Prasanta Kumar Behera

Others

4.0  

Prasanta Kumar Behera

Others

ବାଣୀକ୍ଷେତ୍ର ସାହିତ୍ୟ ସମ୍ମାନ

ବାଣୀକ୍ଷେତ୍ର ସାହିତ୍ୟ ସମ୍ମାନ

4 mins
128



ଡ଼. ବଟକୃଷ୍ଣ ସ୍ୱାଇଁଙ୍କ ସହିତ ମୋର ପରିଚୟ ୧୯୯୫ ମସିହାରୁ l ପାଖା ପାଖି ଏଇ ୨୮ ବର୍ଷର ସଂପର୍କ ଏ ଭିତରେ ଏତେ ଗଭୀର ହୋଇଛି ଯେ, ଆମେ ପରସ୍ପର ସହିତ ନିଜ ନିଜର ମନକଥା ବିନା ଦ୍ୱିଧାରେ ସେୟାର୍ କରିଥାଉ ଯଦିଓ ଆମ ଭିତରେ ବୟସର ତାରତମ୍ୟ ୧୫ ବର୍ଷରୁ ଉର୍ଦ୍ଧ୍ବ l ମୁଁ ତାଙ୍କୁ ବଟଭାଇ ବୋଲି ସଂବୋଧନ କରେ ଆଉ ସେ ମୋତେ ସାନଭାଇର ସ୍ନେହ ପ୍ରଦାନ ପୂର୍ବକ ମୋ'ର ନିକ୍ ନେମ୍ "ଟୀକା' " ବୋଲି ଡ଼ାକିଥାନ୍ତି l 


୧୯୯୮ ମସିହାରେ ବଟଭାଇ ବାଲିକୁଦା କଲେଜରୁ ବଦଳି ହୋଇ ଆମ ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ଅଧ୍ୟାପକ ଭାବରେ ଯୋଗଦିଅନ୍ତି l ଗୋରା ଡ଼େଙ୍ଗା ଚେହେରାକୁ ସମୟ ସହିତ ତାଳଦେଇ ତିଆରି ହେଉଥିବା ଫୁଲ୍ ପ୍ୟାଣ୍ଟ୍ ସାର୍ଟକୁ ଇନ୍ କରି ଡ଼ାହାଣ ହାତରେ ଘଣ୍ଟା ପିନ୍ଧି କ୍ଲାସ ରୁମ୍ ରେ ପ୍ରବେଶ ଆଉ ଗୋଟେ ନଭେଲ୍ ଷ୍ଟାଇଲ୍ ରେ ପିଲାଙ୍କୁ ପାଠ ପଢାଇବା , ତାଙ୍କୁ ଖୁବ୍ କମ୍ ଦିନରେ ଛାତ୍ରଛାତ୍ରୀଙ୍କର ଜଣେ ପ୍ରିୟ ଶିକ୍ଷକର ମାନ୍ୟତା ପ୍ରଦାନ କରିଥିଲା l ପରବର୍ତ୍ତୀ ସମୟରେ ଆମ କଲେଜର ଏନ୍.ଏସ୍.ଏସ୍. ପ୍ରୋଗ୍ରାମ ଅଫିସର୍, ଯୁକ୍ତ ଦୁଇ କଲ୍ଚରାଲ୍ ଆସୋସିଏସନ୍ ର ଉପ-ସଭାପତି, କଲେଜ ୟୁନିୟନର ଆଡ଼ଭାଇଜର୍ ଆଉ କଲେଜର ପରୀକ୍ଷା ନିୟନ୍ତ୍ରକ ଆଦି ବହୁ ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରି ତା ୩୧/୦୮/୨୦୧୫ ରିଖରେ ଅବସର ନେଇଥିଲେ l ଏଇ ସବୁ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ତାଙ୍କର ମୋ'ର ସଂପର୍କ ଖୁବ୍ ନିବିଡ଼ ହୋଇଛି l ସେଇ ସମୟରେ କଲେଜରେ ଆମର ଗୋଟେ ଗ୍ରୁପ୍ ତିଆରି ହୋଇଯାଇଥିଲା ଆଉ ପ୍ରତି ସପ୍ତାହରେ ନିହାତି ଦୁଇଥର ଫିଷ୍ଟ୍ ହେଉଥିଲା l ସେଇ ଗ୍ରୁପ୍ ରେ ମୋତେ ଆଉ ବଟ ଭାଇଙ୍କୁ ଛାଡ଼ି ବିହାରୀ ଭାଇ ( ରାଜନୀତି ବିଜ୍ଞାନ ବିଭାଗର ରିଡ଼ର୍ ଅଭୟ କୁମାର ବିହାରୀ ), ଲକ୍ଷ୍ମୀ ଭାଇ ( ଇତିହାସ ବିଭାଗର ରିଡ଼ର ଲକ୍ଷ୍ମୀ ନାରାୟଣ ମହାନ୍ତି, ଯିଏ ଏବେ ଆରପାରିରେ ), ନଟ ଭାଇ ( ଶିକ୍ଷା ବିଭାଗର ରିଡ଼ର ନଟବର ନାୟକ, ସେ ମଧ୍ୟ ଆଜି ସ୍ୱର୍ଗତ ), ରବି ଭାଇ ( ଓଡ଼ିଆ ଭାଷା ସାହିତ୍ୟ ବିଭାଗର ରିଡ଼ର ଓ ପରେ ଆମ କଲେଜର ଅଧ୍ୟକ୍ଷ ପଦରୁ ଅବସର ନେଇଛନ୍ତି ), ନୀର ଭାଇ ( ଡ଼. ନିରଞ୍ଜନ ବିଶ୍ୱାଳ, କମର୍ସ ରିଡ଼ର ଯିଏ ଏଇ ମିକଟରେ କଲେଜ ଅଧ୍ୟକ୍ଷ ପଦରୁ ଅବସର ନେଇଛନ୍ତି l ୨୦୧୨ ମସିହାରେ ବଟଭାଇଙ୍କ ସହଧର୍ମିଣୀ ମାନେ ଆମ କଲେଜର ଓଡ଼ିଆ ବିଭାଗର ଅଧ୍ୟାପିକା ଶକୁନ୍ତଳା ସ୍ୱାଇଁଙ୍କ ଦେହାନ୍ତ ହେଲା l ତାଙ୍କୁ ମୁଁ ମାନି ଅପା ବୋଲି ସଂବୋଧନ କରେ l ମାନି ଅପାଙ୍କର ମୃତ୍ଯୁ ହେବା ପରେପରେ ବଟ ଭାଇ ମୋତେ ଖବର ଦେଲେ ସଂଗେସଂଗେ ତାଙ୍କ ଘରେ ପହଞ୍ଚିବାକୁ l ସେଦିନ ମୁଁ ପୁରୀ ସ୍ୱର୍ଗଦ୍ୱାରକୁ ବଟଭାଇଙ୍କ ସହିତ ଯାଇଥିଲି l ବଟଭାଇ ପୁରା ନିର୍ବିକାର ଭାବରେ ସେଦିନ ସବୁକଥା ବୁଝୁଥିଲେ l ମାନି ଅପାଙ୍କର ଶରୀର ପଞ୍ଚଭୂତରେ ଲୀନ ହେବାପରେ ମୋ ସହିତ ସମୁଦ୍ର କୂଳରେ ବସି ବଟଭାଇ ଛୋଟ ପିଲାଙ୍କ ପରି କାନ୍ଦବା ଆଉ ମୁଁ ତାଙ୍କୁ ବୁଝାଇବା ଯେମିତି କାଲିପରି ଲାଗୁଛି l ୨୦୦୦ ମସିହାରୁ ୨୦୧୫ ଭିତରେ ବିଭିନ୍ନ କାର୍ଯ୍ୟରେ ଆମେ ଦୁହେଁ ୧୦୦ରୁ ଉର୍ଦ୍ଧ୍ବ ଥର କେବଳ ବାଇକ୍ ରେ ଭୁବନେଶ୍ବର ଯାଇଥିବୁ l ସଂଧ୍ୟାରେ ସୁଲୁ ସୁଲିଆ ପବନରେ ଝୁମି ଝୁମି କଥାବାର୍ତ୍ତା ହୋଇ ବାଇକ୍ ରେ ଫରିବାର ଅଭିଜ୍ଞତା ଖୁବ୍ ଚମତ୍କାର ଥିଲା ଆମ ଦୁଇଜଣଙ୍କ ପାଇଁ l 


ଆମ ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳର ନଲରା ଗ୍ରାମରେ ବଟକୃଷ୍ଣ ସ୍ୱାଇଁଙ୍କ ଜନ୍ମ ତା ୧୨/୦୮/୧୯୫୫ ରିଖରେ l ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବାବେଳେ ୧୯୭୧ ମସିହାରେ ଉପକୂଳ ଅଞ୍ଚଳରେ ତାଣ୍ତବ ସୃଷ୍ଟି କରିଥିବା ବାତ୍ୟାକୁ ଆଧାର କରି ସେ ତାଙ୍କର ପ୍ରଥମ ଗଳ୍ପ " ଝଡ଼ " ରଚନା କରିଥିଲେ l ଏସ୍.ଭି.ଏମ. କଲେଜରେ ଅଧ୍ୟୟନ ସମୟରେ ଗୋପବନ୍ଧୁଙ୍କ ଜନ୍ମ ଶତ ବାର୍ଷିକୀ ଉପଲକ୍ଷେ ଓଡ଼ିଆ ସାହିତ୍ୟ ସମାଜ ଆନୁକୂଲ୍ଯରେ ଗୋଟିଏ ଗଳ୍ପ ପ୍ରତିଯୋଗିତା ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା l ସେତେବେଳେ ସେ କଲେଜ ପଛପଟେ ଥିବା ଅଳକା ମେସ୍ ରେ ରହୁଥିଲେ l ସହପାଠୀମାନେ ଶୋଇଗଲା ପରେ ଗଳ୍ପଟିଏ ଲେଖି ତା'ପରଦିନ ତାକୁ ଲୁଚାଇ ପ୍ରତିଯୋଗିତା ପାଇଁ ଉଦ୍ଧିଷ୍ଟ ବାକ୍ସରେ ପକାଇଥିଲେ l ଅଳ୍ପଦିନ ପରେ ନୋଟିସ୍ ବୋର୍ଡରେ ଫଳ ପ୍ରକାଶ ପାଇଲା ଓ ତାଙ୍କ ଗଳ୍ପ " କପୋତର ମୃତ୍ଯୁ " ପ୍ରଥମ ସ୍ଥାନ ଅଧିକାର କରିଥିଲା l ପରେ ବଟଭାଇ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମ୍.ଏ. ପାଶ୍ କଲାପରେ ବାଲିକୁଦା କଲେଜରେ ଅଧ୍ୟାପକ ଭାବରେ ନିଯୁକ୍ତି ପାଇଲେ l ସେତେବେଳେ ଅରବିନ୍ଦ ରାୟଙ୍କ ସଂପାଦନାରେ ଜଗତସିଂହପୁ୍ରରୁ " ଆମରି ଗପ " ପତ୍ରିକା ପ୍ରକାଶ ପାଉଥିଲା l ସେଇ " ଆମରି ଗପ" ରେ ଗପ ଲେଖା ଠାରୁ ତାଙ୍କ ଗଳ୍ପ ରଚନାର ମୂଳଦୁଆ ହିଁ ପଡ଼ିଥିଲା l ଆମରି ଗପ ପୁରସ୍କାର ତାଙ୍କ ପାଇଁ ପ୍ରେରଣା ପାଲଟିଗଲା ଓ ତା'ପରେ ସେ ଗପ ଲେଖି ଚାଲିଲେ l 


 ପ୍ରଥମ ଗଳ୍ପ " ଝଡ଼ " ରୁ ଆରମ୍ଭ ହୋଇଥିବା ତାଙ୍କର କଥାଯାତ୍ରା ଖୁବ୍ ଦୀର୍ଘ ଓ ପ୍ରଭାବଶାଳୀ ଥିଲା l " କପୋତର ମୃତ୍ଯୁ ", " ବାଦୁଡ଼ି ", " ଟୋପି " ତାଙ୍କ କଥା ଧାରାର ଗୋଟିଏ ଗୋଟିଏ ଅମଳିନ ସୃଷ୍ଟି l ଅଧ୍ୟାପନା ବୃତ୍ତିରେ ଥାଇ ସେ ଅନେକ ନବୀନ ସ୍ରଷ୍ଟାଙ୍କ ପ୍ରେରଣାର ଉତ୍ସ ହୋଇପାରିଛନ୍ତି l ପରବର୍ତ୍ତୀ ସମୟରେ ଡ଼ାଇବେଟିସ୍ ଓ ବ୍ଲଡ଼ପ୍ରେସର୍ ପରି କ୍ରମାଗତ ଶାରୀରିକ ଅସୁସ୍ଥତା ଓ ପରେ ତାଙ୍କ ସହଧର୍ମିଣୀ ଶକୁନ୍ତଳା ସ୍ୱାଇଁଙ୍କ ପରଲୋକ ତାଙ୍କ ଗଳ୍ପ ରଚନା ପଥରେ ଅନ୍ତରାୟ ସୃଷ୍ଟି କରିଥିଲା l ତାଙ୍କର ପ୍ରକାଶିତ ଗଳ୍ପ ସଂକଳନ " ଆମ କଥା ଆମ କାହାଣୀ " ଓଡ଼ିଆ ସାହିତ୍ୟ ଆକାଶରେ ଗୋଟିଏ ଅମଳିନ କୀର୍ତ୍ତି l


ବଟଭାଇ ପାଇଥିବା ପୁରସ୍କାର ମଧ୍ୟରେ ରହିଛି ଆମରି ଗପ ପୁରସ୍କାର , ସୌଭାଗ୍ୟ ଫାଉଣ୍ତେସନ୍ ପୁରସ୍କାର ଓ ନବକାକଳି ପୁରସ୍କାର l ଏବେ ନିଜର ବଂଧୁମାନଙ୍କର ପ୍ରେରଣାରେ ପୁଣି ନୂଆ ଉତ୍ସାହରେ ଗପ ରଚନାରେ ମନୋନିବେଶ କରିଛନ୍ତି ବଟଭାଇ l ସଂପ୍ରତି ସେ ଦେଉଳି ଗ୍ରାମେଶ୍ୱର, ଜଗତସିଂହପୁ୍ରରେ ନିଜ ପୁଅ "ପପୁ ", ବୋହୁ " ଲୀଜା " ଓ ନାତି " ବୈଭବ " ସହିତ ଖୁବ୍ ଖୁସିରେ ଅବସ୍ଥାନ କରୁଛନ୍ତି l


ଗତ ତା ୨୬/୦୩/୨୦୨୩ ରିଖରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ତରଫରୁ ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡ଼ିଟୋରିୟମରେ ଆୟୋଜିତ ସାହିତ୍ୟ ସଭାରେ ବଟଭାଇଙ୍କୁ ତାଙ୍କ ସାହିତ୍ୟ କୃତି ପାଇଁ " ବାଣୀକ୍ଷେତ୍ର ସାହିତ୍ୟ ସମ୍ମାନ - ୨୦୨୩ " ରେ ସମ୍ମାନିତ କରାଯାଇଛି l ସେଇ ସମ୍ମାନ ଗ୍ରହଣ କରୁଥିବା ବେଳର କିଛି ଫଟୋ ଏହି ପୋଷ୍ଟ ସହିତ ରହିଛି l



Rate this content
Log in