Prasanta Kumar Behera

Classics Inspirational Others

4.3  

Prasanta Kumar Behera

Classics Inspirational Others

ଶ୍ରୀକୃଷ୍ଣ ଏକାଡେମୀ.......

ଶ୍ରୀକୃଷ୍ଣ ଏକାଡେମୀ.......

16 mins
439



ଓଡ଼ିଶା ମୁଲକରେ ଜଗତସିଂହପୁର ନାଁ ଡାକ l ଶିକ୍ଷାରେ, ସଭ୍ୟତାରେ, ସଂସ୍କୃତିର ବିକାଶଧାରାରେ ଏ ଅଞ୍ଚଳର ସୁନାମ ଖାଲି ଓଡ଼ିଶା କାହିଁକି, ଓଡ଼ିଶା ବାହାରର ଲୋକଙ୍କୁ ବେଶ୍ ଜଣା l ବାଲିକୁଦା, ଏରସମା, ତିର୍ତ୍ତୋଲ, ଗୋବିନ୍ଦପୁର ଓ ଜଗତସିଂହପୁର ଥାନାକୁ ମିଶାଇଲେ ଯେଉଁ ପଞ୍ଚଥାନା ଅଞ୍ଚଳକୁ ବୁଝାଏ - ତା'ରି କେନ୍ଦ୍ରବିନ୍ଦୁ ଥିଲା ଆଜିର ଏହି ଜଗତସିଂହପୁର ସହର l ଆଜିଠୁ ୮୫ ବର୍ଷ ତଳେ - ଶିଶୁ ସହରଟିଏ l ସବରେଜେଷ୍ଟ୍ରି ଖାନା, ଥାନା, ଡ଼ାକଘର ଓ ମଟର ଷ୍ଟାଣ୍ଡ ଆଉ ଅଳ୍ପ କେତୋଟି ଦୋକାନ l ଏଇଥିଲା ଜଗତସିଂହପୁର l 


ଏଇ ଜଗତସିଂପୁରର ବର୍ତ୍ତମାନ ବଡ଼ ବଜାର ରୁପେ ପରିଚିତ ସ୍ଥାନରେ 

ଶ୍ରୀକୃଷ୍ଣ ଏକାଡେମୀ ତା ୦୧/୦୯/୧୯୩୫ ରିଖରେ ପ୍ରତିଷ୍ଠିତ ହୋଇଥିଲା, ଯାହା ପ୍ରଥମେ ହରିହରପୁର ଏକାଡେମୀ ଭାବେ ପରିଚିତ ଥିଲା l ଦେୱ୍ୱାନ ବାହାଦୁର ଶ୍ରୀକୃଷ୍ଣ ମହାପାତ୍ର, ଯିଏକି ଇଂରେଜ ସରକାରଙ୍କ IPS ଅଫିସର ତଥା ଅବିଭକ୍ତ କଟକ ଜିଲ୍ଲାର ଏସ୍.ପି. ବା ପୋଲିସ Superintendent ଥିଲେ ସେ ହରିହର ଏକାଡେମୀର ପ୍ରାଣପ୍ରତିଷ୍ଠାତା l ୧୯୪୫ ମସିହାରେ ଶ୍ରୀକୃଷ୍ଣ ମହାପାତ୍ରଙ୍କ ଦେହାନ୍ତ ପରେ ତାଙ୍କ ନାମ ଅନୁସାରେ ଏହା ଶ୍ରୀକୃଷ୍ଣ ଏକାଡେମୀ ହୋଇଛି l ଏମିତିରେ ଦେଖିବାକୁ ଗଲେ ଜଗତସିଂହପୁର ଜିଲ୍ଲା ମଧ୍ୟରେ ଆମ ଶ୍ରୀକୃଷ୍ଣ ଏକାଡେମୀର ପ୍ରତିଷ୍ଠା ବର୍ଷ ହିସାବରେ ଦୁଇ ନମ୍ବର ପୁରାତନ ସ୍କୁଲ୍ ଭାବରେ ପରିଗଣିତ ହେବ l ଯେହେତୁ ବନ ବିହାରୀ ହାଇସ୍କୁଲ୍, କୁଜଙ୍ଗ ୧୯୦୧ ମସିହାରେ ପ୍ରତିଷ୍ଠା ହେଇଥିଲା ଏହା ସର୍ଵ ପୁରାତନ ସ୍କୁଲ୍ l ସେହିପରି ତିର୍ତ୍ତୋଲ ଅଞ୍ଚଳର ଜଗନ୍ନାଥ ହାଇସ୍କୁଲ, କୋଲର୍ ୧୯୩୬ ମସିହା ଏବଂ ବାଲିକୁଦାର ସରକାରୀ ହାଇସ୍କୁଲ୍ ପ୍ରଥମେ ୧୮୮୫ ମସିହାରେ ଏକ ପ୍ରାଇମେରୀ ସ୍କୁଲ୍ ଭାବରେ ଆରଂଭ ହୋଇ ୧୯୪୨ ମସିହାରେ ଏକ ହାଇସ୍କୁଲ୍ ଭାବରେ ପ୍ରତିଷ୍ଠା ହୋଇଥିଲା l


ଜଣେ ଉଚ୍ଚ ପଦସ୍ଥ ପୁଲିସ୍ ଅଫିସର ହିସାବରେ ଶ୍ରୀକୃଷ୍ଣ ମହାପାତ୍ର ଭାରତରେ ଇଂରେଜ ଶାସନର ନିଷ୍ଠାପର ସମର୍ଥକ ଥିଲେ l ବିଂଶ ଶତାଦ୍ଧୀର ପ୍ରାରମ୍ଭରେ ଭାରତୀୟମାନଙ୍କ ସ୍ୱଦେଶ ପ୍ରୀତି ତଥା ବିଦେଶୀ ଶାସକଙ୍କ ପ୍ରତି ତୀବ୍ର ଘୃଣା ଜାତ ହୋଇଥିଲା l କଲିକତାର ମାଣିକତଲାରେ ଉଗ୍ର ଜାତୀୟତାବାଦୀଙ୍କର ଭୂତଳ କାର୍ଯ୍ୟକ୍ରମ ( Under Ground Movement ) ଅନୁସାରେ ବୋମା ତିଆରି ଚାଲିଥିଲା l ଏହି ସମୟରେ ଚାଟରା ଗ୍ରାମର ଶ୍ରୀକୃଷ୍ଣ ମହାପାତ୍ରଙ୍କ ଜ୍ୟେଷ୍ଠପୁତ୍ର ଶାରଦା ଚରଣ ମହାପାତ୍ର କଲିକତା କଲେଜରେ ଶିକ୍ଷାଲାଭ କରୁଥିଲେ l ସେ ଦେଶ ପ୍ରାଣ ଅରବିନ୍ଦଙ୍କ ସଂସ୍ପର୍ଶରେ ଆସି ତାଙ୍କ ଭୂତଳ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l


୧୯୦୫ ମସିହାରେ ଲର୍ଡ କାର୍ଜନଙ୍କ ବଂଗ ଭଂଗ ଆଇନ ପରେ ଏହି ଆନ୍ଦୋଳନ ତୀବ୍ରତର ହୋଇ ଭଠିଥିଲା l ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ଶ୍ରୀକୃଷ୍ଣ ମହାପାତ୍ରଙ୍କୁ କଲିକତାରେ ଅବସ୍ଥାପିତ କରାଯାଇଥିଲା l ସେ ନିଜ ପୁତ୍ରଠାରେ ବିଶ୍ୱାସ ଜନ୍ମାଇ ଏହି କାର୍ଯ୍ୟକ୍ରମ ବିଷୟରେ ଜାଣି ଏହାକୁ ପଣ୍ଡ କରିବାରେ ସଫଳ ହୋଇଥିଲେ l ଏହାଦ୍ୱାରା ସେ ଇଂରେଜ ସରକାରଙ୍କ ପ୍ରୀତିଭାଜନ ହୋଇଥିଲେ ସତ୍ୟ ମାତ୍ର ଭାରତର ଜଣେ ସୁୃଯୋଗ୍ୟ ସନ୍ତାନ ପ୍ରତିଭାଧର ଯୁବକ ଶାରଦାଙ୍କ ଆତ୍ମବଳିଦାନ ଶ୍ରୀକୃଷ୍ଣ ମହାପାତ୍ରଙ୍କ ପରିବାର ତଥା ସମଗ୍ର ରାଜ୍ୟରେ ସେତେବେଳେ ଅଶାନ୍ତିର ବାତାବରଣ ସୃଷ୍ଠି କରିଥିଲା l ଏଥିପାଇଁ ଶ୍ରୀକୃଷ୍ଣ ମହାପାତ୍ର ଦେୱ୍ୱନ ବାହାଦୂର ଉପାଧିରେ ଭୂଷିତ ହୋଇଥିଲେ l


ସରକାରି ଚାକିରୀରୁ ଅବସର ନେବାପରେ ମହାପାତ୍ର ସାହେବ ୧୯୩୫ ମସିହାରେ ହରିହରପୁର ଏକାଡେମୀ ସ୍ଥାପନ କଲେ l ସେ କଟକର ସନସାଇନ ପଡିଆ ପାଖରେ ଥିବା ତାଙ୍କ ଦୁଇ ମହଲା କୋଠାଘରେ ରହୁଥିଲେ l ସେ ମାସେ ଦୁଇମାସ ଅନ୍ତରରେ ସ୍କୁଲକୁ ଆସନ୍ତି ଆୟବ୍ୟୟ , ଅଭାବ ଅସୁବିଧା ସମାଧାନ କରିବା ପାଇଁ l କଟକ ମୋଟର ଆସୋସିଏସନର ବସ୍ ତାଙ୍କୁ କଟକ ନିବାସରୁ ଆଣି ସ୍କୁଲର ପ୍ରବେଶପଥ ପାଖରେ ଓହ୍ଲାଇ ଦେଇଯାଏ l ସେଠାରେ ତାଙ୍କୁ ସ୍ୱାଗତ କରିବା ପାଇଁ କିରାଣୀବାବୁ , ତାଙ୍କ ଗୁମାସ୍ତା ବାମଦେବ ବାବୁ , ପିଅନ ସାଉଟିଆ ଓ ଛାତ୍ରାବାସରେ ରହୁଥିବା ଶିକ୍ଷକ ମାନେ ହାଜର ଥାନ୍ତି l


ସାହେବ ତାଙ୍କ ଚାଟରା ନିବାସରେ ନରହି ସ୍କୁଲରେ ରହନ୍ତି l ତାଙ୍କ ରହଣି ପାଇଁ କିରାଣୀ ବାବୁଙ୍କ ଦପ୍ତର କୋଠରୀକୁ ସୁସଜ୍ଜିତ କରାଯାଇଥାଏ l ତାଙ୍କ ଗୁମାସ୍ତା ବାମଦେବ ବାବୁ , କିରାଣୀ ଜୀରା ଗ୍ରାମର ଅନାଦି ବାବୁ ମିଳିମିଶି ସାହେବଙ୍କ ରହଣି, ଜଳଯୋଗ, ଖାଦ୍ୟ ଗ୍ରହଣ ସାହେବଙ୍କ ରୁଚି ଅନୁସାରେ ଆୟୋଜନ କରିଥାନ୍ତି l ସାହେବଙ୍କ ଆସିବା, ଠାଣିମାଣି , ଚଳଣି , ଅନୁଗତମାନଙ୍କ କାରବାର ସେତେବେଳେ ପିଲାମାନଙ୍କ ମନରେ ବେଶ କୈାତୁହଳ ସୃଷ୍ଟି କରେ l ଶୀତଦିନେ ସାହେବ ଆପାଦ ମସ୍ତକ ଗରମ ପୋଷାକ ପରିହିତ ହୋଇ , ପାଦରେ ମୋଜା , ଯୋତା , ମୁଣ୍ଡରେ ପଗଡିବାଂଧି ପ୍ରବେଶ କରନ୍ତି l ଉଚ୍ଚ ଭୂମିକୁ ଉଠୁଉଠୁ ସାହେବଙ୍କୁ ବାମଦେବ , ଅନାଦିବାବୁ ଆଦି ସମସ୍ତେ ନତମସ୍ତକ ହୋଇ ଆଜ୍ଞା ଆଜ୍ଞା କହୁଥାନ୍ତି l ସମଗ୍ର ହତାରେ ନୀରବତା ଓ ସମ୍ଭ୍ରମତା ରାଜତ୍ୱ କରେ l ଶିକ୍ଷାଦାନ ସମୟରେ ଛାତ୍ରମାନେ ନିରବତା ରକ୍ଷା କରି ଶୃଙ୍ଖଳା ସହକାରେ ବସନ୍ତି l 


ଛାତ୍ରବାସର ଛାତ୍ରମାନଙ୍କୁ ସାହେବ ନିଜ ପୁଅ ନାତି ପରି ଶ୍ରଦ୍ଧା କରନ୍ତି l ତାଙ୍କ ଜ୍ୟେଷ୍ଠ ପୁତ୍ର ନିଲୁ ବାବୁଙ୍କ ବଡ ପୁଅ ସୋମନାଥ ୧୯୪୦ ରୁ ୧୯୪୪ ଯାଏ ସ୍କୁଲ ର ଛାତ୍ର ଥିଲେ l ସେତେବେଳେ କିଛି ଛାତ୍ର ସମବେତ ହୋଇ ତାଙ୍କ ନିକଟକୁ ଯାଇ ଜଣାଇଲେ , " ସାର୍ , ହଷ୍ଟେଲରେ ଆମକୁ ଖଟ ଯୋଗାଇ ଦିଆଯାଉ , ଖଟ ଅଭାବରେ ଆମେ ପରଷ୍ପର ଲଗାଲଗି ହୋଇ ଶୋଉଚୁ l ନିଜର ଆସବାସପତ୍ର ରଖିବାକୁ ଜାଗା ନାହିଁ l ସରୂସୃପ ଭୟ ବି ରହୁୃଛି |" 


ସାହେବ ପ୍ରତିଶ୍ରୁତି ଦେଲେ , ସାପ୍ତାହକ ମଧ୍ୟରେ ଖଟ ଯୋଗାଇ ଦିଆଯିବ l ବାସ୍ତବରେ ଦିନରାତି ଲାଗି ସପ୍ତାହକ ମଧ୍ଯରେ ୮୦ ଟି ଖଟ ଯୋଗାଇ ଦିଆଗଲା l 


୨ୟ ବିଶ୍ୱଯୁଧ୍ଯ ସମୟ , କିରୋସିନି ମିଳୁନଥାଏ l ଛାତ୍ରାବାସର ସବୁ ପିଲା ଏକଠି ହୋଇ ସାହେବଙ୍କୁ ଜଣାଇଲେ କି କିରୋସିନି ଅଭାବରେ ତାଙ୍କ ପାଠପଠା ଠିକ୍ ସେ ହୋଇ ପାରୁନି l ସାହେବ ସଂଗେ ସଂଗେ ଜଗତସିଂହପୁର Supply Inspector ଙ୍କ ପାଖକୁ ଚିଠି ଲେଖିଲେ , 


" Not a single drop of kerosene. My students are grouping in darkness. Supply one tin of Kerosene today & fix monthly quota for hostel "


ସେହିଦିନ ସଂଧା ପୂର୍ବରୁ ଛାତ୍ରବାସ ପାଇଁ କିରୋସିନି ଆସିଯାଇଥିଲା l ହରିହରପୁର ରେ ତାଙ୍କ ପ୍ରତିପତ୍ତିର ସୀମା ନ ଥିଲା , ସମ୍ନାନ ଓ ଭୟ ବି ଥିଲା l


ବର୍ତ୍ତମାନ ଆମେ ଶ୍ରୀକୃଷ୍ଣ ଏକାଡେମୀର ଭୌଗୋଳିକ ଅବସ୍ଥିତି ଉପରେ ଆଲୋକପାତ କରିବା l ଏହାର ହତା ପରିସର ଇଚ୍ଚ ଓ ନିମ୍ନ ଭାବରେ ଦୁଇ ଭାଗରେ ବିଭକ୍ତ l ଉଚ୍ଚ ଭୂମିରୁ ନିମ୍ନ ଭାଗକୁ ଅବତରଣ ପାଇଁ ୮/୧୦ ଟି ସୋପାନର ଏକ ପକ୍କା ସିଡି ରହିଅଛି l ପ୍ରଥମେ ଉଚ୍ଚ ଭୂମିରେ ଦୁଇଧାଡି ଆଜବେଷ୍ଟସ ଛାତ ଥିବା ପକ୍କା ଘର ଯାହା ଏବେ କଂକ୍ରିଟ୍ ଛାତ ହୋଇସାରିଛି ଉଭୟ ପୂର୍ବ ଓ ପଶ୍ଚିମ ଭାଗରେ ବିଦ୍ଯମାନ l ଏବେ ସେଠି ସ୍କୁଲ୍ ର ପ୍ରାଣ ପ୍ରତିଷ୍ଠାତା ଶ୍ରୀକୃଷ୍ଣ ମହାପାତ୍ର (୧୮୭୦ - ୧୯୪୫ ) ତଥା ବିଦ୍ୟାଳୟର ବଶିଷ୍ଟ ତିନି ଜଣ ପ୍ରଧାନ ଶିକ୍ଷକ ଯେଉଁମାନେ ସାରା ଓଡ଼ିଶାରେ ନିଜକୁ ପ୍ରତିଷ୍ଠିତ କରିଥିଲେ - ସ୍ୱର୍ଗତ ଶ୍ରୀଯୁକ୍ତ ନୃସିଂହ ଚରଣ କାନୁନଗୋ ( ୦୨/୦୮/୧୮୯୬ - ୨୮/୦୯/୧୯୬୯ ) ସ୍ୱର୍ଗତ ଶ୍ରୀଯୁକ୍ତ ଯୋଗେନ୍ଦ୍ର ନାଥ ଦାଶ ( ୨୫/୦୨/୧୯୨୧ - ୦୨/୦୧/୨୦୦୨) ଓ ସ୍ୱର୍ଗତ ଶ୍ରୀଯୁକ୍ତ ସୁର ପ୍ରସାଦ ମହାପାତ୍ର (୧୦/୦୭/୧୯୨୯ - ୧୯/୧୧/୨୦୦୪ ) ଙ୍କ ପ୍ରତିମୂତ୍ତି ସ୍ଥାପନ କରାଯାଇଛି l


ଦକ୍ଷିଣରେ ଅବସ୍ଥିତ ଗୃହର ଚାରୋଟି କୋଠରୀ ହେଡମାଷ୍ଟରଙ୍କ କାର୍ଯ୍ଯାଳୟ , କିରାଣୀବାବୁଙ୍କ ଦପ୍ତର ଓ ଟିଚର୍ ମାନଙ୍କର ବିଶ୍ରାମଗୃହ - ନିବାସ ଭାବେ ବ୍ଯବହୃତ ହେଉଥିଲା l ଉତ୍ତର ଭାଗସ୍ଥ ଗୃହ ଛାତ୍ରାବାସ ଭାବେ ସେତେବେଳେ ବ୍ୟବହୃତ ହେଉଥିଲା l ଉଭୟଗୃହର ପୂର୍ବ ସୀମାରେ ଥିଲା ୩ ବଖରା ମାଟିଘର , ଯାହା ଛାତ୍ରାବାସର ରଂଧନଶାଳା , ଷ୍ଟୋରରୁମ୍ ଓ ପୂଜାରୀ ସେବକମାନଙ୍କ ରହିବା ଘର ଯାହା ଆଉ ଏବେ ନାହିଁ l ସ୍କୁଲ ପରିସରରେ ଏବେ ଛାତ୍ରାବାସ ବି ନାହିଁ l


ନିମ୍ନଭୂଭାଗ ସମତଳ ଭୂମିରେ ହାତୀଶାଳ ପରି ସମୁଚ୍ଚ କଚ୍ଚାଘର ୫ ବଖରା ଥିଲା ୧୯୪୦ ରେ ଶ୍ରେଣୀଗୃହ l ୧୯୪୫ରେ ୬ଷ୍ଠ ଓ ୭ମ ଶ୍ରେଣୀ ଖୋଲାଯାଇ ପଶ୍ଚିମ ସୀମାରେ ଥିବା କଚ୍ଚାଘର ଏହାର ଶ୍ରେଣୀ ଗୃହ ଭାବେ ବ୍ୟବହୃତ ହେଉଥିଲା l ପରେ ୮ମ, ୯ମ,୧୦ ମ ଓ ୧୧ ଶ୍ରେଣୀ ଖୋଲିବା ସହ ଏହା ଏକ ଇଚ୍ଚ ବିଦ୍ୟାଳୟରେ ପରିଣତ ହେଲା l ପ୍ରଥମେ ଥିବା କଚ୍ଚାଘର ୧୯୮୨ ରେ ମୁଁ ୬ଷ୍ଠ ରେ ସ୍କୁଲକୁ ଯିବା ପୂର୍ବରୁ ଆଜବେଷ୍ଟସ ହୋଇସାରିଥିଲା ଯାହାକି ଏବେ ଛାତ ଘରରେ ପରିଣତ ହୋଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସ୍ ରୂପେ ବ୍ୟବହୃତ ହେଉଛି l ପ୍ରଥମରୁ ସ୍କୁଲ ହତାରେ କେତେଗୁଡିଏ ନିମ୍ବ ଗଛ ଥିଲା , ଯାହା ଏବେ ଆଉ ନାହିଁ l ଏବେ କିଛି ଦେବଦାରୁ ଆଦି ଗଛ ସ୍କୁଲ ପରିସରରେ ଶୋଭା ପାଉଛନ୍ତି l


ସତରେ ଖୁବ୍ ଦୁଃଖ ଲାଗୁଛି ଆମ ଶ୍ରୀକୃଷ୍ଣ ଏକାଡେମୀର ଖେଳ ପଡିଆରେ କାଇଁ କେଉଁ କାଳରୁ ଥିବା ସେଇ ଐତିହାସିକ ଆମ୍ୱଗଛଟି "ଫଣି" ବାତ୍ୟାରେ ସମ୍ପୂର୍ଣ୍ଣରୂପେ ଉପୁଡ଼ି ପଡ଼ିଲା l ୧୯୯୯ ଅକ୍ଟୋବର୍ ମହାବାତ୍ୟା ଯାହାର କିଛି ବି କ୍ଷତି କରି ପାରିନଥିଲା ତାହା ଫଣି ରୂପକ ଝଡ ତୋଫାନରେ ଭୂଲୂଣ୍ଠିତ ହେଲା l


ଏ ଥିଲା ସେଇ ଆମ୍ୱ ଗଛ ଯାହା ମୂଳରେ ଆମ ସଦର ମହକୁମାରେ ପ୍ରତିଷ୍ଠା ହୋଇଥିବା ଜିଲ୍ଲାର ସର୍ବପୁରାତନ ଓ ସର୍ବବୃହତ କଲେଜ ଏସ୍.ଭି.ଏମ୍. କଲେଜ ପ୍ରତିଷ୍ଠା ପାଇଁ ପ୍ରଥମ ସଭା ତା ୨୭/୧୦/୧୯୫୭ ରିଖରେ ବଳଭଦ୍ର ମିଶ୍ରଙ୍କ ଆବାହକତ୍ୱରେ ବୟୋଜ୍ୟେଷ୍ଠ ସ୍ୱାଧୀନତା ସଂଗ୍ରାମୀ ପ୍ରାଣକୃଷ୍ଣ ପଢିହାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ବିରାଟ ସଭାରେ ପ୍ରାଣକୃଷ୍ଣ ପରିଜାଙ୍କୁ ସଭାପତି , ଶ୍ରୀପତି ନନ୍ଦଙ୍କୁ ସଂପାଦକ ଏବଂ ସଦସ୍ୟ ଭାବରେ ପ୍ରାଣକୃଷ୍ଣ ପଢିହାରୀ, ବଳଭଦ୍ର ମିଶ୍ର, ଭାଗୀରଥି ମହାପାତ୍ର, ଶ୍ୟାମା ଚରଣ ମହାପାତ୍ର ଓ ବନମାଳୀ ସାହୁଙ୍କୁ ନେଇ କଲେଜ କମିଟି ଗଠନ ହେଲା l ଦ୍ୱିତୀୟ ସଭାଟି ତତ୍କାଳୀନ ସୁନାମଧନ୍ୟ ରାଜନେତା ଭାଗିରଥୀ ମହାପାତ୍ରଙ୍କ ସଭାପତିତ୍ୱରେ ଓ ତୃତୀୟ ସଭାଟି କେନ୍ଦ୍ରମନ୍ତୀ ନିତ୍ୟାନନ୍ଦ କାନୁନଗୋଙ୍କ ସଭାପତିତ୍ୱରେ ସେଇ ଆମ୍ବ ଗଛ ମୂଳରେ ହିଁ ଅନୁଷ୍ଠିତ ହୋଇଥିଲା l


ଏଇ ଆମ୍ୱଗଛ ମୂଳରେ ବ୍ରିଟିଶ୍ ଶାସନ ସମୟ ଠାରୁ ଆରମ୍ଭ କରି ସ୍ୱାଧୀନତା ପରବର୍ତ୍ତି ସମୟରୁ ଆଜି ପର୍ଯ୍ୟନ୍ତ କେତେ ରାଜନୈତିକ ଓ ଅଣ- ରାଜନୈତିକ ସଭା ଅନୁଷ୍ଠିତ ହୋଇଯାଇଛି ତାହାର ହିସାବ ନାହିଁ l ପୁନଶ୍ଚ ଏଇ ଗଛମୂଳେ କେତେ ପ୍ରଜାତିର ଲୋକ ବର୍ଷର ବିଭିନ୍ନ ସମୟରେ କିଛି ଦିନ ପାଇଁ ଅସ୍ଥାୟୀ ଭାବରେ ବସବାସ କରି ପୁଣି ନିଜ ଲକ୍ଷ୍ୟ ପଥରେ ଚାଲିଯାଆନ୍ତି ତା'ର ବି ହିସାବ ନାହିଁ l 


ଶ୍ରୀକୃଷ୍ଣ ଏକାଡେମୀରେ ମୁଁ ୧୯୮୧ ରୁ ୧୯୮୬ ଯାଏ ଅର୍ଥାତ୍ ୬ଷ୍ଠ ଶ୍ରେଣୀରୁ ଦଶମ ପର୍ଯ୍ୟନ୍ତ ୫ ବର୍ଷ ପଢିବା ବେଳେ ଏଇ ଗଛ ମୂଳରେ ସାଙ୍ଗସାଥିଙ୍କ ସହ କ୍ରିକେଟ, ଗୁଚିତାଣ୍ଡି , ଗୁଲିଖେଳ ଅଦି କେତେ ପ୍ରକାରର ଖେଳ ଖେଳିବା ସହ କେତେ ଦୁଷ୍ଟାମି କରିଛି ସେ ସବୁ ଆଜି ମୋ ସ୍ମୃତିରେ ସେମିତି ସାଇତା ହୋଇ ରହିଛନ୍ତି l 


ଏହି ପଡିଆର ଉତ୍ତର ପଶ୍ଚିମାଂଶରେ ବହୁପୂର୍ବର ଏକ ଚାରିକୋଣିଆ ପଥର ବାମ୍ଫି ରହିଛି, ଯାହାକୁ ଘୋଡାଡିଆ ବାମ୍ପି ବୋଲି ଖ୍ୟାତ l ୧୯୩୫ ମସିହାରେ ଶ୍ରୀକୃଷ୍ଣ ଏକାଡେମୀ ପ୍ରତିଷ୍ଠା ହେବା ପରେ ଛାତ୍ରାବାସ ଓ ରନ୍ଧଶାଳା ପାଇଁ ଜଳ ୧୯୬୦ ମସିହା ଯାଏ ଏହି ବାମ୍ପିରୁ ହିଁ ଆସୁଥିଲା l ଏହି ବାମ୍ଫିଟି ନଅଙ୍କ ଦୁର୍ଭିଖ୍ୟବେଳେ କଟକରେ ଅବସ୍ଥାପିତ କମିଶନର ଟି.ଇ. ରେଭେନ୍ସାଙ୍କ ଶାସନବେଳେ ନିର୍ମିତ ହୋଇଥିଲା l ଫିରିଗିଂ କୋଠିରେ ବାଣିଜ୍ୟ ବ୍ୟବସାୟ କରୁଥିବା ଇଂରେଜ ବଣିକମାନଙ୍କ ଦ୍ୱାରା ଏହା ନିର୍ମିତ ବୋଲି ଅନ୍ୟ କେତେକ ବ୍ୟକ୍ତି ମତ ବ୍ୟକ୍ତ କରିଛନ୍ତି l କିନ୍ତୁ ଏବେ ଏହି ବାମ୍ପି ସମ୍ପୂର୍ଣ୍ଣ ପୋତିହୋଇ ଯାଇ ମୃତ l


ଆମ ଶ୍ରୀକୃଷ୍ଣ ଏକାଡେମୀର ସ୍ବାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ ସହ ଥିବା ନିବିଡ ସଂପର୍କ ଉପରେ ଏବେ ଆଲୋଚନା କରିବା l ଶ୍ରୀକୃଷ୍ଣ ଏକାଡେମୀର ପ୍ରତିଷ୍ଠାତା ଦେୱାନ ବାହାଦୁର୍ ଶ୍ରକୃଷ୍ଣ ମହାପାତ୍ର ତାଙ୍କ ଡାଇରୀରେ ଲେଖିଥିଲେ - 


" କଲେଜଟିଏ କରନ୍ତି, ତା' ପରେ ମରନ୍ତି l " 


ସେ ବାସନା ତାଙ୍କର ପୂର୍ଣ୍ନ ହୋଇପାରିଲା ନାହିଁ l ସେ ଥିଲେ ଜଣେ ଉଚ୍ଚପଦସ୍ଥ ପୋଲିସ୍ ଅଫିସର l କିନ୍ତୁ ତାଙ୍କର ସେ ବାସନା ପୂର୍ଣ୍ନ କଲେ ଆଉ ଜଣେ ଉଚ୍ଚ ପଦସ୍ଥ ପୋଲିସ୍ ଅଫିସର ଶ୍ରୀଯୁକ୍ତ ଶ୍ରୀପତି ନନ୍ଦ l


୧୯୫୭ - ୫୮ ମସିହାରୁ ଜଗତସିଂହପୁର ରେ ଏକ କଲେଜ ପ୍ରତିଷ୍ଠା ନିମନ୍ତେ ହରିହରପୁର ମୈଜାର ଶ୍ରୀଯୁକ୍ତ ବନମାଳୀ ସାହୁଙ୍କ ମୁଣ୍ଡରେ ଚିନ୍ତା ଘାରିଲା l ଶ୍ରୀଯୁକ୍ତ ସାହୁ ସେତବେଳର ଜମିଦାର ଶ୍ରୀଯୁକ୍ତ ବଳଭଦ୍ର ମିଶ୍ର ମହାଶୟଙ୍କ ସହ ଏ ସଂକ୍ରାନ୍ତରେ ଯୋଗାଯୋଗ କଲେ l ଶ୍ରଯୁକ୍ତ ମିଶ୍ର ଉକ୍ତ ମହତ୍ ପ୍ରସ୍ତାବରେ ସମ୍ନତି ଜଣାଇ ତାଙ୍କ ଜ୍ୱାଇଁ ତଥା ପୋଲିସ୍ ଏସ୍. ପି. ଚାକିରିରୁ ଅବସର ଗ୍ରହଣ କରିଥିବା ଶ୍ରୀଯୁକ୍ତ ଶ୍ରୀପତି ନନ୍ଦଙ୍କ ପରାମର୍ଶ ଲୋଡିଲେ l ଶ୍ରୀଯୁକ୍ତ ନନ୍ଦ ଜମିଦାର ତଥା ନିଜର ଶ୍ୱଶୁର ଶ୍ରୀଯୁକ୍ତ ବଳଭଦ୍ର ମିଶ୍ରଙ୍କ ପ୍ରସ୍ତାବକୁ ସ୍ୱାଗତ କରି କଲେଜ କରିବାକୁ ଅଣ୍ଟା ଭିଡିଲେ l 


କଲେଜ ପାଇଁ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ପ୍ରାଙ୍ଗଣରେ ଅଧିକାଂଶ ସଭା ସମିତି ହେଉଥିଲା l ସ୍କୁଲ ପିଲାମାନେ ପ୍ରତିମାସ ଫିସ୍ ସହିତ ଏକଅଣା ଚାନ୍ଦା କଲେଜ ନିମନ୍ତେ ଦେଉଥିଲେ l ଶ୍ରୀପତି ନନ୍ଦ କଲେଜ କମିଟର ସମ୍ପାଦକ ଭାବରେ ସ୍କୁଲର ଏକ କୋଠରୀରେ କଲେଜ ପାଇଁ କାର୍ଯ୍ୟ କରୁଥିଲେ l ପୂର୍ବରୁ କହିଛି ଯେ ସ୍କୁଲ୍ ପଛପଟେ ଥିବା ସେଇ ଐତିହାସିକ ଆମ୍ୱଗଛ ମୂଳରେ କଲେଜ ହେବାପାଇଁ ତିନୋଟି ବଡ଼ ସଭା କରାଯାଇଥିଲା l


ବିଭିନ୍ନ ସୁତ୍ରରୁ ଆଦାୟ କରାଯାଇଥବା ଚାନ୍ଦାରେ ତା ୧୬-୦୧-୧୯୬୦ ରିଖରେ କଲେଜ ପାଇଁ ବନମାଳୀ ବାବୁଙ୍କ ତତ୍ତ୍ୱାବଧାନରେ ୧୭୫୪୦୦ ( ଏକ ଲକ୍ଷ ପଚସ୍ତରି ହଜାର ଚାରିଶହ ) ଇଟା ପଡ଼ିଥିଲା l ତେବେ କଲେଜ ପ୍ରତିଷ୍ଠା ପାଇଁ ୧୯୫୭ ମସିହାରୁ ଆରମ୍ଭ ହୋଇଥିବା ପ୍ରୟାସ ୧୯୬୨ ମସିହାରେ ସେତେବେଳେ ଓଡିଶାର ଉପମୁଖ୍ୟ ମନ୍ତ୍ରୀ ଥିବା ରଘୁନାଥପୁର ଅଞ୍ଚଳର ବାସିନ୍ଦା ଶ୍ରୀଯୁକ୍ତ ବିରେନ୍ ମିତ୍ର କଲେଜ କମିଟିର ସଭାପତି ହେବାକୁ ମଙ୍ଗିବା ପରେ ଫଳପ୍ରଦ ହେବାକୁ ଯାଉଛି ବୋଲି ଜଣାପଡିଥିଲା l ୧୯୫୮ ମସିହାରେ କେନ୍ଦ୍ରାପଡ଼ା କଲେଜର ପ୍ରତିଷ୍ଠାତା ଦୀନବନ୍ଧୁ ସାହୁ ମନ୍ତ୍ରୀ ଥିବାରୁ ସରକାରୀ ସ୍ତରରେ ସବୁ ପ୍ରକାରର ସହଯୋଗ ପାଇବାଠାରୁ କଲେଜ ପାଇଁ ପାଣ୍ଠି ଯୋଗାଡ ପର୍ଯ୍ୟନ୍ତ ସବୁଥିରେ ତାଙ୍କର ଭୁମିକାକୁ ଲକ୍ଷ୍ୟକରି ଆମ କଲେଜର କର୍ମକର୍ତ୍ତାମାନେ ମଧ୍ଯ ଠିକ୍ ସେଇ ତରିକାରେ ଜଗତସିଂହପୁର କଲେଜ ପ୍ରତିଷ୍ଠା କରିବାକୁ ଆଗେଇବା ପାଇଁ ବିରେନ୍ ମିତ୍ରଙ୍କୁ କଲେଜ କମିଟିର ସଭାପତି କରିଥିଲେ l ନଚେତ୍ ୧୯୫୯ ମସିହା ଅକ୍ଟୋବର୍ ୧୯ ତାରିଖରେ ଦାନ ଖରିଦ ଜମି ୧୪ ଏକର ଏବଂ ଲିଜ୍ ଏକ୍ସଚେଞ୍ଚ୍ ଜମି ୧୨ ଏକର ମୋଟ ୨୬ ଏକର ଜମି କଲେଜ ନାମରେ କରାଯିବା ସହିତ ପାଖରେ ଥିବା ୧୧ ଏକର ସରକାରୀ ଜମିକୁ ମିଶାଇ ମୋଟ ୩୭ ଏକର ଜମିରେ କଲେଜ ହେବାକୁ ସ୍ଥିର କରାଗଲା ଏବଂ ୧୯୬୦ ମସିହା ଜାନୁଆରୀ ମାସ ୧୬ ତାରିଖରେ ଶ୍ରୀଯୁକ୍ତ ବନମାଳୀ ସାହୁଙ୍କ ତତ୍ତ୍ୱାବଧାନରେ ଏକ ଲକ୍ଷ ପଚସ୍ତରୀ ହଜାର ଚାରି ଶହ ଇଟା ପଡିଥିଲେ ମଧ୍ୟ କଲେଜ ପାଇଁ କୋଠା ନିର୍ମାଣ କରାଯାଇ ପାରୁନଥିଲା l ଶ୍ରୀଯୁକ୍ତ ମିତ୍ର ପରିଚାଳନା ସମିତିର ସଭାପତି ହେବାପରେ କଲେଜକୁ ପ୍ରତିଷ୍ଠା କରିବାରେ ସବୁ ପ୍ରକାର ସହଯୋଗ କରିଥିଲେ l କଲେଜ କୋଠା ତିଆରି କରିବା ପାଇଁ ନିଜେ ଏକ ଓ୍ୱାଗନ୍ ସିମେଣ୍ଟ ( ୫୫୦ ବସ୍ତା ) ଏବଂ ସେତେବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଠାରୁ ୧୦୦୦୦/- ( ଦଶ ହଜାର ଟଙ୍କା ) ଆଣି ଦେବାରୁ କଲେଜ ଘର ତିଆରି କାମ ଆରମ୍ଭ ହୋଇଥିଲା l ଏହି ଘର ତିଆରି କାମରେ ଶ୍ରୀକୃଷ୍ଣ ଏକାଡେମୀର ଛାତ୍ରମାନେ ଶ୍ରମ ଦାନ କରିଥିବା ବେଳେ କଲେଜକୁ ଏକ ରାସ୍ତା ତିଆରି କରିବାରେ ପ୍ରମୁଖ ଭୂମିକା ନେଇଥିଲେ l ସେଇ ରାସ୍ତା ଠିକ୍ ଶ୍ରୀକୃଷ୍ଣ ଏକାଡେମୀ ପଛପଟେ ମାଛଗାଁ କେନାଲ ଉପରେ ତିଆରି ହୋଇଥିବା କାଠ ପୋଲରୁ ଅଳକା ନଦୀ ଭିତର ଦେଇ କଲେଜକୁ ଯାଇଥିଲା, ଠିକ୍ ଏବେ ଯେଉଁଠି ଅଳକା ନଦୀକୁ ମାଛଗାଁ କେନାଲରୁ ପାଣି ନିଷ୍କାସନ ପାଇଁ ସାଇଫନ୍ ରହିଛି l


ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏହି ଦଶ ହଜାର ଟଙ୍କା ଦେବାର ମୂଳରେ ମଧ୍ୟ ଶ୍ରୀକୃଷ୍ଣ ଏକାଡେମୀର ଅବଦାନ ରହିଛି l ୧୯୬୧ ମସିହାରେ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଜଗତସିଂହପୁର ଦେଇ ଏକ ଗ୍ରସ୍ତ କାର୍ଯ୍ୟକ୍ରମ ଥିଲା l ସେତେବେଳେ ଶ୍ରୀକୃଷ୍ଣ ଏକାଡ଼େମୀର ସମସ୍ତ ଛାତ୍ର ଓ ଶିକ୍ଷକମାନେ ରାସ୍ତା କଡ଼ରେ ଠିଆ ହୋଇ ତାଙ୍କୁ ସ୍ୱାଗତ କରିଥିଲେ l ବିଜୁ ବାବୁ ଛୋଟ ପିଲାମାନଙ୍କୁ ଦେଖି କାର୍ ରୁ ଓଲ୍ହାଇ ପଡ଼ିଲେ ଆଉ ସେଇ ମୌକାରେ ଆମ ଅଞ୍ଚଳରେ କଲେଜ କରିବାକୁ ଅଣ୍ଟା ଭିଡ଼ିଥିବା ଶ୍ରୀପତି ନନ୍ଦଙ୍କ ନେତୃତ୍ୱରେ କିଛି ଯୁବକ ତାଙ୍କୁ ଏକ ଦାବୀପତ୍ର ଦେଇଥିଲେ l ବିଜୁ ବାବୁ ଏମିତରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟକୁ ଖୁବ୍ ଭଲ ପାଉଥିଲେ ଆଉ ସେଇ ହିସାବରେ ଦାବି ପତ୍ର ଗ୍ରହଣ କରିବାବେଳେ କହିଥିଲେ ଯେ, ବିଜ୍ଞାନ କଲେଜ କର ମୁ୍ଁ ନିଶ୍ଚେ ସାହାଯ୍ୟ କରିବି l ତାଙ୍କ ପରାମର୍ଶ ହିସାବରେ ହିଁ କଲେଜରେ ପ୍ରଥମେ ବିଜ୍ଞାନ ଶ୍ରେଣୀ ଖୋଲାଯିବା ସହିତ ଆମ କଲେଜର ନାମ ଜଗତସିଂହପୁର ବିଜ୍ଞାନ କଲେଜ ରଖାଯାଇଥିଲା l ପରେ ଏହାର ନାମ ସ୍ବାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ ହୋଇଥିଲା l


୧୯୬୩ ମସିହାରେ କଲେଜ ପ୍ରତିଷ୍ଠିତ ହେଲା l ପ୍ରିନସିପାଲ ଭାବରେ ଡେପୁଟେସନରେ ଶ୍ରୀଯୁକ୍ତ ଉପେନ୍ଦ୍ର ଚନ୍ଦ୍ର ପଣ୍ଡାଙ୍କୁ ଅଣାଗଲା ଯିଏକି ଶ୍ରୀକୃଷ୍ୱ ଏକାଡେମୀର ଜଣେ ପୁରାତନ ମେଧାବୀ ଛାତ୍ର ଥିଲେ l


୧୯୬୩ ମସିହାରେ ଶ୍ରୀଯୁକ୍ତ ସୁର ପ୍ରସାଦ ମହାପାତ୍ର ଶ୍ରୀକୃଷ୍ୱ ଏକାଡେମୀର ସହକାରୀ ହେଡମାଷ୍ଟର ଥିଲେ l ସେ ଯାହା ନଜ ଭାଷାରେ ଲେଖିଛନ୍ତି ନିମ୍ନରେ ରଖୁଛି l


" ଅତୀତ ଭପରେ ଠିଆ ହୁଏ ବର୍ତ୍ତମାନ , ଆଉ ବର୍ତ୍ତମାନ ଉପରେ ଠିଆହୁଏ ଭବିଷ୍ୟତ l ତେଣୁ ଭବିଷ୍ୟତକୁ ଉଜ୍ଳଳ କରିବାକୁ ହେଲେ ଏବଂ ବର୍ତ୍ତମାନକୁ ସୁରୁଚି ସମ୍ପନ୍ନ କରିବାକୁ ହେଲେ ଅତୀତକୁ କଦାପି ଏଡେଇ ଦେଇ ହେବନାହିଁ l....... କଲେଜ ପାଇଁ ମୁଁ ସ୍କୁଲ ପିଲାଙ୍କୁ ସାଂଗରେ ନେଇ ଇଟା ବୋହିଛି l ମାଛଗାଁ କେନାଲ୍ ଉପରେ ଗୋଟିଏ ବାଉଁଶ ଚାର ଥାଏ l ଅଳକା ନଈ ଉପରେ ଗୋଟିଏ ଦଦରା କାଠ ପୋଲ ଥାଏ l ବର୍ଷାଦିନେ କେନାଲ୍ ବନ୍ଧରୁ ନଈ କୁ ଗଲାବେଳେ ଯେଉଁ ଖସଡା, ସେ କଥା ଯେ ଅଂଗେ ନିଭେଇଚି ସେ ଜାଣେ l ସବୁ ଅସୁବିଧା ସତ୍ତ୍ୱେ କଲେଜ ଘର ତିଆରି ହେଲା l ମାଥ୍ମେଟିକ୍ସ ଲେକ୍ଚରର ନ ଥାନ୍ତି l ମୁଁ ଯାଇ ମାଥ୍ମମେଟିକ୍ସ କ୍ଲାସ୍ ନେଇଛି l ପ୍ରିନ୍ସିପାଲ୍ ଥିଓରମ୍ , ପ୍ରପରଟିଜ୍ ଅଫ୍ ଟ୍ରିଆଗ୍ଗଲ୍ସ , କୋ - ଅର୍ଡିନେଟ୍ ଜେମୋଟ୍ରି ଇତ୍ୟାଦି l ୧୯୮୦ ମସିହାରେ ବି.ଇଡି. ଓ୍ୱିଂଗ୍ ଖୋଲାହେଲା l ତା ' ର ଦାୟିତ୍ୱରେ ଥିଲେ ଶ୍ରୀଯୁକ୍ତ ଜେ. ଜେ. ପ୍ରଧାନ l ଷ୍ଟାଟିସ୍ଷିକ୍ସ ଶିକ୍ଷା ଦେବାକୁ କେହି ନ ଥାନ୍ତି l ମୁଁ ସେତେବେଳେ ଶ୍ରୀକୃଷ୍ୱ ଏକାଡେମୀର ହେଡମାଷ୍ଟର ଥାଏ l କୌଣସି ଦ୍ୱିଧା ନ କରି ମୁଁ ଆସି ପିଲାମାନଙ୍କ ଷ୍ଟାଟିଷ୍ଟିକ୍ କ୍ଲସ୍ ନେଇଛି l "


ବର୍ତ୍ତମାନ ଉଠିଥିବା ସ୍ଲୋଗାନ " ଆମେ ସରକାରୀ ସ୍କୁଲରେ ପାଠ ପଢି ଗର୍ବିତ ! " ଉପରେ ଆଲୋକପାତ କରିବା l ମନରେ ଏଠି ପ୍ରଶ୍ନ ଉଠେ, " ସତରେ କଣ ଆମେ ଗର୍ବିତ ? " ଆଉ ଯଦି ଗର୍ବିତ ତେବେ କେତେ ଗର୍ବିତ ?


କରୋନା ପ୍ରକୋପରୁ ମାଟ୍ରିକ୍ ପରୀକ୍ଷା କରା ନ ଯାଇ ୨୦୨୧ ମସିହା ମଇମାସ ଶେଷ ସପ୍ତାହରେ କିଛି ସୁଚିନ୍ତିତ ବ୍ୟବସ୍ଥା ମଧ୍ୟମରେ ଫଳ ପ୍ରକାଶ କରାଗଲା l ଫଳ ପ୍ରକାଶ ପାଇବା ପରେ ପରେ ବହୁତ ଛାତ୍ରଛାତ୍ରୀ ସେଇ ବିନା ପରୀକ୍ଷାରେ ବାହାରିଥିବା ରେଜଲ୍ଟକୁ ନେଇ ଖୁସି ହୋଇଥିବା ବେଳେ ଆଉ କିଛି ଆଶାନୁରୂପ ରେଜଲ୍ଟ ନପାଇ ମନ ଉଣାକରି ପଢୁଥିବା ସ୍କୁଲ୍ ସାମ୍ନାରେ ହେଉ କିମ୍ୱା ମାଧ୍ୟମିକ ବୋର୍ଡ ସମ୍ମୁଖରେ ପରିବାର ପରିଜନଙ୍କୁ ସାଥିରେ ଧରି ଇଲେକ୍ଟ୍ରୋନିକ୍ ଓ ପ୍ରିଣ୍ଟ୍ ମିଡ଼ିଆ ସାମ୍ନାରେ ତାଙ୍କ ମନରେ ଥିବା କ୍ଷୋଭକୁ ପ୍ରକାଶ କରିପକାଇଲେ l


ଏକଥା ଆମେ ସମସ୍ତେ ସ୍ୱୀକାର କରିବା ଯେ, ଆମ ମନ ଭିତରେ, ଚିନ୍ତା ଚେତନାରେ ବହୁ ସମୟରେ ବହୁକଥା ଆସେ , ସେ ସବୁ ଭିତରୁ ବହୁ ତଉଲା ତଉଲି କରିସାରି କ'ଣ କହିଲେ ଠିକ୍ ହେବ, ସେଇଟାକୁ ହିଁ ଆମେ ମୁହଁରେ ଭାଷାଦେଇ ସର୍ବଜନୀନ କରିଥାଉ l କେଉଁ କଥା କହିଲେ ଲୋକ ଭୁଲ୍ ବୁଝିବେ ବା ପ୍ରକାଶ କରିବା ଠିକ୍ ହେବନାହିଁ ସେମିତି ସବୁ ଭାବନା ଆମ ମନ ଭିତରେ ଅହରହ ଖେଳ ଖେଳୁଥାଏ l 


ପରୀକ୍ଷା ଫଳକୁ ନେଇ ଖୁବ୍ ଅସନ୍ତୁଷ୍ଟ ଥିବା ଝିଅଟେ ନିଜର ହିତାହିତ ଜ୍ଞାନ ଭୁଲି କହୁ କହୁ ବହୁତ କଥା କହିପକାଇବା ସହିତ ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କୁ ଆକ୍ଷେପ କରି କିଛି ଅରୁଚିକର ମନ୍ତବ୍ୟ ଦେବାଦ୍ୱାରା ଆଜିର ଏହି ସ୍ଲୋଗାନ୍ " ମୁଁ ସରକାରୀ ସ୍କୁଲରେ ପଢି ଗର୍ବିତ " ସାମ୍ନାକୁ ଫୁଲ୍ ଦମ୍ ରେ ଆସିଛି l ଏକଥା ନିଶ୍ଚିନ୍ତ ଯେ, ଝିଅଟି ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କୁ ସେମିତି ସବୁ ଆକ୍ଷେପ କରି ସର୍ବସମ୍ମୁଖରେ ମତ ପ୍ରକାଶ କରିବା ନିହାତି ଭୁଲ୍ କରିଛି l ଆଉ ସେଥି ପାଇଁ ବି ଏବେ ସାରା ଓଡ଼ିଶାରେ ଟ୍ରୋଲ୍ ର ଶିକାର ହେଉଛି l ତେବେ ସେ କହିଥିବା କଥାସବୁ ଇଂରାଜୀ ମିଡିଅମ୍ ଓ ଅନ୍ୟ ବେସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମନ ଭିତରେ ରହିଛି କି ନାହିଁ ତାହାର ସଠିକ୍ ଉତ୍ତର ପାଇବା ନିଶ୍ଚୟ ଖୁବ୍ ଜଟିଳ ବ୍ୟାପାର l 


ବର୍ତ୍ତମାନ ଆସିବା ଏବେ ନଗଦ ନଗଦ ଉଠିଥିବା ସ୍ଲୋଗାନ୍ " ମୁଁ ସରକାରୀ ସ୍କୁଲରେ ପଢି ଗର୍ବିତ " ଉପରେ ଆଲୋକପାତ କରିବା l ଅବଶ୍ୟ ଏକଥାରେ ସମସ୍ତେ ଏକମତ ହେବେ ଯେ, ଜଣେ ପଢିଥିବା ସ୍କୁଲ ଓ କଲେଜକୁ ନେଇ ଗର୍ବକରେ l ଏମିତି ଗର୍ବ କରିବା ଉଚିତ୍ ମଧ୍ୟ l ତେବେ ୩୦ ବର୍ଷତଳେ ଆମ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଥିବା ସରକାରୀ ସ୍କୁଲମାନଙ୍କର ଥିବା ଗୌରବ କାଇଁ ଆଜି ଫିକା ପଡିଯାଇଛି ବୋଲି ସମସ୍ତେ ନିଶ୍ଚୟ ଅନୁଭବ କରୁଥିବେ l ଉଦାହରଣରେ ଏଇ ଲେଖକ ଷଷ୍ଠରୁ ଦଶମ ଶ୍ରେଣୀ ( ୧୯୮୨ ମସିହାରୁ ୧୯୮୬ ) ପର୍ଯ୍ୟନ୍ତ ପଢିଥିବା ସ୍କୁଲ ଜଗତସିଂହପୁର ସଦର ମହକୁମାରେ ଅବସ୍ଥିତ ଶ୍ରୀକୃଷ୍ଣ ଏକାଡେମୀର ନିଆଯାଇ ପାରେ l ୧୯୮୬ ମସିହାରେ ଦଶମ ଶ୍ରେଣୀରେ ୬ଟି ସେକ୍ସନ୍ ଥିବାବେଳେ ଗୋଟେ ସେକ୍ସନ୍ ରେ ୫୦ ପିଲା ରହୁଥିବାରୁ ମାଟ୍ରିକ୍ ପରୀକ୍ଷାରେ ପାଖା ପାଖି ୩୦୦ ପିଲା ଫର୍ମ ଫିଲପ୍ କରି ପରୀକ୍ଷା ଦେଉଥିଲେ lସେତେବେଳେ ସ୍କୁଲରେ ସାର୍ ମାନେ ମାଧ୍ୟ ପାଠ ଆଦୟ କରିବା ବେଳେ ବା ବଦମାସ୍ ପିଲାକୁ ଛାଟରେ ପିଟୁଥିଲେ l ଆଜିକାପରି ସ୍କୁଲ ସବୁ ଦଣ୍ତମୁକ୍ତ ଅଞ୍ଚଳ ହୋଇ ନଥିଲା l ସାର୍ ମାନଙ୍କୁ ପିଲାମାନେ ଭୟ ସହିତ ଭକ୍ତି ବି କରୁଥିଲେ l ବିଭିନ୍ନ ସ୍କୁଲ୍ ମାନଙ୍କରେ ସାର୍ ମାନେ ନାଳ ପାରିହେବା ବେଳେ ଛୋଟ ଛୋଟ ଛାତ୍ରଛାତ୍ରୀଙ୍କୁ କାନ୍ଧରେ ବସାଇ ଆର ପାରିକି ଟେକି ନେଉଥିବାର ଦୃଶ୍ୟ ବି ଦେଖା ଯାଉଥିଲା l ଛାତ୍ରଛାତ୍ରୀଙ୍କୁ ପାଠ ପଢାରେ ଖଇଚା କଲେ ମାଡ଼ ମାରୁଥିଲେ ଆଉ ତତୋଧିକ ସ୍ନେହ ଶ୍ରଦ୍ଧା ବି କରୁଥିଲେ l ଶ୍ରୀକୃଷ୍ଣ ଏକାଡ଼େମୀରେ ମଧ୍ୟ ନାରଣ ସାର୍, ଶାରଦା ମହାପାତ୍ର ସାର୍ ( ନିଜ ହାତରୁ ଘଣ୍ଟା ଓଲ୍ହାଇ ଟେବୁଲ ଉପରେ ରଖି ବଦମାସି କରୁଥିବା ପିଲା ଉପରକୁ ଚକ୍ ଡ଼ଷ୍ଟର ପକାଇବା ), ବଡ଼ ପଣ୍ତିତ( ଚଉକି ବସାଇଦିଅନ୍ତି ) , ସାନ ପଣ୍ତିତ ( ଗୋଟିଏ ଛୋଟ ହାତିକିଆ ବେତ ଧରି ଧୁମ୍ ପିଟନ୍ତି ) , ପ୍ରସନ୍ନ ସାର୍ , ଷଡ଼ଙ୍ଗୀ ସାର୍ , ଭୋଳି ମହାରଣା ସାର୍ ( ପେଟର ନାହି ପାଖକୁ ଖୁବ୍ ଜୋର୍ ରେ ଚିମୁଡ଼ନ୍ତି ) , ବୈଜୟନ୍ତି ମାଡ଼ାମ ( କଳମ ଛାଟ ମଗାଇ ପିଟନ୍ତି ), ମଞ୍ଜୁ ମାଡ଼ାମ ( ଆଣ୍ଠେଇ ଦିଅନ୍ତି ), ଏମିତିକି ସେତେବେଳର ହେଡ଼୍ ସାର୍ ସୁର ପ୍ରସାଦ ମହାପାତ୍ରଙ୍କ ଠାରୁ ମାଡ଼ ଖାଇବା ଅଭିଜ୍ଞତା ମୋର ରହିଛି l ଏଇ ଶ୍ରୀକୃଷ୍ଣ ଏକାଡେମୀରେ ହିଁ ମୋର ଆଉ ଏକ ଡ଼ାକ ନାମ ମଧ୍ୟ ସୃଷ୍ଟି ହୋଇଥିଲା l ମୋ ବୋଉ ମୋର ଯାଁବାଳ ଆଖଣ୍ଡଳମଣିଙ୍କ ପାଖରେ ଯାଚିଥିଲା l ଯାଚିବାର କାରଣ ହେଉଛି ସେଇ ପିଲାବେଳେ ମୋ ଦେହ କୁଆଡେ ବହୁତ ଖରପ ଥିଲା l ଦେହ କେମିତି ଶୀଘ୍ର ଭଲ ହୋଇଯିବ ସେଥିପାଇଁ ବୋଉ ମୋ ଯାଁବାଳ ଯାଚିଥିଲା lମୁଁ ବଡ଼ ହୋଇଗଲି ଆଉ ତା' ସହିତ ମୋ ମୁଣ୍ତର ଜଟ ବି ବହୁତ ବଡ଼ ହୋଇଗଲା l ଦୁଇଟା ଜଟ ମୋ ମୁଣ୍ଡ ପଛପଟେ ଲମ୍ବିଥାଏ l ୧୯୮୨ ମସିହାରେ ଷଷ୍ଠ ଶ୍ରେଣୀରେ ଶ୍ରୀକୃଷ୍ଣ ଏକାଡେମୀକୁ ସେ ଜଟକୁ ମୁଣ୍ଡରେ ଧାରଣ କରି ପଢିବାକୁ ଗଲି l ସ୍କୁଲ୍ ରେ ଏନ୍.ସି.ସି.ର ନାରାୟଣ ସାର୍ କ୍ଲାସ୍ ଟିଚର୍ ଥିଲେ ଆଉ ସେ ହିଁ ମୋତେ ପ୍ରଥମେ " ଜଟିଆ " ନାମରେ ଡ଼ାକିଲେ ଆଉ ତା'ପରେ ମୋ କ୍ଲାସମେଟ୍ ମାନେ ମୋ ନାଁ ଜଟିଆ ଦେଇଦେଲେ l ସମସ୍ତେ ଜଟିଆ ଡ଼ାକିବାରୁ ରାଗରେ ଦିନେ ଦୁଇପ୍ରହରରେ ମୋ ଜଟ ଦୁଇଟାକୁ କାଟି କଲେଜ ପୋଲ ଉପରେ ଠିଆ ହୋଇ ତାକୁ ମାଛଗାଁ କେନାଲରେ ଭସାଇଦେଇ ଘରକୁ ଫେରିଲି l ସେଦିନ ମୋ ବୋଉ ବହୁତ କାନ୍ଦିଥିଲା ଆଉ ବାପା ଢେର୍ ଗାଳି କରିଥିଲେ l କିନ୍ତୁ ମୋ ଜଟ ଆଉ ପକାଇବାକୁ ଆଖଣ୍ଡଳମଣିଙ୍କ ପାଖକୁ ଯାଇନଥିଲି l ତେବେ ମୋ ପୁଅ ସୋନୁ ଜନ୍ମ ହେବାପରେ ମୋ ବୋଉ ତାକୁ ନେଇ ଆଖଣ୍ଡଳମଣିଙ୍କ ପାଖରେ ୨୦୦୨ ମସିହାରେ ଯାଁବାଳ ପକାଇ ମୋ ପାଇଁ କରିଥିବା ମାନସିକ ପୂରଣକରି ଖୁବ୍ ଖୁସି ହୋଇଥିଲା l ଆଜିକା ସମୟରେ ସତରେ ଆଉ ସେଇ ସ୍ଲୁଲ ପରିବେଶ ନାହିଁ l ତେଣୁ ସେସବୁ ସ୍ୱପ୍ନ ଭଳି କେବଳ ଲାଗୁଛି l


 କିନ୍ତୁ ଆଜି ଶ୍ରୀକୃଷ୍ଣ ଏକାଡେମୀରେ ପଢୁଥିବା ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କ ସଂଖ୍ୟା ବୋଧହୁଏ ଦେଢଶହ ହେବ କି ନାହିଁ ସନ୍ଦେହ l ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ପାଇଁ ସେଇ ସ୍କୁଲରେ ୩୦ ପିଲା ଫର୍ମ ଫିଲପ୍ କରିଥିବେ କି ସେଇ ସଂଖ୍ୟାଠାରୁ ଆହୁରି କମ୍ ତାହା ମୋତେ ଜଣାନାହିଁ l ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଥିବା ଅଧିକାଂଶ ପ୍ରତିଷ୍ଠିତ ବୃହତ୍ ତଥା ଅତୀତରେ ଖୁବ୍ ଗୌରବ ବହନ କରିଥିବା ହାଇସ୍କୁଲ୍ ମାନଙ୍କର ଆଜି ଏଇ ଦଶା ଦେଖିବାକୁ ମିଳିଛି l ଆଉ ଏଥିପାଇଁ ଆମ୍ଭମାନଙ୍କର ସରକାରୀ ସ୍କୁଲ୍ କୁ ନେଇ ଗଢି ଉଠୁଥିବା ମାନସିକତା ହିଁ ବହୁ ମାତ୍ରାରେ ଦାୟୀ l ଏଠି ପଇସାବାଲା ଲୋକ, ନେତା , ମନ୍ତ୍ରୀ ସମସ୍ତେ ସରକାରୀ ଡ଼ାକ୍ତରଖାନାରେ ଚିକିତ୍ସିତ ନହୋଇ ପ୍ରାଇଭେଟ୍ ହସ୍ପିଟଲ୍ ରେ ଆଡ଼ମିଶନ୍ ନେବାକୁ ପ୍ରାୟ ନିଷ୍ପତି ନେଇଥାନ୍ତି l ପ୍ରାୟ ଦେଖାଯାଏ ସରକାରୀ ହସ୍ପିଟଲ୍ କୁ ସେଇମାନେ ଯାଇଥାନ୍ତି, ଯେଉଁମାନଙ୍କର ଅର୍ଥବଳ ମଜବୁତ୍ ନଥାଏ ଅର୍ଥାତ୍ ଗରିବ ଗୁରୁବା ହିଁ ସେଠି ଚିକିତ୍ସିତ ହୋଇଥାନ୍ତି l ଠିକ୍ ସେଇ ଏକାକଥା ସରକାରୀ ସ୍କୁଲ ମାନଙ୍କ ସହିତ ଘଟୁଛି l ଯେଉଁମାନେ ଧନିକ ଶ୍ରେଣୀର ଲୋକ, ସେମାନେ ତାଙ୍କ ପିଲାଙ୍କୁ ଇଂରାଜୀ ମିଡିୟମ୍ ସ୍କୁଲ ବା ଅନ୍ୟ ପ୍ରଇଭେଟ୍ ସ୍କୁଲରେ ମୋଟା ଅଙ୍କର ଫିସ୍ ଦେଇ ପଢାଉଥିବା ବେଳେ ଗରିବ ଗୁରୁବା ତାଙ୍କ ପିଲାମାନଙ୍କୁ ସରକାରୀ ସ୍କୁଲରେ ପଢାଉଛନ୍ତି , ଯେଉଁଠି ସରକାର ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ମଧ୍ଯାହ୍ନ ଭୋଜନଠାରୁ ଆରମ୍ଭକରି ବିଭିନ୍ନ ଯୋଜନାମାନ କରିଚାଲିଛନ୍ତି l ଏତେସବୁ ସତ୍ତ୍ୱେ ମଧ୍ୟ ସେ ସବୁ ସ୍କୁଲମାନଙ୍କ ଅବସ୍ଥାରେ କୌଣସି ଅଖିଦୃଷ୍ଟିଆ ପରିବର୍ତ୍ତନ କାଇଁ ପରିଲେଖିତ ହେଉନାହିଁ l ବରଂ ଓଡ଼ିଆ ପ୍ରାଇଭେଟ୍ ସ୍କୁଲ ଓ ଇଂରଜୀ ସ୍କୁଲ୍ ମାନଙ୍କରେ ଅଭିଭାବକମାନେ ନିଜ ପିଲାକୁ ଆଡମିଶନ୍ କରିବାକୁ ଖୁବ୍ ବ୍ୟଗ୍ର ହେଉଛନ୍ତି l 


ଏସବୁ ଭିତରେ ଆଶ୍ଚର୍ଯ୍ୟଜନକ କଥା ହେଉଛି , ଯଦି ଆମକୁ ପଚରାଯାଏ " ତମେ କେଉଁଠି ଚାକିରି କରିବାକୁ ଚାହିଁବ - ପ୍ରାଇଭେଟ୍ ନା ସରକାରୀ ସ୍କୁଲରେ ? " ତେବେ ଏ ପ୍ରଶ୍ନର ଉତ୍ତର ସମସ୍ତଙ୍କର ନିଶ୍ଚୟ ହେବ " ସରକାରୀ ସ୍କୁଲ " । କାରଣ ସେଠି ଚାକିରି ସର୍ତ୍ତାବଳୀ ସହିତ ମୋଟା ଅଙ୍କର ଦରମା ସରକାର ଦେଇଥାନ୍ତି, ଯାହାକି ଅଧିକାଂଶ ପ୍ରାଇଭେଟ୍ ସ୍କୁଲରେ ମିଳେନାହିଁ l କିନ୍ତୁ ଯଦି ପଚରାଯାଏ, " ତମ ପୁଅ, ଝିଅ, ନାତି ବା ନାତୁଣୀଙ୍କୁ ଏଇ ଦୁଇଟି ସ୍କୁଲ୍ ମଧ୍ୟରୁ କେଉଁଠି ପଢାଇବାକୁ ଉଚିତ୍ ମଣିବ ? " ତେବେ ସେ ପ୍ରଶ୍ନର ରେଡ୍ଡିମେଡ୍ ଉତ୍ତର ନିଶ୍ଚୟ ହେବ " ଇଂରାଜୀ ମିଡିଅମ୍ ବା ଅନ୍ୟ ପ୍ରାଇଭେଟ୍ ସ୍କୁଲ " । ସରକାରୀ ସ୍କୁଲରେ କାହିଁକି ପଢାଇବେ ନାହିଁ ପ୍ରଶ୍ନର ମଧ୍ୟ ଭାଲିଡ୍ କାରଣ ଆମପାଖରେ ସବୁବେଳେ ଉପଲବ୍ଧ l ତାହା ହେଉଛି, " ସରକାରୀ ସ୍କୁଲରେ ଆମପିଲା ପଢି କାହା ସହିତ କମ୍ପିଟେସନ୍ କରିବ ? ଅଧିକାଂଶ ଭଲପିଲା ତ ଇଂରାଜୀ ମିଡିଅମ୍ ଅଥବା ପ୍ରାଇଭେଟ୍ ସ୍କୁଲରେ ପଢୁଛନ୍ତି । ତେଣୁ ସରକାରୀ ସ୍କୁଲରେ ପଢାଇ ମୋ ପିଲାର ଭବିଷ୍ଯତ କାଇଁ ନଷ୍ଟ କରିବି l"


ସରକାର ମଧ୍ୟ ସରକାରୀ ସ୍କୁଲମାନଙ୍କର ଏଭଳି ସଂକଟଜନକ ଅବସ୍ଥା ବିଷୟରେ ସମ୍ପୂର୍ଣ୍ଣ ଅବଗତ ନାହାଁନ୍ତି ଏକଥା ମଧ୍ୟ ଆମେ କହିପାରିବା ନାହିଁ l ଏଇ ନିକଟରେ ଓଡ଼ଶା ସରକାର ନିଷ୍ପତି ନେଇଛନ୍ତି ଯେ, ମେଡିକାଲ୍ କଲେଜ ମାନଙ୍କରେ କିଛି ସିଟ୍ କେବଳ ସରକାରୀ ସ୍କୁଲରୁ ଆସିଥିବା ପିଲାମାନଙ୍କ ପାଇଁ ସଂରକ୍ଷିତ ରହିବ ଏବଂ ଆଗକୁ ଯଦି ସ୍କୁଲ ମାନଙ୍କର ସ୍ଥିତିରେ ସୁଧାର ନ ଆସେ ତେବେ ସରକାରୀ ଚାକିରି କ୍ଷେତ୍ରରେ ମଧ୍ୟ ସଂରକ୍ଷିତ ବ୍ୟବସ୍ଥା ଲାଗୁ ହେବନି ସେକଥା ମଧ୍ୟ ଆମକୁ ମନେ ରଖିବାକୁ ହେବ l ଓଡ଼ିଶା ସରକାରଙ୍କ 5T ନିୟମ ଅନୁସାରେ ସରକାରୀ ସ୍କୁଲ୍ ସବୁକୁ ରୂପାନ୍ତରିତ କରାଯାଇ ସ୍ମାର୍ଟ କ୍ଲାସ୍ ରୁମ୍ ସହିତ ବାହାରକୁ ଖୁବ୍ ଚମତ୍କାର ଦେଖାଯାଉଥିବl ରୂପ ଦିଆ ଯାଇଚି l 

ବର୍ତ୍ତମାନ ସରକାରରେ ଅବସ୍ଥିତ ଥିବା ଅଧିକାଂଶ ଅଧିକାରୀ ଯେଉଁମାନେ ୨୦ ବର୍ଷ ପୂର୍ବରୁ ମାଟ୍ରିକ୍ ପାଶ୍ କରିଥିଲେ ସମସ୍ତେ ନିଶ୍ଚିନ୍ତ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ହୋଇଥିବେ l କିନ୍ତୁ ପରବର୍ତ୍ତି ପିଢି ଅର୍ଥାତ୍ ନିଜ ପୁଅ ଝିଅଙ୍କୁ କେଉଁଠି ପଢାଇଲେ ବା ପଢାଉଛନ୍ତି ତାହା ହେଉଛି ଅସଲ ପ୍ରଶ୍ନ l ଆମେ ସମସ୍ତେ ଯଦି ସରକାରୀ ସ୍କୁଲରେ ପଢି ଗର୍ବିତ , ତେବେ ଆମ ପୁଅ ଝିଅଙ୍କୁ ସେଠି ପଢାଇଥିଲେ ଆହୁରି ଅଧିକ ଗର୍ବିତ ନିଶ୍ଚୟ ହୋଇଥାନ୍ତେ । ମୁଁ ନିଜେ ଶ୍ରୀକୃଷ୍ଣ ଏକାଡେମୀ ପରି ଏକ ସୁନାମଧନ୍ୟ ତଥା ଐତିହ୍ୟ ସମ୍ପନ୍ନ ସରକାରୀ ହାଇସ୍କୁଲର ଛାତ୍ର ହିସାବରେ ଗର୍ବ ଅନୁଭବ କରୁଥିବା ବେଳେ ନିଜ ପୁଅକୁ ସେଇ ସ୍କୁଲରେ ନ ପଢାଇ ତା' ପାଖରେ ଗଢିଉଠିଥିବା ଗୋଟେ ପ୍ରାଇଭେଟ୍ ସ୍କୁଲରେ ପଢାଇଥିବାରୁ ସତରେ କାଇଁ ସେଇ ଗର୍ବ ଭାବ ମନ ଭିତରେ କେଉଁଠି ଉଣା ହେଇଯାଉଛି l 


ବର୍ତ୍ତମାନ ସରକାରୀ ଓଡ଼ିଆ ବିଦ୍ୟାଳୟରେ ଅସୁବିଧା ହେଉଛି ସେଠି ଶ୍ରେଣୀ ମୁତାବକ ଶିକ୍ଷକ ଅଭାବ । କେଉଁଠି ୫ଟା କ୍ଲାସ୍ ପାଇଁ ମାତ୍ର ଜଣେ କି ଦୁଇଜଣ ଶିକ୍ଷକ ଥିବାବେଳେ ସେଥିରେ ପୁଣି ସେମାନଙ୍କୁ ବିଭିନ୍ନ କିସମର କାର୍ଯ୍ୟରେ ସରକାର ନିୟୋଜିତ କରିଥାନ୍ତି l ସେଇ ସବୁ କାମ ଭିତରେ ଜନଗଣନା , ଭୋଟର୍ ଲିଷ୍ଟ୍ ସଂଶୋଧନ , ସ୍କୁଲରେ ନିର୍ମାଣ କାର୍ଯ୍ୟ, ଚାରା ଗଛ ରୋପଣ କରିବା ଆଦି ବହୁ କାର୍ଯ୍ୟ କରିବା ସହିତ ପ୍ରଥମ ଶ୍ରେଣୀରୁ ଆରମ୍ଭକରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲାମାନଙ୍କର ମଧ୍ଯାହ୍ନ ଭୋଜନ ଦାୟୀତ୍ୱ ମଧ୍ୟ ଶିକ୍ଷକମାନେ ବୁଝିଥାନ୍ତି l ଏହା ବାଦ୍ ବିଭିନ୍ନ ସରକାରୀ ଯୋଜନାରେ ପିଲାମାନଙ୍କୁ ମିଳୁଥିବା ବହି, ସାଇକେଲ୍, ଛତା, ଡ୍ରେସ୍ ଆଦି ଜିନିସପତ୍ର ସହିତ ବିଭିନ୍ନ ବୃତ୍ତି ବାବଦକୁ ଅର୍ଥ ପିଲାମାନେ କେମିତି ସୁରୁଖୁରୁରେ ପାଇବେ ତାହା ମଧ୍ୟ ଶିକ୍ଷକମାନେ ହିଁ ଦେଖନ୍ତି l କିନ୍ତୁ ଆମ ସମୟରେ ଅର୍ଥାତ୍ ୩୦ ବର୍ଷ ତଳେ ଶିକ୍ଷକମାନେ କେବଳ ଶିକ୍ଷାଦାନ କାର୍ଯ୍ୟରେ ହିଁ ନିୟୋଜିତ ହେଉଥିଲେ l କିନ୍ତୁ ବର୍ତ୍ତମାନ ସ୍କୁଲ ମାନଙ୍କରେ ସେ ପୂର୍ବ ସ୍ଥିତି ଆଉ ନାହିଁ,  ଏଥିରେ ବହୁତ୍ କିଛି ପରିବର୍ତ୍ତନ ହୋଇସାରିଛି ଯାହା ଫଳରେ ପିଲାମାନେ ଏବେ ପ୍ରାଇଭେଟ୍ ସ୍କୁଲ୍ ମୁହାଁ ହୋଇଛନ୍ତି l ତେଣୁ ପ୍ରଥମେ ସରକାରୀ ଵ୍ୟଵସ୍ଥାରେ ରହିଥିବା ତ୍ରୁଟି ସବୁକୁ ସୁଧୁରିବା ସହିତ ସରକାରୀ ସ୍କୁଲକୁ ନେଇ ଆମ୍ଭମାନଙ୍କ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଆସିବା ନିହାତି ଆବଶ୍ୟକ l ମୁଁ ପଢିଥିବା ସରକାରୀ ସ୍କୁଲରେ ମୋ ପୁଅ ବି ପଢିଛି, ନାତି ନାତୁଣୀ ବି ପଢୁଛନ୍ତି , ଏମିତି ହେଲେ ବୋଧେ ଆମ ଗର୍ବଟା ବହୁଗୁଣିତ ହୋଇଯିବା ସହିତ ଆମ ଶ୍ରୀକୃଷ୍ଣ ଏକାଡେମୀ ସମେତ ଅନ୍ୟ ସରକାରୀ ହାଇସ୍କୁଲ୍ ମାନଙ୍କର ଏ ସଂକଟଜନକ ଅବସ୍ଥାର ପରିବର୍ତ୍ତନ ସମ୍ଭବ ହେବ l


ଏମିତିରେ ଯଦି ପ୍ରତିଷ୍ଠା ବର୍ଷ ୧୯୩୫ ମସିହାରୁ ଚଳିତ ବର୍ଷ ୨୦୨୩ ଯାଏ ହିସାବ କରିବା, ତେବେ ଆମ ଶ୍ରୀକୃଷ୍ଣ ଏକାଡେମୀ ଏ ଭିତରେ ୮୮ ବର୍ଷ ପୂରଣ କରିସାରିଛି l ଆଉ ମାତ୍ର ୧୨ ବର୍ଷ ପରେ ଆମେ ଶହେ ବର୍ଷ ପୂର୍ତ୍ତି ( Centenary , the 100th Anniversary - ଶତବାର୍ଷିକୀ ) ଉତ୍ସବ ପାଳନ କରିବା । ଦେଖିବାକୁ ଗଲେ ଆମ ସ୍କୁଲ୍ ର ପ୍ଲାଟିନମ୍ ଜୁବୁଲି ପାଳନ ବହୁ ପୂର୍ବରୁ ଅର୍ଥାତ୍ ୨୦୧୦-୧୧ ମସିହାରେ ହେବା କଥା l ଏବେ ନାଇଜରର କୁଳ ସଚିବ ଥିବା ଆମ ଶ୍ରୀକୃଷ୍ଣ ଏକାଡେମୀର ପୁରାତନ ଛାତ୍ର ଡକ୍ଟର ଅଭୟ କୁମାର ନାୟକଙ୍କ ନେତୃତ୍ବରେ ବହୁ ପୁରାତନ ଛାତ୍ର ବିଳମ୍ବରେ ହେଉ ପଛେ ସ୍କୁଲ୍ ର ପ୍ଲାଟିନମ୍ ଜୁବୁଲି ପାଳନ କରିବାକୁ ଅଣ୍ଟା ଭିଡିଛନ୍ତି l ଏହା ଖୁବ୍ ସ୍ବାଗତଯୋଗ୍ୟ ପଦକ୍ଷେପ l ଏଥିରେ ସମସ୍ତେ ସହଯୋଗର ହାତ ବଢ଼ାଇବା ସହିତ ଆମ ଶ୍ରୀକୃଷ୍ଣ ଏକାଡେମୀ କିପରି ତା'ର ପୂର୍ବ ଗୌରବ ଫେରିପାଇବ, ଏଥିପାଇଁ ନିଷ୍ଠାପର ଉଦ୍ୟମ କରିବା ଏହା ହିଁ ଆଜିର ଦିନରେ ଆମର ଏକମାତ୍ର ସଂକଳ୍ପ ହେଉ l



Rate this content
Log in

Similar oriya story from Classics