କାରଣ ନଥାଇ ବି ଗାଳି ପରେ ଗାଳି !!😃😀......
କାରଣ ନଥାଇ ବି ଗାଳି ପରେ ଗାଳି !!😃😀......
କାରଣ ନଥାଇ ବି ଗାଳି ପରେ ଗାଳି !!😃😀.......
ଏଇ ଭିତରେ ପାଖାପାଖି ୨୦ ଦିନ ଗତ ହୋଇସାରିଥିଲା ଦୁର୍ଗା ଭାଇଙ୍କ ସହିତ କଥା ହେବା l ଏମିତିରେ ମଝିରେ ମଝିରେ ଦୁର୍ଗା ଭାଇ ସେପଟୁ ହେଉ ବା ମୁଁ ଏପଟୁ ଯିଏ ହେଲେ ବି ମୋବାଇଲ୍ ରେ କଲ୍ କରି କଥା ହୋଇଥାଉ l ଗତ ୧୧ ଫେବୃୟାରୀ ଆମ ସ୍ଵାମୀ ବିବେକାନନ୍ଦ ସ୍ମାରକ ସ୍ଵୟଂଶାସିତ ମହାବିଦ୍ୟାଳୟର ୬୨ତମ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ମୁଁ ପ୍ରାୟ ବହୁତ୍ ବିଜି ରହିଥିଲି ସେଇ କେଇ ଦିନ l ଦୁର୍ଗା ଭାଇ ବି ସେଇ କଥା ମର୍ମେ ମର୍ମେ ଅନୁଭବ କରି ଫୋନ୍ କରିନଥିଲେ କିମ୍ବା ମୁଁ ମଧ୍ୟ ଏପଟୁ କଲ୍ କରି ପାରିନଥିଲି l ଗତ କାଲି ଦୁର୍ଗା ଭାଇଙ୍କ ସହିତ କଥା ହେବାକୁ ସ୍ଥିର କରି ତାଙ୍କ ମୋବାଇଲ୍ କୁ କଲ୍ କାଲି l ବହୁତ ସମୟ ଧରି ସେଇ ନମ୍ୱର୍ ବିଜି ଦେଖିବାରୁ ତାଙ୍କର ଆଉ ଗୋଟେ ନମ୍ୱର୍ କୁ କଲ୍ କଲି l ଦୁର୍ଗା ଭାଇ ଆମ କଲେଜରୁ ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ପଦରୁ ଅବସର ନେଇ ଭୁବନେଶ୍ବରର ସେମୁଣ୍ଡ ରେ ଅର୍ଥାତ୍ ସୁନ୍ଦରପଦା ଠାରୁ ଆଉ ୪ କିଲୋମିଟର ଦୂରରେ ଥିବା ପ୍ରଧାନ ସାହି ଛକରେ ଘରକରି ରହୁଛନ୍ତି, ଯେଉଁଠୁ ଜଟଣୀ ମାତ୍ର ଆଉ ୩ କିଲୋମିଟର ଦୂର l ଦୁର୍ଗା ଭାଇ ଅବସର ୨୦୨୧ ମସିହାରେ ଗ୍ରହଣ କରିବାପରେ ମୁଁ ସେଠାକୁ ପ୍ରାୟ ଚାରି ଥର ଖଣ୍ଡେ ଯାଇ ଖାଇପି ଆସିଛି l ଦୁର୍ଗା ଭାଇ ସେଠି ବହୁ ପୂର୍ବରୁ ଖୁବ୍ ଶସ୍ତାରେ ଜାଗା ଖଣ୍ଡେ କିଣିଥିଲେ , ଯେତେବେଳେ ସେ ଜଟଣୀ କଲେଜରେ ଅଧ୍ୟାପକ ଥିଲେ l ପରେ ସେଠାରୁ ବଦଳି ହୋଇ କନ୍ଦରପୁର କଲେଜ ଆଉ ଶେଷକୁ ଆମ ସ୍ଵାମୀ ବିବେକାନନ୍ଦ ସ୍ମାରକ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ଆସି ଏଠି ପାଖାପାଖି ୪ ବର୍ଷ ଅଧ୍ୟାପନା କରି ଅବସର ନେଇ ସେଇଠି ଘର କରି ରହୁଛନ୍ତି l ଥରେ ଏମିତି ସେଇଠି ଦୁର୍ଗା ଭାଇଙ୍କ ଘରେ ବସିଥିବା ବେଳେ ତାଙ୍କର ଗୋଟେ କଥା ମୋତେ ବହୁତ୍ ହସାଇଥିଲା l ସେଇ କଥା ଥିଲା ତାଙ୍କର ସେଇଠି ଘର କରି ରହିବା ଉପରେ l ସେ ମୋତେ କହିଲେ , " ବୁଝିଲ ପ୍ରଶାନ୍ତ, ଆମ ଘର ଲୋକ, ଗାଁ ସାଇପଡିଶା, ବଂଧୁ ବାନ୍ଧବ ସମସ୍ତେ କହୁଛନ୍ତି ମୁଁ ଭୁବନେଶ୍ୱରରେ ଘର କରିଚି ବୋଲି l ଆଜି ସକାଳେ ମୋ ଘରେ ଜଣେ ବଢ଼େଇ କାମ କରୁଥିବା ଏଇ ଗାଁ ଲୋକଟେ ଆସି କହୁଚି ସେ ଜରୁରୀ କାମରେ ଭୁବନେଶ୍ୱର ଯାଉଚି l ଏଠୁ ଭୁବନେଶ୍ୱର ମାଷ୍ଟର କ୍ୟlଣ୍ଟିନ୍ ୧୫ କିଲୋମିଟର ଦୂର l ଏଠିକା ଲୋକ ନିଜେ କହୁଛନ୍ତି ଏ ଗୋଟେ ଭୁବନେଶ୍ଵରଠାରୁ ଢେର୍ ଦୂରରେ ଥିବା ଗାଁ l ଆଉ ତେଣେ ଆମ ଗାଁ ରେ ସମସ୍ତେ କହୁଛନ୍ତି କଣ ନାଁ ମୁଁ ଭୁବନେଶ୍ୱରରେ ଘର କରି ରହୁଚି l " ମୁଁ ହସି ହସି କହିଲି, " ବୁଝିଲ ଭାଇ, ଯେହେତୁ ତମେ ଜଗତସିଂହପୁର କୋତିଆଁ ବାରଙ୍ଗ ଅଞ୍ଚଳରୁ ଆସି ଏଠି ଘର କରିଚ ସେମାନେ ସେମିତି କହିବା ଠିକ୍ l " ଛାଡନ୍ତୁ ଏସବୁ କଥା, ଏବେ ଗତକାଲିର ଘଟଣା କଥାକୁ ଫେରିବା l ମୁଁ ଦୁର୍ଗା ଭାଇଙ୍କ ନାମରେ ମୋ ମୋବାଇଲ୍ ରେ ସେଭ କରି ରଖିଥିବା ଦୁଇ ନମ୍ୱର୍ ସିମ୍ କୁ ଫୋନ କଲ୍ କାଲି , ଯେହେତୁ ଏକ ନମ୍ୱର୍ ସିମରେ କଲ୍ ସମ୍ଭବ ହେଲା ନାହିଁ l ସେପଟୁ ରିଙ୍ଗ ହେବାର ସାଉଣ୍ଡ ଆସିଲା l ୫ କି ୬ ସେକେଣ୍ଡ ଭିତରେ ଫୋନ୍ ବି ରିସିଭ୍ ହେଲା l ମୁଁ ଏପଟୁ ମୋର ଚିରାଚରିତ ଢଙ୍ଗରେ କହିଲି, " ନମସ୍କାର ଭାଇ , କଣ ଖବର ଆଉ ?" ସେପଟୁ ଉତ୍ତର ଆସିଲା , " ଭାଇ ? କୋଉ ଭାଇ ? କିଏ ଭାଇ ? କାହାକୁ ଖୋଜୁଚ ? " ଏତିକି କଥାରେ ମୁଁ ଜଣିଗଲି ଯିଏ ଫୋନ୍ ଉଠାଇଛି ସେ ଦୁର୍ଗା ଭାଇ ନୁହେଁ l ତେଣୁ ମୋ ମୋବାଇଲ୍ ସେଟ୍ କୁ କାନ ପାଖରୁ ହଟାଇ ଆଖି ସାମ୍ନାକୁ ଆଣି ଦେଖିଲି ଯେ, ଦୁର୍ଗା ଭାଇଙ୍କ ନାମ ଥିବା ନମ୍ୱର୍ କୁ ଫୋନ୍ କରିଚି l ପୁଣି ମୁଁ କହିଲି , " ଆପଣ ଦୁର୍ଗା ଭାଇ ନୁହଁନ୍ତି ? ଦୁର୍ଗା ପ୍ରସାଦ ଆଚାର୍ଯ୍ୟ l " ଦୁର୍ଗା ଭାଇଙ୍କ ନାମ ଶୁଣୁ ଶୁଣୁ ସେ ଲୋକ ପୁରା ରାଗିକି ପଞ୍ଚମ ହୋଇ କହିଲା, " ସେଇ ଚୋର ଠକ ଦୁର୍ଗାକୁ ତମେ ବି ଖୋଜୁଚ ? ସେ ହାରାମି ମୋତେ ପୁରା ନାମ ଦେଇ ଦେଇଚି l ଆଚ୍ଛା ତମକୁ ବି କଣ ସେ ଚିତା କାଟି ଦେଇଚି ? " ମୁଁ ଏତିକି କଥା ଶୁଣି ଯାହାକୁ କୁହନ୍ତି ପୁରା ତୀର୍ଥ କlବା ହୋଇଗଲି l ଦୁର୍ଗା ଭାଇଙ୍କୁ ଜଣେ ଏମିତି ଢଙ୍ଗରେ ଗlଳିଦେବ ତାହା ମୋ କଳ୍ପନା ବାହାରେ ଥିଲା l କିନ୍ତୁ ମୁଁ ଧରିନେଲି ଯେ ଏଇ ଲୋକ କିଛି ଭୁଲ୍ ବୁଝାମଣାରୁ ହିଁ ଦୁର୍ଗା ଭାଇଙ୍କୁ ଏମିତି ଗାଳି କରୁଚି l ମୁଁ ତାକୁ ବୁଝାଇବାକୁ ଯାଇ କହିଲି, " ଦେଖନ୍ତୁ ସେ ଦୁର୍ଗା ଭାଇ ଚୋର, ଠକ କି ହାରାମି ମୋଟେ ନୁହଁନ୍ତି l ସେ କଲେଜର ଜଣେ ଅଧ୍ୟାପକ l ଅବସର ନେଇ ଏବେ ଭୁବନେଶ୍ଵରରେ ରହୁଛନ୍ତି l ଏଇ ନମ୍ୱର୍ ହେଉଚି ତାଙ୍କର l କିନ୍ତୁ ଆପଣଂକ ପାଖକୁ ଏଇ ମୋବାଇଲ୍ ନମ୍ବର୍ କେମିତି ଆସିଲା ? ଆଚ୍ଛା ଆପଣ କେଉଁଠୁ କହୁଛନ୍ତି କହିଲେ l " ସେ ସେମିତି ଉଚ୍ଚ ସ୍ବରରେ ରାଗିକି କହିଲା, " ମୁଁ ଏଠୁ ଖୋର୍ଦ୍ଧାରୁ କହୁଚି l ସେଇ ହାରାମି ପରା ଏଇ ସିମ ମୋତେ ୫-ଜି ସୀମ ବୋଲି କହି ବିକିଦେଇଚି , କିନ୍ତୁ ଦେଖିଲା ବେଳକୁ ଏଇ ସିମ୍ ୫-ଜି ର ନୁହେଁ l ଆହୁରି ବହୁ ଲୋକଙ୍କୁ ବି ଚିତା କlଟିଚି , ସେଇଥି ପାଇଁ ବହୁ ଲୋକ ଏଇ ସିମ ନମ୍ବର୍ ରେ ଫୋନ୍ କରି ତାକୁ ଖୋଜୁଛନ୍ତି l ଶଳା ହାରାମି ଦେଖାହେଲେ ତାକୁ ନିଶ୍ଚୟ ବହେ ପିଟିବି l " ମୁଁ ବର୍ତ୍ତମାନ ଜାଣିଗଲି ଏଇ ଲୋକଟା ଦୁର୍ଗା ଭାଇଙ୍କୁ ପୁରା ଭୁଲ୍ ବୁଝିଛି l ଏମିତି ହୋଇଚି , ଦୁର୍ଗା ଭାଇ ସେ ସିମ କୁ ଆଉ ରିଚlର୍ଜ କରି ନାହାଁନ୍ତି l ବହୁତ୍ ଦିନ ପରେ ସେଇ ଟେଲିକମ କମ୍ପାନୀ ସେଇ ନମ୍ୱର୍ କୁ ଦୁର୍ଗା ଭାଇଙ୍କ ନlମରୁ କାଟି କୋଉ ଏଜେଣ୍ଟ ଦ୍ଵାରା ଏଇ ଲୋକକୁ ବିକିଛନ୍ତି l ୫- ଜି କାମ କରୁ ନଥିବାରୁ ଏଇ ଲୋକଟି ସେଇ ସିମ ବିକାଳୀ ଉପରେ ପ୍ରଚଣ୍ଡ ଭାବରେ ରାଗିଯାଇଛି ଆଉ ତା ମୁଣ୍ଡରେ ଭୂତ ପଶିଯାଇଛି ଯେ ସେଇ ସିମ ବିକିଥିବl ଲୋକ ହେଉଚି ଦୁର୍ଗା ଭାଇ l ରାସ୍ତା କଡ଼ରେ କେଉଁଠି ଆଧାର କାର୍ଡ ସହିତ ନିଜର ଫିଙ୍ଗର୍ ବlଓମେଟ୍ରିକ୍ ଦେଇ ସେଇ ସିମ କୁ କିଣିଛି ଆଉ ଏବେ ସେ ସିମ ବିକିଥିବା ଲୋକକୁ ପାଉନଥିବାରୁ ଦୁର୍ଗା ଭାଇଙ୍କୁ ନିର୍ଘାତ ଗାଳି କରୁଚି l ଦୁର୍ଗା ଭାଇଙ୍କ ସମ୍ପର୍କୀୟ ଯିଏ ସବୁ ଫୋନ୍ କରି ଖୋଜୁଛନ୍ତି , ସେ ଭାବୁଚି ସେଇ ସିମ ବିକାଳି ଦୁର୍ଗା ନାମକ ଲୋକ ଏ ସମସ୍ତଙ୍କୁ ବି ଠକିଚି ଆଉ ସେଥି ପାଇଁ ସେମାନେ ଫୋନ୍ କରୁଛନ୍ତି l ତେବେ ସେଇ ଲୋକଟି ର ମୁଣ୍ଡରୁ ଭୁଲ୍ ବୁଝାମଣାରୁ ଦୁର୍ଗା ଭାଇଙ୍କ ଉପରେ ସୃଷ୍ଟି ହୋଇଥିବା ସବୁ ରାଗ ହଟାଇ ଦେବାକୁ ପଡ଼ିବ ଭାବି ମୁଁ ତାକୁ ବୁଝାଇବାକୁ ଯାଇ କହିଲି , " ଦେଖନ୍ତୁ ଦୁର୍ଗା ଭାଇ ବହୁତ୍ ଭଲ ଲୋକ l ସେ ସିମ ବିକିବା ଲୋକ ନୁହନ୍ତି l ଏମିତି ହୋଇଥିବ ତାଙ୍କ ସିମ..." ମୋର ଏତିକି କଥାରେ ହିଁ ସେ ପୁରା ଫିଉରୀୟସ୍ ହୋଇ କହିଲା," ତୁ କିଏ ବେ ? , ସେ ଚୋର ପାଇଁ କଣ ଏତେ ଓକିଲାତି କରୁଚୁ ? " ତାର ଏତିକି କଥା ରେ ମୁଁ ଜାଣିଗଲି ଏବେ ଦୁର୍ଗା ଭାଇଙ୍କ ଉପରେ ପଡ଼ୁଥିବା ଗାଳି ସବୁ ମୋ ଆଡ଼କୁ ମୁହଁlଇବା ଆରମ୍ଭ କରିଦେବେ l ଜୀବନ ବିକଳରେ ସେଇ ତତ୍ତ୍ଵ " ଆଲୋ ସଖି, ଆପଣା ମହତ ଆପେ ରଖି " କୁ ସ୍ମରଣ କରି ତା ଫୋନ୍ କାଟିଦେଲି l ଧରିନେଲି ଯେ, ଦୁନିଆରେ ଏମିତି କିଛି ଲୋକ ଅଛନ୍ତି , ଯାହା ବୁଝିଥିବେ ସେଇଆ l ତାଙ୍କୁ ବୁଝେଇବାକୁ ଚେଷ୍ଟା କରିବା ଅର୍ଥ ପାଞ୍ଚ ନମ୍ୱର୍ ଜାତୀୟ ରାଜପଥରେ ଯାଉଥିବା ବାଉଁଶ ବୋଝେଇ ଟ୍ରକକୁ ହୁଇସିଲ ମାରି ଡ଼ାକି ବିପଦକୁ ବରଣ କରିବା l ଏଇ ଲୋକଟି ଠିକ୍ ସେଇ କଟେଗୋରୀରେ ଆସୁଥିବା ଲୋକ l ଏ ଲୋକ ଦୁର୍ଗା ଭାଇଙ୍କୁ ସାରା ଜୀବନ ଏମିତି ଗାଳି ପରେ ଗାଳି କରୁଥିବ l ଦୁର୍ଗା ଭାଇ କେଇ ବର୍ଷ ପାଇଁ ନିଜେ ବ୍ୟବହାର କରିଥିବା ସିମ କୁ ରିଚାର୍ଜ ନକରି ନିହାତି ଭୁଲ୍ କରିଛନ୍ତି ଆଉ ସେଥି ପାଇଁ ଜୀବନ ସାରା ଗାଳି ଖାଇବାକୁ ହକଦାର ବୋଲି ଧରିନେଇ ମୋ ମନକୁ ବୁଝାଇଦେଲି ଶେଷକୁ l😄😃😄
