କମଳା ଚକଲେଟ
କମଳା ଚକଲେଟ
ବର୍ଷା ବାହାହେଇ ଏଇ ଘରକୁ ଆସିବା ଏ ଭିତରେ ପାଞ୍ଚ ବର୍ଷ ହେଇଗଲାଣି I ଶାଶୁ, ଶ୍ୱଶୁର, ଦିଅର, ସ୍ୱାମୀ, ଆଉ ତିନି ବର୍ଷର ପୁଅ ଡୁଗୁ ଏମାନଙ୍କୁ ନେଇ ତା ସୁଖଦୁଃଖର ସଂସାର l ସକାଳୁ ରାତିଯାଏ ଘର କାମରେ ବ୍ୟସ୍ତ ଥାଏ, ସ୍ୱାମୀ ଅଫିସ ଗଲା ପରେ ଘରର ଯାବତୀୟ କାମ କରିବାକୁ ପଡେ I ଶ୍ୱଶୁର ଜଣେ ଅବସରପ୍ରାପ୍ତ ଶିକ୍ଷକ, ସେ ସବୁବେଳେ ବାଡି଼ବଗିଚା କାମରେ ବ୍ୟସ୍ତରଖନ୍ତି ନିଜକୁ, ଆଉ ସମୟ ଟିକେ ମିଳିଲେ ଘରର ସଉଦାପତ୍ର ନେଇଆସନ୍ତି I ଶାଶୁ ରୋଷେଇବାସ କାମ ନ କଲେ ବି ପରିବାପତ୍ର କାଟିଦିଅନ୍ତି, ମାଛ ବାଛି ଦିଅନ୍ତି, ହେଲେ ବର୍ଷାକୁ ମୋଟାମୋଟି ଭାବେ ସବୁ କାମ କରିବାକୁ ପଡିଥାଏ l ଯେତେ କଷ୍ଟ ହେଲେ ବି ବର୍ଷା କାହାକୁ କିଛି ନ କହି ସବୁ କରିଥାଏ I
ଶ୍ୱଶୁର ଭାରି ଭୁଲା ଲୋକ, ସେଥିପାଇଁ ତାଙ୍କୁ ବଜାର ଦିନକୁ ଦୁଇ/ ତିନି ଥର ଯିବାକୁ ପଡ, ସେ ସବୁ ଭୁଲି ଯାଆନ୍ତି, ଏମିତିକି ଥରେ ଶାଶୁଙ୍କୁ ନେଇକି ବଜାର ଯାଇଥିଲେ, ସେଠାରେ ତାଙ୍କୁ ଛାଡି ଆସି ଘରେ l ତେବେ ଶାଶୁ ତାଙ୍କ ପଛେପଛେ ରହି ସବୁ କଥାରେ ସାହାଯ୍ୟ କରନ୍ତି I ସବୁ ଭୁଲିଯାଉଥିବା ମଣିଷ କେମିତି ବର୍ଷକୁ ଥରେ ଯେମିତି ହେଲେ କମଳା ଚକଲେଟ ଆଉ ନାଲି ଶଙ୍ଖା ଦିପଟ ଆଣନ୍ତି କେଜାଣି ଆଜିଯାଏ ଏକଥା ବର୍ଷା ବୁଝିପାରେନି l ନୂଆନୂଆ ସେ ଯେବେ ଏ ଘରକୁ ବୋହୁ ହେଇ ଆସିଲା ସେ ଦେଖେ ବର୍ଷର ସେଇ ଗୋଟେଦିନ ଶ୍ୱଶୁର ଯେମିତି ହେଲେ ବଜାର ଯାଇ କଣ ଗୋଟେ ଆଣି ଶାଶୁଙ୍କ ହାତରେ ଧରେଇଦିଅନ୍ତି l ତାପରେ ଶାଶୁ ସମସ୍ତଙ୍କୁ ଗୋଟେ ଗୋଟେ କମଳା ଚକଲେଟ ଧରେଇ ଦେଇ ନିଜେ ବଡ ଖୁସିରେ ବାକିସବୁ ଚକଲେଟ ସବୁ ଖାଆନ୍ତି I ସେତେବେଳେ ସେ ଭାରି ଖୁସି ଦେଖାଯାନ୍ତି, ନୂଆ ନାଲି ଶଙ୍ଖା ଦିପଟ ଲଗେଇ ଦେଇ ଏମିତି ଦେଖନ୍ତି ତାକୁ ସତେଯେମିତି ହୀରାର କଙ୍କଣ I ସେଦିନ ଶାଶୁ ରୋଷେଇ ଘରେ ବର୍ଷାକୁ କିଛି କରେଇ ଦିଅନ୍ତିନି, କିଛି ନା କିଛି ବାହାନା କରି ନିଜ ହାତରେ ସବୁ ରାନ୍ଧନ୍ତି I ହେଲେ ସେ ସାହସ କରି ଏକଥା ଶାଶୁଙ୍କୁ ପଚାରିପାରେନା, ଆଉ ତାଙ୍କ ସ୍ୱାମୀବି ଏ ବିଷୟରେ କିଛି ଜାଣନ୍ତିନି, ଖାଲି କମଳା ଚକଲେଟଟି ଖାଇଦେଇ ନିଜ ଦୁନିଆରେ ବ୍ୟସ୍ତ ହେଇଯାଆନ୍ତି l
ହେଲେ ଏଥର ଠିକ ସେଇ ଦିନ ଆସିଲା ଜାନୁଆରୀ ଦଶ ତାରିଖ, ଏଥର ବର୍ଷା କିନ୍ତୁ ଭାବିଛି ସାହସ କରି ସେ ଶାଶୁଙ୍କୁ ପଚାରିବ ଯେ "ଆଜି ଏମିତି କଣ ଯେ ବାପା ଆପଣଙ୍କ ପାଇଁ କମଳା ଚକଲେଟ ଆଉ ଶଙ୍ଖା ଆଣନ୍ତି"? ତେବେ ସକାଳୁ ସକାଳୁ ଉଠି ସେ ଘରର ସବୁ କାମ ସାରିଲା l ତାପରେ ଚା ସାଙ୍ଗକୁ ସକାଳ ଜଳଖିଆ ସବୁ କିନ୍ତୁ ଶାଶୁଙ୍କ ହାତ ତିଆରି ଆଜି I ଶ୍ୱଶୁର ଜଳଖିଆ ଖାଇ ବାହାରିପଡିଲେ ବଜାର, ବର୍ଷା ଜାଣିଗଲା ଯେ ଶ୍ୱଶୁର ବାହାରିଲେ କମଳା ଚକଲେଟ ଆଉ ଶଙ୍ଖା ଆଣିବାକୁ l ସେପଟେ ଶାଶୁ ଚାହିଁରହିଥାନ୍ତି ଶ୍ୱଶୁରଙ୍କ ଫେରିବା ବାଟକୁ, ହେଲେ ବର୍ଷା ଆଜି ସବୁ ରହସ୍ୟ ଜାଣିବ I ଶ୍ୱଶୁର ସବୁ ବର୍ଷ ପରି ଏଥର ବି ଚକଲେଟ ଆଉ ଶଙ୍ଖା ଆଣି ପହଞ୍ଚିଗଲେ, ତା ସାଙ୍ଗକୁ ଚୁନାମାଛ ଆଉ ଚିଙ୍ଗୁଡ଼ି I ଆସୁଆସୁ କହି ପକେଇଲେ " ମା' ବର୍ଷା ଆଜି ମୁଁ ଚୁନାମାଛ ଆଉ ଚିଙ୍ଗୁଡ଼ି ଆଣିଛି, ତୁମ ଶାଶୁମା ଭାରି ଭଲ ଚୁନାମାଛ ତରକାରୀ କରନ୍ତି ଆଉ ତାଙ୍କ ହାତ ଚିଙ୍ଗୁଡ଼ି ତରକାରୀର ସ୍ୱାଦ ନିଆରା, ସେ ଆଜି ସବୁ ରୋଷେଇ କରିବେ"l
ତେବେ ବର୍ଷା ବୁଝିଗଲା ଶାଶୁ ଆଜି ସବୁ ରୋଷେଇ କରିବେ l ତାପରେ ତା ଶ୍ୱଶୁର ଚକଲେଟ ପୁଡ଼ିଆଟା ତା ଶାଶୁଙ୍କ ହାତକୁ ଧରେଇଦେଲେ l ଶାଶୁ ଆଉ ବିଳମ୍ବ ନ କରି ସମସ୍ତଙ୍କୁ ଚକଲେଟ ବାଣ୍ଟିଦେଲେ, ତାପରେ ବାକି ସବୁ ଚକଲେଟ ନେଇ ନିଜ ରୁମକୁ ଚାଲିଗଲେ, ଶ୍ୱଶୁର ତାଙ୍କ ପଛେପଛେ ଗଲେ I ବର୍ଷା ଆଜି ଯାହା ହେଉ ପଛକେ ସବୁ ସତ ଜାଣିକି ରହିବ, ଶଶୁରଙ୍କ ପଛେପଛେ ଲେମ୍ବୁ ସର୍ବତ ନେଇ ସେ ବି ସେ ରୁମକୁ ଆଡକୁ ଚାଲିଲା, ହେଲେ ଏରୁଣ୍ଡି ବନ୍ଧ ପାଖରେ ଠିକ ଅଟକିଗଲା, ସେ ଦେଖିଲା ତା ଶ୍ୱଶୁର ସେଇ ନାଲି ଶଙ୍ଖା ନେଇ ଶାଶୁଙ୍କ ହାତରେ ଭାରି ଖୁସିରେ ପିନ୍ଧେଇ ଦେଉଥାନ୍ତି ଆଉ ଶାଶୁଙ୍କୁ ସତେ ଯେମିତି ସ୍ୱର୍ଗସୁଖ ମିଳିଯାଇଛି I ଏସବୁ ଦେଖି ବର୍ଷା ଆଖିରେ ଖୁସିର ଲୁହ ଭରିଗଲା, କିଛି ନକହି ସେ ସେଠାରୁ ପଳେଇଗଲା, ଆଉ କିଛି ନ ଦେଖିଲା ପରି ଆସି ନିଜ କାମରେ ଲାଗିଗଲା I ସେପଟେ ତା ଶାଶୁ ହାତରେ ନୂଆ ଶଙ୍ଖା ଲଗେଇ ମନ ଖୁସିରେ ଚାଲିଲେ ରୋଷେଇ ଘରକୁ I ସେତେବେଳେ ବର୍ଷା ଶାଶୁଙ୍କୁ ରୋଷେଇରେ ସାହାଯ୍ୟ କରିବାକୁ ପାଖେପାଖେ ଥାଏ I
ଶାଶୁଙ୍କୁ ଖୁସି ଥିବାର ଦେଖି ସେ ଆଉ ଡେରି ନକରି ପଚାରିଦେଲା "ବୋଉ ଆଜି ଏମିତି କଣ କି ଆପଣ ଆମ ସମସ୍ତଙ୍କୁ କମଳା ଚକଲେଟ ଦେଲେ ଆଉ ଏଇ ନୂଆ ଶଙ୍ଖା"? ଶାଶୁ ଟିକେ ଲାଜେଇ ଯାଇ ବର୍ଷାକୁ କହିଲେ "ମା ଆଜି ଦିନରେ ତୁମ ବାପା ଆଉ ମୁଁ ଦୁହେଁ ବିବାହ ବନ୍ଧନରେ ବାନ୍ଧିହେଇଥିଲୁ, ଏହି ଜାନୁଆରୀ ଦଶ ତାରିଖ ଦିନ" I ହେଲେ ସେତେବେଳେ ତୋ ବାପାଙ୍କ ଚାକିରୀ ସ୍ଥାୟୀ ନଥିଲା, ଆମେ ବହୁତ କଷ୍ଟରେ ଚଳୁଥିଲୁ, ଆଉ ଆମ ବିବାହ ବାର୍ଷିକୀ ଦିନ ତୋ ବାପା ମୋ ପାଇଁ ଏହି କମଳା ଚକଲେଟ ଆଉ ଦିପଟ ଶଙ୍ଖା ଆଣନ୍ତି, ଆଉ କିଛି ଆଣିବାକୁ ତାଙ୍କ ପାଖରେ ପଇସା ବି ନଥାଏ, ଏତିକି କହି ସେ ଟିକେ କାନ୍ଦି ପକେଇଲେ I ଲୁହ ପୋଛୁ ପୋଛୁ କହିଲେ ଏଇ କମଳା ଚକଲେଟ ବା ମୋର ଭାରି ପ୍ରିୟ, ଆଉ ତୋ ବାପା ମତେ ତାଙ୍କ ହାତରେ ଏଇ ଶଙ୍ଖା ନ ପିନ୍ଧେଇବା ଯାଏ ମୁଁ ସେମିତି ଅନେଇ ରହିଥାଏ I ଏତିକି ଶୁଣି ବର୍ଷା ଆଖିରେ ଆଖିଏ ଲୁହ I ସବୁକଥା ଆସି ନିଜ ସ୍ୱାମୀଙ୍କୁ କହିଲା ଆଉ ତାପରେ ସେଦିନ ଠାରୁ ଖିରି, ପୁରି, ପିଠାପଣା କରି, କେକ୍ କାଟି ଶାଶୁଶ୍ୱଶୁରଙ୍କ ଆନିଭର୍ସlରୀ ପାଳନ କରେ I ହେଲେ ଶାଶୁ ଚାହିଁ ରହିଥାଆନ୍ତି ସେଇ କମଳା ଚକଲେଟ ଆଉ ଶଙ୍ଖା ଦିପଟକୁ I