ପ୍ରଶାନ୍ତ କୁମାର ବେହେରା

Comedy Drama Inspirational

3.7  

ପ୍ରଶାନ୍ତ କୁମାର ବେହେରା

Comedy Drama Inspirational

ଡେଲଟା ଭାରିଆଣ୍ଟ

ଡେଲଟା ଭାରିଆଣ୍ଟ

15 mins
2.6K



( ମୋ ଭାବନାରେ ଜନ୍ତୁପତି ଯମରାଜ ଓ ଚିତ୍ରଗୁପ୍ତଙ୍କ ମଧ୍ୟରେ କରୋନାକୁ ନେଇ କିଛି ବାର୍ତ୍ତାଳାପ । କାହାକୁ ଆକ୍ଷେପ କରିବା ବା କାହାର କ୍ଷତି ପହଞ୍ଚାଇବା ଏ ଆଲେଖ୍ୟର ଲକ୍ଷ୍ୟ ଆଦୌ ନୁହେଁ । କରୋନାର ଏ ଭୟଙ୍କର ବାତାବରଣ ମଧ୍ୟରେ କେବଳ କିଛି ମନୋରଞ୍ଜନ ଓ ସଚେତନା ସୃଷ୍ଟି କରିବା ଏ ଲେଖାର ମୂଳ ଉଦ୍ଦେଶ୍ୟ । )


ବଡ଼ି ଭୋର୍ ବେଳଟାରେ ଯମରାଜ ନିଜର ସମସ୍ତ ନିତ୍ୟକର୍ମ ସମାପନ କରି ଗଦାକୁ କାନ୍ଧରେ ପକାଇ ମଇଁଷି ଉପରେ ବିରାଜମାନ ହୋଇ ନିଜ ଅଫିସ୍ କୁ ଯିବା ଉଦ୍ଦେଶ୍ୟରେ ଘରୁ ବାହାରି ଆସିଲେ । ଏଇ ଗତ ବର୍ଷଠାରୁ ତାଙ୍କର ଦାୟିତ୍ୱ ଦିନକୁ ଦିନ ଖୁବ୍ ବଢି ବଢି ଚାଲିଛି । ଖାସ୍ ସେଇଥିପାଇଁ ତାଙ୍କର ଅଫିସ୍ ଟାଇମ୍ ରେ ମଧ୍ୟ ପରିବର୍ତ୍ତନ କରି କଡା ଅର୍ଡର୍ କଢିଛନ୍ତି । ସକାଳ ୧୦ ରୁ ସଂଧ୍ୟା ୪ ପରିବର୍ତ୍ତେ ଏବେ ଅତ୍ୟଧିକ କାର୍ଯ୍ୟଭାର ପାଇଁ ସକାଳ ୬ ରୁ ରାତି ୧୨ ପର୍ଯ୍ୟନ୍ତ ଅଫିସ୍ ଖୋଲା ରହିବା ପାଇଁ ସର୍କୁଲାର୍ ବାହାର କରିଛନ୍ତି । ପୃଥିବୀ ପୃଷ୍ଠରେ ଥିବା ସବୁଠୁ ଜନବହୁଳ ଦେଶ ଚାଇନାରୁ କ'ଣ ଗୋଟେ କରୋନା ରୋଗ ସୃଷ୍ଟି ହେଲା ଯେ, ତା'ପାଇଁ ସାରା ପୃଥିବୀର ଲୋକ ପୁରା ଘାଣ୍ଟି ହୋଇଗଲେଣି । ଓୋହାନର ଲାବ୍ରୋଟୋରୀରି ସେ କୋଭିଡ଼୍ ଭୂତାଣୁ ସୃଷ୍ଟି ହୋଇଛି ବୋଲି ବହୁ ଦେଶ ଦୃଢ଼ ବିଶ୍ୱାସ କରୁଥିବା ବେଳେ ଚାଇନା ତାଙ୍କୁ ଭୁତେଇ କହି ଚାଲିଛି ଯେ, ଏହି ରୋଗ ବାଦୁଡ଼ି ଠାରୁ ଉତ୍ପନ୍ନ ହୋଇ ମଣିଷ ଆଡକୁ ମାଡି ଆସିଛି । ଅବଶ୍ୟ ସତ କଣ ଜାଣିବାକୁ ପୃଥିବୀର ସବୁଠାରୁ କ୍ଷମତାଶାଳୀ ଦେଶ ଅମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କ ସିକ୍ରେଟ୍ ସର୍ଭିସ୍ ସଂଥା ସି.ଆଇ.ଏ. କୁ ସଠିକ୍ ତଦନ୍ତକରି ରିପୋଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 


ଯମରାଜ ବାଟରେ ହଲି ଦୋହଲି ଆସୁଥିବା ବେଳେ ଭାବୁଥିଲେ ବଡ ଅଦ୍ଭୁତ ରୋଗ ତାହେଲେ ଏ କରୋନା ! ଅଛି ଅଛି ରୂପ ବଦଳେଇ ପୁଣି ଗୋଟେ ନୂଆ ଭାରିଆଣ୍ଟ୍ ସାଙ୍ଗରେ ଧରି ଉଭା ହେଇଯାଉଛି । କୁଆଡେ ସବୁଠାରୁ ଅଧିକ ମାରାତ୍ମକ ଭାରତରେ ଚିହ୍ନଟ ହୋଇଥିବା ଡେଲଟା ଭାରିଆଣ୍ଟ । ଡେଲଟା ଭାରିଆଣ୍ଟ ପାଇଁ ମହାମାରୀର ଦ୍ୱିତୀୟ ଲହରରେ ଅଧିକ ଲୋକ ସଂକ୍ରମିତ ହୋଇଥିବା କଥା ସାମ୍ନାକୁ ଆସିବା ସହ ଏହାର ଲକ୍ଷଣ ବି ଭିନ୍ନ । ଗତ ମଇ ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (‘ଡବ୍ଲୁ ଏଚ ଓ’) ଡେଲଟା ଭାରିଆଣ୍ଟକୁ ‘ଭାରିଆଣ୍ଟ ଅଫ କଂସର୍ନ’ (ଭିଓସି) ଭାବରେ ବର୍ଗୀକୃତ କରିଥିଲା । ଗତ ବର୍ଷ ବ୍ରିଟେନରେ ଚିହ୍ନଟ ହୋଇଥିବା ଆଲଫା ଭାରିଆଣ୍ଟ, ଦକ୍ଷିଣ ଆଫ୍ରିକାର ବିଟା ଏବଂ ବ୍ରାଜିଲର ଗାମା ଭାରିଆଣ୍ଟ ଅପେକ୍ଷା ଏହା ଅଧିକ ସଂକ୍ରାମକ ବୋଲି ଡବ୍ଲୁ ଏଚ ଓ’ କହିଛି। କି କଥା ଇଏ ? ଲହର ପରେ ଲହର ଉଠୁଛି କଣ ଏ ରୋଗର ? ଭାରତରେ ୨ୟ ଲହର ଚାଲୁଥିବା ବେଳେ ପୃଥିବୀର ଆଉ କେଉଁଠି ୩ୟ ଲହର ଷ୍ଟାର୍ଟ ହୋଇଗଲାଣି ବୋଲି କାଲି ଚିତ୍ରଗୁପ୍ତ ବିଳମ୍ୱିତ ରାତିରେ କହୁଥିଲା । ସେ ୩ୟ ଲହରର କରୋନାକୁ କଣ ଲାମ୍ୱଡା ଭାରିୟାଣ୍ଟ ବୋଲି କୁହାଯାଉଛି ଯାହା ପ୍ରଥମେ ଦକ୍ଷିଣ ଆମେରିକାର ପେରୁରୁ ଷ୍ଟାର୍ଟ ହୋଇ ବର୍ତ୍ତମାନ ୨୯ଟି ଦେଶରେ କୁଆଡେ ବ୍ୟାପିଗଲାଣି ।


ଏଇ କରୋନା ପାଇଁ ଯମରାଜଙ୍କ ଦପ୍ତର୍ ଏବେ ପୁରା ଚଳଚଞ୍ଚଳ । କାହାକୁ ବି ମରିବାକୁ ଫୁରସତ୍ ନାହିଁ । ଯୁବକ, ଯୁବତୀଙ୍କ ଠାରୁ ଆରମ୍ଭକରି ବୁଢା ବୁଢି ପର୍ଯ୍ୟନ୍ତ କାହାର କେତେବେଳେ ଏ ୨ୟ ଲହରୀରେ ପାଳି ପଡୁଛି କିଛି କହି ହେଉନି । ଚିତ୍ରଗୁପ୍ତ ତା' ପାଞ୍ଜିକୁ ସାମ୍ନାରେ ରଖି କାଗଜ କଲମରେ ଖାଲି ନାଁ ଗୁଡା କାଟିବାରେ ଖୁବ୍ ବିଜି ରହୁଛି ଆଜିକାଲି । ଗତକାଲି ଦିନବେଳେ ଭାରତରେ କରୋନାରେ ଘଟୁଥିବା ମୃତ୍ଯୁ ଉପରେ ଗୋଟେ ମିଟିଙ୍ଗ ଆହ୍ବାନ କରିବା ଚକ୍କରରେ ସେ ଚିତ୍ରଗୁପ୍ତକୁ ସମୟ ବାହାର କରିବାକୁ କହିବାରୁ ମୁହେଁ ମୁହେଁ ମନା କରିଦେଇ କହିଲା , 


" କ୍ଷମା କରିବେ ଆଜ୍ଞା ! ଦଣ୍ତେ ବି ଫୁରସତ୍ ମିଳୁନି ! ଏଇ କେଇଦିନ ହେବ ମୋର ଖିଆପିଆ କେମିତି ହେଉଛି, ମୁଁ ବି ଜାଣି ପାରୁନି । ଏତେ ସଂଖ୍ୟାରେ ପାଞ୍ଜି ଭିତରୁ ନାମ ସବୁ କାଢି କାଟିବାକୁ ପଡୁଚି କୁହନ୍ତୁନି ଆଉ ସେ କଥା ! ଗୋଟେ ଗୋଟେ କେସ୍ ଏମିତି ହେଉଛି , ସ୍ୱାମୀ ସ୍ତ୍ରୀ ଉଭୟଙ୍କ ନାମ କାଟିବାକୁ ପଡୁଚି, ଫଳରେ ତାଙ୍କର ଛୋଟ ପିଲାମାନେ ଅନାଥ ହେଇଯାଉଛନ୍ତି । ଆଉ କେଉଁଠି ବାପା ସାଙ୍ଗରେ ଭେଣ୍ତିଆ ପୁଅ ମାନଙ୍କ ନାମ ବି କାଟିବାକୁ ପଡୁଚି ।

ବିବାହର ମାତ୍ର କେଇଦିନ ପରେ ନାରୀଟିର ହାତରୁ ମେହେନ୍ଦି ନ ଲିଭୁଣୁ ତା ମଥାର ସିନ୍ଦୁର କିନ୍ତୁ ଲିଭି ଯାଉଛି । ଶହଶହ ବର୍ଷଧରି ଏମିତି ନାମସବୁ କାଟିଆସୁଥିଲି, କିନ୍ତୁ ସତ କହୁଛି ଏଥର କିଛି ନାମ କାଟିବା ବେଳକୁ ମୋ ପରି ଲୋକର ଆଖିରୁ ବି ଲୁହ ଆସିଯାଉଛି । ଏବେ ମିଟିଙ୍ଗ ଆହ୍ବାନ କରିବା ଠିକ୍ ହେବନି । ଭାରତରେ ଏବେ ଫୁଲ୍ ଦମ୍ ରେ ଟୀକା କରଣ ଚାଲିଛି, ଲୋକମାନେ ସଚେତନ ହୋଇ ଟୀକା ନେବାକୁ ଆଗଭର ହେଲେଣି । କାଁ ଭାଁ କେଉଁଠି କିଛି ଲୋକ ଟୀକା ନ ନେବା ପାଇଁ ଗାଁ ଛାଡି ଜଙ୍ଗଲରେ ଯାଇ ଲୁଚୁଛନ୍ତି । ସରକାରଙ୍କ ତରଫରୁ ସ୍ୱାସ୍ଥ୍ୟକର୍ମୀ ଓ ଜିଲ୍ଲା ପ୍ରଶାସନର ଅଧିଆରୀ ମାନେ ତାଙ୍କୁ ବୁଝାସୁଝା କରି ଟୀକା ଦେବାର ବ୍ୟବସ୍ଥା ବି କରୁଛନ୍ତି । ଏମିତିକି ଆସନ୍ତା ଜୁଲାଇ ସୁଦ୍ଧା ଛୋଟ ପିଲାମାନଙ୍କୁ ଟୀକାକରଣ କରିବା ଯୋଜନାରେ ସେରମ ଇନଷ୍ଟିଚ୍ୟୁଟ୍ " ନୋଭାଭାକ୍ସ୍ " ନାମରେ ଏକ ଟୀକା ବାହାର କରି ବର୍ତ୍ତମାନ ଟ୍ରୟେଲ୍ କରୁଛି । ପରିସ୍ଥିତି ଟିକେ କଣ୍ଟ୍ରୋଲ୍ ହେଉ ଆଗ, ତା'ପରେ ମିଟିଙ୍ଗ କରିବେ । "


ଚୁତ୍ରଗୁପ୍ତ ମିଟିଙ୍ଗ ପାଇଁ ସମୟ ଦେଇହେବନି କହିବା ଦ୍ୱାରା ପ୍ରଥମେ ଯମରାଜ ଆବାକ୍ ହୋଇଗଲେ ! ତାଙ୍କ ମୁନିବ ପଣିଆ ଉପରେ କିଛି ସମୟ ପାଇଁ ତାଙ୍କର ସନ୍ଦେହ ମଧ୍ୟ ସୃଷ୍ଟି ହେଲା । ତେବେ ଶେଷକୁ ଦପ୍ତର୍ ଛାଡି ସ୍ୱ-ଗୃହକୁ ଫେରିବା ବେଳେ ନିଜ ମନକୁ ବିଝାଇବାକୁ ଯାଇ ନିଜକୁ ନିଜେ କହିଲେ, " ନାଇଁ ଲୋକଟା ଖୁବ୍ ଖଟୁଛି ! ଦିନରାତି ଏକ୍ କରି କାମରେ ଲାଗିଛି । ରାଗରେ କିଛି ଆକସନ୍ ନେଲେ ତା' ପରି ଆଉ ଜଣେ କର୍ମନିଷ୍ଠ କର୍ମଚାରୀ ଏ ସମୟରେ ମିଳିବା କାଇଁ ସମ୍ଭବ ଲାଗୁନି ।"


ତେବେ ଆଜି ଘରୁ ବାହାରିବା ବେଳେ ଗୋଟେ କଥା ସ୍ଥିର କରି ଜନ୍ତୁପତି ଆସିଥାନ୍ତି । ତାହା ହଉଛି ମିଟିଙ୍ଗ ଆହ୍ବାନ ନକରି ଚିତ୍ରଗୁପ୍ତ ତା' କାମରେ ବିଜି ଥିବାବେଳେ କିଛି ନିଦ୍ଧିଷ୍ଟ ବିଷୟରେ ତା' ସହିତ ଆଲୋଚନା କରିନେବା । ସେଇ ଲକ୍ଷରେ ଅଫିସ୍ ସାମ୍ନାରେ ପହଞ୍ଚୁ ପହଞ୍ଚୁ ମଇଁଷି ଉପରୁ ଗଦା-ସହ ଲମ୍ଫଦେଇ ଦୃତଗତିରେ ଚିତ୍ରଗୁପ୍ତ ବିରାଜମାନ କରିଥିବା ରୁମ୍ ରେ ପ୍ରବେଶ କଲେ ଯମରାଜ । ତାଙ୍କୁ ଦେଖୁଦେଖୁ ଚିତ୍ରଗୁପ୍ତ ନିଜ ଅସ୍ଥାନରୁ ଅଧା ଦଣ୍ତାୟମାନ ହୋଇ ତରତରରେ ଗୋଟେ ନମସ୍କାର ଫୋପାଡ଼ି ଦେଇ କାହାର ଗୋଟେ ନାମକୁ ସମ୍ପୂର୍ଣ୍ଣ ମୂଳପୋଛ କରି କାଟିବାରେ ଲାଗି ପଡିଲେ । ଅଧା ଦଣ୍ତାୟମାନ ପରି ନମସ୍କାର ମଧ୍ୟ ସମ୍ପୂର୍ଣ୍ଣ ନଥିଲା । ଯାହାକୁ କୁହନ୍ତି ଅଧା ହାତ ଉଠାଇ ନମସ୍କାର । ଆଜିକାଲି ମଧ୍ୟ ମର୍ତ୍ତ୍ଯ ଲୋକରେ କିଛି ଛାତ୍ରଛାତ୍ରୀ ନିଜ ଶିକ୍ଷକ ଅଥବା ଗୁରୁଜନ ମାନଙ୍କୁ ଠିକ୍ ସେଇ ଢଙ୍ଗରେ ନମସ୍କାର କରିବା ଦେଖାଯାଏ । ଏମିତି ବି କିଛି ଥାଆନ୍ତି ଯେଉଁମାନେ ସାମ୍ନାରେ ଗରୁଜନଙ୍କୁ ଦେଖି ନଦେଖିଲା ପରି ମୁହଁ ଆଡେଇଦେଇ ଚାଲିଯାଆନ୍ତି । ତେବେ ଏଠି ଚିତ୍ରଗୁପ୍ତ ନିଜର କାର୍ଯ୍ୟବ୍ୟସ୍ତତା ହେତୁ ସେଇ ଧରଣର ସମ୍ନାନ ଦେଖାଇବାକୁ ବାଧ୍ୟ ହୋଇଥିଲେ । ଅନ୍ୟଦିନେ ଫ୍ରି ଥିଲେ ଖୁବ୍ ମାନ ସମ୍ନାନ ଦେଇ ଯଥାରୀତି ନମସ୍କାର କରିବାରେ ସେ କେବେହେଁ ହେଳା କରନ୍ତି ନାହିଁ । କିନ୍ତୁ ଏବେକା ସମୟରେ ଟିକେ ଏପଟ ସେପଟ ହୋଇଗଲେ ନାମ କଟାକଟିରେ ଭୁଲ୍ ମାନେ ଜଣଙ୍କ ଜୀବନ ଥିବା ବେଳେ ମୃତ୍ଯୁ କାଳ ଉପସ୍ଥିତ ହୋଇଯିବା ଏବଂ ଅନ୍ୟ ପକ୍ଷରେ ମୃତ୍ଯୁ ହେବାକୁ ଯାଉଥିବା ଲୋକଟି ଜୀବନଦାନ ପାଇଯିବା ପରି ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଯିବା ଅସମ୍ଭବ ନୁହେଁ ।


ଯମରାଜ ଟେବୁଲ ଉପରେ ଗଦା ରଖିଦେଇ ପାଖରେ ଥିବା ଏକ ଓଜନଦାର ଚୌକିରେ ଅବସ୍ଥାନ କରି କିଛି ସମୟ ଚିତ୍ରଗୁପ୍ତର କାର୍ଯ୍ୟ କରିବାର ତରିକାକୁ ଦେଖିବାରେ ଲାଗିଲେ । ଚିତ୍ରଗୁପ୍ତ ପୁରା ଝାଳନାଳ ହୋଇ ଗୋଟେପଟେ ଥିବା ପାଞ୍ଜି ଖେଳାଇ ନାମସବୁ ଦେଖି ଦେଖି ଆରପଟେ ଥିବା କାଗଜ କଲମରେ ଚର୍ଚର୍ କରି ଖାଲି ଗାର ମାରୁଥାନ୍ତି । ଆଜିକାଲି ମର୍ତ୍ତ୍ଯ ଲୋକରେ ଚିତ୍ରଗୁପ୍ତଙ୍କର ଏଇ ଷ୍ଟାଇଲ କଥା ଭାବି କିଛି ଗୁଣ୍ତା ବଦମାସ ମଡର୍ କରିଦେବି ନକହି " ସମ୍ପୂର୍ଣ୍ଣ ଗାରେଇଦେବି " ନହେଲେ " ପୁରା ଗାରେଇଦେବି " ବୋଲି ପ୍ରତିପକ୍ଷ ଲୋକଙ୍କୁ କହିବାର ଶୁଣାଯାଉଛି ।


ପାଖା ପାଖି ଅଧଘଣ୍ଟା ନିରବରେ ଅତିକ୍ରାନ୍ତ ହେବାପରେ ଯମରାଜ ଆଲୋଚନା କରିବା ଚକ୍କରରେ କହିଲେ, " ଏକ୍ସେଲେଣ୍ଟ୍ ! ଫାବୁଲସ୍ ! ସତରେ ତୁମ କାମ କରିବା ତରିକାରେ ମୁଁ ଏକବାରେ ପ୍ରୀତ ! ଏ ଯମଲୋକର ୯୦ ପ୍ରତିଶତ କାମ ଜାଣ ତମେ ସମ୍ଭାଳି ନେଇଛ ! "


କର୍ମବୀରମାନେ କେବେହେଁ ପ୍ରଶଂସା ପାଇବା ଲକ୍ଷ୍ୟରେ କର୍ମ କରିନଥାନ୍ତି । ନିଜକୁ ଦିଆଯାଇଥିବା ଦାୟିତ୍ୱକୁ ସୁଚାରୁ ରୂପେ ପାରୁପର୍ଯ୍ୟନ୍ତ ତୁଲାଇବାକୁ ସେମାନେ ଅହରହ ଚେଷ୍ଟା କରିଥାନ୍ତି । ସେଇ କାଟେଗୋରୀ କର୍ମଚାରୀ ଭିତରେ ଚିତ୍ରଗୁପ୍ତ ଆସିବାଲୋକ । ଅନ୍ନଦାତାଙ୍କ ମୁହଁରୁ ପ୍ରଶଂସା ଶୁଣି ଟିକେ ହସି ଦେଇ ପୁଣି ନିଜ କାମରେ ମନୋନିବେଶ କଲେ ଚିତ୍ରଗୁପ୍ତ । 


ଯମରାଜ ଏଥର ନିଜର ଅସଲ ଉଦ୍ଦେଶ୍ୟକୁ ସାମ୍ନାକୁ ଆଣି କହିଲେ , " ଆଛା ଚିତ୍ରଗୁପ୍ତ , ମୋର କିଛି କଥା ବୁଝିବାର ଥିଲା ! ତମେ ତ ମର୍ତ୍ତ୍ଯ ଲୋକରୁ ଏଠାକୁ ଆସୁଥିବା ସବୁ ଲୋକଙ୍କର ସଠିକ୍ ଡ଼ାଟା ନିଶ୍ଚୟ ଜାଣି ପାରୁଥିବ । ମୋ ମନରେ ଉଠୁଥିବା ପ୍ରଶ୍ନଟି ହେଲା ସମସ୍ତେ କଣ କରୋନା କାରଣରୁ ହିଁ ମୃତ୍ଯୁ ବରଣକରି ଏଠାକୁ ଆସୁଛନ୍ତି ? "


ଚିତ୍ରଗୁପ୍ତ ଅବିଳମ୍ବେ କହିଲେ, " କରୋନା ଯେତିକି ମାରୁନାହିଁ ତା' ଠାରୁ ଅଧିକ କରୋନା ହେବାପରେ ଭୟରେ ଲୋକଗୁଡା ମରିଯାଉଛନ୍ତି । ଅଧିକାଂଶ ତ ହାର୍ଟ ଫେଲ୍ କରିଯିବା କାରଣରୁ ମରୁଛନ୍ତି । କରୋନାର ପ୍ରଥମ ଲହରରେ ବୟସ୍କମାନେ ବେଶି ମରୁଥିଲେ, ଏଥର ଏ ଦ୍ୱିତୀୟ ଲହରରେ ବୟସ୍କଙ୍କ ସହିତ ଯୁବବର୍ଗର ନରନରୀ ମାନେ ମଧ୍ୟ ବହୁସଂଖ୍ୟାରେ ଏଠାକୁ ଆସୁଛନ୍ତି । କିଛି ଲୋକ ତ କରୋନା ହୋଇ ଛାଡିଯିବା ପରେ ମଧ୍ୟ ତା' ପ୍ରକୋପରେ ସେମାନଙ୍କ ଶରୀରରେ ପୂର୍ବରୁ ଥିବା ବିଭିନ୍ନ ରୋଗ ଏମିତିକା ରୂପଧାରଣ କରୁଛି ଯେଉଁଥି ପାଇଁ ସେମାନେ ଧରାପୃଷ୍ଠ ଛାଡିବାକୁ ବାଧ୍ୟ ହେଉଛନ୍ତି ।"


ଯମରାଜ ପୁଣି ପଚାରିଲେ, " ତମେପରା ଦୁଇଦିନ ତଳେ କହୁଥିଲ ଶତକଡ଼ା ୯୭ ପ୍ରତିଶତ ଲୋକ କରୋନାରେ ଆକ୍ରାନ୍ତ ହୋଇ ଭଲ ହେଉଛନ୍ତି ବୋଲି, ତା'ହେଲେ ଲୋକ ଏମିତି ଡରୁଛନ୍ତି କାହିଁକି ? ଏହି ଡ଼ରିବା କାରଣରୁ ତ ହାର୍ଟ ଫେଲ୍ ହଉଛି । "


ଚିତ୍ରଗୁପ୍ତ କାମରେ ଏତେ ବ୍ୟସ୍ତ ଥିଲେ ଯେ, ନିଜ ବସ୍ ଙ୍କ ଆଡକୁ ବିନା ଦୃଷ୍ଟିକ୍ଷେପ କରି କହିଲେ ," ଲୋକ ମାନେ ଏହି ରୋଗକୁ ଡ଼ରିବାର ବହୁତ କାରଣ ଅଛି ଆଜ୍ଞା । ପ୍ରଥମରୁ ଅର୍ଥାତ୍ କରୋନାର ପ୍ରଥମ ଲହରରୁ ଲୋକମାନେ ଜାଣିଲେ ଯେ, ଏହା ଜଣଙ୍କ ପାଖରୁ ଅନ୍ୟମାନଙ୍କ ପାଖକୁ ଭୁଶ୍ ଭାଶ୍ କରି ଚାଲି ଆସୁଛି । ରାଜ୍ୟରେ ଯଦି ଗୋଟେ ରୋଗୀ ବାହାରିଲା, ସଙ୍ଗେ ସଙ୍ଗେ ସାରା ରାଜ୍ୟରେ ସଟଡାଉନ୍ କରିଦିଆଗଲା ଏବଂ ଏହି ରୋଗର ଭୟାବହତାକୁ ସବୁବେଳେ ପ୍ରଚାର ପ୍ରସାର କରାଗଲା । ସେତେବେଳେ ଜଣେ ରୋଗୀ ଚିହ୍ନଟ ହେଲାମାନେ ସରକାରଙ୍କ ତରଫରୁ ତାଙ୍କୁ କୋଭିଡ୍ ହସ୍ପିଟଲ୍ ରେ ଭର୍ତ୍ତି କରାଯାଉଥିଲା । ପରିବାର ଲୋକମାନେ ରୋଗୀ ସହିତ ଆଉ ସାକ୍ଷାତ କରିବା ସମ୍ଭବ ହେଉ ନଥିଲା । ରୋଗୀକୁ ସାଙ୍ଗରେ ମଧ୍ୟ ମୋବାଇଲ୍ ରଖିବାକୁ ଆଲ୍ଲାଉ କରାଯାଉନଥିଲା । ରୋଗୀଟି ସମ୍ପୂର୍ଣ୍ଣ ସୁସ୍ଥହେବା ପରେ ଘରକୁ ଫରୁଥିଲା । ଯଦି ଚିକିତ୍ସିତ ଅବସ୍ଥାରେ ପ୍ରାଣତ୍ଯାଗ କଲା, ତେବେ ସରକାର ପରିବାରକୁ କେବଳ ଖବର ଜଣାଇଦେଇ ଶବକୁ ଦାହ କରିଦେଉଥିଲେ । ସେ ପ୍ରଥମ ଲହରରେ ପ୍ରାୟ ସରକାରମାନେ ରୋଗୀମାନଙ୍କର ଚିକିତ୍ସାର ସମସ୍ତ ଖର୍ଚ ବହନ କରୁଥିଲେ । ସେତେବେଳେ ଲୋକମାନେ ଯେତେବେଳେ କୋଭିଡ୍ ରେ ଚିହ୍ନଟ ହେଉଥିଲେ ମନ ଭିତରେ ଘରଛାଡି ଯିବା ସହିତ ପରିବାର ପରିଜନଙ୍କ ମୁହଁ ଆଉ ଦେଖି ହେବନି, ସେଠି କୋଭିଡ୍ ହସ୍ପିଟଲ୍ ରେ ଠିକ୍ ଭାବରେ ଚିକିତ୍ସା ହେବ କି ନାହିଁ ? ସେଠୁ ବଞ୍ଚିକି ଆସିବା ସମ୍ଭବ ତ ?? ଏମିତି ବହୁ ପ୍ରଶ୍ନ ମନରେ ଉଠୁଥିଲା ଏବଂ ରୋଗୀ ପୁରା ଭୟଭିତ ହୋଇ ରହୁଥିଲା । "


" ଆଛା ଏ ଦ୍ୱିତୀୟ ଲହର କାଳରେ ଲୋକମାନେ ଘରେ ଆଇସୋଲେସନରେ ରହି ଚିକିତ୍ସିତ ହୋଇପାରିବେ ବୋଲି ସରକାର କୁଆଡେ ନିୟମ କରିଛନ୍ତି ? " ଯମରାଜ ଚିତ୍ରଗୁପ୍ତଠାରୁ ଆଉ କିଛି ତଥ୍ୟ ହାସଲ୍ କରିବା ଚକ୍କରରେ ପୁଣି ଏମିତି ପ୍ରଶ୍ନଟିଏ ପଚାରିଦେଲେ ।


ଚିତ୍ରଗୁପ୍ତ ପ୍ରଶ୍ନ ଶୁଣୁ ଶୁଣୁ କହିଲେ, ' ଏ ପ୍ରଶ୍ନର ଉତ୍ତର ସଂକ୍ଷଯରେ ଦେଇ ହେବନି । ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ଖୁବ୍ ଭୟଙ୍କର । ଭାରତରେ ଏଇ ଦ୍ୱତୀୟ ଲହର ସବୁଠାରୁ ବେଶି କରାଳ ରୂପ ଏଯାଏ ଦେଖାଇ ଚାଲିଛି । ପୃଥିବୀ ପୃଷ୍ଠରେ ଭାରତର ଏବେ ଚାଲିଥିବା କୋଭିଡକୁ ଡେଲଟା ଭାରିଆଣ୍ଟ୍ କୁହାଯାଉଛି । ଏମିତି ଭୟଙ୍କର ପରିସ୍ଥିତି ପାଇଁ ସେଠିକା ସରକାର ସହିତ କିଛି ଅମାନିଆ ଲୋକମାନେ ମଧ୍ୟ ଦାୟୀ । ପ୍ରଥମରୁ ସେଠିକାର କେନ୍ଦ୍ର ସରକାର ଯେତିକି ପଦକ୍ଷେପ ନେବା କଥା ନେଲେ ନାହିଁ ଫଳରେ ସାରା ଦେଶରେ ଏହା ବ୍ୟାପିଗଲା । କିଛି ଦିନ ପରା ଦୈନିକ ୪ ଲକ୍ଷ ଉପରେ ଲୋକମାନେ ସଂକ୍ରମଣ ହେବାର ଖବର ଆସୁଥିଲା । ପରେ ଅବଶ୍ୟ ସରକାରଙ୍କ ଚେତା ପଶିଲା ଏବଂ ଉପଯୁକ୍ତ ପଦକ୍ଷେପ ନେବାରୁ ଏବେ ଦୈନିକ ଏହି ସଂଖା ଏକ ଲକ୍ଷ ଭିତରେ ରହୁଛି ।


  ଦେଶରେ କରୋନାର ସଂଖ୍ୟା ଅତ୍ୟଧିକ ବଢୁଥିବାରୁ ଅଳ୍ପ ଲକ୍ଷଣ ବିଶିଷ୍ଟ କରୋନା ଆକ୍ରାନ୍ତମାନେ ଘରେ ରହି ଚିକିତ୍ସିତ ହୋଇପାରିବେ ବୋଲି ନିଷ୍ପତି ନେଲେ । ଏଇ ଭିତରେ କିଛି ଆକ୍ରାନ୍ତଙ୍କର ନିଶ୍ବାସ ନେବାରେ ଅସୁବିଧା ହେତୁ ମେଡିକାଲରେ ଭର୍ତ୍ତି ହେଲେ । ହଠାତ୍ କିନା ରୋଗୀ ସଂଖ୍ୟା ବଢିଯିବାରୁ ମେଡିକାଲରେ ଥିବା ଅକ୍ସିଜେନ୍ ସରିଯିବା କାରଣରୁ ବିଭିନ୍ନ ଯାଗାରେ କିଛି ରୋଗୀ ମୃତ୍ଯୁ ମୁଖରେ ପଡିଲେ । ଏସବୁକଥା ସାଧାରଣ ଲୋକମାନେ ଶୁଣି ମନରେ ଭିତରେ ଆହେତୁକ ଭୟଧରି ରହିଲେ । ତା'ପରେ ଆଉ କିଛି ଘଟଣା ଲୋକମାନଙ୍କୁ ପୁରା ଆତଙ୍କିତ କରି ରଖିଲା । କରୋନାରେ ଗୁରୁତର ହୋଇ କିଛି ରୋଗୀ ସରକାରୀ ଡାକ୍ତରଖାନାରେ ପ୍ରର୍ଯ୍ୟାପ୍ତ ସୁବିଧା ମିଳିବ ନାହିଁ ବୋଲି ଚିନ୍ତାକରି ପ୍ରାଇଭେଟ୍ ହସ୍ପିଟଲ୍ ରେ ରହି ଚିକିତ୍ସିତ ହେବାକୁ ଉଚିତ୍ ମଣିଲେ । ପ୍ରଥମ ଲହରରେ ସବୁ ରୋଗୀଙ୍କୁ ସରକାର ମାଗଣା ଚିକିତ୍ସା ଯୋଗାଇଥିବା ବେଳେ ଦ୍ୱିତୀୟ ଲହରରେ ରୋଗୀଙ୍କ ସଂଖ୍ୟାରେ ଆଶାତୀତ ବୃଦ୍ଧି ପାଇବା ହେତୁ ଯିଏ ଚାହିଁବ ପ୍ରାଇଭେଟ୍ ହସ୍ପିଟଲ୍ ରେ ରହି ଚିକିତ୍ସିତ ହୋଇପାରିବେ ବୋଲି ଅନୁମତି ଦେଇଦେଲେ । ଯେଉଁମାନେ ପୁରା ଗରିବ ଶ୍ରେଣୀର ସେମାନେ ଗୁରୁତର ହେଲେ ମଧ୍ୟ ପ୍ରାଇଭେଟ୍ ହସ୍ପିଟଲ୍ ରେ ଚିକିତ୍ସା ଫି ଦେଇ କସ୍ମିନ୍କାଳେ ଚିକିତ୍ସିତ ହୋଇପାରିବେନି ଜାଣି ସରକାରଙ୍କ ଦ୍ୱାରା ପରିଚାଳିତ ହସ୍ପିଟଲ୍ ରେ ରହି ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି ।


ସମସ୍ତ ଧନିକ ଶ୍ରେଣୀର ଲୋକଙ୍କ ସହିତ କିଛି ନିମ୍ନ ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ ରୋଗୀ ଭଲ ଚିକିତ୍ସା ଆଶାରେ ପ୍ରାଇଭେଟ୍ ହସ୍ପିଟଲ୍ ରେ ଆଡମିଶନ ହେବାକୁ ଉଚିତ୍ ମଣୁଛନ୍ତି । ସେଠି ରହି ଚିକିତ୍ସିତ ହେଉଥିବା ଲୋକମାନଙ୍କ ଭିତରୁ କିଛି ମୋଟା ଅଙ୍କର ହସ୍ପିଟଲ୍ ଫି ଦେଇ ଭଲ ହେଉଛନ୍ତି ତ ଆଉ କିଛି ରୋଗୀଙ୍କ ଦେହାନ୍ତ ହେଇଯାଉଛି । ଦେହାନ୍ତ ହେଇଯାଉଥିବା ରୋଗୀଙ୍କ ସମ୍ପର୍କୀୟ ମାନେ କିଛି ପ୍ରାଇଭେଟ୍ ହସ୍ପିଟଲ୍ ସମ୍ମୁଖରେ କାନ୍ଦି କାନ୍ଦି କିପରି ଜମିବାଡି ବିକି ୬ ଲକ୍ଷ ବା ୧୦ ଲକ୍ଷ ମେଡିକାଲ୍ ବିଲ୍ ଦେବାପରେ ବି ରୋଗୀକୁ ଠିକ୍ ଚିକିତ୍ସା ନଦେଇ ସେ ଘରୋଇ ହସ୍ପିଟଲ୍ ବାଲା ମାରିଦେଲେ ବୋଲି ଅଭିଯୋଗ କରୁଥିବାର ଦେଖାଯାଉଛି । ଏସବୁ ଘଟଣା ଦେଖି ସେଠାକାର ବୁଦ୍ଧିଜୀବୀମାନେ ସରକାର ପ୍ରାଇଭେଟ୍ ହସ୍ପିଟଲ୍ ରେ ରହି ଚିକିତ୍ସିତ ହେଉଥିବା ରୋଗୀମାନଙ୍କର ସୁବିଧାପାଇଁ ଖର୍ଚର ଗୋଟେ ସିଲିଂ ଧାର୍ଯ୍ୟ କରନ୍ତୁ ବୋଲି ଦାବି କଲେଣି । ମନଇଛା ମେଡିକାଲ୍ ବିଲ୍ କରି ରୋଗୀଙ୍କୁ ଯେପରି ଶୋଷଣ ନକରନ୍ତି ତାକୁ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତଦାରଖ କରନ୍ତୁ । ଆଉ କିଛି କେସ୍ ରେ ୧୦ ରୁ ୧୫ ଲକ୍ଷ ଖର୍ଚ କରିସାରିବାପରେ ମଧ୍ୟ ରୋଗୀର ଫୁସ୍ ଫୁସ୍ ଅଫେକ୍ଟ୍ ହେଉଥିବାରୁ ଯେଉଁଠି ଏକମୋ ଚିକିତ୍ସା ସୁବିଧାଥିବ ସେଠାକୁ ନ ନଲେ ମୃତ୍ଯୁ ସୁନିଶ୍ଚିତ ବୋଲି ପ୍ରାଇଭେଟ୍ ହସ୍ପିଟଲ୍ ବାଲା ରୋଗୀର ସମ୍ପର୍କୀୟଙ୍କୁ କହୁଛନ୍ତି । କେତେ ଖର୍ଚ ହେବ ପଚାରିଲେ ୧ କୋଟିରୁ ୨ କୋଟି ଟଙ୍କା ଲାଗିବ ବୋଲି ଶୁଣି ସମ୍ପର୍କୀୟମାନେ ମୁଣ୍ତରେ ହାତଦେଇ ବସୁଛନ୍ତି । ଏଇ ନିକଟରେ ଓଡ଼ିଶାରେ ଏମିତି କିଛି କେସ୍ ସାମ୍ନାକୁ ଆସିଛି, ଯେଉଁଠି ସମ୍ପର୍କୀୟମାନେ ସାମଜିକ ଗଣମାଧ୍ୟମର ସାହାଯ୍ୟନେଇ ଟଙ୍କା ଯୋଗାଡକରି ଅନ୍ୟରାଜ୍ୟକୁ ରୋଗୀକୁ ନେଇ ଏକମୋ ଚିକିତ୍ସା କରୁଛନ୍ତି । ଏକମୋ ଚିକିତ୍ସାପାଇଁ ରୋଗୀ ଅନ୍ୟରାଜ୍ୟକୁ ସ୍ଥାନାନ୍ତରିତ ହେବାବେଳେ ବିଭିନ୍ନ ନିଉଜ୍ ଚ୍ୟାନେଲ୍ ସହିତ ଖବରକାଗଜ ମାନେ ଯେପରି ଭାବରେ ସେଇ ଘଟଣାକୁ ବର୍ଣ୍ଣନା କରୁଛନ୍ତି ତାହା ଶୁଣି ଘରେ ଆଇସୋଲେସନରେ ଥିବା କରୋନା ରୋଗୀ ଓ ଅନ୍ୟମାନେ ଯେଉଁମାନେ କାଳେ କରୋନା ଭବିଷ୍ଯତରେ ହେବ ଭାବି ଯାହାକୁ କୁହନ୍ତି ପୁରା ଭୟଭିତ ହୋଇ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି । ସେମାନେ ଭାବୁଛନ୍ତି ଏମିତି ଅବସ୍ଥା ଆମର ହେଲେ କଣ କରିବୁ ? ଏମିତି ଅବସ୍ଥା ଆମର ଆଗକୁ ନହେବ କଣ ଗ୍ୟାରେଣ୍ଟି ଅଛି ? କିଛି ନିଉଜ୍ ଚ୍ୟାନେଲ୍ ଏମିତିସବୁ ବର୍ଣ୍ଣନା କରୁଛନ୍ତି


- " ବାଟଛାଡ ରୋଗୀ ଯିବ ରାଜ୍ୟ ବାହାରକୁ " , ହେଇ ବର୍ତ୍ତମାନ ରୋଗୀ ଅମକ ପ୍ରାଇଭେଟ୍ ହସ୍ପିଟଲ୍ ରୁ ବାହାରି ଏୟାରପୋର୍ଟ ଅଭିମୁଖେ ଯାତ୍ରାକରିବ , ଆମ ସାମ୍ୱାଦିକ ଲାଇଭ୍ କଭରେଜ୍ ଦେବାକୁ ସେଠି ପୁରା ରେଡ୍ଡି ହୋଇ ଅଛନ୍ତି । " ହେଇ ବର୍ତ୍ତମାନ ଗ୍ରୀନ୍ କରିଡର୍ ରେ ପୁଲିସ୍ ପ୍ରୋଟେକସନ୍ ରେ ମାତ୍ର ୧୦ ମିନିଟ୍ ରେ ରେଗୀ ଏୟାରଲିଫ୍ଟ୍ ହେବାକୁ ଏରୋଡ୍ରମରେ ପହଞ୍ଚିଗଲାଣି "


, ଗତ ୨୪ ଘଣ୍ଟା ମଧ୍ୟରେ ବହୁ ଲୋକଙ୍କ ଆର୍ଥିକ ସାହାଯ୍ୟ ବଳରେ ୪୦ ଲକ୍ଷ ଟଙ୍କା ଯୋଗାଡ ହେବାରୁ ଏୟାରଲିଫ୍ଟ୍ କରି ରୋଗୀକୁ ଅନ୍ୟରାଜ୍ୟକୁ ନେବାକୁ ପରିବାର ଲୋକଙ୍କ ସଜବାଜ " ଆଉ ରୋଗୀ ଆମ୍ୱୁଲାନ୍ସ୍ ରେ ଯାଉଥିବା ବେଳେ ତା' ଫଛରେ ବିଭିନ୍ନ ଚ୍ୟାନେଲ୍ ର ସମ୍ୱାଦିକମାନେ କାର୍ ଦୌଡ଼ାଇ ଲାଇଭ୍ କଭରେଜ କରିବାକୁ ଯେଉଁ ଭଳି ପ୍ରତିଯୋଗିତା କରୁଛନ୍ତି ଇତ୍ୟାଦି ଇତ୍ୟାଦି ଘଟଣା ସବୁ ଦେଖିଦେଖି ଓ ଶୁଣିଶୁଣି ସାଧାରଣ ଲୋକମାନେ ପୁରା ଡରିମରି ରହୁଛନ୍ତି । ସବୁଲୋକ ଏସବୁ ଘଟଣା ଦେଖି ଭାବୁଛନ୍ତି ଆମର ସେମିତି ହେଲେ ଆମେ କରିବୁ କଣ ? ଏବେ ଲୋକମାନେ ଏକମୋ ଚିକିତ୍ସାର ସମସ୍ତ ଖର୍ଚ ରାଜ୍ୟ ସରକାର ବହନ କରନ୍ତୁ ଅଥବା ସେ ଚିକିତ୍ସା ସମସ୍ତ ସରକାରୀ ଡାକ୍ତରଖାନାରେ ଉପଲବ୍ଧ କରାନ୍ତୁ ବୋଲି ଦାବି ଉଠାଇଲାଣି । ମାତ୍ର କେଇଦିନ ତଳେ ଜଣେ ପ୍ରଖ୍ଯାତ ନାରୀ ଚିକିତ୍ସକ ( ଡ଼. ପ୍ରଭାତ ନଳିନୀ ମହାନ୍ତି ) କରୋନା ପରେ କିଛି ଲୋକଙ୍କ ଫୁସ୍ ଫୁସ୍ କାହିଁକି ଏମିତି ଆଫେକ୍ଟ୍ ହେଉଛି ସେଥିପାଇଁ ମୃତ୍ଯୁ ବରଣ କରୁଥିବା କରୋନା ରୋଗୀକୁ ସଙ୍ଗେସଙ୍ଗେ ନ ପୋଡି ତାଙ୍କ ଶବକୁ ମେଡିକାଲ ସାଇନ୍ସର ସାହାଯ୍ୟରେ ଭଲକରି ପରୀକ୍ଷା ନିରୀକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ମତାମତ ଦେଇଥିଲେ । ସେ ନାରୀ ଚିକିତ୍ସକ ଏକଥା ଟୁଇଟ୍ କରି ଉଠାଇବାର ମାତ୍ର ୪ ଦିନ ପରେ କରୋନାରେ ଆକ୍ରାନ୍ତ ହୋଇ ଗୋଟେ ପ୍ରାଇଭେଟ୍ ହସ୍ପିଟଲ୍ ରେ ମୃତ୍ଯୁ ବରଣ କଲେ । ତେବେ ସେ ଯେଉଁକଥା ଉଠାଇଛନ୍ତି ତାହା ଉପରେ ଅଧିକ ବିଚାର ଆଲୋଚନା ହେବା ନିହାତି ଦରକାର ବୋଲି ସେଠାରେ ଜନମତ ପ୍ରକାଶ ପାଉଛି । "


ଯମରାଜ ଏସବୁ ତଥ୍ୟ ଚିତ୍ରଗୁପ୍ତଙ୍କ ଠାରୁ ପାଇ ନିଜକୁ ଅପଡେଟ୍ କରିଦେଲେ ବୋଲି ଭାବି କିଛି ମାତ୍ରାରେ ପ୍ରୀତ ହୋଇଗଲେ । ତଥାପି ଆଉ କିଛି ତଥ୍ୟ କାଳେ ବାକି ରହିଥିବ ବୋଲି କିଛି ସମୟ ଚିନ୍ତାକଲେ । ସେଇ ଭିତରେ ତାଙ୍କ ମୁଣ୍ତରେ ଗୋଟେ ଅଦ୍ଭୁତ କଥା ପଶିଗଲା । ସେଇ ବିଷୟରେ ବୁଝିବା ଉଦ୍ଦେଶ୍ୟରେ ପଚାରିଲେ ," ପ୍ରଥମ ଲହରରେ କରୋନା ଆକ୍ରାନ୍ତ ହୋଇଥିବା ଲୋକ ପୁଣ କଣ ଦ୍ୱିତୀୟ ଲହରରେ ସେଥିରେ ଆକ୍ରାନ୍ତ ହେଉଛନ୍ତି ? "


ଚିତ୍ରଗୁପ୍ତ ନିଜର କାର୍ଯ୍ୟ ଜାରି ରଖି କହିଲେ, " ହଁ ହଁ ! ବହୁତ କେସ୍ ସେମିତି ଘଟୁଛି । ସେମାନଙ୍କ ଭିତରୁ କିଛି ଆମ ପାଖକୁ ଚାଲି ଆସିଛନ୍ତି ତ ଆଉ କିଛି ପୁରା ଭଲ ହୋଇଥିବା ବେଳେ ଆଉ କେଇଜଣ ଏବେ ବି ମେଡିକାଲ୍ ରେ ଜୀବନ ବଞ୍ଚାଇବାକୁ ସଂଗ୍ରାମ ଜାରି ରଖିଛନ୍ତି । କିଛି ଲୋକ ତ ଜାଣି ନାହାନ୍ତି ତାଙ୍କୁ ଦୁଇଥର ଯାକ କରୋନା ହୋଇ ଭଲ ହୋଇଯାଇଛି ବୋଲି । ଆଉ କିଛି ଭାବୁଛନ୍ତି ତାଙ୍କୁ ବୋଧହୁଏ କରୋନା ହୋଇଥିଲା ଆଉ ସେଥି ପାଇଁ ସତର୍କ ହୋଇ ଚଳୁଛନ୍ତି । ତା' ମାନେ ସେମାନେ ଡାକ୍ତର ଖାନା ଯାଇ ଆଦୌ ପରୀକ୍ଷା କରିନାହାନ୍ତି ଅଥଚ କରୋନାରେ ଆକ୍ରାନ୍ତ ହୋଇ ଭଲ ହୋଇଛନ୍ତି । ଏଇ କାଟେଗୋରୀରେ ଆସୁଥିବା ଗୋଟେ ଲୋକ ମୋ ନଜରରେ ପଡିଥିଲା । ପ୍ରଥମ ଲହରରେ ଆକ୍ରାନ୍ତ ହୋଇ ଜାଣି ସୁଦ୍ଧା ସ୍ୱାବ୍ ପରୀକ୍ଷା କରିବାପାଇଁ ମେଡିକାଲ୍ ନ ଯାଇ ଘରେ ରହି ଅନ୍ଧାଧୁନିଆ ଔଷଧ ଖାଇ ଭଲ ହୋଇଗଲା । ସେତେବେଳେ କରୋନାକୁ ପ୍ରତିହତ କରିବାକୁ ଲୋକମାନଙ୍କ ଭିତରେ ସଚେତନ ସୃଷ୍ଟି କରିବାକୁ କିଛି କିଛି ଲେଖା ଲେଖି କରିବା ସହିତ ପ୍ରେମ କବିତା ସବୁ ଫେସବୁକ୍ ରେ ପୋଷ୍ଟ କରୁଥିଲା । ଏଥର ଦ୍ୱିତୀୟ ଲହରରେ ବି ଆକ୍ରାନ୍ତ ହୋଇ ଘରେ ରହି ଅଦ୍ଭୁତ ଅଦ୍ଭୁତ କାମସବୁ କରିଚାଲିଛି । ଏଥର ପୂର୍ବପରି ପ୍ରେମ କବିତା ନ ଲେଖିଲେ ବି କରୋନା ଉପରେ ଲୋକଙ୍କୁ ସଚେତନ କରିବାକୁ ଲେଖାମାନ ଲେଖି ଫେସବୁକ୍ ରେ ପୋଷ୍ଟକରିଚାଲିଛି । ପ୍ରାୟ ମାସେ ତଳେ " ଟୀକା କରଣ " ନାମରେ ଏକ ଲେଖା ଲେଖିଥିବା ବେଳେ ତା'ପରେ " ସଟଡାଉନ୍ ମଟନ୍ କଷା " ନାମରେ ଅମାନିଆ ମାନଙ୍କୁ ସଚେତନ କରିବା ଲକ୍ଷରେ ଲେଖା ଲେଖିଥିଲା । ଏଇ ଗତ ସପ୍ତାହରେ " ଏକମୋ " ଚିକିତ୍ସାକୁ ଜଡିତକରି ଗୋଟେ ଲେଖା ଲେଖିଥିବା ବେଳେ ଭାରତରେ କରୋନାକୁ ନେଇ ବର୍ତ୍ତମାନ ଆମେ ଯେଉଁ ଆଲୋଚନା କରୁଚେ, ତାକୁ ମଧ୍ୟ ସେ ଲିପିବଦ୍ଧ କରି ପ୍ରକାଶକରିବା ଚକ୍କରରେ ଅଛି ।"


ଯମରାଜ ଘରକୁ ଯିବାଯିବା ହେଉଥିଲେ କିନ୍ତୁ ଅଦ୍ଭୁତ କାମ କଣ ସବୁ ସେ ଲୋକ କରିଛି ତାକୁ ଶୁଣିବା ପାଇଁ ଆଗ୍ରହାନ୍ବିତ ହୋଇ ଚିତ୍ରଗୁପ୍ତକୁ ପଚାରିଲେ, " ଏଇ ଦ୍ୱିତୀୟ ଲହରରେ ସେ ଲୋକ କଣ ସବୁ ଅଦ୍ଭୁତ କାମ କଲା ? "


ଚିତ୍ରଗୁପ୍ତ କହିଲେ, " ଲୋକଟା ପ୍ରଥମେ ଭାବିଲା ତାକୁ ଯେହେତୁ ପୂର୍ବରୁ କରୋନା ହୋଇଛି ଆଉ କରୋନା ତା' ପାଖ ମାଡିବାର ଚାନ୍ସ୍ ନାହିଁ । ଏଣେ ଟୀକା ନେଲେ କାଟିବ ବୋଲି ଭାବି ( ନିଡିଲ୍ ଫୋବିଆ ) ୪୫ ବର୍ଷରୁ ଉର୍ଦ୍ଧ୍ବ ହୋଇଥିଲେ ବି ଟୀକା ନେଲାନାହିଁ । ଘରଲୋକଙ୍କ ସହିତ ବାହାରଲୋକ ଯେତେ କହିଲେ ବି ବିଭିନ୍ନ ଆଳ ଦେଖାଇ ଟୀକା ନେବାକୁ ଘୁଞ୍ଚାଇ ଚାଲିଲା । କିନ୍ତୁ ଯେତେବେଳେ କରୋନାର ୨ୟ ଲହର ଭାରତରେ କାୟା ବିସ୍ତାର କରି ଅତଙ୍କ ସୃଷ୍ଟି କଲା ,ସେତେବେଳେ ବହୁଲୋକ ଟୀକା ନେବାକୁ ଆଗଭର ହୋଇ ସ୍ଲଟ୍ ବୁକ୍ କରିବା ଆରମ୍ଭକଲେ । ଏଣେ ପରୀକ୍ଷଣରୁ ଜଣା ପଡିଲା ଯେ, ପୂର୍ବରୁ କରୋନା ହୋଇଥିଲେ ବି ଦ୍ୱିତୀୟ ଲହରରେ ପୁଣି କରୋନା ହେବାର ଚାନ୍ସ୍ ଅଧିକ । ସେ ଲୋକ ଯେମିତି ଏତିକି ଜାଣିଲା ଜୀବନ ବିକଳରେ ଟୀକା ନେବାକୁ ସ୍ଲଟ୍ ବୁକ୍ କରିଦେଲା । କିନ୍ତୁ ସେଇ ସମୟରେ ଏତେ ମାତ୍ରାରେ ଲୋକ ଟୀକା ନେବାକୁ ଆଗେଇ ଆସିଲେ ଏବଂ ତା' ସହିତ ୧୯ ବର୍ଷରୁ ୪୪ ବର୍ଷ ବୟସର ଲୋକମାନଙ୍କୁ ଟୀକା କରଣ କରିବାକୁ ନିଷ୍ପତି ହେବା ଦ୍ୱାରା ଟୀକାର ଘୋର ଅଭାବ ଭାରତରେ ପରିଲକ୍ଷିତ ହେଲା ଏବଂ ସେ ଲୋକ ଟୀକା ନେବାକୁ ଯେଉଁ ସ୍ଲଟ୍ ବୁକ୍ କରିଥିଲା,ତାକୁ ସରକାର କ୍ୟାନସେଲ୍ କରିଦେଇ ପରେ ସ୍ଲଟ୍ ବୁକ୍ କରି ଟୀକା ନେବାକୁ ମେସେଜ୍ ପଠାଇଲେ । ଆଉ ତା' ପରେ ପରେ ଏ ଲୋକକୁ କରୋନା ହୋଇଗଲା ବୋଲି ଭାବି ସେ ଆଉ ଟୀକା ନେବାକୁ ସ୍ଲଟ୍ ବୁକ୍ କଲା ନାହିଁ । କରୋନାକୁ ସଠିକ୍ ଢଙ୍ଗରେ ମୁକାବିଲା କରିବାକୁ ଘରେ ଗୋଟେ ମିନି ମେଡିସିନ୍ ଷ୍ଟୋର୍ ଖଲିଦେଲା । କିନ୍ତୁ ଗତଥର ଭଳି ଏଥର ମଧ୍ୟ ତା' ଘରଲୋକ ଅର୍ଥାତ୍ ସ୍ତ୍ରୀ କି ପୁଅ କେହି ତାକୁ କରୋନା ହୋଇଛି ବୋଲି ବିଶ୍ୱାସ କରୁନଥାନ୍ତି । ଏକାଠି ରହୁଥିବାରୁ ସମସ୍ତଙ୍କୁ ଥଣ୍ତା ଏକାସାଙ୍ଗରେ ଆରମ୍ଭ ହୋଇଥିଲା ଏବଂ ସେ ଦୁଇଜଣଙ୍କର ଅଧିକ ଅଣ୍ଟିବଡି ଥିବାହେତୁ ବୋଧହୁଏ ମାତ୍ର ୩ ଦିନ ଭିତରେ ଅଳ୍ପକିଛି ମେଡିସିନ୍ ରେ ଥଣ୍ତା ଛାଡିଗଲା । କିନ୍ତୁ ଏ ଲୋକକୁ ଥଣ୍ତା ଛାଡିଲା ନାହିଁ ବରଂ ତଣ୍ଟିରେ କଫ ଜମିବା ଆରମ୍ଭକରିବା ସହିତ ଅଳ୍ପ ଅଳ୍ପ ଅଣନିଶ୍ବାସି ଲାଗିଲା । ଜୀବନ ବିକଳରେ ନିକଟରେ ଥିବା ଏକ ମେଡିସିନ୍ ଷ୍ଟୋରରୁ ତିନି ହଜାର ଟଙ୍କା ଦେଇ ବ୍ଲାକ୍ ରେ ଅକ୍ସିମିଟର୍ କିଣି ପକାଇଲା । ଦିନକୁ ନିହାତି କମ୍ ରେ ୬ ଥର ଲେଖା ଅକ୍ସିଜେନ୍ ସ୍ତରକୁ ମାପୁଥାଏ । ମନେମନେ ନିଷ୍ପତି ନେଇସାରିଥାଏ ୯୫ ତଳକୁ ଅକ୍ସିଜେନ୍ ସ୍ତର ଆସିଲେ ମେଡିକାଲକୁ ଯିବ ନଚେତ୍ ଏମିତି ଘରେ ରହି କରୋନା ସହିତ ଲଢିବ । କରୋନା ଭାରତରେ ରଚୁଥିବା ତାଣ୍ତବକୁ ଦେଖି ସମୟେ ସମୟେ ମନ ଭିତରେ ଭୟଭାବ ଆସୁଥିବା ବେଳେ ପୁଣି ମନକୁ ଦୃଢ଼ କରି କରୋନା ସମୟରେ ଓ ପରେ କଣ ସବୁ ଖାଦ୍ୟ ଖାଇବା ଠିକ୍ ହେବ ତା'ର ଗୋଟେ ଲିଷ୍ଟ ରେଡ୍ଡି କରି ସେଇ ମର୍ମରେ ଖାଦ୍ୟ ଖାଇବା ଆରମ୍ଭକଲା । ଦିନକୁ ବିଭିନ୍ନ ସମୟରେ ୩ ଥର କାଡା କରି ପିଇ ଚାଲିଥାଏ । କାଡା କରିବାର ସଠିକ୍ ତରିକା ତା' କଲେଜ ସାଂଗ ସଂଘମିତ୍ରା ମହାଂତି ତା' ସ୍ତ୍ରୀକୁ ବୁଝାଇ କହିଥିଲା । ଠିକ୍ ସେଇ ସମୟରେ ଦିନେ ତା'ର ଆଉ ଜଣେ କଲେଜ ସାଂଗ ଉଷାରାଣୀ ସାହୁ ଫୋନ୍ କରି କେମିତି କଣ ସବୁ ଚାଲିଛି ବୁଝିଲା । ଏ ଲୋକ ତାକୁ କେମିତି ଥଣ୍ତା ହେବା ସହିତ କଫ ହୋଇଛି କହିବାରୁ ସେ କହିଲା, ପ୍ରତିଦିନ ସକାଳୁ ୨୦ ଗ୍ରାମ ଭଜା ଜୁଆଁଣି ପାଟିରେ ପକାଇ ଚୋବାଇ ଚୋବାଇ ପାଣି ପିଇ ଦେଲେ କେଇଦିନ ଭିତରେ ଥଣ୍ତା କଫ କୁଆଡେ ପଳାଇବ । ସବୁବେଳେ ନଖ ଉଷୁମ ପାଣି ପିଇବା ସହିତ ଦିନକୁ ମାତ୍ର ଥରେ ଗୋଟେ କପ୍ ପାଣିକୁ ପୁରା ଫୁଟାଇ ସେଇ ଗରମ ଥିବା ଅବସ୍ଥାରେ ସେଥିରେ ଗୋଟେ ଲେମ୍ୱୁ ଚିପୁଡି ପିଇବାକୁ କହିଲା । ଦିନକୁ ନିହାତି ତିନିଥର ଗରମପାଣିରେ ଲୁଣ ହଳଦୀ ପକାଇ ଗାର୍ଗେଲିଙ୍ଗ୍ କଲେ ତଣ୍ଟି ପାଖରେ କଫ ଆଦୌ ବସିବ ନାହିଁ କି ଫୁସ୍ ଫୁସ୍ କୁ କଫ ଯିବ ନାହିଁ । ତା' କଥା ମୁତାବକ ଏ ଲୋକ ସେସବୁ କଥାକୁ ଅକ୍ଷରେ ଅକ୍ଷରେ ପାଳନ କଲା ।


ଆଉଦିନେ ପ୍ରାଧ୍ୟାପକ ଦୁର୍ଗାପ୍ରସାଦ ଆଚାର୍ଯ୍ୟ ଫୋନରେ କଥା ହେଉଥିବା ବେଳେ ଏ କଫ କଥା ଶୁଣି ତାକୁ କହିଲେ ପ୍ରତିଦିନ ଗୋଟେ କପ୍ ଖିରରେ ଅଳ୍ପ ହଳଦି ମିଶାଇ ଫୁଟାଇ ପିଇବାର ଅଭ୍ୟାସ କରିଦେଲେ ଆଉ କେବେ ଥଣ୍ତା ପାଖ ମାଡିବ ନାହିଁ । ସୁସ୍ଥ ରହିବା ପାଇଁ ହେଲେ ସବୁଦିନ କିଛି ବ୍ୟାୟାମ କରିବାକୁ ହେବ । ୬୧ ବର୍ଷ ବୟସରେ ସେ ପ୍ରତିଦିନ ସକାଳ ଓ ସଂଧ୍ୟାରେ ଛାତ ଉପରେ ମିନିମମ୍ ଅଧଘଣ୍ଟାଏ ଧୁମ୍ ଧାମ୍ ହାତ ଗୋଡ ହଲ୍ଲାଇ ବ୍ୟାୟାମ କରୁଛନ୍ତି । ଦୂରରୁ ଯିଏ ଦେଖୁଥିବ ସେ ଭାବିବ ଏ ଲୋକଟା କ'ଣ ଏମିତି ପବନକୁ ଗୋଇଠା ବିଧା ମାରି ଚାଲିଛି । ତେଣୁ କିଛି ନକରି ଦିନକୁ ଯଦି ୨ କିଲୋମିଟର୍ ଚାଲିବ ତାହେଲେ ମଧ୍ୟ ଚଳିବ । ସେଇ କଥା ମୁତାବକ ଏ ଲୋକ ରହୁଥିବା ଘରର ବେଡ୍ ରୁମ୍ ରୁ ଡାଇନିଂ ଦେଇ ଡ୍ରଇଙ୍ଗ୍ ରୁମ ପର୍ଯ୍ୟନ୍ତ ଫିତା ପକାଇ ମାପି ଦେଖିଲା ୨୦ ମିଟର ହେଉଛି । ସେବେଠାରୁ ପ୍ରତିଦିନ ସକାଳେ ଓ ସଂଧ୍ୟାରେ ଗଣି ଗଣି ୧୦୦ ଥର ଲେଖା ଚାଲୁଚି, ଅର୍ଥାତ୍ ସକାଳ ବେଳା ୨ କିଲୋମିଟର୍ ଓ ସଂଧ୍ୟାରେ ମଧ୍ୟ ଦୁଇ କିଲୋମିଟର । ସନ୍ତୁଳିତ ଓ ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଇବା ସହିତ ଦିନକୁ ୪ କିଲୋମିଟର ଚାଲିବା ଦ୍ୱାରା ରାତିରେ ତାକୁ ସଲିଡ୍ ନିଦ ହଉଛି । ସେହିପରି " ସଟଡାଉନ୍ ମଟନ୍ କଷା" ଲେଖାରେ ସୁନିତାକୁ ମୁହଁତୋଡ ଜବାବ୍ ଦେଇଥିବା କଟକ ଟାଉନର ଝିଅ ମଧୁମିତା ଫେସବୁକ୍ ମାଧ୍ୟମରେ ତାକୁ ଉପଦେଶ ଦେଇ କହିଲା " ସବୁ ସମୟରେ ସଚେତନ ହୁଅନ୍ତୁ, ଘରେ ରୁହନ୍ତୁ , ମନରେ ଦମ୍ଭଧରି ରହିଲେ କିଛି ହେବନି ଆପେ ଆପେ ସୁସ୍ଥ ହୋଇଯିବେ" ଯାହାକି ତା'ର ମନୋବଳ ବଢାଇବାରେ ଖୁବ୍ ସାହାଯ୍ୟ କଲା । ସକାଳୁ ଓ ସଂଧ୍ୟାରେ ୫ ଲେଖା ମିନିଟ୍ ଓଲମ୍ ବିଲମ୍ କରିବା ସହିତ ଆଉ ୫ ମିନିଟ୍ ବିନା ଶଂଖରେ ମୁହଁରେ ଶଂଖ ରହିଛି ବୋଲି ଭାବି ଶଂଖକୁ ଫୁଙ୍କ ମାରିବାର ଅଭିନୟ କରିଚାଲିଛି । ଏମିତି କଲେ ଫୁସ୍ ଫୁସ୍ ପୁରା ସୁସ୍ଥ ରହିବ ବୋଲି କେମିତି କଣ ଜାଣି ନେଇଛି । ଏସବୁ ବାଦ୍ ଏଇ ବର୍ଷ ଏମ୍.ବି.ବି.ଏସ୍. ପାଶ୍ କରି ହାଉସ୍ ସର୍ଜନ କାର୍ଯ୍ୟରେ ନିୟୋଜିତ ଥିବା ତା ପୁତୁରା ସହିତ ରୀତିମତ ଯୋଗାଯୋଗରେ ରହି କଫ୍ ସିରପ୍, ଭିଟାମିନ ସହିତ କିଛି ଅଣ୍ଟିବାଏଟିକ୍ ଟାବଲେଟ୍ ଖାଇ ପ୍ରଚଣ୍ତ ମନବଳରେ କରୋନା ସହିତ ଲଢିଲା । ଯେବେ ବି କିଛି ଜିନିସ ପାଇଁ ବାହାରକୁ ଯାଉଛି, ମୁହଁରେ ଦୁଇଟି ମାସ୍କ୍, ପକେଟରେ ସାନିଟାଇଜର ଏବଂ ଯେଉଁଠି ଭିଡ ଦେଖୁଛି ସେ ପାଖ ମଧ୍ୟ ମାଡୁନାହିଁ । କେଉଁଠି ଯଦି କିଛି ଜିନିସ କିଣିଲା , ସଂଗେ ସଂଗେ ପକେଟରୁ ସାନିଟାଇଜର ବାହାର କରି ହାତରେ ବୋଳି ହୋଇପଡୁଚି । ଆଗକୁ କରୋନାର ତୃତୀୟ ଲହର ଆସିବାକୁ ଥିବାରୁ କିଛିଦିନ ପରେ ନିଜର ଆଣ୍ଟିବଡି ( ସେରୋଲୋଜି ) ଟେଷ୍ଟ କରାଇ କୋଭିଡ୍ ହୋଇଥିଲା କି ନାହିଁ ଜାଣିବାପରେ ସରକାରଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ହୋଇଥିବା ସମୟ ଅନୁସାରେ ଟୀକା ନେବାକୁ ପୁରା ତୟାର୍ ହୋଇ ଅପେକ୍ଷା କରିଛି । " 


ଯମରାଜ ସବୁକଥା ଶୁଣିସାରିବା ପରେ ନିଜ ଅସ୍ଥାନରୁ ଉଠି କାନ୍ଧରେ ଗଦା ପକାଇ ମଇଁଷି ଆଡକୁ ପ୍ରସ୍ଥାନ କରିବା ପୂର୍ବରୁ ଚିତ୍ରଗୁପ୍ତକୁ କହିଲେ," ବାସ୍ତବରେ ସଚେତନ ହୋଇ ସରକାରଙ୍କ ଦ୍ୱାରା କରାଯାଇଥିବା ସବୁ ନିୟମ ମାନିବା ସହିତ ନିର୍ଦ୍ଧିଷ୍ଟ ବ୍ୟବଧାନରେ ଦୁଇଟି ଟୀକା ନେଇଗଲେ କରୋନା ନିଶ୍ଚୟ ହାରିବ ।" 


ଚିତ୍ରଗୁପ୍ତ ପଞ୍ଜିକାରୁ ଗୋଟେ ଲୋକର ନାମ ଖୋଜିବାରେ ବ୍ୟସ୍ତ ଥାଇ ନିଜ ମୁଣ୍ତକୁ ସମ୍ମତିରେ ହଲାଇ ଦେଲେ ।



Rate this content
Log in

Similar oriya story from Comedy