Trupti Paikaray

Comedy

2.1  

Trupti Paikaray

Comedy

ଗୋପାଳବାବୁଙ୍କ ଡିପାର୍ଟମେଣ୍ଟ ଚକ୍କର

ଗୋପାଳବାବୁଙ୍କ ଡିପାର୍ଟମେଣ୍ଟ ଚକ୍କର

11 mins
14.5K


"ଗୋପାଳବାବୁଙ୍କ ଡିପାର୍ଟମେଣ୍ଟ ଚକ୍କର"

ଏଇ ଶୁଣୁଚ, ଆଜି ମୁଁ ପରା ରବିନାରାୟଣ ବ୍ରତ ରଖିଛି, ମୋର ଉପାସ, ଆଉ ତମ ପାଇଁ କଣ ଟିକେ ସାଧା କରିଦେଇଚି ଖାଇଦେବ, ଆଜି ଟିକେ ଆମିଷ ନଖାଇଲେ ଭଲ I ଏତିକି କହିଦେଇ ଉର୍ମିଳା ଗଲେ ପୂଜା ଘରକୁ କଣସବୁ ପୂଜା ସାମଗ୍ରୀ ସଜେଇରଖିବେ ଆଉ ଟିକେ ମନ୍ଦିର ଯିବେ ପୂଜା କରିବାକୁ I ତାଙ୍କ ସ୍ୱାମୀ ଗୋପାଳବାବୁ ସେତେବେଳେ ଅଫିସର କିଛି କାମ ବିଷୟରେ ଫୋନରେ କଥା ହେଉଥିଲେ I ଆଜି ରବିବାର ଛୁଟି, ଗୋପାଳବାବୁ ଅନେଇ ରହିଥାନ୍ତି, କେମିତି ରବିବାର ହେବ ସକାଳୁ ସକାଳୁ ଯିବେ ଟିକେ ଖାସି ମାଂସ ଆଣିବେ ଆଉ ଉର୍ମିଳାଙ୍କୁ କହିବେ ଭଲକରି ରୋଷେଇ କରିବେ ଆଉ ପେଟ ପୁରେଇ ମଣିଷ ଟିକେ ଖାଇବ  I  କଷିକି ମାଂସ ଝୋଳ ଆଉ ଭାତ ଖିଅହେବେ I ହେଲେ, ସ୍ତ୍ରୀଙ୍କ ଏଇ ପୂଜା ଆଉ ତା’ସାଙ୍ଗକୁ ସାଧା ଖାଇବାକଥା ଶୁଣି ତାଙ୍କ ମୁଡ଼ ପୁରା ଅଫ ହେଇଗଲା, କାରଣ ଗୋପାଳବାବୁ ଆମର ଭାରି ଆମିଷ ପ୍ରେମୀ ମଣିଷଟିଏ, ଅନେଇରହିଥିଲେ ରବିବାରକୁ I ଛୁଟିରେ ଗୋଡ ଉପରେ ଗୋଡ ପକେଇ ଟିକେ ମଟନ କଷା ଖିଅହେବେ ,ପୁଣି ଦିପହର ରେ ମାଂସ ଝୋଳ ଆଉ ଭାତ I ହେଲେ ଏବେ ସ୍ତ୍ରୀଙ୍କ "ରବିନାରାୟଣ ବ୍ରତ" କଥା ଶୁଣି ତାଙ୍କ ମୁଣ୍ଡ ପୁରା ଗରମ, ଗରଗର ହେଇ ସ୍ତ୍ରୀଙ୍କ ଉପରେ ମନ ଦୁଃଖରେ ବିଚରା ଗାଧୁଆଘରେ  ପଶିଲେ, ସତେ ଯେମିତି ସ୍ତ୍ରୀଙ୍କ କଥା ନଶୁଣିଲା ଭଳି I ଏମିତି ପୂଜାବ୍ରତ ଚକ୍କର ରେ ଗୋପାଳବାବୁଙ୍କ ଆମିଷ ଖିଆହେଇପାରୁନି I ଗୋପାଳବାବୁ ବି ଭାରି ଈଶ୍ୱର ବିଶ୍ୱାସୀ ମଣିଷ, ହେଲେ ସେ ଏମିତି ସ୍ତ୍ରୀଙ୍କ ଏହି "ଡିପାର୍ଟମେଣ୍ଟ ଵାଲା ରୁଟିନ ପୂଜା" ରେ ଭାରି ବିରକ୍ତ ହୁଅନ୍ତି I ସ୍ତ୍ରୀ ତାଙ୍କର ଭାରି ଅନ୍ଧବିଶ୍ୱାସୀ, ଅଧାଦିନ ଉପାସ, ବାର ମାସରେ ତେର ପୂଜା, ଠାକୁରଙ୍କ ପାଖରେ ଯଚାଯଚି ସବୁବେଳେ, "ହେ  ମା ଯୋଗମୟୀ ମୋ ପୁଅ କ୍ଲାସ ରେ ଫାର୍ଷ୍ଟ ହେଲେ ମୁଁ ତମ ପାଖରେ ୨୦୦୧ ଟଙ୍କାର ଭୋଗ ଲଗେଇବି, ହେ ପ୍ରଭୁ ଅଷ୍ଟଶମ୍ଭୁ ମୋ ସ୍ୱାମୀଙ୍କ ଦରମା ବଢିଲେ ତମପାଖରେ ବନଭୋଜି କରି ୧୦୦ ଲୋକଙ୍କୁ ଖାଇବାକୁ ଦେବି", ଉପାସ କରିକରି ଉର୍ମିଳାଙ୍କ ଦେହଖରାପ, ମେଁଞ୍ଚାମେଁଞ୍ଚା ଔଷଧ ଖିଆବି ଚାଲିଚି I ଏମିତିରେ ଗୋପାଳବାବୁଙ୍କ ଦରମା ବଢିଲେ କଣ ହେବ, ଅଧା ଚାଲିଯାଏ ସ୍ତ୍ରୀଙ୍କ ପୂଜା ପାଉଣା ଦେବାରେ ଆଉ ତାଙ୍କ  ମାନସିକ ପୂଜାରେ I ମାସ ଶେଷରେ ଗୋପାଳବାବୁଙ୍କ ପକେଟ ଖାଲି ହେଇଯାଏ, ଏମିତିସବୁ ସେ ଦୀର୍ଘ ୨୫ବର୍ଷ ହେଲା ସହିଆସୁଛନ୍ତି I ସେତବେଳେ ପିଲାମାନେ ଛୋଟ ହେଇଥିଲେ, ତେଣୁ ଉର୍ମିଳାଙ୍କ ପୂଜାଖର୍ଚ୍ଚ ଏତେ ବାଧୁନଥିଲା I ହେଲେ ଏବେ ପିଲାମାନେ ବଡ ହେଇଗଲେଣି, ଗୋଟେ ପୁଅ ଆଉ ଝିଅ, ଝିଅ ବଡ, ସେ କଲେଜ ପଢୁଛି, ପୁଅବି + ସାଇନ୍ସ ପଢୁଛି, ଗୋପାଳବାବୁଙ୍କ ମନ ପୁଅକୁ ଡାକ୍ତରୀ ପଢ଼େଇବେ, ପୁଣି ଝିଅର ପାଠପଢା ସାଙ୍ଗକୁ ବିଭାଘର ଖର୍ଚ୍ଚ ବି ଅଛି I ହେଲେ ସ୍ତ୍ରୀଙ୍କ ଏମିତି ପୂଜାପର୍ବ ଦେଖି ଗୋପାଳବାବୁଙ୍କ ମୁଣ୍ଡବିନ୍ଧାର କାରଣ I ଖାଲି ଗୁଡ଼େ ଗୁଡ଼େ ଟଙ୍କା ଖର୍ଚ୍ଚ I

ସରକାରୀ ଅଫିସ ରେ ଜଣେ ବରିଷ୍ଠ କିରାଣୀ ଭାବେ କାମ କରନ୍ତି, ବୟସ ହେବ ପାଖାପାଖି ୫୦, ଭାରି ପରିଶ୍ରମୀ ଲୋକ ସେ, ଅଫିସରେ ତାଙ୍କୁ ସମସ୍ତେ ଭାରି ଭଲପାନ୍ତି, ଆଉ ସେ ଭଲ କାମ କରନ୍ତି ବୋଲି ସମସ୍ତଙ୍କ କାମ ବି ବେଳେ ବେଳେ ତାଙ୍କୁ ଲଦି ଦିଆଯାଏ I ଏଇ ଅଳ୍ପ ଦିନ ହେଲା ତାଙ୍କର ଦରମା ବି ବଢିଛି, ତଥାପି ମାସ ଶେଷରେ ସବୁ ସରିଯାଏ , ହେଲେ ଉର୍ମିଳା ଭାରି ଈଶ୍ୱର ବିଶ୍ଵାସୀ, ସେ କୋଉ ଦେବଦେବୀଙ୍କୁ ଛାଡ଼ନ୍ତିନି, ସମସ୍ତଙ୍କୁ ପୂଜା କରନ୍ତି I ପୂଜା ପୂଜା, ପୁଣି ଉର୍ମିଳାଙ୍କ "ଡିପାର୍ଟମେଣ୍ଟ ଵାଲା ରୁଟିନ ପୂଜା" ନେଇ ଗୋପାଳବାବୁ ଆମର ଭାରି ଦୁଃଖିତ, ହେଲେ ସ୍ତ୍ରୀଙ୍କ ପୂଜା ଚକ୍କରରେ ତାଙ୍କ ଅକଲ ବି ଗୁଡ଼ୁମ ହେଇଯାଏ କେବେକେବେ I ଏପଟେ ସ୍ତ୍ରୀଙ୍କ ଟେନ୍ସନ କୁ ସେପଟେ ଅଫିସ ରେ କାମ ବୋଝ, ବେଳେବେଳେ ସେ ଖାଇବା ପିଇବା ବି ଭୁଲି ଯାନ୍ତିଘରେ ଟିକେ ଭଲ ଖାଇବେ ବୋଲି, ମାସକୁ ଥରେ ବି ଆମିଷ ଖାଇବାର ସୁଯୋଗ ଆସେ କି ନାହିଁ I ବିନା ପିଆଜରସୁଣ, ଖେଚେଡ଼ି ଖାଇଖାଇ ଗୋପାଳବାବୁ ଭାରି ଦୁଃଖିତ, ଅଫିସ କ୍ୟାଣ୍ଟିନ ରେ ବି ଖାଇଦିଅନ୍ତେ, ହେଲେ ଉର୍ମିଳା ଦି’ ଦିନ ଆଗରୁ ରାଣ ପକେଇଥିବେ, "ମୋ ରାଣ, କାଲି ବୁଧେଇ ଓଷା, ତମେ ଆମିଷ ଖାଇବନି, ତମ ପାଇଁ ଯାଚିଥିଲି" I ଏସବୁ ପାଇଁ ସେ ବିଚରା ବାହାରେ ବି ଖାଇ ପାରନ୍ତିନି, ପିଲାମାନେ ବି ରାଗନ୍ତି I ଏବେ ଉର୍ମିଳାଙ୍କ ବୟସ ବଢି଼ବା ସାଙ୍ଗକୁ ତାଙ୍କ ପୂଜା ବି ଆହୁରି ବଢି ଚାଲିଚି I ଏଥର ଗୋପାଳବାବୁ ସ୍ଥିର କଲେ ସ୍ତ୍ରୀଙ୍କୁ କହିବେ I ଏମିତି ବହୁତ ଥର ସ୍ତ୍ରୀଙ୍କୁ ବୁଝେଇଲେ ଯେ, ପିଲା ବଡ ହେଲେଣି, ଟଙ୍କା ପଇସା କିଛି ରଖିବାକୁ ପଡିବ I ହେଲେ ଉର୍ମିଳା ଯେମିତି ଥିଲେ ସେମିତି, ତାଙ୍କର କୌଣସି ପରିବର୍ତ୍ତନ ନାହିଁ, ଏସବୁ ଭିତରେ ସେ ବି ଗୋପାଳବାବୁ ବି ଅଣନିଶ୍ୱାସୀ ହେଇପଡୁଛନ୍ତି I ଉର୍ମିଳାଙ୍କ ସହ ଗୋପାଳବାବୁଙ୍କ ବି ବୟସ ବି ବଢି ଚାଲିଚି, ସଂସାର ବୋଝ, ସେପଟେ ଅଫିସ ବୋଝ, ଏପଟେ "ସ୍ତ୍ରୀଙ୍କ ଡିପାର୍ଟମେଣ୍ଟ ଵାଲା ପୂଜା ରୁଟିନ" ଆଉ ସେପଟେ "ଅଫିସ ରେ ଡିପାର୍ଟମେଣ୍ଟ ବୁଲା ଚକ୍କର" ସବୁ ଭିତରେ ଗୋପାଳବାବୁ ପୁରା ପାଗଳ ପରି ହେଇଯାଉଥିଲେ, ତା ସାଙ୍ଗକୁ ଅରୁଆ, ଖେଚେଡ଼ି, ନିରାମିଷ ତରକାରୀ ଖାଇଖାଇ ସେ ପୁରା ବିରକ୍ତ ହେଇଯାଇଥିଲେ I

ରାଗିରାଗି ଥିଲେ, ସେଦିନ ଉର୍ମିଳାଙ୍କୁ ବହେ ଗାଳିଦେଲେ I ହେଲେ ଉର୍ମିଳା କାନରେ ପୁରେଇ ସେ କାନରେ ବାହାର କରିଦେଲେ I ଦେଖିଲେ ଯେମିତି ସ୍ୱାମୀ ରାଗିଛନ୍ତି, ଆଉ ତାଙ୍କୁ ମନ୍ଦିର ନେଇକି ଯିବା କଥା କହି, ନିଜେ ପାଖ ପଡୋଶୀ ସହ ଅଟୋରେ ପଳେଇଗଲେ ମନ୍ଦିର I ଏପଟେ ଗୋପାଳବାବୁ ଭାତ ମାଂସ ତରକାରୀ କଥା ଭାବି ଭାବି ଶେଷକୁ ସ୍ତ୍ରୀ କରିଥିବା ଖାଇବା ଖାଇଲେ ଆଉ ଟିକେ ରେଷ୍ଟ ନେଲେ, କିଛି ସମୟ ପରେ ଉର୍ମିଳା ପହଁଚିଲେ, ହେଲେ ଗୋପାଳବାବୁ ଏତେ ରାଗିଥିଲେ ଯେ ଆଉ ସ୍ତ୍ରୀଙ୍କ ସହ କଥା ହେଲେନି, ଉର୍ମିଳା ବି ବୁଝି ଗଲେ ତାଙ୍କ ସ୍ୱାମୀ ରାଗିଛନ୍ତି ବହୁତ ଜୋରସେ, ଆଉ ରାଗିଲେ ସେ କଥା ହୁଅନ୍ତିନି I ସ୍ତ୍ରୀଙ୍କୁ ଦେଖି ବାହାରକୁ ଚାଲିଗଲେ ଗୋପାଳବାବୁ ନିଜ ବାଲ୍ୟବନ୍ଧୁ ହରିହରଙ୍କ ଘରକୁ, ସେ ତାଙ୍କ ବହୁତ ଭଲ ସାଙ୍ଗ ନିଜ ସୁଖଦୁଃଖ ସବୁ ହରିହରଙ୍କ ସହ ସେୟାର କରନ୍ତି I ଆଜିକିନ୍ତୁ ତାଙ୍କ ମନ ପୁରା ଦୁଃଖ, ପହଞ୍ଚିଗଲେ ସାଙ୍ଗ ପାଖରେ I ତାପରେ ହରିହର ପଚାରିଲେ "କଣ ଗୋପାଳ କଣ ହେଇଚି, ମନ କାହିଁ ଏତେ ଦୁଃଖ? ତାପରେ ଗୋପାଳବାବୁ କହିଲେ "ସାଙ୍ଗ ମୁଁ ଆଉ ପାରୁନି, ମୁଁ ଚାକିରୀ ଆଉ ଘର ଛାଡି କୁଆଡେ ଦୁରକୁ ଚାଲିଯିବି, ମତେ କେହି ଯେମିତି ଆଉ ପାଇବେନି, ଡିପାର୍ଟମେଣ୍ଟ ଭୁତ ମୋ ପିଛା ଛାଡ଼ୁନି, ତା ସାଙ୍ଗକୁ ମୋ ଖାଇବା ପିଇବା ବି ତୋ ଭାଉଜ ବନ୍ଦ କରିସାରିଲେଣି, ଅରୁଆ, ଖେଚେଡ଼ି ଖାଇଖାଇ ମୋ ଭୋକ ମରିଗଲାଣି ସାଙ୍ଗ” I ଗୋପାଳବାବୁ ଭାରି ସରଳ ମଣିଷ, ହେଲେ ତାଙ୍କ ମୁହଁରୁ ଏମିତି କଥା ଶୁଣି ହରିହର ଟିକେ ଚୁପ ରହିଲେ, ଆଉ ତାପରେ ହରିହର ଆଶର୍ଯ୍ୟ ହେଇ ପଚାରିଲେ "ଡିପାର୍ଟମେଣ୍ଟ ଭୁତ” କଣ ସାଙ୍ଗ? ଉତ୍ତରରେ ଗୋପାଳବାବୁ କହିଲେ "ଆଉ ନୁହେଁ କଣ, ଘରେ ତୋ ଭାଉଜ ମୋ ବଞ୍ଚିବା ମୁସ୍କିଲ କରିସାରିଲାଣି, ପ୍ରତିଦିନ ନୂଆ ନୂଆ ପୂଜା, ସୋମବାର ମହାଦେବଙ୍କ ବ୍ରତ, ମଙ୍ଗଳବାର ମା' ମଙ୍ଗଳI, ବୁଧବାର ବୁଧେଇ ଓଷା, ଗୁରୁବାର ଲଷ୍ମୀପୂଜା, ଶୁକ୍ରବାର ମା' ସନ୍ତୋଷୀ, ଶନିବାର ଶନିଦେବଙ୍କ ପୂଜା ପୁଣି ତା ସାଙ୍ଗରେ ହନୁମାନଙ୍କ ପୂଜା I ମତେ ଆସି କହୁଛି ୧୦୦୦ ଟଙ୍କା ଦିଅ ଶିବ ମନ୍ଦିରରେ ରୁଦ୍ରାଭିଷେଖ କରିବାର ଅଛି୨୦୦୦ ଟଙ୍କା ଦରକାର ଶନିମେଳା କରିବି I ସେ ବୁଝୁନି ଯେ ମୋ ପାଖରେ ପଇସା ଅଛି କି ନାହିଁ I ସେ ପୁରା ଠାକୁରଙ୍କ ବିଭାଗ ବନେଇ ଦେଇଛି, ଆଉ ମୁଁ ପାଟିକଲେ ମୋ ଆଗରେ ଆସି ପ୍ରବଚନ ଦଉଚି "ଲକ୍ଷ୍ମୀ ମା’ଙ୍କୁ ପୂଜା କଲେ ଧନସମ୍ପଦ ବଢେ, ସେ ଐଶ୍ୱର୍ଯ୍ୟର ଦେବି, ପୁଣି କେତେବେଳେ କହୁଛି ଗୁଡ୍ଡୁ ଆଉ ରୁଚି ପାଇଁ ମା ସରସ୍ବତୀ ପୂଜା କରିବା ସେ ବିଦ୍ୟାଦାତ୍ରୀ ଆମ ପିଲାଙ୍କୁ ପାଠ ଦେବେ, ପୁଣି ଏବେ ହନୁମାନ, ସୂର୍ଯ୍ୟ ଆଉ ଧନ୍ଵନ୍ତରୀ ପୂଜା ସବୁ କରୁଛି I କହୁଛି ତମ ଦେହ ଭଲ ରହୁନି, ଆଉ ପିଲା ଦିଟାଙ୍କ ପାଇଁ ମୁଁ ସବୁ ବ୍ରତ କରିବି I ସେପଟେ ପୁଣି କୁବେର ପୂଜାକଲେ ଧନ ଆହୁରି ବଢିବ କୁଆଡେ I କିଛିଦିନ ତଳେ ଗଣେଶଙ୍କ ନାଁରେ କଲଶ ବସେଇ ଥିଲା ୨୧ ଦିନ ପାଇଁ, କଣ ଯାହା ବାଧାବିଘ୍ନ ଦୂର ହେବଆଉ ଦୁର୍ଗାମା’ଙ୍କ ବ୍ରତ କଲେ ମା’ ଶକ୍ତିପ୍ରଦାୟିନୀ, ଶକ୍ତି ଦେବେ I ଦେଖେ ମୁଁ ବି ଭଗବାନଙ୍କୁ ବହୁତ ମାନେ, ହେଲେ ଏସବୁ ଡିପାର୍ଟମେଣ୍ଟ ପୂଜା ମୁଁ ବିଶ୍ୱାସ କରେନି "ଈଶ୍ଵର ଏକ, ସେ ପ୍ରେମ ଆଉ ସ୍ନେହରେ ବନ୍ଧା, ଭକତ ଭାବରେ ବନ୍ଧା, ସେ ସବୁ ଦେଉଛନ୍ତି, ହେଲେ ସେ କେବେ କାହାଠାରୁ କିଛି ନିଅନ୍ତିନି I ହେଲେ ମୋ ସ୍ତ୍ରୀ ବାବା, ସେ ସାଧୁ, ସେ ଜ୍ୟୋତିଷ ଯିଏ ଯାହା କହିଲେ ସବୁ ମାନି ଏମିତି ପୂଜା କରିଚାଲିଛି I ଉପାସ କରିକରି ତା ଦେହ ଖରାପ I ମାସକୁ ତା ଔଷଧରେ ମୋର ୩୦୦୦ ଟଙ୍କା ଖର୍ଚ୍ଚ ହେଇଯାଉଛି I ଏମିତି ସ୍ତ୍ରୀ ଉପରେ ଗେରେଗେରେ ହେଇ ସେଠାରୁ ଫେରିଲେ ଗୋପାଳବାବୁ I ଘରେ ଫେରି ଦେଖିଲାବେଳକୁ ଉର୍ମିଳା ପୁଣି ରାତି ପାଇଁ ରୋଷେଇ କରି ଟିଭି ଦେଖୁଛନ୍ତି, ସ୍ୱାମୀଙ୍କୁ ଦେଖି କହିଲେ ଆସିଲ କି? ଟିକେ ଫ୍ରେଶ ହେଇଯାଅ ମୁଁ ତମ ପାଇଁ ଖାଇବା ବାଢୁଛି I ଆଜି କିନ୍ତୁ ଗୋପାଳବାବୁ ଭୟଙ୍କର ମୁଡ଼ରେ, ସବୁବେଳେ ଏମିତି ରାଗନ୍ତି, ହେଲେ ଟିକେ ପରେ ବୁଝିଯାନ୍ତି I ହେଲେ ଆଜି ପୁରା ବିରଳ ରୂପ, ରାଗିକି ରହିଛନ୍ତି, ଉର୍ମିଳାଙ୍କୁ ଡାକି କହିଲେ ଆଜି ଆମର ଫଇସଲା ହେଇଯାଉ, ତମେ ଏସବୁ "ଡିପାର୍ଟମେଣ୍ଟ ଵାଲା ରୁଟିନ ପୂଜା ଛାଡ ନହେଲେ, ମୁଁ ଘରଦ୍ୱାର ଚାକିରୀ ଛାଡି ଚାଲିଯିବି କୁଆଡେ, ଉର୍ମିଳା ଶୁଣି ଥଟ୍ଟାରେ କହିଲେ "କାହିଁ ଏତେ ରଙ୍ଗ ହେଉଛ ? ହେଲେ ଗୋପାଳବାବୁ ମାନିବ ଲୋକ ନୁହେଁ, ରାଗିକି ପୁରା ଗରମ, ଉର୍ମିଳାଙ୍କ ଉପରେ ରାଗିକି ନଖାଇ ଚାଲିଗଲେ ଶୋଇବାକୁ I ଆଜିକୁ ବୋଧେ ୧୫ ଦିନ ହେଇଯିବ ଶାନ୍ତିରେ ଟିକେ ମାଛଝୋଳ, କି ତାଙ୍କ ପ୍ରିୟ ଶୁଖୁଆ ରାଇ ବି ପାଟିରେ ବାଜିନି, ମାଂସ ଝୋଳ କଥା ନକହିଲେ ଭଲ I ଉର୍ମିଳା ବି ଏମିତିରେ ଉପବାସ କରିଥିଲେ, ପିଲାମାନେ ଖାଇପିଇ ଶୋଇଲେ I

 ତା’ପରଦିନ ସକାଳେ କିନ୍ତୁ ଗୋପାଳବାବୁଙ୍କ ମନରେ କିଛି ନୂଆ କଥା ଚାଲୁଥିଲା I ଗାଧେଇ ସାରି, ପୂଜା କରି, ଅଫିସ ବାହାରିପଡିଲେ ବେଳIବେଳି I ଘରେ ରାଗି କିଛି ନଖାଇ ଚାଲିଗଲେ, ହେଲେ ଭୋକ ଆଉ ସମ୍ଭାଳି ହେଲାନି I ଯାଇ ଅଫିସ କ୍ୟାଣ୍ଟିନ ରେ ଆରାମରେ ପୁରି, ମଟର ତରକାରୀ ଆଉ ତା ସାଙ୍ଗକୁ ଗୋଟେ ପ୍ଲେଟ ବରାଘୁଗୁନି ଖାଇଦେଲେ, ଚା' କପେ ପି ବାବୁ ବାହାରିଗଲେ ନିଜ ଡେସ୍କ ପାଖକୁ I ଆଜି କିନ୍ତୁ ଗୋପାଳବାବୁଙ୍କ ନୂଆ ରୂପ, ମୁହଁରେ ଟିକେ ହସ ନାହିଁ, ପୁରା ଚୁପଚାପ, ସମସ୍ତେ ଦେଖି ଆଶ୍ଚର୍ଯ୍ୟ, ଗୋପାଳବାବୁଙ୍କ ଆଜି କଣ ହେଲା, ଦିନଟା ଆଜି ଖରାପ, ସବୁ ଷ୍ଟାଫମାନେ କଥା ହେଉଥାନ୍ତି I କାରଣ ସେ ଅଧା କାମ ସମ୍ଭାଳି ନିଅନ୍ତି, ତା ସାଙ୍ଗକୁ ସମସ୍ତଙ୍କୁ ଭାରି ଭଲ ପା’ନ୍ତି I ଅଫିସରେ ଯାହାର ଯାହା ପ୍ରୋବ୍ଲେମ ସମସ୍ତେ ଆଙ୍କୁ ହିଁ କୁହନ୍ତି I ତାଙ୍କ ଯୋଗୁ ଅଫିସରେ ଗୋଟେ ଭଲ ବାତାବରଣ ବନିଯାଏ, ଆଜି କିନ୍ତୁ ସବୁ କିଛି ଅଲଗା, ଗୋପାଳବାବୁ ଯାଇ ଚୁପ ହେଇ ନିଜ ଡେସ୍କରେ, କମ୍ପ୍ୟୁଟର ଖୋଲି କଣଗୁଡାଏ ଟାଇପ କରିଚାଲିଲେ I ସମସ୍ତେ ଆସି ଥରେ ଥରେ ପଚାରି ଗଲେଣି, ହେଲେ କିଛି ଉତ୍ତର ନାହିଁ I ଏମିତି ନିଜ ସବୁ କାମ ଯାହା ବାକିଥିଲା କରିଲେ I ମଧୁ ଆସି କେତେବେଳୁ ତାଙ୍କ ଟେବୁଲ ଉପରେ ଚା’ ଥୋଇକି ଗଲାଣି, ନଜର ନାହିଁ I ଏଟା ଅଫିସର “ସ୍ପେସିଆଲ ନାଲି ଚା”, ସମସ୍ତେ ପିଇବା ପାଇଁ ବାଡିଆପିଟା I ସେ ଯାହା ହେଉ, ଗୋପାଳବାବୁ ଦେଖିଲେ ଚା’କପ ଆଉ ପିଇସାରି ସିଧା କାଗଜ଼ ଖଣ୍ଡେ ଧରି ବାହାରିଲେ ବଡ ସାରଙ୍କ କ୍ୟାବିନକୁ I ସମସ୍ତେ ଅଶ୍ୱର୍ଯ୍ୟ, ଗୋପାଳବାବୁ ଏମିତି ଖଣ୍ଡେ କାଗଜ ଧରି ଯିବା ମାନେ କିଛି ନିଶ୍ଚୟ ଗଡବଡ I କାରଣ ଗୋପାଳ ବାବୁ ସାରଙ୍କ ରୁମକୁ ଯିବେ ମାନେ ହାତରେ / ଫାଇଲ ଥିବ, ଆଉ କାମ ପଛରେ କାମ ଧାଡି ବାନ୍ଧିଥିବା I ହେଲେ ଆଜି କଣ ସବୁ ଚାଲିଛି କେହି ବୁଝିପାରୁନାହାନ୍ତି ଆଜି ମାମଲା ଜରୁର କିଛି ଗଡବଡ ଅଛି I

ସାରଙ୍କ କ୍ୟାବିନ ଭିତରକୁ ପଶିଗଲେ ଗୋପାଳବାବୁ, ଇଏ ହେଉଛନ୍ତି ଗୋପାଳବାବୁଙ୍କ ଅଫିସର ସବୁଠାରୁ ବଡ ଅଫିସର ଶ୍ରୀ.କେଶବ ରାୟ, ଭାରି ଭଲ ମଣିଷ ଜଣେ I ଟଙ୍କାଟିଏ I ଲାଞ୍ଚ ନିଅନ୍ତି, I ଦିଅନ୍ତି, ସେଥିପାଇଁ ତାଙ୍କୁ ସମସ୍ତେ ମାନନ୍ତି I ସେ ଆସିବା ଦିନଠାରୁ ଅଫିସରେ ସମସ୍ତେ ଭାରି ଖୁସି, ଗୋପାଳବାବୁଙ୍କୁ ସେ ଭାରି ଭଲ ପାନ୍ତି I ଆଉ ଗୋପାଳବାବୁ ବି ଭାରି ବିଶ୍ୱସ୍ତ ଲୋକଟିଏ I ତେଣୁ ବଡସାର ତାଙ୍କୁ ନିଜର ସବୁ ଅଫିସିଆଲ ସିକ୍ରେଟ କହନ୍ତି I ହେଲେ କାମକୁ ନେଇ ସେ ଭାରି ସତର୍କ, କାମରେ ଟିକେ ଏପଟ ସେପଟ ସେ ଭଲ ପାନ୍ତିନି I ସେଥିପାଇଁ ସବୁ ଷ୍ଟାଫ୍ଫ କାମ କରିଦିଅନ୍ତି, ଯେତେ କଷ୍ଟ ହଉପଛେ I ଗୋପାଳବାବୁଙ୍କୁ ଦେଖି ସେ ପଚାରିଲେ "କଣ କାମ ଅଛି କୁହନ୍ତୁ ଗୋପାଳବାବୁ" I ହେଲେ ସେ କହିଲେ "ସାର ଆଜି ମତେ କ୍ଷମା କରନ୍ତୁ, ମୁଁ ଟିକେ ମୋର ପର୍ଶନI କାମରେ ଆସିଛି, ଟିକେ କଥା ହେଇପାରିବି କି?" ସାର କହିଲେ, "କୁହନ୍ତୁ କଣ କହିବାର ଅଛି" I  ଗୋପାଳବାବୁ କହିଲେ "ସାର ମୁଁ ଚାକିରି ଛାଡିବାକୁ ଚାହେଁ, ଆଉ ମୁଁ ଆପଣଙ୍କୁ ମୋ ରେଜିଗନେସନ ଦେବାକୁ ଆସିଛି, "କଣ ହେଲା, ଆପଣଙ୍କ ମୁଣ୍ଡ କଣ ଖରାପ ହେଇଯାଇଛି କି ଗୋପାଳବାବୁ? ଆପଣଙ୍କ ଦେହ ଭଲ ଅଛି ? ସାର ବି ଆଶ୍ଚର୍ଯ୍ୟ ହେଇ ପ୍ରଶ୍ନ କରିଚାଲିଲେ I ତାପରେ କହିଲେ "କଣ ହେଇଚି ଖୋଲିକି କୁହନ୍ତୁ, ଅଫିସରେ କିଛି ପ୍ରୋବ୍ଲେମ ହେଲା I କଣ? ଗୋପାଳବାବୁ କହିଲେ ସାର ଆପଣଙ୍କ ଅଫିସରେ ପ୍ରୋବ୍ଲେମ, ଆଉ ଆମ ଘରେ ବି, ଏସବୁ ପ୍ରୋବ୍ଲେମ ରୁ ମତେ ମୁକ୍ତି ଦରକାର ସାର, ମୁଁ ଆଉ ପାରୁନି I

ଆପଣଙ୍କ ଏହି ଡିପାର୍ଟମେଣ୍ଟ ଚକ୍କର ରେ ମୋ ମୁଣ୍ଡ ଖରାପ ହେଇଗଲାଣି I "ଡିପାର୍ଟମେଣ୍ଟ" ସାର ଆଶ୍ଚର୍ଯ୍ୟ ହେଇ ପଚାରିଲେ I ଗୋପାଳବାବୁ କହିଲେ ନୁହେଁ ତା ଆଉ କଣ? ଏଠି ଆପଣ ମତେ ସବୁଦିନ ଫାଇଲ ଧରି ପଠେଇଦେଉଛନ୍ତି "ଆଜି ଫାଇନାନ୍ସ ଡିପାର୍ଟମେଣ୍ଟ ଯା, ସେ କାମ କରିଦେଇ ଆସେ I କେତେବେଳେ ପଠାଉଛନ୍ତି ହେଲଥ ଡିପାର୍ଟମେଣ୍ଟକୁ ଯା, ସେ ବାବୁଙ୍କୁ ଦେଖା କରି ଆସେ, କେତେବେଳେ ପୁଣି ଏଜୁକେସନ ଡିପାର୍ଟମେଣ୍ଟରେ ମିଟିଂ ଆଟେଣ୍ଡ କର I ଏଠି ଡିପାର୍ଟମେଣ୍ଟ ବୁଲିବୁଲି ମୁଁ ଥକିଯାଉଛି, ପୁଣି ଆପଣ ଜାଣିଛନ୍ତି ସାର ଗୋଟେ ଡିପାର୍ଟମେଣ୍ଟ ଗଲେ ସେଠି ବାବୁମାନଙ୍କୁ ଦେଖାକରିବା କେତେ କଷ୍ଟ, ଘଣ୍ଟାଘଣ୍ଟା ଠିଆ ହେବାକୁ ପଡୁଛି I କେତେବେଳେ ପୁଣି କହୁଛନ୍ତି ଯା “ହୋମ ଡିପାର୍ଟମେଣ୍ଟ ରେ ସେ ଫାଇଲ ସାଇନ କରେଇ ଆଣେ I ମୋର ସବୁଦିନ ପ୍ରାୟ ବିଭିନ୍ନ ସରକାରୀ ଡିପାର୍ଟମେଣ୍ଟ ବୁଲା ହେଉଛି, ଅପେକ୍ଷା କରିକରି ବାବୁମାନଙ୍କୁ ବେଳେ ବେଳେ କାମ ଅଟକି ଯାଉଛି I ସବୁ ବାବୁ ଆପଣଙ୍କ ପରି ନୁହନ୍ତି I ଇଏ ହେଲା ଆପଣଙ୍କ ସରକାରୀ ଡିପାର୍ଟମେଣ୍ଟ ଚକ୍କରକଟା I ମଣିଷ କାମ କରି କରି ଟିକେ ଘରକୁ ଫେରୁଛି, ଶାନ୍ତିରେ ଗଣ୍ଡାଏ ଭଲରେ ଖାଇବ, ହେଲେ ସେଠି ବି ମୋ ସ୍ତ୍ରୀ ଠାକୁର ମାନଙ୍କର ଡିପାର୍ଟମେଣ୍ଟ କରିଦେଇଛି I ସାର ଆପଣଙ୍କ ସରକାରୀ ବିଭାଗରେ ଯେତେ ଡିପାର୍ଟମେଂଟସ ଅଛି, ଯେମିତି ଫାଇନାନ୍ସ ଡିପାର୍ଟମେଣ୍ଟ, ହେଲ୍ଥ ଡିପାର୍ଟମେଣ୍ଟ, ହୋମ ଡିପାର୍ଟମେଣ୍ଟ, ଏଜୁକେସନ ଡିପାର୍ଟମେଣ୍ଟ ଆହୁରି କେତେ ଯେ ଡିପାର୍ଟମେଣ୍ଟ ତା’ଠାରୁ ଅଧିକ ଡିପାର୍ଟମେଣ୍ଟ ଦେବଦେବୀଙ୍କର I ଏଠି ମର୍ତ୍ୟରେ ସରକାରୀ ଡିପାର୍ଟମେଣ୍ଟସ, ଆଉ ସ୍ୱର୍ଗରେ ଦେବତାମାନଙ୍କ ଡିପାର୍ଟମେଣ୍ଟ I ତେଣୁ ମୁଁ ଆପଣଙ୍କ ଡିପାର୍ଟମେଣ୍ଟ, ଆଉ ମୋ ସ୍ତ୍ରୀ ଡିପାର୍ଟମେଣ୍ଟ ଚକ୍କରରେ ପାଗଳ ହେଇଗଲିଣି I ଆଉ ମୁଁ ପାରୁନି ସାର, ମୁଁ ଆଜି ମୋ ଚାକିରୀ ଛାଡ଼ିବି I ଏଠି ସରକାରୀ ଡିପାର୍ଟମେଣ୍ଟ ବୁଲିବୁଲି ମୋ ଅବସ୍ଥା ଖରାପ I କୋଉ ଫାଇଲ ହେଲ୍ଥ ମିନିଷ୍ଟାରଙ୍କ ଦେଖିବେ, କୋଉ ଫାଇଲରେ ହୋମ ସେକ୍ରେଟାରୀ ଦସ୍ତଖତ କରିବେ I ଏସବୁରେ ମୋ ବ୍ଲଡ଼ପ୍ରେସର ବଢିଯାଉଛି I ଆଉ ଘରକୁ ଫେରିଲେ ମୋ ସ୍ତ୍ରୀ ଆଜି ଓଷା, କାଲି ପୂଜା, ପଅରଦିନ ପୁଣି ସେ ମେଳା I ଏସବୁ ଚକ୍କର ରେ ୧୫ ଦିନ ହେବ ମୋ ପାଟିରେ ଆମିଷ ଟିକେ ବାଜିନି I ମତେ କହୁଛି “ଏ ଶୁଣୁଛ ଆଜି ଗୁରୁବାର ଲକ୍ଷ୍ମୀଙ୍କ ପୂଜା, ଘରେ ପିଆଜରସୁଣ ବନ୍ଦ, କାରଣ ଲକ୍ଷ୍ମୀ ପୂଜା କଲେ ଐଶ୍ଵର୍ଯ୍ୟ ପ୍ରାପ୍ତ ହେବ” I ସତେ ଯେମିତି ମା' ଲକ୍ଷ୍ମୀ କହିଛନ୍ତି "ମୋ ଫାଇନାନ୍ସ ଡିପାର୍ଟମେଣ୍ଟକୁ ନ’ ଟେକିଲେ ଗରିବ କରିଦେବି” I ସେମିତେ  କିଛି ଦିନ ତଳେ, ୨୧ ଦିନ ଧରି  ଗଣେଶଙ୍କ ନାଁ ରେ କଳସ ବସେଇଲା, କଣ ନା’ ଆମେ ୨୧ ଦିନ କେହି ଆମିଷ ଖାଇବIନି I ଆମ ପିଲା ମାନଙ୍କୁ ଗଣପତି ବିଦ୍ୟା ଦେବେ, ଆଶୀର୍ବାଦ କରିବେ I ଏଠି ଯେମିତି ଆମ ଫାଇଲ ଗୁଡା ସ୍କୁଲ ଆଉ ମାସ ଏଜୁକେସନ ଡିପାର୍ଟମେଣ୍ଟରେ ଅଟକିଯାଉଛି, ସେମିତି ଆମିଷ ଖାଇଲେ ଗଣେଶବାବା ବି ଆମ ପିଲାମାନଙ୍କ ଫାଇଲ ଚାପିକି ଫାଇଲ ତଳେ ରଖିଦେବେ I ଆଉ କହିବେ ମତେ ପୂଜା ନକଲେ ତୋ ପିଲାମାନେ ପରୀକ୍ଷାରେ ଭଲ କରିବେନି I ପୁଣି ମା ସରସ୍ବତୀ ବି ଅଛନ୍ତି, ତାଙ୍କୁ ବି ପୂଜା କରି ଉପାସ ରହେ I ସେ ବି ପିଲାମାନଙ୍କୁ ବଡ଼ମଣିଷ କରିବେ, ଆଉ ଅଧିକ ବିଦ୍ୟା ଅର୍ଜନର ଆଶୀର୍ବାଦ ଦେବେ I ସତେ ଯେମିତି ମା'ଙ୍କ ହାଇୟାର ଏଜୁକେସନ ଡିପାର୍ଟମେଣ୍ଟ ହାତରେ ନରଖିଲେ ପିଲାଗୁଡ଼ା ଆଗକୁ ଆଉ ପଢ଼ିପାରିବେନି I ସେମିତି ଦେବତା ମାନଙ୍କର ହେଲ୍ଥ ଡିପାର୍ଟମେଣ୍ଟ ବି ଅଛି "ସୂର୍ଯ୍ୟ, ଧନ୍ଵନ୍ତରୀ, ହନୁମାନଙ୍କୁ ପୂଜା କଲେ ରୋଗଶୋକ ମାଡିବନି I ମୁଁ ଯେମିତି ଆମ ଅଫିସ ରେ ହେଲ୍ଥ ଡିପାର୍ଟମେଣ୍ଟ ଯାଏ, ସେଠି ହେଲ୍ଥ ମିନିଷ୍ଟାର, ହେଲ୍ଥ ସେକ୍ରେଟାରୀ ଙ୍କୁ ଦେଖା କରେ, ସେମିତି ମୋ ସ୍ତ୍ରୀ ସୂର୍ଯ୍ୟମନ୍ଦିର, ଧନ୍ଵନ୍ତରୀ ପୂଜା କରେ I କାରଣ ଦେବାଦେବୀଙ୍କ ହେଲ୍ଥ ମିନିଷ୍ଟାର, ହେଲ୍ଥ ସେକ୍ରେଟାରୀ ଖୁସି ହେଲେ ସିନା ଆମ ପରିବାରକୁ ରୋଗ ମୁକ୍ତ କରିବେ I ଏତିକି ନୁହେଁ ସାର ଦେବତାମାନଙ୍କର ଆହୁରି ଡିପାର୍ଟମେଣ୍ଟ ଅଛି "ନାରଦମୁନିଙ୍କର ପବ୍ଲିକ ରିଲେସନ ଡିପାର୍ଟମେଣ୍ଟ, ଦୁର୍ଗା ମା’ଙ୍କର ଊମେନ ଆଣ୍ଡ ଚାଇଲଡ ୱେଲଫେୟାର ଡିପାର୍ଟମେଣ୍ଟ I ସେଥିରେ ଆପଣଙ୍କ ସରକାର ବିଭାଗରେ ଯେମିତି ଲାଞ୍ଚୁଆ ଅଫିସର ମାନେ ଲାଞ୍ଚ ନାଉଛନ୍ତି, ସେମିତି ଦେବତାଙ୍କ ଡିପାର୍ଟମେଣ୍ଟ ରେ ବି ଲାଞ୍ଚ ଦିଆନିଆ ହୁଏ I ଆଜି "ପୁଅ ପରୀକ୍ଷାରେ ୯୮% ଆଣିଲେ ମୁଁ ଗଣପତି ମନ୍ଦିରରେ ୧୦୦୦ ଲଡୁ ଚଢେଇବି, ତମ ଦେହ ଭଲ ହେଇଗଲେ ମୁଁ ହନୁମାନ ଯଂଜ୍ଞ କରିବି” I ଏମିତି କରିକରି ମୋର ମାସ ଶେଷକୁ ପଇସା ଅଣ୍ଟୁଣି ସାର I ସାର, ଏବେ ମୋର ଆପଣଙ୍କ ସରକାରୀ ଡିପାର୍ଟମେଣ୍ଟ, ଆଉ ମୋ ସ୍ତ୍ରୀଙ୍କ ଦେବଦେବୀ ଡିପାର୍ଟମେଣ୍ଟ ପୂଜା ବହୁତ ହେଇଗଲା I ମୁଁ ଶାନ୍ତିରେ ଟିକେ ନିଶ୍ୱାସ ନେବାକୁ ଚାହେଁ I ଆପଣଙ୍କ ଚାକିରୀ ଛାଡି, ଘରଦ୍ୱାରା ଛାଡି, ମୁଁ କୁଆଡେ ପଳେଇବି I ଆଉ ଗୋପାଳବାବୁଙ୍କ ଏସବୁ କଥା ଶୁଣି ସାରିବା ପରେ, ବଡସାର ନିଜ ହସ ସମ୍ଭାଳି ନପାରି ଜୋରସେ ହସିଲେ I ଆଉ ଅଫିସର ଅନ୍ୟ ଷ୍ଟାଫ୍ଫମାନଙ୍କୁ ଭିତରକୁ ଡାକି କହିଲେ, ସମସ୍ତେ ଶୁଣ ଆମ ଗୋପାଳବାବୁ ୧୫ ଦିନ ହେଲେ ଆମିଷ ଖାଇନାହାନ୍ତି, ସେଥିପାଇଁ ତାଙ୍କ ମୁଣ୍ଡ ଖରାପ ହେଇ ଯାଇଛି I ଏତିକି କଥାରେ ଅନ୍ୟମାନେ ଵି ହା’ ହା’ ହେଇ ହସିବାକୁ ଲାଗିଲେ I ତାପରେ ସାର କହିଲେ ବୁଧବାର ଦିନ ଆମ ଅଫିସରେ ଗୋଟେ ଭୋଜି କରିବା, ବହୁତ ଦିନ ହେଲା କିଛି ଭୋଜି ହେଇନି I ସେଦିନ ଭାତ ଆଉ ତା ସାଙ୍ଗକୁ ବଢିଆ ମାଂସ ଝୋଳଟେ ହବ I ଏତିକି କହି ସାର କହିଲେ “ଆମ କେଳୁକୁ ଡାକ” I କେଳୁ ହଉଚି ସେଠିକାର ପିଅନ, ଆଉ କେଳୁ ଭାରି ଭଲ ରୋଷେଇ କରେ I କେଳୁ ଆସିଲା, ସାର କହିଲେ "କେଳୁ ବୁଧବାର ଆମର ଏଠି ଭଲକି ମାଂସ ଝୋଳ ଆଉ ଭାତ କରିବା I ସବୁ ଅଫିସ ଷ୍ଟାଫ୍ଫ ଖାଇବେ, ଆଉ ଆମ ଗୋପାଳବାବୁଙ୍କ ପାଇଁ ଟିକେ ଅଧିକ ତରକାରୀ ବୋନସ ହିସାବରେ I ସମସ୍ତେ ପୁଣି ହସିଲେ I ଶେଷରେ ସାର କହିଲେ ଗୋପାଳବାବୁ ଟିକେ ବସନ୍ତୁ, ଆଉ ମୁଣ୍ଡ ଥଣ୍ଡା ହେଲାପରେ କାମ ଆରମ୍ଭ I ଏଜୁକେସନ ଡିପାର୍ଟମେଣ୍ଟରେ ରିପୋର୍ଟ ସବମିଟ ହେବ ପରା I

Trupti

 


Rate this content
Log in

Similar oriya story from Comedy