ରଙ୍ଗ ଟିକେ ଫିକା ପଡି ଆସିଲା ।  


  ପୁଣି ଯୋଡିଲା ଝିଅଟି . -" ତେବେ ଠିକ୍ ଅଛି ତମେ ସବୁ ଯଦି ମୋ ପାଇଁ ମରି ପାରିବ ତେବେ ମୁଁ ବି ତମ ମାନଂକ ପାଇଁ ମରି ପାରିବି । ଗୋଟେ କାମ କର ମୋତେ ବତା ଚିରିଲା ଭଳି‌ ସମାନ ଭାଗରେ ଛଅ ଫାଳ କରି ଚିରି ଦିଅ ତାପରେ ଭାଗ ଭାଗ କରି ମୋତେ ବାଣ୍ଟି ନେଇ ଯିବ .. ହେଲା ...? "


 ପୁଅଟିର ପାଟିରେ ଏବେ ଆଉ କିଛି କଥା ନଥିଲା ଝିଅଟିକୁ କହିବା ପାଇଁ। 



Rate this content
Log in

Similar oriya story from Inspirational