Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Trupti Paikaray

Tragedy


2  

Trupti Paikaray

Tragedy


ପ୍ରାଚୀର ପରିଚୟ

ପ୍ରାଚୀର ପରିଚୟ

9 mins 432 9 mins 432

"ଏଠାକୁ ଯିଏ ଥରେ ଆସେ ସିଏ ମରିବା ଯାଏ ଏଇଠି ରହିଯାଏ, ତୁମେ ମାନେ ଗୋଟେ ଗୋଟେ ଚାବିଦିଆ କଣ୍ଢେଇ ଏଠିକି ଆସୁଥିବା ଗରାଖ ମାନଙ୍କ ହାତରେ, ସେମାନେ ଯେମିତି ଚାହିଁବେ ଆଉ ଯେମିତି ଚାବି ମୋଡି଼ବେ ତମେ ମାନେ ସେମିତି ନାଚିବ...ତୁମକୁ କାନ୍ଦିବା ମନା, ହସିବା ମନା, ମନ ଖୋଲି ଦିପଦ କଥା ହେବା ମନା.. ନଦୀ ଦେଖିବ ହେଲେ ଗୋଡ ଧୋଇବା ମନା, ତୁମେ ମାନେ ନିଜକୁ ଗୋଟେଗୋଟେ ଅଭିଶପ୍ତ ମହିଳା ଭାବିନିଅ I ତୁମକୁ ଭଲ ପାଇବା ମନା, କାହାକୁ ହୃଦୟ ଦେବା ମନା, ଏଠିକି ଅନେକ ଶିକାରୀ ଆସିବେ ହେଲେ ତୁମେ କାହା ଶିକାର ହେବନି I ବାସ ତାଙ୍କ ଦେହର ଭୋକ ମେଣ୍ଟାଇବା  ଆଉ ତାଙ୍କ ମନ ଖୁସିକରି ବିଦା କରିବା ତୁମ କାମ" I


ସେଦିନ ରାଣୀ ମହଲରେ ପଦ୍ମାବାଇ ସେଠାରେ ଥିବା ସବୁ ଦେହଜୀବୀମାନଙ୍କୁ ଏସବୁ କହି ଚାଲିଥାଏ, ସେ ଏହି ରାଣୀମହଲର ରାଣୀ ମହୁମାଛି, ଆଜିକୁ ଦୀର୍ଘ ୨୫ ବର୍ଷ ହେଲା ସେ ଏହି ବେଶ୍ୟାଳୟ ଚଳେଇ ଆସୁଛି I ଝିଅ ମାନଙ୍କୁ କାମ ଆଉ ନିଯୁକ୍ତି ଦେବା ନାଁରେ ଆଣି ଏହି ଧନ୍ଦାରେ ଫସେଇ ନଜର ବନ୍ଦୀ କରି ରଖିଥାଏ I ଥରେ ଯିଏ ଏଠିକି ଆସେ ସେ ଆଉ କୁଆଡେ଼ ଯାଇପାରେନା, ଅନେକ ଗରିବ ଝିଅ ଏଠାରେ ଫସିଯାଇଛନ୍ତି ଏମିତି ଆସିକି, ତେବେ କେହିକେହି ନିଜ ଇଛାରେ ବି ଆସନ୍ତି ଆରାମରେ ଆଉ ସରଳ ଉପାୟରେ ପଇସା ରୋଜଗାର କରିବା ନିଶାରେ I ଜଣକା ରାତିକୁ ହଜାର ହଜାର ଟଙ୍କା ରୋଜଗାର କରନ୍ତି, ପଦ୍ମାବାଇ ନିଜ ଲାଭ ରଖି ଦରମା ଆକାରରେ ଦିଏ I ତାର ଏହି ବେପାର ଅନ୍ୟ କେତେକ ରାଜ୍ୟରେ ବି ସେ ବିଛେଇ ଦେଇଛି, ଆଉ ଝିଅମାନଙ୍କୁ ସେ ନେଇ ବାବୁମାନଙ୍କ ପାଖକୁ ବି ପଠାଏ, ବାହାରକୁ ପଠାଏ I 


ଏସବୁର ଶିକାର ହେଇଛି ପ୍ରାଚୀ, ସେ ଏକ ଗରିବ ପରିବାରର ଝିଅ, ସେମାନେ ପାଞ୍ଚ ଭାଇଭଉଣୀ, ବାପାମାଆ ପୁରା ଗରିବ, ବାପା ତାର ଗୋଟେ ଫେରିବାଲା ଆଉ ମାଆ ମୂଲମଜୁରୀ ଲାଗୁଥିବା ଜଣେ ମହିଳା I ପାଞ୍ଚଟା ପିଲାଙ୍କୁ ବଢେଇବାକୁ ତାଙ୍କ ପାଖରେ ପଇସା ଅଣ୍ଟେନି, ପ୍ରାଚୀ ସବୁଠାରୁ ବଡ ଝିଅ ଆଉ ତା ତଳକୁ ତିନି ଭଉଣୀ ଆଉ ସବା ସାନ ହେଲା ଭାଇଟିଏ I ଏମିତି ଦିନେ ପଦ୍ମାବାଇ ଭେଟିଥିଲେ ପ୍ରାଚୀ ବାପାଙ୍କୁ, ସେ ଯେତେବଳେ ତାଙ୍କ ଆର୍ଥିକ ସ୍ଥିତି କଥା ଶୁଣିଲେ ଆଉ ଜାଣିଲେ ତାଙ୍କ ବଡ ଝିଅ ଯିଏ ମାତ୍ର ଅଠର ବର୍ଷର ଆଉ ସେ କଲେଜ ପଢୁଥିଲା ହେଲେ ପଇସା ଅଭାବ ଯୋଗୁ ଆଉ ଆଗକୁ ପଢ଼ିପାରିଲାନି, ସେତେବେଳେ ସେ ଝିଅ ପାଇଁ ଚାକିରୀ ଅଛି କହି ତାକୁ ନେଇକି ଯିବାକୁ କହିଥିଲେ I ଆଉ ସେ ଅନେକ ଲୋଭନୀୟ ପ୍ରସ୍ତାବ ଦେଇଥିଲେ ଯେ ଭଲ ଦରମା ସହ ସେ ନିଜ ଖାଇବାପିଇବା ପାଇଁ ଏକ୍ସଟ୍ରା ପଇସା ମିଳିବ I ପ୍ରାଚୀର ବାପା ଏସବୁ ଶୁଣି ଖୁସି ହେଇ ଯାଇଥିଲେ ଯେ ଯାହା ହେଉ ଝିଅ ତାଙ୍କ ଚାକିରୀ କରି କିଛି ରୋଜଗାର କରିଲେ ତାଙ୍କ କାନ୍ଧରୁ ବୋଝ ଟିକେ ଉଠିବ ଆଉ ଘର ଚଳେଇବାକୁ ଟିକେ ସୁବିଧା ହେବ ଆଉ ସାନ ପିଲାମାନେ ବି ମଣିଷ ହେଇଯିବେ I ପ୍ରାଚୀର କିନ୍ତୁ ଏସବୁ ଶୁଣି ଟିକେ ବି ଇଛା ନଥାଏ, ସେ ଚାହୁଁଥିଲା ଆଉ ପାଠ ପଢି ନିଜ ଚେଷ୍ଠାରେ ଭଲ ଚାକିରୀ କରିବ, ସେଥିପାଇଁ ସେ ନିଜ ଗାଁରେ ଟ୍ୟୁସନ କରିବାକୁ ସ୍ଥିର କରିଥିଲା ଆଉ ସେଥିରୁ ଦିପଇସା ମିଳିଲେ ସେ ତା ଘର ଚଳାଇବ ଆଉ ପାଠ ବି ପଢିବ I ହେଲେ ବାପାଙ୍କ ଜିଦି ଆଗରେ ସେ ମୁଣ୍ଡ ନୁଆଁଇଲା, ତା ମାଆ ବି ସେଇଆ ଚାହିଁଲେ, କେହି ତାକୁ ଟିକେ ସହଯୋଗ କରିଲେନି I ପ୍ରାଚୀ ଏମିତି ଲୋଭନୀୟ ପ୍ରସ୍ତାବ ଦେଖି ଟିକେ ସନ୍ଦେହ କରୁଥିଲା ଯେ ଏମିତି କି ଚାକିରୀ ଅଛି ସେ ଦେବେ ଯେଉଁଥିରେ ଏତେ ପଇସା ମିଳିବ, ସେ ତା ପିତାମାତାଙ୍କୁ ବହୁତ ବୁଝେଇବାକୁ ଚେଷ୍ଠା କଲା, ହେଲେ ସେମାନେ ଜିଦିରେ ଅଟଳ I ଶେଷରେ ପ୍ରାଚୀକୁ ନେଇ ତା ବାପା ପଦ୍ମାବାଇ ପାଖକୁ ଗଲେ, ସେତେବେଳେ ପଦ୍ମାବାଇ ଝିଅ ତାଙ୍କର ଚିଙ୍ଗୁଡ଼ି ଫ୍ୟାକ୍ଟରୀରେ କାମ କରିବ କହି, ସେଠି ସବୁ ବେପାର ହିସାବକିତାବ କାମ କରିବ କହି ସାଙ୍ଗରେ ନେଇଯାଇଥିଲା ସେ ଯମପୁରକୁ I ଆଉ ତାପରେ ପ୍ରାଚୀକୁ ଆଣି ସେଇ ବେଶ୍ୟାଳୟରେ ଛାଡିଦେଇଥିଲା I ସେଠି ତାର ବିରାଟ ସାମ୍ରାଜ୍ୟ କହିଲେ ଚଳେ, ଅନେକ ଝିଅ ସେଠି ରୁହନ୍ତି, ସୁନ୍ଦର ଘର, ଭଲ ସାଜସଜା, ଆହୁରି ଅନେକ ସୁନ୍ଦର ସୁନ୍ଦର କୋଠରୀ, ଅଣ୍ଡର ଗ୍ରାଉଣ୍ଡ ଘର ବି ରହିଥାଏ I ପ୍ରାଚୀ ପ୍ରଥମେ ଏସବୁ ଦେଖି କିଛି ବୁଝିପାରିନଥିଲା, ତାକୁ କୁହାଗଲା ସେ କିଛିଦିନ ସେଠି ରହିଲା ପରେ ଧୀରେ ଧୀରେ କାମ ଶିଖି ନିଜକୁ ପ୍ରସ୍ତୁତ କରିନେବ ଆଉ ତାପରେ ତାକୁ କାମ ମିଳିବ I


ପ୍ରାଚୀ ଧୀରେ ଧୀରେ ହୁଏତ ବୁଝି ସାରିଥିଲା ସେଠିକାର କାରନାମା ସବୁ, ହେଲେ ମୁହଁ ଖୋଲିବାକୁ ସାହସ ନଥାଏ, ଯେତେ ଚେଷ୍ଠା କଲେ ବି ସେଠାରୁ ମୁକୁଳିବାକୁ କିଛି ଉପାୟ ନଥାଏ I ସେପଟେ ତା ଘର ଅବସ୍ଥା ଏମିତି ଯେ ତା ବାପାମା' ନିଜେ ତ ତାକୁ ଏହି ଯମ ଯନ୍ତ୍ରଣାକୁ ଠେଲି ଦେଇଛନ୍ତି I ସେ ଯେତେ ତା ବାପାଙ୍କୁ ଏ ବିଷୟରେ କହିବାକୁ ଚେଷ୍ଟା କରିଛି ନା ତା ବାପା ଶୁଣିଛନ୍ତି, ନା ପଦ୍ମାବାଇ ତାକୁ ଯିବାକୁ ଦେଇଛି I ମାସ ଶେଷକୁ ତା ଘରକୁ ପଇସା ପଠେଇ ଦିଆଯାଏ ଆଉ ତା ବାପା କେବେବି ପଚାରନ୍ତିନି ଝିଅ କେମିତି ଅଛି I ଏ ସବୁ ଭିତରେ ପ୍ରାଚୀ ନିଜର ଅନିଚ୍ଛା ସତେ ପଦ୍ମାବଇର କଥାରେ ସବୁ ସହି ଯାଉଥିଲା I ରାଣୀ ମହଲରେ ରହି କେବେ ଯଦି କେହି ପଦ୍ମାବାଇକୁ ଏ ସବୁ ପାଇଁ ଜବାବ ଦିଏ ବା ସେଠାରୁ ଛାଡି ଯିବାକୁ ଚେଷ୍ଟା କରେ,ପଦ୍ମାବାଇ ତାଙ୍କୁ ଧମକ ଦେଇ କୁହେ, ଯିଏ ଏଠି ମୁହଁ ଖୋଲିବ ବା ଏଠାକାର କାରବାର ବିଷୟରେ ବାହାରେ କାହାକୁ କହିବ ତାହାଲେ ସେମାନଙ୍କ ପରିବାରରେ ସମସ୍ତଙ୍କୁ ମାରିଦିଆଯିବ I ଏ ସବୁ ଭୟରେ କେହି ଝିଅପିଲା ମୁହଁ ଖୋଲନ୍ତିନି I ଏ ସବୁ ଭିତରେ ପ୍ରାଚୀ ବି ବାଦ ଯାଇନଥିଲା I ସେ ବି ଧୀରେ ଧୀରେ ଏସବୁ କାମକୁ ଅନିଚ୍ଛା ସତ୍ବେ ବି ଆପଣେଇଥିଲା I ଯିଏ ପଦ୍ମାବାଇ କଥା ମାନୁ ନଥିଲା ତାକୁ ଖାଇବାକୁ ବି ମିଳୁନଥିଲା I ଧୀରେ ଧୀରେ ସେଠାକୁ ଆସୁଥିବା ଗରାଖ ମାନଙ୍କ ପାଖକୁ ପ୍ରାଚୀକୁ ପଠା ଗଲା ,ବହୁତ କାନ୍ଦେ ପ୍ରାଚୀ ,ହେଲେ ସବୁ ଲୁହ ପୋଛି ତାକୁ ସଜେଇ ହେଇ ଏକ ପୁରୁଷ ହାତର କଣ୍ଢେଇ ହେଇ ନାଚିବାକୁ ପଡେ I 


ସେହି କିଛି କ୍ଷଣ ତା ଜୀବନର ସବୁ ସ୍ବପ୍ନ ପାଣି ଫୋଟକା ପରି ଫାଟିଯାଏ, ଆଖିର ଲୁହସବୁ ଶୁଖିଯାଏ,ରାତି ପାହି ପୁଣି ସକାଳ ହୁଏ, କିନ୍ତୁ ପ୍ରାଚୀର ଜୀବନରେ ସେମିତି ଅନ୍ଧକାର ହିଁ ଭରି ରହିଥାଏ I ଅନେକ ପୁରୁଷ ସେଠାକୁ ଆସନ୍ତି ନିଜର ଭୋକ ମେଣ୍ଟାଇବାକୁ, ପଇସା ,ଗହଣା ସେମାନେ ଲୁଟିଦେଇ ଯାଆନ୍ତି ,ହେଲେ ପ୍ରାଚୀର ସେସବୁ ପ୍ରତି କେବେ ବି ଧ୍ୟାନ ନ ଥାଏ କାରଣ ସେ ଚାହୁଁଥିଲା ନିଜକୁ ଏହି ଯମ ଯନ୍ତ୍ରଣାରୁ ମୁକ୍ତି କରି ଟିକେ ନିଜେ ସୁଖରେ ବଞ୍ଚିବ I ଏମିତି ଦିନ ପରେ ଦିନ ବିତି ଚାଲିଲା ,ପଦ୍ମାବଇ ସେମାନଙ୍କୁ ନଜରବନ୍ଦୀ କରି ରଖି ଥାଏ, କେହି କୁଆଡେ ଯାଇ ପାରନ୍ତିନି I ଏମିତି ସେଠାକୁ ବହୁତ ପୁରୁଷ ଆସନ୍ତି, ବହୁତ ଧନୀ ଘର ,ବହୁତ ବଡଘର ଲୋକ, ଏସବୁ ଭିତରେ ଆଦିତ୍ୟ ସେଠାକାର ଜଣେ ନିୟମିତ ଗରାଖ, ସେ କିନ୍ତୁ ଏକ ଭିନ୍ନ ଧରଣର ମଣିଷ ଥିଲା I ଏମିତି ଦିନେ ପ୍ରାଚୀର ଦେଖା ହୁଏ ଆଦିତ୍ୟ ସହିତ,ଏସବୁ ଭିତରେ ଆଦିତ୍ୟ ପ୍ରାଚୀକୁ ପସନ୍ଦ କରିଥିଲା ଆଉ ପଦ୍ମାବାଇକୁ ସ୍ୱତନ୍ତ୍ର ପ୍ରସ୍ତାବ ଦେଇଥିଲା ସେ କେବେଳ ପ୍ରାଚୀ ସହ ସମ୍ପର୍କ ରଖିବ I ସେଥିପାଇଁ ସେ ଅଧିକ ପଇସା ଦେବାକୁ ବି କହିଥିଲା, ପଦ୍ମାବାଇ ବି ଅଧିକ ପଇସା ଦେଖି ଏ ପ୍ରସ୍ତାବରେ ରାଜି ହେଇଥିଲା I ଧୀରେ ଧୀରେ ପ୍ରାଚୀ ଆଦିତ୍ୟର ବହୁତ ନିକଟତର ହେଇ ଯାଇଥିଲା ଆଉ ଆଦିତ୍ୟ ଏକ ନିଆରା ପୁରୁଷ ଥିଲା ଯିଏ ପ୍ରାଚୀକୁ ନିଜସହ ନେଇକି ଯାଏ ସତ ହେଲେ କେବେ ବି ତାକୁ ଛୁଏଁନି I ଆଦିତ୍ୟ ଥିଲା ବହୁତ ଶିକ୍ଷିତ ଆଉ ଧନୀ ଘରର ପୁଅ, ହେଲେ ତା ଦୁର୍ଭାଗ୍ୟ ତାକୁ ଏଠାକୁ ନେଇ ଆସିଥିଲା, ତା ବାପା ସହରର ଜଣେ ବିଶିଷ୍ଟ ଶିଳ୍ପପତି, ଟଙ୍କାପଇସାର କୌଣସି ଅଭାବ ନଥିଲା, ହେଲେ ସେ ନିଜ ଜୀବନକୁ ନେଇ ଖୁସି ନଥିଲା I ତା ବାପା ଥିଲେ ଜଣେ ଦୁର୍ଦ୍ଧାନ୍ତ ମଣିଷ, ମଦ ଆଉ ଡ୍ରଗ୍ସ କାରବାର କରନ୍ତି I ବହୁତ ନାରୀମାନଙ୍କ ସହ ତାଙ୍କର ସମ୍ପର୍କ ଥାଏ, ଆଉ ସହରର ବିଭିନ୍ନ ମର୍ଡର କେଶରେ ବି ତାଙ୍କ ହାତ ଥାଏ I ଏବେ ଧୀରେଧୀରେ ଆଦିତ୍ୟ ତା ବାପାଙ୍କ ଅସଲି ରୂପ ଦେଖିସାରିଥିଲା, ସେ ଥରେ ତା ବାପାଙ୍କୁ ଅନ୍ୟ ଏକ ମହିଳା ସହ ଅଫିସ ଗେଷ୍ଟ ହାଉସରେ ଦେଖିଦେଇଥିଲା ଆଉ ତା ମାଆ ସବୁବେଳେ ବାହାରେ I ବାପାମା'ଙ୍କ ଏତେ ଭଲ ସମ୍ପର୍କ ନଥାଏ, ତେଣୁ ସେ ଏକା ପଡିଯାଇଥିଲା, ତା ପିଲାଦିନ ଯେମିତି ଦୁଃଖରେ କଟିଥିଲା, ସେମିତି ଯୌବନ I ନିଜର ଲୋକସବୁ ତାଠାରୁ ଦୂରେଇ ଯାଉଥିଲେ, ଏସବୁ ଦେଖି ସେ ଦୁଃଖ ଓ ଘୃଣାରେ ନିଜ ମାନସିକ ଭାରସ୍ୟାମ ହରାଇ ବସୁଥିଲା I ସେ ନିଶା ସେବନ କରିବା ଆରମ୍ଭ କରିଥିଲା,ଏତେ ଭଲ ପାଠ ପଢିଥିବା ଆଦିତ୍ୟ ଆଉ ପାଠରେ ମନ ଦେଉନଥିଲା, ଖରାପ ସାଙ୍ଗ ସହ ମିଶି ସେ ଏଇ ରାଣୀମହଲକୁ ବି ଆସିବା ଆରମ୍ଭ କରିଦେଇଥିଲା I ହେଲେ କେବେ ସିଏ କେଉଁ ଝିଅକୁ ଛୁଇଁ ନଥିଲା ଆଜିଯାଏ, ଆଉ ପ୍ରାଚୀକୁ ଦେଖିବାପରେ ସେ ଗୋଟେ ଅତି ଆପଣାର ସାଙ୍ଗ ପାଇ ଯାଇଥିଲା I ପ୍ରାଚୀ ଆଜି ଏଠାରେ ସତେ ଯେମିତି ଗୋଟେ ଦେବତା ସହ ଭେଟିଥିଲା I ଏଠିକି ଯିଏ ଆସିଛି ସେ ପ୍ରାଚୀକୁ ଉପଭୋଗର ବସ୍ତୁ ଭାବିଛି, ହେଲେ ଆଦିତ୍ୟ ସେମିତି ନୁହେଁ, ସେ ପ୍ରାଚୀ ପାଖରେ ରହି ବି ନିଜକୁ ତା ଠାରୁ ଦୂରେଇକି ରଖେ, କେବେ ସେ ପ୍ରାଚୀକୁ ଖରାପ ନଜରରେ ଦେଖିନି ବରଂ ନିଜର ଭାବି ସବୁ ଦୁଃଖତାର କହିଯାଏ I


ଆଦିତ୍ୟ ବି ଠିକ ପ୍ରାଚୀକୁ ଦେଖି ଭାବେ ଏଠାକୁ ଆସିଥିବା ସବୁ ଝିଅ ଅପେକ୍ଷା ପ୍ରାଚୀ ଯେମିତି ନିଆରା, କେବଳ ସୁନ୍ଦର ନଥିଲା ପ୍ରାଚୀ, ଗୁଣରେ ବି କିଛି କମ ନଥିଲା, ଭାରି ସ୍ୱାଭିମାନୀ ଝିଅ ଥିଲା I ହେଲେ ନିଜ ଦୁର୍ଭାଗ୍ୟ ବଶତଃ ସେ ଆଜି ଏଇ ନର୍କରେ I ପ୍ରାଚୀକୁ ନେଇ ଆଦିତ୍ୟ ଦିଗୁଣା ମୂଲ୍ୟ ଦିଏ ସେଥିପାଇଁ ପଦ୍ମାବାଇର ସ୍ୱତନ୍ତ୍ର ଗରାଖ ଥିଲା ଆଦିତ୍ୟ ଆଉ ତାର ସବୁ ଇଚ୍ଛା ପୂରଣ କରାଯାଉଥିଲା, ଆଉ ପଦ୍ମାବାଇ ବି ବେଶ ଖୁସିଥିଲା ଯାହାହେଉ ପ୍ରାଚୀ ପାଇଁ ତାକୁ ଏକା ସ୍ୱତନ୍ତ୍ର ଗରାଖ ମିଳିଛି ଯିଏ ହଜାର ହଜାର ଟଙ୍କା ଅଜାଡି ଦେଉଛି ପ୍ରାଚୀ ପାଇଁ I ପ୍ରାଚୀ କେବଳ ଆଦିତ୍ୟ ପାଇଁ ଥିଲା ତାକୁ ପଦ୍ମାବାଇ ଆଉ କେଉଁ ଗରାଖ ପାଖକୁ ପଠାଏନି, ହେଲେ ଏପଟେ ପ୍ରାଚୀ ଆଦିତ୍ୟ ପରି ଏକ ଭଗବାନ ପାଇ ନିଜକୁ କେତେ ଯେ ଭାଗ୍ୟବାନ ମଣୁଥିଲା ଆଉ ଆଦିତ୍ୟ ବି ପ୍ରାଚୀକୁ ଧୀରେ ଧୀରେ ଭଲ ପାଇବସିଥିଲା I ସେପଟେ ପ୍ରାଚୀ, ଆଦିତ୍ୟକୁ ଭଲ ପାଉଥିଲେ ବି କହି ପାରୁନଥିଲା କାରଣ ସେ ନିଜକୁ ଅଭିଶପ୍ତ ଭାବୁଥିଲା I ଆଦିତ୍ୟ ବି ପ୍ରାଚୀଠାରୁ ତା ଦୁର୍ଭାଗ୍ୟ ବିଷୟରେ ଶୁଣିସାରିଥିଲା ଏବଂ ପ୍ରାଚୀର ସ୍ବପ୍ନ ଥିଲା ସେ ପାଠପଢି ଦିନେ ବଡ ଅଫିସର ହେବ, ହେଲେ ଏଠିକି ଆସି ତା ସ୍ବପ୍ନ ଚୁରମାର ହେଇଯାଇଥିଲା I ଆଦିତ୍ୟ, ପ୍ରାଚୀର ଏହି ଇଚ୍ଛା ପୁରା କରିବାର ପ୍ରତିଶୁତି ଦେଇଥିଲା ଏବଂ ସେ ପ୍ରାଚୀକୁ ଧୀରେ ଧୀରେ ବହିସବୁ ଆଣି ପଢିବାକୁ ଦେଉଥିଲା, ଆଉ ପ୍ରାଚୀ ବି ଆଗରୁ ଭଲ ପାଠ ପଢୁଥିଲା, ସେ କହିଥିଲା, "ଆଦିତ୍ୟ ମୋ ସ୍ବପ୍ନ ଭାଙ୍ଗିଯାଇଛି, ମୁଁ ଆଜି ଅଭିଶପ୍ତ ଆଉ ମତେ ସ୍ବପ୍ନ ଦେଖିବା ମନା, ଏସବୁ ଭିତରୁ ଆଉ ବାହାରିବା ସମ୍ଭବ ନୁହେଁ ଆଦିତ୍ୟ" I ଆଦିତ୍ୟ ଭଲ ପାଇବାକୁ ବି ପ୍ରାଚୀ ଗ୍ରହଣ କରିପାରୁ ନଥିଲା ଆଉ ନିଜକୁ ଆଦିତ୍ୟ ପାଇଁ ସେ ଆଯୋଗ୍ୟା ଭାବୁଥିଲା I


ହେଲେ ଆଦିତ୍ୟର ପ୍ରେମ ଆଗରେ ସେ ହାର ମାନିଯାଇଥିଲା, ତା ପାଇଁ ଆଦିତ୍ୟ ଥିଲା ଏକ ଭଗବାନ I ଆଦିତ୍ୟ ବି ପ୍ରାଚୀକୁ ପାଇ ଟିକେ ଖୁସି ଥିଲା ଏବଂ ପ୍ରାଚୀ ପାଖକୁ ଆସିଲେ ହିଁ ସେ ହସେ ଆଉ ପ୍ରାଚୀ ହିଁ ତା ଖୁସିର ଗୋଟେ ମାତ୍ର ବାହାନା ଥିଲା I ଏସବୁ ଭିତରେ ପ୍ରାଚୀ ବି ଆଦିତ୍ୟକୁ ଭଲ ପାଇ ବସିଥିଲା, କାରଣ ନର୍କ ଭିତରେ ତାକୁ ଆଦିତ୍ୟ ଭଗବାନ ରୂପେ ହୁଏତ ଦର୍ଶନ ଦେଇଥିଲା, ତାକୁ ସେସବୁରୁ ଉଦ୍ଧାର କରିବା ପାଇଁ I ଆଦିତ୍ୟ ସହ ମିଶିବା ପରେ ତା ଶରୀରରେ ପ୍ରାଣ ପଶିଥିଲା, ସେ ଟିକେ ନିଶ୍ୱାସ ନେଉଥିଲା ଶାନ୍ତିରେ, ତାକୁ ଟିକେ ବଞ୍ଚିବାର ଆଉ ନିଜକୁ ପରଖିବାର ବାହାନା ମିଳିଥିଲା I


ଆଦିତ୍ୟ ଆଉ ପ୍ରାଚୀର ସମ୍ପର୍କ ଦିନକୁ ଦିନ ଆହୁରି ନିବିଡ଼ ହେଇ ଚାଲିଥିଲା, ହେଲେ ସେମାନେ ଏସବୁ ବାହାରକୁ ଜଣେଇବାକୁ ଦେଉନଥିଲେ କାରଣ ପଦ୍ମାବାଇ ଜାଣିଲେ ସେ ଏସବୁ ଅନୁମତି ଦେବନି ଆଉ ଆଦିତ୍ୟକୁ ପ୍ରାଚୀ ସହ ମିଶିବାର ସୁଯୋଗ ବି ମିଳିବନି I ଏମିତି ଦିନେ ଆଦିତ୍ୟ, ପ୍ରାଚୀକୁ କଥା ଦେଲା ଏସବୁ ଦୁନିଆରୁ ତାକୁ ବାହାରକୁ ନେଇ ତାକୁ ତା ସ୍ବପ୍ନ ସାକାର କରିବାରେ ସାହାଯ୍ୟ କରିବ I ଦୁହେଁ ଲୁଚିକି ସେଠାରୁ ଚାଲିଯାଇଥିଲେ ବହୁତ ଦୁରକୁ, ଆଉ ସେଠାରେ ଆଦିତ୍ୟ ପ୍ରାଚୀକୁ ଭଲ ଏକ କଲେଜରେ ନାମ ଲେଖାଇଥିଲା ଆଉ ତାକୁ ପଢିବାରେ ସହଯୋଗ କରିଥିଲା I ପ୍ରାଚୀ ବି ନିଜ ଭାଙ୍ଗିଲା ସ୍ୱପ୍ନକୁ ସଜାଡିବାରେ ଲାଗିଥିଲା, କେବେ କେବେ ସେ ଭାଙ୍ଗିପଡିଲେ ଆଦିତ୍ୟ ତାକୁ ଧର୍ଯ୍ୟ ଆଉ ସାହସ ଦେଉଥିଲା l ଆଦିତ୍ୟ ଆଉ ପ୍ରାଚୀ ଦୁହେଁ ଦୁହିଁଙ୍କୁ ଜୀବନ ଭରି ଭଲ ପାଉଥିଲେ, ପ୍ରାଚୀ ଧୀରେ ଧୀରେ ଆଗକୁ ବଢି ଚାଲିଥିଲା, ସେ ଭଲ ନମ୍ବର ରଖି କଲେଜ ଟପର ହେଇଥିଲା ଆଉ ତାପରେ ଆଦିତ୍ୟର ସହଯୋଗରେ ନିଜକୁ ଆଇ.ଏ.ସ ପରୀକ୍ଷା ପାଇଁ ପ୍ରସ୍ତୁତ କରିଲା I ଆଉ ପ୍ରାଚୀବି, ଆଦିତ୍ୟକୁ ନିଜ ପାଠପଢାରେ ମନଦେବାକୁ କହିଥିଲା, ଆଦିତ୍ୟ ବି ଧୀରେ ଧୀରେ ସୁନାପିଲା ପରି ପ୍ରାଚୀ କଥା ମାନି ନିଜ ପାଠପଢ଼ାରେ ମନ ଦେଉଥିଲା ଆଉ ନିଶା ଠାରୁ ନିଜକୁ ଦୁରେଇ ରଖିଥିଲା I ପ୍ରାଚୀ ନିଜ ପଢାପଢିରେ ଧ୍ୟାନ ଦେଇ ଚାଲିଥିଲା, ଆଦିତ୍ୟ ପ୍ରାଚୀକୁ ନେଇ ଅନେକ ସ୍ବପ୍ନ ଦେଖି ଚାଲିଥିଲା ଆଉ ଏ ଭିତରେ ଆଇ.ଏ.ସ ପରୀକ୍ଷା ବି ସରିଯାଇଥିଲା I


ପ୍ରାଚୀର ପରୀକ୍ଷା ଖୁବ ଭଲ ହେଇଥାଏ ହେଲେ ସେପଟେ ଆଦିତ୍ୟର ସୁଖ ଧୀରେ ଧୀରେ ମଉଳିବାକୁ ଲାଗିଥିଲା, ଆଦିତ୍ୟର ହଟାତ ଦେହ ଅସୁସ୍ଥ ହେବାକୁ ଲାଗିଥାଏ I ସବୁ ଟେଷ୍ଟ ପରେ ଡାକ୍ତର ଜାଣିବାକୁ ପାଇଲେ ଆଦିତ୍ୟକୁ କ୍ୟାନ୍ସର, ସେପଟେ ଆଦିତ୍ୟ ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗୁଥାଏ I ପ୍ରାଚୀର ଏସବୁ ସହିବାକୁ ସାହସ ନଥାଏ, କାନ୍ଦିକାନ୍ଦି ସେ ସେମିତି ଆଦିତ୍ୟ ଗୋଡତଳେ ବସିକି ଜଗିରହେ, ତା ସେବା କରେ, ହେଲେ ଆଦିତ୍ୟ ପାଖରେ ଆଉ କମଦିନ ଥାଏ, ସେପଟେ ପ୍ରାଚୀବି ପ୍ରାଣପଣେ ଲାଗିଥାଏ ଆଦିତ୍ୟ ସେବାରେ I ଏ ଭିତରେ ଆଇ.ଏ.ସ ପରୀକ୍ଷା ରେଜଲ୍ଟ ବାହାରିଲା ଆଉ ପ୍ରାଚୀ କୃତକାର୍ଯ୍ୟ ହେଇଛି, ଆଦିତ୍ୟ ଖୁସି କହିଲେ ନସରେ, ହେଲେ ସେ ଖୁସି ଆଉ ବେଶିଦିନ ନୁହେଁ I ଶେଷରେ ପ୍ରାଚୀ ସାହସ କରି ଆଦିତ୍ୟ ପିତାମାତାଙ୍କୁ ଦେଖା କରିଛି ଆଉ ଆଦିତ୍ୟ ବିଷୟରେ କହିଛି ଆଉ ସେମାନେ ଆଦିତ୍ୟକୁ ନିଜସହ ନିଜ ଘରକୁ ଫେରେଇ ଆଣିଛନ୍ତି I ହେଲେ ଡାକ୍ତରମାନେ ମନା କରିଦେଲେ ସେ ଆଉ ଠିକ ହେବନି ବୋଲି I ଆଦିତ୍ୟ ସେଦିନ ପ୍ରାଚୀର ହାତ ଧରି କହିଥିଲା "ପ୍ରାଚୀ ମୁଁ ସିନା ବଞ୍ଚିବିନି ହେଲେ ତୁମକୁ ଆଗକୁ ବଢିବାର ଅଛି, ଅତୀତକୁ ଭୁଲିଯାଇ ନିଜ ସ୍ୱପ୍ନକୁ ଆହୁରି ଆଗକୁ ବଢ଼ାଇନେବାର ଅଛି" I ଆଉ ପ୍ରାଚୀର ପରିଚୟ ଆଜି ତା ସଫଳତା, ପ୍ରାଚୀ କଥାଦେଇଛି ଆଦିତ୍ୟ ହାତରେ ହାତ ମିଶାଇ "ଆଦିତ୍ୟ ତୁମେ ହିଁ ପ୍ରାଚୀର ପରିଚୟ" ତୁମ ବିନା ପ୍ରାଚୀର ନା ଅସ୍ଥିତ୍ୱ ଅଛି ନା ପରିଚୟ I ଆଜିକୁ ପାଞ୍ଚବର୍ଷ ହେଇଯାଇଛି ଆଦିତ୍ୟ ଚାଲିଯିବାର, ପ୍ରାଚୀବି ଗୋଟେ ଦକ୍ଷ ଅଫିସର, ସେ ଏକ ବଡ ପଦବୀରେ, ଆଉ ସେ ବି ନାରୀ ଅଧିକାର ଉପରେ ଅନେକ କାମ କରିଚାଲିଛି I ସେ ଆଜି ସମାଜର ଗୋଟେ ଚର୍ଚ୍ଚିତ ଚେହେରା ହେଲେ ତା ଜୀବନର ଶୂନ୍ୟସ୍ଥାନ ଆଉ କେବେବି ପୂରଣ ହେଇପାରିନି କାରଣ ସେ ଆଦିତ୍ୟକୁ ହିଁ ଭୁଲିନି ଆଉ ଆଦିତ୍ୟ ବିନା ତା ଜୀବନ ନିସଙ୍ଗ ଆଉ ବେରଙ୍ଗ ଆଜି I


Rate this content
Log in

More oriya story from Trupti Paikaray

Similar oriya story from Tragedy