ପ୍ରଶାନ୍ତ କୁମାର ବେହେରା

Classics Inspirational Others

3  

ପ୍ରଶାନ୍ତ କୁମାର ବେହେରା

Classics Inspirational Others

ଚାଲିଗଲେ ନନ୍ଦ ସାର୍

ଚାଲିଗଲେ ନନ୍ଦ ସାର୍

2 mins
429


ଚାଲିଗଲେ ନନ୍ଦ ସାର୍ । ସବୁଦିନ ପାଇଁ ନୀରବି ଯାଇଛି ଯୋଗଜନ୍ମା ଗୁରୁଙ୍କ ସ୍ୱର l ଏକ ମାସ ସମୟ ମଧ୍ୟ ଗତ ହୋଇନାହିଁ l ଗତ ନଭେମ୍ବର ୯, ୨୦୨୧ ତାରିଖରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ଉପାଧି ଗ୍ରହଣ କରିଥିବା ଏଇ ନନ୍ଦ ସାର୍ ହେଉଛନ୍ତି ଯାଜପୁର ଜିଲ୍ଲାର ଗୁରୁ ନନ୍ଦ କିଶୋର ପୃଷ୍ଟି l ପଦ୍ମଶ୍ରୀ ଉପାଧି ଗ୍ରହଣ କରିସାରିବା ପରେ ସ୍ୱତଃପ୍ରବୃତ୍ତ ଭାବରେ ସେ ନିଜର ଦୁଇ ହାତ ରାଷ୍ଟ୍ରପତିଙ୍କ ମୁଣ୍ତ ଉପରକୁ ଉଠାଇ ତାଙ୍କୁ ଆଶୀର୍ବାଦ ଦେଇ ସାରା ଦେଶରେ ଚର୍ଚିତ ହୋଇଥିଲେ l ଜଣେ ରାଷ୍ଟ୍ର ମୁଖ୍ୟଙ୍କ ଠାରୁ ପୁରସ୍କାର ଗ୍ରହଣ କରୁଥିବା ଲୋକ ସେଠାରେ ଉପସ୍ଥିତ ଥିବା ସମସ୍ତ ବିଶିଷ୍ଟ ଲୋକଙ୍କ ସମ୍ମୁଖରେ ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ ଦେବା ନିଶ୍ଚୟ ଏକ ବିରଳ ଦୃଶ୍ୟ l ନନ୍ଦ ସାର୍ ଥିଲେ ଶତାୟୁ ପୁରୁଷ l ବିଗତ ୮୨ ବର୍ଷଧରି ନିଜ କାନ୍ତିରା ଗ୍ରାମରେ ଏକ ଚାଟଶାଳୀ ଖୋଲି ସେଠାରେ ନିଃଶୁଳ୍କ ଶିକ୍ଷାଦାନ କରି ଅସୁଥିବା ଏଇ ଅସାଧାରଣ ବ୍ୟକ୍ତି ଜଣଙ୍କର ହାତ ସବୁବେଳେ ଯେମିତି ଉଠିଥାଏ ନିଜ ଛାତ୍ରଛାତ୍ରୀଙ୍କ ମୁଣ୍ତ ଉପରକୁ ଆଶୀର୍ବାଦ ଢାଳିଦେବାକୁ ସେଦିନ ମଧ୍ୟ ଠିକ୍ ସେମିତି ଉଠିଥିଲା ରାଷ୍ଟ୍ର ମୁଖ୍ୟଙ୍କ ମୁଣ୍ତ ଉପରକୁ l ଏଇ ଘଟଣା ସେତେବେଳେ ବହୁଳ ଭାବରେ ସାରା ବିଶ୍ୱର ଦୃଷ୍ଟି ଅାକର୍ଷଣ କରିଥିଲା l ଶେଷରେ ନିଷ୍କର୍ଷ ବାହାରିଲା ଯେ, କେବଳ ଭାରତବର୍ଷ ପରି ସଂସ୍କୃତିସମ୍ପନ ଦେଶରେ ଏପରି ଘଟଣା ସମ୍ଭବ l ପାଶ୍ଚାତ୍ଯ ଦେଶରେ ଏଭଳି ଘଟଣା ଘଟିବା କଥା ଚିନ୍ତା କରିବା ମଧ୍ୟ ଅସମ୍ଭବ l


ତାଙ୍କ ଚାଟଶାଳୀରେ ପାଠ ପଢିଥିବା ଅନେକ ଛାତ୍ରଛାତ୍ରୀ ଆଜି ନିଶ୍ଚୟ ସମାଜରେ ପ୍ରତିଷ୍ଠିତ ହୋଇଥିବେ ଏଥିରେ ସନ୍ଦେହ ନାହିଁ l ୧୦୪ ବର୍ଷ ବୟସରେ ମଧ୍ୟ ସେଦିନ ରାଷ୍ଟ୍ରପତି ଭବନରେ ଅଣ୍ଟା ସଳଖ ଭାବରେ ଖାଲି ପାଦରେ ଚାଲି ପଦ୍ମଶ୍ରୀ ଉପାଧି ଗ୍ରହଣ କରିଥିବା ଏଇ ନନ୍ଦ ସାର୍ ଆଗକୁ ଆଉ କିଛି ବର୍ଷ ନିଶ୍ଚୟ ବଞ୍ଚି ରହିବେ ବୋଲି ଯେକେହି ଆଶା କରିବା ସ୍ୱାଭାବିକ କଥା l


କିନ୍ତୁ ବହୁ ସମୟରେ ନିୟତିର ଖେଳ ଅଲଗା ହୋଇଥାଏ l ଆମେ ସମସ୍ତେ ଜାଣୁ ମହାକାଳର ଗତି ଅପ୍ରତିହତ l ଏହା ସର୍ବଦା ଚଳମାନ ଓ ସର୍ବଗ୍ରାସୀ ମଧ୍ୟ l ଏପରି କୌଣସି ବ୍ୟକ୍ତି ନାହିଁ ଯିଏ କାଳଦ୍ୱାରା କବଳିତ ହୋଇନାହିଁ ବା ହେବନାହିଁ । ଯାହାର ଜନ୍ମ ଅଛି - ମୃତ୍ଯୁ ତା ପାଇଁ ଏକ ନିଶ୍ଚିତ ସତ୍ୟ l ତେଣୁ ମୃତ୍ଯୁ ପରି ଏକ ଅବଶ୍ୟମ୍ଭାବି ସତ୍ୟକୁ କେବେ ଫାଙ୍କି ଦେଇ ହେବ ନାହିଁ l ଏହି କଥାକୁ ମଧ୍ୟ ଆଜି ଫାଙ୍କି ପାରିନାହାନ୍ତି ପଦ୍ମଶ୍ରୀ ନନ୍ଦ ସାର୍ l କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଗମନ କରିଛନ୍ତି ଓଡ଼ିଶାର ଏହି ଅସାଧାରଣ ବ୍ୟକ୍ତିତ୍ୱ ନନ୍ଦ ସାର୍ l ସମାଜସେବୀ ହେବାର ଗୌରବ ସମସ୍ତଙ୍କ ଭାଗ୍ୟରେ ନଥାଏ l କେବଳ ଯୋଗଜନ୍ମା ମାନେ ହିଁ ଏପରି ଗୌରବର ଅଧିକାରୀ ହୋଇ ଥାଆନ୍ତି । ସତରେ ଆଜି ସାରା ଓଡ଼ିଶାରେ ଶିକ୍ଷାଦାନ କ୍ଷେତ୍ରରେ ନନ୍ଦ ସାର୍ ହେଉଛନ୍ତି ଏକ ସୁପରିଚିତ ସମ୍ୱୋଧନ l ତାଙ୍କର ସରଳତା, ସାଧନା, ନିଷ୍ଠା ଓ ତ୍ୟାଗ କେବଳ ଆମ ରାଜ୍ୟ ଓଡ଼ିଶା କାହିଁକି ସମଗ୍ର ଦେଶବାସୀଙ୍କୁ ମଧ୍ୟ ଉଦବୁଦ୍ଧ କରୁଥିବ ଏଥିରେ ତିଳେହେଁ ସନ୍ଦେହ ନାହିଁ l


ସତରେ ନନ୍ଦ ସାର୍ ଆପଣ ସବୁଦିନପାଇଁ ଓଡ଼ିଶାବାସୀଙ୍କ ହୃଦୟରେ ରହିଥିବେ l ଆଜିର ଦିନରେ ଆପଣଙ୍କ ପରି ଯୋଗଜନ୍ମା ସନ୍ଥଙ୍କୁ କୋଟି ପ୍ରଣାମ l

ଜୟ ଜଗନ୍ନାଥ l



Rate this content
Log in

Similar oriya story from Classics