Trupti Paikaray

Tragedy

2  

Trupti Paikaray

Tragedy

ସେଇ ସାତଟି ଚିତ୍ର

ସେଇ ସାତଟି ଚିତ୍ର

5 mins
401



ମିନିର ଗୁଲଗୁଲିଆ ହସ ଭାରି ମିଠା, ଦେଖିବାକୁ ସତେ ଯେମିତି କୁନି କଣ୍ଢେଇଟି ପରି, ଆଉ କଥାଗୁଡା ତା ଠାରୁ ବି ମଧୁର I ସେଥିପାଇଁ ପାଖ ପଡୋଶୀମାନେ ବି ମିନିକୁ ଭାରି ଭଲ ପାଆନ୍ତି I ମିନିର ବାପା ଗୋଟେ ବଡ ବ୍ୟାଙ୍କରେ ମ୍ୟାନେଜର ଭାବେ କାମ କରନ୍ତି, ମାଆ ପେଶାରେ ଜଣେ ଇଞ୍ଜିନିଅର I ତେବେ ଦୁଇଜଣ ଅଫିସ ଚାଲିଗଲେ ମିନି ତା ଆଈଙ୍କ ପାଖରେ ରହେ, ମିନିର ଦେଖାଶୁଣା କରିବାକୁ ସେମାନେ ତା ଆଈକୁ ଗାଁରୁ ଆଣି ପାଖରେ ରଖିଛନ୍ତି I ଆଈ ସାଙ୍ଗରେ ମିନିର ବେଶ ଭଲ ଜମେ I ଜନ୍ମହେବା ଦିନଠାରୁ ଆଈ ତାର ସବୁ କାମ କରନ୍ତି, କାରଣ ତା ବାପାମାଆ ଦୁହେଁ ସବୁବେଳେ ଅଫିସ କାମରେ ବ୍ୟସ୍ତ ରୁହନ୍ତି I ଏସବୁ ଭିତରେ ମିନି ଧୀରେଧୀରେ ବଡ ହେବାକୁ ଲାଗିଲା ଏବଂ ସ୍କୁଲ ଯିବାକୁ ଲାଗିଲା I ମିନିକୁ ଏବେ ପାଞ୍ଚ ବର୍ଷ I ନୂଆନୂଆ ଇଂରାଜୀ ଶବ୍ଦ ଶିଖୁଛି, ଚିତ୍ର ବି ମନକୁ ଯାହା ଆସୁଛି ଆଙ୍କୁଛି l ଦିନସାରା କଣ ଇୟାଡୁସିଆଡ଼ୁ ଗୁଡ଼େ ଗାରେଇ ଆଉ ଚିତ୍ର କରି ରଖେ, ସନ୍ଧ୍ୟାରେ ତା ବାପା ଓ ମାଆ ଫେରିଲେ ନେଇ ସେମାନଙ୍କୁ ଖୁସିରେ ଦେଖାଏ I ଏତେ ଛୋଟ ପିଲାଟା, ଆଉ ଏତେ ସମୟ ବାପାମାଆଙ୍କୁ ଛାଡି ରହିଲେ ତାଙ୍କୁ ଖୋଜିବା ସ୍ୱାଭାବିକ I ତେବେ ତା ଆଈ ତାକୁ ଭୁଲେଇ ଦିଅନ୍ତି, ବେଳେବେଳେ ମାଆ ପାଖକୁ ଯିବ କହି ଜିଦିକରି କାନ୍ଦେ ଆଉ ଭାରି ଖୋଜେ I ସକାଳୁ ଉଠିବା ପରେ ସ୍କୁଲ ପଳେଇ ଯାଏ, ସ୍କୁଲରୁ ଫେରେ ତା ବାପାମାଆ ଦୁହେଁ ନିଜ କାମରେ ବାହାରି ଯାଇଥାନ୍ତି, ଫେରିଲା ବେଳକୁ କେବେ ସନ୍ଧ୍ୟା ସାତଟା ତ କେବେ ଆଠଟା I ମିନି ତାଙ୍କୁ ଅନେଇ ବସିଥାଏ I, ସେମାନେ ଫେରିଲା ପରେ ଯାଇ ତୁନିହୁଏ I ଏମିତି ଏମିତି ମିନି ତା ଆଈ ପାଖରେ ବେଶୀ ସମୟ କାଟେ, ଛୋଟପିଲା ହେଲେ ବି ତା ବାପାମାଆଙ୍କ ଅନୁପସ୍ଥିତି ତାକୁ ବହୁତ ଦୁଃଖ ଦିଏ I


ମିନି ଧୀରେଧୀରେ ବଡ ହେଉଛି, ଏବେ ବେଶୀ ସମୟ ତା ବାପାମାଆଙ୍କ ସହ କାଟିବାକୁ ଚାହୁଁଛି, ହେଲେ ସେମାନଙ୍କ ପାଖେ ମିନି ପାଇଁ ସମୟ ନାହିଁ I ଅଫିସ କାମ ସାରି ଘରକୁ ଫେରିଲେ ଖାଇପିଇ କେମିତି ରେଷ୍ଟ ନେବେ, ଆଉ ତା ସାଙ୍ଗକୁ ସ୍ମାର୍ଟ ଫୋନ ନିଶା I ତା ବାପାମାଆ ଦୁହେଁ ନିଜ ନିଜ ଫୋନରେ ବ୍ୟସ୍ତ ରୁହନ୍ତି, ସାଙ୍ଗସାଥି ସହ ଘଣ୍ଟାଘଣ୍ଟା ଗପ,ପୁଣି ସେଥିରେ ସୋସିଆଲ ମେଡ଼ିଆରେ ଚାଟିଙ୍ଗ, ଷ୍ଟାଟସ ଅପଡେଟ, ଭିଡ଼ିଓ ଦେଖା, ଏମିତି ଏମିତି ମିନି ଉପରୁ ତାଙ୍କ ଧ୍ୟାନ ହଟିଯାଏ I ଆଈ ପାଖରେ ମିନି ମସ୍ତ ଅଛି ଭାବି ସେମାନେ ବି ଢିଲା ହେଇଯାନ୍ତି ଆଉ ନିଜ କର୍ତ୍ତବ୍ୟ ବି ଭୁଲି ଯାଆନ୍ତି ଯେ ପିଲା ପ୍ରତି ତାଙ୍କର ବି ଧ୍ୟାନଦେବା ନିହାତି ଦରକାର ବୋଲି I ମିନି ଖୁସି ହେଇ କିଛି ଗୋଟେ ଦେଖେଇବାକୁ ଦୌଡ଼ିଗଲେ ତା ବାପାମାଆ ତାକୁ ବ୍ୟସ୍ତଥିବା କହି ଆଈ ପାଖକୁ ଯିବାକୁ କୁହନ୍ତି, ଆଉ ଯଦି ବା ଦେଖନ୍ତି ଏମିତି ଅଣଦେଖା କରିଲା ପରି, ବିଶେଷ ଧ୍ୟାନ ନ ଦେଇ I ମିନି କୁଆଡେ ବୁଲିବାକୁ ଯିବାକୁ କହିଲେ କାଲି ଯିବା, ପଅରଦିନ ଯିବା କହି ଏମିତି ଭୁଲେଇ ଦିଅନ୍ତି, କେତେବେଳେ ଥରେଅଧେ କାଁ ଭାଁ ତାକୁ ବାହାରକୁ ନିଅନ୍ତି, ବାହାରେ ଗଲେ ବି ସେମାନେ ନିଜ ନିଜ ଫୋନରେ ବ୍ୟସ୍ତ ହେଇଯାନ୍ତି ଆଉ ମିନି ଆଈ ସହ ଖେଳିଖେଳି ଘରକୁ ଫେରେ I 


ଏମିତି ଏମିତି ମିନି ଆଉ ତା ବାପାମାଆଙ୍କ ଭିତରେ ଗୋଟେ ବଡ ଦୂରତା ସୃଷ୍ଟି ହେବାକୁ ଲାଗିଲା I ମିନି ଚାହେଁ ଟିକେ ସେମାନଙ୍କ ପାଖେ ଗେଲ୍ହା ହେବ, ଦିନସାରା କେତେ ଚିତ୍ର ଆଙ୍କିଛି ଦେଖେଇବ, କେତେ ପ୍ରଶ୍ନ ପଚାରି ବୁଝିବ ଆଉ ଦୁହିଁଙ୍କ ସାଥିରେ ଢେର ଖେଳିବ I ହେଲେ ସେମାନଙ୍କ ପାଖେ ମିନି ପାଇଁ ସମୟ କାହିଁ, ସବୁବେଳେ ତ ସେମାନେ ସ୍ମାର୍ଟ ଫୋନରେ ବ୍ୟସ୍ତ I ଫେସବୁକ, ଟ୍ୱିଟର, ଇନ୍ଷ୍ଟଗ୍ରାମ, ୱାଟସଆପ୍ପ ଏଥିରୁ ସମୟ ମିଳିଲେ ତ ସେମାନେ ମିନିକୁ ଦେଖିବେ I ମିନି କେତେ ଅଳିକରି କାନ୍ଦେ, ହେଲେ ଆଈ ବ୍ୟତୀତ ମିନି କଥା କେହି ଶୁଣନ୍ତି ନାହିଁ ଟିକେ I


କିଛି ଦିନ ହେବ ମିନି ଟିକେ ଭାରି ଚୁପ ରହୁଛି, ବେଶୀ ଆଉ ଖେଳୁନି, ଘରସାରା ମଂଥିଦେଉଥିବା ମିନି ଏବେ ଘରର ଗୋଟିଏ କଣରେ ସେମିତି ବସି କଣ ଟିକେ ଖେଳୁଛି I ଆଈ ବୁଢ଼ୀଲୋକ ସେ କଣ ବା ଜାଣିବେ I ସେ ଭାବନ୍ତି ମିନି ଧୀରେଧୀରେ ବଡ ହେଉଛି, ତେଣୁ ତା ଦୁଷ୍ଟାମୀ ବୋଧେ ଟିକେ କମିଯାଇଛି I ଆଉ ଆଗପରି ମିନିର ସେ ହସ ନାହିଁ, ସ୍କୁଲ ଯାଉଛି ଆସୁଛି, ଅଧା ସମୟ ନିଜ ଖାଇବା ସେମିତି ନ ଖାଇ ଛାଡି ଦେଉଛି I ତା ବାପାମାଆଙ୍କ ଘଣ୍ଟାଘଣ୍ଟା ଫୋନରେ ବ୍ୟସ୍ତ ରହି ତାକୁ ଅଣଦେଖା କରିବା ଢଙ୍ଗ, ତା ପିଲାଳିଆ ମନରେ ବହୁତ ଆଘାତ ଦେଇଛି I ଏହି ଭିତରେ ତା ଆଈ କିଛି ଦିନ ପାଇଁ ଗାଁକୁ ଗଲେ, ତେଣୁ ସେଇ କିଛିଦିନ ମିନିର ଖବର ବୁଝିବାକୁ ତା ବାପା ତାଙ୍କ ବଡବାପାଙ୍କ ଝିଅ ଭଉଣୀକି ଘରକୁ ଡକାଇଲେ I ଏପଟେ ବାପାମାଆଙ୍କ କମୀକୁ ସେପଟେ ମିନି ତା ଆଈକୁ ଭାରି ଝୁରିହେଲା I ଆଈ ତାର ସବୁବେଳେ ଯତ୍ନ ନିଏ, ଗେଲ୍ହା କରେ ହେଲେ ତାର ପିଇସୀ ହିସାବ ହେଉଥିବା ବନିଅପା ସେ ବି ତା ବାପାମାଆଙ୍କ ପରି ଦିନରାତି ନିଜ ଫୋନରେ ବ୍ୟସ୍ତ ରୁହେ I ମିନି, ବନିଅପା ସହ ଏତେ ମିଶି ପାରିଲାନି, କାରଣ ସେ ମିନି କାମ ସାରିଦେଇ ନିଜ ଫୋନରେ ବ୍ୟସ୍ତ ହୋଇଯାନ୍ତି I ମିନି ଏବେ ବହୁତ ଏକୁଟିଆ ପଡିଗଲା, ଦୁଇଦିନ ହେଲା ତାକୁ ଟିକେଟିକେ ଜ୍ୱର ବି ଆସୁଛି, ତା ଦେହ ଭଲ ନାହିଁ, ପେଟ ବି ତାର କାଟୁଛି I ତେବେ ମାଆ କହିଛନ୍ତି ବନିଅପାକୁ ହଇରାଣ ନ କରିବାକୁ I ତେଣୁ ମିନି ତାଙ୍କୁ ବି ଡ଼ରିକି କିଛି କହିପାରୁନି, ସେପଟେ ବାପାମାଙ୍କ ପାଖରେ ସମୟ ନାହିଁ I ମିନି ସେମିତି ଚୁପଚାପ ବସି ଚିତ୍ର ଆଙ୍କେ, ତା ଦେହ ଅଧିକ ଖରାପ ହେଇଆସିଲାଣି I ଦୁଇ ଥର ବାନ୍ତି କରିଛି, ସେପଟେ ଆଉ କଥା ବି କହିପାରୁନି, ହେଲେ ଖାଲି ଚିତ୍ର ଆଙ୍କି ପକାଉଛି I 


ଆଜି ସକାଳୁ ମିନି କିଛି ଖାଉନି, ହଟାତ କଣ ହେଲା କେଜାଣି ବେହୋସ ହେଇ ପଡିଗଲା, ତା ବାପାମାଆ ଆଉ ଅଫିସ ନଯାଇ ତାକୁ ହସ୍ପିଟାଲ ନେଇଗଲେ, ହେଲେ ହସ୍ପିଟାଲରେ ମିନି ଟିକେ ବି ମୁହଁ ଖୋଲି କଥା ହେଲାନି I ତା ବାପାମାଆ ଯେତେ ମିନିକୁ ଡାକିଲେ ବି ମିନି ଆଉ ଶୁଣୁନଥାଏ, ଖାଲି ମଝିରେ ମଝିରେ ଆଈ ଆଈ ହେଇ ବାଉଳି ହୁଏ I ମିନି ଆଈକୁ ବି ଗାଁରୁ ଡକା ହେଲା ଓ ସେ ଆସି ପହଁଞ୍ଚିଗଲେ I ଟିକେ ଆଖି ଖୋଲି ଆଈକୁ ଚାହିଁଲା, ସେପଟେ ସମସ୍ତେ କାନ୍ଦୁଥାନ୍ତି ଭୋ ଭୋ ହେଇ, ଆଉ ମିନି ସମସ୍ତଙ୍କୁ ସବୁଦିନ ପାଇଁ ଛାଡି ଚାଲିଗଲା I ମିନି ଯିବାପରେ ପରିବାରରେ ଯେମିତି ଦୁଃଖର କଳା ବାଦଲ ଢାଙ୍କିଗଲା I ମିନିର ବାପାମାଆ ଦୁଃଖରେ ଭାଙ୍ଗି ପଡିଲେ, ଆଉ ଆଈ ତାକୁ ବହୁତ ଝୁରିହେଲେ I


ମିନି ଯିବା ମାସେ ହେଇଗଲାଣି, ତା ବାପାମାଆ ବସି ତା ଜିନିଷ ସବୁ ଗୋଟିଗୋଟି କରି ଧରି ଆଉଁଷି ଗେଲ୍ହା କରି କାନ୍ଦୁଥାନ୍ତି I ହଟାତ ସେମାନଙ୍କ ନଜର ପଡିଲା ଟେବଲ ଉପରେ ଥୁଆ ହେଇଥିବା କିଛି କାଗଜ ଉପରେ, ଯାହା ଥିଲା ମିନି ଆଙ୍କିଥିବା ଚିତ୍ରସବୁ I ଗୋଟିଗୋଟି କରି ସେମାନେ ସେସବୁ ଚିତ୍ର ଆଣି ଦେଖିଲେ ଆଉ ଦେଖିବା ପରେ ଭୋ ଭୋ ହେଇ କାନ୍ଦିବାକୁ ଲାଗିଲେ I ସେଥିରେ ସାତଟା ଚିତ୍ର ଥିଲା, ସୋମବାର ଠାରୁ ରବିବାର ଯାଏ ଇଂରାଜୀରେ ବାର ନାଁ ଲେଖି ସବୁଦିନ ପାଇଁ ଗୋଟେଗୋଟେ ଚିତ୍ର ଆଙ୍କିଥିଲା ମିନି I ସବୁ ଚିତ୍ରରେ ସେ ଥିଲା, ତା ଆଈ, ଆଉ ବାପାମାଆ ଥିଲେ I ପ୍ରଥମ ଚିତ୍ରରେ ଲେଖାଥିଲା "ମନଡେ଼- ଫାଦର ବିଜି, ମଦର ବିଜି, ଗୋଟେ ଚିତ୍ର ଆଙ୍କିଥିଲା ଯେଉଁଥିରେ ତା ବାପା ଫୋନ ଧରି ବସିଛନ୍ତି, ମାଆ ବି ନିଜ ଫୋନରେ ବିଜି, ମିନି ଟିକେ ଦୂରରେ ତା ଆଈ ପାଖରେ ଖେଳୁଛି"I ଏମିତି ଆଉସବୁ ଚିତ୍ରରେ "ଟିୟୁଜଡେ଼ ଠାରୁ ସନଡେ଼ ଲେଖି ସବୁ କାଗଜରେ ସେଇ ଏକା ଚିତ୍ର ଆଙ୍କି, ଫାଦର ବିଜି, ଓ ମଦର ବିଜି ଲେଖିଥିଲା, ଏମିତିକି ଶେଷ, ସନଡେ଼ ଚିତ୍ରରେ ବନିଅପାକୁ ଆଡ଼ କରିଥିଲା, ଯେଉଁଥିରେ ସେ ବି ତା ଫୋନରେ ବିଜି ଅଛି" I ତେବେ ମିନିର ଚିତ୍ର ଦେଖି ତା ବାପାମାଆଙ୍କର ଆଉ କିଛି ବୁଝିବାକୁ ବାକି ନଥିଲା, ଏବଂ ସେଇ ସାତଟି ଚିତ୍ର ଥିଲା ମିନିର କିଛି ଅକୁହା କଥା, ଅଦେଖା କୋହ, ତା କୁନି ଜୀବନର ଏକ ବିରାଟ ଶୁନ୍ୟତା, ଆଉ ତାର ସାତଟୋପା ଲୁହ I


Rate this content
Log in

Similar oriya story from Tragedy