ନାଲି ଚା' ରୁ ନିର୍ବାଣ
ନାଲି ଚା' ରୁ ନିର୍ବାଣ
ଶ୍ରୁତି....ଶ୍ରୁତି....ଏଇ ଦେଖୁଛ ଆଜି ଖବର କାଗଜରେ ତୁମ ସାକ୍ଷାତକାର ବାହାରିଛି, ଗୋଟେ ହାତରେ ଚା'କପ ଓ ଆଉ ଗୋଟେ ହାତରେ ଖବର କାଗଜ ଧରି ସାଗର, ଶ୍ରୁତି ପଛରେ ଯାଇ ଡ୍ରଇଂ ରୁମରେ I ଆଜି ପେପରରେ ତୁମ ସାକ୍ଷାତକାର ଦେଖି ବହୁତ ଖୁସି ଲାଗୁଚି ଶ୍ରୁତି I ଶ୍ରୁତି ଚୁପଚାପ ହେଇ ବସିଥାଏ, ଆଖିରେ ତାର ଖୁସିର ଲୁହ I ପାଟିରୁ କିଛି ଶବ୍ଦ ବାହାରୁ ନଥାଏ, ଲୁହ ପୋଛି ପୋଛି ବାହାରିଗଲା ଶ୍ରୁତି....ମିସେସ. ଶ୍ରୁତି ମିଶ୍ର, ଆଜି ଆଇ.ଆଇ.ଏମ, କୋଲକତାରେ, ଛାତ୍ରଛାତ୍ରୀମାନଙ୍କୁ ନିଜ ସଫଳତାର କାହାଣୀ ଶୁଣେଇବେ ମୁଖ୍ୟବକ୍ତା ହିସାବରେ I ଯେଉଁ ଶ୍ରୁତି ଦିନେ ନିଜର କମ ପାଠପଢା ପାଇଁ ଶାଶୁ, ଶଶୁର ଆଉ ନିଜ ସ୍ୱାମୀଙ୍କଠାରୁ ଅନେକ କଥା ଶୁଣିଛି, ଯେଉଁଥି ପାଇଁ ତାକୁ ଚାକରାଣୀ ପରି ଘଣ୍ଟାଘଣ୍ଟା ଖଟିବାକୁ ପଡେ, ସେଇ ଶ୍ରୁତି ଆଜି ଆଇ.ଆଇ.ଏମ ପରି ଶିକ୍ଷାନୁଷ୍ଠାନର ଅତିଥି I ରୋଷେଇଘର, ଶୁଣିଦେଇ ଆପଣମାନେ ଆଶ୍ଚର୍ଯ୍ୟ ହେଇଯାଉଥିବେ, ଯେ କଣ ବା ଅଛି ସେ ରୋଷେଇଘର ବିଷୟରେ କହିବାକୁ, ରୁଟିକୁ ଚାନ୍ଦପରି ଗୋଲ କରିବାକୁ ପ୍ରୟାସ, ଘଣ୍ଟାଘଣ୍ଟା ଠିଆହେଇ ତରକାରୀକୁ ଟିକେ ତଡକା ଦେଲେ କେମିତି ପରିବାରରୁ ବାଃ ବାଃ ଶୁଣିବା, ଆଉ ଯଦି ଗୋଟେ ଦିନ ଖାଇବା ଟିକେ ବିଗିଡ଼ିଗଲା ତ ସାରାଦିନ ସମସ୍ତଙ୍କର ଟାହିଟାପରା, କଣ ତୁମ ଘରେ ଏମିତି ଖାଆନ୍ତି, ତୋ ମା’ ତତେ ରୋଷେଇ କରିବା କରିବା ଶିଖେଇନି, ହେଲେ କିଏ କେବେ ବୁଝେ ସେଠି ଠିଆହେଇ ସେସବୁ କରୁଥିବା ଦରଦୀ ମନର ଅକୁହା କଥା ? ଏଇ ରୋଷେଇଘର ନାରୀ ଜୀବନର ସାକ୍ଷୀ, ସେ ଏକ ନିଆରା ଅନୁଭୂତି ତା ଲୁହ, ହସ, ତା ଧର୍ଯ୍ୟ, ଆଉ ବଳିଦାନର I
କିଏ କହିଲା ସେ ଅବଳା, ନିର୍ବଳା, ସେ ହେଉଛି ସାତ ଶକ୍ତିର ମିଳନ(ସ୍ନେହ,ପ୍ରେମ, ଧର୍ଯ୍ୟ, ଆତ୍ମବିଶ୍ୱାସ, ସହନଶୀଳତା,ସୃଜନଶୀଳତା ଆଉ ସଫଳତା), ସେ ମା’, ସ୍ତ୍ରୀ, ବୋହୁ, ସେ ବିନାସ୍ୱାର୍ଥରେ କାମ କରିଚାଲିଥିବା ଗୋଟେ ମଣିଷ l
ଶ୍ରୁତି, ବାପାମା'ଙ୍କ ସବା ସାନ ଝିଅ, ସେମାନେ ପାଞ୍ଚ ଭଉଣୀ I ମାତ୍ର ପଇସା ଅଭାବରୁ ଶ୍ରୁତି ବେଶି ପଢ଼ିପାରିନି, ବାପାମା'ଙ୍କ ଗୋଟେ ଚିନ୍ତା ଝିଅକୁ ଗୋଟେ ଭଲ ବର ଦେଖି ବାହା କରାଇ ଦେବେ I ଶ୍ରୁତିର ବାହାଘର ଠିକ ହେଲା ଗୋପେଶ ସହ I ଗୋପେଶ ଗୋଟେ କମ୍ପାନୀରେ କାମ କରେ I ମାତ୍ର ଶାଶୁ ଘରକୁ ଆସିବା ପରେ ଶ୍ରୁତି ଲାଇଫ ପୁରା ବଦଳିଗଲା I ରାତି ୪ ରୁ ଉଠି ୧୧ ଯାଏ ସଫାସଫି, ବାସନ ମଜା, ବ୍ରେକଫାଷ୍ଟ, ଆଉ ଗୋପେଶ ଅଫିସ ଯିବା ପୂର୍ବରୁ ତାଙ୍କ କାମ, ତାପରେ ଠାକୁର ପୂଜା, ପୁଣି ଲଞ୍ଚ ପାଇଁ ପ୍ରସ୍ତୁତି, ଭାତ, ଡାଲି, ଆଉ ତାସହ ଦୁଇ ତିନି ପ୍ରକାର ନହେଲେ ହବନି I ଖିଆପିଆ କାମ ସରିଲା ବେଳକୁ ଦିନ ଦିପହର, ତାପରେ ଲୁଗାପଟା ସଫାସଫି, ଟିକେ ରେଷ୍ଟ କରିଥିବ କି ନାହିଁ ଶଶୁର,ଶାଶୁଙ୍କ ଚା’ ଦରକାର, ପଛକୁ ପଛ କାମ I ସେପଟେ ଗୋପେଶ ଅଫିସରୁ ଆସିଯାଏ ଆଉ ତା ପାଇଁ ପୁଣି ଚା, ଜଳଖିଆ I ଘରେ ଶାଶୁ, ଶଶୁର, ଗୋଟେ ଦିଅର ଆଉ ନଣନ୍ଦ, ଆଉ ଗୋପେଶର ଜେଜେମା I ଧୀରେଧୀରେ ସବୁ କାମ ଶ୍ରୁତିକୁ କରିବାକୁ ହେଲା, କେହି ଟିକେ ସାହାଯ୍ୟ କରିବାକୁ ବି ନଥାନ୍ତି I ସେମାନେ ପୁରା ଟିପିକାଲ ଶାଶୁଶଶୁର, ଟିକେ କିଛି ଉଣା ହେଲେ ସାଙ୍ଗେସାଙ୍ଗେ ଶ୍ରୁତିକୁ ଗୁଡ଼େ ଇୟାଡୁସିଆଡ଼ୁ କୁହନ୍ତି I ସେ ବଞ୍ଚୁଥିଲା ଖାଲି ଡର, ଅବଶୋଷ, ଅଶାନ୍ତି ଆଉ ଦୁଶ୍ଚିନ୍ତା ଭିତରେ, ନିଜ ଘରକୁ ଟିକେ ବୁଲି ଆସିବା ସIତ ସ୍ୱପ୍ନ ହେଇଗଲା I ଶ୍ରୁତି ବାପାମା’ କଲ କଲେ ବି କଥା ହେବାକୁ ଟିକେ ସମୟ ନଥାଏ, ଆଉ କଣ ବା କହିବ, ଚାରିପଟରେ ଶାଶୁଶଶୁର ଜଗି ରହିଥାନ୍ତି I କିଏ ନିଜ ବାପାମା’ ସହ କଥା ନହେଇ ଖୁସିରେ ରହିବ l ଗୋପେଶ ବି ପୁରା ନିଜ ବାପାମାଙ୍କ ସହ ମିଶି ଶ୍ରୁତିର ମନକଥା ବୁଝିପାରିନି, କି ତାକୁ ବି ଟାଇମ ଦିଏନି l ନୂଆ ବାହାହେଇଥିଲେ ବି ତାଙ୍କ ଭିତରେ ଗୋଟେ ବିରାଟ ଦୂରତ୍ୱ, ସେ ନିଜ ମନ କଥା ଗୋପେଶ ସହ ସେୟାର ବି କରିପାରେନି l କେମିତି ସେ ବଞ୍ଚିବ ସେ ଘରେ ଯେଉଁଠି ତାକୁ ବୁଝିବାକୁ କେହି ନାହିଁ l ଶ୍ରୁତି ରୋଷେଇ ଶିଖିଥିଲେ ବି କେତେବେଳେ ଟିକେ ଭୁଲଭଟକା ହେIଇଯାଏ, ହେଲେ ପରିବାରଯାକ ସବୁ ତା ପଛରେ ପଡିଯାନ୍ତି, ଦିନସାରା ତାକୁ ଅନେକ କଥା ଶୁଣିବାକୁ ପଡେ l ହୁଏତ ଗୋପେଶର ଭଲ ପାଇବା ଥିଲେ ସେ ସବୁ କିଛି ଭୁଲିଯାନ୍ତା, ହେଲେ ସେତିକି ବି ତା ଭାଗ୍ୟରେ ନଥିଲା I
କାନ୍ଦିକାନ୍ଦି ଦିନ ସରିଯାଏ, ଘରୁ ଫୋନ ଆସିଲେ ଟିକେ ମନଭରି କଥା ହେଇପାରେନି, କହିପାରେନି “ମା’ ମତେ ତମ କଥା ବହୁତ ମାନେ ପଡୁଛି, ବାବା ମୋ ପାଇଁ ଟିକେ ସେ ସ୍ପେସିଆଲ ଜଲେବି ଆଣିଦିଅ ବାବା” I କିଏ ବୁଝେ ଗୋଟେ ଝିଅ ମନର କୋହ, ତାର ମାନସିକତା, ଶେଷରେ ନିଜ ସହ ନିଜେ ଅଳିକରେ, ଯୁକ୍ତି କରେ I ଦେହ ଦିନକୁ ଦିନ ଅସୁସ୍ଥ ହେବାକୁ ଲାଗିଛି, ମନର ବଳଗୁଡା ବି କୁଆଡେ ଚାଲିଯାଉଛି I ସେତେବେଳେ ସେ ଝିଅ ଜନ୍ମକୁ ଧିକ୍କାରେ, ଗାଳିଦିଏ I
ଗୋପେଶର ବି ଶ୍ରୁତିକୁ ଗାଳିଗୁଲଜ କରେ, ଭଲ ପାଏନା, ଗୋପେଶର ନିଜ ସହକର୍ମୀ ଅଙ୍କିତା ସହ ସମ୍ପର୍କ ଥିଲା, ଏମିତିକି ସେ ଘଣ୍ଟାଘଣ୍ଟା ତା ସହ କଥା ହୁଏ I ଗୋପେଶ, ଅଙ୍କିତାକୁ ନେଇ ବାହାରକୁ ଯାଏ, ଶ୍ରୁତି ଏସବୁ ଜାଣିଲା ପରେ ତାକୁ ସେ ବିଷୟରେ ପଚାରିଲେ ସେ ଶ୍ରୁତିକୁ ହାତ ଉଠାଇ ମାରେ, ଦିନକୁ ଦିନ ଶ୍ରୁତି ପାଇଁ ସେଠି ରହିବା ବି କଷ୍ଟ ହେଇପଡିଲା I ଗୋପେଶ ନିଜର ନିଷ୍ପତି ଶୁଣେଇଦେଲା ଯେ ସେ ଶ୍ରୁତିକୁ ଡିଭର୍ସ ଦେବାକୁ ଚାହେଁ, ଶେଷରେ ତାହା ହିଁ ହେଲା, ଶ୍ରୁତିକୁ ସେଇ ଘରୁ ସବୁଦିନ ପାଇଁ ବାହାର କରିଦିଆଗଲା I ନିଜ ବାପାମାଙ୍କ ଉପରେ ବୋଝ ହେବାକୁ ସେ ଚାହିଁଲାନି I ନିଜ ଲୁହକୁ ସାଇତିଦେଲା, ହୃଦୟର ଯନ୍ତ୍ରଣାଗୁଡାକୁ ଯେମିତି ଅଣଦେଖା କରିବାକୁ ଲାଗିଲା, ଆଖି ସାମ୍ନାରେ ଗୋଟେ ଅନନ୍ତ ଉର୍ଜା ତାକୁ ଦେଖାଗଲା, ସେଇଟା ତାକୁ ଉନ୍ମୁକ୍ତ ହେବାର ମାର୍ଗ ବତେଇବାକୁ ବୋଧେ ଈଶ୍ୱରଙ୍କ ଗୋଟେ ଅଭିନବ ଉପାୟ ଥିଲା I
ଶ୍ରୁତି ପାଖରେ ପଇସା ନଥାଏ, ସେ ପିନ୍ଧିଥିବା କିଛି ଗହଣା ବିକ୍ରି କରି ସହରକୁ ପଳେଇଗଲା, ସେଠି ତାର ପିଲାଦିନ ସାଙ୍ଗ ସାଗରକୁ ସବୁକଥା କହିଛି I ସାଗର, ଶ୍ରୁତିର ଏମିତି ଅବସ୍ଥା ଦେଖି ତାକୁ ସାହାଯ୍ୟ କରିଛି, ଶ୍ରୁତି ରହିବା ପାଇଁ ଭଡାଘର ବୁଝିଦେଇଛି I ଶ୍ରୁତିକୁ ଏବେ କିଛି କରିବାକୁ ହେବ, ନହେଲେ ସେ ଘରଭଡା କେମିତି ଦେବ , ଖାଇବ କଣ, ଏସବୁ ଭାବି ତା ମୁଣ୍ଡ ଖରାପ ହେଇଯାଉଛି, ସେପଟେ ସାଗରଠାରୁ ବି ସେ କିଛି ସାହାଯ୍ୟ ନବାକୁ ଚାହେଁନି I
"ଶ୍ରୁତି ତତେ ବହୁତ କିଛି କରିବାକୁ ଅଛି, ତୁ ହଜାରେ ସ୍ୱପ୍ନକୁ ପ୍ରସ୍ଫୁଟିତ କରିପାରିବୁ, ତୁ ହଜାରେ ଓଠରେ ହସ ଭରି ଦେଇପାରୁ, ତୁ ହଜାର ଭଙ୍ଗାମନକୁ ଯୋଡି ଦେଇପାରୁ, ହେଲେ ତୋ ଓଠରେ ଆଜି ହସ ନାହିଁ , ଉଠିପଡ ଶ୍ରୁତି, ଦେଖେ ତୋ ଭବିଷ୍ୟତ ତତେ ହାତ ଠାରି ଡାକୁଛି, ଆକାଶ ତୋ ଉପରେ ଖୁସିର ବର୍ଷା କରିବାକୁ ଅନେଇ ରହିଛି, ତୁ ଉଠିପଡ ଶ୍ରୁତି”I
ଏମିତି ପାହାନ୍ତା ପହରୁ ସ୍ବପ୍ନ ଦେଖି ଶ୍ରୁତି ଉଠିପଡିଛି, ହେଲେ ଆଜି ଏଇ ଶ୍ରୁତି ଟିକେ ଅଲଗା ଲାଗୁଛି, ଶତସିଂହର ବଳ ସତେ ଯେମିତି ତା ଭିତରେ I ଏମିତି କାନ୍ଦୁଛି, ଦେହ ଆଉ ମନ ବି ଅସୁସ୍ଥ, ଆଉ ସେମିତି ଯଦି କିଛି ବଞ୍ଚିବାର କିଛି ବାଟ ଫିଟିଗଲା ତେବେ ଅସୁବିଧା କେଉଁଠି?
ଆଜି ତାକୁ ନିଜ ଭିତରେ ଥିବା ସେଇ ଉର୍ଜାକୁ ତେଜି ଆଗକୁ ଯିବାକୁ ପଡିବ, ଏମିତି କଣ ସ୍ବପ୍ନଗୁଡା ମରିଯିବ, ସମୟ ତI ବାଟରେ ଚାଲିଯିବ, ଝିଅ ବୋଲି କଣ ଶାନ୍ତିରେ ଟିକେ ନିଶ୍ୱାସ ନେଇପାରିବିନି? ଆଖିରୁ ଧାରଧାର ଲୁହ, ସେଇ ପୂଜାଘରେ ଥିବା ଶ୍ରୀକୃଷ୍ଣ ଚରଣ ତଳେ ସବୁ ସମର୍ପିଦେଲା, ଆଉ ସେଦିନ ଗୋଟେ ନୂଆ ଶ୍ରୁତିରେ ଜନ୍ମ ହେଲା, ଏଇ ଶ୍ରୁତି ଆଜି ବହୁତ ଶକ୍ତ, ମନରେ ଅମାପ ବିଶ୍ୱାସ, ସାହସ I
ବେଶି ପାଠ ପଢିଥିଲେ ହୁଏତ ଚାକିରୀ କରିପାଇଥାନ୍ତା ହେଲେ ପଇସା ଅଭାବରୁ ପାଠ ବି ପଢ଼ିପାରିନି, ହେଲେ ଆଜି ତାକୁ କିଛି କାମ କରିବାକୁ ପଡିବ ନିଜ ପେଟ ପୋଷିବା ପାଇଁ I ଗୋପେଶ ଘରେ ଥିଲାବେଳେ ଦିନରାତି ରୋଷେଇ କରିକରି ତା ସମୟ ଯାଏ, ସେଇ ନାଲି ଚା’, ମସଲା ଚା’, ମଲାଈ ଦିଆ ଚା’, ଆଉ ଭଳିକି ଭଳି ତରକାରୀ, ମିଠା ଆଉ କେତେ କଣ ବନେଇ ବାକୁ ପଡେ, ସେ ବେଶି କିଛି ଶିଖିନଥିଲା, ହେଲେ ପରିସ୍ଥିତି ତାକୁ ଅନେକ କିଛି ଶିଖେଇ ଦେଇଛି I ଶାଶୁଙ୍କ ଡରରେ ନାଲି ଚା’ କୁ ସ୍ୱାଦିଷ୍ଟ କରିବା ପାଇଁ ଚେଷ୍ଠା କରିକରି ଆଜି ସେ ଏତେ ସୁନ୍ଦର ନାଲି ଚା’ ବନେଇ ଦଉଚି, ଆଉ ସେଇ ନାଲି ଚା ତାକୁ ଜୀବନ ବଞ୍ଚିବା ଶିଖେଇ ଦେଇଛି I
ସେଇ କିଚେନରେ, ନିଜ ମୋବାଇଲ ସହାୟତାରେ ସେ ଶିଖିଥିଲା ରୋଷେଇ କରିବାର ବିଭିନ୍ନ ପ୍ରଣାଳୀ, ତା ସାଙ୍ଗକୁ ବିଭିନ୍ନ ଖାଦ୍ୟ ତିଆରି, ନିଜର ଗୋଟେ ଡ଼ାଇରୀ ଲେଖିଥିଲା କେବଳ ଖାଦ୍ୟ ଉପରେ I ଏ ଭିତରେ ଶ୍ରୁତି ତା ଜୀବନର ପ୍ରଥମ ଲେସନ ଶିଖିସାରିଥିଲା ପେସେନ୍ସ ବା ଧର୍ଯ୍ୟ l ଆଉ ସେହି ଧର୍ଯ୍ୟ ତାକୁ ଆଗକୁ ହାତଧରି ଟାଣିନେଉଥିଲା, ଦିନକୁ ଦିନ ଶ୍ରୁତିର ରୁଟିଗୁଡା ବି କେତେ ଗୋଲ ହେବାରେ ଲାଗିଲା I ଶାଶୁଙ୍କୁ ନାଲି ଚା’ ଦେଲା ପରେ ଯାହା ବଳେ ଶ୍ରୁତି ବସିବସି ପିଏ ସେତେବେଳେ ସେ ଅନେକ କିଛି ବସି ଭାବେ, ନାଲି ଚା'ର ନୀରବତା ତାକୁ ଅନେକ କିଛି କହିଯାଏ I ସେ ତ କେବେ କାହାକୁ କିଛି ମାଗୁ ନଥିଲା, କେବେ ତ ରୋଷେଇ କରିବାକୁ ଡ଼ରିନଥିଲା, କୌଣସି କଥାରେ ଯୁକ୍ତି କରି ନଥିଲା, ବIସ ଟିକେ ସ୍ନେହ ଆଉ ଭଲ ପାଇବା ତାର ଦରକାର ଥିଲା, ଆଉ ଟିକେ ଭଲପାଇବା ମିଳିଥିଲେ ହୁଏତ ଏହି ରୁଟି କେବେଠାରୁ ଗୋଲ ହେଇସାରନ୍ତାଣି I ରୁଟିକୁ ଅଧା ଗୋଲରୁ ଟିକେ ଗୋଲ, ଆଉ ଟିକେ ଗୋଲରୁ ପୁରା ଗୋଲ, ଟାଣରୁ ନରମ ରୁଟି, ପୁଣି ପୋଡା ରୁଟିରୁ ଏକଦମ ଧଳା ଫରଫର ରୁଟି ବନେଇବା ଭିତରେ ଶ୍ରୁତି ଯେମିତି ଧର୍ଯ୍ୟର ଗନ୍ତାଘର ପାଲଟିଯାଇଛି Iତାପରେ ଧର୍ଯ୍ୟ ଶ୍ରୁତିରେ ହାତ ଧରିଧରି ତାକୁ ଆଉ ପଡେ ଆଗକୁ ନେଇସାରିଥିଲା, ସେଠି ସେ ଭଲପାଇବା ସହ ବନ୍ଧୁତା କରିନେଇଥିଲା, ସକାଳ ୪ଟାରୁ ରାତି ୧୧ ଯାଏ ଯାହା ସହ କଟିଯାଏ, ଶେଷରେ ତା ସହ ଗୋଟେ ଭାବ ଯୋଡିହେଇଯାଏ ସତେ ଯେମିତି I ତରକାରୀ ଅଲଣା, ଲୁଣିଆ ଆଉ ରାଗୁଆ ହେବI ଭିତରେ, ଶ୍ରୁତି ଭଲପାଇ ସାରିଥିଲା କେମିତି ମସଲାରେ ମସଲା ଯୋଡି ନିଜର ତାରକାରୀକୁ ଗୋଟେ ନୂଆ ତଡକା ଦେବା I“ଲେସନ-୨ ବି ଭଲକି ବୁଝିପାରିଥିଲା,ଲଭ ବା ଭଲ ପାଇବା" I
ଯଦି ଗୋପେଶର ଭଲ ପାଇବା ମିଳିଥାନ୍ତା ସେ ହୁଏତ ଆହୁରି ଭଲ କରିପାରିଥାନ୍ତା I ଆଉ ଗୋଟେ ଜିନିଷ ସେ ଶିଖିଲI ଯେ ଯାହା ଯେତେବେଳେ କର, ତାକୁ ଭଲପାଇଗଲେ ବIସ ସେ ତମର ହେଇଯାଏ, ନିଜର, ଆପଣାର, ସେ ଆଉ କେବେ ଛାଡି କୁଆଡେ ଯାଏନି, ଆହୁରି ତମକୁ ବଞ୍ଚିବାର ବାଟ ଦେଖେଇଦିଏ I ଯେମିତି ଶ୍ରୁତି ରୋଷେଇ ପ୍ରେମରେ ବାନ୍ଧିହେଇଗଲା Iଧର୍ଯ୍ୟ ଆଉ ଭଲପାଇବା ସହ ଚାଲୁଚାଲୁ ଶ୍ରୁତିକୁ ମିଳିଥିଲା ଆତ୍ମବିଶ୍ୱାସର ଉପହାର, ତା ଆତ୍ମବିଶ୍ୱାସ ଏବେ ତାକୁ ଶକ୍ତ ଆଉ ମଜବୁତ କରିବାରେ ଲାଗିଛି I ସେ ରୋଷେଇ ଉପରେ ଲୋକଙ୍କୁ ଶିକ୍ଷାଦେବ ବୋଲି ଭାବି ନେଇଥିଲା, ଆଉ ରିସର୍ଚ୍ଚ କରିବାର ଇଛା ତା ଭିତରେ ଦିନକୁ ଦିନ ଦୃଢ ହେବାରେ ଲାଗିଲା, ସେ ଅନେକ ବହି ପଢିଲା, ଆଉ ଦିନକୁ ଦିନ ନିଜ ଉପରେ ଥିବା ଆସ୍ଥାକୁ ସେମିତି ଅକ୍ଷୁର୍ଣ ରଖି ସେ ଆଗକୁ ଚାଲିଲା I ତାକୁ ଟିକେ ବାପାମାଆ ପରି ସ୍ନେହ ଦେବାକୁ କେହି ନାହିଁ, ଖାଇଛି କି ନଖାଇଛି ପଚାରିବାକୁ କେହି ନାହିଁ, ଦେହ ଖରାପ ହେଲେ ଆହାଃ ପଡେ କହିବାକୁ ବି କେହିନାହିଁ I ଏସବୁ ଭିତରେ ସେ ବଞ୍ଚିବା ଶିଖିଯାଇଛି ଆଉ ନିଜ ଗୋଡ଼ରେ ନିଜେ ଠିଆ ହେଇ ଚାଲିବI ବି ଶିଖୁଛି Iହେଲେ ଆଜିକାଲି ଶ୍ରୁତିର ଆତ୍ମବିଶ୍ୱାସ ତାକୁ ଆଗକୁ ନେଇ ଚାଲିଛି, ସେ ଲୁହ ପୋଛି ହସୁଛି, ଆଗରେ ତାର ସୁଯୋଗ ଆସି ଉଙ୍କିମାରୁଛି କାରଣ ସେ ନିଜ ଭିତରେ ଥିବା ଶକ୍ତିକୁ ଜାଗ୍ରତ କରିଛି, ସେ ଆକାଶକୁ ଚାହିଁ ଉଡିବାର ଚେଷ୍ଠା କରୁଛି, ସମୟର ହାତ ଧରିଧରି ତା ସହ ଚାଲିବାକୁ ଚେଷ୍ଠା କରୁଛି, ମାଟି ଉପରେ ପାଦ ଥାପି ନିଜ ଅସ୍ଥିତ୍ୱର ଅନୁଭବ କରୁଛି କାରଣ ସେ ଆଜି ଆତ୍ମବିଶ୍ୱାସର ଶକ୍ତ ବଳୟ ଭିତରେ ଆଉ ତା ଭିତରକୁ କିଛି ଖରାପ ଶକ୍ତିର ପ୍ରବେଶ ହେଇପାରୁନି I ଶାଶୁଙ୍କ ପାଇଁ ନାଲି ଚା’, ଶଶୁରଙ୍କ ପାଇଁ ମସଲା ଚା’, ଗୋପେଶ ପାଇଁ ମଲାଈ ଚା’ ବନେଇବା ଭିତରେ ଶ୍ରୁତି ଆଜି ଟିକେ ନିପୁଣତା ସହ ସବୁ କରିପାରୁଛି, ଅଳ୍ପ ସମୟଭିତରେ କେମିତି ସବୁ ଜିନିଷ ଭଲ ଭାବରେ ହବ ସେ ଶିଖିଯାଇଛି, ସେମିତି ସକାଳୁ ୩ ପ୍ରକାର ବ୍ରେକଫାଷ୍ଟ ତିଆରିକରି ସେ ଶିଖିଯାଇଛି କେମିତି ଅଳ୍ପ ସମୟ ଭିତରେ ସ୍ୱାଦିଷ୍ଟ ଖାଇବା ବନେଇବାର ଉପାୟ I ସେ ଏଥର ନୂଆ ନୂଆ ଜିନିଷ ଦେଇ ବ୍ରେକଫାଷ୍ଟ ବନାଉଛି, ଉପମାକୁ ଆହୁରି ସ୍ୱାଦିଷ୍ଟ କରିବାକୁ କଣ ସେଥିରେ ଦେଵ, ସେ ନୂତନତ୍ୱ ବା କ୍ରିଏଟିଭିଟି ର ସନ୍ଧାନ ପାଇଛି ନିଜ ଭିତରେ I ସେ ଆଜି ଅନୁଭବ କରିପାରୁଛି ଯେ ଯଦି ସେ ଏତିକି ନୂତନତ୍ୱ ନିଜ ରୋଷେଇରେ ଦେଇ ଏତେ ଜିନିଷ କରିପାରୁଛି ତାହାଲେ ସେ ତା କ୍ୟାରିଅରରେ ବି ଆଗକୁ ଯାଇପାରିବ ଆଉ ଏହି ନୂତନତ୍ୱ ତାକୁ ଏକ ନୂତନ ପରିଚୟ ଦେବାର ଆଶା ସଂଚାର କରିଛି I ସେଇ ନାଲି ଚା’ ଯାହାକୁ ସେ ଏତେ ଭଲ ପାଇଯାଇଛି ସେଇ ନାଲି ଚା’ ନିଶ୍ଚୟ ତାର ପରିଚୟ ସୃଷ୍ଟି କରିବ, ଆଉ ସାଗର ତାକୁ ଆଗକୁ ବଢିବାର ସାହସ ଦେଇଛି ଆଉ ଶ୍ରୁତିକୁ ସାହାଯ୍ୟ ବି କରୁଛି I ହେଲେ ବଞ୍ଚିବାକୁ ହେଲେ କିଛି ପଇସା ଦରକାର, ସେଥିପାଇଁ ଶ୍ରୁତି ନିଜେ ରହୁଥିବା ଘର ପାଖ ବଜାରରେ ଗୋଟେ ଛୋଟ ଚା' ଆଉ ଜଳଖିଆ ଦୋକାନ ଆରମ୍ଭ କରିଛି I
ଜଣେ ଏକୁଟିଆ ନାରୀକୁ ଆମ ସମାଜ କେତେ ଯେ ହୀନ ଆଖିରେ ଦେଖେ I ଶ୍ରୁତିକୁ ବି ବହୁତ କିଛି ଶୁଣିବାକୁ ପଡେ, ସେପଟେ ସାଗରର ଯିବା ଆସିବାକୁ ନେଇ ଲୋକ ବହୁତ କଥା କୁହନ୍ତି, ସବୁକୁ ସହି ଶ୍ରୁତି ନିଜ ଚା' ଜଳଖିଆ ଦୋକାନରେ ଲାଗିପଡେ, ତା ଘର ପାଖରେ ରହୁଥିବା ମୋହନ ମଉସାଙ୍କ ଝିଅ ବର୍ଷା, ଶ୍ରୁତି ଦୋକାନରେ କାମ କରେ, ଯେହେତୁ ମୋହନ ମଉସାଙ୍କ ଦେହ ଖରାପ ତାଙ୍କ ପକ୍ଷେ ପରିବାର ଚଳାଇବା ଅସମ୍ଭବ ଥିଲା I ଅଳ୍ପଦିନ ଭିତରେ ଶ୍ରୁତି ଦୋକାନର ବହୁତ ନାଁ ହେଇଗଲା, ସେଠି ନାଲି ଚା' ପିଇବାକୁ ଲୋକ ବହୁତ ଦୂରରୁ ବି ଆସନ୍ତି, ବିଭିନ୍ନ ପ୍ରକାର ଚା' ସହିତ ସ୍ୱାଦିଷ୍ଟ ଜଳଖିଆ ସମସ୍ତଙ୍କ ମନ କିଣିନିଏ ଆଉ ତା ସାଙ୍ଗକୁ ଶ୍ରୁତିର ବ୍ୟବହାର ଅନ୍ୟମାନଙ୍କୁ ଟାଣିଆଣେ ତା ଦୋକାନକୁ I ଏସବୁ ଭିତରେ ଶ୍ରୁତି ବେଶ ଭଲ ପଇସା ରୋଜଗାର କରୁଛି I ଦିନକୁ ଦିନ ଶ୍ରୁତିକୁ ବହୁତ ପରିଶ୍ରମ କରିବାକୁ ପଡୁଛି, ଦିନକୁ ୧୦୦ ରୁ ୧୫୦ କପ ଚା' କରିବାକୁ ପଡେ, ସେଥିରେ ୩/୪ ପ୍ରକାର ଜଳଖିଆ, ବର୍ଷା ଆଉ ସେ ମିଶି ସବୁ କାମ କରନ୍ତି, ପାଖାପାଖି ଅଫିସରୁ ବି ଚା’ ଅର୍ଡର ଆସେ I ଗୁଜୁରାତି, ଅଳେଇଚ, ଅଦା, ଲବଙ୍ଗ, ତେଜପତ୍ର ଆଉ ଜାଇଫଳ ମିଶାଇ ନିଜର ଏକ ମସଲା ତିଆରି କଳାରୁ ସେ ଶିଖିଯାଇଛି ନୂତନତ୍ୱ କୁ ପରିପ୍ରକାଶ କରିବାର କଳା I ଏସବୁ ଭିତରେ ଶ୍ରୁତି ନିଜର ଏକ ଫୂଡ଼ ୱେବ୍ସାଇଟ କରିବାରେ ଲାଗିପଡ଼ିଛି, କାରଣ ତାକୁ ଆହୁରି ରିସର୍ଚ୍ଚ କରିବାର ଅଛି ହଜିଯାଉଥିବା ସେ ଗାଁ ର ସୁସ୍ୱାଦୁ ଖାଇବାକୁ ନେଇ, ହେଲଦି ଫୂଡ୍ସ, ଅର୍ଗାନିକ ଫୂଡ୍ସ ଉପରେ, କିଛି ଶିଖିବାର ଆଉ ଶିଖେଇବାର ଅଛି I I ନିଜର ଏକ “ଫୂଡ଼ ଟ୍ରେନିଂ ଇନଷ୍ଟିଚୁଟ” ଆରମ୍ଭ କରିଛି, ଏବେ ୧୦୦ ସ୍ଟୁଡେଣ୍ଟସଙ୍କୁ ଟ୍ରେନିଂ ଦେଉଛି I ତେଣୁ ଶ୍ରୁତି ଆଜି ତା ଧର୍ଯ୍ୟ, ପ୍ରେମ, ଆତ୍ମବିଶ୍ୱାସ, ନୂତନତ୍ୱ ସହ ସାଙ୍ଗ ହେଇ ଆଗକୁ ବଢି ଚାଲିଛି I ନିଜ ରୋଜଗାର ରେ ସେ ଏବେ ସେ ଅବହେଳିତ ନାରୀମାନଙ୍କ ପାଇଁ କାମ କରୁଛି, ଗରିବ ପିଲାମାନଙ୍କ ପାଠପଢା ସୁବିଧା ପାଇଁ ସେ ଗୋଟେ ସ୍କୁଲ ଖୋଲିଛି I
ହେଲେ ସାଗର ଆଜିଯାଏ ଶ୍ରୁତିକୁ ନିଜ ମନ କଥା କହିପାରୁନି ଯେ ସେ ଶ୍ରୁତିକୁ ଭଲପାଏ ଆଉ ବାହାହେବାକୁ ଚାହେଁ, ଆଜି ଶ୍ରୁତି ଆଗରେ ସାଗର କିଛି ନୁହେଁ, ଗୋଟେ ଛୋଟ କମ୍ପାନୀରେ କାମ କରୁଥିବା ସାଧାରଣ କର୍ମଚାରୀ I ଆଉ ଶ୍ରୁତି ଆଜି ସମାଜରେ ଜଣେ ଚର୍ଚ୍ଚିତ ଚେହେରା, ପାଖରେ ଘର, ଗାଡି ସବୁ ଅଛି, ଏସବୁ ଭିତରେ ସାଗରକୁ ବି ଆଉ ସାହସ ହେଇନି ଶ୍ରୁତିକୁ ନିଜ ମନ କଥା କହିବାକୁ, ଶ୍ରୁତି ନିଜ କାମରେ ଏତେ ବ୍ୟସ୍ତ ଯେ ନିଜକଥା ଭାବିବାକୁ ସମୟ ନାହିଁ I ସେପଟେ ଶ୍ରୁତି ନିଜ କାମରେ ଏମିତି ଅନେକ ପିଲାଙ୍କ ସହ ସମ୍ପର୍କରେ ଆସିଛି ଯେଉଁମାନେ ଶ୍ରୁତିକୁ ନିଜ ମନକଥା କହିଛନ୍ତି, ହେଲେ ଶ୍ରୁତି ମନ କଣ ଚାହେଁ ସେ ନିଜେ ବି ବୁଝିପାରୁନି I ଏତେ କାମ ଭିତରେ, ଏତେ ବଡ ଲୋକଙ୍କ ସହ ଉଠାବସା ତଥାପି ଟିକେ କିଛି ହେଲେ ସେ ସାଗର ପାଖକୁ ଚାଲିଯାଏ, ଟିକେ କିଛି ହେଲେ ସାଗରକୁ କହେ, ସାଗର ଦିନେ ନ ଆସିଲେ ତାକୁ ଭଲ ଲାଗେନା I
ସାଗର ବିନା ଶ୍ରୁତି କେମିତି ଗୋଟେ ଏକୁଟିଆ ହେଇଯାଇଛି, ଏତେ ଭିଡ ଭିତରେ ବି ସେ ଆଜି ପୁଣି ଏକୁଟିଆ, ସାଗର କେବେ ବି ଶ୍ରୁତିକୁ ନ କହି କୁଆଡେ ଯାଏନି, ଶ୍ରୁତିକୁ କିଛି ଭଲ ଲାଗୁନି, ସେ ଦେହ ଖରାପ ବାହାନା ଦେଖେଇ ସବୁ ମିଟିଂ ଆଉ କାମ ବନ୍ଦ କରିଛି, ଦୁଇ ଦିନ ହେବ ଘରୁ ବାହାରିନି I ସନ୍ଧ୍ୟାବେଳର ସାଗର ସହ ବସି ନାଲି ଚା’ ପିଇବାରେ ତାକୁ ସତେ କି ସ୍ୱର୍ଗ ସୁଖ ମିଳେ, କେତେ କଥା, ଆଲୋଚନା, କେତେ ଗପ, ଥଟ୍ଟା ଆଉ ମଜା, ହେଲେ ସାଗର ବିନା ସବୁ କିଛି ନିଶବ୍ଦ, ନୀରବ, ଆଜିଯାଏ ସେ ନାଲି ଚା’ ର ଏମିତି ନୀରବତା ଦେଖିନଥିଲା, ଯେଉଁ ନାଲି ଚା ତାକୁ ଜୀବନ ବଞ୍ଚେଇବା ଶିଖେଇଚି, ସେଇ ନାଲି ଚା’ ଆଜି ସାଗର ବିନା ନୀରବ I
ବହୁତ କାନ୍ଦିଛି ଶ୍ରୁତି, ସାଗରକୁ ବହୁତ ଥର ଫୋନ କରିଛି, ହେଲେ ସୁଇଚ ଅଫ, ସାଗରର ସବୁ ସାଙ୍ଗସାଥୀଙ୍କୁ ପଚାରି ବୁଝିଛି କେହି ସାଗର ବିଷୟରେ କହିପାରୁନାହାନ୍ତି I ନିଜ ମନକୁ ବୁଝେଇ ଶ୍ରୁତି ନିଜ କାମରେ ମନ ଦେଉଛି, ଆଜିକି ୫ ଦିନ ହେଇଗଲା, ସବୁ ଫିକା ଫିକା ସାଗର ବିନା, ହେଲେ ସାଗର ସବୁଦିନ ଶ୍ରୁତି ଠାରୁ ଦୂରେଇଯାଇଛି ଏକଥା ଶ୍ରୁତିକୁ ଜଣା ନଥିଲା I ସେପଟେ ସାଗର ସହର ଛାଡି ବହୁତ ଦୁରକୁ ଚାଲିଯାଇଛି, ନୂଆ ଗୋଟେ କମ୍ପାନୀରେ କାମ କରେ I ସାଗର ଘରର ଗୋଟେ ମାତ୍ର ପୁଅ, ତା ମା’ଙ୍କ ଦେହ ବହୁତ ଖରାପ, କେତେବେଳେ କଣ ହେବ କିଛି ଠିକ ନାହିଁ, ସେଥିପାଇଁ ସାଗର ଘରଲୋକ ଚାହାନ୍ତି, ସେ କେମିତି ଶୀଘ୍ର ବାହା ହେଇଯାଉ, ନିଜ ମାଆଙ୍କ ଶେଷ ଇଛା ଟିକକ ପୁରା କରିବାକୁ ସାଗର ବାଧ୍ୟହେଇ ବାହାହେଇଛି ଯଦିଓ ଶ୍ରୁତି ବିନା ସେ ତା ମନରେ କାହାକୁ ଜାଗା ଦେଇନଥିଲା, ସାଗର ନିଜ କମ୍ପାନୀରେ ଭଲ କାମକରି ପ୍ରମୋସନ ପାଇଛି ଆଉ କମ୍ପାନୀ ତାକୁ ନିୟୁୟର୍କ ପଠେଇଛି, ସମୟ ସହ ସବୁ କିଛି ବଦଳି ଯାଇଛି I
ଶ୍ରୁତି ଆଜି ବହୁତ ନାଁ କମେଇଛି, ଆଜି ସେ ଜଣେ କୋଟିପତି,ପବ୍ଲିକ ଫିଗର, ହେଲେ କାଲି ସେ ଏକ ଥିଲା, ଆଉ ଆଜି ବି ଏକୁଟିଆ I ସେପଟେ ଶ୍ରୁତି କମ୍ପାନୀରେ କିଛି ନୂଆ ପୋଷ୍ଟ ପାଇଁ ଇଣ୍ଟରଭିୟୁ ଥାଏ, ଗୋପେଶ ବି ଆସିଥାଏ ଇଣ୍ଟରଭିୟୁ ଦେବା ପାଇଁ, ତାକୁ ଜଣା ନଥାଏ ସେ କମ୍ପାନୀର ମାଲିକାଣୀ ହେଉଛି ଶ୍ରୁତି I ଶ୍ରୁତି ସେଦିନ ଇଣ୍ଟରଭିୟୁ ନେଉଥାଏ, ହଠାତ ଗୋପେଶକୁ ଦେଖି ସେ ଚୁପ କିଛି ସମୟ ପାଇଁ, ଆଉ ଗୋପେଶ ବି ଶ୍ରୁତିକୁ ଦେଖି ଚୁପ, ତାକୁ ବହୁତ ଖରାପ ଲାଗିଲା, ଯେଉଁ ଶ୍ରୁତିକୁ ସେ ନିଜ ଜୀବନରୁ ଅଲଗା କରିଦେଇଛି ସେ ଆଜି ଏତେ ବଡ କମ୍ପାନୀର ମାଲିକାଣୀ, ଶୀଘ୍ର ସେ ଜାଗା ଛାଡି ଚାଲିଗଲା I ଗୋପେଶ ବି ବାହା ହେଇ ସାରିଛି I
ଆୱାର୍ଡ ପରେ ଆୱାର୍ଡ ମିଳି ଚାଲିଛି ଶ୍ରୁତିକୁ, ନିୟୁର୍କର ଗୋଟେ କନଫରେନ୍ସରେ ଶ୍ରୁତିକୁ ଟକ ଦେବାକୁ ନିମନ୍ତ୍ରଣ କରାଯାଇଛି I ଶ୍ରୁତି ନିୟୁର୍କରେ ପହଞ୍ଚିଛି, କନଫରେନ୍ସରେ, ଦେଶ ବିଦେଶରୁ ହଜାର ହଜାର ଲୋକ ଯୋଗ ଦେଇଥାନ୍ତି I ଶ୍ରୁତି ଜାଣିନଥିଲା ସାଗର ସେଇଠି ରହୁଛି, ଆଗରୁ ସେ ଅନେକ ଦେଶ ଯାଇଛି ନିଜ କାମରେ, ହେଲେ କୋଉଠି କେବେ ସାଗର ସହ ଭେଟ ହେଇନି, ଏଥର କିନ୍ତୁ ସେଇ କନଫରେନ୍ସରେ ସାଗର ବି ଯୋଗଦେଇଥାଏ ନିଜ କମ୍ପାନୀ ତରଫରୁ I ସେଇଠି ଶ୍ରୁତିରେ ଭେଟ ହୁଏ ସାଗର ସହ, ଶ୍ରୁତି ଖୁସିରେ ପାଗଳ, ସାଗର ମିଳିଗଲା ତାକୁ, ସାଗରକୁ କେତେ କଣ କହିବାର ଅଛି, ସାଗର ଡାକି ପାଖକୁ ଗଲାବେଳକୁ ସେଠି ପହଞ୍ଚେ ଲିପିକା, ସାଗର ସହ ଲଞ୍ଚ କରିବାକୁ ଅପେକ୍ଷା କରିଥାଏ, ଶ୍ରୁତିକୁ ଦେଖି ସାଗର, ଲିପିକାର ପରିଚୟ କରାଇ କହିଲା, "ଶ୍ରୁତି ଇଏ ଲିପିକା ମୋର ସ୍ତ୍ରୀ, ସେ ଜଣେ ସାମ୍ବାଦିକ ଭାବେ କାମ କରନ୍ତି ଆଉ ସେ ବି ମୋ ସହ ଏଇ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଛନ୍ତି, ସେଇଠି ଶ୍ରୁତି ଉପର ଦେଖାଣିଆ ହସଟିଏ ହସିଦେଇ ସାଗର ସହ ଟିକେ କଥା ହେଇ ସେ ଜାଗା ଛାଡି ଚାଲିଗଲା I ଶ୍ରୁତିର ସବୁ ଖୁସି ପାଣିଫୋଟକା ପରି ମିଳେଇଗଲା, କାନ୍ଦିକାନ୍ଦି ସେ ନିଜ ହୋଟେଲ ରୁମକୁ ଚାଲିଗଲା, ସେପଟେ ସାଗର ବି ଜାଣିପାରୁନାହିଁ କେମିତି ସେ ଶ୍ରୁତିକୁ ସାମ୍ନା କରିବ, ଶ୍ରୁତି ଜାଣିଗଲା ସାଗର ତା ପାଖରୁ ଦୁରେଇ ଯାଇ ବହୁତ ଖୁସିରେ ଅଛି, କିଛି ସମୟ ପରେ ସାଗର ଶ୍ରୁତିକୁ ଦେଖା କରିବାକୁ ତା ରୁମକୁ ଯାଏ I ହେଲେ ଶ୍ରୁତି ଆଜି ନିଶବ୍ଦ,ଆଖିରେ ଆଖିଏ ଲୁହ, ତା ହୃଦୟ ଫାଟି ପଡୁଛି, ସାଗର ଆଉ କାହାର ହେଇଯାଇଛି ସେ ସହଜରେ ଏହି କଥାକୁ ଗ୍ରହଣ କରିପାରୁନି I ସାଗର କିଛି କହିବା ପୂର୍ବରୁ ଶ୍ରୁତି ସେଇ ଜାଗା ଛାଡି ଚାଲିଯାଇଥିଲା I ତାପରେ ଶ୍ରୁତି ଇଣ୍ଡିଆ ଫେରି ନିଜ କାମରେ ଲାଗିପଡ଼ିଛି, ସାଗର ଅନେକ ଥର ଶ୍ରୁତିକୁ ଫୋନ କରିଛି ତା ଭଲମନ୍ଦ ପଚାରି ବୁଝିବାକୁ, ତାକୁ ସବୁ କଥା କହିବାକୁ ହେଲେ ଶ୍ରୁତି ତା ଫୋନ କାଟିଦିଏ I ଏଥର ତାକୁ ଆହୁରି ପରିଶ୍ରମ କରିବାକୁ ପଡିବ, ହଜାର ହଜାର ଗରିବ, ଆଶ୍ରାହୀନ, ନିଷ୍ପେସିତ ମହିଳା ତା ଉପରେ ନିର୍ଭରଶୀଳ, କେତେ ଗରିବ ଲୋକଙ୍କ ତେଲ ଲୁଣର ସଂସାର ତା ଉପରେ ନିର୍ଭର କରୁଛି, ସେ କାମ ନକଲେ ସେମାନେ ଉପାସ ରହିଯିବେ I ସାଗରକୁ ସେ ଭୁଲିବାକୁ ଚେଷ୍ଠା କରୁଛି, ଆଜି ସେ ସୁଖ, ଦୁଃଖ, ହସ, ଲୁହ, ପ୍ରେମ, ଘୃଣା ସବୁରୁ ଉର୍ଦ୍ଧରେ, ଗୋଟେ ପ୍ରକାର ସେ ନିର୍ବାଣ ପ୍ରାପ୍ତି ହେଇଛି, ସାଗରକୁ ହରେଇବା ଦୁଃଖରେ ସେ ସବୁ ଦୁଃଖକୁ ପିଇପିଇ ଆଜି ପଥର ପାଲଟିଯାଇଛି, ତା ନାଲି ଚା' କେବଳ ତା ସାଙ୍ଗ ଆଉ ତାକୁ ଜୀବନ ରାସ୍ତାରେ ଚାଲିବା ଶିଖେଇଦେଇଛି I