Trupti Paikaray

Inspirational Romance

3  

Trupti Paikaray

Inspirational Romance

ପ୍ରେମ.ଡଟ.କମ

ପ୍ରେମ.ଡଟ.କମ

9 mins
489


ଅଜୁ.... ଅଜୁ, କୁଆଡେ ଗଲୁ? ଦୋକାନରୁ ଯାଇ ସଉଦା ନେଇ ଆସେ, ସେପଟେ ଆସିଲା ବେଳେ କୁନାବାବୁଙ୍କୁ ଟ୍ୟୁସନରୁ ନେଇ ଆସିବୁ I ଘରେ କେତେ କାମ ଯେ ବାକି ଅଛି, ହେଲେ ତୁ ସେଠି ଠିଆ ହେଇ ଟି.ଭିକୁ ଅନେଇଛୁ କଣ? ଏମିତି କହି କହି ପ୍ରତିମାଦେବୀ ପଶି ଆସିଲେ ରୋଷେଇଘରକୁ, କ୍ଷୀର ସେପଟେ ଉତୁରିଛି କି ନାହିଁ ସେ ଚିତ୍କାର କରିବାକୁ ଲାଗିଲେ "ଆରେ ବଦମାସ, ପୋଡ଼ାମୁହାଁ ଅଜୁ, ତୁ ସେଠି ଠିଆ ହେଇ ଟି.ଭି ଦେଖେ, ଏପଟେ ରୋଷେଇଘରେ କାମ କିଏ ଦେଖିବ? ଏତିକି କହି ଭୀଷଣ ଗାଳିଦେଲେ ସେ ଅଜୁକୁ I କେତେ ଯେ ବୟସ ଏହି ଅଜୁର, ମାତ୍ର ୮ ବର୍ଷ, କି ଦୋଷ ଯେ ତାହାର, ତା ବାପାମା’ ତାକୁ ଯଦି ଏହି ଦୁନିଆରେ ଏକା ଛାଡିଦେଇ ଆରପାରିକୁ ଯାଇ ନଥାନ୍ତେ ତେବେ ସେ ବି ଆଜି କୁନାବାବୁ ପରି ପାଠ ପଢ଼ିଥାନ୍ତା, ଟି.ଭି ଦେଖିଥାନ୍ତା ଗୋଡ ଉପରେ ଗୋଡ ପକେଇ, ଆଉ ତା ମା' ତାକୁ ବଳେଇ ବଳେଇ ଖୁଆଇ ଦିଅନ୍ତା I ହେଲେ କାହିଁ ତାର ସେ ଭାଗ୍ୟ ପିଲାଟିବେଳୁ ବାପାମା ଛାଡି ଦେଇ ଆରପାରିକୁ ଚାଲିଗଲେ, ଯେତେବେଳେ ଅଜୁକୁ ମାତ୍ର ୩ ବର୍ଷ, ତା ବାପାମା ଗୋଟେ ଗାଡି ଆକ୍ସିଡେଣ୍ଟରେ ମରିଗଲେ, ସେଦିନ ଶଙ୍କରବାବୁ ଆଉ ପ୍ରତିମାଦେବୀଙ୍କୁ ଅଜୁ ସନ୍ଧାନ ମିଳିଗଲା, ସେମାନେ ଗାଁକୁ ଯାଇଥିଲେ, କିଏ ତାଙ୍କୁ ଅଜୁ ବିଷୟରେ କହିଥିଲା, ତାପରେ ପତିପତ୍ନୀ ଦୁହେଁ ଭାବିଲେ ଏଇ ପିଲାଟାକୁ ନେଇ ଖୁଆଇ ପିଆଇ ବଡ କରିଦେଲେ ସେ ତାଙ୍କୁ ଘର କାମରେ ସାହାଯ୍ୟ କରିବ I


ସେଦିନ ସେମାନେ ଅଜୁକୁ ନିଜ ସାଙ୍ଗରେ ନେଇ ଆସିଥିଲେ I ତାପରେ ଅଜୁ ତାଙ୍କ ପାଖରେ ରୁହେ, ଗୋଟେ ମା’ବାପା ଛେଉଣ୍ଡ ପିଲାର ଅବସ୍ଥା ଯେମିତି ହେବା କଥା ସେମିତି ତା ଅବସ୍ଥା, ତାକୁ କୁଆଡୁ ସେ ସରଗ ସୁଖ ମିଳିବ I ଏ ଭିତରେ ସମୟ କେମିତି ବିତିଯାଇଛି, ଏବେ ଅଜୁକୁ ୮ ବର୍ଷ, ଏବେ ତାକୁ ତା ଋଣ ସୁଝିବାକୁ ହେବ, ସେଥିପାଇଁ ବୋଧେ ଘରର ଯାବତୀୟ କାମ ପ୍ରତିମାଦେବୀ, ଅଜୁ ହାତରେ କରାନ୍ତି, ସଉଦା ଆଣିବା ଠାରୁ ଆରମ୍ଭ କରି, ଘର ପୋଛା, ବାସନ ମଜା, ରୋଷେଇଘରେ ସାହାଯ୍ୟ କରିବା ସବୁ କିଛି I ଆଉ ଏବେ ପ୍ରତିମାଦେବୀ ତାକୁ ଧୀରେ ଧୀରେ ରୋଷେଇ ତାଲିମ ଦେବାରେ ଲାଗିଛନ୍ତି, ସେ ବି ଏତେ ଛୋଟ ପିଲା ହେଲେ ସବୁ କାମରେ ପୁରା ଆଗଭର, ପ୍ରତି ପୂଜାପର୍ବରେ ତା ପାଇଁ ଖଣ୍ଡେ ସାର୍ଟପ୍ୟାଣ୍ଟ ହୁଏ, ଆଉ ଷ୍ଟୋରରୁମରେ ସେ ଶୁଏ I ଏତେ ଅଳ୍ପ ବୟସ ସିନା ହେଲେ ଭାରି ହୁସିଆର, ସବୁ କାମ କରିଦିଏ I ହେଲେ ମଝିରେ ଟିକେ ଏକୁଟିଏ ଲାଗେ ତାକୁ, କାନ୍ଦେ ବସି ଲୁଚିଲୁଚି, କିଏ କିଛି ପଚାରିଲେ ବି କୁହେନି, ଦେହ ଖରାପ ହେଲେ କିଏ ବା ଅଛି ତା ପାଖରେ ବସି ତାକୁ ଟିକେ ଆଉଁଷି ଦେବ, କିଏ ତା ଲୁଗାପଟା ସଫା କରିଦେବ I ସେ ଯେତେବେଳେ ଦେଖେ କୁନାବାବୁ ଆଉ ମିକିଦିଦିଙ୍କୁ ମା’ ବସି ଖୁଆଇ ଦିଅନ୍ତି, ତାଙ୍କୁ କୋଳରେ ବସି ଗେଲ୍ହା କରନ୍ତି, ତା ଆଖିରୁ ଧାରଧାର ହେଇ ଲୁହ ବାହାରି ଆସେ, ସେ ମନେମନେ ତା ମାଆକୁ ଖୋଜେ, ହେଲେ ପୁଣି ଆଖିରୁ ଲୁହ ପୋଛି ଚାଲିଯାଏ କାମ କରିବାକୁ I କୁନାବାବୁଙ୍କୁ ଆଉ ମିକିଦିଦିଙ୍କୁ ସ୍କୁଲ ନେବା ଆଣିବା ଠାରୁ, ତାଙ୍କୁ ବୁଲେଇ ନେବାଠାରୁ ତାଙ୍କ ଯାବତୀୟ କାମ ଅଜୁ କରେ I କୁନାବାବୁ ଏହି ଅଜୁ ଠାରୁ ବୟସରେ ମାତ୍ର ବର୍ଷେ ସାନ ହେବ, ସେମିତି ମିକି ବି ତା ଠାରୁ ୩ ବର୍ଷ ସାନ, ସେମାନେ କେବେକେବେ ମିଶିକି ଖେଳନ୍ତି I ମିକି କିନ୍ତୁ ଅଜୁକୁ ଭାରି ଭଲ ପାଏ I ଅଜୁଭାଇ ଅଜୁଭାଇ କହି ତା ପାଖ ଛାଡେନି, ଟିକେ କିଛି ଆଣିଲେ ଅଜୁଭାଇକୁ ଆଗ ନେଇ ଦିଏ ଖାଇବାକୁ I ଅଜୁର, କୁନାବାବୁ ଆଉ ମିକିଦିଦି ପରି ସ୍କୁଲ ଯିବାକୁ ଆଉ ପାଠ ପଢିବାକୁ ଭାରି ମନ, କେବେକେବେ ପ୍ରତିମାଦେବୀ ସେମାନଙ୍କୁ ପଢେଇଲା ବେଳେ ଅଜୁ ସେଠି ବସି ସବୁ ଶୁଣେ ଆଉ ମନେ ରଖିଦିଏ I ପାଠ ପଢ଼ାରେ ତାର ଏତେ ଆଗ୍ରହ ଯେ ସେ କୁନାବାବୁଙ୍କ ପୁରୁଣା ବହି ଖାତା ଆଣି ଦେଖେ, ତାର ପାଠ ପଢ଼ାରେ ଆଗ୍ରହ ଦେଖି ଶଙ୍କରବାବୁ କହିଲେ ଅଜୁକୁ ସ୍କୁଲରେ ଆଡ଼ମିସନ କରିଦେଲେ ସେ କିଛି ଲେଖାପଢା ଶିଖିଯାଆନ୍ତା I ଏକଥା ଶୁଣି ପ୍ରତିମାଦେବୀ ରାଗରେ ଫଁ ଫଁ ହେଇ କହିଲେ ଅଜୁ ଘରକାମ କରିବ ନା ସ୍କୁଲ ଯାଇ ପାଠ ପଢିବ, ଏସବୁକୁ ନେଇ ସ୍ୱାମୀସ୍ତ୍ରୀଙ୍କ ଝଗଡା ହୁଏ I କୁନା, ଅଜୁଭାଇ ମୋ ସହ ସ୍କୁଲଯିବ କହି କାନ୍ଦେ I ଶେଷରେ ପ୍ରତିମାଦେବୀ ରାଜିହେଲେ ଆଉ ଅଜୁ ସ୍କୁଲ ଗଲା, ହେଲେ ସ୍କୁଲରୁ ଅଧାରୁ ପଳେଇଆସେ ଏପଟେ ଘରକାମ I ନହେଲେ ପ୍ରତିମାଦେବୀ ତା ଖାଇବାପିଇବା ବନ୍ଦ କରିଦେବେ, ଏସବୁ ଭିତରେ ଅଜୁ ବି ବେଶ କିଛି ପଢି ଲେଖି ଶିଖିଯାଇଛି, ଆଉ ସବୁ ପାଠ ମନେରଖି ଦେଉଛି, ସ୍କୁଲରେ ବି ସାରଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇଦିଏ, ପରୀକ୍ଷାରେ ଭଲ କରେ I ଦିନେ ତାଙ୍କ ସ୍କୁଲ ସାର ଶଙ୍କରବାବୁଙ୍କୁ ସ୍କୁଲକୁ ଡକେଇ କହିଲେ "ଅଜୁ ବହୁତ ଭଲ ପାଠ ପଢୁଛି, ସବୁ ପରୀକ୍ଷାରେ ଭଲ ନମ୍ବର ଆଣୁଛି ଆଉ କ୍ଲାସରେ ଫାର୍ଷ୍ଟ ହେଉଛି, ହେଲେ ସେ ସବୁଦିନ ସ୍କୁଲ ଆସୁନି, ତାକୁ ଯଦି ଆପଣ ସ୍କୁଲ ରେଗୁଲାର ଆସିବାକୁ କୁହନ୍ତେ, କୁନାପରି ସେ ବହୁତ ଆଗକୁ ଯାଆନ୍ତା” I ଶଙ୍କରବାବୁ ଶୁଣି ଭାରି ଖୁସି ହେଇଗଲେ, ଏକଥା ଆସି ଘରେ ପ୍ରତିମାଦେବୀଙ୍କୁ କହିଲେ “ଜାଣିଛ ଅଜୁ ବହୁତ ଭଲ ପାଠ ପଢୁଛି ଆଉ କ୍ଲାସରେ ଫାର୍ଷ୍ଟ ହେଉଛି”, ହେଲେ ଏକଥା ଶୁଣି ପ୍ରତିମାଦେବୀ ରାଗିଗଲେ ଆଉ କହିଲେ ସେ ଏଠି କାମ କରିବ ନା ସ୍କୁଲ ଯିବ, କୋଉ ତାକୁ ଅଫିସର ହେବାର ଅଛି ଯେ ସେ ସ୍କୁଲ ଯିବ, ତାକୁ ଅଧିକ ମୁଣ୍ଡରେ ଚଢ଼ାଇବା ଭଲ ନୁହେଁ, ଯେତିକିର ପିଲା ସେତିକିରେ ରହୁ, ସେ ଅଧାଦିନ ଅଜୁକୁ ସ୍କୁଲ ପଠାନ୍ତିନି କାଳେ ସେ କୁନା ଆଉ ମିକି ଠାରୁ ଆଗେଇଯିବ I ଅଜୁର ଭାରି ମନ ଦୁଃଖ ହେଲେ ବାଧ୍ୟ ହେଇ ଘରକାମ କରିଚାଲେ, କୁନା ଆଉ ମିକି କିନ୍ତୁ ନିଜ ସବୁ ପୁରୁଣା ବହି ଆଣି ଅଜୁକୁ ଦେଇଦିଅନ୍ତି , ଆଉ ସ୍କୁଲରେ କଣ ପଢାହୁଏ ଅଜୁକୁ କୁହନ୍ତି, ଅଜୁ ସେମାନଙ୍କୁ ପଚାରି ଘରେ ନିଜେ ନିଜେ ପଢେ, ଟିକେ ପଢିବସିଲେ ପ୍ରତିମାଦେବୀ ଦେଖିସହି ପାରନ୍ତିନି, ତାକୁ କାମରେ ଲଗେଇ ଦିଅନ୍ତି Iଏସବୁ ଭିତରେ କୁନା, ମିକିଙ୍କ ସ୍କୁଲ ପଢା ସରିଯାଇଥାଏ, ସେମାନେ କଲେଜ ଯିବାକୁ ଲାଗିଲେ, ଅଜୁ ସେମିତି ନିଜ ଚେଷ୍ଠାରେ ପଢିପଢି ମାଟ୍ରିକ ପାସ କରିଦେଲା, ହେଲେ ଆଗକୁ ଆଉ ପଢିବାକୁ ଇଛା ଥିଲେ ବି ସେସବୁ ସମ୍ଭବ ନୁହେଁ Iହେଲେ ଅଜୁ ନିଜ ଚେଷ୍ଠା ଜାରି ରଖି ଥାଏ, ରୋଷେଇ ଆଉ ଘର କାମରୁ ଟିକେ ଫୁରସତ ମିଳିଲେ ଲୁଚିଲୁଚି ଟିକେ ପଢେ, ଯେତେବେଳେ କୁନାବାବୁ କଲେଜରୁ ଘରକୁ ଆସେ ଆଉ ନିଜ କମ୍ପ୍ୟୁଟର ଆଗରେ ବସି କାମ କାମ କରେ ଅଜୁ ଟିକେ କାମ ସାରି ସେଠି ବସିଯାଏ, କୁନାବାବୁ ବି ଅଜୁକୁ କମ୍ପ୍ୟୁଟର ଶିଖେଇ ଦିଅନ୍ତି, ଆଉ ଅଜୁ ବହୁତ ଆଗ୍ରହ ସହ ସବୁ ପଚାରି ବୁଝିନିଏ I ଏମିତିରେ ସେ ବି ଅନେକ କିଛି ଜାଣିଗଲା କମ୍ପ୍ୟୁଟର ବିଷୟରେ, ଆଉ କୁନାବାବୁ ବି ଅଜୁକୁ ସବୁ କାମ ଦେଇଦିଅନ୍ତି, କିଛି ଟାଇପ କରିବାକୁ ହେଲେ ସେ ଆରାମରେ ଟି.ଭି ଦେଖନ୍ତି ଆଉ ଅଜୁ ସବୁ କାମ କରିଦିଏ I ପ୍ରତିମାଦେବୀ ସେମିତି ଗେରେଗେରେ ହୁଅନ୍ତି ହେଲେ କୁନାବାବୁ ନିଜ ମା’ଙ୍କୁ ସମ୍ଭାଳନ୍ତି I ଏସବୁ ଭିତରେ ମିକି ବି ଅଜୁଭାଇ, ଅଜୁଭାଇ ହେଇ ତାକୁ କମ୍ପ୍ୟୁଟର କାମ ଶିଖେଇ ଦିଏ I କୁନାବାବୁ କଲେଜ ପରେ,ଇଞ୍ଜିନିଅରିଂ ପଢିଲେ ଆଇ.ଟିରେ, ସେ ଘରକୁ ଆସିଲେ କାମକରିଲା ବେଳେ ଅଜୁ ବି ବସି ଦେଖେ, କୁନାବାବୁ ଆମ ଇଞ୍ଜିନିଅର ହେବେ ବୋଲି ତା ମନ ଭାରି ଖୁସି, ଆଉ କୁନାବାବୁ ବି ନିଜ ପଢା ବିଷୟରେ ଟିକନିକ ସବୁ ଅଜୁ ସହ କଥା ହୁଅନ୍ତି I ଅଜୁ ସେସବୁ ମନଦେଇ ଶୁଣେ ଆଉ ମଝିରେ ନିଜ ବୁଦ୍ଧି ଲଗେଇ ଅନେକ କିଛି ସଜେସନ ଦିଏ କୁନାବାବୁକୁ, କୁନାବାବୁ ଧୀରେଧୀରେ ବୁଝିଗଲେ ଅଜୁ ସିନା ବେଶୀ ପାଠ ପଢିନି ହେଲେ ତାର ବହୁତ ବୁଦ୍ଧି, ଏମିତିକି ବିଭିନ୍ନ ସଫ୍ଟୱେର ଆଉ ଆପ୍ସ ବିଷୟରେ ଅଜୁ ଭଲଭଲ ଆଇଡ଼ିଆ ଦେଇଦିଏ କୁନାବାବୁକୁ I କୁନାବାବୁ ସେସବୁ ନେଇ ବିଭିନ୍ନ ପ୍ରୋଜେକ୍ଟ ବନେଇ ଚାଲେ, ଏସବୁ ଭିତରେ କୁନାବାବୁ ଧୀରେଧୀରେ ବହୁତ କମ୍ପାନୀରୁ ଜବ ଅଫର ପାଇଲା, ଅନେକ କମ୍ପାନୀ ତା ସହ ପାର୍ଟନରସିପ ରେ କାମ କରିବାକୁ ହାତ ବଢ଼େଇଲେ Iହେଲେ କୁନାବାବୁ କେବଳ ଜାଣିଥିଲେ ଯେ ଏସବୁ ଅଜୁର କାମ, କୁନାବାବୁ ନିଜେ କେବେକେବେ ନିଜକୁ ବିଶ୍ୱାସ କରିପାରନ୍ତିନି ଯେ ଅଜୁ ମୁଣ୍ଡରେ ଏତେ ବୁଦ୍ଧି କୁଆଡୁ ଆସୁଛି, ସେ ଧୀରେଧୀରେ ଅଜୁକୁ ସୁନା ଅଣ୍ଡା ଦିଆ କୁକୁଡ଼ା ବୋଲି ମାନିନେଲା I ନିଜ ମା’ବାପାଙ୍କୁ ଯାଇ କହିଲା "ଏଇ ଅଜୁ ସାମାନ୍ୟ ହେଲେ ବି ତା ବୁଦ୍ଧି କିନ୍ତୁ ବହୁତ ତୀକ୍ଷ୍ଣ, ତାକୁ ମୁଁ ଏଥର ମୋ ସହ ମୋ ପ୍ରୋଜେକ୍ଟ କାମରେ ବାହାରକୁ ନେବି, ତେଣୁ ସେ ଘର ଆଉ ରୋଷେଇ କାମରୁ ବାହାରି ମୋ ସହ ରହିବ, ଆଉ ସେ ମୋ ସହ ରହିଲେ ମୁଁ ଏମିତି ବହୁତ ବଡବଡ ପ୍ରୋଜେକ୍ଟ କରି ବହୁତ ଆଗକୁ ଯାଇପାରିବି ଅଜୁ ଯେଉଁ ପ୍ରୋଜେକ୍ଟ ଆଇଡ଼ିଆ ଦେଇଛି ସେସବୁ ନେଇ ଏବେ ସଫ୍ଟୱେର ଜଗତରେ ଚହଳ ପଡିଯାଇଛି ଆଉ ମତେ ଦେଶ ବିଦେଶରୁ ଅନେକ ଅଫର ଆସୁଛି ବଡବଡ କମ୍ପାନୀ ସହ କାମ କରିବାକୁ ପାର୍ଟନରସିପରେ ଆଉ ଏସବୁ କେବଳ ଅଜୁ ପାଇଁ ସମ୍ଭବ I ପ୍ରତିମାଦେବୀ ନିଜ ଏକମାତ୍ର ପୁଅର ସ୍ୱାର୍ଥ ପାଇଁ ଅଜୁକୁ ଡାକି କହିଲେ "ଅଜୁ ଏଥର ତୋ ଭଲ ପ୍ୟାଣ୍ଟସାର୍ଟ କିଣାହେବ, ତୁ ଏଥର କୁନାବାବୁଙ୍କ ସହ ବାହାରକୁ ଯିବୁ ଆଉ ତାଙ୍କ ପାଖେ ପାଖେ ରହି ତାଙ୍କୁ ଅଫିସ କାମରେ ସାହାଯ୍ୟ କରିବୁ, ଆଉ ରୋଷେଇ କରି ଖାଇବାକୁ ଦେବୁ, ତାଙ୍କ ସବୁ କାମ କରିବୁ I ଅଜୁ ନିଜକୁ ପ୍ରସ୍ତୁତ କରିନେଲା କୁନାବାବୁଙ୍କ ସହ ବାହାରେ ବୁଲିବାକୁ, ଆଉ ଅଜୁ ବୁଦ୍ଧି ନେଇ କୁନାବାବୁ ପ୍ରୋଜେକ୍ଟ ପରେ ପ୍ରୋଜେକ୍ଟ କରି ଚାଲିଲେ, ଆଉ କୋଟିପତି ବନିଗଲେ ବହୁତ କମ ସମୟରେ, ଦେଶ ବିଦେଶରେ ଖୁବ ନାମ ବଢି ଚାଲିଲା, ହେଲେ ସବୁ ଅଜୁ ପାଇଁ ହିଁ ସମ୍ଭବ I ଅଜୁ ସେ ପରିବାର ପାଇଁ ନିଜ ଜୀବନ ଦେବାକୁ ବି ପ୍ରସ୍ତୁତ, ଆଉ କୁନାବାବୁର ଖୁସି ପାଇଁ ସେ କିଛି ବି କରିବାକୁ ପ୍ରସ୍ତୁତ I

ଏସବୁ ଭିତରେ ୧୦ କୋଟି ଟଙ୍କାର ଗୋଟେ ପ୍ରୋଜେକ୍ଟ ମିଳିଲା କୁନାବାବୁକୁ I ସେଦିନ ସେ କମ୍ପାନୀର କାଲିଫର୍ଣ୍ଣିଆ ଆଉ ବାଙ୍ଗାଲୁରୁ ଅଫିସରୁ ଗୋଟେ ବଡ ଟିମ ଆସି କୁନାବାବୁ ସହ ପ୍ରୋଜେକ୍ଟ ଫାଇନାଲ କରିବାର ଥାଏ I କୁନାବାବୁ ଆଉ ଅଜୁ ପୁରା ଲାଗିପଡ଼ିଲେ, ସେତେବେଳେ ଏଲୋରା ଥାଏ ସେ କମ୍ପାନୀର ସିନିଅର ସଫ୍ଟୱେର ଇଞ୍ଜିନିଅର, ସେ ବି ବରାବର ଆସେ କୁନାବାବୁଙ୍କ ଅଫିସକୁ ବିଭିନ୍ନ କାମରେ, ସେ ଧୀରେଧୀରେ କୁନା ଆଉ ଅଜୁ ସହ ସାଙ୍ଗ ହେଇଗଲା I ଆଉ ଅଜୁ ବି କାମ ସାଙ୍ଗକୁ ନିଜ ହାତ ରୋଷେଇ କରି ସେମାନଙ୍କୁ ଖାଇବାକୁ ଦିଏ ଆଉ କଫି ବନେଇ ଦିଏ, ହେଲେ କୁନାବାବୁ ଅପେକ୍ଷା ଏଲୋରା ବେଶୀ ମିଶି ଯାଇଥିଲା ଅଜୁ ସହ ଯଦିଓ ସେ ଜାଣିଥିଲା ଅଜୁ ହେଉଛି କୁନାବାବୁର ଅଫିସ ବଏ ଆଉ କୁକ I ହେଲେ ଅଜୁ କେବେକେବେ କାମବିଷୟରେ ଏମିତି କିଛି ସଜେସନ ଦିଏ ଏଲୋରା ଆଶ୍ଚର୍ଯ୍ୟ ହେଇଯାଏ ଆଉ କିଛି ଅସୁବିଧା ହେଲେ ସବୁ ସମାଧାନ କରିଦିଏ I କହନ୍ତି ଇଛା ଥିଲେ ଉପାୟ ଆପେ ଆସେ, ଅଜୁର ପଢାପଢିରେ ଭାରି ଆଗ୍ରହ, କୁନାବାବୁ ତାକୁ ଯାହା ପଇସା ଖର୍ଚ୍ଚ କରିବାକୁ ଦିଏ ଅଜୁ ନେଇ ବିଭିନ୍ନ ବହି କିଣିଆଣେ ଆଉ ସମୟ ପାଇଲେ ବସି ପଢେ, ଏଲୋରା ଏସବୁ ଦେଖି ନିଜକୁ ବିଶ୍ୱାସ କରିପାରେନି ଯେ ଅଜୁ କେମିତି ଏସବୁ ପ୍ରୋଜେକ୍ଟ ବିଷୟରେ କୁନାବାବୁକୁ ସଜେସନ ଦେଇଦେଉଛି I ଦିନକୁ ଦିନ ସେ ଅଜୁ ବିଷୟରେ ଆହୁରି କିଛି ଅଧିକ ଜାଣିବାକୁ ଚାହିଁଲା, ସେ କେବେ ନଜାଣିଲା ପରି ଚୁପଚାପ ବସେ ହେଲେ ନଜର ରଖେ କୁନାବାବୁ ଆଉ ଅଜୁର ସବୁ ଆଲୋଚନା ଉପରେ, ଧୀରେଧୀରେ ସେ ଏସବୁ ଜାଣିସାରିଥିଲା ଯେ ଏସବୁ ପ୍ରୋଜେକ୍ଟ ଅଜୁର ହେଲେ କୁନା, ଅଜୁ ବୁଦ୍ଧି ନେଇ ନିଜେ ନାଁ କମାଉଛିଏସବୁ ଭିତରେ କୁନାବାବୁ, ଏଲୋରାକୁ ଭଲ ପାଏ, ହେଲେ ଏଲୋରା କିନ୍ତୁ ମନେମନେ ଅଜୁକୁ ଭଲ ପାଉଛି I ଯେତେବେଳେ କୁନାବାବୁ ଏସବୁ ଜାଣେ ସେ ଅଜୁକୁ ଚାକର, କୁକୁର କହି ଗାଳିଦେଇଛି I ଅଜୁ ଯେତେ ମନା କରିଛି ଯେ ତାର କିଛି ଭୁଲ ନାହିଁ, କୁନାବାବୁ ବୁଝିବାକୁ ନାରାଜ, ସେ ଏଲୋରା ପାଖରୁ ତାକୁ ଦୁରେଇ ରହିବାକୁ କହିଛି I ପିଲା ହିସାବରେ ଅଜୁ ଥିଲା ହୀରା ଖଣ୍ଡେ ଆଉ ନିଜ ବୁଦ୍ଧି ଆଗରେ ସେ ସଫ୍ଟୱେର ଇଞ୍ଜିନିଅରଙ୍କୁ ବି ପଛରେ ପକେଇଦେବ I ସେ ଦିନେ କୁନାବାବୁ ନଥିଲା ବେଳେ ଅଜୁକୁ ପଚାରିଲା "ଅଜୁ ଗୋଟେ କଥା ପଚାରିବି ସତ କହିବ? ଏସବୁ ତମ ପ୍ରୋଜେକ୍ଟ ନା?” ହେଲେ ଅଜୁ କିଛି ନଜାଣିଲା ପରି ଚୁପ ରହିଥିଲା, ଏଲୋରା କହିଲା "ମୁଁ ସବୁ ଜାଣି ଯାଇଛି ଅଜୁ, ମତେ ଲୁଚେଇ କିଛି ଲାଭ ନାହିଁ” I ଅଜୁ ସାଙ୍ଗେ ସାଙ୍ଗେ ଯାଇ କଫି କରି ନେଇ ଆସିଲା ଏଲୋରା ପାଇଁ, ହେଲେ ଏଲୋରା କହିଲା ଆଜି ମୁଁ ଗୋଟେ କଥା କହିବାକୁ ଆସିଛି ଅଜୁ, “ଅଜୁ ମୁଁ ତୁମକୁ ଭଲ ପାଏ" I ଅଜୁ ଏସବୁ ଶୁଣି ଚୁପ ହେଇଗଲା I କାରଣ ଅଜୁ ପାଖରେ କିଛି ଉତ୍ତର ନଥିଲା, ଗୋଟେ ଅନାଥ ପିଲା, ନିଜର ବୋଲି ଏହି ଦୁନିଆରେ କେହି ନାହିଁ, ଏଇ କୁନାବାବୁ, ମିକିଦେଇ ବଡବାବୁ ଆଉ ମା’ ତାର ସବୁ କିଛି I ଅଜୁ ସବୁବେଳେ କୁନାବାବୁ କଥା ମାନି ଆସୁଛି, ସେ ଚାହେଁ କୁନାବାବୁକୁ ଏଲୋରାର ଭଲ ପାଇବା ମିଳୁ, ତେବେ ଏଲୋରା ପାଇଁ ତାର କୌଣସି ଯୋଗ୍ୟତା ହିଁ ନଥିଲା I ହେଲେ ଏଲୋରା ବି ଜଣେ ଅନାଥ ଆଶ୍ରମରେ ବଡ ହେଇଥିବା ଝିଅ, ଭଲ ପାଠ ପଢେ ବୋଲି ବହୁତ ସରକାରୀ ଆଉ ବେସରକାରୀ ସଂସ୍ଥା ସହାୟତାରେ ଆଜି ପାଠ ପଢି ଗୋଟେ ଚାକିରୀ କରିଛି, ତାର ବି କେହି ନାହିଁ ସେହି ଅନାଥ ଆଶ୍ରମର ଆମ୍ମା ଆଉ ସାଙ୍ଗମାନଙ୍କ ବ୍ୟତୀତ I ଏଲୋରା ଧୀରେଧୀରେ ଅଜୁର ଭଲମନ୍ଦ ବୁଝିବାକୁ ଲାଗିଲା, ଯେଉଁ ଅଜୁ ରୋଷେଇ କରି ଅନ୍ୟକୁ ଖାଇବାକୁ ଦିଏ ସେଇ ଅଜୁ ପାଇଁ ଆଜି ଏଲୋରା ନିଜ ହାତ ତିଆରି ଖାଇବା ଆଣି ଆସୁଛି, ନିଜେ କଫି ବନେଇ ଅଜୁକୁ ଦେଉଛି କାରଣ ସେ ଆଉ ଦେଖିପାରୁନି ଯେ ଅଜୁ ସବୁବେଳେ ଏମିତି ପର ଅଧୀନରେ କାମ କରି ନିଜ ପରିଚୟ ନଷ୍ଟ କରିଦେଉ I


କୁନାବାବୁ ଯେତେବେଳେ ଟଙ୍କାପଇସା ଆଉ ସଫଳତା ପଛରେ ଅଣନିଶ୍ୱାସୀ ହେଇ ଦୌଡୁଥିଲା ଆଉ ଅଜୁକୁ ସୁନାଅଣ୍ଡା ଦିଆ କୁକୁଡ଼ା ଭାବି ପୋଷିଥିଲା, ସେତେବେଳେ ଅଜୁ କିନ୍ତୁ ଭଲପାଇବାର ସେ ଛୋଟ ଛୋଟ ଅନୁଭୂତି ସାଉଁଟି ରଖୁଥିଲା, ସେ ବି ଏଲୋରକୁ ନିଜ ମନ ଦେଇସାରିଥିଲା I ଦୁହେଁ ଅନେକ ସମୟ ପରସ୍ପର ସହ କାଟୁଥିଲେ ଆଉ ଏଲୋରା ବି ଅଜୁ ବିଷୟରେ ସବୁ ଜାଣିସାରିଥିଲା, ହେଲେ ଅଜୁ ତାକୁ ଅନୁରୋଧ କରିଥିଲା ଏସବୁ କାହାକୁ ନ କହିବାକୁ କାରଣ ସେ ଅଜୁବାବୁର ଖୁସି ସବୁବେଳେ ଚାହିଁଛି I ଏଲୋରାର ଗୋଟେ ଜିଦି ଏସବୁ ଠିକ ନୁହେଁ ଅଜୁ, ମିଛ,ଧୋକା,ଆଉ ଅନ୍ୟାୟକୁ ପ୍ରଶୟ ଦେବା ହିଁ ଅନ୍ୟାୟ I ଏସବୁ ନାଁ, ସଫଳତା ସବୁର ହକଦାର କେବଳ ତୁମେ ଅଜୁ I ସେଦିନ ଫାଇନାଲ ପ୍ରେଜେଣ୍ଟେସନ ଥାଏ, ସବୁ ବିଜନେସ ପାର୍ଟନର ବସିଥାନ୍ତି, ଏତେବଡ ପ୍ରୋଜେକ୍ଟ ଡ଼ିଲ ଆଜି ହେବ, ଆଉ ମିଟିଂ ଆରମ୍ଭ ହେଇଗଲା I ହେଲେ ଏଲୋରା ସେଦିନ ଆଉ ସମ୍ଭାଳି ପାରିନଥିଲା, ଏତେ ବଡ ମିଛକୁ ସେ ଆଜି ହିଁ ସାରା ଦୁନିୟା ଆଗରେ ବୟାନ କରିବ, କିଛି କହିବାକୁ ଅନୁମତି ମାଗି ଆରମ୍ଭ କଲା, ଅଜୁର ପରିଚୟ ଦେଇ କହିଲା, ଅଜୁର ଗୋଟିଗୋଟି ପ୍ରୋଜେକ୍ଟ ଆଇଡ଼ିଆ କେମିତି କୁନାବାବୁ ନେଇ ସବୁ ପ୍ରୋଜେକ୍ଟ ହାସଲ କରୁଛି, ଏସବୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଆଉ ଚୁପ, କେହି ବିଶ୍ୱାସ କରିପାରୁ ନଥିଲେ, ହେଲେ ଏଲୋରା ଗୋଟି ଗୋଟି କରି ସବୁ ପ୍ରମାଣ ଯେମିତିକି ଅଜୁ ଆଉ କୁନାବାବୁଙ୍କ ଡିସ୍କସନ, ଅଜୁର ଡ଼ାଇରୀ, ଅଜୁ ସହ କଥା ହେଲାବେଳର ସବୁ ରେକର୍ଡିଙ୍ଗସ ଶୁଣେଇଲା I ସେସବୁ ଯଥେଷ୍ଟ ଥିଲା ଅଜୁର ପରିଚୟ ସୃଷ୍ଟି କରିବାର, କୁନାବାବୁ ବିଲକୁଲ ଚୁପ ହେଇଯାଇଥିଲା ଆଉ ଅଜୁକୁ ଆସି ଭୁଲ ମାଗି ସେ ଜାଗା ଛାଡି ବାହାରକୁ ଚାଲି ଯାଇଥିଲା I ଆଉ ସେଦିନ ସେ ପ୍ରୋଜେକ୍ଟର ସବୁ ଶ୍ରେୟ ଅଜୁକୁ ମିଳିଥିଲା, ପ୍ରୋଜେକ୍ଟ ସେଦିନ ଅଜୁକୁ ହିଁ ମିଳିଥିଲା, ଅଜୁ ରାତାରାତି ଗୋଟେ ସୁପରଷ୍ଟାର ଵନିଯାଇଥିଲା, ସମସ୍ତେ ଅଜୁକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ, ବହୁତ କମ୍ପାନୀ ତା ସହ କାମ କରିବାକୁ ଆଗେଇ ଆସିଲେ ଆଉ ତାକୁ ଆଗକୁ ପାଠ ପଢିବାକୁ ଅନେକ କମ୍ପାନୀ ପ୍ରପୋଜାଲ ଦେଲେ I କୁନାବାବୁ ବି ନିଜ ଭୁଲ ପାଇଁ ନିଜେ ଅନୁତପ୍ତ ଥିଲା, ହେଲେ ଅଜୁ ତାକୁ ସେସବୁ ଭୁଲି କୁନାବାବୁକୁ କୁଣ୍ଢେଇ ଭୋଭୋ ହେଇ କାନ୍ଦି ଥିଲା ଆଉ ତାକୁ ସେ ପ୍ରୋଜେକ୍ଟରେ ମିଶି କାମ କରିବାକୁ କହିଥିଲା I ଆଉ ଅଜୁର ନୂଆ ଜୀବନ ଆରମ୍ଭ ହେଇସାରିଥିଲା, ଏଲୋରା ବି ଅଜୁ ଜୀବନରେ ଆସି ତା ଜୀବନକୁ ଖୁସିରେ ଭରି ଦେଇଥିଲା I ଏଲୋରା, ଅଜୁକୁ ନିଜ ଠାରୁ ବି ବେଶି ଭଲ ପାଏ, ଆଉ ସବୁବେଳେ ଥଟ୍ଟାରେ କୁହେ, "ଅଜୁ ଆମେ ପ୍ରେମ.ଡଟ.କମ ପ୍ରୋଜେକ୍ଟ କେବେ ଆରମ୍ଭ କରିବା? ଅଜୁ ଟିକେ ଲାଜେଇ ଯାଏ ଆଉ କଥା ଭୁଲେଇ ଦିଏ I




Rate this content
Log in

Similar oriya story from Inspirational