Parameswar Ojha

Inspirational

3  

Parameswar Ojha

Inspirational

ଟମ୍ ଜେରୀ

ଟମ୍ ଜେରୀ

10 mins
192



- ଏଇ ମାମା ଦେଖିଲୁ ଚୁଟିଆ କୁ କେମିତି ଏଠି ମୋ ସାଙ୍ଗେ ଲାଗୁଛି ? ତାକୁ ଦଶ ଥର ମନା କଲିଣି ଏଠି ମୋ ପଢ଼ା ଟେବୁଲ୍ ପାଖରେ ମୋବାଇଲ୍ ଖେଞ୍ଚେନା ବସି । କୋଉ ଗୋଟେ ଗେମ୍ ଖେଳୁଛି କେଜାଣି ବଡ ବିରକ୍ତି କର ସାଉଣ୍ଡ ଆସୁଛି । ଚାର୍ଜ ପା ନାହିଁ ମୋବାଇଲ ରେ ତତେ କଣ ଜଣା ପଡୁନି କି ? ଭାରି ସିକଚାଲିଆ ଦେଖାଉଛୁ   ଏ ଟୋକା ତତେ କେତେଥର କହିଲିଣି ଏଠୁ ଯାଆ ବୋଲି ? ଏଇ ଦେଏଖେ ବିରକ୍ତି କରାନା କହୁଛି ଢ଼ୋ ଢୋ ଗୋଟେ ଲଗେଇ ଦେବି ଯେ ଏକାଥରେ ଭେମାରଡି ଛାଡି ଏଠୁ ଚୁପ୍ ତାରେ ପଳେଇବୁ । ଯାଉନୁ ଏଠୁ କଣ ତତେ ଖାତିରି ପଡୁନି କି ମୋ କଥା । 

ଏତିକି କଥା ପରେ ବାବୁ ଗାଲରେ ଠୋ ଠୋ ଦୁଇଟି ଚଟକଣୀ ବସି ସାରିଥିବ । ଆଉ ତାପରେ ବାବୁ ର ଭିଲେନ୍ ରୂପ ବାହାରିବ , ସିଏ ଦିଦି ସହ ସାମ୍ନା ସାମ୍ନି ମାଡଗୋଳ କଲେ ପାରିବନି । ତେଣୁ ଚୁପ୍ ଚାପ୍ ସେଠୁ ପଳେଇ ଆସିବ ଆଉ ସୁଯୋଗ କୁ ଅପେକ୍ଷା କରି ରହିବ । ଖୁସି ଦି ଯେତେବେଳେ ପଢ଼ାରେ ବ୍ୟସ୍ତ ଥିବ ଲଗେଇ ଦେବ କସିକି ଗୋଟେ ଯେପିଠିରେ , ଆଉ ତା ପରଠୁ ଦି ର ଅକ୍ତିଆର ଆଉ ପରିଧି ଭିତରକୁ ଆଉ ରାତି ପର୍ଯ୍ୟନ୍ତ ଆସିବନି ସେ । ତା ଅର୍ଥ ନୁହଁ ଯେ ବାବୁ ବର୍ତ୍ତିଗଲା , ଯେ ପର୍ଯ୍ୟନ୍ତ ବାବୁ ବିଧା ର ସୁଧ ମୂଳ ସହ ତାକୁ ଶୁଝି ନଦେଇଛି ଖୁସି ଦି କୁ ଶାନ୍ତି ଲାଗିବନି । ତେବେ ବାବୁ କୁ ଚୁଟିଆ ଡାକେ କେବଳ ଖୁସି ଦି ତା ସହ ସେ ନାଁ ର ମଜା ମଝିଆ ଭଉଣୀ ପାମାଲୀ ବି ନିଏ କେତେବେଳେ କେମିତି । ତେବେ ଚୁଟିଆ ସଂପୂର୍ଣ୍ଣ ନାଁ ନୁହେଁ ଚୁଟିଆ ମୂଷା ରୁ ମୂଷା ଟି ଅପଭ୍ରଂଶ ହୋଇଛି ଧିରେଧିରେ ବୁଝିବାକୁ ହେବ ।

ଇଏ ତ ଗଲା ସାନ ଭାଇ ସହ ଛୋଟ ବିବରଣୀ ଟିଏ , ଆଉଜଣେ ସାନ ପେଚକିରୀ ଅଛି ନାଁ ଟା ଅବଶ୍ୟ ପାମାଲି , ତାକୁ ସମସ୍ତେ ପାମା ବୋଲି ଡାକନ୍ତି , କିନ୍ତୁ ଖୁସି ଦି ପାଇଁ ସିଏ ପେଚକିରୀ । ଖୁସି ଦି ତାକୁ ପେଚକିରୀ ଛଡା ଆଉ କୈାଣସି ବି ନାଁ ରେ ଡାକିନି ଆଜି ଯାଏଁ । ଏ ନାଁ ର ଅର୍ଥ ସେମିତି କିଛି ନାହିଁ ଆଉ ଅର୍ଥ ବୁଝିବାକୁ ବି କେବେ ଚେଷ୍ଟା କରିନି କେବେ ସେ ।

ସେ ବି କିଛି କମ୍ ନୁହେଁ ସବୁ କାମରେ ସବୁ କଥା ରେ ଅଳସୁଆ ପରି ରହିଥିବ କିଛି ବୋଲି କିଛି କାମ ନିଜ ତରଫରୁ କରିବନି ସେ । ଆଉ ଖାଇଲା ବେଳକୁ ଭାଗ ବସେଇବାକୁ ଆଗ ଚାଲି ଆସିବ । ସବୁଦିନ ସଂଧ୍ୟା ରେ ଘର ଝାଡୁ ଖୁସି କରେ ଯଦି ଦେହ ଟା ଭଲ ଲାଗୁନି କହିଦେଲା " ଆଜି ଟିକେ ଝାଡୁ କରି ସଂଧ୍ୟା ଦେଇଦେ , ଗଲା ଯେତେ ପ୍ରକାର ବାହାନା ସବୁ ବାହାରିବ , ଅଶି ପ୍ରକାର କୁନ୍ଥା କୁନ୍ଥେଇବ ପେଚକିରୀ ।

ଦି ଲୋ ଆଜିକ ଦେଇଦେ ମୁଁ କାଲି ନିଶ୍ଚୟ ଦେବି ସତ କହୁଚି । ପ୍ଲିଜ୍ ପ୍ଲିଜ୍ । ଆଉ ତାର ଏଇ ସଂଳାପ ସବୁଦିନ ଦୋହରାଉଥିବ , ଆଛା କେମିତି ଲାଗିବ କୁହନ୍ତୁ ତ . ରାଗ ଚିଡିବ ନା ନାହିଁ ? ଅଧିକ ବହକା ହେଲେ ଶୁଣିବ ଖୁସି ଦି ଠୁଁ କଡ଼ା କଥା ତା ସହ ବୋଉ ଆଗେ ଫେରାଦ ହେବାକୁ ପଡିବ ଖୁସି କୁ ଆଉ ଯଦି ସେଠି ଯାଇ ପେଚକିରୀ

 ଖୁସି ବିରୁଦ୍ଧରେ ଗପିଲା କିଛି ଏମିତି କହିବ ଯେ ମାମା ଠୁଁ କୋରା ଖାଇବ ଆଉ ଯଦି ସେଠୁ ବୋଉ ଦୟା ରୁ ବର୍ତ୍ତି ଗଲା ତେବେ ଖୁସି ଦି ଠୁଁ ନିଶ୍ଚୟ ଖାଇବ ଏଇଟା ନିଶ୍ଚିତ ।

ଖାଲି ସେତିକି ନୁହେଁ ଅଭିଯୋଗ ର ଲମ୍ବା ଚିଠା ଖୁସି ପାଖରେ ଏ ଦୁଇ ସଇତାନ ଭାଇ ଭଉଣୀ ଙ୍କ ପାଇଁ । ସେମିତି ଆଉ ଗୋଟେ ଜିନିଷ ରେ ଅଧିକ ଝଗଡା ହୁଏ ସେଇଟା ହେଉଛି ଖାଇବା ବାଣ୍ଟ କୁ ନେଇ କି । କିନ୍ତୁ ଖାଇବା ବାଣ୍ଟ ହେଉଛି ଛାତ ପକା କାମଟା କିନ୍ତୁ ତା'ର ମୂଳଦୁଆ ଟା ଆଗ ଏଇଠୁ ଆରମ୍ଭ ହୁଏ ।

ଧରାଯାଉ ତିନି ଜଣଙ୍କ ପାଖେ ଯାହା କିଛି ଥିବ ୧୦/୫/୨୦ ସବୁ ସଂଗ୍ରହ ହେବ ଯଦି କିଛି କମ୍ ପଡ଼ିଲା ତାପରେ ମମି ଙ୍କୁ ମଗାଯିବ ଆଉ ବଳକା ରାଶି । କୋଉ ଦିନ ମ୍ୟାଗି ଇପି ବନାହେବ ତ ପୁଣି ଆଉ କୋଉ ଦିନ ବେସନ ପିଆଜୀ କି ନଳୀ ପାମ୍ପଡ ଏମିତି କିଛି ଛଣା ହେବ  ଭୁଲ୍ ରେ ଦିନେ ଅଧେ ଯଦି ବର୍ତ୍ତି ଯାଇଥିବ ତେବେ ଅଲଗା କଥା ନହେଲେ ପ୍ରାୟ ସବୁ ଦିନ ଏମିତି ଭୋଜି ହେବ ହିଁ ହେବ , ବାହାରୁ ମଗାଇ ଖାଇବା ନହେଲେ ତିଆରି କରି ଖାଇବା ନିତି ଦିନିଆ ରୁଟିନ୍ । ତିଆରି ସରିଗଲା ତାପରେ ଯେମିତି ହେଲେ ଗୋଟେ ବାହାନା କରି ସେ ଖାଇବା ପାଖରୁ ଜଣକୁ ବିଦା କରିବା ସେଇ କାମରେ ଲାଗିଯିବେ ସମସ୍ତେ , ଏଇ ଗଲୁ ଟିକେ ଲୁଣ ଟା ନେଇ ଆସିବୁ ଆଉ ପାଣି ବୋତଲା ଟା ବି ସାଙ୍ଗରେ ଆଣିଥିବୁ ସମସ୍ତେ ସମସ୍ତ ଙ୍କୁ କହୁଥିବେ କିନ୍ତୁ କେହି ବି ଜଣେ ହେଲେ ଉଠି ଯାଉନଥିବେ କାରଣ ସମସ୍ତ ଙ୍କୁ ଜଣା ଅଛି ଯିଏ ଯିବ ତାର ଅନୁପସ୍ଥିତିର ଭଲସେ ଫାଇଦା ଉଠାଯିବ । ବରା ପିଆଜି ରୁ ଦୁଇ ଚାରିଟା ଖିଆ ସରିଥିବ ଆଉ ମ୍ୟାଗି ଚାଉମିନ୍ ହୋଇଥିଲେ ଚାରି ଛଅ ଚାମଚ । ସେ ପୁଣି ଚଟାପଟ୍ ହେବ ଯେମିତି ଲୁଣ କି ପାଣି ପାଇଁ ଯାଇଥିବା ପିଲା ଟି ଆସିବା ପୂର୍ବରୁ ସରି ଯାଇଥିବ ସବୁ । ଖାଲି ସେତିକି ନୁହେଁ ସେ ଆସିବା ପୂର୍ବରୁ ସମସ୍ତ ଙ୍କ ଭାଗ ବଣ୍ଟନ ବି ସରିଥିବ । ଆଉ ସେଥିପାଇଁ ଭାଗ ଭାଗ କରି ବାଣ୍ଟିବା ଦାୟିତ୍ଵ ଟା ସବୁ ଦିନ ଅଲଗା ଅଲଗା ସଦସ୍ୟ କରିବେ । ଆଜି ଚୁଟିଆ କଲା ତ କାଲି ପେଚକିରୀ ତା ଆର ଦିନ ଖୁସି । ଯିଏ ବି ବାଣ୍ଟୁ ସବୁବେଳେ ତା ଭାଗ ର ଖାଇବା ଅଧିକ ଥିବ ଏଇଟା ନିଃସନ୍ଦେହ ରେ କୁହା ଯାଇପାରେ । ଖୁସି କିନ୍ତୁ ସେମିତି ନୁହେଁ ସମସ୍ତ ଙ୍କୁ ସମାନ ଭାବରେ ବାଣ୍ଟ କରେ ସେ ଯେତେ ଯାହା ହେଲେ ବଡ଼ ଦି ନାଁ.. କିନ୍ତୁ ନିଜ ଲୋଭ କୁ କଣ ସବୁବେଳେ କୋଉ ନିୟନ୍ତ୍ରଣ ରେ ରଖି ହୁଏ ଯେ ?

ଦିନେ ସତରେ ଖୁସି ଦି ମୁଣ୍ଡ ଟା ବିନ୍ଧୁଥିଲା ପେଚକିରୀ କୁ କହିଲା ଆଜି ଝାଡୁ ଟିକେ କରିଦେ ଆଉ ଚୁଟିଆ କୁ କହିଲି ବାସନ ମାମା ମାଜି ଦେଇଛି ତୁ ଭିତରକୁ ରଖିଦେ । ଶୁଣିଲେନି କେହି ତଥାପି କହିଲା ଆରେ ମୋ ମୁଣ୍ଡ ଟା ବିନ୍ଧୁଛି ରେ ଆଜିକ କରିଦିଅ । କେହି ଶୁଣିଲେନି କି ହୁଙ୍କିଲେନି ମାମା ବି ଦୁଇ ଥର କହିଲା , ଆରେ ଖୁସି ଦି କ'ଣ କହୁଛି ପା ତୁମକୁ ହଁ ହଁ ଯାଉଛି ଟିକେ ରହ.. " ମାମା କୁ ଏତିକି ଉତ୍ତର ଦେଇ ପେଚକିରୀ ବହି ଟିକୁ ଏମିତି ଧରି ବସିଲା ଯେମିତି ରାତି ପାହିଲେ ତାର ମେଟ୍ରିକ୍ ପରୀକ୍ଷା । ଆଗରୁ ପାଠ ପଢିବା ନାଁ ଗନ୍ଧ ନଥିବ ଠିକ୍ କାମଟେ ବରାଦ କଲେ ସବୁ ନିଷ୍ଠାବାନ ଛାତ୍ର ଛାତ୍ରୀ ଏଇଠି ହିଁ ଉଭା ହୋଇ ଯାଆନ୍ତି ।

ଆଉ ଚୁଟିଆ ତା କଥା ନକହିବା ଭଲ ସେ କଥା ଶୁଣି ବି ଏମିତି ହାବ ଭାବ କରୁଥିବ ଯେମିତି ତା'କୁ କେହି କିଛି ବି କହି ନାହାନ୍ତି ।

ଖୁସି ଦି ର ତ ରାଗ ଚିଡି ପଞ୍ଚମ ହୋଇଗଲାଣି ସେତେବେଳେ କୁ ସାର୍ ଯାହାକୁ ଧରି ପଢାନ୍ତି ଧରିଲା ସେଇ ନହ ନହକା ବେତ ଟା । ସଂଧ୍ୟା ରେ ସମସ୍ତ ଙ୍କୁ ସେକି ଦେଇ ଗଲା ଜଙ୍ଘ ହାତ ପିଠି ସବୁଆଡେ ।

-" ମୋ ମୁଣ୍ଡଟା ବିନ୍ଧୁଛି ବୋଲି କହୁଛି ଏତେ କରି କେହି ଗୋଟେ ଶୁଣିବାର ନାହିଁ କି ଉଠିବାର ନାହିଁ ଚିହ୍ନିଛ କିଏ ମୋତେ . ? କିଛି ଗୋଟେ କହୁନି ବୋଲି ତମ ଦୁହିଁଙ୍କ ର ମୁହଁ ବଢ଼ି ଗଲାଣି .ଦେଖୁଛି । ଆରେ କଣ ଭଳିଆ ପାଇଚ କି ମୋତେ । ଯାଅ କହୁଛି । "

ତା ପରେ ସେ ଦୁହିଁଙ୍କର ପାଟି ଖୋଲେ କିଏ ବେ ତୁ ? ଆମକୁ ମାରୁଚୁ ରହ ଆଜି ବାବା ଆସନ୍ତୁ କହୁଛି । ନିଜ କାମ ନିଜେ କରୁନୁ ଆମକୁ କାଇଁ ବରାଦ କରୁଛୁ ? ଚଣ୍ଡି କୋଉଠି କାର ତୁ ଯା ବେ ଏଠୁ ଆମେ କିଛି କରି ପାରିବୁନି । ବେଶି ଗୋଟେ ଦେଖେଇ ହେଉଛି।

" ପୁଣି ଗପୁଛ ଅଧିକ ଦେଖିବ ଏବେ ଆହୁରି ଆଠ ଦଶ ପାହାରେ ସେ ପାଟି ମୁଳିଆ ବସେଇବି ?"

" ହଁ ଆଉ କ'ଣ ଜାଣିଛୁ କି ? ଖାଲି ବଡ଼ ହେଇଛୁ.. ହାତ ପୁରେଇ ମାରିବା ଛଡ଼ା  ?

ଖୁସି ଦି ରାଗି ଯାଇ ଏଥର ମାମା କୁ ଡାକେ " ମାମା ଏ ମାମା ମୁଁ ଆଜି ଠୁ ଏ ଦୁହିଁଙ୍କ ସହ କଥା ହେବିନି କହି ଦେଉଛି ..ମୋ କଥାରେ ସେ ମୁଣ୍ଡ ଖେଳେଇବେନି କି ମୋର କୈାଣସି କାମରେ ମୋତେ ଡିଷ୍ଟର୍ବ କରିବେନି ତାଙ୍କୁ କହିଦେ ନହେଲେ ମୋତେ ଚିହ୍ନିବେ ଭଲକି "

ମାମା ବୁଝାନ୍ତି -" ହଉ ଛାଡ୍ ତୁ ତାଙ୍କ ସହ ଲାଗେନି ତୁ ତୋ ପଢ଼ା ଟେବୁଲ୍ ପାଖକୁ ଯାଆ .. ଏକ୍ ତମେ ଦୁହେଁ ତମ ବହି ଧରି ବସ "

--" ମାମା ତୁ ତାଙ୍କ ମୁହଁ ବଢାଉଛୁ ପଢ଼ିବା ପାଇଁ କାଇଁ କହିଲୁ ଦି ଯାହା କହିଲା ତାକୁ ଆଗ କରି ଆସ ତାପରେ ପଢା ପାଖରେ ବସିବ ? ଏମିତି କହିଲୁନି କାଇଁ ? ତୁ ଏମିତି ମୁହଁ ଦେଉଥା ଯେତେବେଳେ ନେଡି ଗୁଡ଼ କହୁଣି କୁ ବୋହି ଯିବ ସେତେବେଳେ ତୋ ବଡ଼ ଝିଅ କଥା ଭାବିଵୁ ଦେଖିବୁ ରହ "

" ହଉ ତୁ ଯାଆ ଆଉ ତାଙ୍କ ସହ ଲାଗେନା"

ତାପରେ ପରେ ଖୁସି ଦି ର ଯେତେ ଫୋନ୍ କରନ୍ତି ସାଙ୍ଗ ସାଥି ମାନେ ସମସ୍ତ ଙ୍କ ଆଗେ ଏଇ ଭାଇ ଭଉଣୀ ଙ୍କ ଗୁଣ ଗାରିମା ବଖାଣେ ଅଶାନ୍ତି ହୋଇ ଆଉ କହେ ଏ ଦୁହିଁଙ୍କ ଠାରୁ କେବେ ତ୍ରାହି ମିଳିବ କେଜାଣି ? ମଣିଷ କୁ ଶାନ୍ତି ରେ ବସେଇ ଉଠେଇ ଦେଉ ନାହାନ୍ତି । କୌଣସି କଥା ବୋଲ ମାନିବାର ନାହିଁ କି ଶୁଣିବାର ନାହିଁ ସବୁବେଳେ ମୁହଁ ଉପରେ ଉତ୍ତର ନେଉଟ ଜବାବ୍ । ସତ କହୁଚି ହଷ୍ଟେଲ ରେ ଥିଲାବେଳେ ବହୁତ ଶାନ୍ତି ରେ ଥିଲା ମଣିଷ । ଏମାନଙ୍କ ଝିନ୍ ଝଟ୍ ଖିଟିର୍ ପିଟିର୍ ରୁ ଟିକେ ବଞ୍ଚି କି ଥିଲା ।

ରାତି ହୁଏ କେହି କାହାକୁ କିଛି କୁହନ୍ତିନି ଭଗାରି ଙ୍କ ଭଳି । ଏମିତି ଚାହାନ୍ତି ପରସ୍ପର ଆଡେ ସେଠି ନିଜର ଭାଇ କି ଭଉଣୀ ବସିନି ଯେମିତି ଗୋଟେ ପଥର ବୁଦ୍ଧ ମୂର୍ତ୍ତି ଥୁଆ ହୋଇଛି । ତାପରେ ଚାଲେ ଭାଗ ବଣ୍ଟା ର ଆଉ ଅଭିଯୋଗ ର ପର୍ବ , ଯାହାବି ଆଖି ରେ ପଡେ ସବୁ ଫୋପଡା ଯାଏ ବାହାରକୁ   ? ଏକ୍ ଏ ପେନ୍ ମୋ ଟେବୁଲ୍ ଉପରେ କାଇଁ ଥୁଆ ହୋଇଛି ? ଏ ଖାତା ବହି କାହାର ଏଠି ପଡ଼ିଛି ଏକ ଫ୍ରଗ୍ ମୋ ପଟ ଆଲଣା ରେ କାଇଁ ପଡ଼ିଛି ? ମୋ ତକିଆ ମୋ ମୁଣ୍ଡ ଉପରୁ କାଇଁ ନେଇଚୁ ତା ଯାଗାରେ ରଖ୍ ୟା ପରଠୁ କିଏ ଯଦି କିଛି ବି କାମ ବରାଦ କରିବାକୁ ଜିଭ ଲେଉଟାଇ ଥିବ ଚିହ୍ନିବ ଭଲକି

ଏମିତି କଥା କେବଳ ଖୁସି କହୁଥିବ ତା ନୁହେଁ ତା'ର ପ୍ରତିଉତ୍ତର ରେ ବି ଠୋସ୍ ଜବାବ୍ ଦିଆ ଯାଉଥିବ ତାକୁ ।

ହଁ ହଁ ମୋର କାମ ନଥିଲା ତ ତୋ ଯାଗାରେ ଖାଲି ରଖୁଛି ବସି ଖାତା କଲମ ଧରି ଯେତେବେଳେ ମାଷ୍ଟରାଣୀ ହେଉଛୁ ସେତେବେଳ କଥା ମନେ ପଡୁନି କି ଆଉ ଯେମିତି ଆମ ଖାତା କଲମ ଆମ ଜିନିଷ ଛୁଁ ନଥିବ ଆଉ ?

ତାପରେ ଖୁସି ଦି ଦାନ୍ତ କାମୁଡି ବିରକ୍ତି ହୋଇ କହେ " ଏଇକ୍ ଚୁପ୍ କର କହୁଛି ନହେଲେ ପୁଣି ସେକିବି ଧରି ପିଠି ରେ କେହି ପଡିବେନି କହି ଦେଉଛି ।

କେହି ଆଉ କାହାରିକୁ କିଛି ଜରୁରୀ ନଥିଲେ ବିଶେଷ କଥା କୁହନ୍ତିନି ରାତି ଶୋଇବା ପର୍ଯ୍ୟନ୍ତ  । ତାପର ଦିନ ହୁଏ ପୁଣି ପୁରୁଣା କଥା ମଉଳେ ଧିରେ ଧିରେ ।

କେହି କିଛି ବୁଝିବା ପୂର୍ବରୁ ଆରଦିନ ସଂଧ୍ୟାରେ ଅଚାନକ ଗୋଟେ ଦୁର୍ଘଟଣା ଘଟିଯାଏ । ଖୁସି ଚିଲାଏ ଜୋର୍ ସେ " ଇଲୋ ମାମା ଲୋ ମରିଗଲି " ସମସ୍ତେ ସମସ୍ତ ଙ୍କ କାମ ଛାଡି ପାଖକୁ ଦୈାଡି ଗଲା ବେଳକୁ ଦେଖନ୍ତି ତ ଖୁସି ଗୋଡ଼ ଦ୍ବାର ବନ୍ଧ ରେ ମାଡ଼ ହୋଇ ମୋଡି ହୋଇ ଯାଇଛି । କେମିତି ହୋଇଛି ବୁଝିବାକୁ ଡେରି ହେଲାନି ମାର୍ବଲ ଚଟାଣ ରେ ପାଣି ଢ଼ାଳି ହୋଇ ଯାଇଥିଲା ଭୁଲ୍ ରେ । ସହଯେ ତ ଖୁସି ର ହରିଣୀ ଭଳିଆ ଖପ ଖପ ଡିଆଁ ଚାଲି ତେଣୁ ପାଦ ଖସି ଯାଇ ବନ୍ଧରେ ମାଡ଼ ହୋଇ ଯାଇଛି ଜୋର୍ ରେ । ସେ ଏବେ ଯନ୍ତ୍ରଣାରେ ବିକଳ ହୋଇକାନ୍ଦୁଛି । ଆଖି ଲୁହରେ ଉବୁ ଟୁଵୂ ।

ବାବୁ ଆଉ ପାମାଲି ଏକଦମ୍ ଆଶ୍ଚର୍ଯ୍ୟ ଆଉ ସାମାନ୍ୟ ଭୟ ପୂର୍ଣ୍ଣ ହୋଇ ଚାହିଁଥିଲେ ଖୁସି ଦି କୁ । ସେ ଦୁହିଁଙ୍କ ଚାହାଣୀ ଏମିତି ଥିଲା ଯେମିତି ପୃଥିବୀରେ ଗୋଟିଏ ଅସମ୍ଭବ ଘଟଣା ଟେ ଘଟି ଯାଇଛି ଯାହାକି କେବେ ଆଶା କରାଯାଇ ନଥିଲା ବା କେଵେ ବିଲକୁଲ ଘଟିବାର ହିଁ ନଥିଲା।

 ବାପା କୋଉଠି କି ପଦାକୁ ଯାଇଥିଲେ । ପାମାଲି ସାଙ୍ଗେ ସାଙ୍ଗେ ଖୁସି ଦି ର ମୋବାଇଲ୍ ଆଣି ବାପାଙ୍କୁ କଲ୍ କରି ସବୁକଥା କହିଦେଲା । " ନାଇଁ ନାଇଁ ତମେ ଜଳଦି ଆସ ବାବା ଆସିଲ ଆଗ ଦି କୁ ବହୁତ ଜୋରେ କାଟୁଛି ।"

ତାପରେ ବାବୁ ବି ତା ପଛରେ ପାମାଲି କୁ ବତେଇ ଦେଲା " ବାବା ଙ୍କୁ କହ ଡକ୍ଟର ଅଙ୍କଲ୍ କୁ ସାଙ୍ଗରେ ଧରି ଆସିବେ "

ମମି ବାବୁ ପାମାଲି ସମସ୍ତେ ତିନି ଜଣ ମିଶିକି ଖୁସି କୁ ଖଟ ଉପରକୁ ନେଇ ବସାଇଲେ । ବହୁତ କଷ୍ଟ ରେ ଗୋଟେ ପାଦ ଟେକି ଟେକି ଖଟ ପାଖକୁ ଯାଇଥିଲା ଖୁସି । ଏତେ ଜୋରରେ ମାଡ଼ ହୋଇଥିଲା ଯେ ପାଦ ଟି ଗୋଟେ ପାଖକୁ ମୋଡି ହୋଇ ଯାଇଥିଲା ଗୋଇଠି ପାଖରୁ । ଖୁସି ଦି ଯେତେବେଳେ କଷ୍ଟ ସହି ନପାରି କାନ୍ଦି ପକାଉଥିଲା । ସେତେବେଳେ ବାବୁ ଆଉ ପାମାଲି ଆଖିରେ ବି ଲୁହ ପଳେଇ ଆସିଥିଲା ଆଉ ମୁହଁ ଟି ଅତି ଦୟନୀୟ ଦେଖା ଯାଉଥିଲା ଦୁହିଁଙ୍କର । ଯେମିତି ଏଇନେ ସାଙ୍ଗେ ସାଙ୍ଗେ ଅସରାଏ ବର୍ଷା ବର୍ଷି ଯିବ ।

ପନ୍ଦର କୋଡ଼ିଏ ମିନିଟ୍ ପରେ ବାବା ଡାକ୍ତର ଙ୍କୁ ଧରି ଆସିଲେ । ସାଙ୍ଗେ ସାଙ୍ଗେ ବାବୁ ବାବା ଙ୍କୁ ଅଭିଯୋଗ କଲା -" କଣ ଯେ .. ବାବା ଦି କୁ କେତେ କଷ୍ଟ ହେଉଛି ହେଲେ ତମେ ଏତେ ଡେରିରେ ଆସୁଛ . ? ( ପୁଣି ଡାକ୍ତର ଙ୍କୁ ) ଅଙ୍କଲ ଆପଣ ଏତେ ଲେଟ୍ କାଇଁ କରନ୍ତି ଯେ .. ସବୁଥର .. ? ଆଗେ ଦେଖିଲ ଆମ ଦି କୁ । "

-" କିଛି ହେବନି ତମ ଖୁସି ଦି ର ମୁଁ ଆସି ଗଲି ନାଁ ବ୍ୟସ୍ତ କାଇଁ ହେଉଛ ଏତେ ? "

ଡାକ୍ତର ଯେହେତୁ ଫ୍ୟାମିଲି ଡକ୍ଟର ତେଣୁ ସମସ୍ତ ଙ୍କ ସହ ସେ ବେଶ୍ ଭଲ ଭାବେ ପରିଚିତ ଏବଂ ସାନ ମାନେ ସମସ୍ତେ ତାଙ୍କୁ ଅଙ୍କଲ ବୋଲି ଡାକନ୍ତି ।

ଡାକ୍ତର ଅଙ୍କଲ ଖୁସିର ଗୋଡ଼ ପରଖି କହିଲେ , ଗୋଡଟି ଟିକେ ମୋଡି ହୋଇ ଯାଇଛି ଗୋଇଠି ପାଖରୁ । ତାପରେ ଖୁସିକୁ କହିଲେ -" ମାମା ଟିକେ ଷ୍ଟ୍ରଙ୍ଗ କରିନେ ନିଜକୁ ସାମାନ୍ୟ କାଟିବ । "

ଏତକ କହିବା ପରେ ବାବା ଙ୍କୁ କହିଲେ -" ଆପଣ ଟିକେ ଖୁସି କୁ ଧରନ୍ତୁ ସେ ନହେଲେ ହଲଚଲ କରିପାରେ "

ବାବା ଖୁସି କୁ ଜାବୁଡି ଧରିଲେ , ଡାକ୍ତର ଅଙ୍କଲ ଏବେ ଖୁସି ର ମୋଡି ହୋଇ ଯାଇଥିବା ଗୋଡ଼ କୁ ହାତ ରେ ଧରି ସିଧା କରି ବସେଇ ଦେଲେ । ସେହି ସମୟରେ ଖୁସି କୁ ବହୁତ କଷ୍ଟ ହୋଇଥିଲା ଆଉ ସେ ' ଇଲୋ ମାମା ଲୋ ମୁଁ ମରିଗଲି ' ଏମିତି ବଡ଼ ପାଟିରେ ଚିଲେଇ କି ଅସ୍ତବ୍ୟସ୍ତ ହୋଇଥିଲା ।

ସେହି ସମୟରେ ଖୁସି ଦେଖିଲା ତା କଷ୍ଟ ଯନ୍ତ୍ରଣା ଦେଖି ଚୁଟିଆ ଆଉ ପେଚକିରୀ ଆଖି ରେ ବି ଲୁହ ଆସି ଯାଇଥିଲା ।

ଡକ୍ଟର କିଛି ମେଡ଼ିସିନ୍ ଦେଇଗଲେ ଆଉ କହିଲେ -" ବିଶେଷ କିଛି କ୍ଷତି ହୋଇନି ମୋତେ ଲାଗୁଛି , ମେଡ଼ିସିନ୍ କଣ୍ଟିନ୍ୟୁ କରାନ୍ତୁ ଭଲ ହୋଇଯିବ । ଆଉ ହଁ ପୁରା ଦୁଇ ମାସ ବେଡ୍ ରେଷ୍ଟ କୁଆଡେ ଅଯଥା ବୁଲା ବୁଲି କରିବାର ନାହିଁ । ବେଲ୍ଟ ଟି ସବୁବେଳେ ବନ୍ଧା ହୋଇ ରହିବ ମଝିରେ ମଝିରେ ଚେକ୍ କରୁଥିବେ ଯଦି ଢିଲା ହୋଇଯିବ ଆଉ ଥରେ ଭିଡିଦେବେ ଭଲକି । ମୁଁ ମଝିରେ ମଝିରେ ଆସି ଦେଖା କରିବି ।"

ଡାକ୍ତର ଚାଲିଗଲେଣି କେତେବେଳୁ । ଏବେ ସମସ୍ତେ ଗୁମ୍ ସୁମ୍ କାହାରି ପାଟିରେ କିଛି ଭାଷା ନାହିଁ । ମାମା ରୋଷେଇ ଘରେ କ'ଣ ଗୋଟେ କରୁଛି । ବାବା ଯାଇଛନ୍ତି ଡାକ୍ତର ଙ୍କୁ ଛାଡ଼ିବାକୁ । ବାବୁ ବାଁ ପଟରେ ପାମାଲି ଡାହାଣ ପଟରେ ବସିଛି , ଦୁହେଁ ତାଙ୍କ ଖୁସି ଦି କୁ ଚାହିଁଛନ୍ତି ଏକ ଲୟରେ । ପ୍ରବଳ ଝଡ ତୋଫାନ ପରର ପୃଥିବୀ ପରି ।

ଖୁସି ଦି ଏଥର ମୁହଁ ଖୋଲିଲା --" କଣ କିରେ ... ଆଜି ତମ ଦିଇଟା ଙ୍କର ପଢା ପଢି ନାହିଁ କି ?

ପାମାଲି ଖୁସି ଦି କଥାର ଉତ୍ତର ନଦେଇ ସେ ପ୍ରଶ୍ନ କଲା -" ଦିଦି ତୋ ଗୋଡ଼ ବହୁତ ଜୋରେ କାଟୁଛି ନାଁ .. ?'

--" ମୁଁ ତତେ କଣ ପଚାରୁଛି ପରା ..? "

-" ଦି ତୋର ଏମିତି ଅବସ୍ଥା ରେ ଆମର ପଢ଼ାରେ କେମିତି ମନ ଲାଗିବ କହ ତ ?"

-- " ମୁଁ ତମ ଦି ଜଣ ଙ୍କ ବାହାନା ଭଲ କି ଜାଣିଛି , ଚୁପତାରେ ବହି ଖାତା ଧରିକି ଆସ ଏଠି ବସି ପଢ । "

ଦୁଇ ଜଣ ଙ୍କ ମୁହଁ କେମିତି ଗୋଟେ ମଉଳି ଗଲା ପରି ଦିଶିଲା । ଦୁହେଁ ଉଠି ଯାଉ ଯାଉ କହୁଥିଲେ ଚୁପ୍ ଚୁପ୍" ବଢିଆ ହେଇଛି ଖୁସି ଦି ଗୋଡ଼ ମୋଡି ହେଇ ଯାଇଚି "

" ଆମେ ଦୂରେଇ ବସିବା ସେ ଆମକୁ ଆଉ ମାରି ପାରିବନି ହେ... ହେ... ହେ...ହେ.. ... "

 ୟାଙ୍କ କଥା ଖୁସି ଦି ଶୁଣି ପାରିଲା କି କଣ କହିଲା --" ଏଇ ମାମା .... ସେ ବେତ ଟା ମୋତେ ଟିକେ ଆଣି ଦେଲୁ । ଏ ଚୁଟିଆ ଆଉ ପେଚକିରୀ କଥା ମୁଁ ଟିକେ ବୁଝେ ଭଲ କି "



Rate this content
Log in

Similar oriya story from Inspirational